Unknown

 

 

 

 

 

 

 

 

 

 

ପ୍ରସ୍ତୁତି ପଥେ

ଶ୍ରୀ ପରମାନନ୍ଦ ମହାନ୍ତି

 

ଭୂମିକା

 

ମୋ ଗ୍ରନ୍ଥର ଏ ଭୂମିକା ଗ୍ରନ୍ଥଟିର “ପୂର୍ବାଭାସ” ମାତ୍ର । “ପୂର୍ବଭାସ” ଅର୍ଥ ମାଲମସଲା ଯୋଗାଡ଼ । ଏଠାରେ ଯେଉଁ ମାଲମସଲା ସମାବେଶ କରାଯାଇଛି ତାହା ବିଗତ ୬୦ ବର୍ଷ ତଳର–ସ୍ଵାଧୀନତା ସଂଗ୍ରାମ ଆରମ୍ଭ ସମୟର କଥା । ଏହି ସଂଗ୍ରାମ ସକାଶେ ଅତ୍ୟନ୍ତ ଆବଶ୍ୟକ ସାଜସରଞ୍ଜାମ ଯୋଗାଡ଼ କରିବାର ଉଦ୍ୟମ ୧୯୬୧ ମସିହା ପୂର୍ବରୁ ଦେଶରେ କିଛି ଆଲୋଡ଼ନ ସୃଷ୍ଟି କରିଥିଲା । ପରାଧୀନତାର ଶୃଙ୍ଖଳରୁ କିପରି ଦେଶକୁ ମୁକ୍ତ କରିବାକୁ ହେବ–ଏହା ସ୍ଵାଧୀନତାପ୍ରେମୀ ପ୍ରତ୍ୟେକ ଯୁବକଙ୍କର ପ୍ରଧାନ ଚିନ୍ତାର ବିଷୟ ହୋଇଥାଏ । ତା’ରି ପୂର୍ବାଭାସ ଏଠାରେ ଦେଉଛି ।

 

୧୯୨୧ ମସିହା–ଗାନ୍ଧିଜୀ ଆସି କାଠଯୋଡ଼ି ନଈ ବାଲିରେ ବକ୍ତୃତା ଦେବା କଥା । ସେଥିରେ ବ୍ରିଟିଶ ସିଂହ ଭଳିଆ ପରାକ୍ରମୀ ଶକ୍ତିର ମଧ୍ୟ ଛାତି ଦୋହଲିଯାଇଥାଏ । ହାତରେ ଲାଠି ନାହିଁ–ବନ୍ଧୁକ ନାହିଁ–ଜଣେ ନଗ୍ନ ଫକୀରକୁ ଘେରି ଏତେ ଲୋକ ଦମ୍ଭରେ ଆସି ଛିଡ଼ାହେବେ ଏକଥା ସ୍ଵପ୍ନରେ କେହି ଭାବି ନଥାଏ । ବାସ୍ତବିକ ସେହି ସନ୍ଧ୍ୟାର ସଭା ପରେ ଦେଶସାରା ଗୋଟାଏ ଚହଳ ସୃଷ୍ଟି ହୋଇଗଲା । ନଈ ବନ୍ଧରେ ବନ୍ଧୁକଧାରୀ ପୁଲିସ୍‌ଙ୍କର ‘କୁଚ୍ କବାଜ୍‌’ ମଧ୍ୟ ତତ୍କାଳୀନ ଭୀରୁ ଜନତାକୁ ଭୟଭୀତ କରାଯାଇପାରି ନଥିଲା । ତିନିଘଣ୍ଟା ଧରି ଗାନ୍ଧିଜୀ ଅନର୍ଗଳ ବକ୍ତୃତା ଦେଇଚାଲିଲେ । ତାଙ୍କୁ ଓଡ଼ିଆରେ ଅନୁବାଦ କରୁଥାନ୍ତି ତତ୍କାଳୀନ ଯୁବନେତା ରାଜକୃଷ୍ଣ ବୋଷ । ସବୁ ସରିଲା–ଯେ ଯୁଆଡ଼େ ଘରକୁ ଗଲେ; କିନ୍ତୁ ଗୋଟାଏ ଅସମ୍ଭବ ଚେତନା ଲୋକଙ୍କ ମନରେ ଜାଗିଲା–ଗୋଟାଏ ଜନଶକ୍ତି ଜାଗ୍ରତ ହେଲେ ଅସ୍ତ୍ରଶସ୍ତ୍ରଧାରୀ ପରାକ୍ରମୀ ବଳ ମଧ୍ୟ ତା’ର କେଶ ସ୍ପର୍ଶ କରିପାରିବନି ।

 

ସେତେବେଳେ କଟକ ସହରଟି ଦୁଇଭାଗରେ ବିଭକ୍ତ କରି ମନେ ହେଉଥିଲା । କାଠଯୋଡ଼ି ନଦୀ କୂଳେ କୂଳେ ବଡ଼ବଡ଼ ଓକିଲ ମୁକ୍ତିଆର ଡାକ୍ତର ପ୍ରଭୃତିଙ୍କ ଘର ଥାଏ । ମହାନଦୀକୂଳରେ କମିସନ୍‍ର, କଲେକ୍‍ଟର, ପୁଲିସ ସାହେବ ଓ ସରକାରଙ୍କର ଅନ୍ୟାନ୍ୟ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଘର ଥାଏ । ମଝିଟା ବ୍ୟବସାୟୀ ଓ ସ୍କୁଲ୍ ଶିକ୍ଷକ, କଲେଜ ଶିକ୍ଷକ ପ୍ରଭୃତିଙ୍କ ବାସସ୍ଥାନ । ଏହି ସଭାର ହାୱା ସହର ଅତିକ୍ରମ କରି–ଖବରକାଗଜ ନାହିଁ, ଡାକବାଜି ଯନ୍ତ୍ର ନାହିଁ–କେବଳ ଲୋକମୁଖରେ ପ୍ରାୟ ୨୦।୨୪ ମାଇଲ ଦୂରକୁ ବ୍ୟାପୀଗଲା । ଏଥିରେ ତତ୍କାଳୀନ ରକ୍ଷଣଶୀଳ ଲୋକମାନେ ଆଶ୍ଚର୍ଯ୍ୟ ହେଲେ । କିପରି ଖୋଦ୍‌ ସରକାରଙ୍କ ନାକ ତଳେ ଥିବା କଟକସହରରେ ଗୋଟିଏ ପୀଠସ୍ଥାନରେ ଏପରି ମିଟିଙ୍ଗ୍‍ ହୋଇପାରିଲା–ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା । ଏହା ହେଲା ଜାତିର ଜୀବନରେ ପ୍ରଥମ ସ୍ପନ୍ଦନ । ତେଣିକି ଏହି ବିଷୟଟି ଶାଖାପ୍ରଶାଖା ବିସ୍ତାରକରି ସମଗ୍ର କଟକ ସହର ତଥା ମଫସଲରେ ଆଲୋଡ଼ନ ସୃଷ୍ଟି କଲା । ଏହି ପରିସ୍ଥିତିରେ ମୁଁ କଟକସହରର ତତ୍କାଳୀନ ଖେଳକୌତୁକଠାରୁ ଆରମ୍ଭ କରି ନାଟତାମସା ପ୍ରଭୃତି ସାଂସ୍କୃତିକ ବିଷୟରେ କିଛି ଆଲୋଚନା କରିବି–ଏହା ସଙ୍ଗେ ସଙ୍ଗେ ସ୍ଵାଧୀନତା ସଂଗ୍ରାମର ଢେଉ କିପରି ଚାରିଆଡ଼େ ମାଡ଼ିଯାଇଥିଲା ତାହା ଏଠାରେ ଉଲ୍ଲେଖ କରାଯିବ ।

 

ଗାନ୍ଧିଜୀ ଆସିଲେ ଗଲେ–ରହଣି ମାତ୍ର ୩ ଘଣ୍ଟା–କିନ୍ତୁ ସେହି ସ୍ୱଳ୍ପ ସମୟ ମଧ୍ୟରେ କଟକ ସହରର ଶିରାପ୍ରଶିରାରେ ଗୋଟାଏ ସ୍ପନ୍ଦନ ଖେଳିଗଲା । ସମସ୍ତେ ଅନୁଭବ କଲେ ବ୍ରିଟିଶ ଶାସକଙ୍କ ଆସନ ଟଳମଳ ହୋଇପଡ଼ିଲା । ସ୍କୁଲ୍‍ କଲେଜର ଛାତ୍ରମାନେ ସ୍ଵାଧୀନତାର ସ୍ଵାଦ ନବୁଝି ସୁଦ୍ଧା ତା’ ପରଦିନ ମନକୁ ମନ ସ୍କୁଲ୍‍ କଲେଜକୁ ଗଲେ ନାହିଁ । ଓକିଲ ମୁକ୍ତାର ମଧ୍ୟ କଚେରିକୁ ଗଲେନାହିଁ । ବାସ୍ତବିକ ଏ କି ସ୍ପନ୍ଦନ ଯାହା ଜାତିର ପ୍ରାଣକୁ ଏପରି ଆଲୋଡ଼ିତ କରିପାରିଲା ! ତେଣିକି ବରାବର ଛୋଟ ବଡ଼ ସଭାମାନ ନଈବାଲିରେ ତତ୍କାଳୀନ ବିଭିନ୍ନ ଯୁବନେତାଙ୍କଦ୍ୱାରା ଆହୂତ ହେଲା । ସରକାରଙ୍କଦ୍ଵାରା ପ୍ରଚାରିତ ହେଲା ଯେ ଯେଉଁ ଅଭିଭାବକମାନେ ତାଙ୍କ ପିଲାଙ୍କୁ ସଭା ସ୍ଥାନକୁ ଛାଡ଼ିବେ ସେମାନେ ଦଣ୍ଡିତ ହେବେ । ଏଥିରେ ଛାତ୍ରମାନେ ଓ ତାଙ୍କର ପିତାମାତା କ୍ଷୁବ୍ଧ ହେଲେ । ଏହି ହେଲା ମାନବିକ ଅଧିକାର ଉପରେ ଆକ୍ରମଣର ପ୍ରଥମ ସ୍ପନ୍ଦନ । କ୍ରମେ ଏହାର ସ୍ଫୁଲିଙ୍ଗ ଚାରିଆଡ଼େ ଖେଳିଗଲା । ଗାନ୍ଧିଜୀଙ୍କର କାଟି ପିନ୍ଧ ଖଟି ଖାଅ ବାର୍ତ୍ତା ବିନା ପ୍ରୟାସରେ ଚାରିଆଡ଼େ ବ୍ୟାପୀଗଲା । ଲୋକେ ଖଦଡ଼ ପିନ୍ଧିବା ଆରମ୍ଭକଲେ । ଷଣ୍ଢକୁ ନାଲି କନା ଯେପରି ଭୟର କାରଣ ହୋଇଥାଏ, ସେହିପରି ସରକାରୀ ହାକିମ ତଥା ଇଂରେଜ ସମର୍ଥକ ବୁଦ୍ଧିଜୀବୀଙ୍କର ଏହା ଭୟର କାରଣ ହେଲା । ତା’ ପଛକୁ ବିଲାତିବର୍ଜନ କାର୍ଯ୍ୟରୂପେ ପ୍ରାୟ ପ୍ରତିଦିନ କାଠଯୋଡ଼ି ନଈ ବାଲିରେ ଲୁଗା ପୋଡ଼ା ଚାଲିଲା । ଏହି ହେଲା ମୋଟରେ ପୂର୍ବାଭାସ ।

 

ଏହି ଉପନ୍ୟାସର ପ୍ରଧାନ ଚରିତ୍ରରୂପେ ପରେ ଦେଖାଦେଇଥିବା ଗୋରା ଓ ତାରାଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା । ସେମାନଙ୍କ ଗାଁ କଟକଠାରୁ ୮ ମାଇଲ ଦୂରରେ । ବାପା କଟକରେ ମୁକ୍ତିଆର । ବାଖରାବାଦରେ ଘର ଥାଏ । ଉପରୋକ୍ତ ସଭାଦିନ ଗୋରା ତାରା ଦୋଳଛୁଟିରେ ଗାଁରେ ଥିଲେ । କିନ୍ତୁ ଗୋରା ସଭାର ଖବର ପାଇ ଆଗରୁ କେବେ ଏକୁଟିଆ କଟକ ନ ଆସିଥିଲେ ସୁଦ୍ଧା ସେଦିନ ଆସି ନଈ ବାଲିର ସଭାରେ ଯୋଗଦେଇ ପରଦିନ ସକାଳୁ ଗାଁକୁ ଫେରିଗଲା । ସେତେବେଳେ ସେ ମାତ୍ର ଦଶମ ଶ୍ରେଣୀର ଛାତ୍ର । ସେ ଯାଇ ଗାଁ ପିଲାମାନଙ୍କ ଆଗରେ ସଭାର ଯେଉଁ ବର୍ଣ୍ଣନା ଦେଲା ସେଥିରେ ପିଲା କାହିଁକି ବଡ଼ମାନେ ମଧ୍ୟ ଉଦ୍‌ବୁଦ୍ଧ ହେଲେ, ଆଉ ଅଖା ପରି ମୋଟା ସାତହାତି ଖଦଡ଼ଧୋତି ଗୋରା ପିନ୍ଧିବା ଦେଖି ସମସ୍ତେ ଆହୁରି ଆଶ୍ଚର୍ଯ୍ୟ ହେଲେ, ଏହିପରି ଆନ୍ଦୋଳନ ଗାଁରୁ ଗାଁକୁ ବ୍ୟାପିଲା । ଗୋରା ତାରାଙ୍କ ବାପା ସରକାରୀ ଚାକିରିଆ ନଥିବାରୁ ଅରଟରେ ସୂତା କାଟି ଲୁଗା ବୁଣି ପିନ୍ଧି ନିର୍ଭୀକ ଭାବରେ କୋଟ୍‍ କଚେରିକୁ ଯିବାକୁ ଲାଗିଲେ । ପିଲାଙ୍କ ସାହସ ବଢ଼ିଲା । ସେମାନେ ମଧ୍ୟ ଜିଦ୍ କଲେ ଖଦଡ଼ ପିନ୍ଧି ସ୍କୁଲ୍‍ ଯିବାକୁ–ଯଦିଓ ଖଦଡ଼ ପିନ୍ଧିବା ସ୍କୁଲ୍‍ରେ ଦଣ୍ଡନୀୟ ଥିଲା । ତଥାପି ବାପାଙ୍କଠାରୁ ସାହସ ପାଇ ସେମାନେ ନିୟମିତ ଖଦଡ଼ ପିନ୍ଧିଲେ । ଫଳରେ ସ୍କୁଲ୍‍ରେ ମଧ୍ୟ ଗୋଟାଏ ଖଦଡ଼ପିନ୍ଧା ଗୋଷ୍ଠୀର ସୃଷ୍ଟି ହେଲା । ସେଇଟା ପି.ଏମ୍. ଏକାଡ଼େମୀ ସ୍କୁଲ୍‍ । ତାହାର ପ୍ରତିଷ୍ଠାତା ତଥା ତତ୍କାଳୀନ ଶିକ୍ଷକବୃନ୍ଦ ସମସ୍ତେ ଏ କାମର ପୃଷ୍ଠପୋଷକ ଥିଲେ ।

 

ଖଦଡ଼ପିନ୍ଧା ଶିକ୍ଷକମାନେ ସମୟସମୟରେ ଏକାଠି ହୋଇ ଆନ୍ଦୋଳନର ପ୍ରସାର ବିଷୟ ଆଲୋଚନା କରିବାକୁ ଲାଗିଲେ । ଏହିପରି କ୍ରମେ ହାୱାଟା କାଠଯୋଡ଼ି କୂଳରୁ ମହାନଦୀ କୂଳକୁ ବ୍ୟାପିଲା । କ୍ରମେ ଆନ୍ଦୋଳନ ବାହ୍ୟରୂପ ନ ନେଇ ଭିତରେ ଭିତରେ କୁହୁଳିବାକୁ ଲାଗିଲା-। ୧୯୩୦ ବେଳକୁ ଗାନ୍ଧିଜୀ ଯେତେବେଳେ ଲୁଣମରା ଆନ୍ଦୋଳନର ଡାକ ଦେଲେ ସେତେବେଳେ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବକ ଲୁଣ ମାରିବାକୁ ବାହାରିପଡ଼ିଲେ । ଏମାନଙ୍କୁ ଲୋକେ ସ୍ନେହରେ ବାନରସେନା ନାମ ଦେଲେ । ଯେଉଁମାନେ ଲୁଣ ମାରିବାକୁ ଗଲେ ସେମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର ହେଲା । ଜେଲ୍‌ ଜୋରିମାନା ତ ଲାଗି ରହିଥାଏ । ଜୋରିମାନା ଦେଉଚି କିଏ ? ଶେଷରେ ପିଲାଙ୍କୁ ଛାଡ଼ି ଅଭିଭାବକଙ୍କ ଉପରେ ଚାପ ପଡ଼ିଲା । ଲୁଚାଚୋରାରେ ଲୁଣପୁଡ଼ିଆ ୩।୫ ଟଙ୍କା ହୋଇ ବଜାରରେ ବିକ୍ରି ହେଲା । ସରକାର ଏଥିରେ ପ୍ରମାଦ ଗଣିଲେ-। ଏ ଆନ୍ଦୋଳନ ଏତେ କମ୍ ସମୟ ଭିତରେ ଏତେ ଜୋରରେ ତେଜି ଉଠିବ–ଏ ବିଶ୍ୱାସ କାହାରି ନଥିଲା । କଲେଜ ଓ ସ୍କୁଲ୍‍ କିଛିଦିନ ବନ୍ଦହେବାପରେ ପୁଣି ଖୋଲିଲା । ଏତିକିବେଳେ ହଠାତ୍‌ ତାରାର ବାପାଙ୍କୁ ଟାଇଫଏଡ଼୍ ହୋଇ ଦୁଇଦିନରେ ତାଙ୍କର ମୃତ୍ୟୁ ହେଲା । ସେ ହୃଷ୍ଟପୁଷ୍ଟ ଶରୀରଥିଲେ । ପେଟ ଭିତରେ କୌଣସି ଶିରା ଛିଣ୍ଡି ରକ୍ତସ୍ରାବ ହେବାରୁ ତାଙ୍କର ମୃତ୍ୟୁହେଲା-। ଏକ ବର୍ଦ୍ଧିଷ୍ଣୁ ପରିବାରର ଅଗ୍ରଗତିର ପରିସମାପ୍ତି ଏଠାରେ ଘଟିଲା । ଦାଦା ମଧ୍ୟ କିଲଟରି କଚେରିରେ କାମ କରି ବେଶ୍ ଦିପଇସା ରୋଜଗାର କରୁଥିଲେ । କିନ୍ତୁ ସେ ଏପରି ଭାଙ୍ଗିପଡ଼ିଲେ ଯେ ପିଲାଙ୍କୁ ପଢ଼ାଇବାର ସାହସ କଲେନି । ଗୋରା ଅନନ୍ୟୋପାୟ ହୋଇ ଟାଟା କମ୍ପାନୀରେ ଗୋଟିଏ ଚାକିରି ଗ୍ରହଣକଲା । ତାରା ମାଟ୍ରିକ୍ ପାସ୍‍ କରି ନଥାଏ । ସେ ମାଟ୍ରିକ୍ ପାସ୍‍ କରି ଉଚ୍ଚଶିକ୍ଷା ସକାଶେ ପଢ଼ିଲା ଭାଇଙ୍କ ବଳରେ । ଏତିକିବେଳେ ଗୋଟିଏ ସାମାନ୍ୟ ଘଟଣାରୁ ତାରାକୁ କଲେଜରୁ ବହିଷ୍କାର କରାଗଲା–୬ ମାସ ପର୍ଯ୍ୟନ୍ତ ସେ କଲେଜରେ ପଢ଼ିପାରିଲା ନାହିଁ-। କିନ୍ତୁ ସେ I. Sc. ପରୀକ୍ଷା ଦେଇ ପାସ୍‍ କରିବାରୁ ତାକୁ B. Sc. ପଢ଼ିବାକୁ ଦିଆଗଲା । ଭାଇ ମଧ୍ୟ ଟାଟାନଗରରେ ଅସହଯୋଗ ଆନ୍ଦୋଳନରେ ଉଦ୍‌ବୁଦ୍ଧ ହୋଇ ସେଠାରେ ଓଡ଼ିଆମାନଙ୍କ ଅଗ୍ରଣୀରୂପେ ଖ୍ୟାତି ଅର୍ଜନ କଲେ । ଭୂମିକାକ୍ରମେ ବର୍ଣ୍ଣାଡ଼ଶୟୀ ରୂପ ଧରିବାରୁ ବାଧ୍ୟ ହୋଇ ଏହିଠାରେ ଭୂମିକା ଲେଖା ବନ୍ଦ କଲି । ଏଣିକି ଭୂମିକା ଲେଖା ବନ୍ଦକରି ଅନ୍ୟାନ୍ୟ ବିଷୟରେ କି କି ପ୍ରସ୍ତୁତି ହେଲା ଦେଖିବା ।

 

ଓଡ଼ିଶାର କେତେକ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ନାମ ଘଟଣାକ୍ରମେ ଏହି ଉପନ୍ୟାସରେ ଉଲ୍ଲେଖ କରିଚି । ତାହା କରିଥିବାରୁ ମୁଁ ସେମାନଙ୍କ ପାଖରେ କ୍ଷମାପ୍ରାର୍ଥନା କରୁଛି ।

 

ଦୁର୍ଭାଗ୍ୟକୁ ଏ ବହି ଲେଖିବାବେଳକୁ ମୁଁ ଚକ୍ଷୁହୀନ ହୋଇପଡ଼ିବାଯୋଗୁଁ ମୋର ଦ୍ଵିତୀୟା ପୁତ୍ରବଧୂ କଲ୍ୟାଣୀୟା କୀର୍ତ୍ତିଲେଖାକୁ ମୁଁ ଡାକିବା ଅନୁସାରେ ସେ ପାଣ୍ଡୁଲିପିଟି ଲେଖିଛି । ଏଥିପାଇଁ ମୁଁ ତାକୁ ମୋର ଆନ୍ତରିକ ସ୍ନେହ ଜଣାଉଛି ।

 

ଲେଖକ

☆☆☆

 

ପ୍ରଥମ ଭାଗ

ଏକ

 

‘ଆରେ ଟୋକା, ଶୋଇଛୁ କ’ଣରେ, ଉଠ୍ ଉଠ୍, ତୋ’ର ଗୋଟାଏ ସାଙ୍ଗ ହେଲାଣିରେ’ ବୋଲି କହି ଜେଜେ ଚାରିବରଷର ତାରାକୁ ହଲେଇ ପକେଇଲେ । ତାରାର ନିଦ ଭାଙ୍ଗିଛିକି ନାହିଁ, ତାକୁ କାଖେଇ ତଳ ଖଞ୍ଜାକୁ ନେଇ ଚାଲିଗଲେ ଜେଜେ । ତାରା ଆଖି ମଳି ମଳି ଜେଜେଙ୍କ କାଖରେ ଯାଇଁ ଗୋଟିଏ ନୁଆଁଣିଆ ଚାଳଘର ପାଖରେ ପହଞ୍ଚିଲା । ଘରଟି ଅନ୍ଧାରୁଆ । ଭିତରୁ ଗୋଟାଏ କୁଆଁ କୁଆଁ କାନ୍ଦ ଶୁଣାଯାଉଥାଏ । ସେତେବେଳକୁ ତାରାର ନିଦ ପୂରା ଭାଙ୍ଗିଗଲାଣି । ସେ ଜେଜେଙ୍କୁ ପଚାରିଲା, ‘ସାନମା’ ଘର ଝିଅ କାହିଁକି ଆମ ଘରେ ପଶିଛି ?’

 

‘ଆରେ ନାହିଁରେ, ସେ ସାନମା’ ଘର ଝିଅ ନୁହେଁ, ସେ ଆମଘର ଝିଅ ।’

 

“ଆମ ଘରେ ଝିଅ କୁଆଡ଼ୁ ଆସିଲା ?’

 

‘ତୋର ଗୋଟିଏ ନାଲି ଟୁକୁଟୁକୁ ଭଉଣୀ ହୋଇଛିରେ, ତୁ ତା’ ସାଙ୍ଗେ ଏଥରକ ଖେଳିବୁ । ତୋତେ ଆଉ ସାନମା’ ଘରକୁ ଯିବାକୁ ହେବନାହିଁ ।’

 

‘ଜେଜେ, ତାକୁ ଆଣ ମୋ ପାଖକୁ !

 

‘ଅତି ଛୋଟ ହୋଇଛିନା, ଆଉ ଟିକିଏ ବଡ଼ ହେଲେ ତୋ ସାଙ୍ଗେ ଖେଳିବ ।’ ଏହା କହି ଜେଜେ ତାକୁ ସେଠାରୁ ନେଇଆସିଲେ । ତାରାର ଆଖି କିନ୍ତୁ ସେହି ଘର ଆଡ଼େ ଲାଖିଥାଏ । ସେ ଦିନଟା ସେ ଆଉ ତା’ ବୋଉକୁ ଦେଖିନାହିଁ । ଜେଜେଙ୍କ ସାଙ୍ଗରେ ବାରିକୁ ଯାଇ ପନିପରିବା ଆଣିଛି; କିନ୍ତୁ ସବୁ କଥାରେ ଜେଜେଙ୍କୁ ପଚାରିଛି–ତା’ ସାନ ଭଉଣୀ ଏ ଶାଗ ତରକାରି ଖାଇବ କି ନାହିଁ । ତା’ ମନରେ ଗୋଟାଏ କଥା ବରାବର ଉଠିଛି–ସେ ସାନ ଭଉଣୀ ଆସିଲା କେଉଁଠୁଁ । ସେ କ’ଣ ବୋଉଠେଇଁ ଥିଲା ? ଥିଲା ତ, ଆଜିଯାକେ ଆସି ତା’ ସାଙ୍ଗେ ଖେଳୁ ନଥିଲା କାହିଁକି ? ସେ ଦିନଟାଯାକ ତାକୁ ମୋଟେ ଭଲ ଲାଗିଲାନାହିଁ । ଏଣେ କୁନି ଭଉଣୀ କୁଆଡ଼ୁ ଆସିଲା ସେ ଚିନ୍ତା; ପୁଣି ବୋଉକୁ ଦେଖିବାକୁ ମନ । ତାରା ଯଦିବା ଗତ ବର୍ଷେଖଣ୍ଡେ ହେବ ତା’ ବୋଉଠାରୁ ପ୍ରାୟ ସମ୍ପର୍କ ଛିଣ୍ଡେଇ ଦେଇଛି, ତଥାପି ସମୟ ପାଇଲେ ବୋଉ ଯେ ତାକୁ ଟିକିଏ କାଖ ନ କରେ, ଏ କଥା ନୁହେଁ । ବୋଉ କାଖ ନ କଲେବି ସେ ବୋଉକୁ ଦେଖେ–ଏତିକି ଯଥେଷ୍ଟ । ସେ ଜେଜେମା’ଙ୍କ ପାଖରେ ଦିନ କାଟେ ।

 

କିନ୍ତୁ ଆଜି ସେଇ ସକାଳ ପହରେ ଯାଇଁ ବୋଉକୁ ତଳ ଖଞ୍ଜାର ଗୋଟାଏ ଘରେ ଯାହା ଦେଖିଥିଲା, ପୁଣି ଦେଖିଥିଲା ତା’ ପାଖରେ ଗୋଟିଏ କୁନି ଝିଅକୁ । ଏ ସବୁ କଥା ଯେପରି ତା’ ମନକୁ ଟିକିଏ ଗୋଳମାଳିଆ କରିଦେଇଛି । ଦିନରେ ଜେଜେଙ୍କ ସାଙ୍ଗରେ ଖାଇ ତାଙ୍କରି ପାଖରେ ଶୋଇପଡ଼ିଥିଲା । ଜେଜେ କେତେବେଳୁ କୁଆଡ଼େ ଉଠିଗଲେଣି, ବୋଧହୁଏ ମୂଲିଆଙ୍କ କାମ ଦେଖିବାକୁ । ତାରା ଉଠି ଦେଖିଲା ଜେଜେ ନାହାନ୍ତି । ସେ ଚାରିଆଡ଼କୁ ଅନେଇଲା । ମା’ ମଧ୍ୟ ନାହାନ୍ତି ।

 

ସେ ଆଉ କିଛି ନ ଭାବି ସିଧା ତଳ ଖଞ୍ଜାକୁ ଚାଲିଲା । ବୋଉକୁ ଓ କୁନି ଭଉଣୀକୁ ସକାଳେ ଯେଉଁ ଘରେ ଦେଖିଥିଲା, ସେ ଘର ଦରଆଉଜା ହୋଇଛି । ଭିତରେ ବୋଉର ପାଟି ଶୁଭୁଛି । ସେ ମା’ଙ୍କ ସାଙ୍ଗରେ କଥାବାର୍ତ୍ତା କରୁଛି । ତାରା ସିଧା ସେ କବାଟକୁ ଠେଲି ଘର ଭିତରକୁ ପଶିଗଲା । ମା’ ସେଠି ଠିଆହୋଇଥିଲେ । ‘ପୁଅ ଆସିଲାଣି’ ବୋଲି କହି ସେ ତାକୁ ସାଙ୍ଗେ ସାଙ୍ଗେ କାଖେଇ ପକାଇଲେ । ବୋଉ ଟିକିଏ ତାକୁ ଚାହିଁ ହସିଦେଲା; କିନ୍ତୁ ପାଖକୁ ଡାକିଲାନାହିଁ । ମା’ ତାକୁ କେତେ କଥା କହି ସେଠାରୁ ନେଇଆସିଲେ ।

 

ତାରାର ବଡ଼ଭାଇ ହେଲା ଗୋରା । ଗୋରାର ବୟସ ଛଅ । ଗୋରା, ତାରାଙ୍କ ବାପା କଟକରେ କାମ କରନ୍ତି । ଶନିବାର ରବିବାର ଦେଖି ଗାଁକୁ ଆସନ୍ତି । ସେ ହେଲେ ଗୋବିନ୍ଦପୁର ଗାଁର ପ୍ରଥମ ଇଂରାଜୀ ପାଠୁଆ ଲୋକ । ମାଟ୍ରିକ୍ ପାସ୍‌କରି ମୁକ୍ତାରି କରନ୍ତି । ୟେ ଯେତେବେଳର କଥା, ସେତେବେଳେ ମାଟ୍ରିକ୍ ପାସ୍‌ କରିବା ଲୋକ ଥିଲା ବଡ଼ ପାଠୁଆ । ପ୍ରଥମ ମହାଯୁଦ୍ଧ ଲାଗିଥାଏ । ଗୋବିନ୍ଦପୁର ଗାଁଟି କଟକଠାରୁ ୭।୮ ମାଇଲ ମାତ୍ର ଦୂର । ସେତେବେଳେ ସାଇକେଲ ମଟର ଏତେ ଚାଲୁ ହୋଇ ନଥାଏ । କଟକରୁ ଚାଲିକରି ଦି’ଘଣ୍ଟାରେ ଆସି ଗାଁରେ ପହଞ୍ଚି ହେଉଥିଲା । ତେଣୁ ତାରା, ଗୋରାଙ୍କର ବାପା ଦୀନକୃଷ୍ଣବାବୁ ପ୍ରାୟ ଛୁଟିମାନଙ୍କରେ ଗାଁକୁ ଆସନ୍ତି । କେତେବେଳେ ଚାଲିକରି, କେତେବେଳେ ଘର ବଳଦଗାଡ଼ିରେ ବା କଟକରୁ ଅତି ଜରୁରୀ କାମ ପଡ଼ିଲେ ଘୋଡ଼ାଗାଡ଼ିରେ ମଧ୍ୟ ଗାଁ ପାଖଯାଏଁ ଚାଲିଆସନ୍ତି । କଚେରିରେ ଦିନ ହାଜିରପକା କାମ ନଥିବାରୁ ଦୀନୁବାବୁ ଗାଁକୁ ଆସିଲେ, ଦରକାର ପଡ଼ିଲେ ଦୁଇ ଚାରି ଦିନ ମଧ୍ୟ ରହିଯାନ୍ତି ।

 

ଦୀନୁବାବୁଙ୍କ ବାପା ଥିଲେ ଗୋବିନ୍ଦପୁରର ମକଦମ । ଜମିବାଡ଼ି ବାଗ୍‍ବଗିଚା ଖୁବ୍‌ ଥିଲା । ତାଙ୍କ ଜେଜେ କୁଆଡ଼େ କଲିକତାରେ ମୁକ୍ତାର ଥିଲେ । ସେତେବେଳେ କଲିକତାକୁ ରେଳରାସ୍ତା ପଡ଼ି ନଥାଏ । ଚୁଡ଼ାଚାଉଳ ବାନ୍ଧି ସିଏ ଚାନ୍ଦବାଲି ଯାଇ ସେଠାରୁ ଜାହାଜରେ କଲିକତା ଯାଉଥିଲେ । ପହଞ୍ଚିବାକୁ ମାସେ ଲାଗିଯାଉଥିଲା । ଜାହାଜ ପୁଣି ଇଞ୍ଜିନ୍‌ବାଲା ଜାହାଜ ନୁହେଁ, ପାଲଟଣା ଜାହାଜ । ଏତେ କଷ୍ଟରେ ଥରେ ଯାଇ ପୁଣି ଆସୁ ଆସୁ ତିନି ଚାରିବର୍ଷ ବିତିଯାଏ । ତାଙ୍କରି ରୋଜଗାର ପଇସାରେ ତାରାର ଜେଜେଙ୍କ ଜେଜେ ଗାଁରେ ଜମିଦାରୀ ମକଦମି କରି ଖୁବ୍ ନାମ ଡାକ ହୋଇଥିଲେ । ସେ ସେଇ କଲିକତାରେ ମରିଗଲେ । ଜେଜେ, ନରସିଂହବାବୁ, ଏ କଥା ତାରା ଆଗରେ ଗପନ୍ତି । ସେ କୁଆଡ଼େ ଥିଲେ ପଞ୍ଚହତା ମରଦ । ତାରାର ଜେଜେ ତାଙ୍କ ଜେଜେଙ୍କୁ ଦେଖିଥିବା କଥା କୁଆଡ଼େ ସ୍ପଷ୍ଟ ମନେଅଛି । ସେ ସବୁ ପଛଦିନର କଥା ତାରା ତା’ ଜେଜେଙ୍କ ପାଖରେ ଶୋଇ ଅଧାନିଦ ଆଉ ଅଧାଚେତା ଭିତରେ କେତେଥର ଶୁଣିଛି ।

 

ନରସିଂହବାବୁଙ୍କ ବାପା ଥରେ କୁଆଡ଼େ ତାଙ୍କ ବାପାଙ୍କ ସହିତ କଲିକତା ଯାଇଥିଲେ । ତାଙ୍କର କଲିକତା ସଫର-ସେଇ ଥରକ । ତିନିବର୍ଷ ପରେ ଫେରିଆସି ସେ ଆଉ କଲିକତା ବା ଘର ଛାଡ଼ି ଅନ୍ୟ କେଉଁଠାକୁ ଯିବାକୁ ମନ କଲେନାହିଁ । ୧୯ ବର୍ଷ ନ ପୂରୁଣୁ ସେ ବିଭା ହୋଇଥିଲେ । ନରସିଂହ ତାଙ୍କର ଗୋଟିଏ ବୋଲି ପୁଅ । ସେତେବେଳକୁ ଘରେ କୌଣସି କଥାର ଅଭାବ ନଥାଏ । ତେଣୁ ନରସିଂହବାବୁ ଅଲିଅଳରେ ବଢ଼ୁଥିଲେ । ତାଙ୍କ ବଅସବେଳେ କୁଆଡ଼େ ପାକଲା ଗାମୁଛା, କଠଉ, ବାଡ଼ି, କଟୁରିରେ ତାଙ୍କର ଖୁବ୍ ସଉକ ଥିଲା । ନରସିଂହଙ୍କ ବାପା ବଡ଼ ବିଳାସରେ ଚଳି ସମ୍ପତ୍ତିକୁ ଆସ୍ତେ ଆସ୍ତେ ବିକୁଥିଲେ । ନରସିଂହ ମଧ୍ୟ ସେଇଆ କଲେ । କଥାରେ ଅଛି, “ବସି ଖାଇଲେ ନଈବାଲି ସରେ ।” ବହୁ ସମ୍ପତ୍ତି ବିକ୍ରିହୋଇ ମାତ୍ର କେତେ ମାଣ ଜମି ଆଉ ମକଦମିରୁ କେତେ ଅଣା ଅଂଶ ଥାଏ । ତଥାପି ସେ ବୋଲନ୍ତି ମକଦମ; କାରଣ ମକଦମିର ଅନ୍ୟ ଅଂଶ କିଣିଥିବା ଲୋକେ ଗୋବିନ୍ଦପୁରର ବାସିନ୍ଦା ନୁହଁନ୍ତି । ତେଣୁ ନରସିଂହବାବୁହିଁ ମକଦମ । ଅବସ୍ଥା ଖରାପ ହେଲେ ମଧ୍ୟ ବୁନିଆଦି ଚଳଣି ଛାଡ଼ି ନଥାନ୍ତି ସେ । ସେଇ କଠଉ, ସେଇ ପାକଲା ଗାମୁଛା କଟୁରି ବା ଠେଙ୍ଗା ତାଙ୍କର ଏବେବି ନିତ୍ୟ-ବ୍ୟବହାର୍ଯ୍ୟ ଜିନିଷ ।

 

ନରସିଂହବାବୁଙ୍କର ଏବେବି ଯାହା ସମ୍ପତ୍ତି ରହିଥିଲା, ସେଥିରେ ପାଞ୍ଚ ସାତ ପ୍ରାଣୀ ପରିବାର ବର୍ଷକ ଖାଇପିଇ ପୁନେଇଁ ପର୍ବ ଓଷାବ୍ରତ କରି ଭଲରେ ଚଳିଯାନ୍ତେ; କିନ୍ତୁ ମକଦମ ତାଙ୍କ ବଅସବେଳୁ ଗୋଟାଏ ନିଶା ଧରିନେଇଛନ୍ତି ଅଫିମ । ତାଙ୍କୁ କୁଆଡ଼େ ଖୁବ୍ ଧଇଁ ହେଉଥିଲା ପିଲାଦିନେ । ତାଙ୍କର ଗୋସେଇଁମା’ ସେହି କଲିକତି ମୁକ୍ତାରଙ୍ଗ ଖୋଦ୍ ଧର୍ମପତ୍ନୀ ସେଥିପାଇଁ ଅତି ଆଦରରେ ତାଙ୍କୁ ଅଫିମ ଧରେଇଲେ; କାରଣ ବୁଢ଼ୀ ନିଜେ ମଧ୍ୟ ତାହାରି ଭକ୍ତ ଥିଲେ । ତେଣୁ ନରସିଂହବାବୁଙ୍କ ଏ ବଦଭ୍ୟାସଟା ତାଙ୍କ ବଅସବେଳକୁ ରହିଗଲା । ଅଫିମ ସେତେବେଳେ ନୂଆ ନୂଆ ଚଳୁଥାଏ ଆମ ଦେଶରେ । ଭରି ଚାରିଅଣା କରି ମିଳୁଥାଏ । ବଡ଼ଲୋକମାନେ ଏହାର ପ୍ରସାର କରାଉଥାଆନ୍ତି । ବଡ଼ବଡ଼ ସଉକିନିଆ ମଣିଷମାନେ ସହରରେ ଯେପରି ଆଜିକାଲି ମଦ ଖାଉଛନ୍ତି, ସେତେବେଳର ମଫସଲର ଜମିଦାରିଆ ବଡ଼ଲୋକ ପିଲାଏ ସଉକରେ ଅଫିମ ଖାଉଥିଲେ । ଏହି ଅଫିମ ହେଲା ନରସିଂହବାବୁଙ୍କ କାଳ । ଏ ନିଶା ଦରବଟି କିଣିବାପାଇଁ ଧାନ, ମୁଗ, ବିରି ଯାହା କିଛି ହେଉ ତାଙ୍କୁ ବିକିବାକୁ ପଡ଼େ । ୟାଡ଼େ ବର୍ଷକ ଚଳିବାକୁ ଅଭାବ ପଡ଼ିଯାଏ । ପରିବାରର ଅବସ୍ଥା କ୍ରମେ ଖରାପ ହୋଇଆସୁଥିବାବେଳେ ଦୀନକୃଷ୍ଣବାବୁ ମାଟ୍ରିକ୍ ପାସ୍ କରି କଟକରେ ମୁକ୍ତାରି ଆରମ୍ଭ କରିଦେଲେ । ଆଇନ ବ୍ୟବସାୟ ତାଙ୍କର ତିନିପୁରୁଷ ବେଉସା । ତାଙ୍କ ରକ୍ତରେ ଏହା ଅଛି । ତିନିପୁରୁଷରୁ ତାଙ୍କର କଟକ ବାଖରାବାଦରେ ଖଣ୍ଡେ ଘର ମଧ୍ୟ ଥିଲା । ସେଇଟା କେତେକାଳଧରି ବେହେପାଜତରେ ଖରାପ ହୋଇଯାଇଥିଲା । ଦୀନୁବାବୁ ମୁକ୍ତାରି ପଢ଼ିଲାବେଳେ ତାକୁ ଚଳିବାମାନିଆ କରି ତିଆରି କରିଥିଲେ । ମୁକ୍ତାରି ମଧ୍ୟ ଆରମ୍ଭକଲେ ସେଇ ଘରେ ରହି । ସେତେବେଳେ କଟକର ବାଖରାବାଦ, ତେଲେଙ୍ଗାବଜାର ଆଦି ଅଞ୍ଚଳ ସବୁ ଓକିଲ, ମୁକ୍ତାରଙ୍କ ପେଣ୍ଠ । ଓକିଲ, ମୁକ୍ତାର, ମୋହରିର, ମହକିଲଙ୍କ ବସାଘର ସବୁଯାକ ଠୁଳହୋଇଥାଏ ସେଇଠି ।

 

ଅଣଓଡ଼ିଆ ଓକିଲ ମୁକ୍ତାର କିରାଣିଙ୍କୁ ଛାଡ଼ି ଏ ବ୍ୟବସାୟରେ ଥିବା ଓଡ଼ିଆ ଲୋକେ କଟକରେ ନିଜନିଜର ଘର ଖଣ୍ଡିଏ ଲେଖା କରିଥିଲେ ମଧ୍ୟ, ତାକୁ ଘର ନ କହି ବସା କହୁଥିଲେ । ସେମାନେ କଟକରେ ପିଲାଛୁଆ ନେଇ କେବେ ରହୁ ନଥିଲେ । ତେଣୁ ତାଙ୍କ ଭାଷାରେ ଘର କହିଲେ ବୁଝୁଥିଲେ ନିଜନିଜର ଗାଁରେ ଥିବା ଘରକୁ । କଟକ ଘରଟା ହେଲା ‘ବସା’ । ଏହା କେବଳ ଶୁଆବସା କରିବାର ଜାଗା, ତାଙ୍କ ପିଣ୍ଡଟା ରହିଥାଏ ଗାଁରେ । ଦୀନୁବାବୁ ମଧ୍ୟ ଏ ନିୟମର ବ୍ୟତିକ୍ରମ ନଥିଲେ । ସେ କଟକରେ ଆଇନ-ବ୍ୟବସାୟ କରନ୍ତି । ସେ ନିଜର ସେଇ ବସାଘରେ ଗୋଟାଏ ଖୋଲା ଲମ୍ବା ଚାଳଘର ତିଆରି କରିଥାନ୍ତି । ସେଥିରେ ମହକିଲ ପ୍ରଭୃତି କଟକରେ ରାତିବିକାଳି ରହିଗଲେ ଆଶ୍ରା ନିଅନ୍ତି । ପାଖରେ କାଠଯୋଡ଼ି ନଈ । ସେଠାରେ ସେମାନେ ଗାଧୁଆପାଧୁଆ କରି ଆସି ସେ ଚାଳିରେ ରାନ୍ଧି ଖାଆନ୍ତି ଓ ଦିନେଓଳିଏ ରହି ମକଦମା କାମ ସାରି ଗାଁକୁ ପଳାନ୍ତି । ଦୀନୁବାବୁଙ୍କ ରହିବାଘର, ରନ୍ଧାଘର, କଚେରି ଘର କିନ୍ତୁ ଅଲଗା । ଗାଁର ଗୋଟିଏ ଟୋକା ଆଣିଥାନ୍ତି ରାନ୍ଧିବାକୁ । ସେ ପିଲାଟି ବାବୁଙ୍କ ପାଖରେ ଥାଏ, ଦି’ଅକ୍ଷର ଲେଖାପଢ଼ା କରି ଭବିଷ୍ୟତରେ ଦୀନୁବାବୁଙ୍କ ସିରସ୍ତାରେ ପ୍ରଥମେ ନବସିନ୍ଧା ଓ ପରେ ମୋହରିର ହେବ ବୋଲି ।

 

ଦୀନୁବାବୁ ଏହିପରି କଟକରେ ମୁକ୍ତାରି କରନ୍ତି । ଦୀନ ମୁକ୍ତାର ବୋଲି ଆସ୍ତେ ଆସ୍ତେ ତାଙ୍କ ନାଁ-ଡାକ ହେଲାଣି । ଏ ନାଁ ଗାଁଗହଳିକୁ ମଧ୍ୟ ବ୍ୟାପିବାର ଜଣାପଡ଼ିଲାଣି; କାରଣ ଲୋକେ ତାଙ୍କ ନାଁ ପଚାରି ପଚାରି ତାଙ୍କ ବସାକୁ ମକଦମା କରିବାପାଇଁ ଆସୁଥିବାର ଦେଖାଯାଉଥାଏ ।

 

ଦୁଇ

 

ଦୀନୁବାବୁ ହେଲେ ଗୋବିନ୍ଦପୁର ଗାଁର ପ୍ରଥମ ଇଂରେଜୀପାଠୁଆ ଲୋକ । ପୁଣି ମୁକ୍ତାରି ପାସ୍‍କରି କଟକରେ ମୁକ୍ତାରି କଲେଣି । ମୁକ୍ତାରି ପାସ୍ ନ କରୁଣୁ ତାଙ୍କର ବିବାହ ସରିଥାଏ-। ସେତେବେଳେ କରଣଘରେ କୋଡ଼ିଏ ବାଇଶବର୍ଷରେ ବିବାହ ହେଉଥିଲା । ବ୍ରାହ୍ମଣ ଓ ଅନ୍ୟ ଜାତିରେ ଆହୁରି କମ୍ ବୟସରେ ଲୋକେ ବିବାହ କରୁଥିଲେ । ସେହି ଅନୁସାରେ ସେ ମଧ୍ୟ ଏକୋଇଶିବର୍ଷରେ ବିବାହ କରିଥିଲେ ଠିକ୍ ମାଟ୍ରିକ୍ ବା ସେ କାଳର ଏଣ୍ଟ୍ରାନ୍‌ସ୍ ପରୀକ୍ଷା ପରେ ପରେ । ମୁକ୍ତାରି ଆରମ୍ଭକଲାବେଳକୁ ବଡ଼ପୁଅ ଗୋରାକୁ ଚାରିବର୍ଷ ଓ ସାନ ତାରା ଦୁଇବର୍ଷର ହୋଇଥାଏ । ଗୋରା ବୟସର ଅନେକ ପିଲା ଗାଁରେ ବୁଲୁଥାଆନ୍ତି । ଗୋଟିଏ ମାଟିବଂଶ ଅବଧାନ ସେମାନଙ୍କୁ ଧରି ଘଡ଼ିଏ ଘଡ଼ିଏ ବସନ୍ତି; କିନ୍ତୁ ଦୀନୁବାବୁଙ୍କର ଇଚ୍ଛା ଥାଏ ଗୋରାକୁ ଆଜିକାଲିକା ଢଙ୍ଗରେ ତିଆରି ହେଉଥିବା ପ୍ରାଇମେରୀ ସ୍କୁଲ୍‍ରେ ପଢ଼ାଇବାକୁ । ଗୋବିନ୍ଦପୁର ଗାଁ ଆଖପାଖ ଆଉ ଚାରିଖଣ୍ଡ ମୌଜାରେ ସୁଦ୍ଧା ଏପରି ପ୍ରାଥମିକ ବିଦ୍ୟାଳୟଟିଏ ନଥାଏ । ତେଣୁ ଦୀନୁବାବୁ ଛୁଟିରେ ଆସିଲେ ତାଙ୍କ ସାଙ୍ଗସାଥୀଙ୍କୁ ଧରି ଗୋଟିଏ ସ୍କୁଲ୍‍ କରିବାକୁ ଲାଗିପଡ଼ନ୍ତି । ସେ ନିଜେ ଏଥିଲାଗି ଖଣ୍ଡେ ଜମି ଛାଡ଼ିଦେଲେ । କିଛି ବାଉଁଶ, ନଡ଼ା ମଧ୍ୟ ଦେଲେ । ତାଙ୍କ ଦେଖାଦେଖି ଗାଁ ଲୋକେ କିଛି କିଛି ସାହାଯ୍ୟ କଲେ । ସମସ୍ତଙ୍କ ଚେଷ୍ଟାରେ ବାଉଁଶଖୁଣ୍ଟଲଗା ମାଟିକାନ୍ଥ ଉପରେ ଛଣ ଛପର ଥିବା ସ୍କୁଲ୍‍ ଘରଟିଏ ଗୋବିନ୍ଦପୁର ଗାଁରେ ମୁଣ୍ଡ ଟେକିଲା ।

 

ସ୍କୁଲ୍‍ର ମାଷ୍ଟର ହେଲେ ସେ କାଳର ମାଇନର୍‍ ପାସ୍ ଦାଶରଥି । ନିଜ ଗାଁଠାରୁ ଚାରି ମାଇଲ ଦୂର ଗୋଟିଏ ମାଇନର୍‍ ସ୍କୁଲ୍‍ରୁ ସେ ପାସ୍ କରି ଗାଁରେ ବସିଥିଲେ । ତାଙ୍କୁ ମାସକୁ ତିନିଟଙ୍କା ଦରମାରେ ନିଯୁକ୍ତି ଦିଆଗଲା । କଥା ହେଲା ସରକାରୀ ସାହାଯ୍ୟପାଇଁ ଚେଷ୍ଟା କରାଯିବ, ମିଳିଲେ ତାଙ୍କୁ ଚାରି ଟଙ୍କା ଦରମା ମିଳିବ । ତା’ ଛଡ଼ା ଦୀନୁବାବୁ ତାଙ୍କ ପୁଅ ଗୋରାକୁ ପଢ଼ାଇବା ସକାଶେ ଦାଶରଥିଙ୍କୁ ନିଯୁକ୍ତ କଲେ ଗୃହଶିକ୍ଷକ ହିସାବରେ । ଟଙ୍କାଟିଏ ମାସକୁ ନେବେ, ଓଳିଏ ଖାଇବେ । ଦାଶରଥି ନାୟକ ସେହିଦିନଠାରୁ ହେଲେ ଦାଶ ମାଷ୍ଟ୍ରେ । ଅବଧାନ ଶବ୍ଦ ଗାଁରୁ ଗଲା ।

 

ଏହିଠାରେ ଗୋବିନ୍ଦପୁର ଗାଁର ଅବସ୍ଥିତି ଟିକିଏ ବର୍ଣ୍ଣନା ନ କଲେ ଚଳିବ ନାହିଁ । ଗୋବିନ୍ଦପୁର ଗାଁଟି ମହାନଦୀର ଦକ୍ଷିଣରେ ଅବସ୍ଥିତ । ଗାଁ ଓ ନଦୀ ମଧ୍ୟରେ ସରକାର ଗୋଟିଏ ବନ୍ଧ ପକାଇଛନ୍ତି, ନହେଲେ ନଈବଢ଼ିରେ ଗୋବିନ୍ଦପୁର ଗାଁର ଦକ୍ଷିଣରେ ଥିବା ତାଳଦଣ୍ଡା କେନାଲ ଭାଙ୍ଗି ନଷ୍ଟ ହୋଇଯିବ । ତେଣୁ ଗୋବିନ୍ଦପୁର ଗାଁର ଅବସ୍ଥିତି ଭାରି ସୁନ୍ଦର–ଉତ୍ତରରେ ମହାନଦୀ, ଦକ୍ଷିଣରେ ତାଳଦଣ୍ଡା କେନାଲ । ଗୋବିନ୍ଦପୁର ଗାଁର ପାଠ-ପାଗଳ ରାଧୁ ମାଷ୍ଟ୍ରେ ଓରଫ୍‍ ରାଧାବାୟା ଖୁବ୍ ତାନମାନରେ କେତେ କେତେବେଳେ ଗୋବିନ୍ଦପୁର ଗାଁର ପ୍ରଶସ୍ତି ଗାଇବାପାଇଁ ମଧୁସୂଦନଙ୍କ କବିତା ଢଙ୍ଗରେ ଗୋଟାଏ ଗୀତ ଆରମ୍ଭ କରିଦିଏ, “ଦୁଇ ପାରୁଶେ ଜଳଧି, ତାଳଦଣ୍ଡା ମହାନଦୀ ପୟରରେ ବିରାଜିତ ଯୁଗଳପୁର ।” ଇଏ ଗୀତ ଖାସ୍‌ ଗୋବିନ୍ଦପୁର ତଳକୁ ଥିବା ଗାଁ ଯୁଗଳପୁରର ପିଲାଙ୍କୁ ଚିଡ଼ାଇବା ପାଇଁ । ସେମାନେ କିନ୍ତୁ କହନ୍ତି, ହଁ ଗୀତଟା ଠିକ୍ ଯେ ‘ପୟରରେ’ ନ ହୋଇ ସେଇଟା ହେବ ‘ମସ୍ତକରେ’ । ଏହିପରି ଯେଉଁ ଗୋବିନ୍ଦପୁର ସେଠାରେ ଜଳକଷ୍ଟର ଆଶଙ୍କା ମୋଟେ ନାହିଁ । କାରଣ ଦୁଇ ପାଖରେ ‘ଜଳଧି’ ବିରାଜିତ ।

 

ତେଣୁ ଗୋବିନ୍ଦପୁର ଗାଁର ଜମି ଖୁବ୍ ଭଲ । ସେଥିରେ ଧୋଇ ନାହିଁକି ମରୁଡ଼ି ନାହିଁ । ବରାବର ଦୋଫସଲୀ ଜମି ସେ ମୌଜାରେ । ଧାନ ପରେ ନାଳପାଣି ମଡ଼ାଇ ମୁଗ ହୁଏ । ନଈ ଅତଡ଼ା କଣ୍ଡିଆରେ ଆଳୁ, ପିଆଜ, ବାଇଗଣ ପ୍ରଭୃତି ପନିପରିବା ଖୁବ୍‌ ହୁଏ ନଈପାଣି ଦୟାରୁ । ତେଣୁ ଗାଁର ଚାଷୀ ମୂଲିଆଠାରୁ ଆରମ୍ଭକରି ଥିଲାବାଲା ଲୋକଯାଏଁ ସମସ୍ତେ ସୁଖେ ଦୁଃଖେ ଚଳିଯାନ୍ତି । ଦୀନୁବାବୁଙ୍କ ବାପା ମକଦମ ଶ୍ରୀ ନରସିଂହ ଦାସ ସବୁ ବିକିଛନ୍ତି, ମକଦମିରୁ ମଧ୍ୟ ବାରପଣିଆ ବିକି ସାରିଛନ୍ତି; କିନ୍ତୁ ମକଦମିର ଅଳ୍ପ କିସମତ୍ ବାବଦକୁ ମହାନଦୀର ଗାଁପାଖ ଅଂଶଟାକୁ ନିଜେ ରଖିଛନ୍ତି । ଉଦ୍ଦେଶ୍ୟ ମାଛ ଖାଇବେ । ମାଛପାଇଁ ପୁଣି କାହାକୁ ହାତ ପତେଇବେ-? ଏ ବିଚାରରେ ଏପର୍ଯ୍ୟନ୍ତ ମହାନଦୀର ଗାଁ ପାଖ ଅଂଶଟା ଦୀନୁବାବୁଙ୍କ ଦଖଲରେ ଅଛି-। ମହାନଦୀର ଅପାର କରୁଣାରୁ କଣ୍ଡିଆ ପାଖକୁ ଲାଗି ଜମିରେ ପ୍ରାୟ ଶହେ ସରିକି ଆମ୍ବଗଛ ଅଛି-। କେନାଲ ଗଲାବେଳେ ସରକାର ସେ ସବୁ ଗଛ ଥିବା ଜମିରୁ ଖାସ୍‌ ଦଖଲକୁ ନେଇଯାଇଥିଲେ । ସେଥିରୁ କେତେ କେନାଲ ଯୋଗୁଁ କଟାଗଲା; କିନ୍ତୁ ଯେତିକି ରହିଗଲା, ସେତକ ଗୋବିନ୍ଦପୁର ଗ୍ରାମବାସୀଙ୍କୁ ପ୍ରଚୁର ଆମ୍ବ ଯୋଗାଇ ଦେଇଥାଏ । ସରକାର ଅବଶ୍ୟ ନାମମାତ୍ର ମୂଲ୍ୟରେ ଏ ତୋଟାକୁ ‘କୁତ’ ଦେଇଦିଅନ୍ତି । ଜଣେ ଦୁଇଜଣ ପଇସା ଦେଇ ନିଲାମ ଆଣନ୍ତି; କିନ୍ତୁ ଫଳଭୋଗ କରନ୍ତି ଗ୍ରାମବାସୀ ସମସ୍ତେ । ନଈରୁ ଗାଧୋଇ ଉଠିଲାବେଳେ କଞ୍ଚା ଆମ୍ବ ଦୁଇଟା ସାଉଁଟି ନେଇ ଖରାଦିନେ ଚଟଣି ଟିକେ ବାଟି ଖାଇବାକୁ କାହା ଆତ୍ମା ବା ନ ଡାକିବ-? ମହାନଦୀ ଯଦି ବା ମକଦମଙ୍କର, ତଥାପି ବନିଶୀ ବା ମୁଣ୍ଡଭଉଁରି ଜାଲ ପକାଇ ମାଛ ଧରିବାର ଅଧିକାର ଗୋବିନ୍ଦପୁର ଗାଁବାଲା ସମସ୍ତଙ୍କର ଥାଏ । ତେବେ ନରି ମକଦମଙ୍କର ହାବୁଡ଼େ ପଡ଼ିଲେ, ତାଙ୍କୁ ଖଣ୍ଡେ ଅଧେ ଦେଇଦେଲେ ହେଲା । ମିଞ୍ଜାସ ଭଲ ଥିଲେ ସେଥିପାଇଁ ମଧ୍ୟ ବାଧ୍ୟବାଧକତା ନାହିଁ-

 

ଧାନ, ମୁଗ, ପନିପରିବା, ଆମ୍ବ, ମାଛ, କାଠ ସବୁ ତ ମିଳିଲା ଗାଁରୁ, ଆଉ ଗାଁ ଲୋକେ ଆନନ୍ଦରେ ନ ରହିବେ କାହିଁକି ? ତଥାପି ଆମ୍ବତୋଟା, ମାଛ ପୋଖରୀରେ କଳିର ମଞ୍ଜି ଥାଏ ବୋଲି ଆମ ବାପ ଗୋସେଇଁବାପ ଯାହା କହିଯାଇଛନ୍ତି, ସେଥିରେ ମିଛ ନାହିଁ । ସେଥିପାଇଁ ବର୍ଷାଦିନେ ଯେ ଗୋବିନ୍ଦପୁର ଗାଁଲୋକଙ୍କ ଭିତରେ କଳିଗୋଳ ଏପରିକି ହାତାହାତି ନ ହୋଇଥାଏ ଏହା ନୁହେଁ; କିନ୍ତୁ ସେ ସବୁ ସେଇ ଗାଁରେ ଛିଡ଼େ, ଗାଁ ବାହାରକୁ ବା କଚେରି ଉପରକୁ କଥାଟା ଯାଏନାହିଁ ।

 

ମୁଠାଏ ଖାଇ ଖଣ୍ଡେ ପିନ୍ଧି ଏ ଗାଁ ଲୋକେ ଟିକିଏ ଭଲରେ ଚଳନ୍ତି ବୋଲି ଦୋଳ, ଦଶହରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ସବୁ ବଡ଼ବଡ଼ ଗାଁରେ ଯାହା ଯାହା ହୁଏ, ଗୋବିନ୍ଦପୁରରେ ଛୋଟ ଆକାରରେ ହେଉ ପଛକେ ସେ ସବୁ ବିଧିବିଧାନ ମଧ୍ୟ ପାଳିତ ହୁଏ ।

 

ତିନି

 

ଗୋରା ପାଠ ଆରମ୍ଭ କରିବାର ଦୁଇବର୍ଷ ହୋଇଗଲାଣି । ଦାଶ ମାଷ୍ଟ୍ରେଙ୍କ ସ୍କୁଲ୍‍ରେ ଦରମା ସେହି ତିନିଟଙ୍କା । ଏହା ବାଦ୍ ଗୋରାକୁ ଘରେ ପଢ଼ାଇବା ପାଇଁ ସେହି ଓଳିଏ ଖିଆ ଓ ଗୋଟିଏ ଟଙ୍କା ଦରମା ବାହାଲ ରହିଛି । ସରକାରଙ୍କଠାରୁ ସାହାଯ୍ୟ ମିଳିବା ସୂଚନା କିଛି ଦେଖାଯାଉନାହିଁ । କୁଆଡ଼େ ଜିଲ୍ଲାବୋର୍ଡ଼ ହାତକୁ ସ୍କୁଲ୍‍ସବୁ ଚାଲିଯିବ ବୋଲି ଶୁଣାଯାଉଛି । ତାହାହେଲେ ଅବା ସାହାଯ୍ୟ ମିଳିବ । ଦାଶ ମାଷ୍ଟ୍ରେ କିନ୍ତୁ ଏଥିପାଇଁ ଆଦୌ ବିବ୍ରତ ଥିଲାପରି ମନେହେଉନାହିଁ ।

 

ମାଷ୍ଟ୍ରେ ସକାଳୁ କ’ଣ ପୁଞ୍ଜାଏ ଖାଇ ଆସି ଦୀନୁବାବୁଙ୍କ ବାରଣ୍ଡାରେ ପହଞ୍ଚିଯାଆନ୍ତି । ସେତେବେଳକୁ ଗୋରା ମଧ୍ୟ ଦାନ୍ତ ଘଷି, ଜଳଖିଆ ଖାଇ, ବସ୍ତାନି ଧରି ବାରଣ୍ଡାରେ ହାଜର ହୋଇଯାଏ । ତା’ ଦେଖାଦେଖି ଏବେ ତାରାବି ଖଡ଼ି ଗୋଟାଏ ଧରି ଆସି ବସିଯାଉଛି ମାଷ୍ଟ୍ରଙ୍କ ପାଖରେ । ତା’ରବି ଗୋଟାଏ ସ୍ଵତନ୍ତ୍ର ତାଳପତ୍ର ଛପା ହେଲାଣି; କିନ୍ତୁ ତାରାର ପାଠପଢ଼ା ଖୁବ୍‌ କମ୍ ସମୟପାଇଁ । ଅଧିକାଂଶ ସମୟ ସେ ମାଷ୍ଟ୍ରଙ୍କ କୋଳରେ ବା ଜେଜେଙ୍କ କୋଳରେ କଟାଏ । ଜେଜେ ନରି ମକଦମ ସକାଳୁ ତାଙ୍କ ନିତ୍ୟକର୍ମ ସାରି ପିଲାଙ୍କ ପାଠ ପାଖେ ବେଳେବେଳେ ଆସି ବସନ୍ତି । ଦୀନୁବାବୁଙ୍କ ଖାନାବାଡ଼ିଟା ଖୁବ୍ ବଡ଼ । ସେଥିରେ ନରିବାବୁ ନାନାପ୍ରକାର ଫୁଲ ଫଳ ଗଛ ଲଗାଇଛନ୍ତି । ପଇସାବାଲା ବେକାର ଗାଁ ଜମିଦାର ପିଲାଙ୍କର ଯେପରି ସଉକ ଥାଏ, ଏ ସବୁ ସଉକିନିଆ ଗଛ ଛଡ଼ା ବାପା ଗୋସେଇଁବାପାଙ୍କ ଅମଳରୁ ଦୁଇଶହ ସରିକି ନଡ଼ିଆ ଗଛ, ଜାତିଆ ଆମ୍ବ, ପଣସ ଗଛ, ଲିଚୁ, ଗୋଲାପଜାମୁ ପ୍ରଭୃତି ସଉକିନିଆ ଫଳଗଛଠାରୁ ଓଉ, କଇଁଥ, ବେଲ, ତେନ୍ତୁଳି ଓଗେର ଗାଉଁଲି ଫଳଗଛ, ମକଦମଙ୍କ ବାରିରେ ସବୁ ରହିଛି । ତେଣୁ ହନୁମାଙ୍କଡ଼ଙ୍କର ସଦାଦିନିଆ ବସା କରି ମକଦମଙ୍କର ବାରିରେ ବୋଲି କହିଲେ ଚଳେ । ପ୍ରତିଦିନ ଘଣ୍ଟାଏ ଦୁଇଘଣ୍ଟା ନିଜେ ମକଦମ ଏ ତାଙ୍କର କୋଠିଆ ଚାକରଙ୍କୁ ଏ ହନୁଙ୍କ ସହିତ ଯୁଦ୍ଧ କରିବାକୁ ପଡ଼େ-। ମାଙ୍କଡ଼ମାନେ ସାନ ସାନ କଲମି ଫଳ ଗଛରୁ ଫଳ ଛିଣ୍ଡେଇ ନେଇ ସିଧା ନଡ଼ିଆ ଗଛ ଅଗକୁ ଚଢ଼ିଯାଆନ୍ତି । ତା’ପରେ ସେଇଠି ବସି ସମ୍ପୂର୍ଣ୍ଣ ନିର୍ବିକାରଭାବେ ସେତକ ଖାଆନ୍ତି ଓ ତା’ ସରିଲେ ପୁଣି ତଳକୁ ଓହ୍ଲାନ୍ତି; କିନ୍ତୁ ମକଦମେ ତାଙ୍କର ଅପର୍ଯ୍ୟାପ୍ତ ଅବସରପୂର୍ଣ୍ଣ ଜୀବନ ଭିତରେ ଗୋଟିଏ ସାଧନା କରିଛନ୍ତି । ତାହା ହେଲା ବାଟୁଳିଖଡ଼ାରେ ବାଟୁଳି ମାରିବା । ତାଙ୍କର ଲକ୍ଷ୍ୟ ଥିଲା ଅବ୍ୟର୍ଥ-। ତେଣୁ ମାଙ୍କଡ଼ଦଳର ସବୁ ଦୁର୍ଦ୍ଦାନ୍ତ ହନୁ ଯେ ମକଦମଙ୍କର ବାଟୁଳିମାଡ଼ ଦିନେ ନା ଦିନେ ନ ଖାଇଛନ୍ତି ଏହା ନୁହେଁ । ବାଟୁଳିକି ହନୁମାଙ୍କଡ଼ ଭାରି ଡରନ୍ତି । ଏଇଟା ବୋଧହୁଏ ସେମାନଙ୍କର ସହଜାତ ଭୟ । କାରଣ ତାଙ୍କର ପ୍ରବଳ ପରାକ୍ରମୀ ପୂର୍ବପୁରୁଷ ଶ୍ରୀରାମଚନ୍ଦ୍ରଙ୍କର ଅତିପ୍ରିୟ ଅନୁଚର ବୀର ହନୁମାନ ଦିନେ ଭରତଙ୍କ ବାଟୁଳିମାଡ଼ରେ ଅଚେତ ହୋଇଯାଇଥିଲା । ତେଣୁ ଆଜିକାଲିକା ବନ୍ଧୁକ ଗୁଳିରେ ମାଙ୍କଡ଼ଙ୍କୁ ଏକାଥରକେ ଜୀବନରେ ମାରିଦେବା ଅପେକ୍ଷା ବାଟୁଳି ମାରି, ଟିଣ ବଜାଇ, ବାଣ ଫୁଟାଇ, ପାଟିକରି ସେମାନଙ୍କ ସହିତ ରାମ-ରାବଣ ଯୁଦ୍ଧର ଗୋଟାଏ ସଂକ୍ଷିପ୍ତ ଅଭିନୟ କରିବାଟା ମକଦମଙ୍କ ପକ୍ଷରେ ଅଧିକ ଉପଭୋଗ୍ୟ ହେଉଥିଲା ।

 

ଏ ମାଙ୍କଡ଼ ହୁରୁଡ଼ାଇବା କାମରେ ସୁଦ୍ଧା ଦାଶ ମାଷ୍ଟ୍ରଙ୍କ ମିଶିବାଟା ନିହାତି ଅପରିହାର୍ଯ୍ୟ ବ୍ୟବସ୍ଥା ଥିଲା । ମକଦମେ ‘ହେଇ ପଳେଇଲାରେ’ କହି ପିଣ୍ଡାତଳକୁ ଖସିବା ସଙ୍ଗେ ସଙ୍ଗେ ମାଷ୍ଟ୍ରଙ୍କୁ ତାଙ୍କ ସହିତ ତାଳ ମିଶାଇ ଡେଇଁବାକୁ ହେବ । ନଚେତ୍ ସେଦିନ ମକଦମଙ୍କ ମୁହଁରୁ କିଛି ଗାଳି ଶୁଣିବା ତାଙ୍କର ପ୍ରାପ୍ୟ ବୋଲି ଧରିନେବାକୁ ହେବ । ଏଣେ ଜେଜେ, ମାଷ୍ଟ୍ରଙ୍କ ସହିତ ଏହି ମହାଯୁଦ୍ଧରେ ଅବତୀର୍ଣ୍ଣ ହେବା ଅବସରରେ ଗୋରା ଓ ତା’ ସାଙ୍ଗରେ ବସିଥିବା ଆଉ ଜଣେ ଦୁଇଜଣ ପିଲା ବସ୍ତାନି ବାନ୍ଧି ଘରମୁହାଁ ହୁଅନ୍ତି । ସେଦିନ ସେତିକିରେ ପାଠପଢ଼ା ଶେଷ । ମାଷ୍ଟ୍ରେ ଗାଧୋଇ ଖାଇ ସ୍କୁଲ୍‍ରେ ପହଞ୍ଚୁ ପହଞ୍ଚୁ ସେବେଳାବି କାବାର ହୁଏ ।

 

ଏହିପରି ଥିଲା ଦାଶମାଷ୍ଟ୍ରଙ୍କ ସ୍କୁଲ୍‍ ପାଠପଢ଼ା ।

 

ଦାଶ ମାଷ୍ଟ୍ରଙ୍କର ମଧ୍ୟ ନିଜର ଜମି ମାଣେ ଦୁଇପା ଅଛି । ସେଥିରେ ଧାନବୁଣା, ଧାନରୁଆ ବା ଧାନକଟା ହେଲାବେଳେ ମାଷ୍ଟ୍ରେ ଆଗରୁ ନ ଜଣାଇ ବା କାହାକୁ ଛୁଟି ଦରଖାସ୍ତ ନ ଦେଇ ସିଧା ବିଲକୁ ଚାଲିଯାନ୍ତି । ୟାଡ଼େ ପିଲାଏ ସ୍କୁଲ୍‍କୁ ଆସି ମାଷ୍ଟ୍ରଙ୍କୁ ନ ଦେଖି ବହି ବସ୍ତାନି ଖୋଲା ସ୍କୁଲ୍‍ରେ ପକାଇ ସାମନାରେ ଥିବା ଠାକୁରାଣୀଙ୍କ ପଡ଼ିଆରେ ବାଜିଏ ଦିବାଜି ଡୁଡ଼ୁ ଖେଳ ଜମେଇ ଦିଅନ୍ତି । ସ୍କୁଲ୍‍ର ସେକ୍ରେଟେରୀ ଦୀନୁବାବୁ । ସେ ତ ଅଧିକାଂଶ ସମୟ କଟକରେ ଥାନ୍ତି । ତେଣୁ ମାଷ୍ଟ୍ରଙ୍କୁ କାହାକୁ କହିବାକୁ ପଡ଼େ ନାହିଁ; ସେ ଆପଣା ମନକୁ ଘର କାମରେ ଚାଲିଯାନ୍ତି । ପୁଣି କେଉଁ କେଉଁ ଦିନ ତୋଟାରୁ ଆମ୍ବ ପରା ହେଉଥିଲେ ମାଷ୍ଟ୍ରେ ସେଥିରେ ଲାଗିଯାନ୍ତି । ପିଲାଏ ମଧ୍ୟ ଆପଣା ଛାଏଁ ପରମପ୍ରିୟ କାର୍ଯ୍ୟ ଖେଳିବାରେ ଲାଗିଯାନ୍ତି । ଖେଳରେ ଅତିରିକ୍ତ ଗୋଳମାଳ ହେଲେ ଗାଁର କେହି ବୟସ୍କ ଲୋକ ବା ବୁଢ଼ୀ ନିଜର ନାତିନାତୁଣୀଙ୍କି ଡାକିବା ନାଁରେ ଆସି ଡାକି ନେଲାବେଳେ ମାଷ୍ଟ୍ରଙ୍କ ଚଉଦ ପୁରୁଷ ଉଦ୍ଧାର କରି ଯାନ୍ତି । ସେଥିପ୍ରତି ମାଷ୍ଟ୍ରଙ୍କର ଭ୍ରୂକ୍ଷେପ ନଥାଏ । କିନ୍ତୁ ଯେଉଁଦିନ ଖେଳ ଅଧରେ ମାଷ୍ଟ୍ରେ ନିଜ ଧନ୍ଦା ସାରି ଫେରିପଡ଼ନ୍ତି ସେଦିନ ପିଲାଙ୍କ ଦୁର୍ଭାଗ୍ୟ । ସେଦିନ ବିନାବିଚାରରେ ସମସ୍ତଙ୍କ ପିଠିରେ ବସେ ନିର୍ଧୂମ ମାଡ଼ । ସେଥିପାଇଁ ପିଲାଏ ବରାବର ସତର୍କ ଥାନ୍ତି । ସ୍କୁଲ୍‍ ଆସିବା ବାଟର ଦୁଇପାଖରେ ଜଗୁଆଳି ମୁତୟନ ଥାଆନ୍ତି; ମାଷ୍ଟ୍ରେ ଆସିବାର ସାମାନ୍ୟ ସୁରାକ ପାଇଲେ ସମସ୍ତଙ୍କୁ ସତର୍କ କରିଦିଅନ୍ତି ।

 

ସ୍କୁଲ୍‍ ସରକାରଙ୍କ ହାତକୁ ଯିବାର କଥା । ତେଣୁ ସ୍କୁଲ୍‍ ବିଭାଗର ହାକିମ ସ୍କୁଲ୍‍ ସବ୍‌ଇନ୍‍ସ‌ପେକ୍ଟର ଥରେ ଗୋବିନ୍ଦପୁର ଗାଁ ସ୍କୁଲ୍‍କୁ ପରିଦର୍ଶନ କରିବାକୁ ଆସି ଦେଖନ୍ତି ତ ପିଲାଏ ଖେଳରେ ମସ୍ତ । କିଛି ସମୟ ଅପେକ୍ଷା କରିବା ପରେ ମାଷ୍ଟ୍ରଙ୍କୁ ଆଣ୍ଠୁଏ ପର୍ଯ୍ୟନ୍ତ କାଦୁଅ ଗୋଡ଼ରେ ସାରୁପତ୍ରରେ ମାଛ ଧରି ଆସିବାର ଦେଖାଗଲା । ମାଷ୍ଟ୍ରେ ମଧ୍ୟ ହାକିମବାବୁଙ୍କୁ ଚିହ୍ନି ନଥିଲେ । ତେଣୁ ସମ୍ପୂର୍ଣ୍ଣ ନିର୍ବିକାର ଭାବରେ ସ୍କୁଲ୍‍ରେ ପହଞ୍ଚିଯାଇ ପିଲାମାନଙ୍କ ଉପରେ ଚିରାଚରିତ ନୀତି ଅନୁଯାୟୀ ବେତମାଡ଼ ଆରମ୍ଭ କରିବା ପରେ ଜାଣିଲେ ଯେ ଭଦ୍ରଲୋକ ଜଣକ ସ୍କୁଲ୍‍ ସବ୍ଇନ୍‌ସ‌ପେକ୍ଟର, ସ୍କୁଲ୍‍ ପରିଦର୍ଶନ ପାଇଁ ଆସିଛନ୍ତି । ମାଷ୍ଟ୍ରେ ବହୁ ଅନୁନୟ ବିନୟ ହୋଇ ତାଙ୍କୁ କହିଲେ; କିନ୍ତୁ ଫଳ କିଛି ହେଲାନାହିଁ । ଦାସ ମାଷ୍ଟ୍ରଙ୍କ ଚାକିରି ଗଲା; କିନ୍ତୁ ଆଉ ଜଣେ ଟ୍ରେନିଙ୍ଗ୍ ପାଇଲାବାଲା ମାଷ୍ଟ୍ରଙ୍କୁ ନିଯୁକ୍ତ କରାଯାଇ ସ୍କୁଲ୍‍କୁ ସରକାରୀ ସାହାଯ୍ୟ ମିଳିଲା । ଦାସ ମାଷ୍ଟ୍ରଙ୍କ ଚାକିରି ଗଲା; କିନ୍ତୁ ତା’ପରେ ପରେ ପୁଲିସ କନେଷ୍ଟବଳ ଚାକିରି ଖଣ୍ଡେ ପାଇ ଚିରକାଳ ପାଇଁ ସ୍କୁଲ୍‍ ମାଷ୍ଟରି ଛାଡ଼ିଲେ । ଗୋରାର ମଧ୍ୟ ଗାଁ ସ୍କୁଲ୍‍ରୁ ପାଠ ସରିଲା । ସେ ଗଲା ବାପାଙ୍କ ପାଖରେ ରହି କଟକ ସ୍କୁଲ୍‍ରେ ପାଠ ପଢ଼ିବ ବୋଲି । ସେଇ ଗାଁ ସ୍କୁଲ୍‍ରେ ସେତେବେଳକୁ କିନ୍ତୁ ତାରାର ପ୍ରଥମ ଶ୍ରେଣୀ ପାଠ ଆରମ୍ଭ ହୋଇଯାଇଥାଏ ।

 

ଚାରି

 

ଗୋରା କଟକ ଆସି ପ୍ୟାରିମୋହନ ଏକାଡ଼େମୀରେ ନାଁ ଲେଖିଲା । ବାଖରାବାଦରୁ ଏକାଡ଼େମୀ ସ୍କୁଲ୍‍ ଟିକିଏ ଦୂର । ତଥାପି ଦୀନୁବାବୁ ଓ ତାଙ୍କ ସାନଭାଇ ନାନୁବାବୁ ସେହି ସ୍କୁଲ୍‍ରେ ପଢ଼ୁଥିଲେ ବୋଲି ସେ ସ୍କୁଲ୍‍ ପ୍ରତି ଦୀନୁବାବୁଙ୍କର ଗୋଟାଏ ବିଶେଷ ମାୟା । ପୁଣି ସେତେବେଳେ ସେ ସ୍କୁଲ୍‍ର ହେଡ଼୍‌ମାଷ୍ଟର ଥାଆନ୍ତି ନିମାଇଁବାବୁ–ଖୁବ୍ ନାମୀ ହେଡ଼୍‍ମାଷ୍ଟର । ପିଲାଏ ତାଙ୍କୁ ଡରନ୍ତି ଯେତିକି, ଭକ୍ତି କରନ୍ତି ମଧ୍ୟ ସେତିକି । ସେତେବେଳେ ରେଭେନ୍‌ସା କଲେଜିଏଟ୍ ସ୍କୁଲ୍‍ରେ ବଡ଼ବଡ଼ ହାକିମହୁକୁମା, ପ୍ରଫେସର୍‍ ପ୍ରଭୃତି ସରକାରୀ ଚାକିରିଆଙ୍କ ପିଲାଏ ପଢ଼ନ୍ତି । ମଫସଲ ସ୍କୁଲ୍‍ମାନଙ୍କରୁ ଯେଉଁମାନେ ବୃତ୍ତି ପାଇ ଆସନ୍ତି ସେମାନେ ସେହି ସରକାରୀ ସ୍କୁଲ୍‍ରେ ପଢ଼ିବାର ନିୟମ ଥାଏ । ଅନ୍ୟ କେଉଁଠି ପଢ଼ିଲେ ସେମାନଙ୍କୁ ସରକାରୀ ବୃତ୍ତି ଟଙ୍କା ମିଳିବ ନାହିଁ । ଆଉ ବୃତ୍ତି ପାଉ ନଥିବା ସରକାରୀ ଅଫିସରଙ୍କ ପିଲାଙ୍କର ଗୋଟାଏ ଗୋଟାଏ ବିଷୟପାଇଁ ଗୋଟାଏ ଗୋଟାଏ ଟିଉସନ୍‍ ମାଷ୍ଟର ଖଞ୍ଜାଥାନ୍ତି । ତେଣୁ ସେମାନେ ବିଶ୍ଵବିଦ୍ୟାଳୟ ମାଟ୍ରିକ୍ ପରୀକ୍ଷାରେ ଭଲ କରନ୍ତି । କିନ୍ତୁ ନିମାଇଁବାବୁଙ୍କ ପ୍ୟାରିମୋହନ ଏକାଡ଼େମୀ ଯେପରିକି ତା’ର ପ୍ରତିଷ୍ଠାତାଙ୍କର ବିପ୍ଳବୀ ମନୋବୃତ୍ତିକୁ ଜୀବନ୍ତ ରଖିବାପାଇଁ ସଦା ଜାଗ୍ରତ । ନିମାଇଁବାକୁ କହନ୍ତି, “ଘୋଡ଼ାଛୁଆ ଘୋଡ଼ା ହେବେ; ମୁଁ କିନ୍ତୁ ଏଠାରେ ଗଧଛୁଆକୁ ଘୋଡ଼ା କରାଉଛି;” ଅର୍ଥାତ୍ ଗରିବଗୁରୁବାଙ୍କ ପିଲାଙ୍କୁ ସାହାଯ୍ୟ ଦେଇ ପଢ଼ାଇ ସେ ମଣିଷ କରୁଛନ୍ତି । ତେଣୁ କଟକ ସହରରେ ସେ ସ୍କୁଲ୍‍ର ନାଁ ଥାଏ ଖୁବ୍‌ ଭଲ ।

 

ଗୋରା ଆସି ଚତୁର୍ଥ ଶ୍ରେଣୀରେ ନାଁ ଲେଖାଇଲା । ନାଁ ଲେଖା ଦିନ ଦୀନୁବାବୁ ନିଜେ ପୁଅକୁ ଧରି ଯାଇଥିଲେ । ସେ ସ୍କୁଲ୍‍ର ସଂସ୍କୃତ ପଣ୍ଡିତେ, ଅଙ୍କ ମାଷ୍ଟ୍ରେ ପ୍ରଭୃତି ଅନ୍ୟାନ୍ୟ କେତେଜଣ ଶିକ୍ଷକ ଦୀନୁବାବୁଙ୍କୁ ମଧ୍ୟ ପଢ଼ାଇଥିଲେ । ସେମାନେ ଗୋରାକୁ କହିଲେ, “ଆରେ ତୋ ବାପକୁ ପଢ଼େଇଛୁ, ତତେବି ପଢ଼େଇବୁ ।” ଗୋରା ମାଟିକାନ୍ଥଦିଆ, ଛଣଛପର ଗାଁ ସ୍କୁଲ୍‍ରେ ଛପାରେ ବହି ବସ୍ତାନି ଧରି ପାଠପଢ଼ି ଆସିଛି । ଏ ସ୍କୁଲ୍‍ର ପକ୍କାଘର, ବେଞ୍ଚ୍‍ ଚୌକି ଓ ସବୁଠାରୁ ବେଶି ହେଡ଼୍‍ମାଷ୍ଟରଙ୍କ ଚକାମୁହଁରେ ବାଘୁଆ ନିଶହଳକ ଦେଖି ଖୁବ୍ ଡରିଗଲା । ଗୋରାର ବୟସ ସେତେବେଳେ ସାତ ପୂରି ଆଠ ଚାଲିଛି । ସେତେବେଳେ ଏତେ କମ୍ ବୟସରେ ପ୍ରାୟ କେହି ଆସି ଚତୁର୍ଥ ଶ୍ରେଣୀରେ ନାଁ ଲେଖାଉ ନଥିଲେ । ମାଇନର୍‍ ପାସ୍ କଲାବେଳକୁ ଅଠର ଊଣେଇଶବର୍ଷ ହୋଇଯାଉଥିଲା । ହାଫ୍ ପ୍ୟାଣ୍ଟ ପିନ୍ଧିବାର ଚଳଣି ସେତେବେଳେ ପିଲାଙ୍କର ନଥିଲା । କାଁଭାଁ କେଉଁ କେଉଁ ପିଲା, ଯାହାର ବାପ ମା’ ସହରରେ ରହୁଥିଲେ ସେହିମାନେ କଦବା କେମିତି ହାଫ୍ ପ୍ୟାଣ୍ଟ ପିନ୍ଧୁଥିଲେ । ବାକି ଅନ୍ୟ ପିଲାମାନେ ଛୋଟ ଛୋଟ ଧୋତି ଓ ଅଧାହାତ ସାର୍ଟ୍ ପିନ୍ଧି ସ୍କୁଲ୍‍କୁ ଆସୁଥିଲେ । ଗୋରା ସେମିତି ଧୋତି ଓ ହାଫ୍‍ସାର୍ଟ୍ ପିନ୍ଧି ନାଁ ଲେଖାଇବାକୁ ଆସିଥିଲା । କଟକ ସହରରେ ସେତେବେଳେ ନାଲି ଧୂଳି ରାସ୍ତା । ସେଥିରେ ଚାଲିଲେ ଆଣ୍ଠୁ ପର୍ଯ୍ୟନ୍ତ ନାଲି ହୋଇଯିବ । ତେଣୁ ଛୋଟ ଲୁଗାକୁ ଟେକିଟାକି ଆଣ୍ଠୁ ଉପରଯାକେ ନେବାକୁ ପଡ଼ୁଥିଲା । ନଚେତ୍ ଜବରକରି ପାଇକଛା ମାରିଦେଲେ ସବୁଆଡ଼କୁ ସୁବିଧା ହେଉଥିଲା । ଗୋରା ମଧ୍ୟ ସେହିପରି ପୋଷାକରେ ପାଇକଛା ମାରି ସ୍କୁଲ୍‍ ଯାଉଥିଲା । ନାଁ ଲେଖା ସରିଲା ପରେ ହେଡ଼୍‍ମାଷ୍ଟର ପିଅନକୁ କହିଲେ ଗୋରାକୁ ନେଇ ଚତୁର୍ଥ ଶ୍ରେଣୀରେ ବସାଇଦେଇ ଆସିବାକୁ । ସାଙ୍ଗରେ ଦୀନୁବାବୁ ମଧ୍ୟ ଗଲେ । ଗୋରା ଆଗ କ୍ଲାସ୍‍ ଦୁଆରମୁହଁରୁ ଘରର କଡ଼ିଠାରୁ ଆରମ୍ଭ କରି ବେଞ୍ଚ୍‍ ଚୌକି ସବୁ ଦେଖିନେଲା । ୧୯୧୮ ମସିହା ଜାନୁଆରୀ ମାସ । ସେତେବେଳେ ଜାନୁଆରୀ ମାସରୁ ସ୍କୁଲ୍‍ମାନଙ୍କରେ ପଢ଼ାବର୍ଷ ଆରମ୍ଭ ହେଉଥାଏ । ଗୋରା କ୍ଲାସ୍‍ ଭିତରକୁ ଡରି ଡରି ପଶିଗଲାବେଳକୁ ଦେଖିଲା ଜଣେ ଚନ୍ଦାମୁଣ୍ଡିଆ ଲୋକ, ଚଶମା ଉପରବାଟେ ତାକୁ ଅନାଇ ପାଖକୁ ଡାକୁଛନ୍ତି । ଗୋରା ଡରି ଡରି ତାଙ୍କ ପାଖଯାଏ ଗଲା । ବଡ଼ ସ୍କୁଲ୍‍ରେ ଗୁରୁ ଛାତ୍ରଙ୍କର ପ୍ରଥମ ସାକ୍ଷାତ୍ । ଗୁରୁ ଗୋରାର କାନଟିକୁ ଧରି ପଚାରିଲେ, ‘‘ଆରେ ଟୋକା, ତୋ ନାଁ କ’ଣ ?” ଗୋରା ତ ଆଗରୁ ହେଡ଼୍‍ମାଷ୍ଟରଙ୍କ ବାଘୁଆ ନିଶ, ପକ୍କା ଦୋମହଲା ଘର, ବେଞ୍ଚ୍‍ ଚୌକି ଦେଖି କାବା ହୋଇଯାଇଥିଲା; ତା’ପରେ ମାଷ୍ଟରଙ୍କ ଏ ପ୍ରକାର ହାତରେ କାନ ଧରି ପ୍ରଥମ ସମ୍ଭାଷଣରେ ସେ କାନ୍ଦିପକାଇଲା । ମାଷ୍ଟ୍ରେ କାନରୁ ହାତ ଛାଡ଼ି ତାକୁ କୋଳପାଖକୁ ଆଉଜାଇନେଲେ ! ଲୁହ ପୋଛି ଦେଇ କହିଲେ, ‘‘ଆରେ କାନ୍ଦୁଛୁ କାହିଁକି ? କହ ତୋ ବାପା ନାଁ ।” ଗୋରା ସେହିପରି କାନ୍ଦ କାନ୍ଦ ହୋଇ କହିଲା, ‘‘ଦୀନକୃଷ୍ଣ ଦାସ ।” “ଆରେ କେଉଁ ଦୀନକୃଷ୍ଣ, ଆମ ଦୀନୁ ।” ଏତିକି କହିଲାବେଳକୁ ଦୀନୁବାବୁ ଯାହା କ୍ଲାସ୍‍ ବାହାରେ ଛିଡ଼ାହୋଇଥିଲେ, ଭିତରକୁ ପଶିଯାଇ ନଇଁପଡ଼ି ନମସ୍କାରଟିଏ ପକାଇଲେ । “ଆରେ ଦୀନୁ ଯେ, ୟେ ତୋରି ପୁଅ ? ଆଚ୍ଛା, ବଗୁଲିଆକୁ ମୁଁ ଠିକ୍ କରିଦେବି ।” ଦୀନୁବାବୁ କୃତକୃତ୍ୟ ହୋଇ କହିଲେ, ‘‘ସାର୍, ଆପଣଙ୍କୁ ଲାଗିଲା । ନିହାତି ପିଲାଟା, ଟିକିଏ ଦେଖିବେ । ଆଜି ନୂଆକରି ଆସିଛି । ଫେରିଲାବେଳକୁ ବାଟ ପାଇବନାହିଁ । ମୁଁ ସାର୍ ଆଜି ତାକୁ ସାଙ୍ଗରେ ନେଇଯାଉଛି ।” ଏହା କହି ସେହି ସାର୍‌ଙ୍କୁ ପୁଣି ନମସ୍କାର କରି ଗୋରାକୁ ସାଥିରେ ଧରି ଦୀନୁବାବୁ ବାହାରିଆସିଲେ । ପରେ ଆସିଲାବେଳେ ହେଡ଼୍‍ମାଷ୍ଟରଙ୍କୁ ପୁଣି ଦେଖା ଓ ନମସ୍କାର କରି ବାପପୁଅ ଦୁହେଁ ସ୍କୁଲ୍ ଫାଟକ ବାହାରକୁ ଆସିଲେ ।

 

ଏହି ହେଲା ଗୋରାର କଟକ ସହରର ବଡ଼ ସ୍କୁଲ୍‍ରେ ପ୍ରଥମ ଦିନର ଅନୁଭୂତି । ଦୀନୁବାବୁ ଆଗରେ, ଗୋରା ଚାଲିଛି ପଛରେ । ପାଟିରେ କଥା ନାହିଁ । ସେତେବେଳର କଟକ ସହର ରାସ୍ତାରେ ମଟର, ସାଇକେଲ, ରିକ୍ସା ପ୍ରଭୃତିର ଏପରି ଗହଳି ନଥାଏ । କେତେବେଳେ କେମିତି ଗୋଟାଏ ଗୋଟାଏ ଘୋଡ଼ାଗାଡ଼ି ଚାଲିଯାଏ । ଏତିକିବେଳେ ଗୋଟିକିଆ ଘୋଡ଼ାଟଣା ଗୋଟିଏ ଗାଡ଼ି ଅଦ୍ଭୁତ ରକମର ଶବ୍ଦକରି ସେମାନଙ୍କ ପାଖ ଦେଇ ଚାଲିଗଲା । ଗୋରା ଯାହା ଛବିରେ ଘୋଡ଼ା ଦେଖିଥିଲା; କିନ୍ତୁ ଏମିତିକିଆ ଘୋଡ଼ା ବା ଏମିତିକିଆ ଗାଡ଼ି ସେ ଦେଖି ନଥିଲା । ଘୋଡ଼ା ଦେହଯାକ ଚମଡ଼ାର ପଟି, ମୁଣ୍ଡରେ ପଟି, ପଟି ଉପରେ ଫୁଲ, ବେକରେ ଘୁଙ୍ଗୁର ଲାଗିଛି ଯେ ଦୌଡ଼ିଲାବେଳେ ତାହା ଝୁଣୁଝୁଣୁ ବାଜୁଛି । ସବୁଠାରୁ ବେଶି ଯାହା ଗୋରାର ମନକୁ ଆକର୍ଷଣକଲା, ତାହା ହେଉଛି ଘୋଡ଼ାର ଦୁଇ ଆଖି ପାଖରେ ଚମଡ଼ା ପରଦା । ଏସବୁ ଅଜବ ଚିଜ ଦେଖୁଦେଖୁ ଗୋରା ଯେ କେତେବେଳୁ ଠିଆହୋଇ ପଡ଼ିଲାଣି ତାହା ଦୀନୁବାବୁଙ୍କୁ ଜଣାନାହିଁ । ଦୀନୁବାବୁ କ’ଣ କହି କହି ଆଗେଇଯାଉଥିଲେ; କିନ୍ତୁ ଗୋରାର ସୋରଶବ୍ଦ ନ ପାଇ ପଛକୁ ଅନେଇ ଦେଖନ୍ତି ଯେ ଗୋରା ଏକଲୟରେ ଅନେଇ ରହି ଶୁଣୁଛି ସେହି ଘୋଡ଼ାଗାଡ଼ି ଓ ତା’ ପଛରେ ଚୋଖା ଚପକନ୍ ଓ ମୁଣ୍ଡରେ ପଗଡ଼ିପିନ୍ଧା ଲୋକଟାର ‘ହୈ ହଟ୍‍ଯାଓ, ହୈ, ହଟ୍‌ଯାଓ’ ଡାକକୁ । ବାପା ପଛକୁ ଫେରି ଗୋରାର ହାତ ଧରି କହିଲେ, “କ’ଣ ଦେଖୁଛୁ କିରେ ? ସେ ପରା ମଧୁବାବୁଙ୍କ ଘୋଡ଼ା !” ମଧୁବାବୁ କିଏ, ପୁଣି ତାଙ୍କ ଘୋଡ଼ା କ’ଣ ଗୋରା ବୁଝିଲା ନାହିଁ; କିନ୍ତୁ ସେତେବେଳକୁ ତା’ ଆଖି ପଡ଼ିଲାଣି ଗୋଟାଏ ବଡ଼ ପାଚେରି ଉପରେ । ଗୋରା ପଚାରିଲା, “ବାପା, ଏଇଟା କ’ଣ ?” ଦୀନୁବାବୁ କହିଲେ, “ସେଇଟା ଜେଲ୍‍ଖାନା, ତା’ ଭିତରେ କଏଦୀମାନେ ଥାଆନ୍ତି । “କଏଦୀ’ କ’ଣ ସେ କଥା ବୁଝିନପାରି ଗୋରା ବାପାଙ୍କ ମୁହଁକୁ ଅନେଇବାରୁ ବାପା ବୁଝାଇ କହିଲେ, “ଆରେ କଏଦୀମାନେ ଚୋର । ଚୋରଙ୍କୁ ଧରିନେଇ ଏଇଠି ବନ୍ଦୀ କରି ରଖାଯାଏ ।” ଗୋରା ଚୁପ୍ ହେଲା । ଏଇଟା କ’ଣ, ସେଇଟା କ’ଣ ଦେଖେଇ ଦେଖେଇ ବାପା ଚାଲିଥାନ୍ତି, ଗୋରା ଖାଲି ଶୁଣିଯାଉଥାଏ । ଏଇମିତି ସେମାନେ ଆସି ବସାରେ ପହଞ୍ଚିଲେ ।

 

ପୁଣି ତା’ ପରଦିନ ସ୍କୁଲ୍‍ ଯିବା କଥା । ବସା ପାଖର ଜୟୀ ବୋଲି ଆଉ ଗୋଟିଏ ପିଲା ଏକାଡ଼େମୀ ସ୍କୁଲ୍‍ରେ ଉପର କ୍ଲାସ୍‍ରେ ପଢ଼େ । ତା’ରି ସାଙ୍ଗେ ଗୋରା ପ୍ରତିଦିନ ଯିବାଆସିବା କରିବା ଠିକ୍ ହେଲା । ଜୟୀର ଘର କଟକରେ । ସେ ପିଲାଦିନୁ କଟକରେ ବଢ଼ିଛି । ମଫସଲ ବିଷୟରେ ତା’ର ସେପରି ଧାରଣା ନାହିଁ । ଠିକ୍ ଯେପରି ଗୋରାର ସହର ବିଷୟରେ ଧାରଣା ନଥାଏ ।

 

ପାଞ୍ଚ

 

ଗୋରା ଏଣିକି ଏକାଏକା ସ୍କୁଲ୍‍ ଗଲାଣି । ଜୟୀର ସାଙ୍ଗ ସେପରି ଆଉ ଦରକାର ହେଉନାହିଁ । ଜୟୀ ମଧ୍ୟ ବୟସରେ ବଡ଼, ତା’ର ବହୁତ ସାଙ୍ଗ । ସେ ଗୋରାକୁ ମଫସଲିଆ ବୋଲି ଭିତରେ ଭିତରେ ସୁଖ ପାଏନାହିଁ । ଗୋରାର ମଧ୍ୟ ସେହିଭଳିଆ କଥା । ସେ ଜୟୀକୁ ବଜାରୀ ବୋଲି ମନେମନେ ସୁଖ ପାଉ ନଥାଏ; କିନ୍ତୁ କେହି କାହାକୁ ମୁହଁ ଖୋଲି କିଛି କହନ୍ତି ନାହିଁ, ଯେଝା ମହତ ଜଗି ଯେଝା ଚଳନ୍ତି । ୟା ଭିତରେ ଗୋରାର କେତେ ସମବୟସୀ ସାଙ୍ଗ ହେଲେଣି । ସେମାନେ କିନ୍ତୁ ସ୍କୁଲ୍‍ ଗଲାବେଳେ ଟାଉନ୍‍ହଲ୍ ଠାରୁ ଗୋରାର ସାଙ୍ଗ ହୁଅନ୍ତି, ପୁଣି ଆସିଲାବେଳେ ସେହିଠାରେ ରହିଯାଆନ୍ତି । ଗୋରା ଏକାଏକା ବାଖରାବାଦ ଆସେ । ସେଥିପାଇଁ ଗୋରାର ଚିନ୍ତା ନାହିଁ; କିନ୍ତୁ ଅସଲ ଚିନ୍ତା ମ୍ୟୁନିସିପାଲଟି ଫାଟକଠାରୁ ଟାଉନ୍‍ହଲ୍ ପାଖ ଯାଏଁ । ସେତେବେଳେ ମ୍ୟୁନିସିପାଲଟି ଅଫିସ୍‍ଟି ଛଡ଼ା ସେ ହତା ଭିତରେ ଆଉ କିଛି ଘର ନଥାଏ । ଚାରିପାଖରେ ପକ୍କା ବନ୍ଧଦିଆ ଗୋଟାଏ ପୋଖରୀ–ଆଜିକାଲି ଯେଉଁଠି ମାର୍କେଟ ହୋଇଛି ସେହିଠାରେ ଥାଏ । ପାଣି ପଶିବା ବା ବାହାରିବାର ସୁବିଧା ନଥିବାରୁ ବର୍ଷାଦିନ ପରେ ସେ ପାଣି ନେଳି ହୋଇଯାଏ । ସେହି ପୋଖରୀ ଚାରିପାଖରେ ଥାଆନ୍ତି ଗୁଡ଼ାଏ ପାତିମାଙ୍କଡ଼ । ସେମାନେ ଏକୁଟିଆ ପିଲା ଦେଖିଲେ ପ୍ରାୟ ଗୋଡ଼େଇ ଆସନ୍ତି । ହନୁମାଙ୍କଡ଼ ହେଲେ ଗୋରା ଡରନ୍ତା ନାହିଁ । ସେ ଗାଁରେ ଜେଜେଙ୍କ ସାଙ୍ଗରେ କେତେଥର ସେମାନଙ୍କ ସାଙ୍ଗେ ଲଢ଼ିଛି । ସେମାନେ ହେଲେ ଚିହ୍ନା ମୁହଁ । କିନ୍ତୁ ଏମାନେ ନାଲିମୁହାଁ, ଅଚିହ୍ନା, ବଡ଼ ଦୁଷ୍ଟ ଓ ବିନା କାରଣରେ ଗୋଡ଼େଇ ଆସନ୍ତି । ଗାଁ ହନୁ ଦେହରେ ଟେକାଟାଏ ନ ବାଜିବା ପର୍ଯ୍ୟନ୍ତ ସେମାନେ ଦଉଡ଼ିଆସନ୍ତି ନାହିଁ । ସମସ୍ତେ କହନ୍ତି, ପାତିମାଙ୍କଡ଼ଙ୍କ ଆଡ଼କୁ ଧୂଳି ପକାଇଲେ ସେମାନେ ପଳାଇବେ । ଏପରିକି ତଳକୁ ନଇଁଲେ ସେମାନେ ପଳାଇବେ-। କିନ୍ତୁ ଏକଥା ଯେତେ ଜାଣିଲେ ସୁଦ୍ଧା ସତରେ ପାତିଙ୍କ ଆକ୍ରମଣବେଳେ ଏ ବୁଦ୍ଧି କେତେକେ ଖଟାଇପାରିବ ତା’ର ବିଶ୍ୱାସ ପାଏ ନାହିଁ । ତେଣୁ ଯେଉଁଦିନ ସାଙ୍ଗ ନପାଏ, ସେ ଭରସି କରି ମ୍ୟୁନିସିପାଲଟି ଦେଇ ନ ଆସି ଯାଉଁଳିଆପଟି ଦେଇ ଘରକୁ ଫେରେ ।

 

ୟାରି ଭିତରେ ଗୋରା କିଲଟରି, ଅଦାଲତ, କଚେରି ଓ କମିସନ୍‍ର ସାହେବଙ୍କ କୋଠି ପ୍ରଭୃତି ଦେଖିସାରିଲାଣି । କିଛିଦିନ ତଳେ ଯେଉଁଠି ରାଜଭବନ ଥିଲା ଓ ବର୍ତ୍ତମାନ ଯାହା ଶିଶୁ-ଡାକ୍ତରଖାନା ହୋଇଛି, ସେଇଟା ଥାଏ କମିସନ୍‍ର ସାହେବଙ୍କ କୋଠି । ଓଡ଼ିଶାପାଇଁ ସେତେବେଳେ କମିସନ୍‍ର ହେଲେ ମାଲିକ । ସେତେବେଳେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇ ନଥାଏ । ଓଡ଼ିଶାର ଶାସନମୁଖ୍ୟ ଥାଆନ୍ତି କମିସନ୍‍ର । ସେ କୋଠି ପାଖରେ ଗୋଟିଏ ଛୋଟ ଜଙ୍ଗଲରେ ହରିଣ ପ୍ରଭୃତି ଜନ୍ତୁ ପୋଷାହୋଇଥାଆନ୍ତି । ବଜାର କହିଲେ ସେତେବେଳେ ବୁଝାଉଥିଲା ଚୌଧୁରୀବଜାର, ମାରୁଆଡ଼ିପଟି, ବାଲୁବଜାର ଓ ନିମଚୌଡ଼ିକୁ । ଆଜିକାଲି ଯେପରି ରେଳଷ୍ଟେସନ୍‍ରୁ ଚାନ୍ଦିନୀଚଉକ ପର୍ଯ୍ୟନ୍ତ ରାସ୍ତାର ଦୁଇପାଖରେ ଦୋକାନ ଖୋଲିଛି, ସେତେବେଳେ ସେପରି ନଥାଏ । କଟକରେ ତିନି ମହଲା କୋଠା କେଉଁଠି ଅଛି ତାହା କଟକ ସହରର ପୁରୁଣା ନକ୍ସାରେ ଗୋଟିଏ ବଡ଼ ଜଟିଳ କିନ୍ତୁ କୌତୁକାବହ ପ୍ରଶ୍ନ । ମାରୁଆଡ଼ିପଟି ଅଶ୍ୱତ୍‌ଥ ଗଛ ସାମନାରେ ଦୁଇ ତିନିଟା ତିନିମହଲା କୋଠା ଥାଏ–ଏବେବି ଅଛି । ଗୋରା ଏକୁଟିଆ କେତେଥର ବଜାର ଆସି ସେ ତିନିମହଲା କୋଠାକୁ ଚାହିଁ ଅନେକବେଳ ଛିଡ଼ାହୋଇଯାଏ । ତା’ ଛଡ଼ା କିଲାପଡ଼ିଆ, କନିକା ରାଜା କୋଠି ମଧ୍ୟ ଶନିବାରିଆ ଅଧାଛୁଟି ପରେ ସେ ଯାଇ ସାଙ୍ଗମାନଙ୍କ ସଙ୍ଗେ ବୁଲି ଆସିଲାଣି । ଆଉ ଥାଏ ଗୋରାକବର, ଜୋବରା ଖୁଣ୍ଟ, ଆନିକଟ ଇତ୍ୟାଦି । ଏ ସବୁ ଦେଖାସରିଲେ ସେ ହେବ କଟକ ବିଷୟରେ ଗୋଟିଏ ପୁରୁଖା ଲୋକ ।

 

ଗୋରା ସ୍କୁଲ୍‍କୁ ଯାଏଁ ଓ ସାଙ୍ଗମେଳରେ ଦିନଟା କଟିଯାଏ । ବସାକୁ ଫେରି ଗୋଡ଼ହାତ ଧୋଇ ଜଳଖିଆ ଖାଇ ଟିକିଏ ବସିଯାଏ । ସେତିକିବେଳେ ତା’ ଆଖି ଆଗରେ ଭାସିଉଠେ ଗାଁର ରାସ୍ତା, ନଈକୂଳ, ଭାଇ ତାରା ଓ କୁନି ଭଉଣୀ ମିରା କଥା । ବୋଉ, ଜେଜେମା’ଙ୍କ କଥା ପରେ ପରେ ଆଖି ସାମନାକୁ ଚାଲିଆସେ । କିଛି ସମୟ ଆଖି ସାମନାରେ ସବୁ ଧୂଆଁଳିଆ ଦେଖାଯାଏ । ଆଖିରୁ ଲୁହ ଗଡ଼ିପଡ଼େ । କାଳେ କେହି ଦେଖି ନେବ ସେ କାନ୍ଦୁଛି ବୋଲି, ସେ ଅତି ଶୀଘ୍ର ଲୁହ ପୋଛି ବାଆଁରେଇବାକୁ ଚେଷ୍ଟାକରେ । ଦିନେ ଦିନେ ବାପା କଚେରିରୁ ଆସି ପହଞ୍ଚିଯାଇ କିପରି ଯେ ଜାଣିପାରନ୍ତି ଗୋରା କାନ୍ଦୁଥିଲା ବୋଲି, ସେ କଥା ଗୋରାକୁ ଅଗୋଚର । ସେ ସେହି କଚେରି ପୋଷାକରେ ଗୋରାକୁ କୋଳକୁ ଆଉଜେଇ ନେଇ ଚଉକିରେ ବସିପଡ଼ନ୍ତି । ଦୀନୁବାବୁ ଭାରୀ ମଉଜିଆ ଲୋକ । ପୁଅ କାନ୍ଦୁଛି ବୋଲି ଜାଣି ସୁଦ୍ଧା ଆରମ୍ଭ କରିଦିଅନ୍ତି, ‘‘ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ, ଲଙ୍ଘି ଭୀଷଣ ଗିରି ସମୁଦ୍ରବକ୍ଷ, ଦେଖନ୍ତି ତାରା ମିରା ମୁଖକମଳ, ହୁଅନ୍ତା ଏ ସନ୍ତପ୍ତ ପ୍ରାଣ ଶୀତଳ ।” ଆଉ ଯାଏଁ କୁଆଡ଼େ–ବର୍ଷା ଦିନ ନଈବନ୍ଧ ଭାଙ୍ଗି ପାଣି ମାଡ଼ିଆସିବା ପରି ଗୋରାର ଆଖିରୁ ଲୁହ ବୋହିଆସେ । ଯେତେ କଟକିଆ ହୋଇଥାଉ ପଛେ ଅସମ୍ଭାଳ ହୋଇ କଇଁକଇଁ ହୋଇ କାନ୍ଦିବାକୁ ଆରମ୍ଭ କରେ ଗୋରା । ବାପା ସଙ୍ଗେ ସଙ୍ଗେ ରୁମାଲରେ ମୁହଁ ପୋଛି ଦେଇ ‘ମଦନା, ମଦାନା’ ବୋଲି ଡାକ ଛାଡ଼ନ୍ତି । ମଦନା ରୋଷେଇଘର ଖଞ୍ଜାରୁ ଦୌଡ଼ିଆସେ । ତାକୁ ଆଦେଶ ହୁଏ ଆଣିବାକୁ । କ’ଣ ଆଣିବା କଥା ମଦନା ଜାଣେ । ମଦନା ଗାଁର ପିଲା–ବାବୁଙ୍କ ପାଖେ ନକଲନବିସ୍ ହିସାବରେ ଅଛି । ୟାଡ଼େ ରୋଷେଇ ମଧ୍ୟ କରେ । ରଙ୍ଗିଆ ଦୋକାନରୁ ଗୋଟିଏ ଖୁରିରେ ଯେଉଁ ରସଗୋଲା, ଛେନାଗଜା ଆସିଥାଏ ସେଥିରୁ ଦୁଇଟା ଗୋଟିଏ ଥାଳିଆରେ ଆଣି ମଦନା ହାଜର କରିଦିଏ । ଗୋରାର ଦୁଃଖ ଅନେକଟା ହରଣ ହୋଇଯାଏ । ତା’ ମୁହଁରେ ହସ ଦେଖାଯାଏ । ବାପା ପୋଷାକ ବଦଳାଇ ନିତ୍ୟକର୍ମକୁ ଯାଆନ୍ତି ।

 

ସନ୍ଧ୍ୟା ଯାଏଁ, ରାତି ଆସେ । ଲଣ୍ଠନଟିଏ ଜାଳି ମଦନା ଘରପିଣ୍ଡାର ଏକପାଖରେ ପଡ଼ିଥିବା ଟେବୁଲ ଉପରେ ରଖିଦେଇଯାଏ । ଦୀନୁବାବୁ ପୁଅ ପଢ଼ିବାପାଇଁ ଟେବୁଲ୍ ଚୌକିର ବନ୍ଦୋବସ୍ତ କରିଛନ୍ତି । ସେତେବେଳେ କିନ୍ତୁ ଏ କଥା ଏତେ ପ୍ରଚଳନ ନଥାଏ । ପିଲାଏ ସପ ବା ସତରଞ୍ଜି ପକାଇ ତଳେ ବସି ପଢ଼ନ୍ତି; କିନ୍ତୁ ଦୀନୁବାବୁ ଟିକିଏ ପ୍ରଗତିବାଦୀ ସେଥିପାଇଁ ଏ ବ୍ୟବସ୍ଥା-। ପ୍ରାର୍ଥନା ବୋଲିବାପାଇଁ ବାପାଙ୍କର କଡ଼ା ଆଦେଶ ଥିଲେ ମଧ୍ୟ ଗୋରା ସେ କଥା ମନେରଖି ପାରେନାହିଁ । ତେବେ ବାପା ଯେଉଁ ସନ୍ଧ୍ୟାରେ ଘରେ ଥାଆନ୍ତି, ସେଦିନ ପ୍ରାର୍ଥନା ନିଶ୍ଚୟ ହୁଏ-। ଗୋରାର ପଢ଼ା ଆରମ୍ଭ ହୁଏ ଖୁବ୍ ଆଡ଼ମ୍ବରରେ । ଆଗ ବହିପତ୍ର, କଲମ ଦୁଆତ ସଜା ହୋଇ ଯଥାସ୍ଥାନରେ ରହେ । ସ୍କୁଲ୍‍ ଯିବାବେଳକୁ ଓ ସ୍କୁଲ୍‍କୁ ଆସିଲାବେଳକୁ ବହିସବୁ ଏପଟ ସେପଟ ହୋଇଥାଏ । ତାକୁ ସଜାଡ଼ି ରଖାଯାଏ । ବହି କହିଲେ ଆଠ ଦଶ ଖଣ୍ଡ । ଖାତା ମଧ୍ୟ ସେହି ଆଠ ଦଶ ଖଣ୍ଡ ହେବ । ଏହାକୁ ନେଇ ଗୋରାର ବହିଥାକ । ରୁଟିନ୍ ଗୋଟିଏ ପଢ଼ାଘର କାନ୍ଥରେ ମରାହୋଇଛି । ଏହାକୁ ଦେଖି ପଢ଼ା ଆରମ୍ଭ ହୁଏ । ମାତ୍ର ଅଧଘଣ୍ଟାଏ ଅତି ଜୋର୍ ପାଟିକରି ଓଡ଼ିଆ ସାହିତ୍ୟ ପଢ଼ାଯାଏ । ଗଣିତ ରାତିରେ କରିବା ମନା । ଦୀନୁବାବୁଙ୍କର କଡ଼ା ନିର୍ଦ୍ଦେଶ ଥାଏ ସ୍କୁଲ୍‍ରୁ ଆସି ଗୋଡ଼ହାତ ଧୋଇ ଖାଇସାରି ଆଗ ପୃଷ୍ଠାଏ ହସ୍ତାକ୍ଷର ଯେକୌଣସିମତେ ଲେଖିବାକୁ । ହସ୍ତାକ୍ଷର ଖାତାଟିକୁ ସେ ବରାବର ଦେଖନ୍ତି । ଗୋରା ସେଥିପାଇଁ ବରାବର ତିଆରଥାଏ ।

 

ରାତିରେ ପାଟିକରି ଅଧଘଣ୍ଟାଏ ପଢ଼ାହେବା ପରେ ହଠାତ୍ ଗୋରାର ଆଖିପତା ଦୁଇଟା କାହିଁକି ଭାରୀ ହୋଇଆସେ । ଦି’ଗାଲରେ ହାତଦେଇ ଗୋରା ବହିକୁ ଚାହେଁ; କିନ୍ତୁ ସେ ବହିର ଅକ୍ଷର ଆଉ ଆଖିକୁ ଦେଖାଯାଏନାହିଁ । ହାତ ଦୁଇଟାରୁ ମୁଣ୍ଡ ଖସିଆସି କେତେବେଳେ ଟେବୁଲ ଉପରେ ରହେ । ବାପା କଚେରି ଘରୁ କେତେବେଳେ ପଶିଆସି ଗୋରାର ଏ ଅବସ୍ଥା ଦେଖି ହଲେଇ ଦିଅନ୍ତି–“କିରେ, ସାତଟା ନବାଜୁଣୁ ତୋତେ ନିଦ ଆସିଗଲାଣି ? ଦିନଯାକ ତ ଡେଇଁବୁ–ସଞ୍ଜବେଳକୁ ଦିନ ନ ମାଡ଼ିବ ତ ଆଉ କ’ଣ ହେବ ?” ଗୋରା ଲାଲ ଲାଲ ଆଖି କରି ବାପାଙ୍କ ମୁହଁକୁ ଚାହେଁ । ଉଠି ରୋଷେଇଘର ଆଡ଼େ ବୁଲିଆସେ । ମଦନା ବଜାରରୁ ଆସି ପରିବା ଝୁଡ଼ି ଫିଟାଇ ପରିବା ସଜାଡ଼ି ରଖୁଥାଏ । ଗୋରା ସେ ସବୁକୁ ଦେଖି ଟିକିଏ ପାଣି ପିଇ ପୁଣି ଆସି ଟେବୁଲ ପାଖରେ ବସେ; କିନ୍ତୁ ସେ ଖୁବ୍ କମ୍ ସମୟପାଇଁ । ଅଧଘଣ୍ଟା ପରେ ପୁଣି ଯେଉଁ କଥାକୁ ସେହି କଥା । ଆଖିରେ ନିଦ ଭରିଯାଏ । ମୁଣ୍ଡଟି ଟେବୁଲ ଉପରେ ଆଶ୍ରା ନିଏ ।

 

ରୋଷେଇ ସରିଲେ ବାପା ତାକୁ ଉଠାଇନିଅନ୍ତି ଖାଇବାକୁ । ସେତେବେଳକୁ ଗୋରାକୁ ପ୍ରାୟ ନିଘୋଡ଼ ନିଦ । ବାପାଙ୍କ ଡରରେ ଭାତଥାଳି ପାଖରେ ବସେ । ଦାଦା ନାନୁବାବୁ ମଧ୍ୟ ବସନ୍ତି-। ଗୋରା ଆଖିରେ ଏତେ ନିଦ ଯେ ସେ ଡାଲି, ତରକାରୀ କେଉଁଠି ଅଛି, ଠିକ୍ ଠଉରେଇ ପାରେ ନାହିଁ । ଅନେକ ସମୟରେ ଆଖିବୁଜି ତାଟିଆ ଥାଳିଆ ପରିବର୍ତ୍ତେ ତଳକୁ ଦରାଣ୍ଡି ବସେ-। ବାପା ମାରିବାକୁ ହାତ ଉଠାନ୍ତି । ପୁଣି କ’ଣ ଭାବି ଅଟକିଯାଆନ୍ତି । ଜୋରରେ ଡାକ ଦିଅନ୍ତି ‘ଗୋରା’-! ଗୋରାର ବୋଉ ନାହାନ୍ତି କଟକରେ–ଦୀନୁବାବୁଙ୍କର ବୋଧହୁଏ ସେଇଥିପାଇଁ ଟିକିଏ ଦୟା ଆସେ । ଖାଇସାରିବା ପରେ ବାପାଙ୍କ ଖଟରେ ଯାଇ ଶୋଇପଡ଼େ । ବାପା କେତେବେଳେ ଆସି ମଶାରି ପକାଇ ତା’ ପାଖରେ ଶୁଅନ୍ତି ତାକୁ ଜଣା ନଥାଏ ।

 

ଗୋରା କିନ୍ତୁ ବେଶ୍ ସକାଳୁ ଉଠେ । ସନ୍ଧ୍ୟାରୁ ଶୋଇଥାଏ, ଆଉ କେତେ ଶୋଇବ ? ସକାଳୁ ନିତ୍ୟକର୍ମ ସାରି ଯାହା ଦିଇଟା ଖାଇଦେଇ ଗୋରା ପଢ଼ାରେ ବସିଯାଏ ଘଣ୍ଟାଟାଏ । ସେହି ହେଲା ତା’ର ପଢ଼ିବାର ସବୁଠାରୁ ଭଲ ସମୟ । ତା’ରି ଭିତରେ ସେ ସ୍କୁଲ୍‍ ପାଠ ସବୁ ଶେଷ କରିଦିଏ । ସେତେବେଳେ ସେ ଆଉ କାହା ମୁହଁକୁ ଅନାଏନାହିଁ । ଦୀନୁବାବୁ ବେଳେବେଳେ ଗୋରାର ଖାତାସବୁ ଦେଖନ୍ତି । ସେଥିରୁ ବୁଝନ୍ତି ଯେ ଗୋରା ତା’ର କ୍ଲାସ୍ ପାଠ ସାଙ୍ଗେ ଠିକ୍‍ଭାବେ ତାଳଦେଇ ଚାଲିଛି ।

 

ବସା ପାଖରେ କାଠଯୋଡ଼ି ନଈ । ମଝିରେ କେବଳ ସନ୍‌ସାଇନ୍ ପଡ଼ିଆଟା । ସେତେବେଳେ ଆଜିକାଲିପରି ପଡ଼ିଆ ଚାରିପାଖେ ପାଚେରି ହୋଇ ନଥାଏ । ପଡ଼ିଆ ମଝିଟା ଟିକିଏ ସଫା ଥାଏ, ବାକି ଚାରିପାଖେ ନାଗଫେଣିଆ ବୁଦା । ସେହି ସଫା ଜାଗା ଟିକକରେ ସନ୍ଧ୍ୟାବେଳେ ପିଲାମାନେ ଖେଳନ୍ତି । ଦିପହରେ ମେଣ୍ଢା ଲଢ଼ାଇ ହୁଏ; ଗୁଡ଼ି ଉଡ଼ାହୁଏ । ସେହି ବାଟ ଦେଇ ଗୋରା ବାପାଙ୍କ ସହିତ ନଈକୁ ଗାଧୋଇବାକୁ ଯାଏଁ । ସାହିର ଅନ୍ୟ ପିଲାମାନେ ମଧ୍ୟ ଯା’ନ୍ତି; କିନ୍ତୁ ସମସ୍ତଙ୍କର କେହି ନା କେହି ଜଣେ ମୁରବି ସାଙ୍ଗରେ ଥା’ନ୍ତି । ମୁରବିମାନେ ନଦୀରେ ଗାଧୋଇବାବେଳେ ଗପକରିବା ଅବସରରେ ପିଲାମାନଙ୍କର ମଧ୍ୟ ଏକାଠି ବୁଡ଼ିବା ପହଁରିବା ଆଦି ଖେଳ ହୁଏ ଅଳ୍ପ ବହୁତ । କାଠଯୋଡ଼ିରେ ବର୍ଷର ଆଠମାସ ପାଣି ନଥାଏ । କ୍ଷୀଣ ପାଣିଧାରଟିକୁ ବାଲିବନ୍ଧ ଓ ବାଡ଼ ଦେଇ ବନ୍ଧେଇ ପାଣି ଅଟକାଇବାଦ୍ଵାରା ଅଳ୍ପ ଟିକିଏ ପାଣି ଜମେ । ବଡ଼ମାନେ ବସିକରି ଓ ପିଲାମାନେ ଠିଆହୋଇ ଗାଧୋଇ ପାରନ୍ତି; କିନ୍ତୁ ପାଣିର ସୁଅ ବେଶ୍ ଥାଏ । ପିଲାଏ ଉପରଆଡ଼େ ପଡ଼ିଗଲେ ତଳକୁ ଖସି ଆସନ୍ତି । ଖୁବ୍ ମଜାଲାଗେ ଏପରି ସୁଅରେ ତଳକୁ ଖସିଆସିବାକୁ । ପୁଣି ମୁଣ୍ଡ ବୁଢ଼ାଇ ଆସୁଥିଲେ କେତେବେଳେ କାହା ପେଟ ବା ପିଠିରେ ବାଡ଼େଇ ହୋଇଗଲେ କାନମୋଡ଼ା ଚଟକଣା ଗୋଟାଏ ଅଧେ ଯେ ନମିଳେ ଏ କଥା ନୁହେଁ । ସେଠାରେ ସମସ୍ତେ ସବୁ ପିଲାଙ୍କର ଅଭିଭାବକ–ପୁଣି ପିଲା ସମସ୍ତଙ୍କର ପିଲା । ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଭଲଭାବରେ ଚିହ୍ନନ୍ତି । କଟକ ଏତେ ଗହଳି ହୋଇ ନଥାଏ ।

 

ସେତେବେଳେ କଟକରେ ପାଣିକଳ ଲାଗି ନଥାଏ । ସମସ୍ତେ ପ୍ରାୟ ନଈପାଣି ପିଇବାପାଇଁ ଓ ଡାଲି ସିଝାଇବା ପାଇଁ ବ୍ୟବହାର କରନ୍ତି । କଟକରେ କେଇଟା କୂଅକୁ ଛାଡ଼ିଦେଲେ ଅନ୍ୟସବୁ କୂଅପାଣିରେ ଡାଲି ସିଝେ ନାହିଁ । କୂଅପାଣି ଭଲ କି ଖାରିଆ ତାହାର ଏହା ଏକ ପରୀକ୍ଷା । ତେଣୁ ନଈରୁ ଗାଧୋଇକରି ଆସିଲାବେଳେ ସମସ୍ତେ ଲୋଟା ଢାଳ ବା ମାଠିଆରେ ନଈପାଣି ଆଣନ୍ତି । ଗୋରାଙ୍କ ଘରପାଇଁ ଦୁଇବେଳା ଦୁଇଟି ମାଠିଆରେ ପାଣି ମଦନ ଆଣେ । ସେଥିରେ ଡାଲି ରନ୍ଧା ଓ ସମସ୍ତଙ୍କର ପିଇବା କାମ ଚଳିଯାଏ । ବର୍ଷାଦିନେ ମଧ୍ୟ ଏ ପାଣି ଅଣାଯାଏ । ସହରର ସମସ୍ତେ ବର୍ଷାଦିନର ଗୋଳିଆପାଣିରେ ନଦୀରେ ଗାଧୁଅନ୍ତି । ସେ ସମୟରେ ଅନେକେ ନାଲିଆ ଗେରୁକରା ଲୁଗା ପିନ୍ଧି ଗାଧୋଇବାକୁ ଯାଆନ୍ତି; କାରଣ ଗୋଳିଆପାଣିରେ ସଫାଲୁଗା କଷ ହୋଇଯାଏ ।

 

ଗୋରା ନଈରେ ଗାଧୁଆ ପହଁରା ସାରି ଆସି ଖାଇ ସ୍କୁଲ୍‍କୁ ଯାଏଁ । ଏହା ହେଲା ତା’ର ନିତିଦିନିଆ କାମ ।

 

ଛଅ

 

ଚାହୁଁଚାହୁଁ ଗୋରାର କଟକରେ ପଢ଼ିବା ଦୁଇମାସରୁ ଅଧିକ ହୋଇଗଲାଣି । ଆସ୍ତେ ଆସ୍ତେ ସେ ଗାଁ ସାଙ୍ଗଙ୍କ କଥା ଭୁଲିଆସୁଥାଏ । କେତେ ନୂଆ ସାଙ୍ଗ ସେତେବେଳକୁ ହୋଇଗଲେଣି । ଏଠାର ବଡ଼ ସ୍କୁଲ୍‍ର ଚାଲିଚଳନରେ ସେ କ୍ରମେ ଅଭ୍ୟସ୍ତ ହୋଇଆସୁଥାଏ । ୟା ଭିତରେ ସ୍କୁଲ୍‍ରେ ସରସ୍ଵତୀ ପୂଜା ହୋଇଯାଇଛି । ଗାଁ ସ୍କୁଲ୍‍ ପୂଜାଠାରୁ ଏହା ଭିନ୍ନ । ଗୋରା ସ୍କୁଲ୍‍ରେ ସବୁଠାରୁ ତଳଶ୍ରେଣୀର ପିଲା । ତେଣୁ ପୂଜାପୂଜିର ଆୟୋଜନ କଥାରେ ତାକୁ କେହି ପଚାରିନାହାନ୍ତି । ଉପରଶ୍ରେଣୀର ବଡ଼ପିଲାମାନେ ସବୁ ଆୟୋଜନ କରିଥିଲେ । ସ୍କୁଲ୍‍କୁ ଲାଗି ଛାତ୍ରାବାସ । ସେହିଠାରେ ପୂଜା ହେଲା । ଗୋରା ବୟସର ପିଲାମାନେ ଦିନ ଥାଉଁଥାଉଁ ପ୍ରସାଦ ପାଇ ଘରକୁ ଫେରିଗଲେ । ଦୀନୁବାବୁଙ୍କର କଡ଼ା କଟକଣା ଯେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବାକୁ ହେବ, ନୋହିଲେ ଦଣ୍ଡ ପାଇବାକୁ ହେବ ।

 

ସ୍କୁଲ୍‍ ଦୋଳଛୁଟି ପାଇଁ ବନ୍ଦ ହେଲା ପୁନେଇଁର ୩।୪ ଦିନ ପୂର୍ବରୁ । ଛୁଟିରେ ଗାଁକୁ ଯିବାର କଥା; କିନ୍ତୁ ଦୀନୁବାବୁଙ୍କର କଚେରି ବନ୍ଦ ହେଲେ ଯାଇ ଗାଁକୁ ଯାଇହେବ । ଦୋଳ ପୁନେଇଁ ଗୋରାଙ୍କ ଗାଁରେ ଖୁବ୍ ଜାକଜମକରେ ହୁଏ । ଗୋରାର ମନ ଖାଲି ଉଡ଼ୁଥାଏ–କିପରି ବାପାଙ୍କ କଚେରି ବନ୍ଦ ହେବ, ସେମାନେ ଗାଁକୁ ଯିବେ । ପୁନେଇଁ ଆଉ ଦୁଇଦିନ ଥାଏ । ଗାଁରୁ ଗୋରାଘର ଚାକର ସକାଳୁ ଆସି ଗାଡ଼ିନେଇ ପହଞ୍ଚିଲେ । ବଡ଼ବଡ଼ ଧଳା ବଳଦ ଦୁଇଟା ଗାଡ଼ି ଆଣିଥାନ୍ତି । ସେ ବଳଦ ଗାଁରେ ହଳକରନ୍ତି । କଟକକୁ ଆସିବାକୁ ହେଲେ ସେଇ ଦୁଇଟି ଗାଡ଼ି ଟାଣି ଆସନ୍ତି । ସେତେବେଳେ ତାଙ୍କ ବେକରେ ଘଣ୍ଟି ବନ୍ଧାଯାଏ ।

 

ଦିନଯାକ ନାନାପ୍ରକାରର ସଉଦା ବଜାରରୁ କିଣାଗଲା । ଗୋରା ମଧ୍ୟ କିଛି ଅବିର, ରଙ୍ଗ ପ୍ରଭୃତି କିଣିଛି । ସେଥିସକାଶେ ଗୋରାର ଦାଦା ନାନୁବାବୁ ତାକୁ କିଛି ପଇସା ଦେଇଥିଲେ । ଦୀନୁବାବୁ ପିଲାଙ୍କ ହାତକୁ କେବେ ପଇସା ଦିଅନ୍ତିନାହିଁ; ପିଲାଙ୍କର ଯାହା ଦରକାର ତାହା ଯୋଗାଇଦିଅନ୍ତି; କିନ୍ତୁ ଦାଦା ସମୟ ଅସମୟରେ ଗୋରାକୁ କିଛି ପଇସା ଦିଅନ୍ତି । ଗୋରାର ଇଚ୍ଛାଥିଲା ଗୋଟିଏ ପିତଳ ପିଚକାରି କିଣିବ ବୋଲି । ତାଙ୍କ ଗାଁ ଗୋଲିଆର ଗୋଟାଏ ପିତଳ ପିଚକାରି ଅଛି । ତା’ ବାପା ଖଡ଼ଗପୁରରେ କାମ କରନ୍ତି । ସେ ଗୋଟାଏ ପିତଳ ପିଚକାରି ଆଣିଦେଇଛନ୍ତି ଗୋଲିଆକୁ । ସେଥିରୁ ରଙ୍ଗପାଣି ଯେମିତି ଛତରେଇ ହୋଇ ପଡ଼େ, ଗୋରାର ବାଉଁଶନଳୀ ବା ଟିଣ ପିଚକାରିରୁ ସେପରି ପଡ଼େନାହିଁ; କିନ୍ତୁ ପିତଳ ପିଚକାରି ତିନିଚାରି ଟଙ୍କା । ସେ ଏତେ ପଇସା ପାଇବ କୁଆଡ଼ୁ ଯେ ପିତଳ ପିଚକାରି କିଣିବ ? ମନକଥା ମନରେ ରହିଲା ।

 

ଦିନ ଚାରିଟାବେଳକୁ ସବୁକାମ ସାରି ଦିନୁବାବୁ ଶଗଡ଼ରେ ବସିଲେ । ସଉଦାଭରା ଟୋକେଇ ଶଗଡ଼ର ଆଗରେ ପଛରେ ଥୁଆ ହୋଇଥାଏ । ଶଗଡ଼ ଭିତରେ ଗୋରା ଓ ତା’ ବାପା । ମଫସଲର ବଳଦ । ବଡ଼ ତରକା । ତେଣୁ ଗାଡ଼ି ବଜାର ଭିତରୁ ବାହାରିଯିବା ପର୍ଯ୍ୟନ୍ତ ଗାଡ଼ିବାଲା ଇନ୍ଦ୍ରମଣିକୁ ଖୁବ୍ ହୁସିଆର ହେବାକୁ ପଡ଼ିଲା । ଯାହାହେଉ ସଞ୍ଜ ଲଗାଏତ ଗାଡ଼ି ନୂଆବଜାର ଟପି ବିଦ୍ୟାଧରପୁର ଧରିଲା ।

 

ଗାଡ଼ି ଉଡ଼ୁଥାଏ । ବଳଦ ଘରମୁହାଁ । ତା’ ସାଙ୍ଗରେ ଗୋରାର ମନ ଉଡ଼ୁଥାଏ । ଗାଡ଼ି ଆସି ବିରିବାଟୀ ଧରିଲା । ସେଇଠୁ ଗାଡ଼ି ପକ୍କା ରାସ୍ତାରୁ ଗଡ଼ି ଗହୀର ଭିତର ଦେଇ ତାଙ୍କ ଗାଁକୁ ଯିବ । ସଡ଼କରୁ ଗଡ଼ିଲେ ଗୋଟାଏ ପାଣିଯୋର ପଡ଼େ । ତା’ରି ଭିତର ଦେଇ ଗାଡ଼ି ଯାଇ ଗୋଟିଏ ବାଲିକୁଦକୁ ଉଠିବ । ବାଲିକୁଦ ଟପିଲେ ଯାଇଁ ଗହୀର । ଗହୀରରେ ଧାନକଟା ପରେ ହିଡ଼ କଟାଯାଇ, ଗୁଳା କରାଯାଇଛି ଶଗଡ଼ ଯିବାପାଇଁ । ଯୋର ଟପି ଯେଉଁ ବାଲିଢ଼ିପ ଉପରକୁ ଗାଡ଼ି ଉଠିବ, ତା’ ନାଁ ଦୁଗୁଣାବାଲି । ସେଠାରେ ଭୂତ ଅଛନ୍ତି ବୋଲି ଗାଡ଼ିବାଲା ଇନ୍ଦ୍ରମଣି ଓ କୋଠିଆ ବନ୍ଧୁପାତ୍ର ପ୍ରଭୃତି କହିବାର ସେ ଅନେକ ଥର ଶୁଣିଛି । ସେ ଭୂତ ଦୁଇଟା କେତେ ଭଳି ରୂପ ଦେଖାଇ ଗାଡ଼ିର ଆଗପଛ ଚାରିଆଡ଼େ ବାହାରନ୍ତି । କେତେବେଳେ ଘୁଷୁରି ପରି ଭଡ଼ଭଡ଼ ହୋଇ ବଳଦଙ୍କ ପାଖ ଦେଇ ଚାଲିଯାଆନ୍ତି ଯେ ବଳଦ ତରକି ଗାଡ଼ିକୁ କିଆବାଡ଼ ଆଡ଼କୁ ମୋଡ଼ି ଦିଅନ୍ତି । କେତେବେଳେ ପୁଣି ଆଗରେ ତାଳଗଛ ପରି ଦେଖାଯାନ୍ତି; କିନ୍ତୁ ଗୋରୁଗାଡ଼ିର କିଛି କରିପାରନ୍ତି ନାହିଁ । ଗୋରୁଙ୍କ ଦେହରେ ସହସ୍ର ଠାକୁର, ପୁଣି ଗଣ୍ଠିଥିବା ତାଟଗାଡ଼ି ଉପରେ ଭୂତ ଉତ୍ପାତ କରିପାରେନାହିଁ । ତେଣୁ ଯେତେ ଉତ୍ପାତ ବା ଭେଳିକି ଦେଖାଇଲେ ମଧ୍ୟ ଆଜିଯାଏ ସେମାନେ କିଛି ଗୋଟାଏ ବିପଦ କରି ନାହାନ୍ତି ବୋଲି ଦୁହେଁ କହନ୍ତି; କିନ୍ତୁ ତଥାପି–କିଛି ନ କରନ୍ତୁ ପଛେ କେବଳ ଦେଖାହୋଇଗଲେ ଯଥେଷ୍ଟ । ଗୋରା ବାପାଙ୍କ କୋଳକୁ ଆଉଜିପଡ଼ିଲା । ସେତେବେଳକୁ ବାପା ସବୁ ବୁଝିଲେଣି । ସେ ତାକୁ କୋଳରେ ଜାକି କହିଲେ, “କ’ଣ କିରେ ?” ଗୋରା କିଛି କହିଲାନାହିଁ । ଗାଡ଼ି ତ ଚାଲିଥାଏ–ଚାହୁଁଚାହୁଁ ‘ଦୁଗୁଣା ବାଲି’ ପାର ହୋଇଗଲା । ଜହ୍ନ ପଡ଼ିଛି ରାଶିଫୁଲପରି । କାହିଁ ଭୂତ ଫୂତ କାହାରି ଦେଖାନାହିଁ ।

 

ଗାଡ଼ି ଗାଁ ଦାଣ୍ଡ ଦେଇ ଗୋରାଙ୍କ ଘର ଆଡ଼କୁ ମାଡ଼ି ଚାଲିଛି । ଦୁଇପାଖର କିଆ ଗଛରେ ବଳଦ ଦୁଇଟା ଖାଲି ଘଷି ହୋଇଯିବାରେ ଯେପରି ଭାରି ଆନନ୍ଦ ପାଉଛନ୍ତି । ଗାଡ଼ି ଆସି ଗୋରାଙ୍କ ଦାଣ୍ଡ ଆଗରେ ପହଞ୍ଚିଲା । ଦୂରରୁ ବଳଦଙ୍କର ଘଣ୍ଟି ଶୁଣି ଗାଈଜଗା ଚାକର ନିଧିଆ ଲଣ୍ଠନଟାକୁ ତେଜିଦେଇ ଆସି ପିଣ୍ଡା ତଳେ ଛିଡ଼ାହୋଇଗଲା । ଇନ୍ଦ୍ରମଣି ଓରଫ୍‍ ଇନ୍ଦା ‘ଚୁ ଚୁ ହ ହ’ କରୁ କରୁ ଗାଡ଼ିକୁ ଅଟକାଇ ଦେଲା । ଗୋରାର ଜେଜେ ସେତେବେଳକୁ ଆସି ପିଣ୍ଡା ତଳେ । ଗୋରାକୁ ଦେଖି ସେ ଦୁଇହାତ ବଢ଼ାଇଦେଲେ । ବଳଦ ନ ଫିଟୁଣୁ ଗୋରା ଜେଜେଙ୍କ ପାଖରେ ଯାଇଁ ପିଣ୍ଡା ଉପରେ । ତାରା ଓ ମିରା ଦୁଇଜଣଯାକ ଗୋରାକୁ ଧରିପକାଇଲେ । ଗୋରା ତା’ର ଦାଦାଙ୍କଠାରୁ ରଙ୍ଗ କିଣିବାପାଇଁ ପାଇଥିବା ସ୍ୱଳ୍ପ ପାଣ୍ଠିରୁ ଦିପଇସାର ‘ଲେବେନଚୁଷ’ ଆଣିଥିଲା । ଦୁହିଁଙ୍କୁ ସେଥିରୁ କିଛି ଦେଇ ନିଜେ ଗୋଟାଏ ପକାଇଦେଲା ।

 

ମା’ ଆସି ଗୋରାକୁ କାଖେଇ ଭିତରଖଞ୍ଜାକୁ ଘେନିଗଲେ, ପଛରେ ତାଙ୍କ କାନି ଧରି ତାରା ଓ ମିରା । ଗୋରାର ଆଜି ବିରାଟ ଅଭ୍ୟର୍ଥନା । ଗୋରା ବିଦେଶରୁ ଫେରିଛି । ଏଇଟା ତା’ର ପ୍ରଥମ ବିଦେଶ । ବୋଉ ଆସି ଶାଶୁଙ୍କଠାରୁ ଗୋରାକୁ କାଖେଇ ନେଇ ତରବର ହୋଇ ପିଣ୍ଡା ଉପରେ ବସାଇ ଦୁଧ ଓ ଛୁଞ୍ଚିପତର ଦେଇଗଲେ ଖାଇବାକୁ । ତାରା ଓ ମିରା ଭାଇଙ୍କର ଏ ଆଦର ଅଭ୍ୟର୍ଥନାରେ ଟିକିଏ ମନଦୁଃଖ କଲାପରି ବୋଧ ହେଲା; କିନ୍ତୁ ଭାଇ ଖାଇବାକୁ ବସିବାରୁ ଦୁହେଁ ତୁରନ୍ତ ତା’ ପାଖରେ ବସିପଡ଼ିଲେ ।

 

ମା’ ଗଲେ ଉପର ଖଞ୍ଜାକୁ ତାଙ୍କ ପୁଅକୁ ଦେଖିବାକୁ । ସେତେବେଳକୁ ଗାଡ଼ିରୁ ସଉଦା ସବୁ ଓହ୍ଲାହୋଇ କଣଘରକୁ ଆସିଲାଣି । କଣଘରଟା ହେଲା ମା’ଙ୍କ ଶୋଇବା ଘର ଓ ଭଣ୍ଡାରଘର ଉଭୟ । ସେ ଜିନିଷ ଉପରେ ଆଖି ବୁଲାଇଆଣି ଡିବିରି ହାତରେ ଧରି ଦୀନୁବାବୁଙ୍କ ପାଖକୁ ଆସିଲେ । ପଚାରିଲେ, “ହଇରେ ! ଏତେ ଡେରି କାହିଁକି କଲୁ ? ସକାଳୁ ଗାଡ଼ି ଗଲାଣି, ଆସିବୁ ବୋଲି ରାତିଅଧ କଲୁ ?” ଦୀନୁବାବୁ ସେତେବେଳକୁ ଲୁଗା ଜାମା ବଦଳେଇ ବାହାରକୁ ଯିବେ ବୋଲି ଯାଇ ହେଲେଣି ପିଣ୍ଡାରେ । “ଡେରି ହୋଇଗଲା” କହି ସେ ଦାଣ୍ଡକୁ ବାହାରିଗଲେ । “ନିଧିଆ ! ପୁଅ ସଙ୍ଗେ ଲଣ୍ଠନ ଧରି ଯା” ବୋଲି କହି ମା’ ତଳ ଖଞ୍ଜାକୁ ଗଲେ ।

 

ସେତେବେଳକୁ ତିନି ଭାଇ ଭଉଣୀ ବସି ଗପ ଆରମ୍ଭ କରିଦେଲେଣି । ଗୋରା ଖାଲି ଗପିଯାଉଛି । ତାରା ଆଉ ମିରା ଯେମିତି ପିଇଯାଉଛନ୍ତି ଭାଇର କଥାଗୁଡ଼ାକ । ଦୁହିଁଙ୍କ ଆଖି ଗୋଲ ଗୋଲ ବଡ଼ବଡ଼ ।

 

ସାତ

 

ରାତି ପାହିଲେ ଗାଁ ମେଳଣ । ଠାକୁର ତିନିଦିନ ହେଲା ଗାଁଯାକ ଘର ଘର ବୁଲି ଭୋଗ ଖାଇଲେଣି । ରାତି ସେତେବେଳକୁ ନ’ଟା ହେବ । ଠାକୁର ବାହାରିଲେଣି ଭୋଗ ଖାଇବାକୁ । ଘଣ୍ଟା, ଢୋଲ, ମହୁରି, ଝାଞ୍ଜ, ମୃଦଙ୍ଗ ବାଜି ଉଠିଲା । ଗାଁ ମଝିରେ ଠାକୁରାଣୀ ପଡ଼ିଆ–ଗ୍ରାମଦେବତୀଙ୍କ ବିଜେସ୍ଥଳୀ । ସେହିଠାରୁ ଯାନିଯାତ୍ରାରେ ମଦନମୋହନ ମଧ୍ୟ ବାହାରନ୍ତି ବିମାନରେ । ମଦନମୋହନଙ୍କର ତିନି ଖଣ୍ଡ ବିମାନ । ସ୍ଥାନ ବିଶେଷକୁ ଭିନ୍ନପ୍ରକାର ବିମାନ ଲୋଡ଼ା-। ଗାଁରେ ଭୋଗ ଖାଇବେ ତ ଛୋଟ ବିମାନରେ ଯିବେ । ଛୋଟକାଟିଆ ମେଳଣକୁ ଯିବେ ତ ମଝିଲା ବିମାନରେ । ଆଉ ମହାଜନ ମେଳଣ ଭଳିଆ ଜାକଜମକ ମେଲଣକୁ ଯିବେ ତ ବଡ଼ ବିମାନରେ ଯିବେ । ସେଥିପାଇଁ ଆଠଜଣ ମଜଭୁତିଆ ଗଉଡ଼ ଦରକାର ହୁଅନ୍ତି ।

 

ଛୋଟ ବିମାନରେ ମଦନମୋହନ ବିଜେ ହୋଇଛନ୍ତି । ଦି’ଜଣ ଗାଁ ଟୋକା ବିମାନକୁ କାନ୍ଧେଇଛନ୍ତି । ବେଳ ପଡ଼ିଲେ ଜଣେବି ମୁଣ୍ଡେଇ ନେଇ ପାରନ୍ତା । ଯେଉଁମାନେ ବିମାନ ସାଙ୍ଗରେ ବାହାରିଛନ୍ତି ସେମାନଙ୍କ ଭିତରୁ କେହି କେହି ଗାଁ ପାଖ ମାଇନର୍‍ ସ୍କୁଲ୍‍ରେ ପଢ଼ନ୍ତି, କେହି ବା ପଢ଼ା ସାରିଲେଣି । ସେମାନଙ୍କର ବୟସ ପନ୍ଦର କୋଡ଼ିଏ ଭିତରେ । ସେତେବେଳେ ସେହି ବୟସରେ ମାଇନର୍‍ ପଢ଼ୁଥିଲେ ପିଲାଏ । ସେମାନେ ବଡ଼ ହୋଇଗଲେଣି । ଅତଏବ ରାତିରେ ଘରୁ ବାହାରେ ରହିଲେ ମଧ୍ୟ କେହି କିଛି କହିବେ ନାହିଁ । ଗୋରା ଯଦିଓ ଯାଇଁ ମାଇନର୍‍ କ୍ଲାସ୍‌ରେ ନାଁ ଲେଖାଇଛି, ତେବେ ସେ ଖୁବ୍ ପିଲା । ଏବେ ସୁଦ୍ଧା ତାକୁ ରାତିରେ ଘର ବାହାରକୁ ଯିବା ମନା । ତାରା ଓ ମିରା କଥା ତ ଛାଡ଼ । ସେମାନେ ନିହାତି ପିଲା । ସେମାନେ ଭାବିଥିଲେ ଭାଇ କଟକରେ ପଢ଼ୁଛନ୍ତି, ହୁଏତ ସେ ଠାକୁରାଣୀ ପଡ଼ିଆକୁ ରାତିରେ ଯାଇପାରନ୍ତି; କିନ୍ତୁ ଦେଖାଗଲା ଯେ ତାଙ୍କର ମଧ୍ୟରାତିରେ ବାହାରକୁ ଯିବାର କ୍ଷମତା ନାହିଁ ।

 

ସେଆଡ଼େ ଘଣ୍ଟା, ଢୋଲ, ମୃଦଙ୍ଗର ନାଦ ଅଧିକରୁ ଅଧିକ ହେଉଛି । ସେଥିରେ ଯୋଗଦେବାକୁ ଏ ପିଲା ତିନିଙ୍କର ଇଚ୍ଛା ଅଛି; କିନ୍ତୁ ଯାଉଛନ୍ତି କେମିତି ? ଘରେ ବାପା, ଜେଜେ ଦୁହେଁ ଅଛନ୍ତି । ଜେଜେ ହେଲେ ସାଙ୍ଗରେ ନେଇଯାଆନ୍ତେ, ବୁଲେଇ ଆଣନ୍ତେ, ସେ ମଧ୍ୟ କିଛି ନାଁ ଧରୁନାହାନ୍ତି । ଅଗତ୍ୟା ବାଜା ଶୁଣି ଶୁଣି ସ୍ଥିର ହୋଇ ରହିଲେ । ବାଜା ମଧ୍ୟ ଦୂରେଇଗଲାଣି । ଠାକୁର କୁମ୍ଭାରସାହିକୁ ବୋଧେ ଭୋଗଖାଇବାକୁ ଗଲେ । ଯାହା ହେଉ କାଲି ମେଳଣ । ରାତିକୁ ନାଟ ହେବ । ନାଟ ଦେଖିବାକୁ ନିଶ୍ଚୟ ଛାଡ଼ ମିଳିବ । ମା’ ଜେଜେ ତ ନିଶ୍ଚୟ ଯିବେ । ସେ ଦୁହିଁଙ୍କର ନାଟ ଦେଖାରେ ଭାରି ସଉକ । ଏତିକିବେଳେ ବୋଉ ଡାକିଲେ ତିନିଙ୍କୁ ଖାଇବାକୁ । ନିଦରେ ସମସ୍ତଙ୍କର ଆଖି ଘୋଡ଼ାଇ ହୋଇପଡ଼ୁଛି । ତଥାପି କେହି କାହାରିକୁ ଛାଡ଼ି ଶୋଇବାକୁ ଯାଉନାହାନ୍ତି ।

 

ଖିଆ ସରିଲା । ମିରା, ବୋଉ ପାଖରେ ଶୋଇବ । ଗୋରା ଆଉ ତାରା ଜେଜେମା’ଙ୍କ ପାଖରେ ଶୋଇବେ । ସେଠାରେ ଟିକିଏ ସ୍ଵାଧୀନତା ମିଳିବ । ବାପା ବୋଉଙ୍କ ପାଖରେ ମଜା ହେବନାହିଁ, ଗପ କରିହେବନାହିଁ । ଦୁଇଭାଇ ଖାଇସାରି ଜେଜେଙ୍କ ଘରକୁ ଶୋଇବାକୁ ଗଲେ । ମିରା ମଧ୍ୟ ତାଙ୍କ ସାଙ୍ଗ ନ ଛାଡ଼େ । ଜେଜେ କହିଲେ, ‘‘ଆସୁ, ଶୋଇପଡ଼ିଲେ ବୋହୂ ତାକୁ ନେଇଯିବ ।” ତିନିକେ ତିନିହେଁ ଜେଜେଙ୍କ ଘରକୁ ଗଲେ । ଜେଜେ ଗଲେ ଖାଇବାକୁ । ମା’ ସେମାନଙ୍କୁ ଜଗି ରହିଲେ । ଯେଡ଼େ କଟିକିଆ ହେଲେ ମଧ୍ୟ ଏକା ଶୋଇବାର କ୍ଷମତା କାହାରି ହୋଇନାହିଁ । ମା’ ରହିଲେ ସେ ଘରେ; କିନ୍ତୁ ଦୁଇଭାଇଙ୍କର ଗପ ଏପରି ଲାଗିଥାଏ ଯେ ମା’ ଯାହା ପଚାରୁଥାନ୍ତି ତା’ର ଉତ୍ତର ମିଳୁ ନଥାଏ । ଅନଉଁ ଅନଉଁ ମିରାକୁ ନିଦ ଲାଗିଗଲା । ଦୁଇଭାଇ ମଧ୍ୟ କିଛି ସମୟ ଗଡ଼ର ଗଡ଼ର ହୋଇ ଶୋଇପଡ଼ିଲେ । ମା’ ମିରାକୁ ନେଇ ଆରଘରେ ଶୁଆଇଦେଇ ଆସିଲେ ।

 

ରାତି ନ ପାହୁଣୁ ଗୋରାର ନିଦ ଭାଙ୍ଗିଗଲା । ସେ ଚୁମୁଟି ତାରାକୁ ଉଠାଇଲା । ସେତେବେଳକୁ ଅନ୍ଧାର ଯାଇ ନଥାଏ । ଦୁଇଭାଇଙ୍କର ପୁଣି ଗପ ଲାଗିଲା । ଜେଜେ ଖୁବ୍ ସକାଳୁ ଗାମୁଛାଟା ନେଇ କଠଉ ମାଡ଼ି ବାହାରିଯାଆନ୍ତି । ଜେଜେଙ୍କ ଯିବାର ଅଳ୍ପ ସମୟ ପରେ ଗୋରା ଆଉ ତାରା ଉଠି ସିଧା ନଈକୂଳକୁ ବାହାରିପଡ଼ିଲେ । ବାଟରେ ବାଉଁଶବଣ, ଆମ୍ବତୋଟା । ଦୁହେଁ ଏତେ ସକାଳୁ କେବେ ବାହାରି ନଥିଲେ; କିନ୍ତୁ ଦୁହେଁ ଦୁହିଁଙ୍କ ଉପରେ ଭରସା ରଖି ବାହାରିଗଲେ । ବାଟରେ ଜଣେ ଦୁଇଜଣ ଲୋକ ଯିବାଆସିବା କରୁଥିଲେ । ଦୁହିଁଙ୍କୁ ଆଉ ବେଶି ଭୟ ହେଲାନାହିଁ ।

 

ଗାଁର ଉତ୍ତରରେ ତାଳଦଣ୍ଡା କେନାଲର ଶାଖା ନାଳ । ତାକୁ ପାରି ହେବାକୁ ପୋଲଟିଏ ଅଛି । ପୋଲ ଉପରେ ଯାଇଁ ବଡ଼ ବନ୍ଧ ଟପିଲେ ସେ ପାଖେ ନଈକୁ ଯିବାକୁ ରାସ୍ତା । ପ୍ରଥମେ କଣ୍ଡିଆ, ତା’ପରେ ମହାନଦୀ । ମହାନଦୀର ପାଣିଧାର ଗାଁ ପାଖରେ ଖୁବ୍ ଚଉଡ଼ା । ଡଙ୍ଗା ନହେଲେ ପଶିକରି ନଈପାରି ହୋଇ ହେବନାହିଁ । ସେଠାରେ ପାଣି ଭାରି ଗଣ୍ଡ । କୁଆଡ଼େ ପୂର୍ବକାଳରେ ନଈ ସେଠାରେ ଭାଙ୍ଗି ଜାଗାଟାକୁ ତାଡ଼ି ପକାଇଛି । ଗୋବିନ୍ଦପୁର ଗାଁର ପୂର୍ବଦିଗକୁ ସେ ଘାଇଟା ହୋଇଥିଲା କେତେ ବର୍ଷ ପୂର୍ବେ ଠିକ୍ କହି ହେବ ନାହିଁ; କିନ୍ତୁ ଗାଁ ପାଖରେ ନଦୀର ଗଭୀରତା ଓ ତା’ ପୂର୍ବକୁ ଘାଇ ଭାଙ୍ଗି ଯେଉଁ ସ୍ରୋତ ସୃଷ୍ଟି ହୋଇଥିଲା, ତାହା ମାଇଲିଏ ବ୍ୟାପି ପଦ୍ମତୋଳା ବୋଲି ଗୋଟିଏ ଯୋର ନାମରେ ପ୍ରସିଦ୍ଧ । ସେ ଯୋରରେ ବହୁତ ପଦ୍ମଫୁଲ ଫୁଟେ ଓ ସେଥିରେ ଅପର୍ଯ୍ୟାପ୍ତ ମାଛ ଥା’ନ୍ତି ।

 

ଗାଁ ପାଖ ମହାନଦୀର ଏ ଗଣ୍ଡରୁ ପାଣି କେବେ ଶୁଖେନାହିଁ । ଯେତେବେଳେ ନଦୀକୁ ଗଲେ କୁମ୍ଭୀର ପହଁରୁଥିବାର ଓ କଇଁଛ ମୁଣ୍ଡଟେକି ପହଁରୁଥିବାର ଦେଖାଯାଏ; କିନ୍ତୁ ଏ କୁମ୍ଭୀର ସବୁ ନିହାତି ଶାନ୍ତ, ଶିଷ୍ଟ ଓ ନିରୁପଦ୍ରବ । ମଣିଷ ତ ମଣିଷ, କେବେହେଲେ ଛେଳି ଛୁଆଟାକୁ ମଧ୍ୟ ଭିଡ଼ିନେବାର ଶୁଣାଯାଇନାହିଁ । ସେମାନେ ସବୁ ଥଣ୍ଟିଆ ବା ଘଡ଼ିଆଳ ଜାତିର । ମୁହଁଟି ଏମାନଙ୍କର ଖୁବ୍ ଛୋଟ, କେବଳ ମାଛ ଖାଇବାପାଇଁ ଉପଯୋଗୀ କହିଲେ ଚଳେ । ଶୀତଦିନ ସକାଳେ ଖରା ଖାଇବାକୁ ଏକାବେଳକେ ଦଶ ପନ୍ଦରଟା କୂଳରେ ପଡ଼ିଥାନ୍ତି । ପିଲାଏ ଲୁଚି ଲୁଚି ଅତଡ଼ାରୁ ଖସିପଡ଼ିଲାବେଳକୁ ସେମାନେ ଘୁଘୁ ହୋଇ ପାଣିଭିତରକୁ ପଶିଯାଆନ୍ତି । ପିଲାଏ ଟେକା ମାରନ୍ତି; କିନ୍ତୁ ସେତେବେଳକୁ ସେମାନେ ଯାଇ କେଉଁ ଗଭୀରରେ । କୁମ୍ଭୀରଗୁଡ଼ିକ ସମ୍ପୂର୍ଣ୍ଣ ନିରୁପଦ୍ରବ । ଏହାର ପ୍ରମାଣ ଅନେକ ଥିଲେ ମଧ୍ୟ ମହାନଦୀର ସେ ଗଣ୍ଡରେ ଗାଧୋଇବାକୁ ସମସ୍ତଙ୍କୁ ଡରମାଡ଼େ । ଅନ୍ୟ ସମୟରେ ସେମାନେ ବୋଧହୁଏ ମଜା ଦେଖିବାକୁ ବା ଅନ୍ୟ କୌଣସି ‘କୁ’ ବା ‘ସୁ’ ଉଦ୍ଦେଶ୍ୟରେ ଗାଧୋଇବା ଲୋକର ଖୁବ୍ ପାଖରେ ଉଠନ୍ତି ଓ ଲୋକେ ଡରି କୂଳକୁ ଉଠିଆସିଲେ ସେମାନେ କିଛିଦୂର ଭାସି ଭାସି ଯାଇଁ ବୁଡ଼ିଯାଆନ୍ତି । ଘଡ଼ିଆଳ ହୋଇଥିଲେ ବୁଡ଼ିଲାବେଳେ ଗୋଟାଏ ଶବ୍ଦ କରି ବୁଡ଼େ ।

 

ଏ ସବୁ ଗାଁଲୋକଙ୍କର ଦେହସହା ହୋଇଗଲାଣି । ଗୋରା ଓ ତାରା ସକାଳୁ ସିଧା ନଈକୁ ଯାଇ ଦୁଇ ଚାରିଟା କୁମ୍ଭୀର ଦେଖିଲେ । କଣ୍ଡିଆରେ ସେତେବେଳେ କିଛି ଫସଲ ନଥାଏ । କୋଳଥ ଉପୁଡ଼ା ସରିଲା ପରେ ସାରା କଣ୍ଡିଆଟା ପଡ଼ିଆ ପଡ଼ିଥାଏ । ଦୁଇଭାଇ ଟିକିଏ ବୁଲାବୁଲି କରି ଘରକୁ ଫେରିଲେ । ଆଜି ଗାଁ ମେଳଣ, ରାତିକୁ ନାଟ ହେବ । ଦିଦିନ ହେଲା ଗାଁରେ କାହ୍ନୁ ଓ ହେମ ନାଟୁଆପାଇଁ ଯାଇଥିଲେ । ଗଲାକାଲି ରାତିରେ ସେ ଫେରିଆସିଛନ୍ତି । ନାଟୁଆ ବହିନା ରଖିଛନ୍ତି । ସେମାନେ ମଧ୍ୟ ନାଟୁଆଙ୍କର ଡୁବି ତବଲା ନେଇଆସିଛନ୍ତି । ଏଣିକି ନାଟୁଆ ଆଉ ଯିବେ କୁଆଡ଼େ, ନିଶ୍ଚୟ ଆସିବେ । ବିଖ୍ୟାତ ନାଟପଞ୍ଝା । ଗଲାବର୍ଷ ଜଗୁ ଓଝା ମେଳଣକୁ ରାତିକ ସକାଶେ ଆସି ଲୋକଙ୍କ ଚାହିଦା ଯୋଗୁଁ ଚାରି ରାତି ନାଟ କରିଥିଲେ ବୋଲି ଗୋଚାର ସାଙ୍ଗ କାଶୀ କହୁଥିଲା । ଦୁହେଁ ଘରକୁ ଫେରି ଜଳଖିଆ କଲେ । ତାରା ଆଉ ଭାଇ ସାଙ୍ଗ ମୁହୂର୍ତ୍ତେ ଛାଡ଼ୁ ନଥାଏ । ମିରାର ଇଚ୍ଛା ଥାଏ ତାଙ୍କ ସାଙ୍ଗ ଧରିବ ବୋଲି; କିନ୍ତୁ ପିଲା ବୋଲି ଦୁଇଭାଇଯାକ ତାକୁ ପାଖ ପୂରାଉ ନଥାନ୍ତି । ଏତେବେଳକୁ ଗୋରାର ଚାହାଳିସାଙ୍ଗ ଦୁଇ ଚାରି ଜଣ ଆସି ପହଞ୍ଚିଲେ । ସେମାନଙ୍କ ସାଙ୍ଗେ କଟକ କଥା ଗାଁ କଥା ଗପ୍‍ସପ୍ କରିବାକୁ ସମସ୍ତେ ବାରି, ପୋଖରୀ ଘାଟ, ଚଉତରା ଉପରକୁ ଗଲେ । ସେଠାରେ ଅନେକ କଥାଭିତରେ ପଡ଼ିଲା କେଉଁ ଗଛରେ ଆମ୍ବ କିପରି ହୋଇଛି, କେଉଁଠି ଆମ୍ବ କେଡ଼େ କେଡ଼େ ହେଲାଣି ଇତ୍ୟାଦି । କିନ୍ତୁ ଏ ସବୁ ଗପ ବେଶିବେଳ ଚାଲିଲାନାହିଁ । ନାଟବାଲା ଆସିଲେ କି ନାହିଁ ଏହି ଚିନ୍ତା ସମସ୍ତଙ୍କର ଥାଏ । ଏତିକିବେଳେ ମୂଷି ଆସି ଖବରଦେଲା ନାଟଦଳରୁ ଅଧେ ଆସି ପହଞ୍ଚିଗଲେଣି । ତାଙ୍କର ବାଜା ସଜକରି ଦି’ଭାର ମଧ୍ୟ ଆସିଗଲାଣି । ସବୁ କଥା ବନ୍ଦ ହୋଇଗଲା । ସମସ୍ତେ ଅଣନିଃଶ୍ୱାସୀ ହୋଇ ଧାଇଁଲେ ଠାକୁରାଣୀ ପଡ଼ିଆ ଆଡ଼େ ।

 

ସତକୁସତ ସ୍କୁଲ୍‍ ପିଣ୍ଡାରେ ଆସି ସାତ ଆଠ ଜଣ ବସିଗଲେଣି । ତା’ ଭିତରୁ ଦୁଇ ଜଣ ଗାମୁଛାରେ ଝାଳ ପୋଛି ଖାଲି ବିଞ୍ଚି ହୋଇ ପଡ଼ୁଛନ୍ତି । ଏ ଦୁଇଜଣ ବୋଧେ ଭାରୁଆ । ଆଉ ତିନିଜଣ ଟୋକା, ସେମାନଙ୍କ ମୁଣ୍ଡରେ ବଡ଼ବଡ଼ ବାଳ, ମାଇକିନିଆଙ୍କ ପରି କୁଣ୍ଡିଆ ହୋଇଛି । ମୂଷି କହିଲା, “ୟା ଭିତରୁ ବଡ଼ଟି ରାଣୀ ପାର୍ଟ୍‍ କରିବ ଆଉ ସେ ଜଣକ ହେବ ସହଚରୀ ।” ସେ କୁଆଡ଼େ ଆରବର୍ଷ ଓଝା ମେଳଣରେ ଏମାନଙ୍କ ନାଟ ଦେଖିଥିଲା । ଦୁଆରୀ ବା ରାଜାପାର୍ଟ୍‍ କରିବା ଲୋକ ଏତେବେଳଯାଏଁ ଆସିନାହାନ୍ତି । ମୂଷି ଓ ଜଟିଆଙ୍କ ଠାରୁ ନାଟୁଆଙ୍କ ବିଷୟରେ ଅନେକ ଖବର ମିଳିଲା । ଏତିକିବେଳେ ଦି’ ଭାଇଙ୍କୁ ଖୋଜି ଖୋଜି ଜେଜେ ଆସି ଦୁହିଁଙ୍କୁ ଠାକୁରାଣୀ ପଡ଼ିଆରୁ ଗିରଫ୍‍ କଲେ । ଘରେ ଆସି ଦୁହେଁ ଗାଧୋଇ ଖାଇଲେ । ଜେଜେ କହିଲେ, “ରାତିରେ ନାଟ ଦେଖିବ, ଶୋଇପଡ଼ ଦିପହରେ ।” ଦୁହେଁ ଶୋଇବାକୁ ଗଲେ; କିନ୍ତୁ ନିଦ ଆସୁ ନଥାଏ । କେବଳ ମନେପଡ଼ୁଥାଏ ଠାକୁରାଣୀ ପଡ଼ିଆରେ କ’ଣ ହେଉଥିବ । ଏମିତି କଥାବାର୍ତ୍ତା କରୁ କରୁ କେତେବେଳେ ଦୁହିଁଙ୍କୁ ନିଦ ଲାଗିଗଲା ।

 

ଦିନ ତିନିଟା ହେବ । ଗୋରା ଚମକିଲା ପରି ଉଠି ତାରାକୁ ହଲାଇଦେଲା । ଅନ୍ୟଦିନ ହୋଇଥିଲେ ତାରାର ଉଠିବାକୁ ଡେରି ହୋଇଥାନ୍ତା; କିନ୍ତୁ ଆଜି ହଲାଇ ଦେଲାମାତ୍ରେ ତାରା ଚମକିଲାପରି ହୋଇ ଉଠିବସିଲା । ଦୁହେଁ ଉଠି ମୁହଁ ଧୋଇ ଧାଇଁଲେ ଠାକୁରାଣୀ ପଡ଼ିଆକୁ । ସେତେବେଳକୁ ନାଟଦଳର ସମସ୍ତେ ଆସିଗଲେଣି । ତାଙ୍କର ରୋଷେଇ ବସିଛି ସ୍କୁଲ୍‍ ପାଖ ଚାଳିରେ । କେତେଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ସ୍କୁଲ୍‍ଘରେ ଶୋଇଯାଇଛନ୍ତି । ଝରକା ବାଟେ ଗୋରା ଓ ତାରା ପ୍ରଭୃତି ସେମାନଙ୍କୁ ଦେଖି ସାରିଲେଣି । ଗାଁ ବାଉରି, ଅନ୍ୟାନ୍ୟ ମାମଲତ୍‍କାରମାନେ ଛାମୁଡ଼ିଆ ବନ୍ଧେଇବାରେ ବ୍ୟସ୍ତ । ନଡ଼ିଆ ବାହୁଙ୍ଗା ଓ ଦେବଦାରୁ ଡାଳ ପଡ଼ି ସନ୍ଧ୍ୟାପୂର୍ବରୁ ଛାମୁଡ଼ିଆ ପ୍ରସ୍ତୁତ ହୋଇଗଲା ।

 

ସଞ୍ଜ ହେଲା । ଚତୁର୍ଦ୍ଦଶୀରେ ଜହ୍ନ ଖୁବ୍ ତୋରା ହୋଇ ପଡ଼ିଥାଏ । ସବୁ ପିଲାଯାକ ଘରକୁ ଚାଲିଗଲେଣି । ଖାଇପିଇ ଶୀଘ୍ର ଆସି ଜାଗା ଦଖଲ କରିବାକୁ ହେବ । ଗାଁ ମାଇପେ ମଧ୍ୟ ତରତରରେ ରୋଷେଇ ସାରି ଖାଇପିଇ, ପାନଭାଙ୍ଗି ନାଟ ଦେଖିବାକୁ ଯିବେ । ଗାଁରେ ବର୍ଷକରେ ନାଟ ହୁଏ ଏଇ ଥରକ । ତେଣୁ ସମସ୍ତଙ୍କ ମନ ଉଚ୍ଛନ୍ନ । କେବଳ ବୁଢ଼ୀ ମାଇପେ ନୂଆବୋହୂ ପ୍ରଭୃତି କେତେକ ଯାହା ନାଟ ଦେଖି ଯାଆନ୍ତି ନାହିଁ । ନଚେତ୍ ସେଦିନ ଅଧିକାଂଶ ଘରର ମାଇପେ ମିଣିପେ ଦୁଆର ଘର ତାଲା ପକାଇଦେଇ ନାଟଦେଖି ଯାଆନ୍ତି ।

 

ଗୋରା ତାରା ଦୁହିଁଙ୍କର ଖିଆପିଆ ସରିଲା । ଦୀନୁବାବୁ ଟିକିଏ କଡ଼ା ମିଜାଜର ଲୋକ-। ସେ ଗାଁର ସବୁ ମାମଲତରେ ଥିଲେ ସୁଦ୍ଧା ଏ ସବୁ ତାମସାରେ ନଥାନ୍ତି । ଗାଁକୁ ଆସିଲେ ତାଙ୍କ ଦାଣ୍ଡବାରଣ୍ଡାରେ ଗୋଟିଏ ଛୋଟ ସଭା ବସିଥାଏ । ନିଜଗାଁରେ ଯାନିଯାତ୍ରା ନାଟତାମସା ପାଇଁ ବେଶ୍ ମୋଟା ଧରଣର ଚାନ୍ଦା ଦିଅନ୍ତି; କିନ୍ତୁ ଦେଖିବାକୁ ଯାଆନ୍ତି ନାହିଁ । ଜେଜେ ୟାଭିତରେ ଯାଇଁ ଠାକୁରାଣୀଙ୍କ ପାଖରୁ ବୁଲି ଆସିଲେଣି । ପିଲା ତିନିହେଁ ଜେଜେଙ୍କୁ ଧରିଛନ୍ତି ନାଟ ଦେଖାଇନେବାକୁ । ତେଣୁ ସେ ବୁଲିଆସି କହିଲେ, “ତୁମେ ସବୁ ଟିକିଏ ଶୋଇପଡ଼, ନାଟ ଆରମ୍ଭ ହେଲେ ମୁଁ ତୁମକୁ ନେଇଯିବି । ବସିବାପାଇଁ ମୁଁ ବେଞ୍ଚ୍‍ ସେଠାକୁ ପଠାଇଦେଇଛି । ନିଶ୍ଚିନ୍ତରେ ବସି ଦେଖିବ । ଜାଗାପାଇଁ ଚିନ୍ତା ନାହିଁ ।” ଦୁହେଁ ପାଟି କଲେ, “ଆମେ ଆଗରେ ବସିବୁ । ପଛରେ ବେଞ୍ଚ୍‍ରେ ବସିବୁନାହିଁ; ଆମକୁ ଭଲ ଦେଖାଯିବ ନାହିଁ ।” ଜେଜେ ଶୋଇବାକୁ କହିଲେ; କିନ୍ତୁ କାହାରି ଆଖିକୁ ନିଦ ଆସୁ ନଥାଏ । ଦୁହେଁ ଖଟରେ ଶୋଇଥାନ୍ତି । ମିରା ମଧ୍ୟ ନାଟ ଦେଖିଯିବ ବୋଲି ସଜ ହୋଇ ତାଙ୍କରି ପାଖରେ ଶୋଇଥାଏ; କିନ୍ତୁ ତାକୁ ୟା ଭିତରେ ନିଦ ହୋଇଗଲା-। ଏତିକିବେଳେ ଗାଁଟିକୁ କମ୍ପାଇ ଦେଇ ନାଟଦଳର ‘କନସର୍ଟ’ ବାଜା ବାଜିଉଠିଲା । ବିଗୁଲଟା ଗାଁର ଏମୁଣ୍ଡରୁ ସେମୁଣ୍ଡ ଯାକେ ଚହଳ ପକାଇଦେଲା–ପିଲା ମାଇପେ ଖିଦ୍‍ଖାଦ୍ ଘରୁ ବାହାରି ପଡ଼ିଲେ-। ସତେ ଯେପରି ଏହାକୁ ସମସ୍ତେ ଅନାଇ ବସିଥିଲେ ।

 

ଗୋରା, ତାରା ଏକା କୁଦାକେ ଆସି ଖଟ ତଳେ । ମିରାକୁ ସେତେବେଳକୁ ଗାଢ଼ ନିଦ । ଜେଜେ, ମା’ଙ୍କୁ ତା’ ପାଖରେ ଶୋଇବାକୁ କହି ଜେଜେ ପିଲା ଦୁଇଟିକୁ ନେଇ କଠଉ ମାଡ଼ି ବାହାରିପଡ଼ିଲେ । ପାହାନ୍ତାକୁ ଆସି ମିରାକୁ ନେଇଯିବେ ବୋଲି କହିଗଲେ । ଜେଜେ ପଛେ ପଛେ ଆସୁଛନ୍ତି; କିନ୍ତୁ ପିଲାଦୁହେଁ ରାସ୍ତାକୁ ସିଧା ଦଉଡ଼ିବାକୁ ଆରମ୍ଭ କଲେ । ଠାକୁରାଣୀ ପଡ଼ିଆ ଯିବା ବାଟରେ ଗୋଟାଏ ଅନ୍ଧାରୁଆ ତୋଟା ପଡ଼େ । ସେଠାରେ ବ୍ରହ୍ମରାକ୍ଷସଠାରୁ ଭୂତ ପର୍ଯ୍ୟନ୍ତ ସମସ୍ତେ ଥିବାର ଅନେକ ଗପ ଦୁହେଁ ଶୁଣିଛନ୍ତି; କିନ୍ତୁ ଆଜି ସେଆଡ଼କୁ ଏ ଦୁହିଁଙ୍କର ମୋଟେ ଖିଆଲ ନାହିଁ । ଜହ୍ନ ମଧ୍ୟ ଜହ୍ନିଫୁଲ ପରି ତୋରା ହୋଇ ପଡ଼ିଥାଏ । ଆଉ ଚାଲିକରି ଯିବାକୁ ତର ସହିଲାନାହିଁ । ଦୁହେଁ ଏକା ଦୌଡ଼ାକରେ ଯାଇଁ ନାଟ ପାଖରେ ହାଜର ହୋଇଗଲେ ।

 

ଛାମୁଡ଼ିଆ ଚାରିପାଖରେ ଚାରିଟା ‘ଡେ-ଲାଇଟ୍’ ଟଙ୍ଗା ଯାଇଛି । ନରି ଟର୍ଚ୍ଚଟାଏ ଧରି ଖାଲି ଏଲାଇଟ୍ ପାଖରୁ ସେ ଲାଇଟ୍ ପାଖକୁ ଚାଲିଯାଉଥାଏ । ଲାଇଟ୍ ବିଷୟରେ ସେ କୁଆଡ଼େ ‘ଏକ୍ସପର୍ଟ’ । ଗୋରା ତାରା ସତକୁସତ ତାଙ୍କପାଇଁ ପଛରେ ପଡ଼ିଥିବା ବେଞ୍ଚ୍‍ରେ ନ ବସି ସିଧା ଯାଇଁ ଆଗରେ ବସିଗଲେ । ତାଙ୍କ ସାଙ୍ଗ ପିଲାଏ ଆଦରରେ ସେ ଦୁହିଁଙ୍କୁ ଜାଗା ଛାଡ଼ିଦେଲେ ।

 

‘କନସର୍ଟ’ ଗୋଟିଏ ପ୍ରକାରେ ବାଜିଉଠିଲା । ଜଟିଆ କହିଲା, “ହେଇ ବାହାରିଲେ ଗୋଟିପୁଅ ।” ସତକୁସତ ଆଠଜଣ ଗୋଟିପୁଅ ତା’ ପଛକୁ ତା’ ପଛ ସ୍କୁଲ୍‍ ଘରୁ ଲୋକ ଗହଳି ଭିତରଦେଇ ନାଟ ହେବା ସ୍ଥାନକୁ ଚାଲିଆସିଲେ । ନାଚ ହେଲା । ସେମାନେ ଗୀତ ମଧ୍ୟ ବୋଲିଲେ-। ଗୀତ ନାଚ ପରେ ସେମାନେ ଯୁଆଡ଼ୁ ଆସିଥିଲେ ସେଆଡ଼କୁ ଚାଲିଗଲେ । ଗୋରା ଆଉ ତାଙ୍କ ସାଙ୍ଗଙ୍କ ଭିତରେ କଥା ପଡ଼ିଲା, “ଏମାନେ ଝିଅ ନା ପୁଅ ।” କେତେ କହିଲେ ଝିଅ କେତେ କହିଲେ ପୁଅ । ଏ କଥାର ମୀମାଂସା ନ ହେଉଣୁ ସିଆଡ଼ୁ ରାଜା ପୋଷାକ ପିନ୍ଧି ରଙ୍ଗିନ ଚଷମା ଆଖିରେ ଲଗାଇ, ଅଣ୍ଟାରେ ଖଣ୍ଡା ଲଟକାଇ ବୀରଦର୍ପରେ ରାଜା ବାହାରିଆସିଲେ । ପଛେ ପଛେ ମନ୍ତ୍ରୀ-। ସେ ଦୁହେଁ ଆସି ଛାମୁଡ଼ିଆ ତଳ ସେ ଚାରିକୋଣିଆ ଜାଗାରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଆଗ ଚାରିଘେରା ବୁଲିଗଲେ । ରାଜା ଏପାଖରୁ ଆସିଲେ, ମନ୍ତ୍ରୀ ଯା’ନ୍ତି ସେ ପାଖକୁ । ସେ ଯେଉଁ ଚାଲି, ସେ ମୁଛ ଓ ସେ ଖଣ୍ଡାକୁ ଦେଖି ଗୋରା ନ ହେଉ ପଛେ ତାରାର ଟିକିଏ ମନରେ ଦବକ ଆସିଗଲାଣି । ସେ ଯାହା ଆଗରେ ବସିଥିଲା, ଟିକିଏ ପଛକୁ ଘୁଞ୍ଚି ଭାଇ ପାଖକୁ ଲାଗି ବସିଲା ।

 

ରାଜା ତା’ପରେ ଗୀତରେ ମନ୍ତ୍ରୀଙ୍କୁ ପଚାରିଲେ, କହ କହ ମନ୍ତ୍ରୀ ମୋର ରାଜ୍ୟ ସମାଚାର ।” ମନ୍ତ୍ରୀ ମଧ୍ୟ ସେହିପରି ଗୀତରେ ତାହାର ଜବାବ୍ ଦେଲେ । ନାଟ ଜମିଲା । ‘ସମାଜ’ ହେଲା ‘ଚୌରଚନ୍ଦ୍ର ଚୂଡ଼ାମଣି’ । ପିଲାମାନଙ୍କ ଆଖିକୁ ଆଉ ନିଦ ନାହିଁ । ଦୁଆରୀ ଆଉ ନାରଦଙ୍କ ଭିତରେ ବଚନିକା ଆଉ ଫାର୍ସ୍ ସମସ୍ତଙ୍କ ମନକୁ ଖୁବ୍ ପାଇଗଲା । ହସି ହସି ବେଦମ୍ ହୋଇଗଲେ ସମସ୍ତେ ।

 

ପାହାନ୍ତାକୁ କେତେବେଳେ ଜେଜେ ଯାଇ ମିରାକୁ ଧରି ଆସିଛନ୍ତି, ସେଥିପ୍ରତି କାହାର ଦୃଷ୍ଟିନାହିଁ । ଭୋରବେଳକୁ ଟିକିଏ କୁହୁଡ଼ି ମାଡ଼ିଆସିଲା । ଏତିକିବେଳେ ନାଟ ଭାଙ୍ଗିଲା । ଜେଜେ ମିରାକୁ କାଖେଇ ଦୁଇଭାଇଙ୍କ ହାତ ଧରି ଘରକୁ ଫେରିଲେ ।

 

ଆଠ

 

ରାତିଯାକ ଦୁଇ ଭାଇଙ୍କର ଆଖିପତା ପଡ଼ି ନଥିଲା । ଘରେ ଆସି ଜେଜେଙ୍କ ଖଟରେ ଗପ ଆରମ୍ଭ କରୁକରୁ କେତେବେଳେ ତାଙ୍କୁ ନିଦ ଲାଗିଯାଇଛି । ମା’ ବ୍ୟସ୍ତ ହେଉଥାନ୍ତି–ଦାନ୍ତ ଘଷିଲେ ନାହିଁ, ଖାଇଲେ ନାହିଁ ପିଲା ଦୁଇଟା; କିନ୍ତୁ ଜେଜେ କହୁଥାନ୍ତି ଦି, ତିନି ଘଣ୍ଟା ଶୋଇପଡ଼ନ୍ତୁ । ଉଠିଲେ ଏକାବେଳକେ ଗାଧୋଇ ଖାଇବେ । ସେଇଆ ହେଲା । ନଅଟାବେଳକୁ ଦିଭାଇଙ୍କର ନିଦ ଭାଙ୍ଗିଲା । ଗାଧୁଆ ଖିଆ ସରିଲା ।

 

ଆଜି ମେଲଣ । ଦିନ ତିନିଟାବେଳକୁ ଗୋଟିକ ପରେ ଗୋଟିଏ ଠାକୁର ଆସିବେ । ତେଣୁ ନାଟୁଆଙ୍କୁ ଖାଇସାରି ଦିନ ଗୋଟାଏବେଳକୁ ଆଉଥରେ ‘ଠିଆ’ ହେବାକୁ କୁହାଗଲା । ସେମାନେ ମଧ୍ୟ ସାମାନ୍ୟ ଆପତ୍ତି ପରେ ଠିଆହେଲେ । ଠିଆହେଲେ ସତ; କିନ୍ତୁ ଗୋଟିକ ପରେ ଗୋଟିକ ଠାକୁର ଆସିବାକୁ ଲାଗିଲେ ଓ ତା’ ସାଙ୍ଗେ ସାଙ୍ଗେ କୀର୍ତ୍ତନ । ତେଣୁ ‘ସମାଜ’ ଭଲ ଜମିଲାନାହିଁ । ନାଟ ବନ୍ଦ କରିଦିଆଗଲା ଘଣ୍ଟାଏ । ପରେ କ୍ରମେ କ୍ରମେ ଦଶ ବାର ଖଣ୍ଡ ବିମାନ ଆସି ପହଞ୍ଚିଲେ ଓ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଥିବା ବେଦିରେ ବସିଲେ । ସବୁ ଗାଁର କୀର୍ତ୍ତନିୟାଙ୍କର ଗୋଟାଏ ଛୋଟ ଧରଣର ବୈଠକୀ ହେଲା । ସେ ଝାଞ୍ଜ ବଜା ଓଡ଼ିଶୀ କୀର୍ତ୍ତନ, ସେ ଝାଞ୍ଜ ମୃଦଙ୍ଗ ବଜାଇବା ଲୋକମାନଙ୍କର ମୁହଁର ଭଙ୍ଗୀକୁ ସମସ୍ତେ ଅନାଇଥାନ୍ତି । ଏ ମଧ୍ୟ ଗୋଟାଏ ଦେଖିବାର କଥା । ଗାୟକ କାନ ପାଖରେ ହାତ ଦେଇ ଗୀତ ବୋଲିବା ପରେ ଅନ୍ୟମାନେ ସେହି ଗୀତକୁ ବୋଲନ୍ତି । ଏମିତି କିଛି ସମୟ କୀର୍ତ୍ତନ ହେବାପରେ ପ୍ରତ୍ୟେକ ଠାକୁରଙ୍କୁ ଭୋଗ ଦିଆଗଲା । ଅବିରବୋଳା ପରେ କୀର୍ତ୍ତନିୟାମାନଙ୍କୁ ସମ୍ବର୍ଦ୍ଧନା କରାଗଲା । ତା’ପରେ ଯେଝା ଯେଝା ବିମାନକୁ ନେଇ ସମସ୍ତେ ବାହୁଡ଼ିଲେ । ଗାଁ ଠାକୁର ମଦନମୋହନଙ୍କୁ ‘ମେଣ୍ଢା କୁଡ଼ିଆ’ ଚାରିପାଖରେ ସାତଥର ବୁଲେଇ ଅଣାଯାଇ ଝୁଲଣ ବେଦି ଉପରେ ବିମାନଟିକୁ ଝୁଲେଇ ଦିଆଗଲା । ଏହି ‘ମେଣ୍ଢା କୁଡ଼ିଆ’ ନେଇ ତାରା ମନରେ ସନ୍ଦେହ ଥିଲା । ସେ ଭାବିଥିଲା ଗୋଟାଏ ମେଣ୍ଢା କୁଡ଼ିଆ ଭିତରେ ପୂରାଇ ନିଆଁ ଲଗାଇ ଦିଆଯାଉଛି; କିନ୍ତୁ ସେଦିନ ସେ ସ୍ପଷ୍ଟ ଦେଖିଲା ସେ ଖାଲି ନଡ଼ା କୁଟାର ଗୋଟାଏ ଗଦାରେ ନିଆଁ ଲଗାଇ ଦିଆଯାଉଛି । ତାକୁଇ କୁହାଯାଉଛି ମେଣ୍ଢା କୁଡ଼ିଆ ।

 

ମେଳଣପାଇଁ ସେଦିନ ଠାକୁରାଣୀ ପଡ଼ିଆରେ ଛୋଟ ବଜାରଟିଏ ବସିଛି । ନାନାପ୍ରକାର ମିଠା ଜିନିଷଠାରୁ ଆରମ୍ଭକରି ଚଣା, ବରା ପ୍ରଭୃତି ବିକ୍ରି ହେଉଛି । ସେଦିନ ପ୍ରତ୍ୟେକ ପିଲା ତାଙ୍କ ବନ୍ଧୁବାନ୍ଧବଙ୍କଠାରୁ ଯାତ୍ରାଖର୍ଚ୍ଚ ପାଇଛନ୍ତି । ସେ ସବୁ ପଇସା ଏ ଦୋକାନରେ ଖର୍ଚ୍ଚ ହେଉଛି । ନୂଆ ଚାକର, କୋଠିଆ ସବୁ ଦୋଳ ପୁନେଇଁରୁ ରହନ୍ତି । ସେମାନେ ଦୋଳ ବକ୍ସିସ୍‌ ପାଆନ୍ତି । ପୁରୁଣା ଚାକର, କୋଠିଆମାନେ ମଧ୍ୟ ବକ୍ସିସ୍ ପାଆନ୍ତି । ଏହିପରି ସେଦିନ ସମସ୍ତଙ୍କ ହାତରେ ଖର୍ଚ୍ଚ କରିବାପାଇଁ ପଇସା ଜୁଟେ ।

 

ଆସ୍ତେ ଆସ୍ତେ ଦିନର ଗହଳ କମିଆସୁଛି । ଦୋକାନମାନଙ୍କରେ ଯାହା ଲଣ୍ଠନ ଗୋଟିଏ ଗୋଟିଏ ଜଳୁଛି । ନାଟୁଆ ବିଦାହୋଇଗଲେଣି; ତାଙ୍କର ଅନ୍ୟ ଗାଁରେ ବଇନା ଅଛି । ଡେ-ଲାଇଟ୍‍ବାଲା ତା’ ଲାଇଟ୍ ନେଇଗଲାଣି । କାଲିପରି ଆଉ ଠାକୁରାଣୀ ପଡ଼ିଆ ଆଲୁଅରେ ଝଲସି ଉଠୁନାହିଁ । ସମସ୍ତଙ୍କ ମନରେ କେମିତି ଗୋଟାଏ ଅବସାଦ । ତା’ପରେ ଗତ ରାତିର ଅନିଦ୍ରା ଓ ଆଜି ଦିନଯାକର ଧଉଡ଼ା ଧାପଡ଼ା ଡିଆଁଡେଇଁରେ ସମସ୍ତେ କ୍ଳାନ୍ତ । କିପରି ଶୋଇବେ । ଅବଧାନେ ଆସି ପହଞ୍ଚିଗଲେଣି । ସେ ମଦନମୋହନଙ୍କ ପାଖରେ ଆଜି ନୂଆ ପାଞ୍ଜି ପଢ଼ିବେ । ଆସନ୍ତା ବର୍ଷର ଶୁଭାଶୁଭ, ବର୍ଷା ପାଳକ, ଆୟ ବ୍ୟୟ, ବିବାହବ୍ରତ ପ୍ରଭୃତିର ଗୋଟାଏ ମୋଟାମୋଟି ବିବରଣୀ ସେ ଆଜି ଗ୍ରାମବାସୀଙ୍କ ଆଗରେ ପଢ଼ିବେ । ଏଥିରେ ପିଲାଙ୍କର କିଛି ନଥାଏ; ଗାଁର ବଡ଼ବଡ଼ିଆ ମଦନମୋହନ ଝୁଲଣ ମଣ୍ଡପର ଚାରିପାଖରେ ଘେରି ବସନ୍ତି । ଅବଧାନେ ପାଞ୍ଜିପଢ଼ା ଆରମ୍ଭ କରନ୍ତି । ଶେଷରେ ପ୍ରତ୍ୟେକେ ଅବଧାନଙ୍କୁ କିଛି କିଛି ବିଦାକି ଦେଇ ବିଦାୟ ନିଅନ୍ତି । ରାତିଯାକ ଠାକୁରେ ଝୁଲଣ ମଣ୍ଡପରେ ରହନ୍ତି । କେତେ ଉତ୍ସାହୀ ପିଲା ଠାକୁରଙ୍କୁ ଜଗି ସେହି ମଣ୍ଡପରେ ରାତିରେ ଶୁଅନ୍ତି । ଜହ୍ନ ଜହ୍ନିଫୁଲ ପରି ତୋରା ହୋଇ ପଡ଼ିଥାଏ । ଡର ଟିକିଏ ଟିକିଏ ମାଡ଼ୁଥିଲେ ମଧ୍ୟ ଦଶବାର ଜଣ ପିଲା ଏକାଠି ହୋ–ହା କରି ମଜା କରି ରାତିଟା କଟେଇ ଦିଅନ୍ତି । ପରଦିନ ସକାଳ ହେଲେ ‘ହୋରି’ ।

 

ଗତ ରାତ୍ରି-ଅନିଦ୍ରା, ଆଜି ଦିନର ଧାଁ-ଧପଡ଼ରେ କ୍ଳାନ୍ତହୋଇ ସଞ୍ଜବେଳକୁ ଗୋରା, ତାରା ଶୋଇ ପଡ଼ିଛନ୍ତି । ଯାତ୍ରା ଖର୍ଚ୍ଚ ପଇସା ଦେଇ ଠାକୁରାଣୀ ପଡ଼ିଆ ଦୋକାନରୁ ଦିନ ତମାମ କିଛି ନା କିଛି କିଣାଯାଇ ଖିଆହୋଇଛି । ତେଣୁ ଖାଇବାର ଦରକାର ନଥିଲା; ତଥାପି ମା’ କ’ଣ ଆଣି ସେହି ବିଛଣା ଉପରେ ଦୁହିଁଙ୍କୁ ଉଠାଇ ଖୁଆଇ ଦେଲେ, ତାହା କାହାରି ମନେ ନାହିଁ । ଆଖି ମଧ୍ୟ ଖୋଲିନାହିଁ ଦୁହଁଙ୍କର । ମା’ ସେହି ଖଟ ଉପରେ ମୁହଁ ପୋଛିଦେଲେ । ପାଣି ପିଏଇଦେଲେ । ‘‘ରାତିଟାପାଇଁ ପୃଥ୍ଵୀ ଶାନ୍ତି ପାଇଲା’’ ବୋଲି କହିଗଲେ ।

 

ଅତି ସକାଳୁ ଦୁହିଁଙ୍କର ନିଦ ଭାଙ୍ଗିଛି । ଗୋରା କଟକରୁ କେତେ ଜାତିର ରଙ୍ଗ ଆଣିଛି । ଅବିର ମଧ୍ୟ କେତେ ରଙ୍ଗର । ଦୁହେଁ ନିଦରୁ ଉଠି ଦାନ୍ତ ନ ଘଷି ରଙ୍ଗ କାରବାର ଆରମ୍ଭ କରିଦେଇଛନ୍ତି । ରଙ୍ଗ ଠିକ୍ ହେଲାକି ନାହିଁ । ନିଜ ପ୍ୟାଣ୍ଟରେ ନହେଲେ ମା’ଙ୍କ ଶାଢ଼ିରେ ପରଖ କରି ନିଆଯାଉଛି । ରଙ୍ଗ ପାଣି ପ୍ରସ୍ତୁତ । ପିଚକାରି ମଧ୍ୟ ଦୁଇଟା ପ୍ରସ୍ତୁତ । ଖାଲି କେତେବେଳେ ଠାକୁର ଆସିବେ ରଙ୍ଗ ଖେଳିବାକୁ । ତା’ ପୂର୍ବରୁ ଦାନ୍ତ ଘଷେଇ ମା’ ଦୁହଁଙ୍କୁ ଭଲକରି ଗୋଟାଏ ଜଳପାନ ଚକଟା-ଚକଟା କରି ଖୁଆଇଦେଲେ । କାଲି ରାତିରେ ଭଲ ଖାଇବା ହୋଇ ନଥିଲା । ଆଜି ପୁଣି ହୋରି ସାରି ଗାଧୋଇ ଖାଉ ଖାଉ କେତେ ଡେରି ହୋଇଯିବ ।

 

ସବୁ ପ୍ରସ୍ତୁତ । ଠାକୁରେ କାହାନ୍ତି ? ଗାଁର ଅନ୍ୟ ସାଙ୍ଗମାନେ ମଧ୍ୟ ସେମାନଙ୍କର ରଙ୍ଗ ପରଖ କରିବାକୁ ଥରେଅଧେ ଆସି ବୁଲିଗଲେଣି । ନଚେତ୍ ଦୁଇ ଭାଇ ଇଏ ତା’ ଉପରେ ତ ସିଏ ୟା ଉପରେ ରଙ୍ଗପାଣି ପକାପକି କରୁଛନ୍ତି । ସାନ ଭଉଣୀ ମିରା ମଧ୍ୟ ବାଦ ପଡ଼ୁନାହିଁ । ଏତିକିବେଳେ ଠାକୁରାଣୀ ପଡ଼ିଆରେ ଘଣ୍ଟ, ମୃଦଙ୍ଗ, ଢୋଲ ବାଜିଉଠିଲା । ‘ହେଇ ଠାକୁର ବାହାରିଲେ’ ବୋଲି ପାଟିଟାଏ ହେଲା । ସେଦିନ ଠାକୁର ଆସନ୍ତି ଦୀନୁବାବୁଙ୍କ ଘରକୁ । ଏଇଟା ପୂର୍ବ ଚଳଣି । ଯେତେବେଳେ ଜମିଦାରୀ ମକଦମି ଥିଲା, ସେତେବେଳେ ଏହି ପଦ୍ଧତି ଥିଲା । ଠାକୁର ପ୍ରଥମେ ବାହାରି ମକଦମଙ୍କ ଘରେ ଭୋଗ ଖାଇବେ, ଆଉ ଶେଷରେ ତାଙ୍କର ଘରେ ଭୋଗ ଖାଇ ଯମୁନା ଗାଧୋଇବାକୁ ଯିବେ । ସେହି ଅନୁସାରେ ଠାକୁରେ ଆସି ଗୋରାଙ୍କ ଘରେ ପହଞ୍ଚିଲେ । ଠାକୁରଙ୍କ ସାଙ୍ଗରେ ସେଦିନ ବହୁଲୋକ । ଯାହା ଦାଣ୍ଡ ଦେଇ ଯାଉଛନ୍ତି, ସେ ଅବିର ରଙ୍ଗ ପିଚକାରି ପକଉଛି ସେମାନଙ୍କ ଉପରକୁ । ପିଲା, ବଡ଼, ଭେଣ୍ଡିଆ ସମସ୍ତଙ୍କ ହାତରେ ରଙ୍ଗ ପିଚକାରି । ଅବିର ଧରି ଗୋଡ଼ିଆ ଗୋଡ଼ି ଧସ୍ତାଧସ୍ତି ଲାଗିଯାଉଛି କେତେକଙ୍କ ଭିତରେ । ଗୋରା ତା’ ସାଙ୍ଗମାନଙ୍କ ଉପରକୁ ରଙ୍ଗପାଣି ପକାଇଲା । ତାରାର ସେପରି କେହି ସାଙ୍ଗ ନାହାନ୍ତି । ତଥାପି ସେ ଭାଇ ପଛେ ପଛେ ଅଛି । ସବୁବେଳେ ତା’ର ମନ ତା’ ଉପରକୁ କିଏ ରଙ୍ଗପାଣି ପକଉ । ତା’ ମୁହଁରେ କିଏ ଅବିର ବୋଳିଦେଉ । କେହି ତା’ ମୁହଁରେ ନ ବୋଳିଦେଲେ ସେ ନିଜ ହାତରେ ଧରିଥିବା ଅବିରକୁ ୟାଡ଼କୁ ସିଆଡ଼କୁ ଅନାଇ ନିଜ ମୁହଁରେ ବୋଳି ଦେଉଛି । ଏହିପରି ଆନନ୍ଦ-କୋଳାହଳ ଭିତରେ ଠାକୁରଙ୍କ ଭୋଗଖିଆ ସରିଲା । ଭୋଗ ସମସ୍ତଙ୍କ ଭିତରେ ବାଣ୍ଟି ଦିଆଗଲା । ଠାକୁରେ ଯମୁନା ଗାଧୋଇବାକୁ ଗଲେ । ସମସ୍ତେ ମଧ୍ୟ ଗାଁ ପାଖ ମହାନଦୀକୁ ଠାକୁରଙ୍କ ସଙ୍ଗେ ଗାଧୋଇବାକୁ ଗଲେ ।

 

ଗାଧୋଇ ଆସି ଯିଏ ଯାହା ଘରକୁ ଗଲେ । ଗୋରା ତାରା ମଧ୍ୟ ଜେଜେଙ୍କ ସାଙ୍ଗରେ ଗାଧୋଇ କରି ଫେରିଲେ । ବେକରୁ କାନ ପାଖରୁ ତେବେ ସୁଦ୍ଧା ରଙ୍ଗ ଛାଡ଼ି ନଥାଏ । ଦୁହେଁ ଖାଇସାରି ଜେଜେଙ୍କ ପାଖରେ ଶୋଇଲେ । ଏ ଦୁହେଁ ହୋରିଖେଳରେ ଖୁବ୍ ଏପାଖ ସେପାଖ ଦୌଡ଼ାଦୌଡ଼ି ହୋଇଥିଲେ । ରଙ୍ଗ ଖେଳିସାରି ଗାଧୋଇ ଖାଉ ଖାଉ ଡେରି ହେବ ଜାଣି ବୋଉ ଦୁଇଭାଇଙ୍କ ପାଟିରେ ଦୁଇଟା କରି କାକରା ଗୁଞ୍ଜିଦେଇଥିଲେ । ସେ ଦୁହିଁଙ୍କୁ ଖାଇବାକୁ ମୋଟେ ତର ନଥିଲା; କିନ୍ତୁ ବୋଉ ଜବରଦସ୍ତି ଖୋଇଦେଇଥିଲେ ବୋଲି, ନଚେତ୍ ଆହୁରି ହାଲିଆ ହୋଇପଡ଼ିଥାନ୍ତେ ।

 

ଶୋଇକରି ଉଠୁ ଉଠୁ ଅନେକ ଡେରି ହୋଇଗଲା । ରଙ୍ଗଖେଳ ସକାଶେ ନାଟ, ନାଟଗୀତ, ନାଟର ରାଜାରାଣୀ, ଦୁଆରୀ ଇତ୍ୟାଦି ବିଷୟ ଆଲୋଚନା ହୋଇପାରି ନଥିଲା; କିନ୍ତୁ ଆଜି ଶୂନଶାନ୍ । ଠାକୁରାଣୀ ପଡ଼ିଆବି ଖାଲି, ଗାଁ ଦାଣ୍ଡରେ ମଧ୍ୟ କେହି ନାହାନ୍ତି । ଦୁଇଭାଇ ଯାଇ ଥରେ ଚାରିଆଡ଼ ବୁଲିଆସିଲେଣି ।

 

ଠାକୁରାଣୀ ପଡ଼ିଆରୁ ଫେରିଲାବେଳକୁ ଦାଣ୍ଡରେ ଦେଖିଲେ ଯେ କୋଠିଆ ନିଧିଆ ତାଟ ତିଆରି କରିବ ବୋଲି ବତା ତାଞ୍ଛୁଛି । ଦୁହେଁ ତାକୁ କହି ଦିଖଣ୍ଡ ବତା ନେଲେ । ନିଧିଆ ଛୋଟବାବୁମାନଙ୍କ ହାତ କଟିଯିବ ବୋଲି ବତା ବାଡ଼ି ଦୁଇଖଣ୍ଡକୁ ତାଞ୍ଛି ବେଶ୍ ସୁନ୍ଦର କରିଦେଇଛି-

 

ଦୁଇଭାଇ ତାକୁ ଧରି ଆସି ଘରେ ପଶିଲେ । ଜେଜେମା’ ଦୁହିଁଙ୍କ ହାତରେ ଦୁଇ ଖଣ୍ଡ ବାଡ଼ି ଦେଖି ପ୍ରମାଦ ଗଣିଲେଣି । କୁକୁରଛୁଆଠାରୁ ଆରମ୍ଭକରି କେତେବେଳେ ଯେ ହାଣ୍ଡି-ମାଠିଆମାନଙ୍କ ଉପରେ ପାହାର ବସି ନ ଯିବ, କିଏ କହିବ ।

 

ଦୀନୁବାବୁଙ୍କ ଅଗଣା ଖୁବ୍ ପ୍ରଶସ୍ତ । ଦୁଇଭାଇ ଆସି ପହଞ୍ଚିଗଲେ ଦୁଆରେ । ସାନ ଭଉଣୀ ମିରା ପିଣ୍ଡାରେ ବସିଥିଲା । ଦୁହେଁ ତା’ ମୁଣ୍ଡରେ ଆସ୍ତେ ଆସ୍ତେ ବାଡ଼ିଟିମାନ ଠୁକେଇ ଦେଇ ଅଗଣାକୁ ଡେଇଁପଡ଼ିଲେ । ମିରା ଟିକିଏ କାନ୍ଦି ଉଠି ଚୁପ୍ ହୋଇଗଲା । ଦୁଆରେ ଚାଲିଲା ନାଟ । ଗତ ରାତିର ସୁଆଙ୍ଗ ଗୀତରୁ ପଦେପଦେ ଗାଇ ଦୁଇଭାଇଙ୍କ ଭିତରେ ସେହି ବାଡ଼ିକୁ ଖଣ୍ଡାପରି ବ୍ୟବହାର କରି ଯୁଦ୍ଧ ଲାଗିଲା । “ରହ ରହରେ ପାଜି, ଆଜି ପଠାଇବି ଯମପୁରରେ” ପାଟିରେ ଚାରିଆଡ଼ କମ୍ପିଗଲା । ଯୁଦ୍ଧ ପ୍ରବଳ ହେଲା । ଇତ୍ୟବସରେ ନୁଆଁଣିଆ ଢିଙ୍କି ଚାଳ ଉପରେ ପୋଇ ଲଟାର ଷଣ୍ଢା ସବୁ ମୁଣ୍ଡ ଟେକିଥିଲା । ଦୁହିଁଙ୍କର ନଜର ତା’ ଉପରେ ପଡ଼ିଯିବାରୁ ଯୁଦ୍ଧକ୍ଷେତ୍ରରେ ସୈନ୍ୟଙ୍କ ମୁଣ୍ଡ କାଟିଲା ପରି କଅଁଳିଆ ଡେମ୍ଫଗୁଡ଼ାକ ଉପରେ ଖଣ୍ଡା ଚାଲିଲା । ଅନଉଁ ଅନଉଁ ଶହ ଶହ ମୁଣ୍ଡ ଛିଣ୍ଡି ଭୂପତିତ ହେଲା । ଏତିକିବେଳେ ଜେଜେମା’ଙ୍କ ଆଖି ପଡ଼ିଯିବାରୁ ସେ ଆସି ଦୁହିଁଙ୍କୁ ଧରିପକାଇ ତାଙ୍କୁ ନିରସ୍ତ୍ର କଲେ । ଶତ୍ରୁକ୍ଷୟ ପରେ ଦୁଇଭାଇ ସମର ଉପେକ୍ଷି ଦଣ୍ଡାୟମାନ ହେଲେ-। ପୋଇ ଗଛର ଏ ଅବସ୍ଥା ଦେଖି ବୋଉ ଭୟାନକ ରାଗିଲେ; କିନ୍ତୁ ମା’ଙ୍କ ଭୟରେ କିଛି କହିପାରିଲେ ନାହିଁ । ଦୁହେଁ ମା’ଙ୍କର ବାହୁଛାୟା ତଳେ ଖାଇବାକୁ ଗଲେ ।

 

ନଅ

 

ଗୋରାର ଛୁଟି ପରେ ସ୍କୁଲ୍‍ ଖୋଲିବାକୁ ଆଉ ଚାରିଦିନ ଥାଏ; କିନ୍ତୁ ଆଉ ଦିଦିନ ପରେ କଚେରି ଖୋଲୁଥିବାରୁ ଦୀନୁବାବୁଙ୍କ ସଙ୍ଗେ ଗୋରାର ମଧ୍ୟ କଟକ ଚାଲିଯିବାର କଥା । ଗାଡ଼ି ଯିବ, ବାପାଙ୍କ ସାଙ୍ଗରେ ସେହି ଏକା ଗାଡ଼ିରେ ଚାଲିଯିବାକୁ ଦୀନୁବାବୁଙ୍କ ବରାଦ; କିନ୍ତୁ ଗୋରାର ଯୋଗାଡ଼ରେ ମା’ ଆସି କହିଲେ, “ଦୀନୁ, ଗୋରା ଥାଉ । ବୁଧବାର ସକାଳୁ ପୁନା ତାକୁ ନେଇ ଛାଡ଼ିଦେଇ ଆସିବ । ତା’ର ତ ଛୁଟି ଅଛି । ଏତେ ଦିନକେ ଆସିଛି, ଥାଉ ।”

 

ଦୀନୁବାବୁ କହିଲେ, “ତୁ ଖାଲି ପିଲାଙ୍କ ମୁହଁ ବଢ଼ାଇ ଦେଉଛୁ । ମୁଁ କ’ଣ ଦେଖୁନାହିଁ କଟକରୁ ଆସିଲା ଦିନୁ ଗୋରା କିପରି ଉତ୍ପାତ କରୁଛି । ତା’ ସାଙ୍ଗରେ ତାରା ମଧ୍ୟ ଯୋଡ଼ି । ଦୁହେଁ ପୃଥିବୀକୁ ଦି’ ଭାଗ କରୁଛନ୍ତି । ନାହିଁ, ସେ ରହିବନାହିଁ, ମୋ ସାଙ୍ଗରେ ଯିବ ।”

 

ଏତିକିବେଳେ ଗୋରା ବୋଉ ମଧ୍ୟ କି କାମରେ ଘର ଭିତରକୁ ପଶିଆସିଲେ । ସେ ଓ ମା’ ଦୁହିଁଙ୍କ ତଦବିରରେ ଗୋରାର ଗାଁରେ ରହିବାର ମଞ୍ଜୁରି ମିଳିଲା । ଗୋରା ଘର ବାହାରେ ନିଷ୍ପତ୍ତି ଶୁଣିବାକୁ କାନେଇ କରି ଥିଲା । ରହିବା କଥା ଶୁଣି ସେ ଏକାଦୌଡ଼କେ ଯାଇଁ ଭିତର ଖଞ୍ଜାରେ । ମା’ଙ୍କର ହସ ଦେଖେ କିଏ ।

 

ଦୀନୁବାବୁ ଚାଲିଗଲେ । ଗୋରାକୁ ଗାଁରେ ଆଉ ଦୁଇଦିନ ରହିବାର ହୁକୁମ ଥିଲା । ତୃତୀୟ ଦିନ ସକାଳୁ କୋଠିଆ ପୁନା ଅତି ସକାଳୁ ଆସି ହାଜର ହେଲା । ପୂର୍ବଦିନ ରାତିରୁ ପୁଅକୁ ନେଇ କଟକ ଯିବ ବୋଲି ମା’ ତାକୁ କହିଥିଲେ । ଗୋରା ମନ ଭାରି ଖରାପ । ସକାଳୁ ଉଠି ମୁହଁ ଧୋଇ କ’ଣ ଦି’ଟା ଖାଇଦେଇ ବାହାରିପଡ଼ିଲା । ମୁହଁ କାନ୍ଦ କାନ୍ଦ । ମା’ଙ୍କ ଆଖିରେ ମଧ୍ୟ ଲୁହ । ତେବେ ଖରାଛୁଟି ଆଉ ଅଳ୍ପଦିନ ରହିଲା ବୋଲି ବୁଝାଇ ମା’ ବିଦାକଲେ । ଜେଜେ କୋଠିଆ ପୁନା ସାଙ୍ଗରେ ତାରାକୁ ସାଙ୍ଗରେ ଧରି ନଈବନ୍ଧଯାଏଁ ଆସିଲେ । ପୁନାକୁ ବାରବାର ତାଗିଦ କରାଗଲା, ପୁଅକୁ ଚଲେଇବ ନାହିଁ ବୋଲି । ଖୁବ୍ ଜଲଦି ଜଲଦି ଗୋଡ଼ ପକାଇ ଖରା ଟାଣ ହେବା ପୂର୍ବରୁ କଟକରେ ଗୋରାକୁ ପହଞ୍ଚେଇବାକୁ ହେବ । ଗୋରାର ସେହିଦିନ ସ୍କୁଲ୍‍ ଖୋଲିବ ।

 

ଜେଜେ ଅନାଇଥିବା ପର୍ଯ୍ୟନ୍ତ ପୁନା ଗୋରାକୁ କାନ୍ଧେଇ ଚାଲିଥାଏ । ଯେମିତି ବାଙ୍କ ମୋଡ଼ିଲା ଓ ଜେଜେ ଗାଁ ଭିତରକୁ ଗଡ଼ିବାର ଦେଖିଲା, ସେମିତି ଛୋଟବାବୁଙ୍କୁ କାନ୍ଧରୁ ଓହ୍ଲାଇଦେଲା । ଛୋଟବାବୁ ମଧ୍ୟ କାନ୍ଧରେ ରହିବାକୁ ନାରାଜ । ତାଙ୍କ ଗୋଡ଼ ଖଜବଜ ହେଲାଣି ସେତେବେଳକୁ । ସେ ଆଗରେ ଦୌଡ଼ିବାକୁ ଆରମ୍ଭକଲେ । ପୁନାନନ୍ଦ ଆଉ ତାଙ୍କ ସଙ୍ଗେ ଦୌଡ଼ିବାକୁ ସାହସ କଲେନାହିଁ । ପାଟିକରି କହିଲେ, “ଛୋଟବାବୁ ! ରାସ୍ତା ପାଖ ଡାହାଣ କଡ଼ ହୁଙ୍କାରେ ବଡ଼ବଡ଼ ସାପ ଅଛନ୍ତି । ହୁସିଆର, ସେଇଠି ଠିଆହୁଅ । ମୁଁ ଯାଉଛି ।” ଡାକ ଶୁଣି ଛୋଟବାବୁ ଅଟକିଲେ । ପୁନାନନ୍ଦ ଆସି ତାଙ୍କୁ ଧରିଲେ । ଏଥର ଆଉ ଗୋରା ଆଗେଇ ଗଲାନାହିଁ । ପୁନାର ହାତଧରି ଡରଡ଼ରରେ ସେ ହୁଙ୍କା ପାରି ହେଲା । ଏତିକିବେଳେ ଗୋଟାଏ ଶଙ୍ଖଚିଲ ନଈ ଆଡ଼ୁ ଉଡ଼ିଆସିଲା । ପୁନା କହିଲା, “ଛୋଟବାବୁ ! ଶଙ୍ଖଚିଲ ମୁହଁ ଦେଖ, ତମର ଭାରି ଶୁଭ ହେବ କଟକରେ ।” ଏଣିକି ଗୋରା ଆଉ ନ ଦଉଡ଼ି ଖାଲି ଚଢ଼େଇ, ଜୀବଜନ୍ତୁ, ସାପ କେଉଁଠି ଥାନ୍ତି, କୁଆଡ଼େ ଯାନ୍ତି, ସେ ସବୁ ଜାଣିବାକୁ ଚାହିଁଲା ।

Unknown

 

ପୁନାକୁ ସୁବିଧା ମିଳିଲା । ଛୋଟବାବୁ ଦୌଡ଼ିବେ ନାହିଁ କି କାନ୍ଧରେ ବସିବେ ନାହିଁ । ତାଙ୍କୁ ଗପ ଶୁଣେଇ ଶୁଣେଇ ସେ କଟକରେ ପହଞ୍ଚେଇ ଦେବ । ନଈଆଡ଼ୁ ପଞ୍ଝାଏ ପାଣିକୁଆ ଉଡ଼ିଆସିଲେ । ସେମାନେ କେମିତି ପାଣିରେ ବୁଡ଼ି ମାଛ ଖାଆନ୍ତି, ପୁନା ସେ କଥା ଛୋଟବାବୁଙ୍କୁ କହିଲା । ପୁଣି କିଛି ବାଟରେ ଗୋଟାଏ ଭଦଭଦଳିଆ ଚଢ଼େଇ ଉଡ଼ିଯାଇ ପାଖର ଥୁଣ୍ଟା ବରଗଛ ଉପରେ ବସିଲା । ପୁନା ଗୋରାକୁ ଭଦଭଦଳିଆ ଚଢ଼େଇ ଦେଖିବା ମଧ୍ୟ କିପରି ଶୁଭ, ସେ କଥା କହିଲା । ଗପ ହେଉଥାଏ, ଦୁହେଁ ଆଗେଇ ଚାଲିଥାନ୍ତି । ନଈବନ୍ଧ ସରି ନାଲି ସଡ଼କକୁ ଗଡ଼ିବା ପୂର୍ବରୁ ଗୋଟାଏ ବଣ ପଡ଼େ । ସେ ବଣରେ କୁଆଡ଼େ ଏବେବି ଦି’ଚାରିଟା ବାଘ ଅଛନ୍ତି । ହେଟା ତ ଅସୁମାରି । ସନ୍ଧ୍ୟାବେଳେ ବା ଭଦଭଦଳିଆ ଦିପହରେ ଏକୁଟିଆ ମଣିଷକୁ ଦେଖିଲେ ସେମାନେ ଟିକିଏ ମାଡ଼ିଆସନ୍ତି ବୋଲି ପୁନା କହିଲା; ସାପ ତ ସେ ଜଙ୍ଗଲରେ କେତେ ଅଛନ୍ତି ତା’ର ସୀମା ନାହିଁ । ସନ୍ଧ୍ୟାବେଳେ ସୁଲୁସୁଲିଆ ଦକ୍ଷିଣାପବନ ହେଲେ ସେମାନେ ଆସି ବନ୍ଧ ଉପରେ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଶୋଇଯାନ୍ତି । ଏ ସବୁ ଶୁଣି ଗୋରା ଆଉ ଆଗକୁ ଚାଲିଲା ନାହିଁ । ପୁନା ଦେଖିଲା ମହାବିପଦ । ଛୋଟବାବୁ ଦଉଡ଼ିବେ ନାହିଁ ବୋଲି ସେ ସିନା ଏତେ ଗପ କହିଥିଲା । ବର୍ତ୍ତମାନ ବିପରୀତ ଫଳ ହେଲାଣି । ଗୋରା ହାତ ଟେକି ପୁନା ଆଗରେ ଛିଡ଼ାହେଲା, ପୁନା ଉପାୟାନ୍ତର ନ ଦେଖି ଗୋରାବାବୁଙ୍କୁ କାନ୍ଧ ଉପରକୁ ଉଠାଇଲା । ବୁଝାଇଦେଲା ଯେ ସକାଳବେଳା ବାଘ, ହେଟା ବା ସାପର କିଛି ଭୟ ନାହିଁ । ଲୋକ ଯିବାଆସିବା ବରାବର ଲାଗିଛି ।

 

ବନ୍ଧର ଦୁଇ ପାଖରେ ପଳାଶ ଆଉ ଶିମିଳି ଗଛରେ ନାଲି ଫୁଲ ଦେଖି ଗୋରା ଭାରି ଖୁସି ହେଲା । ପୁନା ବୁଝେଇଦେଲା, “ପଳାଶ ଫୁଲଗୁଡ଼ାକ କିଛି ନୁହେଁ । ଖାଲି ଦେଖିବାକୁ ଯାହା ନାଲି ଟହଟହ, ହେଲେ ସେଥିରେ ଟିକିଏ ବାସନା ନାହିଁ । ଶିମିଳି ଫୁଲବି ସେମିତି ନାଲି ଟହଟହ, ସେଥିରେବି ବାସନା ନାହିଁ; କିନ୍ତୁ ସେଥିରେ ଅଳ୍ପଦିନେ ପୋଟଳ ପରି ଭଣ୍ଡାମାନ ହେବ ଓ ସେଥିରେ ତୁଳା ହେବ । ଖରାରେ ସେ ଭଣ୍ଡା ଫାଟିଯିବ ଆଉ ତୂଳା ଚାରିଆଡ଼ ଉଡ଼ି ଧଳା କରିଦେବ ।” ଗୋରା ତାଙ୍କ ଗାଁ ପାଖରେ ଏ ଦୁଇଟା ଗଛ କେବେ ଦେଖି ନଥିଲା । ଏ ଗଛ ଓ ତା’ର ଫୁଲ ଓ ଫଳ ବିଷୟରେ ପୁନାର ଟିପ୍ପଣୀ ତା’ ମନକୁ ଭାରି ପାଇଲା । ସେ କିଛି ନ କହି ପୁନା କାନ୍ଧ ଉପରେ ବସି ବିଷୟଟାକୁ ଭଲକରି ଭାବିନେଲା ।

 

ଦୁହେଁ ବନ୍ଧ ଛାଡ଼ି ନାଲି ରାସ୍ତାକୁ ଗଡ଼ିଲେ । ଆଜିକାଲି ସେ ରାସ୍ତା ପିଚୁ ହୋଇଗଲାଣି ଓ ସେଥିରେ ଦିନରାତି ଟ୍ରକ୍, ମଟର, ରିକ୍ସା, ସାଇକେଲ ଧାଉଁଛି । ସେତେବେଳେ କିନ୍ତୁ ରାସ୍ତା ବଡ଼ ନିଛାଟିଆ । କେବଳ କେତେବେଳେ କେମିତି ପଞ୍ଝାଏ ଲୋକ ସାଙ୍ଗ ହୋଇ ଗପ କରି କରି ଚାଲିଥାଆନ୍ତି । ବଳଦ ଗାଡ଼ି ଏକାସାଙ୍ଗରେ ଦଶବାରଟା ମଫସଲରୁ କଟକରୁ ବା କଟକ ମାଲଗୋଦାମରୁ ମାଲ ଲଦି ମଫସଲ ଯାନ୍ତି । କାରଣ ବାଟରେ କେତେ ଜାଗାରେ ଚୋର, ଖଣ୍ଟ, ହାବୁଡ଼ିଯାଇ ଏକୁଟିଆ ମାଲ ନେଇଯାଉଥିବା ଗାଡ଼ିରୁ ମାଲ ନେଇଯାଆନ୍ତି । ସେଥିପାଇଁ ସବୁ ଗାଡ଼ି ଦଳ ବାନ୍ଧି ଏକାଠି ଯାଆନ୍ତି । ରାତିରେ ଦଳ ବାନ୍ଧି ଏକାଠି ଯାଉଥିବା ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଥିବାର ଖବର ମିଳେ । ତେବେ ଦଳବାନ୍ଧି ଯାଉଥିବା ଗାଡ଼ି ଉପରେ ପ୍ରାୟ ଆକ୍ରମଣ ହୁଏ ନାହିଁ ।

 

ପୁନା ମଧ୍ୟ ଏ ଗାଡ଼ି ଓ ଖଣ୍ଟଙ୍କ ବିଷୟରେ ଯେତେ ଖବର, ସବୁ ଛୋଟବାବୁଙ୍କ ଆଗରେ କହିଚାଲିଥାଏ । କିପରି ଜଣେ ନୂଆ ଆମ ଦେଶୀ ପୋଲିସ୍‍ ସାହେବ ମିଛରେ ମିଛରେ ଗାଡ଼ି ନେଇ ଆସିଲା । ଗାଡ଼ି ଏକୁଟିଆ ଚାଲିଥାଏ, ସନ୍ଧ୍ୟା ସମୟ, ପୁନାଙ୍ଗ ବଣ ଭିତରୁ ହଠାତ୍ ପୁରୁଷେ ଉଚ୍ଚ ଠେଙ୍ଗା ଧରି ୫ । ୬ ଜଣ ପଞ୍ଚହତା ମରଦ ଆସି ଗାଡ଼ି ଆଗରେ ବାଟ ଓଗାଳି ଠିଆହୋଇଗଲେ । ଗାଡ଼ିବାଲା ଭାରି ସାହସକରି କହିଲା, “ଖବରଦାର ! ଭଲ ଗତି ଅଛି ଯଦି ଏ ଗାଡ଼ିରେ ହାତ ଦିଅନାହିଁ । ସରକାରଙ୍କ ବନ୍ଦୋବସ୍ତ କାଗଜ ଏଥିରେ ଯାଉଛି, ଏଥିରେ ହାତ ଦେଲେ ତୁମକୁ ଆଉ ରକ୍ଷା ନାହିଁ ।” କିନ୍ତୁ ଏ କଥା ଶୁଣୁଛି କିଏ ? ହଠାତ୍ ଗୋଟାଏ ପାହାର ତା’ ମୁଣ୍ଡରେ ପଡ଼ିବା ପୂର୍ବରୁ ସେ ଭାଗ୍ୟକୁ ମୁଣ୍ଡ ଘୁଞ୍ଚାଇଦେଲା, ନଚେତ୍‌ ମୁଣ୍ଡ ଛତୁ ହୋଇଯାଇଥାନ୍ତା । ବାସ୍ । ଏହି ପର୍ଯ୍ୟନ୍ତ । କୁଆଡ଼େ ଖିଦ୍‌ଖାଦ୍ ହୋଇ ଅନ୍ଧାରରୁ ୧୫ ଜଣ ଲୋକ ବାହାରି ପଡ଼ିଲେ । ‘ସିଟି’ ବାଜି ଉଠିଲା । ଗାଡ଼ିକୁ ଘେରିଥିବା ସେ ପାଞ୍ଚ ଛଅ ଜଣ ଲୋକ ତାଙ୍କ ଠେଙ୍ଗା ଉଠେଇଲା ପୂର୍ବରୁ ଜଣକୁ ଦୁଇ ତିନି ଜଣ ଲୋକ ଧରି କାବୁ କରିଦେଲେ । ଟିକିଏ ଧସ୍ତାଧସ୍ତି ହେଲା; କିନ୍ତୁ ଅଳ୍ପ ସମୟ ମଧ୍ୟରେ ସେମାନଙ୍କ ଗୋଡ଼ରେ ହାତରେ ହାତକଡ଼ି ଦେଇ ନିଜେ ପୁଲିସ ସାହେବ ସେମାନଙ୍କୁ ଥାନାକୁ ନେଇଗଲେ । ଏମିତି ଥରେଅଧେ ନୁହେଁ, ମାସକ ମଧ୍ୟରେ ଚାରି ପାଞ୍ଚ ଥର ଘେରାଉ କରି ସବୁଯାକ ଖଣ୍ଟଙ୍କୁ କାବୁ କରିନେଲେ । ସରକାର ଘରେ ଦେଶୀ ପୁଲିସ ସାହେବଙ୍କ ଖୁବ୍ ନାମ ହେଲା । ଲୋକେବି ଖଣ୍ଟଙ୍କ ଦାଉରୁ ମୁକ୍ତିପାଇ ତାଙ୍କୁ ଧନ୍ୟ ଧନ୍ୟ କହିଲେ । ଏତିକିବେଳେ ସେଇ ପୁନାଙ୍ଗ ବଣ ଦେଇ ଦୁହେଁ ଯାଉଥାନ୍ତି । ଆଗରେ ପଛରେ ଲୋକ ବା ଗାଡ଼ି କେହି ଦେଖାଯାଉ ନଥାନ୍ତି ।

 

ଗୋରାକୁ ଏ ସବୁ କଥା ଶୁଣି ଟିକିଏ ଡର ଲାଗୁଥାଏ; କିନ୍ତୁ ପୁନା କାନ୍ଧରେ ବସିଥିବାରୁ ଅନେକଟା ନିରାପଦ ମଣୁଥାଏ । ପୁନାଙ୍ଗ ବଣ ଯାଇଁ ନୂଆବଜାର, ଚାଉଳିଆଗଞ୍ଜ ଟପି ସେମାନେ ରେଲଷ୍ଟେସନ୍‍ରେ ପହଞ୍ଚିଲେ । ରେଳଗାଡ଼ି ବିଷୟରେ ଗୋରା ଯାହା ଶୁଣିଛି ମାତ୍ର; କିନ୍ତୁ କେବେହେଲେ ଦେଖିବାକୁ ସୁବିଧା ପାଇ ନଥିଲା । ପୁନା ମାଲଗୋଦାମ ଭିତର ଦେଇ ଛୋଟବାବୁଙ୍କୁ ଧରି ଚାଲିଛି, ବାଟ କମ୍ ପଡ଼ିବ ବୋଲି । ତେଣୁ ସେବାଟେ ରେଳଗାଡ଼ି ଦେଖିବା ନୋହିଲା । ପୁନା ବୁଝେଇ ସୁଝେଇ ଗୋରାକୁ ନେଇ ଚାଲିଲା ।

 

ବସା ପାଖ ହୋଇଆସିବା ଦେଖି ମ୍ୟୁନିସିପାଲଟି ପୋଖରୀରେ ବାବୁ ଓ ସେ ଦୁହେଁ ଗୋଡ଼ହାତ ଧୋଇଲେ । ଗୋରାର ଗୋଡ଼ ଦୁଇଟା ନାଲି ରାସ୍ତାରେ ଦଉଡ଼ି ଦଉଡ଼ି ଆଣ୍ଠୁ ପର୍ଯ୍ୟନ୍ତ ନାଲି ହୋଇଥିଲା । କାଳେ ବସାରେ କହିବେ ପୁଅକୁ ଚଲେଇ ଚଲେଇ ଆଣିଛି ବୋଲି, ତେଣୁ ପୁନାର ଏ ଗୋଡ଼ଧୁଆ ବ୍ୟବସ୍ଥା ।

 

ଦଶ

 

ବସାରେ ଆସି ପହଞ୍ଚିଲାବେଳକୁ ବାପା କଚେରି ଯାଇଛନ୍ତି । ବସାରେ ମଦନ ଏକା । ତେବେ ଏ ଦୁହିଁଙ୍କର ଆସିବାର କଥା ଆଗରୁ ଜଣାଥିବାରୁ ଦୁହିଁଙ୍କପାଇଁ ସବୁ ରନ୍ଧାରନ୍ଧି ହୋଇଥାଏ-। ପୁନା ଗୋରାବାବୁଙ୍କୁ ଛାଡ଼ିଦେଇ ଦିନ ଥାଉଁଥାଉଁ ଫେରିଗଲା । ଗୋରା ଏକୁଟିଆଟି ରହି ଗାଁ କଥା, ମା’ ବୋଉଙ୍କ କଥା ମନେପକେଇ କାନ୍ଦିପକାଇଲା । ମଦନ ପୁରୁଣା ଲୋକ-। ଗୋରାକୁ ବୁଝେଇ ସୁଝେଇ ନାନାପ୍ରକାର ଗପ କରୁକରୁ ଗୋରା କେତେବେଳେ ଶୋଇପଡ଼ିଲା । ଚାଲି ଚାଲି ତାକୁ ବାଧା ହୋଇଥିଲା ।

 

ଦୋଳପରେ ସ୍କୁଲ୍‍ ଖୋଲିବାର କିଛିଦିନ ପରେ ହେଲା ସକାଳୁଆ ସ୍କୁଲ୍‍ । ସକାଳୁ ତରବରରେ ଗାଧୋଇ ସ୍କୁଲ୍‍କୁ ଯିବାକୁ ପଡ଼େ । ଯିବାଆସିବା ବାଟରେ କଞ୍ଚା ଆମ୍ବ, ବେତକୋଳି ଗୋରାର ଗାଁ କଥା ମନେ ପକେଇଦିଏ । ସତରେ ଗୋରାର ମଫସଲିଆ ଗନ୍ଧ ଏବେବି ଯାଇନାହିଁ-

 

ସେତେବେଳେ ସ୍କୁଲ୍‍ରେ ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ ପଢ଼ାବର୍ଷ ଚଳୁଥିବାରୁ ଗ୍ରୀଷ୍ମଛୁଟି ପୂର୍ବରୁ ତ୍ରୈମାସିକ ପରୀକ୍ଷା ହୋଇଯାଏ । ଗୋରା ପରୀକ୍ଷା କ’ଣ ଜାଣି ନଥାଏ । ଗାଁ ସ୍କୁଲ୍‍ରେ ସେତେବେଳେ ଯେଉଁ ପରୀକ୍ଷା ହେଉଥିଲା, ସେଥିପାଇଁ ଗୋରାର ମୋଟେ ଭୟ ନଥାଏ-। ମାଷ୍ଟ୍ରେ କ’ଣ ସବୁ ପଚାରିଦିଅନ୍ତି । ଚାରି ପାଞ୍ଚଟା ଅଙ୍କ କରିବାକୁ ଦିଅନ୍ତି । ଏଇତକରେ ପରୀକ୍ଷା ସରିଯାଏ । ଯିଏ ପାସ୍‍ କରିବାର କଥା ମାଷ୍ଟ୍ରେ ଆଗତୁରା ଠିକ୍ କରିଥାନ୍ତି ।

 

କିନ୍ତୁ ଏ ବଡ଼ ସ୍କୁଲ୍‍ରେ ପ୍ରଥମ ପରୀକ୍ଷା । ଭିନ୍ନ ଭିନ୍ନ କ୍ଲାସ୍‍ରେ ସିଟ୍ ପଡ଼ିବ । ଲିଥୋ ବା ଛାପା ପ୍ରଶ୍ନ ଦିଆଯିବ । ଖାତା ସ୍କୁଲ୍‍ ତରଫରୁ ଦିଆଯିବ । ସେଥିରେ ଉତ୍ତର ଲେଖି ଫେରାଇବାକୁ ହେବ । ଏମିତି ପରୀକ୍ଷା ବିଷୟରେ କେତେକଅଣ ସେ ଫେଲ୍‌ ହୋଇଥିବା ପିଲାଙ୍କଠାରୁ ଶୁଣି ଟିକିଏ ଚିନ୍ତିତ ହୋଇପଡ଼ିଛି । ଘରେ ବାପା ମଧ୍ୟ ‘ପରୀକ୍ଷା କେବେ’, ‘ପଢ଼ାପଢ଼ି କେତେଦୂର ହେଲା’ ବୋଲି ବରାବର ପ୍ରଶ୍ନକରନ୍ତି । ଏ ସବୁ ଶୁଣି ଗୋରା ବଡ଼ ଛାନିଆ ହୁଏ । ରାତିରେ ଅଧଘଣ୍ଟାଏ ଜାଗାରେ ଦୁଇଘଣ୍ଟା ଆଜିକାଲି ପଢ଼େ । ସ୍କୁଲ୍‍ରୁ ଆସି ଖାଇ ଘଣ୍ଟାଏ ଶୋଇପଡ଼େ । ନିଦ ଭାଙ୍ଗିଯାଏ ପରୀକ୍ଷା ଡରରେ ।

 

ପରୀକ୍ଷା ପରେ ଦେଢ଼ମାସ ଗ୍ରୀଷ୍ମ-ଛୁଟି ହେବ । ଗୋରା ଗାଁକୁ ଯିବ । ନଈଗାଧୁଆ, ଆମ୍ବ-ପଣସ-ସପୁରି ଖିଆ, ଡୁଡ଼ୁ ଖେଳ, ରଜମଉଜ ସବୁ ଗୋଟି ଗୋଟି କରି ମନେ ପଡ଼ିଯାଏ । କିଛି ସମୟପାଇଁ ମନ ଯାଇ ଗାଁରେ ରହିଯାଏ । ଏମିତି ହେଉ ହେଉ ପରୀକ୍ଷା ଆସିଗଲା । ପରୀକ୍ଷାଟା ଯାହାହେଉ, ଡରରେ ଡରରେ ଭଲ ହୋଇଗଲା । ମୌଖିକ ପରୀକ୍ଷା ମଧ୍ୟ ହେଲା । ସାର୍ ଯାହା ଯାହା ପଚାରିଲେ ତାହା ପୂରା ଉତ୍ତର ସେ ଦେଇଥାଏ । ପରୀକ୍ଷା ପରେ ସ୍କୁଲ୍‍ରେ ପୁରସ୍କାର ବିତରଣୀ ସଭା ହେଲା । ନୂଆକରି ସେଦିନ ସେ ଦେଖିଲା ପିଲାମାନେ ସବୁ ଆବୃତ୍ତି, ଅଭିନୟ କେମିତି କଲେ । ଭଦ୍ରଲୋକ ସବୁ ନିୟନ୍ତ୍ରିତ ହୋଇ ଆସିଥିଲେ । ଗୋରା ଆଗରୁ ଯାଇଥିଲା ସ୍କୁଲ୍‍କୁ । ଫେରିଲା ଦୀନୁବାବୁଙ୍କ ସାଙ୍ଗରେ ବେଶି ରାତିରେ । ଆସିଲାବେଳେ ଦୀନୁବାବୁ କହିଲେ, ତୁ ଯଦି ଭଲକରି ପଢ଼ୁ ଆରବର୍ଷ ତୁ ବି ଏମିତି ବହି ପୁରସ୍କାର ପାଇବୁ । କେତେ ଲୋକ ତୋର ପ୍ରଶଂସା କରି ତାଳି ମାରିବେ ।

 

ପରୀକ୍ଷା ଫଳ କିଛି ଜଣାପଡ଼ି ନଥାଏ । ପ୍ରାଇଜ୍‌ ପରେ ପରେ ଛୁଟି ହୋଇଗଲା । ବାସ୍ତବିକ କଟକ ସେତେବେଳେ ଖରାତେଜରେ ଜଳୁଥାଏ । କାଠଯୋଡ଼ି ଶୁଖିଲା । ଧାରେ ବୋଲି ପାଣି ଯାଇଁ ପଥରବନ୍ଧଠାରୁ କେତେ ଦୂରରେ ଥାଏ । ସେ ଧାରକୁ ଯାଇଁ ଗାଧୋଇ ଫେରିଲାବେଳକୁ ଗାଧୋଇବାର ସୁଖ ଅଉ କିଛି ନଥାଏ । ଗରମରେ ଦେହସାରା ଝାଳହୋଇ ଆହୁରି ଖରାପ ଲାଗେ । ଆଉ ବଡ଼ ବୁରୁଜ ତଳେ ନେଳିଆ ହୋଇ ଯେଉଁ ଗଣ୍ଡରେ ପାଣି ମନ୍ଦାକ ଥାଏ, ତାହା ସହରଯାକର ଗାଈ ଘୋଡ଼ାଙ୍କର ଗାଧୋଇବାର ଜାଗା । ଧୋବା ମଧ୍ୟ ସେଠାରେ ଗୋଟାଏ ଦୁଇଟା ତୁଠ କରିଥାନ୍ତି । କଟକରେ ସେତେବେଳେ ବିଜୁଳି ଆଲୁଅ ବା କଳପାଣି କିଛି ନଥାଏ । ବହୁ କଷ୍ଟରେ ଦିଓଳି ଦି’ ମାଠିଆ ପିଇବା ପାଣି ନଈର ସେହି ଦୂର ଧାରରୁ ଅଣାଯାଏ । ଏ ସବୁ ଅସୁବିଧାରୁ ରକ୍ଷା ପାଇବାକୁ ଗୋରାକୁ ଗାଁ ତୋଟା, ମହାନଦୀ ପାଣି ଡାକୁଥାନ୍ତି; କିନ୍ତୁ ଦୀନୁବାବୁ ଗୋରାକୁ ଗାଁକୁ ଛାଡ଼ୁ ନଥାନ୍ତି । ଖରାରେ ବୁଲି ନଈରେ ବୁଡ଼ି ଦେହ ଖରାପ ହେବ ବୋଲି ।

 

ଏମିତି ଛୁଟି ଦେଢ଼ ମାସରୁ ଦଶଦିନ କଟିଗଲା । ଗୋରା ମନ ଖାଲି ଛଟପଟ ହେଉଥାଏ । ଅବଶେଷରେ ଗୋଟାଏ ଶନିବାର ଦିନ ଗାଁରୁ ଗାଡ଼ି ଆସି ପହଞ୍ଚିଗଲା । ଗାଡ଼ିପାଇଁ ଦୀନୁବାବୁ ଖବର ଦେଇଥିଲେ; କିନ୍ତୁ ଗୋରାକୁ ତାହା ଜଣା ନଥିଲା । ଗାଡ଼ି ଆସିଥିବାର ଦେଖି ଗୋରା ଖୁବ୍ ଖୁସିଟାଏ ହୋଇଗଲା । ଦୀନୁବାବୁ ସକାଳୁଆ କଚେରିରୁ ଫେରି ଟିକିଏ ବିଶ୍ରାମ ନେବାପରେ ସେମାନେ ଗାଁକୁ ବାହାରିଲେ । ଖରାଦିନ ଦିପହର ଗଡ଼ିଲେ ପ୍ରାୟ ଝଡ଼ତୋଫାନ ହୁଏ-। ପୁଣି ସେ ବର୍ଷ ଆମ୍ବ ହୋଇଥାଏ ବୋଲି କୁଆଡ଼େ ଝଡ଼ତୋଫାନର ମାତ୍ରା ଟିକିଏ ଅଧିକ ଥାଏ-। ଯାହାହେଉ ତାଙ୍କ ଗାଡ଼ି ସନ୍ଧ୍ୟା ପୂର୍ବରୁ ଯାଇ ଗାଁରେ ପହଞ୍ଚିଗଲା ।

 

ଦୀନୁବାବୁ ରବିବାର ଦିନଟି ଘରେ ରହି ସୋମବାର ଭୋରରୁ ଯାଇ ସକାଳୁ କଚେରି କରିବା କଥା । ତେଣୁ ସେ ରାତି ଥାଉଁଥାଉଁ ବାହାରିଯାଇଛନ୍ତି । ଗଲାବେଳେ ତାଙ୍କ ବାପା, ବୋଉ ସମସ୍ତଙ୍କୁ ଗୋରା ପ୍ରତି ନଜର ଦେବାକୁ କହିଯାଇଛନ୍ତି । ଗୋରା ତ ଗାଁ ସ୍କୁଲ୍‍ ଛାଡ଼ିଛି । ତେଣୁ ତା’ର ସେଠାକାର ମାଷ୍ଟରଙ୍କୁ ଡର ନାହିଁ । ପୁଣି ପୁରୁଣା ମାଷ୍ଟ୍ରେ ବଦଳି ହୋଇଯାଇଛନ୍ତି । ସେ ଥିଲେ ବା ଟିକିଏ ଦୃଷ୍ଟି ଦିଅନ୍ତେ । ଆଉ ମଧ୍ୟ ଗୋରା ସାଙ୍ଗରେ ପଡ଼ି ତାରା ମଧ୍ୟ ଖରାପ ହୋଇଯିବ । ଦୁଇ ସ୍କୁଲ୍‍ ଏକାଠି ହେଲେ ଇନ୍ଦ୍ର ଚନ୍ଦ୍ର ମାନିବେ ନାହିଁ, ଏ କଥା ଦୀନୁବାବୁଙ୍କୁ ଠିକ୍ ଜଣା । ଜେଜେ, ମା’ ଦୁହେଁ କିଛି କରିପାରିବେ ନାହିଁ । ତଥାପି ଦୀନୁବାବୁ ଖୁବ୍ ତାଗଦା କରି କଟକ ଗଲେ ।

 

ସକାଳୁ ଉଠି ଗୋରା ନିଶ୍ଚିନ୍ତ ସେ ବାପା ପାହାନ୍ତାରୁ କଟକ ଯାଇଛନ୍ତି । ଦୁଇଭାଇ ଉଠି ଦାନ୍ତ ଘଷି ଜଳଖିଆ ଖାଇଦେଲେ । ଦାଣ୍ଡକୁ ବାହାରିଲାବେଳକୁ ମୂଷି, କାଶୀ, ଜଟିଆ ଦାଣ୍ଡପିଣ୍ଡାରେ ଆସି ପହଞ୍ଚିଗଲେଣି । କଥା ହେଲା ଆମ୍ବତୋଟାକୁ ଯିବାକୁ । ସମସ୍ତେ ଚାଲିଲେ ସାଙ୍ଗ ହୋଇ । ବାଟରୁ ବାଇଗବା ଗଛ ଓପାଡ଼ି ଦୁଇ ଚାରିଟା ଫୋପଡ଼ ତିଆରି ହେଲା । ଟେକା ମାରିବାରେ ଗୋରାର ଖୁବ୍ ହାତ ଥାଏ । ଥରେ ସ୍କୁଲ୍‍ ଆଗ ଆମ୍ବଗଛରେ ଗୋଟିଏ ମାଟିଆ ଚିଲକୁ ସେ ଏକା ଟେକାକେ ଗଳାଇପକାଇଥିଲା । ଆମ୍ବତୋଟାରେ ଟେକାର ଅଭାବ ପଡ଼ିବ ନାହିଁ; କାରଣ ଗତ ଏକ ମାସ ଧରି ସେଠାରେ ଟେକାମରା ପର୍ବ ରୀତିମତ ଚାଲିଛି । ଆମ୍ବତୋଟାଟା ସରକାରୀ । ଅବଶ୍ୟ ତା’ ପାଖକୁ ଲାଗି ଜମିଦାରଙ୍କର ତୋଟା ଅଛି; କିନ୍ତୁ ସରକାରୀ ତୋଟାରେ ଆମ୍ବ ଏତେ ବେଶି ହୋଇଥାଏ ଯେ ଜମିଦାରଙ୍କ ତୋଟା ପ୍ରତି କେହି ଦୃଷ୍ଟି ଦିଅନ୍ତିନାହିଁ । ତେବେ କେହି ଜଗୁଆଳି ସେ ତୋଟାରେ ନଥିଲାବେଳେ ସେ କଞ୍ଚାସୁଆଦି ଗଛରୁ ପୁଞ୍ଜାଏ ଦି’ପୁଞ୍ଜା ଆମ୍ବ ଝଡ଼େଇ ଦେବାକୁ ପିଲାଙ୍କର ମନ ହୁଏ; କାରଣ କୌଣସି ଉଦ୍ଦେଶ୍ୟ ରଖି ତ ଆମ୍ବ ପରାହେଉ ନଥାଏ । କେବଳ ଟେକା ମାରିବା ଯାହା ସଉକ; କିନ୍ତୁ ଜମିଦାରଙ୍କ ତୋଟାର କଞ୍ଚାସୁଆଦି ଗଛରୁ କିଛି ଆମ୍ବ ମିଳନ୍ତେ ତାହା ସମସ୍ତଙ୍କର କାମରେ ଲାଗନ୍ତା । ଜମିଦାର ତୋଟା, ଜଗୁଆଳି କେତେବେଳେ ଟିକିଏ କୁଆଡ଼େ ଯିବ । ସେହି ସୁଯୋଗରେ ପୁଞ୍ଜାଏ ଦିପୁଞ୍ଜା ଆମ୍ବ ଝଡ଼େଇ ଅଣିବାକୁ ହେବ । ଏଥିପାଇଁ ପିଲାମାନେ ସରକାରୀ ତୋଟାର ବେତଗଛମାନଙ୍କରୁ ପାଚିଲା ବେତକୋଳି ତୋଳି ଖାଇବାରେ ଲାଗିଥାନ୍ତି । ୟାଡ଼େ ନଜର ଥାଏ ଜଗୁଆଳି ଗୋଡ଼କୁ । ଜଗୁଆଳି ଗାଁ ବାଉରି । କହିଲେ ମକଦମଙ୍କ ନାତିକୁ ସେ ହୁଏତ ଖୁସିରେ କେଇଟା ଆମ୍ବ ଦିଅନ୍ତା; କିନ୍ତୁ ସେଥିରେ ଆଉ ବାହାଦୁରି ରହିଲା କେଉଁଠି ? ଏକଥା ହୁଏତ ଜଗୁଆଳି ବୁଝିଲା । ଦରକାରରେ ହେଉ ବା ଜାଣିଶୁଣି ହେଉ ସେ ତୋଟା ଛାଡ଼ି ନଈକୂଳକୁ ଗଡ଼ିଗଲା । ବାସ୍, ଏହି ସୁଯୋଗ । ପାଞ୍ଚଜଣଯାକ ଏକାନିଃଶ୍ଵାସରେ ସେ ତୋଟାକୁ ଯାଇଁ କଞ୍ଚାସୁଆଦି ଗଛକୁ ଲକ୍ଷ୍ୟକରି ଟେକା, ଫୋପଡ଼ ମାରିବା ଆରମ୍ଭ କରିଦେଲେ । ଟପ୍‌ଟାପ୍ କରି କେତେଟା ଆମ୍ବ ମୁହୂର୍ତ୍ତକେ ଗଡ଼ିପଡ଼ିଲା । ଏତିକିବେଳେ କିଏ କହିଲା, ‘‘ହେଇରେ ଜଗା ଆସିଲା ।’’ ଯେ ଯାହା ପାରିଲା ତଳେ ପଡ଼ିଥିବା ଆମ୍ବରୁ ଗୋଟାଏ ଦୁଇଟା ଧରି ବନ୍ଧତଳକୁ ଗଡ଼ିପଡ଼ି ଦୌଡ଼ିଲେ ଘରମୁହାଁ । ପଛରୁ ଜଗାର ପାଟି ଶୁଭୁଥାଏ ‘ହଉ ହଉ’ ବୋଲି ।

 

ସମସ୍ତେ ପଳାଇ ଆସି ନାଳପୋଲ ପାଖ ଆମ୍ବଗଛ ମୂଳେ ଆଶ୍ରା ନେଲେ । ତାରା ଏ ସବୁ ବୀରତ୍ଵପୂର୍ଣ୍ଣ କାର୍ଯ୍ୟରେ ପ୍ରଥମଥରପାଇଁ ଅଂଶ ନେଇଛି । ସେ ମଧ୍ୟ ଅନ୍ୟମାନଙ୍କଠାରୁ ବୟସରେ ଛୋଟ । ତଥାପି ସମସ୍ତଙ୍କ ସାଙ୍ଗରେ ଗୋଡ଼ ପକାଇ ଦଉଡ଼ି ପଳେଇଆସିଥିବାରୁ ସମସ୍ତେ ତାକୁ ସାବାସ୍ କହିଲେ ।

 

ଗଛମୂଳେ କିଛି ସମୟ ବସି କଞ୍ଚାସୁଆଦି ଆମ୍ବ ଖିଆଗଲା । ଜଟିଆ ଗୋଟିଏ ଛୋଟ ବୋତଲରେ ତେଲ ଆଣିଥିଲା । ଝାଳ ମରିବାରୁ ସେଥିରୁ ଟିକେ ଟିକେ ମୁଣ୍ଡରେ ମାରି ନଈକୁ ଗଲେ ଗାଧୋଇବାକୁ । ପାଣି ଛିଟିକା ମାରିବା, ପହଁରିବା, ବୁଡ଼ିବା ଆଦି କରାମତିରେ ଅନେକ ସମୟ ଚାଲିଗଲା । ଜେଜେ ମଧ୍ୟ ସେତେବେଳକୁ ଗାଧୋଇବେ ବୋଲି ନଈକୁ ଗଡ଼ିଲେ । ତାଙ୍କୁ ଦେଖି ତରତରରେ ଗାଧୁଆ ସାରିଦେଇ ସମସ୍ତେ କୂଳକୁ ଆସିଲେ । ଜେଜେଙ୍କ ଗାଧୁଆ ଖୁବ୍ ଶୀଘ୍ର ସରିଗଲା । ସମସ୍ତେ ଭଲପିଲା ପରି ତାଙ୍କ ସଙ୍ଗେ ଘରକୁ ଫେରିଲେ ।

 

ଘରେ ଆସି ଖାଇପିଇ ଜେଜେଙ୍କ ତାଗଦାରେ ଦୁଇଭାଇ ଶୋଇବାକୁ ଗଲେ । ସକାଳର ପରିଶ୍ରମ ପାଣିପହରା ପରେ ଆକଣ୍ଠ ଭୋଜନ ପଡ଼ିଯିବାରୁ ସାଙ୍ଗେ ସାଙ୍ଗେ ଦୁଇଭାଇଙ୍କୁ ନିଦ ଆସିଗଲା; କିନ୍ତୁ ଖୁବ୍ ଅଳ୍ପ ସମୟ ପରେ ଗୋରାର ନିଦ ଭାଙ୍ଗିଗଲା । ତାରା ଉଠି ନଥାଏ । ଖରା ଖୁବ୍ ଟାଣ । ଗୋରା ଚେଇଁକରି ପଡ଼ିଥାଏ । ଏତିକିବେଳେ ଠାକୁରାଣୀ ପଡ଼ିଆରେ ପିଲାମାନେ ‘ସିଟି’ ମାରିଲେ । ଏଇ ‘ସିଟି’ ମାରିବାଟା ନୂଆକରି କେତେ ଜଣ ସାଙ୍ଗ ହାସଲ କରିଛନ୍ତି । ଅନ୍ୟମାନେ ଏ ବିଦ୍ୟାଟା ଆସ୍ତେ ଆସ୍ତେ ହାସଲ କରୁଛନ୍ତି । କେତେଜଣ ଏକାଠି ହେଲେ ଅନ୍ୟମାନଙ୍କୁ ଡାକିବାପାଇଁ ଏ ‘ସିଟି’ ମାରିବା ଉଦ୍ଦିଷ୍ଟ । ଯେଉଁ କେତେଜଣ ଏକାଠି ହେଲେ ସେମାନଙ୍କର ‘ସିଟି’ର ଐକ୍ୟତାନ ଗୋରା ପରିଷ୍କାର ଶୁଣିପାରିଲା । ବିଛଣାରେ ପଡ଼ି ପଡ଼ି ଆସ୍ତେ ଆସ୍ତେ ତାରାକୁ ଚୁମୁଟିବାକୁ ଆରମ୍ଭକଲା । ତାରାର ନିଦ ଭାଙ୍ଗିବାରୁ ତାକୁ ଠାକୁରାଣୀ ପଡ଼ିଆ ଆଡ଼କୁ ହାତଠାରି ଦେଖାଇ ଦେଲା । ଜେଜେ ସେତେବେଳକୁ ନିଘୋଡ଼ି ନିଦରେ । ଦୁଇଭାଇ ଅତି ସନ୍ତର୍ପଣରେ ଉଠି ଦରଆଉଜା କବାଟକୁ ଆସ୍ତେ ଖୋଲି ପଦାକୁ ବାହାରିଆସିଲେ । କବାଟଟାକୁ ପୂର୍ବପରି ଆଉଜାଇଦେଲେ ।

 

ସେତେବେଳକୁ ମା’ କେବଳ ତଳଖଞ୍ଜାରେ ଦି’ଜଣଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଥିଲେ-। ଦୁଇ ଭାଇ ଦାଣ୍ଡ କବାଟ ଦରଆଉଜା କରିଦେଇ ସିଧା ଦଉଡ଼ ମାରିଲେ ଠାକୁରାଣୀ ପଡ଼ିଆକୁ-। ବାଟ ବାଲିରେ ଗୋଡ଼ ତାତିଯାଉଥାଏ । ବଡ଼ବାପାଙ୍କ ଘର କୁତି ଯୋଡ଼ାକ ଦାଣ୍ଡ କାମିନୀ ଗଛ ଛାଇରେ ଚାଖଣ୍ଡେ କରି ଜିଭ ବାହାରକରି ଧକାଉଥାନ୍ତି । ବୁଲା ଗାଈ ଗୁହାଳଘର ଚାଳରୁ ନଡ଼ା ଓଟାରୁଥାନ୍ତି ।

 

ଦୁହେଁ ଯାଇ ଠାକୁରାଣୀ ପଡ଼ିଆରେ ପହଞ୍ଚିଲେ । ସେତେବେଳକୁ ଆଉ ଆଠ ଜଣ ପିଲା ଆସି ସେଠାରେ ରୁଣ୍ଡ ହୋଇଗଲେଣି । ସାଙ୍ଗେ ସାଙ୍ଗେ ପିଲାଙ୍କର ଦୁଇଟି ଦଳ ବଣ୍ଟା ହୋଇଗଲା । ଡୁଡ଼ୁ ଖେଳ ହେବ । ଗାଁର କେତେଜଣ ଦରବୁଢ଼ା ବା ବୁଢ଼ା ଆସି ସ୍କୁଲ୍‍ଘର ପିଣ୍ଡାରେ ଓ ଠାକୁରାଣୀଙ୍କ ଚଉତରା ଉପରେ ସେତେବେଳକୁ ବସିଲେଣି । ଖରା ଟିକିଏ ନଇଁଆସିଲାଣି । ବିଲବାରି କାମ ଖରାଦିନେ କିଛି ନଥାଏ । ବୁଢ଼ାଙ୍କ ଭିତରେ ପଞ୍ଝାଟାଏ ‘ମାଗଣ’ ଖେଳ ଆରମ୍ଭ କରିଦେଲେ । ଅନ୍ୟମାନେ ପିଲାଙ୍କ ଖେଳ ଦେଖିବାକୁ ବସିଲେ । ଠାକୁରାଣୀ ପାଖ ବରଅଶ୍ଵତ୍‌ଥ ଗଛ ଛାଇରେ ଭାରି ଥଣ୍ଡା । ପାଖରେ ବଉଳ ଗଛଟିଏ ଓ କଦମ୍ବ ଗଛଟିଏ ଥାଏ । ଏ ସବୁ ଗଛ ମୂଳେ ପ୍ରାୟ ଦଶ ପନ୍ଦର ଜଣ ଦେଖଣାହାରି ପିଲାଙ୍କ ଖେଳ ଦେଖିବାକୁ ବସିଥାନ୍ତି । ଖେଳ ଦୁଇ ତିନି ବାଜି ଘମାଘୋଟ ହୋଇଗଲା । ସମସ୍ତେ ଝାଳନାଳ ହୋଇ ଏକାକାର । ପ୍ରାୟ ସମସ୍ତେ ବାଲିରେ ପଡ଼ି ଦେହମୁଣ୍ଡ ଗୋଟାସୁଦ୍ଧା ବାଲି ହୋଇଥାଏ । ସେତେବେଳକୁ ଛାଇ ଆଢ଼ୁଆଳ ହୋଇ ଥଣ୍ଡା ପଡ଼ିଗଲାଣି । ଇଆଡ଼ୁ ସମସ୍ତେ ଗାଧୋଇବାକୁ ନଈକୁ ଯିବାର କଥା । ନହେଲେ ଏ ବାଲିମାଟି-ସରସର ଦେହରେ ଘରକୁ ଗଲେ ଆଉ ରକ୍ଷାନାହିଁ । ୟା ମଧ୍ୟରେ ଜେଜେ ଥରେ ଆସି ଅଧବାଟରୁ ପିଲାଙ୍କ ମଧ୍ୟରେ ଗୋରା ତାରାଙ୍କୁ ଦେଖି କିଛି ନ କହି ଘରକୁ ଫେରିଗଲେଣି ।

 

ଖେଳ ସରିଲା । ସମସ୍ତେ ନଈକୂଳକୁ ଗଲେ । ନଈ ତୁଠରେ ଗୋଟାଏ ଝଙ୍କାଳିଆ ବରଗଛ । ତଳଟି ତା’ର ସୁନ୍ଦର ବାଲିସରା । ସେଠାରେ ସମସ୍ତେ ବସିଗଲେ ଝାଳ ମାରିବାକୁ । ଗାମୁଛା ମୁଣ୍ଡତଳେ ଦେଇ କେତେଜଣ ନିଶ୍ଚିନ୍ତ ଶୋଇଗଲେ ସେଠାରେ । କିଛି ସମୟ ପରେ ଧୀରେ ଧୀରେ ସମସ୍ତେ ପାଣିକୁ ଗଡ଼ିଲେ । ପୁଣି ଘଣ୍ଟାଏ ଯାଏଁ ଚାଲିଲା ଗାଧୁଆ ପର୍ବ । ସନ୍ଧ୍ୟା ପୂର୍ବରୁ ସମସ୍ତେ ଯେଝା ଘରକୁ ଫେରିଗଲେ ।

 

ଗୋରା ତାରା ଘରକୁ ଫେରି ଆଗ ବୋଉଠାରୁ ମୃଦୁ ଭର୍ତ୍ସନା ଶୁଣିଲେ । ବୋଉ କହିଲେ, “ମୁଁ କାଲି ଖବର ଦେଉଛି କଟକ । ଶୀଘ୍ର ଆସି ଗୋରାକୁ କଟକ ନେଇଯାଆନ୍ତୁ । ନହେଲେ ନିଜେ ବଗୁଲିଆ ହେବା ସଙ୍ଗେ ସଙ୍ଗେ ତାରାଟାକୁ ମଧ୍ୟ ଚଗଲା କରିଦେବ ।” ଦୁହେଁ କିଛି କହୁ ନଥାନ୍ତି । ଚୁଡ଼ା, ନଡ଼ିଆ, ଦୁଧ, କଦଳୀ କରି ଗୋଟାଏ ଚକଟା ହେଲା । ମା’ ସଞ୍ଜବତି ଦେଉଥାନ୍ତି, ସବୁ ଶୁଣୁଥାନ୍ତି । ସେତେବେଳକୁ ଚାକର ଦୁଆର ଅଗଣାକୁ ଧୋଇ ସଫାକରି ତା’ ଉପରେ ମସିଣା ପାରିସାରିଲାଣି । ମା’ଙ୍କର ସନ୍ଧ୍ୟାବେଳେ ଭାଗବତ ଅଧ୍ୟାୟେ ନିଶ୍ଚୟ ପଢ଼ାହେବ । ନନା ଯେଉଁ ଦିନ ଆସି ନ ପାରନ୍ତି, ସେଦିନ ଗୋରା ସେ କାମ ଚଳେଇନିଏ; କିନ୍ତୁ ଦିନଯାକର କଠିନ ପରିଶ୍ରମ । ତା’ପରେ ଗାଧୁଆ ଓ ଭୋଜନ ପରେ ଗୋରା ଭାଗବତ ପଢ଼ିବାକୁ ଆରମ୍ଭକଲେ ତାକୁ ଘୁମ ମାଡ଼େ । ତେଣୁ ଏଠୁ ପଦେ ସେଠୁ ପଦେ କହିଲେ ମା’ ହସି ହସି ଭାଗବତପଢ଼ା ବନ୍ଦ କରିଦିଅନ୍ତି । କ’ଣ ଦିପଦ ଏକଥା ସେକଥା ହେଉ ହେଉ ଦୁଇ ଭାଇଙ୍କ ଆଖି ନିଦରେ ବୁଜି ହୋଇଯାଏ । ରାତିରେ ସେହି ଅଗଣାରେ ବିଛଣା ଉପରେ ବସି କ’ଣ ସେ ଖାଆନ୍ତି, ଦୁହିଁଙ୍କର ତା’ ପରଦିନ ସକାଳକୁ କିଛି ମନେ ନଥାଏ । କେତେବେଳେ ଯେ ଅଗଣାରୁ ଟେକା ହୋଇଯାଇ ଘରେ ଶୁଅନ୍ତି ସେ କଥା ମଧ୍ୟ ମନେ ନଥାଏ ।

 

ଏଗାର

 

ଏମିତି ନଈଗାଧୁଆ, ଆମ୍ବତୋଳା, ଡୁଡ଼ୁ ଓ ବୋହୂଚୋରି ଆଦି ଖେଳରେ ଦିନ ଗଡ଼ିଚାଲିଥାଏ । ଗୋରାର ବହି ଖାତା ସବୁ ଗାଁକୁ ଆସିଥାଏ; କିନ୍ତୁ ତାକୁ ଖୋଲିବାକୁ ତାକୁ ମୋଟେ ବେଳ ମିଳେନାହିଁ । ୟା ମଧ୍ୟରେ ସାବିତ୍ରୀ ଯାଇ ରଜ ଆସିଗଲା । ରଜରେ ଭାରି ଜାକଜମକରେ ଡୁଡ଼ୁ ଖେଳଟା ହୁଏ । ରଜ କେତେଟା ଦିନ ବଡ଼ବଡ଼ ଭେଣ୍ଡିଆମାନେ ଖେଳନ୍ତି । ଖେଳାଳି ମଲେ ଡେଙ୍ଗୁରା ବାଜେ । ଠାକୁରାଣୀ ପଡ଼ିଆ ସେ ତିନିଦିନ ଉଠେ କି ପଡ଼େ । ଗୋରା ଆଉ ତା’ ସାଙ୍ଗମାନେ ଅଲଗା ଖେଳନ୍ତି । ବଡ଼ଙ୍କ ସାଙ୍ଗରେ ଖେଳିଲେ ଆଉ ସେମାନଙ୍କର ଅବସ୍ଥା ରହିବ ? ତେଣୁ ରଜ ଦିନ ସକାଳୁ ସକାଳୁ ଗାଧୋଇପଡ଼ି ପିଠାଖିଆ ସାରି ଗୋରା ଆଉ ତା’ର ବୟସର ପିଲାମାନେ ଆଗ ଖେଳ ଆରମ୍ଭ କରିଦିଅନ୍ତି । ଦିପହରକୁ ବଡ଼ବଡ଼ ଖେଳାଳିମାନେ ଖେଳନ୍ତି । ସେତେବେଳକୁ ଗୋରା ଆଉ ତା’ ସାଙ୍ଗମାନେ ବସିକରି ସେମାନଙ୍କର ଖେଳ ଦେଖନ୍ତି । ପୁଣି ବଡ଼ମାନେ ଦୁଇ ତିନି ବାଜି ଖେଳିସାରିଲା ପରେ ସାନ ପିଲାଏ ଆଉ ବାଜିଏ ଦି’ବାଜି ଖେଳନ୍ତି-। ବଡ଼ମାନେ ବସି ଦେଖନ୍ତି ଓ ତାଙ୍କୁ ଉତ୍ସାହିତ କରନ୍ତି । ବୁଢ଼ାମାନେ ପଶା ବା ତାସ୍‌ରେ ମାତିଥାଆନ୍ତି । ହସ ଖେଳ ପାଟିରେ ଠାକୁରାଣୀ ପଡ଼ିଆ ଉଛୁଳି ଉଠୁଥାଏ ।

 

ରଜଟା ହେଲା ଗାଁର ଝିଅମାନଙ୍କର ବଡ଼ ପରବ । ସେମାନେ ନୂଆଲୁଗା ପିନ୍ଧି ଗୁଆ ଖୋଳର ଜୋତା ପିନ୍ଧି ବୁଲି ବୁଲି ଘର ଘର ପାନ ଓ ପିଠା ଦିଅନ୍ତି । ଗୋରା ଓ ତା’ର ସାଙ୍ଗମାନେ ସାଙ୍ଗ ଝିଅମାନଙ୍କୁ ତଳେ ଚଲେଇଦେବେ ବୋଲି କେତେ ଚେଷ୍ଟାକରି ସେମାନଙ୍କୁ ଚିଡ଼େଇ ଦିଅନ୍ତି ।

 

ରଜ ତିନି ଦିନ ଗାଁପାଖ ଚେମିରି ତୋଟାରେ ଲଢ଼େଇ ପାଲା ହୁଏ । ସନ୍ଧ୍ୟା ପୂର୍ବରୁ ସମସ୍ତଙ୍କର ଖିଆପିଆ ସରିଥାଏ । ରାତି ହେଲେ ବିଲୁଆ ଭୁକିଲେ ଆଉ ଖାଇବାର କଥା ନୁହେଁ । ତେଣୁ ଖାଇବା ପର୍ବ ସନ୍ଧ୍ୟା ପୂର୍ବରୁ ସରିଯାଇଥାଏ । ଗୋରା ଜେଜେଙ୍କର ପାଲା ଦେଖିବାର ଭାରି ସଉକ । ସେ ଯେପରି ହେଉ ଯିବେ । ରାତି ଦିଘଡ଼ି ପରେ ଫେରିବେ । ପାଲା ଦିନ ତିନିଟାରୁ ଆରମ୍ଭ ହୋଇଯାଏ । ଗୋଟାଏ ଦଳ ତିନିଘଣ୍ଟା ଗାଇଲା ପରେ ଆଉ ଗୋଟାଏ ଦଳ ଉଠେ । ପହିଲି ରଜ ଦିନ ଗୋରା ତା’ର ଜେଜେଙ୍କ ସାଙ୍ଗରେ ପାଲା ଦେଖି ଯିବ ବୋଲି ଏକାଝୁଙ୍କ ଧରିଲା । ଦୀନୁବାବୁ ରଜରେ ଗାଁକୁ ଆସିଥାଆନ୍ତି । ତେଣୁ ଜେଜେଙ୍କୁ ରଜ ଦିନ ସକାଳୁ ପାକଳା-ପାକଳି କରି ଦିନ ଚାରିଟାରେ ପାଲା ଦେଖି ଯିବାର ଠିକଣା ହେଲା । ଜେଜେ ଜାଣନ୍ତି, ରାତି ଘଡ଼ିଏ ହେଲେ ଦୁଇଭାଇଯାକ ଶୋଇ ପଡ଼ିବେ । ତାଙ୍କୁ ଘରକୁ ଆଣିବା କଷ୍ଟ । ତେଣୁ ସେ ଚାକର ଇନ୍ଦ୍ରମଣିକୁ ସାଙ୍ଗରେ ଧରି ଦୁଇଭାଇଙ୍କୁ ନେଇ ଦିନ ଚାରିଟାବେଳକୁ ପାଲା ଦେଖି ବାହାରିଲେ । ପିଲାଙ୍କୁ ଛାଡ଼ିବାକୁ ଦୀନୁବାବୁଙ୍କର ଇଚ୍ଛା ନଥିଲେ ମଧ୍ୟ ଯେତେବେଳେ ବାପା ନିଜେ ସେମାନଙ୍କୁ ନେଇ ଯାଉଛନ୍ତି, ସେତେବେଳେ ଆଉ ମନାକରିପାରିଲେ ନାହିଁ ।

 

ଗୋରା, ତାରା ଜେଜେଙ୍କ ସାଙ୍ଗରେ ଗଲେ । ପୂର୍ବରୁ ହୋଇଥିବା କଥା ଅନୁସାରେ ମୂଷା, ଜଟିଆ ପ୍ରଭୃତି ସାଙ୍ଗମାନେ ଆଗରୁ ଠାକୁରାଣୀ ପଡ଼ିଆରେ ବସିଥିଲେ । ଇନ୍ଦ୍ରମଣିର ଗୋଟାଏ ହାତରେ ଲଣ୍ଠନ, ଆର ହାତରେ ଗୋଟାଏ ଠେଙ୍ଗା । ଜେଜେଙ୍କ ହାତରେ ତ ବାଡ଼ିଟାଏ ବରାବର ଥାଏ । ଆସିଲାବେଳକୁ ରାତି ତ ହେବ । ଖରାଦିନ ରାତି, ସୁଲୁସୁଲିଆ ପବନ ହେଉଛି, ନାଳକୂଳ ଦେଇ ରାସ୍ତା । ବାଟରେ ‘ଲମ୍ବଜନ୍ତୁ’ ଥିବେ ନିଶ୍ଚୟ ।

 

ଜେଜେଙ୍କ ସାଙ୍ଗରେ ଯାଇ ପାଲା ପାଖରେ ସମସ୍ତେ ପହଞ୍ଚିଲେ । କର୍ପୂର ଯାଇଛି; କନା ତ ପଡ଼ିଛି । ମକଦମି କେବେଠୁଁ ଗଲାଣି; କିନ୍ତୁ ପାଞ୍ଚଖଣ୍ଡ ଗାଁରେ ଏବେବି ଜେଜେଙ୍କୁ ‘ମକଦମ’ ବୋଲି ସମସ୍ତେ ମାନ୍ୟକରନ୍ତି । ଜେଜେଙ୍କୁ ଆଗରେ ଆସ୍ଥାନ ମିଳିଲା । ଗୋରା, ତାରା ମଧ୍ୟ ତାଙ୍କ ପାଖକୁ ଲାଗି ବସିଲେ । ଇନ୍ଦ୍ରମଣି ଠେଙ୍ଗା, ଲଣ୍ଠନ ସହିତ ଟିକିଏ ଦୂରରେ ବସିଲା । ଗୋରାର ସାଙ୍ଗମାନେ ମଧ୍ୟ ପାଖକୁ ଲାଗି ବସିଲେ । ଗୋରା ଥରେ କେଉଁଠି ପାଲା ଦେଖିଥିଲା । ତାରାର ପାଲାଦେଖା ଏଇଟା ପ୍ରଥମ । ସେ ଆଗ ପାଲାବାଲାଙ୍କ ଗୋଡ଼ଠୁ ମୁଣ୍ଡଯାଏ ଅନେଇଗଲା । ଗୀତବାଦ୍ୟ ପ୍ରତି ସେତେବେଳକୁ ତା’ର ମନ ଯାଇ ନଥାଏ । ଖାଲି ପୋଷାକ ଦେଖି ସେ କାବା । ନାଟରେ ଦେଖିଛି ରାଣୀ ବାହାରନ୍ତି; କିନ୍ତୁ ଏମାନଙ୍କ ଭିତରେ ରାଜା କିଏ, ରାଣୀ କିଏ ? ଦ୍ଵାରୀ କ’ଣ ଅଛନ୍ତି ? ଏକାଠି ଏକାପ୍ରକାର ପୋଷାକ ପିନ୍ଧି ପାଞ୍ଚଜଣଯାକ ଏମିତି କ’ଣ ହେଉଛନ୍ତି । ତାରା ବଡ଼ବଡ଼ ଡିମା ଆଖିକରି ଖାଲି ଅନେଇଥାଏ । ସେତେବେଳକୁ ବୈଦେହୀଶବିଳାସରୁ ଗୋଟାଏ ଛାନ୍ଦକୁ ଗାୟକ ବୁଝାଇଥାନ୍ତି । ବାୟକ ଓ ଝାଞ୍ଜ ବଜାଇଲାବାଲାଙ୍କ ଅଭିନୟ ଦେଖି ପିଲାଏ ହସି ଗଡ଼ୁଥାନ୍ତି । ଜେଜେ ଛନ୍ଦ ଚୌପଦୀର ଖୁବ୍ ସମଝଦାର । ସିଏ ମଝିରେ ଗୋଟାଏ କ’ଣ ପଚାରିଦେଲେ । ତାହାରି ଅର୍ଥକୁ ଗାୟକ କେତେ ପ୍ରକାର ବୁଝାଇଲେ । ଜେଜେ ଖୁବ୍ ତାରିଫ କଲେ । ଗୋରା ଓ ତା’ର ସାଙ୍ଗମାନେ କିନ୍ତୁ ବିଶେଷ କିଛି ବୁଝି ନଥାନ୍ତି । କେବଳ ମୃଦଙ୍ଗ ଝାଞ୍ଜ ବଜାଇଲାବେଳେ ଯେତେବେଳେ ଖୁବ୍‌ ଲମ୍ଫ ଝମ୍ଫ ଦେଇ ଚଅଁର ହଲାନ୍ତି, ସେତେବେଳେ ପିଲାଙ୍କୁ ଖୁବ୍‌ ମଜା ଲାଗେ ।

 

ସନ୍ଧ୍ୟାର କିଛି ସମୟ ପରେ ପ୍ରଥମ ପଞ୍ଝା ବସିଲେ । ଦ୍ଵିତୀୟ ପଞ୍ଝା ଉଠିଲେ । ମଝିରେ ବିରତି ମୋଟେ ନାହିଁ । ଦ୍ୱିତୀୟ ପଞ୍ଝା ଉଠି ଯେତେବେଳେ ବନ୍ଦନା ଆରମ୍ଭ କଲେ, ପିଲାମାନେ ସେଥିରୁ କିଛି କିଛି ବୁଝିଲେ । ସେତେବେଳକୁ ରାତି ଟିକିଏ ବେଶି ହେଲାଣି । ଜେଜେ ତାରାକୁ ପାଖକୁ ଆଉଜାଇ ଆଣିଲେ । ତାରା ଆଖିରୁ ଜଣାଗଲାଣି ଆଉ ବେଶି ସମୟ ନୁହେଁ; ଅଳ୍ପ ସମୟ ଭିତରେ ନିଦ ଆସିଯିବ । ଜେଜେ ତାକୁ ସିଧାକରି ବସାଇଦେଲେ । ପଛଆଡ଼କୁ ଅନାଇଲେ ଇନ୍ଦ୍ରମଣିକୁ ଖୋଜିବାକୁ । ଇନ୍ଦ୍ରମଣି ବାବୁଙ୍କ କଥା ବୁଝିପାରି ଠେଙ୍ଗା, ଲଣ୍ଠନ ଧରି ଠିଆ ହୋଇଗଲା-। ସମସ୍ତେ ଉଠିଲେ । ପାଲା ଚାଲିଥାଏ । ଜେଜେ କାଲିକୁ ପିଲାଙ୍କୁ ନ ନେଇ ଏକୁଟିଆ ଆସିବେ ବୋଲି କହି ସମସ୍ତଙ୍କଠାରୁ ବିଦାୟ ନେଇ ସତ୍ୟପୀରଙ୍କୁ ପ୍ରଣାମ କରି ଫେରିଲେ । ପାଲା ବାହାରେ ଗୋଟିଏ ଗୁଡ଼ିଆ ଦୋକାନ । ସେତେବେଳକୁ ଦୋକାନର ସବୁ ଜିନିଷ ସରିଲାଣି । ତଥାପି ଗଜା କିଛି ଥିଲା । ସେଥିରେ କିଛି ଆଣି ଜେଜେ ସବୁ ପିଲାଙ୍କ ହାତରୁ ମୁଠାଏ ମୁଠାଏ ଦେଲେ-। ପିଲାମାନେ ତାକୁ ଖାଇ ଟିକିଏ ଟିକିଏ ପାଣି ପିଇ ଗାଁକୁ ଫେରିଲେ ।

 

ପହିଲି ରଜ ଏହିପରି କଟିଗଲା । ପରଦିନ ସଂକ୍ରାନ୍ତି । ସେ ଦିନ ମଧ୍ୟ ପହିଲି ରଜପରି ଖିଆପିଆ, ଖେଳରେ କଟିଲା । ରଜ ଦିନକ ଆଗରୁ ବାରିଆଡ଼ ଆମ୍ବଗଛରେ ଗୋଟାଏ ଦୋଳି ଲାଗିଛି । ଜେଜେଙ୍କ ବରାଦରେ ଇନ୍ଦ୍ରମଣି ଦିନ ଗୋଟାଏ ଦୋଳି ବାନ୍ଧିଛି । ଘରେ ତ ଝିଅ କେହି ନଥାନ୍ତି । ମିରାର ବୟସ ତିନି ଚାରି । ସେ କ’ଣ ଖେଳିବ ? କିନ୍ତୁ କେହି ନ ଖେଳିଲେ କ’ଣ ହେବ-। ରଜରେ ଦୋଳି ଟଙ୍ଗାହେବା ବିଧି । ଅତଏବ ଟଙ୍ଗାହେଲା । ସାହିର ଝିଅମାନେ ଆସି ସେଥିରେ ଖେଳିଲେ । ଗୋରା, ତାରା ଅବଶ୍ୟ ଦୋଳିରେ ଖେଳିବାକୁ ଭାରି ଇଚ୍ଛାକରନ୍ତି; କିନ୍ତୁ ପାଖରେ ଝିଅ କେହି ନଥିବାବେଳେ । କାରଣ ରଜରେ ଝିଅମାନେ ଦୋଳି ଖେଳନ୍ତି; ସେମାନେ ପୁଅପିଲା-। ଦୋଳି କ’ଣ ଖେଳିବେ ? ତଥାପି ସଂକ୍ରାନ୍ତି ଦିନ ଭୋରରୁ ଦୋଳି ପାଖକୁ କେହି ଝିଅ ନ ଆସିବା ପୂର୍ବରୁ ଦି’ଭାଇଙ୍କର କିଛି ସମୟପାଇଁ ଦୋଳିଖେଳ ହୋଇଗଲା । ମିରା ମଧ୍ୟ ସେମାନଙ୍କ ସାଙ୍ଗରେ ଆସିଥିଲା । ତାକୁ ଟେକି ନେଇ ଦି’ଭାଇଯାକ ଦୋଳିରେ ବସି ଯେମିତି ଝୁଲେଇ ଦେଇଛନ୍ତି, ସେ ଏଡ଼େ ପାଟିକରି କାନ୍ଦିଲା ଯେ ଘରୁ ମା’ ବୋଉ ଦୌଡ଼ିଆସିଲେ; କିନ୍ତୁ ତା’ର କିଛି ହୋଇ ନଥିଲା-। ଦୁଇଭାଇଯାକ ଭାରି ହୁସିଆରରେ ତାକୁ ବସେଇଥିଲେ; କିନ୍ତୁ ଦୋଳି ହଲିବାରୁ ଡରରେ ସେ ଚିତ୍କାର କରିଥିଲା । ଦି’ଭାଇଯାକ ତାକୁ ଦୋଳିରୁ ଓହ୍ଲାଇ ଦେଇ ଗାଡ଼ିଆ କୂଳ ଆଡ଼େ ଦୌଡ଼ି ପଳାଇଥିଲେ । ମା’ ଆସି ଦେଖନ୍ତି ତ ମିରା ଏକା ଠିଆହୋଇ କାନ୍ଦୁଛି । ପାଖରେ କେହି ନାହାନ୍ତି-। ମିରା କିନ୍ତୁ ସବୁ କଥା କହିଦେଲା । ମା’ ତାକୁ କାଖେଇ ଘର ଭିତରକୁ ନେଇଗଲେ । ଦି’ଭାଇ ସେହିବାଟେ ଯାଇ ନଈକୂଳେ ହାଜର । ସେଠାରୁ ଗାଧୁଆ ସାରି ଘଣ୍ଟାକ ପରେ ଫେରିଲାବେଳକୁ ଆଉ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନଥିଲା । ସେମାନେ ନିଶ୍ଚିନ୍ତରେ ଖାଇପିଇ ପୁଣି ଠାକୁରାଣୀ ପଡ଼ିଆକୁ ଗଡ଼ିଲେ ।

 

ରଜ ତିନି ଦିନ ଏହିପରି କଟିଗଲା । ଗୋରାର ସ୍କୁଲ୍‍ ଖୋଲିବାକୁ ଆଉ ଆଠ ଦଶ ଦିନ ଥାଏ । ବାପାଙ୍କର କଚେରି ଖୋଲିଗଲା ରଜ ପରେ ପରେ । ସେ କଟକ ଚାଲିଗଲେ । ରଜ ପରେ ଖୁବ୍ ଗୁଡ଼ାଏ ବର୍ଷା ହୋଇଗଲା । ମହାନଦୀରେ ମଧ୍ୟ ଫେଣ ଆସି ପାଣି ଗୋଳିଆ ହୋଇଗଲା । ଆଉ ଗାଧୋଇବାର ମଜା ରହିଲା ନାହିଁ । ତାରାର ସ୍କୁଲ୍‍ ଖୋଲିଗଲା ରଜର ଚାରିଦିନ ପରେ । ଅନ୍ୟାନ୍ୟ ସାଙ୍ଗମାନେ ଗାଁ ପାଖ ମାଇନର୍‍ ସ୍କୁଲ୍‍ରେ ପଢ଼ୁଥିଲେ ।

 

ସେମାନଙ୍କର ମଧ୍ୟ ସ୍କୁଲ୍‍ ଖୋଲିଗଲା । ସମସ୍ତେ ସ୍କୁଲ୍‍କୁ ଚାଲିଯିବାପରେ ଗୋରା ଘରେ ଏକୁଟିଆ ପଡ଼ିଯାଏ । ସେ କିନ୍ତୁ ଘରେ ନ ରହି ଗାଁ ସ୍କୁଲ୍‍କୁ ଚାଲିଯାଏ । ନୂଆ ମାଷ୍ଟ୍ରେ ଗୋରାକୁ କିଛି କହନ୍ତିନାହିଁ । ଗୋରା ଦିପହରଟା ସେଇ ସ୍କୁଲ୍‍ ବାରଣ୍ଡାରେ ଖେଳି ଖେଳି ସ୍କୁଲ୍‍ ଛୁଟି ହେଲେ ତାରାକୁ ନେଇ ଘରକୁ ଫେରେ । ସେତିକିବେଳେ ଯାହା ଦୁଇ ଭାଇ ଟିକିଏ ଖେଳନ୍ତି ।

 

ଗୋରାର ଛୁଟି ସରିଆସିଲା । ଗାଁ ରାସ୍ତା କାଦୁଅ ହେଲାଣି । ନଈରେ ବଢ଼ି ଆସିଗଲାଣି-। ସାଙ୍ଗମାନେ ସବୁ ସ୍କୁଲ୍‍କୁ ଚାଲିଯାଉଛନ୍ତି । ଗୋରାକୁ ବଡ଼ ଏକୁଟିଆ ଲାଗୁଛି । ତଥାପି ଗାଁ ଛାଡ଼ି କଟକ ଯିବାକୁ ତା’ର ମନ ହେଉ ନଥାଏ; କିନ୍ତୁ ବାଧ୍ୟ ହୋଇ ସ୍କୁଲ୍‍ ଖୋଲିବା ଆଗ ଦିନ ବାହନ ପୁନାନନ୍ଦଙ୍କ ସାଙ୍ଗରେ ଗୋରା କଟକ ଗଲା ।

 

ବାର

 

ଗୋରା ରବିବାର ଆସି କଟକରେ ପହଞ୍ଚିଲା । ସୋମବାର ସ୍କୁଲ୍‍ ଖୋଲିବ । ଦିନଟାଯାକ ମେଘୁଆ ଥିଲା । ଚାରିଟାବେଳକୁ ଖୁବ୍ ବର୍ଷା ହେଲା । କୁଆଡ଼େ ବାହାରି ହେଲାନାହିଁ । ଘରେ ବସି ବସି ଗୋରାର ମନ ଆହୁରି ଖରାପ ହେଉଥାଏ । କଟକରେ ଯେଉଁ କେତେ ଜଣ ତା’ର ସାଙ୍ଗ ହୋଇଛନ୍ତି, ଏ କେତେଦିନ ଭିତରେ ସେମାନେ ହୁଏତ ଗାଁରୁ ଫେରିବେଣି । କାଠଯୋଡ଼ିରେ ବଢ଼ିପାଣି ପଡ଼ିଛି । ସାଙ୍ଗସାଥୀଙ୍କ ସହିତ ନଈକୂଳରୁ ବୁଲିଆସିଲେ ହେଲେ ମନଟା ଭଲ ଲଗନ୍ତା । ତାଇବି କରିହେଲାନାହିଁ । ଏଇମିତି ସଞ୍ଜ ବୁଡ଼ିଲା । ମଦନ ଆଣି ଲଣ୍ଠନଟିଏ ପଢ଼ା ଟେବୁଲ ଉପରେ ଥୋଇ ଦେଇଗଲା । ଏକୁଟିଆଟି ବସି ଗୋରା ଗାଁ କଥା ଭାବୁଥିଲା । ଲଣ୍ଠନ ଆସିବା ଦେଖି ଟେବୁଲ ପାଖକୁ ଯାଇଁ ବହିପତ୍ର ସଜାଡ଼ିବାକୁ ଲାଗିଲା । ଯେପରି ସ୍ୱପ୍ନରାଜ୍ୟରୁ ସେ ବାସ୍ତବକୁ ଫେରିଆସିଲା ।

 

ସେଇ ଯେ ରବିବାର ସଞ୍ଜରୁ ବର୍ଷା ଆରମ୍ଭ ହୋଇଛି ସୋମବାର ସକାଳକୁ ମଧ୍ୟ ବର୍ଷା ଛାଡ଼ି ନଥାଏ । ଗୋରାପାଇଁ ଅଲଗା ଛତା କିଣା ହୋଇ ନଥାଏ । ଖରାଦିନେ ପରୀକ୍ଷାବେଳେ ସକାଳୁଆ ସ୍କୁଲ୍‍ରୁ ଆସିଲାବେଳକୁ ଖରା ହେବ ବୋଲି ସେ ବାପାଙ୍କ ଛତା ନେଇଯାଇଥିଲା । ପରୀକ୍ଷା ସାରି ଫେରିଲାବେଳକୁ ଆଉ ଛତା କଥା ମନେ ନାହିଁ; ଅଧବାଟରେ ମନେ ପଡ଼ିଲା ଛତା କଥା ଖୁବ୍ ଖରା ହେଲାରୁ । ସେଇ ଖରାରେ ଧାଇଁଲା ସ୍କୁଲ୍‍କୁ । କ୍ଲାସ୍ ସବୁ ବନ୍ଦ ହେଲାଣି । ଦପ୍ତରି ପିଅନଙ୍କୁ ପଚାରିଲା ଛତା କଥା । କେହି କହିପାରିଲେ ନାହିଁ । ଗୋରା ହତାଶ ହୋଇ ଫେରିଲା । ତା’ର କିଛିଦିନ ପରେ ଛତା ଖୋଜା ପଡ଼ିବାରୁ ଗୋରା ଛତା ସ୍କୁଲ୍‍ରୁ ଛାଡ଼ି ଆସିଛି ବୋଲି ଜଣାପଡ଼ିଲା । ଗୋରାକୁ ଗାଳି ମାଡ଼ ହେଲା । ସେହିଦିନଠାରୁ ଗୋରା ଆଉ ସ୍କୁଲ୍‍କୁ ଛତା ନେବ ନାହିଁ ବୋଲି ସ୍ଥିର କରିଥିଲା; ଯାହା ଅସୁବିଧା ହେଉ ପଛକେ ।

 

ଆଜି ବର୍ଷା ହେଉଛି । ଅବଶ୍ୟ ସେତେ ଜୋରରେ ବର୍ଷା ହେଉନାହିଁ; କିନ୍ତୁ ସ୍କୁଲ୍‍ରେ ପହଞ୍ଚିଲାବେଳକୁ ଗୋଟାସୁଦ୍ଧା ତିନ୍ତିଯିବାର ଭୟ ଥାଏ । ବାପାଙ୍କ କହିବା ମୁତାବକ ମଦନ ଛତା ଧରି ଗୋରାକୁ ସ୍କୁଲ୍‍ରେ ଛାଡ଼ିବାକୁ ଗଲା; କିନ୍ତୁ ଜେଲ୍‍ଖାନା ପାଖରେ ଗୋରାର ଗୋଟାଏ ସାଙ୍ଗ ଛତାଟିଏ ଧରି ଯାଉଥିବାର ଦେଖି ଗୋରା ମଦନକୁ ଘରକୁ ଫେରାଇଦେଇ ତା’ ସଙ୍ଗେ ଗଲା । ବହି ଖାତା ତିନ୍ତିଯିବ ବୋଲି ସେଗୁଡ଼ାକ କମିଜ ତଳେ ପୂରାଇ ବା ହାତରେ ତାକୁ ଧରିଛି । ଡାହାଣ ହାତରେ ପେନ୍‌ସିଲ । ଅନେକ ପିଲା ତିନ୍ତିକରି ଯାଇ ସ୍କୁଲ୍‍ରେ ପହଞ୍ଚିଲେ । ସେଦିନ ସ୍କୁଲ୍‍ ଖୋଲୁଥାଏ । ନ ଆସିଲେ ଛୁଟିଯାକ ପାଇଁ ଜୋରିମାନା ଦେବାକୁ ହେବ ବୋଲି କିଏ କହୁଥିଲା । ତେଣୁ ତିନ୍ତି ବୁଡ଼ି ସମସ୍ତେ ପ୍ରାୟ ଆସିଛନ୍ତି । ତିନ୍ତିକରି ଆସିବା ଗୋଟାଏ ମଉଜ । ପୁଣି କେତେକାଂଶରେ ବୀରତ୍ଵପୂର୍ଣ୍ଣ କାର୍ଯ୍ୟ ମଧ୍ୟ । ଯାହାର କମିଜ ତିନ୍ତିଛି ସେମାନେ ତାହା ଓହ୍ଲାଇଦେଇ ଟଣା ପଙ୍ଖା ଉପରେ ବା ତା’ ଦଉଡ଼ି ଉପରେ ଶୁଖେଇ ଦେଇଛନ୍ତି । ସେ ସବୁ ପାଲଟଣା ଡଙ୍ଗାପରି ଦେଖା ଯାଉଛନ୍ତି । କମିଜ ସେତେବେଳେ ଖୁବ୍ କମ୍ କେତେଜଣ ପିନ୍ଧନ୍ତି । ବାକିମାନେ ଗେଞ୍ଜି ବା ଖଣ୍ଡେ ଖଣ୍ଡେ ଚାଦର ପକେଇ ଆସନ୍ତି । ଛାତ ଖୁବ୍ କମ୍ କେତେ ଜଣ ପିଲା ଆଣିଛନ୍ତି । ସେଗୁଡ଼ିକ ସବୁ ଖୋଲାହୋଇ ପଢ଼ା ଟେବୁଲ୍ ଉପରେ ବା ସାର୍‌ଙ୍କ ବସିବା ଜାଗାର ଚାରିପାଖେ ଶୁଖାଇ ଦିଆଯାଇଛି । ବର୍ଷାଦିନେ କ୍ଲାସ୍‌ର ରୂପ ଗୋରା ଏଇ ପ୍ରଥମରେ ଦେଖିଲା । ତା’ର କମିଜ ଓଦା ହୋଇନାହିଁ କି ତା’ର ଛତା ମଧ୍ୟ ନାହିଁ । ତେଣୁ ଏସବୁ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ନ ହୋଇ ଗୋଟିଏ କୋଣ ପାଖକୁ ବସି ଏସବୁ ଦୃଶ୍ୟ ଦେଖୁଥାଏ ।

 

ସାର୍ ମଧ୍ୟ ଅଧା ତିନ୍ତା ହୋଇ ଆସିଛନ୍ତି । ତାଙ୍କର ଛତାଟି ପୁରୁଣା । ତେଣୁ ତାଙ୍କର ସମ୍ପୂର୍ଣ୍ଣ ଦେହକୁ ବର୍ଷାରୁ ରକ୍ଷାକରିବାକୁ ସକ୍ଷମ ହୋଇନାହିଁ । ଛତାର କେତୋଟି ଟାଙ୍କ ଛିଡ଼ିଯାଇଛି । ତାକୁ ସିଲେଇ କରିବାର ସୁବିଧା ହୁଏତ ହୋଇନାହିଁ । ଗୋରା ଭାବିଥିଲା, କ୍ଲାସ୍‍ର ଏ ବିଚିତ୍ର ସାଜସଜ୍ଜା ଦେଖି ସାର୍ ହୁଏତ ରାଗିବେ । ତେବେ ଓଦାକମିଜ ଦେହରେ ପିନ୍ଧି ବସିଲେ କାଳେ ପିଲାଙ୍କୁ ଜର ହେବ, କିମ୍ବା ଛତା ଅନ୍ୟତ୍ର ରଖିଲେ ଚୋରି ହୋଇଯିବାର ଭୟଥିବାରୁ ସେ ବୋଧହୁଏ ରାଗି କ୍ଲାସ୍‍ଘରର ଏ ବିଚିତ୍ର ସାଜସଜ୍ଜାରେ ରାଗି ନଥିଲେ । ନିଜ ଛତାଟିର ଜୀର୍ଣ୍ଣତା ଆଉ ପିଲାଙ୍କ ସାମନାରେ ନ ଦେଖେଇ ସେଇଟିକୁ ବସିବା ଚଉକିର ପଛପଟେ ଟଙ୍ଗେଇ ଦେଇ ‘ପ୍ରେଜେଣ୍ଟ’ ପକାଇବା ଆରମ୍ଭ କଲେ । ‘ପ୍ରେଜେଣ୍ଟ’ ପଡ଼ିଯିବା ପରେ ପରେ ସେ ଛୁଟି କିପରି କଟିଲା ବୋଲି ପିଲାଙ୍କୁ ପଚାରିବା ଆରମ୍ଭ ନ କରୁଣୁ ଅତି ପରିଚିତ ଛୁଟି ଘଣ୍ଟାଟା ଟଂ ଟଂ ଟଂ ଟଂ ଟଙ୍ଗ୍‌ କରି ବାଜିଗଲା । ଗୋଟାଏ ବିକଟ ସମବେତ ଚିତ୍କାରରେ ସମସ୍ତ ସ୍କୁଲ୍‍ ହତା କମ୍ପି ଗଲା ।

 

ଏମିତି ହୁଏ । ଯେଉଁଦିନ ସ୍କୁଲ୍‍କୁ ଆସିଲାବେଳକୁ ବର୍ଷା ହୁଏ, ସେଦିନ କୁଆଡ଼େ ‘ରେନି ଡେ’ ହୋଇଯାଏ ବୋଲି ସେ ସେତେବେଳକୁ ପୁରୁଣା ଫେଲ୍ ପିଲାଙ୍କଠାରୁ ବୁଝି ସାରିଲାଣି । ବାଟରେ ଆସୁ ଆସୁ ତିନ୍ତନ୍ତୁ ନ ତିନ୍ତନ୍ତୁ ପଛେ ସ୍କୁଲ୍‍ ଛାତରୁ ନଳାବାଟେ ପଡ଼ୁଥିବା ପାଣିରେ ମୁଣ୍ଡ ଦେଖାଇ ଗୋଟାସୁଦ୍ଧା ତିନ୍ତି କେତେ ପିଲା ଯାଇଁ ହେଡ଼୍‍ମାଷ୍ଟରଙ୍କ ପାଖେ ଛୁଟି ପାଇବାକୁ ଆପତ୍ତି କରନ୍ତି । ହେଡ଼୍‍ମାଷ୍ଟରଙ୍କୁ ପିଲାଙ୍କର ଏ ଫିସାଦ ଜଣାଥାଏ । ତେଣୁ କାହାର କାନ ମୋଡ଼ି ଦେଇ ବା ବେତରେ ପାହାରେ ପକାଇ ଧମକ ଦେଇ ବାହାର କରିଦିଅନ୍ତି । ଖୁବ୍ ଛାତି ଦମ୍ଭ ନଥିଲେ ଚ୍ୟାଉ ପଟ୍ଟନାୟକ ହେଡ଼୍‍ମାଷ୍ଟରଙ୍କ ସାମନାକୁ ଯିବାର ସାହସ ଖୁବ୍ କମ୍ ପିଲାଙ୍କର ଥାଏ । ହେଡ଼୍‍ମାଷ୍ଟ୍ରେ ଯେତେବେଳେ ଏମିତିକିଆ ପିଲାଙ୍କ ସଂଖ୍ୟା ଅଧିକ ଥିବାର ମନେକରନ୍ତି, ସେତେବେଳେ ‘ରେନି ଡେ’ ବୋଲି ସ୍କୁଲ୍‍କୁ ବନ୍ଦ କରିଦିଅନ୍ତି । ସେ ମଧ୍ୟ ଜାଣନ୍ତି ଯେ ତାଙ୍କ ସ୍କୁଲ୍‍ର ଶହେରୁ ନବେ ଭାଗ ପିଲାଙ୍କର ଛତା କିଣିବାର ସାମର୍ଥ୍ୟ ନାହିଁ ।

 

ଶନିବାର ଅଧା ଛୁଟି । ରବିବାର ପୂରା ଛୁଟି । ବର୍ଷକରୁ ପ୍ରାୟ ଛ’ମାସ ସ୍କୁଲ୍‍ରେ ଛୁଟି ଥାଏ; କିନ୍ତୁ ‘ରେନି ଡେ’ ହୋଇ ସ୍କୁଲ୍‍ ହଠାତ୍ ବନ୍ଦ ହୋଇ ଛୁଟି ପାଇବାର ମଉଜ ଅନ୍ୟ କେଉଁଥିରେ ନାହିଁ । ଏଇଟା ଗତାନୁଗତିକ ଛୁଟି ବା ଅଧାଛୁଟିଠାରୁ ସମ୍ପୂର୍ଣ୍ଣ ପୃଥକ୍ । ତେଣୁ ବୋଧହୁଏ ଏପରି ଛୁଟି ପାଇବାରେ ଆନନ୍ଦ ଆସେ ସବୁଠାରୁ ବେଶି ।

 

କିଲିବିଲି ହୋଇ ସମସ୍ତେ ସ୍କୁଲ୍‍ର ଫାଟକ ବାହାରକୁ ମାଡ଼ିଆସିଲେ । ବର୍ଷା ସେହିପରି ଟପର ଟପର ହେଉଥାଏ । ଯିଏ ପୂରା ତିନ୍ତିଛି ତା’ର ଭଲ, ଯିଏ ଛତା ଆଣିଛି ତା’ର ମଧ୍ୟ ଭଲ; କିନ୍ତୁ ଯିଏ ଗୋରା ପରି ଅଧା ବାଟ ନିଜ ଛତାରେ, ଅଧା ବାଟ ସାଙ୍ଗ ଛତାରେ, ମୋଟେ ନ ତିନ୍ତି ଭଲରେ ଆସିଥିଲା, ସେ ବର୍ତ୍ତମାନ ଯାଉଛି କିପରି ? ଯାହା ସାଙ୍ଗରେ ଆସିଥିଲା, ତାକୁ ହୁଏତ ଆଉ କିଏ ସାଙ୍ଗ ଜୁଟିଲାଣି । ତେବେ ଯାହାହେଉ ସେ ବହି ଖାତାକୁ କମିଜ ତଳେ ପୂରାଇ ଏକାନିଃଶ୍ୱାସରେ ଦଉଡ଼ି ଘରକୁ ଚାଲିଯିବ ବୋଲି ଗେଟ୍‌ ବାହାରକୁ ଚାଲି ଆସିଲା ।

 

ଲଗାଣ ବର୍ଷାରେ କଟକ ରାସ୍ତା ସହିତ ଗୋରର ପରିଚୟ ଏଇ ପ୍ରଥମ । ସେ ଖରାଦିନିଆ ଗୋଟାଏ ଅଧେ ତୋଫାନିଆ ବର୍ଷା ଦେଖିଛି । ସେଥିରେ ରାସ୍ତା ଉପରେ ନାଲି ପାଣିର ସୁଅ ଛୁଟିବାର ଦେଖିଛି; କିନ୍ତୁ ଇଏ କ’ଣ ? ବଡ଼ ରାସ୍ତାରେ ଖାଲି ନାଲି ଅଟକାଳି । ସେ ଜିନିଷଟା ନାଁ କାଦୁଅ ନାଁ ପାଣି । ଅର୍ଦ୍ଧ ତରଳ ପଦାର୍ଥରେ ରାସ୍ତାର ଏ ମୁଣ୍ଡ ସେ ମୁଣ୍ଡ ଭର୍ତ୍ତି । ତା’ରି ଉପରେ ଘୋଡ଼ାଗାଡ଼ି ଛୁଟିଛି । ପିଲା ଗୋଟାଏ କିଏ ଘୋଡ଼ାଗାଡ଼ି ପଛରେ ସଇସ ଛିଡ଼ା ହେବାର ଖାଲି ଜାଗାଟାରେ ଡିଆଁମାରି ଚଢ଼ିଗଲା । ସାଙ୍ଗେ ସାଙ୍ଗେ ତା’ର ଅନ୍ୟ ସାଙ୍ଗମାନେ ତାକୁ ଏ ସହଜ ସୁବିଧାରୁ ବଞ୍ଚିତ କରିବେ ବୋଲି ‘ଗାଡ଼ିବାଲା ପିଛେ’ ବୋଲି ଚିତ୍କାର ଆରମ୍ଭ କରିଦେଲେ । ଏ ଡାକ ପରେ ସଇସର ଚାବୁକ୍‍ ନିଶ୍ଚୟ ତା’ ମୁଣ୍ଡରେ ବାଜିବ ବୋଲି ତାକୁ ଜଣା । ‘ସପାତ୍‌’ ‘ସପାତ୍‌’ କରି ଚାବୁକ୍‍ ପଡ଼ିଲା ମଧ୍ୟ; କିନ୍ତୁ ସେତେବେଳକୁ ସେ ଗାଡ଼ିର ‘ପିଛେ’ରୁ ଓହ୍ଲାଇପଡ଼ି ସାଙ୍ଗମାନଙ୍କ ଆଡ଼କୁ ମୁହଁ କରି ରାସ୍ତା ମଝିରେ ‘ଯୁଦ୍ଧଂ ଦେହି’ ଅବସ୍ଥାରେ ରହିଲାଣି । ଗୋଡ଼ରେ ରାସ୍ତାରେ ସେ ନାଲି ଅଟକାଳିକୁ ଯେଉଁମାନେ ‘ଗାଡ଼ିବାଲା ପିଛେ’ କହି ତାକୁ ଗୋଟାଏ ନିଶ୍ଚିନ୍ତ ସୁବିଧାରୁ ବଞ୍ଚିତ କରିଛନ୍ତି, ତାଙ୍କ ଉପରକୁ ଛିଟ୍‌କେଇବାରେ ଲାଗି ପଡ଼ିଲା । ତା’ର ଶତ୍ରୁପକ୍ଷୀୟଙ୍କ ଛଡ଼ା ସେ ରାସ୍ତାରେ ଯେ ଆଉ କିଏ ଯାତାୟାତ କରିପାରନ୍ତି, ସେ କଥା ପ୍ରତି ତା’ର ମୋଟେ ଭ୍ରୂକ୍ଷେପ ନାହିଁ । ଶତ୍ରୁପକ୍ଷର ସମବେତ ପ୍ରତିଆକ୍ରମଣରେ ସେ ମଧ୍ୟ ଗୋଟାସୁଦ୍ଧା ନାଲି ରଙ୍ଗରେ ବୁଡ଼ିଗଲା । ଶତ୍ରୁମାନଙ୍କର ଅବସ୍ଥା ମଧ୍ୟ ତଦ୍ରୂପ । ଶୀଘ୍ର ଗୋଟାଏ ସନ୍ଧି ହେଲା ଓ ସମସ୍ତେ ସେହି ଯୁଦ୍ଧ ଫେରନ୍ତା ଆହତ ସୈନିକ ବେଶରେ ଘରକୁ ଗଲେ ।

 

ଗୋରାର ଏପରି ଦୃଶ୍ୟର ଅଭିଜ୍ଞତା ଏହା ପ୍ରଥମ । ସେ ଯୁଦ୍ଧକ୍ଷେତ୍ରର ଅତି ନିକଟରେ ଥିଲା; କିନ୍ତୁ ଯୁଦ୍ଧର ଫଳାଫଳ ବିଷୟରେ ଆଭାସ ପାଇଲାମାତ୍ରେ ସେ ନିକଟସ୍ଥ ଗୋଟାଏ ଦୋକାନପିଣ୍ଡାରେ ଆଶ୍ରା ନେଇଥିଲା । ଶାନ୍ତି ସ୍ଥାପନା ପରେ ସମସ୍ତେ ଗଲାପରେ ସେ ଓ ତା’ରି ପରି ଆଉ କେତେ ଜଣ ପିଲା ଦୋକାନପିଣ୍ଡାରୁ ଓହ୍ଲାଇ ଝିପିଝିପି ବର୍ଷାରେ ତିନ୍ତି ତିନ୍ତି ଘରକୁ ଫେରିଲେ । ଗୋରା ଦେଖିଲା ଚାଲିକରି ଗଲେ ବହିପତ୍ର ସବୁ ତିନ୍ତି ଏକାକାର ହୋଇଯିବ । ତେଣୁ ଦୌଡ଼ିବାକୁ ଆରମ୍ଭକଲା । ତା’ ଦେଖାଦେଖି ଅନ୍ୟ କେତେ ପିଲା ମଧ୍ୟ ଜାମାତଳେ ବହି ରଖି ଦଉଡ଼ିବାକୁ ଆରମ୍ଭ କଲେ ।

 

ଗୋରା ଘରକୁ ଫେରିଆସି ଜାମା ପ୍ୟାଣ୍ଟ ବଦଳି ଶୁଖିଲା ପ୍ୟାଣ୍ଟ ପିନ୍ଧିଲା । ବର୍ଷା ଅନବରତ ଚାଲିଥାଏ । ଖଟ ଉପରେ ଗଡ଼ପଡ଼ ହେଉ ହେଉ କେତେବେଳେ ତାକୁ ନିଦ ହୋଇଗଲା ।

 

ତେର

 

ବର୍ଷାଦିନେ ସ୍କୁଲ୍‍ ଛୁଟି ଖୁବ୍ କମ୍ । ଗ୍ରୀଷ୍ମଛୁଟି ପରେ ଦଶହରା ଛୁଟି ପର୍ଯ୍ୟନ୍ତ ଆଉ ବଡ଼ ଛୁଟି ନଥିଲେ ମଧ୍ୟ ରଥ, ବାହୁଡ଼ା, ଜନ୍ମାଷ୍ଟମୀ, ଗହ୍ମାପୁନେଇଁ ଏପରିକି ଚିତାଲାଗି ଅମାବାସ୍ୟାରେ ମଧ୍ୟ ସ୍କୁଲ୍‍ ଛୁଟି ହୁଏ । ପୁରୀରେ ଜଗନ୍ନାଥଙ୍କ ଗୁଣ୍ଡିଚାଯାତ୍ରା ସରିବା ପରେ ପରେ କଟକରେ ପ୍ରାୟ ହଇଜା ଆରମ୍ଭ ହୋଇଯାଏ । ପୁରୀରେ ତ ଗୁଣ୍ଡିଚା ପୂର୍ବରୁ ଓ ଗୁଣ୍ଡିଚା ପରେ ହଇଜା ସଂକ୍ରାମକ ରୋଗ ଆକାରରେ ଦେଖାଦିଏ । କଟକରେ ମଧ୍ୟ ହଇଜା ଆରମ୍ଭ ହୋଇଯାଏ ସେହି ସମୟରେ । ପାଣିକଳ ସେତେବେଳକୁ କଟକରେ ହୋଇ ନଥାଏ । ସମସ୍ତେ କୂଅପାଣି ବା ନଈପାଣି ବ୍ୟବହାର କରନ୍ତି । ମ୍ୟୁନିସିପାଲଟି ତରଫରୁ କଚାପାଇଖାନା, କୂଅ ପ୍ରଭୃତିକୁ ବିଶୋଧନ କରାଯାଏ; କିନ୍ତୁ ଏହାଦ୍ୱାରା ହଇଜା ସମ୍ପୂର୍ଣ୍ଣ ବନ୍ଦ ହୁଏନାହିଁ । ସଂକ୍ରମଣ ଯାହା ଟିକିଏ ବନ୍ଦ ହୁଏ ମାତ୍ର ।

 

ହଇଜା ଲାଗିଲେ ସେ କାଳରେ କଟକରେ ଗୋଟାଏ କୋକୁଆଭୟ ହୋଇଯାଏ କି ଦିନ, କି ରାତି ବାଖରାବାଦ ରାସ୍ତାରେ ‘ରାମନାମ ସତ୍ୟ ହୈ’, ‘ହରିନାମ ସତ୍ୟ ହୈ’ ଶବ୍ଦ ଶୁଣାଯାଏ । ଏଥିରେ ଛାନିଆର ମାତ୍ରା ଆହୁରି ବଢ଼େ । ବଜାରରେ ବଜାରରେ, ସାହିରେ ସାହିରେ ଭାଗବତ ସପ୍ତା ବସେ । ଲୋକେ ରାତିରେ ଭୟ କରିବେନାହିଁ ବୋଲି ସାହିର ଲୋକେ ରାତିତମାମ୍ ଖୋଳ କରତାଳି ଧରି ଭାଗବତ ବୋଲି ସାହିର ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଏକାଧିକବାର ବୁଲନ୍ତି । ସାହିଲୋକଙ୍କ ମନରୁ ଭୟ ହୁଏତ କେତେକାଂଶରେ ଦୂର ହୋଇଯାଏ; କିନ୍ତୁ ରାତିରେ ଖାଇସାରି ଯେଉଁମାନେ ଅନିଦ୍ରା ହୋଇ ଭାଗବତ ବୋଲନ୍ତି, ସେମାନଙ୍କ ଭିତରୁ ସକାଳକୁ ଜଣେ ଦି’ଜଣଙ୍କୁ ହଇଜା ଧରିପକାଏ । ମଫସଲରୁ ଏହି ସୁଯୋଗରେ କାଳିସୀମାନେ ଆସିଯାନ୍ତି । ସାହିର ‘ମା’ଙ୍କୁ ତଡ଼ିଦେବେ କହି ଚାନ୍ଦାକରି ଗୋଟାଏ ପଣାହାଣ୍ଡିର ବ୍ୟବସ୍ଥା ହୁଏ । ତାକୁ ସେ କାଳିସୀ ଧରି ଧୂପ, ଦୀପ, ବାଦ୍ୟ ସହଯୋଗରେ ସାହି ବାହାରେ ବା ନଈକୂଳେ ଥୋଇଦେଇ ଆସେ । କାଳିସୀ ଲାଗିଲାବେଳେ ଯେଉଁ ବାଜା ବାଜେ ତାକୁ ‘ଅବତାର’ ବାଜା କହନ୍ତି-। ସେ ‘ଅବତାର’ ବାଜା ଶୁଣି ମଧ୍ୟ କେତେକ ଛାନିଆ ହୋଇଯାଆନ୍ତି । ହଇଜା ପ୍ରତିଷେଧକରୂପେ ମ୍ୟୁନିସିପାଲଟି ତରଫରୁ ଇଞ୍ଜେକ୍‍ସନ୍‌ର ବ୍ୟବସ୍ଥା ହୁଏ । ହଇଜା ରୋଗୀର ମଧ୍ୟ ଚିକିତ୍ସା କରାଯାଏ; କିନ୍ତୁ ଅକାରଣ ମା’ଙ୍କର ବିରାଗଭାଜନ ନ ହେବାପାଇଁ କେତେକ ମୋଟେ ଇଞ୍ଜେକ୍‌ସନ୍ ନିଅନ୍ତି ନାହିଁ କି ରୋଗୀକୁ ଡାକ୍ତରୀ ଚିକିତ୍ସା କରେଇବାକୁ ରାଜି ହୁଅନ୍ତି ନାହିଁ । ହାସପାତାଳକୁ ଯିବାକୁ କେହି ପସନ୍ଦ କରନ୍ତି ନାହିଁ । ହଇଜା ରୋଗ ହେଲେ ମଧ୍ୟ ଲୋକେ ତାକୁ ଲୁଚାଉଥିଲେ-। ଏହି ସବୁ କାରଣରୁ ଅନେକ ଲୋକ ଏ ରୋଗରେ ପଡ଼ି ମରିଯାଆନ୍ତି । ସ୍କୁଲ୍‍ କଲେଜ ସବୁ ବନ୍ଦ ହୋଇଯାଏ । କିଏ କୁଆଡ଼େ ଜୀବନ ନେଇ ମଫସଲକୁ ପଳାନ୍ତି ।

 

ଗୋରାର ବାପା ଦୀନକୃଷ୍ଣବାବୁ କିନ୍ତୁ ଏ ବିଷୟରେ ଭାରି ନିର୍ଭୀକ । ସେ ନିଜେ ହଇଜା ଇଞ୍ଜେକ୍‌ସନ୍ ନିଅନ୍ତି ଓ ପିଲାମାନଙ୍କୁ ମଧ୍ୟ ଦିଅନ୍ତି । ସମସ୍ତଙ୍କ ରୁମାଲରେ ଗୋଲମରିଚ, କର୍ପୂର ବନ୍ଧା ଥାଏ । ତାକୁ ବାହାରକୁ ଗଲେ ବରାବର ଶୁଙ୍ଘିବାକୁ ପଡ଼େ । କାଗେଜି ମଧ୍ୟ ପ୍ରତ୍ୟେକଙ୍କ ପାଖେ ଗୋଟାଏ ଗୋଟାଏ ଥାଏ । ଏ ସବୁ ପ୍ରତିଷେଧକ ବ୍ୟବସ୍ଥା ଥିଲେ ସୁଦ୍ଧା ଯେତେବେଳେ ସହରରେ ବ୍ୟାପକଭାବେ ହଇଜା ହୁଏ, ସେତେବେଳେ ସ୍କୁଲ୍‍, କଲେକ, କଚେରି ସବୁ ବନ୍ଦ କରିଦିଆଯାଏ । ଲୋକମାନେ ପିଲାଛୁଆଧରି ଗାଁରେ କିଛିଦିନ ରହିଯାନ୍ତି । ହଇଜାର ପ୍ରକୋପ କମିଲେ ପୁଣି ସହରକୁ ଆସନ୍ତି । କଟକରେ ପ୍ରତିବର୍ଷ ଏହି ଅବସ୍ଥା ହୁଏ ।

 

ଏ ବର୍ଷ ମଧ୍ୟ ପୂର୍ବବର୍ଷମାନଙ୍କ ପରି ବର୍ଷାଦିନେ କଟକରେ ହଇଜା ହେଲା । ବର୍ଷା ଦିନର ଜନ୍ମାଷ୍ଟମୀ, ଗହ୍ମାପୁନେଇଁ, ଚିତଉ ଅମାବାସ୍ୟା ପ୍ରଭୃତି ଯଥାରୀତି ପାଳିତ ହୁଏ । ପୁନେଇଁପର୍ବରେ ଗାଁରୁ କଟକକୁ ବରାବର ପିଠାପଣା ଭୋଗ ଇତ୍ୟାଦି ଆସେ; କିନ୍ତୁ ହଇଜାଯୋଗୁଁ ବାଟଘାଟ ଖରାପ ହେବାରୁ ସେସବୁ କିଛି ଆସିଲାନାହିଁ । ୟା ଭିତରେ ଗଣେଶପୂଜା ମଧ୍ୟ ପଡ଼ିଗଲା, ସ୍କୁଲ୍‍କୁ ଚାନ୍ଦା ଦେଇ ସେଠାରେ ପୂଜା ହେଲା । ଗୋରା କିନ୍ତୁ ଘରେ ପୂଜାକରି ନୂଆ ଜାମା ପ୍ୟାଣ୍ଟ ପିନ୍ଧି କେବଳ ଭୋଜି ଖାଇବାକୁ ସ୍କୁଲ୍‍କୁ ଯାଇଥିଲା । କଟକରେ ଗଣେଶପୂଜାଟା କାହିଁକି ଗୋରାକୁ ମୋଟେ ଭଲ ଲାଗିଲାନାହିଁ । ଗାଁରେ ପୂଜାଟା କେଡ଼େ ମଜା । ଫୁଲ ତୋଳା, ସ୍କୁଲ୍‍ ସଜା, ପୁଷ୍ପାଞ୍ଜଳି, ଭୋଗ କଥା ସବୁ ଗୋରାର ମନେପଡ଼ି ଯାଉଥାଏ । ପୂଜା ବାସି ଦି’ଚାରିଦିନ ଗୋରା ଓ ତା’ର ସାଙ୍ଗ ପିଲାମାନେ ମାଷ୍ଟରଙ୍କ ସାଙ୍ଗରେ ଠାକୁରଧରି ଘର ଘର ବୁଲି ମାଗଣ କରିବା କଥା ମଧ୍ୟ ଗୋରାର ମନେ ପଡ଼ୁଥାଏ । ଏହା ମଧ୍ୟରେ ଗାଁକୁ ଯିବାକୁ ଆଉ ଯୋଗ ପଡ଼ି ନଥାଏ । ଆସିଲା ଇନ୍ଦୁପୂର୍ଣ୍ଣିମା । ଗୋରାଙ୍କ ଘରେ ଭାଗବତ ଗାଦି ଅଛି । ସେଠାରେ ଦୈନିକ ଅଧ୍ୟାୟେ କରି ଭାଗବତ ବୋଲାଯାଏ । ଦୀନୁବାବୁ ମଧ୍ୟ ବରାବର ପ୍ରତି ସନ୍ଧ୍ୟାରେ ଅଧ୍ୟାୟେ କରି ଭାଗବତ ପଢ଼ନ୍ତି । ତେଣୁ ଭାଗବତଜନ୍ମକୁ ତାଙ୍କ ଘରେ ଖୁବ୍ ଉତ୍ସବ ହୁଏ । ଲୋକେ ଖାଆନ୍ତି, କୀର୍ତ୍ତନ ହୁଏ, ଦୀନୁବାବୁ ସବୁବର୍ଷପରି ଏ ବର୍ଷ ମଧ୍ୟ ଗାଁକୁ ଗଲେ । ଗୋରା ତାଙ୍କ ସାଙ୍ଗରେ ଗଲା; ମାତ୍ର ଦୁଇଦିନ ରହି ଚାଲିଆସିବାକୁ ପଡ଼ିଲା । କିଛି ଭଲ ଲାଗିଲାନାହିଁ । ତେବେ ଆଉ କୋଡ଼ିଏ ଦିନ ପରେ ଦଶହରା ଛୁଟି ହେବ । ସେତିକିବେଳକୁ ପୁଣି କିଛିଦିନ ଗାଁକୁ ଆସିବାକୁ ସୁବିଧା ମିଳିବ-। ଏହା ଆଶ୍ୱାସନାରେ ସେ କଟକ ଆସିଲା ।

 

ଗ୍ରୀଷ୍ମଛୁଟି ଆଗରୁ ତ୍ରୈମାସିକ ପରୀକ୍ଷା ହୋଇଥିଲା । ଛୁଟି ପରେ ପରୀକ୍ଷା ନମ୍ବର ଜଣାପଡ଼ିଲା । ଗୋରା ଅଙ୍କ ଓ ସାହିତ୍ୟରେ ଖୁବ୍ ଭଲ କରିଥିଲା; କିନ୍ତୁ ଇଂରାଜୀଟା ନୂଆ ପାଠ ନା, ତେଣୁ ସେଇଟାରେ ତା’ର ଭଲହୋଇ ନଥିଲା । ସେଥିପାଇଁ ଦୀନୁବାବୁ ତାକୁ ଗାଳି ଦେଇଥିଲେ । ଦଶହରା ପୂର୍ବରୁ ଷାଣ୍ମାସିକ ପରୀକ୍ଷା ହେବ । ସେଥିରେ ଗୋରାକୁ ଇଂରାଜୀରେ ଭଲନମ୍ୱର ରଖିବାକୁ ହେବ । ସେଥିପାଇଁ ଦୀନୁବାବୁ ଗୋରାକୁ ବରାବର ତାଗିଦା କରନ୍ତି । ମଝିରେ ମଝିରେ ନିଜେ ମଧ୍ୟ ଇଂରାଜୀ ପଢ଼ାଇ ବସନ୍ତି । ଗୋରା ଏହା ଭିତରେ ତ୍ରିଭାଷୀ ଖଣ୍ଡେ କିଣି ବଙ୍ଗଳା ଶିଖିଗଲାଣି । ସେତେବେଳକୁ ସବୁ ‘ମାନେ’ ବହି ବଙ୍ଗଳାରେ ଥାଏ । ତେଣୁ ଦୀନୁବାବୁ ଗୋରାକୁ ବଙ୍ଗଳା ଶିଖାଇ ଦେଇଥାନ୍ତି । ଗୋରା ଆଜିକାଲି ନିଜେ ପଢ଼ି ବଙ୍ଗଳା ବୁଝିପାରିଲାଣି । ଷାଣ୍ମାସିକ ପରୀକ୍ଷା ସକାଶେ ଗୋରା ମନ ଲଗାଇ ପଢ଼ିବାକୁ ଲାଗିଲା । ତ୍ରୈମାସିକ ପରୀକ୍ଷା ଦେଇସାରି ନୂଆ ହାଇସ୍କୁଲ୍‍ରେ କିପରି ପରୀକ୍ଷାରେ ବସି ଲେଖିବାକୁ ହୁଏ ଗୋରା ତାହା ଜାଣିଯାଇଥିଲା । ତେଣୁ ଏଥରକ ପରୀକ୍ଷାଦେବାକୁ ଗୋରାର ଭୟ ନଥାଏ ।

 

ଗୋରା କଟକରେ ଆଗରୁ ଦୁଇଚାରିଥର ଦଶହରା ଦେଖିଛି; କିନ୍ତୁ ସେ ସବୁ ମୂର୍ତ୍ତି ଗଢ଼ାସରିବା ପରେ ସାଜସଜ୍ଜା ହେବାପରେ । ଏହିବର୍ଷ ସେ ମୂଳରୁ ଦେଖିବ ମୂର୍ତ୍ତି କିପରି ଗଢ଼ା ହୁଏ-। ସ୍କୁଲ୍‍ରୁ ଯିବାଆସିବା ବାଟରେ ତେଲେଙ୍ଗା ବଜାର ଓ ଚୌଧୁରୀ ବଜାର ଦୁର୍ଗାମଣ୍ଡପ ପଡ଼େ-। ତେଣୁ ଏ କେତେଦିନ ହେଲା ସ୍କୁଲ୍‍କୁ ଯିବା ଆସିବାବେଳେ ସେ ବରାବର ଲକ୍ଷ୍ୟ କରେ ମୂର୍ତ୍ତି କିପରି ଗଢ଼ାଯାଉଛି । ମାଟି ପଡ଼ିବାଠାରୁ ନଡ଼ା ବନ୍ଧାଯିବା ପର୍ଯ୍ୟନ୍ତ ମୂର୍ତ୍ତିଗଠନର ମୂଳରୁ ଯେପରି ଯେପରି ହେଉଛି ତାକୁ ସେ ଆଗ୍ରହର ସହିତ ଲକ୍ଷ୍ୟ କରୁଥାଏ । ମୂର୍ତ୍ତି ଗଢ଼ାଯିବାବେଳେ ମଣ୍ଡପ ସାମନାରେ ଗୋଟାଏ ପାଲର ପରଦା ଟଙ୍ଗା ହେଲା ଭିତରେ କାମ ହୁଏ । ତଥାପି ଗୋରା ପ୍ରତିଦିନ ସ୍କୁଲ୍‍କୁ ଯିବାଆସିବା ବାଟରେ ସେ ପରଦା ଫାଙ୍କରେ ମୁହଁ ଗଳାଇ କିପରି ମୂର୍ତ୍ତିଗଢ଼ା ଆଗେଇଲା ତାହା ଲକ୍ଷ୍ୟକରେ । କ୍ଲାସ୍‍ରେ ମଧ୍ୟ ଏ ସମ୍ବନ୍ଧରେ କମ୍ ଆଲୋଚନା ହୁଏ ନାହିଁ-। କେଉଁ ସାହିର ‘ମାଦେବ’ ନଡ଼ା ବନ୍ଧା ସରିଲାଣି ତ କେଉଁ ସାହି ମହିଷାସୁରର ‘ଏକମାଟିଆ’ ହୋଇଗଲାଣି, ଏ ସବୁର ବିଶାଦ ଆଲୋଚନା କ୍ଲାସ୍‌ରେ ସାର୍ ନଥିବାବେଳେ ବରାବର ଚାଲିଥାଏ-। ଏହି ଆଲୋଚନା ଦଶହରାକୁ ଆହୁରି ଆକର୍ଷଣୀୟ କରେ । ଏହାରି ଭିତରେ ଷାଣ୍ମାସିକ ପରୀକ୍ଷା ସରିଲା । ସ୍କୁଲ୍‍ ବନ୍ଦ ହେବାକୁ ଆଉ ଦୁଇଦିନ ବାକି ।

 

ଦୀନୁବାବୁ ଗତ ତିନିଦିନ ହେଲା କଚେରିରୁ ଆସି ବଜାରକୁ ଯାଉଛନ୍ତି । କେତେ ଲୁଗା କନା କିଣା ଯାଉଛି । ଦଶହରାରେ ଧୋବା, ଭଣ୍ଡାରି, କୁମ୍ଭାରଠାରୁ ଆରମ୍ଭ କରି ତେଲି, କମାର ସମସ୍ତଙ୍କୁ ଲୁଗା ଦେବାର ବିଧି ପୂର୍ବପୁରୁଷରୁ ଚଳି ଆସୁଛି । ତେବେ ତାଙ୍କ ଘର ମକଦମ ଥିଲେ ଏବେ ସେ ମକଦମି ନାହିଁ । ତଥାପି ବୁଢ଼ା ମକଦମ ବଞ୍ଚିଥିବାଯାଏଁ । ସେ ମକଦମ । ସୁନିଆରେ ପ୍ରଜାମାନେ ଭେଟି ନେଇଥାନ୍ତି, କେହି କେହି ଦଶହରାରେ ସେ ଭେଟିଟା ଦିଅନ୍ତି; କିନ୍ତୁ ଦଶହରାରେ ସମସ୍ତଙ୍କୁ ଖଣ୍ଡେ ଖଣ୍ଡେ ଲୁଗା ବାବୁଘରୁ ମିଳେ । ଏମାନଙ୍କ ଛଡ଼ା ଘରର ସମସ୍ତେ ଚାକରବାକର ଓଗେର ଦଶହରାକୁ ଲୁଗା ପିନ୍ଧିବେ । ପୁଣି ଝିଅମାନଙ୍କ ପାଇଁ କୁମାରପୂର୍ଣ୍ଣିମାର ଲୁଗା ଜାମା ହେବ-। ଅବଶ୍ୟ ଦୀନୁବାବୁଙ୍କ ଘରେ ଝିଅ ନାହାନ୍ତି । କେବଳ ତିନିବର୍ଷର ଝିଅ ମୀରାପାଇଁ ସୁନ୍ଦରିଆ ଜାମାଟିଏ କରାହେବ । ଗୋରା ତାରାଙ୍କର ଦଶହରାକୁ ନୂଆ ଜାମା ପ୍ୟାଣ୍ଟ ହେବ । ତା’ ଛଡ଼ା ତେଲ, ଲୁଣଠାରୁ ଅଟା, ମଇଦା, ଚିନି, ବେଶନ ପର୍ଯ୍ୟନ୍ତ ସବୁପ୍ରକାର ଜିନିଷ କଟକରୁ ଯିବ-। ଦଶହରାଟା ହେଲା ଦୀନୁବାବୁଙ୍କର ସବୁଠାରୁ ବଡ଼ ଛୁଟି । ସେଥିରେ ଅନେକ ବନ୍ଧୁବାନ୍ଧବ ମଧ୍ୟ ତାଙ୍କ ଘରକୁ ଆସିବେ । ତେଣୁ ଗାଁକୁ ଯିବାର ତିନି ଚାରିଦିନ ଆଗରୁ ସବୁପ୍ରକାର ଜିନିଷ କିଣାକିଣି ଲାଗିଥାଏ । ଗୋରାର କିନ୍ତୁ ଏଥିସହିତ ସମ୍ପର୍କ ଥାଏ କମ୍ । ସେ ବ୍ୟସ୍ତ ଥାଏ କେଉଁ ଜାଗାରେ ମୂର୍ତ୍ତି ଗଢ଼ା କେତେଦୂର ଆଗେଇଲା, ସାଜସଜ୍ଜା କେତେ ବାଟ ଗଲା, ବୁଲି ବୁଲି ତାହାହିଁ ଦେଖିବାରେ-। ଏ ସବୁର ବିଶଦ ବିବରଣୀ ସେ ଯାଇଁ ଗାଁରେ ତାରା ଆଉ ତା’ ନିଜର ସାଙ୍ଗମାନଙ୍କ ଆଗରେ କଟକିଆ ହିସାବରେ ଗପିବ କ’ଣ ? ସମସ୍ତେ ତ ଦଶହରାକୁ ଗାଁରୁ ଆସି କଟକରେ ଦୁର୍ଗା, ମହାଦେବ ମେଢ଼ ପ୍ରତିବର୍ଷ ଦେଖନ୍ତି; କିନ୍ତୁ ତା’ର ପ୍ରଚ୍ଛଦପଟ ଭୂମିକା ବିଷୟରେ କାହାକୁ କ’ଣ କିଛି ଜଣାଥାଏ !

 

କଚେରି ଛୁଟି ହେଲା । ଗାଁରୁ ଗାଡ଼ି ଆସିଲା । ସଉଦାପତ୍ର, ଲୁଗାପଟା ଲଦା ହେଲା । ବାପ, ପୁଅ ଦୁହେଁ ଗାଡ଼ିରେ ବସିଲେ । ମଦନ ମଧ୍ୟ ସାଙ୍ଗରେ ଗଲା । ଦୀନୁବାବୁଙ୍କ ଗାଁରେ ଦୁଇଦିନ କଟାଇ ସେ ତା’ ଗାଁକୁ ଯିବ । କଚେରି ଦଶହରାକୁ ୧୬ ଦିନ ବନ୍ଦ । ସ୍କୁଲ୍‍ଗୁଡ଼ିକ ଆଗରୁ ବନ୍ଦ ହୋଇଯାଇଛି; କିନ୍ତୁ କଚେରି ସ୍କୁଲ୍‍ ପ୍ରାୟ ଏକା ସାଙ୍ଗରେ ଖୋଲିବ ।

 

ରାତି ପହରକ ସରିକି ଗାଡ଼ି ଯାଇଁ ଘରେ ପହଞ୍ଚିଲା । ତାରା ନ ଶୋଇ ଭାଇ ଅପେକ୍ଷାରେ ଚେଇଁଥିଲା । ଜେଜେ ଗୋରାକୁ ଗାଡ଼ିରୁ ଟେକି ନେଇ ତଳେ ଠିଆ କରିଦେବାମାତ୍ରେ ତାରା ସାଙ୍ଗରେ ସେ ଘର ଭିତରକୁ ପଶିଗଲା । ମୀରା ମା’ ହାତ ଧରି ଦାଣ୍ଡ କବାଟ ପାଖେ ଠିଆ ହୋଇଥିଲା । ଗୋରା ତାକୁ ଶୂନ୍ୟେ ଶୂନ୍ୟେ ଟେକି ନେଇ ଖଞ୍ଜା ଭିତରକୁ ଚାଲିଗଲା । ବୋଉ ପାଖରେ ପହଞ୍ଚି ମୀରାକୁ ତଳେ ଠିଆ କରିଦେଇ ବୋଉଙ୍କୁ ଗୋଟାଏ ମୁଣ୍ଡିଆ ଢୋ’କିନା ମାରିଦେଲା । ଏଥରକ ଏଇଟା ନୂଆକରି ଗୋରା ଶିଖିଆସିଛି । ଜେଜେଙ୍କୁ ମୁଣ୍ଡିଆ ମାରିବ ବୋଲି ସେ ଠିକ୍ କରିଥିଲା; କିନ୍ତୁ ଜେଜେ ଟେକି ଆଣିବାରୁ ତାଙ୍କୁ ଆଉ ମୁଣ୍ଡିଆ ମାରିପାରିଲା ନାହିଁ । ଆଉ ମା’ଙ୍କ ପାଖରେ ମୀରାକୁ ଦେଖି ମା’ଙ୍କୁ ମୁଣ୍ଡିଆ ମାରିବା କଥା ସେ ଭୁଲି ଯାଇଥିଲା ।

 

ଖିଆପିଆ ସାରି ଗୋରା, ତାରା ଦୁହେଁ ମା’ ପାଖରେ ଶୋଇବାକୁ ଗଲେ । କେତେ ଗଡ଼ର ଗଡ଼ର ହୋଇ ଗପିସାରିବା ପରେ ଦୁହିଁଙ୍କୁ ନିଦ ହୋଇଗଲା ।

 

ଚଉଦ

 

ଦଶହରାଟା ଗାଁରେ ଖୁବ୍ ଭଲ ହୁଏ । ବର୍ଷ ଭିତରେ ଏଇଟା ସବୁଠାରୁ ବଡ଼ ଛୁଟି । କଲିକତା, ଟାଟା, ଖଡ଼ଗପୁର ଆଦି ବିଦେଶରେ ଯେ କେତେଜଣ କାମ କରନ୍ତି, ସେମାନେ ସମସ୍ତେ ଛୁଟିରେ ଗାଁକୁ ଆସନ୍ତି । କଟକ ଚାକିରିଆ ତ ଆସନ୍ତି । ସେତେବେଳେ ସ୍ତ୍ରୀ ପିଲା ଧରି ଆଜିକାଲି ପରି କେହି ବିଦେଶରେ ରହୁ ନଥିଲେ । ଚାକିରି ବା ପଢ଼ିବା ସକାଶେ ଲୋକେ ବିଦେଶରେ ରହୁଥିଲେ । ଟିକିଏ ଛୁଟି ପାଇଲେ ଗାଁକୁ ଚାଲି ଆସୁଥିଲେ । ଗାଁରେ ବୁଢ଼ା, ବୁଢ଼ୀ, ସ୍ତ୍ରୀ, ଛୋଟ ଛୋଟ ପୁଅ, ଝିଅ ସମସ୍ତେ ରହୁଥିଲେ । ତେଣୁ ଦେହଟା ଯାହା ବିଦେଶରେ ରହୁଥିଲା, ମନ କିନ୍ତୁ ସମସ୍ତଙ୍କର ଥାଏ ଗାଁରେ ।

 

ଦଶହରାରେ ଅବଶ୍ୟ ଗୋରାଙ୍କ ଗାଁରେ କଟକ ପରି ଦୁର୍ଗା ବା ମହାଦେବ ମୂର୍ତ୍ତି ହୁଅନ୍ତି ନାହିଁ; କିନ୍ତୁ ଦଶହରାର ଆନନ୍ଦ ଗାଁରେ ଗୋଟାଏ ଭିନ୍ନପ୍ରକାର । ବର୍ଷା ନଥାଏ କି ଗରମ ନଥାଏ । ଗାଁ ଦାଣ୍ଡରୁ କାଦୁଅ ଶୁଖିଯାଇଥାଏ । ତେଣୁ ଗାଁ ଲୋକଙ୍କର ଚାଷଧନ୍ଦା କିଛି ନଥାଏ । ବାରି-ବଗିଚାରେ ନାନାପ୍ରକାର ବର୍ଷାଦିନିଆ ପରିବା ମଧ୍ୟ ଥାଏ । ନଈ ପୋଖରୀପାଣି କ୍ରମଶଃ ସଫା ହୋଇ ଆସୁଥାଏ । ବିଲ ଓ ପୋଖରୀରୁ ସେତେବେଳେ ମାଛ ମଧ୍ୟ ପ୍ରଚୁର ମିଳେ । ତେଣୁ ବିଦେଶରୁ ଫେରିଥିବା ଲୋକେ ସେ କେତେଦିନ ଗାଁରେ ଖୁବ୍ ଆନନ୍ଦ କରନ୍ତି ।

 

ପୁରୋହିତ ଆସି ଦଶହରା ଦିନ ସଜ ବସାନ୍ତି । ସେଥିରେ ଲେଖନୀଠାରୁ ଖଣ୍ଡା ପର୍ଯ୍ୟନ୍ତ ସବୁ ପୂଜାରେ ବସେ । ଗାଁ ଠାକୁରାଣୀଙ୍କ ପାଖରେ ଆଗେ ମହାଷ୍ଟମୀରେ ଗୋଟାଏ ବୋଦା ବଳି ପଡ଼ୁଥିଲା ଗାଁ ଜମିଦାରଙ୍କ ତରଫରୁ; କିନ୍ତୁ ଗାଁର କେତେକ ଟୋକା ଦୀନୁବାବୁଙ୍କ ନେତୃତ୍ଵରେ ବଳି ବିରୁଦ୍ଧରେ ଆନ୍ଦୋଳନ କରି ଗତ ତିନିବର୍ଷ ହେବ ବଳି ବନ୍ଦ କରି ଦେଇଛନ୍ତି । କିନ୍ତୁ ଅଷ୍ଟମୀ ଦିନ ରାତିରେ ଗାଁ ଠାକୁରାଣୀଙ୍କ ପାଖରେ ଜନ୍ତାଳ ହୁଏ । କଥାରେ ଅଛି ‘‘ପାଇଲେ ଖାଏ, ନ ପାଇଲେ ପାର୍ବଣରେ ଖାଏ ।” ତେଣୁ ଗାଁର ଏହି ଅଷ୍ଟମୀ ଜନ୍ତାଳରେ ଗାଁର ବାଉରି କଣ୍ଡରାଠାରୁ ଆରମ୍ଭ କରି କରଣ ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତେ ଠାକୁରାଣୀଙ୍କ ପାଖରେ ପତର ପକାନ୍ତି । ସେତେବେଳକୁ ଗାନ୍ଧିଜୀଙ୍କର ହରିଜନ ଆନ୍ଦୋଳନ ଆରମ୍ଭ ହୋଇ ନଥାଏ । ହରିଜନମାନେ ଅସ୍ପୃଶ୍ୟ ଥାଆନ୍ତି । କେହି ତାଙ୍କୁ ଛୁଅନ୍ତି ନାହିଁ । ସେମାନେ ମଧ୍ୟ ଅନ୍ୟ ଉଚ୍ଚ ଜାତି ଲୋକଙ୍କୁ ଛୁଇଁବାପାଇଁ ଆଗ୍ରହ ଦେଖାନ୍ତି ନାହିଁ; କିନ୍ତୁ ଏହି ଛୁଆଁ ଅଛୁଆଁ କଥାଟା ଛାଡ଼ିଦେଲେ ଅନ୍ୟ ସବୁ କଥାରେ ସେମାନେ ଗାଁର ଉଚ୍ଚଜାତିର ଲୋକଙ୍କ ସାଙ୍ଗରେ ପ୍ରାୟ ସମାନ ଥାଆନ୍ତି । ଭଲ-ମନ୍ଦରେ ସେମାନଙ୍କର ମତାମତ ଲୋକେ ଲୋଡ଼ନ୍ତି । ଜନ୍ତାଳରେ ସମସ୍ତେ ପତର ପକାଇ ଏକାବେଳକେ ଖାଆନ୍ତି, ଅବଶ୍ୟ ଅଲଗା ଧାଡ଼ିରେ ବସି । କିନ୍ତୁ ଆଜିକାଲିର ଥିଲାବାଲା ଓ ନଥିଲାବାଲାଙ୍କ ଭିତରେ ଯେଉଁ ଖୋଲାଖୋଲି ଧନତନ୍ତ୍ରର ଛୁଆଁ ଅଛୁଆଁ ଭେଦଭାବ ସୃଷ୍ଟି ହେଇଛି, ତାହାଠାରୁ ପୂର୍ବକାଳର ଛୁଆଁ ଅଛୁଆଁ ଶତଗୁଣରେ ଭଲଥିଲା ।

 

ଜନ୍ତାଳରେ ଛୋଟପିଲାଙ୍କର ଭାଗ କିଛି ନଥାଏ, କାରଣ ଜନ୍ତାଳ ଉଠୁ ଉଠୁ ଏତେ ଡେରି ହୋଇଯାଏ ଯେ ସେମାନେ ସେତେ ରାତି ପର୍ଯ୍ୟନ୍ତ ଚେଇଁବା ସମ୍ଭବପର ହୁଏନାହିଁ । କେଉଁ କେଉଁ ବର୍ଷ କୁଆଡ଼େ ଖାଉ ଖାଉ ଭୋର ହୋଇଯାଇଛି ବୋଲି ବୁଢ଼ାବୁଢ଼ାମାନେ କହନ୍ତି । ସନ୍ଧ୍ୟାବେଳକୁ ଚାଉଳ, ପରିବା, କାଠ, ମାଛ ପ୍ରଭୃତି ସଂଗ୍ରହ ହୋଇ ଆସେ । କେହି ବଡ଼ଲୋକ ବୋଲି ଯେ ତା’ଠାରୁ ବେଶି ଆଦାୟ ହେବ ଏକଥା ନୁହେଁ; ଯିଏ ଅବଶ୍ୟ ଖୁସିରେ ଦେଲା ମନାନାହିଁ-। ଚାକିରିଆମାନେ ମନଖୁସିରେ କିଛି ବେଶି ଦିଅନ୍ତି; କିନ୍ତୁ ସମସ୍ତଙ୍କ ଘରୁ ଚାଉଳ, ପରିବା, ଡାଲି ଏପରିକି କାଠ ପର୍ଯ୍ୟନ୍ତ ଅଣାଯାଏ । କେତେଜଣ ଟୋକା ରାନ୍ଧିବାର ଦାୟିତ୍ଵ ନିଅନ୍ତି; କିନ୍ତୁ ଅନ୍ୟାନ୍ୟ ବୁଢ଼ା ଟୋକା ଏକାଠି ହୋଇ ଦୁଇ ତିନି ପଞ୍ଝାରେ ତାସ୍, ପଶା, କଉଡ଼ି ଇତ୍ୟାଦି ଖେଳରେ ମାତିଯାଆନ୍ତି । ସେଥିରେ ଦେଖିଲାବାଲାଙ୍କ ଉତ୍ସାହ ଖେଳାଳିଙ୍କ ଉତ୍ସାହଠାରୁ ଆହୁରି ବେଶି ଥିବାର ଦେଖାଯାଏ । କଉଡ଼ି ବା ପଶାରେ ଗୋଟାଏ ଭଲ ଦାନ ପଡ଼ିଲେ ବା ବିପକ୍ଷ ଦଳର ଗୋଟାଏ ସାର ମାରିଦିଆଗଲେ ଏଡ଼େ ପାଟି ହୁଏ ଯେ ସାରା ଗାଁଟା ଉଠେ ପଡ଼େ । ସେଦିନ ପୁଣି ଝିଅମାନଙ୍କର କୁଆଁରପୂନେଇଁ ଗୀତରେ ସବୁ ଘରେ ମାଇପେ ପ୍ରାୟ ଅନିଦ୍ରା ଥାଆନ୍ତି-। ନୂଆବୋହୂ, ବୁଢ଼ୀମା’ମାନଙ୍କୁ ଘୋଷାରି ଓଟାରି ଝିଅମାନେ ତାଙ୍କ ଖେଳପାଖକୁ ନିଅନ୍ତି । ପୁଣି ସାହି ସାହି ଭିତରେ ଝିଅପଞ୍ଝା ଗୀତରେ ଗୀତରେ ପ୍ରଶ୍ନ ଉତ୍ତର ଦିଆଦେଇ ହୁଅନ୍ତି । ଏଥିପାଇଁ ବୁଢ଼ୀମା’ ବା ନୂଆବୋହୂଙ୍କ ସାହାଯ୍ୟ ଅପରିହାର୍ଯ୍ୟ । ଏଣେ ପୁରୁଷମାନେ ତାସ୍, କଉଡ଼ି, ସନ୍ତାଳରେ ରାତିଟା କଟାନ୍ତି । ତେଣେ ଝିଅମାନେ କୁଆଁରପୂନେଇଁ ଓ ପୁଚି ଗୀତ ବୋଲି ମା’, ମାଉସୀ, ଭାଉଜ ପ୍ରଭୃତିଙ୍କୁ ଉଜାଗର ରଖନ୍ତି । ଗୋରା ବୟସର ପିଲାମାନେ ଦିନରେ ଓ ସଞ୍ଜପହରଟାରେ କଉଡ଼ି ଖେଳି ଯାହା ମଜା କରନ୍ତି, ରାତି-ଅନିଦ୍ରା ହେବା ତାଙ୍କ ପକ୍ଷରେ ସମ୍ଭବ ହୁଏନାହିଁ ।

 

ଗୋରାଙ୍କ ଗାଁଠାରୁ ତିନିଚାରି ମାଇଲ ଦୂରରେ ଗୋଟିଏ ଗାଁ ଥାଏ । ସେ ଗାଁର ଅଧିକାଂଶ ଅଧିବାସୀ ବଙ୍ଗାଳୀ । ସେଠାରେ ଦୁର୍ଗାମୂର୍ତ୍ତି ହୋଇ ପୂଜା ହୁଏ । ରାତିରେ ଡ୍ରାମା ହୁଏ । ଗୋରାଙ୍କ ଗାଁରୁ କେତେ ଲୋକ ଦଶହରାପୂଜାର ଚାରିଦିନ ଭିତରୁ ଦିନେ ଯାଇ ସେଠାରେ ଦୁର୍ଗାମୂର୍ତ୍ତି ଓ ଡ୍ରାମା ଦେଖନ୍ତି; ଆଉ କେତେକ ସକାଳୁ କଟକ ଯାଇ ବୁଲାବୁଲି କରି ରାତିକୁ ଗାଁକୁ ଫେରିଆସନ୍ତି । କିନ୍ତୁ ଦଶହରା ଦିନ ଗାଁରେ ପିଠାପଣା ଖାଇ ଆଉ କିଛି ପିଠା ସାଙ୍ଗରେ ବାନ୍ଧି ଅଧିକାଂଶ ଲୋକ କଟକ ଯାଆନ୍ତି ଦଶହରା ଦେଖିବାକୁ । ରାତିଯାକ ବଜାର ବୁଲି ମେଢ଼ ଦେଖି ରାତିଟା ମେଳଣ ପଡ଼ିଆରେ କଟାଇ ତା’ ପରଦିନ ମୂର୍ତ୍ତି ବିସର୍ଜନ ପରେ ଗାଁକୁ ଫେରନ୍ତି । ଦଶହରା ଦିନ ତିନିଟାବେଳକୁ ଦୀନୁବାବୁଙ୍କ ଘରର ସମସ୍ତେ ବଳଦ ଗାଡ଼ିରେ ବସି କଟକ ଦଶହରା ଦେଖିବାକୁ ବାହାରିଲେ । ଗାଡ଼ିର ଆଗରେ ପଛରେ ମଧ୍ୟ ଗାଁର କେତେକ ସ୍ତ୍ରୀ ପୁରୁଷ ଚାଲିଥାନ୍ତି । ଗୋରାର ଜେଜେ ଓ ମା’ ଘର ଜଗି ଗାଁରେ ରହିଲେ । ଗୋରା, ତାରା, ମୀରାଙ୍କୁ ନେଇ ଦୀନୁବାବୁ ଓ ତାଙ୍କର ସ୍ତ୍ରୀ କଟକ ଗଲେ । ଗୋରା ବ୍ୟସ୍ତ ହେଉଥାଏ, ଦୁର୍ଗାବିସର୍ଜନ ପୂର୍ବରୁ ମେଢ଼ ଦେଖିବାକୁ ହେବ, ନହେଲେ କୁଆଡ଼େ ସେ ସବୁ ‘ମଳିନ’ ପଡ଼ିଯିବେ । ଏ ତଥ୍ୟ ତାକୁ କଟକରେ କୁଆଡ଼େ କେଉଁ ପିଲା କହିଥିଲା । କଥା ହେଲା ଷ୍ଟେସନ୍‍ଆଡ଼ୁ ମେଢ଼ ଦେଖି ଦେଖି ବସାଯାଏ ଗାଡ଼ିରେ ଯିବାକୁ ହେବ । ସେଠାରେ ଗାଡ଼ିକୁ ଛାଡ଼ି ଚାଲି ଚାଲି ଅନ୍ୟାନ୍ୟ ମେଢ଼ ଓ ମେଳଣ ଦେଖି ପୁଣି ବସାକୁ ଫେରିଆସିବାକୁ ହେବ । ତାରା, ମୀରା ଗାଡ଼ିରେ କିଛିବାଟ ଗଲାପରେ ଶୋଇପଡ଼ିଲେ; କିନ୍ତୁ ଗୋରାକୁ ନିଦ ନଥାଏ । ଷ୍ଟେସନ୍‍ ପାଖହେଲାରୁ ଗୋରା ସେମାନଙ୍କୁ ହଲାଇ ଉଠାଇଦେଲା । ସେହିଠାରୁ ଆରମ୍ଭହେଲା ଦେବୀଦେଖା । କେତେଟା ଦୁର୍ଗାମୂର୍ତ୍ତି, କେତେଟା ମହାଦେବ ଓ ଅନ୍ୟପ୍ରକାର ମୂର୍ତ୍ତି ସେ ସବୁ ଗଣତି କରାଯାଇ ପକ୍କା ହିସାବ ରଖାଯାଉଥାଏ । ଏମିତି ଦେଖି ଦେଖି ସେମାନେ ଆସି ବସାରେ ପହଞ୍ଚିଲେ । ସାଙ୍ଗରେ ଆଣିଥିବା ପିଠାତକ ବସାରେ ଖାଇ ବାପା, ବୋଉ ଓ ଗାଁର ଅନ୍ୟମାନଙ୍କ ସାଙ୍ଗରେ ବାହାରିଲେ ଅନ୍ୟାନ୍ୟ ମେଢ଼ ଓ ମେଳଣ ଦେଖିବାକୁ । ଗାଡ଼ି ରହିଲା ବସାରେ । ଦଶହରା ଭିଡ଼ରେ ବଜାର ଭିତରକୁ ଗାଡ଼ି ନେବା ସୁବିଧାଜନକ ହେବନାହିଁ ବୋଲି ଦୀନୁବାବୁ ମନାକଲେ । ସେମାନେ ବୁଲାବୁଲି କରି ଦୁର୍ଗାମୂର୍ତ୍ତି ସହ ଅନ୍ୟାନ୍ୟ ଅନେକପ୍ରକାର ମୂର୍ତ୍ତି ଦେଖିଲେ । ‘ମାଛକଟା’ ‘ବେସରବଟା’ଟା ସମସ୍ତଙ୍କ ମନକୁ ଖୁବ୍ ପାଇଗଲା । ମୂର୍ତ୍ତିମାନଙ୍କ ପାଖରେ ବର୍ଣ୍ଣନା କରୁଥିବା ଲୋକର ‘ଗାଡ଼ିବାଲା ବାଟକଟା’, ‘ମୁକୁନ୍ଦଗିରି ତଣ୍ଡିକଟା’ କଥାଟା ଗୋରା, ତାରାଙ୍କ ମନକୁ ଖୁବ୍‌ ପାଇଗଲା । ତା’ପରେ ପିଲାକନିଆ ବୁଢ଼ାବରକୁ ବାହା ହେବନାହିଁ ବୋଲି ମନାକରୁଥିବା ମୂର୍ତ୍ତି ଦେଖି ସମସ୍ତେ ଖୁବ୍ ହସିଲେ ଏମାନେ ବଜାର ବୁଲି ମେଳଣ ପଡ଼ିଆକୁ ଆସିଲେ । ଆଜିକାଲି ଯେଉଁଠାରେ ଗୌରୀଶଙ୍କର ପାର୍କ ହୋଇଛି ସେହିଠାରେ ଗୋଟାଏ ପୋଖରୀ ଥିଲା, ସେଇଟା ପୋତାହୋଇ ଏବେ ପାର୍କ ହୋଇଛି; କିନ୍ତୁ ଆଗେ ସେହିଠାରେ ମେଳଣ ହେଉଥିଲା । ସେତେବେଳକୁ ମ୍ୟୁନିସିପାଲଟି ଅଳିଆ ପକାଇ ସେ ପୋଖରୀକୁ ପୋତୁଥାଏ । ମେଢ଼ ସବୁ ଆସ୍ଥାନରୁ ଉଠି ଚାନ୍ଦିନୀଚୌକ ରଜାଘର ମେଢ଼ ପାଖକୁ ଯାଆନ୍ତି । ସେଠାରୁ ଶୋଭାଯାତ୍ରା କରି ସମସ୍ତେ ମେଳଣ ପଡ଼ିଆକୁ ଆସନ୍ତି । ସେହିଠାରେ ସବୁ ମେଢ଼ ଗୋଲେଇକରି ଠିଆହୁଅନ୍ତି । ତାଙ୍କ ଆଗରେ ନାଲି, ନେଳି, ଧଳା, ମହତାବ ଘଡ଼ିବାଣ ପ୍ରଭୃତି ଫୁଟାଯାଏ । ଯେତେବେଳେ ଯେଉଁ ବଜାରର ମେଢ଼ ସାମନାରେ ବାଣ ଫୁଟାଯାଏ, ସେତେବେଳେ ସେ ମେଢ଼ ସାମନାରେ ଏକତ୍ରିତ ହୋଇଥିବା ବଜାର ପିଲାମାନଙ୍କର ପାଟିରେ ସେ ଜାଗାଟା ଉଛୁଳିପଡ଼େ । ଅଭ୍ରକର ମେଢ଼ ମଧ୍ୟ ଖୁବ୍ ସୁନ୍ଦର ଦେଖାଯାଏ । ଶୋଭାଯାତ୍ରାରେ ମେଢ଼ ରଜାଘର ପାଖକୁ ଗଲାବେଳେ ଓ ସେଠାରୁ ମେଳଣ ପଡ଼ିଆକୁ ଆସିବା ବାଟରେ ବଜାର ଟୋକାଏ ମେଢ଼ ସାମନାରେ ଖଣ୍ଡା ବାଡ଼ି ପ୍ରଭୃତି ଖେଳ ଦେଖାନ୍ତି । ବାଡ଼ି ଦି’ପାଖରେ ନିଆଁହୁଳା ବନ୍ଧାଯାଇ ‘ବନାଟି’ ମଧ୍ୟ ବୁଲାଯାଏ । କି ହିନ୍ଦୁ, କି ମୁସଲମାନ ସବୁ ଟୋକାଏ ଖେଳରେ ଭାଗ ନିଅନ୍ତି । ଏସବୁ ସରୁ ସରୁ ପ୍ରାୟ ରାତି ପାହିଯାଏ । ସେହିଠାରୁ ମେଢ଼ ସବୁ କାଠଯୋଡ଼ିରେ ବିସର୍ଜନ ପାଇଁ ପୁରୀଘାଟକୁ ଆସନ୍ତି ।

 

ବଜାର ବୁଲି, ମେଳଣ ଦେଖି ଗୋରା, ତାରା ଓ ତାଙ୍କରି ବୟସର ଗାଁର ଯେଉଁ ପିଲାମାନେ ତାଙ୍କ ଗାଡ଼ି ସାଙ୍ଗରେ ଚାଲି ଚାଲି ଆସିଥିଲେ, ସେମାନେ ହାଲିଆ ହୋଇ ପଡ଼ିଲେଣି । ତେଣୁ ସମସ୍ତେ ବସାକୁ ଫେରିଆସିଲେ । ମୀରା କେତେବେଳୁ ଶୋଇଲାଣି । ଦୀନୁବାବୁଙ୍କ କୋଠିଆ ତାକୁ କାନ୍ଧରେ ପକାଇଛି । ଗାଁର ଅନ୍ୟାନ୍ୟ ସମସ୍ତେ ରହିବାଲାଗି ଦୀନୁବାବୁ ତାଙ୍କ ମହକିଲମାନଙ୍କ ପାଇଁ ଥିବା ଖଞ୍ଜାଟାକୁ ଖୋଲିଦେଲେ । ଯିଏ ଯେଉଁଠି ପାରିଲା ସେଠି ଶୋଇପଡ଼ିଲେ । ଦୀନୁବାବୁ ଓ ତାଙ୍କ ସ୍ତ୍ରୀ ପିଲା ତିନୋଟିଙ୍କୁ ଧରି ତାଙ୍କ ବଖରାରେ ଶୋଇଲେ ।

 

ସକାଳୁ ସମସ୍ତେ ଉଠୁ ଉଠୁ ବେଶ୍ ଦିନ ହୋଇଗଲା । ସେମାନେ ଯାଇ କାଠଯୋଡ଼ିରେ ଗାଧୋଇ-ପାଧୋଇ ନିତ୍ୟକର୍ମ ସାରି ଆସିଲେ । ସେତେବେଳକୁ ଦୀନୁବାବୁଙ୍କ ବରାଦମତେ ଗୋଟାଏ ବଡ଼ ହାଣ୍ଡିରେ ସମସ୍ତଙ୍କ ପାଇଁ ଭାତ ବସିଗଲାଣି । ଗୋଟାଏ ଡାଲଣା ମଧ୍ୟ ବରାଦ ହୋଇଥାଏ । ସମସ୍ତେ ତୃପ୍ତିରେ ଖାଇସାରି ପୁରୀଘାଟକୁ ଧାଇଁଲେ । ସେତେବେଳକୁ ସେଠାରେ ଦୋକାନ ବଜାର ବସି ଜାଗାଟି ଲୋକାରଣ୍ୟ ହୋଇଥାଏ । ଗୋଟିକ ପରେ ଗୋଟିଏ ମେଢ଼ ପାଣିରେ ବିସର୍ଜନ ଦିଆଯାଉଥାଏ । ଗତ ରାତିର ଉନ୍ମାଦନାରେ ଅବଶ ହୋଇ ବଜାରରେ ପିଲାମାନେ ମୂର୍ତ୍ତି ବିସର୍ଜନ କରି ଖାଲି ମେଢ଼ ସାଙ୍ଗରେ ମନଦୁଃଖରେ ଫେରୁଥା’ନ୍ତି । ମାସକର ଆନନ୍ଦ ଉତ୍ସାହ ସବୁ ମଉଳି ଯାଇଥାଏ ।

 

ଗାଁର ସମସ୍ତେ ଆଉ ଦୀନୁବାବୁଙ୍କ ପିଲାଏ ଖରା ଟିକିଏ ନଇଁବାରୁ ଗାଁକୁ ବାହାରିଲେ । ସେ ବର୍ଷ କୁଆଡ଼େ ଦେବୀ ନୌକାରେ ଆସି ଘୋଡ଼ାରେ ଗଲେ । ତେଣୁ ଦଶହରା ଚାରିଦିନ ପାଗ ଭାରି ବଢ଼ିଆ ହୋଇଥିଲା । ଗଜବାହନରେ ଆସିଥିଲେ ଗଜ୍‍ଗଜ୍ ହୋଇ ବର୍ଷା ହୋଇ ଦଶହରା ମଉଜଟାକୁ ମାଟି କରିଦେଇଥାନ୍ତା । ଗାଡ଼ି ଫେରିଲାବେଳକୁ ଗୋରା ତାରା ପ୍ରଭୃତି ଯେଉଁସବୁ ବଢ଼ିଆ ବଢ଼ିଆ ସଜାହୋଇଥିବା ଦୋକାନ ସବୁ ଦେଖିଯାଇଥିଲେ, ସେସବୁ ଦୋକାନ ବନ୍ଦ ହୋଇଯାଇଛି, ଖାଲି ମଫସଲକୁ ଲୋକ ଚାଲି ଚାଲି ବା ବଳଦଗାଡ଼ିରେ ଯାହା ଫେରୁଛନ୍ତି । ସେତେବେଳକୁ ମଫସଲ ଅଞ୍ଚଳକୁ ଯିବାଆସିବା ପାଇଁ ରିକ୍ସା ମଟର ପ୍ରଭୃତିର ପ୍ରଚଳନ ହୋଇ ନଥାଏ ।

 

ଗାଡ଼ି କିଛି ବାଟ ଆସିବା ପରେ ଗୋରା, ତାରା, ମୀରା ସମସ୍ତେ ଶୋଇପଡ଼ିଲେ । ଆଉ ତ କିଛି ଦେଖିବାପାଇଁ ନାହିଁ, କାହିଁକି ବା ଚେଇଁ ରହନ୍ତେ ? କେତେବେଳେ ଗାଡ଼ି ଆସି ଗାଁରେ ପହଞ୍ଚିଛି ଆଉ ସେମାନେ କ’ଣ ଖାଇଛନ୍ତି, କେଉଁଠି ଶୋଇଛନ୍ତି, ସେ ସବୁ ତା’ ପରଦିନ ସକାଳକୁ କାହାରି କିଛି ମନେ ନଥାଏ ।

 

ପନ୍ଦର

 

ତା’ ପରଦିନ ସକାଳୁ ଉଠି ଦାନ୍ତକାଠି ଖଣ୍ଡେ ଖଣ୍ଡେ ଧରି ଗୋରା ତାରା ସେମାନଙ୍କ ସାଙ୍ଗମାନଙ୍କ ସାଥିରେ ନଈକୂଳକୁ ଗଲେ । କିଏ କେତେ ମେଢ଼ ଦେଖିଛି, କିଏ କି ପ୍ରକାର ପେଁକାଳି, କଣ୍ଢେଇ, ସୁସୁକାଳୀ କିଣିଛି ତା’ର ହିସାବ ମଧ୍ୟ ହେଉଥାଏ । ନମୁନାସ୍ୱରୂପ ଜଣେ ଦି’ଜଣଙ୍କ ହାତରେ ପେଁକାଳି ସୁସୁକାଳୀ ପ୍ରଭୃତି ଦେଖାଯାଉଥାଏ । ପିଲାଏ ଏହିପରି ବୁଲାବୁଲି କରି ଘରକୁ ଫେରିଲେ । ଦଶହରା ସରିଯାଇଥିଲେ ମଧ୍ୟ କୁଆଁରପୂନେଇଁ ଥାଏ । ସ୍କୁଲ୍‍ କଚେରି ମଧ୍ୟ ଖୋଲି ନଥାଏ । ତେଣୁ ସକାଳୁ ସଞ୍ଜଯାଏ ଓ ରାତିତମାମ ମଧ୍ୟ ଠାକୁରାଣୀ ପଡ଼ିଆରେ ତାସ୍, ପଶା ଓ କଉଡ଼ି ଖେଳର ଧୁମ୍ ଲାଗେ । ନାଳ ସେ ପାଖରେ ଜାନୁ ମିଆଁ ପ୍ରତିଦିନ ଦୁଇ ତିନିଟା ଖାସି ଆଣି ଗାଁରେ କାଟି ମାଂସ ଭାଗ ଲଗେଇ ବିକ୍ରି କରେ । କୁଆଁରପୂନେଇଁ ପରେ କାର୍ତ୍ତିକ ମାସ ପଡ଼ିଯିବା; ମାଛ, ମାଂସ ଖିଆ ବନ୍ଦ ହେବ । ତେଣୁ ସମସ୍ତେ ମିଆଁ ପୁଅଠାରୁ ମାଂସ କିଣନ୍ତି । ଖିଆପିଆ ଖେଳର ଧୁମ୍ ଲାଗିଥାଏ । ଗାଁର କେତେକ ଟୋକା ଏହି ଅବସରରେ ଗାଁରେ ଗୋଟାଏ ଯୁବକ ସଂଘ କରିବାର ଯୋଗାଡ଼ କରି ପୁନେଇଁ ଆଗ ଦିନ ସଞ୍ଜବେଳକୁ ସମସ୍ତଙ୍କୁ ଡାକି ଗୋଟାଏ ସଭା କଲେ । ମାସିକ ସମସ୍ତଙ୍କ ଠାରୁ କିଛି କିଛି ଚାନ୍ଦା ନେଇ ଗାଁ ସ୍କୁଲ୍‍ଘରର ଉନ୍ନତି, ରାସ୍ତା ମରାମତି ପ୍ରଭୃତି କାମ ସେମାନେ କରିବେ । ଆସନ୍ତା ବର୍ଷ ଦୁର୍ଗାପୂଜାବେଳକୁ ସେମାନେ ଗାଁରେ ଗୋଟାଏ ଡ୍ରାମା କରିବେ ବୋଲି ସ୍ଥିର ହେଲା । ରୀତିମତ ସଭାପତି ସମ୍ପାଦକ ନିର୍ବାଚନ କରାଗଲା-। ଦୀନୁବାବୁ ହେଲେ ସଭାପତି ।

 

କୁଆଁରପୂନେଇଁ ଦିନ ସକାଳୁ ଗୋରା, ତାରାଙ୍କ ନିଦ ହଠାତ୍ ଶଙ୍ଖ ହୁଳହୁଳି ଶବ୍ଦରେ ଭାଙ୍ଗିଗଲା । ସେମାନେ ଜାଣନ୍ତି ମୀରା ସକାଳୁ ନୂଆ ଜାମା ପିନ୍ଧି ଆଞ୍ଜୁଳି ଧରିବ । ସେଥିପାଇଁ ମା’ କେଉଁ ରାତିରୁ ଗାଧୋଇ-ପାଧୋଇ, ଅଗଣା ସଫାକରି ଗୋଟିଏ କୁଲାରେ ଖଇ, ଉଖୁଡ଼ା, କାକୁଡ଼ି, ଆଖୁ, ଗୁଆ, ନଡ଼ିଆ ପ୍ରଭୃତି ସଜାଡ଼ି ରଖିଥିଲେ । ଦୀନୁବାବୁଙ୍କର ଗୋଟିଏ ବିଧବା ପିଇସୀ ଆସି ଦୀନୁବାବୁଙ୍କ ଘରେ କେତେକାଳୁ ରହିଛନ୍ତି । ତାଙ୍କର କେହି ପିଲାଛୁଆ ନଥିଲେ । ସେ ଅତି ପିଲା ବୟସରେ ବିଧବା ହେବାରୁ ଦୀନୁବାବୁଙ୍କ ଜେଜେ ତାଙ୍କୁ ନେଇଆସିଛନ୍ତି । ସେ ସେହିଦିନୁ ଦୀନୁବାବୁଙ୍କ ଘରର ହିସାବରେ ରହିଆସିଛନ୍ତି । ସେ ରୋଷେଇବାସ ଠାରୁ ଆରମ୍ଭ କରି ପିଠାପଣା କରିବାରେ ଅତି ଧୁରନ୍ଧର । ସାରା ଗାଁଟାଯାକର ସେ ଖିର ଅପା । ଦୀନୁବାବୁ ତାଙ୍କୁ ଖୁବ୍ ଭଲପାଆନ୍ତି । ସେ ମଧ୍ୟ ଦୀନୁବାବୁ ଓ ତାଙ୍କର ପିଲାପିଲିଙ୍କୁ ଖୁବ୍ ସୁଖପାଆନ୍ତି । ମୀରା ଆଞ୍ଜୁଳି ଧରିବ ବୋଲି ତାଙ୍କର ଆନନ୍ଦ ସବୁଠାରୁ ବେଶି । ମୀରା ଚନ୍ଦନ ଲଗାଇ, ମୁଣ୍ଡ କୁଣ୍ଡାଇ ଆସି ଅଗଣାରେ ଛିଡ଼ାହେଲା । ସେତେବେଳକୁ ତା’ର ଦି’ଭାଇଯାକ ନିଦରୁ ଉଠିଆସି ପିଣ୍ଡାରେ ବସିଲେଣି । ମା’ ମୀରାକୁ ଆଞ୍ଜୁଳି ଦେବାକୁ ଆରମ୍ଭ କଲେ । ପ୍ରତି ଥରରେ ଗୋଟାଏ ଗୋଟାଏ ଜିନିଷ ତା’ ଛୋଟ ଆଞ୍ଜୁଳିଟିରେ ଦିଆଯାଉଥାଏ; ଆଉ ସେ ପିଢ଼ାଉପରେ ଠିଆହୋଇ ସେ ଆଞ୍ଜୁଳିକୁ ସୂର୍ଯ୍ୟଙ୍କ ଆଡ଼କୁ ଦେଖାଇ ପୁଣି ସେହି କୁଲାରେ ପକାଇ ଦିଏ । ମା’ ଅବଶ୍ୟ ତା’ କୁନି ହାତ ଦୁଇଟିକୁ ଧରି ସୂର୍ଯ୍ୟଆଡ଼କୁ ହଲାଇ ଦେଉଥାନ୍ତି । ଯେଉଁ ଥରକ ଉଖୁଡ଼ା ଆଉ ଲଡ଼ୁ ମୀରା ଆଞ୍ଜୁଳାରେ ଦିଆଯାଇ ସୂର୍ଯ୍ୟଙ୍କୁ ଦେଖାଇ ପୁଣି କୁଲାରେ ପକାଇବାକୁ କୁହାଗଲା, ମୀରା ଆଉ ତା’ ନକରି ଆଞ୍ଜୁଳା ସୁଦ୍ଧା ତା’ ପାଟି ଆଡ଼କୁ ଆଣିଲା । ମା’ ଧରିପକାଇଲେ । ହସରେ ସାରା ଅଗଣାଟା ଫାଟିପଡ଼ିଲା । ଭୟରେ ମୀରା ଆଞ୍ଜୁଳି ଛାଡ଼ିଦେଲା । ଏହିପରି ଭାବରେ ସକାଳର ଆଞ୍ଜୁଳିଧରା ପର୍ବଟା ବଢ଼ିଗଲା । ସବୁ ଜିନିଷ ସେହି କୁଲାରେ ରହିଲା ସଞ୍ଜବେଳକୁ ଚାନ୍ଦପୂଜା ହେବାପାଇଁ ।

 

ଦିନଯାକ ଖିଆପିଆ ଖେଳ ଧୁମ୍‌ରେ କଟିଗଲା । ସଞ୍ଜବେଳକୁ ପୁରୋହିତ ଆସିଲେ । ଖଇ, ଉଖୁଡ଼ା, ନଡ଼ିଆ, ଛେନା, ଦହିରେ ଚାନ୍ଦଚକଟା ହେଲା । ସବୁ ଭୋଗ ଆସି ଦାଣ୍ଡ ଚଉରା ପାଖରେ ରଖାଗଲା–ଚାନ୍ଦ ଉଇଁଲାବେଳକୁ ଯେମିତି ପୂଜା ଠିକ୍ ଆରମ୍ଭ ହୋଇଥିବ । ଡେରି ହୋଇଗଲେ ଝିଅମାନଙ୍କୁ ବୁଢ଼ାବର ମିଳିବ ବୋଲି ଥଟ୍ଟା ଟାପରା ସମ୍ପର୍କୀୟମାନେ କହିବେ । ପୁନେଇଁ ସାତଦିନ ଥାଇଁ ପ୍ରତି ସଞ୍ଜରେ ଝିଅମାନେ ଜହ୍ନିଫୁଲ ତୋଳି ପିଢ଼ାକୁ ପକାନ୍ତି । ପୁନେଇଁଦିନ ମଧ୍ୟ ସେହିପରି ପିଢ଼ାକୁ ଫୁଲ ପକାଇ ସେମାନେ ପୂଜାପାଖକୁ ଆସିଛନ୍ତି । ଜଣଜଣ କରି ନୂଆଲୁଗା ପିନ୍ଧି ସମସ୍ତେ ଚାନ୍ଦକୁ ବନ୍ଦାଇଲେ । ତା’ପରେ ସେ ଚାନ୍ଦଭୋଗକୁ ନେଇ ଇଏ ତା’ ପାଟିରେ ସିଏ ୟା’ ପାଟିରେ ଦିଆଦେଇହେଲେ । ସେ ଚାନ୍ଦକୁ ଦିଆଦେଇହୋଇ କେତେ ଝିଅ ଆପଣା ଭିତରେ ଚାନ୍ଦ ବସିଲେ । ଶେଷରେ ସେ ଭୋଗପତର ପ୍ରଭୃତି ନେଇ ପୋଖରୀରେ ପକାଇବାକୁ ଗଲେ ସମସ୍ତେ ହୁଳହୁଳି ପକାଇ । ପୋଖରୀରେ ପତର ପକାଇ ତୁଠରେ ଦରାଣ୍ଡି ଦରାଣ୍ଡି ଗେଣ୍ଡା ଖୋଜିଲେ । ସମସ୍ତେ ହୋହୋ ହୋଇ “ମୁଁ ପାଇଲି ଗେଣ୍ଡା, ମୋ ଭାଇ ହେବ ଭେଣ୍ଡା” କହି ଘରକୁ ଫେରିଲେ ।

 

ଆଜି ପୁନେଇଁ । ଆଶ୍ୱିନ ମାସର ଶେଷଦିନ । ଆନନ୍ଦ ଉତ୍ସବ ମଉଜମଜଲିସ୍‍୍‍ର ମାସ ଏଇଟା । ତା’ପରେ ଆସିବ କାର୍ତ୍ତିକ । ନିରାଟ ଧର୍ମମାସ । ଖିଆପିଆ ସବୁଥିରେ ସଂଯତ ହେବାକୁ ହେବ । ଘରେ ଦୁଇ ଚାରିଜଣ ଲୋକ ମାଛ ମାଂସ ନ ଖାଇଲେ ଅନ୍ୟମାନେ ବା ତୃପ୍ତିର ସହିତ ଖାଉଛନ୍ତି କିପରି ? ତେଣୁ ଆଶ୍ୱିନ ମାସର ଶେଷଦିନ କୁଆଁରପୂନେଇଁରେ ଖିଆପିଆର ଫୁର୍ତ୍ତି ହୁଏ ବେଶି । କୁଆଁରପୂନେଇଁ ବୋଧହୁଏ ଓଡ଼ିଶା ଛଡ଼ା ଅନ୍ୟ କେଉଁ ରାଜ୍ୟରେ ହୁଏନାହିଁ । ବଙ୍ଗଳାରେ ସେହିଦିନ ଲକ୍ଷ୍ମୀପୂଜା ହୁଏ; କିନ୍ତୁ ଓଡ଼ିଶାରେ କେବଳ କୁମାରୀମାନଙ୍କ ସକାଶେ ଯେପରି ଗୋଟାଏ ଉତ୍ସବର ଦିନ ଅଛି, ତାହା ଅନ୍ୟ କେଉଁଠି ନାହିଁ ।

 

ଚାନ୍ଦ ଦେଇଆସି ଝିଅମାନେ ଆଜି ରାତିଯାକ କୁଆଁରପୂନେଇଁ ଗୀତ ଗାଇବେ ବୋଲି ପ୍ରସ୍ତୁତ ହେଲେ । ଟୋକାମାନେ ଚଞ୍ଚଳ ଚଞ୍ଚଳ ଖାଇ ଆସି ରାତିସାରା କଉଡ଼ି, ପଶା ଖେଳିବେ ବୋଲି ପ୍ରସ୍ତୁତହେଲେ । ବୁଢ଼ା ଦରବୁଢ଼ାମାନେ ମଧ୍ୟ ରାତି-ଅନିଦ୍ରା ହୋଇ ଏ ଖେଳରେ ମାତନ୍ତି । କେତେକ ନ ଖେଳିଲେ ମଧ୍ୟ ଖେଳ ଦେଖିବାରେ ତାଙ୍କର ଥାଏ ପ୍ରବଳ ଆନନ୍ଦ । ଯେପରିକି କୁଆଁରପୂନେଇଁ ସାରା ରାତିଟା ଉଜାଗର ହୋଇ କଟାଇବାକୁ ସମସ୍ତେ ଉନ୍ମୁଖ । ବାସ୍ତବିକ କୁଆଁରପୂନେଇଁଟା ବୋଧହୁଏ ଶରତ୍ ଋତୁର ଶ୍ରେଷ୍ଠ ଦିନ । ଏପରି ରାତି ଉଜାଗର ହୋଇ ଉପଭୋଗ କରିବାକୁ କାହାର ବା ମନ ନ ବଳିବ ?

 

ପିଲାମାନଙ୍କର ସନ୍ଧ୍ୟାବେଳୁ ଚାନ୍ଦଖିଆ ସରିଲାଣି । ଜହ୍ନଆଲୁଅରେ ଦୌଡ଼ାଦୌଡ଼ି କରି ଖାଇସାରିବାମାତ୍ରେ ଶୋଇଗଲେ । ହଠାତ୍ ରାତିଅଧବେଳକୁ ପାଟି ଓ ବାଜାରେ ସମସ୍ତଙ୍କର ନିଦ ଭାଙ୍ଗିଗଲା । ଟୋକାଏ କଉଡ଼ିଖେଳ ଛାଡ଼ିଲେ । ଝିଅମାନେ ଗୀତବୋଲା ବନ୍ଦକରିଦେଲେ । ଗାଁର ବାଉରି, କଣ୍ଡରା ପ୍ରଭୃତି ମିଶି ‘ପାଳଭୂତ’ ହୋଇଛନ୍ତି । ଦି’ଜଣ ଲୋକ ଗୋଡ଼ରୁ ମୁଣ୍ଡଯାଏଁ ପାଳରେ ବନ୍ଧାହୋଇଛନ୍ତି । ଗୋଡ଼, ହାତ, ପେଟ, ସବୁଠି ପାଳ ବନ୍ଧାହୋଇଛି । ମୁଣ୍ଡଉପରେ ଦେଢ଼ହାତ ଲମ୍ବର ଗୋଟାଏ ଠିଆ ଚୁଟି ପଛକୁ ବଙ୍କେଇ ହୋଇଛି । ବାଜାର ତାଳସାଙ୍ଗରେ ଖାପ୍ ଖୁଆଇ ତାଙ୍କର କି ଚାଲି ! ଖାଲି ପାଳଭୂତ ନୁହେଁ, ତା’ ସାଙ୍ଗରେ ଆଖଡ଼ାବି ଅଛି । ବାଡ଼ିଖେଳ, ଖଣ୍ଡାଖେଳ, ବନାଟି ବୁଲା ସବୁ ଅଛି । ସେମାନେ ଆଗ ଆସି ଗାଁ ଠାକୁରାଣୀଙ୍କ ଆଗରେ ଖେଳ ଦେଖାଇବାକୁ ଆରମ୍ଭକଲେ । ଜହ୍ନଆଲୁଅରେ ସବୁ ତୋଫା ଦେଖାଯାଉଥାଏ । ତଥାପି ଦି’ପାଖରେ କନା ତିଆରି ମଶାଲ ଦି’ଟା ଧରି ଦି’ଜଣ ଲୋକ ଥା’ନ୍ତି । ଗୋଟାଏ ନଳିଥିବା ଢାଳରୁ ମଶାଲ ଉପରେ ମଝିରେ ମଝିରେ ପୁଲାଙ୍ଗ ତେଲ ଢାଳିଦିଆଯାଉଥାଏ । ଏ ବାଜା, ଆଲୁଅ, ନାଟ କ୍ରମେ ଠାକୁରାଣୀଙ୍କ ପାଖରେ ଖେଳ ଦେଖାଇ ସାହି ଭିତରକୁ ପଶିଲେ । ସେତେବେଳକୁ ଝିଅ, ମାଇପେ, ପିଲାଏ ଆସି ଦାଣ୍ଡପିଣ୍ଡାରେ ଏକାଠି ହୋଇଗଲେଣି । ପ୍ରତ୍ୟେକଙ୍କ ଦାଣ୍ଡ ସାମନାରେ ଖେଳ ଦେଖାଇ କିଛି କିଛି ବିଦାକି ହାସଲ କରନ୍ତି ଏମାନେ । ସେମାନେ ଆସି ଦୀନୁବାବୁଙ୍କ ଦାଣ୍ଡରେ ପହଞ୍ଚିଲେ । ପାଳଭୂତ ଦି’ଟା ଦାଣ୍ଡକୁ ଆସୁ ଆସୁ ଯାଇ ପିଣ୍ଡାଉପରେ ଯେଉଁଠି ବୁଢ଼ା ମକଦମ ବସିଥିଲେ ସେଇଠି ମୁଣ୍ଡ ଲଗାଇଲେ । ମକଦମଙ୍କ ଚାରିପାଖରେ ନାତିନାତୁଣୀ ତିନିଜଣ ବସିଥିଲେ । ତାରା ଡରରେ ଟିକିଏ ପଛକୁ ହଟିଗଲା; କିନ୍ତୁ ମୀରା ଏକବାରେ ଚିରିଚିରେଇ କାନ୍ଦିଉଠିଲା । ଜେଜେ ଡରକୁଳୀଟାଏ କହି ତାକୁ ଟେକିନେଇ ମା’ ହାତକୁ ଦେଇଦେଲେ । ଗୋରା ସାମାନ୍ୟ ଟିକିଏ ଡରି ଯାଇଥିଲେ ମଧ୍ୟ ସାନ ଭାଇଭଉଣୀଙ୍କ ସାମନାରେ ସେ ଡରିଯାଇଛି ବୋଲି ଦେଖାଇଦେବାକୁ କୁଣ୍ଠିତ ଥିଲାପରି ଜଣାପଡ଼ୁଥାଏ । ମକଦମଙ୍କ ଦୁଆରେ ଖୁବ୍ ଭଲଭାବରେ ଖେଳ ହେଲା । ‘ପାଳଭୂତ’ ମଧ୍ୟ ଖୁବ୍ ଡିଆଁଡ଼େଇଁ କଲେ । ଶେଷରେ ତାଙ୍କୁ ଲୁଗା ଖଣ୍ଡିଏ ଓ ଟଙ୍କାଟିଏ ବିଦାକି ମିଳିଲା । ଏଇଟା ସେମାନଙ୍କର ମାମୁଲି ପାଉଣା । କେହି ଦିଅଣା ଚାରି ଅଣାରୁ ବେଶି ଦିଅନ୍ତିନାହିଁ; କିନ୍ତୁ ମକଦମଙ୍କ ଘରୁ ଟଙ୍କାଟିଏ ଲୁଗାଟାଏ ତାଙ୍କର ବନ୍ଧା । ‘ପାଳଭୂତ’ ଦଳ ଖେଳ ଦେଖାଇସାରି ପାଖ ସାହିକୁ ଗଲେ । ପିଲାମାନେ ଘରକୁ ଯାଇ ପୁଣି ଶୋଇଗଲେ ।

 

ଏହିପରି ଦଶହରାଛୁଟିଟା ପ୍ରାୟ ସରିଆସିଲା । କଲିକତା, ଖଡ଼ଗପୁର, ଟାଟା ପ୍ରଭୃତି ଜାଗାରେ କାମକରୁଥିବା ଲୋକମାନେ ପୁନେଇଁ ପରଦିନ ସକାଳୁ ବାହାରିପଡ଼ିଲେ ଚାକିରି ଥାନକୁ-। ସେମାନଙ୍କର ଛୁଟି କେଉଁଦିନୁ ସରିଲାଣି; କିନ୍ତୁ ପୁନେଇଁ ବାହାରେ ଆସିବେ ବୋଲି ସେମାନେ ପୂଜାଛୁଟିକୁ ଲଗାଇ ଛୁଟି ଆଣିଥିଲେ । ଗାଁ ପାଖ ସ୍କୁଲ୍‍ ସବୁ ପୁନେଇଁ ଯିବାର ଚାରିଦିନେ ଖୋଲିଗଲା । କଟକରେ କଚେରି ଓ ସ୍କୁଲ୍‍ ମଧ୍ୟ ସେହିଦିନ ଖୋଲିବାର କଥା । ତେଣୁ କଚେରି ଖୋଲିବାକୁ ଦିନେ ଥାଇଁ ଦୀନୁବାବୁ ଗୋରାକୁ ସାଙ୍ଗରେ ଧରି ଗାଡ଼ିରେ କଟକ ବାହାରିଗଲେ-। ଗାଁ ଘରେ ଯେଉଁମାନେ ସଦାଦିନେ ରହିବାର କଥା ସେମାନେ ରହିଗଲେ ।

 

ଏ ବର୍ଷ ଅକ୍‌ଟୋବର ଅଧାରେ ଦଶହରା ପଡ଼ିଥିଲା । ସ୍କୁଲ୍‍ ଖୋଲୁ ଖୋଲୁ ୨୧ ତାରିଖ ହୋଇଗଲା । ମଝିରେ ନଭେମ୍ବର ମାସଟି କେବଳ । ଡିସେମ୍ବର ଦୁଇ ବା ଚାରିରେ ବାର୍ଷିକ ପରୀକ୍ଷା ହେବ । ତେଣୁ ଦଶହରାରୁ ଫେରି ପଢ଼ାପଢ଼ିରେ ଖୁବ୍ ଜୋର ଦେବାକୁ ହେବ । ଛୁଟିରେ ଗାଁରେ ପଢ଼ିବ ବୋଲି ଦିନୁବାବୁଙ୍କ ବରାଦମତେ ଖାତାବହି ସବୁ ଗୋରା ସାଙ୍ଗରେ ଗାଁକୁ ଆଣିଥିଲା-। ବହିରୁ ପାଠତ ଯାହା ହେଲା ମୀରା ଭାଇଙ୍କ ଅନୁପସ୍ଥିତିରେ ତା’ର ଇତସ୍ତତଃ ପଡ଼ିଥିବା ବହିମାନଙ୍କର ସଦ୍‌ବ୍ୟବହାର କରି ତା’ ମଧ୍ୟରୁ କେତେଟାର ମଲାଟ ପୂରା ଛିଣ୍ଡେଇ ଦେଇଥିଲା-। ଅବଶ୍ୟ ପରେ ଜଣାପଡ଼ି ତାକୁ ଯେ ଉତ୍ତମ ମଧ୍ୟମ ହୋଇନାହିଁ ଏକଥା ନୁହେଁ । ତେବେ ବୋଉ ମଇଦା ଅଠା କରି ଛିଣ୍ଡା ମଲାଟ ଓ ଅନ୍ୟାନ୍ୟ ଛିଣ୍ଡା ପୃଷ୍ଠାକୁ ଯଥାସମ୍ଭବ ସଜାଡ଼ି ଦେଇଥିଲେ ମଧ୍ୟ ବହିଟା ଯେ ଛିଣ୍ଡିଯାଇଛି ଓ ତାହାକୁ ଅଠା ଦିଆଯାଇ ମରାମତ କରାଯାଇଛି ଏକଥା ପରିଷ୍କାର ଜଣାପଡ଼ୁଥାଏ ।

 

ଏପରି ବହି ଖାତା ଧରି ଗୋରା ବାର୍ଷିକ ପରୀକ୍ଷା ସକାଶେ ପ୍ରସ୍ତୁତି ଆରମ୍ଭ କରିଦେଲା-। ଷାଣ୍ମାସିକ ପରୀକ୍ଷାରେ ଅଙ୍କ ସାହିତ୍ୟରେ ତ ଭଲ ହୋଇଥିଲା, ଇଂରାଜୀରେ ଗୋରା କ୍ଲାସ୍ ମଧ୍ୟରେ ତୃତୀୟ ହୋଇଥିଲା ଓ ସବୁ ମିଶେଇ ମଧ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲା, ଏହା କମ୍ ଗୌରବର କଥା ନୁହେଁ । ଦୀନୁବାବୁଙ୍କର ତାଗିଦା ଯେ ଗୋରା ଯେପରି ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିବ ।

 

ଦୀନୁବାବୁଙ୍କର ଜଣେ ପିଲାଦିନିଆ ସାଙ୍ଗ ଦୀନୁବାବୁଙ୍କର କଟକ ବସାରେ ମହକିଲ ରହିବା ଘରର ଗୋଟିଏ ବଖରାରେ ଥାଆନ୍ତି । ଦୀନୁବାବୁଙ୍କର ଭାଇ ନାନୁବାବୁ ମଧ୍ୟ ତାଙ୍କରି ସାଙ୍ଗରେ ସେହି ମହକିଲ ରହିବା ଖଞ୍ଜାରେ ବଖୁରିକିଆ ଛୋଟ ଘରଟିରେ ଥାଆନ୍ତି । ନାନୁବାବୁ ସହରର ଜଣେ ନାମଜାଦା ଓକିଲଙ୍କର ମୋହରିର । ମକଦମା ପ୍ରଭୃତି ଚଳାଇବାରେ ସେ ଭାରି ବିଚକ୍ଷଣ । ପଇସା ମଧ୍ୟ କମାନ୍ତି ଅପର୍ଯ୍ୟାପ୍ତ । ସେ ଦୀନୁବାବୁଙ୍କଠାରୁ ପ୍ରାୟ ପନ୍ଦରବର୍ଷ ଛୋଟ । ତେଣୁ ଭାଇଙ୍କୁ ସେ ଭାଇ ବୋଲି ନ ଭାବି ବାପପରି ମାନନ୍ତି । ଥିଏଟର କରିବା ତାଙ୍କର ବଡ଼ ନିଶା-। ତେଣୁ ସେ ଅଧିକାଂଶଦିନ ରାତିରେ ବସାକୁ ଫେରନ୍ତିନାହିଁ । ଭାଇ ଉଠିବା ପୂର୍ବରୁ ସକାଳୁ ଆସି ଶୋଇଯାନ୍ତି । ମଦନା ରୋଷେଇଆକୁ ସେ ଟଙ୍କାପଇସା ଦେଇ ହାତ କରିଥାନ୍ତି । ଦୀନୁବାବୁ ‘ସାନବାବୁ କେତେବେଳେ ଆସିଲେ’ ବୋଲି ମଦନାକୁ ପଚାରିଲେ, ସେ ବରାବର ଜବାବଦିଏ ‘ଆପଣ ଶୋଇବାକୁ ଯିବାର ଠିକ୍ ପଛେ ପଛେ ଆସିଲେ ବୋଲି । ’ ‘ଖାଇକରି ଆସିଥିଲେ କି ବସାରେ ଖାଇଲେ’ ପ୍ରଶ୍ନର ଉତ୍ତରରେ ମଦନ ବରାବର ‘ସାନବାବୁ ଖାଇଛନ୍ତି’ ବୋଲି ଜବାବ୍ ଦିଏ; କିନ୍ତୁ ସାନବାବୁ ଦିନେହେଲେ ରାତିରେ ବସାରେ ଖାଆନ୍ତିନାହିଁ । ମଦନାର ଏହା କରିବାଦ୍ୱାରା ଦୁଇଆଡ଼ୁ ଲାଭ । ସାନବାବୁ ନ ଖାଉଥିଲେ ମଧ୍ୟ ତାଙ୍କପାଇଁ ରୋଷେଇ କରିଛି ବୋଲି ସେ ହିସାବ ଦେଖାଇ ପଇସା ମାରେ; ପୁଣି ସାନବାବୁଙ୍କ ଠାରୁ ବରାବର ମୋଟା ବକ୍ସିସ୍ ପାଏ । ସତ କହିବାକୁ ଗଲେ ମଦନା ଯେ ଦୀନୁବାବୁଙ୍କ ଠାରୁ ତିନିଟଙ୍କା ମାତ୍ର ମାସକୁ ଦରମା ନେଇ ପଡ଼ିରହିଛି । ଏ କଥା ନୁହେଁ । ସେ ନାନୁବାବୁଙ୍କର ମିଲ୍ ବାବଦରୁ ଓ ତାଙ୍କର ବକ୍ସିସ୍‌ରୁ ଦରମା ତା’ର ତିନିଗୁଣ ପାଏ-। ସେଇଥିପାଇଁ ସେ ପଡ଼ିରହିଛି ମାତ୍ର । ସୁବିଧା ଦେଖି ମୋହରିରଟିଏ ହେବ ବୋଲି ଆଶା ରଖିଛି, କାରଣ ତା’ର ବିଦ୍ୟା ବୁଦ୍ଧି ଖୁବ୍‌ କମ୍ ।

 

ଗୋରାର ପଇସା ଦରକାର ପଡ଼ିଲେ ସେ ବାପାଙ୍କୁ ନ କହି ଦାଦାଙ୍କୁ କହେ । କହିବାମାତ୍ରେ ମାଗିବାର ବହୁଗୁଣ ପଇସା ତାକୁ ମିଳିଯାଏ; କିନ୍ତୁ ଦାଦାଙ୍କ ଦର୍ଶନ ପାଇବା କାଠିକର ପାଠ । ସେ ପୁଣି ରହନ୍ତି ରାସ୍ତାର ଆରପାଖରେ ମହକିଲ ରହିବା ଖଞ୍ଜାରେ । ରାତିରେ ତ ଦାଦାଙ୍କ ଦର୍ଶନ ମିଳିବା ବହୁକଷ୍ଟ । ପୁଣି ସକାଳୁ ଗାଧୋଇସାରି ଓକିଲ ଘରକୁ ଯାଇ ସେଠାରେ ଫେରି ଖାଇ କଚେରି ଯାଆନ୍ତି । ସେତେବେଳକୁ ଗୋରା ସ୍କୁଲ୍‍ରେ । ଛୁଟିଦିନମାନଙ୍କରେ ଦାଦା ଚାଲିଯାଆନ୍ତି ଗାଁକୁ । ତେଣୁ ସେ ଖୁବ୍ କ୍ଵଚିତ୍ ଦାଦାଙ୍କୁ ଭେଟେ । ଦାଦା ମଧ୍ୟ ଭାଇଙ୍କ ଭୟରେ ତାଙ୍କ ରହିବା ଖଞ୍ଜାକୁ ଖୁବ୍ କମ୍ ଆସନ୍ତି; କିନ୍ତୁ ବାପାଙ୍କ ସାଙ୍ଗ ରାଧାନାଥବାବୁଙ୍କ ସାଙ୍ଗେ ଗୋରାର ପ୍ରତିଦିନ ସକାଳେ, ସଞ୍ଜେ ଦେଖା । ସେ ମଧ୍ୟ ବେଳେବେଳେ ତାକୁ ଇଂରାଜୀ ପଢ଼ାଇଦିଅନ୍ତି । ସେ କିଲଟରିରେ ଜଣେ କିରାଣି । ଦୀନୁବାବୁଙ୍କ ସାଙ୍ଗରେ ଏଣ୍ଟ୍ରନ୍‌ସ୍ ପାସ୍ କରିଥାଆନ୍ତି ।

 

ସେତେବେଳେ ଅଦାଲତ କିଲଟରିରେ ଓଡ଼ିଆ କିରାଣି ମୋଟେ ନଥା’ନ୍ତି କହିଲେ ଚଳେ । ଏକେ ତ ଏଣ୍ଟ୍ରନ୍‌ସ୍ ପାସ୍‍କଲା ଓଡ଼ିଆ ଥା’ନ୍ତି କମ୍ । ଆଉ ଯିଏ ବା ପାସ୍ କରୁଥିଲା, ସିଏ ବେଶି ପଢ଼ି ବଡ଼ ଚାକିରି କରୁଥିଲା ବା କିରାଣି ନ ହୋଇ ଅନ୍ୟ କେଉଁ ବିଭାଗରେ ଭର୍ତ୍ତି ହୋଇଯାଉଥିଲା । ରାଧାନାଥବାବୁ ଗୋରାକୁ କଟକରୁ କଚେରି ଓ କିଲଟରି ବିଷୟରେ ବହୁକଥା କହନ୍ତି । ସେ ମଧ୍ୟ ଛୁଟିଦିନ ଏପରିକି ଶନିବାର ସନ୍ଧ୍ୟାରୁ ସୋମବାର ସକାଳ ପର୍ଯ୍ୟନ୍ତ ଗାଁରେ ରହନ୍ତି । ତେଣୁ ଗୋରାକୁ ପ୍ରାୟ ନିଃସଙ୍ଗ ଜୀବନଯାପନ କରିବାକୁ ପଡ଼େ ।

 

ଷୋହଳ

 

ଦଶହରା ପରେ ବାର୍ଷିକ ପରୀକ୍ଷା ରହିଥାଏ ମାସକରୁ ଟିକିଏ ବେଶି । ଆଉ ୟା ଭିତରେ ପୁନେଇଁ ପର୍ବ କିଛି ନାହିଁ । ତେଣୁ ପଢ଼ାପଢ଼ିରେ ବାଧା ଆସିବାର ଆଶଙ୍କା ନାହିଁ । ତେବେ କଟକରେ ଦିବାଲି କୁଆଡ଼େ ଖୁବ୍ ଭଲ ହୁଏ । ତା’ ପଛକୁ ବାଲିଯାତ୍ରା । ଗୋରା ଗାଁରେ ଥିଲାବେଳେ ଦଶହରାରେ ଆସି ଦୁର୍ଗା ଦେଖିଥିଲା; କିନ୍ତୁ ଦିବାଲି ବା ବାଲିଯାତ୍ରା କଟକରେ ଦେଖିନାହିଁ । ରାଧାନାଥବାବୁ କଚେରିରେ ବାଣବାଲାମାନଙ୍କର କାମ କ’ଣ କରିଦିଅନ୍ତି ଯେ ସେମାନେ ଦିବାଲି ଆଗରୁ ଟୋକେଇ ଟୋକେଇ ବାଣ ମାଗଣାରେ ଦେଇଯା’ନ୍ତି । ତାଙ୍କର ଗାଁରେ ଝିଅଟିଏ ଛଡ଼ା ଆଉ କେହି ପିଲା ନଥାନ୍ତି । ତେଣୁ ସେସବୁ ବାଣ ରାଧାନାଥବାବୁ ଦୀନୁବାବୁଙ୍କୁ ଦେଇଦିଅନ୍ତି । ଦୀନୁବାବୁ ତାକୁ ଗାଁକୁ ପଠାଇଦିଅନ୍ତି । ଦିବାଲିରେ ଗୋରା, ତାରା ଓ ତାଙ୍କ ସାଙ୍ଗସାଥୀମାନେ ଖୁବ୍ ବାଣ ମାରନ୍ତି; କିନ୍ତୁ କଟକ ଦିବାଲି କେମିତି ତାକୁ ଜଣାନାହିଁ ।

 

ଦିବାଲି ଓ କାଳୀପୂଜାକୁ ମାତ୍ର ଦିନେ ଛୁଟି । ରବିବାରକୁ ଲଗାଇ ସେ ବର୍ଷ ଦିବାଲି ପଡ଼ିଯିବାରୁ ଛୁଟିଟା ଦିଦିନ ମିଳିଗଲା । ତେଣୁ ଗୋରାକୁ ସମୟ ମିଳିଲା ବାଣ ଠିକ୍ କରିବାକୁ ଓ ଦାଣ୍ଡ ସଜାଇବାକୁ । ସୋମବାର ଦିବାଲି । ଆଗର ରବିବାରଠାରୁ ବାଉଁଶ ତାଞ୍ଛି ବତା ତିଆରି କରି, ବାଣସବୁକୁ ଖରାରେ ଶୁଖାଇ, ଦୀପ ଧୋଇ ସଜାଡ଼ି, ତେଲ ଆଣି ଠିକ୍‌ଠାକ୍ ରଖିବାକୁ ହେବ । ଏସବୁ କାମରେ ମଦନର ସାହାଯ୍ୟ ସେ ଲୋଡ଼ିଥିଲା । ସାହାଯ୍ୟ ପାଇଥିଲା ମଧ୍ୟ; ଅବଶ୍ୟ କିଛି ପଇସା ବିନିମୟରେ । ଦୁଇଦିନ ଛୁଟିଥିବାରୁ ଦୀନୁବାବୁ ଶନିବାରଠାରୁ ଗାଁକୁ ଚାଲିଗଲେ । ଏଥର ଆଉ ଗୋରାକୁ ନେଲେ ନାହିଁ । ପଢ଼ାପଢ଼ି ଚଗଲା ହେବ ବୋଲି । ରାଧାନାଥବାବୁ ମଧ୍ୟ ଗାଁକୁ ଗଲେ । ବସାରେ ରହିଲେ ବନୁବାବୁ, ମଦନ ଓ ଗୋରା । ଗୋରା ମନ ଏ ବ୍ୟବସ୍ଥାରେ ଭାରି ଖୁସି; କାରଣ ସେହି ରବିବାର ଦିନଠାରୁ ଚିନିତିଆରି କୁକୁର, ବିଲେଇ, ମାଙ୍କଡ଼, କୁକୁଡ଼ା ପ୍ରଭୃତି ଧଳା, ନାଲି, ନେଳି ମିଠେଇ ନେଇଆସିଲେ । ଗୋରା ଅବଶ୍ୟ ସ୍କୁଲ୍‍ ଯିବାଆସିବାବେଳେ ଗୁଡ଼ିଆ ଦୋକାନରେ ଥାଳିରେ ପଶି ଥାକମାନଙ୍କରେ ଏ ପ୍ରକାର ମିଠେଇ ଥୁଆହୋଇଥିବାର ଦେଖିଥିଲା; କିନ୍ତୁ ସେ ଯେ ଏତେ ସୁବିଧାରେ ତା’ର ହସ୍ତଗତ ହେବ ଏକଥା ସେ ଭାବି ନଥିଲା । ଗୋରା ସେଗୁଡ଼ିକୁ ଭରସି କରି ଆଗ ଆଗ ଖାଇଲାନାହିଁ; କିନ୍ତୁ ଟେବୁଲ୍ ଉପରେ ଧରି ଏପାଖ ସେପାଖ କରୁ କରୁ ଯେତେବେଳେ କାହାର ଗୋଡ଼, ଲାଙ୍ଗୁଡ଼ ବା ମୁଣ୍ଡ ଛିଡ଼ିପଡ଼େ, ସେତେବେଳେ ସେ ଅଂଶଟାକୁ ପାଟିକୁ ପକାଇଦିଏ ।

 

ରବିବାର ପରେ ସୋମବାର ସକାଳୁ ସେ ଯାଇ ଦୁଇ ତିନୋଟି କାଳୀମୂର୍ତ୍ତି ଓ ମାରୁଆଡ଼ିପଟିର ସାଜସାଜ୍ଜା ଦେଖିଆସିଲାଣି । ଖାଲି ଗାଡ଼ିଗାଡ଼ି କଦଳୀଗଛ ଆସୁଛି । ବଜାର ସବୁ ଯେ କିପରି ସଜାହେବ ଗୋରା କଳନା କରିପାରୁନାହିଁ । ତେବେ ଝୁଲଣବେଳେ ସେ ମାରୁଆଡ଼ିପଟିରେ ଥିବା ଦୁଇ ତିନୋଟି ମନ୍ଦିରର ସାଜସଜ୍ଜା ଦେଖିଛି । ସେତେବେଳେ ସେଗୁଡ଼ିକ ନାନାପ୍ରକାର ଫୁଲକୁଣ୍ଡ, ଫଟୋ, ମୂର୍ତ୍ତି ଓ ଦର୍ପଣରେ ଖୁବ୍ ସଜାଯାଇଥିଲା । ଜାଗାଏ ଦି’ଜାଗା ଗୋଟିପୁଅ ନାଚ ହେଉଥିଲା । ଠାକୁର ଦୋଳିରେ ଝୁଲୁଥିଲେ; କିନ୍ତୁ ଦିବାଲିରେ କ’ଣ ହେବ ? ଦାଦା ତ କହୁଥିଲେ ନାଟ ହେବନାହିଁ ବୋଲି । ଦେଖାଯାଉ କ’ଣ ହେଉଛି ?

 

ଗୋରା ଘରକୁ ଫେରି ପୁଣି ତା’ ବାଣଗୁଡ଼ାକୁ ଖରାରେ ଦେଲା । ପରୀକ୍ଷା କରିବାପାଇଁ ମଝିରେ ମଝିରେ ସେଥିରୁ ଫୁଟାଇଦିଏ । ପାଖଘରେ ଆଉ ଗୋଟିଏ ବଙ୍ଗାଳୀ ପରିବାରର ଦୁଇଜଣ ପିଲା ଥାଆନ୍ତି । ସେମାନେ କଲେଜିଏଟ୍ ସ୍କୁଲ୍‍ରେ ପଢ଼ନ୍ତି । ସେମାନଙ୍କ ସାଙ୍ଗରେ ବେଶି ସାଙ୍ଗ ହୋଇନାହିଁ ସତ; କିନ୍ତୁ ଚିହ୍ନା-ପରିଚୟ କଥାବାର୍ତ୍ତା ଚଳେ । ସେମାନେ ଗୋରାର ବାଣର ଜବାବ୍ ଦିଅନ୍ତି ବାଣରେ ।

 

ଖାଇସାରି ଦିପହରଟା ଦୀପ ସଜାଡ଼ିବାରେ ଲାଗିଗଲା ଗୋରା । କଦଳୀଗଛ ଦୁଇଟା ହୋଇଥିଲେ ‘ଗେଟ୍’ ସଜାଇଥାନ୍ତା; କିନ୍ତୁ ହେଲାନାହିଁ । ତେଣୁ ସେ କୋଠା ଉପରେ ବାରଣ୍ଡାରେ ଗୋବର ମାଟିର ପିଣ୍ଡୁଳାମାନଙ୍କ ଉପରେ ମାଟିର ଦୀପଟିମାନ ସଜାଇ ଥୋଇଦେଲା । ଖାଲି ତେଲ ସଳିତା ପଡ଼ିଲେ ଜଳାଇ ଦିଆଯିବ । ମଦନ ମନ ଖୁସି ଥାଏ; କାରଣ ଘରର ମାଲିକ ସେତେବେଳେ ନାନୁବାବୁ । ସାନବାବୁଙ୍କ ବରାଦରେ ଖାଇବା-ପିଇବାଠାରୁ କୌଣସି କଥାର ଅଭାବ ନାହିଁ । ଭାଇ ଗୋରାର ଦାୟିତ୍ୱ ଦେଇଯାଇଥିବାରୁ ନାନୁବାବୁ ଘର ଛାଡ଼ି କୁଆଡ଼େ ଯାଉନାହାନ୍ତି । ସନ୍ଧ୍ୟାବେଳକୁ ଦାଦା ଓ ମଦନଙ୍କ ସହାୟତାରେ ଦୀପରେ ତେଲ ସଳିତା ପ୍ରସ୍ତୁତ ହୋଇଗଲା । ଗୋରା ଗୋଟିକ ପରେ ଗୋଟିଏରେ ନିଆଁ ଲଗାଇଦେଲା । ଲଗାଇସାରି ଚାରିଆଡ଼କୁ ଅନାଇ ଅନ୍ୟମାନଙ୍କ କୋଠା କିପରି ସଜାହୋଇଛି, ଥରେ ଦେଖିନେଲା । ତା’ପରେ ବାଣଫୁଟା । ଝରଝରି, ଚଡ଼ଚଡ଼ି, ଚୁଚୁନ୍ଦ୍ରି, ହନୁମାନକିଳା ଏସବୁକୁ ଫୁଟାଇବାରେ ଗୋରା ଧୁରନ୍ଧର; କିନ୍ତୁ ହାବେଳି ଘଡ଼ିବାଣ ବା ଡବଲଫୋଟକା ଫୁଟାଇବାକୁ ଗୋରାକୁ ଟିକିଏ ଡରମାଡ଼େ । ସେଗୁଡ଼ା ଦାଦା ବା ମଦନ ଫୁଟାନ୍ତି । ଭାଗ୍ୟେ ଦୀନୁବାବୁଙ୍କର ଘର ଦି’ପାଖରେ କୋଠାଘର । ଚାଳଘର ହୋଇଥିଲେ ହୁଏତ ନିଆଁ ଲାଗିଯାଆନ୍ତାଣି । ଗୋରାର ଆଉ ବାଣ ଫୁଟାଇବାକୁ ଇଚ୍ଛା ହେଉ ନଥାଏ । କିପରି ସେ ଯିବ ସାଜସଜ୍ଜା ଦେଖିବାକୁ । ଗୋରା ଦାଦାଙ୍କୁ ୟା ଭିତରେ କେତେଥର କହିସାରିଲାଣି । ସଜାସଜି ଜମି ନଥିବ ବୋଲି ଦାଦା ଡେରି ଡେରି କରୁଥିଲେ । ଶେଷକୁ କଥା ହେଲା ବଜାରରୁ ଫେରି ବାକି ବାଣ ଫୁଟାଇବା, ଦୀପ ଜଳାଇବା । ଦାଦା, ମଦନ ଓ ଗୋରା ବାହାରିଲେ ବଜାର ବୁଲି ଦେଖିବାକୁ । ମଦନ ଦିନରୁ ମାଂସ ତରକାରୀ କରି ରଖିଦେଇଛି, ବଜାରରୁ ଫେରି ଖାଲି ପରଟା କେଇଖଣ୍ଡ କଲେ ହେଲା ।

 

ଓସ୍ତ ଗଛଠାରୁ ଆରମ୍ଭ କରି ବାଲୁବଜାର ଛକଯାଏ ଯିବାର କଥା । ବଜାର କହିଲେ ସେହିତକ । ଆଜିକାଲିପରି ଆଉ ରାସ୍ତାର ଦୁଇ ପାଖରେ ଏତେ ଦୋକାନ ନଥାଏ । କଟକରେ ସେତେବେଳେ ବିଜୁଳିବତି ହୋଇ ନଥାଏ । ଆଲୁଅର ଯାହା ସଜାସଜି ସେହି ଦୀପ, ମହମବତୀ ବା ଅତି ବେଶି ହେଲେ କେଇଟା ‘ଡେ-ଲାଇଟ୍’ ବା ଗ୍ୟାସ୍ ଲାଇଟ୍‍ଦ୍ଵାରା । ଫୁଲକୁଣ୍ଡ, ମୂର୍ତ୍ତି, ଫଟୋ ଓ ଆରସିରେ ସବୁ ଦୋକାନ ସଜା । ମଝିରେ ମଝିରେ ଫୋଟକା ମଧ୍ୟ ମରାଯାଉଛି । ତେଣୁ ସେଥିପାଇଁ ସାବଧାନ ହେବାକୁ ହେଉଛି । କଦଳୀ ଗଛ ଗେଟ୍‌ର ବତାର ପାହାଚପରି ହୋଇ ତା’ ଉପରେ ଦୀପ ସବୁ ଖଞ୍ଜାଯାଇଛି । ଏକପ୍ରକାର ସାଜସଜ୍ଜା ସବୁଜାଗାରେ ଦେଖି ଗୋରାକୁ ଭଲ ଲାଗିଲାନାହିଁ । ତା’ ଉପରେ ପୁଣି ପାଖରେ, ଆଗରେ, ପଛରେ ବେଳେବେଳେ ଗୋଟାଏ ଗୋଟାଏ ଡବଲ ଫୋଟକା ଢୋଢ଼ୋ ହୋଇ ଫୁଟିଯାଉଛି । ଗୋରା ଶୀଘ୍ର ଘରକୁ ଫେରିବାକୁ କହିଲା । ଦାଦାଙ୍କଠାରୁ ଶୁଣିଲା ଯେ ଦିବାଲିକୁ ଦୋକାନୀମାନଙ୍କର ନୂଆ ଖାତା ହୁଏ । ଲକ୍ଷ୍ମୀପୂଜା କରନ୍ତି । କିପରି ଆସନ୍ତା ବର୍ଷକୁ ଲାଭ ଓ ଶୁଭ ଉଭୟ ହେବ ।

 

ଘରକୁ ଫେରି ଆଉ ଗୋଟାଏ ଯୋଡ଼ାଏ ବାଣ ଫୁଟାଇ ଗୋରାକୁ ନିଦ ଲାଗିଲା । ଦିନଯାକ ତଳ ଉପର, ଏପାଖ ସେପାଖ ହୋଇ ସେ ବଡ଼ କ୍ଳାନ୍ତ ହୋଇପଡ଼ିଥିଲା । ତେଣୁ ମଦନ ଡାକିବାମାତ୍ରେ ଭଲ କରି ହାତଗୋଡ଼ ଧୋଇ ସେ ଖାଇ ଶୋଇପଡ଼ିଲା ।

 

କଟକରେ ସାଙ୍ଗମାନଙ୍କଠାରୁ ଶୁଣିଥିଲା, “ଆରେ ଛତରା, ଦଶରା ଗଲା ଦିବାଲି ଗଲା, ଆଉ ରହିଲା ବାଲିଯାତ୍ରା ।” ଗୋରାର ସବୁ ହୋଇଗଲାଣି, କେବଳ ବାଲିଯାତ୍ରାଟା ଦେଖାହେଲେ, ସେ ପୂରା କଟକିଆ ହୋଇଯିବ । ଅମୁକଟା ଦେଖିନାହିଁ ବୋଲି ତାକୁ କେହି କହିପାରିବେ ନାହିଁ । କାର୍ତ୍ତିକ ପୂର୍ଣ୍ଣିମା ଦିନ ସଞ୍ଜକୁ କଟକ କିଲାପଡ଼ିଆ ପାଖ ଗଡ଼ଗଡ଼ିଆଠାରେ ବାଲିଯାତ୍ରା ହୁଏ । ପୂର୍ଣ୍ଣିମା ଦିନ ସକାଳୁ କଟକ ପାଖ କାଠଯୋଡ଼ି ଓ ମହାନଦୀରେ ରାତି ଥାଉଁଥାଉଁ ଲୋକେ ଗାଧୋଇ, ସଂକୀର୍ତ୍ତନ କରି ପଞ୍ଝା ପଞ୍ଝା ହୋଇ ନିଜ ନିଜର ବଜାର ବା ସାହିକୁ ଫେରିଆସନ୍ତି । କିଲାପଡ଼ିଆ ପୂର୍ବମୁଣ୍ଡ ରାସ୍ତାରୁ ଗଡ଼ଗଡ଼ିଆ ଘାଟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୁଇ ପାଖରେ ଦୋକାନ ବସେ । ଆଜିକାଲି ଯେପରି ସାରା ପଡ଼ିଆଟାଯାକ ଧାଡ଼ିଧାଡ଼ି ହୋଇ ଦୋକାନ ବସି ଦିନ ଦିନଧରି ଯାତ୍ରା ହେଉଛି, ସେପରି ଯାତ୍ରା ହେଉ ନଥିଲା । ଦୋକାନ ବଜାର ପୁନେଇଁଦିନ ଦିପହରକୁ ବସି ଅତି ବେଶି ତା’ପରଦିନ ଭୋର ପର୍ଯ୍ୟନ୍ତ ରହେ । ତା’ପରେ ଭାଙ୍ଗିଯାଏ । ବାଲିଯାତ୍ରାର ବିଶେଷତ୍ଵ ହେଲା ଦହିବରା, ଖୁବ୍ ବଡ଼ବଡ଼ ଶିଳପୁଆ ପରି ଲେଡ଼ିକିନି ଓ ଛେନା ତରକାରୀ । ସେଦିନ ସେଠାକୁ ଯେଉଁମାନେ ଯାଆନ୍ତି, ସେମାନେ ପ୍ରାୟ ଏସବୁ ଜିନିଷ ଖାଆନ୍ତି । କେବଳ ଗୋଟିଏ ଛୋଟ ଅଣ‌ଓସାରିଆ ରାସ୍ତାର ଦୁଇପାଖରେ ଦୋକାନ ବସୁଥିବାରୁ ଓ ବିଜୁଳି ଆଲୁଅ ସେତେବେଳକୁ କଟକରେ ନଥିବାରୁ ଗ୍ୟାସ୍ ଆଲୁଅ ବା ପେଟ୍ରୋମାସ୍କ ଆଲୁଅରେ ଦୋକାନସବୁ ଆଲୁଅ କରାଯାଇଥାଏ । ଆଜିକାଲିକା ପରି ସ୍ତ୍ରୀଲୋକମାନେ ସେତେବେଳେ ବାଲିଯାତ୍ରା ଦେଖି ଯାଉ ନଥିଲେ । କାରଣ ସହରଟା ସାଧାରଣତଃ କାଠଯୋଡ଼ିକୂଳରେ ଥାଏ । ସେଠାରୁ ରାତିରେ ଗଡ଼ଗଡ଼ିଆ ଘାଟକୁ ଯିବାପାଇଁ ଯାନବାହନର ବ୍ୟବସ୍ଥା ନଥିଲା । ଟଣା ରିକ୍ସା ବା ସାଇକେଲ ରିକ୍ସା ସେତେବେଳେ କଟକରେ ଚାଲୁ ନଥାଏ । ଚାଲୁଥିଲା ବଗିଗାଡ଼ି ନଚେତ୍ ଏକ ବଳଦିଆ ବା ଦୁଇବଳଦିଆ ତାଟଲଗା ଶଗଡ଼ଗାଡ଼ି । ଏଥିଯୋଗୁଁ ଅଧିକାଂଶ ଲୋକେ ପିଲାପିଲି ନେଇ ସେଠାକୁ ରାତିରେ ଯିବାକୁ ଭୟ କରୁଥିଲେ ।

 

ଦୀନୁବାବୁ ଟିକିଏ କଡ଼ା ମିଞ୍ଜାସର ଲୋକ; କିନ୍ତୁ ସେଥର ରାଧାନାଥବାବୁଙ୍କ ଅନୁରୋଧରେ ଗୋରାକୁ ନେଇ ସେ ଓ ଦୀନୁବାବୁ ଚାଲିକରି ବାଖରାବାଦରୁ ବାଲିଯାତ୍ରା ଦେଖିବାକୁ ସନ୍ଧ୍ୟା ପାଞ୍ଚଟାରେ ବାହାରିଲେ । ସେଠାରେ ପହଞ୍ଚି ଏମୁଣ୍ଡରୁ ସେମୁଣ୍ଡ ଯାଏଁ ବୁଲାବୁଲି କରି ଫେରିଲେ । ଦୀନୁବାବୁ କେବେହେଲେ ବାହାର ଦୋକାନରୁ ଜଳଖିଆ ଖାଇବେ ନାହିଁ କି ଗୋରାକୁ ଖାଇବାକୁ ଦେବେନାହିଁ । ଗୋରା ଭାବୁଥାଏ, ବାପା ସାଙ୍ଗରେ ନ ଆସି ଦାଦା ଆସିଥିଲେ ଭାରି ମଜା ହୋଇଥାନ୍ତା । ଯାତ୍ରାଦେଖା ନ ହେଉ ପଛେ ପାଟିସୁଖଟା ନିଶ୍ଚୟ ହୋଇଥାନ୍ତା । ତେବେ ରାଧାନାଥବାବୁ ଗୋରାକୁ ଗୋଟିଏ ପ‌ଇସା ଦେଇ ସେଇ ଲେବେନ୍‌ଚୁସ୍‍ବାଲାର ଚକ୍ରିରେ ବସାଇବାକୁ କହିଲେ । ଗୋରାର ଭାଗ୍ୟ ସେତେ ଭଲ ନୁହେଁ–ପ୍ରଥମ ପୁରସ୍କାର ସେ ପାଇଲା ନାହିଁ-। ତେବେ ଦୁଇ ଚାରିଟା ନ ଉଠି ତା’ ଭାଗ୍ୟକୁ ସତରଟା ଉଠିଲା । ଯଥାଲାଭ । ସେଇଥିରୁ ଗୋଟିଏ ଗୋଟିଏ ପାଟିରେ ପକାଇ ଗୋରା ବୁଲୁଥାଏ । କିଲାପଡ଼ିଆ ଭିତରେ ଚକ୍ରୀ ଆଉ ଦୋଳି ଲାଗିଥାଏ । ଗୋରାର ଇଚ୍ଛାଥାଏ ଥରେ ସେଥିରେ ବସିବ ବୋଲି; କିନ୍ତୁ ବାପାଙ୍କୁ ଭରସି କହିପାରୁ ନଥାଏ । ସେଥିରେ କୁଆଡ଼େ ବସିଲେ ମୁଣ୍ଡ ବୁଲେଇ ପଡ଼ିଯିବ । କାହିଁ, ସେ ତ ଥରେ ପରମହଂସ ଜାଗର ଯାତ୍ରାରେ ବସିଥିଲା ଚକ୍ରୀରେ; ତା’ର ତ କିଛି ହୋଇ ନଥିଲା; କିନ୍ତୁ ଏକଥା କହୁଛି କିପରି-? ତେଣୁ ବାଧ୍ୟହୋଇ ସେ ଆଶା ଛାଡ଼ିଲା । ଯାତ୍ରାରେ ସ୍କୁଲ୍‍ ସାଙ୍ଗ ଗୋଟାଏ ଦୁଇଟାଙ୍କୁ ଭେଟିଲା । ସାଙ୍ଗମାନେ ଯେମିତି ସମ୍ବୋଧନ ଆରମ୍ଭ କରୁଥିଲେ, ସେ ଆଖି ତରାଟି ବାପାଙ୍କ ଆଡ଼କୁ ଦେଖାଇ ଦେବାରୁ ସେମାନେ ବାଟ ଭାଙ୍ଗି ଭିନ୍ନ‌ଆଡ଼େ ମୁହିଁଲେ । ରାତି ବାରଟାବେଳେ କାର୍ତ୍ତିକେଶ୍ଵର ମେଢ଼ ମେଳନ ଓ ବିସର୍ଜନ ପାଇଁ ଗଡ଼ଗଡ଼ିଆ ପାଖକୁ ଆସିବେ । ସେତିକିବେଳକୁ କୁଆଡ଼େ ଅସଲ ମଜା-। ମହତାବ୍ ଆଲୁଅରେ ଆଉ ପାଟିରେ ସାରା ଅଞ୍ଚଳଟା ଉଠେ ପଡ଼େ; କିନ୍ତୁ ଏମିତି କେଉଁ ବର୍ଷ ଯାଏନାହିଁ, ଯେଉଁ ବର୍ଷ କି ବଜାର ବଜାର ଭିତରେ ଛୋଟ ବଡ଼ ଲଢ଼େଇଟାଏ ନହୁଏ । ତେଣୁ ସେତେରାତିକୁ ଭଦ୍ରଲୋକ କେହି ସେଠାରେ ରହିବା ଠିକ୍ ନୁହେଁ ବୋଲି ଦୀନୁବାବୁଙ୍କର ମତ ।

 

ରାତି ଦଶଟାରେ ବାପାଙ୍କ ସାଙ୍ଗରେ ଗୋରା ଘରକୁ ଫେରିଲା । କେତେ କାଠ ଦୋକାନ, ଚ‌ଉକି, ଆଲମାରି, ଆଲଣାଠାରୁ ଆରମ୍ଭକରି ବେଲଣାପେଡ଼ି ଓ ଗୁଡ଼ି ନଟେଇ ପର୍ଯ୍ୟନ୍ତ ବିକୁଛନ୍ତି । ଗୋରାର ଇଚ୍ଛାଥିଲା ଗୋଟିଏ ନଟେଇ କିଣିବ ବୋଲି; କିନ୍ତୁ ଅବସ୍ଥା ଯାହା ସେଥିରେ ସେ ପ୍ରସଙ୍ଗ ଉଠାଇବା ବିପଜ୍ଜନକ ମଣି ସେ ଚୁପ୍ ରହିଲା । ଦିପ‌ଇସାର ଚିନାବାଦାମ ଅବଶ୍ୟ ଦୀନୁବାବୁଙ୍କ ଅଜାଣତରେ ରାଧାନାଥବାବୁ କିଣି ଗୋରାକୁ ଦେଇଥିଲେ । ଗୋରା ସେଇଥିରୁ ଗୋଟିଏ ଗୋଟିଏ ଠୁକ୍ ଠୁକ୍ କରି ଖାଇ ଖାଇ ବସାକୁ ଫେରିଲା । ଚିନାବାଦାମ ଖାଉଛି ବୋଲି ଜାଣିଲେ ମଧ୍ୟ ବିପଦ ଥିଲା । ତେଣୁ ସେ କାମଟା ମଧ୍ୟ ଦେଖି-ଚାହିଁ ହୁସିଆରିରେ କରିବାକୁ ପଡ଼ୁଥିଲା ।

 

ଏପରି ଯାତ୍ରା ଦେଖିବା ଅପେକ୍ଷା ନ ଦେଖିବା ଭଲ ବୋଲି ତା’ର ମନେ ହେଉଥାଏ । ଏଇ ଚିନାବାଦାମ, ଲେବେନ୍‌ଚୁସ୍ ଖାଇବାକୁ ଏତେ ପରିଶ୍ରମ ! ସେ ପୁଣି ଖୋଲାଖୋଲି ଭାବରେ ନୁହେଁ–ଲୁଚେଇ ଲୁଚେଇ । ନାଲିମାଟି ରାସ୍ତାରେ ଚାଲି ଚାଲି ଗୋଡ଼ ଆଣ୍ଠୁ ପର୍ଯ୍ୟନ୍ତ ଲାଲ ହୋଇଥିଲା । ଗୋରା ସେସବୁକୁ ଧୋଇ ଶୋଇପଡ଼ିବାକୁ ବସିଥିଲା; କିନ୍ତୁ ପୁନେଇଁ ବୋଲି କାନିକା, ଆଳୁଦମ୍ ଓ ଟିକିଏ କ୍ଷୀରୀ କରିବାକୁ ବାପା ମଦନକୁ କହିଯାଇଥିଲେ । ତେଣୁ ଗୋରା ସେଥିରୁ ପେଟେ ଖାଇ ଶୋଇବାକୁ ଗଲା । ସମସ୍ତଙ୍କୁ ଖାଇବାକୁ ଦେଇ ବଡ଼ବାବୁ ଶୋଇସାରିଲା ପରେ ସାନବାବୁ ଓ ମଦନ ମଧ୍ୟ ଯାତ୍ରା ଦେଖିଯିବେ ବୋଲି ତରତର ହେଉଥାନ୍ତି ।

 

ପରୀକ୍ଷା ଆଉ ଦଶ ବାର ଦିନ ଥାଏ । ଗୋରା ପ୍ରାୟ ସବୁ ବିଷୟ ଥରେ ଦୁଇଥର ପଢ଼ିସାରିଲାଣି । ପଚାରିଲେ ସବୁ କହିଯିବ; କିନ୍ତୁ ପରୀକ୍ଷାପାଇଁ ଗୋଟାଏ କେମିତି ତା’ର ଭୟ ରହିଯାଇଥାଏ । ଗୋରାକୁ ପଢ଼ାଇବାକୁ କେହି ମାଷ୍ଟର ନଥାନ୍ତି; କିନ୍ତୁ ଦୀନୁବାବୁ ଫୁରୁସତ୍ ପାଇଲେ ବରାବର ଗୋରା ପାଠକଥା ବୁଝନ୍ତି । ତା’ଛଡ଼ା ରାଧାନାଥବାବୁ ମଧ୍ୟ ଗୋରାର ପଢ଼ାରେ ବିଶେଷ ସାହାଯ୍ୟ କରନ୍ତି । ଗୋରା ତାଙ୍କର ଚେଷ୍ଟା ଫଳରେ ଇଂରାଜୀରେ ଖୁବ୍ ଭଲ କରୁଥାଏ । ବାର୍ଷିକ ପରୀକ୍ଷା ଡିସେମ୍ବର ପ୍ରଥମ ସପ୍ତାହରେ ସରିଗଲା । ତା’ପରେ ପ୍ରତିଦିନ ସ୍କୁଲ୍‍କୁ ଯିବାକୁ ହୁଏ; କିନ୍ତୁ ଉପସ୍ଥାନ ପରେ ପରେ କିଏ କୁଆଡ଼େ ଚାଲିଯାନ୍ତି । କେହି କେହି ସ୍କୁଲ୍‍ ପଡ଼ିଆରେ ଖେଳନ୍ତି; କିନ୍ତୁ ଅନ୍ୟମାନେ ସାଙ୍ଗହୋଇ କେଉଁଦିନ ଗୋରାକବର ଆଡ଼େ ତ କେଉଁ ଦିନ ଯୋବରା ଆଡ଼େ ବୁଲି ଚାଲିଯାଆନ୍ତି । ବୁଲି ବୁଲି ସନ୍ଧ୍ୟାବେଳକୁ ଘରକୁ ଫେରି ଶୋଇଯାନ୍ତି । ପରୀକ୍ଷା ତ ସରିଥାଏ । ତେଣୁ ପାଠପଢ଼ାର ତାଗଦା ସେତେ ନଥାଏ ।

 

ଏଇ ଶୀତଦିନଟାରେ ଗୋରାଙ୍କ ଘରପାଖ ସନ୍‌ସାଇନ୍ ପଡ଼ିଆରେ ଗୁଡ଼ି ଉଡ଼ାଇବାଠାରୁ ମେଣ୍ଢା ଲଢ଼ାଇ ପର୍ଯ୍ୟନ୍ତ କେତେପ୍ରକାର ଖେଳ ହୁଏ । ଗୋରାର ଭାରି ସଉକ ଗୋଟାଏ ଗୁଡ଼ି ଓ ଗୁଡ଼ିଉଡ଼ା ନଟେଇ କିଣିବ ବୋଲି; କିନ୍ତୁ ଏଥିସକାଶେ ପଇସାର ଯୋଗାଡ଼ ହୋଇ ପାରୁ ନଥାଏ । ଦାଦାଙ୍କୁ ମାଗିଲେ ହୁଏତ ପଇସା ମିଳିଯିବ; କିନ୍ତୁ ଦୀନୁବାବୁ ଗୁଡ଼ି ଉଡ଼େଇବାର ଭାରି ବିରୋଧୀ । ଗୁଡ଼ି ଉଡ଼େଇଲେ ହୁଏତ କେହି ଜାଣି ପାରନ୍ତେ ନାହିଁ । ମଦନକୁ ମୋଟେ ବିଶ୍ୱାସ ନାହିଁ । ଯାହା କଲେ ସେ ମନା କରିବ ନାହିଁ; କିନ୍ତୁ ଚୁପ୍‌କରି ବାପାଙ୍କ ଆଗରେ ଫୋଡ଼ିଦେବ ସେ, ଗାଳି-ମାଡ଼ର ଆଉ ସୀମା ରହିବ ନାହିଁ । ତେଣୁ ମଦନାର ଆଖି ଆଗରେ ଗୋରା କିଛି କରେ ନାହିଁ । ସନ୍‍ସାଇନ୍ ପଡ଼ିଆରେ ଅବଶ୍ୟ ସାଙ୍ଗପିଲାଙ୍କଠାରୁ ପାଞ୍ଚ ମିନିଟ ଦଶ ମିନିଟ୍ ନଟେଇଟା ମାଗିନେଇ କିପରି ଗୁଡ଼ି ଉଡ଼େଇବାକୁ ହେବ ସେ ବିଦ୍ୟା ଟିକିଏ ଟିକିଏ ହାସଲ କରିଛି; କିନ୍ତୁ ତା’ ମାଗିଆଣିଲା ତିଅଣ ପରି, ପାଟି ଜାଣେନାହିଁ କି ପେଟ ପୂରେନାହିଁ ।

 

ଏହା ଛଡ଼ା ବଲ୍ ଖେଳିବା, ଗୁଚିତାଣ୍ଡୁ ଖେଳିବା ପ୍ରଭୃତିରେ ଗୋରା କିଛି କିଛି କରାମତି ଏହା ମଧ୍ୟରେ ହାସଲ କରିଛି । ଗାଁରେ ସେ ଭଲ ଡୁଡ଼ୁ ଖେଳିପାରୁଥିଲା; କିନ୍ତୁ କଟକରେ ଏ ଖେଳପ୍ରତି ସାଙ୍ଗସାଥୀଙ୍କର ସେତେ ଆଗ୍ରହ ନଥିବାରୁ ସେ କଟକୀ ଗୁଲିଖେଳ, ନଟୁଖେଳ ଶିଖିବାକୁ ଚେଷ୍ଟା କରିଛି; କିନ୍ତୁ ଏ ସବୁ ଖେଳ ତା’ ମନକୁ ପାଏନାହିଁ । କେବଳ ବଲ୍ ଖେଳ, ଗୁଚିତାଣ୍ଡୁ ଖେଳ ତାକୁ ଟିକିଏ ଭଲ ଲାଗେ । ବଲ୍ ଖେଳିବାକୁ ପୁଣି ବଲ୍ ଜୁଟେ ନାହିଁ । ପଇସାଏ ଦେଇ କନାର ଗୋଟାଏ ବଲ୍‌ କିଣି ଦି’ଦି’ଟା ପଥର ରଖି ଗୋଲ ପୋଷ୍ଟ ତିଆରି କରି ଦଶବାର ଜଣ ପିଲା ଏକାଠି ହୋଇ ଖେଳନ୍ତି । ଦୁଇ ଚାରିଦିନ ପରେ ବଲ୍‍ଟି ଛିଣ୍ଡି ତା’ ଭିତରୁ କନାମେଞ୍ଚା ବାହାରିପଡ଼େ । ପୁଣି ଗୋଟିଏ ବଲ୍‌ ଆସିବା ପର୍ଯ୍ୟନ୍ତ ଖେଳ ବନ୍ଦ ରହେ । ଦିନେ ଦିନେ ସନ୍‌ସାଇନ୍ ପଡ଼ିଆରେ ମେଣ୍ଢା-ଲଢ଼ାଇ ହୁଏ । ରାମା ଧୋବା ଘର ସନ୍‍ସାଇନ୍ ପଡ଼ିଆକୁ ଲାଗି । ତା’ର ଗୋଟାଏ ମସ୍ତ ମେଣ୍ଢାଥାଏ । ତେଲେଙ୍ଗାବଜାର ଆଡ଼ୁ ଆଉ ଜଣେ ଦୁଇ ଜଣ ଦି’ଟା ମେଣ୍ଢାଙ୍କୁ ଆଣନ୍ତି । ମେଣ୍ଢା ସବୁ ଚେନ୍‌ରେ ବନ୍ଧା ହୋଇଥାନ୍ତି । ଦୁଇପାଖରୁ ଦି’ଟା ମେଣ୍ଢାଙ୍କୁ ଦୌଡ଼େଇ ଆଣିଲେ ସେମାନେ ଆସି ଢାଇକିନା ମୁଣ୍ଡକୁ ମୁଣ୍ଡ ଲଢ଼ାଇ କରିଦିଅନ୍ତି । ଏମିତି କେତେ ଥର ଲଢ଼ାଇ ହେଲାପରେ ଯିଏ ହାରିଯାଏ ସେ ପଛମୁହାଁ ହୋଇ ପଳାଏ । ଜିତିଲା ମେଣ୍ଢାଟା ତା’ ପଛରେ ଦୌଡ଼ି ମୁଣ୍ଡିଆ ଉପରେ ମୁଣ୍ଡିଆ ମାରି ତାକୁ ସମ୍ପୂର୍ଣ୍ଣଭାବେ ହଟାଇ ଦିଏ । ମେଣ୍ଢା-ଲଢ଼ାଇ ଦେଖିବାକୁ ଭାରି ମଜା ଲାଗେ ।

 

ଏହିପରି ପରୀକ୍ଷା ପରେ ଡିସେମ୍ବର ମାସର ବାଇଶି ତାରିଖ ପର୍ଯ୍ୟନ୍ତ ଚାଲିଗଲା । ବାଇଶ ତାରିଖରେ ଫଳ ବାହାରିବ । ପ୍ରମୋସନ୍ ଡକାହେବ । ହେଡ଼୍ ମାଷ୍ଟ୍ରେ ଯିଏ ପ୍ରମୋସନ୍ ପାଇବ ତା’ ନାଁ ଡାକିଦେବେ । ଯିଏ ଫେଲ୍‌ ହୋଇଥିବ ତା’ ନାଁ ଡକାଯିବ ନାହିଁ । ତା’ପରେ ଆଠ ଦିନ ବଡ଼ଦିନ ଛୁଟି । ପୁଣି ଯାଇଁ ନୂଆବର୍ଷର ଜାନୁୟାରୀ ମାସ ଦୁଇ ତାରିଖରେ ସ୍କୁଲ୍‍ ଖୋଲି ପିଲାଏ ଉପର କ୍ଲାସ୍‍ରେ ବସିବେ । ବାଇଶି ତାରିଖ ଦିନ ଗୋରା ଅନ୍ୟ ଦିନ ଅପେକ୍ଷା ସହଳ ସହଳ ସ୍କୁଲ୍‍ ଗଲା । ଫେଲ୍ ପାସ୍ ବିଷୟରେ ତା’ର ବିଶେଷ କିଛି ଜ୍ଞାନ ହୋଇ ନଥାଏ । କ୍ଲାସ୍‍ରେ ଫାଷ୍ଟ ସେକେଣ୍ଡ ହେବା ପିଲା ସେ; କିନ୍ତୁ କାଳେ ଫେଲ୍ ହୋଇଯିବ ବୋଲି ବେଳେବେଳେ ଟିକେ ଟିକେ ଭୟ ହେଉଥାଏ । ହେଡ଼୍ ମାଷ୍ଟ୍ରେ ଯଦି ତା’ ନାଁ ନ ଡାକିବେ ସେ କ’ଣ କରିବ ? ଏମିତି ନାନା ଦୁଶ୍ଚିନ୍ତା ଭିତରେ ସେ ଯାଇ ସ୍କୁଲ୍‍ରେ ପହଞ୍ଚିଲା । ଚିନ୍ତାରେ ତା’ ମୁହଁ ଶୁଖିଲା ଦିଶୁଥାଏ । ସାଙ୍ଗପିଲାଏ କହୁଥାନ୍ତି, “ତୁ ଏତେ ଡରୁଛୁ କାହିଁକିରେ, ତୁ କ’ଣ ଫେଲ୍ ହୋଇଯାଉଛୁ ?”

 

ଏକାଡ଼େମୀରେ ଚତୁର୍ଥଠାରୁ ଏକାଦଶ ପର୍ଯ୍ୟନ୍ତ ଆଠୋଟି କ୍ଲାସ୍‍ ହେଲେ କ’ଣ ହେବ, ଉପର ଚାରିଟାରେ ଦୁଇଟା କରି ସେକ୍‌ସନ୍ ଥାଏ । ତେଣୁ ଦଶମ ଶ୍ରେଣୀରୁ ପ୍ରମୋସନ୍ ଡାକି ଡାକି ସବା ତଳ ଶ୍ରେଣୀକୁ ଆସିଲାବେଳକୁ ଦୁଇଟା ବାଜିଗଲା । ନାଁର ଆଗ ଅକ୍ଷର ଇଂରାଜୀରେ ଯେମିତି ହେବ ସେଇ କ୍ରମ ଅନୁସାରେ ନାଁ ଡକା ହୋଇଆସିଲା । ଗୋ‍ରା ପାସ୍ କରିଛି ବୋଲି ମଧ୍ୟ ସେ ଡାକିଦେଲେ; କିନ୍ତୁ କାହାର କ’ଣ ପୋଜିସନ ରହିଲା ସେ କଥା ଜଣା ପଡ଼ୁ ନଥାଏ । ଉପର କ୍ଲାସ୍‍ ପିଲାମାନେ କିପରି କେମିତି ଭିତିରିଆ ବୁଝିନିଅନ୍ତି; କିନ୍ତୁ ଗୋରାକୁ ସେ ବୁଦ୍ଧି ଜଣା ନଥାଏ । ବାପାଙ୍କ ସାର୍ ପୀତାମ୍ବରବାବୁ ହେଡ଼୍‍ମାଷ୍ଟ୍ରଙ୍କ କୋଠରିରେ ବସିଥିବାର ଗୋରା ଲକ୍ଷ୍ୟ କଲା । ଚତୁର୍ଥ ଶ୍ରେଣୀ ପାଖରେ ହେଡ଼୍‍ମାଷ୍ଟ୍ରରଙ୍କ କୋଠରି । କୋଠରିର ଝରକାରେ ପରଦା ଟଙ୍ଗାହୋଇଛି । ଉପର କ୍ଲାସ୍‍ ପିଲାମାନେ କିଏ ସୁଖରେ କିଏ ଦୁଃଖରେ କେତେବେଳୁ ଗଲେଣି । ତା’ କ୍ଲାସ୍‍ ପିଲା ମଧ୍ୟ କେତେବେଳୁ ଗଲେଣି । ଗୋରା କିନ୍ତୁ ଝରକା ପରଦା ପାଖରେ ଲଙ୍ଗରପଙ୍ଗର ହେଉଛି, କେତେବେଳେ ପୀତାମ୍ବରବାବୁ ତାକୁ ଦେଖି ପଦାକୁ ଆସିବେ କାଳେ । କାରଣ ବାପା ତାକୁ ଚିହ୍ନେଇଦେଇଛନ୍ତି ପୀତାମ୍ବରବାବୁଙ୍କୁ । ମଝିରେ ମଝିରେ ପୀତାମ୍ବରବାବୁ ଗୋରାକୁ ଭଲମନ୍ଦ ପଚାରି ବୁଝନ୍ତି । ପୀତାମ୍ବରବାବୁ ଉପର କ୍ଲାସ୍‍ରେ ପଢ଼ାନ୍ତି । ଗୋରାର ଭରସା ଥାଏ ସେ ତାକୁ ଦେଖିଲାମାତ୍ରେ ନିଶ୍ଚୟ ପଦାକୁ ଆସିବେ । ତେଣୁ ସେ ଝରକା ପରଦା ପାଖରେ ଠିଆହୋଇଥିଲା ବାହାରକୁ ଅନାଇ । ଏତିକିବେଳେ ତା’ ବାଁ କାନରେ କାହାର ହାତଟାଏ ପଡ଼ିଗଲା-। ବଙ୍କେଇ ଦେଖେ ଯେ ସ୍ୱୟଂ ହେଡ଼୍‍ମାଷ୍ଟର ଚ୍ୟାଉ ପଟ୍ଟନାୟକଙ୍କ ହାତ । ସେ ଭେଁକିନା କାନ୍ଦିଉଠିଲା । ହେଡ଼୍‍ମାଷ୍ଟ୍ରେ କାନରୁ ହାତ କାଢ଼ିନେଲେ । କହିଲେ, “ଆରେ ଟୋକା, ସେଠି କାହିଁକି ଠିଆହୋଇଛୁ ? ଏ ବାଟେ ଭିତରକୁ ଆ ।” ଗୋରାର ଚେତା ବୁଡ଼ିଯିବା ଉପରେ । ଯନ୍ତ୍ର ଭଳି ଯାଇଁ କୋଠରି ପରଦା ପାଖରେ ଠିଆହେଲା । ପୁଣି ବଜ୍ରଗମ୍ଭୀର ସ୍ୱରରେ ଡାକପଡ଼ିଲା, “ଭିତରକୁ ଆ-! ସେଠି କାହିଁକି ଠିଆହୋଇଛୁ ।” ଗୋରା ପୁଣି ଥରେ କାନ୍ଦିଉଠିଲା । ପୀତାମ୍ବରବାବୁ ତାକୁ ଧରି ପଳେଇଲେ । ହେଡ଼୍‍ମାଷ୍ଟ୍ରେ ମଧ୍ୟ ଚଉକିରୁ ଉଠିଯାଇ ତାକୁ ଧରି କୋଳ ପାଖକୁ ନେଇ ଆସିଲେ-। ପଚାରିଲେ, “କାହିଁକି ଠିଆହୋଇଥିଲୁ ସେଠି, ସମସ୍ତେ ତ ଗଲେଣି ଘରକୁ । ଗୋରା କହିଲା, “ବାପା କହିଥିଲେ ପୋଜିସନ ବୁଝିଆସିବାକୁ ।” ପୁଣି କାନରେ କଅଁଳ କରି ହାତ ପଡ଼ିଲା; କହିଲେ, “ହଉ ଯା, ବାପାକୁ କହିବୁ, ତୁ ଫାଷ୍ଟ୍ ହୋଇଛୁ । ଏଣିକି ଆହୁରି ଭଲ କରିବୁ । ନହେଲେ ଦେଖିବୁ-। ତୁ ଦୀନୁର ପୁଅଟି ?” ଗୋରା ଜବାବ ଦେବା ପୂର୍ବରୁ ପୀତାମ୍ବରବାବୁ ହଁ ଭରିଲେ । ଦୀନୁବାବୁ ହେଡ଼୍‍ମାଷ୍ଟ୍ରେ ଓ ପୀତାମ୍ବରବାବୁ ଉଭୟଙ୍କର ଛାତ୍ର ।

 

ଗୋରା ଛାତିରୁ ପଥର ଓହ୍ଲେଇଗଲା । ସେ ଏକାନିଃଶ୍ୱାସରେ ଦଉଡ଼ି ଆସି ବସାରେ ପହଞ୍ଚିଲା । ଭୋକରେ ପେଟ ଜଳୁଥାଏ ।

 

ସତର

 

ପ୍ରମୋସନ୍‍ ପରେ ଦୀର୍ଘ ଦଶ ଦିନ ବଡ଼ଦିନ ଛୁଟି । ସେତେବେଳେ ପୂରା ଇଂରେଜ ରାଜତ୍ଵ । ତେଣୁ ବଡ଼ବଡ଼ ଛୁଟିଟା ପୂଜାଛୁଟି ଭଳିଆ ବଡ଼ ଛୁଟି ଥାଏ । ଗୋରା ଆସି ଗଣ୍ଡାଏ ଖାଇଦେଇ ଆଉ କୁଆଡ଼େ ଯାଇ ନଥାଏ । ଦୀନୁବାବୁ କଚେରିକୁ ଫେରିଲେ । ଲୁଗା ବଦଳୁ ନ ବଦଳୁଣୁ କହିଲେ, “ଗୋରା, ତୋର ଫଳ ବାହାରିଲା ? ପୋଜିସନ କିଛି ଅଛି ?” ଗୋରା ଅଧାହସ ଅଧା ଶୁଖିଲା ମୁହଁରେ ଧୀରେ ଧୀରେ କହିଲା “ଫାଷ୍ଟ ହୋଇଛି ।” “ମୋଟେ ନୁହେଁ, ତୋ ଭଳିଆ ଗଧ, ପୁଣି ଫାଷ୍ଟ ହେବ ?” ୟା କହିଦେଲେ ସିନା; କିନ୍ତୁ ଗୋରାର କୃତିତ୍ୱ ବିଷୟରେ ସେ ସନ୍ଦିହାନ ନଥିଲେ । “ସ୍କୁଲ୍‍ ଛୁଟି ହେଲା ?” ହଁ ଯାଇଁ ଆରବର୍ଷକୁ ଖୋଲିବ ।” “ବାଃ, ତେବେ ବର୍ଷେ ଛୁଟି ।” କହି ଦୀନୁବାବୁ ମୁହଁ ହାତ ଧୋଇବାକୁ ଗଲେ ।

 

ସେତେବେଳକୁ ରାଧାନାଥବାବୁ ମଧ୍ୟ କଚେରିକୁ ଫେରିଲେ । ସେ ସେପାଖ ଖଞ୍ଜାରୁ ଡାକ ଛାଡ଼ିଲେ, “ମାଷ୍ଟ୍ରର ଗୋରାଚାନ୍ଦ, ଇଆଡ଼େ ଆସ, କ’ଣ ହାଲ୍‍ଚାଲ୍‍ ?” ଗୋରାଚାନ୍ଦ ଗୋଟାଏ ଡିଆଁରେ ରାସ୍ତା ପାରହୋଇ ରାଧାନାଥବାବୁଙ୍କ ପାଖରେ ପହଞ୍ଚିଲା । “ଖବର କ’ଣ ? ଫଳ ବାହାରିଲା ? କ’ଣ ହୋଇଛି ?” ରାଧାନାଥବାବୁ ଗୋରାକୁ ଖୁବ୍ ଭଲପାଆନ୍ତି । ଗୋରାର କୃତିତ୍ୱରେ ମଧ୍ୟ ତାଙ୍କର ହାତ ଅଛି । ଗୋରା ଫାଷ୍ଟ ହୋଇଛି ବୋଲି କହିବାରୁ ସେ କହିଲେ, “ସାବାସ୍ ଗୋରାଚାନ୍ଦ ! ତୁମକୁ ଗୋଟିଏ ପୁରସ୍କାର ଦିଆଯିବ କାଲି ସଞ୍ଜକୁ ।” ପୁରସ୍କାର କ’ଣ ମିଳିବ ଗୋରା ଭାବି ପାରୁ ନଥାଏ ।

 

ରାଧାନାଥବାବୁ କହିଲେ, “ଗୋରାଚାନ୍ଦ ତୁମେ ମଟର ଦେଖିଛ ?”

 

“ହଁ ।”

 

“କେଉଁଠି ?”

 

“ଆମ ଦାଣ୍ଡ ବାଟେ କେତେଥର ଗଲାଣି ?”

 

“କାଲି ସଞ୍ଜକୁ ତୁମକୁ ମଟରରେ ଚଢ଼ାଇବା ।”

 

“ମଟରରେ କୁଆଡ଼େ ଯିବା ?”

 

“କାଲି ବଳେ ଜାଣିବ ନାହିଁ ?”

 

କଚେରି ଦିନକ ପରେ ବନ୍ଦ ହେବ । ବଡ଼ଦିନ ଛୁଟି ସେତେବେଳେ ସାତ ଆଠ ଦିନ ଧରି ହେଉଥାଏ । ଖୁବ୍ ସମ୍ଭବ ବୋଧହୁଏ ଚବିଶ ଦିନ ବାପା ଗାଁକୁ ଯିବେ । ସେହିଦିନ ତାଙ୍କ ସାଙ୍ଗେ ଗାଁକୁ ଯିବାକୁ ହେବ । ଆଜି ଏକାଦଶୀ । ଦୀନୁବାବୁ ଏକାଦଶୀରେ ଉପବାସ କରନ୍ତି । ସନ୍ଧ୍ୟାରେ ଗୋପାଳଜୀ ମଠକୁ ଯାଇ ଗୋପାଳଜୀ ଦର୍ଶନକରି ସେଠାରୁ ଭୋଗ ଆଣିଲେ ଖାଆନ୍ତି-। ଏକାଦଶୀ କଥାଟା ଦୀନୁବାବୁଙ୍କର ଯେତେ ମନେ ନଥାଏ, ଗୋରାର ସେତେ ମନେଥାଏ; କାରଣ ଗୋପାଳଜୀଙ୍କ ପାଖରେ ଯେଉଁ ‘କଞ୍ଚା ଗୋଲା’ ଭୋଗ ହୁଏ, ସେପରି ଭୋଗ ଆଉ କେଉଁଠି ମିଳେନାହିଁ । ଦୀନୁବାବୁଙ୍କୁ ଗୋପାଳଜୀ ମଠରେ ସମସ୍ତେ ଜାଣନ୍ତି । ମଠର ମାଲିମକଦ୍ଦମା ମଧ୍ୟ ସେ ଚଳାନ୍ତି । ତେଣୁ ଏକାଦଶୀ ଛଡ଼ା ଅନ୍ୟ ସମୟରେ ମଧ୍ୟ ଦୀନୁବାବୁ ମଠକୁ ଆସି ମହନ୍ତଙ୍କ ସହିତ କଥାବାର୍ତ୍ତା କରନ୍ତି । ଗୋରା ମଧ୍ୟ ବେଳେବେଳେ ତାଙ୍କ ସଙ୍ଗେ ଆସେ ଓ ପ୍ରଚୁର ପ୍ରସାଦ ପାଏ । ଆଜି ଦୀନୁବାବୁ ଲୁଗାପଟା ପିନ୍ଧି ମଠକୁ ବାହାରିଲା ପୂର୍ବରୁ ଗୋରା ଜାମା ପ୍ୟାଣ୍ଟ ପିନ୍ଧି ପ୍ରସ୍ତୁତ ଥାଏ । ଗୋରାକୁ ଦେଖି ବାପା ପଚାରିଲେ, “କିରେ, କୁଆଡ଼େ ଯିବୁ କି ?” “ମଠକୁ । ଆଜି ପରା ଏକାଦଶୀ ।” “ଓଃ, ସେଇଟା ତୋର ଖୁବ୍ ମନେ ଥାଏ । ଆଚ୍ଛା ଚାଲ ।” ବୋଲି କହି ଦୁହେଁ ବାହାରିଲେ ।

 

Unknown

ମଠରେ ପହଞ୍ଚିଲାବେଳକୁ ସନ୍ଧ୍ୟା ଆଳତି ବଢ଼ା ଯାଇଥିଲା । ଶୀତଦିନ । କଚେରି ଫେରନ୍ତି ନିତ୍ୟକର୍ମ ସାରି ଆସୁ ଆସୁ ରାତି ହୋଇଯାଏ । ଦୀନୁବାବୁ ଦର୍ଶନ ସାରିଲାବେଳକୁ ପୂଜକ ଛଡ଼ାଫୁଲର ଗୋଟିଏ ଗଜରାମାଳ ଦୀନୁବାବୁଙ୍କ ବେକରେ ପକାଇଦେଲେ । ଦୀନୁବାବୁ ଓ ଗୋରା ଜଳ-ତୁଳସୀ ନେଲେ । ଏତିକିବେଳେ ପୂର୍ବ ବରାଦମତେ ଭୋଗ ବିକ୍ରିକଲାବାଲା ଆଣି ସେରେ ଭୋଗ ଦେଇଗଲା । ଏତକ ଭୋଗ ଏକାଦଶୀରେ ଦୀନୁବାବୁଙ୍କର ନୁଗାଥାଏ । ଭୋଗ ସାରି ଭୋଗ ଧରି ବାପ ପୁଅ ଦୁହେଁ ଫେରିଲେ । ଦୀନୁବାବୁ ଗଜରା ଛଡ଼ା ହାରଟିକୁ ନିଜ ଗଳାରୁ କାଢ଼ି ଗୋରାବେକରେ ପକାଇଦେଲେ । ଦୁହେଁ ଅନ୍ଧାରରେ ମ୍ୟୁନିସିପାଲଟି ପୋଖରୀ ଉପର ରାସ୍ତାରେ ବସାକୁ ଫେରିଲେ । ଗୋରା କାଲି କିପରି ରାଧାନାଥବାବୁଙ୍କ ସାଙ୍ଗେ ମଟରରେ ବୁଲିଯିବ ଓ ହେଡ଼୍‌ମାଷ୍ଟ୍ରେ କିପରି ତା’ କାନ ଆଜି ଧରି ପକେଇଥିଲେ, ଏ କଥା ବାପାଙ୍କୁ କହିବ ବୋଲି ହେଉଥାଏ; କିନ୍ତୁ ଗୋପାଳଜୀଙ୍କଠାରୁ ଫେରିବା ରାସ୍ତାରେ ଦୀନୁବାବୁ କ’ଣ କହି କହିକା ଆସନ୍ତି ଗୁଣୁଗୁଣୁ ହୋଇ । ତେଣୁ ଗୋରା ଭରସି ଆଉ କିଛି କହେନାହିଁ । ଏକାଦଶୀ ଦିନ ଭଲ ଖାଇବାର ବ୍ୟବସ୍ଥା ହୁଏ । ବିଶେଷକରି କଞ୍ଚାଗୋଲାର ବେଶି ଭାଗ ଗୋରା ଭାଗରେ ପଡ଼େ । ଆଜି ମଧ୍ୟ ପୂର୍ବଭଳି ରାଧାନାଥବାବୁଙ୍କୁ ଭୋଗ ପଠାଇ ଦିଆଗଲା ।

 

ରାତିରେ ଶୋଇଲାବେଳେ ଗୋରା ବାପାଙ୍କୁ ହେଡ଼୍‍ମାଷ୍ଟ୍ରେ କିପରି ଆଜି ତା’ କାନ ଧରି ପକାଇଲେ ଓ କାଲି କିପରି ରାଧାନାଥବାବୁଙ୍କ ସାଙ୍ଗେ ମଟରରେ ବୁଲିଯିବ, ସେ କଥା କହିନେଲା-। ବାପା ବିଶେଷ କିଛି ନ କହି ଶୋଇଲେ । ଗୋରା ମଧ୍ୟ ଶୋଇଲା ।

 

ଗୋରା ତା’ ପରଦିନ ଅତି ସକାଳୁ ଆସି ରାଧାନାଥବାବୁଙ୍କ ପାଖରେ ହାଜର । ରାଧାନାଥବାବୁ ଅଗଣାରେ ବସି ଖରା ପୁଉଁଛନ୍ତି । ଗୋରା ଆସି ପହଞ୍ଚିବାରୁ ରାଧାନାଥବାବୁ ତାକୁ ସାହେବମାନେ କିପରି ବଡ଼ଦିନ ପାଳନ୍ତି, ସେ ବିଷୟ କହିଲେ । ଯିଶୁଖ୍ରୀଷ୍ଟ କିଏ ଓ ତାଙ୍କର ଜନ୍ମବୃତ୍ତାନ୍ତ ସବୁକଥା କହିଲେ । ଗୋରା ତନ୍ମୟ ହୋଇ ଶୁଣୁଥାଏ । କହୁ କହୁ, ରାଧାନାଥବାବୁ ଯିଶୁଙ୍କ ଜନ୍ମଠାରୁ ତାଙ୍କୁ କିପରି କ୍ରୂଶବିଦ୍ଧ କରି ମାରିଦିଆଗଲା ସେ ସବୁକଥା ସୁନ୍ଦରଭାବେ ବର୍ଣ୍ଣନା କରିଗଲେ । ବିଷୟଟା ଗୋରାକୁ ଖୁବ୍‌ ଭଲ ଲାଗିଲା । ସେତେବେଳକୁ ଭଣ୍ଡାରି ସାହିର କୁଷୁନିଆ ଓରଫ୍‍ କୁଷୁନ ବାରିକ ଆସି ଉପସ୍ଥିତ ହେଲେଣି । ସେ ରାଧାନାଥବାବୁଙ୍କୁ କୁଆଡ଼େ ଗୋଟାଏ ‘ହୋମ୍ ଗୋଇଙ୍ଗ୍ କଟ୍’ କରିବ । କୁଷୁନିଆ ବାଳ କାଟିବାକୁ ଆସି ବହୁତ ଗପ କରେ । ସେ କୁଆଡ଼େ ଅନେକ କିଲଟର କମିସନ୍‍ରଙ୍କ ବାଳ କାଟିଛି । ଦରଖଣ୍ଡିକିଆ ଇଂରାଜୀ ଶବ୍ଦ ମଧ୍ୟ ତାକୁ ଅନେକ ମାଲୁମ । କୁଷୁନିଆର ମୁଛଟା ଦେଖିବାର କଥା । ନାକ ଦି’ ପାଖକୁ ତା’ ମୁଛ ପ୍ରାୟ ଚାରି ଚାରି ଇଞ୍ଚ୍ ବାହାରିଥାଏ । ମୁଛ ଅଗଦୁଇଟିକୁ କ’ଣ ଦେଇ ସେ ମୁନିଆ କରିଥାଏ । ନିଶ କଞ୍ଚା ଓ ପାକଲା ବାଳରେ ପୂର୍ଣ୍ଣ । କୁଷୁନିଆର ବୟସ ହେଲାଣି । ସେ ଚଷମା ଲଗାଇ ଖିଅର କରେ । ତା’ ପାଖରୁ ନିଶର ବିଭିନ୍ନ ପ୍ରକାର କଟ୍ ବିଷୟରେ ଶୁଣିବାକୁ ଗୋରାକୁ ଭାରି ଭଲ ଲାଗେ । ଦୀନୁବାବୁଙ୍କୁ ସେ କହେ, ବଡ଼ବାବୁ ଓ ତାଙ୍କ ପାଖରେ ସେ ସେପରି ଗଡ଼ଗଡ଼ ହୁଏନାହିଁ; କିନ୍ତୁ ରାଧାନାଥବାବୁଙ୍କ ସାଙ୍ଗେ ତା’ର ଯାବତ୍‌ ଖୁସିଗପ । କେଉଁ ନିଶଟା ‘ଫ୍ରେଞ୍ଚକଟ୍’ କେଉଁଟା ‘ଡେମ୍ କେୟାର’ କଟ୍, ପୁଣି କେଉଁଟି ‘ବେଗ ଇଓର ପାର୍ଡ଼ନ୍‌ ସାର’ କଟ୍, ପୁଣି କେଉଁଟା ‘ବଟର ଫ୍ଲାଇ’ ତ ଆଉ କେଉଁଟା ‘ଟାଇଗରକଟ୍’ ଏ ସବୁର ବିଷଦ ବିବରଣୀ ଗୋରା ଉନ୍ମୁଖ ହୋଇ ଶୁଣେ ତା’ର ତ ନିଶ ନାହିଁ, ଆଉ ରାଧାନାଥବାବୁ ନିଶଭକ୍ତ ନୁହନ୍ତି । ତେଣୁ ପୂର୍ବୋକ୍ତ ଯାବତୀୟ ପ୍ରକାର ନିଶର କଟ୍ ବିଷୟରେ ଶୁଣିବା ଛଡ଼ା ତାଙ୍କର କେଉଁଟାରେ ଆଗ୍ରହ ନଥାଏ । କୁଷୁନିଆ ରାଧାନାଥବାବୁଙ୍କୁ କ୍ଷିଅର କରିସାରି ଗୋଟାଏ ମର୍ଦ୍ଦନ ମଧ୍ୟ କଲା ଏବଂ ତା’ର ବଡ଼ଦିନ ବକ୍ସିସ୍ ଚାରିଗଣ୍ଡା ପଇସା ଧରି ଗଲା ।

 

ରାଧାନାଥବାବୁ କିଲଟରି କଚେରିରେ ବାଣ, ବନ୍ଧୁକ ଗୁଳି ଏ ସବୁ ବିଷୟ ବୁଝାସୁଝା କରନ୍ତି । ପ୍ରତିବର୍ଷ ଡିସେମ୍ବର ମାସରେ ବନ୍ଧୁକ ସବୁ ନୂଆକରି ଆଉ ବର୍ଷକପାଇଁ ଲାଇସେନ୍‍ସ୍‌ କରିବାକୁ ପଡ଼େ ସେଥିପାଇଁ । ସହର ମଫସଲରୁ ବହୁତ ଲୋକ ଏହି ମାସଟାରେ ରାଧାନାଥବାବୁଙ୍କ ପାଖକୁ ଆସନ୍ତି । ସେମାନେ ସାଙ୍ଗରେ ବନ୍ଧୁକ ଆଣିଥାନ୍ତି ଅନେକ ସମୟରେ । ଗୋରା ସେମାନଙ୍କ ସାଙ୍ଗେ କଥାବାର୍ତ୍ତା କରି ବିଭିନ୍ନ ପ୍ରକାର ବନ୍ଧୁକ ଓ ତା’ର ଚାଳନା ବିଷୟରେ ଅନେକ କଥା ଜାଣିଲାଣି । ସେମାନେ ଖାଲିହାତରେ ଆସନ୍ତିନାହିଁ । ବାବୁଙ୍କୁ ଦର୍ଶନି ଦିଅନ୍ତି । କେହି କେହି ଶିକାର କରି ଚଢ଼େଇ ବା ହରିଣ ମାଂସ ମଧ୍ୟ ଆଣି ଦିଅନ୍ତି । ଗୋରାକୁ ସେମାନେ ଖୁବ୍ ଭଲ ପାଆନ୍ତି । ବାବୁଙ୍କର ତ ପିଲାପିଲି କଟକରେ ନଥାନ୍ତି । ପିଲା କହିଲେ ଏହି ଗୋରା । ତେଣୁ ବାବୁଙ୍କ ପିଲା ବୋଲି ସମସ୍ତେ ଗୋରାକୁ ଖାତିର କରନ୍ତି ।

 

ରାଧାନାଥବାବୁ କଚେରି ବାହାରିଲାବେଳକୁ ଗୋରା ପଚାରିବସିଲା, “କେତେବେଳେ ମଟରରେ ଯିବା ?” ସେ କହିଲେ, “ମୁଁ ଆସିଲେ ସନ୍ଧ୍ୟାବେଳକୁ ଯିବା । ତୁମେ ‘ରେଡ଼ି’ ହୋଇ ବସିଥିବ ।

 

ସନ୍ଧ୍ୟା ହୋଇଆସିଲା । ରାଧାନାଥବାବୁ ବିଦେଶରୁ ଆସି ଜଳଖିଆ ଖାଇସାରି ପୋଷାକପତ୍ର ପିନ୍ଧି ପ୍ରସ୍ତୁତ । ଗୋରା ମଧ୍ୟ ପ୍ରସ୍ତୁତ । ଗୋରାର ହଳେ ଫିତାବନ୍ଧା ପୂରା ଜୋତା ଅଛି, କିନ୍ତୁ ଗୋରା ସ୍କୁଲ୍‍କୁ ଗଲାବେଳେ କେଉଁଦିନ ହେଲେ ସେ ଜୋତା ମାଡ଼ି ଯିବାକୁ ଫୁରୁସତ୍ ପାଏନାହିଁ । ତାକୁ ମାଡ଼ୁଛି କିଏ ? ପୁଣି ସ୍କୁଲ୍‍ରେ ଜୋତା ମାଡ଼ି ଜନ୍ଦାଖାଇ ଫଳରେ ବଲ୍ ଖେଳିବା ସମ୍ଭବ ନୁହେଁ । ଅବଶ୍ୟ ଜୋତା ଓହ୍ଲାଇ ଦି’ପଟ ଜୋତାକୁ ଦି’ ପାଖରେ ରଖି ସୁବିଧାରେ ଗୋଲ ପୋଷ୍ଟ ତିଆରି ହୋଇପାରେ; କିନ୍ତୁ ଅନେକ ସମୟରେ ଖେଳ ସରିବାପରର ଉତ୍ତେଜନାରେ ସେ ଖାଲି ଗୋଡ଼ରେ କ୍ଲାସ୍‌କୁ ବା ଏପରିକି ଘରକୁ ମଧ୍ୟ ଜୋତା ନ ଆଣି ଚାଲିଯାଏ । ପରେ ମନେ ପଡ଼ିଲେ ପୁଣି ଦଉଡ଼ିବାକୁ ପଡ଼େ । ଭାଗ୍ୟେ କେହି ଜୋତା ନେଇ ନଥାନ୍ତି । ଏଇ ଅସୁବିଧା ଯୋଗୁଁ ଗୋରା ସ୍କୁଲ୍‍କୁ ସାଧାରଣତଃ ଜୋତା ମାଡ଼ି ଯାଏନାହିଁ; କିନ୍ତୁ ସେ ଦିନ ମଟରରେ ଯିବ ବୋଲି ଗୋରା ଏକେବାରେ ଫିଟ୍‍ଫାଟ୍, ଜୋତା, ମୋଜା, ସାର୍ଟ୍‍ ଉପରେ ପୁଣି କୋଟ୍ ପିନ୍ଧିଛି । ମୁଣ୍ଡବାଳକୁ ମଧ୍ୟ କୁଣ୍ଡେଇଛି ଖୁବ୍ ଭଲ କରି; କିନ୍ତୁ ସେ ବାଳ ପ୍ରତିଦିନ ଭଲଭାବରେ କୁଣ୍ଡିଆ ନ ହେଉଥିବାରୁ ଆଜି ମଧ୍ୟ ସହଜେ ବୋଲ ନ ମାନି ଅମାନିଆ ହୋଇ ଏଣେତେଣେ ହୋଇଯାଉଛି । ଗୋରା ଦେଖିବାକୁ ବେଶ୍ ଗୋରା ଓ ହୃଷ୍ଟପୁଷ୍ଟ ମଧ୍ୟ । ତା’ ଗୋଲ ମୁହଁ, ଉଚ୍ଚାନାକ, ଆଉ ଉଜ୍ଜ୍ୱଳ ଆଖିରେ ବୁଦ୍ଧିର ଦୀପ୍ତି ବେଶ୍ ସୁସ୍ପଷ୍ଟ ।

 

ଗୋରା ଆସି ରାଧାନାଥବାବୁଙ୍କ ପାଖରେ ବସିଥାଏ । କେତେବେଳେ ମଟରରେ ସେମାନେ ଚଢ଼ିବେ । ଏତିକିବେଳେ ଖୁବ୍ ଶବ୍ଦ କରି ଗୋଟାଏ ମଟର ଆସି ତାଙ୍କ ଦୁଆରମୁହଁରେ ଅଟକିଗଲା । ମଟରଟା ବେଶ୍ ଉଚ୍ଚ । ଉପରେ କାଳିଆ ମୋଟାକନାର ଛାତ । ଆଗରେ ଚକଚକିଆ ବଡ଼ ଆଲୁଅ ଦୁଇଟା । ଗୋରା ମଟରର ଏ ସବୁ ରୂପ ଆଉ ଦେଖିବାକୁ ବେଳ ପାଇଲାନାହିଁ । ରାଧାନାଥବାବୁଙ୍କ ହାତ ଧରି ମଟର ଭିତରକୁ ପଶିଗଲା । ତା’ ଛାତି ଥରୁଥାଏ । କେମିତି ମଟର ଚାଲିବ । ତାଙ୍କ ଘର ସାମନାରେ ଆସି ମଟରଟା ବନ୍ଦ ହୋଇଯାଇଥିଲା । ଡ୍ରାଇଭର ଓହ୍ଲେଇପଡ଼ି ଗୋଟାଏ ବଙ୍କା ଲୁହାକୁ ମଟର ଆଗରେ ଲଗାଇ ବୁଲାଇବାରୁ ମଟରଟା ଭୀଷଣ ଶବ୍ଦ କଲା । ଡ୍ରାଇଭର ଆସି ଆଗରେ ଗୋଟାଏ ଚକଭଳି ଜିନିଷଟାକୁ ଧରି ବସିଲା । ଗାଡ଼ି ସେହିପରି ଶବ୍ଦ କରି କରି ଆଗେଇ ଚାଲିଲା । ଗୋରାର ଭୟ ସେତେବେଳକୁ ଅନେକ ଭାଙ୍ଗିଗଲାଣି । ସେ ଖାଲି ଭାବୁଥାଏ, କିପରି ତା’ର ସ୍କୁଲ୍‍ ସାଙ୍ଗଙ୍କ ଭିତରୁ କେତେଜଣ ତାକୁ ମଟର ଚଢ଼ି ଯାଉଥିବାର ଦେଖନ୍ତେ କି ! ଏମିତି ଯାଉଁ ଯାଉଁ ମ୍ୟୁନିସିପାଲଟି ପାଖରେ ତା’ କ୍ଲାସ୍‍ର ହରି ଗୋଟାଏ ବ୍ୟାଗ୍‍ରେ କ’ଣ ଧରି ବଜାରରୁ ଫେରୁଥିବାବେଳେ ମଟରର ଆଲୁଅରେ ଗୋରା ଆଖିରେ ପଡ଼ିଗଲା । ମଟର ତା’ ପାଖ ଦେଇ ଗଲାବେଳକୁ ଗୋରା ‘ହରି’ ବୋଲି ଗୋଟାଏ ଚିତ୍କାର କରି ଦେଇଗଲା । ହରି, ‘କିଏ ଗୋରା ?’ ବୋଲି କହିବା ପୂର୍ବରୁ ମଟର ଯାଇ କାହିଁ ।

 

ଏହିପରି ମଟର ତାଙ୍କର ସ୍କୁଲ୍‍ ବାଟଦେଇ ବକ୍‌ସିବଜାରର ଗୋଟାଏ ବଡ଼ ଦୋକାନ ସାମନାରେ ଶବ୍ଦ କରି ଅଟକିଗଲା । ଜଣେ ଦରବୁଢ଼ା ଲୋକ ମୁଣ୍ଡରେ କାଳିଆ ଟୋପି ପିନ୍ଧି ଆସି ରାଧାନାଥବାବୁ ଓ ଗୋରାକୁ ମଟରରୁ ନେଇଗଲେ । ଦୋକାନରେ ଯେଉଁଠି ବିକାକିଣା ହେଉଛି ସେଠାରେ ନ ବସି ସେ ଭଦ୍ରଲୋକ ଜଣକ ସେ ଦୁହିଁଙ୍କୁ ଭିତରକୁ ନେଇଗଲେ । ସେଠାରେ ବିସ୍କୁଟ୍ ଚାହା ସେମାନଙ୍କୁ ଦିଆଗଲା; କିନ୍ତୁ ଜିଭ ପୋଡ଼ିଯିବ ବୋଲି ଗୋରା ଚାହା ଖାଇଲାନାହିଁ; ମାତ୍ର ବିସ୍କୁଟ୍‌ତକ ବସି ବସି ଶେଷ କରିଦେଲା । ଗୋରା ବିସ୍କୁଟ୍ ଖାଉଥାଏ, ଆଉ ତା’ର ଚାରିପାଖରେ ଥିବା ଖୋଲା ଆଲମାରିଗୁଡ଼ିକରେ ସଜା ହୋଇଥିବା ଜିନିଷଗୁଡ଼ିକୁ ଦେଖୁଥାଏ । ରାଧାନାଥବାବୁ ଓ ସେ କଳା ଟୋପିଦିଆ ଲୋକ କ’ଣ କେତେବେଳଯାଏଁ କଥାବାର୍ତ୍ତା ହେଲେ । ଜଣେ ଲୋକ ଆଣି ଗୋଟାଏ ପୁଡ଼ିଆ ଗୋରା ହାତରେ ଦେଇଗଲା । ପୁଡ଼ିଆଟି ସୁନ୍ଦର ଭାବରେ ଗୋଟିଏ ନାଲିଆ ଫିତାରେ ବନ୍ଧା ହୋଇଛି । ଗୋରା ତାକୁ ଫିଟାଇବାକୁ ଆରମ୍ଭକଲାରୁ ରାଧାନାଥବାବୁଙ୍କ ସଙ୍ଗରେ ଗପ କରୁଥିବା ଭଦ୍ରଲୋକ ଡାକି କରି ତାଙ୍କ ଲୋକକୁ କ’ଣ କହିଲେ । ସେ ଆଣି କେତେ କିସମର ଲେବେନ୍‌ଚୁଷ୍ ଗୋରାକୁ ଦେଇଗଲା ଓ କହିଲା, “ଏ ପୁଡ଼ିଆ ଭିତରେ ଏଇସବୁ ଜିନିଷ ଅଛି ।”

 

କେତେବେଳ ପରେ ରାଧାନାଥବାବୁ ଓ ଗୋରା ବାହାରକୁ ଆସିଲେ । ମଟର ଗୋରାଙ୍କ ଘର ଆଡ଼କୁ ମୁହଁ କରି ଠିଆହୋଇଥିଲା । ଡ୍ରାଇଭର କବାଟ ଖୋଲିଦେବାରୁ ଦୁହେଁ ଯାଇ ମଟରରେ ବସିଲେ । ସେ ଭଦ୍ରଲୋକ ଦୋକାନ ଦୁଆରମୁହଁରେ ନମସ୍କାରଟିଏ କରି ବିଦାୟ ନେଲେ । ଗୋରା ଗୋଟିକ ପରେ ଗୋଟିଏ ଲେବେନ୍‌ଚୁଷ୍ ପାଟିକୁ ପକାଉଥାଏ, ବାଟଯାକ ଦୁହେଁ ଚୁପ୍ କରି ବସିଥାନ୍ତି । ଗାଡ଼ି ଆଣି ଦୁହିଁଙ୍କୁ ବସାରେ ଛାଡ଼ିଦେଲା । ଡ୍ରାଇଭର ସଲାମ ଦେଇ ବିଦାୟ ନେଲା । ସେ ଦିନ ରାତିରେ ଗୋରାର ଭାରି ମନ ହେଉଥାଏ ସେ ପୁଡ଼ିଆଟାକୁ ଥରେ ଫିଟାଇ ଦେଖିବ; କିନ୍ତୁ ରାଧାନାଥବାବୁ କହିଥାନ୍ତି, ବଡ଼ଦିନ ଛୁଟିରେ ଗାଁକୁ ଗଲେ ତାକୁ ନେଇଯିବାକୁ । ସେଠାରେ ତାରା, ମୀରା ଓ ଅନ୍ୟାନ୍ୟ ସାଙ୍ଗମାନେ ମିଶି ତା’ର ସଦ୍‌ବ୍ୟବହାର କରିବେ । ଏ ଲେବେନ୍‌ଚୁଷ୍ ସ୍କୁଲ୍‍ପାଖ ବାଞ୍ଛା ଦୋକାନରୁ କିଣା, ପଇସାକୁ ଦଶଟା ଲେବେନ୍‌ଚୁଷ୍ ପରି ନୁହେଁ । ଏହାର ଗନ୍ଧ ଓ ସ୍ଵାଦୁ ଅତି ସୁନ୍ଦର, ପୂରା ଭିନ୍ନ ପ୍ରକାରର ।

 

ତା’ପରଦିନ ଉପରବେଳାକୁ ଗାଁକୁ ଯିବାର କଥା । ତେଣୁ ତା’ପରଦିନ ସକାଳବେଳାଟା ସେ କଟକରେ କଟାଇଲା । ପାଖଆଖ କେତେପିଲା ସେ ଫାର୍ଷ୍ଟ ହୋଇଛି ବୋଲି ତାକୁ ବଧେଇ ଦେବାକୁ ଆସିଥିଲେ; କିନ୍ତୁ ଗୋରା ଯେ କ୍ଲାସ୍‍ରେ ଫାର୍ଷ୍ଟ ହେବାଦ୍ୱାରା ଗୋଟାଏ କିଛି ବଡ଼ କାମ କରିଛି, ଏ କଥା ମୋଟେ ମନେ କରୁ ନଥାଏ ।

 

ଖାଇପିଇ ଦିନ ଦୁଇଟାବେଳକୁ ବାପାଙ୍କ ସହିତ ଗୋରା ଗାଡ଼ିରେ ବସି ଗାଁକୁ ଗଲା ।

 

ଅଠର

 

ଏହିପରି ଚାହୁଁଚାହୁଁ ତିନିବର୍ଷ କଟିଗଲା । ୟା ମଧ୍ୟରେ କେତେ ଦୋଳ, ଦଶହରା, ବଡ଼ଦିନ ଚାଲିଗଲାଣି । ଗୋରା ବର୍ତ୍ତମାନ ପୂରାପୂରି କଟକୀ ହୋଇଗଲାଣି । କେତେ ରକମ ନୂଆ ନୂଆ ଖେଳ ଶିଖିଲାଣି । ସ୍କୁଲ୍‍ରେ ଖେଳ କସରତରେ ଯେପରି ନାଁ କରିଛି, ପାଠରେ ମଧ୍ୟ ସେହିପରି । ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଗଲାଣି; କିନ୍ତୁ ଶ୍ରେଣୀରେ ପ୍ରଥମ ଛଡ଼ା କେବେ ଦ୍ୱିତୀୟ ହୋଇନାହିଁ । ତେଣୁ ଶିକ୍ଷକ ଓ ଛାତ୍ରମହଲରେ ସେ ଏବେ ବେଶ୍ ଜଣାଶୁଣା ।

 

ଚାରିବର୍ଷରେ ଗୋରା ସାନଭାଇ ତାରାକୁ ମଧ୍ୟ କଟକ ଆଣିବାପାଇଁ ଦୀନୁବାବୁ ସ୍ଥିରକଲେ । ଭାଇ କଟକରେ ରହିଲାଦିନଠାରୁ ତାରା ଅନେକ ଥର ଆସି କଟକରେ ୫।୭ ଦିନ କଟେଇ ଯାଇଛି । ଭାଇଙ୍କ ସ୍କୁଲ୍‍କୁ କେବେ ଯାଇନାହିଁ; କିନ୍ତୁ ବସାପାଖ ପଡ଼ିଆଠାରୁ ନଈକୂଳ, ବଜାର ବାଟଘାଟ ତାକୁ ବେଶ୍ ଜଣାଯାଇଛି । ତଥାପି ତାକୁ ସ୍କୁଲ୍‍ରେ ନାଁ ଲେଖାଇ ସ୍କୁଲ୍‍କୁ ନେବା ଆଣିବାର ଦ୍ଵାୟିତ୍ୱ ବାପା ଗୋରା ଉପରେ ଦେଲେ । ଗୋରା ଅବଶ୍ୟ ଅତିଶୟ ଆଗ୍ରହରେ ଏ ଦ୍ଵାୟିତ୍ୱ ବହନ କରିବାକୁ ରାଜି ହେଲା । ବାପା ତାରାକୁ ନେଇଗଲେ ସ୍କୁଲ୍‍କୁ ନାଁ ଲେଖାଇବାକୁ ।

 

ସ୍କୁଲ୍‍ରେ ସେହି ହେଡ଼୍‍ମାଷ୍ଟର ଅଛନ୍ତି । ସେ’ତ ଦୀନୁବାବୁଙ୍କ ବେଳର ହେଡ଼୍‍ମାଷ୍ଟ୍ରର ୟା ଭିତରେ ଦୀନୁବାବୁଙ୍କ ବଡ଼ପୁଅ ଗୋରା ଯେପରି ସ୍କୁଲ୍‍ରେ ନାଁ କରିଛି, ସେଥିରେ ହେଡ଼୍‍ମାଷ୍ଟର ଭାରି ଖୁସି । ଦୀନୁବାବୁଙ୍କୁ ଦେଖି ସେ ପଚାରିଲେ, “କିରେ, ଗୋଟିକ ପରେ ଗୋଟିଏ ପିଲା ଆଣି ମୋ ପାଖରେ ଛାଡ଼ିଦେଇଯାଉଛୁ । ଏ ଚାରିବର୍ଷ ଭିତରେ ଦିନେ ଆସି ଦେଖିଲୁ ନାହିଁ ତୋ ପିଲା କିପରି କ’ଣ କରୁଛି ?” ଦୀନୁବାବୁ କହିଲେ, “ସାର୍ ! ଆପଣଙ୍କ ପାଖେ ସେମାନଙ୍କୁ ଛାଡ଼ିଦେଇ ମୁଁ ନିଶ୍ଚିନ୍ତ । ଆପଣ କେତେ ଗଧଙ୍କୁ ପିଟି ପିଟି ଘୋଡ଼ା କରିଛନ୍ତି ।” ହେଡ଼୍‍ମାଷ୍ଟ୍ରେ ତାରା ଆଡ଼କୁ ଚାହିଁ, କହିଲେ, “ଆରେ ଏଇଟା ତ କାହିଁକି ବଗୁଲିଆ ବଗୁଲିଆ ଦିଶୁଛି, ବଡ଼ଭାଇ ପରି ଶାନ୍ତଶିଷ୍ଟ ନୁହେଁ କି ?” ଦୀନୁବାବୁ କହିଲେ, “ସାର୍, ଟିକିଏ ଅଛି ।” ହେଡ଼୍‍ମାଷ୍ଟ୍ରେ କହିଲେ, “ହଉ, ଆଣିଛୁ ଯେବେ ଛାଡ଼ି ଯା, ଦେଖିବା ।”

 

ଦୀନୁବାବୁ ତାଙ୍କ ଅମଳର ବୁଢ଼ା କିରାଣିଙ୍କ ପାଖରେ ଟଙ୍କାପଇସା ଦେଇ ନାଁ ଲେଖାଇ ଫେରିଲେ । ତାରାକୁ ଗୋରା ଜିମା ଛାଡ଼ି ଆସିଲେ । ଖେଳ ଛୁଟିରେ ଗୋରା ଆସି ତାରାକୁ ଧରି ସ୍କୁଲ୍‍ର ଚାରିପାଖ ଖେଳ ପଡ଼ିଆ, କ୍ଲାସ୍‍ ସବୁ ବୁଲାଇ ଆଣିଲା । ଗୋରାର ସାଙ୍ଗ କେତେ ଜଣ ମଧ୍ୟ ସାଙ୍ଗରେ ଥାଆନ୍ତି । ତା’ ମଧ୍ୟରୁ ଘରପାଖିଆ କେତେଜଣଙ୍କୁ ତାରା ମଧ୍ୟ ଚିହ୍ନିଥାଏ । ଜାନୁୟାରୀ ମାସ । ପିଲାମାନେ ନାଁ ଲେଖାଉଥାନ୍ତି । ପୁସ୍ତକ ତାଲିକା ବାହାରିଥାଏ । ତେଣୁ ପଢ଼ାପଢ଼ି ରୀତିମତ ଆରମ୍ଭ ହୋଇ ନଥାଏ । ଖେଳଛୁଟି ପରେ ଆଉ କ୍ଲାସ୍‍କୁ କେହି ଆସିଲେନାହିଁ । ଗୋରା ମଧ୍ୟ ତାରାକୁ ସାଙ୍ଗରେ ନେଇ ଘରକୁ ଫେରିଲା ।

 

ଘରେ ଆସି ଦୁଇଭାଇ ଜଳଖିଆ କରି ଘରପାଖ ସନ୍‍ସାଇନ୍ ପଡ଼ିଆକୁ ଗଲେ । ସନ୍ଧ୍ୟାବେଳକୁ ଦୁହେଁ ଫେରିଆସିଲେ । ସେତେବେଳକୁ ଦୀନୁବାବୁ କଚେରିରୁ ଫେରି ଗୋଡ଼ହାତ ଧୋଇ ଜଳଖିଆ କରିସାରିଲେଣି । ପଚାରିଲେ, “ତାରା, ହାଲ୍‍ଚାଲ୍‍ କ’ଣ ?” ତାରା ଖାଲି ହସିଦେଇ ଚୁପ୍ ରହିଲା । ଦିନଯାକ ଭାଇ ସାଙ୍ଗରେ ସ୍କୁଲ୍‍, ବଜାର, ଖେଳପଡ଼ିଆ, ନଈକୂଳ ସବୁ ବୁଲା ହୋଇଛି । ତାରାକୁ ବାଧା ହୋଇଯାଇଥାଏ । ଗାଁରେ ସନ୍ଧ୍ୟାକୁ ପାଠପଢ଼ା ସାରି ସହଳ ସହଳ ଶୋଇପଡ଼େ । ତେଣୁ ଏତେ ବୁଲାବୁଲି ପରେ ତାକୁ ନିଦ ମାଡ଼ି ଆସୁଥାଏ ସନ୍ଧ୍ୟା ପହରରୁ । ଦୀନୁବାବୁ ପାଖକୁ ଡାକି ତାକୁ ବସାଇଲେ । ଅଳ୍ପ ସମୟ ପରେ ତାରାକୁ ନିଦ ହୋଇଗଲା ।

 

ଦୀନୁବାବୁଙ୍କ ଭାଇ ନାନୁବାବୁ, କଟକର ସେ ସମୟର ଜଣେ ବିଖ୍ୟାତ ଓକିଲଙ୍କର ମୋହରିର । ଦୀନୁବାବୁଙ୍କଠାରୁ ବୟସରେ ସେ ପ୍ରାୟ ପନ୍ଦରବର୍ଷ ସାନ । ଦୀନୁବାବୁଙ୍କୁ ତାଙ୍କର ପ୍ରାଣେ ଭୟ । ସେ ବିବାହ କରିବାର ପ୍ରାୟ ଆଠ ଦଶବର୍ଷ ହୋଇଗଲାଣି; କିନ୍ତୁ ତାଙ୍କର ପିଲାପିଲି କିଛି ନ ହେବାରୁ ଦୀନୁବାବୁଙ୍କ ବୋଉ ତାରାକୁ ତାଙ୍କର ପୁଅ କରି ଦେଇଛନ୍ତି । ସେଥିପାଇଁ ତାରା ଦୀନୁବାବୁଙ୍କୁ ବାପା ନ ଡାକି ଡାକେ ବଡ଼ବାପା, ତାରା ନାନୁବାବୁଙ୍କ ପୁଅ ହୋଇଛି ସତ; କିନ୍ତୁ ନାନୁବାବୁ ତା’ର ଭଲମନ୍ଦ କିଛି ବୁଝନ୍ତି ନାହିଁ । ସେ ବସାରେ ଥାଆନ୍ତି ଖୁବ୍ କମ୍ ସମୟ । ସକାଳୁ ଉଠି ଗାଧୋଇ ଜଳଖିଆ କରି ଓକିଲ ବସାକୁ ଯାଆନ୍ତି । ଭାଇ କଚେରି ଗଲାପରେ ଆସି ଖାଇଦେଇ କଚେରିକୁ ଯାଆନ୍ତି ଯେ ସିଆଡ଼େ । ରାତିରେ କେତେବେଳେ ଆସନ୍ତି, ତାହା କାହାରିକୁ ଜଣା ନଥାଏ କେବଳ ମଦନ ଛଡ଼ା । ଦୀନୁବାବୁ ରାସ୍ତାର ଗୋଟିଏ ପାଖରେ ଥିବା କୋଠାଘରେ ପିଲାମାନଙ୍କ ସହିତ ରହନ୍ତି । ସେହି ପାଖରେ ତାଙ୍କର କଚେରି ଘର, ଶୋଇବା ଘର, ପିଲାଙ୍କ ପଢ଼ିବା ଘର ପ୍ରଭୃତି ଥାଏ । ରାସ୍ତାର ଆରପାଖରେ ଥାଏ ରୋଷେଇଘର, ମହକିଲଙ୍କ ରହିବାପାଇଁ ଘର, ଚାକର ପୂଜାରୀଙ୍କ ରହିବାଘର ଇତ୍ୟାଦି । ତା’ ଭିତରୁ ଗୋଟିଏ ଘରେ ରାଧାନାଥବାବୁ ଓ ନାନୁବାବୁ ରହନ୍ତି । ତେଣୁ ନାନୁବାବୁ କେତେବେଳେ ରାତିରେ ଆସି ଶୁଅନ୍ତି, ସେ କଥା ଦୀନୁବାବୁ ଜାଣିପାରନ୍ତି ନାହିଁ ।

 

ନାନୁବାବୁ ଜଣେ ନାମଜାଦା ଓକିଲ ସିରସ୍ତାରେ ମୋହରିର । ପଇସା କମାନ୍ତି ଅପର୍ଯ୍ୟାପ୍ତ; କିନ୍ତୁ ଦୀନୁବାବୁ ଦିନେହେଲେ ଜାଣି ନାହାନ୍ତି, ନାନୁ କ’ଣ କମାଉଛି ନ କମାଉଛି । ଏହି ନ ପଚାରିବା ଯୋଗୁଁ ବୋଧହୁଏ ନାନୁବାବୁଙ୍କର ଭାଇଙ୍କୁ ବେଶି ଡର । ତେବେ ପିଲା ଦୁହିଁଙ୍କର ନାନୁବାବୁଙ୍କ ଠାରେ ବେଶି ସ୍ନେହ । ଯାବତୀୟ ବଢ଼ିଆ ବଢ଼ିଆ ଲୁଗା ଜାମା, ଜୋତା ସବୁ ଦୀନୁବାବୁ ପିଲାଙ୍କପାଇଁ କିଣି ଦିଅନ୍ତି । ପିଲାଏ ଏ ସବୁ ସଉକିନିଆ ଜିନିଷ ବା ନୂଆ ଜାମା ବ୍ୟବହାର କଲେ, ଦୀନୁବାବୁ ବେଳେବେଳେ ମନ୍ତବ୍ୟ କରିବାର ଶୁଣାଯାଏ, “ନିଜେ ଯେମିତି ବଜାରୀ, ପିଲାମାନଙ୍କୁ ସେମିତି କରିଦେବ ।” ଏ କଥା ନାନୁବାବୁଙ୍କ କାନକୁ ଯେ ନ ଆସେ, ଏ କଥା ନୁହେଁ; କିନ୍ତୁ ସେ ଏ କଥା ସବୁକୁ ଭ୍ରୂକ୍ଷେପ କରନ୍ତି ନାହିଁ । ଗାଁରେ ବାପା, ବୋଉ, ଚାକରବାକର, ଝିଆରୀ, ପୁତୁରା, ବନ୍ଧୁବାନ୍ଧବ ସମସ୍ତଙ୍କୁ ସେ ଲୁଗାପଟା, ଟଙ୍କାପଇସା ଦେଇଥାନ୍ତି । ଦୀନୁବାବୁ ଏ ସବୁ ଜାଣନ୍ତି; କିନ୍ତୁ କିଛି କହନ୍ତି ନାହିଁ । ବେଳେବେଳେ କହନ୍ତି, “ବାବୁଙ୍କ ପଇସା ଏମିତି ଯାଏଁ ।”

 

ନାନୁବାବୁ ଯେଉଁ ଓକିଲଙ୍କର ମୋହରିର, ତାଙ୍କର ଓକିଲାତିରେ ଯେତିକି ପ୍ରସାର, ସଭାସମିତି, ସାହିତ୍ୟ ନାଟକ ପ୍ରଭୃତିରେ ମଧ୍ୟ ଆଗ୍ରହ ତତୋଽଧିକ । ଦୀନୁବାବୁଙ୍କର ସେ ପରମ ବନ୍ଧୁ । ନାନୁବାବୁଙ୍କୁ ସେ ସାନଭାଇ ନୁହେଁ ତ ନିଜ ପୁଅ ପରି ମନେ କରନ୍ତି । ପ୍ରକୃତରେ ତାଙ୍କ ବଡ଼ପୁଅ ନାନୁବାବୁଙ୍କ ବୟସ ଓ ତାଙ୍କର ଖୁବ୍‌ ସାଙ୍ଗ । ମକଦ୍ଦମା ସଂକ୍ରାନ୍ତ କାଗଜପତ୍ର ବୁଝିବାରେ ଓ ଦରଖାସ୍ତ ପ୍ରଭୃତି ଚିଠା କରିବାରେ ନାନୁବାବୁଙ୍କର ବିଚକ୍ଷଣତାକୁ ସେ ଭାରି ପସନ୍ଦ କରନ୍ତି; କିନ୍ତୁ ଏ ସବୁଠାରୁ ସେ ନାନୁବାବୁଙ୍କୁ ବେଶି ଭଲପାଆନ୍ତି ଜଣେ ନିପୁଣ ଅଭିନେତା ହିସାବରେ । ଓକିଲବାବୁ ନାଟକ ଲେଖନ୍ତି ଓ ତାକୁ ରୂପ ଦିଅନ୍ତି ନାନୁବାବୁ । ସେତେବେଳେ ଓଡ଼ିଆ ନାଟକର ମୋଟେ ପ୍ରସାର ନଥାଏ । ଯେଉଁମାନେ ନାଟକ ଅଭିନୟ କରିବାକୁ ମନ ବଳାନ୍ତି, ସେମାନେ ସାଧାରଣତଃ ବଙ୍ଗଳା ନାଟକରୁ ଓଡ଼ିଆ ଅନୁବାଦ କରି କରନ୍ତି ।

 

କିନ୍ତୁ ଓକିଲବାବୁ ନିଜେ ଓଡ଼ିଆରେ ଓଡ଼ିଆର କଥାବସ୍ତୁକୁ ନେଇ ନାଟକ ଲେଖି ତାକୁ ଅଭିନୀତ କରିବାକୁ ଚେଷ୍ଟା କରନ୍ତି । ମକଦ୍ଦମା ପରିଚାଳନା ପ୍ରଭୃତି କଚେରି କାମରେ ଯେପରି ଓକିଲବାବୁଙ୍କର ନାନୁବାବୁ ନହେଲେ ନ ଚଳେ, ସେହିପରି ନାଟକ ଅଭିନୟ ପାଇଁ ନାନୁବାବୁଙ୍କ ସାହାଯ୍ୟ ମଧ୍ୟ ଅପରିହାର୍ଯ୍ୟ ଥାଏ । ସନ୍ଧ୍ୟା ପହରରେ କଚେରି ସଂକ୍ରାନ୍ତ କାମ ସାରିଦେଇ ରାତି ୯ଟାବେଳକୁ ଆରମ୍ଭ ହୁଏ ନାଟକ ଚର୍ଚ୍ଚା । ନାଟକ ଅଭିନୟର ପ୍ରସ୍ତୁତ ଚାଲେ ମାସ ମାସ ଧରି, ତା’ପରେ କେତେ ସପ୍ତାହ ଧରି ସପ୍ତାହରେ ଦୁଇ ତିନିଦିନ ଧରି ଚାଲେ ନାଟକ ଅଭିନୟ । ତେଣୁ ନାନୁବାବୁଙ୍କର ରାତିରେ ଘରକୁ ଫେରିବା ଅନେକ ଦିନ ମୋଟେ ହୁଏ ନାହିଁ ତ କେଉଁ କେଉଁ ଦିନ ବହୁତ ଡେରିରେ ହୁଏ; କିନ୍ତୁ ମଦନ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଲୋକ । ସେଇ ସକାଶେ ତାଙ୍କୁ ବେଶ୍ ଦିପଇସା ମିଳେ । କେବେକେବେ ଦୀନୁବାବୁ ପଚାରି ଦିଅନ୍ତି, “ମଦନ, କାଲି ରାତିରେ ସାନବାବୁ କେତେବେଳେ ଆସିଲେ ?” ମଦନା ସବୁଦିନ ପରି ସାଙ୍ଗେ ସାଙ୍ଗେ କହେ, ସେ ପାଖରେ ଯାଇ ଶୋଇଥିବେ କି ନାହିଁ ସାନବାବୁ ଆସିଲେ ଓ ଖାଇପିଇ ଶୋଇଲେ । ଦୀନୁବାବୁ କହନ୍ତି, “ସତ କହୁଛୁ, ମୁଁ ଭାବିଥିଲି ସେ” କରମ ମିଶ୍ରଙ୍କ ଘରେ ଖାଇକରି ଆସିଥିବ ।” ମଦନା ବିଚାରା ଏ କଥାର ଇଙ୍ଗିତ ବୁଝିବାକୁ ସମ୍ପୂର୍ଣ୍ଣ ଅକ୍ଷମ ହୁଏ; କିନ୍ତୁ ପରେ ନାନୁବାବୁଙ୍କଠାରୁ ଏ କଥାର ଅର୍ଥ ବୁଝେ, ଜିଭ କାମୁଡ଼ି ପକାଏ, ବଡ଼ବାବୁଙ୍କୁ ତେବେ ସବୁକଥା ଜଣା ।

 

ଊଣେଇଶ

 

ବର୍ଷ ପରେ ବର୍ଷ ଗଡ଼ିଯାଇଛି । ଗୋରା ମାଇନର୍‍ ପାସ୍‍ କରି ସେହି ସ୍କୁଲ୍‍ର ହାଇସ୍କୁଲ୍‍ର ଦୁଇଟା ଶ୍ରେଣୀ ଟପିଗଲାଣି, ତାରା ଆଉ ଦୁଇବର୍ଷରେ ମାଇନର୍‍ ପାସ୍‍ କରିବ, କମ୍ କଥା ନୁହେଁ । ଗୋରାର ବୟସ ଚଉଦ ଓ ତାରାର ଦଶ, ସେତେବେଳେ ୧୮-୧୯ ବର୍ଷରେ ପିଲାଏ ମାଇନର୍‍ ପାସ୍‍ କରୁଥିଲେ । ମାଇନର୍‍ ପାସ୍‍ କରିବାଟା ଥିଲା ଗୋଟିଏ ବଡ଼ ପାସ୍‍ । ସେଇଟା ପାସ୍‍କଲେ ଲୋକେ ପ୍ରାୟ ସବୁ କାମପାଇଁ ଯୋଗ୍ୟ ବିବେଚିତ ହଉଥିଲେ । ମାଟ୍ରିକ ପାସ୍‍ କରିଗଲେ, ଆଉ କଥା ନାହିଁ । ଗୋଟାଏ ସରକାରୀ ଚାକିରି ଯେପରି ହେଲେ ତା’ପାଇଁ ଥୁଆ । ମାଟ୍ରିକ ପାସ୍‍ ପିଲା ସାଙ୍ଗେ ସାଙ୍ଗେ ଚାକିରି କରିପାରେ ବା ଉଚ୍ଚ ଆଶା ରଖି କଲେଜରେ ଏଫ. ଏ. ବିଏ. ମେଡ଼ିକାଲ ସ୍କୁଲ୍‍ରେ ଡାକ୍ତରୀ ପଢ଼ିପାରେ । ତେବେ ଡାକ୍ତରୀ ପଢ଼ିବାକୁ ବେଶି ପିଲା ଆଗଭର ହୁଅନ୍ତିନାହିଁ । ମଡ଼ା କାଟିବ କିଏ ? ତେଣୁ ଓଡ଼ିଶା ବାହାରର ଅଣଓଡ଼ିଆ ପିଲା ଡାକ୍ତରୀ ସ୍କୁଲ୍‍ରେ ବେଶି ଥାଆନ୍ତି । କଦବା କେଉଁଠି ଜଣେ ଅଧେ ଓଡ଼ିଆ ପିଲା ଡାକ୍ତରୀ ସ୍କୁଲ୍‍ରେ ପଢ଼ନ୍ତି ।

 

କଟକରୁ ବର୍ଷେ ଦୁଇବର୍ଷ ଛଡ଼ାରେ ଥରେ ଥରେ ସର୍କସ୍‍ ଆସେ । ମ୍ୟୁନିସିପାଲଟି ପଡ଼ିଆରେ ତମ୍ବୁ ପକାଏ; ଧଡ଼ିଆ ଧଡ଼ିଆ ବାଘ ଗୋଟାଏ ଯୋଡ଼ାଏ, ହାତୀ ଗୋଟାଏ ଦୁଇଟା, ଘୋଡ଼ା, ମାଙ୍କଡ଼, ଭାଲୁ, ଶୁଆ ହୋଇ ଗୋଟାଏ କେତେ ଆଣି ଦିନକୁ ଦୁଇଥର ଖେଳ ଦେଖାନ୍ତି । ଗୋରା ଏମିତିକିଆ ସର୍କସ୍‍ ଦୁଇ ଚାରିଥର ଦେଖିଲାଣି । ତାରା ମଧ୍ୟ ଗାଁରୁ ମା’, ବୋଉ, ମୀରା ସହିତ ଆସି ଏ ସର୍କସ୍‍ ଦେଖିଛି କେତେଥର; କିନ୍ତୁ ଏଥର ଯେଉଁ ସର୍କସ୍‍ କଟକରୁ ଆସିଛି ସେ କୁଆଡ଼େ ପୃଥିବୀ ବିଖ୍ୟାତ ସର୍କସ୍‍ । ସେ ଭାରତର ସବୁ ବଡ଼ବଡ଼ ସହରରେ ଖେଳ ଦେଖେଇଚି, ଭାରତ ବାହାରେ ମଧ୍ୟ ଖେଳ ଦେଖେଇ ଖୁବ୍ ପ୍ରଶଂସା ପାଇଛି । ସର୍କସ୍‍ କେବେ ଆସିବ ଜଣାନାହିଁ; ଅଥଚ ସହରର ସବୁ ରାସ୍ତା ପାଖ କାନ୍ଥରେ ଚିତ୍ର ମରା ହୋଇଗଲାଣି । ସେଥିରେ ଲେଖାହେଇଛି ‘ଆସୁଛି, ଆସୁଛି’ ପୁଣି ଚିତ୍ର ହେଇଛି ବାଘ, ଛେଳି ଏକାଠି ଖାଉଛନ୍ତି । ଗୋଲେଇ ନିଆଁହୁଳା ଭିତରଦେଇ ଗୋଟାକ ପରେ ଗୋଟାଏ ବାଘ ଡେଇଁ ଯାଉଛନ୍ତି । ବଢ଼ିଆ ପୋଷାକ ପିନ୍ଧି ଜଣେ ନିଶୁଆ ଲୋକ ଗୋଟାଏ ଚାବୁକ୍ ଧରି ଛିଡ଼ା ହୋଇଛି, ବାଘ ଗୋଟାଏ ବଡ଼ ଆଁ କରିଛି । ଆଁ ଭିତରେ ସେ ନିଶୁଆ ଲୋକର ମୁଣ୍ଡଟା ଅଛି । ଏମିତି କେତେ ପ୍ରକାର ସର୍କସ୍‍ ଚିତ୍ର ସ୍କୁଲ୍‍ ଯିବାଆସିବା ବାଟରେ କାନ୍ଥମାନଙ୍କରେ, ଏପରିକି ଜେଲ୍‍ଖାନାର ଉଚ୍ଚ ପାଚେରି କାନ୍ଥରେ ଯେଉଁଠିକି ଏପରି ଚିତ୍ର ମାରିବା ମନା, ସେଠାରେ ମଧ୍ୟ ଏ ସର୍କସ୍‍ର ବିଜ୍ଞାପନ ଚିତ୍ର ମରାଯାଇଛି ।

 

ଏଇଟା ସ୍କୁଲ୍‍ ଯିବା ବାଟରେ ପଡ଼େ । ପ୍ରତିଦିନ ଦେଖାହେଲେବି ସବୁଦିନ ଗଲା ଆସିଲାବେଳେ ସବୁ ପିଲାଏ ଟିକିଏ ଟିକିଏ ସେ ଚିତ୍ରକୁ ଚାହାଁନ୍ତି । ଏ ବିଷୟରେ କ୍ଲାସ୍‍ରେ ସାର୍ ନ ଆସିବା ପିରିଅଡ଼୍‍ରେ ଖୁବ୍ ସରଗରମ ଆଲୋଚନା ହୁଏ । ସେ ଯେଉଁ ନିଶୁଆ ଲୋକଟାର ମୁଣ୍ଡ ବାଘ ପାଟି ଭିତରେ ଅଛି ସେ କୁଆଡ଼େ ‘ରିଂ ମାଷ୍ଟର’ । ସେ କୁଆଡ଼େ ଏତେ ମେଡ଼ାଲ ପାଇଛି ଯେ ସବୁଗୁଡ଼ା ମାରିବାକୁ ତା’ ଜ୍ୟାକେଟରେ ଜାଗା ନାହିଁ । ସେ ପୁଣି ମନ୍ତ୍ର ଜାଣେ । ହାତରେ ଧରିଥିବା ବାଡ଼ିଟାରେ ଇଲେକ୍‌ଟ୍ରିକ୍ ଅଛି । ବାଘ ଯଦି ଅମାନିଆ ହେଇ ତଡ଼ି ଆସିବ, ତେବେ ସେ ବାଡ଼ିଟାକୁ ତା’ ମୁହଁ ପାଖରେ ଦେଖେଇଦେଲେ ସେ ସେଇଠି ବିଲେଇ ପରି ରହିବ ଇତ୍ୟାଦି ଇତ୍ୟାଦି କେତେ କଥା ବହୁ ଆଲୋଚନା ଗବେଷଣାପ୍ରସୂତ ନିଶ୍ଚୟ ଜ୍ଞାତବ୍ୟ ବିଷୟ; କିନ୍ତୁ ସବା ଶେଷରେ କଥାଉଠେ କେବେ ଆସିବ ସର୍କସ୍‍ ତା’ର ତାରିଖ ଦେଇନାହିଁ ।

 

ଶେଷରେ ଖବର ମିଳିଲା ଯେ ମାନେଜର ଆସି ଧର୍ମଶାଳାରେ ଓହ୍ଲେଇଲାଣି । ତା’ ସାଙ୍ଗରେ କେତେକ ଲୋକ ମଧ୍ୟ ଆସିଛନ୍ତି । ସ୍କୁଲ୍‍ରେ ମିଳିଥିବା ଏହି ନିର୍ଭରଯୋଗ୍ୟ ଖବର ଯେ ନିରାଟ ସତ୍ୟ ତାହା ସ୍କୁଲ୍‍ ଫେରନ୍ତା ବାଟରେ ମ୍ୟୁନିସିପାଲଟି ପଡ଼ିଆ ପାଖରୁ ପ୍ରମାଣିତ ହେଲା । ସେଠାରେ ଗୋଟିଏ ଛୋଟିଆ ତମ୍ବୁ ପଡ଼ିଲାଣି ଓ ୫-୭ଟା କାଠ ଢାବଲ ସେଠାରେ ଥୁଆ ହେଲାଣି-। ଆଉ ଏଣିକି ସନ୍ଦେହର କାରଣ ନାହିଁ । ତମ୍ବୁ ପାଖରେ ସେତେବେଳକୁ ବଜାରର ଅନେକ ପିଲା ଜୁଟିଲେଣି । ସେମାନଙ୍କଠାରୁ ପକ୍କା ଜଣାପଡ଼ିଲା ଯେ ଶନିବାର ଦିନ ଖେଳ ଆରମ୍ଭ ହେବ-। ଗୋରା, ତାରା ଆସି ଘରେ ପହଞ୍ଚିବାଠାରୁ ଶୋଇବା ପର୍ଯ୍ୟନ୍ତ ସେଇ ଗପରେ ବ୍ୟସ୍ତ-। କ’ଣ ଖାଉଛନ୍ତି, କ’ଣ କରୁଛନ୍ତି, ତା’ର ଠିକଣା ନାହିଁ । ଯନ୍ତ୍ର ପରି ଆସି ଗୋଡ଼ହାତ ଧୋଇ ଖିଆପିଆ ସରିଲା ।

 

ରାତିକୁ ଦୀନୁବାବୁ କଚେରିରୁ ଫେରିଲା ପରେ ତାରା ସର୍କସ୍‍ ଆସିବା ଖବରଟା ତାଙ୍କ ଆଗରେ ସବିସ୍ତରେ ବର୍ଣ୍ଣନା କଲା ଓ ଶନିବାର ଦିନ ପ୍ରଥମ ଖେଳ ଦେଖିବା ନିହାତି ଦରକାର ବୋଲି ଜଣେଇଦେଲା । ଗୋରାର ଆଜିକାଲି ଟିକିଏ ବୁଦ୍ଧି ହେଲାଣି । ସେ ବଡ଼ ହେଲାଣି, ଓପର ଶ୍ରେଣୀରେ ପଢ଼ିଲାଣି ତଳେ ପୁଣି ତା’ର ସାନ ଭାଇ ଭଉଣୀ । ସେମାନଙ୍କୁ ଆକଟ କରିବାକୁ ହେବ, ବୁଝେଇବାକୁ ହେବ । ତେଣୁ ସେ ବାପାଙ୍କ ସାଙ୍ଗରେ ବେଶି କଥାବାର୍ତ୍ତା କରେନାହିଁ । ଆଗେ ଯେପରି ଏକୁଟିଆ ଥିଲାବେଳେ କରୁଥିଲା, ସବୁ କଥା ତାରା ମାରଫତରେ ବାପାଙ୍କ କାନକୁ ନିଆଯାଏ । ତାରା ଗୋରାର ମୁଖପାତ୍ର । ତେଣୁ ଶନିବାର ପ୍ରଥମ ଖେଳ ଦେଖିବା କଥାଟା ଯେ କାହା ମୁଣ୍ଡରୁ ବାହାରିଛି, ବାପାଙ୍କୁ ବୁଝିବାକୁ ଆଉ ଡେରି ହେଲାନାହିଁ । ଗୋଟାଏ ଦୁଇଟା ମୁକ୍ତିଆରିପ୍ରଶ୍ନର ଉତ୍ତର ପରେ ପରିଷ୍କାର ଜଣାପଡ଼ିଗଲା ଏ ବୁଦ୍ଧି କାହାର; କାରଣ ପ୍ରଶ୍ନର ଉତ୍ତର ଦେଇ ନ ପାରି ତାରା ବରାବର ଭାଇଙ୍କ ପଢ଼ାଟେବୁଲ ଆଡ଼କୁ ଚାହିଁଲା ସାହାଯ୍ୟପାଇଁ; କିନ୍ତୁ ଭାଇ ସେତେବେଳକୁ ଅତ୍ୟନ୍ତ ସୁଶୀଳ ବାଳକ, ପାଠରେ ଭୟାନକ ମନୋନିବେଶ । ବାପା ହସିଲେ କହିଲେ, “ହଉ ଆଗ ଆସୁ ଦେଖାଯିବ ।”

 

ତା’ ପରଦିନ ସ୍କୁଲ୍‍ ଯିବା ବାଟରେ ଦେଖାଗଲା ଚକଲଗା ପିଞ୍ଜରାରେ ଜନ୍ତୁସବୁ ଆସି ପଡ଼ିଆର ଗୋଟାଏ ପାଖରେ ଥୁଆହେଲେଣି । ପିଞ୍ଜରା ଭିତରେ ଠିକ୍ କି ଜନ୍ତୁ ଅଛନ୍ତି ଜଣା ନ ପଡ଼ୁଥିଲେ ମଧ୍ୟ ସେଥିରେ ବାଘ, ସିଂହ ଅଛନ୍ତି ବୋଲି ବୁଝିବାକୁ ବାକି ରହିଲାନାହିଁ । ଗୋଟାଏ କେମିତି ଫୁରୁକୁଟିଆ ଗନ୍ଧ ହେଉଥାଏ । ସ୍କୁଲ୍‍ ବେଳ ହେଇଯାଉଥାଏ । ଆଉ ଅପେକ୍ଷା ନକରି ଆଗେଇ ଗଲାବେଳେ ଦେଖାଗଲା ଯେ ଛୋଟବଡ଼ ହାତୀ କେତେଟା ଆସୁଛନ୍ତି । ତା’ ପଛକୁ ଘୋଡା । ରାସ୍ତା ଦୁଇପାଖରେ ଲୋକ ଜମାହୋଇ ଏ ପଶୁ ପଟୁଆର ଦେଖୁଛନ୍ତି । ଗୋରା, ତାରାଙ୍କୁ କିନ୍ତୁ ବେଳ ନଥାଏ । ସ୍କୁଲ୍‍ବେଳ ହୋଇଯାଉଛି । ସେମାନେ ଯାଇ ସ୍କୁଲ୍‍ରେ ପହଞ୍ଚିଲେ । ଆଜି ଆଉ ସ୍କୁଲ୍‍ରେ ପଢ଼ାରେ କାହା ମନ ଗଲାନାହିଁ । ସାର୍ ଥିଲାବେଳେ କି ସାର୍ ନଥିଲାବେଳେ ଖାଲି ସେହି ସର୍କସ୍‍ର ଗପ, କେମିତି ସ୍କୁଲ୍‍ ଛୁଟି ହେବ ।

 

ସ୍କୁଲ୍‍ ଛୁଟି ହେଲା । ପୁଣି ଫେରିଲା ବାଟରେ ମ୍ୟୁନିସିପାଲଟି ପଡ଼ିଆରେ ରହଣି । ସେତେବେଳକୁ ଜୀବଜନ୍ତୁ ସବୁ ଆସିଗଲେଣି । ସେମାନଙ୍କୁ ସବୁ ପଡ଼ିଆରେ ଗୋଟାଏ ପାଖରେ ରଖାଯାଇ ତା’ର ଚାରିପାଖରେ ଖୁଣ୍ଟ ପୋତାହୋଇ ମୋଟା ମୋଟା ଦଉଡ଼ିରେ ଘେରେଇ ଦିଆଯାଇଛି । ଯେପରି ସେମାନଙ୍କ ପାଖକୁ କେହି ଯାଇପାରିବେନାହିଁ । ପିଞ୍ଜରା ଭିତରେ ଜନ୍ତୁଙ୍କୁ ଅବଶ୍ୟ ଦେଖି ହଉନାହିଁ; କିନ୍ତୁ ବାହାରେ ଥିବା ହାତୀ, ଘୋଡ଼ା, ଭାଲୁ, ଛେଳି, ମେଣ୍ଢା, ଶୁଆ, କାକାତୁଆ ସବୁ ପରିଷ୍କାର ଦେଖାଯାଉଛନ୍ତି । ଲୋକଭିଡ଼ ପ୍ରବଳ । ପିଲାଙ୍କ କଥା ତ ଛାଡ଼ । ବଡ଼ବଡ଼ ଭେଣ୍ଡିଆ ବୁଢ଼ାମାନେ ମଧ୍ୟ ଠେଲାପେଲା କରି ଆଗକୁ ଯାଇ ବେଢ଼ା ପାଖରେ ଠିଆହେଉଛନ୍ତି । ଗୋରା, ତାରା ଅନେକବେଳ ପରେ ସେଠାରୁ ବାହାରି ଘରଆଡ଼େ ମୁହିଁଲାବେଳକୁ ହଠାତ୍ କ’ଣ ହେଲା କେଜାଣି ଘଡ଼ଘଡ଼ି ପରି ଗୋଟାଏ ବୋବାଳି ପ୍ରଥମେ ଶୁଣାଗଲା; ତା’ପରେ କି ଗର୍ଜନ । ବାଘ, ଭାଲୁ, ସିଂହ, ହାତୀ, ଘୋଡ଼ା ସମସ୍ତେ କାହିଁକି ଏକାସଙ୍ଗେ ବୋବାଇବାକୁ ଆରମ୍ଭ କଲେ । ତାରା ଭାଇକୁ କୁଣ୍ଢେଇପକେଇଲା । କିଏ କହିଲା, ବାଘଟାଏ ଫିଟିଗଲା । ବଡ଼ବଡ଼ଲୋକଗୁଡ଼ା ମଧ୍ୟ ବେଢ଼ାପାଖରୁ ଏଣେତେଣେ ଦୌଡ଼ିବାକୁ ଆରମ୍ଭ କରିଦେଲେ । ଗୋରା ତାରା ଓ ତାଙ୍କ ସାଙ୍ଗମାନେ ଏକା ଦଉଡ଼ାକେ ପଡ଼ିଉଠି ମ୍ୟୁନିସିପାଲଟି ପୋଖରୀ ଟପି ଟାଉନ୍‍ହଲ୍ ଯାଏଁ ଯେ କିପରି ଗଲେ ତାହା ତାଙ୍କର ମନେନାଇଁ । ସେଇଠି ଅଟକିଛି, ପଛକୁ ଚାହିଁ ଦେଖିଲେ ବାଘ କି ଅନ୍ୟ କୌଣସି ଜନ୍ତୁ ସେମାନଙ୍କର ପିଛା ନେଇନାହିଁ । ଲୋକେ ଥୟ ପଡ଼ିଗଲେଣି କେତେକ ପୁଣି ପଡ଼ିଆଆଡ଼କୁ ଗଲେଣି, ଗୋରା ତାରା ଆଉ ସେ ଆଡ଼କୁ ନ ଫେରି ଘରକୁ ଆସିଲେ ।

 

ଘରେ ଜଳଖିଆ ଖାଇ ତାରାର ଟିକିଏ ଇଚ୍ଛା ଥାଏ ମ୍ୟୁନିସିପାଲଟି ପଡ଼ିଆ ଆଡ଼େ ଯିବାକୁ; କିନ୍ତୁ ଗୋରା ରାଜି ନ ହେବାରୁ ସେମାନେ ଆଉ ଗଲେନାହିଁ କି ଅନ୍ୟଦିନ ପରି ସନ୍‍ସାଇନ୍ ପଡ଼ିଆ ବା ନଈକୂଳକୁ ଗଲେନାହିଁ । ରାଧାନାଥବାବୁ ସେଦିନ କାହିଁକି ସଅଳ ସଅଳ କଚେରିରୁ ଫେରିଥାଆନ୍ତି । ପିଲା ଦୁହେଁ ତାଙ୍କର ଅତ୍ୟନ୍ତ ଭକ୍ତ । ସେ ମଧ୍ୟ ଜଳଖିଆ ଖାଇସାରି ପିଲା ଦୁହିଁଙ୍କ ପାଖରେ ଆସି ବସିଲେ । ସେ ବଡ଼ ମଜାର ଲୋକ । ପିଲାମାନଙ୍କୁ ନାନାପ୍ରକାର ଖୁସିଗପ ସେ କହନ୍ତି । ପିଲାଦୁହେଁ ତାଙ୍କୁ ମଧ୍ୟ ଶନିବାର ରାତିରେ ପହିଲି ଖେଳ ଦେଖିବା ସକାଶେ ବାପାଙ୍କୁ ମଙ୍ଗେଇ ନବାକୁ କହିଲେ । ଦୀନୁବାବୁ, ରାଧାନାଥବାବୁଙ୍କ ବାଲ୍ୟବନ୍ଧୁ । ତାଙ୍କ କଥା ଦୀନୁବାବୁ ପ୍ରାୟ ରଖନ୍ତି । ରାଧାନାଥବାବୁ କିନ୍ତୁ ଶନିବାର ରାତିରେ ବରାବର ଗାଁକୁ ଯିବାର ବିଧି । ପିଲାମାନଙ୍କ ଅନୁରୋଧରେ ସେ ରାଜି ହେଲେ । କହିଲେ “ହଉ, ଦେଖିବା ରହ ମୁଁ ପାସ୍‍ ଯୋଗାଡ଼ କରେ ।” ପାସ୍‍ କ’ଣ ତାରା ଜାଣି ନଥିଲା । ଗୋରା ତାକୁ ବୁଝେଇଦେଲା ଟିକଟ କରିବାକୁ ହବନାହିଁ । ବିନା ପଇସାରେ ଆଗରେ ବସି ଦେଖିବାକୁ ହେବ ।

 

କଚେରିରୁ ବାପା ଫେରିଲେ । ତାଙ୍କ ଆଗରେ ମଧ୍ୟ ସର୍କସ୍‍ ବିଷୟରେ ଗଳ୍ପ ବହୁତ ଆଲୋଚନା ହେଲା । ଶେଷକୁ ରାଧାନାଥବାବୁ କହିଥିବା ପାସ୍‍ ଆଣିବା କଥା ମଧ୍ୟ ତାଙ୍କୁ କୁହାଗଲା । ସେ ସବୁ ଶୁଣି କହିଲେ, “ରାଧାନାଥ ତେବେ ଦେଖୁଛି ୟାଙ୍କ ସାଙ୍ଗରେ ଅଛି । ଆଉ ଶନିବାର ପହିଲି ଖେଳ ନ ଦେଖି ରକ୍ଷା ଅଛି ?”

 

ରାତିରେ ଦୁଇଭାଗ ଅଳ୍ପ ବହୁତ ଆଶ୍ଵସ୍ତ ହୋଇ ଶୋଇଲେ ।

 

କୋଡ଼ିଏ

 

ଆଜି ଶୁକ୍ରବାର । କାଲି ଶନିବାର ସଞ୍ଜ ୬ଟା । ନାଲି, ନେଳି, ହଳଦିଆ ହ୍ୟାଣ୍ଡବିଲ୍ ଗୋଟାଏ ଘୋଡ଼ାଗାଡ଼ିରୁ ସହରଯାକ ବଣ୍ଟା ହେଲାଣି । ଘୋଡ଼ାଗାଡ଼ି ଭିତରେ ଜଣେ ଲୋକ ବସି ବାଜା ବଜାଉଛନ୍ତି । ଜଣେ ଲୋକ ପୁଳାଏ ପୁଳାଏ ନାଲି, ନେଳି, ହଳଦି, କାଗଜ ଦୁଇ ପାଖକୁ ଛାଡ଼ିଦେଇ ଯାଉଛି । କାହା ହାତକୁ ଦେବାକୁ ତାଙ୍କୁ ଅବସର ନାହିଁ । ଘୋଡ଼ାଗାଡ଼ି ଜୋରରେ ଚାଲିଛି । ତା’ ପଛେ ପିଲାଙ୍କର ଗୋଟାଏ ପଟୁଆରବି ଚାଲିଛି । ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ରଙ୍ଗିନ କାଗଜ । କାହା ହାତରେ ପୁଳାଏ । ଗାଡ଼ିର ପଛରେ ଚାରିପାଖରେ ପୁଣି ସେହି ବାଘ, ହାତୀ, ମେଡ଼ାଲ ମରା ରିଂ ମାଷ୍ଟରର ଛବି । ଦିନକ ଭିତରେ ସାରା ସହରରେ ଚହଳ ପକେଇଦେଇଛି “ଆସନ୍ତୁ, ଦେଖନ୍ତୁ ଚକ୍ଷୁ କର୍ଣ୍ଣର ବିବାଦ ମେଣ୍ଟାନ୍ତୁ ।” ପିଲାଙ୍କ ମନ କହୁଛି “ଓଃ ଅସହ୍ୟ, କେମିତି ରାତିପାହି ସକାଳ ହେବ ।”

 

ଶନିବାର ସକାଳୁ ସ୍କୁଲ୍‍ଯିବା ବାଟରେ ଦେଖିବାକୁ ମିଳିଲା ଯେ ଗୋଟାଏ ପ୍ରକାଣ୍ଡ ତମ୍ବୁ ମ୍ୟୁନିସିପାଲଟି ପଡ଼ିଆରେ ମୁଣ୍ଡ ଟେକି ଉଠିଲାଣି । ଏଡ଼େ ବଡ଼ ଦେଉଳ ପରି ପ୍ରକାଣ୍ଡକନାର ଘର ତାରା ଆଗରୁ କେବେହେଲେ ଦେଖି ନଥିଲା । ଗୋରା ଏପରି କନାତମ୍ବୁ ଦେଖିଥିଲା ଯେ, ଏତେ ବଡ଼ ତମ୍ବୁ ସେ ଆଗରୁ ଦେଖି ନଥିଲା । ତମ୍ବୁ ଭିତରେ କାଠପଟାରେ କ’ଣ ଗୋଟାଏ ପାହାଚ ହେଇ ବହୁତ ଉଚ୍ଚା ଯାଏଁ ଉଠିଚି । ଗୋରା କହିଲା, ସେ ସବୁ ‘ଗ୍ୟାଲେରି’ । ସେଇଠି ଲୋକେ ବସି ଦେଖିବେ । ତାରା କିନ୍ତୁ କଳ୍ପନା କରିପାରୁ ନଥାଏ, କେମିତି ଲୋକେ ବସିବେ, ଆଉ ଖେଳ ଦେଖିବେ ।

 

ସ୍କୁଲ୍‍ବେଳ ହେଇଯାଉଥାଏ । ଥୋଡ଼ାଏ ବାଟ ପ୍ରାୟ ଦୌଡ଼ିକରି ଠିକ୍ ଘଣ୍ଟା ବାଜିଲାବେଳକୁ ଦୁଇ ଭାଇ ସ୍କୁଲ୍‍ରେ ପହଞ୍ଚିଲେ । ସ୍କୁଲ୍‍ରେ ସେଦିନ ପଢ଼ାପଢ଼ି ସେମିତି ସେମିତି । ଗୋଟାଏବେଳକୁ ଛୁଟି ହେଲା । ପୁଣି ସେମାନେ ଫେରିଲେ ସେହି ବାଟ ଦେଇ । ସେତେବେଳକୁ କନା ବାଡ଼ରେ ସେହି ଗ୍ୟାଲେରି ସବୁ ଘୋଡ଼ାଇ ଦିଆଗଲାଣି । ପ୍ରବେଶଫାଟକ ସାମନା ଧଳା, କଳା, ନାଲିର ବଡ଼ବଡ଼ ପରଦା ଲଟକିଗଲାଣି । ତାହା ଭିତରେ କ’ଣ କ’ଣ ଅଛି ? ପିଲାମାନଙ୍କୁ ସେଇଟା ବେଶି ଦୋହଲାଇ ଦେଉଛି ।

 

ଘରେ ଆସି ଦୁଇଭାଇ ପହଞ୍ଚିଲେ । ଗୋରା ଖାଲି କହୁଥାଏ, ତାରା ! ତୁ ଟିକିଏ ଶୋଇପଡ଼, ତୋର ସଞ୍ଜ ହେଲେ ନିଦ । ତୁ ନିଶ୍ଚେ ନିଦରେ ଢୁଳେଇ ଗ୍ୟାଲେରି ଉପରୁ ତଳକୁ ପଡ଼ିଯିବୁ । ସେ ଉଚ୍ଚ ଗ୍ୟାଲେରି, ପୁଣି ତା’ ଉପରୁ ତଳକୁ ପଡ଼ିଗଲେ ଯେ କ’ଣ ହେବ, ବାଘ, ସିଂହ ମାଡ଼ି ବସିବେ ନାହିଁ ତ ? ଏମିତି କେତେ କଥା ଭାବିପକେଇ ତାରାର ମୁଣ୍ଡ ଭିତରଟା କେମିତି ଗୋଟାଏ ଗୋଳମାଳ ହେଇଯାଉଥାଏ । ତାକୁ ସହଜେ ନିଦ ହେଲାନାହିଁ । ରାଧାନାଥବାବୁ ସେଦିନ କଚେରିରୁ ସଅଳ ଫେରିଆସିଥିଲେ । ସବୁ ଶନିବାର ସେ ସଅଳ ଫେରନ୍ତି । ଗାଁକୁ ଯାଆନ୍ତି ବୋଲି । ଆଜି ବୋଧହୁଏ ସେମିତି ଆସିଛନ୍ତି, ପାସ୍‍ ବୋଧେ ଯୋଗାଡ଼ ହେଇପାରିଲାନାହିଁ । ଦୁଇଭାଇ ତାଙ୍କୁ ଦେଖି ତାଙ୍କ ପାଖକୁ ଦଉଡ଼ିଗଲେ । ତାରା ତାଙ୍କୁ ଏକାବେଳକେ କୁଣ୍ଢେଇପକେଇଲା । ରାଧୁଦାଦା ! ପାସ୍ ଆଣିଛ ? ପାସ୍‍ କାହିଁ ? ରାଧୁ ଦାଦା ମୁଚିକି ହସି କହିଲେ–“ଆରେ ପାସ୍‍ ମିଳିଲାନାହିଁ;” କିନ୍ତୁ ତାଙ୍କ ହସ ଆଉ ମୁହଁର ଭଙ୍ଗୀ ଦେଖି ପିଲା ଦୁହେଁ ସେ ପାସ୍‍ ଆଣିନାହାନ୍ତି ବୋଲି ବିଶ୍ୱାସ କରିପାରିଲେନାହିଁ । ତାଙ୍କୁ ଏକପ୍ରକାର ଠେଲିପେଲି ଦୁହେଁ ଘର ଭିତରକୁ ଆଣିଲେ । ପକ୍କା ଜବାବ ମିଳିଲା ଯେ ପାସ୍‍ ଆସିଛି । ଗୋରା ଆଶ୍ଵସ୍ତ ହେଲା, ତାରା କିନ୍ତୁ ପାସ୍‍ ନ ଦେଖି ନ ଛାଡ଼େ । ଅଗତ୍ୟା ରାଧାନାଥବାବୁ ନାଲିଆ ପାସ୍ ଖଣ୍ଡିକ ତାକୁ ଦେଖେଇଲେ । ସେତେବେଳକୁ ଚାରିଟା ବାଜିଲାଣି । ରାଧାନାଥବାବୁ ନିତ୍ୟକର୍ମ ସାରି ଜଳଖିଆ ଖାଇ ସାରିଲେଣି । ଦୀନୁବାବୁଙ୍କର ଦେଖା ନାହିଁ । ସେ କ’ଣ ଏକେବାରେ ଭୁଲିଗଲେ ଶନିବାର ସଞ୍ଜରେ ସର୍କସ୍‍ର ପହିଲି ଖେଳ କଥା ? ରାଧାନାଥବାବୁ କହିଲେ–“ଦୀନୁ ନ ଆସିଲେ ମୁଁ ବାବା ଏକା ତୁମକୁ ନେଇଯାଇପାରିବି ନାହିଁ ।” ଏ କଥାରେ ଗୋରା, ତାରା ଦୁହେଁ ଦବିଗଲେ । ସର୍କସ୍‍ ବାଘ, ସିଂହଙ୍କର କାରବାର । ସତରେ ବୋଧହୁଏ । ସେଠାକୁ ନେବା ଆଣିବା କରିବାରେ ବିପଦ ଅଛି ? ନହେଲେ ରାଧୁବାବୁଙ୍କ ଭଳି ବଡ଼ମଣିଷ ପାସ୍ ଥାଇ ଡରୁଛନ୍ତି । କାହିଁକି ଦୁହିଁଙ୍କୁ ଏକା ନବାପାଇଁ ? ଏ ଦ୍ୱିଧା ଭିତରେ ବେଶିବେଳ ରହିବାକୁ ହେଲା ନାହିଁ । ଦୀନୁବାବୁ ସାଢ଼େ ଚାରିଟାବେଳକୁ ହାଜର ହେଲେ । ପିଲାଙ୍କ ଆନନ୍ଦ ଦେଖେ କିଏ ? ଖେଳ ୬ଟାରେ ଆରମ୍ଭ । ଘରଠାରୁ ମ୍ୟୁନିସିପାଲଟି ପଡ଼ିଆ ଦୂର ନୁହେଁ । ତଥାପି ଆଜି ‘ପହିଲି ଖେଳ’ ଆଗରୁ ନ ଗଲେ ପୁଣି କେତେବେଳେ କେଉଁ କଥା ।

 

ଦୀନୁବାବୁ ପାଞ୍ଚଟା ପୂର୍ବରୁ ତାଙ୍କର କାମ ସାରିନେଲେ । ରାଧୁବାବୁ, ଦୀନୁବାବୁ ପିଲା ଦୁହିଁଙ୍କୁ ଧରି ଚାଲିଲେ ସର୍କସ୍‍ ଦେଖି । ଟାଉନ୍‍ହଲ୍‍ରେ ଲୋକ ଏତେ ଭିଡ଼ ଯେ ଆଗକୁ ଯିବା ବଡ଼ କଷ୍ଟସାଧ । ସେତେବେଳକୁ ଫାଟକର ଦୁଇ ପାଖରେ ଖୁବ୍ ବଢ଼ିଆ ବଢ଼ିଆ ପୋଷାକ ପିନ୍ଧି କେତେଜଣ ଲୋକ ବାଜା ବଜାଉଥା’ନ୍ତି । ଗୋରାଙ୍କ ଘରପାଖକୁ ମଧ୍ୟ ସେ ବାଜା ଶୁଭୁଥାଏ । ସେ କୁଆଡ଼େ ବ୍ୟାଣ୍ଡ୍‍ବାଜା । ବଡ଼ବଡ଼ ହଣ୍ଡାପରି । ଗ୍ୟାସ୍‍ବତି ଆଲୁଅରେ ସାରା ମ୍ୟୁନିସିପାଲଟି ପଡ଼ିଆ ଝଲସୁଥାଏ । ସେମାନେ ଆସି ଫାଟକ ପାଖରେ ପହଞ୍ଚିଲେ ତାଙ୍କୁ ଆଉ ଟିକଟଘର ପାଖକୁ ଯିବାକୁ ପଡ଼ିଲାନାହିଁ । ତାଙ୍କର ପାସ୍‍ ଅଛି । ସେ ପାସ୍‍କୁ ଫାଟକ ପାଖରେ ଦେଖେଇଲାମାତ୍ରେ ଜଣେ ଲୋକ ତାଙ୍କୁ ଆଗେ ଆଗେ ଯାଇଁ ଗୋଟାଏ ଧାଡ଼ି ଚଉକିରେ ବସେଇଦେଲା । ତାରା ସେତେବେଳକୁ ଖାଲି ଗ୍ୟାଲେରି ଆଡ଼କୁ ଅନେଇଥାଏ । ଦୁଇ ପାଖରେ ଗ୍ୟାଲେରି ମଣିଷରେ ଭରପୂର । ତାରା ବୟସର ଏପରିକି ତା’ଠାରୁ ବହୁ ଛୋଟପିଲା ମଧ୍ୟ ସେଠାରେ ବସିଛନ୍ତି । ତାରା ଚାରିପାଖକୁ, ତଳକୁ ଉପରକୁ ଚାରିଆଡ଼କୁ ଅନାଉଥାଏ । ଭୋକରେ ସେ ଆଉ ବସିପାରୁ ନଥାଏ-। ସେ ବରାବର ଠିଆ ହେଇଥାଏ । ତାକୁ ବସେଇଲେ ମଧ୍ୟ ସେ ଠିଆ ହୋଇ ଯାଉଥାଏ ନିଜର ଅଜାଣତରେ । ହାତେ ହାତେ ନାଲି କନା ଦିଆଯାଇ ମଝିରେ ଗୋଟାଏ ଖାଲି ଜାଗା ରହିଛି-। ସେ ଗୋଲ ଜାଗାର ଗୋଟାଏ ପାଖକୁ ଲୁହାଛଡ଼ି ଦିଆଯାଇ, ଗୋଟାଏ ପିଞ୍ଜରା ଭଳିଆ ଜିନିଷ ରହିଛି-। ତାରା ବାପାଙ୍କୁ ପଚାରି ବୁଝିଲା ଯେ, ସେ ଗୋଲଟାରେ ମଣିଷ, ଘୋଡ଼ା, ହାତୀ ପ୍ରଭୃତି ଖେଳ ଦେଖେଇବ, ଆଉ ସେ ପଞ୍ଜୁରୀ ଭିତରେ ବାଘ, ସିଂହ, ସବୁ ଖେଳ ଦେଖେଇବେ ।

 

ସେଦିନ ସହରର ସବୁ ବଡ଼ ଅଫିସର ଓ ଭଦ୍ରଲୋକମାନଙ୍କୁ ନିମନ୍ତ୍ରଣ କରାଯାଇଛି । ସେମାନେ ସବୁ ଆଜି ତାରା ଗୋରାଙ୍କ ପାଖ ଚଉକିରେ ବସିଲେ । ସେମାନେ ସବୁ ବସିସାରିଲା ପରେ ବାହାରେ ବାଜୁଥିବା ବାଜା ବନ୍ଦ ହେଇଗଲା ଓ ସେମାନେ ଧାଡ଼ିବାନ୍ଧି ବାଜା ଧରି ଆସି ସେ ଗୋଲେଇର ଗୋଟାଏ ନିର୍ଦ୍ଦିଷ୍ଟ ସ୍ଥାନରେ ବସି ବାଜା ବଜାଇବାକୁ ଆରମ୍ଭ କରିଦେଲେ, ତା’ପରେ ଖେଳ ଆରମ୍ଭ ହେଲା ।

 

ପ୍ରଥମେ ପଞ୍ଝାଏ ଝିଅ, ପୁଅ ଆସି ନାନାପ୍ରକାର ସାଧନ ମାରି ସେ ନାଲି ଗୋଲେଇଟାରେ ବୁଲିଗଲେ । ତାଙ୍କ ସାଙ୍ଗରେ ଜଣେ ଖୁବ୍ ଡେଙ୍ଗା ଓ ଜଣେ ଖୁବ୍ ଗେଡ଼ା ଲୋକ ଆସିଥାନ୍ତି । ତାଙ୍କ ପୋଷାକ ଦେଖି ସାରା ତମ୍ବୁଟା ଭିତରେ ହସର ରୋଳ ଶୁଣାଗଲା । ଚାରିଆଡ଼ୁ ପାଟି ହେଲା “ଜୋକର୍‍ ଜୋକର୍‍” । ଜୋକର୍‍ ଖେଳ ଦେଖେଇ ଦେଖେଇ ମସ୍ତ ମସ୍ତ କଚଡ଼ା ଖାଆନ୍ତି । ସମସ୍ତେ ହସି ଉଠିଲେ; କିନ୍ତୁ ଜୋକର୍ ଥରେ ଦି’ଥର ପଡ଼ିଲା ପରେ ନିଖୁଣ ଭାବରେ ଅନ୍ୟ ଖେଳୁଆଡ଼ମାନଙ୍କ ପରି ଖେଳ ଦେଖେଇ ଦିଅନ୍ତି । ଆଠ ଦଶଟା ଘୋଡ଼ା ଆସିଲେ । କାଳିଆ, କସରା, ଧଳା ରଙ୍ଗର ଘୋଡ଼ା । ସେଗୁଡ଼ା ଗୋଲେଇ ଭିତରେ ଦୌଡ଼ିଲେ । ଘୋଡ଼ସବାର ଦୁଇଜଣ ତାଙ୍କ ଉପରେ ବସି ନାନାପ୍ରକାର ଖେଳ ଦେଖାଇଲେ । ହାତୀ ସବୁ ଆସିଲେ । ସେମାନେ ମଧ୍ୟ ଖେଳ ଦେଖେଇଲେ । ତା’ପରେ ଭାଲୁ, ମାଙ୍କଡ଼, ଶୁଆ ମଧ୍ୟ ଆସି ନାନାପ୍ରକାର ଖେଳ ଦେଖାଇଲେ । ଉପରେ ସବୁ ଦୋଳି ଟଙ୍ଗା ହେଇଥିଲା । ସେଥିରେ ଚଢ଼ି ଦି’ଜଣ ଝିଅ ଦୋଳିରୁ ଦୋଳିକୁ ଡେଇଁ ନାନାପ୍ରକାର ଖେଳ ଦେଖେଇଲେ । କାଳେ ଗଳି ପଡ଼ିବେ ବୋଲି ମୋଟା ଗଦି ପଡ଼ିଥାଏ; କିନ୍ତୁ କେହି ପଡ଼ିଲେନାହିଁ । ‘ଜୋକର୍‍’ ସବୁ ଖେଳରେ ଯୋଗଦେଇ ପଡ଼ିଉଠି ଆପଣା ଭିତରେ ପିଟାପିଟି ହେଇ ସମସ୍ତଙ୍କୁ ହସାଉଥା’ନ୍ତି ।

 

ତାରା ଏ ସବୁ ଦେଖି ବାପାଙ୍କୁ ଖାଲି ପଚାରୁଥାଏ, ବାଘ କେତେବେଳେ ଆସିବ ? ଏତିକିବେଳେ ସେ ପିଞ୍ଜରାର ପଛପଟେ ଚକଲଗା ପିଞ୍ଜରା ସବୁ ଆସି ଥୁଆ ହେଲା । ବିଜ୍ଞାପନରେ ଯେମିତିକିଆ ମେଡ଼ାଲମରା ଲୋକର ଛବି ଥିଲା, ସେମିତି ଜଣେ କଳାପୋଷାକପିନ୍ଧା ଲୋକ ଛାତିରେ ମେଡ଼ାଲ ମାରି ହାତରେ ଗୋଟାଏ ବାଡ଼ି ଧରି ଆସି ସେ ପିଞ୍ଜରା ଭିତରେ ପଶି ସମସ୍ତଙ୍କୁ ନମସ୍କାର ଜଣାଇଲା । ଗୋରା କହିଲା, “ଦେଖିଲୁ ଏ ହେଲା ରିଂ ମାଷ୍ଟର, ସେ ବାଘ ଖେଳ ଦେଖେଇବ । ସତକୁସତ ଚକଲଗା ପିଞ୍ଜରା ସବୁ ସର୍କସ୍‍ ପିଞ୍ଜରା ପାଖକୁ ଲାଗିଲା । ସେ ସବୁ ପିଞ୍ଜରାର ଉପରେ ଲୋକ ଚଢ଼ି, ତା’ର କବାଟକୁ ଉପରକୁ ଉଠାଇଦେବାରୁ ଗର୍ଜନ କରି ବାଘମାନେ ଲୁହାଛଡ଼ ପିଞ୍ଜରା ଭିତରକୁ ଡେଇଁ ପଡ଼ିଲେ । ଏକାବେଳକେ ପାଞ୍ଚଟା ବାଘ । ସେମାନେ ସବୁ ଆଗ ପିଞ୍ଜରାରେ ସେ ଲୋକଟାର ଚାରିପାଖରେ ବୁଲିଗଲେ । ମଝିରେ ବାଡ଼ିଟାଏ ଧରି ସେହି ମେଡ଼ାଲପିନ୍ଧା ଲୋକଟା ଠିଆ ହେଇଥାଏ । ତା’ କଥା ଯେଉଁ ବାଘ ନ ମାନେ, ସେ ତା’ ହାତରେ ଧରିଥିବା ବାଡ଼ିଟାକୁ ସେ ବାଘ ଆଡ଼କୁ ଦେଖେଇ ଦେଲେ, ସେ ବିରକ୍ତ ହେଇ ଗୋଟାଏ ଗର୍ଜନ କରେ; କିନ୍ତୁ ସେ ଲୋକର କଥାମାନି ଖେଳ ଦେଖେଇ ଏମିତି ଅନ୍ୟ ଖେଳ ମଝିରେ ମଝିରେ ବାଘଖେଳ ଦୁଇଥର ଦେଖାଗଲା । ବାଘ ବଡ଼ ଆଁ କଲା । ତା’ ଆଁ ଭିତରେ ସେ ଲୋକଟା ମୁଣ୍ଡ ପୂରେଇଲା । ସମସ୍ତେ ତାଳିମାରି ପାଟିକଲେ । ତା’ପରେ ଗୋଟାଏ ଥାଳିରେ ଛେଳି ଏକାଠି ଦୁଧ ପିଇଲେ ।

 

ଗୋରାର ଆଉ ପଲକ ପଡ଼ୁ ନଥାଏ । ଛାତି ଦୁକୁ ଦୁକୁ ବନ୍ଦହବା ଉପରେ ବାପାଙ୍କୁ ଆଉ କିଛି ପଚାରିବାକୁ ମୁହଁରୁ କଥା ବାହାରୁ ନଥାଏ । ଏତିକିବେଳେ ପୁଣି ବାଘଖେଳ ଆରମ୍ଭ ହେଲା । ଗୋଟାଏ ବଡ଼ ବାଘ ବାହାରିଆସି ସେହି ପିଞ୍ଜରା ଭିତରେ ଥିବା ଗୋଟାଏ ସିଡ଼ିରେ ଆସ୍ତେ ଆସ୍ତେ ଉପରକୁ ଉଠିଲା । ଉଠି କ’ଣ ଗୋଟାଏ ଜିନିଷକୁ ପାଟିରେ ପୂରାଇ ଯେମିତି ଟାଣି ଦେଇଛି ଗୋଟାଏ ପ୍ରକାଣ୍ଡ ଶବ୍ଦ ହେଲା । ବାଘ ତଳକୁ ଓହ୍ଲାଇ ଆସି ପିଞ୍ଜରା ଭିତରକୁ ପଶିଗଲା; କିନ୍ତୁ ସେ ଶବ୍ଦରେ ସମସ୍ତେ ଠିଆ ହେଇପଡ଼ିଲେ । ଗୋଟାଏ ନାଲି ଆଲୁଅ ଜଳି ଉଠିଲା । ତାରା ଗୋରା ସେତେବେଳକୁ ଉଠି ଚଉକି ଉପରେ ଠିଆହେଇ ପଡ଼ିଲେଣି । କ’ଣ ହେଲା ଚାରିଆଡ଼େ କୋଳାହଳ । ଲୋକେ ବାହାରକୁ ପଳେଇବାକୁ ଫାଟକ ଆଡ଼କୁ ପେଲି ଚାଲିଛନ୍ତି । ସର୍କସ୍‍ର ସବୁଯାକ ଜୀବଜନ୍ତୁ ଐକ୍ୟ ତାନ ଧରି ଗର୍ଜନ କରିବାକୁ ଲାଗିଲେ । ଗୋଟାଏ ହଲ୍ଲା ଉଠିଲା ଯେ, ବାଘଟାଏ ଯନ୍ତାରୁ ବାହାରି ଆସିଛି ଓ ଲୋକ ଗହଳିରେ କୁଆଡ଼େ ପଶିଯାଇଛି । ତାକୁ ଗୁଳି କରାଗଲା; କିନ୍ତୁ ଗୁଳି ତା’ ଦେହରେ ବାଜିଲାନାହିଁ । ସେ କୁଆଡ଼େ କେତେ ଲୋକଙ୍କୁ ଖୁନ୍ ଜଖମ କରିସାରିଲାଣି । ଏ ଖବରରେ ସମସ୍ତେ ଆତଙ୍କିତ । ରାଧାନାଥ ଓ ଦୀନୁବାବୁ ମଧ୍ୟ କମ୍ ଘାବଡ଼େଇ ଯାଇନାହାନ୍ତି । ହୋଇପାରେ, ବାଘଟାଏ ପିଞ୍ଜରାରୁ ବାହାରିଯିବା କିଛି ବିଚିତ୍ର କଥା ନୁହେଁ । ସର୍କସ୍‍ବାଲା ମଧ୍ୟ ଲୋକଙ୍କ ଭିତରେ ଆତଙ୍କର କାରଣ କ’ଣ କିଛି ବୁଝିପାରୁ ନଥିଲେ । କେହି ତାଙ୍କୁ ବୁଝେଇ ଦେଲାପରେ ସେ ଲୋକଙ୍କୁ ବୁଝେଇବାକୁ ଲାଗିଲେ । ବାଘ ଫିଟି ଯାଇନାହିଁ । ଶେଷ ଖେଳରେ ବାଘ ଯେଉଁ ମାଂସର ପିଣ୍ଡୁଳାଟାକୁ ଟାଣିନେଲା, ତା’ ସାଙ୍ଗେ ସାଙ୍ଗେ ଗୋଟାଏ ବାଣ ଲାଗିଥିଲା, ସେଇଟା ଫୁଟିଗଲା; କିନ୍ତୁ ଏ କଥା ଲୋକେ ବୁଝିବା ଆଗରୁ ବେଶ୍ ଗୋଟାଏ ଠେଲାପେଲା ଦଳାଚକଟା ହେଇଗଲା । ସର୍କସ୍‍ତମ୍ବୁ ମଧ୍ୟ କେତେ ଜାଗା ଛିଣ୍ଡିଗଲା । କ୍ରମେ ଲୋକେ ଆଶ୍ଵସ୍ତ ହେଲେ । ଭିଡ଼ କମିଲା । ଲୋକେ ଘରକୁ ଫେରିଲେ ।

 

ଗୋରା, ତାରା ଚଉକି ଉପରେ ଛିଡ଼ା ହେଇ ରାଧାନାଥବାବୁ ଓ ଦୀନୁବାବୁଙ୍କୁ କୁଣ୍ଢେଇ ଧରିଥାନ୍ତି । ଭାଗ୍ୟେ ସେତେବେଳେ ବେଶି ମାଇପେ ସର୍କସ୍‍ ଥିଏଟର ଦେଖି ଆସୁ ନଥିଲେ, ନହେଲେ ଅବସ୍ଥା କ’ଣ ହେଇଥାନ୍ତା, କହି ହେବନାହିଁ ।

 

ଗୋରା, ତାରା ରାଧାନାଥବାବୁ ଓ ବାପାଙ୍କ ସାଙ୍ଗରେ ଘରକୁ ଫେରିଲେ । କାହା ପାଟିରୁ କଥା ବାହାରୁ ନଥାଏ । ଏପରି ଗୋଳମାଳ ହେଇ ନଥିଲେ, ସର୍କସ୍‍ ଦେଖି ଆସିବା ବାଟରେ ଗୋରା ତାରାଙ୍କ ପାଟିରୁ ଖାଲି କଥାରୁ ସୁଅ ଛୁଟୁଥାନ୍ତା; କିନ୍ତୁ ଆଜି ସମସ୍ତେ ଚୁପ୍‍ଚାପ୍ ଘର ପର୍ଯ୍ୟନ୍ତ ଆସିଲେ ।

 

ଏକୋଇଶ

 

ଦିନେ ଦିନେ ଟାଉନ୍‍ହଲ୍‍ରେ ସଭା ହୁଏ । ଆଜିକାଲି ଯେମିତି ପ୍ରାୟ ପ୍ରତିଦିନ ସହରରେ କେଉଁଠି ନା କେଉଁଠି ଯେପରି ଗୋଟାଏ ଦୁଇଟା ବା ତା’ଠାରୁ ବେଶି ସଭା ହେଉଛି । ସେତେବେଳେ ସେପରି ସଭାମାନ ହେଉ ନଥିଲା । ଟାଉନ୍‍ହଲ୍‍ରେ ଯେଉଁସବୁ ସଭା ହୁଏ ସେଗୁଡ଼ିକ ପ୍ରାୟ ସରକାରଙ୍କ ତରଫରୁ ହୁଏ । କେତେବେଳେ କିପରି ଉତ୍କଳ ସମ୍ମିଳନୀ, ଦେଶ ମିଶ୍ରଣ ଆନ୍ଦୋଳନ ଅଥବା ବଢ଼ି ମରୁଡ଼ିପାଇଁ ସଭା ହୁଏ । ସଭା ହବା ବିଷୟ ଧେଣ୍ଡୁରା ବା ଘୋଡ଼ା ଗାଡ଼ିରେ ହ୍ୟାଣ୍ଡ୍‍ବିଲ୍ ବାଣ୍ଟି ପ୍ରଚାର କରାଯାଏ । ସେତେବେଳେ ହାତଟଣା ବା ସାଇକେଲ ରିକ୍ସା କଟକରେ ଚାଲୁ ନଥାଏ । ବିଜୁଳିଆଲୁଅ ମଧ୍ୟ କଟକରେ ନଥାଏ । ସନ୍ଧ୍ୟାବେଳକୁ ସଭାକୁ ଉଦ୍ୟୋକ୍ତାମାନେ ଗ୍ୟାସ୍‍ଲାଇଟ୍ ଜଳେଇ ସଭା କରନ୍ତି ।

 

ସ୍କୁଲ୍‍ରେ ଡିବେଟିଂ କ୍ଲାସ୍ ସପ୍ତାହରେ ଗୋଟାଏ କରିଥାଏ । ଗୋରା ପ୍ରାୟ ସେଥିରେ ଭାଗନିଏ । ଭଲ କହିବାବାଲା ବୋଲି ସ୍କୁଲ୍‍ର ବକ୍ତୃତା ପ୍ରତିଯୋଗିତାରେ ସେ ପୁରସ୍କାର ପାଏ । ଟାଉନ୍‌ହଲ୍‍ରେ ଯେକୌଣସି ସଭାହେଲେ ସେ ସେଥିରେ ଯୋଗ ଦିଏ ଓ ଶେଷ ପର୍ଯ୍ୟନ୍ତ ଥାଏ । ଏଥିପାଇଁ ବାପାଙ୍କଠାରୁ ମଝିରେ ମଝିରେ ସେ ଗାଳି ମଧ୍ୟ ଶୁଣେ । ତାରା ମଧ୍ୟ ଭାଇଙ୍କ ସାଙ୍ଗେ ସଭାକୁ ଦିନେ ଦିନେ ଯାଏଁ । କେଉଁ କେଉଁ ଦିନ ଶେଷ ପର୍ଯ୍ୟନ୍ତ ରହେ, ନଚେତ୍ ପଳେଇଆସେ ।

 

ସେ ସମୟରେ ସତ୍ୟବାଦୀର ସାକ୍ଷୀଗୋପାଳ ଠାରେ ଗୋଟାଏ ନୂଆ ଧରଣର ସ୍କୁଲ୍‍ ଖୋଲିଥାଏ । ଏ ସ୍କୁଲ୍‍ ବିଷୟରେ ଚାରିଆଡ଼େ ଚହଳ ପଡ଼ିଯାଇଥାଏ । ଓଡ଼ିଶାର ସବୁ କୋଣରେ ପିଲାଏ ଆସି ସେ ସ୍କୁଲ୍‍ରେ ପଢ଼ିବାକୁ ଲାଗିଲେ । ଗୋପବନ୍ଧୁ ଦାସଙ୍କ ଡାକରାରେ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ହରିହର ମିଶ୍ର ପ୍ରଭୃତି ଏମ. ଏ. ବା ଉଚ୍ଚ ଶିକ୍ଷିତ ଲୋକମାନେ ଏ ସ୍କୁଲ୍‍ର ଶିକ୍ଷକ ହିସାବରେ ଆସି ଯୋଗ ଦେଲେ । ପଣ୍ଡିତ ନୀଳକଣ୍ଠ ଦାଶ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ଲିଙ୍ଗରାଜ ମିଶ୍ର ପ୍ରଭୃତି ସେ ସମୟରେ ସବୁଠାରୁ ନାମଜାଦା ଶିକ୍ଷିତ ଲୋକ । ସେମାନେ ବଡ଼ବଡ଼ ସରକାରୀ ଚାକିରି ଛାଡ଼ିଆସି ସାକ୍ଷୀଗୋପାଳ ବନ ବିଦ୍ୟାଳୟରେ ଯୋଗ ଦେଲେ । ଏମାନଙ୍କ ପରି ଶିକ୍ଷିତ ଲୋକେ ସରକାରୀ ଚାକିରି ଛାଡ଼ି ଏ ବିଦ୍ୟାଳୟରେ ଯୋଗ ଦେବାରୁ, ଏ ସ୍କୁଲ୍‍ର ସମ୍ମାନ ଦେଶରେ ଭାରି ବଢ଼ିଗଲା । ଭିନ୍ନ ଭିନ୍ନ ସ୍କୁଲ୍‍ରୁ ପିଲାମାନେ ଆସି ଏ ସ୍କୁଲ୍‍ରେ ପଢ଼ିବାକୁ ଲାଗିଲେ । ଗୋରାଙ୍କ ସ୍କୁଲ୍‍ରୁ ମଧ୍ୟ କେତେକ ଭଲ ଭଲ ପିଲା ସାକ୍ଷୀଗୋପାଳ ବନ ବିଦ୍ୟାଳୟକୁ ଗଲେ । ଗୋରାର ମନବି ସକସକ ହେଉଥାଏ ସାକ୍ଷୀଗୋପାଳରେ ଯାଇଁ ପଢ଼ିବାକୁ; କିନ୍ତୁ ବାପାଙ୍କ ଡରରେ କିଛି କହିପାରୁ ନଥାଏ ।

 

ରାଧାନାଥବାବୁ ଓ ଦୀନୁବାବୁ ବସି ବେଳେବେଳେ ଏ ସ୍କୁଲ୍‍ ବିଷୟରେ ଆଲୋଚନା କରନ୍ତି । ସେ ସ୍କୁଲ୍‍ କୁଆଡ଼େ ସାକ୍ଷୀଗୋପାଳଙ୍କ ମନ୍ଦିର ସଂଲଗ୍ନ ଗୋଟାଏ ସୁନ୍ଦର ବକୁଳ ଛୁରିଆନା ବଗିଚାରେ ହେଉଥାଏ । ପିଲାମାନେ ଗଛ ଛାଇରେ ବସି ପାଠ ପଢ଼ନ୍ତି । ବୋଡ଼ିଂରେ ରହନ୍ତି । ଉଚ୍ଚଶିକ୍ଷିତ ଶିକ୍ଷକମାନେ ମଧ୍ୟ ଛାତ୍ରମାନଙ୍କ ସହ ସେହି ବୋଡ଼ିଂରେ ରହନ୍ତି । ଠିକ୍ ଆମର ପୂର୍ବର ଗୁରୁକୁଳ ଆଶ୍ରମ ଢାଞ୍ଚାରେ ସେଠାରେ ଶିକ୍ଷା ଦିଆଯାଉଥାଏ । ପାଠ ସହିତ ପିଲାମାନଙ୍କୁ ଶରୀରଚର୍ଚ୍ଚାଠାରୁ ଆରମ୍ଭ କରି, ଦେଶ ସେବା ସମ୍ବନ୍ଧରେ ଶିକ୍ଷା ଦିଆଯାଏ । ସେତେବେଳେ ବିହାର ଓଡ଼ିଶା ମିଶି ଗୋଟିଏ ପ୍ରଦେଶ ଥାଏ । ବିହାରର ଲାଟ ଥରେ କୁଆଡ଼େ ଆସି, ସେ ସ୍କୁଲ୍‍ର ପାଠପଢ଼ା ଦେଖି ଖୁବ୍ ସନ୍ତୋଷ ପ୍ରକାଶ କରିଯାଇଥିଲେ । ଏ ସବୁ ସତ୍ତ୍ଵେ ଓଡ଼ିଶାର ଶାସନମୁଖ୍ୟଙ୍କର ସେ ସ୍କୁଲ୍‍ ପ୍ରତି ଭଲ ଧାରଣା ନଥାଏ । ସେମାନେ ସେ ସ୍କୁଲ୍‍ର କାର୍ଯ୍ୟକଳାପକୁ ବଡ଼ ସନ୍ଦେହ ଦୃଷ୍ଟିରେ ଦେଖୁଥା’ନ୍ତି । ସେତେବେଳେ ସ୍କୁଲ୍‍ପିଲାଏ ସାଦାସିଧା ଭାବରେ ଚଳିବା ବା ଶରୀର ଚର୍ଚ୍ଚା କରିବା ଶାସକଙ୍କ ମନରେ ଗୋଟାଏ କିପରି ସନ୍ଦେହର ବାତାବରଣ ସୃଷ୍ଟି କରୁଥାଏ-। ବଢ଼ି, ମରୁଡ଼ି, ମହାମାରୀ ହେଲେ ତ ସେ ସ୍କୁଲ୍‍ର ପିଲାମାନେ ଚୁଡ଼ା, ଚାଉଳ, ଔଷଧ ପ୍ରଭୃତି ନେଇ ସେମାନଙ୍କର ଶିକ୍ଷକମାନଙ୍କ ତତ୍ତ୍ଵାବଧାନରେ ଦୁର୍ବଳ ଲୋକଙ୍କ ସେବାପାଇଁ ବାହାରି ଯାଉଥିଲେ । ଏ ସବୁ କାମକୁ ସରକାର ସେତେବେଳେ ମୋଟେ ପସନ୍ଦ କରୁ ନଥିଲେ ।

 

ପ୍ରଥମ ମହାଯୁଦ୍ଧ ସରିଯାଇଥାଏ । ଦେଶରେ ସେତେବେଳେ ଭୀଷଣ ଖାଦ୍ୟଭାବ ଦେଖା ଦେଇଥାଏ । ଲୋକଙ୍କ ମନରେ ସରକାରଙ୍କ ପ୍ରତି ଗୋଟାଏ କିପରି ଘୃଣାଭାବ ଦେଖାଦେଇଥାଏ । ଇଂରେଜ ସରକାର ନିଜର ସ୍ଵାର୍ଥପାଇଁ ଭାରତବାସୀଙ୍କର ଅନିଚ୍ଛା ସତ୍ତ୍ଵେ ସେମାନଙ୍କୁ ଯୁଦ୍ଧରେ ଫସେଇଦେଲେ । ଲୋକେ ତ ଯାହା ଯୁଦ୍ଧରେ ମଲେ ମଲେ, ଦେଶରେ ଘୋର ଅନଟନ ବ୍ୟାପିଗଲା । ଜିନିଷପତ୍ରର ଦାମ୍ ବହୁତ ବଢ଼ିଗଲା । ଚାରିଆଡ଼େ ଅଶାନ୍ତି ବ୍ୟାପିବାକୁ ଲାଗିଲା । କଟାଘା’ରେ ଲୁଣଛିଟା ଦେଲାପରି ପଞ୍ଜାବରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପ୍ରଭୃତି ଲୋକଙ୍କୁ ଆହୁରି ତତେଇ ଦେଲା ।

 

ଏତିକିବେଳେ ଗୁଜରାଟରେ ମୋହନଦାସ କରମଚାନ୍ଦ ଗାନ୍ଧି ବୋଲି ଜଣେ ବାରିଷ୍ଟର ଦକ୍ଷିଣ ଆଫ୍ରିକାରୁ ବାରିଷ୍ଟରି ଛାଡ଼ିଆସି ଭାରତରେ ଖୋଲାଖୋଲି ଭାବରେ ଇଂରେଜ ସରକାରଙ୍କ କାର୍ଯ୍ୟକଳାପକୁ ନିନ୍ଦାକରିବାକୁ ଆରମ୍ଭ କଲେ । ଭାରତୀୟ ଜାତୀୟକଂଗ୍ରେସ ସେତେବେଳକୁ ଭାରତୀୟମାନଙ୍କ ଉନ୍ନତି ସକାଶେ ସଉକିନିଆ ଆନ୍ଦୋଳନ ଆରମ୍ଭ କରିଥା’ନ୍ତି । ବର୍ଷକେ ଥରେ ବଡ଼ଦିନବେଳକୁ ଭାରତର କୌଣସି କୌଣସି ବଡ଼ ସହରରେ ଏହାର ଅଧିବେଶନ ବସେ । ଏଥିରେ ସଭାପତି ହୁଅନ୍ତି ଇଂରେଜ ଶାସକମାନଙ୍କ ମଧ୍ୟରୁ ଜଣେ । ବେଳେବେଳେ ଅବଶ୍ୟ ଜଣେ ଅଧେ ଟାଣୁଆ ଭାରତୀୟ ମଧ୍ୟ ସଭାପତି ହୁଅନ୍ତି । ଅଧିବେଶନ ମଞ୍ଚରେ ଅନେକ ପ୍ରସ୍ତାବ ଆଗତ ହୁଏ, ଗୃହୀତ ହୁଏ । ଗୋଟାଏ ବଡ଼ ଧରଣର ବକ୍ତୃତା ପ୍ରତିଯୋଗିତା ବୋଲି କହିଲେ ଚଳେ । ଅତି ବେଶି ହୋଇ କଂଗ୍ରେସ ସେତେବେଳକୁ ସ୍ୱାୟତ୍ତ ଶାସନ ଭାରତୀୟମାନଙ୍କୁ ଦେବାପାଇଁ ଅତି ନମ୍ରତା ସହକାରେ ଦାବି କରିଥାଏ । ଏତିକିବେଳେ ଗାନ୍ଧି ଆସି ଗୋଟାଏ ନୂଆ କଥା ଦେଶରେ କହିବାକୁ ଆରମ୍ଭକଲେ । ସେ ସ୍ୱାୟତ୍ତ ଶାସନ ବା ସ୍ଵରାଜ କଥା ନ କହି ଗୋଟାଏ ନୂଆ କଥା କହିଲେ । ସେ କହିଲେ “ଦେଶରେ ବିଦେଶୀ ଜିନିଷ ବର୍ଜନ କର ।” ଏହା ଗୋଟାଏ ନୂଆ କଥା, ଆମେ କାହା ସହିତ କଳି କରୁନୁ । କାହାକୁ ଚାଲିଯାଅ ବୋଲି କହୁନୁ । ଆମେ କହୁଛୁ ଆମ ଦେଶ ଜିନିଷ ଆମେ ବ୍ୟବହାର କରିବୁ । ବିଦେଶୀ ଜିନିଷ ବ୍ୟବହାର କରିବୁ ନାହିଁ । ଏ ତ ଗୋଟାଏ ସିଧା କଥା । ଏଇଟା ଆମର ରୁଚିର କଥା । ଏଥିରେ ଆମକୁ ବାଧ୍ୟବାଧକତା କରି ବିଦେଶୀ ଜିନିଷ ବ୍ୟବହାର କରିବୁ ବୋଲି କହିବା ଅନ୍ୟାୟ । ଆମେ ବିଦେଶରୁ ଆମଦାନୀ ହେଉଥିବା ମାଷ୍ଟରି ଲୁଗା ପିନ୍ଧିବୁ ନାହିଁ । ବିଦେଶରୁ ଆସୁଥିବା ଛତା, ଜୋତା ପ୍ରଭୃତି ହଜାର ରକମର ବିଲାତୀ ଜିନିଷ ବ୍ୟବହାର କରିବୁ ନାହିଁ । ଆମେ କପାରୁ ସୂତା କାଟି ଲୁଗା ବୁଣି ପିନ୍ଧିବୁ । ବିଦେଶୀ ଲୁଗା ଆମେ ପିନ୍ଧିବୁ ନାହିଁ, ନିଶା ଖାଇବୁ ନାହିଁ । ଏସବୁ ଜିନିଷ ପିନ୍ଧିବାକୁ ବା ଖାଇବାକୁ ତ ଆମକୁ କେହି ବାଧ୍ୟ କରିପାରିବନାହିଁ । ଏ ତ ଆମର ନିଜର ଖୁସି କଥା ।

 

ଏ କଥା ସାଧାରଣ ଲୋକଙ୍କୁ ଖୁବ୍ ସୁହେଇଲା । ଏଇ କିଛି ବିପ୍ଳବ ବା ବିଦ୍ରୋହର କଥା ନୁହେଁ ଯେ, ସରକାର ଆଇନ ବଳରେ ଲୋକଙ୍କ ମୁହଁ ବନ୍ଦ କରିଦେବେ । ଏହାର ପନ୍ଦର କୋଡ଼ିଏବର୍ଷ ପୂର୍ବରୁ ବଙ୍ଗ ଦେଶକୁ ବିଭାଗ କରାଯାଇଥିଲା ବୋଲି ସେଠା ଲୋକେ ବନ୍ଧୁକ, ଗୁଳି ଗୋଳା, ବୋମା ନେଇ ପ୍ରଚଳିତ ଇଂରେଜ ସରକାର ବିରୋଧରେ ଗୋଟାଏ ବିପ୍ଳବ ସୃଷ୍ଟି କରିଦେଇଥିଲେ । ଏହିପରି ପଞ୍ଜାବ, ମଧ୍ୟପ୍ରଦେଶ ପ୍ରଭୃତି କେତେକ ଜାଗାରେ କାଁଭାଁ ସରକାର ବିରୋଧରେ ପଞ୍ଝାଏ ପଞ୍ଝାଏ ଅସହିଷ୍ଣୁ ଯୁବକ ଆନ୍ଦୋଳନ ଆରମ୍ଭ କରିଦିଅନ୍ତି । ବିପ୍ଳବ ଦମନର ଦ୍ଵାହିଦେଇ ଏମାନଙ୍କୁ ଦ୍ଵୀପାନ୍ତର କରି, ଗୁଳିକରି ବା ଫାଶୀକାଠରେ ଝୁଲାଇ ଦିଆଯାଏ । ଆନ୍ଦୋଳନ ସାମୟିକ ଭାବରେ ଦବିଯାଏ; କିନ୍ତୁ ଗାନ୍ଧି ଏ ଏକ ନୂଆ କଥା କହିଲେ । ହାତରେ ନମାରି ଭାତରେ ମାରିବେ ନା କ’ଣ ? ଚକଚକିଆ ବିଲାତୀ ଲୁଗା, ବିଲାତୀ ଜିନିଷ ବିକି ସେ ଇଂରେଜ ବଣିଆଜାତି ଆମକୁ ଖୁବ୍ ସୁବିଧାରେ ଶୋଷୁଥିଲେ । ଆମେ ସବୁ ଜାଣିଥିଲେ; କିନ୍ତୁ ଚାହିଁଜଳକା ହେଇ ରହୁଥିଲେ । ଗାନ୍ଧି ଆମର ନିଦ ଭାଙ୍ଗିଦେଲେ ।

 

ଗାନ୍ଧି ସେତେବେଳକୁ ‘ମହାତ୍ମାଗାନ୍ଧି’ ବା ‘ଗାନ୍ଧିଜୀ’ ହେଇ ନଥା’ନ୍ତି । ସେ ଥା’ନ୍ତି ଖାଲି ମୋହନ ଦାସ କରମଚାନ୍ଦ ଗାନ୍ଧି ବା ସଂକ୍ଷେପରେ ‘ଗାନ୍ଧି’ । ସେ ଏହି ସାମାନ୍ୟ କଥା କହିବାକୁ ଭାରତର ଏମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଗସ୍ତ ଆରମ୍ଭ କରିଦେଲେ । ଏ ସହଜିଆ କଥାଟା ଗାଁର ମଳିମୁଣ୍ଡିଆ ଚାଷୀଙ୍କଠାରୁ ଆରମ୍ଭକରି ଧୋବଧାଉଳିଆ ବାବୁଭାୟାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁହେଇଲା । ଗାନ୍ଧି ସାରା ଭାରତବର୍ଷ ଗସ୍ତ କରିସାରିବା ପରେ ତାଙ୍କୁ ଭାରତବାସୀଙ୍କ ମତିଗତି ଭଲ ଭାବରେ ଜଣାପଡ଼ିଗଲା ।

 

ଦେଶରେ ଅହିଂସା, ଅସହଯୋଗ, ବିଦେଶୀ ଦ୍ରବ୍ୟ ବର୍ଜନ ଆନ୍ଦୋଳନ ଆରମ୍ଭ ହେଇଗଲା । ସ୍ଵାଧୀନତାର ମୂଳମନ୍ତ୍ର ଯେ ଏହି ଆନ୍ଦୋଳନରେ ନିହିତ, ଏକଥା ବିଦେଶୀ ଶାସକ ବା ଭାରତବାସୀ କାହାକୁ ବୁଝିବାରୁ ବାକି ରହିଲା ନାହିଁ । ଓକିଲ କଚେରି ଛାଡ଼ିଲେ । ସରକାରୀ ଚାକିରିଆ ଚାକିରି ଛାଡ଼ିଲେ । ପିଲାଏ ସ୍କୁଲ୍‍, କଲେଜ ଛାଡ଼ିଲେ । ପଇସା କମେଇବାକୁ, ପାଠ ପଢ଼ିବାକୁ ଖୁବ୍ ବେକ ମିଳିବ । ଆଗେ ଦେଶ ସ୍ୱାଧୀନ ହେଉ । କେହି ତ ଗୋଳା, ଗୁଳି ବନ୍ଧୁକ ଧରି ଆମକୁ ବିଦେଶୀ ହଟାଇବାକୁ, ଯୁଦ୍ଧକରିବାକୁ କହୁନାହିଁ । ଆମେ ନିଜେ ବିଦେଶୀ ଜିନିଷ ବ୍ୟବହାର କରିବା ନାହିଁ । ବିଦେଶୀ ଲୁଗା, ବିଦେଶୀ ଜିନିଷ, ମଦ, ଗଞ୍ଜେଇ, ଅଫିମ ଯେଉଁଠି ବିକ୍ରି ହେଉଛି, ସେଠାକୁ ଯାଇ ସେସବୁ ଜିନିଷ ନ କିଣିବାପାଇଁ ଲୋକଙ୍କୁ କହି, ଦୋକାନ ଦୁଆରେ ବସିରହି ‘ପିକେଟିଂ’ କରିବା । କାହାକୁ ଜୋର୍ ଜବରଦସ୍ତି ନାହିଁ । କେବଳ ଅନୁନୟ ବିନୟ, ଦୋକାନ ଆଗରେ ଧାରଣା ଦେଇ; ଦରକାର ପଡ଼ିଲେ ବାଟ ଓଗାଳି ଶୋଇଯିବା । ଯାହାର ଦରକାର ସେ ଡେଇଁକରି ବା ଉପରେ ଚଢ଼ି ଦୋକାନକୁ ଯାଉ, ସେଥିରେ ଆପତ୍ତି ନାହିଁ । ଦୋକାନୀର ଏଥିରେ କ୍ଷତିବେଳେ ସେମାନେ ଧାରଣା ଦେଉଥିବା ଲୋକଙ୍କୁ ଗାଳିମାଡ଼ ଦିଅନ୍ତି । ଗରାଖ ମଧ୍ୟ ବେଳେବେଳେ ବିଦେଶୀ ଜିନିଷ କିଣିବାପାଇଁ ଅତ୍ୟଧିକ ଝୁଙ୍କି ଧାରଣାଦେବା ଲୋକଙ୍କୁ ଡେଇଁ ବା ଉପରେ ଚଢ଼ି ଚାଲିଯାନ୍ତି; କିନ୍ତୁ ଧାରଣା ଦବା ଲୋକଙ୍କୁ ଏପରି ଶିକ୍ଷା ଦିଆଯାଇଥାଏ ଯେ, ସେମାନେ ଏ କାର୍ଯ୍ୟର ସାମାନ୍ୟ ପ୍ରତିବାଦ ମଧ୍ୟ କରନ୍ତିନାହିଁ; ବରଂ ବିଦେଶୀ ଜିନିଷ ବା ମାଦକଦ୍ରବ୍ୟ ନ କିଣିବାପାଇଁ ଅନୁନୟ ବିନୟ କରନ୍ତି । ସେଥିପାଇଁ ଏ ଧାରଣା ଦେବା ଲୋକଙ୍କୁ ‘ସତ୍ୟାଗ୍ରହୀ’ କୁହାଯାଉଥାଏ । ଏମାନଙ୍କ କାର୍ଯ୍ୟକୁ ‘ସତ୍ୟାଗ୍ରହ’ କୁହାଯାଉଥାଏ ।

 

ଏ ଆନ୍ଦୋଳନ ଭାରତର ବଡ଼ବଡ଼ ସହର ଠାରୁ ଆରମ୍ଭ କରି ଅତି ଛୋଟ ସହରମାନଙ୍କରେ ମଧ୍ୟ ବିଦ୍ୟୁତ ବେଗରେ ବ୍ୟାପିଗଲା । ବଡ଼ବଡ଼ ସହର ବନ୍ଦରମାନଙ୍କରେ ଜାହାଜରୁ ରେଳରୁ ବିଦେଶୀ ଜିନିଷ ଉତାରିବାକୁ ଦିଆଗଲା ନାହିଁ । ଦଳଦଳ ହୋଇ ଲୋକେ ବିଦେଶୀ ଦୋକାନ ଆଗରେ ସତ୍ୟାଗ୍ରହ ଆରମ୍ଭକଲେ । ରାତିରେ ସହରମାନଙ୍କର ବଡ଼ବଡ଼ ଛକ ଜାଗାରେ ସଭା ହୁଏ । ସେଠାରେ ବିଦେଶୀ ଜିନିଷ ବର୍ଜନପାଇଁ ବକ୍ତୃତା ଦିଆଯାଏ ଓ ସଭା ଶେଷରେ ସେଠାରେ ବିଦେଶୀ ଲୁଗା, ବିଦେଶୀ ଜିନିଷ ପୋଡ଼ାର ଗୋଟାଏ ଯଜ୍ଞ ହୁଏ । ଲୋକଙ୍କର ଏ କାର୍ଯ୍ୟରେ ସେତେବେଳେ ଭାରି ଉତ୍ସାହ ଦେଖାଯାଇଥାଏ । ପ୍ରଥମେ ପ୍ରଥମେ ଏ କାମଟା ବେଆଇନ ନୁହେଁ ବୋଲି ସରକାର ଏହାର ଗତିବିଧି ଲକ୍ଷ୍ୟ କରୁଥିଲେ; କିନ୍ତୁ ଯେତେବେଳେ ବନ୍ଦର, ରେଳବାଇ, ଦୋକାନଠାରୁ ଆରମ୍ଭ କରି ସ୍କୁଲ୍‍, କଲେଜ, କଚେରି ପ୍ରଭୃତିକୁ ଏ ଆନ୍ଦୋଳନ ବ୍ୟାପିବାକୁ ଲାଗିଲା, ସେତେବେଳେ ସରକାର ଏହାକୁ ବେଆଇନ ଘୋଷଣା କରି ସତ୍ୟାଗ୍ରହୀମାନଙ୍କୁ ଗିରଫ୍‍ କରିବାକୁ ଲାଗିଲେ । କେତେକେତେବେଳେ ଅତି ବାହାଦୁରିଆ ପୋଲିସ୍‍ ଅଫିସର ବା ସରକାରୀ କର୍ମଚାରୀ ଏହି ସତ୍ୟାଗ୍ରହୀମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ; କିନ୍ତୁ ସତ୍ୟାଗ୍ରହୀମାନଙ୍କର ବ୍ୟବହାର ଓ ସାମାନ୍ୟତମ ପ୍ରତିରୋଧର ପ୍ରଚେଷ୍ଟା ନଥିବାର ଲକ୍ଷ୍ୟକରି କେତେକ ଅତି ଦୁର୍ଦ୍ଦାନ୍ତ ପୋଲିସ୍‍ ଅଫିସର ମଧ୍ୟ ଲଜ୍ଜା ଅନୁଭବ କରୁଥିଲେ ।

 

ଅବସ୍ଥାକ୍ରମେ ଏପରି ହେଲା ଯେ ଏ ଆନ୍ଦୋଳନ କିଏ ଚଳାଉଛି, କେଉଁଠି ଏହାର କେନ୍ଦ୍ର, କ’ଣ ଏହାର ଭବିଷ୍ୟତ ଏ ବିଷୟରେ ଚିନ୍ତା କରିବାକୁ ବା ନିର୍ଦ୍ଦେଶ ଦେବାକୁ ଲୋକ ରହିଲେ ନାହିଁ । ଜନସାଧାରଣଙ୍କ ଭିତରୁ ନେତା ବାହାରିପଡ଼ିଲେ । ସତ୍ୟାଗ୍ରହର ପରିସର ବୃଦ୍ଧି ପାଇବାକୁ ଲାଗିଲା । ଏଥିପାଇଁ ଦରକାର ହେଲେ ଶହ ଶହ ସ୍ଵେଚ୍ଛାସେବକ, ଯେଉଁମାନେ କି ସ୍ୱେଚ୍ଛାରେ ଦେଶର ସେବା କରିବାକୁ ଆଗଭର ହୋଇ ଆସିବେ; ସତ୍ୟାଗ୍ରହ କରିବେ, ପୋଲିସ୍‍ର ଜୁଲମ ଓ ନିର୍ଯାତନା ନିର୍ବିବାଦରେ ସହ୍ୟ କରିବେ । ଜେଲ୍ ଯିବେ । ସ୍କୁଲ୍‍ କଲେଜର ପିଲା, ଅଫିସର କର୍ମଚାରୀ ଓ ସାଧାରଣ ଜନତାଙ୍କୁ ଏଥିପାଇଁ ଆହ୍ଵାନ ଦିଆଗଲା । କିଏ ଏହି ଆହ୍ଵାନ ଦେଲା, ଠିକ୍ କହିହେବ ନାହିଁ; କିନ୍ତୁ ଏ ଆହ୍ଵାନ ପରସ୍ପର, ପରସ୍ପରକୁ ଦେଲେ । ଶହ ଶହ ସଂଖ୍ୟାରେ ଛାତ୍ର ସ୍କୁଲ୍‍, କଲେଜ ଛାଡ଼ି ସ୍ଵେଚ୍ଛାସେବକ ହେଇ, ସତ୍ୟାଗ୍ରହରେ ଯୋଗଦେଇ ଜେଲ୍ ଗଲେ । ସ୍କୁଲ୍‍, କଲେଜର ଶିକ୍ଷକ ଓ ଅଧ୍ୟାପକମାନଙ୍କ ଶତ ତାଡ଼ନା, ଘରେ ମା’ ବାପାଙ୍କର ନାଲିଆଖି ଓ ବୁଝାସୁଝା କିଛିହେଲେ ଏମାନଙ୍କୁ ରୋକିପାରିଲା ନାହିଁ । ଶହ ଶହ ସଂଖ୍ୟାରେ ଲୋକେ ସତ୍ୟାଗ୍ରହ କରି ଜେଲ୍ ବରଣ କଲେ । କେତେ ନେତା, କେତେ ବକ୍ତା, କେତେ କର୍ମୀ ଯେ ଲୋକଙ୍କ ଭିତରୁ ବାହାରିପଡ଼ିଲେ, ତା’ର ଠିକଣା ରହିଲା ନାହିଁ । ନାନାପ୍ରକାର ଗୀତ ଧ୍ଵନି ସବୁ ସୃଷ୍ଟି କରାଗଲା । ଉନ୍ମାଦନା ଦବାପାଇଁ ‘ବନ୍ଦେ ମାତରଂ’ ‘ମହାତ୍ମା ଗାନ୍ଧିଜି ଜୟ’ ଧ୍ୱନିରେ ଆକାଶ ପ୍ରକମ୍ପିତ ହେଲା । ସତ୍ୟାଗ୍ରହୀମାନେ ଦଳରୁ ଦଳ ମାଡ଼ିଆସିଲେ । ମୁହଁରେ ତାଙ୍କର ବିପ୍ଳବୀ କବି ବୀରକିଶୋରଙ୍କର ।

 

“ଆମେ ନ କିଣିବୁ ବିଦେଶୀଲୁଗା; ଆମେ ସୂତାକାଟି ଲୁଗା ବୁଣେଇ ନେବୁ, ବୁଣେଇ ନେବୁ, ହଡ଼ା ବେପାରୀଙ୍କୁ ଏପାରି ସେପାରି ନଚେଇ ଦବୁ”–ଇତ୍ୟାଦି ବୋଲି ସତ୍ୟାଗ୍ରହ କରନ୍ତି । ଜେଲ୍ ଯା’ନ୍ତି । ପୁଣି ସତ୍ୟାଗ୍ରହୀ ଆସନ୍ତି, ପୁଣି ଧରା ହୁଅନ୍ତି । ବ୍ରିଟିଶ ସରକାରଙ୍କ ଜେଲ୍ ସତ୍ୟାଗ୍ରହ ବନ୍ଦିରେ ପୂରିଗଲା ।

 

ଏ ସବୁ ଉନ୍ମାଦନା ଭିତରେ ଗୋରା ଭଳିଆ ପିଲା ଯେ ଘରେ ଚୁପ୍‌ହୋଇ ବସି ରହିପାରିବ, ଏକଥା ଭାବିବା ଆମ ପକ୍ଷରେ ନିହାତି ଅନ୍ୟାୟ ହେବ । ଦୀନକୃଷ୍ଣବାବୁ, ରାଧାନାଥବାବୁ କେତେଦିନ ହେଲା ଗୋରାର ଗତିବିଧିକୁ ଖୁବ୍ ଲକ୍ଷ୍ୟ କରୁଥିଲେ । ଗୋରା କାହାକୁ କିଛି ନ କହି ଅଧିକାଂଶ ସମୟ ମୁହଁ ଶୁଖାଇ ରହୁଥାଏ । ଏପରିକି ଲକ୍ଷ୍ମଣ ସମାନ ଅନୁଜ ତାରା ସହିତ ମଧ୍ୟ ଗୋରା ବିଶେଷ କିଛି କଥାବାର୍ତ୍ତା କରୁ ନଥାଏ । ଏହା ବର୍ଷଣ ପୂର୍ବର ନିସ୍ତବ୍ଧତା ନୁହେଁ ତ ? ଯାହା ଅନୁମାନ କରାଯାଉଥିଲା ଠିକ୍ ତାହାହିଁ ହେଲା । ଦିନେ ସନ୍ଧ୍ୟାବେଳେ ଖବର ମିଳିଲା ଯେ ଗୋରା ସତ୍ୟାଗ୍ରହ କରି ଧରାହୋଇଛି । ଦିନୁବାବୁଙ୍କର କଳ୍ପନା ସୌଧ ହଠାତ୍ ଭୁଶୁଡ଼ି ପଡ଼ିଲା-

 

ବାଇଶ

 

ସେତେବେଳେ ଜେଲ ଯିବା ଗୋଟାଏ ବଡ଼କଥା । ଯଦି କୌଣସି କାରଣରୁ କେହି ଜେଲ ଭୋଗୁଥିଲା, ତେବେ ତାକୁ ଏକଘରିକିଆ କରି ଗାଁମାନଙ୍କରେ ନିଆଁ-ପାଣି ବାସନ୍ଦ କରାଯାଉଥିଲା; କିନ୍ତୁ ଏ ଜେଲ ଯିବା ଭିନ୍ନ ପ୍ରକାରର । ଗୋରା ସେତେବେଳକୁ ନାବାଳକ । ଦଳଦଳ ପିଲା, ବଡ଼, ବୁଢ଼ାଙ୍କୁ ଧରି ନିଆଯାଉଥାଏ । ବିଚାର ଗୋଟାଏ ପ୍ରହସନ । ବଡ଼ମାନେ ବିନା ଆପତ୍ତିରେ ଜେଲ ଯାଉଥା’ନ୍ତି । କେତେ ପିଲାଙ୍କ ମୁରବିମାନେ ସେମାନଙ୍କ ପିଲାଙ୍କ ସକାଶେ ସଦାଚରଣ ପାଇଁ ମୁଚାଲିକା ଦେଇ, ସେମାନଙ୍କୁ ଖଲାସ କରେଇ ଆଣୁଥା’ନ୍ତି । ଦୀନୁବାବୁଙ୍କର କଚେରି ହେଲା ଚରାଭୂଇଁ । ହାକିମମାନେ ତାଙ୍କୁ ଜାଣନ୍ତି । ଇଚ୍ଛା କରିଥିଲେ ସେ ମଧ୍ୟ ମୁଚାଲିକା ଦେଇ ଖୁସିରେ ଗୋରାକୁ ମୁକୁଳେଇ ଆଣିପାରିଥାନ୍ତେ; କିନ୍ତୁ କ’ଣ ହେଲା କେଜାଣି ତାଙ୍କର । ଦୀନୁବାବୁଙ୍କ ଭାଇ ନାନୁବାବୁ । ସେ ମଧ୍ୟ କମ୍ ନୁହନ୍ତି କଚେରି କାରବାରରେ; କିନ୍ତୁ ଦୁଇ ଭାଇ ଗୋରା ଗିରଫ୍‍ ହେବାର ରାତିରେ ଅନେକ ବେଳଯାଏ ଗୁମ୍-ସୁମ୍ ହେଇ ବସିଲେ । ରୋଷେଇବାସ ସବୁ ବନ୍ଦ । ରାଧାନାଥବାବୁ ଦୀନୁବାବୁଙ୍କୁ ବୁଝଉଥା’ନ୍ତି ମୁଚାଲିକା ଦେଇ ଗୋରାକୁ ଖଲାସ କରି ଆଣିବାପାଇଁ; କିନ୍ତୁ ଦୀନୁବାବୁ ବୁଝିଲେ ନାହିଁ । ଗୋରାକୁ ମୁଚାଲିକା ଦେଇ ଆଣିବେ ନାହିଁ ବୋଲି ସ୍ଥିର କଲେ । ଗୋରାକୁ ତିନିମାସ ଜେଲ ହୁକୁମ ହେଲା ।

 

ଏ ତିନିମାସ ଦୀନୁବାବୁ ଗାଁକୁ ଯାଇନାହାନ୍ତି । ଗୋରାର ଜେଜେମା’, ବୋଉ ନୀରବରେ ଅଶ୍ରୁପାତ କରୁଛନ୍ତି; କିନ୍ତୁ ଦୀନୁବାବୁଙ୍କର ଗମ୍ଭୀରମୁଖ ଦେଖି ସମସ୍ତେ ଶଙ୍କି ଯାଇଛନ୍ତି । ୟା ଭିତରେ ଦୀନୁବାବୁଙ୍କର କ’ଣ ହୋଇଛି କେଜାଣି, ସେ ଭୋଗ-ବିଳାସ ସବୁ ଛାଡ଼ିଦେଇଛନ୍ତି । ଖାଇବା ଅତି ସାଧାରଣ ସ୍ତରକୁ ଚାଲିଆସିଛି । ବିଲାତି କନାର ପୋଷାକ, ବିଲାତି ଲୁଗା, ପଞ୍ଜାବି ସବୁ ପୋଡ଼ିଦେଇଛନ୍ତି । ଖଦଡ଼ ପିନ୍ଧିବାକୁ ଆରମ୍ଭ କରିଛନ୍ତି । ନାନୁବାବୁ ଗୋଟାଏ ଅରଟ କିଣିଆଣି ଘରେ ରଖିଛନ୍ତି । ସେଥିରେ ଦୀନୁବାବୁ ଓ ସେ ଘଡ଼ିଏ ଘଡ଼ିଏ ସୂତା କାଟିବାକୁ ଆରମ୍ଭ କରିଛନ୍ତି । ନାନୁବାବୁଙ୍କର ଫୂର୍ତ୍ତି, ଫେସନ ଯେପରି କୁଆଡ଼େ ଉଭେଇଯାଇଛି । ନାନୁବାବୁଙ୍କର ବିବାହ ସେତେବେଳକୁ ୧୦ ବର୍ଷ ହେଲାଣି; କିନ୍ତୁ ତାଙ୍କର ପୁଅ ଝିଅ କିଛି ନଥାନ୍ତି । ନାନୁବାବୁ ଓ ତାଙ୍କ ସ୍ତ୍ରୀ ଗୋରା, ତାରା ଓ ମୀରାଙ୍କୁ ତାଙ୍କର ପୁଅଝିଅ ପରି ମନେ କରନ୍ତି । ତାରା ତ ତାଙ୍କୁ ପିଲାଦିନୁ ବାପା ଓ ଦୀନୁବାବୁଙ୍କୁ ବଡ଼ବାପା ବୋଲି ଡାକେ ।

 

ଅନଉଁ ଅନଉଁ ତିନିମାସ କଟିଗଲା । ଏ ତିନିମାସ ତାରା ଏକୁଟିଆ ସ୍କୁଲ୍‍କୁ ଯାଏଁ । ତାକୁ ଗୋରାର ସାଙ୍ଗମାନେ ଗୋରା ବିଷୟରେ ଅନେକ କଥା ପଚାରନ୍ତି; କିନ୍ତୁ ସେ ସେକଥାର ଉତ୍ତର ଦିଏ ନାହିଁ । କିପରି ମୁହଁ ଶୁଖେଇ ସମସ୍ତଙ୍କୁ ଏଡ଼େଇ ଚାଲିଯାଏ । ଚାରିଟାବେଳେ ତା’ର ଖେଳ ପଡ଼ିଆ ବା ନଈକୂଳ ଯିବା, ଭାଇ ଜେଲ ଯିବାଦିନୁ ବନ୍ଦ ହେଇଯାଇଛି । ତା’ ମନ ମଧ୍ୟ ଅତି ଅସୁଖ ହେଇ ରହିଛି । ଯେପରି କିଛି ଗୋଟାଏ ମତଲବ ତା’ ମୁଣ୍ଡରେ ପଶିଛି । ତିନିମାସ ପରେ ଗୋରା ଜେଲରୁ ଖଲାସ ହେଲା । ଜେଲ ଦୁଆରକୁ ଦୀନୁବାବୁ ଯାଇ ନଥିଲେ ଗୋରାକୁ ଆଣିବାକୁ-। ନାନୁବାବୁ ଯାଇଁ ଗୋରାକୁ ସାଙ୍ଗରେ ନେଇଆସିଲେ ।

 

ସ୍କୁଲ୍‍ରୁ ଆସି ତାରା ଗୋରାକୁ ଦେଖି କାନ୍ଦିପକାଇଲା । ଜେଲରେ ରହି ଗୋରାର ସ୍ଵାସ୍ଥ୍ୟହାନି ମୋଟେ ହେଇନାହିଁ । ବାଳ କଟା ହେଇ ନଥିବାରୁ ଓ ସେଥିରେ ତେଲ ଲାଗି ନଥିବାରୁ ଚେହେରାଟା ଯାହା ଟିକିଏ ରୁକ୍ଷ ଦେଖାଯାଉଥାଏ । ଦୁଇଭାଇ ପରସ୍ପରକୁ କିଛି ସମୟ ଅନେଇ ରହିଲେ । ଦୀନୁବାବୁ କଚେରିରୁ ଫେରିଲେ । ସେ ଜାଣିଥିଲେ ନାନୁ ଯାଇ ଜେଲରୁ ଗୋରାକୁ ଆଣିଥିବ; କିନ୍ତୁ ତାଙ୍କର ସେପରି ଉତ୍କଣ୍ଠା ଦେଖାଗଲାନାହିଁ । ସେ ସବୁଦିନ ଗମ୍ଭୀର ପ୍ରକୃତିର ଲୋକ । ଘରେ ପଶି ପୋଷାକ ବଦଳୁ ବଦଳୁ ଗୋରା ଆସି ଗୋଡ଼ତଳେ ମୁଣ୍ଡିଆଟାଏ ମାରି ଗୋଟାଏ ପାଖକୁ ଖଟକୁ ଲାଗି ଠିଆହେଲା । ପଛରେ ତାରା । ତାରାର ଭୟ ଥାଏ ଭାଇକୁ କାଳେ ବଡ଼ବାପା ମାରିବେ; କିନ୍ତୁ କିଛି ନାହିଁ । ଦୀନୁବାବୁ ଗୋରାର ମୁଣ୍ଡରେ କେବଳ ହାତ ବୁଲେଇ ଦେଇ ଗୋଟାଏ ବଡ଼ ‘ହୁଁ’ ମାରି ଘର ବାରଣ୍ଡାରେ ପଡ଼ିଥିବା ଆରାମଚୌକି ଉପରେ ଆସି ବସିଲେ । ସେତେବେଳକୁ ଗୋରା, ତାରାର କେତେକ ସାଙ୍ଗ, ଦୀନୁବାବୁ, ନାନୁବାବୁଙ୍କର କେତେକ ବନ୍ଧୁ, ହିତୈଷୀ ପ୍ରଭୃତି ଦାଣ୍ଡଘରେ ପହଞ୍ଚିଗଲେଣି ଗୋରାକୁ ଦେଖିବେ ବୋଲି । ଗୋରା ଯେପରି ଗୋଟାଏ ଦର୍ଶନୀୟ ବସ୍ତୁ । ସମସ୍ତେ ଗୋରାକୁ କେବଳ ଦେଖୁଥା’ନ୍ତି । କେହି କିଛି କହୁ ନଥା’ନ୍ତି ଦୀନୁବାବୁଙ୍କ ଭୟରେ । ଏହିପରି ଭାବରେ ସେଦିନ ସଞ୍ଜ ଓ ରାତିଟା କଟିଲା ।

 

ତା’ ପରଦିନ ସକାଳ । ଗୋରା ସେତେବେଳେ ନବମ ଶ୍ରେଣୀରେ ପଢ଼ୁଥିଲା । ସତ୍ୟାଗ୍ରହ କରି ଜେଲ ଯିବାରୁ ସ୍କୁଲ୍‍ରୁ ତା’ ନାଁ କାଟିଦିଆଯାଇଛି । ନବମ ଶ୍ରେଣୀର ପ୍ରଥମ ଛାତ୍ର ଗୋରା । ଲେଖିବା, ବକ୍ତୃତା ଦେବା ପ୍ରଭୃତି ସବୁ କାମରେ ଗୋରାର ସ୍କୁଲ୍‍ ମଧ୍ୟରେ ଖୁବ୍ ନାଁ ଥିଲା-। ସକାଳେ ବିଚାର ପଡ଼ିଲା ଯାହା ହବାର ହେଲା, ଏଣିକି ଗୋରାକୁ ସ୍କୁଲ୍‍କୁ ନେଇ ହେଡ଼୍‍ମାଷ୍ଟରଙ୍କ ସାଙ୍ଗେ ଦେଖାକରାଯାଉ, ସେ କ’ଣ କହୁଛନ୍ତି ବୁଝାଯାଉ । ୧୦ଟାବେଳକୁ ଗୋରା, ତାରା ଦୁହେଁ ଖାଇକରି ସ୍କୁଲ୍‍କୁ ଗଲେ । ଦୀନୁବାବୁ ସେମାନଙ୍କ ପଛେ ପଛେ ଗଲେ । ଗୋରାକୁ ବାଟଯାକ କେତେ ପିଲା କେତେ କଥା ପଚାରି ବିବ୍ରତ କରି ପକାଉଥା’ନ୍ତି । କେତେ ପଚାରୁଥା’ନ୍ତି “ଗୋରା ତୋ ହାତ ଦେଖାଇଲୁ, ଘଣା ପେଲି ପେଲି ତୋ ହାତ ବିଣ୍ଡି ହୋଇଯାଇନାହିଁ ତ ?” କିଏ କିଏ ପିଠିରୁ କାମିଜ କାଢ଼ି ଦେଖିବାକୁ ଚାହିଁଲେ । ବେତମାଡ଼ରେ ପିଠିରେ କିପରି ଚିହ୍ନ ହୋଇଚି ଦେଖିବାକୁ । ଗୋରା ସାଙ୍ଗମାନଙ୍କର ଏ ପ୍ରକାର ପ୍ରଶ୍ନ ଶୁଣି ହସେ; କିଛି କହେ ନାହିଁ । ଗୋରା ଯାଇ ସ୍କୁଲ୍‍ରେ ପହଞ୍ଚିଲା; କିନ୍ତୁ କ୍ଲାସ୍‍କୁ ଯିବାକୁ ତା’ ଗୋଡ଼ ଚଳୁ ନଥାଏ । ସେ ହେଡ଼୍‍ମାଷ୍ଟରଙ୍କ ଦୁଆର ବାରଣ୍ଡା ଆଗରେ ଠିଆ ହେଇ ରହିଲା । କେତେ ପିଲା ଆସି ତାକୁ ଦୂରରୁ ଅନେଇ ଦେଇ ଯାଉଥା’ନ୍ତି । ଘଣ୍ଟା ବାଜିଲା । ଶିକ୍ଷକମାନେ ଉପସ୍ଥାନ ବହି ଧରି କ୍ଲାସ୍‍କୁ ବାହାରିଲେ । ବାରଣ୍ଡାରେ ଗୋରାକୁ ଦେଖି କେହି କିଛି ପଚାରିବାକୁ ଭରସୁ ନଥା’ନ୍ତି । ଗୋରା ସମସ୍ତଙ୍କୁ ମୁଣ୍ଡ ନୋଇଁ ପ୍ରଣାମ କରୁଥାଏ । ଏତିକିବେଳେ ଦୀନୁବାବୁ ଆସି ପହଞ୍ଚିଲେ ।

 

ଦୀନୁବାବୁ ହେଡ଼୍‍ମାଷ୍ଟରଙ୍କ ଘରେ ପରଦା ଟେକି ଭିତରକୁ ପଶିଲେ । ଦେଖିଲେ ହେଡ଼୍‍ମାଷ୍ଟର ତଳକୁ ମୁହଁପୋତି କ’ଣ ଲେଖୁଛନ୍ତି । ଭୋଳି ପଣ୍ଡିତେ ପାଖରେ ଆଉ ଗୋଟିଏ ଚୌକିରେ ବସିଛନ୍ତି । ଦୀନୁବାବୁଙ୍କୁ ଦେଖି ପଚାରିଲେ, “କିରେ, ତୋ ଗୋରା ଗଲା କୁଆଡ଼େ ?” ସେତେବେଳକୁ ହେଡ଼୍‍ମାଷ୍ଟର ମୁହଁ ଟେକି ଦୀନୁବାବୁଙ୍କ ଆଡ଼କୁ ଅନେଇଲେଣି । ଦୀନୁବାବୁ ତାଙ୍କୁ ନମସ୍କାର କରୁ କରୁ କହିଲେ, “ତାକୁ ନେଇ ଆସିଛି ସାର୍ !” “କାହିଁ ସେ ?” ଦୀନୁବାବୁ ବାହାରୁ ଗୋରାକୁ ଘର ଭିତରକୁ ଆଣିଲେ । ଗୋରା ଆସି ସମସ୍ତଙ୍କୁ ପ୍ରଣାମ କରି ଠିଆହେଲା । ହେଡ଼୍‍ମାଷ୍ଟ୍ରେ କହିଲେ, ‘‘କିରେ କୀର୍ତ୍ତିଚନ୍ଦ୍ର ! ଆଉ କ’ଣ ? ଏଣିକି ପାଠ ପଢ଼ାରେ ଡୋରି । ତୋର ତ ନାଁ କଟିଯାଇଛି, ଆଉ ଆସିଛୁ କୁଆଡ଼େ ? ତୁମେ ସବୁ ଯେଉଁ କୀର୍ତ୍ତି କରି ଆସିଛ, ସେଥିରେ ତୁମକୁ ସ୍କୁଲ୍‍ ପିଣ୍ଡାକୁ ଚଢ଼ିବା ମନା ।” ପଣ୍ଡିତେ କହିଲେ–‘‘ଓଃ, ପିଲାଟା କେଡ଼େ ଭଲ ପଢ଼ୁଥିଲାଟି । ଆମେ ସବୁ କେତେ ଆଶା କରିଥିଲୁ ତା’ଠେଇଁ, କାହା ଶିକ୍ଷାରେ ପଡ଼ି ଏପରି କଲାଟି ?” ଗୋରା ଚୁପ୍ ହେଇ ଠିଆହେଇଥାଏ । ଦୀନୁବାବୁ ମଧ୍ୟ ନିର୍ବାକ୍ । ହେଡ଼୍‍ମାଷ୍ଟ୍ରେ କହିଲେ, ‘‘ହଇରେ, ତୁ ପରା କଚେରିରେ ମୁକ୍ତାର ହେଇଚୁ ? ମୁଚାଲିକା ଦେଇ ପୁଅକୁ ଆଣିପାରିଲୁ ନାହିଁ ?” ସେତେବେଳକୁ ହେଡ଼୍‍ମାଷ୍ଟ୍ରଙ୍କ ଆଖି ଦୀନୁବାବୁଙ୍କ ମୋଟା ବଗଡ଼ା ଧୋତି, ପଞ୍ଜାବି ଉପରେ ପଡ଼ିସାରିଲାଣି ।

 

ଦୀନୁବାବୁ କହିଲେ–‘‘ଯା ହବାର ହେଲାଣି ସାର୍ ! କହନ୍ତୁ, ଗୋରା ଆଉ ଏ ସ୍କୁଲ୍‍ରେ ପଢ଼ିପାରିବ କି ନାହିଁ ?”

 

“ମୁଁ କେମିତି କହିବି ? ଏ ଭଳିଆ ଆମ ସ୍କୁଲ୍‍ରେ ଆଉ ଦୁଇଜଣ ପିଲା ମଧ୍ୟ ଜେଲ ଭୋଗି ଆସିଛନ୍ତି ପୁଣି ନାଁ ଲେଖାଇବା ପାଇଁ । ଗୋଟାଏ ସତ୍ୟବାଦୀ ସ୍କୁଲ୍‍ଟା ତ ଭାଙ୍ଗିଗଲା ଏହି ଆନ୍ଦୋଳନ ଯୋଗୁଁ । ସେଠାର ପିଲା ତ ପିଲା, ମାଷ୍ଟ୍ରେ ମଧ୍ୟ ଆନ୍ଦୋଳନରେ ଝାସ ଦେଇଦେଲେ । ବର୍ତ୍ତମାନ ଅବସ୍ଥା ଟିକିଏ ଶାନ୍ତ ପଡ଼ିଆସୁଛି । ଗାନ୍ଧିଜୀ କହୁଛନ୍ତି, ‘‘ଆନ୍ଦୋଳନରେ ହିଂସାକାଣ୍ଡ ହେଲା ବୋଲି ସେ ଆଉ ଏ ଆନ୍ଦୋଳନ ଚଳେଇବେ ନାହିଁ; ପ୍ରତ୍ୟାହାର କରିନେବେ । ତୁ ଆଉ ଏ ସପ୍ତାହଟା ଅପେକ୍ଷା କରି ରହିଯା, ମୁଁ ଏ ବିଷୟରେ ଇନ୍‍ସପେକ୍ଟରଙ୍କ ସହିତ କଥାବାର୍ତ୍ତା ଚଳେଇଛି-। ହୁଏତ ଗୋଟାଏ କିଛି ଫଇସଲା ଶୀଘ୍ର ହେଇଯିବ ।

 

‘‘ଗୋରା କ’ଣ ତେବେ ସ୍କୁଲ୍‍କୁ ଆସୁଥିବ ?” ଦୀନୁବାବୁ ସନ୍ତର୍ପଣରେ କହିଲେ । “ନାହିଁ ସେ ନ ଆସୁ; ଗୋଟାଏ କିଛି ନିଷ୍ପତ୍ତି ହେଲେ ମୁଁ ପଣ୍ଡିତ ମହାଶୟଙ୍କ ହାତରେ ତୋ ପାଖକୁ ଖବର ଦେବି ।”

 

ପଣ୍ଡିତ ମହାଶୟ ତାଙ୍କର କଚେରି କାମପାଇଁ ମଝିରେ ମଝିରେ ଦୀନୁବାବୁଙ୍କ ଘରକୁ ଆସନ୍ତି ।

 

ଚାରିଦିନ ଗଲା । ପଣ୍ଡିତେ ଆସି ସଞ୍ଜବେଳକୁ ଦୀନୁବାବୁଙ୍କ ଘରେ ପହଞ୍ଚିଲେ । କହିଲେ, ‘‘କାଲି ତୋ ଅପଦାର୍ଥଟାକୁ ନେଇ ସ୍କୁଲ୍‍କୁ ଯିବୁ । ଗୋଟାଏ ମୁଚାଲିକା ଲେଖିଦବୁ ଯେ, ସେ ଆଉ ଅବାଧ୍ୟ ହେବନାହିଁ । ପୁଣି ନାଁ ଲେଖେଇଦେଇ ଆସିବୁ । ଯାହାହେଉ ହେଇଗଲା, ଏଣିକି ତା’ ପ୍ରତି ଟିକିଏ କଡ଼ା ନଜର ରଖିବୁ । ସାନଟାକୁ ମଧ୍ୟ ଦୃଷ୍ଟି ରଖିବୁ । ସେ ବଡ଼ ଚଗଲା; କେତେବେଳେ ପୁଣି କ’ଣ କରିବସିବ ।’’

 

ପଣ୍ଡିତ ମହାଶୟ ବିଦାୟ ନେଇଗଲେ ।

 

ତା’ପର ଦିନ ଦୀନୁବାବୁ ପୁଅକୁ ନେଇ ସ୍କୁଲ୍‍ରେ ନାଁ ଲେଖାଇ ଦେଇ ଆସିଲେ । ପ୍ରଥମ ଦିନ ଗୋରା ମୁଣ୍ଡରେ ଯେପରି ବଡ଼ବଡ଼ ରୁକ୍ଷ କେଶ ଥିଲା, ସେସବୁ ଆଜି ଆୟତ୍ତ ହୋଇଯାଇଛି । ଗୋରାର ସବୁଦିନେ ସୁନ୍ଦର ସ୍ଵାସ୍ଥ୍ୟ ଥାଏ । ପୁଣି ଏ ତିନିମାସରେ ସ୍ଵାସ୍ଥ୍ୟର ପରିବର୍ତ୍ତନ ହେଇଛି ଅଦ୍ଭୁତଭାବେ । ଗୋରା ଆଉ ଏଣିକି ହାଫ୍‌ପ୍ୟାଣ୍ଟ୍ ହାଫ୍‌ସାର୍ଟ୍ ପିନ୍ଧି ଛୋଟ ଛୋଟ ଖଦଡ଼ ଧୋତି, ଖଦଡ଼ ହାଫ୍‌ସାର୍ଟ୍ ପିନ୍ଧି ସ୍କୁଲ୍‍ ଆସୁଛି । ଏଇଟା ପ୍ୟାରୀମୋହନ ଏକାଡ଼େମୀ ସ୍କୁଲ୍‍ ବୋଲି ସମ୍ଭବ ହେଇଛି । ସରକାରୀ ସ୍କୁଲ୍‍ ହେଇଥିଲେ ଗୋରାର ଆଉ ସ୍କୁଲ୍‍ରେ ମୁହଁ ଦେଖାଇବା ସମ୍ଭବ ହେଇ ନଥା’ନ୍ତା । ଗୋରା ଏକା ନୁହେଁ, ଆହୁରି ଆଠଦଶ ଜଣ ପିଲା ସତ୍ୟବାଦୀ ହାଇସ୍କୁଲ୍‍ରୁ ଆସି ଏକାଡ଼େମୀରେ ନାଁ ଲେଖେଇଛନ୍ତି । ସେମାନଙ୍କ ସ୍କୁଲ୍‍ ଭାଙ୍ଗିଯାଇଛି । ମାଷ୍ଟ୍ରେ ପିଲାଙ୍କୁ ଓଗାଳିବେ କ’ଣ ? ନିଜେ ଆଗୁଆ ହୋଇ ପିଲାଙ୍କ ସହିତ ଗାନ୍ଧୀଙ୍କର ଏହି ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ । ସେ ସ୍କୁଲ୍‍ର ମାଷ୍ଟରମାନେ କେବଳ ସାକ୍ଷୀଗୋପାଳ ସତ୍ୟବାଦୀ ଅଞ୍ଚଳର ନୁହେଁ; ସାରା ଓଡ଼ିଶାରେ ଏ ଆନ୍ଦୋଳନରେ ନିଆଁ ଜଳେଇଦେଲେ, ନିଜେ ସେଥିରେ ଝାସଦେଲେ । ପିଲାଏ ମଧ୍ୟ ତାଙ୍କ ପଛେ ପଛେ ।

 

ଯାହାହେଉ ଆନ୍ଦୋଳନଟା ଥମିଗଲା । କୁଆଡ଼େ କୋଉଠି ଉତ୍ତରପ୍ରଦେଶ କି ବିହାରରେ ଚୌରିଚୌରାଠାରେ ପଞ୍ଝାଏ ଲୋକ ଅସହଯୋଗ ଆନ୍ଦୋଳନ କରୁ କରୁ ପୁଲିସ ଉପରେ ଆକ୍ରମଣ କରି ବସିଲେ । ତତଲା ରକତ; ଟୋକାଳିଆ ମିଞ୍ଜାସ । ପୁଲିସର ଠେଙ୍ଗା, ଗୋବା, ବୁଟମାଡ଼ ଘୋଷରା ସହନ୍ତେ କେତେକେ ? କେତେବେଳେ ହୁଏତ ମୁଣ୍ଡଟା ଗରମ ହେଇଯାଇ କ’ଣ ଗୋଟାଏ ହିଂସାକାଣ୍ଡ ଭିଆଇ ବସିଲେ । ଏଇଥିରେ ସବୁ ଅଶୁଦ୍ଧ ହେଇଗଲା । ଗାନ୍ଧି ଏସବୁ ଦୋଷ ନିଜ ମୁଣ୍ଡକୁ ନେଇ ‘ଆତ୍ମଶୁଦ୍ଧି’ ପାଇଁ ଅନଶନ ଆରମ୍ଭ କରିଦେଲେ; ଯେତେ ବୁଝେଇଲେ ଶୁଣିଲେ ନାହିଁ । ଏତେବଡ଼ ଆନ୍ଦୋଳନଟାକୁ ପ୍ରତ୍ୟାହାର କରିନେଲେ । ଏହା ପରେ ପରେ ଦେଶରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଉତ୍କଟ ସାମ୍ପ୍ରଦାୟିକତା ଆରମ୍ଭ ହେଇ ରକ୍ତପାତ ହେଲା । ଏହିସବୁ କାରଣ ଯୋଗୁଁ ଗାନ୍ଧି ଅନିର୍ଦ୍ଦିଷ୍ଟ କାଳପାଇଁ ଆନ୍ଦୋଳନ ବନ୍ଦ କରିଦେଲେ । ସେ କହିଲେ, ଦେଶବାସୀ ଏ ଅହିଂସ ଆନ୍ଦୋଳନ ପାଇଁ ଯୋଗ୍ୟ ହୋଇନାହାନ୍ତି । ଏଥିପାଇଁ ରୀତିମତ ସାଧନା ଦରକାର । ଖାଲି ‘ହୁ’ରେ ମାତି ଆନ୍ଦୋଳନ କଲେ ଚଳିବ ନାହିଁ । ପ୍ରତ୍ୟେକ ଆନ୍ଦୋଳନକାରୀଙ୍କୁ ଏ ଆନ୍ଦୋଳନର ମୁହୂର୍ତ୍ତ ଉପଲବ୍ଧି କରିବାକୁ ହେବ ।

 

ଆନ୍ଦୋଳନ ବନ୍ଦ ହୋଇଗଲା । ଗୋରା ପରି ହୁଏତ କେତେଜଣ ଅଜାତଶ୍ମଶ୍ରୁ ବାଳକ ଗୋଟାଏ ରାହା ଧରିନେଲେ; କିନ୍ତୁ ଅଧିକାଂଶ ଯେଉଁମାନେ କି ଚାକିରି ଛାଡ଼ି, ବ୍ୟବସାୟ ଛାଡ଼ି ଏ ଆନ୍ଦୋଳନରେ ଝାସ ଦେଇଥିଲେ, ସେମାନେ ଆଉ ଧରାବନ୍ଧା ଜୀବନକୁ ବାହୁଡ଼ିଲେ ନାହିଁ । ମାତ୍ର କେତେଦିନ ଆନ୍ଦୋଳନ, କେତେଦିନ ଜେଲବାସ ସେମାନଙ୍କୁ କି ଦୀକ୍ଷାରେ ଦୀକ୍ଷିତ କଲା କେଜାଣି, ସେମାନେ ପୁରୁଣା ଗଣ୍ଡି ଭିତରକୁ ଆଉ ଫେରିଲେନି । ପ୍ରତ୍ୟକ୍ଷ ଆନ୍ଦୋଳନ ସିନା ବନ୍ଦ ହୋଇଗଲା; କିନ୍ତୁ ଆହୁରି ଗୋଟାଏ ବିରାଟ ସଂଗ୍ରାମପାଇଁ ପ୍ରସ୍ତୁତି ଆରମ୍ଭ ହେଲା । ଜେଲରୁ ଫେରି ଯେଉଁମାନେ ନିଜ ନିଜ ଗାଁକୁ ବା କର୍ମକ୍ଷେତ୍ରକୁ ଫେରିଲେ, ସେମାନେ ହେଲେ ଗୋଟାଏ ଗୋଟାଏ ଭିନ୍ନ ପ୍ରକାରର ମଣିଷ । ତାଙ୍କର ବେଶପୋଷାକ, ଖିଆପିଆ, ଚାଲିଚଳନ ସବୁହେଲା ଗୋଟାଏ ସ୍ଵତନ୍ତ୍ର ଧରଣର । ସେମାନେ ଭିନ୍ନ ପ୍ରକାରର କଥା ମଧ୍ୟ କହିଲେ । ଆମେ ଯେଉଁ କଥା କହିଲେ ହୁଏତ ପୁଲିସ ସେମାନଙ୍କୁ ସାଙ୍ଗେ ସାଙ୍ଗେ ଗିରଫ୍ କରନ୍ତା, ସେକଥା ସେମାନେ ଖୋଲାଖୋଲିଭାବେ ସଭା-ସମିତି କରି କହିବାକୁ ଲାଗିଲେ । ଗାନ୍ଧିଜୀ ବୋଧହୁଏ ଏଇଆ ଚାହୁଁଥିଲେ । ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇ, ଆଉ ଗୋଟିଏ ଶତଗୁଣରେ ଅଧିକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ଦେଶବାସୀଙ୍କୁ ସୁଯୋଗ ଦେଲେ ।

 

ଏହିସବୁ ଆନ୍ଦୋଳନ ଫଳରେ ବ୍ରିଟିଶ ସରକାର ସ୍ଵାୟତ୍ତ ଶାସନ ନାମରେ ଗାଁଗହଳରେ ପ୍ରାଥମିକ ଶିକ୍ଷା, ରାସ୍ତାଘାଟ ତିଆରି, ସ୍ଵାସ୍ଥ୍ୟ ପ୍ରଭୃତି କେତେକ ବିଷୟର ପରିଚାଳନା ଦାୟିତ୍ଵ ଭାରତବାସୀଙ୍କୁ ଦେବାକୁ ସ୍ୱୀକୃତ ହେଲେ । ଜିଲା ବୋର୍ଡ଼, ୟୁନିୟନ୍‍ ବୋର୍ଡ଼ ପ୍ରଭୃତି ଗଢ଼ାହେଲା । ଏହାର ପରିଚାଳନା ପାଇଁ ଭୋଟଦ୍ୱାରା ଲୋକେ ବଛାଗଲେ । ତେଣୁ ଯେଉଁମାନେ ଲେଖାପଢ଼ା ଜାଣିବା ଲୋକ ଓ ଗତ ଆନ୍ଦୋଳନରେ ଯୋଗଦେଇଥିଲେ, ସେହିମାନଙ୍କୁ ଲୋକେ ଭୋଟ ଦେଇ ଆଦରରେ ଗାଁଗହଳିରେ କାମ କରିବାପାଇଁ ସୁଯୋଗ ଦେଲେ । ସ୍ଵାୟତ୍ତ ଶାସନ ସଂସ୍ଥା କରି ଇଂରେଜମାନେ ମନେକରିଥିଲେ ତାଙ୍କର ଗୋଡ଼ାଣିଆ ଲୋକଙ୍କୁ ଭୋଟରେ ଜିଣେଇ ଶାସନ କରିବେ ବୋଲି; କିନ୍ତୁ ଫଳ ହେଲା ଓଲଟା । ଜେଲଫେରନ୍ତା ଅସହଯୋଗୀ ଅଧିକାଂଶ କ୍ଷେତ୍ରରେ ହେଲେ ଏସବୁ ସଂସ୍ଥାର ପରିଚାଳକ । ସୁବିଧା ହେଲା । ସରକାରୀ ସଂସ୍ଥାର ମାରଫତରେ ଗାନ୍ଧିଜୀଙ୍କର ବାଣୀ ପ୍ରଚାର ଓ ପରବର୍ତ୍ତୀ ଅସହଯୋଗ ଆନ୍ଦୋଳନର ପ୍ରସ୍ତୁତି ମଧ୍ୟ ଚାଲିଲା ଏକାବେଳକେ ।

 

ସ୍କୁଲ୍‍ ଛୁଟି ହେଲା ଦଶହରା ପାଇଁ । ଗୋରା ଗାଁକୁ ଗଲା । ବୋଉ ତା’କୁ କୁଣ୍ଢେଇ କାନ୍ଦିଲେ । ଖୁଡ଼ୀ, ମା’–ସମସ୍ତେ ତାକୁ ଦେଖି କାନ୍ଦିଲେ । ଗାଁ ସାଙ୍ଗ ଓ ଅନ୍ୟାନ୍ୟ ଲୋକେ ତାକୁ ଦେଖିବାକୁ ଆସିଲେ । କିଏ କେତେ କଥା କହିଲେ । ଏମିତିଆ କଥା ଗୋରା ଜେଲରୁ ଆସିଲାଦିନୁ ଅନେକ ଶୁଣିଲାଣି । ତେଣୁ ଏଥିପ୍ରତି ତା’ର ଦୃଷ୍ଟି ନଥାଏ, ତେବେ ଛୁଟିରେ ଗୋଟାଏ ସଭା କରିବା ବୋଲି ସେ ମନସ୍ଥ କରି ଯାଇଥାଏ । ଗୋରାଙ୍କ ତିନି ଚାରି ମାଇଲ ଦୂରର ଜଣେ କଲେଜପଢ଼ୁଆ ବାବୁ ଗୋରା ସାଙ୍ଗରେ ଅସହଯୋଗ ଆନ୍ଦୋଳନରେ ଯାଇଥିଲେ । ସେହି ଜେଲରେ ଗୋରାର ତାଙ୍କ ସହିତ ପରିଚୟ ହୋଇଥିଲା । ଜେଲରୁ ଫେରିଲା ପରେ ତାଙ୍କୁ ଆଉ ଏକମାତ୍ର ସରକାରୀ କଲେଜରେ ନିଆଗଲା ନାହିଁ । ସେ ମଧ୍ୟ ଆଉ ପଢ଼ିବାକୁ ଇଚ୍ଛା କଲା ନାହିଁ । ସମସ୍ତ ସମୟ ଦେଇ ସେ ଆନ୍ଦୋଳନରେ ରହିବାକୁ ମନସ୍ଥ କଲେ । କଟକରେ ଏ ବାବୁଙ୍କ ସଙ୍ଗେ ବରାବର ଦେଖାହୁଏ । ସଭା-ସମିତିରେ ମଧ୍ୟ ସେ ଖୁବ୍ ଭଲ ଭାଷଣ ଦିଅନ୍ତି । ଗୋରା ସହିତ ଦଶହରା ଛୁଟିରେ ଗୋଟାଏ ସଭା ଗୋରାଙ୍କ ଗାଁରେ କରିବା କଥା ତାଙ୍କ ସହିତ ଆଗରୁ ଠିକ୍ ହୋଇଥାଏ ।

 

ବାସ୍ତବିକ ଏ ଜେଲ ଯିବାଟାରେ ଆଉ କିଛି ନ ହେଉ ପଛେ ବହୁ ଆଡ଼ର ବହୁ ଲୋକଙ୍କ ଏକାଠି ଏକାଚିନ୍ତା ନେଇ, କେତେଦିନ କେତେରାତି ଏକାଠି କଟାଇବାର ସୁଯୋଗ ମିଳିଥାଏ । ଗୋରା ପରି ନିହାତି ଅର୍ବାଚୀନ ମଧ୍ୟ ବହୁକଥା ଜେଲରହଣି ତିନିମାସ ଭିତରେ ଶିଖିଆସିଛି । ଜେଲ ଭିତରେ ସକାଳେ ସଞ୍ଜେ ବରାବର ଆଲୋଚନା-ଚକ୍ର ହୁଏ । ଏଥିରେ ଉଚ୍ଚଶିକ୍ଷିତ ପଣ୍ଡିତ ବ୍ୟକ୍ତିମାନେ ଅଂଶଗ୍ରହଣ କରନ୍ତି । ଭିନ୍ନ ଭିନ୍ନ ଦେଶରେ ହୋଇଥିବା ସ୍ଵାଧୀନତା ସଂଗ୍ରାମମାନଙ୍କର ଇତିହାସ, ବିଭିନ୍ନ ଆନ୍ଦୋଳନର ଲାଭକ୍ଷତି, ଭୁଲ୍‌ଭ୍ରାନ୍ତି ଏସବୁ ଆଲୋଚନା-ଚକ୍ରରେ ଭଲଭାବରେ ଆଲୋଚିତ ହୋଇଥାଏ । ଏହା ବଡ଼ ଶିକ୍ଷଣୀୟ ହୁଏ ।

 

ଦଶହରା ପରେ ପରେ ଗୋରା ତାଙ୍କ ଗାଁରେ ଗୋଟିଏ ସଭାର ବନ୍ଦୋବସ୍ତ କରିଥାଏ । ସେ ଓ ତା’ର ଗାଁର ସାଙ୍ଗପିଲାମାନେ ପାଖଆଖ ଗାଁରେ ବୁଲି ସଭା ହେବ ବୋଲି କହିଆସିଥିଲେ ଆଗଦିନଠୁ । ସଭାଦିନ ୩ଟାବେଳକୁ ଗୋରାର କଲେଜପଢ଼ୁଆ ଜେଲସାଥୀ ଆଉ ଜଣେ ସାଥୀକୁ ଧରି ଆସିଲେ । ଠାକୁରାଣୀ ପଡ଼ିଆରେ ସନ୍ଧ୍ୟା ପର୍ଯ୍ୟନ୍ତ ସଭା ହେଲା । ଆନ୍ଦୋଳନ କଥା, ଦେଶ-ବିଦେଶର କଥା, ଆଉ ଆଉ ଅନେକ କଥା ଏ ସଭାରେ ଆଲୋଚିତ ହେଲା । ଗୋରା ସ୍କୁଲ୍‍ର ତର୍କସଭାରେ ଏପରିକି ବଜାର ସହର ଜାଗାରେ ବକ୍ତୃତା ଦେଇପାରୁଥିଲେ ସୁଦ୍ଧା ନିଜ ଗାଁ ସଭାରେ ପଦେ କହିଲା ନାହିଁ । ସଭା ସାରି ବନ୍ଧୁ ଦୁହେଁ ତାଙ୍କ ଗାଁକୁ ଗଲେ । ଗୋରା ଘରେ ସେମାନେ ଜଳଖିଆ କରିଥିଲେ । ଗୋରାର ବୋଉ, ମା’ ଯେତେ କହିଲେ ସୁଦ୍ଧା ସେମାନେ ରାତିରେ ରହିଲେ ନାହିଁ । ଗୋରା ଓ ତା’ର ସାଙ୍ଗମାନେ ନଈବନ୍ଧ ପର୍ଯ୍ୟନ୍ତ ଯାଇ ସେମାନଙ୍କୁ ବଳେଇ ଦେଇ ଆସିଲେ-

 

ଏହି ହେଲା ଗୋବିନ୍ଦପୁର ଗାଁରେ ପ୍ରଥମ ସାଧାରଣ ସଭା, ପ୍ରଥମ କଂଗ୍ରେସ ସଭା ।

 

ତେଇଶ

 

ଛୁଟି ସରିଲା । ଗୋରା ଓ ତାରା ଗାଁରୁ ଆସିଲେ । ଗୋରା ଜେଲ ଯାଇ ପାଠରେ ଏ ବର୍ଷ ଖୁବ୍ ଢିଲା କରିଛି । ତେଣୁ ଇୟାଭିତରେ ତାକୁ ରୀତିମତ ପରିଶ୍ରମ କରି ତା’ର ପୂର୍ବ ସୁନାମକୁ ବଜାୟ ରଖିବାକୁ ପଡ଼ିବ । ସେତେବେଳକୁ କଟକରେ ସ୍ଵରାଜ୍ୟ ଆଶ୍ରମ ଆରମ୍ଭ ହେଲାଣି । ଗାନ୍ଧି, ମୋତିଲାଲ ପ୍ରଭୃତି ନେତାମାନେ ଆସି କାଠଯୋଡ଼ି ବାଲିରେ କଂଗ୍ରେସ ସଭା କରି ସ୍ଵରାଜ୍ୟ ଆଶ୍ରମରେ ରହିକରି ଗଲେଣି । ସ୍ୱରାଜ୍ୟ ଆଶ୍ରମରେ କେତେଜଣ ଜେଲଫେରନ୍ତା କର୍ମୀ ତଥା ନେତୃସ୍ଥାନୀୟ ବ୍ୟକ୍ତି ସ୍ଥାୟୀ ଅନ୍ତେବାସୀ ହୋଇଥାନ୍ତି । ସେମାନଙ୍କ କାମ ଥାଏ କଂଗ୍ରେସପାଇଁ ପାଣ୍ଠି ସଂଗ୍ରହ, କଂଗ୍ରେସ ସଭ୍ୟ ସଂଗ୍ରହ, ସଭା-ସମିତିର ଆୟୋଜନ ଇତ୍ୟାଦି । ଗୋରା ପ୍ରାୟ ଅଧିକାଂଶ ଦିନ ସନ୍ଧ୍ୟାବେଳେ ସିଆଡ଼େ ବୁଲିଆସେ । ଆଶ୍ରମଟା ତାଙ୍କ ଘରପାଖେ । ଆଶ୍ରମର ଅନ୍ତେବାସୀ ମଧ୍ୟ ଗୋରାର ଘର ଭଲଭାବେ ଜାଣନ୍ତି । ସମୟ ଅସମୟରେ ଦୀନୁବାବୁ ନାନୁବାବୁ ଆଶ୍ରମକୁ ସାହାଯ୍ୟ କରିଥାନ୍ତି । ସେମାନେ ତ ଆଉ ସରକାରୀ ଚାକିରିଆ ନୁହଁନ୍ତି ଯେ ଡରିବେ । ତଥାପି ପୋଲିସ୍‍ର କୋପଦୃଷ୍ଟି ଦୀନୁବାବୁଙ୍କ ଉପରେ ପଡ଼ିବା କଥା ସେ ଜାଣନ୍ତି । ରାଧାନାଥବାବୁ ଦୀନୁବାବୁଙ୍କ ମତିଗତି ଦେଖି ସେ ଯାଇ ଅନ୍ୟତ୍ର ବସା କଲେଣି । ସରକାରୀ ଚାକିରିଆ କେତେବେଳେ କେଉଁ କଥା । ପୁଣି ଘର ପାଖରେ ରହିଛନ୍ତି ଓଡ଼ିଆ ପୁଲିସ ସାହେବ–ଯାହାଙ୍କର ପରାକ୍ରମ ସମସ୍ତଙ୍କୁ ଗୋଚର । ଏପରିକି ତାଙ୍କ ପରିକ୍ରମ ଯୋଗୁଁ ତାଙ୍କ ବଡ଼ପୁଅ ଆତ୍ମହତ୍ୟା କରି ମରିଥିବାର ଖବର ମଧ୍ୟ ଶୁଣାଯାଏ । ବାର୍ଷିକ ପରୀକ୍ଷା ହେଲା । ଗୋରା ତାହାର ଅବହେଳା ସତ୍ତ୍ଵେ କ୍ଲାସ୍‍ରେ ପ୍ରଥମ ସ୍ଥାନର ଅଧିକାରଟା କାଏମ ରଖିଲା । ଏହାଦ୍ୱାରା ଗୋରାର ସାଙ୍ଗସାଥୀମହଲରେ ଗୋଟାଏ ଭାରି ‘ନାଁ’ ହେଇଗଲା । ତାହାର ସୁନ୍ଦର ବ୍ୟବହାର, ଅମାୟିକ ସ୍ୱଭାବ, ଖେଳ ଓ ପାଠ ଉଭୟରେ ସମାନ ଯୋଗ୍ୟତା ଯୋଗୁଁ ସେ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ହୋଇଉଠିଲା ।

 

ଗୋରା ଦଶମ ଶ୍ରେଣୀକୁ ଉଠିଲା । ତାରାର ହେଲା ଷଷ୍ଠ । ତାରା ଚଞ୍ଚଳ-ପ୍ରକୃତିର ହେଲେ ମଧ୍ୟ ପାଠପଢ଼ାରେ କମ୍ ନଥାଏ । କେବଳ ଦୋଷ–ଗୋଟାଏ ଜାଗାରେ ଅଧଘଣ୍ଟାଏବି ଥୟ ହୋଇ ବସିବା ତା’ ପକ୍ଷରେ ସମ୍ଭବ ହୁଏ ନାହିଁ । ସେଥିପାଇଁ ପରୀକ୍ଷା ଖାତାରେ ମଧ୍ୟ ଚଟ୍‌ପଟ୍ ଉତ୍ତର ଲେଖି ଖାତା ଦେଇ ବାହାରିଆସେ । ମୁହଁରେ ପଚାରିଲେ ଭଲ ଉତ୍ତର ଦିଏ; କିନ୍ତୁ ଖାତାରେ ଲେଖିବାକୁ ଧୈର୍ଯ୍ୟ ତା’ର ରହେ ନାହିଁ । ତଥାପି ସେ ତା’ ଶ୍ରେଣୀରେ ପ୍ରଥମ ହୋଇପାରିଲେ ମଧ୍ୟ ଦ୍ୱିତୀୟରୁ ତଳକୁ କେବେ ଆସେ ନାହିଁ; କିନ୍ତୁ ଏହି ଦୁଇବର୍ଷ ଭିତରେ ଖେଳରେ ତା’ର ବେଶ୍ ନା ହେଇଯାଇଥାଏ । ଦୌଡ଼ାରେ ସ୍କୁଲ୍‍ରେ ନାଁ କରି ପୁଣି ଗତ ଦୁଇବର୍ଷ ହେଲା କିଲାପଡ଼ିଆରେ ଯେଉଁ ସବୁ ସ୍କୁଲ୍‍ ମିଶି ଯେଉଁ କ୍ରୀଡ଼ା-ପ୍ରତିଯୋଗିତା ହୁଏ, ସେଥିରେ ମଧ୍ୟ ଦୌଡ଼ାରେ ସେ ନାଁ କରିପାରିଛି । ତେଣୁ ତାରାବି ସ୍କୁଲ୍‍ରେ ଗୋଟାଏ ଆଡ଼େ ନାଁ କରି ଚାଲିଛି ।

 

ଗୋରା, ତାରାକୁ କଟକ ସୁହେଇଗଲାଣି । ଗାଁକୁ ନଗଲେ ଗାଁକଥା ଦୁହିଁଙ୍କର ଆଉ ମୋଟେ ମନେପଡ଼େନାହିଁ । କଟକରେ ଖେଳ, ପଢ଼ା, ସଭା-ସମିତି ଦୈନନ୍ଦିନ କାର୍ଯ୍ୟରେ ବୁଡ଼ିରହି ଏ ଦୁହିଁଙ୍କର ଗାଁକଥା ଆଜିକାଲି ମନେପଡ଼େ ଖୁବ୍ କମ୍; କିନ୍ତୁ ରକ୍ଷଣଶୀଳ ଦୀନୁବାବୁ କଟକରେ ରହିବାର ଯେତେ ସୁବିଧା କରିଥିଲେ ସୁଦ୍ଧା ଗୋରାର ବୋଉ, ମା’ ପ୍ରଭୃତିଙ୍କୁ ଆଣି କଟକରେ ରଖିବାର ପକ୍ଷପାତୀ ନଥିଲେ । ସେମାନେ ଯଦି କଟକରେ ରହୁଥାନ୍ତେ, ଗୋରା ତାରା ବୋଧହୁଏ ଆଉ ଗାଁକଥା ମନେପକାନ୍ତେ ନାହିଁ ।

 

ଦିନେ ଗାଁରୁ ପୁନା ଆସି ଖବର ଦେଲା ବୁଢ଼ୀ ସାଆନ୍ତାଣୀଙ୍କ ଦେହ ଅତିଶୟ ଖରାପ । ଦୀନୁବାବୁ ମାସେ ହବ ଗାଁକୁ ଯାଇ ନଥିଲେ ।

 

ସବୁଦିନେ ଗାଁଲୋକଙ୍କଠାରୁ ଗାଁର ହାଲ୍‍ଚାଲ୍‍ ଶୁଣନ୍ତି; କିନ୍ତୁ ବୋଉ ଦେହ ଏପରି ହେବ ବୋଲି ସେ ମୋଟେ ଧାରଣା କରି ନଥିଲେ । କ’ଣ ହୋଇଛି ବୋଲି ପୁନାକୁ ପଚାରିବାରୁ ସେ କହିଲା, “ବୁଢ଼ୀ ସାଆନ୍ତାଣୀଙ୍କୁ ପରଦିନଠାରୁ ଜର ହେଇଥିଲା । କାଲି ସଞ୍ଜଠାରୁ ଅତିଶୟ ହୋଇ ଦେହ ହାତ ଖାଲି ଥଣ୍ଡାମାରିଯାଉଛି । ସେକା ଘଷା ଚାଲିଛି । ବୁଢ଼ୀ ସାଆନ୍ତାଣୀ ଆଉ ଡାକ ଶୁଣୁନାହାନ୍ତି ।” ଦୀନୁବାବୁ ଆଉ କିଛି ନକହି ଉଠି ଧାଇଁଲେ ବାଲୁଙ୍କେଶ୍ଵର କବିରାଜଙ୍କ ପାଖକୁ । ଦେହପା ଭଲମନ୍ଦରେ ବାଲୁଙ୍କେଶ୍ୱର ଆଚାର୍ଯ୍ୟ ଦୀନୁବାବୁଙ୍କର ଏକମାତ୍ର ସାହା-ଭରସା । ସେ ସବୁ ଶୁଣି ସାଙ୍ଗେ ସାଙ୍ଗେ ଔଷଧ ଦେଲେ । ଘରେ ମହୁ ନଥିବ ବୋଲି ମହୁ ବୋତଲଟିଏ ଦେଲେ । କହିଲେ, ଅତିଶୟ ହେଲେ ଖବର ଦେବ; ମୁଁ ସଙ୍ଗେ ସଙ୍ଗେ ଚାଲିଯିବି । ଦୀନୁବାବୁ ସିଆଡ଼ୁ ବାଟରୁ ବଗିଗାଡ଼ିଟିଏ ଆଣି ଆସିଥାନ୍ତି । ପୁନା ଆସି ଖବର ଦେଲାବେଳଠାରୁ ସେ ପିଲା ଦୁହିଁଙ୍କୁ ସ୍କୁଲ୍‍ ନଯିବାକୁ କହିଯାଇଥିଲେ । ନାନୁବାବୁ ମଧ୍ୟ କଚେରି ଯାଇ ନଥିଲେ । ଦୀନୁବାବୁ ଔଷଧ ଓ ଗାଡ଼ି ଧରି ଆସିବା ସାଙ୍ଗେ ସାଙ୍ଗେ ପିଲା ଦୁଇଟିଙ୍କୁ ଧରି ଦୁଇଭାଇ ଗାଁକୁ ଚାଲିଗଲେ । ବଗିଗାଡ଼ିଟା ଠିକ୍ ଘର ପାଖକୁ ସେତେବେଳେ ଯାଇପାରୁ ନଥାଏ । ପକ୍କା ରାସ୍ତା ଉପରେ ଗାଡ଼ି ଛାଡ଼ି ଚାରିଜଣଯାକ ନାଳବନ୍ଧ ଦେଇ ଗାଁ-ମୁହାଁ ଚାଲିଲେ । ପୁନା ଜିନିଷପତ୍ର ଯାହା ସାମାନ୍ୟ ଥିଲା ତାକୁ ମୁଣ୍ଡେଇ ପଛେ ପଛେ ଚାଲିଲା । ଘରେ ପହଞ୍ଚୁ ପହଞ୍ଚୁ ଦିନ ୩ଟା ସେତେବେଳକୁ । ବୁଢ଼ୀଙ୍କର ସୋର-ଶବ୍ଦ କିଛି ନାହିଁ । ଦୀନୁବାବୁ ସାଙ୍ଗେ ସାଙ୍ଗେ ଔଷଧ ବାହାର କରି ବୋଉ ମୁହଁରେ ଦେଲେ । ବୋହୂ ଦୁହେଁ ବିଛଣା ଆରପାଖରେ ବସିଥାନ୍ତି । ସାନବୋହୂ ଭାଗବତ ବୋଲୁଥାଏ । ଦୀନୁବାବୁ ନାନୁବାବୁ ଏପାଖରେ ଅନେଇ ବସିଥାନ୍ତି । ଗାଁଯାକର ଲୋକ ଆସି ଦାଣ୍ଡରେ, ଅଗଣାରେ ଠୁଳ । ବୁଢ଼ୀ ସମସ୍ତଙ୍କ ସହିତ କଥାବାର୍ତ୍ତା କରୁଥାନ୍ତି । ଘରେ ରୋଷେଇବାସ ନଥାଏ । ପିଲା ଦୁହେଁ ଘରେ ପହଞ୍ଚି ସାଇ ବୁଲିବାକୁ ଚାଲିଗଲେ । ପଡ଼ିଶାଘର ସେ ଦୁହିଁଙ୍କୁ ଡାକି ଜଳଖିଆ ଟିକେ ଖୁଆଇଦେଲେ ।

 

ସଞ୍ଜବେଳକୁ ବୁଢ଼ୀ ଟିକେ ଆଖି ଖୋଲିଲେ । ସମସ୍ତଙ୍କ ମନରେ ଟିକିଏ ଆଶାର ସଞ୍ଚାର ହେଲା । ବୁଢ଼ୀଙ୍କର ବୟସ ଷାଠିଏ ହେବ । ସେମିତି କିଛି ବୁଢ଼ୀ ନୁହନ୍ତି; କିନ୍ତୁ ବାତଜ୍ଵର ତାଙ୍କୁ କାବୁ କରିଦେଇଥାଏ । ବୁଢ଼ୀ ଆଖି ଖୋଲିଲେ ସିନା, କଥା କହିପାରୁ ନଥାନ୍ତି । ସନ୍ଧ୍ୟା ହେଲାରୁ ଗୋରା, ତାରା ଦୁହେଁ ଆସି ମା’ ମୁଣ୍ଡ ପାଖେ ବସିଲେ । ଗୋରା ଏକାଦଶରୁ ଅଧ୍ୟାୟେ ତାଙ୍କ ମୁଣ୍ଡ ପାଖରେ ଆରମ୍ଭ କରିଦେଲା । ପିଲାଟିଦିନରୁ ମା’ ପାଖରେ ସଞ୍ଜବେଳେ ଅଧ୍ୟାୟେ ଭାଗବତ ବୋଲିବା ତା’ର କାମ ଥିଲା; ଆଜି ମଧ୍ୟ ବୋଲିଲା । ରୋଷେଇବାସ ହେଲା । ସମସ୍ତେ ଖାଇଲେ । ସାଇପଡ଼ିଶା ମଧ୍ୟ ଖାଇପିଇ ସାରିଲେ । ରାତିସାରା ବୁଢ଼ୀଙ୍କ ପାଖେ ଜଗିବାକୁ ହେବ । ଅବସ୍ଥା ଲକ୍ଷ୍ୟ କରି ପ୍ରତି ଦୁଇ ଘଣ୍ଟାରେ ଔଷଧ ଦେବାକୁ ହେବ । ଗାଁର ଦାସ ମାଷ୍ଟ୍ରେ, ବୈଷ୍ଣବ କବିରାଜେ ଖାଇସାରି ଜଗିବସିଲେ । ଔଷଧ ଦିଆଚାଲିଥାଏ ଘଣ୍ଟାକୁ ଘଣ୍ଟା । ବଇ କବିରାଜେ ନାଡ଼ି ମଝିରେ ମଝିରେ ଦେଖୁଥାନ୍ତି । ଶ୍ଳେଷ୍ମା କମିଲା ନାହିଁ । ରାତି ବଢ଼ିବା ସଙ୍ଗେ ସଙ୍ଗେ ଶ୍ଳେଷ୍ମାର ମାତ୍ରା ବୃଦ୍ଧି ପାଇଲା । ରାତି ତିନିଟାବେଳକୁ ତଣ୍ଟି ପାଖରେ ଘଡ଼ଘଡ଼ ଶବ୍ଦ ଆରମ୍ଭ ହେଲା । ପାଟିରେ ଔଷଧ ଦେଲେ; ଆଉ ଭିତରକୁ ଗଲାନାହିଁ, ବାହାରି ଆସିଲା । କବିରାଜେ କହିଲେ ଆଉ ଏଣିକି ଭଗବାନ ଭରସା । ପାଟିରେ ମହାପ୍ରସାଦ, ତୁଳସୀ ଦିଅ । ଇଏ ଚାଲିଲେ । ଗୋରା ଖାଇସାରି ଟିକିଏ ଶୋଇପଡ଼ିଥିଲା; କିନ୍ତୁ ୩ଟାବେଳକୁ ଗୋଳ ଶୁଣି ତା’ ନିଦ ଭାଙ୍ଗିଗଲା । ସେ ଉଠି ବଡ଼ପାଟିରେ ଭାଗବତବୋଲା ଆରମ୍ଭ କରିଦେଲା ।

 

ସବୁ ଚେଷ୍ଟା, ସବୁ ଔଷଧ, ସବୁ ଯତ୍ନ ସତ୍ତ୍ୱେ ଠିକ୍ ସୂର୍ଯ୍ୟୋଦୟବେଳକୁ ବୁଢ଼ୀ ବଅଁଶ କୁଟୁମ୍ବ ସମସ୍ତଙ୍କୁ ଶୋକସାଗରରେ ଭସାଇ ଦେଇ ଅହିସୁଲକ୍ଷଣୀ ହୋଇ ପ୍ରାଣ ଛାଡ଼ିଲେ । ମୁଣ୍ଡଟି ତକିଆର ଗୋଟିଏ ପାଖକୁ ଢଳିପଡ଼ିଲା । ଆଖିରେ କିନ୍ତୁ ପଲକ ପଡ଼ି ନଥାଏ । ସାରା ଘରଟା କାନ୍ଦଣାରେ ଉଛୁଳିପଡ଼ିଲା । ବୋଉ, ଖୁଡ଼ୀ କାନ୍ଦି କାନ୍ଦି ପାଦଧୂଳି ନେଇ ବାହାରକୁ ଚାଲିଗଲେ । ନାନୁବାବୁ ଚଦରଟିକୁ ବେକ ପର୍ଯ୍ୟନ୍ତ ଘୋଡ଼ାଇଦେଲେ । ଦୀନୁବାବୁ କିନ୍ତୁ ଏକାଆଖିରେ ବୋଉ ମୁହଁକୁ ଅନେଇଥାନ୍ତି । ଦୁଇ ଆଖିରୁ ଲୁହ ଝରିପଡ଼ୁଥାଏ । ଗୋରା ମୁଣ୍ଡ ଉପରେ ଭାଗବତ ବହି ବନ୍ଦକରି ବସିରହିଛି ।

 

ଆଖିରେ ତା’ର ଲୁହ ନାହିଁ । ସେ ଅନେଇଛି ମା’ ମୁହଁକୁ । ନିଜ ଜୀବନରେ ମଣିଷର ମରଣ ଏପରି ପ୍ରତ୍ୟକ୍ଷଭାବେ ଦେଖିବା ଏଇ ତା’ର ପ୍ରଥମ । ଆଗରୁ ଶୁଣିଥିଲା, ଏ ମରିଗଲା, ସେ ମରିଗଲା । କେତେ ଶବ କଟକ ଘର ଆଗ ଦାଣ୍ଡରେ ଶ୍ମଶାନକୁ ଯିବା ସେ ଦେଖିଛି; କିନ୍ତୁ ମୃତ୍ୟୁ ଯେ କିପରି ଧୀରେ ଧୀରେ ଆସି ଜୀବନ୍ତକୁ ଜଡ଼ରେ ପରିଣତ କରିଦିଏ ଏଇ ତା’ର ପ୍ରଥମ ଅନୁଭୂତି ।

 

ଦାସ ମାଷ୍ଟ୍ରେ ଗୋରାର ହାତ ଧରି ତାକୁ ବାହାରକୁ ଉଠାଇ ଆଣିଲେ । ମୀରା, ତାରା ନିଦରୁ ଉଠିଆସି ମା’ ଘର କବାଟ ପାଖରେ ଅନଉଥିଲେ । ଗୋରା କହିଲା, “ମା’ ମରିଗଲା ।” ସେ ଦୁହେଁ ଯାଇ ମା’ ମୁହଁକୁ ଅନେଇଦେଇ ଗୋରା ସାଙ୍ଗେ ବାହାରକୁ ଚାଲି ଆସିଲେ । ମା’ ମରିଯିବା କଥାରେ ସେ ଦୁହିଁଙ୍କ ମତିଗତିରେ ବିଶେଷ ପରିବର୍ତ୍ତନ ହେବାର ଲକ୍ଷ୍ୟ କରାଗଲାନାହିଁ ।

 

ଗାଁର ବହୁତ ଲୋକ ଆସିଥିଲେ । ସବୁ ବିଧିବିଧାନ ଅନୁସାରେ କୋକେଇରେ ଶବକୁ ନିଆଗଲା ନଈକୂଳ ଶ୍ମଶାନକୁ । ଗୋବିନ୍ଦପୁର ଗାଁ ଶ୍ମଶାନରେ ଗୋଟିଏ ମାହାଳ ଗଛ ଥାଏ, ସେଥିପାଇଁ ମାହାଳ ମୂଳକୁ ଯିବାକଥା କହିଲେ ଗୋବିନ୍ଦପୁର ଗାଁର ସବୁ ଲୋକେ ବୁଝନ୍ତି ଶ୍ମଶାନକୁ ଯିବା ବା ମରିବା । ମା’ ମଧ୍ୟ ଜେଜେଙ୍କ ଉପରେ ଘୋଷା ହୋଇ ଅନେକ ଥର କହିବାର ଶୁଣାଯାଏ, “କେବେ ମାହାଳ ମୂଳକୁ ଯିବି, ୟାଙ୍କ ଦାଉରୁ ରକ୍ଷା ପାଇବି ।” ଆଜି ମା’ ସେଇ ମାହାଳ ମୂଳକୁ ଶୋଭାଯାତ୍ରାରେ ଯାଉଛନ୍ତି । ସାନଭାଇ, ବନ୍ଧୁବାନ୍ଧବ ସମସ୍ତେ ଆଗରେ ପଛରେ ଯାଉଛନ୍ତି; ଖଇକଉଡ଼ି ବୁଣାଯାଉଛି । ଅହ୍ୟ ସୁଲକ୍ଷଣୀ ଯାଉଛନ୍ତି; ହିନ୍ଦୁ ରମଣୀର ଏହା ଗୋଟିଏ ପରମ ସୌଭାଗ୍ୟ । ଦୀନୁବାବୁ, ନାନୁବାବୁ ମଧ୍ୟ ଅଛନ୍ତି । ଗୋରା, ତାରା ମଧ୍ୟ ପଛେ ପଛେ ଅଛନ୍ତି । ଶବ ଯାଇ ଶ୍ମଶାନରେ ପହଞ୍ଚିଲା । ଯଥାରୀତି ଶବକୁ ସ୍ନାନ କରେଇ, ନୂଆ ଲୁଗା ପିନ୍ଧାଇ ସଜାଯାଇଛି । ନାନୁବାବୁ, ଗୋରା, ତାରା ଓ ଅନ୍ୟମାନେ ସମସ୍ତେ ଖଣ୍ଡେ ଖଣ୍ଡେ ଚନ୍ଦନ ବା ତୁଳସୀ କାଠ ଚିତାରେ ଦେଇ ନମସ୍କାର କଲେ । ଚିତା ଧୁ-ଧୁ ହେଇ ଜଳିଉଠିଲା । କଞ୍ଚା କାଠ ସହିତ ଶୁଖିଲା କାଠ, ଘିଅ ପ୍ରଭୃତି ଦିଆଯିବାରୁ ଚିତା ପ୍ରବଳ ବେଗରେ ଜଳିଉଠି ଅତି ଅଳ୍ପ ସମୟ ଭିତରେ ସବୁ ଭସ୍ମ କରିଦେଲା । ଗୋରା ଲକ୍ଷ୍ୟ କରୁଥାଏ ତା’ ଜେଜେଙ୍କୁ । ସେ କାହା ସହିତ କିଛି କଥାବାର୍ତ୍ତା ନକରି ଗୋଟାଏ ବାଉଁଶ ବାଡ଼ିରେ ଚିତାର ନିଆଁକୁ କେଞ୍ଚି ଦେଉଥା’ନ୍ତି । ବୁଢ଼ୀ ବଞ୍ଚିଥିଲାବେଳେ ବୁଢ଼ା-ବୁଢ଼ୀଙ୍କର ସବୁଦିନେ ପରସ୍ତେ ଅଳ୍ପ ସମୟପାଇଁ ହେଲେବି ଝଟାପଟା କଜିଆ ଲାଗେ । ପର ମୁହୂର୍ତ୍ତରେ ପୁଣି ଯୋଉ କଥାକୁ ସେଇ କଥା । ଗୋରା ଭାବୁଥାଏ ଆଜି ବୋଧହୁଏ ଜେଜେମା’କୁ ଶେଷ କେଞ୍ଚା ଦେଇ ବିଦାୟ ଦେଉଛନ୍ତି ଚିରଦିନ ପାଇଁ । ଏଇତ ମଣିଷର ଜୀବନ ।

 

ଦଶଦିନ ପର୍ଯ୍ୟନ୍ତ ଘରେ ନାନାଦି କର୍ମ ବିଧି-ବିଧାନ ପାଳନ କରାଗଲା । ଦିନଯାକ ଚୁଡ଼ା, ମୁଢ଼ି, ଗୁଡ଼, କଦଳୀ ଚକଟି ଜଳଖିଆ ଖାଇ, ରାତିରେ ଏକବକତିଆ ସମସ୍ତେ ଖା’ନ୍ତି । ପିଲାଙ୍କୁ ଏହା ଭାରି ମଜା ଲାଗୁଥାଏ । ଏମିତି ସବୁଦିନ ହୁଅନ୍ତା କି–ତାରା ମୀରା କଥାବାର୍ତ୍ତା ହୁଅନ୍ତି-। ଗୋରା କିନ୍ତୁ ବଡ଼ ହେଲାଣି । ତା’ର ବୁଦ୍ଧି ହେଲାଣି; ସେ କିନ୍ତୁ ଏପରି ଭାବୁ ନଥାଏ । ଏଗାରଦିନ ବ୍ରାହ୍ମଣ ଭୋଜନ, ଜ୍ଞାତିଭୋଜନ, ବାର ଦିନରେ ବୈଷ୍ଣବମେଳା ପ୍ରଭୃତି ହେଲା । ଦୀନୁବାବୁ ଖୁବ୍ ଖୋଲା ମନରେ ମା’ର ଶୁଦ୍ଧିକ୍ରିୟାରେ ଦିଆନିଆ କଲେ । ସମସ୍ତେ ସନ୍ତୁଷ୍ଟ ହେଲେ-

 

ଚଉଦଦିନ ସମସ୍ତେ କଟକ ଆସିଲେ । ଯେଝା କାମରେ ଯିଏ ସ୍କୁଲ୍‍ କଚେରି ଗଲେ । ଯାହାର ସଂସାରକାମ ସରିଲା ସେ ଚାଲିଲା; ଯାହାର କାମ ସରିନାହିଁ ସେ ଯାଉଛି କୁଆଡ଼େ ?

 

ଚବିଶ

 

ପୁରୀଘାଟ ଗଡ଼ା ପାଖରେ ଗୋଟିଏ ଚାଳଘରେ ବୁଢ଼ୀଟିଏ ରହୁଥାଏ । ତା’ର କେହି ନଥାନ୍ତି । ବୁଢ଼ୀ ହେଲେ କ’ଣ ହେବ, ସେ ଭାରି ମଜବୁତ୍ ଥାଏ । ବିଲେଇ କୁକୁର ପୋଷିବା ତା’ର ଗୋଟାଏ ସଉକ । ବୁଢ଼ୀର କେଉଁ ପୁରୁଷରେ କିଏ ମଫସଲରେ ଜମିବାଡ଼ି କମେଇ କଟକରେ ଘର କରି ଯାଇଥିଲେ କେଜାଣି, ଆଜି ବୁଢ଼ୀର ସଂସାରରେ କେହି ନଥାଇ ସୁଦ୍ଧା ସେ କଟକ ସହରରେ ବିଲେଇ, କୁକୁର ପୋଷି ତା’ ସଉକରେ ସେ ଖେଳୁଥାଏ । ବିଲେଇ କୁକୁରମାନଙ୍କର ନାଁ ଦିଆଯାଇଥାଏ । ଯାହା ନାଁ ଧରି ଡାକିଦେବ, ସେ ବୁଢ଼ୀ ପାଖକୁ ଦୌଡ଼ି ଆସିବ । ବୁଢ଼ୀ ପୁଣି ବିଲେଇ ବାହାଘର କରେ । ସେଥିରେ ରୀତିମତ ଖର୍ଚ୍ଚ ହୁଏ । ବାଣ ରୋଶଣି ନେଇ ବିଲେଇ ବର ଆସେ । ଲୋକ ଆସନ୍ତି । ଖିଆପିଆ ହୁଏ । ବର ବାହାହୋଇ ଘରଜୋଇଁଆ ହୁଏ । ବୁଢ଼ୀ ଘରେ ରୁହେ ଆରାମରେ । ସେଥିପାଇଁ ବୁଢ଼ୀକୁ ସମସ୍ତେ ଡାକନ୍ତି ବିଲେଇ ମାଉସୀ । ବୁଢ଼ୀ ବଜାର-ହାଟ କରି ବାହାରିଲେ ଆଗରେ ଦି’ଟା କୁକୁର, ପଛରେ ଚାରିଟା ବିଲେଇ ବରାବର ଥା’ନ୍ତି । ସେମାନେ ଗୁଡ଼ିଆ ଦୋକାନରେ ଜଳଖିଆ କରି ଫେରନ୍ତି । ବୁଢ଼ୀକୁ ସେ ଖଣ୍ଡମଣ୍ଡଳରେ ସମସ୍ତେ ଜାଣନ୍ତି । ସେ ମଧ୍ୟ ସମସ୍ତଙ୍କୁ ଜାଣେ । ଅନେକଙ୍କୁ ସେ ନାଁ ଧରି ଡାକେ; ସେ ଓକିଲ ମୁକ୍ତାର ଯିଏ ହୋଇଥାନ୍ତୁ ପଛେ । ଗୋରା, ତାରାଙ୍କୁ ମଧ୍ୟ ବୁଢ଼ୀ ଜାଣେ । ବୁଢ଼ୀର ଗୋଟିଏ କୁକୁର ତିନିଟା ଛୁଆ ଦେଇଥାଏ । ସେ ଛୁଆଦେବା ଦିନଠାରୁ ତାରାର ନଜର ଗୋଟାକ ଉପରେ ପଡ଼ିଥାଏ । ଛୁଆଟି ଅଣ୍ଡିରା ଧଳା, ରୁମରୁମିଆ, କାନ ଦୁଇଟି କଳା । ତାରା ଭାଇକୁ ବରାବର କହେ ସେ ଛୁଆଟାକୁ ବୁଢ଼ୀକୁ କହି ଆଣିବାପାଇଁ । ଗୋରା କିନ୍ତୁ ବୁଢ଼ୀର ପ୍ରକୃତି ଜାଣେ । ସେ କାହାକୁ କୁକୁର ବା ବିଲେଇଛୁଆ ଦେବ ନାହିଁ ।

 

ଶୀତଦିନ । ଶନିବାର ହେଇଥାଏ । ଅଧା ଛୁଟିରେ ଦୁଇଭାଇ ସ୍କୁଲ୍‍ରୁ ଆସିଲେ । ଭାଇ କ’ଣ ପଢ଼ାପଢ଼ିରେ ବ୍ୟସ୍ତ ଥା’ନ୍ତି । ତାରା ଭାଇଙ୍କର ସଉକିନିଆ ଶାଲ ଖଣ୍ଡକୁ ଘୋଡ଼ି ହୋଇ ବାହାରିପଡ଼ିଲା । ତାରା କେବେହେଲେ ଶାଲ ଘୋଡ଼ି ହୁଏ ନାହିଁ; କିନ୍ତୁ ସେ ଦିନ ଶାଲ ଖଣ୍ଡିକ ଘୋଡ଼ି ହୋଇ ସେ ସିଧା ପୁରୀଘାଟଆଡ଼େ ମୁହେଁଇଲା । ତାକୁ ଜଣା, ବୁଢ଼ୀ ସଞ୍ଜ ଆଗରୁ ବଜାରଆଡ଼େ ତା’ ଦଳବଳ ନେଇ ଯାଏଁ । ଘରେ ଚାବି ଦେଇଯାଏ; କିନ୍ତୁ ବାରିଆଡ଼କୁ ଯିବାବାଟରେ ଖଣ୍ଡେ ତାଟି ଦେଇଯାଏ । ତାରା ବୁଢ଼ୀକୁ ତା’ ଦଳବଳ ସହିତ ଛକ ଉପରେ ଦେଖି ଆସିଲା । କୁକୁରଛୁଆଙ୍କ ମା’ ମଧ୍ୟ ତା’ ସଙ୍ଗେ ଯାଇଥାଏ । ଏଇ ସୁଯୋଗ ଆଉ ଛାଡ଼ିବାର କଥା ନୁହେଁ । ତାରା ବୁଢ଼ୀର ତାଟି ମେଲେଇ ସିଧା ତା’ ଅଗଣା ଭିତରେ ପଶି ସେ ଧଳା ଛୁଆଟିକି ଧରି ତାକୁ ଶାଲ ଭିତରେ ପୂରେଇ ପଳାଇ ଆସିଲା । ମୁହଁସଞ୍ଜ ହେଇଯାଇଥାଏ । ରାସ୍ତାରେ ସେତେବେଳେ ଲୋକବାକ ସେମିତି କେହି ନଥିଲେ । ତାରା ସିଧା ନଈ ବନ୍ଧେ ବନ୍ଧେ ଆସି ଘରେ ପହଞ୍ଚିଲା । କୁକୁରଛୁଆ ଶାଲ ଭିତରେ ଆରାମରେ ରହି ପାଟିତୁଣ୍ଡ କରୁ ନଥାଏ । ତାରା ଆସି ସିଧା ପଢ଼ାଘରେ ପହଞ୍ଚି ଟେବୁଲ ଉପରେ ଛୁଆଟାକୁ ରଖିଦେଲା । ମଦନ ଲଣ୍ଠନ ଜଳେଇ ଟେବୁଲ ଉପରେ ରଖିଦେଇ ଯାଇଥିଲେ । ଗୋରା ଟେବୁଲ ଉପରେ କୁକୁରଛୁଆକୁ ଦେଖି ବୁଝିନେଲା ଇଏ ବିଲେଇମାଉସୀଘର ଛୁଆ । ସିଏ କହିଲା, “ତାରା, ତୁ କ’ଣ କଲୁ, ତତେ ଆଉ ବିଲେଇ-ମାଉସୀ ରଖିବ ?” ତାରା କହିଲା, “ବୁଢ଼ୀ ଜାଣିବ କେମିତି ତା’ କୁକୁରଛୁଆ କିଏ ନେଇଛି ବୋଲି ? ଆରେ, ତୁ ଜାଣିନୁ, ତାକୁ ସବୁକଥା ମାଲୁମ ହେଇଯିବ । ଆମେ ତାକୁ ଆର ଖଞ୍ଜାର ବାରିଆଡ଼େ ଲୁଚେଇ ରଖିବା । ବୁଢ଼ୀ ମୋଟେ ପତା ପାଇବ ନାହିଁ ।”

 

“ଓଲୁ କେଉଁଠିକାର । ଏଇଟା ବୋବେଇବ ନାହିଁ ?”

 

“ତାକୁ ଖାଇବାକୁ ଦେଇ ଆରାମରେ ରଖିବା । ବୋବେଇବ କାହିଁକି ?”

 

ତାରାର ପିଲାଳିଆ କଥାରେ ଗୋରାକୁ ହସ ମାଡ଼ିଲା । ଗୋରା ମୁରବି ହେଲେ କ’ଣ ହେବ, କୁକୁରଛୁଆକୁ ଦେଖି ତା’ର ମଧ୍ୟ ଟିକିଏ ଲୋଭ ହେଲା । ମଦନ ମଧ୍ୟ ଏତିକିବେଳେ ଜଳଖିଆ ଥାଳିଆ ଦେବାକୁ ଆସି କୁକୁରଛୁଆକୁ ଦେଖିଲା । ମଦନକୁ ହାତରେ ନ ରଖିଲେ ସବୁ ଗୋଳମାଳ ହେଇଯିବ । ତେଣୁ ମଦନ ପଚାରିଲା ପୂର୍ବରୁ ଗୋରା କହିଲା–‘‘ତାରା ତା’ର ଜଣେ ସାଙ୍ଗଠାରୁ ଏ କୁକୁରଛୁଆଟା ଆଣିଛି । ଭଲ ହେଇନାହିଁ ?”

 

“ବଢ଼ିଆ ହେଇଛି । ୟାକୁ ରଖିବା । ତେବେ ବାବୁ ଚିଡ଼ିବେ ନାହିଁ ତ ?”

 

ଗୋରା କହିଲା, “ମଦନ ୟାକୁ ନେଇ ରୋଷେଇଘର ବାରିଆଡ଼େ ରଖିବା । ବାପା ଜାଣିବେ ନାହିଁ । ବୋବାବୋବି କଲେ ତୁ କହିଦେବୁ–ଗୋଟେ ବୁଲାକୁତି ବାରିଆଡ଼େ ଛୁଆ ଦେଇଛି-।”

 

ଭାଇ ଓ ମଦନକୁ ତା’ ସାଙ୍ଗରେ ପାଇ ତାରାର ସାହସ ବଢ଼ିଗଲା । କୁକୁରଛୁଆଟା ସେତେବେଳକୁ ଟେବୁଲ ଉପରର ସବୁ ଜିନିଷକୁ ଶୁଙ୍ଘିବାରେ ବ୍ୟସ୍ତ । ଶୁଙ୍ଘୁ ଶୁଙ୍ଘୁ ଲଣ୍ଠନ କାଚକୁ ଶୁଙ୍ଘିଦେଲା । ଗୋରା ତାକୁ ଟେକିଆଣିଲା ‘ମରିଯିବରେ’ ବୋଲି କହି ।

 

ମଦନ କୁକୁର ଚିହ୍ନିବାରେ କୁଆଡ଼େ ଧୁରନ୍ଧର । ସେ ତା’ର ନଡ଼କା କାନଦୁଇଟାରୁ ଗୋଟାକୁ ଧରି ତାକୁ ଲଟକେଇଦେଲା । କୁଁ-କାଁ କିଛି ନାହିଁ । ମଦନ କହିଲା, “ଏଇଟା ପୂରା ବିଲାତି ଛୁଆ । ଦେଶୀ ହୋଇଥିଲେ କେଁ-କେଁ କରିଥା’ନ୍ତା । ମଦନ ଆଉ ଗୋଟିଏ ପରୀକ୍ଷାପାଇଁ ଆଲୁଅ ସାମନାକୁ ଆଣି କୁକୁରଛୁଆର ଚାରି ଗୋଡ଼ର ନଖ ଗଣିନେଲା । ଏକୋଇଶଟା ହେଲା । ମଦନା କହିଲା, “ଏଇଟା ଭାରି ଅବିଶ୍ୱାସୀ, କାମୁଡ଼ା ହେବ । କୋଡ଼ିଏ ନଖିଆ ହୋଇଥିଲେ ଭଲ ହୋଇଥା’ନ୍ତା । ତିନିହେଁ ଟେବୁଲ ଉପରକୁ ତାକୁ ନେଇ ଆଲୁଅରେ ଆଉଥରେ ଗଣିଲେ । ଏଥର ଏକୋଇଶଟା ହେଲା । ପଛପଞ୍ଝାରେ ଛୋଟିଆ ନଖ ଦିଇଟାକୁ ମଦନା ଛାଡ଼ି ଯାଇଥିଲା । ଏଥରକ ସମସ୍ତେ ଖୁସି । ଖୁବ୍ ଭଲ ଲକ୍ଷ୍ମୀବନ୍ତ ଜାତିଆ କୁକୁର ବୋଲି ।

 

ସବୁ ତ ହେଲା, ବର୍ତ୍ତମାନ ସେ ରହିବ କେଉଁଠି ? ଖାଇବ କ’ଣ ? ଆଜି ରାତିଟା ତାକୁ ଗୋଟାଏ ଟୋକେଇ ତଳେ ରଖିବାର ଦାୟିତ୍ଵ ମଦନ ନେଲା । ଗୋରା ପକେଟରୁ ଗୋଟିଏ ପଇସା ଦେଲା ପାଖ ଗଉଡ଼ ଘରୁ ଦୁଧ ଆଣି ରାତିରେ ଖୁଆଇବ ବୋଲି । କୁକୁର ଦାୟିତ୍ଵ ମଦନ ନେବାରୁ ଦୁଇଭାଇ ନିଶ୍ଚିନ୍ତ ରହିଲେ । ରାତି ୯ଟାବେଳକୁ ଗୋରା ରୋଷେଇଘର ଆଡ଼କୁ ଯାଇ ଦେଖିଲା ଯେ କୁକୁରଛୁଆ ସଢ଼େଇରେ ଦୁଧ ପିଇ ଟୋକେଇ ତଳେ ନିଶ୍ଚିନ୍ତରେ ଶୋଇଛି । କୁଁ-କାଁ କିଛି ଶବ୍ଦ ନାହିଁ । ହେ ଭଗବାନ ! ବାପାଙ୍କ ଶୋଇବାବେଳଟାରେ କୁଁ-କାଁ ନ କରନ୍ତା କି !

 

ତା’ ପରଦିନ ରବିବାର । ଅତିଭୋରରୁ ତାରାର ନିଦ ଭାଙ୍ଗିଛି । ସେ ଯାଇ ରୋଷେଇଘର ଖଞ୍ଜାର କବାଟ ଧଡ଼ଧଡ଼ କରିଛି । ରାଧାନାଥବାବୁ ସେ ଘର ଛାଡ଼ି ଗଲାଦିନୁ ମଦନ ସେ ଖଞ୍ଜାରେ ରାତିରେ ଏକା । କବାଟ କିଛିକ୍ଷଣ ଧଡ଼ଧଡ଼ କଲାପରେ ମଦନ କବାଟ ଖୋଲିଲା । ତାରା ସିଧା ଯାଇଁ ବାରିଆଡ଼େ । ଟୋକେଇ ଟେକିଲାବେଳକୁ କୁକୁରଛୁଆ ନାହିଁ । ତା’ ମୁଣ୍ଡ ଘୂରେଇଗଲା । ଗଲା କୁଆଡ଼େ ? ବୁଢ଼ୀ କିପରି ପତ୍ତା ପାଇ ନେଇଗଲା କି ? ମଦନ ମୁହଁ ଧୋଇ ଆସି ଠିଆହେଲା । ଛୁଆ ଗଲା କୁଆଡ଼େ ? ଚାରିଆଡ଼କୁ ଅନେଇଗଲାବେଳକୁ ଦେଖାଗଲା ଛୁଆ ଯାଇ ନାଗ ଅଇରି ବାଡ଼ ଭିତରେ ପଶି ଖରା ପୋଉଁଛି । ଦୁହେଁ ତାକୁ ସେଠାରୁ ଆଣିଲେ । ଟୋକେଇ ତଳୁ ବାହାରିଲା କିପରି, ସେ କଥା ଚର୍ଚ୍ଚା ହେଲା । ଦେଖାଗଲା ଯେ ଛୁଆ ଟୋକେଇକୁ ମୁଣ୍ଡେଇ ପେଲି ପେଲି ପିଣ୍ଡାଧାରକୁ ଆଣି ପିଣ୍ଡା ତଳକୁ ଗଡ଼ି ଅଗଣାରେ ପଡ଼ିଛି । ପିଣ୍ଡା ମାଟିର ସେତେ ଉଚ୍ଚ ନୁହେଁ; ତେଣୁ ତା’ର କିଛି ହୋଇନାହିଁ ।

 

ଛୁଆଟି ତାରା କୋଡ଼ରେ ଥାଏ । ଖାଲି ତା’ ବୁଢ଼ାଆଙ୍ଗୁଠିକି ଚୁଚୁମି ପକଉଥାଏ । କଥା ପଡ଼ିଲା, ଗୋଟାଏ ଚେନ୍‌ ଆଉ ଗୋଟାଏ ଚମଡ଼ାଫିତା ତା’ ବେକପାଇଁ ଦରକାର । ମଦନା କହିଲା, “ଦେଖିବା ସାନବାବୁଙ୍କୁ କହିଲେ ସେ ଆଣିଦେବେ ଯେ । ତେବେ ବର୍ତ୍ତମାନ ଗୋଟାଏ କଥା କରିବା । ଗୋଟାଏ ମୋଟା ବାଉଁଶ ପାତିଆର ଦି’ପାଖରେ ଦି’ଟା ଫୋଡ଼ କରିବାକୁ ହେବ । ଫୋଡ଼ ଭିତରେ ଦଉଡ଼ି ଗଳାଇ ଗୋଟାଏ ପାଖ ବେକରେ ବନ୍ଧା ହେବ । ଆରପାଖଟା ଗୋଟାଏ ଖୁଣ୍ଟରେ ବନ୍ଧା ହେବ ।” ସେତେବେଳକୁ ଗୋରା ଆସି ସେମାନଙ୍କ ସାଙ୍ଗରେ ମିଶିଲାଣି । ଚମଡ଼ା ଫିତା ଚେନ୍‌ ବଦଳରେ ଏ ବ୍ୟବସ୍ଥା ଶୁଣି ସେ ଭାରି ଖୁସି ହେଲା । ମଦନା କହିଲା, “ତୁମେ ଦୁହେଁ ଖଣ୍ଡେ ବତା ଯୋଗାଡ଼ କରି ତାକୁ ଛୁରିରେ ଚିକ୍କଣ କରି ଚାଞ୍ଛିରଖ । ଚୁଲି ଲାଗିଲେ ମୁଁ ଡାମ୍ଫଣ ତତେଇ ବତାର ଦୁଇପାଖରେ କଣା କରିଦେବି । ଦୁଇଭାଇ ବତା ସନ୍ଧାନରେ ଲାଗିଲେ । ବତା ମିଳୁଛି କେଉଁଠି ? ରୋଷେଇଘର ପିଢ଼ାର ଗୋଟାଏ ପାଖରୁ ଗୋଟାଏ ବତା ବହୁ କଷ୍ଟରେ ଯୋଗାଡ଼ କରାଗଲା । ତାକୁ ଛୁରିରେ ସୁନ୍ଦର କରି ଚିକ୍କଣ କରାଗଲା । ରବିବାର ସକାଳ ଓଳିଟା ବାପା ସେମିତି ଖୋଜନ୍ତି ନାହିଁ । ତେବେ ତାରା ୟା ଭିତରେ ଦୁଇଥର ଯାଇ ବାପାଙ୍କ ଗତିବିଧି ଲକ୍ଷ୍ୟ କରି ଆସିଲାଣି । ରବିବାର ସକାଳୁ ବାପାଙ୍କର କେତେ ସାଙ୍ଗ ଆସିଯାନ୍ତି । ନ’ଟା ଦଶଟା ପର୍ଯ୍ୟନ୍ତ ସେଦିନ ଅଗାଧୁଆରେ ଗପ ଜମେ । କଚେରି କାମ କିଛି ହୁଏନାହିଁ ।

 

ଇତ୍ୟବସରରେ ବତା ଚଞ୍ଛା ହୋଇସାରିଲାଣି । ମଦନ ସେଥିରେ କିପରି କଣା କରିବ, ଦେଖିବାକୁ ଦୁଇଭାଇ ଅନେକବେଳୁ ଅନେଇଥିଲେ । ମଦନ ଚୁଲିରେ ଗୋଟାଏ ଡାମ୍ଫଣ କୁଆଡ଼ୁ ଆଣି ତତେଇଲା । ତାକୁ ଚୁମୁଟାରେ ଧରିଆଣି ବତାର ଗୋଟାଏ ପାଖରେ ଲଗେଇ ଛୋଟ ଶିଳପୁଆରେ ଆସ୍ତେ ଆସ୍ତେ ଫିଟିଲା । ଚାହୁଁଚାହୁଁ ଧୂଆଁ ଉଠି ବତାର ଏପାଖ ସେପାଖ କଣା ହେଇଗଲା । ପୁଣି ସେହିପରି ଆରପାଖରେ ମଧ୍ୟ କଣା କରାଗଲା । କଣ୍ଟାରେ ବାଡ଼େଇ କଣା କରିଥିଲେ ବତାଟା ହୁଏତ ଫାଟିଯାଇଥାନ୍ତା । ମଦନାର ବୁଦ୍ଧିକି ବାହାଦୁରି ଦେବାକୁ ହେବ । ସେହି ଦିନ ଦଶଟାବେଳେ ବାରିର କାଗଜି ଗଛମୂଳେ ଗୋଟାଏ ଖୁଣ୍ଟ ପୋତା ହୋଇ କୁକୁରଛୁଆ ବେକରେ ସେ ବତା ଲାଗି ବନ୍ଧାଗଲା ।

 

ୟା ଭିତରେ ଛୁଆର ନାମକରଣ ନେଇ ବହୁତ ଆଳାପ-ଆଲୋଚନା ହେଇଗଲାଣି । ‘ଟମି’, ‘ଟିପୁ’, ‘ପପି’ ପ୍ରଭୃତି ଅନେକ ନାଁ ଚିନ୍ତା କରାଯାଇ ଶେଷରେ ‘ଟିପୁ’ ନାଁଟା ସ୍ଥିର କରାଗଲା । ‘ଟମି’, ‘ପପି’ ଏ ଦୁଇଟା ନାଁ ଇଂରେଜୀ ନାଁ ଥିବାରୁ ନାକଚ କରିଦିଆଗଲା ବୋଧହୁଏ । ଗୋରାର ହାଲ୍ ଇଂରେଜୀ-ବିରୋଧୀ ମନୋଭାବ ଯୋଗୁଁ ।

 

ଜାନୁଆରୀ ମାସ । ସ୍କୁଲ୍‍ରେ ନୂଆବର୍ଷ ଆରମ୍ଭ ହୋଇଥାଏ । ପଢ଼ାପଢ଼ି ଜୋର୍‍ସୋର୍‍ରେ ଆରମ୍ଭ ହୋଇ ନଥାଏ । ତେଣୁ ଗୋରା ତାରାଙ୍କ ଖୋଜା ପଡ଼ି ନଥାଏ । ଆଉ ଯେଉଁଦିନ ହେଉ ନହେଉ, ରବିବାର ମାଂସ ହେବାର ବିଧି । ସେଥିପାଇଁ ମଦନର ଟିକିଏ କାମ ପଡ଼ିଥାଏ । ଖାଉ ଖାଉ ସେଦିନ ଗୋଟାଏ ବାଜେ । ଆଜି ମଧ୍ୟ ସେହିପରି ଗୋଟାଏବେଳକୁ ଦୀନୁବାବୁ ଗୋରା ତାରା ଖାଇବସିଲେ ସେଇ ରୋଷେଇ ଖଞ୍ଜାରେ । ଗୋରା ତାରା ଭାବୁଥାନ୍ତି, ବାପା କିପରି ଚାରିଆଡ଼କୁ ନଯାନ୍ତୁ । ଦୁଇଭାଇ ଚୁପ୍‍ଚାପ୍ ବସି ଖାଉଥାନ୍ତି । ଏତିକିବେଳେ କୁକୁରଛୁଆଟା ବାରିଆଡ଼େ ବୋବାଳି ଛାଡ଼ିଲା । ଭାଗ୍ୟ ଭଲ, ବାପା କିପରି ସେ ଆଡ଼କୁ କାନ ଦେଇ ନାହାନ୍ତି । ଦି’ଭାଇ ମଦନ ମୁହଁକୁ ଚାହାଁଚାହିଁ ହେଇ ଚୁପ୍ ଅଛନ୍ତି । ଦୀନୁବାବୁ ଖାଉ ଖାଉ ସ୍କୁଲ୍‍ରେ ପଢ଼ା ଆରମ୍ଭ ହେଲାଣି କି ନାହିଁ, ନୂଆ ବହି ତାଲିକା ବାହାରିଲା କି ନାହିଁ ପଚାରୁଥାନ୍ତି । ଗୋରା ତାରା କେବଳ ହଁ-ନାରେ ଉତ୍ତର ଦେଉଥାନ୍ତି । ବାପା ଖାଇସାରି ଶୋଇବାକୁ ଚାଲିଗଲେ । ହେ ଗୋପାଳଜୀ ମା’ କାଳୀ, ଆଜି ଖୁବ୍ ରକ୍ଷାକଲେ ବୋଲି ଦୁଇଭାଇ ଦମ୍ଭ ବାନ୍ଧିଲେ । ଆଜି ଦିପହରେ ଦୁଇଭାଇଯାକ ଶୋଇବା ଖଞ୍ଜାକୁ ମୋଟେ ଯାଇନାହାନ୍ତି ।

 

କୁକୁର ମାଂସ ଖାଏ । ତା’ ବୋଲି ଯେ ଦୁଧ ଖାଉଥିବା ଏ ଛୁଆଟା ମାଂସ କଣ୍ଟା ଖାଇବ ନାହିଁ ଏକଥା ଦି’ ଭାଇଙ୍କୁ ଜଣା ନାହିଁ । ବଡ଼ ହାଡ଼ ନ ଦେଇ ସରୁ ସରୁ ହାଡ଼ ଦିଆଯାଇପାରେ ବୋଲି ମଦନା ମତ ଦେଲା । ସେହି ଅନୁସାରେ ଦି’ଭାଇ ଅଇଁଠାରୁ ସବୁ କଣ୍ଟାତକ ବାଛି କୁକୁରପାଇଁ ଆଣିଲେ । କଣ୍ଟାତକ ପାଣିରେ ଧୋଇଲେ, କାରଣ ମଦନା କହିଲା, “କୁକୁର ଲୁଣ ଖାଇଲେ ତା’ ରୁମ ଉପୁଡ଼ିଯିବ ।” ଏ ସବୁ ସତର୍କତା ନୀତି-ନିୟମ ରକ୍ଷା କରାଯାଇ କୁକୁରଛୁଆ ଓରଫ୍ ‘ଟିପୁ’ର ଖାଇବା ସଢ଼େଇରେ ହାଡ଼ତକ ଦିଆଗଲା । କୁକୁରଛୁଆ ସିଏ । ସକାଳୁ ଦୁଧ ଖାଉଛି; ଅଥଚ ମାଂସ ହାଡ଼ର ଗନ୍ଧରେ ସେ ସେଥିରୁ ଗୋଟାଏ ମୁହଁରେ ଧରି ଦି’ ଗୋଡ଼ରେ ମାଡ଼ିବସି ତା’ର ଟିକିଟିକି ଦୁଧଖିଆ ଦାନ୍ତରେ କାମୁଡ଼ିବାକୁ ଲାଗିଲା । ଦି’ଭାଇ ପାଖରେ ବସି ଦେଖୁଥାନ୍ତି । ଆଜି ଦୁହିଁଙ୍କର ଆଉ କିଛି କାମ ନାହିଁ ।

Unknown

 

ଏତିକିବେଳେ ଟିପୁ ସେ ହାଡ଼ଟାକୁ ଗିଳି ନ ପାରି ଗୋଟାସୁଦ୍ଧା ଗିଳିଦେଲା । ହାଡ଼ଟା ତଣ୍ଟିଯାଏ ଚାଲିଯାଇଁ ଅଟକିଗଲା । ସିଆଡ଼କୁ ଯାଉନାହିଁ କି ଇୟାଡ଼କୁ ଆସୁନାହିଁ । କୁକୁରଛୁଆଟି ଓଲଟିପଡ଼ି ଆଖି ଖୋସିଦେଲା । ଗୋରା ତାରା ‘ମଲା’ ‘ମଲା’ ବୋଲି ତାକୁ ଧରିପକାଇଲେ । ଗୋରା କିଛି ବୁଦ୍ଧି ନପାଇ ଆଙ୍ଗୁଠି ପୂରାଇ ଟିପୁର ପାଟିଟାକୁ ମେଲାକରି ଧରିଲା । ତାରା ଆଗପଛ ନ ବିଚାରି ତା’ ଛୋଟ ଆଙ୍ଗୁଠିଟାକୁ କୁକୁର ତଣ୍ଟି ପର୍ଯ୍ୟନ୍ତ ପୂରାଇ କଣ୍ଟାଟାକୁ ଟାଣିଆଣିଲା । ଟିପୁ କିଛି ସମୟ ଗଁ-ଗଁ କରି ଥୟ ହେଲା । ମଦନା ସେତେବେଳକୁ ଆସି ହାଜର ହେଲା । ତୋ ବୁଦ୍ଧିରେ ନ ପଡ଼ି ଟିପୁକୁ ବଡ଼ବଡ଼ ହାଡ଼ ଦେଇଥିଲେ ସେ ମୋଟେ ତାକୁ ଗିଳି ପାରି ନଥାନ୍ତା । ଯାହାହେଉ ବଞ୍ଚିଗଲା । ଶିକ୍ଷା ମିଳିଲା । ଏଣିକି ଆଉ ମାଂସ ନୁହେଁ, କେବଳ ଦୁଧଭାତ । ମାଛବି ନୁହେଁ । ମାଛ ଖାଇଲେ ଦେହରେ ‘ଘା’ ହେବ । ମୁଢ଼ିରେ ଲୁଣ ଅଛି, ତେଣୁ ଖାଲି ଦୁଧ ବା ଦୁଧଭାତ । କୁକୁରଛୁଆ ଟିକିଏ ଶୋଇଗଲା ହାଲିଆ ହେଇ ।

 

ଏବେ ଦୁଇ ଭାଇଙ୍କର ମନେପଡ଼ିଲା ବିଲେଇ-ମାଉସୀ କଥା । ବୁଢ଼ୀ ଇୟାଡ଼େ ଆସିନାହିଁ ତ ? ସତକୁସତ ବୁଢ଼ୀ କାଲି ରାତିରୁ ଖାଇନାହିଁ କି ଶୋଇନାହିଁ । ଏତେ ବିଲେଇ କୁକୁର ଅଛନ୍ତି; ଗୋଟାଏ କୁଆଡ଼େ ଗଲା ବୋଲି ଏତେ ଚିନ୍ତା । ବୁଢ଼ୀର ଅନେକ ଗୋଇନ୍ଦା ଅଛନ୍ତି, ଗୋରା ତାରା ବୟସର ପିଲା ସେମାନେ । ସେମାନେ ମଧ୍ୟ ବିଲେଇଛୁଆ, କୁକୁରଛୁଆ ପାଇଁ ଅନେକ ଥର ବୁଢ଼ୀ ପାଖରେ ପ୍ରାର୍ଥୀ ହେଇ ହତାଶ ହେଇଛନ୍ତି । କେତେ କେତେବେଳେ ମାଲ ସହିତ ଗିରଫ୍‍ ମଧ୍ୟ ହୋଇ ବୁଢ଼ୀ ସାଙ୍ଗରେ ମିତ୍ରତା ସ୍ଥାପନ କରିଛନ୍ତି । ବୁଢ଼ୀର ଅସଲ ଧଳା ଅଣ୍ଡିରା ଛୁଆଟା ଏପରି ଭାବରେ ହରଣଚାଳ ହେଇଯିବାରେ ସମସ୍ତେ ବିବ୍ରତ ହେଇଗଲେ । ବୁଢ଼ୀ ସନ୍ଦେହଜନକ ଗତିବିଧି ବାଲା ଆଖପାଖର ସବୁ ପିଲାଙ୍କୁ ପଚାରି ସାରିଲାଣି; ସନ୍ଧାନ ଦେଲେ ପୁରସ୍କାର ମଧ୍ୟ ଘୋଷଣା କଲାଣି । ଏତିକିରେ ତା’ର ଚରମାନେ ଚାରିଆଡ଼େ ଖୋଜିଗଲେ । ଗୋରାଙ୍କ ବାରିଆଡ଼େ ଗୋଟାଏ କୁକୁରଛୁଆ ବୋବେଇବାର ସମ୍ବାଦ ଦିନ ୨ଟା ସୁଦ୍ଧା ବୁଢ଼ୀ ପାଖରେ ପହଞ୍ଚିଗଲା । ବୁଢ଼ୀ ଖାଇକରି ଉଠୁଥିଲା । ପାନଖଣ୍ଡେ କଳରେ ଜାକି ସିଧା ରମାନା ହେଇଗଲା ଗୋରାଙ୍କ ଘର ଆଡ଼େ । ସେତେବେଳକୁ ଗୋରା, ତାରା ଆସିଲେଣି ତାଙ୍କ ଶୋଇବା ଖଞ୍ଜାକୁ । ଦୀନୁବାବୁ ଗାଢ଼ ନିଦରେ ଘୁଙ୍ଗୁଡ଼ି ମାରୁଛନ୍ତି । ଦି’ଭାଇ ପଢ଼ାଘରେ କ’ଣ କରୁଛନ୍ତି । ରୋଷେଇ ସାହାଲା ପିଣ୍ଡାରେ ମଦନ ଖାଇ ସାରି ଆସି ବସିଛି । ବୁଢ଼ୀ ଆସି ପଚାରିଲା–“ହଇରେ ମଦନ ! ଗୋଟାଏ ଧଳା କୁକୁରଛୁଆ ଇୟାଡ଼େ ଆସିଛି କିରେ ?” ବୁଢ଼ୀ କିଏ ନେଇ ଆସିଛି ବୋଲି ଭରସି କହୁ ନଥାଏ । ଓକିଲ ମୁକ୍ତାରଙ୍କ ଘର, କେତେବେଳେ କେଉଁ କଥା । ମଦନ ବୁଢ଼ୀକଥା ଶୁଣି କହିଲା–“ନାହିଁ, ମୁଁ ତ ଦେଖୁନାହିଁ । ମଦନ ବୁଢ଼ୀକୁ ଭଲଭାବେ ଜାଣେ । ବୁଢ଼ୀବି ମଦନକୁ ଭଲକରି ଚିହ୍ନେ । ବୁଢ଼ୀ କିଛି ନକହି ଚାଲିଗଲା ।

 

ମଦନ ଆସି ଏ ଖବର ପଢ଼ାଘରେ ଦି’ଭାଇଙ୍କୁ କହିଲା । ମହାବିପଦ । ବୁଢ଼ୀ ଆଉ କାହାକୁ ପାଇଲାନାହିଁ; ସିଧା ଆସି ମଦନକୁ ପଚାରୁଛି ! ନିଶ୍ଚୟ କୁଆଡ଼ୁ ସୁରାକ ପାଇଛି । ଗୋରା ଚିନ୍ତିତ ହେଲା । ଏହାର ପରିଣତି ଚିନ୍ତା କଲା । ତାରା କିନ୍ତୁ ବେପରବାୟ । ସେ କହିଲା, “ଆମେ କ’ଣ କାହା ଛୁଆ ଆଣିବାକୁ ଯାଇଥିଲୁ । ସେ ତ ବଳେ ବଳେ ପାଇଖାନା କବାଟବାଟେ ଆମ ଘରେ ପଶିଥିଲା । ଆମେ ତାକୁ ବାନ୍ଧିଛୁ । ଆମ ବାରିରେ ସେ ପଶିଲା କାହିଁକି ? ଯାହା ଛୁଆ ସେ ତାକୁ ଜଗାରଖା କଲା ନାହିଁ ?” ଏ କଥାରେ ଗୋରା ଟିକିଏ ବଳ ପାଇଲା । ମଦନାବି କହିଲା, “ସେ ଖାଲି ପଚାରୁଥିଲା ଛୁଆଟା ଇୟାଡ଼େ ଆସିଛି କି ନାହିଁ ? ସେ ତ କହିନାହିଁ ଆମ ଘରେ, ତା’ ଛୁଆ ଅଛି ବୋଲି । ହଉ ଦେଖାଯାଉ କ’ଣ ହେଉଛି ।” ତେବେ ସ୍ଥିର ହେଲା ବୁଢ଼ୀ ଯେବେ ଆସି ବାପାଙ୍କ ପାଖରେ ଫେରାଦି ହୁଏ, ତେବେ ଆମେ ସାଫ୍ ସାଫ୍ କହିଦେବା, “ସେ ଆସି ଆମ ବାରିରେ ପଶିଥିଲା, ଆମେ ବାନ୍ଧିଛୁ । ଆମେ କି ଜାଣୁ କାହାର ଛୁଆ ।” ମଦନା ସାକ୍ଷୀ ଦେବ–ଛୁଆ ଆସି ଖଞ୍ଜାରେ ପଶିଥିଲା ବୋଲି ।

 

ବାପାଙ୍କର ଉଠୁ ଉଠୁ ଡେରିହେଲା । ୟା ଭିତରେ ଦୁଇଭାଇ ଖେଳିବାକୁ ଚାଲିଗଲେ । ବାଁରେଇ ବାଁରେଇ ସଞ୍ଜବେଳକୁ ଫେରିଲାବେଳେ ଦେଖାଗଲା ବୁଢ଼ୀ ଦାଣ୍ଡପିଣ୍ଡା ପାହାଚରେ ବସିଛି । ବାପା ପିଣ୍ଡାରେ ଖଣ୍ଡେ ଚଉକି ଉପରେ ବସିଛନ୍ତି । ଆସୁ ଆସୁ ଦୀନୁବାବୁ ପଚାରିଲେ, “ହଇରେ, ତମେ କୁଆଡ଼େ ମାଉସୀର କୁକୁରଛୁଆ ଆଣିଛ ?” ଉତ୍ତର ଆଗରୁ ପ୍ରସ୍ତୁତ ଥିଲା । ଗୋରା କିଛି କହିବା ଆଗରୁ ତାରା କହିଲା, “ଆମେ କାହିଁକି କାହା ଛୁଆ ଆଣିବୁ ? କାହାର ନାହିଁ କାହାର ଗୋଟାଏ ଛୁଆ ଆମ ରୋଷେଇ ଖଞ୍ଜାରେ କାଲି ସକାଳେ ପଶିଥିଲା । ଆମେ ତାକୁ ବାନ୍ଧିଛୁ । ମଦନା ଜାଣେ ।” ବାପା କହିଲେ, “ସୁଣ୍ଢିର ସାକ୍ଷୀ ମାତାଲ । ଦେଇଦିଅ ତା’ ଛୁଆଟା ତାକୁ ।”

 

ଗୋରା ଏତେବେଳକେ ପଦେ କହିଲା, “ତା’ ଛୁଆ ବୋଲି ଆମେ କେମିତି ଜାଣିବୁ ? ଖାଲି କହିଦେଲା ବୋଲି ଆମେ ତାକୁ ଦେଇଦବୁ ?”

 

ବୁଢ଼ୀ ଦେଖିଲା, ପିଲାଙ୍କ ସଙ୍ଗେ ଗୋଳକଲେ ଭଲ ହେବ ନାହିଁ । ସେ କହିଲା, “ମୁଁ କ’ଣ କହୁଛି ତମେ ଯାଇଁ ମୋ’ଘରୁ ନେଇ ଆସିଛ ବୋଲି ? ସେଇଟା ତୁମ ବାରିରେ ଆସି ପଶିଥିବ । ବାନ୍ଧି ଦେଇଛ । ଭଲ କରିଛ । ହାଣ୍ଡିକୁଣ୍ଡେଇ ମାରା କରିଥାନ୍ତା । ସେଇଟା ଧଳା ଛୁଆଟାଏ । କାନ ଦୁଇଟା କଳା ।”

 

ଦୀନୁବାବୁ ଟିକିଏ ବିରକ୍ତ ହେଲାପରି କହିଲେ–“ଦେଇଦିଅ ସେ ବୁଢ଼ୀର କୁକୁରଛୁଆ । ଗୋଟାଏ ନିଧି ଆଣିଛନ୍ତି । ହେ ମଦନା, ଫିଟେଇଦେ ସେ ଛୁଆକୁ । ଗୋଟାଏ ନବରଙ୍ଗ ଲାଗିଛି ତା’ ସକାଶେ ।”

 

ମଦନା ହୁକୁମ ମୁତାବକ କହିଲା, “ହେ ବୁଢ଼ୀ ସେଇଠି ରହ । ମୁଁ ତୋ ଛୁଆକୁ ଆଣି ଦଉଛି ।”

 

ସେତେବେଳକୁ ଗୋରା ତାରା ସେମାନଙ୍କ ପଢ଼ାଘର ଭିତରକୁ ଗଲେଣି । ଦୁଇ ଭାଇଙ୍କ ପାଟିରେ କଥା ନାହିଁ । ଖାଲି ଦୁହେଁ ଦୁହିଁଙ୍କ ମୁହଁକୁ ଅନଉଛନ୍ତି ।

 

ବୁଢ଼ୀ କୁକୁରଛୁଆକୁ କୋଡ଼ରେ ଜାକି ମହା ଆନନ୍ଦରେ ଘରକୁ ଗଲା ।

 

ପଚିଶ

 

ସେ ବର୍ଷ ଖରା ଭାରି ଟାଣ ହୋଇଥାଏ । ସକାଳୁଆ ସ୍କୁଲ୍‍ କଚେରିରୁ ଫେରି ଆଉ ଖାଇବାକୁ ଇଚ୍ଛା ହୁଏ ନାହିଁ । ଖାଲି ଶୋଷ । ଖାଇ ବସିଲେ ଖାଲି ଝାଳରେ ଲୁଗାପଟା ଓଦା ହୋଇଯାଏ । କଟକରେ ସେତେବେଳେ ବିଜୁଳି ଆଲୁଅ ଆସି ନଥାଏ । ବିଜୁଳି ପଙ୍ଖା କେହି ଦେଖି ନଥା’ନ୍ତି । ସ୍କୁଲ୍‍, କଲେଜ, ବଡ଼ବଡ଼ ବାବୁଘର, ବ୍ୟବସାୟୀ ଗଦି ପ୍ରଭୃତିରେ ଟଣା ପଙ୍ଖାର ବ୍ୟବସ୍ଥା ଥାଏ । ଯାହାହେଉ ଏଥିରେ ବର୍ଷର ଛଅମାସ କେତେ ଛୁଆ ଆଉ ବୁଢ଼ା ପୋଷିହୁଅନ୍ତି । ସେମାନେ ପଙ୍ଖା ଟାଣନ୍ତି । ଖରା କିନ୍ତୁ ଦିନ ୩ଟାବେଳକୁ ଟିକିଏ କମେ; କିନ୍ତୁ ଗରମ ଓ ଗୁଳୁଗୁଳି ସେମିତି ଥାଏ । ବରଂ ବେଶି ଝାଳ ବୁହେ । ପବନ ଏକେବାରେ ବନ୍ଦ ହେଇଯାଏ । ସନ୍ଧ୍ୟା ପୂର୍ବରୁ ଗୁଡ଼ାଏ ବାଦୁଡ଼ି ଉଡ଼ି ଆକାଶଟାକୁ ଛାଇଦିଅନ୍ତି । ଅତି ଗରମ ଯୋଗୁଁ ସେମାନେ ଆଉ ଗଛରେ ଲଟକି ପାରନ୍ତି ନାହିଁ । ଏମାନଙ୍କ ମଧ୍ୟରୁ ଅନେକ ମରିଯାନ୍ତି । କେବେକେବେ ରାସ୍ତାରେ ନାଲି ଧୂଳି ଉଡ଼ାଇ ଗୋଟାଏ ଝଡ଼ ମାଡ଼ିଆସେ । ଝଡ଼ ପଛେ ପଛେ କେବେ କେମିତି ଅସରାଏ ବର୍ଷା ଦଶ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ହେଇଯାଏ । ବର୍ଷା ଛାଡ଼ିଯାଏ । ତା’ ସାଙ୍ଗେ ସାଙ୍ଗେ ପବନ ମଧ୍ୟ ବନ୍ଦ ହେଇଯାଏ । ଦେହର ଝାଳ ସଙ୍ଗେ ଝଡ଼ର ଧୂଳି ମିଶି ବଡ଼ ଅସ୍ୱସ୍ତିକର ଲାଗେ; ନ ଗାଧୋଇଲେ ଚଳେ ନାହିଁ । ଗାଧୋଇ-ପାଧୋଇ ଯେଉଁମାନଙ୍କର ସନ୍ଧ୍ୟାରେ କାମ ନାହିଁ କି ପଢ଼ାପଢ଼ିର ହଙ୍ଗାମ ନାହିଁ, ସେମାନେ ଓଦା ଗାମୁଛା ବା ଖଣ୍ଡେ ସରୁ ଚାଦର ଦେହରେ ପକେଇ ବଜାର ଆଡ଼େ ବା ନଈକୂଳ ଆଡ଼େ ବୁଲି ବାହାରିପଡ଼ନ୍ତି । ରାତି ତ ପୁଣି ଗରମ, ଗୁଳୁଗୁଳି ସାଙ୍ଗକୁ ମଶାଙ୍କ ଦାଉରେ ଶୋଇବା କଷ୍ଟକର । ମଶାରି ଟାଙ୍ଗିବା ନଥିଲେ ଖୋଲା ଜାଗାରେ ଶୋଇଲେ ହେଲେ ଥଣ୍ଡାରେ ଟିକିଏ ନିଦ ଲାଗିଯାନ୍ତା; କିନ୍ତୁ ମଶା ଶୂନ୍ୟେ ଶୂନ୍ୟେ ମଣିଷକୁ ଟେକିନେବେ ଯେମିତି । ଏହିପରି ଭାବରେ ଖରାଦିନଟା କଟକରେ ଭାରି କଷ୍ଟରେ କଟେ ।

 

ଏଇ ଖରାଦିନେ ପଡ଼େ ଚନ୍ଦନଯାତ । ପୁରୀରେ ଏକୋଇଶ ଦିନ ଧରି ଏ ଯାତ ହୁଏ; କିନ୍ତୁ କଟକରେ ହୁଏ ସାତ ଦିନ । ଠାକୁରେ ଚାପରେ ବସି ଖେଳନ୍ତି ମ୍ୟୁନିସିପାଲଟି ପୋଖରୀରେ । ଆଉ ମଧ୍ୟ କଟକରେ ଜାଗାଏ ଦି’ଜାଗାରେ ଚାପ ହୁଏ; କିନ୍ତୁ ନାଟ ହୁଏ ସାତରାତିଯାକ ବିଭିନ୍ନ ଜାଗାରେ । ଦୁର୍ଗାପୂଜା, କାଳୀପୂଜା ପ୍ରଭୃତିପାଇଁ ଯେପରି ବଜାରର ସବୁ ଦୋକାନୀ ବ୍ୟବସାୟୀ ବାସିନ୍ଦାଙ୍କଠାରୁ ଚାନ୍ଦା ଆଦାୟ କରାଯାଏ, ଚନ୍ଦନପାଇଁ ସେହିପରି ଚାନ୍ଦା ଆଦାୟ କରାଯାଏ; କିନ୍ତୁ ଏଥିପାଇଁ ବିଶେଷକରି ବଜାରର ଦୋକାନୀମାନଙ୍କଠାରୁ ଚାନ୍ଦା ଆଦାୟ କରାଯାଏ । ଚାପ ବା ଠାକୁରଙ୍କ ନୀତିରେ ଯାହା ଖର୍ଚ୍ଚ ହୁଏ, ନାଟରେ ତା’ଠାରୁ ବେଶି ଖର୍ଚ୍ଚ ହୁଏ ।

 

ଓଡ଼ିଶାର ସବୁ ନାମଜାଦା ଯାତ୍ରାଦଳକୁ ବହୁ ଆଗରୁ ବହିନା ଦିଆଯାଇଥାଏ । ସେତେବେଳେ ବୈଷ୍ଣବପାଣି ଆଉ ବାଳକୃଷ୍ଣ ମହାନ୍ତିଙ୍କ ଯାତ୍ରାଦଳର ଖୁବ୍‌ ନାମଡ଼ାକ । ଏ ଦୁହେଁ ଲେଖକ, ଗାୟକ, ନିର୍ଦ୍ଦେଶକ ସବୁ । ଚୌଧୁରୀବଜାରର ମ୍ୟୁନିସିପାଲଟି ପଡ଼ିଆ, ଯାହାକୁ ଆଜିକାଲି ଚନ୍ଦନପଡ଼ିଆ କୁହାଯାଉଛି, ସେଠାରେ ଏବଂ ମାରୁଆଡ଼ିପଟି ଓସ୍ତଗଛ ଛକ ପାଖରେ ଭଲ ଯାତ୍ରାଦଳମାନ ଯାତ୍ରା କରନ୍ତି । ବକ୍‍ସିବଜାର ଆଡ଼େ ମଧ୍ୟ ଭଲ ଯାତ୍ରା ହୁଏ । ଏକେ ତ ଖରା ଆଉ ଗରମରେ ରାତିରେ ଘରେ ଶୋଇବା ବଡ଼ କଷ୍ଟକର । ତା’ ଉପରେ ପୁଣି ବୈଷ୍ଣବପାଣି, ବାଳକୃଷ୍ଣ ମହାନ୍ତି ପ୍ରଭୃତିଙ୍କର ବିଖ୍ୟାତ ଯାତ୍ରାଦଳର ଯାତ୍ରା । ତେଣୁ କଟକରେ ସାଧାରଣ ଲୋକଙ୍କୁ ଛାଡ଼ି ବଡ଼ବଡ଼ିଆ ଓକିଲ, ମୁକ୍ତାର, ହାକିମ ପ୍ରଭୃତି ମଧ୍ୟ ବେଳେବେଳେ ଯାତ୍ରା ଦେଖିବାକୁ ଯା’ନ୍ତି । ଯାତ୍ରାଦଳଙ୍କର ରୀତିମତ ଲଢ଼େଇ ହୁଏ । ଯେଉଁ ଯାତ୍ରା ପାଖକୁ ଲୋକ ଉଠି ଅନ୍ୟ ଯାତ୍ରା ପାଖକୁ ଚାଲିଯାଆନ୍ତି, ସେ ଦଳ ହାରିଯାଏ । ଏଇ ହେଲା ହାରଜିତର ପ୍ରମାଣ । ଏଥିପାଇଁ ପାଣିକବି ଓ ମହାନ୍ତିକବି ନିତି ନୂଆ ନୂଆ ଫାର୍ସ୍‍ ଜରିଆରେ ପରସ୍ପର ପରସ୍ପରକୁ ହରେଇବାକୁ ଚେଷ୍ଟା କରନ୍ତି । ଆଜି ମହାନ୍ତିଙ୍କ ଯାତ୍ରାଦଳ ‘ପାଣି-ଧୋବଣୀ’ ଫାର୍ସ୍‍ କଲେଣି ତ କାଲିକୁ ପାଣିଙ୍କ ଯାତ୍ରାଦଳ ‘ନାଟୁଆ ମହାନ୍ତି’ ଫାର୍ସ୍‍ କଲେଣି । ଏହିପରି ଚନ୍ଦନଯାତ ସାତଦିନ ଯାତ୍ରାଯାକ ବଡ଼ ଜମେ । ଚନ୍ଦନଯାତ ସରିଲେ ମଧ୍ୟ ଯାତ୍ରା ହବା ବନ୍ଦ ହୁଏ ନାହିଁ । ସହରର କେଉଁ ସାହିରେ ନା କେଉଁ ସାହିରେ ରଜ ପର୍ଯ୍ୟନ୍ତ ଯାତ୍ରା ଲାଗିରହିଥାଏ ।

 

ଏମିତିକିଆ ଯାତ୍ରା ଦେଖିବାକୁ ଥରେ ଗୋରାଙ୍କ ଗାଁ ସ୍କୁଲ୍‍ ମାଷ୍ଟର ଆସି ଗୋରାଙ୍କ ବସାରେ ପହଞ୍ଚିଲେ । ରାତିରେ ଖାଇସାରି ମଦନକୁ ସାଙ୍ଗରେ ଧରି ଯାତ୍ରା ଦେଖିବାକୁ ସେ ଗଲେ । ପ୍ରଥମେ ମ୍ୟୁନିସିପାଲଟି ପଡ଼ିଆରେ ପହଞ୍ଚିଲେ । ଯାତ୍ରା ଠିକ୍ ଜମିଆସୁଛି । ଦର୍ଶକଙ୍କ ମଧ୍ୟରୁ ଜଣେ ହଠାତ୍ ଉଠିଆସି ତା’ ପାକଲା ଗାମୁଛାକୁ ଖାଲି ଉଡ଼େଇ ‘ବବେଇରେ’, ‘ବବେଇରେ’ ବୋଲି ରଡ଼ି ଛାଡ଼ିଲା । ଯାତ୍ରାର ଭିନ୍ନ ଭିନ୍ନ ସ୍ଥାନରୁ ସାହିବାଲା ଟୋକା କେଇଜଣ ଖିଦ୍‌ଖାଦ୍ ହୋଇ ଚମକି ଆସି ସେ ଲୋକଟାକୁ କୁଣ୍ଢେଇ ଧରିଲେ । ତଥାପି ତା’ ପାଟି ବନ୍ଦ ହେଉନାହିଁ କି ପାକଲା ଗାମୁଛା-ଘୂରା ବନ୍ଦ ହେଉ ନାହିଁ । ଶେଷରେ ସେ ଟୋକାମାନେ ତା’ ମୁହଁରେ ଗୋଟାଏ ଗାମୁଛା ମାଡ଼ି ତାକୁ ଶୂନ୍ୟେ ଶୂନ୍ୟେ ଟେକିନେଲେ ବାହାରକୁ, ନେଇ ପଡ଼ିଆରେ ପକେଇଦେଲେ । ସେତେବେଳକୁ ସେ ଲୋକ ଏକପ୍ରକାର ଅଜ୍ଞାନ; ବିଞ୍ଚା, ଘଷା-ଆଉଁଷା ପରେ କେତେବେଳେ ତା’ର ହୋସ ହେଲା-। ୟାଡ଼େ ଗୋଳମାଳରେ ନାଟ ବନ୍ଦ ହେଇଯାଇଥିଲା । ତାହା ପୁଣି ଚାଲିଲା । ମାଷ୍ଟ୍ରେ ମଦନକୁ ପଚାରିଲେ, “ଲୋକଟା କ’ଣ ‘ବାୟା’ ?” “ବାୟା କାହିଁକି ହବ ? ସେ ପରା ବାଖରାବାଦ ଭଣ୍ଡାରି ସାହିର କୁସୁନିଆ । ନାଟ ତା’ ମନକୁ ପାଇଗଲେ ସେ ଉଠି ଏହିପରି ହୁଏ ।” ଯାହା ନାଟରେ କୁସୁନିଆ ଗାମୁଛା ହଲେଇ ‘ବବେଇରେ’ କରିବ, ସେ ଯାତ୍ରାଦଳ ଜାଣ ସେ ଦିନ ଜିତିଲେ-। କୁସୁନିଆ ନାଟର ଜଣେ ଭାରି ସମଝଦାର । ମାଷ୍ଟ୍ରେ ମଦନଠାରୁ ଏ ତଥ୍ୟ ଶୁଣି ଅବାକ୍ ହେଲେ-

 

ସେଠାରେ ଦୁଇଘଣ୍ଟା ଦେଖିସାରିଲା ପରେ ମାଷ୍ଟ୍ରେ କହିଲେ, “ମଦନ ! କ’ଣ ଏଇଠି ଖାଲି ରାତିଟା କଟାଇବା । ଆଉ ଜାଗାଏ ଦି’ଜାଗା ନ ଦେଖିଲେ କିଏ ଭଲ କିଏ ଖରାପ, ଜାଣିବା କିପରି ?” ମଦନର ଉଠିବାକୁ ଇଚ୍ଛା ନଥିଲା; ତେବେ ମାଷ୍ଟ୍ରଙ୍କ କଥାରେ ଦୁହେଁ ଉଠି ମାରୁଆଡ଼ିପଟି ଆଡ଼େ ଚାଲିଲେ । ସେଠାରେ ମଧ୍ୟ ଯାତ୍ରା ଖୁବ୍ ଚାଲିଛି । ଦୁହେଁ ରାସ୍ତାରେ ପଡ଼ିଥିବା ପାଲ ଉପରେ ବସିଲେ । ଯାତ୍ରା ଖୁବ୍ ଜମିଛି । ସମସ୍ତେ ଯାତ୍ରାଦେଖାରେ ବ୍ୟସ୍ତ । ଏତିକିବେଳେ ଗୋଟାଏ ‘ଆଇଲାରେ ଆଇଲାରେ ଗଲାରେ ଗଲାରେ’ ଶବ୍ଦରେ ଲୋକେ ସବୁ ଧଡ଼ଧାଡ଼ ଛିଡ଼ା ହେଇଗଲେ-। ‘ହୁସିଆର ହୁସିଆର, ଖବରଦାର, ପଳେଇ ଯାଅ’ ଶବ୍ଦରେ କାନଅତଡ଼ା ପଡ଼ିଗଲା-। କିଏ କୁଆଡ଼େ ଛିନ୍‌ଛତ୍ର ହେଇଗଲେ । ଦୁଇଟା ଗଜା ଷଣ୍ଢ ଫୁଜି ପକେଇ ଚୌଧୁରୀ ବଜାର ଛକଆଡ଼ୁ ଆସି ସିଧା ଯାତ୍ରା ମଝିଦେଇ ମୁହୂର୍ତ୍ତକ ମଧ୍ୟରେ ମାରୁଆଡ଼ିପଟି ଆଡ଼େ ପାରହେଇଗଲେ-। ଲୋକେ ନିଜ ଜୀବନ ସମ୍ଭାଳି କିଏ କୁଆଡ଼େ ଛିଟିକି ପଡ଼ିଲେ । ମାଷ୍ଟ୍ରେ ମଦନଠାରୁ ଅଲଗା ହୋଇଯାଇ ଠେଲାପେଲାରେ ରାସ୍ତା କଡ଼ ନର୍ଦ୍ଦମାରେ କିପରି ଯାଇଁ ପଡ଼ିଲେ । ଭାଗ୍ୟେ ଖଣ୍ଡିଆ-ଖାବରା କିଛି ହେଇନାହାନ୍ତି; କିନ୍ତୁ ନର୍ଦ୍ଦମା ପଙ୍କରେ ଗୋଟିଯାକ ଜୁଡ଼ୁବୁଡ଼ୁ ହେଇଗଲେ । ସେ ଏକା ନୁହନ୍ତି, ଅନେକ ଏପରି ଅବସ୍ଥାରେ ପଡ଼ିଗଲେ । ମାଷ୍ଟ୍ରଙ୍କ ଯାତ୍ରାଦେଖା ହେଇଗଲା । କିଛି ସମୟ ଯାଏଁ ରାସ୍ତା କୁଆଡ଼େ ସେ ଠଉରେଇ ପାରିଲେ ନାହିଁ । ଏକେ ତ ମଫସଲିଆ ଲୋକ, ତା’ ଉପରେ ଅଚାନକ ଏ ବିପତ୍ତି । ମାଷ୍ଟ୍ରଙ୍କ ମୁଣ୍ଡ ବୁଲେଇଦେଲା । ଅଳ୍ପେ ବହୁତେ ସମସ୍ତେ ଆତଙ୍କିତ-। ଆଲୁଅ ଜଳୁଛି । ନାଟବାଲା ଛିନ୍ନଛତ୍ର । ହାରମନିଆ, ପଖୋଜ, କ୍ଳାରିଓନେଟ୍ ଏଠିସେଠି ପଡ଼ିଛି-। ବାୟକ କେହି ନାହାନ୍ତି । ତବଲାଟାରେ ଷଣ୍ଢ ଖୁରା ପଶିଯାଇଛି କି କ’ଣ, ସେଇଟା ବୋଧହୁଏ ତା’ ଖୁରାରେ ଖଣ୍ଡେବାଟ ଘୁଷୁଡ଼ି ଯାଇ ଫାଟି ଆଁ କରି ପଡ଼ିଛି । ମାଷ୍ଟ୍ରେ ଆଉ ଅନେଇ ପାରିଲେ ନାହିଁ-। ଜାଉଁଳିଆପଟି ଭିତରଦେଇ ଆସି ବସାରେ ପହଞ୍ଚିଲେ । ଖରାଦିନ ରାତି । ସେତେବେଳକୁ ଭୋର ହେବାକୁ ବସିଲାଣି । ବସା ଦୁଆରମୁହଁରେ ଆସି ଦେଖନ୍ତି ତ ମଦନ ଦାଣ୍ଡ ପାହାଚ ଉପରେ ବସି ଗାମୁଛାରେ ଖାଲି ବିଞ୍ଚିହେଇ ପଡ଼ୁଛି । ମୁହଁ-ଅନ୍ଧାରରେ ମାଷ୍ଟ୍ରଙ୍କ ରୂପ ଦେଖି ସେ ହସିବ କି କାନ୍ଦିବ ଠିକ୍ କରି ପାରୁ ନଥାଏ । ଏତିକିବେଳେ ମାଷ୍ଟ୍ରଙ୍କ ପାଟିରୁ ବାହାରିଲା, “ବଜାରୀ ବଗୁଲିଆଗୁଡ଼ାକ; କାନ ନାକ ମୋଡ଼ି ହେଉଛି, ଆଉ ଜୀବନରେ କଟକ ନାଟ ଦେଖି ଆସିବି ନାହିଁ ।”

 

ମଦନ ରୋଷେଇଘର ଚାବି ଫିଟେଇ ତେଲ ବୋତଲଟା ବାହାରକଲା । ଦୁହେଁ ସିଧା ନଈକୂଳକୁ ଗଲେ । ସକାଳ ନ ହେଉଣୁ ଲୁଗାପଟା ଧୁଆଧୋଇ କରି ଗାଧୋଇ ଫେରିବାକୁ ହେବ-। ମାଷ୍ଟ୍ରଙ୍କର ଏ ଦୁର୍ଦ୍ଦଶା କେବଳ ମଦନ ଛଡ଼ା ଆଉ କେହି ଜାଣିଲେ ନାହିଁ । ଦୀନୁବାବୁ, ଗୋରା ପ୍ରଭୃତି ଉଠିବା ପୂର୍ବରୁ ମାଷ୍ଟ୍ରେ ଓଦା ଲୁଗା, ଗାମୁଛା କାନ୍ଧରେ ପକାଇ ଚଦର ଖଣ୍ଡିକ ପିନ୍ଧି ସିଧା ଗାଁମୁହାଁ ହେଲେ । କହିଗଲେ, “ସକାଳୁଆ ସ୍କୁଲ୍‍, ସହଳ ପହଞ୍ଚିବାକୁ ହେବ ।”

 

ଛବିଶ

 

ସମୟ ଗଡ଼ିଚାଲିଥାଏ । ଏ ବର୍ଷ ଗୋରାର ଏକାଦଶ ଶ୍ରେଣୀ । ତେଣୁ ଦୀନୁବାବୁ ଗ୍ରୀଷ୍ମ, ଦଶହରା ପ୍ରଭୃତି ଛୁଟିମାନଙ୍କରେ ଗୋରାକୁ ଗାଁକୁ ଛାଡ଼ୁ ନଥାନ୍ତି । ତାରା ମଧ୍ୟ ମାଇନର୍‍ ପାସ୍‍ କରିବ ସେଇ ବର୍ଷ । ତା’ର କିନ୍ତୁ ସେହି ସ୍କୁଲ୍‍-ପରୀକ୍ଷା ପରି, ପରୀକ୍ଷା ହୋଇ ଅଷ୍ଟମ ଶ୍ରେଣୀକୁ କେବଳ ପ୍ରମୋସନ୍‍ ଦିଆଯିବ । ଗୋରା ସବୁବେଳେ ତାରାକୁ ଡରାଉଥାଏ । ଅଷ୍ଟମ ଶ୍ରେଣୀ ହେଲେ ସବୁ ଇଂରାଜୀରେ ପଢ଼ାଯିବ, ମାଷ୍ଟରମାନେ ସବୁ ଇଂରେଜୀରେ କଥା କହିବେ; ପିଲାଏ ମଧ୍ୟ ଇଂରାଜୀରେ ଉତ୍ତର ଦେବେ–କ୍ଲାସ୍‍ରେ, ପରୀକ୍ଷା ଖାତାରେ ମଧ୍ୟ । ପୁଣି ସଂସ୍କୃତ ପଢ଼ାଯିବ । ଭାଇଠାରୁ ଏ ସବୁ ଶୁଣି ତାରା ଟିକିଏ ଦବିଯାଏ; କିନ୍ତୁ ସେ ବେପରବାୟ ପିଲା–‘ହଉ ଦେଖାଯିବ’ କହି ଚୁପ୍ ରହେ ।

 

ଟିଉସନ୍‍ ମାଷ୍ଟର ରଖିବାକୁ ଦୀନୁବାବୁ ମୋଟେ ପସନ୍ଦ କରନ୍ତି ନାହିଁ । ତଳ କ୍ଲାସ୍‍ରୁ ପିଲାମାନଙ୍କର ସେ ଅଭ୍ୟାସ ସେ କରେଇନାହାନ୍ତି । ସେତେବେଳେ ମଧ୍ୟ ଟିଉସନ୍ ମାଷ୍ଟର ରଖିବା ଏତେ ଚଳନି ନଥାଏ । ମାଟ୍ରିକ ପିଲାଙ୍କପାଇଁ ସ୍କୁଲ୍‍ରେ ସ୍ଵତନ୍ତ୍ର କ୍ଲାସ୍‍ କରାଯାଇ ସାହାଯ୍ୟ କରାଯାଏ-। ପାଟଣା ବିଶ୍ୱବିଦ୍ୟାଳୟ ପରୀକ୍ଷା କରନ୍ତି । ପ୍ରଶ୍ନପତ୍ର ପ୍ରଭୃତି ପାଟଣାରୁ ଆସେ । ସେତେବେଳେ ସାରା ଓଡ଼ିଶାରେ କୋଡ଼ିଏ, ପଚିଶଟା ସ୍କୁଲ୍‍ ଥିବ କି ନାହିଁ । ମାଟ୍ରିକ୍ ପରୀକ୍ଷାକୁ ସେତେବେଳେ ଭାରି ଡର । ମାଟ୍ରିକ୍ ପାସ୍‍କଲା ଲୋକଙ୍କର ମଧ୍ୟ ଖାତିର ଖୁବ୍ । ସାରା ଓଡ଼ିଶାରୁ ପାଞ୍ଚଶ ସାତଶ ପିଲା ପରୀକ୍ଷା ଦିଅନ୍ତି । ଓଡ଼ିଶାର ଜିଲା ସେତେବେଳେ ପାଞ୍ଚୋଟି । ପ୍ରତି ଜିଲା ସଦର ମହକୁମାରେ ଗୋଟିଏ ଗୋଟିଏ ସରକାରୀ ସ୍କୁଲ୍‍ ଥାଏ । ସେଗୁଡ଼ିକୁ ଜିଲାସ୍କୁଲ୍‍ କୁହାଯାଏ-। ସେହିଠାରେ ପରୀକ୍ଷା କେନ୍ଦ୍ରମାନ ହୁଏ । ଜିଲାର ସବୁ ହାଇସ୍କୁଲ୍‍ର ପରୀକ୍ଷାର୍ଥୀମାନେ ଏହିଠାରେ ପରୀକ୍ଷା ଦିଅନ୍ତି ।

 

ଫେବୃୟାରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ସରିଲା । ମୋଟେ ଚାରି ଦିନରେ ପରୀକ୍ଷା ଶେଷ । ପରୀକ୍ଷା ଚାରିଦିନଯାକ ଗୋଟାଏବେଳେ ନାନୁବାବୁ ଗୋରାପାଇଁ ଜଳଖିଆ ନେଇ କଲେଜିଏଟ୍ ସ୍କୁଲ୍‍ ହତାରେ ଦିଅନ୍ତି । ଅନ୍ୟ ଦିନ ହେଇଥିଲେ ରଙ୍ଗିଆ ଦୋକାନର ରସଗୋଲା, ରସାବଳୀରୁ ଗୋରା ଖୁବ୍ ଆଗ୍ରହରେ ଖାଇଥାନ୍ତା; କିନ୍ତୁ ପରୀକ୍ଷାବେଳେ କାହିଁକି ଗୋରାର ସେସବୁର ସଦ୍‌ବ୍ୟବହାର କରିବାର ଉତ୍ସାହ ଦେଖାଗଲାନାହିଁ । ପରୀକ୍ଷାରେ ଗୋରା ଭଲ କରିଥିଲା । ଭଲଭାବରେ ପାସ୍‍ କରିବ, ଏଥିରେ କିଛି ସନ୍ଦେହ ନଥାଏ । ପାସ୍‍ କରି ରେଭେନ୍‌ସା କଲେଜରେ ସେ ନାଁ ଲେଖେଇବ । ତେଣୁ ଏ ଦୁଇ ତିନିମାସରେ ତାକୁ ସାଇକେଲ ଶିଖିନେବାକୁ ହେବ । ନାନୁବାବୁଙ୍କର ଗୋଟାଏ ସାଇକେଲ ଥାଏ । ଗତ ପାଞ୍ଚବର୍ଷ ହେଲା ସେ ସାଇକେଲ କଲେଣି; କିନ୍ତୁ ସେ ସେଥିରେ ଚଢ଼ନ୍ତି ଖୁବ୍ କମ୍ । ସମୀର ମିଆଁ ବୋଲି ବାଖରାବାଦର ଗୋଟିଏ ମୁସଲମାନ ଟୋକା କିଲଟରି କଚେରିରେ ଚପରାସି । ନାନୁବାବୁଙ୍କୁ ସେ ପ୍ରାୟ ବର୍ଷେ ଖଣ୍ଡେ ଲାଗି ସାଇକେଲଚଢ଼ା ଶିଖେଇଛି; ତଥାପି ସେ ଭଲଭାବରେ ସାଇକେଲ ଚଢ଼ିଶିଖି ନଥାନ୍ତି । ଶନିବାର ଦିନ ନାନୁବାବୁଙ୍କର ଗାଁକୁ ଯିବାକଥା । ସେ କିନ୍ତୁ ଏକା ସାଇକେଲ ନେଇ ଆଠଦଶ ମାଇଲ ଦୂର ଗାଁକୁ ଯିବାର ସାହସ କରନ୍ତି ନାହିଁ । ସମୀର ମିଆଁ ତାଙ୍କର ବାହନ । ସେ ନାନୁବାବୁଙ୍କୁ ଆଗରେ ହେଉ ବା ପଛରେ ହେଉ ବସାଇ ଗାଁକୁ ନିଏ । ରବିବାରଟା ଗାଁରେ ରହି ସମୀର ଫୂର୍ତ୍ତିକରେ; ପୁଣି ସୋମବାର ସକାଳୁ ନାନୁବାବୁଙ୍କୁ ବସେଇ କଟକ ଆଣେ । ଏହି ହେଲା ନାନୁବାବୁଙ୍କର ସାଇକେଲଚଢ଼ାର କୃତିତ୍ଵ ଗତ ପାଞ୍ଚବର୍ଷ ଭିତରେ । ସାଇକେଲ ଚଢ଼ିବା ସେତେବେଳେ ଗୋଟାଏ ସାଧାରଣ କଥା ନଥାଏ । ଶୁଣାଯାଏ ରେଭେନ୍‌ସା କଲେଜର ସେତେବେଳର ଜଣେ ତରୁଣ ଅଧ୍ୟାପକ ବହୁ କଷ୍ଟ ସ୍ୱୀକାର କରି ସାଇକେଲଚଢ଼ା ଶଖି, ଥରେ କଲେଜକୁ ସାଇକେଲରେ ଯାଉଁ ଯାଉଁ ରାଣୀହାଟ ପୋଲ ପାଖରେ ଏକବଳଦିଆ ବଳଦଗାଡ଼ିର ବଳଦ ହୁରୁଡ଼ିଯିବାରୁ ପଡ଼ିଗଲେ । ସେହିଦିନଠାରୁ ସେ ସାଇକେଲକୁ ‘ସଇତାନ-ଚକ୍ରୀ’ ବୋଲି ଆଖ୍ୟା ଦେଇ ସାଇକେଲଚଢ଼ା ଛାଡ଼ିଦେଲେ । ତେଣୁ ସାଇକେଲ ଚଢ଼ିବା ସହଜ କଥା ନୁହେଁ । ପୁଣି ଷୋଳ ସତରବର୍ଷର ପିଲା ଗୋରା କିପରି ସାଇକେଲ ଚଳାଇ ଗାଡ଼ି, ଘୋଡ଼ା, ଭିଡ଼ ଭିତରେ ବାଖରାବାଦରୁ ରେଭେନ୍‌ସା କଲେଜକୁ ଯିବ, ଏକଥା ଦୀନୁବାବୁ ଧାରଣା କରି ପାରୁ ନଥାନ୍ତି; କିନ୍ତୁ ନାନୁବାବୁଙ୍କ ପରି ସାଇକେଲଚଢ଼ାଳିଙ୍କ ଖୁବ୍ ଆଗ୍ରହ ଯୋଗୁଁ ଗୋରାର ସାଇକେଲଚଢ଼ା ଶିଖିବାର ବ୍ୟବସ୍ଥା ହେଲା । ଏଥର ସମୀର ମିଆଁ ସାଇକେଲ ନ ଶିଖେଇ ମନୁଆ ବୋଲି ବସ୍ତିର ଗୋଟାଏ ଟୋକାକୁ ଏଥିପାଇଁ ବନ୍ଦୋବସ୍ତ କରାଗଲା । ସକାଳୁ ମନୁଆ ଆସିବ । ନାନୁବାବୁଙ୍କ ସାଇକେଲ ନେଇ ଗୋରା ଓ ସେ ସନ୍‍ସାଇନ୍‌ ପଡ଼ିଆକୁ ଯିବେ । ଖରା ଟାଣ ହେବାପର୍ଯ୍ୟନ୍ତ ମନୁଆ ଗୋରାକୁ ସାଇକେଲ ଶିଖେଇବ । ଗୋରାର ସାଇକେଲଶିଖା ଏକ ଦେଖିବାର କଥା । ସକାଳୁ ସାହିର ଅନ୍ୟାନ୍ୟ ପିଲାମାନେ ମଧ୍ୟ ସେ ସାଇକେଲଶିଖା ଦେଖିବାପାଇଁ ଆସି ପଡ଼ିଆରେ ରୁଣ୍ଡ ହୁଅନ୍ତି । ଫୁଟପିନ୍‌ରେ ଗୋଡ଼ ଦେଇ ସାଇକେଲର ହାଣ୍ଡେଲକୁ ଧରି ଢିଙ୍କି କୁଟିଲା ପରି ସେ ଯେଉଁ ଡିଆଁ, ତାକୁ ଯେ ଦେଖିବ, ସେ ସାଇକେଲ ଚଢ଼ିବାକୁ କେବେହେଲେ ଭରସା କରିବ ନାହିଁ । ତେବେ ଯାହାହଉ ଗୋରାର ଅଦମ୍ୟ ଚେଷ୍ଟା ଓ ଅଧ୍ୟବସାୟ ଫଳରେ ଆଠଦିନ ମଧ୍ୟରେ ତା’ର ପଡ଼ିଆରେ ସାଇକେଲ ଚଢ଼ିବା ଅଭ୍ୟାସ ହୋଇଗଲା । ନାନୁବାବୁ ତ ଦିନ୍‌ ଯାଇଁ ଦେଖନ୍ତି । ଦୀନୁବାବୁ ମଧ୍ୟ ସୁବିଧା ଦେଖି ଦୁଇଥର ଗୋରାର ସାଇକେଲଚଢ଼ା ଦେଖିଆସିଲେଣି । ଗୋରାର ଆଣ୍ଠୁଗଣ୍ଠି ଯେ ସାମାନ୍ୟ ଖଣ୍ଡିଆ-ଖାବରା ନ ହୋଇଥାଏ, ଏକଥା ନୁହେଁ । ତଥାପି ସାଇକେଲଶିଖା ହୋଇଗଲା । ଏଣିକି ମନୁଆ ଗୋଟାଏ ସାଇକେଲରେ ଓ ଗୋରା ଗୋଟାଏ ସାଇକେଲରେ ଚଢ଼ି ନଈ କୂଳେ କୂଳେ ଖାନ୍‌ନଗର ପର୍ଯ୍ୟନ୍ତ ଯାଇ ଫେରିଆସିଲେଣି । ମନୁଆକୁ ସାଙ୍ଗରେ ନନେଇ ଗୋରା ଦିପହରେ ଏକାଏକା ସାଇକେଲ ନେଇ କେତେଆଡ଼େ ବୁଲିଆସିଲାଣି । ଯାହାହଉ ‘ସଇତାନ-ଚକ୍ରୀ’ ଆୟତ୍ତକୁ ଆସିଲା–ଖାଲି ବାକି ରହିଲା ମାଟ୍ରିକ ଫଳ ବାହାରିଲେ ନୂଆ ସାଇକେଲ କିଣାହେବ ।

 

ଯଥାସମୟରେ ମାଟ୍ରିକ‌ ଫଳ ବାହାରିଲା । ଗୋରା ପ୍ରଥମ ଶ୍ରେଣୀରେ ପାସ୍‍କଲା, କିନ୍ତୁ ବୃତ୍ତି ପାଇପାରିଲା ନାହିଁ । ଯାହାହଉ ସେ ସମୟରେ ମାଟ୍ରିକ ପାସ୍‍ କରିବା ତ କେତେ ବଡ଼କଥା; ତା’ ଉପରେ ପୁଣି ପ୍ରଥମ ଶ୍ରେଣୀରେ ! ଦୀନୁବାବୁ ମନେମନେ ଭାରି ଖୁସି ହେଲେ; କିନ୍ତୁ ସେ ଗମ୍ଭୀର-ପ୍ରକୃତିର ଲୋକ ଥିବାରୁ କିଛି ମନ୍ତବ୍ୟ କଲେ ନାହିଁ । ଗାଁରେ ଜେଜେ ସତ୍ୟନାରାୟଣ ପୂଜା ମାନସିକ କରିଥିଲେ । ମହାଜାକଜମକରେ ସତ୍ୟନାରାୟଣପୂଜା ହେଲା । ଗୋରାର ନୂଆ ସାଇକେଲ କିଣାହେଲା । ନାନୁବାବୁଙ୍କ ସଙ୍ଗେ ସେ ନୂଆ ସାଇକେଲ ନେଇ ଗାଁକୁ ଆସିଲା । ସେ ବି ଗୋଟାଏ ଦର୍ଶନୀୟ ଜିନିଷ; ବିଶେଷକରି ଗୋରାର ଗାଁ ସାଙ୍ଗମାନଙ୍କ ପକ୍ଷରେ । ସତ୍ୟନାରାୟଣପୂଜାକୁ ତାରା ଓ ଦୀନୁବାବୁ ମଧ୍ୟ ଆସିଥିଲେ । ଗୋରାର ବର୍ତ୍ତମାନ ଛୁଟି । ତେଣୁ ସେ ଗାଁରେ ରହିଲା । ତାରା ଦୁଇଦିନ ଗାଁରେ ରହି ଭାଇକୁ ଛାଡ଼ି ବଡ଼ ମନଦୁଃଖରେ କଟକ ଗଲା ।

 

ଗୋରାକୁ ଓ ତା’ର ନୂଆ ସାଇକେଲକୁ ନେଇ ଗୋରାର ଗାଁ ସାଙ୍ଗମାନେ ବଡ଼ ମାତିଉଠିଲେ । ଗୋରା ମାଟ୍ରିକ ପାସ୍ କରିଛି । ଦୀନୁବାବୁଙ୍କ ପରେ ସେ ହେଲା ଗାଁର ଦ୍ଵିତୀୟ ମାଟ୍ରିକ ପାସ୍‍କରା ଲୋକ । ଗୋବିନ୍ଦପୁର କାହିଁକି, ପାଖଆଖ କେତେଖଣ୍ଡ ଗାଁରେ ଗୋରାର ନାଁ ବାଜିଗଲା । ପୁଣି ଷୋଳ ସତରବର୍ଷରେ ମାଟ୍ରିକ ପାସ୍‍ । ଗୋରାଠାରୁ ବୟସରେ ବଡ଼ପିଲା କୋଡ଼ିଏ ଏକୋଇଶବର୍ଷ ହେଲା ମାଇନର୍‍ ପାସ୍‍ ହେଇ ନାହିଁ ଆଜିଯାକେ । ମୂର୍ଖ ମୂଲିଆ ଲୋକେ କହିଲେ–ଯେତେହେଲେ ‘ଚାଟ ଘର ପିଲା ଚାଟ’ ‘ଭାଟ ଘର ପିଲା ଭାଟ’ । କିନ୍ତୁ ଗୋରାର ଏ ପାଶରେ ନୂଆ ବଡ଼ଲୋକ ହେଇଥିବା ଜଣେ ପଡ଼ିଶା ଖୁସି ହେଇପାରିଲେ ନାହିଁ । ସେ କଲିକତାରେ କ’ଣ ବ୍ୟବସାୟ କରି ବହୁ ପଇସା ଉପାର୍ଜନ କରି ଏହି ଅଳ୍ପ ଦିନ ମଧ୍ୟରେ ଗାଁରେ କୋଠା କରିଛନ୍ତି । ଗାଁ ଆଖପାଖର ଛୋଟ ଛୋଟ ମକଦମି ଜମିଦାରୀ ମଧ୍ୟ ୟା ମଧ୍ୟରେ ଦୁଇ ଚାରିଟା କିଣିଲେଣି । ପୁଅ ତାଙ୍କର କଲିକତାରେ ରହି ପଢ଼ୁଥିଲେ । ସେ ବଡ଼ ସାଧ୍ୟ-ସାଧନା କରି ମଧ୍ୟ କଲିକତାରୁ ମାଟ୍ରିକ ଖଣ୍ଡକ ପାସ୍‍ କରିପାରିଲା ନାହିଁ । ସେଥିରେ କିଛି ଯାଏଁ ଆସେ ନାହିଁ । ବାପା ତାଙ୍କର ଅତି ଗେହ୍ଲାରେ ବଙ୍ଗାଳିଆ ନାଁ ଦେଇଥିଲେ ‘ସନ୍ତୋଷ’ ବୋଲି । ସେତେବେଳେ ଓଡ଼ିଶାରେ ରାମ, ହରି, ଗୋବିନ୍ଦ, ଗୋପାଳ ଛଡ଼ା ନରେଶ, ପରେଶ, ଯୋଗେଶ ପ୍ରଭୃତି ବଙ୍ଗାଳିଆ ନାଁର ପ୍ରଚଳନ ହୋଇ ନଥାଏ । ସନ୍ତୋଷବାବୁଙ୍କର ଗାଁରେ ବଡ଼ ଖାତିର । ମାଟ୍ରିକ ପାସ୍ ନକଲେ କ’ଣ ହେବ, କଥା-କଥାକେ ଇଂରେଜୀ ତାଙ୍କ ମୁହଁରୁ ବାହାରିପଡ଼େ । ଚାଲିଚଳନ ଲୁଗାପିନ୍ଧା ସବୁ ବଙ୍ଗାଳିଆ । ସାତବର୍ଷ ଦିନୁ କୋଡ଼ିଏବର୍ଷ ଯାଏଁ ସେ କଲିକତାରେ ବଢ଼ିଆସିଛନ୍ତି । ଦଶହରାରେ ଗାଁକୁ ଆସନ୍ତି; ସିଏ ଦଶହରା ନକହି ପୂଜା କହନ୍ତି । ତେଇଁକି ଆମର ଇୟାଡ଼େ ସହସ୍ରପୂଜା, ପ୍ରତିଦିନ ପୂଜା, କଲିକତାରେ କ’ଣ ଏତେ ପୂଜା ନାଇଁ ? ଦୁର୍ଗାପୂଜା କ’ଣ ଏକମାତ୍ର ପୂଜା ।

 

ଲୋକମୁହଁରେ ଗୋରାର ପ୍ରଶଂସା ଶୁଣି ସନ୍ତୋଷବାବୁ କିନ୍ତୁ ସନ୍ତୁଷ୍ଟ ନୁହନ୍ତି । ଏଡ଼େ ଛୋଟପିଲା ମାଟ୍ରିକ ପାସ୍ କରିଛି ବୋଲି କେହି ତାଙ୍କ ଆଗରେ କହିଲେ, ସେ କହନ୍ତି ‘‘କଲିକତାରେ ଏଇ ବୟସରେ ପିଲା ବି. ଏ., ଏମ୍. ଏ. ପାସ୍ କରୁଛନ୍ତି । ଘରେ ଘରେ ବି. ଏ., ଏମ୍. ଏ. ପାସ୍‍କରା ଲୋକ । ମାଟ୍ରିକକୁ ପଚାରେ କିଏ ? ଗାଁ ଲୋକଙ୍କର ବି. ଏ., ଏମ୍ ଏ. ପାସ୍‍ କରି ବା ମାଟ୍ରିକ ପାସ୍‍ ଏ ସମ୍ବନ୍ଧରେ ଖୁବ୍ କମ୍ ଜ୍ଞାନ ଥାଏ । ତେଣୁ ସେ ସନ୍ତୋଷବାବୁଙ୍କ କଥାରେ ବିଶେଷ ପ୍ରତିବାଦ କରନ୍ତିନାହିଁ । ‘ହଁ, ହେଇଥିବ’ କହି ଚୁପ୍ ରହନ୍ତି ।

 

ଗୋରା ନିଜେ ମଧ୍ୟ ବୁଝେନାହିଁ ଯେ ମାଟ୍ରିକ ପାସ୍‍ କରି ସେ ଗୋଟାଏ ମସ୍ତବଡ଼ କାମ କରିଛି ବୋଲି । କାହିଁ, ତା’ର ତ କିଛି ପରିବର୍ତ୍ତନ ହେଇନାହିଁ । କେବଳ ଯାହା ଗୋଟିଏ ନୂଆ ସାଇକେଲ କିଣାହେଇଛି ଓ ସେ ସାଇକେଲ ଚଢ଼ିଶିଖି ସାଇକେଲରେ ଗାଁକୁ ଆସିଛି । ଗୋରା ଜେଲରୁ ଖଲାସ ହେଲା ଦିନଠୁ ଦୀନୁବାବୁ, ନାନୁବାବୁ, ଗୋରା ସମସ୍ତେ ଖଦଡ଼ ପିନ୍ଧନ୍ତି । ତେଣୁ ଗୋରାର ପୋଷାକପତ୍ରରେ ମଧ୍ୟ ସେହିପରି ଚାକଚକ୍ୟ ନଥାଏ । ଆଗେ କେତେ ଦିନ ତ ଆଣ୍ଠୁ ପର୍ଯ୍ୟନ୍ତ ଖଣ୍ଡେ ଖଦଡ଼ ଲୁଗା ଓ ଖଣ୍ଡେ ଚାଦର ପକାଉଥିଲା । ଜେଲରୁ ଫେରି ହାଫ୍‌ଫ୍ୟାଣ୍ଟପିନ୍ଧା ଛାଡ଼ିଛି । ଜୋତାମଡ଼ା ମଧ୍ୟ ଛାଡ଼ିଛି । ତେବେ ବାପ ଦାଦାଙ୍କ ବହୁ କୁହାବୋଲା ପରେ ଏଣିକି ଏଣିକି ଖଦଡ଼ର ଖଣ୍ଡେ ଖଣ୍ଡେ ହାଫ୍ ସାର୍ଟ୍ ପିନ୍ଧୁଛି ଓ ଛ’-ଅଣିଆ ଚଟିହଳେ ମାଡ଼ୁଛି । ଏଇ ଖଦଡ଼ ପିନ୍ଧା ସକାଶେ ଦୀନୁବାବୁଙ୍କ ଉପରେ ସରକାରୀ ଲୋକ ଓ ପୁଲିସବାଲାଙ୍କର ଭାରି ରାଗ । କିନ୍ତୁ କିଏ ତାଙ୍କର କ’ଣ କରିବ । ସେ ତ ସରକାରୀ ଚାକିରି କରିନାହାନ୍ତି ଯେ ଚାକିରି ଛଡ଼େଇ ନେବେ; ଆଉ ଜେଲକୁ ନେବେ । ଚଉଦ ବରଷର ସୁକୁମାର ପିଲାକୁ ଯେତେବେଳେ ଜେଲ ଦେଇ ଛାଡ଼ିଛ, ତା’ର ବାପା ଦାଦାଙ୍କର କ’ଣ ଆଉ ଜେଲ ଯିବାକୁ ଡର ଅଛି । ପୁଅବି ସରକାରୀ ଚାକିରି କଲେ କରିବ, ନକଲେ ନାହିଁ ।

 

ସେହିବର୍ଷ ଖରାଦିନ । ଗୋରା କଲେଜରେ ନାଁ ଲେଖେଇ ନଥାଏ । କଟକରେ କିଛି କୁଆଡ଼େ ନଥାଏ, ଘରେ ନିଆଁ ଲାଗିଯାଏ । ସେତେବେଳେ କଟକରେ ଆଜିକାଲିକା ପରି ଏତେ କୋଠାଘର ନଥାଏ । ଧାଡ଼ି ଧାଡ଼ି ହୋଇ ଚାଳକୁ ଚାଳ ଲାଗି ସାହାଲା ସାହାଲା ଖାଲି ଚାଳଘର ରାସ୍ତାର ଦୁଇପାଖରେ । ଗୋଟାଏ ଘରେ ନିଆଁ ଲାଗିଲେ ଅନଉଁ ଅନଉଁ କୋଡ଼ିଏ ପଚିଶ ବଖରା ଘର ଜଳି ପାଉଁଶ ହୋଇଯାଏ । ଏଣିକି ନିଆଁ ଲାଗିବାର ଦେଖିଲେ ନିଆଁ ଯେପରି ବ୍ୟାପି ନଯିବ ସେଥିପାଇଁ ସାହି ଟୋକାଏ ଦଳ ବାନ୍ଧି ପାଖପଡ଼ିଶାଙ୍କ ଚାଳ ଓଲାରିପକାନ୍ତି । କଟକରେ ଦମକଳ ନଥାଏ ସେତେବେଳେ । ପାଣିକଳବି ହୋଇ ନଥାଏ । ଖରାଦିନେ ପୋଖରୀ ସବୁ ଶୁଖିଲା । କୂଅ ଯେ, ପୁଣି ପଚାଶ ହାତ ତଳେ ପାଣି । ଶୋଷ କରୁଥିଲେ ସୁଦ୍ଧା ନୋଟାଏ ପାଣି କୂଅରୁ କାଢ଼ିଆଣି ପିଇଲାବେଳକୁ ହୁଏତ ପ୍ରାଣ ଛାଡ଼ିଯାଇଥିବ । ଏ ଅବସ୍ଥାରେ ନିଆଁ ଲିଭେଇବାକୁ ପାଣି ମିଳୁଛି କୁଆଡ଼ୁ ? ପୁଣି ନିଆଁ...ସେ ତ ନିଆଁ ପରି ନୁହେଁ । ଦିନକୁ କଟକ ସହରର ପାଞ୍ଚ ସାତ ଜାଗାରେ ନିଆଁ ଲାଗି ଜଳିଯାଉଥାଏ । ରାତିରେ ଲୋକେ ଶୋଇବାବେଳେ ଘରେ ନିଆଁ ଲାଗିଯାଏ । କେମିତି ଯେ ନିଆଁ ଲାଗେ, କେହି ଜାଣିପାରନ୍ତି ନାହିଁ । ଲୋକେ କହନ୍ତି, ଏ ବର୍ଷ କୁଆଡ଼େ ହନୁମନ୍ତ ଲାଙ୍ଗୁଡ଼ରେ ନିଆଁ, ମା’ ହିଙ୍ଗୁଳେଈ ଭାରି ରାଗ । କଳିଯୁଗ ଆସି ଶେଷହବାକୁ ବସିଲା...ଏ ପାପ ଏ ଅନ୍ୟାୟ ଅଧର୍ମ କେତେ ଆଉ ସହିହେବ । ପାଣିରେ ବୁଡ଼ି ସିନା ପ୍ରଳୟ ହେଉଥିଲା, ଏଣିକି ନିଆଁରେ ପୋଡ଼ି ପୃଥ୍ଵୀ ଧ୍ୱଂସ ପାଇଯିବ । ଏମିତି ବୁଢ଼ାବୁଢ଼ୀ ଜାଣିବା ଶୁଣିବା ଲୋକଙ୍କର କେତେ ଗୂଢ଼ତତ୍ତ୍ଵର ବୟାନ ।

 

କିନ୍ତୁ ଆଉ କେତେ ଲୋକ ଅନ୍ୟକଥା କହିଲେ । ସେମାନେ କହିଲେ, ଏ ଯେଉଁ ଗାନ୍ଧି-ଆନ୍ଦୋଳନ, ତାକୁ ଦବେଇବା ପାଇଁ ପୁଲିସବାଲାଏ ଘରେ ନିଆଁ ଲଗେଇ ଦଉଛନ୍ତି; ନହେଲେ କିଛି କୁଆଡ଼ୁ ନାହିଁ, ଅନହୁତି ସକାଳେ ଦିପହରେ ସଞ୍ଜେ ରାତିରେ ସବୁ ସମୟରେ ନିଆଁ ଲାଗିଯାଉଛି ! ପୁଣି ଦିନଭିତରେ କଟକ ସହରର ଭିନ୍ନ ଭିନ୍ନ ବଜାରରେ ଘରପୋଡ଼ି ହେଉଛି !! ବେହୁସିଆରରେ ସିନା ଥରେଅଧେ କେଉଁଠି ନିଆଁ ଲାଗିଯିବ ପାଞ୍ଚ ବଖରା, ତିନି ବଖରା ଘର ତାତିଯିବ; ଇଏତ ଗୋଟାଏ ବଜାରର ଦେଖ୍ ଦେଖ୍ ଏଠି ଲାଗିଲା ତ ସେଠି, ତିନିଚାରି ଜାଗାରେ ଏକସମୟରେ !! ଏ ନିଶ୍ଚୟ ମଣିଷର କାରସାଦି । ଆଉ ଯଦି ମା’ ହିଙ୍ଗୁଳା ରୋଷକଲେ ବା ଅନ୍ୟାୟ ଅଧର୍ମ ବ୍ୟାପିଗଲା, ତାହା କ’ଣ ଖାଲି କଟକ ସହରରେ ହେଲା ? ମଫସଲରେ କାହିଁ କିଛି ନାହିଁ ? ସେଠାରେ କ’ଣ ଖାଲି ଧର୍ମୀ ଲୋକତକ ଅଛନ୍ତି । କେହି ଘରଦ୍ୱାର ଛାଡ଼ି ତାଲା ବନ୍ଦ କରି ବଜାର ହାଟ ଗଲେ ନାହିଁ । ଯେମିତି ହେଉ ଘରେ ଜଣେ ମଣିଷ ରହିବହିଁ ରହିବ । ଚାନ୍ଦାକରି ବାଲତି ଦଉଡ଼ି କିଣାହେଲା । ପ୍ରତି ବଜାରରେ ସ୍ଵେଚ୍ଛାସେବକଦଳ ଗଢ଼ାଗଲା । ଦିନରାତି ସେମାନେ ପାଳିକରି ତାଙ୍କ ବଜାରକୁ ଜଗିଲେ । ସେମାନଙ୍କ ମଧ୍ୟରୁ ଜଣେଅଧେ ଦେଖିଲେ ଯେ କେହି ଜଣେ ହଠାତ୍ ଘରପାଖ ଗଳିରୁ ସାଇକେଲ ନେଇ ଚାଲିଯିବାର ପାଞ୍ଚ ମିନିଟ୍ ପରେ ସେ ଗଳିରେ ନିଆଁ ଲାଗିଯାଉଛି । ହିନ୍ଦୁ, ମୁସଲମାନ ସାହିଟୋକା ସମସ୍ତେ ଏକାଠି ଦଳକରିଥାନ୍ତି । ପାଳିକରି ଜଗୁଥାନ୍ତି-। ଏହା ଫଳରେ ଘରପୋଡ଼ି କମିଯାଇଥାଏ ।

 

ମ୍ୟୁନିସିପାଲଟି ତରଫରୁ ରାସ୍ତାମାନଙ୍କରେ ବତିଖୁଣ୍ଟ ଦିଆଯାଇଥାଏ । ସେଥିରେ କିରାସିନି ବତିଟିଏ ଥାଏ । ତା’ ଉପରେ ଥାଏ କାଚର ଚିମିନି । ରହେ ଗୋଟିଏ ବାକ୍‌ସ ଭିତରେ । ମ୍ୟୁନିସିପାଲଟିର ଜଣେ ଲୋକ ଦିନବେଳେ ସେ ବତିକୁ ସଫା କରି ତେଲ ପକାଇ ରଖିଦେଇଯାଏ-। ସଞ୍ଜ ହେଲେ ପୁଣି ସିଡ଼ି ଓ ଗୋଟାଏ ବତି ଧରି ଆସି ବତିସବୁରେ ଆଲୁଅ ଲଗେଇ ସେ କାଚ ବାକ୍‌ସ ଭିତରେ ପୂରେଇ ଦେଇଯାଏ । ବତିବାଲା ଯଦି କିରାସିନି ଚୋରି କରି ନଥାଏ ତେବେ ବତି ରାତି ବାରଟାଯାଏଁ ଅତି ବେଶିରେ ଜଳେ । ଆଉ ଯଦି ଚୋରି କରିଥାଏ ନଅଟାବେଳକୁ ବତି ଲିଭିଯାଏ । ନିଆଁଗୋଳ ସାଙ୍ଗକୁ ଚୋରଗୋଳ ମଧ୍ୟ ଉଠିଲା । ଲୋକେ ବଡ଼ ଆତଙ୍କିତ ହୋଇପଡ଼ିଲେ । ଦିନେ ଗୋରାଙ୍କ ଘର ପଛଆଡ଼େ ଖୁବ୍ ପାଟି ହେଲା । ଛାନିଆରେ ତ କାହାକୁ ଭଲ ନିଦ ହଉ ନଥାଏ । ପାଟି ଶୁଣି ଲଣ୍ଠନ ଜାଳି ସବୁଘରୁ ଲୋକ ବାହାରିଆସି ଦେଖନ୍ତି ତ ସାଇ ଟୋକାଏ ଗୋଟାଏ କାହାକୁ ମାଡ଼ିବସିଛନ୍ତି । ସେ କ’ଣ କହୁଚି, କେହି ଶୁଣୁନାହାନ୍ତି–ଖାଲି ପାଟି ‘ଶଳା ଧରାପଡ଼ିଚି’ । ଦୀନୁବାବୁ ପ୍ରଭୃତି ଲଣ୍ଠନ ନେଇ ପହଞ୍ଚିଲାବେଳକୁ ସେ ଲୋକଟା ତଳେ ପଡ଼ି ଖାଲି କହୁଚି ‘ଭାୟା, ମୈଁ ରମୁ’ । ଆଉ ରମୁ ଶୁଣୁଛି କିଏ; ତା’ ଉପରେ ପାଞ୍ଚ ସାତ ଜଣ ସବାର-। ତା’ ମୁହଁରେ ଆଲୁଅ ପକେଇ ଦେଖାଗଲା ଯେ ସେ କରିମ୍ ମିଆଁ ପୁଅ ରମୁ । ସମସ୍ତେ ତାକୁ ଛାଡ଼ିଦେଲେ । ଏ କ’ଣ । ରମୁ ତ ଆମର ପାଖରେ ଶୋଇଥିଲା । ହେଲା କ’ଣ ? ସମସ୍ତେ ବଉଳଗଛ ମୂଳ ଚାନ୍ଦିନୀକୁ ଆସିଲେ । ରମୁକୁ ମଧ୍ୟ ସାଷ୍ଟମ କରି ସେଠାକୁ ଅଣାଗଲା । କଥା କ’ଣ-? କେତେବେଳକେ ରମୁ କହିଲା–‘‘କିଏ ଗୋଟାଏ ଚୋର ଚୋର ପାଟିକରି ଉଠିଲା, ମୁଁ ତ ସଙ୍ଗେ ସଙ୍ଗେ ଚମକିଗଲି ଅନ୍ଧାରରେ । ତା’ପରେ ସମସ୍ତେ ଖୁଦଖାଦ ଉଠିପଡ଼ି ଦୌଡ଼ିଆସି ମୋତେ ମାଡ଼ିବସିଲେ । ମୁଁ ଯେତେ କହୁଚି ‘ଭାୟା, ମୈଁ ରମୁ’ ଆଉ ଶୁଣୁଚି କିଏ ! ଶଳା ଏତେ ବେଇମାନ ଏମାନେ ।” ସମସ୍ତେ ଏ କଥାରେ ହସିବେନା କାନ୍ଦିବେ । ଯିଏ ଯାହା ଘରକୁ ଗଲେ-। ଟୋକାମାନେ ରମୁକୁ ଗୋଟାଏ ବିଡ଼ି ପିଇବାକୁ ଦେଇ ନିଜେ ଗୋଟାଏ ଗୋଟାଏ ଟାଣି ଦୋସ୍ତର ପିଠି ଆଉଁଷି ସମସ୍ତେ ଗପ ଆରମ୍ଭ କଲେ ।

 

ତା’ ପରଦିନ ସକାଳୁଆ କଚେରିରୁ ଆସି ସମସ୍ତେ ଶୋଇଛନ୍ତି । ସବୁ ବଜାରରେ ଅଳ୍ପେ ବହୁତେ ନିଆଁ ଲାଗିଥାଏ; କିନ୍ତୁ ବାଖରାବାଦରେ ନିଆଁ ଲାଗି ନଥାଏ । ଲୋକେ କୁହାକୁହି ହେଉଥାନ୍ତି, “ବାଖରାବାଦରେ ପୁଲିସ ସାହେବଙ୍କ ଘର ନା; ସେଠାରେ ଆଉ ନିଆଁ ଲାଗୁନାହିଁ ।” କିନ୍ତୁ ସେଦିନ ଖରାବେଳେ ହଠାତ୍ ଦୀନୁବାବୁଙ୍କ ଘରପାଖ କେଉଟ ସାହିରେ ନିଆଁ ଜଳିଉଠିଲା । ଲୋକେ ହୋ-ହୋ ହୋଇ ଉଠିଲେ । ପାଖଆଖ ଘରସବୁ ଲୋକେ ଓଲାରିପକାଇଲେ । ଗୋରାଙ୍କ ରୋଷେଇଘରେ ମଦନାକୁ ଏତେ ନିଦ ଲାଗିଯାଇଥାଏ ଯେ ଏ ଘରପୋଡ଼ିଆ ପାଟିରେ ମଧ୍ୟ ତା’ ନିଦ ଭାଙ୍ଗୁ ନଥାଏ । ସାଇପିଲାଏ ଚାଳ ଓଲାରି ଗୋଟାଏ ବାଉଁଶରେ ତାକୁ କେଞ୍ଚିବାରୁ ଯାଇ ତା’ ନିଦ ଭାଙ୍ଗିଲା । ସେ ହାଉଲୋ ବାଉଲୋ ହୋଇ ଘର କବାଟ ଖୋଜି ପାଉ ନଥାଏ । କେତେବେଳେ ହୋସ୍ ପାଇ କବାଟ ଖୋଲି ବାହାରକୁ ଆସିଲା । ସେତେବେଳକୁ ଆଠ, ଦଶ ବଖରା ଘର ତାତିଗଲାଣି । ଜିଲା ପୋଲିସ୍‍ ସାହେବ ସେତେବେଳେ ଆମର ଜଣେ ଓଡ଼ିଆ ଲୋକ ଥାଆନ୍ତି । ତାଙ୍କ ଘର ମଧ୍ୟ ବାଖରାବାଦରେ । ନିଆଁ ଲିଭିସାରିଲା ପରେ ସେଦିନ ଚାରିଟାବେଳକୁ ଘରପୋଡ଼ି ପାଖକୁ ସେ ଆସିଲେ । ସାଙ୍ଗରେ କନେଷ୍ଟବଳ, ଜମାଦାର ହୋଇ ଚାରିଜଣ ଅଛନ୍ତି । ପୁଲିସ ସାହେବ ଆସିବା ଦେଖି ସମସ୍ତେ ତାଙ୍କ ଚାରିପଟେ ଏକାଠି ହୋଇଗଲେ । କେମିତି ନିଆଁ ଲାଗିଲା, କ’ଣ ହେଲା, ସବୁ ଆଲୋଚନା ହେଉ ହେଉ ଦୀନୁବାବୁଙ୍କ ପଡ଼ିଶାଘରର ନନ୍ଦବାବୁ ହସି ହସି କହିଦେଲେ, “ଆଜ୍ଞା, ଏ ଦୟା କହୁଚି ପୁଲିସବାଲାଏ ନିଆଁ ଲଗାଇ ଦେଉଛନ୍ତି ।” ନନ୍ଦବାବୁ ମଧ୍ୟ ମୁକ୍ତାର । ସେ ପୋଲିସ୍‍ ସାହେବଙ୍କ ସାହିର ଓ ଆଖପାଖର ଲୋକ ବିଚାରି ଥଟ୍ଟାରେ ଥଟ୍ଟାରେ ଏପରି କହିଦେଲେ । ସତରେ ଦୟାବି ଏକଥା ପଛଆଡ଼େ ଠିଆହୋଇ କହୁଥିଲା । ‘କୁଆଡ଼େ ଗଲା ସେ ଦୟା ?’ ପୁଲିସ ସାହେବଙ୍କ ଗଳାର ଶବ୍ଦ ଶୁଣି ନନ୍ଦବାବୁ ପ୍ରସାଦ ଗଣିଲେ । ପୁଲିସବାଲା କାହାର ନୁହନ୍ତି । ସେ ସ୍ୱରକୁ ବଡ଼ ମିଠାକରି କହିଲେ, “ନାହିଁ ଆଜ୍ଞା, ସେମିତି ସେ ଥଟ୍ଟାରେ କହୁଥିଲା ।” “ଆରେ କିଏ ଅଛ, ଧରିଆଣ ଶଳାକୁ ।”–ଏଥିରେ ସାହିବାଲା ଡରିଗଲେ । ନନ୍ଦବାବୁ ଦୟାକୁ କହିଲେ ତାଙ୍କ ଘର ଭିତରକୁ ପଶିଯିବାକୁ । ସମସ୍ତେ ନନ୍ଦବାବୁ ଦୀନୁବାବୁଙ୍କ ଘର ବାହାର ରାସ୍ତାରେ ଠିଆହୋଇ କଥାବାର୍ତ୍ତା ହେଉଥିଲେ । ଦୟାକୁ ନନ୍ଦବାବୁ ତାଙ୍କ ଘର ଭିତରକୁ ପଶିଯିବାକୁ କହିବାରୁ ପୁଲିସ ସାହେବ କନେଷ୍ଟବଳକୁ ଲକ୍ଷ୍ୟକରି କହିଲେ, “ବାନ୍ଧ ଏ ବୁଢ଼ାକୁ ।” ଠିଆ ହୋଇଥିବା ସବୁ ଲୋକ ତଟସ୍ଥ ହେଇଗଲେ । ନନ୍ଦବାବୁ ମଧ୍ୟ ଝାଉଁଳି ପଡ଼ିଲେ । କହୁଁ କହୁଁ ତ କହିପକେଇଛନ୍ତି । ସେ କ’ଣ ଭାବିଥିଲେ ଏ ବିପତ୍ତି ହେବ । ଯାହାହଉ, ଦୟାକୁ ନନ୍ଦବାବୁଙ୍କ ଘର ବାହାରକୁ ଅଣାଗଲା । ଦୁଇଜଣ କନେଷ୍ଟବଳ ତାକୁ ନେଇ ଚାଲିଲେ । ସାହେବ କହିଲେ, “ଅଫିସ୍‍କୁ ନେଇ ଚାଲ ।” ଏ କ’ଣ ହେଲା ? ଝିମିଟି ଖେଳରୁ ମହାଭାରତ ! ଘରପୋଡ଼ିଠାରୁ ଏ ବିପତ୍ତି ଆହୁରି ବଳେଇଗଲା । ସମସ୍ତେ ମନ ମାରି ଘରକୁ ଫେରିଲେ ।

 

ରାତି ଦଶଟାବେଳକୁ ଦୟା ଅଣ୍ଡାଳି ଅଣ୍ଡାଳି ଘରକୁ ଫେରିଲା । ତା’ ଘର ଦି’ ବଖରା ଭାଗ୍ୟକୁ ଜଳିଯାଇ ନଥିଲା । ଘର ନ ଜଳିଲେ କ’ଣ ହେବ, ତା’ ଭାଗ୍ୟ ଚିରଦିନ ପାଇଁ ଜଳିଗଲା । ଗୋଟାଏ ଗୋଡ଼ ଗୋଟାଏ ଆଖି ତା’ର ଚିରଦିନ ପାଇଁ ଅକାମୀ ହେଇଗଲା । କେମିତି କ’ଣ ହେଲା, ସେ କଥା ସେ କେବେ ଖୋଲି କହିନାହିଁ କି କେହି ସାହସ କରି ପଚାରିନାହିଁ ।

 

ସତେଇଶ

 

ପୁଲିସ ନିଆଁ ଲଗଉ ନା ଲଗାଉ, କିନ୍ତୁ ଏହାଫଳରେ ଲୋକଚକ୍ଷୁରେ ପୁଲିସ ବଡ଼ ଘୃଣିତ ହେଲେ । ବିଶେଷତଃ କଟକ ପୁଲିସ ସାହେବଙ୍କର ଗରିବ କେଉଁଟା ଦୟା ପ୍ରତି କରିଥିବା ଅତ୍ୟାଚାର କେହି ସଭାରେ ନ କହୁ କି ଖବରକାଗଜରେ ପ୍ରଚାର ନ କରୁ ପଛେ, ଖାଲି ତୁଣ୍ଡବାଇଦରେ ସହସ୍ର କୋଶ ବ୍ୟାପିଗଲା । ପଞ୍ଜାବର ଜାଲିଆନାୱାଲାବାଗ ଗୁଳିକାଣ୍ଡ ଓ ରାଓଲଟ୍ ଆକ୍ଟ ପ୍ରଭୃତି ଛୋଟ ବଡ଼ ବହୁ ଘଟଣାରେ ଦେଶବାସୀ ଖୁବ୍ ଉତ୍‌କ୍ଷିପ୍ତ ହୋଇଉଠିଲେ । ଯେଉଁମାନେ ପ୍ରଥମ ଅସହଯୋଗ ଆନ୍ଦୋଳନରେ ଚାକିରିବାକିରି ଛାଡ଼ି, କଲେଜ ସ୍କୁଲ୍‍ ଛାଡ଼ି ଆନ୍ଦୋଳନ କରିଥିଲେ, ସେମାନଙ୍କ ଭିତରୁ ଖୁବ୍ କମ୍ ଲୋକ ନିଜ ନିଜ ସ୍ଥାନକୁ ଫେରିଲେ । ସେମାନେ ଲାଗିଗଲେ ପ୍ରଚାରରେ । ଏହା ଭବିଷ୍ୟତରେ ଏକ ବିରାଟ ଆନ୍ଦୋଳନ ପାଇଁ ପ୍ରସ୍ତୁତି କହିଲେ ଚଳେ ।

 

ଗୋରା ଜେଲରୁ ଖଲାସ ହେଲା ପୁଣି ସ୍କୁଲ୍‍ରେ ନାଁ ଲେଖେଇ ମାଟ୍ରିକ ପାସ୍‍କଲା । ଗୋରାପରି ଅନେକେ ପୁଣି ସ୍କୁଲ୍ କଲେଜରେ ନାଁ ଲେଖେଇ ପଢ଼ିଲେ ସତ; କିନ୍ତୁ ସେମାନେ ସେହି ଜେଲରୁ ଦେଶକାମ କରିବା ଦୀକ୍ଷା ନେଇ ଆସିଥିଲେ । ସରକାର ତ ସେମାନଙ୍କୁ ଜେଲ ଦେଇ ମାର୍କା ମାରି ଛାଡ଼ିଛନ୍ତି । ସେମାନଙ୍କ ପାଇଁ ସରକାରୀ ଚାକିରିଦ୍ଵାର ମନା । ସେମାନେବି ସେଥିପାଇଁ ମୋଟ ଆଗ୍ରହୀ ନୁହନ୍ତି । ଏପରିକି ସେ କଲେଜ ସ୍କୁଲ୍‍ ଶିକ୍ଷାରେ ସେମାନଙ୍କର ବିଶ୍ଵାସ ଥିଲା କମ୍ । କେବଳ ଗୋଲାମି କରିବାପାଇଁ ପ୍ରସ୍ତୁତ କରିବା ଥିଲା ଏ ଶିକ୍ଷାର ଲକ୍ଷ୍ୟ ।

 

କଲେଜ ଖୋଲିବା ଆଗରୁ କଲେଜର ନାଁ ଲେଖେଇବା ପାଇଁ ଦରଖାସ୍ତ କରାଗଲା । ବିଜ୍ଞାନଶ୍ରେଣୀରେ ନାଁ ଲେଖେଇବ ବୋଲି ଗୋରା ଦରଖାସ୍ତ କରିଥାଏ । ସେତେବେଳେ ଓଡ଼ିଶାରେ ସେହି ଗୋଟିଏ କଲେଜ ଥାଇ ସୁଦ୍ଧା ନାଁ ଲେଖେଇବା ପାଇଁ ସେତେ ଭିଡ଼ ନଥାଏ । ତେବେ ବିଜ୍ଞାନଶ୍ରେଣୀ ପାଇଁ ଟିକିଏ ବାଛ-ବିଚାର ଥାଏ । ପ୍ରଥମ ଦ୍ଵିତୀୟ ଶ୍ରେଣୀରେ ମାଟ୍ରିକ ପାସ୍ କରିଥିବା ପିଲା କେବଳ ସ୍ଥାନ ପାଉଥିଲେ ବିଜ୍ଞାନଶ୍ରେଣୀରେ । ଗୋରା ତ ପ୍ରଥମ ଶ୍ରେଣୀରେ ପାସ୍ କରିଥାଏ । ତେଣୁ ତା’ର ନାଁ ଲେଖେଇବାରେ କିଛି ଅସୁବିଧା ହେଲା ନାହିଁ । ଆଜିକାଲି ସ୍କୁଲ୍‍ମାନଙ୍କରେ ବିଜ୍ଞାନଶିକ୍ଷା ଦିଆଯାଇଥିବାରୁ କଲେଜରେ ବିଜ୍ଞାନ ଶ୍ରେଣୀ ନାମ ଲେଖେଇଲାବେଳକୁ ପିଲାମାନଙ୍କର ବିଜ୍ଞାନ ବିଷୟରେ ଅଳ୍ପେ ବହୁତେ ଜ୍ଞାନ ରହୁଛି । କିନ୍ତୁ ସେତେବେଳେ ରେଭେନ୍‌ସା କଲେଜ କୋଠା ଗୋଟାଏ ଦର୍ଶନୀୟ ଜିନିଷ ଥାଏ । ତା’ ଉପରେ ବିଜ୍ଞାନ ଶ୍ରେଣୀ ସାଜସଜ୍ଜାରେ ତ ଆହୁରି ଆକର୍ଷଣୀୟ ଥାଏ । ଗୋରା ଓ ତା’ ସାଙ୍ଗମାନଙ୍କୁ ଖାଲି ଏସବୁ ଦେଖିବାକୁ ସପ୍ତାହେ ଲାଗିଗଲା । ସାରା ଓଡ଼ିଶାରେ ବିଭିନ୍ନ ଜିଲାରୁ ପିଲାମାନେ ଆସି କଲେଜରେ ନାଁ ଲେଖଉଛନ୍ତି । କଳା ବିଜ୍ଞାନ ସବୁ ମିଶି ପ୍ରଥମ ବାର୍ଷିକ ଶ୍ରେଣୀରେ ପ୍ରାୟ ଦୁଇଶହ ଛାତ୍ର ନାଁ ଲେଖେଇଥାନ୍ତି । ସେମାନଙ୍କ ଚାଲିଚଳନ କଥାବାର୍ତ୍ତା କେତେକ ବୈଶିଷ୍ଟ୍ୟ ଥାଏ । ଅଧିକାଂଶ ପିଲା ଛାତ୍ରାବାସରେ ରହନ୍ତି । ପୂର୍ବ-ଛାତ୍ରାବାସରେ ପ୍ରାୟ ସବୁ ଗଡ଼ଜାତ ଅଞ୍ଚଳ ଓ ସମ୍ବଲପୁର ଜିଲାର ପିଲାମାନେ ରୁହନ୍ତି । ପଶ୍ଚିମ-ଛାତ୍ରାବାସରେ କଟକ, ପୁରୀ, ବାଲେଶ୍ଵର ଜିଲାର ପିଲାମାନେ ରହନ୍ତି । ତେବେ ଏଥିପାଇଁ କିଛି କଟକଣା ନଥାଏ କି ଛାତ୍ରାବାସରେ ସ୍ଥାନର ଅଭାବ ନଥାଏ । ତେଣୁ ଯାହାର ଯେଉଁ ଛାତ୍ରାବାସରେ ରହିବାର ଇଚ୍ଛା ସେ ସେଠାରେ ସ୍ଵଚ୍ଛନ୍ଦରେ ରହିପାରୁଥାନ୍ତି । କଟକ ସହରରେ ସେତେବେଳେ ବିଜୁଳିବତି ବା ପାଣିକଳ ନଥାଏ । କେବଳ ରେଭେନ୍‍ସା କଲେଜ ଓ ଛାତ୍ରାବାସରେ ବିଜୁଳି ଆଲୁଅ ଓ ପାଣିକଳର ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥାଏ-। ପାଣିକଳ ଫିଟେଇବା, ବନ୍ଦକରିବା, ସୁଇଚ୍ ଚିପି ଆଲୁଅ ଜଳେଇବା ନିଭେଇବାବି ଅନେକ ପିଲାଙ୍କର ସଉକ ଥାଏ । ପୁଣି ବିଜ୍ଞାନ ଶ୍ରେଣୀରେ ଗ୍ୟାସ୍‍ଦ୍ଵାରା ନିଆଁ ଜଳେଇବାର ବ୍ୟବସ୍ଥା ଥାଏ । ସେଥିପାଇଁ ବିଜ୍ଞାନଶ୍ରେଣୀର ଛାତ୍ରମାନେ କଳାଶ୍ରେଣୀର ଛାତ୍ରମାନଙ୍କ ଆଗରେ କେତେ ବାହାଦୁରି କରନ୍ତି । ଅନେକ ସମୟରେ କଳାଶ୍ରେଣୀର ପିଲାମାନେ ଅବସର ସମୟରେ ବିଜ୍ଞାନଶ୍ରେଣୀର ଗ୍ୟାଲେରି ଲାବୋରୋଟରି ପ୍ରଭୃତି ଦେଖିବାକୁ ଯାଆନ୍ତି ।

 

ସହରରେ ଥାଇ ଯିବାଆସିବା କରି ପଢ଼ୁଥାନ୍ତି ପ୍ରାୟ ପଚିଶ ତିରିଶ ଜଣ ଛାତ୍ର । ସେମାନଙ୍କ ମଧ୍ୟରୁ ବେଶି ପିଲା ସାଇକେଲରେ ଆସନ୍ତି । ବଡ଼ବଡ଼ିଆ କେଇଜଣ ପିଲା ନିଜ ଘର ଘୋଡ଼ାଗାଡ଼ିରେ ଯିବାଆସିବା କରନ୍ତି । ଟୋକା ଅଧ୍ୟାପକ ଜଣେ ଦୁଇଜଣ ମଧ୍ୟ ସାଇକେଲରେ ଯିବାଆସିବା କରନ୍ତି । ଓଡ଼ିଆ ଅଧ୍ୟାପକ ସେତେବେଳକୁ କେତେଜଣ ହେଲେଣି; କିନ୍ତୁ ଅଧିକାଂଶ ବଙ୍ଗାଳୀ ବା ବାହାରର ଲୋକ । ଅଧ୍ୟକ୍ଷ ଓ ଆଉ ଦୁଇଜଣ ଅଧ୍ୟାପକ ଥାଆନ୍ତି । ସେତେବେଳେ କଲେଜ ଅଧ୍ୟାପକଙ୍କର ଖାତିର ବହୁତ ବେଶି । ଏପରିକି କଲେଜପଢ଼ୁଆ ଛାତ୍ରମାନଙ୍କର ମଧ୍ୟ ଖାତିର କମ୍ ନଥାଏ । କଲେଜ ଛାତ୍ରମାନେ କଲେଜ ଚାଲି ଚାଲି ବା ସାଇକେଲରେ ଆସିବାବେଳେ ବଜାର ଲୋକମାନଙ୍କର ସେମାନଙ୍କ ପ୍ରତି ଗୋଟାଏ ଖାତିର ଥିଲାପରି ଜଣାପଡ଼େ-। ସେମାନଙ୍କୁ ‘କଲେଜ ଛୁଆ’ ବୋଲି କହନ୍ତି । କଲେଜ ପିଲାଏ ସେତେବେଳେ କେହି ପ୍ୟାଣ୍ଟ ପିନ୍ଧୁ ନଥାନ୍ତି । ପ୍ରଥମ ବାର୍ଷିକ ଶ୍ରେଣୀରେ ନାଁ ଲେଖେଇଲାବେଳେ ଜଣେ ଅଧେ କେହି କେହି ସେହି ସ୍କୁଲ୍‍ର ହାଫ୍‍ପ୍ୟାଣ୍ଟ ପିନ୍ଧି କେବେକେବେ ଚାଲିଗଲେ ସମସ୍ତେ ତାଙ୍କୁ ଥଟ୍ଟା କରନ୍ତି । ତେଣୁ ନାଁ ଲେଖେଇବାର ମାସକ ଭିତରେ ସେମାନେ ଧୋତି କାମିଜ ପିନ୍ଧିବାକୁ ଆରମ୍ଭ କରନ୍ତି-। ଅଧ୍ୟାପକମାନେ ସମସ୍ତେ ପ୍ୟାଣ୍ଟ କୋଟ୍‍ ଟାଇ ଲଗାଇ ଆସନ୍ତି । ଜଣେ ଦୁଇଜଣ ଅଧ୍ୟାପକ ଧୋତି, ପଞ୍ଜାବି, ଚାଦର ପକେଇ ଆସନ୍ତି । ମୋଟଉପରେ କଲେଜର ଆବହାୱା । ସେତେବେଳେ ଖୁବ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଥାଏ ।

 

କଲେଜରେ ଖଦଡ଼ ପିନ୍ଧିବା ପିଲା ପାଞ୍ଚ ସାତ ଜଣରୁ ବେଶି ନଥାନ୍ତି । ଗୋରା ସେମାନଙ୍କ ମଧ୍ୟରୁ ଜଣେ । ସେହି ଜେଲରୁ ଖଲାସ ହୋଇ ସେ ଯେ ଖଦଡ଼ପିନ୍ଧା ଆରମ୍ଭ କରିଛି, ତାହା ଆଉ ଛାଡ଼ିନାହିଁ । ସେତେବେଳେ ଗୋରାର ଫୁଟବଲ ଖେଳାଳି ହିସାବରେ ସ୍କୁଲ୍‍ରେ ନାଁ ଥିଲା । ସେ ସ୍କୁଲ୍‍ ଟିମ୍‌ରେ ଖେଳୁଥିଲା । ଜେଲରୁ ଫେରି ସେ ଆଉ ଫୁଟବଲ ଖେଳିବାକୁ ଯାଇନାହିଁ । ସେଥିପାଇଁ ତା’ର ଖେଳସାଥୀ ତଥା ସ୍କୁଲ୍‍ର କ୍ରୀଡ଼ା ଶିକ୍ଷକ କେତେ ତାକୁ ବୁଝେଇଛନ୍ତି; କିନ୍ତୁ ଫଳ କିଛି ହୋଇନାହିଁ । ସେ ଆଉ ଫୁଟବଲ ଖେଳିବନାହିଁ; କିନ୍ତୁ ତା’ ବଦଳରେ ସେ ଆରମ୍ଭ କରିଛି ରୀତିମତ ଦଣ୍ଡବୈଠକ ଆଉ ଜିମିନାଷ୍ଟିକ୍ । ଫଳରେ ସୁନ୍ଦର ସ୍ଵାସ୍ଥ୍ୟର ଅଧିକାରୀ ହୋଇଛି ଗୋରା । ତାରା ଗୋରାର ଛାଇ ପରି ସବୁବେଳେ ଚଳିଆସୁଥିଲା; କିନ୍ତୁ ଭାଇ କଲେଜ ଯିବା ଦିନଠାରୁ ସେ ଭାଇର ସାଙ୍ଗରୁ ବଞ୍ଚିତ ହୋଇଛି । ସ୍କୁଲ୍‍କୁ ଏକା ଯାଏଁ; ଅବଶ୍ୟ ଭାଇର ତା’ର ହୋଇ ତାରାର ଅନେକ ସାଙ୍ଗ ଥାନ୍ତି । ଗୋରା ଖେଳ ବନ୍ଦକଲେ କ’ଣ ହେବ, ତାରା ଖେଳରେ ନାଁ କଲାଣି । ସେୟାଭିତରେ ସ୍କୁଲ୍‍ ଟିମ୍‍ରେ ଖେଳିଲାଣି । ଡିଆଁ ଦୌଡ଼ାରେ ପିଲାଦିନୁ ସେ ନାଁ କରିଥିଲା । ଏଣିକି ଖେଳରେ ମଧ୍ୟ ନାଁ କଲାଣି । ଯେଉଁଦିନ ଏକାଡ଼େମୀରେ ମ୍ୟାଚ୍ ହୁଏ ସେଦିନ ଗୋରା ଯାଏଁ ମ୍ୟାଚ୍ ଦେଖିବାକୁ । ନିଜେ ଖେଳେ ନାହିଁ ସିନା; ଖେଳ ଦେଖିବାରେ ଗୋରାର ଖୁବ୍ ଆଗ୍ରହ ଥାଏ । ତାରାକୁ ଖେଳ ବିଷୟରେ ଆଗ୍ରହୀ କରାଇଥାଏ ସେଇ । ଦୀନୁବାବୁ ଖେଳକୁ ପସନ୍ଦ କରନ୍ତି ନାହିଁ କି ଅପସନ୍ଦ କରନ୍ତି ନାହିଁ । ସବୁ ମ୍ୟାଚ୍ ହୁଏ କିଲା ପଡ଼ିଆରେ; ବର୍ତ୍ତମାନ ଯେଉଁଠି ବାରବାଟୀ ଷ୍ଟାଡ଼ିୟମ୍ । ପୁରୁଣା ସେକ୍ରେଟାରୀୟେଟ୍ ଘର ଯେଉଁଠି, ସେଠାରେ ବିସ୍ତୀର୍ଣ୍ଣ ପଡ଼ିଆ ଥାଏ–କିଲା ପଡ଼ିଆ । ସହରର ସ୍କୁଲ୍‍ମାନଙ୍କ ଭିତରେ ସେ ପଡ଼ିଆ ବାଣ୍ଟକରି ଦିଆଯାଇଥାଏ । କେବଳ କଲିଜିଏଟ୍‍ର ପଡ଼ିଆ ସ୍ୱତନ୍ତ୍ର ଥାଏ । ଅନ୍ୟ ସ୍କୁଲ୍‍ର ଖେଳାଳିମାନେ ତାଙ୍କର ନିଜ ନିଜ ପଡ଼ିଆରେ ସବୁଦିନ ଅଭ୍ୟାସ କରନ୍ତି ଓ ମ୍ୟାଚ୍ ଦିନ ଖେଳନ୍ତି । ଯେଉଁ ବଜାର ବା ସାହିରେ ଯେଉଁ ସ୍କୁଲ୍‍ ଅବସ୍ଥିତ ସେହି ବଜାରର ଟୋକାଏ ତାକୁ ‘ହାମ ବଜାର ଇସ୍କୁଲ’ ବୋଲି ପୂରା ସମର୍ଥନ କରନ୍ତି । ବେଳେବେଳେ ଏହି ସମର୍ଥକମାନଙ୍କର ଅତିଶୟ ଉତ୍ସାହ ଫଳରେ ସ୍କୁଲ୍‍ ସ୍କୁଲ୍‍ ଭିତରେ ମାଡ଼ଗୋଳ ହୋଇ ଫୁଟବଲ ପଡ଼ିଆରେ ରାମ-ରାବଣ ଯୁଦ୍ଧର ପୁନରାବୃତ୍ତି ହୋଇଯାଏ । ଏଥିରେ ସ୍କୁଲ୍‍ ଖେଳାଳି ଛାତ୍ରମାନେ ଯେତେ ଆହତ ନ ହୁଅନ୍ତି, ତା’ଠାରୁ ବେଶୀ ଆହତ ହୁଅନ୍ତି ସେମାନଙ୍କର ସମର୍ଥକ ସାଧାରଣ ଲୋକ । ବର୍ଷାଦିନ ଚାରିମାସ ଫୁଟବଲ ଖେଳ ଯୋଗୁଁ ସାହି ସାହି ବଜାର ବଜାର ଭିତରେ ଖୁବ୍ ରଗଡ଼-ଝଗଡ଼ ହୋଇଯାଏ । କିନ୍ତୁ ଏ ମାରପିଟ ସାମ୍ପ୍ରଦାୟିକତାର ଗନ୍ଧ ନଥାଏ । ପୁଣି ମହରମ, ତାଜିଆ ବା ଦୁର୍ଗା, ମହାଦେବଙ୍କ ମେଢ଼ ବାହାରିବାବେଳ ହୋଇଗଲେ ହିନ୍ଦୁ ମୁସଲମାନ ସମସ୍ତେ ଏକାଠି ବାଡ଼ି, ଖଣ୍ଡା ଖେଳି, ବନାଟି ବୁଲାଇ ଏକାକାର ହେଇଯାନ୍ତି ।

 

ସେତେବେଳେ କଲିକତା ପ୍ରଭୃତି କେତେକ ସହରରେ ଇଂରେଜ ସରକାରଙ୍କ ମତାଣିଆ ଫଳରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ସଂଘର୍ଷ ହୋଇଯାଇଥାଏ । ମୁସଲମାନଙ୍କ ପାଇଁ ସେତେବେଳେ ଲାଟ୍ ସଭାରେ ସ୍ୱତନ୍ତ୍ର ଆସନ ମିଳିବାପାଇଁ ଦାବି କରାଗଲା । ଆଗେ ହିନ୍ଦୁ ମୁସଲମାନଙ୍କ ପାଇଁ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ନଥିଲା । ଅସହଯୋଗ ଆନ୍ଦୋଳନ ପରେ ଇଂରେଜମାନଙ୍କ ମତାଣରେ ମୁସଲମାନମାନେ ସ୍ଵତନ୍ତ୍ର ଆସନ ଦାବିକରିବା ଫଳରେ ହିନ୍ଦୁ ମୁସଲମାନମାନଙ୍କ ମନରେ ପରସ୍ପର ପ୍ରତି ବିରୋଧ ଭାବ ଟିକିଏ ସୃଷ୍ଟି ହେଲା; କିନ୍ତୁ ଏ ସାମାନ୍ୟ ନିଆଁକୁ ତେଜେଇଲେ ଇଂରେଜମାନେ ସେମାନଙ୍କ ସ୍ଵାର୍ଥରକ୍ଷା ପାଇଁ । ଭାରତର ଦୁଇଟା ବଡ଼ ସମ୍ପ୍ରଦାୟ ଯଦି ଆପଣା ମଧ୍ୟରେ ହଣାକଟା କରି ନିଜର ଶକ୍ତିକ୍ଷୟ କରନ୍ତି, ତେବେ ବିଦେଶୀ ଶାସନ ବିରୁଦ୍ଧରେ ଏକତ୍ରିତ ହୋଇ ସ୍ଵର ଉଠାଇବାକୁ ଆଉ କାହାର ଶକ୍ତି ନଥିବ । ଇଂରେଜଙ୍କର କୂଟନୀତି ଖୁବ୍ କାମଦେଲା । ସାମ୍ପ୍ରଦାୟିକତାର ବିଷ-ବାଷ୍ପକୁ ଓଡ଼ିଶାକୁ ଆଣିବାକୁ ବହୁତ ଚେଷ୍ଟା କରାଗଲା । କେତେ ବାହାରର ଲୋକ ସରକାରୀ ସାହାଯ୍ୟରେ ଆସି ଓଡ଼ିଶାର ଅନେକ ସ୍ଥାନରେ ଦୁଇ ସମ୍ପ୍ରଦାୟର ଲୋକଙ୍କୁ ମତାଇଲେ; କିନ୍ତୁ ଫଳ କିଛି ନ ହେବାରୁ ସେମାନଙ୍କୁ ନିରାଶ ହୋଇ ବାହୁଡ଼ିବାକୁ ହେଲା I ଫୁଟବଲ ଖେଳବେଳେ ମଧ୍ୟ ଏ ବିଷ ପୂରେଇବାର ଚେଷ୍ଟା ସେତେବେଳେ ଖୁବ୍ ହେଇଥିଲା; କିନ୍ତୁ ଫଳ କିଛି ହେଲାନାହିଁ ।

 

ସେତେବେଳେ ସ୍କୁଲ୍‍ଟିମ୍‍ମାନଙ୍କ ପାଇଁ ‘ଗୁପ୍ତ କପ୍’ ଓ ଆଉ ଗୋଟିଏ କପ୍ ଥାଏ । କଲେଜ ମେଡ଼ିକାଲ ଓ ବାହାର ଟିମ୍‍ପାଇଁ ଆଉ ଗୋଟିଏ କପ୍ ଥାଏ । କଲେଜ-ମେଡ଼ିକାଲ ଖେଳ ଖୁବ୍ ଉତ୍ତେଜନାମୂଳକ ହୁଏ ଓ ପ୍ରାୟ ମାଡ଼ଗୋଳରେ ଶେଷ ହୁଏ । ବେଳେବେଳେ ଦୁଇ ଅନୁଷ୍ଠାନରେ ଅଧ୍ୟାପକ ଓ ଅଧ୍ୟକ୍ଷମାନଙ୍କୁ ମଧ୍ୟ ମାଡ଼ଗୋଳ ଭିତରକୁ ଓଟାରି ଅଣାଯାଏ । ସ୍କୁଲ୍‍ କଲେଜର ପିଲାମାନଙ୍କଠାରୁ ବସ୍ତିବାଲା ଲୋକଙ୍କର ଫୁଟବଲ ଖେଳ ଦେଖିବାରେ ଆଗ୍ରହ ଥାଏ ବହୁତ ବେଶି । ପାଟି କରି କରି ଦେଖାଳିମାନଙ୍କର ଗଳା ବସିଯାଏ । ପିଟାପିଟି ହେଇ ମୁଣ୍ଡ ଫାଟେ, ଛତାବାଡ଼ି ଭାଙ୍ଗେ । ବେଳେବେଳେ ଜିତିଲାବାଲା ଦଳର ସମର୍ଥକମାନେ ଖେଳାଳିମାନଙ୍କୁ କାନ୍ଧରେ ବସାଇ ଶୋଭାଯାତ୍ରା କରି ଘରକୁ ଫେରନ୍ତି । ଖେଳ ଦେଖିବାକୁ ପଇସା ଖର୍ଚ୍ଚକରି ଟିକଟ କିଣିବାକୁ ପଡ଼ୁ ନଥିଲା କି କୌଣସି ବାଡ଼ବନ୍ଦୀ ନଥିଲା; ଅଥଚ ଲୋକେ ମାଡ଼ଗୋଳ ସମୟ ଛଡ଼ା ଅନ୍ୟ ସମୟରେ ଲାଇନ୍ ଟପି ଭିତରକୁ ପଶୁ ନଥିଲେ ।

 

ଫୁଟବଲ ଖେଳ ଛଡ଼ା କ୍ରିକେଟ୍ ବା ହକି ଖେଳ କଟକରେ ସେତେବେଳକୁ ବେଶି ପ୍ରଚଳିତ ହୋଇ ନଥାଏ । କେବେ କିପରି ଏ ଖେଳ ହୁଏ । କିନ୍ତୁ ସେତେବେଳେ ସାଧାରଣଙ୍କ ଭିତରେ ଶରୀର-ଚର୍ଚ୍ଚାର ଆଗ୍ରହ ଖୁବ୍ ଥାଏ । ବିଶେଷକରି ଗତ ଅସହଯୋଗ ଆନ୍ଦୋଳନ ପରେ ଶରୀର-ଚର୍ଚ୍ଚା ପ୍ରତି ଆଗ୍ରହ ବଢ଼ିଯାଇଥାଏ ଅସ୍ୱାଭାବିକଭାବେ । ଫୁଟବଲ, କ୍ରିକେଟ୍, ହକି ଖେଳପାଇଁ ପଇସା ଦରକାର । ପଡ଼ିଆ ଦରକାର । କିନ୍ତୁ ଦଣ୍ଡ, ବୈଠକ, ଆସନ, ପ୍ରାଣାୟାମ ପାଇଁ ପଇସା ବା ସ୍ଥାନର ଆବଶ୍ୟକତା ନଥାଏ । ଚୌଧୁରୀ ବଜାରରେ ବନା ପହିଲମାନଙ୍କର ଓ ବାଲୁବଜାରରେ ବହିରା ପହିଲମାନଙ୍କର ଫୁଲ୍‌କା ଥାଏ । ତା’ ଛଡ଼ା ସବୁ ବଜାରରେ ପ୍ରାୟ ଆଖଡ଼ା ଥାଏ । ସ୍କୁଲ୍‍ କଲେଜରେ ପିଲାମାନେ ଏଥିସକାଶେ କ୍ରମେ କ୍ରମେ ଆକୃଷ୍ଟ ହେଉଥାନ୍ତି । ଦଣ୍ଡ-ବୈଠକ ମାରିବା ଛଡ଼ା ସେମାନେ କୁସ୍ତି କସରତ ମଧ୍ୟ ଶିଖନ୍ତି । ଆଉ କେତେକ ଫୁଟବଲ ଖେଳିବା ବା କୁସ୍ତି ଶିଖିବା ଛାଡ଼ି କାଠଯୋଡ଼ି ବାଲି ବା ଅନ୍ୟ କୌଣସି ସୁବିଧା ଜାଗାରେ ଡୁଡ଼ୁ ଖେଳନ୍ତି ।

 

ଗୋରା ଦଣ୍ଡ-ବୈଠକ ପ୍ରଭୃତି ନିୟମିତ କରିବାକୁ ଆରମ୍ଭ କରିଥାଏ । ତାରାକୁ ମଧ୍ୟ ଏଥିରେ ତାଲିମ ଦେବାକୁ ଇଚ୍ଛାଥାଏ । କିନ୍ତୁ ତାରା ଫୁଟବଲ ଖେଳେ, ନହେଲେ ଡୁଡ଼ୁ ଖେଳେ । ତା’ର ବିଶ୍ଵାସ ଥାଏ ଅଳ୍ପ ବୟସରେ ଦଣ୍ଡ-ବୈଠକ ମାରିଲେ ଲୋକ ବଢ଼ିପାରିବ ନାହିଁ । ମାଂସପେଶୀ ଟାଣହେଇଗଲେ ମଣିଷ ଆଉ ଡେଙ୍ଗା ହେବନାହିଁ । ତେଣୁ ଗୋରା ଆଉ ତାରାକୁ ବାଧ୍ୟ କରେନାହିଁ । ତାରା କିନ୍ତୁ ମଝିରେ ମଝିରେ ଭାଇ ସାଙ୍ଗରେ ବନା ପହିଲମାନ ଆଖଡ଼ାକୁ ଯାଏଁ-। ଗୋରା କସରତ କରେ; କିନ୍ତୁ କୁସ୍ତି କରିବାକୁ ଭଲପାଏ ନାହିଁ । କୁସ୍ତିରେ କୁଆଡ଼େ ଗର୍ଦ୍ଦନରେ ଯେଉଁ ଥାପ୍ ମାରନ୍ତି ସେଥିରେ ମୁଣ୍ଡ ‘ଡଲ’ ହେଇଯିବ, ଯାହାହେଉ ଦୁଇ ଭାଇଙ୍କର ପଢ଼ାରେ ଯେପରି ନାଁ ଥାଏ, ଖେଳରେ ମଧ୍ୟ ଅଳ୍ପେ ବହୁତ ନାଁ ଥାଏ । ଦୀନୁବାବୁ ପିଲାଙ୍କର ଗତିବିଧି ବିଷୟରେ ଖୁବ୍ ସଚେତନ ଥାଆନ୍ତି । ଇଆଡ଼େ ସିଆଡ଼େ ତୁଚ୍ଛାଟାରେ ବୁଲି ଗପକରି ସମୟ କଟାଇବା ଅପେକ୍ଷା ଖେଳ ଓ ଶରୀର-ଚର୍ଚ୍ଚାରେ ସମୟ କଟେଇବାକୁ ସେ ପସନ୍ଦ କରୁଥାନ୍ତି-। ସେଥିପାଇଁ ପିଲା ଦୁହିଁଙ୍କପାଇଁ ସ୍ୱତନ୍ତ୍ର ଖାଇବାର ବ୍ୟବସ୍ଥା ସେ କରିଦେଇଥାନ୍ତି । ଫଳରେ ଗୋରା ତାରାଙ୍କୁ ଦେଖିଲେ ନିହାତି ଶତ୍ରୁ ମଧ୍ୟ ଦଣ୍ଡେ ନ ଅନେଇ ରହିପାରିବ ନାହିଁ ।

 

କିନ୍ତୁ ଏହି ଖେଳ କସରତ ପାଇଁ ଯେ ପୋଲିସ୍‍ର ଦୃଷ୍ଟି ଏ ଦୁଇ ଭାଇଙ୍କ ଉପରେ ପଡ଼ିଛି, ସେ କଥା ଦୀନୁବାବୁ ବହୁ ଡେରିରେ ଜାଣିବାକୁ ପାଇଲେ । ଏକଥା ଶୁଣି ତାଙ୍କର ତଦ୍ ବରଂ ଆହୁରି ବଢ଼ିଲା । ସେ ଏଣିକି ପରୋକ୍ଷରେ ଏହାକୁ ଅନୁମୋଦନ ନ କରି ପ୍ରତ୍ୟକ୍ଷରେ ଉତ୍ସାହିତ କରିବାକୁ ଲାଗିଲେ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ପୋଷାକ ଓ ଖାଇବା ପିଇବାର ବନ୍ଦୋବସ୍ତ କଲେ-। ତାଙ୍କ ପିଲାମାନେ ସରକାରୀ ଚାକିରି କରିବେ ନାହିଁ ବୋଲି ସେ ତ ସ୍ଥିର କରିସାରିଥିଲେ ବହୁପୂର୍ବରୁ । ଆଉ ପୁଲିସ ନଜରକୁ ଭୟ କ’ଣ ?

 

ଅଠେଇଶ

 

ଗୋରାର ପ୍ରଥମ-ବାର୍ଷିକ ଶ୍ରେଣୀର ପରୀକ୍ଷା ସରିଥାଏ । ଫଳ ବାହାରି ନଥାଏ । ସେ ତ ଆଉ ବିଶ୍ୱବିଦ୍ୟାଳୟ ପରୀକ୍ଷା ନଥାଏ, କେବଳ ଦ୍ଵିତୀୟ-ବାର୍ଷିକ ଶ୍ରେଣୀକୁ ଉନ୍ନୀତ ହେବା କଥା-। ଫଳ ବାହାରିବା ପରେ କଲେଜ ଦୁଇମାସ ଅଢ଼େଇ ମାସ ବନ୍ଦ ହେଇଯିବ । ତେଣୁ ତିନିମାସର କଲେଜ ଦରମା ଏକକାଳୀନ ନିଆଯିବ । ଦୀନୁବାବୁ ତିନିମାସର ଦରମା ଗୋରାକୁ ଦେଇ କହିଲେ, “ନେଇଥା ଏକ ତିନିମାସର ଦରମା । ଏଇଟା ବୋଧହୁଏ ମୋର ଶେଷ ଦରମା ଦେବା; ତେଣିକି କିଏ ଦରମା ଦେବ, କ’ଣ କରିବ, କହିପାରୁନାହିଁ ।” ଗୋରା ବାପାଙ୍କ ଏକଥାକୁ ସେତେବେଳେ ମୋଟେ ଗୁରୁତ୍ୱ ଦେଲାନାହିଁ । ଏମିତି ସିଏ କହନ୍ତି ବରାବର । ପୁଣି ଗତ କେତେଦିନ ହେଲା କାହିଁକି ଏମିତି କଥା ବେଶି କହୁଛନ୍ତି । ତାରାର ଦରମା ଦେବାବେଳେ ମଧ୍ୟ ଏମିତି କହିଥିବାର ଗୋରା ଶୁଣିଥିଲା ।

 

ଖରାଦିନ । ସକାଳୁଆ ସ୍କୁଲ୍‍ । ତ୍ରୈମାସିକ ପରୀକ୍ଷା ତାରାର ସରିଥାଏ । ସେ ଖରାରେ ସ୍କୁଲ୍‍ରୁ ଆସି ଶୋଇପଡ଼ିଲା ।

 

ଗୋରା କଲେଜ ଯାଇଥାଏ । ତାରା ମଦନକୁ କହିଲା ଗିଲାସେ ପାଣି ଦବାକୁ । ମଦନ କହିଲା “ରହ, ଖରାରେ ଆସିଛ । ଝାଳ ମରୁ, ପାଣି ପିଇବ ।” “ମୋର ତ ଝାଳ ବୋହୁନାହିଁ; ମୋ ଦେହ ମୁଣ୍ଡ କ’ଣ ହେଇ ଯାଉଛି” କହି ତାରା ଖଟରେ ଶୋଇ ପଡ଼ିଲା । ମଦନ ତା’ ମୁଣ୍ଡରେ ହାତ ମାରି ଦେଖେ ତ ଖୁବ୍ ତାତିଛି । ମଦନାଠାରୁ ପାଣି ଗିଲାସକ ନେଇ ଢକଢ଼କ କରି ପିଇଦେଇ ସେ ଶୋଇଗଲା । ତାକୁ ନିଦ ହୋଇଗଲା ।

 

କିଛି ସମୟ ପରେ ଦୀନୁବାବୁ କଚେରିରୁ ଫେରି ଦେଖିଲେ ତାରା ଜରରେ ଶୋଇଛି । ସେ ତାରା ମୁଣ୍ଡରେ ହାତଦେଇ ଦେଖିଲେ ଭୟାନକ ତାତି । କିଛି ନକହି ଲୁଗାପଟା ଛାଡ଼ିଲେ । ନାନୁବାବୁ ମଧ୍ୟ ତାରାକୁ ଦେଖିଲେ । ଦୁଇଭାଇ ବଡ଼ ଚିନ୍ତିତ ହୋଇ ଖାଇ ବସିଲେ । ସେତେବେଳେ କଟକରେ ଡାକ୍ତର ଖୁବ୍ କମ୍ ଥା’ନ୍ତି । କବିରାଜି ଚିକିତ୍ସା ଉପରେ ଲୋକେ ବେଶି ନିର୍ଭର କରୁଥାନ୍ତି । ଖରା କମୁ, ଯାହା କରିବା ବୋଲି ଦୁଇଭାଇ ବିଚାର କଲେ । ନାନୁବାବୁ ତାରା ମୁଣ୍ଡରେ ହାତମାରି ଯେତେବେଳେ ଦେଖିଲେ ଯେ ତାତି ଖୁବ୍ ବେଶି, ସେ ପାଣିପଟି ଦବାକୁ ଆରମ୍ଭକଲେ । ତାରା ଆଖି ଫିଟଉ ନଥାଏ କି କିଛି କହୁ ନଥାଏ । ପାଣିପଟି ଦବା ସତ୍ତ୍ୱେ ଜର କମୁ ନଥାଏ । ତାରା ହାତଗୋଡ଼ ଛାଟି ଖାଲି ଉଃ, ଆଃ କରୁଥାଏ; କିନ୍ତୁ ତା’ର ହୋସ୍‌ ଥିଲା ପରି ମନେ ହେଉ ନଥାଏ । ଖରା ଟିକିଏ କମିଲାରୁ ନାନୁବାବୁ ଧାଇଁଲେ କବିରାଜଙ୍କ ପାଖକୁ । ବାଲୁଙ୍କେଶ୍ୱର କବିରାଜ ଦିନୁବାବୁଙ୍କର ଘରୋଇ ଚିକିତ୍ସକ । ସବୁ ରୋଗର ଚିକିତ୍ସାପାଇଁ ତାଙ୍କୁ ଡକାଯାଏ । କବିରାଜେ ଆସୁ ଆସୁ ଡେରି ହେବାରୁ ଗୋରା କଲେଜରୁ ଆସି ତାଙ୍କ ଘରକୁ ଦୌଡ଼ିଲା । ଦେଖିଲା ବାଟରେ ଘୋଡ଼ାଗାଡ଼ିରେ କବିରାଜେ ଆସୁଛନ୍ତି । ପଛରେ ସାଇକେଲରେ ନାନୁବାବୁ । କବିରାଜଙ୍କୁ ଦେଖି ଗୋରା ଫେରିଆସିଲା । ପଛେ ପଛେ ତା’ର କବିରାଜଙ୍କ ଗାଡ଼ି ଆସି ପହଞ୍ଚିଲା । ସେତେବେଳକୁ ମୁହଁସଞ୍ଜ । ଲଣ୍ଠନ ଲଗେଇ ମଦନା ଆଣି ସେ ଘରେ ରଖିଦେଇଗଲା ।

 

କବିରାଜେ ଘର ଭିତରେ ତାରାର ବିଛଣା ପାଖକୁ ଯାଇ ତା’ ମୁଣ୍ଡରେ ହାତ ମାରିଲେ । ନାଡ଼ି ଧରି କିଛି ସମୟ ଦେଖିଲେ । ସେ କହିଲେ, “ତାରାଚାନ୍ଦ ଖରାରେ କୁଆଡ଼େ ଖୁବ୍‌ ଡେଇଁଛନ୍ତି-। ଏ ଯେଉଁ ଖରା, ସେଇ ତାତିରେ ଜର ଧରିନେଇଛି । ହଉ, ମୋ ସାଙ୍ଗରେ କାହାକୁ ପଠାଅ-। ମୁଁ ଦୋକାନରୁ ଔଷଧ ଦଉଛି । ଆଜି ରାତିରେ କିଛି ଖାଇବାକୁ ଦେବନାହିଁ । ବରାବର ପାଣିପଟି ଦେଉଥିବ । ଶୋଷ ହେଲେ ଲେମ୍ବୁ ସରବତ ଦେବ ।”

 

ଏହା କହି କବିରାଜେ ବିଦାୟ ନେଲେ । ତାଙ୍କ ଗାଡ଼ି ପଛେ ପଛେ ଗୋରା ଚାଲିଲା ସାଇକେଲରେ ଔଷଧପାଇଁ । ଔଷଧ ଅଣାଯାଇ ସେଇ ରାତିରୁ ଔଷଧ ଦେବା ଆରମ୍ଭ କରାଗଲା-। ଦୀନୁବାବୁ ଖାଲି କହୁଥାନ୍ତି–“ଶନିବାରଟାରେ ଆରମ୍ଭ ହେଲା ଜର । କ’ଣ ହେଉଛି କେଜାଣି-।” ଔଷଧ ସାଙ୍ଗରେ ମହୁ ଦରକାର ବୋଲି ଗୋରା କବିରାଜଙ୍କ ଦୋକାନରୁ ମହୁ ବୋତଲଟିଏ ନେଇଆସିଥାଏ । ସନ୍ଧ୍ୟାରେ ରାତି ବାରଟାରେ, ପୁଣି ଭୋର ଚାରିଟାରେ ଔଷଧ ତିନିପାନ ଦିଆଗଲା । ରାତିରେ ନାନୁବାବୁ ପ୍ରାୟ ଅନିଦ୍ରା ହେଇ ତାରା ପାଖରେ ଥାନ୍ତି । ପାଣିପଟି ଦେଉଥାନ୍ତି-। ତିନିପାନ ଔଷଧ ଗଲାଣି; କିଛି ଜର କମୁନାହିଁ । ନାନୁବାବୁ ଭାଇଙ୍କୁ ନ ଉଠେଇଲେ କ’ଣ ହେବ, ଦୀନୁବାବୁ ବରାବର ମଝିରେ ମଝିରେ ଉଠି ଦେଖୁଥାନ୍ତି । ସକାଳ ହେଲା, ଆଉ ପାନେ ଔଷଧ ଥାଏ । ଆଠଟାବେଳକୁ ସେଇ ପାନକ ଔଷଧ ଦେଇ ନାନୁବାବୁ ଗାଧୋଇ-ପାଧୋଇ ଧାଇଁଲେ କବିରାଜଙ୍କ ପାଖକୁ । ଲୋକଙ୍କୁ ଜର ହୁଏ; ସେମାନଙ୍କର କିନ୍ତୁ ହୋସ୍‌ ଥାଏ । ବ୍ୟସ୍ତ ହୁଅନ୍ତି, ବାଉଳିଚାଉଳି ହେଇ ଗପନ୍ତି । ତାରା କିନ୍ତୁ ନିର୍ବାକ୍‌ ହେଇ ପଡ଼ିରହିଛି । ଖାଲି ଉଃ, ଆଃ ଛଡ଼ା ଖାଇବି ପିଇବି କିଛି କହୁନାହିଁ । ନାନୁବାବୁ କବିରାଜଙ୍କୁ ଏ ସବୁ କଥା କହିଲେ । ଜର ନ ଓହ୍ଲେଇବା କଥା ଶୁଣି କବିରାଜେ ଟିକିଏ ଚିନ୍ତିତ ହେଲେ । ପୁଣି ଔଷଧ ଦେଇ କହିଲେ “ମୁଁ ପୁଣି ଏଗାରଟା ବାରଟାବେଳକୁ ଯାଇ ତାରାକୁ ଦେଖିଆସିବି । ଆଜି ତ ରବିବାର, ତମେସବୁ ଘରେ ଥିବ । ହଁ, ଗଲାବେଳେ ଦି’ଟା ପଇଡ଼ ନେଇ ଯିବ । ମଝିରେ ମଝିରେ ପଇଡ଼ ପାଣି ଦେଉଥିବ ।”

 

କବିରାଜଙ୍କ ବରାଦ ମୁତାବକ ଔଷଧ ଓ ପଥ୍ୟ ଦିଆଯାଉଥାଏ । କବିରାଜେ ମଧ୍ୟ ପୁଣି ଆସି ଦେଖିଗଲେ; କହିଲେ, ‘‘ପାଣିପଟିରେ ଯଦି ଜର ନ ଓହ୍ଲେଇଲା, ବରଫ ଆଣି ଦେବାକୁ ହେବ-।’’ ସନ୍ଧ୍ୟାବେଳକୁ ଜର ଓହ୍ଲାଇ ନଥାଏ । ସାହିରେ ସେତେବେଳେ ସମସ୍ତଙ୍କ ଘର ଖବର ସମସ୍ତଙ୍କୁ ଜଣାଥାଏ । ପୁଣି ତା’ର ଫୂର୍ତ୍ତି ସକାଶେ ତାରାକୁ ସମସ୍ତେ ଭଲପାନ୍ତି । ନନ୍ଦବାବୁ ମୁକ୍ତାର, ଦୀନୁବାବୁଙ୍କ ସାଙ୍ଗ ରାଧାନାଥବାବୁ, ଓକିଲ ଜଗତୀବାବୁ ସମସ୍ତେ ଆସିଲେ । ଜରଟା ନ ଓହ୍ଲେଇବାରୁ ସମସ୍ତେ ଚିନ୍ତିତ ଥାନ୍ତି । ଦେଖୁଦେଖୁ ଛତିଶ ଘଣ୍ଟା ହେବାକୁ ବସିଲା । ଜର ଓହ୍ଲାଉ ନାହିଁ କି ପାଟିରୁ କଥା ବାହାରୁନାହିଁ । ପୁଣି କବିରାଜଙ୍କଠାରୁ ଔଷଧ ଅଣାଗଲା । ପଇଡ଼ ପାଣି, ଗରମ ପାଣିକୁ ଥଣ୍ଡା କରି ମଝିରେ ମଝିରେ ଦିଆଯାଉଥାଏ । ଔଷଧ ମଧ୍ୟ ନିୟମିତ ଦିଆଗଲା; କିନ୍ତୁ ଜର ଓହ୍ଲାଇଲା ନାହିଁ ।

 

ତା’ପର ଦିନ ସୋମବାର । ଦୀନୁବାବୁ କଚେରିକୁ ଗଲେ; କିନ୍ତୁ ନାନୁବାବୁ ଆଉ କଚେରି ଗଲେନାହିଁ । ଏମିତି ଚାରିଦିନ ଚାଲିଗଲା । ଜର ଉପଶମ ନହବାରୁ ଓ ହୋସ୍ ନ ଆସିବାରୁ ସମସ୍ତେ ପ୍ରମାଦ ଗଣିଲେ । ସେତେବେଳେ ହସପିଟାଲ ଯିବାକୁ କେହି ରାଜି ହୁଅନ୍ତିନାହିଁ-। ଆଜିକାଲି ଡାକ୍ତରଖାନାରେ ଖଟିଆଟିଏ ପାଇବାକୁ ଯେପରି ଦିନ ଦିନ ଧରି ଧାରଣାଦେବାକୁ ପଡ଼ୁଛି, ସେତେବେଳେ ସେପରି ନଥିଲା । ସହରଲୋକେ ଅତି ସାଂଘାତିକ ହେଲେ ମଧ୍ୟ ଡାକ୍ତରଖାନା ଯାଆନ୍ତିନାହିଁ । ପେଟବେମାର, ଜର ପ୍ରଭୃତି ରୋଗ ସକାଶେ ବା ପ୍ରସବପାଇଁ କେହି ଡାକ୍ତରଖାନାକୁ ଯାଆନ୍ତିନାହିଁ । ମଫସଲର ଲୋକଙ୍କର ତ ଆହୁରି ଭୟ : ‘ହାସପାତାଳ’ ନୁହେଁ ଯେ ‘ରାସପାତାଳ’ । ସେଠୁ ସହଜରେ ଉଧୁରି ଆସିବା କଷ୍ଟ । ଉଧୁରି ଆସିଲେ ମଧ୍ୟ ଗାଁରେ ଗାଁରେ ଜାତିଆଣ ବାସନ୍ଦ ହେବାର ଭୟଥାଏ । ତେଣୁ ଡାକ୍ତରୀ ଚିକିତ୍ସାର ପ୍ରସାର କଟକରେ ସେତେବେଳେ ମୋଟେ ନଥାଏ । ତେବେ ତାରାର ଜର ନକମିବାରୁ ବଙ୍କିମବାବୁ ବୋଲି ହାସପାତାଳର ଜଣେ ଡାକ୍ତରଙ୍କୁ ଡକାଗଲା । ସେ ତାରାକୁ ଦେଖି ଓ ଚାରିଦିନ ଜରର ବୃତ୍ତାନ୍ତ ସବୁ ଶୁଣି କହିଲେ, ‘‘ଏହା ଟାଇଫଏଡ଼୍‍; ଏହାର ଔଷଧ କିଛି ନାହିଁ । କେବଳ ସେବା ଆଉ ପଥ୍ୟ ।’’ ତଥାପି କେତେକ କଟିକା ଓ ପାଣି ଔଷଧ ବ୍ୟବସ୍ଥା କରି ସେ ଗଲେ । ଆଜିକାଲିକା ପରି ସବୁ ରୋଗପାଇଁ ପେଟେଣ୍ଟ ଔଷଧ ସେତେବେଳେ ନଥାଏ । ପ୍ରତ୍ୟେକ ବଟିକା ବା ଔଷଧକୁ ଡାକ୍ତର ଦୋକାନରେ ତିଆରି କରିବାକୁ ହୁଏ–ଡାକ୍ତର ଲେଖିଥିବା ଭାଗମାପରେ । ଏମିତିକିଆ ଡାକ୍ତର ଦୋକାନ ମଧ୍ୟ ସେତେବେଳକୁ କଟକରେ ଦୁଇଟି ଥାଏ । ଯାହାହଉ ବକ୍‍ସିବଜାରରୁ ଔଷଧ ତିଆରି କରାଇ ଅଣାଗଲା । ବରଫ ମଧ୍ୟ ମୁଣ୍ଡରେ ଦିଆଯାଉଥାଏ । ଡାକ୍ତର କହିଗଲେ, ଏ ଜର ଚଉଦଦିନ, ଏକୋଇଶ ଦିନ ବା ବୟାଳିଶ ଦିନରେ ଓହ୍ଲେଇ ପାରେ । ତେଣୁ ଖୁବ୍ ସାବଧାନ ହୋଇ ସେବା କରିବାକୁ ହେବ ।

 

ଦେଖୁଦେଖୁ ସାତଦିନ ପୂରି ଆଠଦିନ ହେଲା । ଗୋରା କଲେଜ ଯାଇଥିଲା ନଖାଇ କରି । ତା’ର ସେ ଦିନ ଫଳ ବାହାରିବାର ଥାଏ । ସେ ସବୁଦିନ କଲେଜରୁ ଫେରିଲାବେଳେ ବରଫ ନେଇ ଆସୁଥିଲା । ଆଜି କିନ୍ତୁ ତା’ର ବରଫ ଆଣିବା ମନେ ନଥିଲା । ସେ ଘରକୁ ଫେରିଆସି ବରଫ ନଥିବା ଶୁଣି ଖାଇସାରି ପୁଣି କଲେଜ ପାଖ ବରଫକଳକୁ ସେହି ଉଦୁଉଦିଆ ଖରାବେଳେ ଚାଲିଗଲା; ସେଠାରୁ ବରଫ ନେଇ ଫେରି ଆସି ତା’ର ଦେହ ଭଲ ଲାଗୁନାହିଁ ବୋଲି ସେ ଶୋଇପଡ଼ିଲା । କିନ୍ତୁ ତା’ ପରେ ପରେ ତାକୁ ମଧ୍ୟ ଜର ଆସିଗଲା । ତାକୁ ମଧ୍ୟ ସେହିପରି ଖୁବ୍ ତାତି ହେଲା । ସେ ଆଉ ଗୋଟିଏ ଖଟରେ ଶୋଇଲା । ଏ କେଇଦିନ ହେଲା ତାରାକୁ ଦେଖିବାକୁ ସନ୍ଧ୍ୟାବେଳକୁ ଡାକ୍ତର ଆସୁଥିଲେ । ସେ ମଧ୍ୟ ଗୋରାକୁ ଦେଖିଲେ । ତାକୁ ମଧ୍ୟ ଟାଇଫଏଡ଼୍ ହେଇପାରେ ବୋଲି ସନ୍ଦେହ କଲେ । କିନ୍ତୁ ଚିନ୍ତିତ ନ ହେବାକୁ କହି ପରଦିନ ଔଷଧର ବ୍ୟବସ୍ଥା କରିବେ ବୋଲି କହି ବିଦାୟ ନେଲେ । ଦୀନୁବାବୁ ଓ ନାନୁବାବୁଙ୍କର ବଡ଼ ଚିନ୍ତା ପଡ଼ିଗଲା । କଥା ହେଲା, କାଲି ସକାଳୁ ନାନୁବାବୁ ଘୋଡ଼ାଗାଡ଼ି ନେଇ ଗାଁରୁ ଦୀନୁବାବୁଙ୍କ ସ୍ତ୍ରୀଙ୍କୁ ନେଇ ଆସିବେ ବୋଲି ।

 

ତା’ ପରଦିନ ରବିବାର ଥାଏ । ଜଗତୀ ଓକିଲ ସକାଳୁ ଆସି ଶୁଣିଲେ ଯେ ଗୋରାକୁ ମଧ୍ୟ କାଲିଠାରୁ ଭାରି ଜର । କି ଜର କ’ଣ ପରୀକ୍ଷା କରି ଜାଣିବାର ଉପାୟ ସେତେବେଳେ ନଥାଏ; ଖାଲି ଅନ୍ଧାରରେ ବାଡ଼ି ବୁଲେଇବା କଥା–ଔଷଧ ଦେଉଁ ଦେଉଁ ଯେଉଁଟା ଧଇଲା । ଜଗତୀବାବୁ ସେତେବେଳେ ପ୍ରାକୃତିକ ଚିକିତ୍ସା ବା ଜଳ-ଚିକିତ୍ସା ବୋଲି ଗୋଟାଏ ପ୍ରକାର ଚିକିତ୍ସା କରିଥାନ୍ତି । ସେ ଓକିଲାତି କରିବା ସଙ୍ଗେ ସଙ୍ଗେ ଏ ଚିକିତ୍ସା କରୁଥାନ୍ତି । ଗତ କେତେଦିନ ଦେଲା ଅନେକ କ୍ଷେତ୍ରରେ ସେ ସାଙ୍ଘାତିକ ରୋଗମାନ ଆରୋଗ୍ୟ କରି ଆଶାତୀତ ଫଳ ପାଇଲେଣି । ସେ ଗୋରାକୁ ପ୍ରାକୃତିକ ଚିକିତ୍ସାରେ ନିଜର ତତ୍ତ୍ଵାବଧାନରେ ରଖିବେ ବୋଲି କହିଲେ । ଜଗତୀବାବୁଙ୍କ ଘର ଦୀନୁବାବୁଙ୍କ ଘର ପାଖରେ । ବୁଡ଼ିଯାଉଥିବା ଲୋକ କୁଟାଖିଅକୁ ଆଶ୍ରା କଲାପରି ଦୀନୁବାବୁ ଜଗତୀବାବୁଙ୍କ ଚିକିତ୍ସାରେ ଗୋରାକୁ ଛାଡ଼ିଦେବେ ବୋଲି ସ୍ଥିର କଲେ । କବିରାଜି, ଡାକ୍ତରୀ ଚିକିତ୍ସାରେ ତ ଆଜିକୁ ନ’ଦିନ ହେଇଗଲା ତାରାର ଜରର କିଛି ବିରାମ ହେଲାନାହିଁ । ଏକପ୍ରକାର ସଂଜ୍ଞାହୀନ ଅବସ୍ଥାରେ ସେ ଏ କେତେଦିନ ହେଲା ରହିଛି । ତେଣୁ ଗୋରାକୁ ପ୍ରାକୃତିକ ଚିକିତ୍ସା କରିବାର ସ୍ଥିରହେଲା ।

 

ଗାଁରୁ ଭାଉଜଙ୍କୁ ଧରି ନାନୁବାବୁ ବାରଟାବେଳକୁ ଆସି ପହଞ୍ଚିଲେ । ସେତେବେଳକୁ ଜଗତୀବାବୁ ଗୋରାର ମୁଣ୍ଡ ଓ ଗୋଡ଼କୁ କମ୍ବଳରେ ଘୋଡ଼େଇ ରଖି ଗୋଟିଏ କୁଣ୍ଡରେ ପାଣି ଭର୍ତ୍ତିକରି ଗୋରାକୁ ସେହି କୁଣ୍ଡରେ ବସେଇ ତା’ ପେଟରେ ପାଣି ଦଉଥାନ୍ତି । ପେଟରେ ପାଣି ଦବାପରେ କୁଣ୍ଡରୁ ଉଠେଇ ପେଟରୁ ପାଣି ପୋଛି ଘୋଡ଼େଇ ଦିଅନ୍ତି ଓ ଗୋଡ଼ ମୁଣ୍ଡକୁ ଥଣ୍ଡାପାଣିରେ ଧୋଇ ପୋଛି ଶୁଏଇଦିଅନ୍ତି । ଗୋରାକୁ ଟେକିଆଣି ଆସ୍ତେକରି ଶୁଆଇ ଦେଲାବେଳେ ବୋଉ ଆସି ଗାଁରୁ ପହଞ୍ଚି ଏ ଦୃଶ୍ୟ ଦେଖିପକେଇଲେ । ସେଘରୁ ତାରାକୁ ସଂଜ୍ଞାହୀନ ଅବସ୍ଥାରେ ଦେଖି ଆସିଥିଲେ । ଏ ଘରେ ଗୋରାକୁ ସେହିପରି ଅଜ୍ଞାନ ଅବସ୍ଥାରେ ଟେକାହେଇ ଯାଉଥିବାର ଦେଖି ସେ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ପାଟିକରି କାନ୍ଦି ଉଠିଲେ । ଦୀନୁବାବୁ ପାଟି କରିବାରୁ ତୁନି ହୋଇ ଗୋରାର ଗୋଡ଼ ତଳେ ବସିପଡ଼ିଲେ ।

 

ଦୁଇଘରେ ଦୁଇପୁଅ । ବାପା, ଦାଦା, ବୋଉ ସବୁ କାମ ଛାଡ଼ି ସେ ଦୁହିଁଙ୍କ ସେବାରେ ଲାଗିପଡ଼ିଲେ । ଦଶ ଏଗାର ଦିନଠାରୁ ତାରାର ଜର କମିବାକୁ ଲାଗିଲା । ଡାକ୍ତର ଭୟ ଦେଖାଇଲେ ଜର ହଠାତ୍ କମିଯାଇ ସନ୍ନିପାତ ହେଇଯାଇପାରେ ବୋଲି । ତେଣୁ ସତର୍କ ରହିବାକୁ ହେବ । ଜରନଳୀରେ ବରାବର ଜର ଦେଖିବାକୁ ହେବ । ଦେହ ହାତ ଥଣ୍ଡା ହେବାର ଜଣାପଡ଼ିଲେ ଗୋଟାଏ ଔଷଧ ଦେବାର ବ୍ୟବସ୍ଥା ଡାକ୍ତର କରିଦେଇଗଲେ । ଗୋରାର ପ୍ରାକୃତିକ ଚିକିତ୍ସା ଚାଲିଥାଏ । ପେଟରେ ପଙ୍କ ଦିଆଯାଉଥାଏ, ଦିନେ ଛଡ଼ା ଦିନେ ଗୋଟାଏ ମଞ୍ଜକଦଳୀପତର ଉପରେ କୋଠା ଉପର ଖରାରେ ଦଶ ମିନିଟପାଇଁ ଶୁଏଇ ଦିଆଯାଏ । ଦେହ ଉପରେ ଆଉ ଖଣ୍ଡେ ପତର ଘୋଡ଼େଇ ଦିଆଯାଇଥାଏ ।

 

ଦଶ ମିନିଟ ପରେ ଟେକିଆଣି ବିଛଣାରେ ଶୁଆଇ ଦିଆଯାଏ । ପଥ୍ୟ : ତୋରାଣି ଓ ପଇଡ଼ ପାଣି । ସନ୍ଧ୍ୟାରେ ଦିନେ ଦିନେ ବାମ୍ଫୁଆଣି ଦିଆଯାଏ । ଏ ଅଭିନବ ଚିକିତ୍ସା ଦେଖିବାକୁ ଅନେକ ଲୋକ ଆସୁଥାନ୍ତି । ତାରାର ଜର ଓହ୍ଲାଇଯାଇ ସ୍ଵାଭାବିକ ଅବସ୍ଥାକୁ ଆସିଗଲା । ବରଫ ଦିଆଯିବା ପାଇଁ ମୁଣ୍ଡରୁ ବାଳସବୁ କଟାଯାଇଥାଏ । ଦେହ ଏକବାରେ ଜୀର୍ଣ୍ଣଶୀର୍ଣ୍ଣ ହେଇଯାଇଥାଏ-। ଉଠିବସିବାର ଶକ୍ତି ମଧ୍ୟ ନଥାଏ । ଡାକ୍ତର କହିଥାନ୍ତି, ଜର ପରେ ଖାଇବା ପିଇବାରେ ଖୁବ୍ ସତର୍କତା ଅବଲମ୍ବନ କରିବାକୁ ହେବ । ନଚେତ୍ ଜର ଲେଉଟିପାରେ । ଜର ଲେଉଟିଲେ ଆଉ ରକ୍ଷାନାହିଁ । ତେଣୁ ଡାକ୍ତରଙ୍କ କହିବାନୁସାରେ ଖାଦ୍ୟପେୟର ବ୍ୟବସ୍ଥା ଖୁବ୍ ସାବଧାନତା ସହକାରେ କରାଯାଇଥାଏ ।

 

ଏଣେ ଗୋରାର ପ୍ରାକୃତିକ ଚିକିତ୍ସା ଚାଲିଥାଏ । ଗୋରା ସେହିପରି ଅଜ୍ଞାନ ଅବସ୍ଥାରେ ଥାଏ; କିନ୍ତୁ ତାରାପରି ଦୁର୍ବଳ ହେଇ ନଥାଏ । ତାକୁ ଦହିପଖାଳ, ଲିଚୁ, ପାଚିଲା ଅମୃତଭଣ୍ଡା ପ୍ରଭୃତି ଦିଆଯାଉଥାଏ । ଏତେ ଥଣ୍ଡା ଚିକିତ୍ସା ସତ୍ତ୍ଵେ ତାକୁ ଥଣ୍ଡା ଧରୁ ନଥାଏ; କିନ୍ତୁ ଦୁଇଭାଇ ଜର ହେଲା ଦିନୁ ଏକପ୍ରକାର ଅଜ୍ଞାନ ଅବସ୍ଥାରେ ରହୁଥିଲେ । ଯାହାହେଉ ଭଗବାନଙ୍କ ଅପାର କରୁଣାରୁ ଓ ସମସ୍ତଙ୍କର ଅକ୍ଳାନ୍ତ ସେବା ଫଳରେ ତାରା ଓ ଗୋରା ଜରମୁକ୍ତ ହେଲେ ।

 

ଅଣତିରିଶ

 

ଗୋରା ଜ୍ୱର ମୁକ୍ତ ହେବାର ଠିକ୍ ଦିନକ ପରେ ଦୀନୁବାବୁ କଚେରିକୁ ସହଳ ସହଳ ଫେରି କହିଲେ, ତାଙ୍କ ଦେହ କାହିଁକି କସ୍‌ମସ୍ ହେଉଛି । ଲୁଗାପଟା ଓହ୍ଲାଇ କିଛି ନ ଖାଇ ସେ ଶୋଇଗଲେ । ଚାହୁଁଚାହୁଁ ଗୋରା ତାରାଙ୍କୁ ଯେପରି ହୁହୁ ଜ୍ୱର ମାଡ଼ିବସିଥିଲା, ତାଙ୍କୁ ମଧ୍ୟ ସେହିପରି ଜ୍ୱର ମାଡ଼ି ଆସିଲା । ଦୀନୁବାବୁ ପାଞ୍ଚହାତ ମରଦ । ଯେପରି ଡେଙ୍ଗା ସେହିପରି ମୋଟ-। ବିରାଟ ବପୁ । ତାରା ଆରୋଗ୍ୟ ହୋଇଥିଲେ ମଧ୍ୟ ସେ ଚଳତ୍‌ଶକ୍ତି ରହିତ । ସବୁବେଳେ ବିଛଣାରେ ପଡ଼ି ଖାଇବି ଖାଇବି ବୋଲି କାନ୍ଦୁଛି । ଗୋରା ପନ୍ଦର ଦିନରେ ଆରୋଗ୍ୟ ହୋଇଥିଲା-। ସେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥାଏ । ବୋଉ, ବାପା, ଦାଦାଙ୍କ ଅକ୍ଳାନ୍ତ ପରିଶ୍ରମରେ ପିଲା ଦୁହେଁ ଆରୋଗ୍ୟ ହୋଇ ଆସିଲାବେଳକୁ ଦୀନୁବାବୁ ଏପରି ପଡ଼ିଯିବାରେ ସମସ୍ତେ ଚିନ୍ତିତ ହୋଇପଡ଼ିଲେ-। ବୋଉ ଗାଁରେ ମୀରାକୁ ଖୁଡ଼ୀଙ୍କ ପାଖରେ ଛାଡ଼ିଦେଇ ଆସିଥାନ୍ତି ।

 

ସନ୍ଧ୍ୟାବେଳକୁ ଜ୍ୱରର ତାପ ବଢ଼ିଲା । ପୁଣି ଡାକ୍ତରଙ୍କୁ ଡକରା ହେଲା । ଡାକ୍ତରବାବୁ ବରାବର ସତର୍କ କରେଇ ଆସୁଥିଲେ, ପରିବାରରେ ଗୋଟିଏ ଲୋକକୁ ଟାଇଫଏଡ଼୍ ହେଲେ, ଅନ୍ୟମାନଙ୍କୁ ସାବଧାନ ରହିବାକୁ ହେବ । ସେତେବେଳେ ଟାଇଫଏଡ଼୍‍ର ପ୍ରତିଷେଧକ ଔଷଧ କିଛି ବାହାରି ନଥାଏ । ଦୀନୁବାବୁଙ୍କ ଜରର ଅବସ୍ଥା ଦେଖି ସେ ବଡ଼ ଆତଙ୍କିତ ହେଲେ । ଜର ଦେଖିଲାବେଳକୁ ୧୦୪ ଡିଗ୍ରୀ । କିନ୍ତୁ ଝାଳ ଏତେ ବୋହୁଥାଏ ସେ ପ୍ରତି ଅଧଘଣ୍ଟାରେ ଗୋଟାଏ ଗୋଟାଏ ଚାଦର ଓଦା ହେଇଯାଉଥାଏ । ଏ କି ପ୍ରକାର ଜର ? ପିଲାମାନଙ୍କୁ ଟାଇଫଏଡ଼୍ ହେଇଥିଲା ଯେ ଦେହରୁ ମୋଟେ ତାତି ଖସୁ ନଥିଲା କି ଝାଳ ବୋହୁ ନଥିଲା । ଡାକ୍ତର ଔଷଧ ଲେଖିଦେଇ ଗଲେ । ସେ ସେହି ଔଷଧ । ତା’ ସହିତ ସମସ୍ତେ ପରିଚିତ ହେଇ ସାରିଲେଣି । ଟାଇଫଏଡ଼୍ ରୋଗର ବୋଧହୁଏ ଗୋଟାଏ ଲକ୍ଷଣ ଯେ ରୋଗଟା ହଠାତ୍ ମୁଣ୍ଡକୁ ଧରିନିଏ, ଫଳରେ ରୋଗୀର ଚେତା ରହେନାହିଁ । ଦୀନୁବାବୁ ମଧ୍ୟ ସେହିପରି ଅର୍ଦ୍ଧଚେତନ ଅବସ୍ଥାରେ ରହିଲେ ।

 

ଦିଦିନ ଗଲା । ତୃତୀୟ ଦିନ ସନ୍ଧ୍ୟାବେଳକୁ ଡାକ୍ତର ଆସିବାର ଅଳ୍ପ ସମୟ ପୂର୍ବରୁ ହଠାତ୍ ଗୁଡ଼ାଏ ରକ୍ତଝାଡ଼ା ହେଇଗଲା । ଡାକ୍ତର ସେତିକିବେଳେ ଆସି ପହଞ୍ଚି ସେ ଝାଡ଼ାର ଅବସ୍ଥା ଦେଖି ତଟସ୍ଥ ହୋଇଗଲେ । ସେତେବେଳକୁ ପାଖପଡ଼ିଶାରୁ କେତେକ ଲୋକ ଆସି ଜମା ହୋଇଗଲେଣି । ଡାକ୍ତର କହିଲେ, ଟାଇଫଏଡ଼୍ ହେଲା ଆନ୍ତ୍ରିକ ଜ୍ୱର । ଦୀନୁବାବୁ ମୋଟା ଲୋକ । ତାଙ୍କ ଅନ୍ତ ଛିଡ଼ିଯିବାରୁ ଏପରି ରକ୍ତଝାଡ଼ା ହେଇଗଲା । ଡାକ୍ତର ନାଡ଼ିଧରି ବସିଲେ । କିଛି ସମୟ ପରେ ଉଠି ପଦାକୁ ବାହାରି ଆସିଲେ । ବ୍ୟାଗ୍ ଖଣ୍ଡିକ ଉଠାଇ ନେଉ ନେଉ ନାନୁବାବୁ ଆସି ତାଙ୍କ ହାତ ଧରି ପକାଇଲେ । ଡାକ୍ତରବାବୁ କହିଲେ, ସବୁ ଶେଷ ହୋଇଗଲା, ପେଟ ଭିତରେ ଅନ୍ତ ଛିଣ୍ଡିଗଲେ ଏଠାରେ କ’ଣ ଡାକ୍ତରଖାନାରେ ମଧ୍ୟ କିଛି କରିବା ସମ୍ଭବ ହୁଅନ୍ତାନାହିଁ । ୟା କହି ସେ ବାହାରିଗଲେ ।

 

ଦୀନୁବାବୁଙ୍କ ସ୍ତ୍ରୀ ପାଖରେ ବସିଥିଲେ । ଡାକ୍ତର ଯିବାମାତ୍ରେ ସେ ସବୁ ବୁଝିପାରି ଦୀନୁବାବୁଙ୍କ ପ୍ରଶସ୍ତ ବକ୍ଷ ଉପରେ ପଡ଼ିଯାଇ କାନ୍ଦିବାକୁ ଆରମ୍ଭ କଲେ । ଘରେ ସ୍ତ୍ରୀଲୋକ ଭିତରେ ସେଇ ଏକା । ତାଙ୍କୁ ସାନ୍ତ୍ଵନା ଦେବାକୁ ଆଉ କେହି ନାହାନ୍ତି । ନାନୁବାବୁ କ’ଣ କରିବେ ଭାବିପାରୁ ନାହାନ୍ତି । ପିଲାଦୁଇଟା ମଧ୍ୟ କାନ୍ଦିବାକୁ ଲାଗିଲେ । ସେତେବେଳକୁ ପାଖପଡ଼ିଶା ଘରୁ ଲୋକେ ଆସି ଘର ଭିତରେ ଦାଣ୍ଡଦୁଆରେ ଜମା ହେଇ ପଡ଼ିଲେଣି । ରାଧାନାଥବାବୁ ପିଲାଦୁହିଁଙ୍କୁ ଗୋଟାଏ ଘରକୁ ନେଇଆସି ସେମାନଙ୍କ ଦାୟିତ୍ଵରେ ରହିଲେ । ନାନୁବାବୁ ବହୁ କଷ୍ଟରେ ଭାଉଜଙ୍କୁ ବୁଝେଇ ବସିଲେ ଦୀନୁବାବୁଙ୍କ ଗୋଡ଼ ପାଖରେ । କ’ଣ ବା ବୁଝେଇବେ ? ସେ କ’ଣ ବୁଝୁଥାନ୍ତି ? ସାଇର ଲୋକେ ନନ୍ଦବାବୁ, ଜଗତୀବାବୁ, ଭିକାରିବାବୁ ପ୍ରଭୃତି ଓକିଲ ଓ ମୁକ୍ତାରମାନେ ଆସି ଜମା ହେଇ ପଡ଼ିଲେ । କେତେକ ଶବ ନେବାପାଇଁ ଦରକାରୀ ଜିନିଷମାନ ସଂଗ୍ରହରେ ଲାଗିପଡ଼ିଲେ । ରାତାରାତି ଶବସଂସ୍କାର କରିବାକୁ ହେବ । ନଚେତ୍ ବାସିମଡ଼ା ହେଇଯିବ । ସବୁ ଠିକ୍‌ଠାକ୍‌ କରି ରାତି ଦଶଟାବେଳକୁ ଶବଯାତ୍ରା ଆରମ୍ଭ ହେଲା । ସାଙ୍ଗରେ ବହୁ ଲୋକ । ସାହିବାଲା ସଂକୀର୍ତ୍ତନ ଦଳ ନେଇ ବାହାରିଲେ । ଘରେ ପିଲାଙ୍କୁ ଜଗି ରହିଲେ ରାଧାନାଥବାବୁ ଓ ମଦନ । ନାନୁବାବୁ ସାଙ୍ଗରେ ଗଲେ ମୁଖାଗ୍ନି ଦେବେ ବୋଲି । ଏ ଖବର କିନ୍ତୁ ରାତାରାତି ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲା ।

 

ଖରାଦିନ । ସକାଳହେବା ପୂର୍ବରୁ ନାନୁବାବୁ ଶ୍ମଶାନରୁ ଫେରି ଗୋଟିଏ ବଗି ଗାଡ଼ିରେ ଭାଉଜ ଓ ଦୁଇ ପିଲାଙ୍କୁ ନେଇ ଗାଁକୁ ଚାଲିଗଲେ । ଦୀନୁବାବୁଙ୍କ ଗାଁର ପୁତୁରା ହିସାବ ହେବ ଗୋଟିଏ ପିଲା, ଶ୍ମଶାନରେ ରହିଲା ରଇଶୀତଳେଇ ଅସ୍ଥିନେଇ ଗାଁକୁ ଯିବ ବୋଲି ।

 

ସକାଳୁ ସକାଳୁ ଗାଡ଼ି ଯାଇଁ ଗାଁରେ ପହଞ୍ଚିଗଲା । ଦୀନୁବାବୁଙ୍କ ମା’ ମରିଥିଲେ; କିନ୍ତୁ ବାପା ଜୀବିତ ଥିଲେ । ସେ ପ୍ରତିଦିନ ପରି ସକାଳୁ ଉଠି ନଈକୂଳଆଡ଼େ ବୁଲିଯାନ୍ତି । ଦୂରରୁ ଗାଡ଼ି ଆସିବା ଦେଖି ସେ ଅପେକ୍ଷା କରି ଠିଆହେଲେ । ଗାଡ଼ି ଆସି ଘର ପାଖରେ ଠିଆ ହୋଇଯିବାରୁ ସେ ଆଶ୍ଚର୍ଯ୍ୟ ହେଇ ଦେଖନ୍ତି ତ ଗାଡ଼ିରୁ ନାନୁବାବୁ ବାହାରୁଛନ୍ତି । ସେ ଗାଡ଼ି ପାଖକୁ ଚାଲି ଆସି ଦେଖନ୍ତି ତ ବଡ଼ବୋହୂ ଓ ନାତି ଦୁଇଜଣ । କ’ଣ ହେଲା ବୋଲି ସେ ଭାବିବା ପୂର୍ବରୁ ନାନୁବାବୁ କହିଦେଲେ “ଭାଇ ଚାଲିଗଲେ” । ବୁଢ଼ା ଦି’ ହାତରେ ମୁଣ୍ଡକୁ ଧରି ସେଇଠି ବନ୍ଧ ଉପରେ ବସିପଡ଼ିଲେ । ସେତେବେଳକୁ ଆଉ ଦୁଇ ଚାରିଜଣ ଲୋକ ବନ୍ଧ ଉପରକୁ ଆସିଗଲେଣି । ଏ ଖବର ମୁହୂର୍ତ୍ତକ ଭିତରେ ଗାଁସାରା ବ୍ୟାପିଗଲା । ପିଲା ଦୁଇଜଣଙ୍କୁ ଏକରକମ କାନ୍ଧରେ ପକେଇ ଦି’ଜଣ ଲୋକ ଘରକୁ ନେଇ ଆସିଲେ । ନାନୁବାବୁଙ୍କ ସ୍ତ୍ରୀ ଏ ଖବର ପାଇ ଏକାଏକା ବନ୍ଧ ପାଖକୁ ଦଉଡ଼ି ଆସିଲେ । ସେ ପନ୍ଦରବର୍ଷର ବୋହୂ ହୋଇ କେବେ ଘରୁ ବନ୍ଧ ଉପରକୁ ଏକା ଯାଇ ନଥିଲେ । ଅପା ସେତେବେଳକୁ ଗାଡ଼ିର ଗୋଟାଏ କଣକୁ ଆଉଜିପଡ଼ି ରହିଛନ୍ତି । ତାଙ୍କର ଚେତା ଅଛି କି ନାହିଁ ଠିକଣା ନାହିଁ । ନାନୁବାବୁଙ୍କ ସ୍ତ୍ରୀ ଗାଡ଼ି ଭିତରକୁ ପଶିଯାଇ ‘ଅପା’ ବୋଲି ତାଙ୍କୁ କୁଣ୍ଢେଇ ପକେଇଲେ । ଦୁହେଁ ଦୁହିଁଙ୍କୁ କୁଣ୍ଢେଇ ରହିଗଲେ । କାହାରି କାନ୍ଦ ବନ୍ଦ ହେଉନାହିଁ । ସେତେବେଳକୁ ସାଇର ଆଉ ଦୁଇ ଚାରିଜଣ ସ୍ତ୍ରୀଲୋକ ବନ୍ଧ ଉପରକୁ ଚାଲିଆସିଲେ । ସେମାନେ ସମସ୍ତେ ଯାଇଁ ଏକପ୍ରକାର ଟେକି ନେଲାପରି ଟେକି ନେଲେ ତାଙ୍କୁ ଘରକୁ । ଗାଡ଼ି ଫେରିଗଲା । ମକଦମବୁଢ଼ା କିନ୍ତୁ ସେଇଠି ଯେ ବସିଯାଇଛନ୍ତି ସେ କଥା କାହାରି ଖିଆଲ ନାହିଁ । କେତେବେଳକେ ପୁରୁଣା କୋଠିଆ ମହନା ବନ୍ଧ ଉପରେ ବୁଢ଼ାବାବୁଙ୍କର ଏ ଅବସ୍ଥା ଦେଖି ସେ ଆଉ ପାଞ୍ଚଜଣ ଲୋକ ମିଶି ଧରାଧରି କରି ତାଙ୍କୁ ଘରକୁ ଆଣିଲେ । ବୁଢ଼ା କହୁଥାନ୍ତି, “ମୋତେ ଏହି ମାହାଳମୂଳେ ଜିଅନ୍ତା ପୋତି ଦିଅରେ । ମୁଁ ଆଉ ଘରକୁ ଯିବିନାହିଁ । ଦୀନୁ ଚାଲିଗଲା । ମୁଁ ବଞ୍ଚି ରହିଚି ଏଇୟା ଶୁଣିବାପାଇଁ ।”

 

ବହୁ କଷ୍ଟରେ ତାଙ୍କୁ ଆଣି ଦାଣ୍ଡପିଣ୍ଡାରେ ପକେଇଲେ । ନାନୁବାବୁ ନିର୍ବେଦ ହୋଇ ପିଣ୍ଡାରେ ବସିଥା’ନ୍ତି । କେତେ ଲୋକ କେତେ କଥା ପଚାରୁଥାନ୍ତି । ସେମାନଙ୍କୁ ପଦେପଦେ ଉତ୍ତର ଦେଉଥା’ନ୍ତି । ଗୋରା ମଧ୍ୟ ଘରୁ ଆସ୍ତେ ଆସ୍ତେ ଆସି ଗୋଟାଏ ଖୁଣ୍ଟକୁ ଆଉଜି ଦାଣ୍ଡପିଣ୍ଡାରେ ବସିଥାଏ । ତାରା ଘର ଭିତରେ ପଡ଼ି କୁନ୍ଥଉଥାଏ, କାନ୍ଦୁଥାଏ । ତା’ ପାଖରେ କେହି ନଥା’ନ୍ତି । ଭଉଣୀ ମୀରା ବୋଉ ଖୁଡ଼ୀଙ୍କୁ ଘେରି ଯେଉଁ ସ୍ତ୍ରୀଲୋକମାନେ କାନ୍ଦୁଥାନ୍ତି ତାଙ୍କୁ ଅନେଇ କାନ୍ଥକୁ ଆଉଜି ଠିଆ ହେଇଥାଏ ।

 

ଗାଁର ଅନ୍ୟ ସବୁ ଲୋକଙ୍କ ପରି ସନ୍ତୋଷବାବୁ ଓ ତାଙ୍କ ବାପା ମଧ୍ୟ ଆସିଥାନ୍ତି । ଅନେକ କଥାବାର୍ତ୍ତା ପରେ କ’ଣ ହେବ, କର୍ମ କିପରି ହେବ ଏସବୁ ବିଷୟରେ ସ୍ଥିର ହେଲା । ଏତିକିବେଳେ ସନ୍ତୋଷବାବୁଙ୍କର ବାପା ଗଳାଖଙ୍କାରି ଆରମ୍ଭ କଲେ–“ବୁଝିଲ ନାନୁ, ତୁମକୁ ଆଉ କ’ଣ କହିବି, ଦୀନକୃଷ୍ଣ ତ ଚାଲିଗଲେ । ତମେ ଜାଣିଥିବ, ଦୀନୁବାବୁ ମୋ ଠାରୁ ଛଅ ମାସ ତଳେ ପାଞ୍ଚଶ’ ଟଙ୍କା ନେଇଥିଲେ । ତୁମର ଏ ଅବସ୍ଥାରେ ମୁଁ ତାକୁ ମାଗୁନାହିଁ; ତେବେ ମୋର କହିବାର କଥା, ତୁମର ବଡ଼ ତୋଟାଟାକୁ ଆମ ନାଁରେ ଲେଖିଦେଲେ ସେ ଟଙ୍କା ଅଡ଼ୁଆ ଛିଡ଼ିଯିବ ।

 

ଆଉ ତୁମେ ମଧ୍ୟ ଦୀନୁବାବୁଙ୍କର କ୍ରିୟା-କର୍ମ ପାଇଁ କିଛି ଟଙ୍କା ମୋଠାରୁ ନେଇପାରିବ-। ନାନୁବାବୁ ଦୀନୁବାବୁ ଥିବା ପର୍ଯ୍ୟନ୍ତ ଦୁନିଆ କଥା କିଛି ଭାବୁ ନଥିଲେ । ରୋଜଗାର ତାଙ୍କର କମ୍ ନୁହେଁ; କିନ୍ତୁ ସେ ତାଙ୍କର ସବୁ ରୋଜଗାର ଝିଆରୀ ପୁତୁରାଙ୍କ ସଉକପାଇଁ ଓ ନିଜର ଫୂର୍ତ୍ତିପାଇଁ ଖର୍ଚ୍ଚ କରିଦିଅନ୍ତି । ଦୀନୁବାବୁ ନାନୁକୁ ଖୁବ୍ ଭଲ ପାଉଥିଲେ । ତେଣୁ ଦିନେହେଲେ ସେ କୋଉ କାମପାଇଁ ତାଙ୍କୁ ପଇସା ମାଗୁ ନଥିଲେ । ଏକେ ତ ନାନୁବାବୁଙ୍କର ପିଲାପିଲି କିଛି ନଥାନ୍ତି-। ପିଲାମାନଙ୍କର ବାପା ବୋଉ ଯେତେ ନୁହଁନ୍ତି, ଦାଦା ଖୁଡ଼ୀ ସେତେ ପ୍ରିୟ ।

 

ନାନୁବାବୁ ସନ୍ତୋଷବାବୁଙ୍କ ବାପାଙ୍କର ଏକଥା ଶୁଣି ହଠାତ୍ ଗୋଟାଏ କ’ଣ କହିଦେବେ ବୋଲି ଯାଉଥିଲେ । ସେ ଭାରି ଅଖାଡ଼ୁଆ ଲୋକ । ଗାଁରେ ତାଙ୍କୁ ସମସ୍ତେ ଡରନ୍ତି । ପ୍ରାୟ ସମସ୍ତେ ଅଳ୍ପେ ବହୁତେ ତାଙ୍କଠାରୁ ସମୟ ଅସମୟରେ ସାହାଯ୍ୟ ପାଇଥାନ୍ତି । ଆଜି ଏ ବେଳାରେ ସନ୍ତୋଷବାବୁଙ୍କ ବାପା ଏପରି ଗୋଟାଏ କଥା କହିଦେବାରୁ ସେ ହୁଡ଼ିକରି କ’ଣ ନାଇଁ କ’ଣ ଗୋଟାଏ କାଣ୍ଡକରି ବସିଥା’ନ୍ତେ; କିନ୍ତୁ କ’ଣ ବିଚାରି ଟିକିଏ ଶାନ୍ତ ପଡ଼ିଯାଇ କହିଲେ, “ହଉ ଦେଖିବା” ଏହା କହି ଧଡ଼୍‍କରି ଉଠି ଘର ଭିତରକୁ ଚାଲିଗଲେ । ଯେଉଁମାନେ ସବୁ ବସିଥିଲେ ସେମାନଙ୍କ ପାଟିରୁ ମଧ୍ୟ କଥା ବାହାରିଲା ନାହିଁ । କିଛି ସମୟ ଚୁପ୍‌ଚାପ୍ ବସି ସେମାନେ ପିଣ୍ଡାରୁ ଓହ୍ଲାଇ ଯେଝା ଯେଝା ଘରକୁ ଗଲେ ।

 

ଦୀନୁବାବୁଙ୍କର ଶୁଦ୍ଧିକ୍ରିୟା ସରିଲା । ଗୋରା ଟିକିଏ ସୁସ୍ଥ ହେଲାଣି, ତଥାପି ଅଶୁଦ୍ଧକାଳର କ୍ରିୟାକର୍ମ ଭିତରେ ତା’ ଦେହ ଟିକିଏ ଖରାପ ହେଇପଡ଼ିଥାଏ । ତାରାର ଅବସ୍ଥା କିଛି ଖରାପ ହେଇଯାଇଥାଏ । ଚଉଦ ଦିନରେ ସେ ଟାଇଫଏଡ଼୍‍ରୁ ଆରୋଗ୍ୟ ହୋଇଥିଲା । ତା’ ପରେ ପରେ ତ ଏ ବିପଦ ପଡ଼ିଗଲା । ଖାଇବା ପିଇବାରେ ଅଣହେଳା ହେତୁ ତାକୁ ନାଳପୋଖରୀ ଧରିନେଲା । ଦୀନୁବାବୁଙ୍କ ସ୍ତ୍ରୀ ସେଇ ଯେ କଟକରୁ ଆସି ବିଛଣା ଧରିଲେ, ତିନିଦିନ କାଳ ସେଠାରୁ ସେ ଉଠି ନାହାନ୍ତି କି ମୁହଁରେ ପାଣି ଦେଇ ନାହାନ୍ତି । ନାନୁବାବୁଙ୍କ ସ୍ତ୍ରୀ ପିଲାଦୁଇଟିଙ୍କର ଓ ଅପାଙ୍କର ଯଥେଷ୍ଟ ସେବାରେ ଲାଗିଥାନ୍ତି । ତା’ ସତ୍ତ୍ୱେ ତାରାକୁ ନାଳରକ୍ତ ଝାଡ଼ା ଧରିନେଲା । ସବୁବେଳେ ଖାଲି ‘ଖାଇବି’ ‘ଖାଇବି’ ବୋଲି ଚିତ୍କାର କରୁଥାଏ । ଗୋରା ଅନେକ ସମୟ ଆସି ବୋଉ ମୁଣ୍ଡ ଉପରେ ବସେ । ଘଣ୍ଟା ଘଣ୍ଟା ଧରି ମୁଣ୍ଡ ଆଉଁଷେ । ବୋଉ କଥା କହନ୍ତିନାହିଁ । କେବଳ ଦୁଇ ଆଖିରୁ ଦୁଇଧାର ଲୁହ ବୋହିଆସେ । ଆଶ୍ଚର୍ଯ୍ୟ କଥା ! ଦୀନୁବାବୁଙ୍କ ମୃତ୍ୟୁର ପନ୍ଦର ଦିନ ପରେ ଗୋରା ବୋଉର ମୁଣ୍ଡବାଳଯାକ ସବୁ ପାଚିଗଲା । ବୟସ ତାଙ୍କର ଛତିଶ, ସଇଁତିରିଶ ହବ । ଦୀନୁବାବୁ ବୟାଳିଶବର୍ଷରେ ମଲେ । ତାଙ୍କର ଜାତକ ଦେଖି କିଏ ଜଣେ ପଣ୍ଡିତେ କହିଥିଲେ ଯେ, ବୟାଳିଶବର୍ଷରେ ତାଙ୍କୁ ମାରକଦଶା ଅଛି । ସେଥିପାଇଁ ବୋଧହୁଏ ସେ ଗୋରା, ତାରା ଓ ତାଙ୍କର କେତେକ ବନ୍ଧୁବାନ୍ଧବଙ୍କୁ ଏହାର ପରୋକ୍ଷ ସୂଚନାମାନ ଦେଇ ଆସୁଥିଲେ । କେତେ ପ୍ରକାର କଥାରେ ଜଣାଉଥିଲେ ଯେ ତାଙ୍କର ଜୀବନ ଆଉ ବେଶି ଦିନ ନୁହେଁ ।

 

ତିରିଶ

 

ସନ୍ତୋଷବାବୁ ବାପାଙ୍କର ସେଦିନ କଥାଟା ନାନୁବାବୁ ଗୁଣି ହେଉଥାନ୍ତି । ଗୋରାର ମଧ୍ୟ ହେତୁ ପାଇଲାଣି । ତାକୁ ମଧ୍ୟ ସେ କଥା ଖୁବ୍ ବାଧିଯାଇଥାଏ । ଏ ସବୁ କଥା ଗୋରା ତାରାଙ୍କର ଖରାଛୁଟି ଭିତରେ ଘଟିଗଲା । ୟା ଭିତରେ ନାନୁବାବୁ କଟକ ଯିବାଆସିବା କରୁଥାନ୍ତି । ସେ ଆଉ ତାଙ୍କର କଟକ ଘରେ ରହିବାକୁ ନାରାଜ । ଯେଉଁ ଘରେ ତାଙ୍କର ପ୍ରିୟ ଭାଇ ମରିଯାଇଛି, ସେ ଘରେ ସେ ଆଉ ପିଲାମାନଙ୍କୁ ନେଇ ରହିବେ ନାହିଁ । ତାଙ୍କର ଜିଦ୍ ଲାଗିଲା ସେ ଘର ସେ ଜାଗାକୁ ବିକିଦେବେ । ଦିନୁବାବୁଙ୍କ ସାଙ୍ଗ ବହୁତ ଓକିଲ ମୁକ୍ତାର ନାନୁବାବୁଙ୍କୁ ଘର ବିକିବାକୁ ମନାକଲେ; କିନ୍ତୁ ନାନୁବାବୁଙ୍କର ଏକା ଜିଦ୍ । ଯେଉଁ ଘରପାଇଁ କରଜ କରି ଭାଇର ମୃତ୍ୟୁର ବାସୀଦିନ ତାଙ୍କୁ ଅନେକ କଥା ଶୁଣିବାକୁ ହେଇଥିଲା, ସେ ଘର ତାଙ୍କର ଦରକାର ନାହିଁ । ସମସ୍ତଙ୍କର ମନା ସତ୍ତ୍ୱେ ମୋଟେ ସାତଶହ ଟଙ୍କାରେ ସେ ଘରଜାଗା ବିକିଦେଲେ । ଟଙ୍କା ଆଣି ସନ୍ତୋଷବାବୁଙ୍କ ବାପାଙ୍କୁ ଦେଇ ଭାଇଙ୍କର ଋଣ ପରିଶୋଧ କରିଦେଲେ । ଗୋଟାଏ ଜିଦ୍‍ରେ ଘର ବିକିଦେଲେ । ବର୍ତ୍ତମାନ ତ ପୁଣି କଟକରେ ରହିବାକୁ ହେବ ! ପିଲାଏ ତ ପଢ଼ିବେ ! ପିଲାଙ୍କୁ ନ ପଢ଼ାଇଲେ ଭାଇଙ୍କ ଆତ୍ମା ସ୍ଵର୍ଗରେ ସୁଦ୍ଧା ଶାନ୍ତି ପାଇବନାହିଁ । ଭାଇ ପିଲାଙ୍କୁ କେତେ ସଉକିରେ ବଢ଼ାଉଥିଲେ । ଦୁଃଖ କ’ଣ, ଅଭାବ କ’ଣ ସେମାନଙ୍କୁ କେବେ ଜାଣିବାକୁ ଦେଇ ନଥିଲେ । ୟାଡ଼େ ପୁଣି ଗାଁରେ ତାରାର ଦେହ ଦିନକୁଦିନ ଅତିଶୟ ହେଉଥାଏ । ଏସବୁ ବିଚାର କରି ନାନୁବାବୁ ଅତିଶୀଘ୍ର ସେହି ବାଖରାବାଦରେ ଗୋଟାଏ ଘରଭଡ଼ାନେଇ ପିଲାମାନଙ୍କୁ କଟକ ନେଇଆସିଲେ । ପୂର୍ବ ଚାକର ମଦନା ପିଲାଟିଦିନୁ ତାଙ୍କ ପାଖରେ ରହି ଆସିଥିଲା । ସେ ମଧ୍ୟ ନାନୁବାବୁଙ୍କଠାରୁ କେତେ ପଇସା ନ ନେଇଛି, କେତେ ଅଏସ୍ ନ କରିଛି । ସେ ମଧ୍ୟ ଆସିଲା । ତାରାର ଦେହ ଖରାପ ଥିବାରୁ ନାନୁବାବୁ ତାଙ୍କର ସ୍ତ୍ରୀଙ୍କୁ ପିଲାଙ୍କ ସାଥିରେ କଟକ ଘେନିଆସିଲେ ।

 

ନାନୁବାବୁ ଅଣ୍ଟା ଭିଡ଼ିଲେ । ଆଗରୁ ଯେମିତି ପୋଲାଫାଙ୍କିଆ ହୋଇ ଚଳୁଥିଲେ, ସେପରି ଚଳିଲେ ଆଉ ହେବନାହିଁ । ନାନୁବାବୁଙ୍କ ରୋଜଗାର କିଛି କମ୍ ନୁହେଁ । ମୋହରିର ହିସାବରେ ତାଙ୍କର ନାଁ ଖୁବ୍ ବେଶି; କିନ୍ତୁ ଦୀନୁବାବୁଙ୍କ ସକାଶେ ସେ କୌଣସି କଥାକୁ ଖିଆଲ କରୁ ନଥିଲେ । ପଇସା ଉଡ଼େଇଦଉଥିଲେ । ଦୀନୁବାବୁ ମଧ୍ୟ ତାଙ୍କୁ ଭାରି ଭଲପାଉଥିଲେ । ବୟସରେ ସେ ତାଙ୍କଠୁ ପନ୍ଦରବର୍ଷ କମ୍ । ସେଥିପାଇଁ ତାଙ୍କୁ ଭାଇ ଭଳି ନ ଦେଖି ପୁଅ ବୋଲି ଭାବୁଥିଲେ । ବରଂ ପିଲାଙ୍କ ମନରେ କଷ୍ଟ ହେବ, କାଳେ କ’ଣ ଭାବିବେ, ଏଥିଲାଗି ଦାଦା ଖୁଡ଼ୀ ଲାଗିପଡ଼ିଲେ । ଗୋରା ପ୍ରଥମ ବାର୍ଷିକ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଦ୍ଵିତୀୟ ବାର୍ଷିକ ଶ୍ରେଣୀକୁ ଯାଇଥିଲା । ତାରାର ନବମ ଶ୍ରେଣୀ; କିନ୍ତୁ ତାରାର ଝାଡ଼ା ଏପରି ବୃଦ୍ଧି ପାଇଲା ଯେ ଘରଲୋକେ ପ୍ରାୟ ତା’ ଆଶା ଛାଡ଼ିଦେଇ ବସିଲେ । ସ୍କୁଲ୍‍ରୁ ନାଁ କଟିଗଲା । ସ୍କୁଲ୍‍ ଯିବ କ’ଣ ? ବଞ୍ଚି ରହିବା କଷ୍ଟକର । ଡାକ୍ତରୀ, କବିରାଜୀ, ସବୁପ୍ରକାର ଚିକିତ୍ସା କରାଗଲା, କିନ୍ତୁ ଫଳ କିଛି ହେଉ ନଥାଏ । ଶେଷକୁ ହୋମିଓପାଥିକ୍ କରାଗଲା । ସେତେବେଳେ କଲିକତାରୁ ଜଣେ ଡାକ୍ତର ଆସି କଟକରେ ହୋମିଓପାଥିକ୍ ଚିକିତ୍ସା ଆରମ୍ଭ କରିଥାନ୍ତି । ସେ ବହୁ ଚେଷ୍ଟା କଲେ; କିନ୍ତୁ କେଉଁଥିରେ କିଛି ଫଳ ହେଲାନାହିଁ । ଦଶହାରା ଛୁଟି ହେଲା । ଦାଦା ଖୁଡ଼ୀ ହତାଶ ହେଇ ପୁଅ ଦୁହିଁଙ୍କୁ ନେଇ ଗାଁକୁ ଗଲେ-। ଗାଁରେ ପହଞ୍ଚିବାର ଅଧଘଣ୍ଟାକ ପରେ ତାରାର ଚେତା ବୁଡ଼ିଗଲା, ଗୋରା ବୋଉ ତ ଏକରକମ କତରାଲଗା ହୋଇଥାନ୍ତି । ତାଙ୍କର କିପରି ଗୋଟାଏ ନିର୍ଲିପ୍ତ ଭାବ ଆସିଯାଇଥାଏ । ପୁଅ ଝିଅ କାହା ପ୍ରତି ମାୟା ନଥାଏ । ନାନୁବାବୁଙ୍କର ଗୋଟିଏ ବିଧବା ପିଇସୀ ଏମାନଙ୍କର ଏ ବିପଦ ଦେଖି ଆସି ତାଙ୍କ ଘରେ ରହୁଥାନ୍ତି । ତାଙ୍କର ମଧ୍ୟ କେହି ନଥାନ୍ତି । ତାଙ୍କରି ସାହାଯ୍ୟରେ ମୀରା ବୁଢ଼ାଜେଜେଙ୍କ ପାଟିକୁ ଯାହା ଆହାର ମୁଠିଏ ଯାଏଁ । ତାରା ଗାଡ଼ିରୁ ଓହ୍ଲାଇ ଘର ଭିତରକୁ ଯିବା ପରେ ପରେ ବେକ ମୋଡ଼ିଦେଇ ବେହୋସ ହୋଇ ପଡ଼ିବାରୁ ଘରେ କାନ୍ଦବୋବାଳି ପଡ଼ିଗଲା-। ଏତିକିବେଳେ ନାଳ ସେ ପାରିର ଜାନୁମିଆଁ ମାଉଁସ ନେଇ ବିକିବାକୁ ଆସିଥିଲା-। ସେ ଦାଣ୍ଡଦୁଆରେ କାନ୍ଦବୋବାଳି ଶୁଣି କ’ଣ ହେଲା ବୋଲି ଘର ଭିତରକୁ ପଶିଗଲା-। ବୁଢ଼ା ମକଦମଙ୍କଠାରୁ ସବୁ ଶୁଣି କହିଲା–“ବାବୁ ଅନେକ ତ ଔଷଧ ଦେଲଣି ! ୟାକୁ ମତେ ଛାଡ଼, ମୁଁ ଔଷଧ ଦେବି ।” ଛାଡ଼ିବା କଥା ଆଉ ପଚାରିବାକୁ ଅଛି । ତାକୁ ତ ମୂଳରୁ ଛାଡ଼ିବା ଉପରେ କଥା ହେଲାଣି । ସେ ଆଉ କାଳ ବିଳମ୍ବ ନକରି ଧାଇଁଲା ଘରକୁ ତା’ର । ପ୍ରାୟ ଅଧଘଣ୍ଟାକ ଭିତରେ ଖଣ୍ଡିଏ ଚେର କ’ଣ ଆଣି ଚନ୍ଦନପେଡ଼ିରେ ଘୋରି ତାରାର ମୁହଁରେ ଚଟେଇଦେଲା । ସେ ସେଇଠି ବସିଥାଏ । ଅଧଘଣ୍ଟାକ ପରେ ଆହୁରି ପାନେ । ସନ୍ଧ୍ୟା ଭିତରେ ତିନିପାନ ଔଷଧ ଦେଇ ଦେଲା । ତାରା ଆଖି ଖୋଲି ଚାହିଁଲା । ମୁହଁ ଟିକିଏ ସତେଜ ଦେଖାଗଲା । ଜାନୁମିଆଁ କହିଲା–“ଗଜରାଦୁଧ ଆଣ ।” ସାଙ୍ଗେ ସାଙ୍ଗେ ଗାଈଦୁହାଁ ହୋଇ ଗଜରାଦୁଧ ଆସିଲା । ସେଥିରୁ ଅଧଗିଲାସେ ତାରାକୁ ପିଆଇଦେଲେ । ତାରା ଢକଢ଼କ କରି ତାକୁ ପିଇଗଲା । ଗତ ଚାରିମାସ ହେଲା ଦୁଧ ତ ଦୁଧ, ଦୁଧ ପାଣିବି ତାକୁ ମନା ଥିଲା । ରାତି ତମାମ ଜାନୁମିଆଁ ତାରା ବିଛଣା ପାଖରେ ବସିଥାଏ । ବୁଢ଼ା ମକଦମେ ଓ କୋଠିଆ ମହନା ସେଠାରେ ସେମିତି ବସିଥାନ୍ତି । ଅନ୍ୟମାନେ ମଝିରେ ମଝିରେ ଆସୁଥାନ୍ତି । ଏମିତି ଦେଖୁଦେଖୁ ରାତି ପାହିଲା ।

 

ଔଷଧ ଖାଇବାର ବାରଘଣ୍ଟା ମାତ୍ର ହେଇଛି । ଝାଡ଼ା ପ୍ରାୟ ବନ୍ଦ । ବିଛଣାରେ ତ ଅନବରତ ଝାଡ଼ା ହେଇଯାଉଥିଲା । ଜାନୁମିଆଁ ଘଣ୍ଟାକପାଇଁ ଘରକୁ ବାହାରିଲା । ମକଦମେ ତା’ ହାତ ଦି’ଟାକୁ ଧରିପକେଇଲେ–“ଜାନୁ ତୋର କ’ଣ ଦରକାର କହ–ମୁଁ ସବୁ ଦଉଛି, ତୁ ଏଇଠି ରହ-।” “କ’ଣ ମକଦମେ ଭାବୁଛନ୍ତି । ଆଲ୍ଲା ବଞ୍ଚାଇଲେ । ଆଉ ଭୟ ନାହିଁ । ମୁଁ ଖାଲି ଯିବି ଆଉ ଆସିବି । ଦିପହରେ ଏଇଠି ଖାଇବି ରହିବି” କହି ଜାନୁ ଘରକୁ ଗଲା ।

 

ଜାନୁମିଆଁର ଅଦ୍ଭୁତ ଔଷଧ । ତା’ଠାରୁ ବଳି ପୁଣି ଅଦ୍ଭୁତ ପଥ୍ୟ । ତାରାର ଜୀବନ ରହିଲା, ପଥି ବରାଦ ହେଲା–ଦୁଧ ଭାତ ଖାଇବ । ସକାଳ ସଞ୍ଜେ ଗଜରାଦୁଧ ପିଇବ । ତା’ ବାଦେ ନାନାପ୍ରକାର ଅଖାଦ୍ୟ ଗେଣ୍ଡା, ବେଙ୍ଗ, ଖାସିମାଂସ ପ୍ରଭୃତି ଆଣି ଜାନୁ ଖାଇବାକୁ ଦେଲା । ଆଠଦିନ ଭିତରେ କିନ୍ତୁ ତା’ର ଉଠି ବସିଲା । ଝାଡ଼ା ଏକେବାର ସ୍ଵାଭାବିକ ହେଲା । ତା’ର ଚେହେରା ବଦଳିଗଲା ଆସ୍ତେ ଆସ୍ତେ । ତା’ର ପୂର୍ବ ସ୍ଵାସ୍ଥ୍ୟ ଫେରିଆସିଲା । ବର୍ତ୍ତମାନ ମକଦମଙ୍କ ଘରେ ବଡ଼ ଡାକ୍ତର ସିଭିଲ ସର୍ଜନ୍ ହେଲେ ଜାନୁମିଆଁ ।

 

ଖୁଡ଼ୀ ଆଉ କଟକ ଗଲେନାହିଁ । ତାରା ଘରେ ରହିଲା । ତା’ର ପଥ୍ୟ ଓ ଅପାଙ୍କ ଦେଖାଶୁଣା କରିବାପାଇଁ ଗୋରାର ଖୁଡ଼ୀ କଟକ ଗଲେନାହିଁ । ନାନୁବାବୁ ଗୋରାକୁ ନେଇ କଟକ ଗଲେ । ପରୀକ୍ଷା ଆଉ ତିନିମାସ ରହିଲା । ମଦନ ଆଗଠାରୁ ବଳି ଗୋରାର ତତ୍ତ୍ଵ ନେଲା । ଗୋରା ପଢ଼ାରେ ଲାଗିଲା ।

 

ଏ ବର୍ଷଟାରେ ଗୋରାଙ୍କ ଘର ଉପରେ ଗୋଟାଏ ପ୍ରଳୟ ଝଡ଼ ବହିଗଲା । ବାପା ମଲେ, ଘର ଗଲା, ବୋଉର ବଞ୍ଚିବା ମରିବା ସମାନ । ବିପଦ ଏମିତି ଆସେ ଯାଏଁ । ଯାହା ହବାର ହୋଇଯାଏ । ଦାଗ କିନ୍ତୁ ରହିଯାଏ ଜୀବନଯାକ ପାଇଁ ।

 

ଦ୍ଵିତୀୟ ଭାଗ

ଏକ

 

ବାପା ମଲାବେଳକୁ ଗୋରାର ବୟସ ମାତ୍ର ଅଠର; କିନ୍ତୁ ସବୁ କଥା ତା’ର ପରିଷ୍କାର ମନେଥାଏ । ବିଶେଷକରି ସନ୍ତୋଷବାବୁ ଓ ତାଙ୍କ ବୁଢ଼ାବାପାଙ୍କର ସେ ଦିନର କଥାଟା, ହୃଦୟରେ ତା’ର ଗାରହୋଇ ରହିଯାଇଥାଏ । ସେହି ଟଙ୍କା ପରିଶୋଧ ପାଇଁ ତାଙ୍କର କଟକ ଘରକୁ ବିକିବାକୁ ପଡ଼ିଛି । ପିଲାଙ୍କୁ ଯେପରି ଭାବିବାକୁ ନ ପଡ଼େ, ସେଥିପାଇଁ ନାନୁବାବୁ ସେହି ଅଞ୍ଚଳରେ ଗୋଟାଏ ଘରଭଡ଼ା ନେଇଛନ୍ତି । ସେମାନଙ୍କ ପାଇଁ ସବୁ ଖଞ୍ଜିଦେଇଛନ୍ତି । ସେ ଆଜିକାଲି ଥିଏଟର ପ୍ରଭୃତିରେ ନ ମିଶି ରାତି ନଅଟା ପୂର୍ବରୁ ବରାବର ବସାକୁ ଫେରନ୍ତି । ମଦନ ମଧ୍ୟ ଅଛି । ସେ ଗୋରାର ଖୁବ୍ ଯତ୍ନ ନିଏ । ପିଲାଟି ଦିନୁ ସେ ଗୋରା, ତାରାଙ୍କୁ ମଣିଷ କରିଆସିଛି । ତାଙ୍କ ପାଖରେ ଆଜିକି ବାରବର୍ଷ ହେଲା ସେ ରହିଲାଣି । ସେ ମଧ୍ୟ ତା’ର ପିଲାଟି ଦିନରୁ ଦୀନୁବାବୁ ନାନୁବାବୁଙ୍କ ପାଖେ ମଣିଷ ହୋଇଛି । ଦୀନୁବାବୁ ଥାଉଁଥାଉଁ ତାକୁ ଟଙ୍କାପଇସା ସାହାଯ୍ୟ ଦେଇ ବିବାହ ମଧ୍ୟ କରେଇ ଦେଇଛନ୍ତି ।

 

ନାନୁବାବୁ ଭଡ଼ାଘରଟାକୁ ତାଙ୍କ ପୂର୍ବଘର ପାଖରେ ନେଇଛନ୍ତି; କିନ୍ତୁ ଗୋରା ଆଉ ତାଙ୍କ ପୁରୁଣା ଘରଆଡ଼େ ମୋଟେ ଯାଏନାହିଁ । ତାରା ହୁଏତ ଥିଲେ କେତେବେଳେ ଦୁଇଭାଇଯାକ ବୁଲାବୁଲି କରି ସେଆଡ଼େ ଚାଲିଯାଆନ୍ତେ; କିନ୍ତୁ ତାରା ଗାଁରେ ରହିଛି । ସେଥିପାଇଁ ତା’ ମନରେ ମଧ୍ୟ ବିଶେଷ କଷ୍ଟ ଥାଏ । ତେଣୁ ଏକୁଟିଆ ଗୋରା ପ୍ରାୟ କୁଆଡ଼େ ବାହାରେନାହିଁ । ଘର ପାଖରେ ପୁରୁଣା ସାଙ୍ଗ ଅନେକ ସମୟରେ ଡାକିଲେ ମଧ୍ୟ ବାଁରେଇ ଦିଏ, ସେଆଡ଼କୁ ସେ ଯାଏନାହିଁ । ସେପାଖ କଥା ମନେ ପଡ଼ିଲେ, ଘର କଥା ମନେ ପଡ଼ିଯାଏ । ଟେବୁଲ ପାଖରେ ବସିବାବେଳେ କ’ଣ ଭାବି ଆଖିରୁ ଦି’ ଟୋପା ଲୁହ ଝରିପଡ଼େ । ଦାଦା, ମଦନା ଅନେକ ସମୟରେ ଦେଖିପକେଇ ବୁଝେଇବାକୁ ଲାଗନ୍ତି । ଫଳ ଓଲଟା ହୁଏ । ନଈବନ୍ଧ ଭାଙ୍ଗି ପାଣି ଆସିଲାପରି ଦୁଇ ଆଖିରୁ ଦୁଇଧାର ଲୁହ ବହିଆସେ । ବନ୍ଦହେବାକୁ ଡେରି ହୁଏ । ବାପାଙ୍କ ପୁରୁଣା ସାଙ୍ଗମାନେ ବାଟରେ ଘାଟରେ ଦେଖି ଆଦର କରନ୍ତି । ଗୋରା ଅଳ୍ପକେ ଉତ୍ତରଦେଇ ଆଖିପୋଛି ସେମାନଙ୍କ ପାଖରୁ ଚାଲିଯାଏ । ଗାଁକୁ ମଧ୍ୟ ଯିବାକୁ ଆଗପରି ତା’ର ଆଗ୍ରହ ନାହିଁ । ସାଇକେଲ ଅଛି । ଇଚ୍ଛାକଲେ ଛୁଟି ଦିନ ଯାଇଁ ବୁଲି ଆସି ପାରନ୍ତା; କିନ୍ତୁ ବୋଉର ଶୁଖିଲା ମୁହଁ ଦେଖିବାକୁ ତାକୁ କାହିଁକି ଭାରି ଖରାପ ଲାଗେ । ବାପାଙ୍କ ମଲାଦିନୁ ବୋଉ ସେହି ଯେ ବିଛଣା ଧରିଛି, ସେଥିରୁ ସେ ଉଠେ ନାହିଁ କି କଥା କହେନାହିଁ । ବାଳପାଚି ଝୋଟ ହୋଇଗଲାଣି । ଖୁଡ଼ୀ ତାକୁ ଛୋଟକରି କାଟି ଦେଇଛନ୍ତି । ଖୁଡ଼ୀଙ୍କ ଅମାପ ସ୍ନେହ ଆଉ ସେବା ଫଳରେ ସେ ଟିକିଏ ବାଟକୁ ଆସିଲାଣି । ଖୁଡ଼ୀ ସବୁବେଳେ କହନ୍ତି, “ଅପା, ତୁମେ ପିଲାଙ୍କ ମୁହଁକୁ ଚାହିଁ ସବୁ ଭୁଲିଯାଅ । ଦେଖୁଛଟି ଗୋରା ପୁଅ କ’ଣ ହେଲାଣି । ତୁମ ସାମନାକୁ ଆସୁନାହିଁ, ତୁମେ ଏମିତି ହେଉଛ ବୋଲି ।” ସତରେ ବୋଉ ମୁହଁକୁ ଅନେଇପାରିବ ନାହିଁ ବୋଲି ଗୋରା ଗାଁକୁ ଆସିବା ବନ୍ଦ କରିଛି । ବାପାଙ୍କ ଶୁଦ୍ଧିବେଳକୁ ସେଇ ଯେ ଲଣ୍ଡା ହୋଇଥିଲା, ସେ ବାଳ ବଢ଼ିଲେ ସୁଦ୍ଧା ସେଥିରେ ପାନିଆ ବାଜୁନାହିଁ । ସେ ସବୁ କଦମ୍ବଫୁଲ ଖୁଣ୍ଟାପରି କଟା ହେଉଛି ।

 

ସଂସାରରେ କ’ଣ କାହାରି ବାପା ମରୁନାହାନ୍ତି, ନା କାହାରି ସ୍ଵାମୀ ମରୁନାହାନ୍ତି ? ଏ ମାଆ–ପୁଅ ଏତେ ଅଧୀର ହେଉଛନ୍ତି କାହିଁକି ? ସମସ୍ତେ ଏହିପରି ହୁଅନ୍ତି, କିଏ କମ୍, କିଏ ବେଶି-। ପୁଣି ଅଧାବୟସରେ ହଠାତ୍ ଟଳିପଡ଼ିଲେ ଦୁଃଖଟା ଆହୁରି ଟିକିଏ ବେଶି ହୁଏ । ଘଟଣାଚକ୍ରରେ ସବୁ ଭୁଲି ହୋଇଯିବା ସମୟ ହେଉଛି ଏ ରୋଗର ଶ୍ରେଷ୍ଠ ଔଷଧ ।

 

ଗୋରା ବଛାବଛି ପରୀକ୍ଷାରେ ଭଲ ଭାବରେ ପାସ୍ କଲା । ପରୀକ୍ଷା ଫିସ୍ ଦାଖଲ ହେଲା । କଲେଜରେ ଅଧ୍ୟାପକମାନେ ଗୋରା ବାପା ମରିଯିବାର ଖବର ଜାଣିଥିଲେ । ସେମାନଙ୍କ ମଧ୍ୟରୁ କେତେକ ଗୋରାକୁ ଦରମା ଫ୍ରି କରିବାକୁ ଦରଖାସ୍ତ ଦେବାକୁ କହିଥିଲେ । ଗୋରା ଆସି ଦାଦାଙ୍କୁ କହିଲା । ଦାଦା କିନ୍ତୁ କ’ଣ ଭାବିଲେ କେଜାଣି ଦରଖାସ୍ତ ଦେବାକୁ ମନାକରିଦେଲେ । ଗୋରାର ମଧ୍ୟ ଏଥିପାଇଁ ଆଗ୍ରହ ନଥିଲା । ଫିସ୍ ଦାଖଲ ପରେ ଗୋରାକୁ ଆଉ କଲେଜ ଯିବାକୁ ପଡ଼ିଲାନାହିଁ । ଜାନୁୟାରୀ ମାସରେ ତାରା ଆସି ପୁଣି ସେହି ନବମ ଶ୍ରେଣୀରେ ନାଁ ଲେଖେଇଥାଏ-। ଜାନୁମିଆଁଙ୍କର ଚିକିତ୍ସାରେ ଓ ପଥ୍ୟରେ ଅପ୍ରତ୍ୟାଶିତଭାବେ ତାରାର ସ୍ୱାସ୍ଥ୍ୟୋନ୍ନତି ହୋଇଛି-। କେବଳ ମୁଣ୍ଡର ବାଳସବୁ ଉପୁଡ଼ିଯାଇଛି । ଦୁଇଚାରି ଥର ଲଣ୍ଡା ହେବାପରେ ବାଳ ଆସ୍ତେ ଟିକିଏ ଉଠୁଛି । ତାରାକୁ ସ୍କୁଲ୍‍ରେ ଦେଖି ମାଷ୍ଟରମାନେ ବଡ଼ ଦୁଃଖକଲେ । ତାରା ମଧ୍ୟ ତଳ କ୍ଲାସ୍‍ ପିଲାଙ୍କ ସାଙ୍ଗରେ ବସିବାକୁ ଟିକିଏ ମନଦୁଃଖବି କଲା । କିଛିଦିନ ପରେ ନୂଆ ପିଲାଙ୍କ ସାଙ୍ଗେ ପୁଣି ସାଙ୍ଗ ହୋଇଗଲା ।

 

ଗୋରାର ପରୀକ୍ଷା ସରିଲା । ଫଳ ବାହାରିବାକୁ ତିନିମାସ ଡେରି ହେବ । ଗୋରା ଜେଲରୁ ଫେରିଲାପରଠାରୁ ବରାବର ଖଦଡ଼ ପିନ୍ଧେ । ଦୀନୁବାବୁ ଥିଲାବେଳେ ମଧ୍ୟ ଗୋରା ବରାବର ସ୍ଵରାଜ ଆଶ୍ରମକୁ ଯାଏଁ । ନଈବାଲିଠାରୁ ଆରମ୍ଭ କରି ଟାଉନ୍ ହଲ୍ ପର୍ଯ୍ୟନ୍ତ ଯେଉଁଠି ଯେଉଁଠି ସଭା ହୁଏ, ଗୋରା ସେଥିରେ ନିୟମିତଭାବେ ଯୋଗଦିଏ । ଦୀନୁବାବୁ ଜାଣନ୍ତି ସବୁ । ବେଳେବେଳେ ମଧ୍ୟ ପଢ଼ା ନଷ୍ଟ କରି ଏତେ ସମୟ ସିଆଡ଼େ ଯିବାକୁ ମନାକରନ୍ତି । ଗୋରା ନୀରବ ରହେ । ସେତେବେଳେ ଯେ କେଇଜଣ ଲୋକ ଚାକିରି, ବ୍ୟବସାୟ ବା ପଢ଼ାଛାଡ଼ି ଆନ୍ଦୋଳନରେ ଝାସ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ, ଅନ୍ୟମାନେ ଆଉ ତାଙ୍କର ପୂର୍ବ ଧନ୍ଦାକୁ ଫେରିଲେନାହିଁ । ଗୋରାପରି ଅଳ୍ପ ବୟସର ପିଲା କେତେଜଣ ସ୍କୁଲ୍‍ରେ ପୁଣି ପଢ଼ିଲେ; କିନ୍ତୁ ସେମାନେ ସେମାନଙ୍କର ପୂର୍ବସାଥୀ ଓ ନେତାମାନଙ୍କ ସହିତ ବରାବର ସମ୍ପର୍କ ରଖିଥା’ନ୍ତି । ଗୋରା ସହିତ ତାରା ମଧ୍ୟ ସଭା ସମିତି, ସ୍ଵରାଜ ଆଶ୍ରମ ପ୍ରଭୃତି ସ୍ଥାନମାନଙ୍କୁ ଯାଏଁ । ଫଳରେ ଗୋରାର ଭାଇ ବୋଲି ତାକୁ ବଡ଼ଠାରୁ ଛୋଟ ପର୍ଯ୍ୟନ୍ତ ସମସ୍ତେ ଚିହ୍ନନ୍ତି ଓ ତା’ର ଚଞ୍ଚଳ ପ୍ରକୃତି ଓ ଖେଳୁଆଡ଼ ଗୁଣପାଇଁ ତାକୁ ସ୍ନେହ କରନ୍ତି ।

 

ଭାଇ ଥିଲାବେଳେ ନାନୁବାବୁ ଯେତେ ବେପରବାୟ ଥିଲେ, ଏବେ ଅନେକ ଦବିଯାଇଛନ୍ତି । ପିଲାମାନଙ୍କୁ ଆଗେ ଯେମିତି ସବୁ କାମପାଇଁ ସ୍ଵାଧୀନତା ଦେଇଥିଲେ, ଏବେ ଟିକିଏ ଡରୁଛନ୍ତି । ତାଙ୍କର ମଧ୍ୟ ଭରସା ଥାଏ, ଗୋରା ଆଇ.ଏସ୍‍ସି. ପାସ୍‍କରିବା ପରେ ଯେଉଁଠି ହେଲେ ଗୋଟାଏ ଚାକିରି ପାଇଯିବ । ଗୋରାର ସୁନ୍ଦର ସ୍ଵାସ୍ଥ୍ୟ ଓ ପଢ଼ା ଦେଖି କେତେକ ତାକୁ ପୁଲିସ ଚାକିରିରେ ଭର୍ତ୍ତି କରିଦେବାପାଇଁ ନାନୁବାବୁଙ୍କୁ କହିଲେ; କିନ୍ତୁ ପୋଲିସ୍‍ ଚାକିରି ପ୍ରତି ଗୋରା ଓ ନାନୁବାବୁ ଉଭୟଙ୍କର ଗୋଟାଏ କିପରି ଘୃଣାଥାଏ । ତା’ଛଡ଼ା ସରକାରୀ ଚାକିରି କରିବାର ବୟସ ମଧ୍ୟ ଗୋରାର ହୋଇ ନଥାଏ । ଏସବୁ ଚିନ୍ତା କରୁ କରୁ ଗୋରାର ଫଳ ବାହାରିପଡ଼ିଲା । ଗୋରା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ପାରିଲାନାହିଁ । ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲା । ସେତେବେଳେ ଦ୍ୱିତୀୟ ଶ୍ରେଣୀ ମଧ୍ୟ ବଡ଼କଥା । ନାନୁବାବୁଙ୍କର ଜ୍ଞାତିକୁଟୁମ୍ବ ସମସ୍ତେ ଏ ଖବରରେ ଖୁସି ହେଲେ । କେତେକ କହିଲେ ଆଉ ପଢ଼େଇବାକୁ, କେତେକ କହିଲେ ଆଉ ପଢ଼େଇ ଲାଭନାହିଁ, ଗୋଟାଏ ଚାକିରିବାକିରିରେ ଭର୍ତ୍ତି କରିଦେବାକୁ । ବୟସ କମ୍, ପୁଣି ତା’ ଉପରେ ଗୋରା ଦାଗୀ । ତାକୁ ସରକାରୀ ଚାକିରି ମିଳୁଛି କେତେକେ, ଦଉଛି ବା କିଏ ?

 

ଏଇସବୁ ଗୋଳମାଳ ଭିତରେ କିଛି ଠିକ୍ ହୋଇ ନ ପାରିବାବେଳେ ଖରାଛୁଟି ହେଲା । କଲେଜ ଖୋଲିଲା । ଗୋରା ବି.ଏସ୍‌ସି. ପଢ଼ିବ ବୋଲି ପୁଣି କଲେଜରେ ନାଁ ଲେଖେଇଲା । ଏତିକିବେଳେ ଟାଟା କମ୍ପାନୀରେ ଶିକ୍ଷାନବିସ୍ ହିସାବରେ ଆଇ.ଏସ୍‌ସି. ପାସ୍‍କଲା ପିଲା ଦରକାର ବୋଲି ବିଜ୍ଞାପନ ବାହାରିଲା । ସୁନ୍ଦର ସ୍ଵାସ୍ଥ୍ୟ ଓ ଖେଳୁଆଡ଼ ହୋଇଥିଲେ ଆହୁରି ଭଲ । ଗୋରା ଓ ତା’ର ଦୁଇ ତିନି ଜଣ ସାଙ୍ଗ ଦରଖାସ୍ତ କଲେ । ସେ ତ କମ୍ପାନୀ ଚାକିରି । ସେଥିରେ ଜେଲ ଯାଇଥିବାଲୋକ ଭର୍ତ୍ତି ହେବାରେ କୌଣସି ବାଧାନାହିଁ । ଏ ପୁଣି ଅସହଯୋଗ ଆନ୍ଦୋଳନରେ ଜେଲ । ସେଇଟା ଦୋଷାବହ ନଥିଲା; ବରଂ ଟାଟା କମ୍ପାନୀ ସେତେବେଳେ ଜାତୀୟତାବାଦୀ ଏ ପ୍ରକାର ପିଲାଙ୍କୁ ଆଗ୍ରହ ସହକାରେ ନେଉଥିଲେ । ଜର୍ମାନ ଓ ଆମେରିକାର ଲୋକମାନେ ସେତେବେଳେ ଟାଟା କମ୍ପାନୀର ସବୁ ଉପରପାହିଆ ଚାକିରିରେ ଥା’ନ୍ତି । ଟାଟାର ଭିତିରି ଉଦ୍ଦେଶ୍ୟ ଥାଏ, ଦେଶର ସବୁ ପ୍ରାନ୍ତରୁ ଯୋଗ୍ୟ ପିଲାଙ୍କୁ ବାଛି, ସେମାନଙ୍କୁ ଉଚିତ ତାଲିମ ଦେଇ ସେହିମାନଙ୍କଦ୍ଵାରାହିଁ କାରଖାନା ଚଳେଇବେ । ବିଦେଶୀଲୋକଙ୍କୁ ଆସ୍ତେ ଆସ୍ତେ ବିଦା କରିଦେବେ-

 

ଏହି ଶିକ୍ଷାନବିସ୍‍ ପାଇଁ ବଛାବଛି ପରୀକ୍ଷା ହେଲା । ଗୋରା ତ ପରୀକ୍ଷାରେ ଭଲକରିଥାଏ । ତା’ ଉପରେ ତା’ର ନିଶଦାଢ଼ି ଉଠି ନଥାଏ ଓ ସୁନ୍ଦର ସ୍ୱାସ୍ଥ୍ୟ ଥାଏ । ସେଥିନିମନ୍ତେ ତାକୁ ସହଜରେ ବଛାଗଲା । ଟାଟା କମ୍ପାନୀରେ ଗୋରା ହେଲା ପ୍ରଥମ ଓଡ଼ିଆ ଶିକ୍ଷାନବିସ୍ । ବଛାବଛି ପରୀକ୍ଷା ସାରି ସମସ୍ତେ ଫେରି ଆସିବାର ମାସକ ପରେ ଗୋରାକୁ ସେଠାରେ ଯୋଗଦେବାପାଇଁ ଡକରା ଆସିଲା । ସାଙ୍ଗମେଳରେ ସିନା ଗୋରା ଗୋଟାଏ ଦରଖାସ୍ତ କରିଦେଇଥିଲା; କିନ୍ତୁ ଯେତେବେଳେ ଡକରା ଆସିଗଲା, ସେତେବେଳେ ନାନୁବାବୁଙ୍କଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ସମସ୍ତେ ଆତଙ୍କିତ ହୋଇପଡ଼ିଲେ । ଟାଟାନଗରକୁ ସେତେବେଳେ କାଳିମାଟି ବୋଲି ସମସ୍ତେ କହୁଥିଲେ । ସେଠାକୁ ଗଲେ କୁଆଡ଼େ ଦେହ ଜଳିପୋଡ଼ି କଳା ହୋଇଯିବ । କଲିକତା ଗଲେ ସେତେବେଳେ ଆଉ ଲୋକେ ଜୀବନରେ ଫେରୁ ନଥିଲେ । ଫେରିଲେ ମେଲେରିଆରେ ଶଢ଼ି ପେଟରେ ପ୍ଲୀହା, ଦରମଲା ଅବସ୍ଥାରେ ଫେରୁଥିଲେ । ଏହିସବୁ କାରଣ ନେଇ କଲିକତା, କାଳିମାଟି ଚାକିରିକୁ ଲୋକେ ବାହାରିଲେ ଘରେ କାନ୍ଦବୋବାଳି ପଡ଼ିଯାଉଥିଲା; କିନ୍ତୁ ଗୋରାର ବିଚାରଧାରା ସ୍ଵତନ୍ତ୍ର । ନାନୁବାବୁ ମଧ୍ୟ କମ୍ ପ୍ରଗତିପନ୍ଥୀ ନୁହଁନ୍ତି । ତେଣୁ କାଳିମାଟିର ଗୋରା ଶିକ୍ଷାନବିସ୍ ହିସାବରେ ଯୋଗଦେବାର ସ୍ଥିରହେଲା । ଗାଁରୁ କିଛି ଜମି ବିକି ଟଙ୍କାଧରି ନାନୁବାବୁ ନିଜେ ଗୋରାକୁ ସାଙ୍ଗରେ ନେଇ କାଳିମାଟି ଗଲେ ।

 

ଗୋରା ବୋଉ ଯାହା ଟିକିଏ ଦମ୍ଭଧରି ଆସୁଥିଲେ, ପୁଣି ସେ ଭାଙ୍ଗିପଡ଼ିଲେ; କିନ୍ତୁ ଗୋରା ସମସ୍ତଙ୍କୁ ବୁଝେଇ ସୁଝେଇ ବିଦାୟ ନେଲା । ବାପା ମଲାଦିନ ଟଙ୍କାପାଇଁ ସନ୍ତୋଷବାବୁଙ୍କ ବାପା ଯେପରି ତାଗଦା କରିଥିଲେ, ଗୋରା ମନରୁ ସେ କଥାଟା ମୋଟେ ପାସୋରି ଯାଉ ନଥାଏ-

 

ଦୁଇ

 

ସେ ବର୍ଷ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ହୋଇ ବ୍ରାହ୍ମଣୀ, ବୈତରଣୀ, ମହାନଦୀରେ ପ୍ରବଳ ବନ୍ୟା ମାଡ଼ିଆସିଲା । ଜୁନ୍ ଜୁଲାଇ ମାସରେ ବର୍ଷା ବା ବଢ଼ି ହେଲେ ଖାଲବିଲ, ଗଡ଼ିଆ ପୋଖରୀରେ ସେ ପାଣି ସବୁ ଭରିଯାଏ । ବଢ଼ିର ପ୍ରକୋପ ସେତେ ବେଶି ହୁଏନାହିଁ; କିନ୍ତୁ ବର୍ଷାଦିନ ଶେଷବେଳକୁ ପ୍ରବଳ ବର୍ଷାଯୋଗୁଁ ନଦୀମାନଙ୍କରେ ବଢ଼ି ଆସିଗଲେ ଅବସ୍ଥା ବଡ଼ ଅସମ୍ଭାଳ ହୋଇପଡ଼େ । ନାଳକୂଳିଆ ଅଞ୍ଚଳର ନଈବନ୍ଧକୁ ଜଗିବାକୁ ସରକାର ତତ୍ପର ହୋଇପଡ଼ନ୍ତି; ଫଳରେ ଧୋଇଆ ଅଞ୍ଚଳର ବିଲ ବାଡ଼ିରେ ପାଣି ମାଡ଼ିଯାଏ । ପାଚିଆସୁଥିବା ବିଆଳିଧାନ ନଷ୍ଟ ହୁଏ, ଥୋଡ଼ ବାହାରୁଥିବା ଶାରଦଧାନ ମଧ୍ୟ ଯାଏଁ । ଘରଦ୍ଵାର ନଷ୍ଟ ହୋଇ ଲୋକେ ବଡ଼ ଦୁର୍ଦ୍ଦଶା ଭୋଗନ୍ତି । ସେ ବର୍ଷ ସେହିପରି ସେପ୍‌ଟେମ୍ବର ମାସରେ ବଢ଼ି ମାଡ଼ିଆସିଥିଲା । କଟକ ଜିଲାର ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଜିଲାର ସଦର, ଗୋପ, ନିମାପଡ଼ା ପ୍ରଭୃତି ଅଞ୍ଚଳରେ ବ୍ୟାପକ କ୍ଷତି ହେଲା । କମିଲା ପରେ ଜଣାପଡ଼ିଲା ଅବସ୍ଥା ବଡ଼ ଗୁରୁତର । ସରକାର କିନ୍ତୁ ଅବସ୍ଥା ଖରାପ ବୋଲି ମାନିନେବାକୁ ନାରାଜ । ତେଣୁ ବେସରକାରୀ ସାହାଯ୍ୟରେ ବ୍ୟବସ୍ଥା କରିବାକୁ ଗୋପବନ୍ଧୁବାବୁ ଲାଗିପଡ଼ିଲେ । ଟାଉନ୍‌ହଲ୍‍ରେ ସଭାହେଲା । ବଢ଼ି ଅଞ୍ଚଳରେ କିପରି ବ୍ୟାପକ କ୍ଷତି ହୋଇଛି, ଗୋପବନ୍ଧୁ ସେସବୁ କାନ୍ଦି କାନ୍ଦି ବର୍ଣ୍ଣନା କାଲେ । ସ୍କୁଲ୍‍, କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କୁ ବନ୍ୟା ସାହାଯ୍ୟ ପାଣ୍ଠିକୁ ସାହାଯ୍ୟ ଦେବାକୁ ନିବେଦନ କରାଗଲା । ବନ୍ୟାର କରୁଣକାହାଣୀ ଗାଇ ଗାଇ ସହର ବଜାରରେ ଚାନ୍ଦାସଂଗ୍ରହର ବ୍ୟବସ୍ଥା କରାଗଲା । ଲୁଗାପଟା, ପଇସା, ଚାଉଳ ଯିଏ ଯାହା ଦେଇପାରିଲା ତାକୁ ଗ୍ରହଣ କରାଗଲା । ପ୍ରାୟ ସବୁଦିନ ସଞ୍ଜରେ ଚାନ୍ଦା ସଂଗ୍ରହକାରୀଦଳ ବାହାରନ୍ତି । ଗୋଟିଏ ଚଦରକୁ ଦୁଇଜଣ ଦୁଇପାଖରେ ଧରିଥାନ୍ତି-। ଜଣେ ହାରମୋନିୟମ୍‍ଟାଏ କାନ୍ଧରେ ଲଟକେଇ ଗୀତ ଗାଉଥା’ନ୍ତି । ଆଉଜଣେ କାରବାଇଡ଼୍ ବତି ଗୋଟିଏ ଧରିଥାଆନ୍ତି । ଆଗପଛରେ ଆଉକେତେଜଣ ଗୀତର ପାଳିଧରି ଚାଲିଥାନ୍ତି-। ଲୋକେ ଚାଉଳ, ପଇସା, ନୂଆ ପୁରୁଣାଲୁଗା ପ୍ରଭୃତିରେ ଚାଦର ଝୁଲି ଭିତରକୁ ପକୋଉଥାନ୍ତି-। ଆଜି ଏ ବଜାର ତ କାଲି ସେ ବଜାର, ଏହିପରି କଟକ, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା ଓ ଅନ୍ୟାନ୍ୟ ଛୋଟବଡ଼ ସହର ଓ ଗାଁରୁ ସାହାଯ୍ୟ ସଂଗ୍ରହ କାମ ଚାଲୁ ହୋଇଥାଏ । ଏ କାମରେ ଆଗୁଆ ଥାନ୍ତି ଅସହଯୋଗ ଆନ୍ଦୋଳନର କର୍ମୀମାନେ । ସବୁ ସାହାଯ୍ୟ ସ୍ଵରାଜ ଆଶ୍ରମକୁ ଆସେ । କେଉଁ ଅଞ୍ଚଳରେ କ୍ଷତି କେତେ, ତା’ର ଗୋଟିଏ ମୋଟାମୋଟି ଧାରଣା କରାଯାଇଥାଏ । ସେହି ଅନୁସାରେ ସ୍ଵେଚ୍ଛାସେବକମାନେ ଚାଉଳ, ଚୁଡ଼ା, ଗୁଡ଼, ଲୁଣ, ଲଙ୍କା, ଲୁଗା ଜାମା ପ୍ରଭୃତି ଧରି ବଢ଼ି ଅଞ୍ଚଳରୁ ଡଙ୍ଗାରେ ବାହାରିଯାଆନ୍ତି । ସ୍କୁଲ୍‍ କଲେଜର ପିଲାମାନଙ୍କୁ ସ୍ଵେଚ୍ଛାସେବକ ହିସାବରେ ନିଆଯାଉଥାଏ । ସେମାନେ ସାହାଯ୍ୟ ସଂଗ୍ରହ କରିବେ, ବାଣ୍ଟିବେ ମଧ୍ୟ-

 

ବୋଧହୁଏ ଏ ବଢ଼ିଟା ଇତସ୍ତତଃ ହୋଇଯାଇଥିବା ଅସହଯୋଗ ଆନ୍ଦୋଳନରୁ କର୍ମୀମାନଙ୍କୁ ପୁଣି ଏକଜୁଟ ହେବାପାଇଁ ଗୋଟାଏ ସୁଯୋଗ ଦେଲା । ଲୋକମାନଙ୍କ ସହିତ ମିଶିବାର ସୁଯୋଗ ଏହାଦ୍ଵାରା ମିଳିଲା । ସତ୍ୟବାଦୀ ସ୍କୁଲ୍‍ର ପୂର୍ବତନ ସଂଗଠକମାନେ ଆସି ସ୍ଵରାଜ ଆଶ୍ରମରେ ପହଞ୍ଚିଥିଲେ । ଗୋପବନ୍ଧୁ, ହରିହର, ନୀଳକଣ୍ଠ, ଗୋଦାବରୀଶ ପୁରୀରୁ; ଭାଗୀରଥୀ, ନିତ୍ୟାନନ୍ଦ, ପଣ୍ଡିତ ପଢ଼ିଆରି, ରାଜକୃଷ୍ଣ, ଯଦୁମଣି ପ୍ରଭୃତି କଟକରୁ; ହରେକୃଷ୍ଣ, ନନ୍ଦକିଶୋର, ମୁକୁନ୍ଦପ୍ରସାଦ ପ୍ରଭୃତି ଆସିଲେ ବାଲେଶ୍ଵରରୁ । ଏମାନେ ସମସ୍ତେ ପୂର୍ବ ଅସହଯୋଗ ଆନ୍ଦୋଳନରେ ନେତା ଓ କର୍ମୀ । ଏମାନେ ଏକାଠି ବସି କେଉଁ ଅଞ୍ଚଳକୁ କି ପ୍ରକାର ସାହାଯ୍ୟ ଦିଆଯିବ ତାହା ଠିକଣା କଲେ । ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ପ୍ରଭୃତି ଅଞ୍ଚଳକୁ ଏମାନଙ୍କ ମଧ୍ୟରୁ ଦୁଇତିନିଜଣ କରି ପଞ୍ଝା ପଞ୍ଝା ସ୍ଵେଚ୍ଛାସେବକ ପଠାଗଲା । କାମ ଖୁବ୍ ଜୋର୍‍ସୋର୍‌ରେ ଚାଲିଲା । ଖଡ଼ଗପୁର, ଟାଟାନଗର ପ୍ରଭୃତି ସ୍ଥାନରେ ସେଠାକାର ସ୍ଥାନୀୟ ଲୋକ ଓ ଏମାନଙ୍କ ମଧ୍ୟରୁ ଜଣେ ଜଣେ ଯାଇ ଚାନ୍ଦା ସଂଗ୍ରହ କରିବା ସଙ୍ଗେ ସଙ୍ଗେ ଏସବୁ ସ୍ଥାନରେ ବନ୍ୟା ସାହାଯ୍ୟ ସଙ୍ଗଠନମାନ ଗଢ଼ିଲେ ।

 

ସରକାର ପ୍ରମାଦ ଗଣିଲେ । ବିପତ୍ତିବେଳେ ଲୋକଙ୍କ ପାଖରେ ନେଇ ସାହାଯ୍ୟ ପହଞ୍ଚେଇବାକୁ ଗୋଟାଏ ପ୍ରଶଂସନୀୟ କାର୍ଯ୍ୟ ବୋଲି ମନେ କରି ଏହାକୁ ସନ୍ଦେହଚକ୍ଷୁରେ ଦେଖିଲେ । ବନ୍ୟାପାଇଁ ସରକାର ସାହାଯ୍ୟ ଦେବା ଦୂରେଥାଉ, ସରକାରୀ କର୍ମଚାରୀଙ୍କଠାରୁ ବା ସରକାରୀ ସ୍କୁଲ୍‍ କଲେଜରୁ ସାହାଯ୍ୟ ସଂଗ୍ରହ କରିବାକୁ ସରକାର ବିଷଦୃଷ୍ଟିରେ ଦେଖିଲେ । ଫଳରେ ଏ ସବୁ ଲୋକ ପ୍ରତ୍ୟକ୍ଷରେ ସାହାଯ୍ୟ ନକରି ପରୋକ୍ଷରେ ବରଂ ବେଶି ସାହାଯ୍ୟ ଦେଲେ-। ଏହାଦ୍ଵାରା ଗୋଟାଏ ଭଲ ଫଳ ହେଲା । ଏପରି ମହତ୍ କାମ ପ୍ରତି ସରକାରଙ୍କ ସନ୍ଦେହ ମନୋଭାବ ଲୋକଙ୍କ ମନରେ ସରକାରଙ୍କ ପ୍ରତି ଘୃଣା ଆଣିବା ସଙ୍ଗେ ସଙ୍ଗେ ଏ କାମରେ ଯେଉଁମାନେ ଆଗୁଆହୋଇ ଲାଗିପଡ଼ିଲେ, ସେମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା, ଭକ୍ତି ଆସିଲା ପ୍ରବଳଭାବରେ । ଜନସାଧାରଣଙ୍କ ମଧ୍ୟରେ କାମ କରିବାକୁ ନେତା ଓ କର୍ମୀମାନଙ୍କୁ ଏହାଦ୍ଵାରା ଗୋଟାଏ ଅପୂର୍ବ ସୁଯୋଗ ମିଳିଲା ।

 

ତାରା ଟାଉନ୍‌ହଲ୍ ସଭାରେ ସବୁ ଶୁଣିଲା । ସେ ତ ସ୍ଵରାଜ ଆଶ୍ରମକୁ ମଝିରେ ମଝିରେ ଯାଏଁ । ତେଣୁ ତାରା ସ୍ୱେଚ୍ଛାସେବକଙ୍କ ସହିତ ବନ୍ୟାଅଞ୍ଚଳକୁ ଯିବ ବୋଲି ସ୍ଵରାଜ ଆଶ୍ରମରେ ଯାଇ ପହଞ୍ଚିଲା । ତୋ ଭଳିଆ ସାନ ପିଲା ବଢ଼ି ଅଞ୍ଚଳକୁ ଯାଇଁ ବିଶେଷ କାର୍ଯ୍ୟ କରିପାରିବନାହିଁ ବୋଲି ତାରାକୁ ସମସ୍ତେ କହିବାରୁ, ସେ ବଡ଼ କ୍ଷୁବ୍ଧ ହେଲା । ଏହା ଦେଖି ଯଦୁମଣିବାବୁ, ପଢ଼ିଆରିବାବୁ ତାକୁ କହିଲେ, ଆରେ, ସାହାଯ୍ୟ ବାଣ୍ଟିବା କ’ଣ ବଡ଼କଥା; ବଡ଼କଥା ହେଲା ସାହାଯ୍ୟ ସଂଗ୍ରହ କରିବା । ତୁ ପ୍ରତିଦିନ ସନ୍ଧ୍ୟାରେ ଆମର ଯେଉଁ ଦଳ ଯେଉଁ ଆଡ଼କୁ ସାହାଯ୍ୟ ସଂଗ୍ରହପାଇଁ ବାହାରୁଛନ୍ତି, ସେମାନଙ୍କ ସଙ୍ଗେ ବୁଲି ପ୍ରତି ଘରୁ ସାହାଯ୍ୟ ସଂଗ୍ରହ କର । ତାରା ବୁଝିଗଲା । ତେଣୁ ସ୍କୁଲ୍‍ରୁ ଆସି ଜଳଖିଆ ଖାଇ ସେ ଶୀଘ୍ର ଶୀଘ୍ର ବାହାରିଯାଏ ସାହାଯ୍ୟ ସଂଗ୍ରହ କାର୍ଯ୍ୟରେ । ପୂର୍ବଦିନ ଯେଉଁ ବଜାରରେ ଯେଉଁଘରୁ କରିଥାଏ, ତା’ ପରଘରୁ ପୁଣି ଆଦାୟ ଆରମ୍ଭ ହୁଏ । ଏ କାମରୁ ଘରକୁ ଫେରିବାକୁ ଡେରିହୁଏ । ତା’ ସତ୍ତ୍ୱେ ସେ ଘରକୁ ଫେରି ଦୁଇଘଣ୍ଟା ନିୟମିତଭାବେ ପଢ଼େ । ନାନୁବାବୁ ତାକୁ ପୁଅକରି ନେଇଥିବାରୁ ସେ ତାଙ୍କୁ ବାପା ବୋଲି ଡାକେ ଓ ତାଙ୍କ ସ୍ତ୍ରୀଙ୍କୁ ଖୁଡ଼ୀ ନା ଡାକି, ଡାକେ ବୋଉ । ନାନୁବାବୁ ତାରାର ଗତିବିଧି ସମ୍ବନ୍ଧରେ ମଦନଠାରୁ ସବୁ ଖବର ପାଆନ୍ତି; କିନ୍ତୁ କିଛି କହନ୍ତିନାହିଁ । ପୁଣି କେତେବେଳେ କେଉଁକଥା । ଯାହା କରୁ ପଛେ ଘରକୁ ଫେରୁଛି ଓ ନିୟମିତ ପଢ଼ାପଢ଼ି କରୁଛି । ସେହି ଯଥେଷ୍ଟ । ମାଇଲେ ଧଇଲେ କାଳେ ଏକାବେଳକେ ବଢ଼ିଅଞ୍ଚଳକୁ ଚାଲିଯିବ, ଏଇ ହେଲା ନାନୁବାବୁଙ୍କର ଡର ।

 

ଏମିତି ସାହାଯ୍ୟ ସଂଗ୍ରହ ଓ ବଣ୍ଟାବଣ୍ଟି ମାସେ ଖଣ୍ଡେ ଚାଲିଲା; କିନ୍ତୁ ଗୋଟେଇବା କାଣ୍ଡ ଯୁଦ୍ଧକୁ ନ ପାଇବାପରି, ଏ ସାହାଯ୍ୟ କୁଆଡ଼କୁ ପାଇଲାନାହିଁ । ଏହା ସମୁଦ୍ରକୁ ଶଙ୍ଖେ ପରି ହେଲା-। ତଥାପି ଲୋକଙ୍କ ପାଖରେ ଚାଉଳ ସେରେ, ଚୁଡ଼ା ମୁଠାଏ ପହଞ୍ଚି ପଦେ ମିଠାକଥା ସେ ଦୁର୍ଦ୍ଦିନରେ କହିବାଟା ଖୁବ୍ ଫଳପ୍ରଦ ହେଉଥାଏ । ଲୋକେ ଏମାନଙ୍କୁ ଖୁବ୍ ଶ୍ରଦ୍ଧା କରୁଥା’ନ୍ତି-। କଂଗ୍ରେସ ତରଫରୁ ଏ ସାହାଯ୍ୟ ଦିଆଯାଉଥିବାର ଶୁଣି କଂଗ୍ରେସ ପ୍ରତି ଲୋକଙ୍କ ମତିଗତି ଖୁବ୍ ଭଲହେଉଥାଏ; କିନ୍ତୁ ଏସବୁ ସାହାଯ୍ୟ ସହାନୁଭୂତି ସତ୍ତ୍ୱେ ଅବସ୍ଥା କ୍ରମେ ଖରାପଆଡ଼କୁ ଗତିକଲା-। ବଢ଼ିପରେ ବର୍ଷା ଏକବାରେ ବନ୍ଦ ହୋଇଗଲା । ବଢ଼ିପାଣି ଛାଡ଼ିବାକୁ ଡେରିହେଲା-। ଧାନକିଆରିକୁ କିଆରି ପାଣି ଆଉ ପଟୁରେ ପଚି ନଷ୍ଟ ହୋଇଗଲା । ବଢ଼ି ଛାଡ଼ିଲା ପରେ ଯଦି ବର୍ଷା ହୋଇଥାନ୍ତା ତେବେ ବା ଧାନ ଗଛରୁ ପଟୁ ଛାଡ଼ି ଯାଇଥାନ୍ତା; କିନ୍ତୁ ତାହା ହେଲାନାହିଁ-। ବଢ଼ି ପଛେ ପଛେ ହେଲା ମରୁଡ଼ି । ତିନିମାସ ପରେ ଅବସ୍ଥା ଅତି ଶୋଚନୀୟ ହେଲା । ବେସରକାରୀ ସାହାଯ୍ୟ ଯଥେଷ୍ଟ ହେଲାନାହିଁ । ନଅଙ୍କ ଦୁର୍ଭିକ୍ଷବେଳେ ଦେଶରେ ଯଥେଷ୍ଟ ଧାନଅଛି ବୋଲି ବିଦେଶୀ ସରକାରଙ୍କୁ ବୁଝେଇଦେବାଦ୍ଵାରା ଆଖପାଖ ପ୍ରଦେଶରୁ ଧାନ ଆଣିବାପାଇଁ ଯେପରି କୌଣସି ବ୍ୟବସ୍ଥା କରାଗଲାନାହିଁ, ସେଥିରେ ଏଥରକ ମଧ୍ୟ ସରକାରଙ୍କ ତରଫରୁ ଦୁର୍ଭିକ୍ଷ ବା ମରୁଡ଼ି ପଡ଼ୁଛି ବୋଲି ମୋଟେ ସ୍ଵୀକାର କରାଗଲା ନାହିଁ । ଫଳରେ ବାହାରୁ କୌଣସି ସାହାଯ୍ୟ ଆସିଲାନାହିଁ । ନଅଙ୍କ ଦୁର୍ଭିକ୍ଷବେଳେ ରାସ୍ତାଘାଟରେ ସୁବିଧା ନ ହେବାରୁ ଖାଦ୍ୟ ପଦାର୍ଥ ବାହାରୁ ଆଣିବା ହୁଏତ କଷ୍ଟକର ହୋଇଥାନ୍ତା; କିନ୍ତୁ ଏବେ ରେଳରାସ୍ତାରେ ସୁବିଧା ଥାଇ ମଧ୍ୟ ସରକାରଙ୍କ ଅବହେଳା ହେତୁ କଟକ ଓ ପୁରୀଜିଲାର ଲୋକେ ଅନାହାରରେ ମରିବାକୁ ଆରମ୍ଭକଲେ-। ଲୋକେ ଚାକୁଣ୍ଡାପତ୍ର, ତେନ୍ତୁଳିପତ୍ରଠାରୁ ଆରମ୍ଭ କରି କଇଁନାଡ଼ପରି ନାନାପ୍ରକାର ଅଖାଦ୍ୟ ଖାଇଲେ । ଫଳରେ ପେଟବେମାରି, ହଇଜା ପ୍ରଭୃତି ରୋଗ ସଂକ୍ରାମକଭାବେ ଦେଖାଗଲା-। ତଥାପି ସରକାରଙ୍କର ଚେତା ପଶିଲାନାହିଁ । ଗୋପବନ୍ଧୁବାବୁ ତତ୍‌କାଳୀନ ବିହାର, ଓଡ଼ିଶା ବିଧାନସଭାର ସଦସ୍ୟ ଭାବରେ ବିଧାନସଭାରେ ଚିତ୍କାରକରିବା ଫଳରେ ବିହାର, ଓଡ଼ିଶା ଲାଟ୍ ସାହେବ ବନ୍ୟା ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ଦୁର୍ଦ୍ଦଶା ଦେଖିବା ସକାଶେ ଆସିଲେ । ମଫସଲ ଅଞ୍ଚଳର ସ୍ତ୍ରୀଲୋକମାନେ ହାତରେ ଯେଉଁ ପିତଳଖଡ଼ୁ ପିନ୍ଧିଥିଲେ, ତାକୁ ତଳିଆ ଅଫିସରମାନେ ସୁନାଖଡ଼ୁ ବୋଲି ଲାଟ୍‌ ସାହେବଙ୍କୁ ବୁଝେଇଦେଲେ । କଙ୍କାଳସର୍ବସ୍ଵ ଲୋକଙ୍କୁ ଦେଖି ସେ ଅବଶ୍ୟ ଖାଦ୍ୟ ଅନଟନ ଓ ଅନ୍ନକଷ୍ଟ ହୋଇଛି ବୋଲି କହିଲେ; କିନ୍ତୁ ଦୁର୍ଭିକ୍ଷ ପଡ଼ିଛି ବୋଲି ସରକାରୀ ଘୋଷଣା କଲେନାହିଁ । ତେଣୁ ଦୁର୍ଭିକ୍ଷ ଅଞ୍ଚଳ ପ୍ରଭୃତି ପ୍ରତି ଯେଉଁ ବିଧିବିଧାନ ପାଳନ କରିବା କଥା, ସେକଥା ହେଲାନାହିଁ । ଚାଉଳ ଆସିଲା; କିନ୍ତୁ ବିକ୍ରିପାଇଁ । ମାଗଣାରେ ପଡ଼ି ଦିଆଗଲା ନାହିଁ କି ଅନ୍ନଛତ୍ର ଖୋଲାଗଲାନାହିଁ । ଲୋକେ ହଇଜାରେ ବା ବେମାରିରେ ପଡ଼ି ମରୁଛନ୍ତି, ଖାଇବାକୁ ନପାଇ କେହି ମରିନାହାନ୍ତି । ସରକାରଙ୍କ ଏପରି ବିଚିତ୍ର ମନୋଭାବଦ୍ୱାରା ଲୋକେ ମନେମନେ ଖୁବ୍‌ ଉତ୍ତ୍ୟକ୍ତ ହେଲେ; କିନ୍ତୁ କହିବେ କାହାକୁ ? ଯେଉଁ ସରକାରୀ ଅଫିସରମାନଙ୍କ ଆଗରେ ଅଭାବ ଅନଟନ କଥା କହି ଗୁହାରି କରନ୍ତେ, ସେମାନେ ଓଲଟା ବୁଝାଉଛନ୍ତି ତାଙ୍କ ଉପର ହାକିମଙ୍କୁ, ଆଉ କହିବେ କାହାକୁ ?

 

ଯାଜପୁରର ଧୋୟା ଅଞ୍ଚଳର ବିଷୟରେ ସତ୍ୟଘଟଣାମୂଳକ ରିପୋର୍ଟ ଲେଖି ସେତେବେଳର ଡେପୁଟି ମାଜିଷ୍ଟ୍ରେଟ ଗୋପବନ୍ଧୁ ଚୌଧୁରୀ ମହାବିପଦରେ ପଡ଼ିଲେ । ତାଙ୍କୁ ତାଙ୍କର ରିପୋର୍ଟ ବଦଳେଇବାକୁ ଉପରୁ ନିର୍ଦ୍ଦେଶ ଦିଆଗଲା । ଚାକିରି ଛାଡ଼ିବେ ପଛକେ ଦେଇଥିବା ରିପୋର୍ଟର ଗୋଟିଏ ଅକ୍ଷର ସୁଦ୍ଧା ବଦଳେଇବେ ନାହିଁ ବୋଲି ସେ କହିଲେ । ଶେଷରେ ଚାକିରି ଛାଡ଼ିଲେ ପଛକେ ସତକଥା ଲେଖିଲେ । ଗୋପବନ୍ଧୁ ସଂକୀର୍ଣ୍ଣ ଗଣ୍ଡିଭିତରୁ ବାହାରି ପ୍ରଶସ୍ତ କ୍ଷେତ୍ରରେ କାମ କରିବାକୁ ବାହାରିଆସିଲେ । ସେତେବେଳେ ସେଇହିଁ ଡେପୁଟି ଚାକିରି ଭଳିଆ ଚାକିରି ଛାଡ଼ି ବାହାରିଆସିବା ପ୍ରଥମ ଲୋକ । ଲୋକେ ଭୋକ ଓପାସ ଓ ବେମାରିରେ ପଡ଼ି ଶହ ଶହ ସଂଖ୍ୟାରେ ଟଳିପଡ଼ିଲେ । ଟିକିଏ ପାରିବାଲୋକ ଗାଁ ମାଟିର ମାୟା ଛାଡ଼ି ଧାଇଁଗଲା କାଳିମାଟି, ଖଡ଼ଗପୁର, କଲିକତାକୁ ଚାକିରିପାଇଁ । ନଅଙ୍କ ଦୁର୍ଭିକ୍ଷବେଳେ ଲୋକଙ୍କୁ କାମ ଯୋଗାଇବା ପାଇଁ ଓଡ଼ିଶାରେ ରେଳରାସ୍ତା ତିଆରି, କେନାଲ ଖୋଳା, ଆନିକଟ ତିଆରି ପ୍ରଭୃତି ନାନାପ୍ରକାର କାମ କରାଗଲା । ଲୋକଙ୍କୁ ପଇସା ପରିବର୍ତ୍ତେ ଚାଉଳ ଯୋଗାଇ ତାଙ୍କୁ ବଞ୍ଚେଇ ରଖିବା ସଙ୍ଗେ ସଙ୍ଗେ କେତେକ ଉନ୍ନତିମୂଳକ କାମ ଲୋକଙ୍କପାଇଁ କରାଯାଇପାରିଥିଲା; କିନ୍ତୁ ଏଥରକ ସେପରି ସାହାଯ୍ୟ ମଧ୍ୟ ମିଳିଲାନାହିଁ । ଲୋକଙ୍କ ମନରେ ନିଆଁ ଲାଗିଲା; କିନ୍ତୁ କୁହୁଳି କୁହୁଳି ରହିଲା ସିନା, ଉପରକୁ ଜଳି ଦିଶିଲାନାହିଁ । ବାରୁଦ ନଳିଭିତରେ ଭର୍ତ୍ତି ହୋଇ ରହିଲା, ବିସ୍ଫୋରଣ ପାଇଁ ଅଗ୍ନିକଣିକାକୁ ମାତ୍ର ଅପେକ୍ଷା ରହିଲା ।

 

ତିନି

 

ୟା ମଧ୍ୟରେ ଖୋଲାଖୋଲି ଭାବରେ କୌଣସି ଆନ୍ଦୋଳନ ନ ହେଉଥିଲେ ମଧ୍ୟ ଗାନ୍ଧିଜୀ ଓ ଅନ୍ୟ ନେତାମାନେ ଭାରତର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ବୁଲି ସଭା ସମିତି ସଙ୍ଗଠକମାନଙ୍କରେ ଭବିଷ୍ୟତ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥା’ନ୍ତି । ଏହି ସମୟରେ ଗାନ୍ଧି ଥରେ କଟକ ଆସିଲେ । କାଠଯୋଡ଼ି ନଈବାଲିରେ ଗୋଟିଏ ବିରାଟ ସଭା ହେଲା । ଗାନ୍ଧିଙ୍କୁ ଦେଖିବାକୁ କଟକ ସହର ଓ ମଫସଲ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକେ ଆସିଲେ । ସଭାରେ ଗାନ୍ଧିଜୀ ଦେଶର ସମସ୍ୟା ସମାଧାନ ଲାଗି ଅସହଯୋଗ, ଅହିଂସା, ସତ୍ୟାଗ୍ରହ ପ୍ରଭୃତି ଅନେକକଥା ବୁଝେଇଲେ । ସେତେବେଳକୁ ଇଂରେଜ ସରକାର ଦେଶବାସୀଙ୍କ ମନରେ ବିଭେଦ ଆଣିବାଲାଗି ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଘୃଣ୍ୟ ଭେଦଭାବ ଜାଗ୍ରତକରାଇ ଦୁଇ ସମ୍ପ୍ରଦାୟର ଲୋକଙ୍କୁ ପରସ୍ପର ବିପକ୍ଷରେ ମତେଇବାକୁ ଲାଗିଲେ । ଫଳରେ କେତେକ ବଡ଼ବଡ଼ ସହରରେ ସାମ୍ପ୍ରଦାୟିକ ଦଙ୍ଗାହାଙ୍ଗାମ ହୋଇଗଲା । କଲିକତା ସହରରେ ଏପରି ହାଣକାଟ ଯୋଗୁଁ ବହୁସଂଖ୍ୟକ ଲୋକ କଲିକତା ଛାଡ଼ି ନିଜ ନିଜର ଗାଁକୁ ପଳେଇଆସିଲେ । ଇଆଡ଼େ ତ ଦେଶର ଅବସ୍ଥା ଖରାପ ହେବାରୁ ସେମାନେ ଗାଁ ଛାଡ଼ି ପିଲାଙ୍କ ମୁହଁରେ ମୁନ୍ଦାଏ ଢୋକ ଦେବେ ବୋଲି ବିଦେଶକୁ ଯାଇଥିଲେ । ବିଦେଶରେ ଏ ହାଣକାଟ ହେବାରୁ ସେମାନେ ଗାଁକୁ ପଳେଇଆସି ଭୟାନକ ବିବରଣୀମାନ ଦେଲେ । ଏହି ସାମ୍ପ୍ରଦାୟିକତା ବିରୁଦ୍ଧରେ ଦେଶବାସୀଙ୍କୁ ବୁଝେଇବା ପାଇଁ ଗାନ୍ଧିଜୀ ଭାରତର ଏ ମୁଣ୍ଡରୁ ସେ ମୁଣ୍ଡଯାକେ ଗସ୍ତ କରୁଥାନ୍ତି ।

 

ଇଂରେଜମାନେ ପ୍ରଥମ ଅସହଯୋଗ ଆନ୍ଦୋଳନ ପରେ ଦେଶରେ ଯେଉଁ ନୂଆ ଶାସନ ସଂସ୍କାର ପ୍ରବର୍ତ୍ତନ କରିଥାନ୍ତି ସେହି ବ୍ୟବସ୍ଥାମତେ ସବୁ ପ୍ରଦେଶରେ ନୂଆକରି ବିଧାନସଭାମାନ ଗଢ଼ାଯାଇଥାଏ । କେତେକ କହୁଥାନ୍ତି ଏ ବିଧାନସଭାରେ ପଶି ଶାସନକଳକୁ ଅକାମୀ କରିଦେବା, ଆଉ କେତେକ କହୁଥାନ୍ତି ପୂରାପୂରି ଏ ବିଧାନସଭାକୁ ବର୍ଜନ କରିବା । ଭାରତୀୟ ଜାତୀୟକଂଗ୍ରେସ ଏହି କାରଣରୁ ଦୁଇଦଳ ହୋଇଗଲା । ଦୁଇଦଳ ସିନା ହୋଇଗଲା; କିନ୍ତୁ ଉଭୟ ଦଳର ଲକ୍ଷ୍ୟ ହେଲା କିପରି ବିଦେଶୀ ସରକାରକୁ ଆମ ଦେଶରୁ ତଡ଼ିବା । ଏ ଦୁଇ ମତବାଦର ବିଶିଷ୍ଟ ନେତାମାନେ ଭାରତର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ବୁଲି ସଭାସମିତି କରି ବହୁଲୋକଙ୍କୁ ବୁଝେଇବାକୁ ଲାଗିଲେ । ଲୋକଙ୍କ କାନରେ ବହୁ କଥା ଆସି ବାଜିଲା । ଦେଶକୁ ଯେ ଗୋଟାଏ ବଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ ହେବ ଏ କଥା ଅନ୍ତତଃ ଅଳ୍ପ ବହୁତ ସମସ୍ତଙ୍କ କାନରେ ପଡ଼ିଲା । ବିଦେଶୀଙ୍କୁ ହଟେଇବା ପାଇଁ ଏ ଆନ୍ଦୋଳନ କିଛି ନୂଆ କଥା ନୁହେଁ । ଅତୀତରେ କେତେ ବିଦେଶୀ ଶାସକଙ୍କୁ ଏ ଦେଶରୁ ହଟେଇବା ପାଇଁ ରକ୍ତାକ୍ତ, ସୁପରିକଳ୍ପିତ ଷଡ଼ଯନ୍ତ୍ର ପ୍ରଭୃତି ଏ ଦେଶରେ ହୋଇଛି; କିନ୍ତୁ ବିନାଅସ୍ତ୍ର, ବିନାଯୁଦ୍ଧ ବା ବିନା ରକ୍ତପାତରେ ଏତେ ବଡ଼ ସୁସଙ୍ଗଠିତ ଇଂରେଜସରକାରଙ୍କୁ କିପରି ତଡ଼ି ଦିଆଯିବ ସେ କଥା ଲୋକଙ୍କୁ ଟିକିଏ ଅଡ଼ୁଆ ଲାଗୁଥାଏ । ତେଣୁ ସେ ସମୟରେ ଗାଁ ଗଣ୍ଡାରେ ଏହାହିଁ ଏକମାତ୍ର ଆଲୋଚନାର ବିଷୟ ହୋଇଥାଏ ।

 

ଗାନ୍ଧି, ମୋତିଲାଲ ଓ ବାହାରର ଅନେକ ନେତା ଆସି କଟକରେ ସଭା କରିଗଲେ । ଏମାନଙ୍କ ପରେ ଓଡ଼ିଶାର ନେତାମାନେ ଏ ବାର୍ତ୍ତା ଗାଁ ଗଣ୍ଡାରେ ସଭାସମିତି କରି ଲୋକମାନଙ୍କୁ ବୁଝେଇବାକୁ ଲାଗିଲେ । ତାରା କଟକର ଏସବୁ ସଭାରେ ଯୋଗଦିଏ । ଟାଇଫଏଡ଼୍ ପରେ ତାରାର ସ୍ଵାସ୍ଥ୍ୟ ଖୁବ୍ ସୁନ୍ଦର ହୋଇଥାଏ । ଫୁଟବଲ ଖେଳାଳି ହିସାବରେ ତାରାଦାସଙ୍କର ସେତେବେଳେ ସ୍କୁଲ୍‍ପିଲାଙ୍କ ଭିତରେ ନାଁ ହୋଇଗଲାଣି । ଗୋରା ତା’ ସାନଭାଇକୁ ଠିକ୍ ତାଲିମ ଦେଇଯାଇଛି । ଖେଳ, ପାଠପଢ଼ା, ଦେଶସେବା ସବୁକଥାରେ ତା’ର ଆଗୁଆ । ଦୀନୁବାବୁଙ୍କ ମଲା ପରେ ଗୋରା ଅନେକଟା ଭାଙ୍ଗିପଡ଼ିଲା; କିନ୍ତୁ ତାରା ସେତେବେଳେ ଅତି ଛୋଟ ଥିବାରୁ ଦୀନୁବାବୁଙ୍କ ମୃତ୍ୟୁ ଓ ତା’ପରେ ପରେ ପରିବାରର ଅଭାବ ଅନଟନ ତା’ଉପରେ ସେପରି ପ୍ରଭାବ ପକାଇ ପାରି ନଥାଏ । ସେ ନାନୁବାବୁଙ୍କୁ ବାପା ବୋଲି ଡାକେ । ନାନୁବାବୁ ଗୋରାର ଗତିବିଧି ବରାବର ଲକ୍ଷ୍ୟ କରୁଥାନ୍ତି । ଗୋରା ପରି ପୁଣି କେତେବେଳେ କେଉଁ ଆନ୍ଦୋଳନରେ ପଶିଯିବ ନାହିଁ ତ ? ସଭାସମିତିରେ ଯୋଗଦେବାକୁ ନାନୁବାବୁ କେବେ ଆପତ୍ତି କରନ୍ତି ନାହିଁ । ତାଙ୍କର ମତ ଯେ ସଭାସମିତିରେ ଯୋଗଦେଲେ ପିଲାଏ ଅନେକ କଥା ଶିଖିପାରିବେ । ସାପ୍ତାହିକ ସମାଜ ନାନୁବାବୁ ବରାବର ଅଣାନ୍ତି । ତାରା ତାକୁ ନିୟମିତ ପଢ଼େ । ତା’ଛଡ଼ା ଗାଁରେ ତାଙ୍କର ଗୋଟିଏ ଆଲମାରିରେ ରାମାୟଣ, ମହାଭାରତ, ନୃସିଂହ ପୁରାଣଠାରୁ ଆରମ୍ଭକରି ରାଧାନାଥ ଗ୍ରନ୍ଥାବଳି, ମଧୁସୂଦନ ଗ୍ରନ୍ଥାବଳି ପର୍ଯ୍ୟନ୍ତ ସେତେବେଳର ପ୍ରାୟ ସବୁ ଓଡ଼ିଆ ବହି ଥାଏ । ଖବରକାଗଜ ଓ ବହିପଢ଼ିବା ତାରାର ଅଭ୍ୟାସରେ ପରିଣତ ହୋଇଯାଇଥାଏ । ଗାଁକୁ ଗଲେ ସାଙ୍ଗପିଲାଙ୍କ ସହିତ ଯେତିକି ଖେଳିବାର । ବାକି ସମୟତକ ସେ ବହି ପଢ଼ି କଟାଇଦିଏ । ରାତିରେ ଶୋଇଲାବେଳେ ବା ପାହାନ୍ତାରୁ ନିଦ ଭାଙ୍ଗିଲେ ସାନ ଭଉଣୀ ମୀରାକୁ ଇଂରାଜୀ ବା ବଙ୍ଗଳା ବହିରୁ ପଢ଼ିଥିବା ଗପସବୁ କହେ । ଈଶପଗପ ଓ ହିତୋପଦେଶର ସବୁଯାକ ଗପ ମୀରାକୁ କହି ସାରିଲାଣି । ତାରା ନାନୁବାବୁଙ୍କ ସ୍ତ୍ରୀଙ୍କୁ ବୋଉ ବୋଲି ଡାକେ । ବେଳେବେଳେ ଉପରଖଞ୍ଜାରେ ଭାଇ ଭଉଣୀ ଦୁହେଁ ଗପରେ ଏପରି ତନ୍ମୟ ହୋଇ ରହିଥାଆନ୍ତି ଯେ ଖାଇବାକୁ ବା ଅନ୍ୟ କେଉଁଥିପାଇଁ ଡାକିଲେ ଦୁହିଁଙ୍କୁ ସେ ଡାକ ଶୁଭେନାହିଁ । ସେଥିପାଇଁ ବୋଉ କହନ୍ତି, ସେଠାରେ ଶୁକ ପରୀକ୍ଷିତ ସମ୍ବାଦ ହେଉଛି ବୋଲି ।

 

ସେ ବର୍ଷ ଖରାଛୁଟିରେ ତାରା ଗାଁରେ ଥାଏ । ଭାଇ ଥିଲାବେଳେ ଯେପରି ଖରାଛୁଟିଟା ଗାଁରେ କଟୁଥିଲା, ଏବେ ଆଉ ସେମିତି କଟୁନାହିଁ । ତେବେ ଡୁଡ଼ୁ ଖେଳିବା, ପହଁରିବା ବା ଡଙ୍ଗାରେ କାତମାରି ନେବା ତାରାର ଭାରି ପ୍ରିୟ ଖେଳ । ତାସ, ପଶା ପ୍ରଭୃତି ଖେଳ ତାରାକୁ ଆସେନାହିଁ । ସେ ମଧ୍ୟ ତାସ୍‌ ଚିହ୍ନେନାହିଁ । ରଜ ପରେ ଦିନେ ପାଗ ଖୁବ୍ କୋହଲା ଥାଏ । କଟକରେ ସକାଳୁଆ କଚେରି ହେଉଥାଏ । ତାରାର ଖରାଛୁଟି ପରେ ସ୍କୁଲ୍‍ ଖୋଲି ନଥାଏ । ଠାକୁରାଣୀ ପଡ଼ିଆରେ ଡୁଡ଼ୁ ଖେଳ ଠିକ୍ ଆରମ୍ଭ ହେବାକୁ ଯାଉଛି, ଏତିକିବେଳେ ଡାକବାଲା ସାପ୍ତାହିକ ‘ସମାଜ’ ଖଣ୍ଡିକ ଆଣି ସେଠାରେ ପହଞ୍ଚିଲା । ସନ୍ତୋଷବାବୁଙ୍କର ସାପ୍ତାହିକ ‘ସମାଜ’ ଖଣ୍ଡିକ ଡାକରେ ଆସେ । ବଡ଼ଠାରୁ ଛୋଟଯାଏଁ ବହୁଲୋକ ଠାକୁରାଣୀଙ୍କ ପାଖରେ ଅଛନ୍ତି । ଘରେ ଅସହ୍ୟ ଗୁଳୁଗୁଳି । ଡାକବାଲା ଯେଉଁମାନଙ୍କର ଚିଠି ଥିଲା, ସେ ସବୁକୁ ବାଣ୍ଟିଦେଇ ବସିପଡ଼ିଲା । କହିଲା, ‘ଦାସେ ଆପଣେ ଚାଲିଗଲେ’ । ‘ଆରେ କେଉଁ ଦାସେ ଆପଣେ’ ଲୋକେ ପଚାରି ବୁଝୁ ବୁଝୁ ତାରା କାନରେ କଥାଟା ପଡ଼ିଗଲା । ‘ଦାସ ଆପଣେ’ କିଏ ତାରାକୁ ସେକଥା ଭଲ ଜଣା । ତା’ ପାଟିରୁ ଆଉ କଥା ବାହାରିଲା ନାହିଁ । ସେ ପାଖ ବରଗଛ ସିଅ ଉପରେ ବସିରହିଲା । ସାଙ୍ଗମାନେ ତାକୁ ଘେରିଗଲେ-। ଆରେ କିଏ ସେ ଦାସ ଆପଣେ ମରିଗଲେ ? ତାରା କହିଲା, ‘ଗୋପବନ୍ଧୁ ଦାସ’ । ଗୋପବନ୍ଧୁ ଦାସ ଶୁଣି ଅନେକେ ସେ କଥା ବୁଝିନେଲେ । ‘ସମାଜ’ ଖୋଲା ହେଲା । ସନ୍ତୋଷବାବୁ ଆସିଲେ-। ସମସ୍ତେ ପଢ଼ି ସବୁକଥା ବୁଝିଲେ । ଖେଳ ବନ୍ଦ ହେଲା । ତାରା କହିବା ଅନୁସାରେ ସେଦିନ ସନ୍ଧ୍ୟାରେ ଗୋଟିଏ ଶୋକସଭା କରିବାର ସ୍ଥିର ହେଲା । ସେତେବେଳେ ଗାଁ ଗହଳିରେ ସଭା ପ୍ରଭୃତି ବିଶେଷ ହେଉ ନଥିଲା । ଯାହା ଠାକୁରଙ୍କ ପାଖରେ ସଞ୍ଜବେଳେ ପୁରାଣପାଠ, ଗାଁର କଜିଆଗୋଳ ନିଷ୍ପତ୍ତି, ଚାଷବାସ କଥା ପଡ଼େ । ସେଦିନ ପୁରାଣପାଠ ପରେ ସନ୍ତୋଷବାବୁଙ୍କ ସଭାପତିତ୍ଵରେ ଗୋଟିଏ ଶୋକସଭା ହେଲା । ତାରା ଗୋପବନ୍ଧୁବାବୁଙ୍କ ବିଷୟରେ କେତେ କଥା କହିଲା । ସମସ୍ତେ କିଛି ସମୟ ଠିଆ ହୋଇ ସ୍ୱର୍ଗତ ଆତ୍ମାର ସଦ୍‍ଗତି ପାଇଁ ପ୍ରାର୍ଥନା କଲେ-

 

ଗୋପବନ୍ଧୁବାବୁଙ୍କର ମରିବାର ଚାରିଦିନପରେ ପ୍ୟାରୀମୋହନ ଏକାଡ଼େମୀରେ ପ୍ରଧାନ ଶିକ୍ଷକ ନିମାଇଁ ଚରଣ ଚ୍ୟାଉ ପଟ୍ଟନାୟକ ମରିଯିବାର ଖବର ନାନୁବାବୁ ଶନିବାର ସଞ୍ଜକୁ କଟକରୁ ଆସି ଜଣାଇଲେ । ହେଡ଼୍‍ମାଷ୍ଟରଙ୍କ ମରିବା ଖବର ଶୁଣି ତାରା ଆହୁରି ବିବ୍ରତ ହୋଇପଡ଼ିଲା । ହେଡ଼୍‍ମାଷ୍ଟ୍ରେ ତାରାକୁ ଭଲଭାବରେ ଜାଣୁଥିଲେ । ଦୀନୁବାବୁ, ନାନୁବାବୁ, ଗୋରା ସମସ୍ତେ ସେହି ସ୍କୁଲ୍‍ର ଛାତ୍ର ଓ ସେହି ଚ୍ୟାଉ ପଟ୍ଟନାୟକଙ୍କ ଶିଷ୍ୟ । ଏହି କାରଣରୁ ତାରାକୁ ସେ ଭଲ ଜାଣୁଥିଲେ । କେତେବେଳେ କେମିତି ହାବୁଡ଼େ ପଡ଼ିଲେ କାନମୋଡ଼ାଟାଏ ଦେଉଥିଲେ । ଏଇଟା ହେଲା ହେଡ଼୍‌ମାଷ୍ଟରଙ୍କର ସ୍ନେହର ନିଦର୍ଶନ । ହେଡ଼୍‍ମାଷ୍ଟ୍ରେ ଦଶମ ଏକାଦଶରେ ଇଂରାଜୀ ପଢ଼ାନ୍ତି । ସେ ବର୍ଷ ଗୋରାର ଦଶମଶ୍ରେଣୀ ହୋଇଥିବାରୁ ହେଡ଼୍‍ମାଷ୍ଟ୍ରେ ତାଙ୍କ କ୍ଲାସ୍‍ରେ ମଧ୍ୟ ଇଂରେଜୀ ପଢ଼େଇବାକୁ ଆରମ୍ଭ କରିଥାନ୍ତି । ତାରା ଗାଁ ପିଲାଙ୍କ ଆଗରେ ତାଙ୍କର ଗୁଣଗ୍ରାମ କେତେଥର ବର୍ଣ୍ଣନା କରିଛି । ତେଣୁ ଏ ଖବର ଶୁଣି ତା’ର ସାଙ୍ଗମାନେ ତାକୁ ବହୁକଥା ପଚାରିଲେ-। ଶୋକସଭାଟାଏ କରିବାକୁ କେତେକ ପିଲା କହିଲେ; କିନ୍ତୁ ତାରା ସେସବୁରେ ରାଜି ହେଲାନାହିଁ-। ସେ ସୋମବାର ସକାଳୁ ବାପାଙ୍କ ସାଙ୍ଗେ କଟକ ବାହାରିଗଲା ।

 

ସ୍କୁଲ୍‍ ଖୋଲିବାକୁ ଦୁଇ ଚାରିଦିନ ଥାଏ । ତାରା ଗାଁରୁ ଆସିବା ପରଦିନ ସ୍କୁଲ୍‍କୁ ଗଲା । ସ୍କୁଲ୍‍ ଫାଟକ ବନ୍ଦ । କେବଳ ପାଣିବାଲା ବାସୁଆକୁ ଦେଖିଲା । ତା’ଠାରୁ ସବୁ କଥା ଶୁଣିଲା । ବାସୁଆ କାନ୍ଦୁଥାଏ । ବୋଡ଼ିଂରେ ମଧ୍ୟ କେହି ପିଲା ଆସିନାହାନ୍ତି । ତାରା ଫେରିଲା । ମନେମନେ ଭାବିଲା, ଛୁଟି ଯୋଗୁଁ ହେଡ଼୍‍ମାଷ୍ଟ୍ରଙ୍କ ଶେଷଦର୍ଶନ କେହି ପାଇପାରିଲେ ନାହିଁ । ସନ୍ଧ୍ୟାବେଳକୁ ଟାଉନ୍‍ହଲ୍‍ରେ ଦାସ ଆପଣଙ୍କ ମୃତ୍ୟୁରେ ଶୋକସଭା ହେଲା । ତାରା ଏହି ଟାଉନ୍‍ହଲ୍‍ରେ ନଈବଢ଼ିବେଳେ କେତେଥର ଦାସ ଆପଣଙ୍କ ବକ୍ତୃତା ଶୁଣିଛି । ଲୋକଙ୍କ ଦୁଃଖଦୁର୍ଦ୍ଦଶା କଥା କହୁ କହୁ କିପରି ଦାସ ଆପଣେ କାନ୍ଦି ପକାନ୍ତି, ସେ କଥା ମଧ୍ୟ ନିଜେ ଦେଖିଛି । ଆଜି ଅନ୍ୟ ବକ୍ତାମାନେ ତାଙ୍କ କଥା କହିଲାବେଳେ ସେମାନଙ୍କର ଆଖିରୁ ଲୁହ ବୋହୁଥାଏ । ତାରା ମଧ୍ୟ କାନ୍ଦି ପକେଇଲା । ଦାସେ ଆପଣେ ନିଜେ କାନ୍ଦି ଏବେ ସାରା ଦେଶକୁ କନ୍ଦେଇ ଏତେ କମ୍ ବୟସରେ ତାଙ୍କ ପ୍ରିୟ ଦେଶବାସୀଙ୍କୁ ଛାଡ଼ି ଚାଲିଗଲେ । ନିୟତିର ବିଧାନକୁ କିଏ ବା ବଦଳେଇ ପାରିବ ?

 

ସ୍କୁଲ୍‍ ଖୋଲିଲାପରେ ସ୍କୁଲ୍‍ରେ ମଧ୍ୟ ଶୋକସଭା ହେଲା । ପ୍ୟାରୀମୋହନ ଏକାଡ଼େମୀର ଗୋଟାଏ ବିଶେଷତ୍ୱ ଅଛି । ତା’ର ପ୍ରତିଷ୍ଠାତା ଯେପରି ସରକାରୀ ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ବିଦ୍ରୋହ କରି ଏ ବିଦ୍ୟାଳୟର ଭିତ୍ତିସ୍ଥାପନ କରିଥିଲେ, ତାଙ୍କ ପରେ ପରେ ଯେଉଁମାନେ ସେ ସ୍କୁଲ୍‍ର ପ୍ରଧାନ ଶିକ୍ଷକଭାବେ ଆସି ଯୋଗଦେଲେ, ସେମାନେ ମଧ୍ୟ ଜଣେ ଜଣେ ସେ ସମୟର ତ୍ୟାଗ ଓ ସେବାର ପ୍ରତୀକ ଥିଲେ । ବଙ୍ଗଳାର ବିପ୍ଳବୀ ବିପିନ ପାଲ୍ ଏ ସ୍କୁଲ୍‍ର ପ୍ରଧାନ ଶିକ୍ଷକ ଥିଲେ । ନିମାଇଁ ଚ୍ୟାଉ ପଟ୍ଟନାୟକ ତାଙ୍କର ପ୍ରଧାନ ଶିକ୍ଷକତା କାଳରେ ସ୍କୁଲ୍‍ର ବହୁ ଉନ୍ନତି କରେଇ ତାକୁ ଗୋଟିଏ କଲେଜରେ ପରିଣତ କରିବାର ସମସ୍ତ ବ୍ୟବସ୍ଥା କରିଆସୁଥିଲେ । ସ୍କୁଲ୍‍ର ସମ୍ପାଦକ ତଥା ପରିଚାଳନା କମିଟିର ସଭ୍ୟମାନେ ସମସ୍ତେ ସ୍ଵାଧୀନଚେତା ଥିଲେ । ତେଣୁ ସେ ସ୍କୁଲ୍‍ର ପିଲାମାନେ ଟିକିଏ ସ୍ୱାଧୀନ ଭାବରେ ସେବା କରିପାରୁଥିଲେ । ଶୋକସଭାରେ ଶିକ୍ଷକଙ୍କଠାରୁ ଛାତ୍ରପର୍ଯ୍ୟନ୍ତ ସମସ୍ତେ ସ୍ୱର୍ଗତ ନିମାଇଁବାବୁଙ୍କର ଗୁଣଗାନ କରି କାନ୍ଦିଲେ । ପରିଚାଳନାକମିଟିର ସଭ୍ୟମାନେ ମଧ୍ୟ ଶୋକ ପ୍ରକାଶ କଲେ । ସହକାରୀ ପ୍ରଧାନ ଶିକ୍ଷକ ହେଲେ ସ୍କୁଲ୍‍ର ପ୍ରଧାନ ଶିକ୍ଷକ ।

 

ଛୁଟି ପରେ ସ୍କୁଲ୍‍ରେ ପଢ଼ାପଢ଼ି ଆରମ୍ଭ ହୋଇଯାଇଥାଏ । ହଠାତ୍ ଦିନେ ଖବର ମିଳିଲା ଯେ କିଲାପଡ଼ିଆରେ ଉଡ଼ାଜାହାଜଟାଏ ଓହ୍ଲାଇବ । କୁଆଡ଼ୁ କେମିତି ଏ ଖବର ଆସିଲା କେଜାଣି, ସ୍କୁଲ୍‍ର ପିଲାଙ୍କଠାରୁ ଆରମ୍ଭକରି ଦୋକାନୀ, ବେପାରୀ, ଓକିଲ, ମହକିଲ, ହାକିମ ସମସ୍ତଙ୍କୁ ଏ ଖବର ସକାଳୁ ମିଳିଗଲା । ପିଲାମାନେ ହେଡ଼୍‍ମାଷ୍ଟ୍ରଙ୍କୁ କହିଲେ, ଉଡ଼ାଜାହାଜ ଦେଖି ଯିବାପାଇଁ ସ୍କୁଲ୍‍ ଅଧାଛୁଟି କରିଦେବାକୁ । ହେଡ଼୍‍ମାଷ୍ଟ୍ରେ ସେକ୍ରେଟେରୀଙ୍କ ଅନୁମତି ପାଇଁ ଚିଠିଲେଖି ପଠାଇଲେ; କିନ୍ତୁ ସେକ୍ରେଟେରୀ ପିଲାମାନଙ୍କ ନିରାପତ୍ତା ଦୃଷ୍ଟିରୁ ଉଡ଼ାଜାହାଜ ଦେଖିବାକୁ ସ୍କୁଲ୍‍ ଅଧା ଛୁଟି କରିବାକୁ ମଙ୍ଗିଲେନାହିଁ । କାଳେ ପିଲାଏ ଅମାନିଆ ହୋଇ ଉଡ଼ାଜାହାଜ ପଡ଼ିଲାବେଳେ ତା’ ଆଡ଼କୁ ମାଡ଼ିଯିବେ, କାହାର କ’ଣ ହୋଇଯିବ, ସେ ଦାୟିତ୍ୱ ନେବ କିଏ ? ତେଣୁ ସ୍କୁଲ୍‍ ଅଧାଛୁଟି ହେବା ନୋହିଲା । ପିଲାଏ ଯନ୍ତାରେ ବାଘପଡ଼ିଲାପରି କ୍ଲାସ୍‍ଭିତରେ ଖାଲି ବାଧ୍ୟହୋଇ ବସିଥାନ୍ତି । ବେଳ ଦୁଇଟା ହେବ । ଏତିକିବେଳେ ଗୋଟାଏ କ’ଣ ଘୁଘୁ ଶବ୍ଦ ଶୁଣାଗଲା । ‘ହେଇ ଉଡ଼ାଜାହାଜ ଆସିଲାରେ’ ସବୁପିଲାଙ୍କ ପାଟିରୁ ଯେମିତି ଏକାବେଳକେ ବାହାରିପଡ଼ିଲା । ହୋହୋ ହୋଇ ସମସ୍ତେ କ୍ଲାସ୍‍ରୁ ପଦାକୁ ବାହାରିଆସିଲେ । ହେଡ଼୍‍ମାଷ୍ଟ୍ରଙ୍କ ଆଦେଶରେ ସାଙ୍ଗେ ସାଙ୍ଗେ ପ୍ରଧାନ ଫାଟକ ବନ୍ଦକରି ଦିଆଗଲା । ପିଲାଙ୍କୁ ଓଗାଳି କ୍ଲାସ୍‍ ଭିତରକୁ ନେଇଯିବାକୁ ସହକାରୀ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଗଲା । ସେତେବେଳକୁ ପିଲା ମାଷ୍ଟ୍ରେ ସବୁ ଆସି ବାହାରେ । ସମସ୍ତଙ୍କ ଆଖି ଆକାଶକୁ । ସେମାନେ ଦେଖିଲେ, ଗୋଟାଏ ଉଡ଼ାଜାହାଜ କଟକ ସହର ଉପରେ ଚକ୍କର ଦେଉଛି । ଆଉ କି ପିଲାଏ ରହନ୍ତି ? ଯେଝା ଯେଝାର ବହି ଧରି କ୍ଲାସ୍‍ରୁ ବାହାରିଆସିଲେ । ଫାଟକ ବନ୍ଦ ହେଲେ କ’ଣ ହେବ ? ପିଲାଏ ପାଚେରି ଡେଇଁବାକୁ ଲାଗିଲେ । ସ୍କୁଲ୍‍ ପଛପଟ ପାଚେରିଟା ଟିକିଏ କମ୍ ଉଚ୍ଚ । ସେଇଟା ମଧ୍ୟ କିଲାଆଡ଼କୁ ନିକଟ । କେତେକ ଶିକ୍ଷକ ଓ ଡ୍ରିଲ୍‌ଶିକ୍ଷକ ଗୁରାମିଆଁ ପାଚେରି ଉପରୁ ପିଲାଙ୍କୁ ଟଣାଓଟରା କଲେ; କିନ୍ତୁ ସମୁଦ୍ର ଜୁଆରକୁ ବାଲିବନ୍ଧ । କିଏ କାହା କଥା ଶୁଣୁଛି । ପାଞ୍ଚମିନିଟ୍ ଭିତରେ ସ୍କୁଲ୍‍ ଖାଲି । କିଲାଆଡ଼କୁ ସବୁବାଟରେ ଲୋକ ସୁଅ ଚାଲିଛି । ସେତେବେଳର କିଲାପଡ଼ିଆ ଖୁବ୍ ବଡ଼ ଥାଏ । ତିନିଚାରିଟା ଫୁଟବଲ ପଡ଼ିଆ ସେଠାରେ ଥାଏ । ଖେଳପଡ଼ିଆ ଛଡ଼ା ଅନ୍ୟ ସ୍ଥାନଗୁଡ଼ିକ ଖାଲି ଢିପ; କିନ୍ତୁ ଧନ୍ୟ କହିବ ସେ ଉଡ଼ାଜାହାଜ ଚାଳକକୁ । ସେ ଖୁବ୍ ହୁସିଆରିରେ ସେହି ଖାଲ ଢିପ ପଡ଼ିଆ ଭିତରେ ଉଡ଼ାଜାହାଜକୁ ଓହ୍ଲେଇ ଦେଲା ।

 

ଉଡ଼ାଜାହାଜ ପଡ଼ିଆରେ କିଛିବାଟ ଦଉଡ଼ି ଧୀରେ ଧୀରେ ଅଟକିଲା । ଲୋକେ ଭୟରେ ଇଆଡ଼େ ସିଆଡ଼େ ଦଉଡ଼ା ଦଉଡ଼ି କରିବାକୁ ଲାଗିଲେ । ସମସ୍ତଙ୍କ ଭୟ ସେଇଟା ଗଡ଼ିଆସି ତାଙ୍କ ଉପରେ ଚଢ଼ିଯିବ ବୋଲି । କାଉଳିଖାଇ ଲୋକଙ୍କ ଠେଲାପେଲାରେ କେତେଜଣ ଖୁନ୍-ଜଖମ ହେଲେ । ସେତେବେଳକୁ ଉଡ଼ାଜାହାଜଟା ଗୋଟାଏ ଜାଗାରେ ସ୍ଥିରହୋଇ ରହିଲାଣି । ପୁଲିସ ଚାରିଆଡ଼େ ଦଉଡ଼ି ଘେରେଇ ତାକୁ ଜଗିଥା’ନ୍ତି । ଲୋକେ ଚାରିପାଖ ବୁଲି ଉଡ଼ାଜାହାଜଟିକୁ ଦେଖୁଥା’ନ୍ତି । ମଜା କଥା ଯେ, ଯେଉଁ ଶିକ୍ଷକମାନେ ସ୍କୁଲ୍‍ ହତା ଭିତରେ ପିଲାଙ୍କୁ ଅଟକେଇ ରଖିବାକୁ ଆପ୍ରାଣ ଚେଷ୍ଟାକରି ବିଫଳ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ କିଲାପଡ଼ିଆରେ ଉଡ଼ାଜାହାଜ ଚାରିପାଖରେ ଦେଖିବାକୁ ମିଳିଲା ।

 

ଉଡ଼ାଜାହାଜ ତା’ ପରଦିନ ଚାଲିଗଲା; କିନ୍ତୁ କଟକର ପିଲାଠାରୁ ବୁଢ଼ାପର୍ଯ୍ୟନ୍ତ ପ୍ରାୟ ସମସ୍ତେ ସେଇ ଚବିଶିଘଣ୍ଟା ଭିତରେ ଉଡ଼ାଜାହାଜକୁ ଦେଖିନେଲେ । ପାଖଆଖ ମଫସଲ ଅଞ୍ଚଳରୁ ମଧ୍ୟ ଚାଲିକରି, ବଳଦଗାଡ଼ିରେ ଲୋକେ ଧାଇଁ ଆସିଲେ ଉଡ଼ାଜାହାଜ ଦେଖିବାକୁ । ସେଠାରେ ଗୋଟାଏ ମେଳା ଲାଗିଗଲା । ‘କଟକରେ ଉଡ଼ାଜାହାଜ’ ବୋଲି ହମିଦ୍‌ମିଆଁଙ୍କର ଖଣ୍ଡିଏ ପଇସିକିଆ ବହି ବାହାରିପଡ଼ିଲା । ସେ ବହି ଖଣ୍ଡିକ ରାତାରାତି ଲେଖାହୋଇ, ଛାପାହୋଇ ସେହି ରାତି ଓ ତା’ ପରଦିନ ସକାଳ ଭିତରେ କେତେହଜାର ଖଣ୍ଡି ବିକ୍ରି ହୋଇଗଲା ।

 

ଚାରି

 

ନାନୁବାବୁ ବାଖରାବାଦରେ ଖଣ୍ଡିଏ ଘରଭଡ଼ା ନେଇଥାନ୍ତି । ବହୁଦିନର ପୁରାତନ ଲୋକ ମଦନ, ନାନୁବାବୁଙ୍କ ପାଖରେ ଲେଖାଲେଖି ଶିଖି କଚେରି ଯିବାକୁ ଆରମ୍ଭ କରିଥାଏ । ନାନୁବାବୁଙ୍କ ଗାଳି ଓ ଦରକାରବେଳେ ମାଡ଼ ପର୍ଯ୍ୟନ୍ତ ସହି ସେ ତାଙ୍କଠାରୁ ମୋହରିର କାମରେ ତାଲିମ ନେଇଥିଲା । ସକାଳୁ ରନ୍ଧାବଢ଼ା କରି ତାରା ଓ ନାନୁବାବୁଙ୍କୁ ଖାଇବାକୁ ଦେଇ ନିଜେ ଗଣ୍ଡିଏ ଖାଇ ନାନୁବାବୁଙ୍କ ବସ୍ତାନି ଧରି ସେ ଆଜିକାଲି କଚେରିକୁ ଯାଏଁ । ଦିନେ ଦିନେ କଚେରିରୁ ଫେରୁ ଫେରୁ ମଦନଙ୍କର ଡେରି ହୋଇଯାଏ । ତାରା ସ୍କୁଲ୍‍ରେ ଖାଇବାରେ ଅସୁବିଧା ଭୋଗେ । ନାନୁବାବୁ ଏ ସବୁ ଦେଖି ମଦନକୁ ତା’ର ବାରବର୍ଷର କାମରୁ ଅବ୍ୟାହତ ଦେଲେ । ଗାଁରୁ ଆଉ ଗୋଟିଏ ପିଲା ଆଣି ରଖିଲେ । ସେ ଗାଁ ଚାହାଳିରେ ତାରା ସାଙ୍ଗେ ପଢ଼ୁଥିଲା; ଅବଶ୍ୟ ବୟସରେ ତାରାଠାରୁ ସେ ବଡ଼ । ବାପା ନାହାନ୍ତି । ପିଲାଟି ନାନୁବାବୁଙ୍କ ପାଖରେ ରହି ମଣିଷ ହେବ ବୋଲି ମା’ ତା’ର ଛାଡ଼ିଛି । ସେ ରୋଷେଇବାସ କରିବ । ମଦନ ଅବ୍ୟାହତି ନେଲେ ମଧ୍ୟ ଜଗନ୍ନାଥ ଓରଫ୍‍ ଜଗୁକୁ ତାଲିମ କରିବାର ଦାୟିତ୍ୱ ତା’ ଉପରେ ପଡ଼ିଲା । ମଦନ ନାନୁବାବୁଙ୍କ ବସାରେ ରହୁଥାଏ ।

 

ନାନୁବାବୁଙ୍କର ମାମୁପୁଅ ଭାଇ ତାଙ୍କର ବଡ଼ପୁଅକୁ କଟକରେ ପଢ଼େଇବେ ବୋଲି ସ୍ଥିରକରି ନାନୁବାବୁଙ୍କ ପାଖରେ ଛାଡ଼ିଲେ । ପିଲାଟି ତାରା ବୟସର; କିନ୍ତୁ ମଫସଲରେ ରହି ପଢ଼ୁ ପଢ଼ୁ ଟିକିଏ ଡେରି ହୋଇଯାଇଛି । ତାକୁ ଆଣି ନବମ ଶ୍ରେଣୀରେ ନାଁ ଲେଖେଇ ଦିଆଗଲା ସେହି ପ୍ୟାରୀମୋହନ ଏକାଡ଼େମୀରେ । ସେ ତାରା ସାଙ୍ଗେ ସ୍କୁଲ୍‍କୁ ଯାଏଁ । ତାରାକୁ ‘ତାରାଭାଇ’ ବୋଲି ଡାକେ । ନାଁ ହେଲା ତା’ର ନଟ । ନଟ ପ୍ରକୃତରେ ଟିକିଏ ଚଞ୍ଚଳ । ତାରା ମଧ୍ୟ କମ୍ ନୁହେଁ । ତାରା କିନ୍ତୁ ଗୋରାଠାରୁ ତାଲିମ ପାଇବା ଫଳରେ ଟିକିଏ ସଂଯତ ହୋଇଯାଇଛି । ଖେଳିବା, ପଢ଼ିବା ଛଡ଼ା ତା’ର ଆଉ କେଉଁଥିରେ ମନ ନଥାଏ । ନଟ ଖେଳେନାହିଁ; କିନ୍ତୁ ଖେଳ ଦେଖିବାରେ ତା’ର ଭାରି ସଉକ । ଯେଉଁଦିନ ତାଙ୍କ ସ୍କୁଲ୍‍ ସାଙ୍ଗରେ କାହାର ମ୍ୟାଚ୍ ଥାଏ, ସେଦିନ ସ୍କୁଲ୍‍ ଜଲଦି ଛୁଟି ହୋଇଯାଏ । ତାରା ଖେଳିବାକୁ ଗଲାବେଳେ ନଟ ତା’ର ଇଉନିଫର୍ମ ଧରି ସାଙ୍ଗେ ସାଙ୍ଗେ ଯାଏଁ । ସେ ଖେଳିଲାବେଳେ ନଟ ତା’ର ଜାମା ପ୍ୟାଣ୍ଟ୍ ରଖେ । ହାଫ୍‌ଟାଇମ୍‌ରେ ତାରା ପାଖକୁ ଯାଇ ତା’ କଥା ବୁଝେ । ଲେମ୍ବୁ ଲେମନେଡ଼୍ ଖାଇଲା କି ନାହିଁ ବୁଝେ । ଖେଳ ଶେଷରେ ତାରା ଆଉ ସେ ସାଙ୍ଗ ହୋଇ ଆସନ୍ତି । ନଟ ପୁଣି ତାରାର ଖେଳ ପୋଷାକ ଧରି ତାଙ୍କ ବଜାରର ଅନ୍ୟ ସବୁ ପିଲାଙ୍କ ସହିତ ବସାକୁ ଫେରନ୍ତି । ଏହାହିଁ ନଟର ବିଶେଷ ଗର୍ବର କଥା, ସେ ସେଣ୍ଟର ଫରୱାର୍ଡ଼୍ ତାରାର ଭାଇ ।

 

ତାରା, ଗୋରା, ଦୀନୁବାବୁ, ନାନୁବାବୁ ପ୍ରଭୃତିଙ୍କର ଚଳନି ଭିନ୍ନ ପ୍ରକାର । ଦୀନୁବାବୁ ଥିଲାବେଳେ ନାନୁବାବୁ ଯାହା ଟିକିଏ ଉଡ଼ୁଥିଲେ, ଆଜିକାଲି ସେ ଅତି ଗମ୍ଭୀର । ଏତେ ବଡ଼ ସଂସାରର ଗୁରୁଦାୟିତ୍ୱ ତାଙ୍କରି ଉପରେ । କଟକ ବସା ଚଳେଇ ଗାଁର ସବୁ ଖର୍ଚ୍ଚ ଚଳେଇବାକୁ ତାଙ୍କୁ ଟାଣ ଓଟାର ପଡ଼ୁଥାଏ । ବାପା ତାଙ୍କର ମକଦମ । ବଡ଼ପୁଅ ମରିବା ପରେ ଏପରି ଭାଙ୍ଗିପଡ଼ିଲେ ଯେ ଦୁଇବର୍ଷ ଭିତରେ ସେ ମଧ୍ୟ ଚାଲିଗଲେ । ଗାଁ ଜମିବାଡ଼ି ସେ ବୁଝୁଥିଲେ । ବର୍ତ୍ତମାନ ନାନୁବାବୁ ଗାଁରେ ଗୋଡ଼େ ଓ କଟକରେ ଗୋଡ଼େ । ଶନିବାର ସଞ୍ଜରୁ ସୋମବାର ସକାଳଯାଏଁ ସେ ନିୟମିତଭାବେ ଗାଁରେ କଟାନ୍ତି । ପୁଣି ଦରକାର ହେଲେ ମଝିରେ ମଝିରେ ଗାଁକୁ ଯାଆନ୍ତି । ବସାରେ ତାରା, ନଟ, ମଦନ ଆଉ ଜଗୁ । ନଟ, ତାରା, ଜଗୁ ପ୍ରାୟ ଏକ ବୟସର । ମଦନ ଟିକିଏ ବଡ଼, ଆଉ ଘରର ବହୁ ପୁରୁଣା ଲୋକ । ନାନୁବାବୁ ପିଲାଙ୍କ ଦାୟିତ୍ଵ ତା’ରି ଉପରେ ଦେଇ ଗାଁକୁ ଯା’ନ୍ତି । ସେ ମଧ୍ୟ ସେ ଦାୟିତ୍ଵ ତା’ରି ଉପରେ ଦେଇ ଗାଁକୁ ଯାଆନ୍ତି । ସେ ମଧ୍ୟ ସେ ଦାୟିତ୍ୱ ଠିକ୍ ଭାବରେ ତୁଲାଏ ।

 

କଟକରେ ସେତେବେଳେ ନୂଆକରି ସିନେମା ଆରମ୍ଭ ହୋଇଥାଏ । ବକ୍‌ସିବଜାର, ଆଜିକାଲିର ରେଡ଼ିଓ କେନ୍ଦ୍ର ସାମନାରେ ଫ୍ରାନ୍‌ସିସ୍ ସାହେବ ବୋଲି ଜଣେ ଲୋକ ସିନେମା ଆରମ୍ଭ କରିଥା’ନ୍ତି । ସେତେବେଳେ କଥାକୁହା ସିନେମା ନଥାଏ । ଖାଲି ପଛକୁ ପଛ ଚିତ୍ରଦେଖା ଚାଲିଥାଏ । ଚିତ୍ରର ବିଷୟ ବୁଝେଇବାକୁ କିଛି କିଛି ସମୟ ବ୍ୟବଧାନରେ ଇଂରେଜୀରେ କେତେକ ବର୍ଣ୍ଣନାତ୍ମକ ଲେଖା ଦେଖେଇଦିଆଯାଏ । ସେଇଥିରୁ ଇଂରେଜପଢ଼ୁଆ ଲୋକେ କଥାଟା ବୁଝିନିଅନ୍ତି । ଆଉ ଯେଉଁମାନେ ପଢ଼ି ନଜାଣନ୍ତି, ସେମାନେ ଆଁ କରି ଚିତ୍ରକୁ ଅନେଇଥା’ନ୍ତି । ଅନେକେ ମଧ୍ୟ ଚିତ୍ର ଦେଖି ବିଷୟଟା ବୁଝିନିଅନ୍ତି । ଲୋକଙ୍କ ମନକୁ ସିନେମା ଦେଖିବାବେଳେ ମଜେଇ ରଖିବାପାଇଁ ଠିକ୍ ପରଦା ତଳକୁ ଦର୍ଶକମାନଙ୍କ ସାମନାରେ ପରଦାଆଡ଼କୁ ମୁହଁକରି ପଞ୍ଝାଏ ବାଦ୍ୟକାର ବସିଥା’ନ୍ତି । ସେମାନେ ଚିତ୍ରକୁ ଚାହିଁ ବାଦ୍ୟ ବଜାନ୍ତି । ଯେତେବେଳେ ଯୁଦ୍ଧ ହେଉଛି ସେତେବେଳେ ଯୁଦ୍ଧବାଜା, ଘୋଡ଼ାଦଉଡ଼ ଚିତ୍ର ଚାଲିଥିବାବେଳେ ଭିନ୍ନ ପ୍ରକାର ବାଜା, ପୁଣି ପ୍ରେମ ବା ଦୁଃଖପୂର୍ଣ୍ଣ ଚିତ୍ର ଦେଖାହେଲାବେଳେ ଲଳିତ ବା କରୁଣ ରାଗିଣୀର ମୂର୍ଚ୍ଛନା ଦିଅନ୍ତି । ଏହା ଲୋକଙ୍କର ବଡ଼ ଉପଭୋଗ୍ୟ ହେଉଥିବ ବୋଲି ମନେ ହୁଏ; କାରଣ ବାଦ୍ୟକାରଙ୍କ ବାଦ୍ୟ ସହିତ ଦର୍ଶକମାନେ ମଧ୍ୟ ଅନେକ ସମୟରେ ତାଳ ଦିଅନ୍ତି । ସମସ୍ତେ ଗୋଟାଏ ବଡ଼ ତମ୍ବୁ ମଧ୍ୟରେ ତଳେ ବାଲି ଉପରେ ବସିଥା’ନ୍ତି । ପଛରେ କେଇଟା ଚଉକି ପଡ଼ିଥାଏ, ଯଦି କେହି ବାବୁଭାୟା, ସାହେବସୁବା ଆସି ପଡ଼ିବେ ତାଙ୍କରିମାନଙ୍କ ପାଇଁ ।

Unknown

 

ଟିକଟର ଦର ଚାରିପଇସାଠାରୁ ଚାରିଅଣା ଯାଏଁ । ପିଲାଙ୍କପାଇଁ ମଧ୍ୟ ହାଫ୍ ଟିକଟ ଥାଏ । ଥିଏଟରରେ ବେଶି ପଇସା ଦେଇ ଆଗରେ ବସନ୍ତି, ଅଥଚ ସିନେମାରେ କମ୍ ପଇସା ଦେଇ ଲୋକେ ଆଗରେ ବସନ୍ତି । ସେଥିପାଇଁ ସାଧାରଣ ଲୋକେ ପ୍ରଥମେ ପ୍ରଥମେ ଠେଲାପେଲା ହୋଇ ଆଗରେ ଯାଇଁ ବସିଯାଉଥିଲେ । ପରେ ସେ ଅସୁବିଧାଟା ବୁଝିଗଲା, କାହିଁକି ଲୋକେ ବେଶି ପଇସା ଦେଇ ପଛରେ ବସନ୍ତି ? ବକ୍‌ସିବଜାର ସିନେମା ଛଡ଼ା ଆଜିକାଲି ଯେଉଁଠି କ୍ୟାପିଟାଲ ସିନେମା ହୋଇଛି, ସେଠାରେ ମଧ୍ୟ ଗୋଟାଏ ତମ୍ବୁ ଭିତରେ ସିନେମା ଦେଖାହେଉଥାଏ । ବୋଧହୁଏ ସେହି ପରମ୍ପରାକୁ ବଜାୟ ରଖି ପଛରେ ସେହିଠାରେହିଁ ସିନେମା ଘର କରାଯାଇଛି ।

 

କଟକକୁ କେତେ ଦିନ ହେବ ସିନେମା ଆସିଲାଣି; କିନ୍ତୁ ତାରା କେବେହେଲେ ସିନେମା ଦେଖି ନଥାଏ । ନାନୁବାବୁ ନିଜେ ତାଙ୍କର ବିଗତ ଜୀବନରେ ଏତେ ନାଟ୍ୟାମୋଦୀ ଥାଇ ସିନେମା ପ୍ରତି ତାଙ୍କରି ଆଖି ଆଜିଯାଏ ପଡ଼ି ନଥିଲା । କହି ହେବନାହିଁ, ବୋଧହୁଏ ସଂସାର ସମୁଦ୍ରର ଉତାଳିଆ ଲହଡ଼ି କେଉଁଠୁଁ ତାଙ୍କର ପୂର୍ବନିଶା ସବୁ ଭାଙ୍ଗି ଚୂରମାର କରିଦେଇଛି; କିନ୍ତୁ ନଟ କଟକ ଆସିବାର ଅଳ୍ପଦିନ ପରେ କିପରି କାହା ସାଙ୍ଗରେ ପଡ଼ି ସିନେମା ଦେଖି ପଳେଇଛି । ସେଇଟା ତାକୁ ପାଗଳ କରି ପକାଇଛି । ନଟର ବାପା ବରାବର ତା’ ହାତଖରଚ ପାଇଁ କିଛି କିଛି ପଇସା ନଟକୁ ଦେଇଯା’ନ୍ତି । ଚଳିଲାବାଲା ଘର ସେମାନଙ୍କର । ମାଲିମକଦ୍ଦମାରେ ନଟର ବାପା କଟକ ଆସିଲେ ତାକୁ ବରାବର କିଛି କିଛି ଦେଇଯା’ନ୍ତି । ତା’ ଛଡ଼ା ଛୁଟିରେ ନଟ ଗାଁକୁ ଗଲେ ବୋଉଠାରୁ ମଧ୍ୟ କିଛି ଆଦାୟ କରେ । ତେଣୁ ତା’ର ପଇସାର ଅଭାବ ନଥାଏ । ସ୍କୁଲ୍‍ରେ ଦୋକାନରୁ କିଣି ପେଡ଼ା, କୋରା, ଚିନାବାଦାମ ଖାଏ । ପାନ ଖଣ୍ଡେ ଅଧେ ଖାଏ; କିନ୍ତୁ ଦୀନୁବାବୁଙ୍କ ଅମଳରୁ ବଜାର ଜଳଖିଆ ପ୍ରତି ତାଙ୍କ ପିଲାଙ୍କ ମନରେ କିପରି ଗୋଟାଏ ବିରାଗ ଜନ୍ମେଇ ଦିଆଯାଇଛି, ସେଥିପାଇଁ ଅତି ଜରୁରୀ ନହେଲେ ବଜାର ଜଳଖିଆ ଖାଇବାକୁ ସେମାନେ ଇଚ୍ଛା କରନ୍ତି ନାହିଁ । ପାନ ତ ତାଙ୍କ ଘରେ ପଶେ ନାହିଁ । ଦୀନୁବାବୁ ଖାଉଥିଲେ ଖଣ୍ଡେ ଖଣ୍ଡେ, ନାନୁବାବୁ ମୋଟେ ପାନ ଖାଆନ୍ତି ନାହିଁ । ଏ ପରିସ୍ଥିତିରେ ନଟ ବଡ଼ ଅଡ଼ୁଆରେ ପଡ଼େ । ସେ ତାରାକୁ ହାତରେ ପଇସା ଦେଇ ପାନ ଜଳଖିଆ ଖୁଆଇବାକୁ ପ୍ରସ୍ତୁତ ଥିଲେ ମଧ୍ୟ ତାରା ସେସବୁ ଗ୍ରହଣ କରିବାକୁ ଏକଦମ୍‍ ନାରାଜ । ସେଥିପାଇଁ ନଟ ବଡ଼ ବିବ୍ରତ । ସେ ସିନେମା ଦେଖିବାକୁ ପ୍ରାୟ ଯାଏଁ । ସେ ବଜାରର ଦି’ ଚାରିଜଣ ପିଲା ମଧ୍ୟ ତା’ର ସାଙ୍ଗ ଜୁଟିଲେଣି । ନଟ ତାରାକୁ ଡାକେ ସିନେମା ଯିବାକୁ; କିନ୍ତୁ ସେ ମୋଟେ ରାଜି ହୁଏ ନାହିଁ । ଥରେ ନଟର ବହୁ ଅନୁରୋଧକ୍ରମେ ସେ ‘ଥ୍ରିମସ୍କେଟିୟର’ ଦେଖିବାକୁ ଯାଇଥିଲା; କାରଣ ସେ ବହିଟା ତାରା ପଢ଼ିଥିଲା । ସିନେମାରେ ତାହା ଦେଖି ସେ ଅତ୍ୟନ୍ତ ମୁଗ୍ଧ ହୋଇଯାଇଥିଲା । ସେମିତି ଆଉଥରେ ଅଧେ ସେ ନଟ ସାଙ୍ଗରେ ସିନେମା ଦେଖିଯାଇଛି । କେବଳ ଯେଉଁ ବହି ସେ ଆଗରୁ ପଢ଼ିଛି, ସେହି ବହି ସେ ଦେଖିବାକୁ ଯାଏଁ । ଏଇଟା ଶନିବାର, ରବିବାର ରାତିରେ ହୁଏ, ନାନୁବାବୁ ଗାଁକୁ ଯାଇଥିବା ଦିନ । ମଦନ ମଧ୍ୟ ଏ କଥା ରିପୋର୍ଟ କରେନାହିଁ ନାନୁବାବୁଙ୍କ ଆଗରେ । ଏମିତି ଚାଲିଥାଏ । ଯେମିତି ଦେଖାଗଲା ନଟଙ୍କର ଆଉ ପାଠରେ ମନ ନାହିଁ । ନାଟରେ ବେଶ୍ ମନ । ତା’ର ଫଳ ଜଣାପଡ଼ିବାକୁ ବେଶି ଡେରି ହେଲା ନାହିଁ-। ବର୍ଷ ଶେଷକୁ କ୍ଲାସ୍‍ ଉଠିଯାଇ ନଟଙ୍କର କଟକରୁ ପାଠ ଶେଷ ହେଲା । ବାପା ତାଙ୍କର ଘର ପାଖେ ଖୋଲିଥିବା ଗୋଟିଏ ନୂଆ ହାଇସ୍କୁଲ୍‍ରେ ପଢ଼େଇବେ ବୋଲି ତାକୁ ଗାଁକୁ ନେଇଗଲେ-। ନଟର ଗତିବିଧି ବିଷୟରେ ସବୁ ଜାଣି ସୁଦ୍ଧା ନାନୁବାବୁ ନଟକୁ ରଖିବା ନରଖିବା ବିଷୟରେ ମୁହଁ ଖୋଲି ମାମୁପୁଅ ଭାଇଙ୍କୁ କିଛି କହିପାରୁ ନଥିଲେ । ମାନେ ମାନେ ସେ କଥାଟା ଛିଡ଼ିଗଲା ।

 

ତାରା ସ୍କୁଲ୍‍ ଟିମ୍‌ରେ ଖେଳିଲେ ସୁଦ୍ଧା ଅଭ୍ୟାସପାଇଁ ସବୁଦିନେ କିଲାପଡ଼ିଆକୁ ଯାଇପାରେ ନାହିଁ । କିଲା ବାଖରାବାଦରୁ ବହୁଦୂର । ତେଣୁ ସେ ପ୍ରାୟ ଘରପାଖ ସାନ୍‍ସାଇନ୍‌ ପଡ଼ିଆରେ ଖେଳେ । କେବେ କେମିତି କିଲାକୁ ଯାଏଁ; କିନ୍ତୁ ମ୍ୟାଚ୍ ଦିନ ତାକୁ କିଲାକୁ ଯିବାକୁ ପଡ଼େ । ୟା’ ମଧ୍ୟରେ ତାରା ସାଇକେଲ ଶିଖିଗଲାଣି । ଗୋଡ଼ ଗଳେଇ ପହିଲେ ‘ହାପ୍ ପାଡ଼େଲ’ ଓ ପରେ ‘ଫୁଲ୍ ପାଡ଼େଲ’ କରି ଏବେ ସିଟ୍ ଉପରେ ବସିଲାଣି । ସ୍କୁଲ୍‍ରୁ ଆସି ବାପାଙ୍କ ସାଇକେଲକୁ ନେଇ ସେ ଅଭ୍ୟାସଟା କରିଛି । ନାନୁବାବୁଙ୍କ ସାଇକେଲ ବରାବର ଚାବି ପାଡ଼ି ବସାରେ ଥାଏ । ଚାବି ତାରା ଜିମା ଥାଏ । ଚାବି ପଡ଼େ, କାଳେ କେତେବେଳେ ମଦନ ବା ଜଗୁ ସାଇକେଲରେ ଲାଗିବେ । କେବଳ ଶନିବାର ଦିନ ନାନୁବାବୁ ସାଇକେଲ ନେଇ ଗାଁକୁ ଯା’ନ୍ତି ଓ ସୋମବାର ଦିନ ଗାଁରୁ ଫେରି ସାଇକେଲକୁ ପୋଛାପୋଛି କରି ତେଲ ଦେଇ ରଖିଦିଆଯାଏ; କିନ୍ତୁ ଏବେ କେତେ ଦିନ ହେଲା ନାନୁବାବୁ ବରାବର ଲକ୍ଷ୍ୟ କରୁଛନ୍ତି, ସାଇକେଲ କେବେ କେମିତି ଧଡ଼ଧଡ଼ ହେଉଛି ତ କେବେ ଏଇଟା ସେଇଟା ଭାଙ୍ଗିଯାଉଛି । ସେ ବରାବର ସନ୍ଦେହ କରୁଥାନ୍ତି ମଦନକୁ । ଜଗୁ ଛୋଟା; ସେ ସାଇକେଲରେ ଲାଗିବ ନାହିଁ । ତାରା ପାଖରେ ତ ଚାବି-। ତେଣୁ ତାରାକୁ ଅବିଶ୍ୱାସ କରିବାର ପ୍ରଶ୍ନ ନଥାଏ । ନାନୁବାବୁ ଥରେଅଧେ ଏକଥା ଭାବିଲେଣି; କିନ୍ତୁ ସଜଡ଼ାସଜଡ଼ି କରି ପୁଣି ସାଇକେଲ ଚଳାନ୍ତି । ପୁଣି ଭୁଲିଯାଆନ୍ତି କିଏ ନେଉଛି ନ ନେଉଛି, ସେ କଥା ।

 

ସ୍କୁଲ୍‍ ଅନେକ ଦିନ ଅଧାଛୁଟି ବା ପୂରାଛୁଟି ହୁଏ । ଏହି ଅବସରରେ ତାରା ସାଇକେଲ ଚାବି ଫିଟେଇ ସନ୍‍ସାଇନ୍‌ ପଡ଼ିଆରେ ଚଢ଼ିବା ଶିଖେ । ବାପା-ଭାଇଙ୍କ ପରି ଟଙ୍କା ଦେଇ ତାକୁ ଆଉ ସାଇକେଲ ଶିଖିବାକୁ ପଡ଼ିନାହିଁ । ସାଇପିଲାଏ ପ୍ରଥମେ ପ୍ରଥମେ ଧରୁଥିଲେ ସାଇକେଲ ପଛରୁ; ଏବେ ଆଉ ଦରକାର ହୁଏ ନାହିଁ । ତାରା ସାଇକେଲ ଚଳେଇଲେ ପଞ୍ଝାଏ ପିଲା ପାଟିକରି ତା’ ପଛେ ପଛେ ଧାଆଁନ୍ତି । ଏଣିକି ତାରା ପଡ଼ିଆ ଛାଡ଼ି ରାସ୍ତାରେ ସାଇକେଲ ଚଳେଇଲାଣି । ଏ ସବୁ କଥା ଜଗୁକୁ ପୂରା ମାଲୁମ; କିନ୍ତୁ ଜଗୁ ହେଲା ତା’ର ସାଙ୍ଗ । ପୁଣି ତାରା ଯେପରି ହୁଣ୍ଡା, କେତେବେଳେ ରାଗିଗଲା ଯଦି ଗୋଟାଏ ବସେଇଦେବ, ତେବେ ଜଗୁଙ୍କର କଥା ଶେଷ । ତାରା ତା’ ସାଇକେଲଚଢ଼ା କଥା ବାପାଙ୍କୁ କହିବ ନାହିଁ ବୋଲି ତାକୁ ବରାବର ପଇସେ ଦିପଇସା ଲାଞ୍ଚ ଦିଏ । ତେଣୁ ତାରାର ସାଇକେଲଚଢ଼ା କଥା ବର୍ଷକରୁ ବେଶି ହେଲେ ମଧ୍ୟ ବାପାଙ୍କୁ ଏକଥା ମାଲୁମ ନଥାଏ । ଥରେ ଭାଇ ଆସିଥାନ୍ତି ଟାଟାରୁ । ସେ ବାପାଙ୍କ ସାଇକେଲ ନେଇ କୁଆଡ଼େ ଯାଇଥିଲେ । ଫେରିଆସି ସାଇକେଲକୁ ଦାଣ୍ଡରେ ଥୋଇ ଦେଇ ଘର ଭିତରକୁ ପଶିଯାଇ ବାପାଙ୍କ ସଙ୍ଗେ କ’ଣ କଥାବାର୍ତ୍ତା କରୁଥିଲେ । ତାରା ଦାଣ୍ଡରେ ଠିଆହୋଇଥିଲା । ଦେଖିଲା ସାଇକେଲଟା ପାହାଚ ପାଖରେ ଡେରା ହୋଇଛି । ସେ ତାକୁ ନେଇ ଚଢ଼ି ଛକଆଡ଼େ ଚାଲିଗଲା । ଏତିକିବେଳେ ବାପା ଓ ଭାଇ ଘର ଭିତରୁ ଦାଣ୍ଡକୁ ଆସି ଦେଖନ୍ତି ତ ସାଇକେଲ ନାହିଁ । ଭାଇ ସାଇକେଲକୁ କିଏ ଚୋରିକରି ନେଲା ବୋଲି ବ୍ୟସ୍ତ ହୋଇପଡ଼ିଲେ । ବାପା ମଧ୍ୟ । ଦୁହେଁ ରାସ୍ତାର ଏପାଖରୁ ସେପାଖକୁ ଅନାଉଛନ୍ତି । ଏଇ ପାଞ୍ଚମିନିଟ୍ ଭିତରେ କିଏ ସାଇକେଲଟାକୁ ନେଇଗଲା ? ଏତିକିବେଳେ ଦେଖାଗଲା ଛକଆଡ଼ୁ ସ୍ଵୟଂ ତାରାଚାନ୍ଦ ସାଇକେଲର ସିଟ୍ ଉପରେ ବସି ଅଣ୍ଟାକୁ ଏପାଖ ସେପାଖ କରି ପାଡ଼େଲ ମାରି ଆସୁଛନ୍ତି । ଦୂରରୁ ବାପା ଓ ଭାଇଙ୍କୁ ଦେଖି ସେ ସାଇକେଲରୁ ଓହ୍ଲାଇପଡ଼ି ସାଇକେଲକୁ ଗଡ଼େଇ ଗଡ଼େଇ ଚାଲିକରି ଆସିଲା । ବାପାଙ୍କ ପାଟିରୁ କଥା ବାହାରୁ ନଥାଏ । ଭାଇ ଏକଥା ଦେଖି କହିଲେ, ଏ ପାଜି କେବେଠୁ ସାଇକେଲ ଚଢ଼ି ଶିଖିଲାଣି ? ଆମେ ଭାବୁଛୁ ସାଇକେଲ କିଏ ନେଇଗଲା । ନବ ଆଉ କିଏ ? ଖୋଦ୍ ତାରାଚାନ୍ଦଙ୍କ କୀର୍ତ୍ତି । ବାପା କିଛି କହୁ ନଥା’ନ୍ତି । ଭାଇ କହିଲେ, ‘ଚଢ଼ିଲୁ, ଚଢ଼ିଲୁ, ଦେଖିବା’ । ଏକଥା ଶୁଣି ତାରା ସାଇକେଲ ଚଢ଼ି ଦେଖେଇଦେଲା ଟିକିଏ । ଫେରିଆସି ସାଇକେଲକୁ ବାହାରେ ରଖି ପିଣ୍ଡାଉପରକୁ ଉଠିଆସିଲା । ନାନୁବାବୁ ରାମ୍ କି ବିଷ୍ଣୁ କିଛି କହୁ ନଥା’ନ୍ତି । ଏହିପରି ଭାବରେ ତାରାର ସାଇକେଲଚଢ଼ା ଯାହାକି ଏତେକାଳ ପ୍ରଚ୍ଛନ୍ନ ଥିଲା, ତା’ ପ୍ରକଟ ହୋଇଗଲା । କଥାଟା ଯାହାହେଉ ସସମ୍ମାନେ ଘଟିଗଲା ।

 

ପାଞ୍ଚ

 

ତାରାର ସେ ବର୍ଷ ଏକାଦଶ ଶ୍ରେଣୀ । ସେହି ବର୍ଷ ସେ ମାଟ୍ରିକ ପରୀକ୍ଷା ଦେବ । ତେଣୁ ତାକୁ ମନଦେଇ ପାଠ ପଢ଼ିବାକୁ ହେବ । ଗୋରା କଟକ ଛାଡ଼ିଲାପରେ ତାରା କ୍ଵଚିତ୍ ସ୍ଵରାଜ ଆଶ୍ରମକୁ ଯାଏଁ । ଆଶ୍ରମରେ ମଧ୍ୟ ସେତେବେଳେ କୌଣସି ତତ୍ପରତା ନଥାଏ । କେବଳ କେତେ ଜଣ କର୍ମୀ ସୂତାକଟା, ଶରୀରଚର୍ଚ୍ଚା, ରାଜନୀତି ଚର୍ଚ୍ଚା ପ୍ରଭୃତି କରିଥା’ନ୍ତି । ବେଳେବେଳେ କଟକକୁ କେହି ବିଶିଷ୍ଟ ଗାନ୍ଧିବାଦୀ ନେତା ବା ଅନ୍ୟ କେହି ବିଖ୍ୟାତ ଲୋକ ଆସିଲେ ତାଙ୍କପାଇଁ ବିଭିନ୍ନ ସ୍ଥାନରେ ସଭାସମିତିର ଆୟୋଜନ କରାଯାଏ । ଏଥିପାଇଁ କିଛି କିଛି ଚାନ୍ଦା ସଂଗ୍ରହ ମଧ୍ୟ କରାଯାଏ । ସାଧାରଣ କେତେ ଜଣ କର୍ମୀଙ୍କ ଛଡ଼ା ପଢ଼ିଆରି ମହାଶୟ, ନୀଳମଣିବାବୁ ପ୍ରଭୃତି କେତେକ ନେତା ସେଠାରେ ରହନ୍ତି । ମହତାବବାବୁ, ନୀଳକଣ୍ଠବାବୁ, ନବବାବୁ ପ୍ରଭୃତି ଯେତେବେଳେ କଟକ ଆସନ୍ତି, ଆଶ୍ରମରେ ରହନ୍ତି । ଯେଉଁମାନଙ୍କର କଟକରେ ଘର ଅଛି ବା ତାଙ୍କର କେହି ଆତ୍ମୀୟସ୍ୱଜନ ଅଛନ୍ତି, ସେମାନେ ସେଠାରେ କେବଳ ଖାଇବା ଶୋଇବା ଛଡ଼ା ଅନ୍ୟ ସବୁ ସମୟ ଆଶ୍ରମରେ କଟାନ୍ତି । ଅଟଳବାବୁ, ମଙ୍ଗରାଜବାବୁ, ରାଜକୃଷ୍ଣବାବୁ, ନିତ୍ୟାନନ୍ଦବାବୁ, ଭାଗୀରଥୀବାବୁ ଓ କଟକର ଅନ୍ୟାନ୍ୟ ଅସହଯୋଗୀ ବରାବର ଆଶ୍ରମକୁ ଆସନ୍ତି-। ଦାଶେ ଆପଣେ ସେତେବେଳକୁ ସତ୍ୟବାଦୀ ପ୍ରେସ୍‍କୁ କଟକ ଘେନି ଆସିଥିଲେ । ସେ ବଞ୍ଚିଥିବାବେଳେ କେତେବେଳେ ପ୍ରେସ୍‍ରେ ତ କେତେବେଳେ ଆଶ୍ରମରେ ଆସି ରହୁଥିଲେ-। ଏମିତି ଆଉ କେତେ ଜଣ ଥାଆନ୍ତି, ଯେଉଁମାନେ କଂଗ୍ରେସ ସଭାସମିତିକୁ ବରାବର ଯାଆନ୍ତି ଓ ମଝିରେ ମଝିରେ ଆଶ୍ରମକୁ ଯାଆନ୍ତି । ନାନୁବାବୁ ଆଶ୍ରମକୁ ନ ଗଲେ ମଧ୍ୟ ସଭାସମିତିକୁ ଯାଆନ୍ତି-। ନିୟମିତ ଖଦଡ଼ ପିନ୍ଧନ୍ତି । ତାରା ତା’ ଭାଇ ଗୋରା ପରି ଖଦଡ଼ ଧୋତି ଓ ଚାଦର ନପକେଇ ଖଦଡ଼ କନାର ପ୍ୟାଣ୍ଟ ସାର୍ଟ୍‍ ବରାବର ପିନ୍ଧେ ।

 

ପ୍ରଥମ ଅସହଯୋଗ ଆନ୍ଦୋଳନକୁ ଚୌରିଚୌରାରେ ସତ୍ୟାଗ୍ରହୀମାନଙ୍କର ହିଂସାତ୍ମକ କାଣ୍ଡ ଯୋଗୁଁ ଗାନ୍ଧିଜୀ ହଠାତ୍ ବନ୍ଦ କରିଦେଇଥିଲେ । ଇଂରେଜମାନେ ଏହି ଅବସରରେ ଦେଶରେ ସାମ୍ପ୍ରଦାୟିକତାର ବିଷ ବୁଣିଦେବାକୁ ଲାଗିଲେ । ମସଜିଦ ସାମନାରେ ହିନ୍ଦୁମାନେ ଶୋଭାଯାତ୍ରାରେ ଗଲେ ମସଜିଦମାନଙ୍କରୁ ସେମାନଙ୍କ ଉପରେ ଟେକାପଥର ବୃଷ୍ଟି ହେଲା । ସେମାନେ ମଧ୍ୟ ଇଂରେଜଙ୍କ ଇଙ୍ଗିତରେ ହିନ୍ଦୁମାନଙ୍କୁ ଉତ୍ତ୍ୟକ୍ତ କରିବାପାଇଁ ସର୍ବସାଧାରଣ ସ୍ଥାନମାନଙ୍କରେ ଗୋ-ହତ୍ୟା ଆରମ୍ଭକଲେ । ଦୁଇ ସମ୍ପ୍ରଦାୟ ମଧ୍ୟରେ ବାହାରକୁ ଯେତିକି ଟିକିଏ ସଦ୍‌ଭାବ ରହିଥିଲା ସେତକ ନଷ୍ଟ ହୋଇଗଲା । ଉଭୟ ସମ୍ପ୍ରଦାୟର ଲୋକ ବଡ଼ବଡ଼ ସହରରେ ପରସ୍ପରକୁ ନିର୍ବିଚାରରେ ହତ୍ୟା କରିବାକୁ ଲାଗିଲେ । ଗାନ୍ଧିଜୀ ଏଥିରେ ବିବ୍ରତ ହୋଇ ଆଉ ଆନ୍ଦୋଳନ କରିବେନାହିଁ ବୋଲି ସ୍ପଷ୍ଟ ମନାକରିଦେଲେ । ମୁସଲମାନମାନେ ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ହିସାବରେ ସ୍ଵତନ୍ତ୍ର ବ୍ୟବସ୍ଥା ଦାବିକଲେ । ଦାବି ପୁଣି କେଉଁ ସକାଶେ ? ଅଇଁଠା ପତରପାଇଁ ଦୁଇଦଳ କୁକୁରଙ୍କ ମଧ୍ୟରେ କାମୁଡ଼ାକାମୁଡ଼ି ଲଗେଇବା ପରି ଏକଥା ହେଉଥାଏ । ଦେଶର ମାଲିକ ଜଣେ । ଲୋକଙ୍କ ହାତରେ କୌଣସି କ୍ଷମତା ନାହିଁ । କ୍ଷମତା ଥିଲେ ହୁଏତ ତାହାପାଇଁ ମାଡ଼ଗୋଳ କଲେ ବା ଗୋଟାଏ କଥା ହୁଅନ୍ତା । ତୁଚ୍ଛା ମତାଣରେ ପଡ଼ି ଏପରି ହିଂସାକାଣ୍ଡ ଭିଆଇବା ଗାନ୍ଧିଜୀଙ୍କୁ ବଡ଼ ବାଧିଲା । ସେ ସବୁକଥା ପଛକୁ ପକେଇଦେଇ ହିନ୍ଦୁ ମୁସଲମାନ ମିଳନପାଇଁ ଲାଗିପଡ଼ିଲେ । ଭାରତର ଚାରିଆଡ଼େ ବୁଲି ଏକଥା ବୁଝାଇଲେ ଓ ତା’ ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ଲୋକ କିପରି ସଂଗଠିତ ହେଉଛନ୍ତି, ତାହା ଲକ୍ଷ୍ୟ କଲେ ଓ ସେଠାକାର ଲୋକମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନକଲେ ।

 

ତା’ପରେ ଗୁଜରାଟର ବର୍ଦ୍ଦୋଳିରେ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ପରୀକ୍ଷାସ୍ଵରୂପ ଗାନ୍ଧିଜୀ ସେଠାରେ ଅହିଂସା ଅସହଯୋଗ ଆରମ୍ଭକରି ଜୟଯୁକ୍ତ ହେଲେ । ଭାରତର ଚାରିଆଡ଼େ ଲୋକଙ୍କର ମନୋଭାବ ଲକ୍ଷ୍ୟକରି ଓ ପରେ ବିଭିନ୍ନ ସ୍ଥାନରେ ଅହିଂସା ଆନ୍ଦୋଳନ ଫଳବତୀ ହେବାର ଦେଖି ଗାନ୍ଧିଜୀ ଦେଶବ୍ୟାପୀ ଆଉ ଗୋଟିଏ ଆନ୍ଦୋଳନର ପରିକଳ୍ପନା କରୁଥାନ୍ତି । କଂଗ୍ରେସ ଅନୁଷ୍ଠାନ ଆଉ ବଡ଼ବଡ଼ିଆ କେତେ ଜଣଙ୍କର ସୌଖୀନ ଅନୁଷ୍ଠାନ ନହୋଇ ରୀତିମତ ଏକ ଲଢ଼ୁଆ ଅନୁଷ୍ଠାନରେ ପରିଣତ ହେଉଥାଏ । ଅବସ୍ଥାର ଗୁରୁତ୍ଵ ଉପଲବ୍ଧି କରି ଇଂରେଜ ସରକାର ସାର୍ ଜନ୍ ସାଇମନ୍ ବୋଲି ଜଣେ ସାହେବଙ୍କ ଅଧ୍ୟକ୍ଷତାରେ ଭାରତରେ ଶାସନ ସଂସ୍କାର କରିବେ ବୋଲି ଗୋଟିଏ କମିଶନ ବସାଇଲେ । ଉଦ୍ଦେଶ୍ୟ–ଏହି କମିସନ୍‍ର କାମ ଓ ତା’ର ସୁପାରିସ୍‍କୁ କାର୍ଯ୍ୟକାରୀ କରିବାକୁ ଟାଳମଟାଳ କରି କିଛିଦିନ ଆନ୍ଦୋଳନକୁ ପଛେଇ ଦେବେ; କିନ୍ତୁ ସେ କମିସନ୍‍ରେ କେହି ଭାରତୀୟ ନଥିବାରୁ ତାହା ଭାରତୀୟମାନଙ୍କର ସମସ୍ୟା ବୁଝିବାକୁ ସମ୍ପୂର୍ଣ୍ଣ ଅପାରଗ ବୋଲି ଦର୍ଶାଇ କଂଗ୍ରେସ ଏ କମିସନ୍‍କୁ ବର୍ଜନ କରିବାପାଇଁ ଦେଶବାସୀଙ୍କୁ ନିର୍ଦ୍ଦେଶ ଦେଲା । ଫଳରେ ସାଇମନ୍ କମିଶନ ଯେଉଁଠିକି ଗଲା ସେଠାରେ ହରତାଳ କରାଯାଇ କଳାପତାକା ପ୍ରଦର୍ଶନ କରାଗଲା । ସରକାରଙ୍କ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଲା । ପଞ୍ଜାବ-ସିଂହ ଲାଲାଜୀ ଏହିପରି ଏକ ପୋଲିସ୍‍ ଆକ୍ରମଣର ଶିକାର ହୋଇ ଜୀବନ ଦାନକଲେ । ସାରା ପଞ୍ଜାବ ଏ ଘଟଣାରେ କମ୍ପିଉଠିଲା । ଏହାର ପ୍ରତିଧ୍ୱନି ଭାରତର ସବୁ ପ୍ରାନ୍ତରେ ଶୁଣାଗଲା । ସେତିକିବେଳେ ସେହି ପଞ୍ଜାବରେ ହେଉଥିବା କଂଗ୍ରେସର ଏକ ଅଧିବେଶନରେ ଯୁବକ ଜବାହରଲାଲ ପୂର୍ଣ୍ଣ-ସ୍ଵାଧୀନତା ଆମର ଏକମାତ୍ର ଲକ୍ଷ୍ୟ ବୋଲି ଘୋଷଣାକଲେ ।

 

ଭାରତର ତିନି ପାଖରେ ଘେରି ରହିଛି ସମୁଦ୍ର । ସମୁଦ୍ର ହେଲା ଲୁଣର ଭଣ୍ଡାର । ଅଥଚ ଭାରତବାସୀ ଲୁଣ ମାରି ବ୍ୟବହାର କରିବା ଅଧିକାରରୁ ବଞ୍ଚିତ । ବିଦେଶୀ ସରକାର କେତେକ ଲୋକଙ୍କୁ ଲୁଣମାରିବାପାଇଁ ପଟ୍ଟା ଦିଅନ୍ତି । ସେମାନେ ଏକଚାଟିଆଭାବେ ଲୁଣ ମାରି ସେ ଲୁଣକୁ ବେଶି ଦାମ୍‌ରେ ଲୋକଙ୍କୁ ବିକନ୍ତି । ଗାନ୍ଧି କହିଲେ–ଏ ଆଇନ, ଏ ପ୍ରଥା ଲୋପ କରିବାକୁ ହେବ । ଲୋକେ ନିଜର ଚାହିଦାପାଇଁ ଅବାଧରେ ଲୁଣ ମାରି ଆଣିପାରିବେ । ଲୁଣ ଦରକାର ନାହିଁ କାହାର-? ତେଣୁ ଏକଥାଟା ସମସ୍ତଙ୍କ ମନକୁ ପାଇଲା । ଏ ସାମାନ୍ୟ କଥାଟାକୁ ଲୋକେ ହୁଏତ ଖିଆଲ କରୁ ନଥିଲେ; କିନ୍ତୁ ଏକଥା ଯେତେବେଳେ ସେମାନଙ୍କ ଆଗରେ ଉପସ୍ଥାପିତ କରାଗଲା, ଏଥିପ୍ରତି ପ୍ରବଳ ସହାନୁଭୂତି ମିଲିଲା । ଗାନ୍ଧିଜୀ ସେତେବେଳର ବଡ଼ଲାଟ ଇରଉଇନଙ୍କ ପାଖକୁ ଖଣ୍ଡେ ଚିଠି ଲେଖି ଜଣେଇଦେଲେ ଯେ ସେ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛନ୍ତି । ସେତେବେଳେ ଗାନ୍ଧିଜୀ ଅହମଦାବାଦ ସହର ପାଖର ସାବରମତୀ ଆଶ୍ରମରେ ରହୁଥାଆନ୍ତି । ସେହିଠାରୁ ୨୪୦ ମାଇଲ ଦୂର ବମ୍ବେ ନିକଟସ୍ଥ ଦାଣ୍ଡି ନାମକ ସ୍ଥାନରେ ସେ ଲୁଣ-ଆଇନ ଭଙ୍ଗ କରିବେ ବୋଲି ଜଣେଇଦେଲେ । ଭାରତର ଅନ୍ୟାନ୍ୟ ପ୍ରଦେଶରେ ସୁବିଧାଜନକ ସ୍ଥାନ, ବିଶେଷକରି ଯେଉଁଠାରେ ସରକାରଙ୍କର ଲୁଣଗୋଲା ଅଛି, ସେହି ସ୍ଥାନମାନଙ୍କରେ ଲବଣ ସତ୍ୟାଗ୍ରହ ଆରମ୍ଭ କରିବାପାଇଁ କଂଗ୍ରେସ ତରଫରୁ ନିର୍ଦ୍ଦେଶ ଆସିଲା । ଲୋକମାନଙ୍କୁ ସ୍ଵେଚ୍ଛାସେବକଭାବେ ଯୋଗଦେବାକୁ ସଭା-ସମିତିମାନଙ୍କରେ ବୁଝାଇ ଦିଆଗଲା । ଲୋକେ ସ୍ୱେଚ୍ଛାସେବକ ହେବାକୁ ଆଗ୍ରହ ଦେଖାଇଲେ-। ଗାନ୍ଧିଜୀ ଇଚ୍ଛାକରିଥିଲେ ବମ୍ବେ ପର୍ଯ୍ୟନ୍ତ ରେଲଗାଡ଼ିରେ ଯାଇ ସେହିଠାରୁ ଦାଣ୍ଡି ଅଭିମୁଖେ ଯାଇପାରିଥାନ୍ତେ; କିନ୍ତୁ ସେ ସ୍ଥିରକଲେ ଯେ, ଏ ୨୪୦ ମାଇଲ ରାସ୍ତାକୁ ପଦଯାତ୍ରାରେ ପଚିଶ ତିରିଶ ଦିନ ଭିତରେ କରିବେ । ଏପରି ନିଷ୍ପତ୍ତି ନେବାର ଉଦ୍ଦେଶ୍ୟ ହେଲା, ରାସ୍ତାରେ ଲୋକଙ୍କ ମନରେ ଆନ୍ଦୋଳନ ପ୍ରତି ସହାନୁଭୂତି ସଂଗ୍ରହ କରିବା । ଗାନ୍ଧିଜୀଙ୍କ ଉଦ୍ଦେଶ୍ୟ ଅଭୂତପୂର୍ବଭାବେ ସଫଳ ହେଲା । ସାବରମତୀ ଛାଡ଼ିଲାବେଳେ ମୋଟେ ୭୮ ଜଣ ସତ୍ୟାଗ୍ରହୀ ଗାନ୍ଧିଜୀଙ୍କ ସହିତ ଥିଲେ; କିନ୍ତୁ ଦାଣ୍ଡିରେ ପହଞ୍ଚିଲାବେଳକୁ ଏମାନଙ୍କ ସଂଖ୍ୟା ଅଗଣିତ ହୋଇଥିଲା । ସ୍ତ୍ରୀଲୋକମାନେ ମଧ୍ୟ ବହୁସଂଖ୍ୟାରେ ଏ ଆନ୍ଦୋଳନରେ ଯୋଗଦେଲେ ।

 

ଭାରତର ଭିନ୍ନ ଭିନ୍ନ ପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ଲୁଣମାରିବା ଅଭିଯାନ ଆରମ୍ଭ କରିବାର ସ୍ଥିରହେଲା । ଏ କଥା ସରକାରଙ୍କୁ ଜଣେଇ ଦିଆଗଲା । ସେତେବେଳର ଓଡ଼ିଶାର ମାତ୍ର ଦୁଇଟି ଜିଲାକୁ ଛାଡ଼ିଦେଲେ ବାକି ତିନୋଟି ଜିଲାକୁ ସମୁଦ୍ର ଲାଗିଥାଏ । ଇଚ୍ଛାକଲେ ଲୋକେ ସବୁ ସ୍ଥାନରେ ସମୁଦ୍ରରୁ ଲୁଣ ମାରିପାରନ୍ତେ; କିନ୍ତୁ ସତ୍ୟାଗ୍ରହୀର କାମ ଏହା ନୁହେଁ । ସେ ଲୁଚେଇ କିଛି କରିବନାହିଁ । ଯାହା କରିବ ସମସ୍ତଙ୍କୁ ଜଣେଇ କରିବ । ଗାନ୍ଧିଜୀଙ୍କ ଦାଣ୍ଡି ଅଭିଯାନ ପରି ଆମର ଓଡ଼ିଶାରେ ବାଲେଶ୍ୱର ଜିଲାର ଇଞ୍ଚୁଡ଼ିଠାରେ ଲୁଣ ଆଇନ ଅମାନ୍ୟ କରାଯିବ ବୋଲି ସ୍ଥିରହେଲା । ଦଳପରେ ଦଳ କଟକ ସ୍ଵରାଜ୍ୟ ଆଶ୍ରମରୁ କିଛି କିଛିଦିନ ବ୍ୟବଧାନରେ ବାହାରିବାର ସ୍ଥିର କରାଗଲା । ପ୍ରତ୍ୟେକ ଦଳପାଇଁ ସେନାପତି ଓ ସ୍ୱେଚ୍ଛାସେବକ ବାହିନୀଙ୍କର ତାଲିକା ପ୍ରସ୍ତୁତ କରାଗଲା । ପ୍ରଥମ ଦଳର ସେନାପତି ହେଲେ ଗୋପବନ୍ଧୁ ଚୌଧୁରୀ ।

 

ଖରାଦିନ । ସକାଳୁଆ ସ୍କୁଲ୍‍ ହେଉଥାଏ । ଆଗରୁ ପ୍ରଚାର ହୋଇଥାଏ ଯେ ପ୍ରଥମ ଦଳ ସତ୍ୟାଗ୍ରହୀ ତା’ ପରଦିନ ସକାଳୁ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ଵରେ ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ସେତେବେଳେ ଆଜିକାଲିକା ପରି ଡାକବାଜି ଯନ୍ତ୍ର ନଥାଏ । ଏକଥା ଖାଲି ଲୋକମୁଖରେ ପ୍ରଚାର ହେଉଥାଏ । ସେଦିନ ସକାଳୁ ସ୍ଵରାଜ୍ୟାଶ୍ରମରୁ ପ୍ରଥମ ଦଳ ସତ୍ୟାଗ୍ରହୀ ବାହାରିପଡ଼ିଲେ । ମୁଖ୍ୟ ରାସ୍ତାଦେଇ ସେମାନେ ଚାଲିଲେ । ରାସ୍ତାର ଦୁଇ ପାଖରେ କଟକର ଲୋକେ ଜମା ହୋଇଥାନ୍ତି । ସ୍କୁଲ୍‍ କଚେରି ଖୋଲିଥିଲେ ସୁଦ୍ଧା ସରକାରଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ସବୁ ଖାଲି ପଡ଼ିଥାଏ । ‘ମହାତ୍ମା ଗାନ୍ଧି କୀ ଜୟ’ ‘ସ୍ଵରାଜ୍ୟ ପତାକା କୀ ଜୟ’ ଧ୍ଵନିରେ ଆକାଶ-ମେଦିନୀ କମ୍ପୁଥାଏ । ସେମାନେ ଯେଉଁ ରାସ୍ତାଦେଇ ଯାଉଥାନ୍ତି, ସେ ରାସ୍ତା ପାଖର କୋଠାମାନଙ୍କରୁ ତାଙ୍କ ଉପରେ ପୁଷ୍ପବୃଷ୍ଟି ହେଉଥାଏ । ଛକଜାଗାମାନଙ୍କରେ ସେମାନଙ୍କୁ ଅଟକେଇ ସେମାନଙ୍କ ଗଳାରେ ଫୁଲମାଳ ମୁଣ୍ଡରେ ଚନ୍ଦନ ତିଳକ ଦିଆଯାଉଥାଏ । ସେମାନେ ଆଗକୁ ଗଲାପରେ ଦୁଇ ପାଖରେ ଛିଡ଼ାହୋଇଥିବା ଲୋକମାନେ ତାଙ୍କ ପଛେ ପଛେ ଚାଲିଥାନ୍ତି । ସତ୍ୟାଗ୍ରହୀଦଳ ଜେଲ୍‍ଖାନା ପାଖରେ ପହଞ୍ଚିଲାବେଳକୁ ମହାତ୍ମା ଗାନ୍ଧି ଜୀ ଜୟ ଧ୍ଵନିରେ ଚାରିଆଡ଼ କମ୍ପିଗଲା । ଏକାଡ଼େମୀର ସବୁ ଫାଟକ ବନ୍ଦ । ପିଲାଙ୍କୁ ବାହାରକୁ ନଛାଡ଼ିବାକୁ ମାଷ୍ଟରମାନଙ୍କ ଉପରେ କଡ଼ା ସରକାରୀ ନିର୍ଦ୍ଦେଶ ଜାରି ହୋଇଥାଏ; କିନ୍ତୁ କିଏ କାହା କଥା ଶୁଣୁଛି ? ପାଞ୍ଚଶ’ ପିଲାଙ୍କୁ ପଚିଶ ଜଣ ମାଷ୍ଟର ସମ୍ଭାଳୁଛନ୍ତି କୁଆଡ଼ୁ ? ପାଚେରି ଡେଇଁ, ଫାଟକ ଡେଇଁ, ଯିଏ ଯୁଆଡ଼େ ପାରିଲେ ବାହାରିଗଲେ । ମାଷ୍ଟରମାନେ ଆଁ କରି ଅନେଇଥାନ୍ତି । ଏକାଡ଼େମୀର ପରମ୍ପରା ଭିନ୍ନ ପ୍ରକାରର । ସରକାରୀ ଆଦେଶ ଯେତେ କଡ଼ା ହେଉ ପଛକେ ମାଷ୍ଟରମାନେ ସ୍ୱାଧୀନଚେତା । ସେମାନଙ୍କ ମଧ୍ୟର କେତେକ ସୂତା କାଟନ୍ତି ଓ ଖଦଡ଼ ପିନ୍ଧନ୍ତି । ସେମାନେ ତ ଆଉ ସରକାରୀ ଚାକିରିଆ ନୁହଁନ୍ତି; ପୁଣି ପ୍ୟାରୀମୋହନଙ୍କ ଆଦର୍ଶ ସେମାନଙ୍କ ଆଗରେ ରହିଛି । ତେଣୁ କର୍ତ୍ତବ୍ୟ ଦୃଷ୍ଟିରୁ ସେମାନେ ପିଲାଙ୍କୁ କହିଲେ; ସେପରି କହିବାରେ ମଧ୍ୟ ଆନ୍ତରିକତା ନଥିଲା ପରି ଜଣାଯାଉଥାଏ । ପିଲାଏ ଚାଲିଯିବା ପରେ ସେମାନେ ମଧ୍ୟ ଗୋଟାଏ ଗୋଟାଏ ହୋଇ ଛକ ପର୍ଯ୍ୟନ୍ତ ଯାଇ ସତ୍ୟାଗ୍ରହୀଙ୍କ ଶୋଭାଯାତ୍ରାକୁ ଦେଖିଲେ । ପିଲାଏ ଅନ୍ୟମାନଙ୍କ ପରି ସତ୍ୟାଗ୍ରହୀଙ୍କ ପିଛା ଧରିଲେ । ମାଷ୍ଟରମାନଙ୍କୁ ହୁଏତ ପରେ ଶୂନ୍ୟସ୍କୁଲ୍‍କୁ ଫେରିବାକୁ ପଡ଼ିଲା ।

 

ଇଞ୍ଚୁଡ଼ି ହୋଇଥାଏ ସ୍ୱରାଜ୍ୟ ସଂଗ୍ରାମର ରଣକ୍ଷେତ୍ର । ପ୍ରତି ଦୁଇଦିନ ଚାରିଦିନ ଅନ୍ତରରେ ଗୋଟିଏ ଗୋଟିଏ ନୂଆ ସତ୍ୟାଗ୍ରହୀ ଦଳ ବିଭିନ୍ନ ନେତାଙ୍କର ଅଧ୍ୟକ୍ଷତାରେ ଯୁଦ୍ଧକ୍ଷେତ୍ରକୁ ଯାଆନ୍ତି । ସେଠାରେ ଗିରଫ୍‍ ହୁଅନ୍ତି, ପୁଣି ଗୋଟିଏ ଦଳ ତା’ ପଛକୁ ଥା’ନ୍ତି । ଇଞ୍ଚୁଡ଼ି ଦୂର ହେବାରୁ କୁଜଙ୍ଗରେ ଆଉ ଗୋଟିଏ ଲୁଣମରା କେନ୍ଦ୍ର କରାଗଲା । ସେଠାକୁ ମଧ୍ୟ ଦଳଦଳ ହୋଇ ସତ୍ୟାଗ୍ରହୀ ଯାଇ ଗିରଫ୍‍ ହେଲେ । ତାରା ସତ୍ୟାଗ୍ରହୀ ହେବାକୁ ନାଁ ଦେଇଥିଲା; କିନ୍ତୁ ପ୍ରଥମ ଦଫାରେ ତାକୁ ବଛାଗଲା ନାହିଁ, ବୋଧହୁଏ ଅତି ଅଳ୍ପ ବୟସ ବୋଲି । ତାରା ଆଶ୍ରମରେ ପହଞ୍ଚି ବୁଝିଲା ଯେ ତାଙ୍କପାଇଁ କଟକରେ ମଧ୍ୟ ଅନେକ କାମ ଅଛି । ତେଣୁ ଲୁଣମାରିବାକୁ ସମସ୍ତେ ଗଲେ ଏ ପାଖର କାମ ଅଚଳ ହୋଇଯିବ ।

 

ପ୍ରକୃତରେ କଟକପରି ସବୁ ସହରରେ ମଧ୍ୟ ଅନେକ କାମ ଥାଏ । ପ୍ରତିଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ନେତାମାନଙ୍କର ଗିରଫ୍‍ଦାରୀର ଖବର ଆସି ପହଞ୍ଚୁଥାଏ । ସେଥିପାଇଁ ହରତାଳ କରିବାକୁ ହେବ । କୋଟ୍‍, କଚେରି, ସ୍କୁଲ୍‍, କଲେଜ, ବଜାରହାଟ ଆଗରେ ପିକେଟିଂ କରି ସେ ସବୁକୁ ବନ୍ଦ କରିବାକୁ ହେବ । ଏହାଦ୍ୱାରା ଲୋକମାନଙ୍କ ପାଖରେ ଆନ୍ଦୋଳନର ବାର୍ତ୍ତା ପହଞ୍ଚେଇବାକୁ ହେବ । ଧ୍ଵନି ଦେଇ ଲୋକଙ୍କୁ ତତେଇ ରଖିବାକୁ ହେବ । ଏଥିପାଇଁ ବହୁ ସ୍ଵେଚ୍ଛାସେବକ ଆବଶ୍ୟକ ଥାଏ । ତେଣୁ ତାରାଭଳିଆ ପିଲାଙ୍କୁ ଲୁଣମାରିବାକୁ ନପଠେଇ ସହରରେ ରଖାଯାଇଥାଏ । ସବୁଠାରୁ ବଡ଼କଥା ଯେ ସହରରେ ଆନ୍ଦୋଳନ କରିବାକୁ ସହରର ପିଲାମାନଙ୍କ ଆବଶ୍ୟକତା ସବୁଠାରୁ ବେଶି । ସେମାନେ ସମସ୍ତଙ୍କୁ ଚିହ୍ନନ୍ତି, ସବୁଜାଗା ଜାଣନ୍ତି । ତାଙ୍କଦ୍ୱାରା ଚାନ୍ଦା ଉଠେଇବାଠାରୁ ଗୁପ୍ତ ଖବର ଏଣିକି ତେଣିକି ପଠେଇବା କାମ ସୁବିଧାରେ ହୋଇପାରିବ । ଏଇଥିପାଇଁ ତାରାଭଳିଆ କେତେକ ପିଲାଙ୍କୁ ବିଶେଷକରି ସହରରେ ରଖାଗଲା ।

 

ଦିନେ କ’ଣପାଇଁ ଗୋଟାଏ ହରତାଳ ହୋଇଥାଏ । ପିଲାଏ ସ୍କୁଲ୍‍ ଛାଡ଼ି ‘ମହାତ୍ମା ଗାନ୍ଧି କୀ ଜୟ’ କହି ସ୍କୁଲ୍‍ରୁ ବାହାରି ଆସି ଶୋଭାଯାତ୍ରା କରି ଯାଉଁ ଯାଉଁ ଜେଲ୍‍ଖାନା ସାମନାରେ ହଠାତ୍ ଦଳେ ପୋଲିସ୍‍ ଖପ୍‌ଖାପ୍ ବାହାରିପଡ଼ି ସାମନାରେ ପତାକା ଧରି ଯାଉଥିବା କେତେ ଜଣ ପିଲାଙ୍କୁ ଧରିପକାଇଲେ । ପୁଲିସବାଲା ଧରିନେଇଥିବା ସାତଜଣ ପିଲାଙ୍କୁ ଗୋଟାଏ ଗାଡ଼ିରେ ପୂରେଇ କୁଆଡ଼େ ନେଇଗଲେ । ତାରା ସେମାନଙ୍କ ସହିତ ଧରାହୋଇଗଲା । ତାରା କଂଗ୍ରେସ ତରଫରୁ ତାଙ୍କ ସ୍କୁଲ୍‍ରେ ଜଣେ ମୁଖିଆ ପିଲା । ସବୁଦିନ ସନ୍ଧ୍ୟାରେ ସେ ଓ ଆଉ ଦୁଇ-ତିନି ଜଣ ପିଲା ଆଶ୍ରମକୁ ଯାଇ ପରବର୍ତ୍ତୀ ଦିନର କାର୍ଯ୍ୟକ୍ରମ ସମ୍ବନ୍ଧରେ ବୁଝିଆସି ସ୍କୁଲ୍‍ରେ ସେହି ଅନୁସାରେ କାମ ଆରମ୍ଭ କରନ୍ତି । ତାରା ଆଗ ତାଙ୍କ କ୍ଲାସ୍‍ରେ ବକ୍ତୃତା ଦେଇ ସମସ୍ତଙ୍କୁ କ୍ଲାସ୍‍ ବାହାରକୁ ନେଇଆସେ । ସବାଉପର କ୍ଲାସ୍‍ର ପିଲା ଯେତେବେଳେ କ୍ଲାସ୍‍ରୁ ବାହାରି ଆସି ଅନ୍ୟ କ୍ଲାସ୍‍ମାନଙ୍କ ସାମନାରେ ଧ୍ଵନି ଦିଅନ୍ତି, ସେତେବେଳେ ସେ କ୍ଲାସ୍‍ର ପିଲାମାନେ ଶିକ୍ଷକଙ୍କର ଶତ ବାଧା, ବାରଣ ଓ ଅନୁରୋଧକୁ ଉପେକ୍ଷାକରି ପଦାକୁ ବାହାରିଆସନ୍ତି । ତା’ପରେ ସମସ୍ତେ ଏକାଠି ଫାଟକ ଫିଟେଇ ଶୋଭାଯାତ୍ରା ଆରମ୍ଭ କରନ୍ତି । ତାରା ଯେଉଁଦିନ ଧରାପଡ଼ିଲା, ସେଦିନ ରାମନାଥ ଚୌଧୁରୀ ବୋଲି ଗୋଟିଏ ପିଲା ମଧ୍ୟ ଧରାହୋଇଥାଏ । ସେ ବଡ଼ଲୋକର ପିଲା । ତା’ର ବୟସ ମଧ୍ୟ ବେଶି । ସେ ବୋଡିଂରେ ଥାଏ । ଆନ୍ଦୋଳନ ସହିତ ତା’ର ମୋଟେ ସମ୍ପର୍କ ନଥାଏ; କିନ୍ତୁ ସେ ଦିନ ‘ଗୋଠ ମାତିଲେ ଖଣ୍ଡିଆ ମାତିବା’ ନୀତିରେ ସେ ବିଚାରା ଶୋଭାଯାତ୍ରାରେ ଆଗୁଆ ହୋଇ ବାହାରିଆସିଥିଲା । ଯୋଗକୁ ଧରାହେଲା ।

 

ସେମାନଙ୍କୁ କଚେରିକୁ ନିଆଗଲା ନାହିଁ କି ବିଚାର ହେଲାନାହିଁ । ତାଙ୍କୁ ଆଣି ଜେଲରେ ରଖିଦିଆଗଲା । ସାତଦିନ ପରେ ସେମାନଙ୍କୁ ଛାଡ଼ିଦିଆଗଲା; କିନ୍ତୁ ରାମନାଥକୁ ଛଡ଼ାଗଲାନାହିଁ । ତା’ର କୁଆଡ଼େ ବିଚାର ହୋଇ ମାସେ ସଜା ହୋଇଗଲା । ‘ଡେଙ୍ଗା ମୁଣ୍ଡରେ ଠେଙ୍ଗା’ ନୀତିରେ ବୋଧହୁଏ ତା’ର ବିଚାର ହୋଇ ସଜାହେଲା । ତାରା ପ୍ରଭୃତି ଜେଲରୁ ବାହାରି ଶୁଣନ୍ତି ତ ସ୍କୁଲ୍‍ରେ ତ୍ରୈମାସିକ ପରୀକ୍ଷା ନହୋଇ ସରକାରୀ ଆଦେଶରେ ସବୁ ସ୍କୁଲ୍‍ ଖରାଛୁଟି ପାଇଁ ଆଗତୁରା ବନ୍ଦ ହୋଇଯାଇଛି ।

 

ଛଅ

 

ସ୍କୁଲ୍‍ କଲେଜ ସବୁ ବନ୍ଦ ହୋଇଗଲା । ମେସ୍‌ ବୋଡ଼ିଂ ପ୍ରଭୃତିରେ ଯେଉଁ ପିଲାମାନେ ରହୁଥିଲେ ସେମାନଙ୍କୁ ବାହାର କରିଦିଆଗଲା । ସେମାନେ ସବୁ ଯିଏ ଯୁଆଡ଼େ ପଳେଇଲେ । କଟକ ସହରର ସ୍ଥାୟୀବାସିନ୍ଦାଙ୍କ ପିଲାଏ ଯାହା କଟକରେ ରହିଲେ । ସରକାର ଟାଉନ୍‍ହଲ୍‍ରେ ସଭା କରେଇ ଦଉ ନଥାନ୍ତି । ସଭାହେବ ବୋଲି ଆଗରୁ ପ୍ରଚାର କରାଯାଇ ନଥାଏ । ସନ୍ଧ୍ୟାବେଳକୁ ପଞ୍ଝାଏ ପିଲା ଆଉ କେତେଜଣ ମୁଖିଆଙ୍କ ସହିତ ସ୍ୱରାଜ୍ୟାଶ୍ରମରୁ ‘ମହାତ୍ମା ଗାନ୍ଧି କୀ ଜୟ’ ‘ସ୍ୱାଧୀନ ଭାରତ କୀ ଜୟ’ ଧ୍ଵନିନେଇ କାଠଯୋଡ଼ି ନଈକୂଳଆଡ଼କୁ ଆସନ୍ତି । ସହଜେ ଖରାଦିନ । କଟକରେ ଲୋକେ ସନ୍ଧ୍ୟାବେଳକୁ ପ୍ରାୟ ବୁଲିବାକୁ ନଈବନ୍ଧକୁ ଆସନ୍ତି । ସେମାନେ ଅବଶ୍ୟ ସଭାରେ ଯୋଗଦିଅନ୍ତି ନାହିଁ । ବନ୍ଧଉପରେ ନାଲିପଗଡ଼ିଆ ପୋଲିସ୍‍ ବଡ଼ବଡ଼ ଠେଙ୍ଗାଧରି ଛିଡ଼ା ହୋଇଥାନ୍ତି । ସଭା ଆରମ୍ଭହେଲେ ତାକୁ ଭାଙ୍ଗିବା ତାଙ୍କର କାମ । କେଉଁ ଦିନ ଯେ କେଉଁ ଘାଟରେ ସଭା ହେବ ତାହା କେହି ଜାଣନ୍ତିନାହିଁ । ପୋଲିସ୍‌ମାନେ ବନ୍ଧଉପରେ ପଇଁତରା ମାରୁଥାନ୍ତି । ଆଜି ଗଣେଶ ଘାଟ ତ କାଲି କଚେରି ଘାଟ, ପଅରିଦିନ ବୁରୁଜ ତଳ ହାତୀଗଡ଼ା ତ ତା’ ପରଦିନ ପୁରୀଘାଟରେ, ଏହିପରି ବୁଲି ବୁଲି ସଭା ହୁଏ ।

 

ସେଦିନ ଯେଉଁ ପଞ୍ଝାକ ଧ୍ଵନିଦେଇ ସଭା କରିବାକୁ ଆସିଲେ, ସେମାନଙ୍କ ଭିତରେ ତାରା ଥାଏ । ପଢ଼ିଆରି ମହାଶୟ ସେଦିନ ସଭାରେ ସଭାପତି ହେବାର ଥାଏ । ଆଗରେ ଜଣେ ଜାତୀୟପତାକା ଧରି ଚାଲୁଥାନ୍ତି; ତା’ ପଛକୁ ପଢ଼ିହାରୀ ମହାଶୟ । ତାଙ୍କ ପଛକୁ ଦୁଇ ଦୁଇଜଣ ହୋଇ ସାତ ଆଠୋଟି ଧାଡ଼ି । ଶେଷରେ ଜଣେ କାରବାଇଡ଼ ଗ୍ୟାସ୍ ଷ୍ଟାଣ୍ଡ ଧରିଛି । ସନ୍ଧ୍ୟାହେଲେ ସେଥିରେ ପାଣି ପୂରେଇ ଜଳେଇ ଦିଆଯିବ । ସତ୍ୟାଗ୍ରହୀମାନଙ୍କୁ କଡ଼ା ନିର୍ଦ୍ଦେଶ ଥାଏ ଯେ ଜୀବନ ଯିବ ପଛକେ ପତାକା ଛାଡ଼ିବ ନାହିଁ । ମାଡ଼ ଖାଇ ମୁଣ୍ଡ ଫାଟିଲେ ସୁଦ୍ଧା ତୁମ ଆଡ଼ୁ ହିଂସା ପ୍ରଦର୍ଶନ କରାଯିବନାହିଁ । ଏସବୁ ମନେରଖି ଶୃଙ୍ଖଳିତ ସୈନିକରୂପେ ଏହି କ୍ଷୁଦ୍ର ସତ୍ୟାଗ୍ରହୀଦଳଟି ଗଣେଶଘାଟଠାରେ ପଥର ପାହାଚ ଦେଇ ନଈବାଲିକୁ ଗଡ଼ିଲେ । ବନ୍ଧଉପରେ ଦର୍ଶକମାନେ ଉନ୍ମୁଖ ହୋଇ ଅନେଇଥାନ୍ତି । ବାଲିରେ କିଛିଦୂରଯାଇଁ ସତ୍ୟାଗ୍ରହୀଦଳଟି ଅଟକିଲେ । ସନ୍ଧ୍ୟା ହୋଇଆସୁଥାଏ । ସେମାନଙ୍କ ମଧ୍ୟରୁ ଜଣେ ଗ୍ୟାସ୍‍ଷ୍ଟାଣ୍ଡଟି ନେଇ ସେଥିରେ ପାଣି ଭରିବାକୁ ନଦୀର କ୍ଷୀଣ ଧାରକୁ ଗଲେ । ଅନ୍ୟମାନେ ଗୀତ ଧରିଥାନ୍ତି; ‘ଏ ଯେ ଶୁଣ୍ଢୀସରକାର, ଭଣ୍ଡାମି ସଙ୍ଗେ ଗୁଣ୍ଡାମି ୟାର ନିତ୍ୟ କାରବାର’, ତା’ପରେ ଧ୍ଵନିହେଲା : ‘ବନ୍ଦେ ମାତରଂ, ମହାତ୍ମା ଗାନ୍ଧୀ କୀ ଜୟ, ସ୍ଵାଧୀନ ଭାରତ କୀ ଜୟ’ । ଧ୍ୱନିପରେ ପୁଣି ଗୀତ ଆରମ୍ଭ ହେଲା : ‘ସାଇମନ୍ ଫାଇମନ କେତେ ଯେ କମିଟିମାନ ନିତି ନିତି ବସିଯାଉଛି; ସତେକି ଏ ନରବର ଏଥର ଅଭୟବର ଯାଚିଦେବେ ଜଣାଯାଉଛି ।’ ଗ୍ୟାସ୍‍ଷ୍ଟାଣ୍ଡରେ ପାଣି ପଶି ଆସି ନଥାଏ । ନଦୀର ଧାରଟି ସଭାସ୍ଥାନରୁ ଟିକିଏ ଦୂର । ପୁଣି ଧ୍ଵନି, ଧ୍ଵନିପରେ ଗୀତ କିଛି ସମୟ ଚାଲିଲା । ଏତିକିବେଳେ ଗ୍ୟାସ୍‍ଷ୍ଟାଣ୍ଡଟି ନେଇ ସତ୍ୟାଗ୍ରହୀଟି ଫେରିବାର ଦେଖାଗଲା । ସଞ୍ଜହୋଇ ଆସୁଥାଏ, କିନ୍ତୁ ଖରାଦିନ, ଚାରିଆଡ଼ ଫର୍ଚ୍ଚାଥାଏ । ଏତିକିବେଳେ ପୋଲିସ୍‍ଦଳ ଠିକ୍ ସତ୍ୟାଗ୍ରହୀଙ୍କପରି ପଛକୁ ପଛ ଦୁଇଧାଡ଼ିରେ ଠେଙ୍ଗାଟିମାନଙ୍କୁ କାନ୍ଧରେ ପକେଇ ନଈବାଲିକୁ ଗଡ଼ିଲେ । ସାମନାରେ ଜଣେ ଅଫିସର । ହାତରେ ଖଣ୍ଡେ ଛୋଟ ବାଡ଼ି, ସବ୍ଇନ୍‍ସପେକ୍ଟର ହେବେ ପରା । ସେମାନେ ଧୀର ମନ୍ଥରଗତିରେ ସଭାସ୍ଥଳଆଡ଼କୁ ଅନେଇଲେ । ସେତେବେଳକୁ ଅନ୍ଧାର ହୋଇଗଲାଣି । ସଭାରେ ଗ୍ୟାସ୍‍ଷ୍ଟାଣ୍ଡ ଜଳିଲାଣି । ଜଣେ ଆଜିକା ସଭାରେ ପଣ୍ଡିତ ମହାଶୟ ସଭାପତି ହେବେ ବୋଲି ପ୍ରସ୍ତାବକଲେ; ଆଉ ଜଣେ ସେ ପ୍ରସ୍ତାବକୁ ସମର୍ଥନ କଲେ । ତା’ପରେ କରତାଳି ଓ ବନ୍ଦେ ମାତରଂ ଧ୍ଵନି ଦେଇ ସଭାକାର୍ଯ୍ୟ ଆରମ୍ଭହେଲା । ମଝିରେ ବାଲିରେ ପତାକାଟିକୁ ପୋତିଦିଆଯାଇଥାଏ । ପଢ଼ିଆରି ମହାଶୟ ଠିକ୍ ବକ୍ତୃତା ଆରମ୍ଭ କଲାବେଳକୁ ଗୋଟିଏ ହ୍ୱିସିଲ ବାଜିଉଠିଲା । ସାଙ୍ଗେ ସାଙ୍ଗେ କନେଷ୍ଟବଳମାନେ ଛୋଟ ସଭାଟିର ଚାରିପାଖ ଘେରିଗଲେ । ପଢ଼ିଆରି ମହାଶୟ ଆରମ୍ଭକଲେ–‘ଭାଇମାନେ, ଆଜି ଆମ୍ଭେମାନେ ଏଠାରେ ଏକତ୍ରିତହୋଇ...’ ବାସ୍‌, ଏତିକି କହିଛନ୍ତି କି ନାହିଁ, ଖାଲି ଠେଙ୍ଗାରେ ଠେଙ୍ଗା ପିଟିହେଲାପରି ଶବ୍ଦ ଶୁଣାଗଲା । ଏତିକିବେଳେ ଆଲୁଅଟାକୁ କିଏ ନିଭେଇଦେଲା ଓ ଖାଲି ବାଲି ବୃଷ୍ଟିହେଲା ଚାରିଆଡ଼ୁ । ପତାକାକୁ ରକ୍ଷାକରିବ ବୋଲି ତାରା ପତାକାସ୍ତମ୍ଭ ନିକଟରେ ଠିଆହୋଇଥିଲା । ଜଣେ କନେଷ୍ଟବଳ ଆସି ପତାକା ବାଉଁଶଟାକୁ ଧରିପକେଇଲେ । ଏତିକିବେଳେ କିଏ ଅଞ୍ଜୁଳାଏ ବାଲି ତା’ ମୁହଁକୁ ଛାଟିଦେଲା । ସେ ‘ବୋପାଲୋ’ ବୋଲି କହିଲାବେଳକୁ ତା’ ହାତରୁ ବାଉଁଶଟା ବାହାରିଗଲାଣି । ଆଉ ଦୁଇ ଜଣ ପୋଲିସ୍‍ ସେ ବାଉଁଶଟାକୁ ଧରିପକେଇଲାବେଳକୁ ତାରା ଅନ୍ୟପାଖରୁ ପତାକାଟିକୁ ଟାଣିନେଇ ସାରିଥିଲା । ଠେଙ୍ଗା ଠକ୍‌ଠାକ୍ ଓ ତା’ ସଙ୍ଗେ ସଙ୍ଗେ ବାଲି ବୃଷ୍ଟି ଚାଲିଥାଏ ନଈବାଲି ମଝିରେ ଅନ୍ଧାର ଭିତରେ । ପଣ୍ଡିତ ମହାଶୟ ଖାଲି ‘ଶାନ୍ତି ଶାନ୍ତି’ କହିବାର ଶୁଣାଯାଉଥାଏ । ଆଲୁଅ ଷ୍ଟାଣ୍ଡକୁ ନେଇ କିଏ କୁଆଡ଼େ ଗଲେଣି । ସଭାସ୍ଥଳରେ ପଣ୍ଡିତ ମହାଶୟ ଓ ପୋଲିସ୍‍ତକ । ସତ୍ୟାଗ୍ରହୀତକ କିଏ କୁଆଡ଼େ ପଳେଇଲେଣି । ବନ୍ଧଉପରେ ଥିବା ଦେଖଣାହାରି ଲୋକେ ଅନ୍ଧାରରେ ଆଉ କିଛି ଦେଖିନପାରି କେବଳ ଠେଙ୍ଗାର ଠକ୍‌ଠାକ୍ ଆୱାଜ୍‍ ପୁଣି ଛାନିଆରେ କିଏ କୁଆଡ଼େ ଖସିଲେଣି । ପଢ଼ିଆରି ମହାଶୟଙ୍କୁ ପୋଲିସ୍‍ ନେଇ ବନ୍ଧ ଉପରକୁ ଆସିଲେ । ଆଉ କାହାରି ଦେଖାନାହିଁ ।

 

ସେତେବେଳେ କଟକରେ ଇଲେକ୍‌ଟ୍ରିକ୍ ଆଲୁଅ ନଥାଏ । ନଈକୂଳରେ କେଇଟା ମିଞ୍ଜି ମିଞ୍ଜିଆ କିରାସିନି ବତି ଖୁଣ୍ଟ ଉପରେ ଜଳୁଛି । ପୋଲିସ୍‍ମାନେ ଟୋପି କାଢ଼ି ଦେହରୁ ମୁଣ୍ଡରୁ ବାଲି ଝାଡ଼ି ଝାଡ଼ି ଚାଲିଥାନ୍ତି । କିଛି ଦୂର ଯାଇ ଆଶ୍ରମ ପାଖ ହେବାରୁ ପଢ଼ିଆରି ମହାଶୟଙ୍କୁ ଗିରଫ୍‍ କରି ସେହିଠାରେ ଛାଡ଼ି ଚାଲିଗଲେ । ରାଗରେ କ୍ଷୋଭରେ ତାଙ୍କ ପାଟିରୁ ଆଉ କଥା ବାହାରୁ ନଥାଏ । ଆଶ୍ରମ ଭିତରକୁ ଆସିବାରୁ କେତେଜଣ ବାହାରି ସଭା କିପରି ହେଲା ବୋଲି ପଚାରିଲେ । ପଢ଼ିଆରି ମହାଶୟ ତାଙ୍କର ମାମୁଲି ବୋଲିଟାକୁ କହିଦେଇ ଆରମ୍ଭ କଲେ, “ଆଜି ଯାହାଙ୍କୁ ସତ୍ୟାଗ୍ରହୀ କରି ପଠେଇଥିଲ, ସେଗୁଡ଼ାକ ସବୁ ବଡ଼ ପାଷଣ୍ଡ । ସେମାନେ ସବୁ ଗଲେ କୁଆଡ଼େ-?” ସେମାନେ ଆଶ୍ରମକୁ ଫେରିନାହାନ୍ତି ଶୁଣି ସେ ବଡ଼ ଚିନ୍ତିତ ହୋଇଗଲେ । ତେବେ ଗଲେ କୁଆଡ଼େ ? ସଭାରେ ଯେଉଁ ବାଲିଝଡ଼ ହେଲା, ସେଥିରେ ପଢ଼ିଆରି ମହାଶୟଙ୍କ ଆଖିକୁ କିଛି ଦିଶୁ ନଥାଏ । ସେ ତାଙ୍କର ଆଖି ଦୁଇଟାକୁ ମଳି ମଳି ନାଲି ପକେଇ ସାରିଥିଲେ । କିନ୍ତୁ ପିଲାଏ କୁଆଡ଼େ ଗଲେ, ଜାତୀୟପତାକାର ଦଶା କ’ଣ ହେଲା, ଏଥିପାଇଁ ସମସ୍ତେ ଚିନ୍ତିତ ହୋଇପଡ଼ିଲେ-। ମଙ୍ଗରାଜେ ଆଶ୍ରମରେ ଥିଲେ । ସେ କହିଲେ, “ଆଜି ସବୁଯାକ ସହରିଆ ପିଲା ଥିଲେ-। ତା’ଭିତରେ ଗୋରାର ଭାଇ ତାରା ଥିଲା ।” ପଢ଼ିଆରି ମହାଶୟ କହିଲେ, “ହଁ, ସେହି ତ ପତାକା ଧରିଥିଲା । ଗଲା କୁଆଡ଼େ ?” ମଙ୍ଗରାଜେ କହିଲେ, “ଯିବେ କୁଆଡ଼େ ? ବର୍ତ୍ତମାନ ସବୁ ପାଜିତକ ଆସି ହାଜର ହେବେ ।” କଥା ନ ସରୁଣୁ ମୁଣ୍ଡରେ ଦଣ୍ଡାହୀନ ଜାତୀୟପତାକା, ଖାଲି ଦେହ, ହାଫ୍‌ସାର୍ଟ୍‍ କାନ୍ଧରେ ଆସି ତାରା ପହଞ୍ଚିଲା । ତା’ ପଛେ ପଛେ ଅନ୍ୟ ସମସ୍ତେ । ଗ୍ୟାସ୍‍ ଷ୍ଟାଣ୍ଡଟା ମଧ୍ୟ ନିଖୁଣ ଅବସ୍ଥାରେ ଜଣକ ହାତରେ ।

 

ତାଙ୍କୁ ଦେଖି ପଣ୍ଡିତ ମହାଶୟ କହିଲେ, “କିରେ ! ତୁମେ ସବୁ ପାଜି କୁଆଡ଼େ ଯାଇଥିଲ-? ରାମ ରାମ, ଆଉ କେବେ ତୁମରିଭଳିଆ ପିଲାଙ୍କୁ ନେଇ ସଭା କରିବାକୁ କେହି ଯିବେନାହିଁ-। ହୋଇରେ ! ଆଲୁଅ ନିଭେଇଲା କିଏ ? ବାଲି ଫୋପାଡ଼ିଲା କିଏ ?” ପିଲାଏ କହିଲେ, “ସାର୍-! ଆମେ ତ ସେଇଆ ଭାବୁଛୁ । ଗୋଟିଏ ପୋଲିସ୍‍ ଫୁଙ୍କିକରି ଆଲୁଅ ନିଭେଇବାର ଆମେ ଦେଖିଛୁ; କିନ୍ତୁ ସେ ବାଲି କିଏ ପକେଇଲା ଆମେ କହିପାରିବୁନାହିଁ । ଆମେ ତ ପୋଲିସ୍‍ ଠେଙ୍ଗାକୁ ଡରି ପତାକା ଓ ଗ୍ୟାସ୍‍ଷ୍ଟାଣ୍ଡକୁ ଧରି ସିଧା ମୁଣ୍ଡ ମୁହାଣ ମୁହିଁଥିଲୁ । ପରେ କେତେବେଳେ ଡକାଡ଼କି ହୋଇ ଏକାଠି ହେଲୁ । ଏକାଠି ହୋଇ ଆଉ ଗଣେଶ ଘାଟ ଗଡ଼ାଦେଇ ନଆସି ସିଧା କଚେରି ତଳେ ତଳେ ଯାଇଁ ହଡ଼ହଡ଼ି (ହରହରି) ଘାଟ ଦେଇ ବୁଲି ବୁଲି ଆସିଛୁ ।” ପଣ୍ଡିତେ ଓ ଅନ୍ୟମାନେ ସେମାନଙ୍କୁ ବିଦାବିଦି କରି ଆଶ୍ରମ ଭିତରକୁ ଗଲେ । ସେତେବେଳକୁ କଚେରି ଘଣ୍ଟାରେ ଠନ୍ ଠନ୍ ହୋଇ ଦଶଟା ବାଜିଲା ।

 

ଏ କେତେଦିନ ତାରାର ଗତିବିଧି ନାନୁବାବୁ ବରାବର ଲକ୍ଷ୍ୟ କରୁଥାନ୍ତି । ସେ ସନ୍ଧ୍ୟାବେଳଠୁ କୁଆଡ଼େ ଯାଉଛି ଯେ ରାତି ଦଶକୁ ଫେରୁଛି । ସ୍କୁଲ୍‍ ବନ୍ଦ ହୋଇଗଲାଣି । ସେ ଗୋରା ପାଖକୁ ତାରା ଜେଲ ଯିବା ଓ ତା’ର ଗତିବିଧି ବିଷୟରେ ଚିଠି ଦେଇଛନ୍ତି । ଗୋରାର ଗ୍ରୀଷ୍ମଛୁଟି ହେଲାମାତ୍ରେ ସେ ଆସି ପହଞ୍ଚିବ ବୋଲି ଚିଠି ଦେଇଥାଏ । ଏ ଘଟଣା ପରଦିନ ସକାଳୁ ସକାଳୁ ଗୋଟାଏ ବଗିଗାଡ଼ି ଆସି ତାରାଙ୍କ ବସାଘର ଦୁଆରମୁହଁରେ ଅଟକିଲା; ଆଉ ସେଥିରୁ ବିଛଣାପତ୍ର ଧରି ଓହ୍ଲେଇଲା ଗୋରା । ତାରା ଭାଇଙ୍କୁ ନମସ୍କାର କରି ଜିନିଷପତ୍ର ନେଇ ଘରେ ରଖିଲା । ନାନୁବାବୁ କଚେରିକୁ ବାହାରିଥାନ୍ତି । ଆଉ ବିଶେଷ କଥାବାର୍ତ୍ତା ହୋଇପାରିଲା ନାହିଁ ତାଙ୍କ ସଙ୍ଗେ । ଭାଇ ଗାଧୋଇ ଜଳଖିଆ ଖାଇସାରି ତାରାର ପଢ଼ାପଢ଼ି କଥାସବୁ ପଚାରିଲେ । “କିରେ ! ଫାଷ୍ଟ୍ ଡିଭିଜନ୍‍ରେ ଯିବୁଟି ? କ’ଣ, କେଉଁଥିରେ ଦୁର୍ବଳ ଅଛୁ କହ । ମାଷ୍ଟ୍ର ଗୋଟିଏ ହେଲେ ରଖନ୍ତେ ।” ତାରା ମନାକଲା ମାଷ୍ଟର ରଖିବାକୁ । ଗୋଳମାଳ ଯୋଗୁଁ ପରୀକ୍ଷା ଦେଇ ପାରିନାହିଁ ବୋଲି ତାରା କହିଲା । ଗୋରା ଆଉ ବେଶି କିଛି ନକହି ଦାଦାଙ୍କ ସାଇକେଲ ନେଇ ତା’ର କେତେକ ପୁରୁଣା ସାଙ୍ଗଙ୍କୁ ଭେଟିବାକୁ ବାହାରିଗଲା । କହିଗଲା “ଉପରବେଳା ଗାଁକୁ ଯିବା, ସବୁ ଠିକ୍‌ଠାକ୍ କରି ରଖିଥିବୁ ।”

 

ଗୋରା ବୁଲିକରି ଆସିଲା । ଦାଦା କଚେରିରୁ ସେଦିନ ଶୀଘ୍ର ଚାଲିଆସିଲେ । ଗୁଡ଼ିଏ ଆମ୍ବ ଆଣିଥିଲେ । ସମସ୍ତେ ଏକାଠି ଖାଇ ବସିଲେ । ଖାଇବାବେଳେ ନାନୁବାବୁ ତାରାର ସବୁ କୀର୍ତ୍ତିକଳାପ ସବିସ୍ତାରେ ବର୍ଣ୍ଣନା କଲେ । ତାରା କିଛି କହୁ ନଥାଏ; ତଳକୁ ମୁହଁ ପୋତି ଖାଉଥାଏ । ନାନୁବାବୁ କହିଲେ, “ତୁମେ ଦେଶକାମ କରି ଜେଲ ଗଲେ ମୋର କିଛି କହିବାର ନାହିଁ; କିନ୍ତୁ ମୋର ଏତିକି କହିବାର କଥା ଯେ ପେଟରେ କିଛି ମାଲମସଲା ଥାଇ ଦେଶକାମ କଲେ, ହେଲେ କିଛି କରିପାରିବ; ନହେଲେ ବଜାରୀ ଛତରାଙ୍କ ପରି ବୁଲିବା ସାର ହେବ ।” ତାରା କିଛି କହୁ ନଥାଏ । ଦିନେ ଗୋରା ଜାହାଜ ହୋଇ ଆଗରେ ଚାଲିଥିଲା; ତାରା ତା’ ପଛରେ ବାଜରାପରି ଟାଣି ହୋଇ ଯାଉଥିଲା । ସେହିଁ ପ୍ରଥମେ ଏ ପରିବାରରେ ଦେଶାତ୍ମବୋଧ ଆଣିଦେଇଛି । ସେ ଜେଲ ନଯାଏଁ କି ଦୀନୁବାବୁ ନାନୁବାବୁ ସୂତା ନକାଟନ୍ତି, ଆଉ ଖଦଡ଼ ନ ପିନ୍ଧନ୍ତି । ଗୋରା ଦାଦାଙ୍କ କଥାରେ ହଁ ମାରୁଥାଏ । ଗୋରା କହିଲା, “ତାରା ! ତୁ ଟିକିଏ ଭାବ । ଆଗେ ଆମ ଅବସ୍ଥା ଯାହା ଥିଲା, ବାପା ମରିଯିବା ପରେ ସେସବୁ ବଦଳିଯାଇଛି । ମୁଁ କ’ଣ ଆଉ ପଢ଼ି ନଥାନ୍ତି । ଓକିଲାତି ପାସ୍‌ କରି ମୁଁ କଟକରେ ଓକିଲ ହୋଇ ବସିଥାନ୍ତି । ସେ କଥା ତ ହୋଇପାରିଲା ନାହିଁ । ତୁ ଦାଦାଙ୍କ ଅବସ୍ଥା କଥା ବୁଝୁନୁ । ସେ ଏଠାରେ ବସା ଚଳେଇବେ । ତା’ପରେ ମୀରାର ବିଭାଘର କଥା ତ ଅଛି । ମୁଁ ତ ଚାକିରି କରୁ କରୁ ଆହୁରି ବର୍ଷେଯାଏଁ । ଆଉ ମୁଁ ବା ଚାକିରି କରି କେତେ କମେଇବି ?”

 

ଏମିତି ନାନୁବାବୁ ଗୋରା କେତେ କଥା କହିଲେ । ତାରା ତଳକୁ ମୁହଁ ପୋତି ଖାଉଥାଏ; କିଛି କହୁ ନଥାଏ । ଖରା ନଇଁବାରୁ ଦୁଇ ଭାଇ ଗାଁକୁ ବାହାରିଗଲେ । ତାରାର ମୋଟେ ଗାଁକୁ ଯିବାକୁ ମନ ନଥାଏ । ଗାଁର ସାଙ୍ଗମାନଙ୍କ କଥା ତା’ର ଆଉ ମନେ ପଡ଼ୁ ନଥାଏ । ତାକୁ ତ ଭିନ୍ନେ ନିଶା ଘାରିଛି । ଗାଁରେ ରହିଲେ ଦେଶର ହାଲ୍‍ଚାଲ୍‍ କିଛି ଜାଣି ହେବନାହିଁ । ଏକମାତ୍ର ‘ସାପ୍ତାହିକ ସମାଜ’ ବାହାରୁଥିଲା ଯେ, ତାକୁ ସରକାର ବନ୍ଦକରି ଦେଇଛନ୍ତି । କଟକରେ ଥିବାବେଳେ ବେଳେବେଳେ ଲିଥୋକରା ‘ସମ୍ବାଦ’ ବୋଲି ଗୋଟିଏ କାଗଜ ଖଦିଭଣ୍ଡାର ବା ଅଟଳବାବୁଙ୍କ ଦୋକାନର ସୁଦର୍ଶନ ବା ଏହିପରି କେତେକ ଥାକଜାଗାରୁ ମିଳୁଥିଲା । କେବଳ କେତେଜଣ ନିର୍ଦ୍ଦିଷ୍ଟ ଲୋକ ଏଥିରୁ ଖଣ୍ଡେ ଖଣ୍ଡେ କିଣିବାକୁ ପାଆନ୍ତି । ତାରା ଏହି ଲୋକମାନଙ୍କ ମଧ୍ୟରୁ ଜଣେ । ତାରା ଯେ କେବଳ ନିଜେ ପଢ଼ିବାପାଇଁ ଖଣ୍ଡିଏ ଘରକୁ ଆଣେ ତାହା ନୁହେଁ । ସେ ସେଥିରୁ ପାଞ୍ଚଖଣ୍ଡ ବିକି ତା’ର ଦାମ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଦେଇଆସେ । ନାନୁବାବୁ ମଧ୍ୟ ସେ ପତ୍ରିକାର ଜଣେ ଏକନିଷ୍ଠ ପାଠକ । ଗାଁରେ ରହିଲେ ଆନ୍ଦୋଳନର ଖବର ଜାଣିବା କଷ୍ଟକର ହେବ-। ଆଜିକାଲିକାପରି ସେତେବେଳେ ଆଉ ରେଡ଼ିଓ ନଥାଏ । ତିନିଚାରିଜଣ ଲୋକ ପ୍ରତ୍ୟହ ଚାଲି ଚାଲି କାମ କରିବାକୁ କଟକ ଯିବାଆସିବା କରନ୍ତି । ସେମାନେ ବନ୍ଦୋବସ୍ତ ଅଫିସ୍‌ରେ କାମ କରନ୍ତି-। ସେମାନେ ଯାହା ଉଡ଼ାଖବର ବା ଶୁଣା ଖବର ଆଣିଦେବେ । ଖାଣ୍ଟି ଖବର ସେମାନେ ପାଇବେ କୁଆଡ଼ୁ ?

 

ଗୋରାର ମାସେ ଛୁଟି । ଗୋରା ତାରାଙ୍କୁ ତାଙ୍କ ବୋଉ ଦେଖି ଖାଲି ଆଖିରୁ ଲୁହ ଢାଳିଲେ । ଖୁଡ଼ୀ ଖାଇବା ପିଇବାର ସବୁ ବନ୍ଦୋବସ୍ତ କରୁଥାନ୍ତି । ମୀରା ଗାଁ ସ୍କୁଲ୍‍ରୁ ନିମ୍ନ ପ୍ରାଥମିକ ବୃତ୍ତି ପାଇ ଘରେ ଉଚ୍ଚ ପ୍ରାଥମିକ ପରୀକ୍ଷାପାଇଁ ପଢ଼ୁଥିଲା । ପାଖରେ କୌଣସି ଉଚ୍ଚ ପ୍ରାଥମିକ ସ୍କୁଲ୍‍ ନଥିବାରୁ ସେ ଅନୁମତି ନେଇ ଘରେ ପଢ଼ୁଥିଲା । ଘରେ ପଢ଼ି ଉଚ୍ଚପ୍ରାଥମିକ ବୃତ୍ତି ପରୀକ୍ଷା ଦେଇ ସେଥିରେ ମଧ୍ୟ ବୃତ୍ତି ପାଇଲା । ନାନୁବାବୁଙ୍କର ଇଚ୍ଛା ତାକୁ ମାଇନର୍‍ ପଢ଼େଇବେ ବୋଲି; କିନ୍ତୁ ଆଖପାଖରେ ସେତେବେଳେ ପୁଅପିଲାମାନଙ୍କ ପଢ଼ିବାପାଇଁ ମଧ୍ୟ ଗୋଟିଏ ମାଇନର୍‍ ସ୍କୁଲ୍‍ ନଥାଏ; ଝିଅପିଲାଙ୍କ କଥା ପଚାରୁଛି କିଏ । କଟକରେ ରଖି ପଢ଼େଇପାରିଥାନ୍ତେ; କିନ୍ତୁ ଭଗବାନ ସେ ସବୁ କଳ୍ପନାରେ ଡୋରି ବାନ୍ଧି ଦେଇଛନ୍ତି । ତେଣୁ ଅଗତ୍ୟା ତା’ର ପଢ଼ା ବନ୍ଦ କରିବାକୁ ପଡ଼ିଲା; କିନ୍ତୁ ବନ୍ଦକଲେ କ’ଣ ହେବ । ତାରା ତାକୁ ମାଇନର୍‍ କ୍ଲାସ୍‍ର ସବୁ ପାଠ୍ୟବହି ଆଣିଦିଏ ଓ ସେ ଛୁଟିରେ ଆସିଲାବେଳେ ତାକୁ ମଧ୍ୟ କିପରି ପଢ଼ିବାକୁ ହେବ ତାହା ବୁଝେଇ ଦେଇଯାଏ । ମୀରା ମଧ୍ୟ ସେହି ଅନୁସାରେ ସବୁ ପଢ଼େ । ଏହିପରି ଭାବରେ ସେ ଘରେ ଘରେ ବଙ୍ଗଳା ଇଂରାଜୀ ବେଶ୍ ପଢ଼ିପାରୁଛି । ତାରା ତାକୁ ଇଂରେଜୀ ଛୋଟ ଛୋଟ ବହି, ବଙ୍ଗଳା ରାମାୟଣ, ମହାଭାରତ ଆଣିଦେଇଛି । ତେଣୁ ମୀରାର ବ୍ୟାବହାରିକ ଜ୍ଞାନ ତା’ରି ବୟସର ସହରରେ ସ୍କୁଲ୍‍ରେ ପଢ଼ୁଥିବା ଝିଅପିଲାଙ୍କଠାର କୌଣସି ଗୁଣରେ କମ୍ ନୁହେଁ ।

 

ଦୀନୁବାବୁ ମଲାପରେ ଗୋରାଙ୍କ ଘର ଖୁବ୍ ଦବିଯାଇଛି । ଜେଜେ ବଞ୍ଚିଥିଲେ ହୁଏତ ସେମାନଙ୍କର ଟିକିଏ ବଳ ଥାଆନ୍ତା । ସେ ବି ଚାଲିଯାଇଛନ୍ତି । ଘରେ ପୁରୁଷ ଲୋକ କେହି ନଥାନ୍ତି-। ମାଇପି ଘର । କିଏ ତୋଟାରୁ ଆମ୍ବ ପାରିନେଲା ତ କିଏ ପୋଖରୀରୁ ମାଛ ମାରିନେଲା–ଦେଖିବାକୁ କିଏ ଅଛି ? ଗୋରା ତାରା ସେଇଥିପାଇଁ କୁଆଡ଼କୁ ବେଶି ବାହାରନ୍ତି ନାହିଁ-। ସନ୍ତୋଷବାବୁଙ୍କ ଘର ବର୍ତ୍ତମାନ ଭାରି ନାଁ–ଡାକ । ଜମି, ଜମିଦାରୀ, ମକଦମି କିଣି ସେ ବର୍ତ୍ତମାନ ପାଞ୍ଚଖଣ୍ଡି ଗାଁରେ ଜଣେ ବଡ଼ଲୋକ ବୋଲି ଖ୍ୟାତି ଅରଜିଛନ୍ତି । ତା’ ଉପରେ ସନ୍ତୋଷବାବୁ କଲିକତାରେ ମାଟ୍ରିକ୍ ପାସ୍‍ କରିଛନ୍ତି । ଏଣୁ ତାଙ୍କର ସମ୍ମାନ ଖୁବ୍ ବେଶି ଥାଏ । କାହିଁକି କେଜାଣି ଗୋରାଙ୍କ ଘର ପ୍ରତି ତାଙ୍କର ଗୋଟାଏ ଭାରି ଈର୍ଷାଭାବ ଥାଏ । ତେଣୁ ଗୋରା ଓ ତାରା ସକାଳେ ସଞ୍ଜେ ଗାଁ ପିଲାଙ୍କ ସଙ୍ଗେ ନଈକୁ ଗାଧୋଇଯିବା ଛଡ଼ା ଅନ୍ୟ କେଉଁଆଡ଼େ ଯାଆନ୍ତିନାହିଁ । ତାରା ଦିପହରେ ଥରେଅଧେ ଯାହା ଠାକୁରାଣୀ ପଡ଼ିଆରେ ଡୁଡ଼ୁ ଖେଳିବାକୁ ଯାଉଥିଲା; କିନ୍ତୁ ଗୋରା କେବେ କୁଆଡ଼େ ଯାଏନାହିଁ । ଭାଇ ଭଉଣୀ ତିନୋଟି ଅଧିକାଂଶ ସମୟ ଘରେ ବସି ନାନାରକମ ବହିପଢ଼ା ଓ ଆଲୋଚନା କରି ସମୟ କଟେଇଦିଅନ୍ତି ।

 

ଗୋରାର ମାସକ ଛୁଟି ସରିବାକୁ ଆଉ ତିନି ଚାରିଦିନ ଥାଏ । ସେତେବେଳକୁ ରଜ ସରିଲାଣି; ବର୍ଷା ଆରମ୍ଭ ହୋଇଗଲାଣି । ଗାଁ ଆଉ ଭଲ ଲାଗୁ ନଥାଏ । ଦୁଇ ଭାଇ କଟକ ଆସିଲେ । କଟକରେ ଯେଉଁ ତିନିଦିନ ଗୋରା ରହିଲା, ସେ ସମୟରେ ତାରାକୁ ଖୁବ୍ ବୁଝେଇଲା । ନିଜେ ମଧ୍ୟ ଯାଇ ସ୍ୱରାଜ୍ୟାଶ୍ରମରେ ସମସ୍ତଙ୍କୁ ତାଙ୍କ ଅବସ୍ଥା ବିଷୟ କହି ତାରାକୁ ବିଶେଷ ପ୍ରଶ୍ରୟ ନଦେବାପାଇଁ ଅନୁରୋଧ କଲା । ସେ କହିଆସିଲା, ତାରା ଭିତରେ ଭିତରେ ଆନ୍ଦୋଳନ ପାଇଁ ସବୁ କାମ କରିବ, କିନ୍ତୁ ପ୍ରକାଶ୍ୟରେ ତାକୁ ଯେପରି କୌଣସି କାମ କରିବାକୁ ଦିଆ ନଯାଏଁ । ସେପରି ହେଲେ ମାଟ୍ରିକର ଶେଷ ବର୍ଷରେ ସେ ପଢ଼ା ଛାଡ଼ିବାକୁ ବାଧ୍ୟ ହେବ । ଗୋରା କଥାରେ ଆଶ୍ରମର ଲୋକେ ସେପରି ଉତ୍ସାହ ଦେଖେଇଲେ ନାହିଁ । ତଥାପି ଗୋରା ସେମାନଙ୍କୁ ଅନୁରୋଧ କରି ଆସିଲା; ଆଉ ମଧ୍ୟ ଆଶା ଦେଇ ଆସିଲା ଟାଟାନଗର ଖଡ଼ଗପୁର ଆଡ଼ୁ ଉତ୍କଳ କଂଗ୍ରେସପାଇଁ ଚାନ୍ଦା ସଂଗ୍ରହ କରି ସେ ପଠାଇବ । ଖାଲି କେହି ଜଣେ କଂଗ୍ରେସ ତରଫରୁ ତା’ ପାଖରେ ପହଞ୍ଚିଲେ ହେଲା । ତେଣିକି ଆଉ ସବୁ ଦାୟିତ୍ୱ ତା’ର ।

 

ତାରାକୁ ସବୁ ବିଷୟ ବୁଝେଇ ଗୋରା ଟାଟାନଗର ଚାଲିଗଲା । ନାନୁବାବୁ କେତେକ ପରିମାଣରେ ଆଶ୍ୱସ୍ତ ହେଲେ । ତାରାର ସ୍କୁଲ୍‍ ଖୋଲି ନଥାଏ । ଦେଖାଯାଉ, ସ୍କୁଲ୍‍ ଖୋଲିଲେ ତାରା କ’ଣ କରୁଛି ।

 

ଆନ୍ଦୋଳନ ସେହିପରି ଚାଲିଥାଏ । ଖାଲି ବର୍ଷା ଯୋଗୁଁ ଲୁଣମରା ଆନ୍ଦୋଳନ ଟିକିଏ ଧିମେଇ ଯାଇଥାଏ; କିନ୍ତୁ ସ୍କୁଲ୍‍ କଲେଜ ଖୋଲିବା ସଙ୍ଗେ ସଙ୍ଗେ ସହର ଅଞ୍ଚଳମାନଙ୍କରେ ଆନ୍ଦୋଳନ ନିଶ୍ଚୟ ହେବ ବୋଲି ସରକାର ବରାବର ଆଶଙ୍କା କରୁଥାନ୍ତି ।

 

ସାତ

 

ସ୍କୁଲ୍‍ ଖୋଲିଲା । ଆନ୍ଦୋଳନ ଯୋଗୁଁ ସ୍କୁଲ୍‍ କଲେଜ ବନ୍ଦ କରିଦିଆଯାଇଥିଲା । ସ୍କୁଲ୍‍ ଖୋଲିବା ପରେ ପରୀକ୍ଷା ହେବାର କଥା । କିନ୍ତୁ ପରୀକ୍ଷା ହେବ କ’ଣ ? ସ୍କୁଲ୍‍ କଲେଜମାନଙ୍କରେ ହରତାଳ । ମଦ ଦୋକାନ, ଗଞ୍ଜେଇ ଅଫିମ ଦୋକାନ, ବିଲାତି ଲୁଗା ଦୋକାନମାନଙ୍କରେ ପିକେଟିଂ ଆରମ୍ଭ ହୋଇଗଲା । ଏପରିକି ସିନେମା, ଥିଏଟର, ଖେଳପଡ଼ିଆ ସବୁ ଜାଗାରେ ପିକେଟିଂ କରିବାର ସ୍ଥିର ହେଲା । ଖଜଣା ଟିକସ ମଧ୍ୟ ଆଦାୟ କରିବାକୁ ଦିଆଗଲାନାହିଁ । ମୋଟଉପରେ ସବୁ କ୍ଷେତ୍ରରେ ଅଚଳ ଅବସ୍ଥା ସୃଷ୍ଟି କରିବାର ବ୍ୟବସ୍ଥା କରାଗଲା । ଦେଶର ଭିନ୍ନ ଭିନ୍ନ ଅଂଶରେ କେଉଁଠି କ’ଣ ହେଉଛି, ସେ ଖବର ମିଳୁ ନଥାଏ । ସବୁ ଖବରକାଗଜକୁ ସରକାର ବନ୍ଦ କରିଦେଇଥାନ୍ତି । ଗୋଟାଏ ଗୋଟାଏ ସାମାନ୍ୟ ଲେଖାପାଇଁ ଅସମ୍ଭବ ପରିମାଣରେ ଅମାନତ କାଗଜମାନଙ୍କଠାରୁ ଦାବିକରିବା ଫଳରେ ସେ ସବୁ ଛାଏଁ ଛାଏଁ ବନ୍ଦ ହେଇଯାଇଥାଏ । କେବଳ କଲିକତାରୁ ଷ୍ଟେଟ୍‍ସମ୍ୟାନ୍ କାଗଜ ଖଣ୍ଡିକ ଯାହା ଆସେ । ସେ କାଗଜଟି ଇଂରେଜ ପରିଚାଳିତ; ତା’ ସତ୍ତ୍ୱେ ‘ସମ୍ବାଦ’ ସରକାରୀ ସ୍ତରରେ ଯାଞ୍ଚ କରାଯାଇ ସେଥିରେ ପ୍ରକାଶ ପାଉଥାଏ-। କଚେରି, ଅଫିସ୍ ବା ଅତ୍ୟନ୍ତ ଇଂରେଜମାନେ ଯାହା ତାକୁ କିଣୁଥାନ୍ତି; ଅନ୍ୟମାନେ କିଣନ୍ତି ନାହିଁ-। ସରକାରଙ୍କ ଭିତିରି ପ୍ରଚେଷ୍ଟାରେ କେତେଜଣ ବିଶିଷ୍ଟ ରାୟସାହେବ, ରାୟବାହାଦୁର ଖେତାବ୍‍ଧାରୀ ଲୋକ ‘ସତ୍ୟ ସମାଚାର’ ବୋଲି ଖଣ୍ଡେ ସାପ୍ତାହିକ କାଗଜ ବାହାର କରୁଥାନ୍ତି । ସେଥିରେ ସବୁ ଉଦ୍ଭଟ ଖବର ବାହାରେ । ଖବରକାଗଜ ବନ୍ଦ ହୋଇଯିବା ଫଳରେ ଦେଶରେ କେଉଁଠି କ’ଣ ହେଉଛି ତା’ର ବାସ୍ତବ ଚିତ୍ର ଦେଶବାସୀ ପାଇପାରୁ ନଥିବାରୁ ବେଳେବେଳେ ଗୁଜବସବୁ ମାରାତ୍ମକ ରୂପ ଧାରଣ କରୁଥାଏ । କେତେବେଳେ ଗୁଜବ ରଟିଯାଏ ଯେ କଲିକତାରେ ଶହ ଶହ ଲୋକଙ୍କୁ ଗୁଳିକରି ମାରିଦିଆଯାଇଛି ତ କେତେବେଳେ ପାଟଣାରେ ପୋଲିସ୍‍ ଘୋଡ଼ା ଛୁଟେଇ ସତ୍ୟାଗ୍ରହୀମାନଙ୍କୁ ନୃଶଂସ ଭାବରେ ଖୁବ୍ ଜଖମ କରିପକାଇଛି । ଏ ଗୁଜବ ଶୁଣି ଲୋକେ ଉତ୍‌କ୍ଷିପ୍ତ ହେବା ସଙ୍ଗେ ସଙ୍ଗେ ଅସହଯୋଗ ଆନ୍ଦୋଳନ ପ୍ରତି ସେମାନଙ୍କର ସମର୍ଥନ ଅଧିକ ହୋଇଯାଏ ।

 

କଚେରିରେ କାମଧନ୍ଦା ଏକପ୍ରକାର ବନ୍ଦ । ପଞ୍ଝା ପଞ୍ଝା କରି ସତ୍ୟାଗ୍ରହୀମାନଙ୍କୁ ଧରିଅଣାଯାଏ । ସେମାନଙ୍କର ବିଚାର ହୁଏ, ଜେଲଦଣ୍ଡ ହୁଏ । ଜେଲ ସବୁ କଏଦୀରେ ଭରିଯିବାରୁ କ୍ୟାମ୍ପ୍‍ଜେଲମାନ କରାଯାଇ ସେଠାରେ ବନ୍ଦୀମାନଙ୍କୁ ରଖିବାର ବ୍ୟବସ୍ଥା କରାଯାଇଥାଏ । କଟକ, ପୁରୀ ପ୍ରଭୃତି ଜେଲରେ ଜାଗା ଅଭାବାରୁ ମୁଖିଆ ବନ୍ଦୀମାନଙ୍କୁ ପାଟନା କ୍ୟାମ୍ପ୍‍ଜେଲକୁ ବଦଳିକରାଯାଏ । ସତ୍ୟାଗ୍ରହୀ କମ୍ ବୟସର ହୋଇଥିଲେ ବେଳେବେଳେ ତାଙ୍କୁ ଜେଲଦଣ୍ଡ ଦିଆନଯାଇ ବେତମାଡ଼ ଦେଇ ବିଦାୟ କରିଦିଆଯାଏ । କିନ୍ତୁ କ’ଣ ହେବ, ତା’ ପରଦିନ ସିଏ ପୁଣି ଅନ୍ୟ ଜାଗାରେ ସତ୍ୟାଗ୍ରହ କରେ ଓ ତାକୁ ପୁଣି ସେହି ହାକିମଙ୍କ ଆଗକୁ ବିଚାରପାଇଁ ଅଣାଯାଏ । ସେଦିନ ଜେଲଦଣ୍ଡ ଦିଆଯାଏ । ସପ୍ତାହେ ଦି’ସପ୍ତାହେ ବା ଅତି ବେଶି ହେଲେ ମାସେ ଜେଲଦଣ୍ଡ ଏ ସତ୍ୟାଗ୍ରହୀମାନଙ୍କୁ ଦିଆଯାଏ ।

 

ସ୍କୁଲ୍-କଲେଜର ପିଲାମାନେ ମୁଖ୍ୟ ସତ୍ୟାଗ୍ରହୀ ହୋଇଥାନ୍ତି । ସବୁଦିନେ ସକାଳୁ ସତ୍ୟାଗ୍ରହୀମାନେ ଆସି ସ୍ଵରାଜ୍ୟାଶ୍ରମରେ ପହଞ୍ଚନ୍ତି । ସେଠାରେ ସେମାନଙ୍କୁ ଭିନ୍ନ ଭିନ୍ନ ଜାଗାକୁ ପିକେଟିଂ କରିବାକୁ ପଠେଇଦିଆଯାଏ । ପ୍ରତି ସ୍କୁଲ୍‍ କଲେଜ ପାଖରେ ପିକେଟିଂ ହୁଏ । ଅଧିକାଂଶ ଛାତ୍ର ସ୍କୁଲ୍‍ କଲେଜ ଯାଉ ନଥିବାବେଳେ କେତେକ ସଚ୍ଚା ସରକାରୀ କର୍ମଚାରୀଙ୍କ ପିଲା, ବଡ଼ବଡ଼ କେତେଜଣ ବ୍ୟବସାୟୀ, ଓକିଲ, ମୁକ୍ତାରଙ୍କ ପିଲା ସ୍କୁଲ୍‍କୁ ଯାଉଥାନ୍ତି । ସେମାନେ ଯିବାକୁ ଇଚ୍ଛା ନକଲେ ମଧ୍ୟ ସେମାନଙ୍କର ନିମକସଚ୍ଚା ଅଭିଭାବକମାନେ ସେମାନଙ୍କୁ ଧରିନେଇ ସ୍କୁଲ୍‍ରେ ଛାଡ଼ିଦେଇଆସନ୍ତି । ସେମାନଙ୍କୁ ନ ଛାଡ଼ିବାପାଇଁ ସତ୍ୟାଗ୍ରହୀମାନେ ସ୍କୁଲ୍‍ କଲେଜ ଫାଟକ ସାମନାରେ ଲମ୍ବ ହୋଇ ଶୋଇପଡ଼ିଲେ ମଧ୍ୟ କେତେକ ଅଭିଭାବକ ସେମାନଙ୍କ ଉପରେ ଚଢ଼ି ଚାଲିଯାଆନ୍ତି । ଫଳରେ କିଛି ସମୟପାଇଁ ସେଠାରେ ଉତ୍ତେଜିତ ପରିସ୍ଥିତି ଦେଖାଯାଏ, ପୁଣି ପର ମୁହୂର୍ତ୍ତରେ ଶାନ୍ତି ବାତାବରଣ ସୃଷ୍ଟି ହୁଏ । ‘ଭାରତମାତା କୀ ଜୟ’, ‘ସ୍ଵାଧୀନ ଭାରତ କୀ ଜୟ’, ‘ମହାତ୍ମା ଗାନ୍ଧୀ କୀ ଜୟ’ ଧ୍ଵନିରେ ପୁଣି ସେ ଅଞ୍ଚଳ ନିନାଦିତ ହୁଏ । ସତ୍ୟାଗ୍ରହୀମାନଙ୍କୁ ଗିରଫ୍‍କରି ହଳହଳ କରି ବାନ୍ଧି କଚେରିକୁ ବିଚାରପାଇଁ ନିଆଯାଏ । ବିଚାରପରେ ପୁଣି ସେହିପରି ସେମାନଙ୍କୁ ଜେଲକୁ ନିଆଯାଏ । ବାଟରେ ଯିବାବେଳେ ସେମାନଙ୍କ ଧ୍ଵନି ଓ ଗୀତ ରାସ୍ତାର ଲୋକମାନଙ୍କୁ ଉଦ୍‌ବୁଦ୍ଧ କରେ । ତା’ ପରଦିନ ସେହି ଦେଖଣାହାରିଙ୍କ ମଧ୍ୟରୁ ମଧ୍ୟ କେତେଜଣ ଆସି ସତ୍ୟାଗ୍ରହୀ ତାଲିକାରେ ନାମ ଦିଅନ୍ତି ।

 

ଏହି ଗୋଳମାଳିଆ ପରିସ୍ଥିତିରେ ତାରା କଟକରେ ଥାଏ । ଗୋରା ତାକୁ ଖୁବ୍ ବୁଝେଇ କରି ଯାଇଥାଏ । କିନ୍ତୁ ହେଲେ କ’ଣ ହେବ; ସ୍କୁଲ୍‍କୁ ତ ଯିବା ସମ୍ଭବ ନୁହେଁ । ଯେ କେଇ ଜଣଙ୍କୁ ଠେଲାପେଲା ଜୋର୍ ଜବରଦସ୍ତି କରି ସେମାନଙ୍କ ଅଭିଭାବକମାନେ ଛାଡ଼ିଦେଇ ଆସୁଛନ୍ତି, ସେମାନେ ବା ପଢ଼ୁଛନ୍ତି କ’ଣ ? କ୍ଲାସ୍‍ ଗୋଟିକରେ ତିନି-ଚାରି ଜଣ ପିଲା । ସେଥିରେ ମାଷ୍ଟରଙ୍କର ପଢ଼େଇବାକୁ ମନ ଲାଗିବ କିପରି ? ତାରା ଥୟ ହୋଇ ଘରେ ବସିବାର ପିଲା ନୁହେଁ । ସେ ମଝିରେ ମଝିରେ ଆଶ୍ରମକୁ ଯାଏଁ । ଦିନେ ତାକୁ କୁହାଗଲା କିଲାପଡ଼ିଆରେ ହେଉଥିବା ଫୁଟବଲର କପ୍ ମ୍ୟାଚ୍‌ରେ ଯାଇ ପିକେଟିଂ କରିବାକୁ । ଯେକୌଣସିମତେ ସେଦିନର ଖେଳ ବନ୍ଦ କରିବାକୁ ହେବ । ତାରା ଖେଳପଡ଼ିଆରେ ପିକେଟିଂ କରିପାରିବ ନାହିଁ ବୋଲି ଯେତେ କହିଲେବି କେହି ଶୁଣିଲେ ନାହିଁ । ଅଗତ୍ୟା ଆଉ ପାଞ୍ଚ ଜଣଙ୍କ ସାଙ୍ଗରେ ସେଦିନ ତାକୁ ଖେଳପଡ଼ିଆରେ ପିକେଟିଂ କରିବାକୁ ପଡ଼ିଲା । ମ୍ୟାଚ୍ ଦେଖିବାକୁ ଚାରିଆଡ଼େ ଲୋକେ ଜମା ହୋଇଛନ୍ତି । ଖେଳ ଆରମ୍ଭ ହେବା ଉପରେ । ରେଫରି ହୁଇସିଲ୍‍ ମାରି ପଡ଼ିଆ ଭିତରକୁ ପଶିଆସିଲାବେଳକୁ ଗୋଟାଏ ପାଖରୁ ଛଅଜଣ ସତ୍ୟାଗ୍ରହୀ ‘ବନ୍ଦେ ମାତରଂ’, ‘ମହାତ୍ମା ଗାନ୍ଧି କୀ ଜୟ’ କହି ପଡ଼ିଆ ଭିତରକୁ ପଶିଆସିଲେ । ସମସ୍ତଙ୍କ ମୁଣ୍ଡରେ ଗାନ୍ଧିଟୋପି । ଆଗ ଜଣକ ହାତରେ ଜାତୀୟପତାକା । ତାରା ମଝିରେ ଥାଏ । ଆଗରେ ଯାଉଥିବା ସର୍ଦାର ଭିନ୍ନ ଭିନ୍ନ ସତ୍ୟାଗ୍ରହୀଙ୍କୁ ଭିନ୍ନ ଭିନ୍ନ ଜାଗାରେ ଠିଆକରେଇ ଆସୁଥାନ୍ତି । ତାରାକୁ କୁହାଗଲା ବଲ୍ ଯେଉଁଠି ସେଣ୍ଟର ହେବ, ସେହି ଜାଗାରେ ଶୋଇପଡ଼ି ସତ୍ୟାଗ୍ରହ କରିବାକୁ । ଦୁଇ ପାଖର ଖେଳାଳି ପଡ଼ିଆ ଭିତରକୁ ପଶିଆସିଲେଣି । ସେମାନେ ତାରାକୁ ପଡ଼ିଆ ଭିତରେ ସେ ଅବସ୍ଥାରେ ଦେଖି କହିଲେ, “ଆବେ ତୁ କେବେଠୁଁ ସତ୍ୟାଗ୍ରହୀ ହେଲୁବେ, ଉଠ୍, ମାର ଗୋଟାଏ ଶଟ୍ ।” ଏତିକିରେ ତାରାର ମନ କ’ଣ ହୋଇଗଲାଣି, ଉଠିକରି ଗୋଟାଏ ଶଟ୍ ମାରିଦେବ କି ? ଏତିକିବେଳେ ଚାରିଆଡ଼ୁ ଗୋଟାଏ ଗୋଳ ଉଠିଲା । ଦେଖଣାହାରିଙ୍କ ଭିତରୁ କେତେକ କହିଲେ ଖେଳ ଚାଲିବ; କେତେକ କହିଲେ ଖେଳ ବନ୍ଦ ହେବ । ଏହି ଦ୍ୱନ୍ଦ୍ୱ ଭିତରେ କେତେ ଲୋକ ପଡ଼ିଆ ଭିତରକୁ ଚାଲିଆସିଲେ । ଶୋଇଥିବା ସତ୍ୟାଗ୍ରହୀମାନଙ୍କୁ କେତେକ କହିଲେ ଉଠିଯିବାକୁ । ଏଇଥିରୁ ଦେଖଣାହାରିଙ୍କ ଭିତରେ ରୀତିମତ ଧସ୍ତାଧସ୍ତି ଲାଗିଗଲା । ଏମିତି ହଉ ହଉ ଖୁବ୍ ଜୋର୍ ବର୍ଷା ଆରମ୍ଭ ହୋଇଗଲା । ଖେଳାଳି, ଦେଖଣାହାରି ବର୍ଷାଯୋଗୁଁ ପଡ଼ିଆ ଛାଡ଼ିଲେ । ଗୋଳମାଳ ଓ ବର୍ଷାଯୋଗୁଁ ରେଫରି ସେଦିନର ଖେଳ ବନ୍ଦ କରିଦେଲେ ।

 

ସତ୍ୟାଗ୍ରହୀମାନେ ଓଦା ଜୁଡ଼ୁବୁଡ଼ୁ ହୋଇ ପତାକା ଧରି ଆଶ୍ରମକୁ ଫେରିଲେ । ତାରା ସାଙ୍ଗରେ ତା’ର କେତେକ ଖେଳାଳି ସାଙ୍ଗ ଯାଉଥାନ୍ତି । ସେମାନେ ତାରା ସାଙ୍ଗେ ଲଗେଇଥାନ୍ତି, ‘ତୁ ପଢ଼ା ଛାଡ଼ ପଛେ ଖେଳ ଛାଡ଼ ନାହିଁ ।’ ତାରା କିଛି କହୁ ନଥାଏ । ରାସ୍ତାରୁ କିଏ କୁଆଡ଼େ ବାଟଭାଙ୍ଗି ଗଲେ । ଶେଷରେ ସେମାନେ ଆସି ଆଶ୍ରମରେ ପହଞ୍ଚିଲେ । ଆଶ୍ରମରେ ପହଞ୍ଚି ତାରା ପରିଷ୍କାର ମନାକରିଦେଇ କହିଲା, “ମୋତେ ଆଉ ଯେଉଁଠିକି ସତ୍ୟାଗ୍ରହ କରିବାକୁ ପଠେଇବେ ପଛେ ମ୍ୟାଚ୍ ଜାଗାକୁ ପଠେଇବ ନାହିଁ ।” ଏ କଥା ଶୁଣି ସେଠାରେ ଥିବା ମଙ୍ଗରାଜବାବୁ କହିଲେ, “ଆରେ ରାମ ରାମ, ଏଇଟାକୁ କିଏ ପଠେଇଥିଲା ଖେଳପଡ଼ିଆକୁ ପିକେଟିଂ କରିବାପାଇଁ ? ଭାଗ୍ୟ ଭଲ, ସେ କିପରି ନିଜେ ଉଠିପଡ଼ି ବଲ୍‌ରେ କିକ୍‌ଟାଏ ମାରିନାହିଁ ।” ସମସ୍ତେ ହସିଲେ । ତାରାକୁ ସେହି ଦିନଠାରୁ ଭୁଲରେ ମଧ୍ୟ କେହି ଫୁଟବଲ ମ୍ୟାଚ୍‌ରେ ପିକେଟିଂ କରିବା କଥା କହିନାହିଁ ।

 

ଗୋରା ଏତେ ବୁଝେଇ ସୁଝେଇ କହିଗଲାପରେ ମଧ୍ୟ ତାରା ବିଭିନ୍ନ ସ୍ଥାନରେ ପିକେଟିଂ କରି ପାଞ୍ଚଦିନ ସାତଦିନ କରି ଦୁଇଥର ଜେଲ ଭୋଗି ଆସିଲାଣି । ବାପା ଏଥିରେ ରୀତିମତ ବ୍ୟଥିତ ହୋଇ ଗୋରାପାଖକୁ ଚିଠି ଦେଉଛନ୍ତି । ତାରାକୁ ମାଡ଼, ଗାଳି ବା ବାଧା ଦେବାକୁ ସେ ସାହସ କରୁନାହାନ୍ତି । ବୁଲିଚାଲି ଯାହା ଘରକୁ ଆସୁଛି, ପୁଣି ସେତକ ଯଦି ବନ୍ଦ କରିଦିଏ ! ଦାଦାଙ୍କ ଚିଠି ପାଇ ଗୋରା ଚାରିଦିନ ଛୁଟି ନେଇ ବାହାରିଆସିଲା କଟକ । ଦିନ ଗୋଟାକରେ ଷ୍ଟେସନ୍‍ରେ ଓହ୍ଲାଇ କଲେଜଛକ ବାଟଦେଇ ଗୋଟାଏ ଘୋଡ଼ାଗାଡ଼ିରେ ବସାକୁ ଆସୁଥିଲା । ଦେଖିଲା, କଲେଜ ଫାଟକ ପାଖରେ ବହୁ ଲୋକ ଘେରି ଛିଡ଼ା ହୋଇଛନ୍ତି । କ’ଣ ଗୋଟାଏ ହେଉଛି ବୋଲି ଗୋରା ଗାଡ଼ିକୁ ଅଟକେଇ ଓହ୍ଲେଇ ଫାଟକ ଆଡ଼କୁ ଗଲା । ସେଠାରେ ଯାଇ ଦେଖେ ତ ପାଞ୍ଚ ସାତଜଣ ସତ୍ୟାଗ୍ରହୀ ଫାଟକର ଏମୁଣ୍ଡୁ ସେମୁଣ୍ଡୁ ଶୋଇ ଯାଇଛନ୍ତି ରାସ୍ତା ଉପରେ । ଭିତରକୁ ଯିବାକୁ ରାସ୍ତା ନାହିଁ । ଯିଏ ଯିବ ସେମାନଙ୍କୁ ନ ଡେଇଁ ଯାଇପାରିବନାହିଁ । ଗୋରା ଦେଖି ଆଶ୍ଚର୍ଯ୍ୟ ହେଲା ଯେ ସତ୍ୟାଗ୍ରହୀଙ୍କ ଭିତରେ ତା’ର ଗୁଣବନ୍ତ ଭାଇ ତାରାବି ଶୋଇଛି । ଅଜାଣତରେ ତା’ ପାଟିରୁ ବାହାରିପଡ଼ିଲା ‘ତାରା’ ବୋଲି । ତାରା କଲେଜଆଡ଼କୁ ଅନେଇ ଶୋଇଥିଲା । ଭାଇଙ୍କର ପାଟି ଆଉ ଡାକ ଶୁଣି ସେ ଓଲଟିପଡ଼ି ଚାହିଁଲା । ତାରା ଉଠିକରି ବସିଲା; କିନ୍ତୁ ସେଠୁ ଭାଇଙ୍କ ପାଖକୁ ଆସିଲାନାହିଁ । ସେଠାରେହିଁ ତାଙ୍କ ମୁହଁକୁ ଅନେଇ ବସିଲା । କଠୋର ଶୃଙ୍ଖଳିତ ଜୀବନ ସତ୍ୟାଗ୍ରହୀର । ଏତେ ଲୋକଙ୍କ ସାମନାରେ ସେ ଭାଇଙ୍କ ଡାକରେ ନିଜର ଦୁର୍ବଳତା ଦେଖାଇ କର୍ତ୍ତବ୍ୟରୁ ଚ୍ୟୁତ ହେବ କିପରି ? ଗୋରା ମଧ୍ୟ ଏତେ ଲୋକଙ୍କ ସାମନାରେ ତାରାକୁ ଉଠି ଆସିବାକୁ କହିବା ଠିକ୍ ହେବନାହିଁ ଭାବି ସେ ସ୍ଥାନ ତ୍ୟାଗକରି ଗାଡ଼ିରେ ବସାକୁ ଚାଲିଗଲା । ଦାଦା ଆଉ ମଦନ କଚେରି ଯାଇଥିଲେ । ବସାରେ କେବଳ ଜଗୁ । ତାରା କାହିଁ ବୋଲି ଜଗୁକୁ ପଚାରିବାରୁ ସେ ତାରାର ଗତିବିଧି ବିଷୟରେ ଗୋଟାଏ ଦୀର୍ଘ ବିବରଣୀ ଦେଲା । ଗୋରା ଖାଇସାରି ଶୋଇପଡ଼ିଲା; କାରଣ ସେ ରେଳରେ ଆସିଛି ରାତିଅନିଦ୍ରା ହୋଇ ।

ସେଦିନ ଦିନ ଦୁଇଟାବେଳକୁ କଲେଜ ଫାଟକ ପାଖରୁ ସତ୍ୟାଗ୍ରହ ବନ୍ଦ ହୋଇଗଲା । ପିଲାମାନେ ସବୁ ଫାଟକ ପାଖରୁ ଫେରିଆସିଲେ । ଯିଏ ଡେଇଁକରି ଯାଇଥିଲେ, ସେମାନେ ଯେତେବେଳେ ଫେରନ୍ତୁ ପଛକେ, କଲେଜ ଭିତରକୁ ଆଉ ଛାତ୍ର ନ ପଶିବାରୁ ସତ୍ୟାଗ୍ରହ ଆପେଆପେ ବନ୍ଦ କରିଦିଆଗଲା । ସେଦିନ ପୁଲିସ୍ ମଧ୍ୟ କାହାରିକୁ ଗିରଫ୍‍ କଲେନାହିଁ । ପ୍ରତି ସ୍କୁଲ୍‍, କଚେରି, ଲୁଗା ଦୋକାନ, ଅବକାରୀ ଦୋକାନ ଏତେଆଡ଼େ ଏକାବେଳକେ ସତ୍ୟାଗ୍ରହ ହେଲେ ପୋଲିସ୍‍ କେତେଆଡ଼େ ସମ୍ଭାଳିବ ? ପୋଲିସ୍‍ଙ୍କର ସଂଖ୍ୟା ସେତେବେଳେ କମ୍ ଥାଏ । ସେମାନଙ୍କର ପୁଣି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରିବାକୁ କୌଣସି ଯାନବାହନର ବ୍ୟବସ୍ଥା ନଥାଏ । ତେଣୁ ସତ୍ୟାଗ୍ରହ ହେବାର ଖବର ପାଇ ସେଠାକୁ ଯାଇ ଦେଖିଲାବେଳକୁ ସତ୍ୟାଗ୍ରହ ଶେଷ ହୋଇଯାଇଥାଏ । ହୁଏତ ସତ୍ୟାଗ୍ରହୀମାନେ ସେ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନରେ ଯାଇଁ ସତ୍ୟାଗ୍ରହ ଆରମ୍ଭ କରିଦିଅନ୍ତି । ପରଦିନ କେତେବେଳେ କେଉଁଠି ସତ୍ୟାଗ୍ରହ ହେବ ସେ ଖବର ଆଶ୍ରମରେ ଅତି ଗୋପନୀୟ ଭାବରେ ରଖାଯାଇଥାଏ । ତେଣୁ ପୋଲିସ୍‍କୁ ସତ୍ୟାଗ୍ରହ ସ୍ଥାନ ଓ ସମୟ ଜାଣିବା କଷ୍ଟକର ହେଉଥାଏ । ଫୋନ୍‌ର ପ୍ରଚଳନ ମଧ୍ୟ ସେତେ ନଥାଏ । ଥାନାରେବି ଫୋନ୍ ନଥାଏ । ଫୋନ୍ ଥିଲେବି କିଏ ତାଙ୍କୁ ଜଣୋଉଛି ? ଏଥିପାଇଁ ଅନେକ ସମୟରେ ସତ୍ୟାଗ୍ରହୀମାନେ ସତ୍ୟାଗ୍ରହ କରି ନିଶ୍ଚିନ୍ତରେ ସନ୍ଧ୍ୟାବେଳକୁ ଆଶ୍ରମକୁ ଚାଲିଆସନ୍ତି । ଆଜି ସେହିପରି କଲେଜ ସାମନା ସତ୍ୟାଗ୍ରହ ଅତିଶୀଘ୍ର ଶେଷ ହୋଇଗଲା । ତାରା ଆଉ ଆଶ୍ରମକୁ ନଯାଇ ସିଧା ବସାକୁ ଆସିଲା ।

ଗୋରା ସେତେବେଳକୁ ଉଠିକରି ବସିଛି । ଦାଦା କଚେରିରୁ ଆସି ନଥାନ୍ତି । ତାରା ଆସି ଭାଇଙ୍କ ପାଖରେ ବସିଲା । ଗୋରା ତାରାକୁ ଅନେକ ବୁଝେଇଲା । ସେ କହିଲା, ‘ଆମ ଅବସ୍ଥା କଥା ତୁ ଟିକିଏ ଭାବ । ବାପା ଥିଲେ, ଆମେ କେତେ ଆଡ଼ାରେ ଥିଲେ । ସେ ଥିଲେ ମୁଁ କ’ଣ ଆଜି ପଢ଼ା ଛାଡ଼ି ଟାଟାନଗରକୁ ଲୁହା ପିଟିବାକୁ ଯାଇଥାନ୍ତି ? ବାପାଙ୍କ ଅମଳରୁ ଆମର କେତେ କରଜ ରହିଯାଇଛି । ଦାଦା ଏକୁଟିଆ ଲୋକ । କୁଆଡ଼ୁ କ’ଣ କରିବେ ? ତୋତେ ପଢ଼େଇ, ଗାଁ ଖରଚ ଚଳେଇ ସେ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ମୁଁ ତୋତେ କହୁନାହିଁ, ଯାଇଁ ଗୋଟାଏ ଚାକିରି କରି ପଇସା କମା ବୋଲି । ତୋର ଏ ବର୍ଷ ମାଟ୍ରିକ୍ ଶେଷ ବର୍ଷ । ଏହି ଚାରିପାଞ୍ଚଟା ମାସ ଟିକିଏ ଆଖି ବୁଜି ବସିଗଲେ ତୁ ନିଶ୍ଚେ ମାଟ୍ରିକ୍ ଖଣ୍ଡିକ ପାସ୍ କରିଯିବୁ । ସେତେବେଳକୁ ମୋର ଟ୍ରେନିଙ୍ଗ୍ ସରିଗଲେ ମୁଁ ମଧ୍ୟ ମାସକୁ ଦୁଇଶହ ଅଢ଼େଇଶହ ଟଙ୍କା ପାଇବି । ତେଣିକି ତୋର କଲେଜରେ ପାଠପଢ଼ିବାକୁ ଠିକ୍ ହୋଇଯିବ । ତୋର ଖୁସି, ସେତେବେଳେ ତୁ କଲେଜରେ ପଢ଼ିବା ସଙ୍ଗେ ସଙ୍ଗେ ରାଜନୀତି କଲେ ମଧ୍ୟ ମୋର କିଛି କହିବାର ନଥିବ । ପାଠ ଯେ କେବଳ ଚାକିରିପାଇଁ ଦରକାର ମୁଁ ସେ କଥା କହୁନାହିଁ । ଦେଶ ସେବା କରିବାକୁ ହେଲେ ପାଠ ମଧ୍ୟ ଦରକାର । ବରଂ ବେଶି ଦରକାର । ତୁ ତ ଦେଖୁଛୁ ଗାନ୍ଧି, ମୋତିଲାଲ, ଚିତ୍ତରଞ୍ଜନ ଦାସ ପ୍ରଭୃତି ଯେଉଁମାନେ ଏ ଆନ୍ଦୋଳନର ନେତା, ସେମାନେ ସମସ୍ତେ ବିଦ୍ୱାନ । ସେମାନେ ଦେଶ ବିଦେଶର ସ୍ଵାଧୀନତା ଆନ୍ଦୋଳନର ଇତିହାସ ପଢ଼ି ସେମାନଙ୍କର ଆନ୍ଦୋଳନର ଭୁଲ୍‌ଭ୍ରାନ୍ତିକୁ ପରୀକ୍ଷାକରି ଆମ ଦେଶର ଆନ୍ଦୋଳନକୁ ଚାଳନା କରୁଛନ୍ତି । ହୁଏତ ତୁ କହିପାରୁ ଆନ୍ଦୋଳନଟା ଖୁବ୍ ଜୋରରେ ଲାଗିଥିବାବେଳେ ବ୍ୟକ୍ତିଗତ ସୁବିଧା ଅସୁବିଧା କଥା ଭାବି ଏହିପରି ଜଣେ ଜଣେ ଆନ୍ଦୋଳନରୁ ଓହରି ଯାଆନ୍ତି । ତେବେ ଏ ଆନ୍ଦୋଳନ ଚଳିବ କିପରି, ତାକୁ ଚଳେଇବ କିଏ ? ଏହା ଖୁବ୍ ସତକଥା; କିନ୍ତୁ ମୋର କେବଳ ଏତିକି କହିବା କଥା ଯେ ତୁ ଆନ୍ଦୋଳନ ପ୍ରତି ଯଥେଷ୍ଟ ସହାନୁଭୂତି ରଖି କେବଳ ଏଇ କେଇଟା ମାସ ସେଥିରୁ ନିବୃତ୍ତ ରହ । ଏ କେଇ ମାସର ଆନ୍ଦୋଳନରେ ତ ଆଉ ସ୍ଵାଧୀନତା ମିଳିଯାଉନାହିଁ । ଏମିତି ଅନେକକଥା ବୁଝେଇଲେ । ତାରା ଚୁପ୍ ହୋଇ ବସିଥାଏ । ଉଁ କି ଚୁଁ କିଛି କହୁ ନଥାଏ । ଏତିକିବେଳେ ଦାଦା ଆସି କଚେରିରୁ ପହଞ୍ଚିଲେ । ଗୋରା ଆସି ପହଞ୍ଚିଯିବ ବୋଲି ବରାବର ଭାବୁଥିଲେ ।

ରାତିରେ ତାରା, ଗୋରା, ନାନୁବାବୁ ଅନେକ ବେଳଯାଏଁ ବସିଲେ । ଦାଦା ଓ ଗୋରା ତାରାକୁ ସବୁକଥା ବୁଝେଇଲେ । କଥା ହେଲା, ବର୍ତ୍ତମାନ ତ ସ୍କୁଲ୍‍ ଛୁଟି । କାଲି ସକାଳୁ ଯାଇଁ ଗୋରା ଓ ତାରା ଗାଁରୁ ବୁଲି ଆସିବେ । ଦିନୁଟାଏ ଗାଁରେ ରହି ବୋଉ, ଖୁଡ଼ୀଙ୍କୁ ଦେଖି ଆସିବାକୁ ଗୋରା କହିଲା । ତାରା ସବୁଥିରେ ଚୁପ୍ ।

ସକାଳୁ ଦୁଇଭାଇ ଗାଁକୁ ଗଲେ । ବାପା ମଲାଦିନୁ ବୋଉର ସ୍ଵାସ୍ଥ୍ୟ ଖୁବ୍ କ୍ଷୀଣ ହୋଇଯାଇଛି । ତଥାପି ପିଲାଦୁହିଁଙ୍କ ମୁହଁକୁ ଅନେଇ ସେ ଏଣିକି ଏଣିକି ଟିକିଏ ଦମ୍ଭ ଧରିଲେଣି । ତାରାର ପଢ଼ା, ସତ୍ୟାଗ୍ରହ, ଜେଲ୍ ଯିବାକଥା ସେ ଗାଁଲୋକଙ୍କଠାରୁ ମଝିରେ ମଝିରେ ଶୁଣେ; କିନ୍ତୁ ସେ ସବୁଥିରେ ନିର୍ଲିପ୍ତ ଥିଲା ପରି ମନେହୁଏ । ଲୋକେ କହିଲେ ସେ କହନ୍ତି, ‘ସେ ନାନୁ ଜାଣନ୍ତି, ସିଏ ଜାଣେ, ମୋର ସେଥିରେ କ’ଣ ଅଛି ?’ ଗୋରା ମଧ୍ୟ ବୋଉକୁ ତାରା ସମ୍ବନ୍ଧରେ କିଛି କହିଲାନାହିଁ । ଅକାରଣ ତା’ କଥା କହି ବୋଉ ମନରେ କଷ୍ଟଦେବ କାହିଁକି ?

ଗୋରା ତା’ ପରଦିନ ଗାଁରୁ ଫେରି ସେହିଦିନ ରାତିଗାଡ଼ିରେ ଟାଟାନଗର ଚାଲିଗଲା ।

 

ଆଠ

 

ଆନ୍ଦୋଳନଟା ଟିକିଏ ଧିମେଇ ଯାଇଥାଏ । ମିଳାମିଶା ସକାଶେ କଥାବାର୍ତ୍ତା ଚାଲିଥାଏ-। ବିଲାତରେ ଗୋଲଟେବୁଲ ବୈଠକ ହୋଇ ଗୋଟାଏ ସମାଧାନ କରିବାପାଇଁ ଗାନ୍ଧିଜୀଙ୍କୁ ଓ ଅନ୍ୟାନ୍ୟ କେତେକ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଡକାଗଲା । କଂଗ୍ରେସର ପ୍ରତିନିଧି ହିସାବରେ କେହି ଯୋଗଦେବାକୁ ରାଜି ହେଲେନାହିଁ । ଯେଉଁ ସତ୍ୟାଗ୍ରହୀମାନେ ବେଶି ଦିନ ଜେଲଦଣ୍ଡ ପାଇଥିଲେ, ସେମାନେ ଜେଲରେ ଥା’ନ୍ତି । ଅଳ୍ପ ଦିନ ଦଣ୍ଡପାଇଥିବା ସତ୍ୟାଗ୍ରହୀମାନେ ଖଲାସ ହେଲାପରେ ସେମାନଙ୍କୁ ନିର୍ଦ୍ଦେଶ ଦେବାକୁ ବଡ଼ବଡ଼ିଆ କେହି ରହିଲେନାହିଁ । ସମସ୍ତେ ଧରାହୋଇ ବେଶି ଦିନ ଜେଲ୍ ଭୋଗିଲେ । ଏଥିପାଇଁ ଆନ୍ଦୋଳନ ଧିମେଇଗଲା । କଲେଜ ସ୍କୁଲ୍‍ ପୁଣି ଖୋଲିଲା-। ଯେଉଁମାନେ ଧରାହୋଇ ବେଶି ଦିନ ଦଣ୍ଡ ପାଇଥିଲେ ସେମାନେ ଆଉ କଲେଜ ସ୍କୁଲ୍‍କୁ ଫେରିଲେନାହିଁ । ଯେଉଁମାନେ ଅଳ୍ପ ଦିନ ଜେଲ ଭୋଗିଲା ପରେ ଖଲାସ ହେଲେ, ସେମାନେ ସେମାନଙ୍କର ଅଭିଭାବକମାନଙ୍କର ଠେଲାରେ ହେଉ ବା ନିଜ ଇଚ୍ଛାରେ ହେଉ ଯେତେବେଳେ ସ୍କୁଲ୍‍ କଲେଜକୁ ଆସିଲେ ନାଁ ଲେଖେଇବା ପାଇଁ ସେମାନଙ୍କୁ ଆଉ ପଢ଼ିବାକୁ ଦିଆଗଲାନାହିଁ-। କୁହାଗଲା, ସେମାନଙ୍କର ପିଲା ଆଉ ସତ୍ୟାଗ୍ରହରେ ଯୋଗ ଦେବେନାହିଁ ବୋଲି ଅଭିଭାବକମାନେ ମୁଚାଲିକା ଲେଖିଦେଲେ ଯାଇଁ ସେମାନଙ୍କୁ ପଢ଼ିବାକୁ ଦିଆଯିବ । ଅଧିକାଂଶ ଅଭିଭାବକ ମୁଚାଲିକା ଲେଖିଦେଇ ପିଲାଙ୍କୁ ସ୍କୁଲ୍‍ କଲେଜରେ ଭର୍ତ୍ତି କରାଇଲେ ।

 

ତାରାର ବାପା ନାନୁବାବୁ ପ୍ରଥମେ ପ୍ରଥମେ ମୁଚାଲିକା ଲେଖିଦେବେନାହିଁ ବୋଲି କିଛିଦିନ ଅଟକିଗଲେ, ପରେ ରାଧାନାଥବାବୁ ଓ ଅନ୍ୟ ଶୁଭେଚ୍ଛୁ ବନ୍ଧୁମାନଙ୍କ କଥାରେ ମୁଚାଲିକା ଲେଖିଦେଇ ତାରାକୁ ସ୍କୁଲ୍‍ରେ ଭର୍ତ୍ତିକଲେ । ସ୍କୁଲ୍‍ରେ ଆଉ ତିନିମାସ ପଢ଼ିବା କଥା । ତା’ପରେ ଟେଷ୍ଟ ପରୀକ୍ଷା । ଟେଷ୍ଟ ପରେ ସ୍କୁଲ୍‍ ସଙ୍ଗେ ଆଉ ସମ୍ପର୍କ ରହିବନାହିଁ । ତେଣିକି ଘରେ ରହି ପଢ଼ି ପରୀକ୍ଷାଦେବା କଥା । ତାରାକୁ ନୂଆକରି ପୁଣି ନାଁ ଲେଖେଇବାକୁ ପଡ଼ିଲା । ଯାହାହେଉ, ତାରା ବଛାବଛି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ଫିସ୍ ଦେଇ ଘରେ ବସି ମାଟ୍ରିକ୍ ପରୀକ୍ଷା ସକାଶେ ପ୍ରସ୍ତୁତ ହେବାକୁ ଲାଗିଲା ଓ ଦୁଇ ମାସ ପରେ ଭଲରେ ଭଲରେ ପରୀକ୍ଷାଟା ଦେଇ ପକାଇଲା । ନାନୁବାବୁ ନିଃଶ୍ୱାସ ମାରିଲେ ।

 

ୟା ମଧ୍ୟରେ ଗାନ୍ଧିଜୀଙ୍କ ସହିତ ସେତେବେଳର ବଡ଼ଲାଟ ଇରଉନ୍‌ଙ୍କର ବହୁତ କଥାବାର୍ତ୍ତା ଆଲୋଚନା ପରେ କଂଗ୍ରେସ ତରଫରୁ ଗାନ୍ଧିଜୀ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗଦେବାକୁ ରାଜିହେଲେ । ଏଥିପାଇଁ ଗୋଟିଏ ଚୁକ୍ତି ହେଲା । ସବୁ ସତ୍ୟାଗ୍ରହୀ ବନ୍ଧୁମାନଙ୍କୁ ମୁକ୍ତ କରିଦିଆଗଲା । ଗାନ୍ଧିଜୀ ଗୋଲଟେବୁଲ ବୈଠକରେ ଯୋଗ ଦେବାକୁ ବିଲାତ ଗଲେ । ଇଂରେଜ ସରକାର ଭାରତୀୟମାନଙ୍କୁ ଭାଗ ଭାଗ କରିବା ଉଦ୍ଦେଶ୍ୟରେ ମୁସଲମାନ ଓ ଅସ୍ପୃଶ୍ୟମାନଙ୍କ ପାଇଁ ପୃଥକ୍ ସୁବିଧା ଦେବାପାଇଁ ସର୍ତ୍ତ ବାଢ଼ିଲେ । ଗାନ୍ଧିଜୀ ଏ ସର୍ତ୍ତରେ ରାଜି ନ ହୋଇ ଫେରିଲେ । ମୁସଲମାନମାନଙ୍କ ପାଇଁ ପୃଥକ୍ ନିର୍ବାଚନ ମଣ୍ଡଳୀ କରିବାର ଫଳତଃ ଦେଶ ପାଇ ସାରିଲାଣି । ପୁଣି ହିନ୍ଦୁଙ୍କ ଭିତରେ ଅସ୍ପୃଶ୍ୟ ବୋଲି ଆହୁରି ଗୋଟାଏ ଫାଙ୍କ ପୂରେଇବାକୁ ଗାନ୍ଧିଜୀ ରାଜିହେଲେନାହିଁ । ରିକ୍ତହସ୍ତରେ ଭାରତକୁ ଫେରିଲେ । ସର୍ତ୍ତ ଅନୁସାରେ ସେତେବେଳକୁ ଆନ୍ଦୋଳନ ପ୍ରତ୍ୟାହାର କରିନିଆଯାଇଛି । ଜେଲରୁ ସମସ୍ତେ ମୁକୁଳି ଆସିଛନ୍ତି । ପୁଣି ଥରେ ଆନ୍ଦୋଳନ ଆରମ୍ଭକରି ତାକୁ ପୁଣି ସେହି ସ୍ତରକୁ ଆଣିବା ସହଜ କଥା ନୁହେଁ । ଗାନ୍ଧିଜୀ ଓ ନେତାମାନେ ହତାଶ ହୋଇପଡ଼ିଲେ ।

 

ଅସୀମ ଉତ୍ସାହ ସହକାରେ ଯେଉଁ ବାଳକ ଓ ଯୁବକମାନେ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ, ସେମାନେ ଜେଲରୁ ଆସି ନା ଘରର ନା ଦେଶର କାହାରି ହେଲେନାହିଁ । ସେମାନଙ୍କୁ ସେତେବେଳେ ସମସ୍ତେ ବାନରସେନା ବୋଲି କହୁଥାନ୍ତି । ଗାଁକୁ ଫେରି ଅରଟରେ ସୂତାକାଟିବା ବା ଅସ୍ପୃଶ୍ୟତା ଦୂରକରିବା ପ୍ରଭୃତି ଯେଉଁ ଉଚ୍ଚ ଆଦର୍ଶର ନିର୍ଦ୍ଦେଶ କଂଗ୍ରେସ ତରଫରୁ ଦିଆଗଲା, ସେଥିରେ ପ୍ରୌଢ଼ମାନଙ୍କର ହୁଏତ ସାମାନ୍ୟ ପ୍ରତ୍ୟୟ ଆସିଲା; କିନ୍ତୁ ଯୁବକମାନେ ଏ ନିର୍ଦ୍ଦେଶରେ ଅତ୍ୟନ୍ତ କ୍ଷୁବ୍ଧ ହେଲେ । ତାରା ପରି ଅନେକେ ସ୍କୁଲ୍‍ କଲେଜରୁ ଫେରି ଆସିଲେ ସତ; କିନ୍ତୁ ମନରେ ସେମାନଙ୍କର ଗୋଟାଏ ଗ୍ଳାନି ରହିଗଲା । ‘ଯୁଦ୍ଧ ସରିନାହିଁ, ଅରି ମରିନାହିଁ’ କିନ୍ତୁ ସୈନିକଙ୍କୁ ପଛଘୁଞ୍ଚା ଦେବାର ନିର୍ଦ୍ଦେଶଟା ବଡ଼ ବାଧିଲା ।

 

ୟା’ ଭିତରେ ତାରାର ପରୀକ୍ଷାଫଳ ବାହାରିଯାଇଛି । ଯାହାହେଉ, ଏତେ ଗୋଳମାଳ ବାଧାବିଘ୍ନ ସତ୍ତ୍ଵେ ସେ ଦ୍ୱିତୀୟଶ୍ରେଣୀରେ ପାସ୍ କରିଯାଇଛି । ପାଟଣା ବିଶ୍ଵବିଦ୍ୟାଳୟ ଅଧୀନରେ ସେ ପରୀକ୍ଷା ଦେଇଥିଲା । ପାଟଣା ବିଶ୍ଵବିଦ୍ୟାଳୟରୁ ପ୍ରଥମଶ୍ରେଣୀ ପାଇବା ବଡ଼ କଷ୍ଟକର ଥାଏ । ତାରା ବର୍ଷଟାଯାକ ଯଦି ନିରବଚ୍ଛିନ୍ନ ଭାବରେ ପଢ଼ିଥାନ୍ତା, ତେବେ ସ୍ଵଚ୍ଛନ୍ଦରେ ସେ ପ୍ରଥମଶ୍ରେଣୀରେ ପାସ୍ କରିଥାନ୍ତା । ଏତେ ଗୋଳମାଳ ଭିତରେ ଯେ ସେ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିପାରିଛି, ଏହା ତା’ର କମ୍ ବାହାଦୁରି ନୁହେଁ । ଖରାଛୁଟିରେ ଗୋରା ଆସିଥାଏ । ନାନୁବାବୁ ଗୋରା ବସି ସ୍ଥିରକଲେ, ତାରାକୁ କଲେଜରେ ପଢ଼େଇବାକୁ । ନାନୁବାବୁଙ୍କର ଇଚ୍ଛା ଥିଲା ତାକୁ ଡାକ୍ତରୀ ପଢ଼େଇବାକୁ; କାରଣ ଡାକ୍ତରୀ ପିଲାଏ ଖୁବ୍ କମ୍ ସଂଖ୍ୟାରେ ଆନ୍ଦୋଳନ ଭିତରକୁ ଆସନ୍ତି; କିନ୍ତୁ ତାରା ରାଜି ନ ହେବାରୁ ତାକୁ ସେହି ରେଭେନ୍‌ସା କଲେଜରେ ଆଇ.ଏସ୍‌ସି. ପଢ଼େଇବାର ସ୍ଥିର କରାଗଲା ।

 

ଜୁଲାଇରେ କଲେଜ ଖୋଲିଲା । ଆଜିକାଲି ପରି କଲେଜରେ ନାଁ ଲେଖେଇବା ପାଇଁ ସେପରି ଭିଡ଼ ନଥାଏ । ସେତେବେଳେ ରେଭେନ୍‌ସା କଲେଜ ସାରା ଓଡ଼ିଶା ଭିତରେ ଗୋଟିଏ କଲେଜ । ପାଞ୍ଚଜିଲା ଛବିଶ ଗଡ଼ଜାତର ପିଲାଏ ସେହି ଗୋଟିଏ କଲେଜରେ ପଢ଼ିବେ । ବ୍ରହ୍ମପୁର ଓ ପାରଳାଖେମୁଣ୍ଡିରେ ଦୁଇଟି କଲେଜ ଥାଏ । ସେଥିରେ କେବଳ କଳାରେ ଆଇ.ଏ. ପର୍ଯ୍ୟନ୍ତ ଥାଏ । ଗଞ୍ଜାମଜିଲା ସେତେବେଳେକୁ ଓଡ଼ିଶାରେ ମିଶି ନଥାଏ । ତଥାପି ସେ ଜିଲାରୁ ବହୁତ ପିଲା ବି.ଏ. ଓ ବିଜ୍ଞାନ ପଢ଼ିବାପାଇଁ ରେଭେନ୍‌ସାକୁ ଆସୁଥିଲେ । ତେଣୁ ବିଜ୍ଞାନ ଶ୍ରେଣୀରେ ନାଁ ଲେଖେଇବାକୁ ସାମାନ୍ୟ କଟକଣା ଥାଏ । ଦ୍ୱିତୀୟଶ୍ରେଣୀରେ ମାଟ୍ରିକ ପାସ୍‌‌ ନକଲେ କାହାକୁ ବିଜ୍ଞାନ ଶ୍ରେଣୀରେ ଭର୍ତ୍ତିହେବାର ସୁଯୋଗ ମିଳୁ ନଥାଏ । ଯାହାହେଉ ତାରା ବିଜ୍ଞାନ ଶ୍ରେଣୀରେ ନାଁ ଲେଖେଇଲା ।

 

ସେ ବର୍ଷ ରେଭେନ୍‌ସା କଲେଜରେ ପ୍ରଥମବାର୍ଷିକ କଳା ଓ ବିଜ୍ଞାନ ଶ୍ରେଣୀରେ ନାଁ ଲେଖେଇବା ଛାତ୍ରମାନଙ୍କ ମଧ୍ୟରେ ଗୋଟାଏ ବିଶେଷତ୍ଵ ଥାଏ । ଯେଉଁମାନେ ଗତବର୍ଷ ପ୍ରଥମ ବାର୍ଷିକ ଶ୍ରେଣୀରେ ପଢ଼ୁଥିଲେ, ସେମାନଙ୍କ ମଧ୍ୟରୁ କେତେକ ଆନ୍ଦୋଳନରେ ଯୋଗଦେଇ ଜେଲ ଭୋଗି ପଢ଼ା ଛାଡ଼ିଥିଲେ । ଆଉ କେତେକ ମାଟ୍ରିକ ପାସ୍‌କରି ଆନ୍ଦୋଳନରେ ଯୋଗଦେଇ ମୋଟେ କଲେଜରେ ନାଁ ଲେଖେଇ ନଥିଲେ । ପୁଣି ଏ ବର୍ଷର ନୂଆ ପାସ୍‌କରା ପିଲା ମଧ୍ୟ ଆସିଲେ । ଏପରି ଦୁଇବର୍ଷର ଓ କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର ଓ ସବୁ ଗଡ଼ଜାତର ପିଲା ମିଶି ପ୍ରଥମ ବାର୍ଷିକ ଶ୍ରେଣୀରେ ବେଶ୍ ଭିଡ଼ ହେଲା । ସେମାନଙ୍କ ଭିତରେ ତିରିଶ ଚାଳିଶଜଣ ଖଦଡ଼ିଆ ଥା’ନ୍ତି । ଅନ୍ୟାନ୍ୟ ବାର୍ଷିକ ଶ୍ରେଣୀରେ ମଧ୍ୟ କେତେକ ଖଦଡ଼ିଆ ଥା’ନ୍ତି । ଏମାନଙ୍କର ଅଧିକାଂଶଙ୍କ ଭିତରେ ପରସ୍ପର ପରିଚୟ ସେହି ଜେଲ୍‍ଖାନା ଭିତରୁ ହୋଇଥାଏ । ଆଉ ଅନ୍ୟମାନଙ୍କର ପରସ୍ପର ଆଳାପ-ପରିଚୟ ନଥିଲା; ସେମାନଙ୍କୁ ତାହା କରିବାକୁ ବେଶି ସମୟ ଲାଗିଲାନାହିଁ । ଯେପରି ସବୁ ଖଦଡ଼ିଆତକ ସମଗୋତ୍ରୀୟ, ଏକା ପଂକ୍ତିରେ ଓ ଏକା ପନ୍ଥାର । ତେଣୁ ଏମାନଙ୍କ ମଧ୍ୟରେ ସହୃଦୟତା ବଢ଼ିଉଠିଲା ।

 

କଲେଜଜୀବନଟା ତାରାକୁ ଗୋଟାଏ ନୂଆ ଜୀବନ ପରି ଲାଗିଲା । ସେ ବସାରୁ ଯିବାଆସିବା କରି ପଢ଼ିବାର କଥା ହୋଇଥାଏ । କଟକ ସହରର ପ୍ରାୟ ଶହେ ଜଣ ଛାତ୍ର ଦିବାଧ୍ୟାୟୀ । ବାକି ଅନ୍ୟମାନେ ବୋଡ଼ିଂ ବା ମେସ୍‌ରେ ଥା’ନ୍ତି । ଇଏ ହେଲା ଛାତ୍ରଙ୍କ ଭିତରେ ପ୍ରଧାନ ଦୁଇଟି ବିଭାଗ । ଏହାଛଡ଼ା ଖେଳବାଲା ଚାରୋଟି ବାର୍ଷିକଶ୍ରେଣୀର ସବୁ ଖେଳୁଆଡ଼ ଓ ତାଙ୍କର ସମର୍ଥକମାନେ ଗୋଟାଏ ଦଳ । ସେମାନେ ଯେଉଁଠି ଏକାଠି ହେଲେ, ସେଠାରେ କେବଳ ଖେଳକଥା ଚର୍ଚ୍ଚା । ଆଉ ପଞ୍ଝାଏ ଥାନ୍ତି, ସେମାନେ ନାଟକ, ସାହିତ୍ୟ, ତର୍କସଭା ନେଇଥାନ୍ତି । ବାକିସବୁ ଖଦଡ଼ିଆତକ ଗୋଟିଏ ପଂକ୍ତିର । ଖଦଡ଼ ନ ପିନ୍ଧୁଥିବା କେତେକ ଛାତ୍ର ମଧ୍ୟ ଏମାନଙ୍କର ସମର୍ଥକ ଥାନ୍ତି । ଆଉ କେତେକ ଥାନ୍ତି ସେମାନେ ପୂରା ବାବୁ । ରାଜା, ଜମିଦାର, ବଡ଼ବଡ଼ିଆ ଅଫିସରଙ୍କ ପିଲା ଏହି ଗୋଷ୍ଠୀର । ସେମାନେ ଖୁବ୍ ଚକଚକିଆ, ପରିଷ୍କାର ପୋଷାକ ପିନ୍ଧି କଲେଜ ଆସନ୍ତି । ସବୁ ଫିଟ୍‍ଫାଟ୍ । ଗୋଟାସୁଦ୍ଧା ଭଦ୍ରଲୋକ ଏମାନେ । ଏହିପରି କଲେଜରେ ପାଞ୍ଚଛଅଟା ଦଳ ଓ ମତବାଦର ପିଲା ସବୁବେଳେ ଥାନ୍ତି । ନୂଆବର୍ଷ ଆରମ୍ଭ ହୋଇ ନାଁ ଲେଖା ସରିଲାପରେ ଏ ଦଳସବୁ ଆପଣାଛାଏଁ ସୃଷ୍ଟି ହୋଇଯାଏ । ସେତେବେଳେ କଲେଜ ୟୁନିୟନ୍ ନଥାଏ । ତେଣୁ ଆଜିକାଲି ଯେପରି କଲେଜମାନଙ୍କରେ ବହୁ ଧୁମ୍‍ଧାମ୍‌ରେ କଲେଜ ନିର୍ବାଚନମାନ ହେଉଛି, ସେପରି ହେବାର ଅବକାଶ ନଥାଏ । କଲେଜ ସମ୍ପର୍କୀୟ ଯାବତୀୟ କାର୍ଯ୍ୟର ନୀତି ନିର୍ଦ୍ଧାରକ ସ୍ଵୟଂ ଅଧ୍ୟକ୍ଷ ବା ତାଙ୍କଦ୍ୱାରା ନିଯୁକ୍ତ ଅଧ୍ୟାପକ ।

 

ଏ ତ ଗଲା କଲେଜ କଥା । ଛାତ୍ରାବାସରେ ମଧ୍ୟ ସେହିପରି ଦଳ ଥାଏ । କଟକ, ପୁରୀ ଓ ବାଲେଶ୍ଵର ଜିଲାର ପିଲାମାନେ ପ୍ରାୟ ପଶ୍ଚିମପାଖ ଛାତ୍ରାବାସରେ ରହନ୍ତି । ଛାତ୍ରାବାସରେ ପୃଥକ୍ ମେସ୍ ଥାଏ । ମାସିକ ପଚିଶଟଙ୍କା ବା ତହିଁରୁ ଅଧିକ ଖର୍ଚ୍ଚ କରିବାପାଇଁ ସମର୍ଥଥିବା ପିଲାମାନେ ଗୋଟାଏ ମେସ୍‌ରେ ଥାନ୍ତି । କୋଡ଼ିଏ ଟଙ୍କାରୁ କମ୍‌ରେ ଚଳିବାରୁ ଚାହୁଁଥିବା ପିଲାମାନେ ଆଉ ଗୋଟିଏ ମେସ୍‌ରେ ଥାନ୍ତି । ଏହି ପଚିଶ ଟଙ୍କା ବା କୋଡ଼ିଏ ଟଙ୍କା ଭିତରେ ଖାଇବା ଖର୍ଚ୍ଚ, ଧୋବା, ଭଣ୍ଡାରି, କଲେଜ ଦରମା ମଧ୍ୟ ମିଶିଥାଏ । ଆଉ ଯେଉଁମାନେ ପନ୍ଦରରୁ ସତରଟଙ୍କା ମଧ୍ୟରେ ଖର୍ଚ୍ଚ କରିବାକୁ ସମର୍ଥ, ସେମାନେ କଲେଜ ବାହାରେ ମେସ୍‍କରି ରହନ୍ତି । ଏ ବିଭାଗ ଛଡ଼ା ଛାତ୍ରାବାସରେ ଖେଳ, ନାଟକ, ସାହିତ୍ୟ ପ୍ରଭୃତି ଖର୍ଚ୍ଚଲାଗି ଦଳ ବା ପଞ୍ଝା ମଧ୍ୟ ଗଢ଼ିଉଠେ ।

 

ଜେଲଫେରନ୍ତା ଖଦଡ଼ିଆମାନେ ତ ମୋଟେ କଲେଜରେ ନାଁ ଲେଖେଇ ପାରି ନଥାନ୍ତେ; କିନ୍ତୁ ଗାନ୍ଧି ଇରଉଇନଙ୍କ ଭିତରେ ଗୋଟାଏ ଚୁକ୍ତି ହୋଇଯିବା ଫଳରେ ଖଦଡ଼ିଆଙ୍କ ଉପରେ ଆଉ ସେପରି କଟକଣା ରହିଲାନାହିଁ । ସେମାନେ ଖୁସିରେ ନାଁ ଲେଖେଇ ପାରିଲେ । ସାପ ଗୋଡ଼ କେବଳ ସାପକୁ ଯେପରି ଦେଖାଯାଏ, ସେହିପରି ବିଭିନ୍ନ ମତାବଲମ୍ବୀ ଓ ବିଭିନ୍ନ ପଂକ୍ତିର ପିଲାମାନେ ପରସ୍ପରକୁ ଅତି ଅଳ୍ପଦିନ ମଧ୍ୟରେ ଚିହ୍ନିନେଲେ । ଏପରିକି ପରସ୍ପରର ନାଁ ଆଉ କାର୍ଯ୍ୟକଳାପ ବିଷୟରେ ପନ୍ଦରଦିନ ଭିତରେ ଜାଣିନେଲେ । ସବୁ ଖଦଡ଼ପିନ୍ଧା ପିଲାଙ୍କ ସ୍ଵର୍ଗ ହେଲା ସ୍ଵରାଜ ଆଶ୍ରମ । ତେଣୁ ସେହି ମିଳନ-ପୀଠର ସବୁଆଡ଼ର ପିଲା ବେଳେବେଳେ ଏକାଠି ହେବାକୁ ଲାଗିଲେ । ଯୁବକର ଅନ୍ତର୍ନିହିତ ଭାବର ପ୍ରକାଶପାଇଁ ପଥ ଦରକାର । ସେ ପଥ କାହିଁ, ତାକୁ ଦେଖେଇଦେବ କିଏ ? ଉପଯୁକ୍ତ ପଥ ପ୍ରଦର୍ଶନ କରା ନଗଲେ ଯୁବକର କର୍ମଶକ୍ତି, ପ୍ରାଣଶକ୍ତି ସବୁ ନଷ୍ଟ ହୋଇଯିବ, ଅଥବା ସେ ବିପଥଗାମୀ ହେବ । ଏହି ଚିନ୍ତା ସେକାଳର ନେତୃବୃନ୍ଦଙ୍କୁ ମଧ୍ୟ ଅସ୍ଥିର କଲା । ସଭାସମିତି, ପାଠଚକ୍ର, ବକ୍ତୃତାଦ୍ଵାରା ଯୁବଶକ୍ତିକୁ ସତେଜ ରହିବାପାଇଁ ସେମାନେ ଚେଷ୍ଟାକଲେ; କିନ୍ତୁ ଏହା ସେମାନଙ୍କୁ ଶାନ୍ତି ଦେଇପାରିଲା ନାହିଁ ।

 

ଏତିକିବେଳେ ସମଗ୍ର ଓଡ଼ିଆଭାଷୀ ବିଚ୍ଛିନ୍ନ ଅଞ୍ଚଳକୁ ଏକାଠି କରି ଗୋଟିଏ ପୂର୍ଣ୍ଣାଙ୍ଗ ଉତ୍କଳ ଗଠନପାଇଁ ଏକ ଆନ୍ଦୋଳନର ସୂତ୍ରପାତ ହେଲା । ଉତ୍କଳ ସମ୍ମିଳନୀ ମାଧ୍ୟମରେ ଗତ ପଚିଶବର୍ଷ ହେବ ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳରେ ଏହି ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ଫଳରେ ଇଂରେଜ ସରକାର ଓଡ଼ିଶାର ସୀମା ନିର୍ଦ୍ଧାରଣ ପାଇଁ ଓଡ଼ନେଲ ସାହେବଙ୍କ ନେତୃତ୍ୱରେ ଗୋଟିଏ କମିଶନ ବସାଇଲେ । ଏ କମିଶନ ଓଡ଼ିଶା ଓ ଓଡ଼ିଶାବହୁଳ ବିଚ୍ଛିନ୍ନାଞ୍ଚଳ ପରିଦର୍ଶନ କରି ସରକାରଙ୍କୁ ଏକ ରିପୋର୍ଟ ଦେବେ ଏବଂ ଏହି ରିପୋର୍ଟର ସୁପାରିସ୍ ଅନୁସାରେ ସରକାର ସ୍ଵତନ୍ତ୍ର ଉତ୍କଳପ୍ରଦେଶ ଗଠନ କରିବେ । କଂଗ୍ରେସ ମଧ୍ୟ ଭାଷାସୂତ୍ରରେ ପ୍ରଦେଶ ଗଠନକୁ ସେତେବେଳେ ପୂର୍ଣ୍ଣପ୍ରାଣରେ ସମର୍ଥନ କରୁଥାଏ ।

 

ଏହି କମିଶନ ବହୁ ଅଞ୍ଚଳ ଗସ୍ତ ସାରି କଟକ ଆସିବାର କଥା ହେଲା । ଇଂରେଜ ସରକାରଙ୍କଦ୍ୱାରା ନିଯୁକ୍ତ ଅନ୍ୟାନ୍ୟ ବହୁ କମିସନ୍‍କୁ କଂଗ୍ରେସ ପ୍ରତ୍ୟାଖ୍ୟାନ କଲାପରି ଏ କମିସନ୍‍କୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବାକୁ ନିଷ୍ପତ୍ତି କଲେ; କିନ୍ତୁ ଓଡ଼ିଶା ଓ ଓଡ଼ିଆ ଜାତିର ସ୍ଵାର୍ଥ ଏଥିସହିତ ଜଡ଼ିତ ଥିବାରୁ ନୀତିଗତ ପାର୍ଥକ୍ୟ ସତ୍ତ୍ଵେ ବହୁଲୋକ ଏହାକୁ କଟକରେ ସମ୍ବର୍ଦ୍ଧନା କରିବେ ବୋଲି ସ୍ଥିର କଲେ । ଏଥିପାଇଁ ଗୋଟିଏ କମିଟି ଗଠନ କରାଗଲା ଓ ଅଭ୍ୟର୍ଥନାର ଆୟୋଜନ କରାଗଲା । କେତେକ ଯୁବକ ଏଥିରେ ସକ୍ରିୟ ଅଂଶଗ୍ରହଣ କଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବର ଅସହଯୋଗୀ; କିନ୍ତୁ ଅନ୍ୟ ମତବାଦର ବହୁ ଯୁବକ ମଧ୍ୟ ଏ ସଙ୍ଗଠନରେ ଏକତ୍ରିତ ହୋଇ କାମ ଆରମ୍ଭକଲେ ।

 

ତାରା ମଧ୍ୟ ଏହି ସମିତିର ଏକ ସକ୍ରିୟ ସଭ୍ୟ ଥିଲା । ତାରାର ସେତେବେଳକୁ ବିଭିନ୍ନ ଜିଲାରୁ ଆସିଥିବା ବହୁ ଛାତ୍ରଙ୍କ ସହିତ ସାଙ୍ଗ ହେଲାଣି । ଏହି ଜାତୀୟସଙ୍ଗଠନ ପୀଠରେ ଉତ୍କଳ ସମ୍ମିଳନୀର ପତାକାତଳେ ପୁଣି ଥରେ ଏକତ୍ରିତ ହେବାର ସୁବିଧା ମିଳିଲା । କେତେଦିନ ପର୍ଯ୍ୟନ୍ତ ଖୁବ୍ ଉତ୍ସାହରେ କାମ ହେଲା ।

 

ଯୁବକଙ୍କର ରୁଦ୍ଧ ଆବେଗର ବହିଃପ୍ରକାଶ ପାଇଁ ଯାହାହେଉ ଗୋଟାଏ ପଥ ମିଳିଲା ।

 

ନଅ

 

ଓଡ଼ନେଲ କମିଟି ଆସିଲେ ଗଲେ; କିନ୍ତୁ ତାଙ୍କୁ ଦେଖାଇବାପାଇଁ ଯେଉଁ ଆୟୋଜନ କରାଯାଇଥିଲା, ସେଥିପାଇଁ ଲୋଡ଼ା ଥିଲା ଏକ ସଙ୍ଗଠନ । ଏହି ସଙ୍ଗଠନର ମାଧ୍ୟମରେ କେତେଜଣ ଯୁବକ ପରସ୍ପରର କାର୍ଯ୍ୟକୁ ଲକ୍ଷ୍ୟ କରିବାର ଏପରି ସୁଯୋଗ ପାଇଲେ ଯେ ପରେ ସେମାନେ ପରସ୍ପର ଗୋଟିଏ ସୂତାରେ ବାନ୍ଧିହୋଇଗଲେ । ଓଡ଼ିଶାର ବିଭିନ୍ନ ହାଇସ୍କୁଲ୍‍ରୁ, କିଏ କଟକରୁ ତ କିଏ ପୁରୀ, ବାଲେଶ୍ଵର, ଗଞ୍ଜାମରୁ । ସମସ୍ତେ ଗୋଟିଏ ପୀଠରେ କାମ କରୁ କରୁ ପରସ୍ପର ପ୍ରତି ଆକୃଷ୍ଟ ହୋଇପଡ଼ିଲେ । ଏମାନଙ୍କ ମଧ୍ୟରୁ କେତେକ କଲେଜ ଛାତ୍ରାବାସରେ ତ କେତେକ ବାହାରର ମେସ୍‍ରେ ବା ନିଜ ନିଜ ଘରେ ରହୁଥାନ୍ତି । କିଏ କଳାଶ୍ରେଣୀ ଛାତ୍ର ତ କିଏ ବିଜ୍ଞାନଶ୍ରେଣୀର ଛାତ୍ର । କିଏ ଚତୁର୍ଥ ବାର୍ଷିକର ଛାତ୍ର ତ କିଏ ପ୍ରଥମ ବାର୍ଷିକ ଶ୍ରେଣୀର ଛାତ୍ର । ପୁଣି ସମସ୍ତେ ଖଦଡ଼ପିନ୍ଧା ପୂର୍ବତନ ସତ୍ୟାଗ୍ରହୀ ନୁହନ୍ତି । କେତେକ ବଡ଼ଲୋକ ପିଲା ତ କେତେକ ବଡ଼ ଅଫିସରଙ୍କ ପିଲା । ଏମାନେ ସମସ୍ତେ କଲେଜ ପାଠପଢ଼ା ଫାଙ୍କରେ ଲାଇବ୍ରେରିରେ ବା କମନ୍‍ରୁମ୍‍ରେ, ଖେଳପଡ଼ିଆରେ, ନଈକୂଳରେ ସାଙ୍ଗହୋଇ ବସି ନାନା ବିଷୟରେ ଆଲୋଚନା କରିବାକୁ ଲାଗିଲେ । ଏହି ଆଲୋଚନା ପାଇଁ ସହରର ବିଭିନ୍ନ ସ୍ଥାନରେ ପାଠଚକ୍ର, ଆଲୋଚନାଚକ୍ର ପ୍ରଭୃତି କରାଗଲା । ସ୍ୱାଧୀନତା ଆନ୍ଦୋଳନର କେତେକ ନେତା ମଧ୍ୟ ଯୁବକମାନଙ୍କର ଏ ପ୍ରକାର ମନୋବୃତ୍ତିକୁ ବିଭିନ୍ନ ଦେଶର ସ୍ଵାଧୀନତା ସଂଗ୍ରାମର ଇତିହାସ ଓ ବିପ୍ଳବୀଙ୍କ ଜୀବନୀ ପ୍ରଭୃତି ପଢ଼ିବାପାଇଁ ଯୁବକମାନଙ୍କୁ ପ୍ରବର୍ତ୍ତାଇଲେ । ନେପୋଲିୟନ୍, ଗ୍ୟାରିବାଲ୍ ଡି.ଡି. ଭେଲେରା ପ୍ରଭୃତିଙ୍କ ଜୀବନୀ, ଫରାସୀ ବିପ୍ଳବର ଇତିହାସ, ଆୟର୍‍ଲାଣ୍ଡ ବିପ୍ଳବର ଇତିହାସ, ଆମେରିକା ସ୍ଵାଧୀନତା ସଂଗ୍ରାମର ଇତିହାସ ଓ ବଲ୍‍ସେଭିକ୍ ଆନ୍ଦୋଳନର ଇତିହାସ ପ୍ରଭୃତି ଏମାନେ ପଢ଼ିବାକୁ ଲାଗିଲେ । ନିୟମିତ ଭାବରେ ପାଠଚକ୍ରମାନ ହୋଇ ଏସବୁ ବିଷୟରେ ଆଲୋଚନା କରାଗଲା । ଯୁବକ କଂଗ୍ରେସ ନେତାମାନେ ଏସବୁ ପାଠଚକ୍ରର ଆଲୋଚନାରେ ଯୋଗଦେଇ ଯୁବକମାନଙ୍କୁ ଉତ୍ସାହିତ କରିବାକୁ ଲାଗିଲେ ।

 

କିଛିଦିନ ପରେ ସରକାର ପିଲାମାନଙ୍କର ଏ ପ୍ରକାର ଗତିବିଧିକୁ ସନ୍ଦେହ ଦୃଷ୍ଟିରେ ଦେଖିଲେ । ତାରାର ସେତେବେଳକୁ ଅନେକ ନୂଆ ନୂଆ ସାଙ୍ଗ ହେଲେଣି । ତେବେ ତା’ର ବେଶି ସାଙ୍ଗହେଲେ ଶ୍ରୀକାନ୍ତ, ତନୁ, ନୀଳାମ୍ବର, ସୋମନାଥ ପ୍ରଭୃତି । ଏମାନେ ସମସ୍ତେ ପୂର୍ବତନ ସତ୍ୟାଗ୍ରହୀ ଓ ଜେଲଫେରନ୍ତା । ସୀତାନାଥ, ନୀଳାମ୍ବର ମେସ୍‌ରେ ଓ ସୋମନାଥ କଲେଜ ଛାତ୍ରାବାସରେ ରହନ୍ତି । ଶ୍ରୀକାନ୍ତ, ତନୁ, ତାରା, ଏମାନେ ସହରରେ ସେମାନଙ୍କ ଘରେ ରହନ୍ତି । ଏମାନଙ୍କ ଛଡ଼ା ଆହୁରି ଅନେକ ପିଲା ପାଠଚକ୍ରରେ ଯୋଗଦିଅନ୍ତି; କିନ୍ତୁ ଏ କେଇଜଣ ବଡ଼ ଅନ୍ତରଙ୍ଗ ହୋଇପଡ଼ିଥାନ୍ତି । ଏମାନେ ମଧ୍ୟ କଂଗ୍ରେସନେତା ଓ ସ୍ଵରାଜ ଆଶ୍ରମ ସହିତ ଯୋଗାଯୋଗ ରଖିଥାଆନ୍ତି । ପୁଲିସ୍ ଏମାନଙ୍କର ଗତିବିଧି ଲକ୍ଷ୍ୟ କରିବାକୁ ଲାଗିଲେ । କଲେଜପଡ଼ିଆ, ନଈକୂଳ, ପାଠଚକ୍ର, ସ୍ଵରାଜଆଶ୍ରମ ଯେଉଁଠି ଏମାନେ ଏକାଠି ହେଲେ, ସେଠାରେ ପୋଲିସ୍‍ ଅଲକ୍ଷ୍ୟରେ ରହି ଏମାନଙ୍କ ଗତିବିଧି ଲକ୍ଷ୍ୟକଲେ । ଏକଥା ମଧ୍ୟ ତାରା ଓ ତା’ର ସାଙ୍ଗମାନଙ୍କୁ ଅଛପା ରହିଲାନାହିଁ । ଯେଉଁ ସ୍ତରର ପୁଲିସ ବା ତାଙ୍କର ଚେଲା ଏମାନଙ୍କ ପିଛା ନିଅନ୍ତି, ତାଙ୍କୁ ସମସ୍ତେ ଆସ୍ତେ ଆସ୍ତେ ଚିହ୍ନିସାରିଲେଣି । ବେଳେବେଳେ ସେମାନଙ୍କୁ ତାରା ପ୍ରଭୃତି ପ୍ରୀତିସମ୍ଭାଷଣ କରନ୍ତି । ସେଥିରେ ସେମାନେ ବିଚଳିତ ହୁଅନ୍ତିନାହିଁ ।

 

ଏହିପରି ଚାଲିଥାଏ । ପ୍ରଥମବାର୍ଷିକଶ୍ରେଣୀର ପାଠକୁ ସେତେବେଳେ କେହି ଖାତିର କରନ୍ତି ନାହିଁ । କଥାରେ କହନ୍ତି, ପ୍ରଥମ ବାର୍ଷିକଶ୍ରେଣୀରୁ ଦ୍ଵିତୀୟ ବାର୍ଷିକ ଶ୍ରେଣୀକୁ ଟେବୁଲ ଚୌକି ମଧ୍ୟ ପ୍ରମୋସନ୍ ପାଇଯାଆନ୍ତି । ତେଣୁ ଅଳ୍ପ କେତେକ ଖୁବ୍ ପଢ଼ୁଆ ପିଲାଙ୍କୁ ଛାଡ଼ିଦେଲେ, ଅନ୍ୟମାନେ ପ୍ରଥମ ଓ ତୃତୀୟ ବାର୍ଷିକଶ୍ରେଣୀରେ ଖୁବ୍ ଫୂର୍ତ୍ତି କରନ୍ତି । ଅପ୍ରେଲ ମାସରେ ପ୍ରଥମ ବାର୍ଷିକ ଶ୍ରେଣୀରେ ପରୀକ୍ଷା ସରିଗଲା । ଆଉ ଚାରିଛଅ ଦିନପରେ ଫଳ ବାହାରିବ । ତା’ପରେ ଗ୍ରୀଷ୍ମଛୁଟି ଅଢ଼େଇ ମାସ । ସେ ବର୍ଷ କଂଗ୍ରେସର ବାର୍ଷିକ ଅଧିବେଶନ ଲକ୍ଷ୍ନୌଠାରେ ବସୁଥାଏ । ଓଡ଼ିଶାରୁ କେତେକ ପ୍ରତିନିଧି ଯିବାର କଥା; କିନ୍ତୁ ଭାରତ ସରକାର ଏ ଅଧିବେଶନକୁ ବେଆଇନ ଘୋଷଣା କରିଥିବାରୁ କୌଣସି ଜଣାଶୁଣା କଂଗ୍ରେସ ଲୋକ ପ୍ରକାଶ୍ୟରେ ଏଥିରେ ଯୋଗଦେବାକୁ ଯିବେନାହିଁ ବୋଲି ସ୍ଥିରହେଲା । ବେଆଇନ ଘୋଷଣା ସତ୍ତ୍ୱେ ଅଧିବେଶନ କିନ୍ତୁ ନିଶ୍ଚୟ ବସିବ ବୋଲି ସ୍ଥିର ହୋଇଥାଏ ଓ ଏଥିରେ ଭାରତର ସବୁ ପ୍ରଦେଶର ପ୍ରତିନିଧିମାନେ ଯୋଗଦେବେ ବୋଲି କଥା ହୋଇଥାଏ । ତାରା ଓ ତାଙ୍କର ଦଳକୁ ଆଶ୍ରମରୁ ଡକରାପଡ଼ିଲା । ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ଓଡ଼ିଶାରୁ କଂଗ୍ରେସ ପ୍ରତିନିଧିରୂପେ ଯିବାକୁ କୁହାଗଲା । ତାରା, ଶ୍ରୀକାନ୍ତ, ସୋମନାଥ ଏଥିପାଇଁ ବଛାଗଲେ । ଏମାନଙ୍କୁ କଂଗ୍ରେସ ପ୍ରତିନିଧିଙ୍କ ପରିଚୟପତ୍ର ଓ ଯିବାଆସିବା ଖର୍ଚ୍ଚ ଦିଆଗଲା । ଠିକ୍ ଯେଉଁଦିନ ଫଳ ବାହାରିବ, ସେହିଦିନ ରାତିରେ ରେଳ ଧରିବା ସ୍ଥିର ହେଲା । ଛୁଟି ହେବାଦିନ ତିନିମାସର ଦରମା ଏକାଠି ଦେବାର କଥା । ସେତକ ନଦେଇ ସାଙ୍ଗରେ ଧରି ସେହିଦିନ ପୁରୀହାଓଡ଼ା ଏକସ୍‌ପ୍ରେସ୍‌ରେ ତିନିବନ୍ଧୁଯାକ କଟକ ଛାଡ଼ିଲେ । ଏତେ ଗୁପ୍ତରେ ଆଉ ଏତେ ଶୀଘ୍ର ଏ କାମଟା ହୋଇଗଲା ଯେ ପୋଲିସ୍‍ବାଲାଏ ଏହାର ଗନ୍ଧ ପାଇଲା ପୂର୍ବରୁ ଏମାନେ କଟକ ଛାଡ଼ି ସାରିଥିଲେ । ସେମାନେ ନିୟମିତଭାବେ ରେଳଷ୍ଟେସନ୍‍କୁ ଯାଆନ୍ତି; କିନ୍ତୁ ସେଦିନ କଲେଜ ଛୁଟି ହେଉଥିବାରୁ କେତେ ପିଲା ଯେ କେତେ ଆଡ଼େ ଯାଉଥାନ୍ତି ତା’ର ଠିକଣା ନଥାଏ । ତାରା, ଶ୍ରୀକାନ୍ତ ପ୍ରଭୃତି ତାଙ୍କର ପରମବନ୍ଧୁ ଥିଲେ ମଧ୍ୟ ପୋଲିସ୍‍ ସେମାନଙ୍କୁ ଲକ୍ଷ୍ନୌ ଅଧିବେଶନକୁ ଓଡ଼ିଶାରୁ କଂଗ୍ରେସ ପ୍ରତିନିଧିରୂପେ ଯାଉଛନ୍ତି ବୋଲି ମୋଟେ ଧାରଣା କରିପାରିଲେନାହିଁ । କଂଗ୍ରେସର ବଡ଼ବଡ଼ିଆ ନେତା କିଏ ଯାଉଛି କି ନାହିଁ ସେଥିପ୍ରତି ତାଙ୍କର ଆଖି ରହିଛି । ଏମାନଙ୍କୁ ସନ୍ଦେହ କରିବେ କାହିଁକି ?

 

ଭଲେ ଭଲେ କଟକ ଷ୍ଟେସନ୍‍କୁ ରେଳ ଛାଡ଼ିଦେବାରୁ ତିନିବନ୍ଧୁ ଭାରି ଖୁସ୍ । ସେଦିନ ବହୁ କଲେଜପିଲା ଛୁଟିରେ ଘରକୁ ଯାଉଥାନ୍ତି । ଏମାନେ ଯଥାସମ୍ଭବ କଲେଜ ପିଲାଙ୍କ ସାଙ୍ଗ ଏଡ଼େଇ ଗୋଟାଏ ଡବାରେ ଉଠିଗଲେ । ତଥାପି ସେଥିରେ ଦୁଇଜଣ ଭଦ୍ରଖର ପିଲା ଥିଲେ । ସେମାନେ ବାଲେଶ୍ଵର ଯାଉଛନ୍ତି ବୋଲି କହି ତାଙ୍କଠାରୁ ନିସ୍ତାର ପାଇଲେ । ତା’ପରଦିନ ସକାଳୁ ସକାଳୁ ଯାଇଁ ହାଓଡ଼ାରେ ପହଞ୍ଚିଗଲେ । ତିନିଜଣଯାକ କଲିକତାରେ ନୂଆ । ଟ୍ରେନ୍‍ରୁ ଓହ୍ଲେଇ ନିତ୍ୟକର୍ମ ସେହି ଷ୍ଟେସନ୍‍ରେ ସାରିଲେ । ଦିନ ଏଗାରଟାରେ ଗୋଟାଏ ଗାଡ଼ି ଥାଏ ଲକ୍ଷ୍ମୌ ଯିବାକୁ; କିନ୍ତୁ ତାଙ୍କୁ କୁହାଯାଇଥାଏ ରାତି ଗାଡ଼ିରେ ଯିବାକୁ । ତେଣୁ ତିନିହେଁ ଷ୍ଟେସନ୍‍ରେ ଜିନିଷପତ୍ର ରଖି କଲିକତା ସହର ଦେଖିବାକୁ ଗଲେ । ହାଓଡ଼ା ପୋଲ ସେତେବେଳେ ତିଆରି ହୋଇ ନଥାଏ । ଡଙ୍ଗା ଭେଳା ଉପରେ ଭସାପୋଲ ଥାଏ । ସେ ସପ୍ତାହରେ ଥରେ ଖୋଲେ । ପୁଣି ବନ୍ଦ ହୋଇଯାଏ ଓ ତା’ରି ଉପରେ ଗାଡ଼ି ମଟର ଯାଏଁ । ତିନିବନ୍ଧୁ ବହୁସମୟ ଧରି ପୋଲ ଦେଖିଲେ । ତା’ପରେ ପୋଲ ପାରିହୋଇ ଆରପାଖରୁ ଟ୍ରେନ୍‍ରେ ଚଢ଼ି କଲିକତାରେ କେତେଆଡ଼ ବୁଲିଆସିଲେ । ଯାଦୁଘର ବା ଚିଡ଼ିଆଖାନା ଯିବାକୁ ଫୁରୁସତ୍ ପାଇଲେନାହିଁ । ଫେରିଲାବେଳେ ସେସବୁ ଦେଖାଯିବ ବୋଲି ସ୍ଥିର କରି ସହରରେ ଖିଆପିଆ କାମ ଶେଷକରି ଦିନ ତିନିଟାବେଳକୁ ଷ୍ଟେସନ୍‍କୁ ଫେରିଆସିଲେ । ତାଙ୍କ ଗତିବିଧି ଯେ କିଏ ଲକ୍ଷ୍ୟ କରୁଛି ସେକଥା ସେମାନେ ମୋଟେ ଭାବୁ ନଥାନ୍ତି ।

 

ସନ୍ଧ୍ୟା ଛଅଟାରେ ଦିଲ୍ଲୀଯିବା ଗାଡ଼ି । ସେହି ଗାଡ଼ିରେ ଲକ୍ଷ୍ନୌ ଯିବାର କଥା । ସେମାନେ ଚାରିଆଡ଼କୁ ଅନାଉଥାନ୍ତି ବଙ୍ଗଳା ବା ଆସାମକୁ କେହି ପ୍ରତିନିଧି ଯାଉଛନ୍ତି କି ନାହିଁ; କିନ୍ତୁ ସବୁ ପ୍ରଦେଶ କଂଗ୍ରେସ କମିଟିକୁ ବୋଧହୁଏ ଏକାଭଳିଆ ନିର୍ଦ୍ଦେଶ ଦିଆଯାଇଛି, ଲକ୍ଷ୍ନୌରେ ପହଞ୍ଚିବା ପର୍ଯ୍ୟନ୍ତ କେହି ଯେପରି ପ୍ରତିନିଧି ବ୍ୟାଜ ପ୍ରଭୃତି ଲଗେଇ ପାରିବେ ନାହିଁ । କାଳେ କେହି ସନ୍ଦେହ କରିବ ବୋଲି ସେମାନେ କଟକରୁ ସିଧା ଲକ୍ଷ୍ନୌ ଟିକଟ କରି ନଥାନ୍ତି । ତେଣୁ କଲିକତାରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ତିନୋଟି ଟିକଟ କିଣିଲେ; କିନ୍ତୁ ସେଠାରେ ଯେ ସାଧାପୋଷାକରେ ପୁଲିସ ସେମାନଙ୍କୁ ଲକ୍ଷ୍ୟ କରୁଛନ୍ତି, ଏକଥା ବୋଧହୁଏ ତାଙ୍କୁ ଜଣା ନାହିଁ । ଗାଡ଼ି ଆସି ଷ୍ଟେସନ୍‍ରେ ଲାଗିବାରୁ ତିନିବନ୍ଧୁଯାକ ନିଜ ନିଜର ପୁଡ଼ିଆଟିମାନ ଧରି ଗାଡ଼ିରେ ଚଢ଼ିଲେ । ତୃତୀୟ ଶ୍ରେଣୀ ଯାତ୍ରୀ ସେମାନେ । ଗାଡ଼ିରେ ସେପରି ଭିଡ଼ ନଥାଏ । ତାରା ପ୍ରଭୃତି ଖାଲି ଏକର ସେକର ଅନାଉଥାନ୍ତି, ଆଉ କେହି ପ୍ରତିନିଧି ଲକ୍ଷ୍ନୌ ଯାଉଛନ୍ତି କି ନାହିଁ । ଗାଡ଼ିରେ ପୁଡ଼ିଆଟିମାନ ଥୋଇ ସେ ତିନିହେଁ ପ୍ଲାଟ୍‍ଫର୍ମ୍‍ରେ ବୁଲାଚଲା କରୁଥିଲେ । ଏତିକିବେଳେ ଗାଡ଼ି ଛାଡ଼ିବାପାଇଁ ସିଟିଦେବାରୁ ତିନିହେଁ ତାଙ୍କ ଡବାରେ ଚଢ଼ି ବସିଲେ । ଗାଡ଼ି ଛାଡ଼ିଲା । ତିନିହେଁ ଆଶ୍ଵସ୍ତିର ନିଃଶ୍ୱାସ ମାରିଲେ । କଲିକତାରେ କେହି ତାଙ୍କୁ ଧରିପାରିଲେ ନାହିଁ । ଏଣିକି ଲକ୍ଷ୍ନୌରେ ପହଞ୍ଚିଲେ ଦେଖାଯିବ; କିନ୍ତୁ ଏ କ’ଣ ହେଲା ? ଗାଡ଼ି ପ୍ଲାଟ୍‍ଫର୍ମ୍ ଛାଡ଼ୁ ନ ଛାଡ଼ୁଣୁ ପୁଣି ଅଟକିଗଲା । ସବୁ ଡବାର ଦରଜା ପାଖରେ ଜଣେ ଜଣେ ପୁଲିସ । ଇଏ କ’ଣ ହେଲା ? ତିନିବନ୍ଧୁ ପ୍ରମାଦ ଗଣିଲେ । କିଛି ଭାବି ଠିକ୍ କରିବା ପୂର୍ବରୁ ଡବାର ଚାରିଦୁଆରୁ ଚାରିଜଣ ପୋଲିସ୍‍ ଡବା ଭିତରକୁ ପଶିଆସି ତାରା, ଶ୍ରୀକାନ୍ତ ଓ ସୋମନାଥଙ୍କୁ ଓ ଆଉ ଚାରିଜଣଙ୍କୁ ସେ ଡବାରୁ ଧରିନେଇ ନିଜ ନିଜର ଜିନିଷପତ୍ର ଧରି ସେ ଡବାରୁ ଓହ୍ଲାଇ ଆସିବାକୁ ନିର୍ଦ୍ଦେଶ ଦେଲେ । ଭାବିବାର ଆଉ ବେଳ ମିଳିଲା ନାହିଁ । ତାଙ୍କ ଡବାରୁ ସାତଜଣଙ୍କୁ ଗିରଫ୍‍ କରାଗଲା । ସେହିପରି ଚାହୁଁଚାହୁଁ ସବୁ ଡବାରୁ ଦରାଣ୍ଡି ଆଣିଲାପରି ପାଞ୍ଚସାତଜଣ କରି ଓହ୍ଲାଇ ଆଣିଲେ । ପ୍ଲାଟ୍‍ଫର୍ମ୍‍ରୁ ଗିରଫ୍‍ କରିଥିଲେ ହୁଏତ କିଏ କୁଆଡ଼େ ଖସିଯାଇ ପାରିଥାନ୍ତେ ବା କିଛି ଗୋଳମାଳ କରିଥାନ୍ତେ, ସେହି ଭୟରେ ଚଳନ୍ତା ଗାଡ଼ିକୁ ଅଟକାଇ ସେମାନଙ୍କୁ ଧରି ନିଆଗଲା । ସର୍ବମୋଟ ୪୨ ଜଣଙ୍କୁ ଗିରଫ୍‍ କରାଗଲା । ଦୁଇ ଦୁଇଜଣ କରି ଧାଡ଼ିକରି ଆଗରେ ପଛରେ ଦୁଇ ପାଖରେ ପୋଲିସ୍ ପହରା ସହିତ ସେମାନଙ୍କୁ ଷ୍ଟେସନ୍‍ ବାହାରକୁ ନିଆଗଲା ଓ ଦୁଇଟି ପୋଲିସ୍‍ଭ୍ୟାନ୍‍ରେ ସେମାନଙ୍କୁ ଭର୍ତ୍ତି କରିଦିଆଗଲା । ଆଉ ସମ୍ଭାଳି ନପାରି ସମସ୍ତେ ଏକାବେଳକେ ଚିତ୍କାର କରିଉଠିଲେ, ‘ମହାତ୍ମା ଗାନ୍ଧିକୀ ଜୟ’, ‘ଜାତୀୟପତାକା କୀ ଜୟ’, ‘ବନ୍ଦେ ମାତରଂ’ । ଧ୍ଵନି ଶୁଣି ଲୋକେ ଜମି ଆସିଲାବେଳକୁ ଦୁଇଟିଯାକ ଭ୍ୟାନ୍ ଶବ୍ଦକରି କଲିକତା ଆଡ଼େ ଆଗେଇଲା ।

 

ସେତେବେଳକୁ ରାତି ବାରଟା ହେବ । ନାଁ-ଗାଁ ପଚରାଉଚରା ପରେ ସେମାନଙ୍କୁ ଆଲିପୁର ଜେଲ୍‍ଖାନା ଭିତରକୁ ନିଆଗଲା । ତଳମହଲାରେ ସାଧାରଣ କଏଦୀ ଥାଆନ୍ତି । ଏ ବୟାଳିଶ ଜଣଙ୍କୁ ଉପରମହଲାକୁ ନିଆଗଲା । ଆଗପଛ ହୋଇ ଏମାନେ ଚାଲିଥାନ୍ତି । ଧ୍ଵନିରେ ସାରା ଜେଲ୍‍ଖାନାଟା ଉଛୁଳି ପଡ଼ୁଥାଏ । ଯେମିତି ଗୋଟାଏ ବିଲୁଆ ଭୁଲିଲେ ଅନ୍ୟସବୁ ବିଲୁଆ ଯିଏ ଯେଉଁଠି ଥାଆନ୍ତି ଭୁକି ଉଠନ୍ତି ସେମିତି ସେ ଜେଲ୍‍ଖାନାର ବିଭିନ୍ନ ଦିଗରୁ ‘ବନ୍ଦେ ମାତରଂ’ ଧ୍ଵନିରେ ତା’ର ଜବାବ ମିଳିଲା । ଏମାନେ ବୁଝିଲେ ସେମାନେ ଏକା ନୁହଁନ୍ତି । ଜେଲ୍‍ଖାନାରେ ବିଭିନ୍ନ ୱାଡ଼୍‍ରେ ସମଗୋତ୍ରୀ ଆହୁରି ଅନେକ ବନ୍ଦୀ ଅଛନ୍ତି । ଉପରମହଲାରେ ଗୋଟାଏ ବଡ଼ ହଲ୍ । ସେଠାରେ ଇଲେକ୍‌ଟ୍ରିକ୍ ଆଲୁଅ ଜଳୁଛି । ଏ ମୁଣ୍ଡରୁ ସେ ମୁଣ୍ଡଯାକେ ପ୍ରାୟ ଶହେଟା ପିଣ୍ଡି ଘରେ ଶହେ ଜଣ କଏଦୀଙ୍କ ପାଇଁ । ତାରା, ଶ୍ରୀକାନ୍ତ, ସୋମନାଥ ପାଖପାଖ ତିନିଟା ପିଣ୍ଡି ଉପରେ ନିଜନିଜର ପୁଟୁଳିଟିମାନ ରଖିଲେ । ମନରେ ଟିକିଏ ଦୁଃଖ ନଥାଏ । ଯେଉଁଠିହେଉ ଏ ଦଶା ପଡ଼ିବ ବୋଲି ସେମାନେ ପ୍ରସ୍ତୁତ ହୋଇ ଆସିଥିଲେ । ଖରାଦିନ ରାତି । ସମସ୍ତେ ଆସ୍ଥାନ ଧରୁ ଧରୁ ପ୍ରାୟ ରାତି ତିନିଟା । ଖାଲି ଟୋକା ଦଳେ ଧରାହୋଇ ଆସିଛନ୍ତି । କାହାର ବୟସ ପଚିଶରୁ ବେଶି ହେବନାହିଁ । ବଙ୍ଗାଳୀ ବେଶି । ଆସାମୀ ପ୍ରତିନିଧି ମଧ୍ୟ ଅଛନ୍ତି । ବଙ୍ଗାଳୀ ଭିତରେ ପୂର୍ବବଙ୍ଗ, ପଶ୍ଚିମବଙ୍ଗ ପିଲା ଅଛନ୍ତି । ଜେଲ ୱାଡ଼୍‍ରମାନେ ଧଡ଼ଧାଡ଼ କରି କବାଟ ବନ୍ଦ କରିଗଲେ-। ତା’ପରେ ପରସ୍ପର ମଧ୍ୟରେ ଆଳାପ ପରିଚୟ ଆରମ୍ଭହେଲା । ଏମିତି ହେଉ ହେଉ ଭୋର ହେଲା । କାହାରି ଆଖିକୁ ନିଦ ନାହିଁ । ବେଳେବେଳେ ‘ମହାତ୍ମା ଗାନ୍ଧିକୀ ଜୟ’ ‘ବନ୍ଦେ ମାତରଂ’ ଧ୍ଵନିରେ ଛାତ ଖସି ପଡ଼ିବାପରି ଲାଗୁଥାଏ । ଏ ଧ୍ଵନିର ପ୍ରତିଧ୍ଵନି ମଧ୍ୟ ବାୟୁମଣ୍ଡଳକୁ ଅଧିକ ସରଗରମ କରୁଥାଏ ।

 

ସକାଳୁ ସମସ୍ତେ ନିତ୍ୟକର୍ମସାରି ନିଜ ନିଜ ପିଣ୍ଡି ଉପରେ ଆସ୍ଥାନ ଜମେଇ ବସିଲେ । ୱାଡ଼୍‍ର କବାଟ ଖୋଲିଲା । ସମସ୍ତଙ୍କୁ ଜଳଖିଆ ଦିଆଗଲା । ତା’ପରେ ଆଉଥରେ ସମସ୍ତଙ୍କ ନାଁ ଠିକଣା ପଚରାଯାଇ ଲେଖା ସରିଲା ପରେ ସମସ୍ତଙ୍କୁ ପୁଣି ଦୁଇଟା ମଟରଗାଡ଼ିରେ କଚେରିକୁ ନିଆଗଲା । ସେଠାରେ କ’ଣ ବିଚାରହୋଇ ସମସ୍ତଙ୍କୁ ଦେଢ଼ମାସ କରି ଆଶ୍ରମ ଜେଲଦଣ୍ଡ ଦିଆଗଲା । କ’ଣ ଦୋଷପାଇଁ କେଉଁ ଧାରାରେ ବିଚାର ହୋଇ ଏ ଦଣ୍ଡ ଦିଆଗଲା ସେ କଥା କେହି ପଚାରିଲେ ନାହିଁ । ସେହି କଚେରିରେ ପୁଣି ବନ୍ଦେ ମାତରଂ ଧ୍ଵନି ଦିଆଗଲା । ଚାରିଆଡ଼ କମ୍ପିଗଲା । ସେମାନଙ୍କୁ ପୁଣି ମଟରରେ ଆଣି ଜେଲ କୋଠରିରେ ବନ୍ଦ କରିଦିଆଗଲା । ଅଳ୍ପଦିନ ଭିତରେ ପରସ୍ପର ମଧ୍ୟରେ ବେଶ୍ ଆଳାପ ପରିଚୟ ହୋଇଗଲା । ଏମାନେ ଥାଆନ୍ତି ଉପରମହଲାରେ । ତାଙ୍କ ୱାଡ଼୍‍ଠାରୁ ଅଳ୍ପ ଦୂରରେ ତଳେ ଗୋଟାଏ ଉଚ୍ଚ ପାଚେରିଘେରା ଘରେ ଥାଆନ୍ତି ଆଠଦଶଜଣ ବନ୍ଦୀ । ସେମାନେ କୁଆଡ଼େ ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଣ୍ଠନ ମାମଲାର ବନ୍ଦୀ; ମାତ୍ର ଆଠ ଦଶଜଣ ଯୁବକ କିପରି ଅଳ୍ପ ସମୟ ଭିତରେ ବନ୍ଧୁକଧାରୀ ବହୁ ଅସ୍ତ୍ରାଗାର ରକ୍ଷୀଙ୍କୁ କାବୁକରି ଅସ୍ତ୍ରାଗାରର ଦ୍ୱାରକୁ ଭାଙ୍ଗି ଅସ୍ତ୍ର-ଶସ୍ତ୍ର ଲୁଣ୍ଠନକରି ନେଇଥିଲେ ତା’ର ଚାଞ୍ଚଲ୍ୟପୂର୍ଣ୍ଣ କାହାଣୀ ସାରା ଭାରତକୁ ଚମତ୍କୃତ କରି ଦେଇଥାଏ । ପୂର୍ବଭାରତରେ ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଣ୍ଠନ, ପଞ୍ଜାବର ଭଗତସିଂ, ରାଜଗୁରୁ ପ୍ରଭୃତିଙ୍କ କୀର୍ତ୍ତି, ମିରଟ ଷଡ଼ଯନ୍ତ୍ରର ଇତିବୃତ୍ତ ସେତେବେଳର ବିପ୍ଳବୀ ମନୋଭାବାପନ୍ନ ଯୁବକମାନଙ୍କର ଦୈନନ୍ଦିନ ଆଲୋଚନାର ବିଷୟ ବସ୍ତୁ ହୋଇଥାଏ । ପ୍ରତିଦିନ ସକାଳୁ ସେମାନେ ନିଜ ନିଜ ବନ୍ଦିଶାଳା ମଧ୍ୟରୁ ତଳେ ଥିବା ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଣ୍ଠନକାରୀ ବନ୍ଦୀମାନଙ୍କ ସହିତ କାଜି ନଜ୍‌ରୁଲ ଇସଲାମଙ୍କ ବିପ୍ଳବୀ ସଙ୍ଗୀତ ମାଧ୍ୟମରେ ଭାବ ବିନିମୟ ହୁଏ । ‘ଅରୁଣ ପ୍ରାତେର ତରୁଣ ଦଲ୍, ଚଲ୍‍ରେ ଚଲ୍‍ରେ ଚଲ୍’ ଶବ୍ଦରେ ଉଭୟ ବନ୍ଦିଶିବିର ପ୍ରକମ୍ପିତ ହୋଇଉଠେ । ଚଟ୍ଟଗ୍ରାମ ବନ୍ଦୀମାନଙ୍କ ଭିତରେ ଷୋଳବର୍ଷର ଅସମ ବସୁଧାରୀ ଯୁବକଟିକୁ ପ୍ରାୟ ଦେଖିବାକୁ ମିଳେ । ତା’ ନାଁ କୁଆଡ଼େ ରଣଧୀର । ବାସ୍ତବିକ ସେ ଜଣେ ଦେଖିଲା ଭଳି ପିଲା ।

 

ଯଦିବା ଏମାନେ ସମସ୍ତେ ଗାନ୍ଧିଜୀଙ୍କ ଅହିଂସା ଅସହଯୋଗ ଆନ୍ଦୋଳନ ପାଇଁ କାରାବରଣ କରିଛନ୍ତି, କଂଗ୍ରେସର ନିର୍ଦ୍ଦେଶରେ ତଥାପି ମନେହେଉଥାଏ, ଏମାନେ ସମସ୍ତେ ଯେପରି ଗତ ଆନ୍ଦୋଳନର ଫଳାଫଳ ନେଇ ବିଶେଷ ସୁଖୀ ନୁହନ୍ତି । ସେମାନଙ୍କର ଯୁବକ ରକ୍ତ ଆଉ ଏ ପ୍ରକାର ପରାଭବ ସହିବାର ଅବସ୍ଥାରେ ନଥାଏ । ସମସ୍ତେ ପ୍ରାୟ ଏକବୟସୀ, ତେଣୁ ସମସ୍ତଙ୍କ ଚିନ୍ତା ପ୍ରାୟ ଏକପ୍ରକାର ଥିଲାପରି ମନେହେଉଥାଏ । ସକାଳୁ ଉଠି ଭଜନ ପ୍ରାର୍ଥନା ପରିବର୍ତ୍ତେ ନଜରୁଲଙ୍କ ‘ଟଲମଲ ଟଲମଲ ପଦଭରେ, ବୀରଦଲ ଚଲେ ସମରେ–ଖରଧାର ତରବାର କଟିତେ ଦୋଲେ’ ପ୍ରଭୃତି ଉନ୍ମାଦନାପୂର୍ଣ୍ଣ ଗୀତରେ ବନ୍ଦିଶାଳାଟି ମୁଖରିତ ହୋଇଯାଏ । ଏ ଗୀତର ପ୍ରତିଧ୍ଵନି ମଧ୍ୟ ଅନ୍ୟାନ୍ୟ ୱାଡ଼୍‍ରୁ ଆସେ । ସକାଳୁ ଆସିଷ୍ଟାଣ୍ଟ୍ ଜେଲର୍ ମହାଶୟ ଦିନେ ଦିନେ ଆସି କହନ୍ତି ‘ମଗୋୟରା’ ରାତ୍ରେ ଅର୍ ଘୁମ୍‌ତେ ଦେବେନା ଦେଖ୍‍ଛି । ଜେଲର୍ ପୂରା ସାହେବ; କିନ୍ତୁ ଆସିଷ୍ଟାଣ୍ଟ୍‍ ଜେଲର୍ ବଙ୍ଗାଳୀ । ତାଙ୍କ କ୍ଵାଟର୍‍ଟି ଜେଲ ବାହାରେ ନହୋଇ ଜେଲ ଭିତରେ ଥାଏ । ତେଣୁ ରାତିରେ ଯେତେବେଳେ ଯାହାର ଇଚ୍ଛାହେଲା, ସେ ଚଢ଼ାଗଳାରେ ଏହି ଉନ୍ମାଦପୂର୍ଣ୍ଣ ଗୀତରୁ ପଦେ ଆରମ୍ଭ କରିଦେଲେ ସମଗ୍ର ଜେଲଟିରେ ବିଭିନ୍ନ ୱାଡ଼୍‍ରେ ତାହାର ଜବାବ ମିଳେ । ଫଳରେ ସାରା ଜେଲଟି ମୁଖରିତ ହୋଇଉଠେ । ସହକାରୀ ଜେଲର୍ ଓ ତାଙ୍କ ପିଲାପିଲିଙ୍କର ନିଦ୍ରାରେ ବ୍ୟାଘାତ ଘଟେ, ରାଜନୈତିକ ବନ୍ଦୀମାନଙ୍କୁ ରାତିରେ ଗୀତ ନ ବୋଲିବାପାଇଁ ଅନୁନୟ ବିନୟ କରିବା ଛଡ଼ା ସେ ବା ଆଉ କ’ଣ କରିପାରନ୍ତେ ।

 

ଦିନ ଏହିପରି ଚାଲିଯାଉଥାଏ । ଏମାନଙ୍କୁ ଖାଇବା ପିଇବାକୁ ଖୁବ୍ ଭଲ ଦିଆଯାଉଥାଏ । ସାବୁନ, ତେଲ, ବ୍ଲେଡ଼୍ ପ୍ରଭୃତି ଜେଲ ତରଫରୁ ଯୋଗାଇ ଦିଆଯାଉଥାଏ । ନିୟମିତ ଭୋଜନ, ସକାଳ ସଞ୍ଜରେ ବ୍ୟାୟାମ ପ୍ରଭୃତିଦ୍ୱାରା ପ୍ରାୟ ସବୁ ବନ୍ଦୀଙ୍କର ସ୍ଵାସ୍ଥ୍ୟୋନ୍ନତି ଘଟିଥାଏ । ବହୁ ପ୍ରକାରର ଯୁବକ ଏମାନଙ୍କ ଭିତରେ ଥାନ୍ତି । କେତେକ ଯୋଗ, ପ୍ରାଣାୟାମ, ଆସନ ପ୍ରଭୃତି କରନ୍ତି । ଆଉ କେତେଜଣ କୁସ୍ତି, ଯୁଯୁତ୍ସୁ ପ୍ରଭୃତି ଭଲଭାବରେ ଜାଣନ୍ତି । ସେମାନଙ୍କଠାରୁ ଅନ୍ୟମାନେ ଶିଖନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ବିଭିନ୍ନ ଦେଶର ସ୍ଵାଧୀନତା ସଂଗ୍ରାମର ଇତିହାସ ସମ୍ବନ୍ଧରେ ଗଭୀର ଅଧ୍ୟୟନ କରିଛନ୍ତି । ସମସ୍ତେ ବସି ସେ ବିଷୟରେ ଆଲୋଚନା କରନ୍ତି । ବଙ୍ଗଭଙ୍ଗ ଆନ୍ଦୋଳନ, ସନ୍ତ୍ରାସବାଦ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ ପ୍ରଭୃତି ସମ୍ବନ୍ଧରେ ଖୁବ୍ ତାତ୍ତ୍ଵିକ ଆଲୋଚନା ହୁଏ । ପ୍ରତିଦିନ ସକାଳ ସଞ୍ଜେ ଏହି ପାଠଚକ୍ର ବସେ-। ଏହା ଫଳରେ ବଙ୍ଗଳା, ଆସାମ ଓ ଓଡ଼ିଶାର ସମସାମୟିକ କେତେଜଣ ଯୁବକଙ୍କ ମଧ୍ୟରେ ଗଭୀର ସୌହାର୍ଦ୍ଦ୍ୟ ଜାଗ୍ରତ ହୁଏ । ପରସ୍ପରଠାରୁ ଅନେକ କଥା ଶିଖିବାର ଓ ଜାଣିବାର ସୁଯୋଗ ପାଆନ୍ତି । ତିନି ପ୍ରଦେଶର ଯୁବଶକ୍ତି ମଧ୍ୟରେ ସଂଯୋଗ ସ୍ଥାପନର ଗୋଟାଏ ସୁବର୍ଣ୍ଣ ସୁଯୋଗ ମିଳେ ବ୍ରିଟିଶ ସରକାରଙ୍କ ଅପାର କରୁଣାରୁ ।

 

ଦଶ

 

ଦେଢ଼ମାସ ପୂରିଲା । ତାରା, ଶ୍ରୀକାନ୍ତ ଓ ସୋମନାଥଙ୍କର ଗ୍ରୀଷ୍ମଛୁଟି ତଥାପି ସରି ନଥାଏ । କଟକ ପର୍ଯ୍ୟନ୍ତ ତିନିଜଣଙ୍କୁ ତିନିଖଣ୍ଡି ଟିକଟ ଦେଇ ସେମାନଙ୍କୁ ହାଓଡ଼ା ଷ୍ଟେସନ୍‍ରେ ବସେଇ ଦିଆଗଲା । ସରକାର ସେତେବେଳେ ଖବରକାଗଜମାନଙ୍କଠାରୁ ଅସମ୍ଭବ ପରିମାଣରେ ଅମାନତ ଦାବିକରିବା, ସମ୍ବାଦ ନିୟନ୍ତ୍ରଣ ଓ କଟକଣା କରିବା ଫଳରେ ଦେଶର ସବୁ ଖବରକାଗଜ ବନ୍ଦ ହୋଇଯାଇଥାଏ । ତେଣୁ ତାରା କୁଆଡ଼େ ଗଲା, ତା’ର କ’ଣ ହେଲା ସେ ବିଷୟରେ ନାନୁବାବୁ କିଛି ଜାଣିପାରି ନଥିଲେ । ତାରା ଚାଲିଯିବାର ଦିନକ ପରେ ତନୁ ଆସି ନାନୁବାବୁଙ୍କୁ ଖବରଦେଲା, ‘ତାରା ପ୍ରଭୃତି କେତେଜଣ ସାଙ୍ଗ ହଠାତ୍ କଲିକତା ଚାଲିଯାଇଛନ୍ତି ।’ ସେଦିନ ଶନିବାର ଥିବାରୁ ନାନୁବାବୁ ଗାଁକୁ ଯାଇଥିଲେ । ତେଣୁ ତାରାକୁ ହଠାତ୍ ଯିବାକୁ ପଡ଼ିବାରୁ ସେ ଖବର ନଦେଇ ଚାଲିଯାଇଛି । ତନୁକୁ ନାନୁବାବୁ ତାରାର ସାଙ୍ଗ ହିସାବରେ ଖୁବ୍ ଭଲଭାବରେ ଜାଣନ୍ତି । ତା’ ଛଡ଼ା ତନୁଙ୍କର ପରିବାର ସହରର ଗୋଟିଏ ଗଣ୍ୟମାନ୍ୟ ପରିବାରରୂପେ ଖୁବ୍ ପରିଚିତ । ତେଣୁ ନାନୁବାବୁ ତାକୁ ବଡ଼ ସ୍ନେହ କରନ୍ତି । ତନୁ ଛଡ଼ା ତାରାର ଅନ୍ୟାନ୍ୟ ସାଙ୍ଗମାନଙ୍କୁ ମଧ୍ୟ ନାନୁବାବୁ ଖୁବ୍ ଭଲ ପାଆନ୍ତି, ଆଉ ନାନୁବାବୁଙ୍କର ସ୍ୱାଧୀନତାସଂଗ୍ରାମ ପ୍ରତି ସହାନୁଭୂତି ମଧ୍ୟ ତାରାର ସାଙ୍ଗମାନଙ୍କୁ ତାଙ୍କ ପ୍ରତି ବିଶେଷ ଆକୃଷ୍ଟ କରିଥାଏ । ପ୍ରଥମେ ନାନୁବାବୁ ତନୁଠାରୁ ଶୁଣିଥିଲେ ଯେ ସେମାନେ ଉତ୍ତରଭାରତ ବୁଲିବାକୁ ଯାଇଛନ୍ତି; କିନ୍ତୁ ପରେ ସ୍ୱରାଜ୍ୟାଶ୍ରମରୁ ଖବର ନେଇ ବୁଝିଲେ ଯେ ସେମାନେ ସପ୍ତାହେପାଇଁ ବୁଲିବାକୁ ଯାଇଥିଲେ ସତ; କିନ୍ତୁ ବାଟରେ ସେମାନେ ଉତ୍କଳକଂଗ୍ରେସର ପ୍ରତିନିଧିରୂପେ ଲକ୍ଷ୍ନୌ କଂଗ୍ରେସ ଅଧିବେଶନରେ ଯୋଗଦେବାକୁ ଯାଉଛନ୍ତି ବୋଲି ସନ୍ଦେହକରି କଲିକତାଠାରେ ସେମାନଙ୍କୁ ଅଟକାଇ ରଖାଯାଇଛି । ନାନୁବାବୁଙ୍କୁ ସବୁକଥା ବୁଝିବାକୁ ଆଉ ବାକି ରହିଲାନାହିଁ । ସେମାନଙ୍କ ଫେରିବାକୁ ଅପେକ୍ଷାକରିବା ଛଡ଼ା ନାନୁବାବୁଙ୍କର ଆଉ କିଛି କରିବାର ନଥିଲା । ଦେଢ଼ ମାସ ପରେ ଦିନେ ସକାଳୁ ତାରା ଆସି ବସାରେ ପହଞ୍ଚିଲା । ନାନୁବାବୁ ସକାଳୁଆ କଚେରିପାଇଁ ଲୁଗାପଟା ପିନ୍ଧି ଠିକ୍ ବାହାରିଲାବେଳକୁ ତାରା ଆସି ଦାଣ୍ଡଦୁଆରେ ଠିଆହୋଇ ତାଙ୍କୁ ପ୍ରଣାମ କଲା । ନାନୁବାବୁ ତାକୁ ଆଉ କିଛି ନ ପଚାରି କଚେରି ବାହାରିଗଲେ ।

 

ବାପାଙ୍କ ପ୍ରକୃତି ତାରାକୁ ଭଲ ଜଣା । ସେ ରାଗିଲେ କଥା କହନ୍ତି ନାହିଁ; କିନ୍ତୁ ତାଙ୍କ ରାଗ ଖୁବ୍ କ୍ଷଣସ୍ଥାୟୀ । ବାପା କଚେରି ଗଲାପରେ ତାରା ଗାଧୁଆପାଧୁଆ କରି ଜଳଖିଆ ଖାଇଲା-। ଜଗୁଠାରୁ କଟକ ଖବର, ଗାଁ ଖବର ସବୁ ବୁଝିଲା । ସେ ହଠାତ୍ ପଳେଇଲା ପରେ କିଏ କ’ଣ ସବୁ କହିଲେ ସବୁ ପଚାରି ବୁଝିଲା । ଭାଇ ଛୁଟିରେ ଆସିଛନ୍ତି କି ନାହିଁ ପଚାରିଲା । ଭାଇ କୁଆଡ଼େ ଯାଇଛନ୍ତି ଭ୍ରମଣପାଇଁ, ସେ ରଜ ପୂର୍ବରୁ ଆସିବେ ବୋଲି ଚିଠି ଦେଇଛନ୍ତି । ଏହିପରି ସବୁ ବୁଝାବୁଝି କରି ତାରା ଟିକିଏ ଶୋଇପଡ଼ିଲା । ଘଣ୍ଟାଏ ଶୋଇଛି କି ନାହିଁ ତନୁ ଆସି ତାକୁ ଉଠେଇଲା । ଶ୍ରୀକାନ୍ତ ଘର ତା’ଘର ପାଖରେ । ସେଇଠୁ ଖବର ପାଇଲା, ସେମାନଙ୍କର ଫେରିବା କଥା । ସୋମ ସେହିଦିନ ତା’ ଗାଁକୁ ଚାଲିଯାଇଛି । ସେ କଲେଜ ଛାତ୍ରାବାସରେ ରହୁଥିଲା । ବାପା କ’ଣ କହିଲେ ବୋଲି ତନୁ ତାରାକୁ ପଚାରିଲା । ତାରା କହିଲା, ଠିକ୍ କଚେରିକୁ ବାହାରିବା ଆଗରୁ ମୁଁ ଆସି ଠିଆହୋଇଗଲି, ମୋତେ କିଛି ନକହି କଚେରିକୁ ଯାଇଛନ୍ତି । ଆସିଲେ ଯାହା-। ଦୁଇବନ୍ଧୁଙ୍କର ବହୁ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହେଲା । ସେମାନେ ଗଲାପରେ କାହା ଘରେ କ’ଣ ହେଲା, ତନୁ ସବୁ କହିଲା । କିଛି ସମୟ କଥାବାର୍ତ୍ତା ପରେ ସନ୍ଧ୍ୟାବେଳକୁ ଆସିବ ବୋଲି କହି ତନୁ ଚାଲିଯାଉଥିଲା, ତାରା କହିଲା, ‘ତୁ ଆସିବୁ ନାହିଁ, ମୋତେ ବୋଧହୁଏ ଆଜି ଗାଁକୁ ଯିବାକୁ ହେବ-।’ ୟା କହି ବାପା କଚେରିରୁ ଫେରିବା ପୂର୍ବରୁ ସେ ଖାଇଦେଇ ଶୋଇଗଲା ।

 

ନିଦରୁ ଉଠି ଦେଖେ ତ ବାପା ଶୋଇଛନ୍ତି । ବୋଧହୁଏ ଚେଇଁକରି । କାରଣ ସେ ଉଠି ବାହାରକୁ ଗଲାରୁ ବାପା ଉଠି ବିଛଣାରେ ବସିଲେ । ତାରା ଆସି ସାମନାରେ ଛିଡ଼ାହେଲା । ତାକୁ ଆଉ ବିଶେଷ କିଛି ନକହି କହିଲେ, ‘ଯାଅ ଟିକିଏ ଗାଁରୁ ବୁଲିଆସ ।’ ବାପା ରାଗିଲେ ଖୁବ୍ ମାନ୍ୟକରି ‘ଯାଅ’ ‘ଆସ’ ପ୍ରଭୃତି କହନ୍ତି । ଏକଥା ତାରାକୁ ଭଲ ଜଣା । ତେଣୁ ସେ ବାପାଙ୍କ ଆଗରୁ ଯଥାସମ୍ଭବ ଶୀଘ୍ର କୁଆଡ଼େ ଚାଲିଯିବ ବୋଲି ଚାହୁଁଥିଲା । ଗାଁକୁ ଯିବାପାଇଁ ଆଦେଶ ପାଇବାର ପନ୍ଦର ମିନିଟ ଭିତରେ ସେ ସାଇକଲ୍ ଧରି ବାହାରିପଡ଼ିଲା । ଗାଁରୁ ଆସିଲେ ପଛେ ଆଶ୍ରମକୁ ଯିବ । ଶ୍ରୀକାନ୍ତ ତ ଅଛି, ତା’ଠାରୁ ସବୁକଥା ଆଶ୍ରମ ଲୋକେ ଶୁଣିବେ ।

 

ତାରା ଏକମୁହାଁ ଗାଁକୁ ଚାଲିଲା, କେହି ସାଙ୍ଗ ହାବୁଡ଼ିଯିବା ଭୟରେ ସେ ନଈକୂଳ ରାସ୍ତାଦେଇ ଚାଲିଗଲା । ଗାଁରେ ପହଞ୍ଚିବାରୁ ବୋଉ, ବଡ଼ମା’ ତାକୁ ଖୁବ୍ ଆଦର କଲେ । ତାରା କଲିକତାରେ ଜେଲରେ ଅଛି ବୋଲି ସେମାନେ ଜାଣିଥିଲେ । ନାନୁବାବୁ ନ କହନ୍ତୁ ପଛେ ସନ୍ତୋଷବାବୁଙ୍କ ଦୟାରୁ ଏ ଖବରଟା ଚିତ୍ରବିଚିତ୍ର ହୋଇ ବୋଉ ବଡ଼ମା’ଙ୍କ କାନକୁ ଆସିଛି; କିନ୍ତୁ ଗୋରା ତା’ପରେ ତାରା ଜେଲ ଯିବା ପରଠାରୁ ଜେଲଯିବା କଥାଟା ତାଙ୍କର ଦେହସୁହା ହୋଇଯାଇଛି । ତେଣୁ ସନ୍ତୋଷବାବୁଙ୍କ କଥାରେ ସେମାନେ ବିବ୍ରତ ହୋଇପଡ଼ି ନାହାନ୍ତି; କିନ୍ତୁ ତାରା ଯେତେବେଳେ ଆସି ବୋଉ, ବଡ଼ମା’ଙ୍କୁ ମୁଣ୍ଡିଆଟିଏମାନ ମାରି ଠିଆ ହୋଇଗଲା, ସେତେବେଳେ ସେମାନେ ସବୁ ଭୁଲିଗଲେ । ବୋଉ ଆସି କୁଣ୍ଢେଇ ପକେଇଲା । ଦିନୁବାବୁ ଗଲାଦିନୁ ତାରାର ନିଜ ବୋଉ ଯାହାଙ୍କୁ କି ସେ ବଡ଼ମା’ ବୋଲି ଡାକେ, ସେ ଆଉ ଭରସିକରି ପିଲାଙ୍କ ଆଡ଼କୁ ଅନାନ୍ତି ନାହିଁ; ବରଂ ସେମାନଙ୍କୁ ଦେଖିଲେ ତାଙ୍କ ଆଖି ଲୁହରେ ଜକେଇ ଆସେ । ସତେ କ’ଣ ଗୋରା, ତାରା ମଣିଷ ହେବେ ? ବୋଉ କିନ୍ତୁ ତାରାକୁ ଦେଖି ଭାରି ଖୁସି ହୋଇଗଲେ-। ତାରାର ଚେହେରା ଅସମ୍ଭବଭାବେ ସୁନ୍ଦର ହୋଇଛି ଏ ଦେଢ଼ମାସ ଭିତରେ-। ଜେଲରୁ ଫେରିଲାବେଳେ ସେ ଓଜନ ହୋଇ ଆସିଥିଲା । ତା’ର ଓଜନ ଆଠ ପାଉଣ୍ଡ୍ ବଢ଼ିଯାଇଥିଲା ।

 

ତାରା ଗାଁକୁ ଆସିବା ଖବରଟା ଅଳ୍ପସମୟ ଭିତରେ ତା’ ଗାଁ ସାଙ୍ଗମାନଙ୍କ ଭିତରେ ଖେଳିଯାଇଥିଲା । ତାରା ଜଳଖିଆ ଖାଇସାରିବା ପୂର୍ବରୁ ସେମାନେ ଠାକୁରାଣୀ ପଡ଼ିଆରୁ ଡୁଡ଼ୁ ଖେଳ ଭାଙ୍ଗି ଆସି ତାରାଙ୍କ ଘର ଦାଣ୍ଡରେ ଠୁଳ ହୋଇଯାଇଥିଲେ । ତାରା ଖାଇସାରି ସେମାନଙ୍କ ସାଙ୍ଗରେ ନଈକୂଳକୁ ଚାଲିଗଲା । ନଈକୂଳେ ସମସ୍ତେ ତାରାକୁ ଘେରି ବସିଗଲେ । ତାରାର ଜେଲ ଯିବା କିଛି ନୂଆ କଥା ନୁହେଁ; କିନ୍ତୁ କଲିକତା ଜେଲରେ ରହିବା ବିଷୟରେ ଶୁଣିବାକୁ ସମସ୍ତଙ୍କର ଆଗ୍ରହ ପ୍ରବଳ । ତାରା କଲିକତା ଜେଲ ବିଷୟରେ ସବୁକଥା ଗପିଲା । ସନ୍ଧ୍ୟା ହେବାରୁ ସମସ୍ତେ ଗାଧୋଇ ଘରକୁ ଫେରିଲେ । ବାପାଙ୍କର ଇଚ୍ଛା ତାରା କଲେଜ ଖୋଲିବାଯାଏଁ ଗାଁରେ ରହୁ । କଟକରେ ରହିଲେ ପୁଣି କୁଆଡ଼େ ଚାଲିଯିବ ତା’ର କେଉଁ ଠିକଣା ଅଛି ? ଗୋରା ମଧ୍ୟ ଦୁଇଦିନ ପରେ ଆସିଯିବାରୁ ତାକୁ ମଧ୍ୟ ଗାଁକୁ ପଠେଇଦେଲେ । ଗୋରା ଗାଁରେ ରହିଲେ ତାରା ହୁଏତ କଟକ ଆସିବାକୁ ମନ ବଳେଇବ ନାହିଁ । ତାରାର ଗାଁରୁ ଆସିବା ଡେରିହେବା ଦେଖି ଦିନେ ତନୁ ଓ ଶ୍ରୀକାନ୍ତ ଯାଇଁ ତା’ ଗାଁରୁ ବୁଲି ଆସିଲେଣି । ସେମାନଙ୍କଠାରୁ ଖବର ମିଳିଲା ଯେ ତାରା ଦ୍ୱିତୀୟ ବାର୍ଷିକ ଶ୍ରେଣୀକୁ ପ୍ରମୋସନ୍‍ ପାଇଛି; କିନ୍ତୁ ସେମାନେ ଦରମା ଦେଇ ନଥିବାରୁ ସେମାନଙ୍କର ନାମ କଟିଯାଇଛି । ପୁଣି ଟଙ୍କା ନେଇ ନାଁ ଲେଖାହୋଇ ପାରନ୍ତା; କିନ୍ତୁ ୟା ମଧ୍ୟରେ କଲିକତାରେ ଜେଲଯାଇଥିବା ଆଳ ଦେଖାଇ ହୁଏତ ଗୋରା ଅଧ୍ୟକ୍ଷ ସେ ତିନିଜଣଙ୍କୁ ଆଉ କଲେଜରେ ନାଁ ଲେଖେଇବାକୁ ଦେବେନାହିଁ । ସେମାନେ ଗଲାପରେ ସବୁକଥା ଶୁଣି ଗୋରା ତାରା ଉପରେ ଖୁବ୍‌ ବିରକ୍ତ ହେଲା । ଛୁଟିରେ ଜେଲଗଲା ପଛେ କିଛି କ୍ଷତି ନଥିଲା; କିନ୍ତୁ ଦରମା ନଦେବା ଯୋଗୁଁ ନାଁଟା ଯେ କଟିଗଲା, ଏହି ହେଲା ବିପଦ । ଯାହାହେଉ କଲେଜ ଖୋଲୁ, ଦେଖାଯିବ ।

 

ଗୋରାର ଛୁଟି ମାସେ ! ରଜ ଯିବାର କିଛିଦିନ ପରେ ସେମାନେ କଟକ ଚାଲି ଆସିଲେ । କଲେଜ ଖୋଲି ନଥାଏ; କିନ୍ତୁ ପ୍ରଥମ ଓ ତୃତୀୟ ବାର୍ଷିକ ଶ୍ରେଣୀରେ ନାଁ ଲେଖା ଆରମ୍ଭ ହୋଇଯାଇଥାଏ । ତାରା, ଶ୍ରୀକାନ୍ତ, ସୋମନାଥ ତିନିଙ୍କର ଏକାଦଶା । ତିନିଜଣଯାକ ଦରମା ଦେଇ ନଥିଲେ, ତିନିଙ୍କ ନାଁ କଟିଯାଇଛି । ସେମାନେ ଯେତେବେଳେ ନାଁ ଲେଖେଇବାକୁ ଚାହିଁଲେ, କଲେଜର ହେଡ଼୍‍କିରାଣି ତାଙ୍କୁ ମନାକରିଦେଲେ । ସେତେବେଳେ କଲେଜ ଅଧ୍ୟକ୍ଷ ଗୋରା ସାହେବ । ହେଡ଼୍‍କିରାଣି ତାଙ୍କର ହେଲେ ଆଖି ଆଉ କାନ । ସାହେବଙ୍କୁ ସବୁଖବର ସେହି ଦିଅନ୍ତି-। ତେଣୁ ପିଲାଙ୍କ ପାଖରେ ସାହେବଙ୍କ ଅପେକ୍ଷା ତାଙ୍କର ପ୍ରତାପ ଆହୁରି ବେଶି । ସେ ପୁଣି ପ୍ରଫେସର୍‍ମାନଙ୍କ ସହିତ ବସାଉଠାକରି ସେମାନଙ୍କର ଖୁବ୍‌ ଅନ୍ତରଙ୍ଗ ହୋଇଥାନ୍ତି-। ଅଧ୍ୟାପକମାନେ ମଧ୍ୟ ତାଙ୍କୁ ଆଶଙ୍କାକରି ଚଳନ୍ତି କାଳେ କେତେବେଳେ କାହା ନାଁରେ ସାହେବ କାନରେ କ’ଣ ଫୋଡ଼ିଦେବେ । ହେଡ଼୍‍କିରାଣିଙ୍କଠାରୁ ଏତକ ଶୁଣି ତାରା ପ୍ରଭୃତି ବଡ଼ ଚିନ୍ତିତ ହେଲେ । ଗୋରା ସବୁକଥା ଶୁଣିଲା । ଆଶ୍ରମରେ ମଧ୍ୟ ସମସ୍ତେ ଏ କଥା ଶୁଣିଲେ । ସମସ୍ତେ ମତଦେଲେ ‘ତୁମେ ଯାଇଁ ଅଧ୍ୟକ୍ଷଙ୍କୁ ସିଧା ଦେଖାକର । ଦେଖ ସେ କ’ଣ କହୁଚି ।’ ତା’ପରଦିନ ସେ ତିନିହେଁ ଆଉ ହେଡ଼୍‍କିରାଣିଙ୍କୁ କିଛି ନ କହି ସିଧା ଅଧ୍ୟକ୍ଷଙ୍କୁ ଭେଟିଲେ । ଅଧ୍ୟକ୍ଷ ସବୁ ଶୁଣି କହିଲେ, “ତୁମେ ଯଦି ହଷ୍ଟେଲ୍‍ରେ ରହିବ ବୋଲି ରାଜି ହୁଅ, ତେବେ ତୁମ୍ଭମାନଙ୍କ ନାଁ ଲେଖେଇବାକୁ ଅନୁମତି ଦିଆଯିବ । ଏ କଥାରେ ତିନିଜଣଯାକ ସାଙ୍ଗେ ସାଙ୍ଗେ ରାଜି ହୋଇଗଲେ-। ସାହେବ ଖଣ୍ଡେ କାଗଜରେ ଅଫିସ୍‍କୁ ଲେଖିଦେଲେ–‘ଏ ତିନିଜଣଙ୍କଠାରୁ ହଷ୍ଟେଲ୍‍ ଫି ନେଇ ହଷ୍ଟେଲ୍‍ରେ ରଖିବାକୁ ହେବ ଏବଂ ତିନିଜଣଙ୍କ ନାଁ ମଧ୍ୟ କଲେଜରେ ଲେଖେଇ ଦିଆଯିବ-।’ ଏ ଖଣ୍ଡକ ଧରି ତିନିହେଁ ଅଫିସ୍‍ରେ ପହଞ୍ଚିଲେ । ହେଡ଼୍‍କିରାଣି ସେତକ ପଢ଼ି କିଛି ନକହି ଅଧ୍ୟକ୍ଷଙ୍କ ପାଖକୁ ଛୁଟିଲେ । କିଛି ସମୟ ପରେ ଫେରିଆସି ଅଫିସ୍‍ରେ କହିଲେ, ଏ ତିନିଙ୍କଠାରୁ ସବୁ ଫିସ୍‌ ନେଇ ଆଜି ନାଁ ଲେଖେଇଦିଅ । ଆଜି ନହେଲେ କାଲିକୁ ଆଉ ନାଁ ଲେଖେଇବାକୁ ଦିଆଯିବନାହିଁ-। ଉଦ୍ଦେଶ୍ୟ କାଳେ ଏମାନଙ୍କଠାରେ ଟଙ୍କା ନଥିବ । ହଷ୍ଟେଲ୍‍ ଫିସ୍, ନାଁ ଲେଖା ଫିସ୍‌ ପ୍ରଭୃତି ଏତେଗୁଡ଼ାଏ ଟଙ୍କା ଦାଖଲ କରିବାକୁ, ଓଡ଼ିଆ ପିଲାଙ୍କର ଅଣ୍ଟାବଳ ଓଡ଼ିଆ ହେଡ଼୍‍କିରାଣିଙ୍କୁ ଭଲ ଜଣା । ବାସ୍ତବିକ, ଏମାନଙ୍କ ପାଖରେ ଏତେ ଟଙ୍କା ନଥାଏ; କିନ୍ତୁ ଏହି ତିନିଙ୍କ ନାଁ ଲେଖାନେଇ ସେତେବେଳେ କଲେଜରେ ବେଶ୍ ହୁଲସ୍ତୁଲ ପଡ଼ିଯାଇଥାଏ । ତେଣୁ ଅଧଘଣ୍ଟାକ ଭିତରେ ତିନିଜଣଙ୍କ ନାଁ ଲେଖାପାଇଁ ଯାହା ଟଙ୍କା ଦରକାର ସବୁ ଯୋଗାଡ଼ ହୋଇଗଲା । ତିନିହେଁ ନାଁ ଲେଖେଇଲେ । ହେଡ଼୍‍କିରାଣି ଖାଲି ଦାନ୍ତ କଡ଼ମଡ଼ କରି ରହିଲେ ।

 

ନାଁ ତ ଲେଖାହେଲା; କିନ୍ତୁ ସନ୍ଧ୍ୟାବେଳକୁ ବାପା ଯେତେବେଳେ ଶୁଣିଲେ ଯେ ତାରାକୁ କଲେଜ ହଷ୍ଟେଲ୍‍ରେ ରହିବାକୁ ହେବ, ସେ ବଡ଼ ବ୍ୟସ୍ତହେଲେ । ବସାରେ ଗୋଟାଏ ରୋଷେଇରେ ଗଣ୍ଡିଏ ଖାଇ ଖଣ୍ଡେ ପିନ୍ଧି କଲେଜରେ ପଢ଼ି ଯାଉଥିଲା । ବର୍ତ୍ତମାନ ହଷ୍ଟେଲ୍‍ରେ ରହିଲେ ଅତି କମ୍‍ରେ କୋଡ଼ିଏ ଟଙ୍କା ନହେଲେ ନଚଳେ । ନଗଦ କୋଡ଼ିଏ ଟଙ୍କା ଏକକାଳୀନ ଦେବା ଏକ ସମସ୍ୟା । ପ୍ରତିଦିନ ପଛେ କଚେରି-ଫେରନ୍ତି ଟଙ୍କାଏକରି ଦେଇହେବ; କିନ୍ତୁ ଏକକାଳୀନ କୋଡ଼ିଏ ଟଙ୍କା ଦେବା କଷ୍ଟକର । ଗୋରା, ନାନୁବାବୁ ବସି ବିଚାର କଲେ । ଗୋରା ମାସିକ ଦଶଟଙ୍କା ଦେବ ବୋଲି କହିଲା । ଆଉ ଦଶଟଙ୍କା ନାନୁବାବୁ ଦେବେ । ସେଥିରେ କଲେଜ ଦରମା, ଧୋବା, ଭଣ୍ଡାରି ସବୁ ଚଳିଯିବ । ଏ ବ୍ୟବସ୍ଥା ସତ୍ତ୍ଵେ ତାରାକୁ ଗାଳି ମଧ୍ୟ କମ୍ ହେଲାନାହିଁ । ତାକୁ ଘରକୁ ଡକେଇଆଣି ଭଲ ଭାବରେ ତାଗଦା କରି ଦିଆଗଲା । ତାରା ଚୁପ୍ ହୋଇ ସବୁ ଶୁଣୁଥାଏ ।

 

ସାତଦିନ ପରେ ହଷ୍ଟେଲ୍‍ ଖୋଲିବ । ସେଇ ଦିନକୁ ସବୁ ଠିକ୍‌ଠାକ୍ କରିଯିବାକୁ ହେବ । ବସାରେ ଏକରକମ ଚଳିଯାଉଥିଲା । ହଷ୍ଟେଲ୍‍ରେ ଚଳିବାକୁ ହେଲେ କେତେ ଜିନିଷ ସ୍ୱତନ୍ତ୍ର କରିବାକୁ ହେବ । ସ୍ୱତନ୍ତ୍ର ଗଦି, ବିଛଣାଚଦର, ମଶାରି ପ୍ରଭୃତି କିଣାଗଲା । ବାପା ଏଣେ ରାଗୁଥାନ୍ତି, ତେଣେ କିନ୍ତୁ ଗୋଟି-ଗୋଟିକରି ସବୁ କିଣିକରି ଆଣୁଥାନ୍ତି । ଗୋରା ସବୁ ଠିକ୍‍ଠାକ୍ କରିଦେଲା । ତା’ର ଯିବାକୁ ଆଉ ଚାରିଦିନ ଥାଏ । ସେ ତାରାର ଜିନିଷପତ୍ରସବୁ ଠିକ୍ କରି ତାକୁ ନେଇ ହଷ୍ଟେଲ୍‍ରେ ଛାଡ଼ିଦେଇ ଆସିଲା । ତାରା ପଢ଼ାପଢ଼ି ନକରି ବୁଲିବ ବୋଲି ନାନୁବାବୁ ତାକୁ ତା’ର ସାଇକଲ୍ ହଷ୍ଟେଲ୍‍ ନେବାକୁ ଦେଲେନାହିଁ । ହଷ୍ଟେଲ୍‍ରେ ତ ରହିବ, ସାଇକଲ୍‍ଟା କ’ଣ ହେବ-? ଶ୍ରୀକାନ୍ତ ମଧ୍ୟ ହଷ୍ଟେଲ୍‍କୁ ଗଲା । ସୋମ ତ ଆଗରୁ ହଷ୍ଟେଲ୍‍ରେ ଥିଲା । ଏ ତିନି ଜଣଙ୍କୁ ଦୋମହଲା ଉପରେ ତିନିଟା ଗୋଟିକିଆ କୋଠରି ଦିଆଗଲା । କାଳେ ଚାରିଜଣିଆ କୋଠରିରେ ରହିଲେ ସେମାନେ ଅନ୍ୟ ପିଲାମାନଙ୍କୁ ଖରାପ କରିଦେବେ, ସେହି ଭୟରେ ହେଡ଼୍‍କିରାଣିବାବୁଙ୍କର ସୁଚିନ୍ତିତ ଏ କଡ଼ା ବ୍ୟବସ୍ଥା । ସେତେବେଳେ ଅବଶ୍ୟ ହଷ୍ଟେଲ୍‍ରେ ରହିବାକୁ ସେତେ ଭିଡ଼ ନଥାଏ ।

 

ଏଗାର

 

ହଷ୍ଟେଲ୍‍ରେ ରହିବା ସାତଦିନ ହୋଇଗଲାଣି; ତାରା ବସାକୁ ଆସି ନଥାଏ । ତାହା ବୋଲି ବଜାରକୁ ଆସିବା ବନ୍ଦ ନଥାଏ । ଯାହା ସାଙ୍ଗରେ ହେଉ ସାଇକଲ୍ ପଛରେ ସେ ୟା ଭିତରେ ତିନି ଚାରିଥର ବଜାରରୁ ଆସିଲାଣି । ଆଶ୍ରମକୁ ଯାଏଁ । ମେଡ଼ିକାଲ ହଷ୍ଟେଲ୍‍କୁ ଯାଏଁ; କିନ୍ତୁ ବସାକୁ ଯାଉ ନଥାଏ । ତନୁକୁ ଦିନେ ନାନୁବାବୁଙ୍କ ମନକଥା ଜାଣିବାକୁ ବସାକୁ ପଠେଇଥିଲା-। ନାନୁବାବୁ ତାରା କାହିଁକି ବସାକୁ ଆସୁନାହିଁ ବୋଲି ପଚାରିବାରୁ ତନୁ କହିଲା, ‘ସାଇକେଲ ନାହିଁ’-। କଲେଜ କ୍ଲାସ୍‍ ସାରି ବସାକୁ ଆସି ପୁଣି ଠିକ୍ ସମୟରେ ଯାଇ ହଷ୍ଟେଲ୍‍ରେ ଉପସ୍ଥାନ ଦେବା ସମ୍ଭବପର ନୁହେଁ ବୋଲି ସେ ଆସୁନାହିଁ ।’ ନାନୁବାବୁ କହିଲେ, ସେ ତା’ ସାଇକଲ୍‍ଟା ଆସି ନେଇଯାଉନାହିଁ ? ଏଠି ଆମର କ’ଣ ହେବ, ଖାଲି ଜଗା ଯାହା ଚଢ଼ୁଛି ଦିପହରେ-। ସେତିକି ଦରକାର ଥିଲା । ତନୁ ନାନୁବାବୁଙ୍କ ମନକଥା ବୁଝିଆସି ତାରାକୁ ସେକଥା କହିଲା ।

 

ତହିଁଆର ଶନିବାରଦିନ ତାରା ବସାକୁ ଆସିଲା ତନୁ ସାଙ୍ଗରେ । ହଷ୍ଟେଲ୍‍ରେ ଖାଇବାର ଯେତେ ସୁବିଧା ଥିଲେ ମଧ୍ୟ ଘର ଖାଇବା ତୁଳନାରେ ସେଇଟା ତାରା ମନକୁ ମୋଟେ ପାଉ ନଥାଏ । ହଷ୍ଟେଲ୍‍ ତରକାରୀ ତାକୁ ମୋଟେ ଭଲଲାଗୁ ନଥାଏ । ତାରା ବସାରେ ଜଳଖିଆ ଖାଇଲା । ସାଇକଲ୍‍ଟା ନେଇ ହଷ୍ଟେଲ୍‍କୁ ଫେରିଗଲା । ସାଇକଲ୍‍ଟା ମିଳିଯିବାରୁ ସବୁକଥା ସୁବିଧା ହେଲା ।

 

କଲେଜ ହଷ୍ଟେଲ୍‍ ସେତେବେଳେ ଗୋଟିଏ ଜେଲ୍‍ଖାନା କହିଲେ ଚଳେ । ଦି’ ମୁଣ୍ଡରେ ଓ୍ୟାଡ଼େନ୍ । ବୋଧହୁଏ ଜେଲ୍‍ଖାନା ଓ୍ୟାଡ଼େନ୍ ଭଳି ଏହାଙ୍କ କାମ ବୋଲି ଏହାଙ୍କ ନାମ ଏପରି ହୋଇଛି ବୋଲି ତାରା ଓ ତା’ ସାଙ୍ଗମାନଙ୍କର ମତ । ପଛ ପାଖରେ ବାଟଟିଏ । ଅନ୍ୟ ସବୁ ବାଟ ସନ୍ଧ୍ୟାବେଳୁ ବନ୍ଦ କରିଦିଆଯାଏ । ଉପସ୍ଥାନ ନିଆଯାଏ । କେବଳ ଗୋଟାଏ ବାଟ ଖୋଲାଥାଏ । ଉପସ୍ଥାନ ନିଆଗଲା ପରେ ଯିଏ ଆସିବ ସେ ସେହିବାଟେ ଆସିବ ଓ ସେଠାରେ ଜଗିଥିବା ଲୋକ ତାହାର ନାଁ ଓ୍ୟାଡ଼େନ୍‌ଙ୍କୁ ଜଣେଇବ । ଘରେ ଏସବୁ କଟକଣା ନଥିଲା । ସନ୍ଧ୍ୟାବେଳଟା ତ ବୁଲିବାର ପ୍ରକୃଷ୍ଟ ସମୟ । କେବେ ଆଠଟା ତ କେବେ ନଅଟାରେ ତାରା ଘରକୁ ଫେରେ । ତେଣୁ ହଷ୍ଟେଲ୍‍ରେ ବଡ଼ ଅଡ଼ୁଆରେ ପଡ଼ିଲେ ବିଶେଷକରି ତାରା ଓ ଶ୍ରୀକାନ୍ତ । ଏକେ ତ ବାହାରେ ସନ୍ଧ୍ୟାପରେ ବୁଲିବା ତାଙ୍କର ଅଭ୍ୟାସ । ତା’ ଉପରେ ହଷ୍ଟେଲ୍‍ର କଟକଣା, ବିଶେଷକରି ଓ୍ୟାଡ଼େନ୍‌ଙ୍କ କଡ଼ା ଆଖି ସେ ଦୁହିଁଙ୍କ ଉପରେ ବେଶି । ସେମାନେ ସୁବିଧା ପାଇଲେ କୁଆଡ଼େ ସମସ୍ତଙ୍କୁ ବିଗାଡ଼ିଦେବେ । ଓ୍ୟାଡ଼େନ୍‌ କିନ୍ତୁ ତାରା, ଶ୍ରୀକାନ୍ତ, ସୋମନାଥ ଓ ତାଙ୍କରି ପରି ସମାନ ମନୋଭାବାପନ୍ନ ପିଲାଙ୍କୁ କେଜାଣି କାହିଁକି ଆନ୍ତରିକ ଶ୍ରଦ୍ଧା କରନ୍ତି, ଅଥଚ ଉପରକୁ ଖୁବ୍ କଡ଼ା । ସେ ନିଜେ ବହୁଦିନ ପାଶ୍ଚାତ୍ୟ ଦେଶରେ କଟେଇଥିବା ଯୋଗୁଁ କିମ୍ବା ତାରା ଓ ତା’ର ସଙ୍ଗୀମାନେ ଖୁବ୍ ଭଲପିଲା ଓ ଭଲ ପଢ଼ନ୍ତି ବୋଲି ବୋଧହୁଏ ସେମାନଙ୍କୁ ସେ ଆନ୍ତରିକ ସ୍ନେହ ଓ ଶ୍ରଦ୍ଧା କରନ୍ତି-

 

ହଷ୍ଟେଲ୍‍ ଚଳଣି ସହିତ ଖାପଖୁଆଇ ତାରା ଆଉ ଶ୍ରୀକାନ୍ତ ଚଳିଗଲେଣି । ଆଜିକାଲି ମେଡ଼ିକାଲ ସ୍କୁଲ୍‍ ହଷ୍ଟେଲ୍‍ରେ ସନ୍ଧ୍ୟାବେଳେ ବୈଠକ ବସୁଛି । ଗତ ଅସହଯୋଗ ଆନ୍ଦୋଳନରେ ଜେଲଫେରନ୍ତା କେଇଜଣ ପିଲା ସେଠାରେ ନାଁ ଲେଖେଇଥା’ନ୍ତି । ଜିତେନ୍‌ଦା ଆଗରୁ ମେଡ଼ିକାଲରେ ଇସ୍ତମରାରି ପଟ୍ଟା କରିଥାଆନ୍ତି । ତାଙ୍କ ହଷ୍ଟେଲ୍‍ରେ କଲେଜ ହଷ୍ଟେଲ୍‍ ପରି କଟକଣା ନଥାଏ । ସେମାନେ ସେଠାରେ ସ୍ୱାଧୀନଭାବରେ ବସବାସ କରନ୍ତି । ସେଠାକାର ପରିଚାଳନା ପୂର୍ଣ୍ଣଭାବରେ ଛାତ୍ରମାନଙ୍କ ହାତରେ । ବିଶେଷତଃ ଜିତେନ୍ ଦା’ ଓ ତାଙ୍କ ଦଳର ତିନି ଚାରିଜଣ ଛାତ୍ର ସେଠାରେ ସର୍ବେସର୍ବା । ନିଜ ରହିବା କୋଠରି ଛଡ଼ା କେବଳ ବସି ଆଡ଼୍‌ଡ଼ା ଦେବାପାଇଁ ଗୋଟିଏ ସ୍ୱତନ୍ତ୍ର କୋଠରି ରଖାଯାଇଥାଏ । ତା’ର ଚାବି ଏହିମାନଙ୍କ ହାତରେ । ତାରା, ତନୁ, ସୋମ ପ୍ରଭୃତି ମେଡ଼ିକାଲ ହଷ୍ଟେଲ୍‍ ଗଲେ ସେହିଠାରେ ବସନ୍ତି । ଅକାଳେ ସକାଳେ ୟା’ଙ୍କରି ଦଳର କେହି ବିଦେଶାଗତ ବନ୍ଧୁ ମଧ୍ୟ ସେହିଠାରେ ଆଶ୍ରା ପାଏ ।

 

କଲେଜ ଉପରେ ସବୁଦିନେ ଗୋଟିଏ ୟୁନିୟନ୍‌ଜ୍ୟାକ୍ ପତାକା ଉଡ଼ୁଥାଏ; କିନ୍ତୁ ହଠାତ୍ ଦିନେ ଦେଖାଗଲା ସେଠାରେ ଗୋଟିଏ ତିନିରଙ୍ଗିଆ ବିରାଟ ଜାତୀୟପତାକା ସଗର୍ବେ ଫର୍‌ଫର୍ ହୋଇ ଉଡ଼ୁଛି । ସାଢ଼େ ଦଶଟାରେ କଲେଜକୁ ପିଲାମାନେ ଆସିଗଲେ । ସେ ପତାକାକୁ ଦେଖି ସବୁ ପିଲା ବଡ଼ ଖୁସିଟାଏ ହୋଇଗଲେ । ଚାରିଆଡ଼େ ଚର୍ଚ୍ଚା ଚାଲିଲା–ଏ କାମ କଲା କିଏ ? ଏତେଦିନପର୍ଯ୍ୟନ୍ତ ଏ କାମଟା ହୋଇପାରୁ ନଥିଲା; ଏବେ ଏହା ସମ୍ଭବ ହେଲା କିପରି ? ପୁଣି ଶୁଣାଗଲା ଯେ ୟୁନିୟନ୍‍ଜ୍ୟାକ୍‌ଟା ସେଇ ପତାକାସ୍ତମ୍ଭତଳେ ଦରପୋଡ଼ା ହୋଇପଡ଼ିଛି । କଲେଜ କୋଠାର ଠିକ୍ ମଝିରେ ଦୋମହଲା ଉପରେ ଏହି ପତାକାସ୍ତମ୍ଭ । ସେଠାକୁ ଚଢ଼ିବା ବଡ଼ କଷ୍ଟକର । ତଳମହଲାରୁ ଉପରମହଲାକୁ ଯିବାପାଇଁ ଥିବା ଘୂରାସିଡ଼ିଟାର ଉପରେ ଥିବା କବାଟ ତ ବନ୍ଦ ଥିବ, ଉପରମହଲାକୁ କିଏ କିପରି ଗଲା, ଉପରମହଲାକୁ ଯଦିବା କୌଣସିମତେ ଗଲା, ତା’ଉପରକୁ ଯାଇଁ ଛାତ ଉପରେ ପହଞ୍ଚିଲା କିପରି ? ତା’ ଉପରକୁ ତ ସିଡ଼ି ନାହିଁ । ଏସବୁ ନାନା କଳ୍ପନା-ଜଳ୍ପନା ଦିନସାରା କଲେଜ ପିଲାମାନଙ୍କ ଭିତରେ ଚାଲିଲା । କିଏ କେମିତି ଗାଇବୁଲିବାର ଶୁଣାଗଲା, “ଉଡ଼ି ବୁଲରେ ସ୍ୱରାଜ ପତାକା ଆଜି, ଶୁଭବେଳରେ ନବ ତବସ୍ୱରୂପ ସାଜି ।” କେହିବା ଗାଇଲେ, “ଝଣ୍ଡା ଉଁଚ୍ଚା ରହେ ହମାରା... ।” କଲେଜ ବନ୍ଦ ହେଲା । କେହି ସେ ପତାକାରେ ହାତ ଦେଇ ନଥିଲେ; କିନ୍ତୁ ତା’ ପରଦିନ ଦେଖାଗଲା, ଜାତୀୟପତାକା ସ୍ଥାନରେ ୟୁନିୟନ୍‍ଜ୍ୟାକ୍ ଉଡ଼ୁଛି । ଦିନକପାଇଁ ହେଉ ପଛକେ ଭାରତର ଜାତୀୟପତାକା ଓଡ଼ିଶାର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରେଭେନ୍‌ସା କଲେଜ ଉପରେ ଉଡ଼ିଗଲା । ବ୍ରିଟିଶରାଜ ସେତେବେଳକୁ ଦୁର୍ବଳ ହୋଇ ନଥିଲା କି ନିଜ ସାମ୍ରାଜ୍ୟର ଶ୍ରେଷ୍ଠ ରତ୍ନ ଭାରତକୁ ଛାଡ଼ି ଚାଲିଯିବାର ସାମାନ୍ୟତମ ସମ୍ଭାବନା ମଧ୍ୟ କାହାରି ମୁଣ୍ଡକୁ ଆସି ନଥିଲା ।

 

ମାର୍ ମାର୍ ଭଣ୍ଡାରିଆକୁ ମାର୍ । କାହିଁ, ଆଜିଯାକେ ତ ଏପରି ଗୋଟାଏ ଲଜ୍ଜାକର ପରିସ୍ଥିତି କଲେଜ ଚୌହଦୀ ମଧ୍ୟରେ ହୋଇ ନଥିଲା । ଏଇ କେଇଜଣଙ୍କୁ ବାଧ୍ୟକରି ହଷ୍ଟେଲ୍‍ରେ ରଖିବାର କ’ଣ ଏହି ଅଲକ୍ଷଣ ବ୍ୟାପାର କଲେଜରେ ଘଟିଲା ? ହୋଇପାରେ । ହେଡ଼୍‌କିରାଣିବାବୁ ହେଲେ ଗୋରା ଅଧ୍ୟକ୍ଷଙ୍କ ମନ୍ତ୍ରଣାଦାତା । ସେ ତାଙ୍କୁ କ’ଣ ବୁଝେଇଲେ କେଜାଣି, ତା’ ପରଦିନ ତାରା, ଶ୍ରୀକାନ୍ତ, ସୋମ ଓ ଆଉ ତିନିଜଣ ପିଲାଙ୍କୁ ଚବିଶିଘଣ୍ଟା ଭିତରେ ହଷ୍ଟେଲ୍‍ ଛାଡ଼ି ବାହାରିଯିବାକୁ ଆଦେଶ ଦିଆଗଲା । କଲେଜରେ ଏ ଆଦେଶ ପାଇଲା ପରେ ତାରା ଆଉ ଶ୍ରୀକାନ୍ତ ହଷ୍ଟେଲ୍‍କୁ ଆସି ସାଙ୍ଗେ ସାଙ୍ଗେ ତାଙ୍କ ବିଛଣାପତ୍ର ବାନ୍ଧିବାରେ ଲାଗିପଡ଼ିଲେ । ଦୁହେଁ ଗୋଟାଏ ହାତଟଣା ରିକ୍ସା ଡାକିଆଣି ସେଥିରେ ଦୁହିଁଙ୍କର ବିଛଣାପତ୍ର ଲଦି ବାହାରିପଡ଼ିଲେ । ତାରା ପଛରେ ବସିଲା ଶ୍ରୀକାନ୍ତ । ସେମାନଙ୍କୁ ବାଟେଇଦେବାକୁ ହଷ୍ଟେଲ୍‍ରୁ ବହୁ ପିଲା ଆସିଲେ । ଘରେ ଜିନିଷକୁ ଥୋଇ ‘ଆମେ ସାଙ୍ଗେ ସାଙ୍ଗେ ଆସୁଛୁ’ ବୋଲି କହି ଦୁହେଁ ଚାଲିଗଲେ । କଲେଜ ହଷ୍ଟେଲ୍‍ରେ ରହଣିକାଳଟା ଏତେ କମ୍ ଦିନପାଇଁ ହେବ ବୋଲି କାହାରି ଧାରଣା ନଥିଲା ।

 

କଲେଜ କର୍ତ୍ତୃପକ୍ଷଙ୍କ ଏତାଦୃଶ ଆଦେଶ ବିରୁଦ୍ଧରେ ପ୍ରତିବାଦ କରିବାପାଇଁ ହଷ୍ଟେଲ୍‍ ପଛ ପଡ଼ିଆରେ ସେହି ସନ୍ଧ୍ୟାରେ ଏକ ସଭାର ଆୟୋଜନ ହେଲା । ତାରା ଓ ଶ୍ରୀକାନ୍ତ ଜିନିଷପତ୍ର ରଖି ଟାଉନ୍‍ରୁ ଫେରିଆସିଲେ । ସଭାରେ ବହୁ ଆଲୋଚନା ପରେ ସ୍ଥିରହେଲା ଯେ କର୍ତ୍ତୃପକ୍ଷ ଏ ଆଦେଶ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ହଷ୍ଟେଲ୍‍ରେ ଅନଶନ ଧର୍ମଘଟ ହେବ । କେହି ହଷ୍ଟେଲ୍‍ରେ ଖାଇବେ ନାହିଁ; କିନ୍ତୁ ସମସ୍ତେ କଲେଜରେ ଯୋଗଦେବେ । ସେହି ଅନୁସାରେ ତା’ପରଦିନ ହଷ୍ଟେଲ୍‍ରେ ରନ୍ଧାରନ୍ଧି ହୋଇଥିବା ସତ୍ତ୍ଵେ କେହି ଖାଇଲେ ନାହିଁ, ଅଥଚ କଲେଜରେ ଯୋଗଦେଲେ ସମସ୍ତେ । ଦୁଇଦିନ ଏହିପରି ଚାଲିଲାପରେ ତୃତୀୟଦିନ ଅଧ୍ୟକ୍ଷ କେବଳ ବିତାଡ଼ିତ ଛାତ୍ରମାନଙ୍କୁ ସତର୍କ କରେଇଦେଇ ହଷ୍ଟେଲ୍‍ରେ ରହିବାକୁ ଅନୁମତି ଦେଲେ; କିନ୍ତୁ ତାରା ଆଉ ଶ୍ରୀକାନ୍ତଙ୍କୁ ହଷ୍ଟେଲ୍‍ରେ ରହିବାକୁ ଅନୁମତି ଦିଆଗଲାନାହିଁ । କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରୁଥିବା ଛାତ୍ର-ପ୍ରତିନିଧିମାନେ ଏ ସମାଧାନରେ ରାଜିହେଉ ନଥିଲେ; କିନ୍ତୁ ପରେ ସମସ୍ତଙ୍କ ହିତଦୃଷ୍ଟିରୁ ତାରା ଓ ଶ୍ରୀକାନ୍ତ ସ୍ୱଇଚ୍ଛାରେ ହଷ୍ଟେଲ୍‍ରୁ ଚାଲିଯିବାକୁ ରାଜିହେବାରୁ ସବୁ ବିଷୟର ଗୋଟାଏ ସମାଧାନ ହୋଇଗଲା ।

 

ତାରା ଓ ଶ୍ରୀକାନ୍ତ ସେଇଆ ଖୋଜୁଥିଲେ । ସେମାନେ ଘରପୁଅ ଘରକୁ ଫେରିଆସିଲେ-। ଲାଭ ଭିତରେ ଏତିକି ହେଲା, ଲୌହ ପରଦାର ଅନ୍ତରାଳରେ ସଯତ୍ନେ ସୁରକ୍ଷିତ କଲେଜରେ ସରକାର ବିରୋଧୀ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଗଲା । ଏହି ଦୁଇଦିନିଆ ଆନ୍ଦୋଳନ ଭିତରେ ଆଉ ମଧ୍ୟ କେତେକ ଛାତ୍ର ଯାହାଙ୍କର କି କଥା କହିବାର, ସଙ୍ଗଠନ କରିବାର ବା ଆନ୍ଦୋଳନ କରିବାର ଅନ୍ତର୍ନିହିତ ଶକ୍ତି ଥିଲା, ସେମାନେ ଆଗକୁ ଆସିଗଲେ । କଲେଜ ହଷ୍ଟେଲ୍‍ ଯାହାକି ଏତେଦିନପର୍ଯ୍ୟନ୍ତ ବ୍ରିଟିଶ ସରକାରଙ୍କର ଗୋଟିଏ ଜେଲ୍‍ଖାନାପରି ହୋଇଥିଲା, ତାହା ଆଉ ସେପରି ହୋଇ ରହିଲାନାହିଁ । ପରୀକ୍ଷାମୂଳକ ଗୋଟିଏ ଛୋଟିଆ ଆନ୍ଦୋଳନରେ କଲେଜଛାତ୍ର ବିଜୟୀ ହୋଇ ଆଗାମୀ ଆନ୍ଦୋଳନପାଇଁ କ୍ଷେତ୍ର ପ୍ରସ୍ତୁତ କଲେ । ସମଗ୍ର ଓଡ଼ିଶାର ଭବିଷ୍ୟତ ସଂଗ୍ରାମୀ ଯୁବସମାଜର ଯେଉଁମାନେ ଦିନେ ଅଗ୍ରଣୀ ହେବେ, ସେହିମାନେ ଥିଲେ ସେତେବେଳର ଛାତ୍ର । ତାରାଙ୍କ ଦଳର ମନସ୍କାମନା ପୂର୍ଣ୍ଣହେଲା ।

 

କଲେଜରେ ଏ ଗୋଳମାଳ ଯେତେ ସାମାନ୍ୟ ହେଲେବି ଏହା ଜିଲା ମାଜିଷ୍ଟ୍ରେଟ ଓ ପୋଲିସ୍ ସାହେବଙ୍କ ଆଖିକୁ ଆସିଲା । ଅଧ୍ୟକ୍ଷ ଗୋରା, ପୁଲିସ ସାହେବ ଗୋରା, ଜିଲା ମାଜିଷ୍ଟ୍ରେଟ ଦେଶୀ ହେଲେବି ଆଇ.ସି.ଏସ୍.–ଏମାନଙ୍କର ପ୍ରତାପ ବିଦେଶୀଶାସକଙ୍କଠାରୁ ଆହୁରି ବେଶି । କିନ୍ତୁ ଯେତେ ସଚ୍ଚୋଟପଣିଆ ଦେଖେଇଲେବି ଗୋରାଲୋକମାନେ ସେତେବେଳକୁ ଭାରତୀୟ ସିଭିଲିୟାନମାନଙ୍କୁ କିପରି ଗୋଟାଏ ସନ୍ଦେହ-ଚକ୍ଷୁରେ ଦେଖିଲେଣି । ତେଣୁ କଲେଜ ଅଧ୍ୟକ୍ଷ ଓ ପୋଲିସ୍‍ ସାହେବଙ୍କ କଥାବାର୍ତ୍ତା ପରେ କଲେଜର କେତେକ ଛାତ୍ରଙ୍କର ଗତିବିଧି ଲକ୍ଷ୍ୟ କରିବାର ବନ୍ଦୋବସ୍ତ କରାଗଲା । କଲେଜରେ ପଢ଼ୁଥିବା କେତେକ ଛାତ୍ରଙ୍କୁ ଏଥିପାଇଁ ହାତକରାଗଲା । ସେମାନେ ଜାତୀୟବାଦୀ ଛାତ୍ରମାନଙ୍କ ସାଙ୍ଗରେ ଖୁବ୍ ବନ୍ଧୁତା ସ୍ଥାପନକରି, ଏପରିକି ଦରକାରବେଳେ କୌଣସି ଆନ୍ଦୋଳନ ପାଇଁ ହେଉଥିବା ଗୁପ୍ତବୈଠକ ବା ଛୋଟ ସଭାରେ ବକ୍ତୃତା ଦେଇ ଆନ୍ଦୋଳନକୁ ଖୁବ୍ ଜୋର୍‍ସୋର୍‍ରେ ଚଳାଇବା ପାଇଁ ଉତ୍ସାହିତ କରୁଥିଲେ-। ସେତେବେଳେ ଆନ୍ଦୋଳନର ଭବିଷ୍ୟତ ଗତି ବିଷୟରେ ନେତାମାନଙ୍କର ମଧ୍ୟ ମତିଗତି ସ୍ଥିର ନଥାଏ । ପିଲାଏ ଏବେ କି ଆନ୍ଦୋଳନ କରିବେ ? ତେବେ ପିଲାଙ୍କଠାରେ ଲଢ଼ୁଆ ମନୋବୃତ୍ତିକୁ ଜାଗ୍ରତ ରଖିବାକୁ ନାନାପ୍ରକାର ପ୍ରୟାସ ମଧ୍ୟ ସର୍ବଭାରତୀୟ ସ୍ତରରେ କରାଯାଉଥାଏ-

 

କାଗଜ ସବୁ ବନ୍ଦଥାଏ । ଦିନେ ମଦନବାବୁ ଆସି ତାରା ଓ ତା’ର ସାଙ୍ଗମାନଙ୍କୁ ସନ୍ଧ୍ୟାବେଳକୁ ଆଶ୍ରମ ଆସିବାକୁ କହିଗଲେ । ସନ୍ଧ୍ୟାରେ ପାଞ୍ଚଜଣ ଛାତ୍ର ଓ ଦୁଇଚାରିଜଣ ଯୁବକ ଆଶ୍ରମରେ ପହଞ୍ଚିଲେ । ସେଠାରେ କଥା ହେଲା, ଲିଥୋ କରି ଖଣ୍ଡିଏ କାଗଜ ବାହାର କରିବାକୁ । ଏହାଦ୍ୱାରା ଲୋକେ ଚାରିଆଡ଼ର ଖବର ପାଇବେ । କଟକରେ ବହୁ ବାନରସେନା ‘ନା ଘରର ନା ଦେଶର’ ହୋଇ ବୁଲୁଛନ୍ତି । ତାଙ୍କୁ ଧନ୍ଦା ଯୋଗାଇବା କଷ୍ଟକର । ସେମାନେ ଚଳିବେ କିପରି ? ତେଣୁ ପ୍ରତ୍ୟେକଙ୍କୁ ଦଶଖଣ୍ଡିକରି କାଗଜ ଦିଆଯିବ । ସେମାନେ ସେତକ ବିକି ଦିନକୁ ପାଞ୍ଚଅଣା ପଇସା ପାଇବେ । ସେଥିରେ ଦୁଇଟା ମିଲ୍‌ ଓ ଗୋଟାଏ ଜଳଖିଆ ଖର୍ଚ୍ଚ ତାଙ୍କର ଉଠିଯିବ–ପଛେ ଦେଖାଯିବ ଅନ୍ୟ କଥା । ଏହାପାଇଁ ଲିଥୋମେସିନ୍‌, କାଗଜ, କାଳି ପ୍ରଭୃତି ଯୋଗାଇବାର ଦାୟିତ୍ଵ ରହିବ ମଦନବାବୁଙ୍କର; କିନ୍ତୁ ବାହାରର ଦୁଇଜଣ ଓ କଲେଜପିଲାଙ୍କ ଭିତରୁ ଛଅଜଣ ଏହି ଆଠଜଣଙ୍କର ପୂରା ଦାୟିତ୍ଵ ରହିଲା ଖବର ସଂଗ୍ରହ କରିବା, ତାକୁ ସମ୍ପାଦନା କରିବା ଓ ତାକୁ ଲିଥୋ କରି ବାନରସେନାଙ୍କ ହାତରେ ଦେବା । ବାନରସେନାମାନେ ନିଜେ ଆସି ଥାକ ଜାଗାରୁ କାଗଜ ନେଇଯିବେ । ତାଙ୍କୁ କେହି ଖୋଜିବାକୁ ଯିବନାହିଁ ।

 

ବିଚାର ଅନୁସାରେ ସାତଦିନ ଭିତରେ କାମ ଆରମ୍ଭ ହୋଇଗଲା । କାଳେ ସମ୍ପାଦକ, ଲେଖକ ଆଉ ଛାପିଲାବାଲା ଏକାସଙ୍ଗରେ ଧରାପଡ଼ିଯିବେ, ସେଥିପାଇଁ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳରେ ଏମାନେ ରହିଲେ । କାଗଜ ଲିଥୋ ସରିଲାପରେ କାଗଜ ବିକ୍ରି ଡିପୋ ରହିଲା ସହରର ବିଭିନ୍ନ ସ୍ଥାନରେ । ସେଠାରେ କାଗଜ ପହଞ୍ଚେଇ ଦିଆଯିବ । ବାନରସେନା ସେଠାରୁ ଆସି ଦଶଖଣ୍ତକରି କାଗଜ ତାଙ୍କ ଝୁଲାରେ ହେଉ ବା ଚାଦରତଳେ ହେଉ ନେଇ ଚାଲିଯିବେ । ସେମାନଙ୍କର ନିର୍ଦ୍ଦିଷ୍ଟ ଗରାଖ ଥିବେ । ତାଙ୍କୁ ଦେଇ ଦୁଇପଇସା କରି ନଗଦ ସଂଗ୍ରହ କରିନେବେ । ଯଦି ବିକି ନପାରିବେ ବା ବିକିକରି ପଇସା ଆଦାୟ କରି ନପାରିବେ ତେବେ ସେଦିନ ଅଧା ବା ପୂରା ଉପାସ ରହିଯିବେ । ପ୍ରଥମେ କେତେଦିନ ଓଡ଼ିଶାର ଖବର ଲୋକଙ୍କଦ୍ୱାରା ବା ଡାକରେ ଆସି ସନ୍ଦେହ କରାଯାଉ ନଥିବା ସହରର କେତେକ ଲୋକଙ୍କ ପାଖରେ ପହଞ୍ଚୁଥିଲା । ସେଠାରୁ ସେତକ ସଂଗୃହୀତ ହୋଇ ସମ୍ପାଦିତ ହେଲାପରେ ଲିଥୋ କରାଯାଉଥାଏ । ତାରା ଓ ତା’ର ସାଥୀମାନେ ସମ୍ପାଦନଠାରୁ ଲିଥୋକରିବା ପର୍ଯ୍ୟନ୍ତ ସବୁ କାମରେ ଧୁରନ୍ଧର ହୋଇ ଯାଇଥା’ନ୍ତି । କଲେଜରୁ ଫେରି କେଉଁଦିନ ନିଜ ନିଜ ଘରେ ବା ଅନ୍ୟ କେଉଁଠି ଏ କାମ ଚାଲେ ।

 

କାମ ଖୁବ୍ ଭଲରେ ଚାଲିଥାଏ । ଫୁଲସ୍କେପ୍ ଚାରିପୃଷ୍ଠାର କାଗଜ ପାଞ୍ଚଶହଖଣ୍ଡ ଛପାଯାଇଥାଏ । ଏଥିପାଇଁ ଗ୍ରାହକ ମଧ୍ୟ ଠିକ୍ ହୋଇଥାଏ । ସେଥିରୁ କେତେ ଖଣ୍ତ ପୁରୀ ଓ ବାଲେଶ୍ଵରକୁ ଲୋକଙ୍କ ହାତରେ ପଠାଯାଉଥାଏ; କିନ୍ତୁ କଟକରେ ଚାରିଶହ ଖଣ୍ତ କାଗଜ ନିଶ୍ଚିନ୍ତରେ ବିକ୍ରି ହୋଇଯାଏ । ଚାଳିଶଜଣ ବାନରସେନା ସେତକ ବିକି ନିଶ୍ଚିନ୍ତରେ ଚଳନ୍ତି । ସାଧାରଣ ମିଲ୍ ଗୋଟାକ ସେତେବେଳେ ଛଅପଇସା । ଟିକିଏ ଭଲ ମିଲ୍‌ ଦୁଇଅଣା । ତେଣୁ ସେମାନେ ନିଶ୍ଚିନ୍ତରେ ଥା’ନ୍ତି । ଯେଉଁ କାମପାଇଁ ବରାଦଦେଲେ ଆଗ୍ରହରେ ସେମାନେ ସେ କାମ କରିଦିଅନ୍ତି ।

 

ପୂରା ଚାରିସପ୍ତାହ କାଗଜ ଚଳିଛି କି ନାହିଁ, ଦିନେ ଦିପହରେ ମହମଦିଆବଜାରର ଗୋଟିଏ ଚାଳଘରୁ ଲିଥୋ ମେସିନଟାକୁ ପୋଲିସ୍‍ ଜବତ କରିନେଲେ । ଘରେ ଚାବି ପଡ଼ିଥିଲା । କେହି ନଥିଲେ । ଯେଉଁ ବିଧବା ବୁଢ଼ୀର ସେ ଘର, ତାକୁ ଭୁଲାଭୁଲିକରି ଧମକ-ଚମକ ଦେଇ ପୋଲିସ୍‍ ତା’ଠାରୁ କିଛି ସୁରାକ ପାଇଲା ନାହିଁ । ବୁଢ଼ୀ କହିଲା, “ସେ ତା’ ଘରକୁ ଭଡ଼ାରେ ଦେଇଛି-। ଘର ସବୁବେଳେ ଚାବି ପଡ଼ିଥାଏ । କେବେ କେମିତି ଦି’ଜଣ ଟୋକା ଆସି ଭିତରୁ କବାଟ ବନ୍ଦକରି ଦୁଇ ଚାରିଘଣ୍ଟା ରହନ୍ତି, ପୁଣି ଚାବି ବନ୍ଦକରି କିଏ କୁଆଡ଼େ ଯାଆନ୍ତି । ତା’ର ସେଥିରେ କ’ଣ ଅଛି । ସେ ଭଡ଼ାର ପିଆରା । ମେସିନ୍‌ ଜବତ ହେବାର ଖବର ସନ୍ଧ୍ୟାବେଳକୁ ଆଶ୍ରମରେ ପହଞ୍ଚିଯାଇଥାଏ । ତାରା ପ୍ରଭୃତି ସେଠାକୁ ଯାଇ ଏ ଖବର ପାଇ ଚିନ୍ତିତ ହେଲେ । ନିଶ୍ଚୟ ତାଙ୍କରି ଭିତରୁ କେହି ଲୋକ ଅଛନ୍ତି, ଯିଏକି ପୋଲିସ୍‍କୁ ଏ ଖବର ଦେଇଛନ୍ତି । ତେଣୁ ସତର୍କତା ଅବଲମ୍ବନ କରିବାର ସ୍ଥିରହେଲା ।

 

ମଦନବାବୁ ଦବିଯିବାର ଲୋକ ନୁହଁନ୍ତି । ସେ ପୁଣି କୁଆଡ଼ୁ ଗୋଟାଏ ଲିଥୋ ମେସିନ୍‌ ଯୋଗାଡ଼କରି ଆଣିଲେ । ମହମଦିଆବଜାର ଘର ଛାଡ଼ି ଆଉ ଗୋଟାଏ ଜାଗାରେ ତାକୁ ରଖାଗଲା । ପୁଣି କାମ ପୂର୍ବପରି ଚାଲିଲା । ଖାଲି ଓଡ଼ିଶା ଖବର ଦିଆନଯାଇ ଓଡ଼ିଶା ବାହାରର ଖବର ଚିଠିପତ୍ରରେ ନଆସି ଲୋକଙ୍କ ମାରଫତରେ କଲିକତାରୁ ଅଣାଯାଉଥାଏ । ଜଣେ ଲୋକ କଲିକତାରୁ ଖବରତକ ଆଣି ବାଲେଶ୍ଵରରେ ପହଞ୍ଚେ । କଟକରୁ ଓଡ଼ିଶାର ଖବର ନେଇ ଜଣେ ଲୋକ ବାଲେଶ୍ଵର ଯାଏଁ । ସେ ଓଡ଼ିଶା ଖବରତକ ଦେଇ କଲିକତା ଆଡ଼ର ଖବର ନେଇଆସେ । ଏହିପରି କାମ ଖୁବ୍ ଜୋରରେ ବର୍ଷେ ପର୍ଯ୍ୟନ୍ତ ଚଳିଲା । ତିନି-ତିନି ଥର ଲିଥୋ ମେସିନ୍‌ ପୋଲିସ୍‍ ଜବତକଲେ । କେବେ କେଉଁଠି ‘ସମ୍ବାଦ’ ବିକ୍ରିକଲାବେଳେ ଜଣେଅଧେ ବାନରସେନା ଧରାପଡ଼ିଲେ । କାଗଜ ନା ଥାଏ ‘ସମ୍ବାଦ’ ।

 

ୟା’ ମଧ୍ୟରେ ତାରା ଆଉ ତା’ର ସାଙ୍ଗମାନେ ଆଇ.ଏ., ଆଇ.ଏସ୍‌ସି. ପାସ୍‍କରି ବି.ଏ., ବି.ଏସ୍‌ସି.ରେ ନାଁ ଲେଖେଇଲେଣି । ପଢ଼ିବା ଗୋଟାଏ ଅବଲମ୍ବନ । ସେଇଟା ନଥିଲେ ହୁଏତ କଟକରେ ରହଣିଟା ସମ୍ଭବ ହୁଅନ୍ତାନାହିଁ । ପାସ୍‍ ତ ହୋଇଯାଉଛି ଯାହିତାହି । ସରକାରୀ ଚାକିରିର ତ ମୋହ ନାହିଁ । ତେଣୁ ଭଲଭାବରେ ପାସ୍‍କରି ଲାଭ କ’ଣ ? ପାସ୍‍ଟା ହେଲେ ହେଲା । ଘରେ ସମସ୍ତେ ସେତିକିରେ ସନ୍ତୁଷ୍ଟ । ସେମାନେ ତ କେଉଁଦିନୁ ପିଲାଙ୍କ ଭବିଷ୍ୟତ ଚିନ୍ତା ଛାଡ଼ିଲେଣି । ଖାଲି କାଗଜ ବାହାରକରିବା ଚିନ୍ତାରେ ତାରା ଓ ତା’ର ସାଙ୍ଗମାନେ ନରହି ମଝିରେ ମଝିରେ ବନ୍ୟା-ସାହାଯ୍ୟ ଦେବାକୁ ସ୍ୱେଚ୍ଛାସେବକ ବା ଅନ୍ୟ କିଛି କାମରେ କିଛିଦିନ ବାହାରକୁ ଚାଲିଯା’ନ୍ତି । ଏହି ଅବସରରେ ଅନ୍ୟ ଜିଲା ନହେଉ, ପୁରୀ ବାଲେଶ୍ଵର ଜିଲାର କେତେକ ସମମନୋଭାବାପନ୍ନ ପିଲାଙ୍କ ସହିତ ଭାବଲାଭ ହେଲାଣି । ବଙ୍ଗଳା ଆସାମର ଆଲିପୁର ଜେଲ ସାଥୀଙ୍କ ସହିତ ଚିଠିପତ୍ର ଆଦାନ-ପ୍ରଦାନ ଚାଲିଥାଏ । କେବେ କେମିତି ସେମାନେ ମଧ୍ୟ ଓଡ଼ିଶା ଆସି ବୁଲିଗଲେଣି-

 

ବାର

 

ନାନୁବାବୁଙ୍କ ବସା ୟା’ ଭିତରେ ସୁବିଧା ଅସୁବିଧାକୁ ଚାହିଁ କେତେ ଜାଗା ବଦଳିହେଲାଣି । ଏସବୁ ବଦଳି ତାରାକୁ ସୁବିଧା ହୋଇଛି । ସେ ଯେଉଁ ଅଞ୍ଚଳକୁ ଯାଇ ରହିଛି, ସେଠାରେ କେତେଗୁଡ଼ିଏ ସାଙ୍ଗ ଜୁଟେଇଛି । ସେମାନଙ୍କୁ ନେଇ ବଜାରର ଗୋଟାଏ ଖାଲିଜାଗାକୁ ସଫାକରି ସେଠାରେ ରୀତିମତ କୁସ୍ତିକସରତ ଓ ବ୍ୟାୟାମ ଶିକ୍ଷାକେନ୍ଦ୍ର ହୋଇଛି । ସେତେବେଳେ ଗୋଟିଏ ଗୋଟିଏ ବଜାରରେ ଖୁବ୍ ହେଲେ ଜଣେ ଦୁଇଜଣ କଲେଜପଢ଼ୁଆ ଛାତ୍ର ଥାଆନ୍ତି । ସେମାନଙ୍କର ଖାତିର ଖୁବ୍ ବେଶି । ତା’ଛଡ଼ା ତାରା ଛାତ୍ର ହିସାବରେ ଖୁବ୍ ଭଲ । ସେ ବିଶେଷକରି ଏ ଅଞ୍ଚଳର ଉଚ୍ଚଶ୍ରେଣୀର ସ୍କୁଲ୍‍ପିଲାମାନଙ୍କୁ ପଢ଼େଇଦିଏ । ସେଥିପାଇଁ ପିଲାଏ ଓ ସେମାନଙ୍କର ଅଭିଭାବକମାନେ ତାରାକୁ ଆନ୍ତରିକ ସ୍ନେହ କରନ୍ତି । ସେ ସବୁପିଲାଙ୍କର ତାରାଭାଇ ହୋଇଯାଏ ଅଳ୍ପଦିନରେ । ସମସ୍ତଙ୍କ ଘରେ ତା’ର ଅବାଧ ପ୍ରବେଶ ଓ ଯଥେଷ୍ଟ ଆଦର ଥାଏ ।

 

ପୂର୍ବ ଅସହଯୋଗ ଆନ୍ଦୋଳନର କର୍ମୀ ତଥା ନେତାମାନେ ସମସ୍ତେ ଅବସାଦଗ୍ରସ୍ତ । ଗୋପବାବୁ ବରୀ ଅଞ୍ଚଳରେ ଗଠନମୂଳକ କାମ କରିବେ ବୋଲି କଟକ ଛାଡ଼ିଲେ । ମହତାବବାବୁ ବାଲେଶ୍ଵରରେ ଜିଲାବୋଡ଼୍ ଜରିଆରେ ଗଠନମୂଳକ କାମ ଆରମ୍ଭକଲେ । ଓଡ଼ିଶାରେ ଭାରତୀୟ ଜାତୀୟକଂଗ୍ରେସର ଅଧିବେଶନ ପୁରୀଠାରେ ବସିବ ବୋଲି ସ୍ଥିରହୋଇ ବନ୍ଦହୋଇଗଲା । ନୀଳକଣ୍ଠବାବୁ, ଗୋଦାବରୀଶବାବୁ ପ୍ରଭୃତି ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟମାନଙ୍କରେ ମନୋନିବେଶ କଲେ । ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଅଫିସ୍ ନାମକୁମାତ୍ର ସ୍ଵରାଜ୍ୟ ଆଶ୍ରମରେ ରହିଥାଏ । କେତେକ ନେତୃସ୍ଥାନୀୟ ବ୍ୟକ୍ତି ସ୍ଵରାଜ୍ୟ ଆଶ୍ରମରେ ନାମକୁମାତ୍ର କଂଗ୍ରେସକୁ ବଞ୍ଚେଇ ରଖିବାକୁ ଦୁର୍ଗ ଜଗି ରହିଥାନ୍ତି ।

 

ତାରା ଓ ତା’ର କେତେକ ବନ୍ଧୁ, ପାଠଚକ୍ର ଆରମ୍ଭ କରିଥାନ୍ତି । ଉତ୍କଳସାହିତ୍ୟ ସମାଜର ଗୋଟିଏ ପାଠାଗାର ଚାବିବଦ୍ଧ ହୋଇ ପଡ଼ିଥିଲା । ସମାଜର କର୍ତ୍ତୃପକ୍ଷଙ୍କୁ କୁହାବୋଲା କରି ଶ୍ରୀରାମଚନ୍ଦ୍ର ଭବନର ବାରଣ୍ଡାରେ ପ୍ରତି ସନ୍ଧ୍ୟାରେ ଗୋଟିଏ ଗ୍ୟାସ୍‌ଲାଇଟ୍ ଜଳେଇ ରିଡ଼ିଙ୍ଗ୍‍ରୁମ୍‌ଟାଏ ସ୍ଥାପନ କରାଗଲା । କେତେକ କାଗଜ-ପତ୍ରପତ୍ରିକା ସଂଗ୍ରହ କରାଯାଇ ସେଠାରେ ରଖାଗଲା । ଅନେକ ପିଲା ସେଠାକୁ ପଢ଼ିବାକୁ ଆସିଲେ । ୟେ ହେଲା ଗୋଟାଏ ପିଲାଧରା ଫନ୍ଦି-। ଯେଉଁ ପିଲାମାନେ ସେଠାକୁ ନିୟମିତ ଭାବରେ ଆସନ୍ତି, ସେମାନେ କେଉଁ ପତ୍ରପତ୍ରିକାର କେଉଁ ଅଂଶ ପଢ଼ିବାକୁ ଭଲ ପାଉଛନ୍ତି, ତାହା ଲକ୍ଷ୍ୟ କରାଯାଏ । ସୁବିଧା ଦେଖି ସେମାନଙ୍କ ସଙ୍ଗେ କେବେ କେମିତି ଆଲୋଚନା କରାଯାଏ । ଗୋପବନ୍ଧୁଙ୍କ ‘କାରା କବିତା’, କୁନ୍ତଳାଦେବୀଙ୍କର ‘ଆହ୍ଵାନ’, ବୀରକିଶୋରଙ୍କର କେତେକ କବିତା ପଢ଼ିବାକୁ ସେମାନଙ୍କ ଭିତରେ ପ୍ରଥମେ ଆଗ୍ରହ ସୃଷ୍ଟି କରାଯାଏ । ତା’ପରେ ସୁବିଧା ଦେଖି ସେମାନଙ୍କ ସହିତ ଆଲୋଚନା କରାଯାଏ-। ଆଲୋଚନାରୁ ସେମାନଙ୍କ ମତିଗତି ବୁଝାପଡ଼ିଲେ ତେବେ ଯାଇଁ ଆଗେଇବାକୁ ହୁଏ । ତାରା ପ୍ରଭୃତିଙ୍କର ଦଳ ସେତେବେଳକୁ କଲେଜ ମେଡ଼ିକାଲ ଓ ବାହାରର କେତେକ ପୁରୁଣା ଜେଲସାଥୀଙ୍କୁ ମିଶେଇ ବାର, ଚଉଦ ହେଲେଣି । ଏ ଉଦ୍‌ଯୋଗ ପର୍ବ ଯେ କ’ଣ ପାଇଁ, ସେ ବିଷୟରେ କାହାରି କିଛି ନିର୍ଦ୍ଦିଷ୍ଟ ଧାରଣା ନଥାଏ । ଖାଲି ଚର୍ଚ୍ଚା ହେଉଥାଏ କି ପ୍ରକାର ଆନ୍ଦୋଳନ କରି ବ୍ରିଟିଶ ସରକାରକୁ ତଡ଼ିବା । ଅହିଂସାରେ କାହିଁକି କ୍ରମେ ଏମାନଙ୍କର ବିଶ୍ୱାସ ତୁଟିଯାଉଥାଏ । ପ୍ରବଳ-ପରାକ୍ରାନ୍ତ ସାମ୍ରାଜ୍ୟବାଦୀର ପାଷାଣ ହୃଦୟ ଯେ ଅହିଂସା ଅସହଯୋଗ ପ୍ରଭୃତି ଆନ୍ଦୋଳନଦ୍ଵାରା ତରଳିଯିବ ଓ ସେମାନେ ସୁନାପିଲାପରି ଭାରତ ଛାଡ଼ି ପଲେଇଯିବେ, ଏ ଧାରଣା ତାରା ଓ ତା’ ସାଙ୍ଗମାନଙ୍କ ମନକୁ ମୋଟେ ପାଉ ନଥାଏ ।

 

ଏହିପରି କେତେକ ଯୁବକଙ୍କୁ ଘେନି ଓଡ଼ିଶାରେ ପ୍ରଥମଥର ପାଇଁ କଂଗ୍ରେସ ସୋସିଲିଷ୍ଟ ପାର୍ଟି ଗଠନ କରାଗଲା । କୃଷକମାନଙ୍କ ମଧ୍ୟରେ ଆନ୍ଦୋଳନ କରିବା ଥାଏ ଏଦଳର ପ୍ରଥମ ଲକ୍ଷ୍ୟ-। କୃଷକ ସଂଗଠନପରେ ଶ୍ରମିକମାନଙ୍କ ମଧ୍ୟରେ ସଂଗଠନ କରିବାର ବିଚାର ମଧ୍ୟ ଥାଏ । କଟକ, ପୁରୀ, ବାଲେଶ୍ଵର ଜିଲାରୁ ଏ ଦଳରେ ପ୍ରାୟ ବାର ଚଉଦଜଣ ସଭ୍ୟ ହେଲେ । ତାରା ଓ ତା’ର ସବୁଯାକ ବନ୍ଧୁ ଏ ଦଳରେ ପ୍ରାୟ ଯୋଗଦେଲେ । ଖୁବ୍ ଧୁମ୍‌ଧାମ୍‍ରେ ସଭାସମିତି ହେଲା କଟକରେ । ଓଡ଼ିଶା ବାହାରୁ ଅନେକ ଯୁବନେତା ଆସି ଉଦ୍‌ବୋଧନ ଦେଇଗଲେ । ଖାଲି ବସି ନରହି ଗୋଟାଏ କିଛି କହିବାକୁ ହେବ–ଏହି ନୀତିରେ ତାରା ପ୍ରଭୃତିଙ୍କ ଦଳକୁ ଛାଡ଼ି ଆଉ କେତେଜଣ ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରି ଲକ୍ଷ୍ୟସାଧନ ପାଇଁ ସାଧନା ଆରମ୍ଭ କରିଦେଲେ-। ବିଦେଶୀ ସରକାରଙ୍କୁ ଦେଶରୁ ହଟେଇ ଦେବା ଲକ୍ଷ୍ୟଟା ଠିକ୍ ଥିଲେ ମଧ୍ୟ ଲକ୍ଷ୍ୟ ହାସଲ ହେବାର ପନ୍ଥାଟା ସବୁବେଳେ କିପରି ଗୋଳମାଳିଆ ହୋଇଯାଉଥାଏ । ଯୁବଜନୋଚିତ ମନୋଭାବ କାହିଁକି ଅହିଂସା ଅସହଯୋଗ ଆନ୍ଦୋଳନକୁ ଏ ଲକ୍ଷ୍ୟ ହାସଲ କରିବାର ପନ୍ଥା ବୋଲି ଭାବିପାରୁ ନଥାଏ-

 

ତାରା ପ୍ରଭୃତିଙ୍କର ସାଙ୍ଗର ଜଣେ ଛାତ୍ର । ଆଣ୍ଠୁ ପର୍ଯ୍ୟନ୍ତ ଖଣ୍ଡିଏ ଖଦଡ଼ଧୋତି ଓ ଖଣ୍ଡେ ଚାଦର ତା’ର ପରିଧାନ । ହଷ୍ଟେଲ୍‍ରେ ରହିବାର ସମ୍ବଳ ତା’ର ଥାଏ ନାହିଁ ବୋଲି ସେ ଜୋବ୍ରାର ଗୋଟିଏ ଅଖ୍ୟାତ ମେସ୍‍ରେ ରହୁଥାଏ । ସବୁ ଖଦଡ଼ପିନ୍ଧା ପିଲାଙ୍କ ପ୍ରତି ତାରାଙ୍କ ଦଳର ଗୋଟାଏ ଆକର୍ଷଣ ଥାଏ ବୋଲି ତାକୁ ସେମାନେ ଚିହ୍ନୁଥିଲେ । ଏ ପିଲାଟିର ନାମ ଆକୁଳି । ଅକାଳେ-ସକାଳେ ସେ ବହୁ କଲେଜ ଛାତ୍ରଙ୍କୁ ଟଙ୍କା ସାହାଯ୍ୟ ଦିଏ । କିଏ ମେସ୍ ପଇସା ଦେଇନପାରି ମେସ୍‌ରେ ତା’ର ମିଲ୍ ବନ୍ଦ ହୋଇଛି ତ ସେ ତାକୁ ସାହାଯ୍ୟ ଦିଏ । ପୁଣି କାହାର ଦରମା ଦେଇନପାରି ନାଁ କଟିଯାଉଛି ତ ସେ ତା’ର ଦରମା ନେଇ ନାଁ-କଟା ବନ୍ଦ ରଖେ । ଯେଉଁ ଟଙ୍କା ଦିଏ ତାକୁ ଶୁଝିବାପାଇଁ କାହାକୁ କେବେହେଲେ କହେନାହିଁ । କେହି ଆପେଆପେ ଆଣି ଫେରେଇଲା ତ ରଖେ; ନଚେତ୍ ନିଜେ କେଭେଁ ମାଗେ ନାହିଁ । ତାରା ପ୍ରଭୃତିଙ୍କର ଆଜି ପାଠଚକ୍ର, କାଲି ସଭା ଶୋଭାଯାତ୍ରା, ପଅରଦିନ ପ୍ରଚାରପତ୍ର ଛାପା ପ୍ରଭୃତି ବହୁ ଜରୁରୀ କାମପାଇଁ ଆକୁଳି ବରାବର ଟଙ୍କା ସାହାଯ୍ୟ କରିଥାଏ । ଏହାଦ୍ୱାରା ସେ କଲେଜରେ କେତେକ ମହଲରେ ଅତି ପରିଚିତ । ବିଶେଷକରି ତାରାଙ୍କ ଦଳ ତାକୁ ଖୁବ୍ ଭଲପାଆନ୍ତି । କେତେ ଥର ତାକୁ ଟାଣିଲେଣି ତାଙ୍କ ଆଡ଼୍‌ଡ଼ାକୁ; କିନ୍ତୁ ସେ ଏସବୁରେ ସମ୍ପୂର୍ଣ୍ଣ ନୀରବ ରହେ । ଦିନେ କଲେଜ ଯାଇ ଶୁଣିବାକୁ ମିଳିଲା ଯେ ଆକୁଳିକୁ ପୋଲିସ୍‍ ମହାନଦୀ ପଠାପାଖରେ ଥିବା ଗୋଟିଏ ଡଙ୍ଗାରୁ ଗିରଫ୍‍ କରିଛି । କଥା କ’ଣ ? ବୁଝୁ ବୁଝୁ ଜଣାପଡ଼ିଲା ଯେ କୁଆଡ଼େ ଜାଲ୍‍ନୋଟ ତିଆରି କରୁଥିଲା । ସବୁ ନୋଟ୍ ତିଆରି ସରଞ୍ଜାମ ସହିତ ତାକୁ ଗିରଫ୍‍ କରାଗଲା । ବିଚାର ହୋଇ ତାକୁ ସାତବର୍ଷ ସଶ୍ରମ ଜେଲଦଣ୍ଡ ହୋଇଗଲା । ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଆକୁଳିଭଳିଆ ପିଲା ପୁଣି ଏ କାମ କରିପାରେ ? ତାକୁ ଦେଖିଲେ କେହି ହେଲେ କେବେ ଏ କଥା ବିଶ୍ୱାସ କରିବନାହିଁ । ପିଲାଙ୍କୁ ଅଣ୍ଟ-ନଅଣ୍ଟରେ ଟଙ୍କା ସାହାଯ୍ୟ ଦେବା ହେଲା ତା’ର କାଳ । ହୁଏତ ଯାହାକୁ ବିପଦ-ଆପଦରେ ଟଙ୍କା ସାହାଯ୍ୟ ଦେଇଛି, ତା’ରି ଭିତରୁ କିଏ ଜଣେ ଛାତ୍ର ପୋଲିସ୍‌ର ଗୁଇନ୍ଦାଗିରି କରି ତାକୁ ଧରେଇଦେଇଛି । ସେ ଯେ ନିଜେ ଏପରି ଦରିଦ୍ରଭାବରେ ରହି କାହିଁକି ଯେ ଅର୍ଥାଗମର ଏ ଦୁର୍ଗମ ପନ୍ଥା ଅବଲମ୍ବନ କରୁଥିଲା, ତାହା ଜଣା ନପଡ଼ିଥିଲେ ମଧ୍ୟ ସେ ଯେ ଗୋଟାଏ ବଡ଼ କିଛି ସଂଗ୍ରାମପାଇଁ ସମ୍ବଳ ସଂଗ୍ରହକରି ପ୍ରସ୍ତୁତ ହେଉଥିଲା, ତାହା ପରେ ଜଣାପଡ଼ିଲା ।

 

ଖାନନଗର ମଶାଣି ପାଖରେ ଜଣେ ସାଧୁ ଆସି କୁଆଡ଼ୁ ଆସ୍ଥାନ ଜମେଇ ବନ୍ଧକଡ଼କୁ ଗୋଟାଏ କୁଡ଼ିଆ କରି ରହୁଥାନ୍ତି । ସେତେବେଳେ ଖାନନଗର, ରାଜାବଗିଚା ଅଞ୍ଚଳଟା ଭାରି ନିଛାଟିଆ ଥାଏ । ସେବାଟେ କେହି ସେପରି ସଞ୍ଜପରେ ଯିବାଆସିବା କରନ୍ତିନାହିଁ । ତାରାର ସାଙ୍ଗ ସୋମନାଥ କୁଆଡ଼ୁ ଶୁଣିଲା ଯେ ସେ ଭାରି ତାନ୍ତ୍ରିକ । ବାଣ ମାରି କୁଆଡ଼େ ସେ ଲୋକଙ୍କୁ ମାରିଦେଇପାରିବ । ଏ କଥା ଶୁଣି ସୋମନାଥ ପ୍ରତି ସଞ୍ଜରେ ଯାଇ ତାଙ୍କ ପାଖେ ବସାଉଠା ଆରମ୍ଭ କଲା । ପଇସା ଯୋଗାଡ଼ କରି ବାବାଜିଙ୍କୁ ମଧ୍ୟ ଗଞ୍ଜେଇ ଯୋଗାଇ ଆସୁଥାଏ । ଉଦ୍ଦେଶ୍ୟ ଥାଏ ଯଦି ବାବାଜି ତା’ର ଗୁଣିବଳରେ ସୋମନାଥ ଯାହାକୁ କହିବ ତାକୁ ବାଣ ମାରିଦେଇପାରନ୍ତା-। କିଛିଦିନ ଯା-ଆସ ପରେ ଦିନେ ସୋମ ତା’ର ଉଦ୍ଦେଶ୍ୟ ବାବାଜିଙ୍କଠାରେ ବ୍ୟକ୍ତ କଲା-। ସାତସମୁଦ୍ର ଦରିଆପାରିରେ ଥିବା ଲୋକଙ୍କୁ ବାବାଜିଙ୍କ ବାଣ କାଟୁ କରିବନାହିଁ ବୋଲି ବାବାଜି ନିଜର ଅକ୍ଷମତା ପ୍ରକାଶ କରିବାରୁ ସୋମ ତାଙ୍କୁ ଦିଲ୍ଲୀରେ ଜଣଙ୍କୁ ମାରିଦେବାକୁ ଅନୁରୋଧ ଜଣାଇଲା । ଏଥିରେ ମଧ୍ୟ ବାବାଜି ନିଜର ଅକ୍ଷମତା ପ୍ରକାଶ କରିବାରୁ ସୋମ ତାଙ୍କୁ କଟକର ଅନ୍ତତଃ ଜଣକୁ ହେଲେ ବାଣ ମାରି ଉଡ଼େଇଦେବାକୁ ଅନୁରୋଧ କଲା; ଆଉ ସେଥିପାଇଁ ଯାହା ପଇସା ଦରକାର ତାହା ଦେବାକୁ ପ୍ରତିଶ୍ରୁତି ଦେଲା । କିନ୍ତୁ ଏ ସବୁ ଖର୍ଚ୍ଚ ଫଳରେ ଓ ଦୀର୍ଘ ତିନିମାସର ଦଉଡ଼ାଦଉଡ଼ି ପରେ ବାବାଜିଙ୍କ କରାମତିରେ ସନ୍ଦେହ କରି ଅଗତ୍ୟା ଏ ପନ୍ଥାରୁ ଅପସରି ଆସିଲା । ବାବାଜି ବିଚାରାର ବାଣ କୁଆଡ଼େ ଗୋରାଚମଡ଼ାକୁ କାଟୁ କରିବ ନାହିଁ ।

 

ସେହିପରି ତାରା ଅଢ଼ଙ୍ଗ ପାଖରେ ପଡ଼ିଥିବା ଗୋଟାଏ କେଳାପାଖକୁ ବହୁଥର ଦୌଡ଼ିଲା ସେହିଭଳିଆ ଏକ ଉଦ୍ଦେଶ୍ୟ ନେଇ । ଏପରିକି ଶେଷରେ କେଳାର ଝିଅଟିକୁ ମଧ୍ୟ ବିବାହ କରିବ ବୋଲି ଜବାବ ଦେଲା । କିନ୍ତୁ କୌଣସିଥିରେ କିଛି ନହେବାରୁ ଅଗତ୍ୟା ସେ ପନ୍ଥାରୁ ନିରସ୍ତ ହେଲା । ଏ ସବୁକାମ ଯେଝା ଖଞ୍ଜରେ ଯେଝା କରୁଥିଲେ; କିନ୍ତୁ ପରେ ଆପଣା ଆପଣା ଭିତରେ କଥାବାର୍ତ୍ତା କରି ଏକଥା ପରସ୍ପରକୁ ଜଣାଗଲା ।

 

ଏତେ ପିଲା ପାଠ ପଢ଼ିବା, ଚାକିରି କରିବା, ପଇସା କମେଇବା କଥା ଚିନ୍ତା କରୁଥିବାବେଳେ, ଏ କେତେଜଣଙ୍କ ମୁଣ୍ଡରେ କାହିଁକି ଯେ ଏପରି ଭୂତ ଚଢ଼ିଲା ସେ କଥା ବୋଧହୁଏ ସେହିମାନଙ୍କୁ ବା ତାଙ୍କରି ଭଳି ଚିନ୍ତା କରୁଥିବା ଯୁବକମାନଙ୍କୁ କେବଳ ଗୋଚର । ଅନ୍ୟମାନଙ୍କ ପକ୍ଷରେ ଏହା ଏକ ଉଦ୍ଭଟ କଳ୍ପନାବିଳାସ ଛଡ଼ା ଅନ୍ୟ କିଛି ନୁହେଁ ।

 

ତେର

 

ନାନୁବାବୁ ତାରାକୁ ଆଉ କିଛି କହନ୍ତି ନାହିଁ । ରାତି ନଅଟା ହେଉ କି ଦଶଟା ହେଉ, ତାରା ଘରକୁ ଫେରୁଛି, ଏଇ ଯଥେଷ୍ଟ । ଗୋଟିକ ପରେ ଗୋଟିଏ ଶ୍ରେଣୀ ଉପରକୁ ଉଠିବାକୁ କିନ୍ତୁ ତାରା ତ୍ରୁଟି କରିନାହିଁ । ସଭା ସମିତି ସବୁଠି ତାରା ଯୋଗଦିଏ । ନାନୁବାବୁଙ୍କୁ କଚେରିରେ କେତେ ଲୋକ କେତେକଥା କହନ୍ତି, ତାରାକୁ ଜବତ କରି ଠିକ୍ ରାସ୍ତାକୁ ଆଣିବାକୁ । ନାନୁବାବୁ ଚେଷ୍ଟାକରିବେ ବୋଲି କହି ସେମାନଙ୍କୁ ଏଡ଼େଇଦିଅନ୍ତି । ଦିନେ ଶନିବାର ହୋଇଥାଏ । ନାନୁବାବୁ ଯାଇଥାନ୍ତି ଗାଁକୁ । ସେହି ବଜାରରେ କେତେକ କଲେଜ ଛାତ୍ର ଓ ବାହାରର କେତେଜଣ ମିଶି ବଙ୍ଗଳାରେ ଜୟଦେବ ନାଟକ ଅଭିନୟ କରୁଥାନ୍ତି । ତାଙ୍କ ଭିତରେ ତାରାର ସାଙ୍ଗ ପିଲାଏବି ଥାନ୍ତି-। ତାରା ଓ ତା’ର ସାଙ୍ଗମାନଙ୍କୁ ନାଟକ ଦେଖିବାକୁ ନିମନ୍ତ୍ରଣ କରାଯାଇଥାଏ । ନାଟକ ଆରମ୍ଭ ହେବ ରାତି ନଅଟାକୁ । ତାରାର ସାଙ୍ଗ ଶ୍ରୀକାନ୍ତ ଆସି ରାତି ନଅଟାରେ ତାରାଘରେ ହାଜର-। ସେ ଜାଣେ ତାରାର ବାପା ଶନିବାର ଦିନ ଗାଁକୁ ଯାନ୍ତି । ତେଣୁ ଦୁହେଁ ତାରାଙ୍କ ଘରପାଖେ ହେଉଥିବା ଜୟଦେବ ନାଟକର ଅଭିନୟ ଦେଖିବାକୁ ଗଲେ । ନାଟକର ଉଦ୍ୟୋକ୍ତା ତଥା ଅଭିନେତା ସମସ୍ତେ ତାଙ୍କର ସାଙ୍ଗ । ବଜାର ଓ କଟକର ଅନେକ ବିଶିଷ୍ଟ ଲୋକ ମଧ୍ୟ ଅଭିନୟ ଦେଖିବାକୁ ଠୁଳହୋଇଥାନ୍ତି । ନାଟକ ଆରମ୍ଭ ହେବାର କିଛି ସମୟପରେ ଜଗନ୍ନାଥଦାସଙ୍କ ଭାଗବତରୁ କିଛି ଅଂଶ ବିକୃତଭାବରେ ବଙ୍ଗଳାରେ ବୋଲାହେଲା । ତାରା ଓ ଶ୍ରୀକାନ୍ତ ପାଖାପାଖି ହୋଇ ବସିଥିଲେ-। ଦୁହେଁ ବସିଥିବା ବେଞ୍ଚ୍‍ ଉପରେ ଛିଡ଼ାହୋଇଗଡ଼ି ଚିତ୍କାର ଆରମ୍ଭ କରିଦେଲେ, ‘ଭାଇମାନେ, ଆପଣମାନେ ଏ ଦୃଶ୍ୟ ଦେଖି କିପରି ଥୟ ହୋଇ ବସିରହିଛନ୍ତି ? ଓଡ଼ିଶାରେ ଓଡ଼ିଆଙ୍କ ଛାତି ଉପରେ ଓଡ଼ିଶାର ଅତି ପୂଜ୍ୟ ଭାଗବତର ଏ ପ୍ରକାର ବିକୃତ ପରିବେଷଣକୁ ଆପଣମାନେ କିପରି ଦେଖିପାରୁଛନ୍ତି ?’ ଏତିକି କହୁ କହୁ ଗୋଟିଏ ଗୋଳ ଆରମ୍ଭ ହୋଇଗଲା । ଉଦ୍ୟୋକ୍ତାମାନଙ୍କ ମଧ୍ୟରୁ କେତେଜଣ ସ୍ଵେଚ୍ଛାସେବକ ସାଙ୍ଗେ ସାଙ୍ଗେ ଆସି ତାରା ଓ ଶ୍ରୀକାନ୍ତକୁ ଝିଙ୍କି ଟାଣିଓଟାରି ବସେଇବାକୁ ଚେଷ୍ଟାକଲେ । ତାରା ଆଉ ଶ୍ରୀକାନ୍ତ ବସୁଛନ୍ତି କେତେକେ ? ତାଙ୍କୁ କେତେଲୋକ ଠେଲାପେଲା ଆରମ୍ଭକରି ସେଠାରୁ ପଦାକୁ ଠେଲିନେବାକୁ ଆରମ୍ଭ କଲେ । ସେମାନଙ୍କ ଦେହରେ ଗୋଟାକେତେ ମାଡ଼ବି ବସିଗଲା । ଜାମା ଲୁଗା ଛିଣ୍ଡି ଏକାକାର । ଏତିକିବେଳେ ବଜାରର ଆଉ ଦଳେ ପିଲା ତାରା ଓ ଶ୍ରୀକାନ୍ତକୁ ସମର୍ଥନକରି ପ୍ରତିବାଦ ଆରମ୍ଭ କରିଦେଲେ । ଦୁଇ ଦଳ ହୋଇଗଲା । ଏହି ଗୋଳମାଳରେ ଜଣେ ଦୁଇଜଣ ଲୋକ ବାଡ଼ି ସାହାଯ୍ୟରେ ଉପରେ ଲଟକିଥିବା ପେଟ୍ରୋମାକ୍‌‌ସ ଆଲୁଅ ଭିତରୁ କେତେଟାକୁ ଭାଙ୍ଗିପକେଇଲେ-। ତୁମୂଳ ଗୋଳମାଳ ଲାଗିଗଲା । କିଏ କୁଆଡ଼େ ପୋଷାକ କାଢ଼ି ଫୋପାଡ଼ିଦେଇ ପଛଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ । ପିଲା ମାଇକିନିଆଙ୍କ ଚିତ୍କାରରେ ଜାଗାଟା କମ୍ପିଲା । ପଛରେ ଆଉ କେତେଟା ଆଲୁଅକୁ ଭାଙ୍ଗିଦିଆଗଲା । ନାଟକ ସେତିକିରେ ବନ୍ଦ । କିଏ କୁଆଡ଼େ ପଳେଇଲେ-। ତାରା, ଶ୍ରୀକାନ୍ତ ଖଣ୍ଡିଆଖାବରା ହୋଇ ଛିଣ୍ଡା ଜାମା ଛିଣ୍ଡା ଲୁଗା ପିନ୍ଧି ଆସି ତାରାଙ୍କ ବସାରେ ପହଞ୍ଚିଲେ ।

 

ତା’ପରଦିନ ସକାଳୁ କଥା ଚାରିଆଡ଼େ ଜଣାପଡ଼ିଲା । ଲୋକଙ୍କ ମଧ୍ୟରେ ଭାରି ଆଲୋଚନା ହେଲା । ବାସ୍ତବିକ ଭାଗବତକୁ ଏପରି ବିକୃତ ଆକାରରେ ନାଟକ ଭିତରେ ବୋଲିବା ଅନ୍ୟାୟ ବୋଲି ସବୁ ଲୋକ କହିଲେ । କଲେଜରେ ମଧ୍ୟ ତାରା ଓ ଶ୍ରୀକାନ୍ତଙ୍କୁ ଅନେକ ବଧେଇ ଦେଲେ, କିନ୍ତୁ ନାଟକଦଳର କେତେକ ସେ ଦୁହିଁଙ୍କୁ ଥଟ୍ଟାକଲେ । ଜିଦିରେ ସେମାନେ ସେହି ଜୟଦେବ ନାଟକକୁ ପୁଣି ଥରେ ଦୁଇଥର ମଞ୍ଚସ୍ଥ କରିବାକୁ ଚେଷ୍ଟା କରିଥିଲେ; କିନ୍ତୁ ଜନସାଧାରଣଙ୍କ ପ୍ରବଳ ପ୍ରତିବାଦ ଯୋଗୁଁ ତାହା ସମ୍ଭବ ହୋଇପାରିଲାନାହିଁ । ଶାନ୍ତିଭଙ୍ଗର ଆଶଙ୍କା କରି ପୋଲିସ୍‍ ମଧ୍ୟ ନାଟକ ମଞ୍ଚସ୍ଥ କରିବାକୁ ଆଉ ଅନୁମତି ଦେଲେନାହିଁ । ଏହିପରି ଭାବରେ ତାରା ଓ ତାଙ୍କ ଦଳର ପିଲାମାନଙ୍କର ନାଁ ସାହି ପିଲାଙ୍କ ସୀମାରୁ ବାହାରି ସାରା କଟକର ଯୁବମହଲରେ ଚହଟିଗଲା ।

 

ଅସହଯୋଗ ଆନ୍ଦୋଳନ ଯୋଗୁଁ ଜେଲ ଯାଇଥିବା କେତେକ ଯୁବକ ଜେଲରୁ ଖଲାସ ହେଲାପରେ କିଛିଦିନ ଏପାଖ ସେପାଖ ବୁଲାବୁଲି କରି ଓଡ଼ିଶା ବାହାରକୁ ଚାଲିଗଲେ । ସେମାନେ ଆଉ ବିଦେଶୀ ସରକାରଙ୍କ କଲେଜ ସ୍କୁଲ୍‍ରେ ପଢ଼ିବାକୁ ଇଚ୍ଛାକଲେନାହିଁ । ଦେଶର ଅନେକ ସ୍ଥାନରେ କଳା, ବିଜ୍ଞାନ, ଡାକ୍ତରୀ, ଇଞ୍ଜିନିୟରିଙ୍ଗ ସବୁପ୍ରକାର ଶିକ୍ଷାଦେବାକୁ ଜାତୀୟ ବିଦ୍ୟାପୀଠମାନ ଖୋଲାଯାଇଥାଏ । ସେ ଅନୁଷ୍ଠାନମାନଙ୍କରେ ଏହି ପ୍ରକାର ଜାତୀୟବାଦୀ ମନୋଭାବାପନ୍ନ ଛାତ୍ରଙ୍କୁ ପ୍ରଥମେ ସୁଯୋଗ ଦିଆଯାଉଥାଏ । ଓଡ଼ିଶାର ଦୁଇ ତିନିଜଣ ଯୁବକ ଉତ୍ତରପ୍ରଦେଶର ବାରଣାସୀକୁ ଚାଲିଗଲେ ସେଠାର କାଶୀ ବିଦ୍ୟାପୀଠରେ ପଢ଼ିବାପାଇଁ । ବିଦ୍ୟାପୀଠରେ ପାଠ ଯାହା ପଢ଼ିଲେ ପଢ଼ିଲେ, କିନ୍ତୁ କେତେକ ପ୍ରଗତିଶୀଳ ଚିନ୍ତାଧାରା ଘେନି ସେମାନେ ଓଡ଼ିଶାକୁ ଫେରିଲେ । ପାଟଣା କଲିକତାରୁ ପାସ୍‍କରି କେତେଜଣ ଓଡ଼ିଆ ଯୁବକ ମଧ୍ୟ ଆସି କଟକରେ ପହଞ୍ଚିଲେ । ସାପ ଗୋଡ଼ ସାପକୁ ଦେଖାଗଲାପରି ତାରାଙ୍କ ଦଳ ସେମାନଙ୍କୁ ଆବିଷ୍କାର କଲେ । ସେମାନେ ମଧ୍ୟ ଓଡ଼ିଶାରେ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ ହୋଇ ରହିଥିବାର ଦେଖି ଭାରି ଖୁସିହେଲେ । ମଣି-କାଞ୍ଚନ ସଂଯୋଗ ହେଲା । ସେମାନେ ଆଣିଥିବା ଚିନ୍ତାଧାରାଗୁଡ଼ିକର ପ୍ରସାରପାଇଁ ଉପଯୁକ୍ତ କ୍ଷେତ୍ର ମିଳିଗଲା । ଅତି ଗୋପନରେ ଭାବର ଆଦାନ-ପ୍ରଦାନ ଚାଲିଲା । ଭାରତ ସରକାରଙ୍କଦ୍ଵାରା ଅବୈଧ ପାଠ୍ୟ ବୋଲି ଘୋଷିତ କେତେ ଦେଶୀ ବିଦେଶୀ ପୁସ୍ତକ ବିଭିନ୍ନ ସ୍ଥାନରୁ ଆମଦାନୀ କରାଗଲା । ସେହି ହେଲା ତାରାଙ୍କ ଦଳର ସବୁଠାରୁ ଉପାଦେୟ ପାଠ୍ୟ-। ସେସବୁ ରୀତିମତ ପଠାହେଲା । ପାଠଚକ୍ର ଓ ଆଲୋଚନା-ଚକ୍ରମାନ ହୋଇ ଏ ସବୁର ତାତ୍ତ୍ୱିକ ଆଲୋଚନାମାନ ହେଲା । ଯେଉଁ କେତେକ କଂଗ୍ରେସ ସାମ୍ୟବାଦୀ ଦଳରେ ଥିଲେ ସେମାନଙ୍କ ମଧ୍ୟରୁ କେତେକ ଅତି ସନ୍ତର୍ପଣରେ ଏହି ଗୋପନ ଆଲୋଚନା-ଚକ୍ରରେ ଯୋଗଦେଲେ । ଏଥିପାଇଁ ସେମାନେ ସେତେବେଳର କେତେକ ପ୍ରଗତିଶାଳୀ ନେତାମାନଙ୍କର ଚକ୍ଷୁଶୂଳ ହେଲେ ।

 

ତାରା ତୃତୀୟ ବାର୍ଷିକ ଶ୍ରେଣୀରୁ ଚତୁର୍ଥ ବାର୍ଷିକ ଶ୍ରେଣୀକୁ ଉଠିଥାଏ । ସବୁବର୍ଷପରି ସେ ଏବର୍ଷ ଗ୍ରୀଷ୍ମଛୁଟିରେ ଗାଁକୁ ନଯାଇ ପଢ଼ାପଢ଼ି କରିବ ବୋଲି କଟକରେ ରହୁଥାଏ । ନାନୁବାବୁ ଆଜିକାଲି ତାରାର କୌଣସି କଥାରେ ପାଟି ଫିଟାଉନାହାନ୍ତି, ପୁଣି ଯେତେବେଳେ ପଢ଼ାପଢ଼ି କରିବ ବୋଲି ସେ କଟକରେ ରହିବାକୁ କହୁଛି, ସେ ବା ମନା କରିବେ କିପରି ? ସେତେବେଳକୁ ଗୋରା ଚାକିରି କରି ବିଭାହୋଇସାରିଲାଣି । ସେ ତା’ ସ୍ତ୍ରୀ ଓ ବୋଉକୁ ନେଇ ଟାଟାନଗରରେ ରହୁଥାଏ । ଚାକିରି କଲାଦିନରୁ ଗୋରାର ଆଉ ଖରାଦିନେ ଛୁଟି ହେଉନାହିଁ । ତେଣୁ ସେ ଆଉ ଖରାଛୁଟିରେ କଟକ ଆସୁନାହିଁ । ସେ ମଧ୍ୟ ଟାଟାନଗରରେ କଂଗ୍ରେସ କାମ ଖୁବ୍ ଜୋର୍‍ସୋର୍‍ରେ ଆରମ୍ଭ କରିଦେଇଥାଏ । କଂଗ୍ରେସ ସହିତ ସେ ଅତି ପିଲାଦିନୁ ସଂଶ୍ଳିଷ୍ଟ । ସିଂହଭୂମ ଜିଲା କଂଗ୍ରେସ କମିଟି ସେତେବେଳେ ଉତ୍କଳ କଂଗ୍ରେସ କମିଟି ଅଧୀନରେ କାମ କରୁଥାଏ । ଓଡ଼ିଆମାନେ ଥାଆନ୍ତି କାର୍ଯ୍ୟକାରୀ କମିଟିର କର୍ତ୍ତାରୂପେ । ବିହାରୀ, ବଙ୍ଗାଳୀ ଓ ଗୁଜୁରାଟୀ ପ୍ରଭୃତି ଅନ୍ୟ ଜାତିର ଲୋକମାନେ ମଧ୍ୟ କମିଟିରେ ଥାଆନ୍ତି । ଟାଟା କମ୍ପାନୀ ଯାବତ ଜେଲଫେରନ୍ତା ଓ ପୂର୍ବତନ ସନ୍ତ୍ରାସବାଦୀମାନଙ୍କୁ କାରଖାନାରେ ସ୍ଥାନ ଦେଉଥାଏ । ଗୋରା ମଧ୍ୟ କଂଗ୍ରେସ କମିଟିର ଗୋଟିଏ କର୍ମକର୍ତ୍ତା ହୋଇଥାଏ । ଓଡ଼ିଶାରୁ କଂଗ୍ରେସ ନେତାମାନେ ଗଲେ ଗୋରା ସହିତ ସେମାନେ ପ୍ରାୟ ମିଶନ୍ତି । ସମସ୍ତଙ୍କ ସହିତ ଗୋରାର ତ ଆଗରୁ ସମ୍ପର୍କ ଥିଲା । ଗୋରାକୁ ସେମାନେ ତାରାର ଆଜିକାଲିର ଗତିବିଧି ବିଷୟରେ ବରାବର କହନ୍ତି । ଗୋରା ଚିନ୍ତିତ ହୁଏ; କିନ୍ତୁ କ’ଣ ବା ସେ କରିବ ଏତେଦୂରରେ ଥାଇ । ତାରା ଆଉ ପିଲା ନୁହେଁ । ସ୍ୱାଧୀନ ମତବାଦ ପ୍ରକାଶପାଇଁ ତା’ର କ୍ଷମତା ହେଲାଣି ।

 

ମୀରାର ମଧ୍ୟ ୟା ଭିତରେ ବିବାହ ହୋଇଯାଇଛି । ତାରା କେତେବେଳେ କେମିତି ଦୁଇ ଚାରିଦିନ ସକାଶେ ଗାଁକୁ ଚାଲିଯାଏ ବୋଉ ପାଖକୁ । ବୋଉ ତାକୁ ବହୁତ ବୁଝାନ୍ତି । “ତୁ ଏମିତି ପାଗଳା ହେଉଛୁ କାହିଁକି ?” ତାରା ବୋଉ ଆଗରେ ଆମ ଦେଶରେ ବିଦେଶୀମାନେ କିପରି ଅତ୍ୟାଚାର କରୁଛନ୍ତି, ଆମ ଦେଶର ଧନ-ଦଉଲତ କିପରି ବିଲାତକୁ ବୋହିନେଉଛନ୍ତି ଏ ସବୁ ବିଷୟ ଏପରି ଭାବରେ ବୁଝାଏ ଯେ ବୋଉ କ୍ରମେ କ୍ରମେ ତାରାର ସମର୍ଥକ ହୋଇଯାଇଥାନ୍ତି । ସେ ତାରା ଓ ତା’ ଦଳର ଅନ୍ୟାନ୍ୟ ପିଲାମାନଙ୍କର କାର୍ଯ୍ୟକଳାପ ମୋଟେ ଦୋଷାବହ ନୁହେଁ ବୋଲି ବୁଝିଯାଇଥାନ୍ତି । ତାରା ଗାଁଟା କଟକଠାରୁ ଅତି ନିକଟ । ତେଣୁ ତାରା ଗାଁରେ ଥିଲାବେଳେ ତା’ର ଜଣେ ଦୁଇଜଣ ସାଙ୍ଗ ପ୍ରାୟ ସବୁଦିନେ ସକାଳୁ ଆସି ଦିନଯାକ ତାରା ଘରେ କଟାଇ ସନ୍ଧ୍ୟାକୁ କଟକ ଫେରିଯାଆନ୍ତି । ତାରାର ବୋଉକୁ ସମସ୍ତେ ବୋଉ ବୋଲି ଡାକନ୍ତି । ବୋଉ ମଧ୍ୟ ସେମାନଙ୍କୁ ଅତ୍ୟଧିକ ସ୍ନେହ କରୁଥାନ୍ତି । କ୍ରମେ ତାରାର ଗାଁଘର ତା’ ଦଳର ପିଲାମାନଙ୍କର ଗୋଟାଏ ଆଡ଼୍‌ଡ଼ା ସ୍ଥାନରେ ପରିଣତ ହେଲା । କଲେଜ ଛୁଟି ହେଲେ କେବଳ ଶନିବାର ରବିବାରକୁ ଛାଡ଼ି ଅନ୍ୟଦିନମାନଙ୍କରେ ସେମାନେ ତାରାଙ୍କ ଗାଁକୁ ଚାଲିଯାଆନ୍ତି । ସେଠାରେ ନଈ ପହଁରା ଆଉ ଜୋର ଭୋଜନ ସାଙ୍ଗେ ସାଙ୍ଗେ ନିଭୃତ ଆଲୋଚନା କରିବାର ମଧ୍ୟ ସୁବିଧା ମିଳେ ।

 

ତାରା ଓ ତା’ର ସାଙ୍ଗମାନଙ୍କର ହିଂସାବାଦୀ ସନ୍ତ୍ରାସବାଦ ସମର୍ଥନାତ୍ମକ ଗତିବିଧି ପାଇଁ କଂଗ୍ରେସ କଥା କଂଗ୍ରେସ ସୋସିଆଲିଷ୍ଟଦଳ ସହିତ ମନୋମାଳିନ୍ୟ ଦେଖାଗଲା । ଏମାନେ ମଧ୍ୟ ଆପେ ସେମାନଙ୍କଠାରୁ ଦୂରେଇଗଲେ; କିନ୍ତୁ ଦୂରେଇଯିବାପରେ ମଧ୍ୟ ସେମାନଙ୍କ ମଧ୍ୟରୁ ପରସ୍ପର ପ୍ରତି ଆନ୍ତରିକତା କମି ନଥାଏ । ଏହି ସମୟରେ ସୁବୋଧ ବୋଲି ଗୋଟିଏ ପିଲା କାନପୁରରୁ ଆସି ରେଭେନ୍‍ସାରେ ତୃତୀୟ ବାର୍ଷିକ ଶ୍ରେଣୀରେ ନାଁ ଲେଖେଇଥିଲା । କିଛିଦିନ ପରେ ତାରା ସହିତ ତା’ର ବେଶ୍ ଆଳାପ ପରିଚୟ ହେଲା । ସେତେବେଳେ ତୃତୀୟ ବାର୍ଷିକ ବିଜ୍ଞାନ ଶ୍ରେଣୀରେ ସର୍ବମୋଟ ଛାତ୍ରସଂଖ୍ୟା ସତର କି ଅଠର । ଏହି ଅଠରଜଣଙ୍କ ଭିତରେ ପଦାର୍ଥବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦବିଜ୍ଞାନ ଗଣିତରେ ପାସ୍‍ ଓ ଅନର୍ସ ଛାତ୍ର ଥା’ନ୍ତି । ଏହି ଅଠରଜଣଙ୍କ ଭିତରେ ବିହାରରୁ ତିନିଜଣ, ବଙ୍ଗଳା ଓ ଉତ୍ତର ପ୍ରଦେଶରୁ ଜଣେଇକରି, ବାକି ସମସ୍ତେ ଓଡ଼ିଶାର । ନାଁଟି ସୁବୋଧ ସତ; କିନ୍ତୁ କାର୍ଯ୍ୟରେ ବୋଧହୁଏ ସେ ଦୁର୍ବୋଧ । ସେଥିପାଇଁ ବୋଧହୁଏ ତାକୁ ଉତ୍ତର ପ୍ରଦେଶର କାନପୁର ଭଳିଆ ସ୍ଥାନରୁ କଟକ ରେଭେନ୍‌ସା କଲେଜକୁ ଆସିବାକୁ ପଡ଼ିଲା । ସୁବୋଧର ମାମୁ ଦୁଇଜଣ କାକୋରୀ ଷଡ଼ଯନ୍ତ୍ର ମାମଲାର ଆସାମୀରୂପେ ଦ୍ଵୀପାନ୍ତର ଦଣ୍ଡ ଭୋଗୁଥାନ୍ତି । ବାପା ତା’ର ଡାକ୍ତର । ସେ ରାମକୃଷ୍ଣ ମିସନ୍‍ରେ କାମ କରୁଥାନ୍ତି । କାଳେ ଏକମାତ୍ର ପୁଅ ମାମୁମାନଙ୍କ ରାସ୍ତା ଧରିବ, ସେହି ଭୟରେ ସେ ତାକୁ କଟକରେ ପଢ଼େଇବେ ବୋଲି ସ୍ଥିରକରି ସୁବୋଧର ମା’ ଓ ତା’ର ସାନଭଉଣୀଟିକୁ କଟକ ଷ୍ଟେସନ୍‍ପାଖର ଗୋଟିଏ ଗଳିରେ ଖଣ୍ଡେ ଛୋଟ ଘରଭଡ଼ାନେଇ ଉଖେଇଦେଇ ଗଲେ । ସୁବୋଧ ରେଭେନ୍‍ସାରେ ନାଁ ଲେଖେଇ ପଢ଼ିଲା । ବାପା ରହିଲେ କଲିକତାସ୍ଥିତ ରାମକୃଷ୍ଣ ମିସନ୍‍ରେ ଡାକ୍ତର । ମାସକୁ ମାସ ଟଙ୍କା ପଠାନ୍ତି-। ପିଲାମାନେ କଟକରେ ରହି ପଢ଼ନ୍ତି । ସୁବୋଧ ସେତେବେଳକୁ ରାମକୃଷ୍ଣ ଓ ବିବେକାନନ୍ଦଙ୍କ ସମ୍ବନ୍ଧୀୟ ସବୁ ବହି ପଢ଼ି ସାରିଥାଏ । କଥା-କଥାକେ ସେଥିରୁ ପଦେଅଧେ ବରାବର କହିପକାଏ-। ତାରା ସହିତ ସାଙ୍ଗହେଲା ପରେ ପରେ ସୁବୋଧ ତାକୁ ବିବେକାନନ୍ଦଙ୍କ ବହି ପଢ଼ିବାକୁ ଦିଏ-। ତାରା ମଧ୍ୟ ସେସବୁ ପଢ଼େ । ତାରା ଭଲ ବଙ୍ଗଳା କହିପାରେ । ସୁବୋଧକୁ ମଧ୍ୟ ଓଡ଼ିଆ ପଢ଼ିବା ଓ କହିବାପାଇଁ ବେଶିଦିନ ଲାଗିଲାନାହିଁ ।

 

ମେଡ଼ିକାଲ ସ୍କୁଲ୍‍ର ଜିତେନ୍‌ଦା ତାରାର ପୁରାତନ ବନ୍ଧୁ । ତାରା ସହିତ ଜିତେନ୍‌ ଆସି ସୁବୋଧ ସହିତ ମିଳାମିଶା କଲା । ତିନିଜଣଯାକ ପ୍ରାୟ ଅଧିକାଂଶ ସମୟରେ ସୁବୋଧ ଘରେ ବସନ୍ତି । ସୁବୋଧର ସାଇକେଲ ନଥାଏ । ତାରା ଓ ଜିତେନ୍ ତାଙ୍କ ସାଇକେଲରେ ଆସନ୍ତି ଓ ସାଇକେଲ ଦୁଇଟାକୁ ଘରଭିତରେ ରଖିଦେଇ, ଘର ଚଟାଣରେ ସପ ଖଣ୍ଡକ ଉପରେ ବସିଯାଆନ୍ତି-। ସଞ୍ଜ ହୁଏ । ଲଣ୍ଠନ ହେଲେ ହେଲା, ନହେଲେ ନାହିଁ; ବରଂ ନଥିବାଟା ଭଲ । କଥା ହେଉ ହେଉ କେବେକେବେ ରାତି ନଅଟା ବାଜେ । ସମୟ ଜାଣିବାପାଇଁ ଘଣ୍ଟା କାହା ହାତରେ ନଥାଏ-। ତେଣୁ ମା’ଙ୍କ ଡାକରେ ତିନିଙ୍କର ହୋସ୍ ହେଲେ ତାରା ଆଉ ଜିତେନ୍‌ ଘରକୁ ଫେରନ୍ତି ।

 

ଜିତେନ୍‌ ଓଡ଼ିଶାର ଗୋଟିଏ ସମ୍ଭ୍ରାନ୍ତ ବଙ୍ଗାଳୀ ପରିବାରର ପିଲା । ବାପା, ଦାଦା ତା’ର ବଡ଼ବଡ଼ ସରକାରୀ ଚାକିରିଆ । ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କର ଜମିଦାରୀ ଥାଏ; କିନ୍ତୁ ସେମାନଙ୍କର ବନ୍ଧୁବାନ୍ଧବ ସବୁ ବଙ୍ଗଦେଶରେ ଥା’ନ୍ତି । ତେଣୁ ଜିତେନ୍‌ ପିଲାଟିଦିନୁ ବହୁସମୟ କଲିକତାରେ କଟାଏ । ଅସହଯୋଗ ଆନ୍ଦୋଳନରେ ଥରେ ସେ ଜେଲ ଯାଇଥିଲା । ବରାବର ଖଦଡ଼ ପିନ୍ଧେ । ତେଣୁ ସେ ତାଙ୍କ ପରିବାରରେ ଏକପ୍ରକାର ଏକଘରକିଆ ହୋଇଥାଏ । ମେଡ଼ିକାଲ ସ୍କୁଲ୍‍ରେ ସେ ଡାକ୍ତରୀ ପଢ଼ୁଥାଏ । ଡାକ୍ତରୀ ପାଠ ଚାରିବର୍ଷରେ ସରିବାର କଥା; କିନ୍ତୁ ଯେଉଁ କାରଣରୁ ହେଉପଛେ ଜିତେନ୍‍କୁ ଆଠବର୍ଷ ଲାଗିଲାଣି, ତଥାପି ସେ ଡାକ୍ତରୀ ପାସ୍ କରିନାହିଁ । କଟକ ସହରରେ ତାଙ୍କର ବିରାଟ ଘର ଥିଲେ ମଧ୍ୟ ସେ ମେଡ଼ିକାଲ ହଷ୍ଟେଲ୍‍ରେ ଥାଏ-। ମେଡ଼ିକାଲରେ କାମ କରୁଥିବା ଅଧିକାଂଶ ଡାକ୍ତର ତା’ର ବନ୍ଧୁ ତହିଁରୁ କେତେକ ତା’ର ସହପାଠୀ ମଧ୍ୟ ଥିବେ । ଏକାବଜାରର ପିଲା ହିସାବରେ ତାରା ଜିତେନ୍‌କୁ ପିଲାଦିନୁ ଜାଣେ ଓ ବଡ଼ ହିସାବରେ ତାକୁ ‘ଜିତେନ୍‍ଦା’ ବୋଲି ଡାକେ ।

 

ଜିତେନ୍‌ଦା ଅନେକ ସମୟରେ କଲିକତା ଯିବା ଫଳରେ ସେଠାରେ କେତେକ ବିପ୍ଳବୀଙ୍କ ସହିତ ତା’ର ଯୋଗାଯୋଗ ସ୍ଥାପିତ ହୋଇଥାଏ । ସେମାନଙ୍କ ମଧ୍ୟରେ କେତେକ ପୁଣି ତା’ର ଆତ୍ମୀୟ । ସେମାନେ ମଧ୍ୟ ମଝିରେ ମଝିରେ କଟକ ଆସନ୍ତି ଓ ଜିତେନ୍‍ଦା ଘରେ ରହନ୍ତି । କେତେକ ଜିତେନ୍‍ଦା ଘରେ ନରହି ମେଡ଼ିକାଲ ହଷ୍ଟେଲ୍‍ରେ ରହନ୍ତି । ତାରା ଓ ସୁବୋଧ ସେମାନଙ୍କ ସହିତ ମିଶିବାର ସୁଯୋଗ ପାଆନ୍ତି । ଏଣେ ସୁବୋଧର ମାଆ ଜିତେନ୍ ଓ ତାରାଙ୍କର ତାଙ୍କ ଘରେ କବାଟକିଳା ଅନ୍ଧାରୁଆ ବୈଠକ ଦେଖି ମନେମନେ ବଡ଼ ଚିନ୍ତିତ ହୋଇଥାନ୍ତି । ତାଙ୍କୁ ଏପରି ନିଭୃତ ଆଲୋଚନାର ଗତି ବିଷୟରେ ଭଲ ଜଣାଥାଏ । ତାଙ୍କର କାନପୁର ଘରେ ତାଙ୍କର ଦୁଇ ଦୁଇଟା ଭାଇ ଏହିପରି ସାଙ୍ଗମାନଙ୍କୁ ନେଇ ଗପ କରିବାର ପରିଣତି କ’ଣ ହେଲା ସେ ଭଲକରି ଜାଣନ୍ତି । ଯେଉଁ ଭୟରେ ସେ ତିନି ତିନିଟା ପ୍ରଦେଶ ଟପି ହଜାର ମାଇଲ ଦୂରରେ ଆସି ଆଶ୍ରା ନେଇଛନ୍ତି; ଏଠାରେ ପୁଣି ସେହି କଥାର ପୁନରାବୃତ୍ତି ହେବ କି ? ଏକଥା ଭାବି ସେ ଆତଙ୍କିତ ହୋଇପଡ଼ିଲେ । ସୁବୋଧକୁ ବୋଧହୁଏ ସେ ତାଙ୍କ ମନକଥା କହିଲେ । ତା’ ଫଳରେ ତାରା ଆଉ ଜିତେନ୍ ସୁବୋଧ ଘରକୁ ବେଶି ଗଲେ ନାହିଁ । ମେଡ଼ିକାଲ ହଷ୍ଟେଲ୍‍ରେ ମଧ୍ୟ ତିନିଜଣଯାକ ସୁବିଧାରେ ଏକାଠି ଗପ୍‍ସପ୍ କରିବା ସୁବିଧାଜନକ ବୋଲି ମନେକଲେ ନାହିଁ । ଆଉ ଗୋଟିଏ ସୁବିଧା ଜାଗାର ସନ୍ଧାନ ନିଆଗଲା ।

 

କଟକ ରେଳଷ୍ଟେସନ୍‍ ଠାରୁ ଉତ୍ତରମୁହାଁ ହୋଇ ରେଳଲାଇନ୍ କଡ଼େ କଡ଼େ ମହାନଦୀ ଆଡ଼କୁ କିଛିବାଟ ଗଲେ ବା ପାଖରେ ଗୋଟିଏ ବଗିଚା ପଡ଼ିବ । ତାକୁ ଜାନକୀବାବୁ ବଗିଚା କହନ୍ତି-। ବଗିଚାରେ ଏଠିସେଠି ହୋଇ କେଇଟା ବାଦାମ ଗଛ । ସେଗୁଡ଼ାକର ଆଉ ଶିରୀ ନାହିଁ; ଦରମଲା ହୋଇ ଯାହା ଠିଆହୋଇଛି । ବଗିଚା ଚାରିପାଖରେ ଏକସମୟର ଇଟାପାଚେରୀ ଥିଲା-। ତା’ର ଚିହ୍ନ ଏବେବି ଏଠିସେଠି ପଡ଼ିଥିବା ଭଙ୍ଗା ଇଟାରୁ ମିଳେ । ଫାଟକ ଗୋଟାଏ ବୋଧହୁଏ ଥିଲା-। ତା’ର ଚିହ୍ନସ୍ୱରୂପ ଦୁଇଟା ଅଧାଭଙ୍ଗା ଇଟାଖୁଣ୍ଟ ଏବେବି ଅଛି । ବଗିଚା ଭିତରେ ଛୋଟ ପୋଖରୀଟିଏ । ହୁଡ଼ା ତା’ର ପାଖ ଜମି ସଙ୍ଗେ ସମାନ ହୋଇଗଲାଣି; କିନ୍ତୁ ହୁଡ଼ାର ଚିହ୍ନରୂପେ ପାଞ୍ଚ ସାତଟା ଗୁଆ ନଡ଼ିଆଗଛ ଏବେବି ଅଧାମରା ଅବସ୍ଥାରେ ଠିଆହୋଇଛି । ତୁଠ ପାହାଚର ପଥର ସବୁ କେବେଠୁଁ ଭାଙ୍ଗି ଭୁଶୁଡ଼ି କୁଆଡ଼େ ଗଲାଣି; କିନ୍ତୁ ପକା ଚଉତରାଟା ଏବେବି ଅଛି-। ଲୋକେ ଆଗେ ଏ ପୋଖରୀରେ ଗାଧୋଉଥିଲେ; କିନ୍ତୁ ହୁଡ଼ା ଗଲାଦିନୁ ପାଣି ଖରାପ ହୋଇଗଲା-। ତେଣୁ ଏବେ ଆଉ ସେ ପୋଖରୀରେ କେହି ଗାଧୁଆପାଧୁଆ କରନ୍ତିନାହିଁ । ସାହି ମଧ୍ୟ ବଗିଚାଠାରୁ ବେଶ୍ ଦୂର । ତେଣୁ ଦିନବେଳେ ମଧ୍ୟ କେହି ବଗିଚାଆଡ଼େ ଆସନ୍ତି ନାହିଁ-। ସନ୍ଧ୍ୟା ହେଲେ ସେପାଖଟା ଏକେବାରେ ଶୂନଶାନ୍ ନିଃଶବ୍ଦ । ତୁଠ ପାଖକୁ ମନ୍ଦିରଟିଏ । ମନ୍ଦିର ସାମନାରେ ଚଉପାଢ଼ିଟିଏ । ଚଉପାଢ଼ି ଉପର ଛାତ ଏବେବି ମଜବୁତ ଅଛି । ମନ୍ଦିରର ଦିଅଁ କେଉଁଦିନ କୁଆଡ଼େ ଗଲେଣି; କିନ୍ତୁ କାଠଗୋବା ବସା କବାଟ ଯୋଗାଡ଼ ଉପରେ କିପରି କାହାର ନଜର ପଡ଼ିନାହିଁ । ହୁଏତ କାହା ଆଖି ପଡ଼ନ୍ତାଣି; କିନ୍ତୁ ଗଲା ଛ’ମାସ ହେବ ଜଣେ ବାବାଜି କୁଆଡ଼ୁ ଆସି ସେଠାରେ ଡେରା ଜମେଇଛନ୍ତି । ସେଥିପାଇଁ ସେ କବାଟହଳକ ବୋଧହୁଏ ରକ୍ଷାପାଇଯାଇଛି । ବାବାଜିଙ୍କ ବୟସ ତିରିଶ ହେବ । ନିଶ ଦାଢ଼ି ମୁଣ୍ଡର ବାଳ ବେଶ ସୁରକ୍ଷିତ-। ବଳିଲାପରି ଦେହ । ବାବାଜି ସକାଳୁ କୁଆଡ଼େ ବୁଲିଯାନ୍ତି । ଭିକ୍ଷାବୃତ୍ତିଦ୍ଵାରା ହେଉ ବା ଅନ୍ୟ କେଉଁଠି ହେଉ ଚାଉଳ ଡାଲି ଆଣି ସନ୍ଧ୍ୟା ପୂର୍ବରୁ ସେତକ ରାନ୍ଧିବାଢ଼ି ଖାଇନିଅନ୍ତି ।

 

ଏପରି ବାବାଜିଙ୍କ ସଙ୍ଗେ ଜିତେନ୍‍ଦାର କିପରି ବନ୍ଧୁତା ହେଲା, ତାହା କାହାରିକୁ ଜଣା ନାହିଁ; କିନ୍ତୁ ଭାବ ହୋଇଛି ନିଶ୍ଚୟ । କାରଣ ସନ୍ଧ୍ୟା ପରେ ଜିତେନ୍‌ଦା କାମ ଅଛି ବୋଲି କହି ତାରା ଆଉ ସୁବୋଧଙ୍କଠାରୁ ଅଲଗା ହୋଇ, ଏକା ଷ୍ଟେସନ୍‍ଆଡ଼େ ଯାଏଁ ଓ ସେଠାରୁ ଲାଇନ୍ କଡ଼େ କଡ଼େ କୁଆଡ଼େ ଯାଏଁ ।

 

Unknown

ଚଉଦ

 

ସେହି ବର୍ଷ ଓଡ଼ିଶା ଗୋଟିଏ ସ୍ଵତନ୍ତ୍ର ପ୍ରଦେଶ ହେଲା । ପାଟଣାରୁ ବହୁ ସରକାରୀ କର୍ମଚାରୀ ଗୋଟାଏ ସ୍ପେଶାଲ ଟ୍ରେନ୍‌ରେ ଓଡ଼ିଶା ସମ୍ପର୍କୀୟ ସରକାରୀ କାଗଜପତ୍ର ଧରି ବୀରଦର୍ପରେ କଟକରେ ପହଞ୍ଚିଲେ । କଟକରେ ସେକ୍ରେଟେରୀଏଟ୍ ଅଫିସ୍ ଖୋଲାହେଲା । ଗଞ୍ଜାମ କୋରାପୁଟ ଜିଲା ମାନ୍ଦ୍ରାଜରୁ ଆସି ଓଡ଼ିଶା ସଙ୍ଗେ ମିଶିଲା । ଓଡ଼ିଶାପାଇଁ ସ୍ଵତନ୍ତ୍ର ଲାଟ୍ ନିଯୁକ୍ତ ହେଲେ । ପୁଣି ଭାରତରେ ନୂଆ ଶାସନ-ସଂସାର ପ୍ରବର୍ତ୍ତିତ ହେଲା । ନିର୍ବାଚନ ହେଲା । ଭାରତର ଗୋଟିଏ ଦୁଇଟି ପ୍ରଦେଶକୁ ଛାଡ଼ି ଅନ୍ୟ ସବୁ ପ୍ରଦେଶରେ କଂଗ୍ରେସ ଲୋକେ ଭୋଟରେ କିଣି ମନ୍ତ୍ରିମଣ୍ଡଳ ଗଠନ କଲେ । ଏହା ଏକ ଅଭିନବ ବ୍ୟବସ୍ଥା । ଉପରେ ବିଦେଶୀ ଗୋରା ଲୋକ ଲାଟ୍ ହୋଇ ରହିବେ, ଦେଶୀ ଲୋକ ଦେଶବାସୀଙ୍କଠାରୁ ସଂଖ୍ୟାଧିକ ଭୋଟ ପାଇ ମନ୍ତ୍ରିମଣ୍ଡଳ ଗଢ଼ିବେ, ମନ୍ତ୍ରୀ ହେବେ । ମନ୍ତ୍ରୀମାନେ ଯେଉଁ ଜନହିତକର କାର୍ଯ୍ୟ କରିବାକୁ ଇଚ୍ଛାକରିବେ, ବିଦେଶୀ ଲାଟ୍ ହୁଏତ ସେସବୁକୁ ପସନ୍ଦ କରିବେ ନାହିଁ । ତେଣୁ ସଂଘର୍ଷ ଅନିବାର୍ଯ୍ୟ । ଏହିପରି ଭାବରେ ଶାସନ କିଛିଦିନ ଚାଲିଲା ।

 

ଆମ ଦେଶୀ ଲୋକ ମନ୍ତ୍ରୀ ହେଲେ । ଶାସନ ଡୋରି ହାତକୁ ନେଲେ ବୋଲି ଅନେକ ପୂର୍ବତନ ଅସହଯୋଗୀ, କର୍ମୀ ପ୍ରଭୃତି କେତେକାଂଶରେ ସନ୍ତୋଷ ପ୍ରକାଶ କଲେ; କିନ୍ତୁ ଦେଶର ବିଭିନ୍ନ ପ୍ରାନ୍ତରେ କେତେକ ଯୁବକ ଏ ବ୍ୟବସ୍ଥାରେ ବଡ଼ ଅସନ୍ତୁଷ୍ଟ ହେଲେ । “ସବୁ ତୋର, କେଉଁଥିରେ ହାତ ଦେବୁନାହିଁ ।” ଏହି ନ୍ୟାୟରେ ମନ୍ତ୍ରୀମାନେ ଏକପ୍ରକାର ହାତଟେକି ବସିଲେ । ଓଡ଼ିଶାରେ ଯେଉଁ ଯୁବକମାନେ କଂଗ୍ରେସ ସାମ୍ୟବାଦୀଦଳ ଗଢ଼ିଥିଲେ ବା ନାନାପ୍ରକାର ପ୍ରଗତିଶୀଳ ଚିନ୍ତା କରିବାକୁ ଆରମ୍ଭ କରିଥିଲେ, ସେମାନେ ମଧ୍ୟ ଭୀଷଣ ଅସନ୍ତୋଷ ପ୍ରକାଶ କଲେ-। ଏହି ଅସନ୍ତୋଷର ପରିପ୍ରକାଶ ହେଲା ଛାତ୍ର-ସଙ୍ଗଠନ, କୃଷକ-ସଙ୍ଗଠନ, ଶ୍ରମିକ-ସଙ୍ଗଠନ ପ୍ରଭୃତିରେ । କଲେଜ ସ୍କୁଲ୍‍ରେ ନାନାପ୍ରକାର ଦାବି ପୂରଣଲାଗି ହରତାଳ ହେଲା । କୃଷକ ସଂଘ, ରଇତ ସଭା ସବୁ ଗଢ଼ାଯାଇ “ଲଙ୍ଗଳ ଯା’ର ଜମି ତା’ର” ବୋଲି ଧ୍ଵନିମାନ ଦିଆଗଲା । “ଦୁନିଆର ଶ୍ରମିକ ଏକଜୁଟ ହୁଅ, ଆମର ଦାବି ହାସଲ ହେଉ” ପ୍ରଭୃତି ଧ୍ଵନି ଶ୍ରମିକମାନେ ଦେବାକୁ ଆରମ୍ଭକଲେ । ଆମର ଦେଶୀ ଲୋକମାନେ ଉପରେ ମନ୍ତ୍ରୀ ହୋଇଥିବାରୁ ଏସବୁ ସଙ୍ଗଠନରେ କାମ କରିବା ସହଜ ହେଲା । ଦେଶୀ ମନ୍ତ୍ରୀମାନେ ଅକଡ଼ରେ ପଡ଼ନ୍ତୁ ବୋଲି ବିଦେଶୀ ସରକାରଙ୍କ ପ୍ରତିନିଧିମାନେ ଏସବୁ ଗଣ୍ଡଗୋଳ ଦେଖି ଆଖି ବୁଜିଦେଲେ । ଦେଖାଯାଉ, ଦେଶୀ ମନ୍ତ୍ରୀମାନେ କିପରି ଏ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି; କିନ୍ତୁ ସେମାନେ ବରାବର ସତର୍କ ଥା’ନ୍ତି ଯେପରିକି ଇଂରେଜଶାସନକୁ ଦୋହଲାଇ ଦେଲାଭଳି କୌଣସି କାର୍ଯ୍ୟପନ୍ଥା କେହି ଗ୍ରହଣ ନକରନ୍ତି ।

 

ଏତିକିବେଳେ ତାରା, ଶ୍ରୀକାନ୍ତ, ସୋମନାଥ, ଜିତେନ୍, ସୁବୋଧଙ୍କ ଦଳ ଭିନ୍ନ ଭିନ୍ନ କାର୍ଯ୍ୟପନ୍ଥାର ଆଶ୍ରୟ ନେଲେ । ସମସ୍ତେ ଛାତ୍ର । ତେଣୁ ଛାତ୍ର-ସଂଗଠନରେ ସମସ୍ତଙ୍କର ହାତ ରହିଲା, କିନ୍ତୁ କୃଷକ ଓ ଶ୍ରମିକ ସଂଗଠନ ପାଇଁ ଭିନ୍ନ ଭିନ୍ନ କର୍ମୀ ତାଙ୍କରି ଭିତରୁ ବଛାଗଲେ । ତାରା, ଜିତେନ୍, ସୁବୋଧ ପ୍ରଭୃତି କେତେଜଣ ଶ୍ରମିକ-ସଂଗଠନର ଦାୟିତ୍ଵ ନେଲେ । ପ୍ରଥମେ କଟକ ସହରକୁ କେନ୍ଦ୍ରକରି ଶ୍ରମିକ-ସଂଗଠନ ଗଢ଼ିବାର ସ୍ଥିରହେଲା । ଦେଶରେ କଳକାରଖାନା କେଉଁଠି ଅଛି ଯେ ଶ୍ରମିକ ବାହାରିବେ, ଆଉ ତାଙ୍କୁ ନେଇ ଶ୍ରମିକ-ସଂଗଠନ ହେବ ? କଟକ ସହରର ମାଲଗୋଦାମରେ କେତେକ ଶ୍ରମିକ ଥାନ୍ତି । ସେହିମାନଙ୍କୁ ସଂଗଠିତ କରିବାର ପ୍ରଥମେ ସ୍ଥିର ହେଲା ।

 

ଏହି ଶ୍ରମିକସଂଗଠନ କରିବା ଆଳରେ ତାରା, ସୁବୋଧ, ଜିତେନ୍ ମୁଖ୍ୟଦଳଠାରୁ ଅଲଗା ହୋଇଗଲେ । ଅବଶ୍ୟ କଲେଜରେ ସମସ୍ତେ ଏକାଠି ହୁଅନ୍ତି; କିନ୍ତୁ ଏ ତିନିହେଁ ମାଲଗୋଦାମ ଶ୍ରମିକମାନଙ୍କ ସଙ୍ଗେ କେବେ ଯୋଗାଯୋଗ ସ୍ଥାପନା କରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜାନକୀବାବୁଙ୍କ ବଗିଚାରେ ଥିବା ବାବାଜିଙ୍କ ଟୁଙ୍ଗିରେ ଏକାଠି ହୁଅନ୍ତି । କେବେ କେମିତି ଦୀପଟିଏ ବା ଲଣ୍ଠନଟିଏ ସେଠାରେ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ । ନଚେତ୍ ଅନ୍ଧାରରେ ଅଧିକାଂଶ ଦିନ ଗପ ଚାଲେ । ତାରା, ସୁବୋଧ ରସାୟନବିଦ୍ୟାରେ ଅନର୍ସ ସହ କଲେଜରେ ପଢ଼ୁଥାନ୍ତି । ସେତେବେଳେ ଅନର୍ସ ପିଲା ପାଞ୍ଚ ଛଅ ଜଣ । ରସାୟନବିଦ୍ୟାର ଶେଷବର୍ଷର ଅନର୍ସ ଛାତ୍ର ହିସାବରେ ଲାବୋରେଟରୀର ସବୁ ଆଲମାରି ସେମାନଙ୍କପାଇଁ ଖୋଲା । ପୁଣି ସବୁ ପ୍ରକାର ବିସ୍ଫୋରକ ତିଆରି କରିବା ତାଙ୍କର ପାଠ୍ୟପୁସ୍ତକରେ ଥାଏ । ସଲଫର୍, କ୍ଲୋରେଟ୍ ଅବ୍ ପଟାସ, ନାଇଟିକ୍ ଏସିଡ଼୍, ସଲଫ୍ୟୁରିକ ଏସିଡ଼୍, ପଟାସିୟମ୍ ସାଏନାଇଡ଼୍ ପ୍ରଭୃତି ବିଭିନ୍ନ ରସାୟନିକ ଦ୍ରବ୍ୟ ଅତି ସଂଗୋପନରେ ଲାବୋରେଟରୀରୁ ଅଣାଯାଇ ବାବାଜିଙ୍କ ଗମ୍ଭିରି ଭିତରେ ବଡ଼ବଡ଼ କାଚ ବୋତଲମାନଙ୍କରେ ସ୍ଥାନପାଇଲା । କ୍ଲାସ୍‍ରେ ପାଠ୍ୟ ସମ୍ବନ୍ଧରେ ଯେତେ ଆଗ୍ରହ ପ୍ରକାଶ ପାଉ ନଥାଏ, ସେଥିରୁ ଅଧିକ ଆଗ୍ରହ ଥାଏ ବାରୁଦ, ଗନ୍‍କଟନ୍, ପିକିରିକ ଏସିଡ଼୍, ଟି.ଏନ. ଟି.ଟି., ଏନ୍.ଜି. ପ୍ରଭୃତି ତିଆରି କରିବାରେ ।

 

ଥରେ ଗ୍ରୀଷ୍ମଛୁଟିରେ ତାରା, ଜିତେନ୍, ସୁବୋଧ ସାଇକେଲରେ ଖୋରଧା ଚାଲିଯାଇଥିଲେ ତାଙ୍କ ପନ୍ଥୀ କେତେକ ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ । ଚନ୍ଦକା ଜଙ୍ଗଲଦେଇ ଯାଉଥିବାବେଳେ ସେମାନେ ଦେଖିଲେ, ଦି’ଟା ବଳଦଗାଡ଼ିରେ ମଜବୁତ୍ କାଠବାକ୍‍ସରେ କ’ଣ ସବୁ ପଶି କଟକ ନିଆଯାଉଛି । ଚାରିଜଣ କନେଷ୍ଟବଳ ବନ୍ଧୁକଟିଏ ଲେଖାଁ କାନ୍ଧରେ ପକେଇ ଦିନ ଏଗାରଟା ସୁଦ୍ଧା ଚନ୍ଦକା ଟପି କଟକ ଆଡ଼କୁ କିଛିଦୂର ଆଗେଇଗଲେଣି । ବୁଝିବାକୁ ବାକି ରହିଲା ନାହିଁ ଯେ, ଏହି ବାକ୍‍ସଗୁଡ଼ିକରେ ଟଙ୍କା ଅଛି ଓ ତାହା ଖୋରଧାରୁ କଟକ ଯାଉଛି । ଦେଶରେ ସେତେବେଳେ ନୋଟ୍‍ର ପ୍ରଚଳନ ସେତେ ନଥାଏ । ତେଣୁ ଖାଲି ନିଦା ରୁପାଟଙ୍କାରେ ସେ ବାକ୍‌ସଗୁଡ଼ାକ ଭର୍ତ୍ତି, ନହେଲେ ବଳଦ ଦି’ଟାକୁ ଗାଡ଼ି ଟାଣିବାକୁ ଏତେ କଷ୍ଟ ହେଉ ନଥାନ୍ତା । ଏ ଦୃଶ୍ୟ ଦେଖି ବୋଧହୁଏ ଏ ତିନିଜଣଙ୍କ ମନରେ ଏକସମୟରେ ଏକପ୍ରକାର ଭାବ ଜାତହେଲା । ଭାବିନେଲେ ଅତି ସହଜରେ ଏ ଚାରିଜଣ ନାମମାତ୍ର ବନ୍ଧୁକଧାରୀଙ୍କୁ କାବୁ କରି ଗାଡ଼ିରେ ଲଦାହୋଇଥିବା ଟଙ୍କାବାକ୍‍ସକୁ ଅତି ସହଜରେ ଲୁଟି ନେଇହେବ । ଏଇ କଥାଟା ତିନିଙ୍କ ମୁଣ୍ଡରେ ପଶିଲା । ସେହିଦିନହିଁ ଖୋରଧାରୁ ଫେରି ବାବାଜିଙ୍କ ଗମ୍ଭୀରାପାଖ ଚଉପାଢ଼ିରେ ଜହ୍ନରାତିରେ ବହୁ ବେଳଯାଏ କଳ୍ପନା-ଜଳ୍ପନା ଚାଲିଥିଲା ।

 

ଏହାରି ମଧ୍ୟରେ ଥରେ ସୁବୋଧ ଆଉ ତାରାଙ୍କର କେଜାଣି କାହିଁକି ଦରକାର ପଡ଼ିଲା କଲିକତାର ଗୋଟିଏ ଟେଲିଫୋନ୍ ଡାଇରେକ୍ଟରୀ । ଦୁହେଁ କଲେଜରୁ ଫେରୁ ଫେରୁ ବିଚାର ହେଲା କିପରି ଗୋଟିଏ ଡାଇରେକ୍ଟରୀ ମିଳିବ । ଦୁହେଁ ଚାଲିଲେ କଟକ ଟେଲିଫୋନ୍ ଅଫିସ୍‍କୁ । ଯଦି ପୁରୁଣା-ପୁରୁଣି ଗୋଟିଏ କିଣିବାକୁ ମିଳିଯାଏ; କିନ୍ତୁ ମିଳିଲାନାହିଁ । ଟେଲିଫୋନ୍ ଅଫିସ୍‍ରୁ ବୁଝାଗଲା କଲିକତାରେ ଯାହାର ଟେଲିଫୋନ୍ ଅଛି, କେବଳ ସେହିମାନଙ୍କୁ ଡିରେକ୍ଟରୀ କିଣିବାକୁ ମିଳିବ; ବାହାର ଲୋକଙ୍କୁ ମିଳିବନାହିଁ । ଦୁହେଁ ଫେରିଲାବେଳେ କଲିକତାର ଜଣେ ବାରିଷ୍ଟରଙ୍କ ଫୋନ୍ ନମ୍ବରଟା ଟିପିଆଣିଲେ । ସୁବୋଧ ଘରେ ପହଞ୍ଚି କଥାବାର୍ତ୍ତା ହୋଇ ଠିକ୍ ହେଲା ସେ ଟାଇପ୍ କରି ସେହି ବାରିଷ୍ଟରଙ୍କ ନାଁରେ କଲିକତା ଡିରେକ୍ଟରୀ ଅଫିସ୍‍କୁ ଗୋଟାଏ ଚିଠି ଲେଖାଯିବ-। ସେଥିରେ ଲେଖାଯିବ ଯେ ଗୋଟାଏ ଜରୁରୀ କେସ୍‌ରେ ସେ କଟକ ଆସିଛନ୍ତି, କଟକରୁ କଲିକତାକୁ ତାଙ୍କର ଟ୍ରଙ୍କ୍‍କଲ୍ କରିବାର ଦରକାର ପଡ଼ୁଛି । ତେଣୁ ଖଣ୍ଡେ ଡାଇରେକ୍ଟରୀ ଉପର ଠିକଣାରେ କଟକକୁ ପଠେଇବେ । ଦାମ୍ ଯାହା ପଡ଼ିବ ତାଙ୍କ କଲିକତା ଠିକଣାରୁ ବିଲ୍‌କରି ନେଇନେବେ । ଉପରୋକ୍ତ ମର୍ମରେ ଚିଠି ଲେଖାଗଲା ଓ ଉପରେ ସୁବୋଧର କଟକ ଠିକଣାରେ ସେ ବାରିଷ୍ଟର ଆସି ରହୁଛନ୍ତି ଓ ସେହି ଠିକଣାରେହିଁ ପଠେଇବାକୁ ଲେଖାଗଲା । ପରିକଳ୍ପନା ଅନୁଯାୟୀ କାମ ଆରମ୍ଭ ହେଲା । ଦରଖାସ୍ତ ଟାଇପ୍ ହେଲା । ସୁବୋଧ ନେଲା ତାକୁ ଡାକରେ ପକେଇବାକୁ । ଲଫାଫା ଖଣ୍ଡକର ଦାମ୍ ସେତେବେଳେ ମାତ୍ର ଚାରିପଇସା । ଦୁର୍ବୁଦ୍ଧି ତ ! ସୁବୋଧ ସେ ଚାରିପଇସା ମଧ୍ୟ ଖର୍ଚ୍ଚ ନକରି ଗୋଟିଏ ବ୍ୟବହୃତ ଟିକଟମାରି ଲଫାଫାଟିକୁ ଡାକଘରେ ପକେଇଦେଲା । ବ୍ୟବହୃତ ଟିକଟ ସଂଗ୍ରହ କରିବା ସୁବୋଧର ଗୋଟାଏ ଝୁଙ୍କ । ତା’ରି ଭିତରୁ ଗୋଟାକରେ ବୋଧହୁଏ ପୋଷ୍ଟ୍ ଅଫିସ୍ ମୋହରଟା ଖୁବ୍ କମ୍ ବାଜିଥିଲା । ଡିରେକ୍ଟରୀ ତ ମାଗଣାରେ ଆସିବ, ପୁଣି ତା’ପାଇଁ ଚାରିପଇସା ଖର୍ଚ୍ଚ ହେବ କାହିଁକି ? ସବୁ ଚାନ୍ଦାରେ ହେବ । ଏ ଗୋଟାଏ ଖିଆଲ ଛଡ଼ା ଆଉ କିଛି ନୁହେଁ । ଡିରେକ୍ଟରୀଟାଏ ବା କ’ଣ ହେବ ?

 

ସବୁ ଦୁର୍ଯୋଗ । ଏ ଚିଠିଟା ଧରାହେଲା ବ୍ୟବହୃତ ଷ୍ଟାମ୍ପ୍ ବ୍ୟବହାର ହୋଇଛି ବୋଲି; ଗଲା କଲିକତା ଡେଡ଼୍ ଲେଟର ଅଫିସ୍‍କୁ । ସେଠାରେ ସେ ଚିଠିଟା ଖୋଲାଯାଇ ବାରିଷ୍ଟରସାହେବଙ୍କୁ ପଚରାଗଲା, ସେ ଏପରି ଚିଠି ଲେଖିଛନ୍ତି କି ନାହିଁ ? ସେ ପରିଷ୍କାର ମନାକରିଦେଲେ ଏପରି ଚିଠି ସେ ଲେଖିନାହାନ୍ତି କି କଟକକୁ ମୋଟେ ଯାଇନାହାନ୍ତି ବୋଲି । ମହାଅଡ଼ୁଆରେ ପଡ଼ି ଡାକବିଭାଗ କର୍ତ୍ତୃପକ୍ଷ କଟକ ପୋଲିସ୍‍କୁ ଏ ଘଟଣାର ତଦନ୍ତଭାର ଦେଲେ । କଟକ ପୋଲିସ୍‍ ମଧ୍ୟ ଏହିପରି ଆଉ କେତେକ ବେନାମୀ ଚିଠି କଟକର କେତେଜଣ ବଡ଼ବଡ଼ ବ୍ୟବସାୟୀଙ୍କ ପାଖକୁ ଦିଆଯାଇଥିବାରୁ ଏ ବିଷୟରେ ଭିତରେ ଭିତରେ ଖୁବ୍ ତନାଘନା ତଦନ୍ତ ଚଳେଇଥିଲେ । ସେ ସବୁ ବ୍ୟବସାୟୀଙ୍କୁ ଅମୁକ ଦିନ ଅମୁକ ଜାଗାରେ ଏତେ ଟଙ୍କା ଦେବାକୁ ଧମକ ଦେଇ ଚିଠି ଲେଖାଯାଇଥିଲା । କିଏ ଲେଖୁଛି ବୋଲି ପୋଲିସ୍‍ ଜାଣିପାରୁ ନଥିଲେ; କିନ୍ତୁ ଏ ଚିଠି ପାଇ ସୁବୋଧର ଠିକଣାଟା ସେମାନଙ୍କୁ ହାତେହାତେ ମିଳିଗଲା । ସୁବୋଧ ଘରେ ଯାଇ ତାକୁ ପଚରା-ଉଚରା କଲେ । ସୁବୋଧ ପୁଣି ତାରା ପ୍ରଭୃତି ମାର୍କାମରା ପିଲାଙ୍କ ସଙ୍ଗେ ବୁଲୁଥିବାର ସେମାନେ ଲକ୍ଷ୍ୟ କରିଥିଲେ ।

 

ସୁବୋଧ ଏପରି ଚିଠି ଲେଖିନାହିଁ ବୋଲି ପୋଲିସ୍‍କୁ ସ୍ପଷ୍ଟ ମନାକରିଦେବା ସତ୍ତ୍ୱେ ପୋଲିସ୍‍ ଆସି କଲେଜର ଅଧ୍ୟକ୍ଷଙ୍କୁ ଭେଟିଲେ । ଚତୁର୍ଥ ବାର୍ଷିକ ଶ୍ରେଣୀର ବଛାବଛି ପରୀକ୍ଷା ଚାଲିଥାଏ । ସେମାନେ ସୁବୋଧ ଓ ତା’ ସାଙ୍ଗ ତାରାକୁ ସେହିଦିନ ପୋଲିସ୍‍ ସାହେବଙ୍କୁ ଦେଖାକରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅଧ୍ୟକ୍ଷଙ୍କୁ ଅନୁରୋଧ କଲେ; କିନ୍ତୁ ସେତେବେଳର ଅଧ୍ୟକ୍ଷ ତ୍ରିପାଠୀ ସାହେବ ମହାଟାଣୁଆ ଲୋକ । ସେ ତାଙ୍କ ଛାତ୍ରଙ୍କୁ ପରୀକ୍ଷା ଚାଲୁଥିବାବେଳେ ପୋଲିସ୍ ସାହେବଙ୍କ ସଙ୍ଗେ ଦେଖାକରିବାକୁ ଅନୁମତି ଦେଇପାରିବେ ନାହିଁ ବୋଲି ଆସିଥିବା ପୋଲିସ୍ ଅଫିସରଙ୍କୁ ମନାକରିଦେଲେ । ଫୋନ୍‍ରେ ସେହି କଥା ପୋଲିସ୍‍ ସାହେବଙ୍କୁ ଜଣାଇଦେଲେ ଓ ପରୀକ୍ଷା ପରେ ସେ ଦୁହେଁ ଯେପରି ଯାଇ ତାଙ୍କୁ ଦେଖାକରିବେ, ସେ ଦାୟିତ୍ଵ ସେ ନିଜେ ନେଲେ । ପୋଲିସ୍‍ ଅଫିସର ଜଣଙ୍କ ହତାଶ ହୋଇ ଫେରିଲେ; କିନ୍ତୁ ପରୀକ୍ଷା ପରେ ସୁବୋଧ ଓ ତାରା ଘରକୁ ଯିବା ପୂର୍ବରୁ ଯେପରି ତାଙ୍କ ସହିତ ଦେଖାକରି ଯାଆନ୍ତି, ସେଥିପାଇଁ ସେ ଦୁହିଁଙ୍କ ପାଖକୁ ଖବର ପଠାଇଲେ । ସେ ଦୁହେଁ ଠିକ୍ ପରୀକ୍ଷା ଦେଇସାରି ହଲ୍‍ରୁ ବାହାରିଲାବେଳକୁ ପିଅନ ଯାଇଁ ସେ ଦୁହିଁଙ୍କୁ ଅଧକ୍ଷ ଡାକୁଛନ୍ତି ବୋଲି ଖବର ଦେଲା । ଦୁହେଁ ଅଧ୍ୟକ୍ଷଙ୍କ ଅଫିସ୍‍ରେ ପହଞ୍ଚି ନମସ୍କାର କରି ଠିଆହେବାରୁ ଅଧ୍ୟକ୍ଷ ତାଙ୍କୁ ବସିବାକୁ କହିଲେ ଓ କ’ଣ ହୋଇଛି ଯେ ପୋଲିସ୍‍ ସାହେବ ସେ ଦୁହିଁଙ୍କୁ ଦେଖାକରିବାକୁ ଡକେଇଛନ୍ତି ବୋଲି ପଚାରିଲେ । ସୁବୋଧ ଓ ତାରାକୁ ନିର୍ଭୟରେ ସବୁକଥା ତାଙ୍କ ଆଗରେ କହିଯିବାକୁ ସେ କହିଲେ ଓ ତାଙ୍କର କୌଣସି କ୍ଷତି ହେବାକୁ ସେ କଦାପି ଦେବେନାହିଁ ବୋଲି ଅଭୟ ଦେଲେ । ସୁବୋଧ ଓ ତାରାକୁ ଅଧ୍ୟକ୍ଷ ମହାଶୟ ଭଲଭାବରେ ଜାଣନ୍ତି; କାରଣ ସେମାନେ ବିଜ୍ଞାନଶ୍ରେଣୀର ଛାତ୍ର ଓ ସେ ନିଜେ ସେମାନଙ୍କୁ ଅଧିକାଂଶ ସମୟରେ ପଢ଼ାନ୍ତି । ତାରା ଓ ସୁବୋଧ ଅଭୟ ପାଇ ତାଙ୍କୁ ସେମାନେ ଡିରେକ୍ଟରୀ ପାଇବା ସକାଶେ କରିଥିବା କୀର୍ତ୍ତିସବୁ ଖୋଲାଖୋଲି ବୟାନ କରିଗଲେ । ଅଧ୍ୟକ୍ଷ ବାକି ପରୀକ୍ଷାତକ ସରିବାପରେ ଦୁହେଁ ଯାଇ ପୋଲିସ୍ ସାହେବଙ୍କୁ ଦେଖାକରିବାକୁ ପରାମର୍ଶ ଦେଲେ ।

 

ପରୀକ୍ଷା ସରିବାପରେ ଦୁହେଁ ଯାଇ ଅଧ୍ୟକ୍ଷଙ୍କୁ ଦେଖାକଲେ । ସେତେବେଳକୁ ଦିନ ବାରଟା ହେବ । ଅଧ୍ୟକ୍ଷ ପୋଲିସ୍‍ ସାହେବଙ୍କୁ ଫୋନ୍‍କରି ତାରା ଓ ସୁବୋଧ ତାଙ୍କ କୋଠିକୁ ତାଙ୍କ ସହିତ ଦେଖାକରିବାକୁ ଯାଉଛନ୍ତି ବୋଲି ଜଣେଇଦେଲେ । ଦୁହେଁ ସାଇକେଲରେ ପୋଲିସ୍‍ ସାହେବଙ୍କ କୋଠିକୁ ଚାଲିଲେ । ପୋଲିସ୍‍ ସାହେବ ବଡ଼ ବଦ୍‌ରାଗୀ ଓ କଥା-କଥାରେ ଚାବୁକ୍‍ ବ୍ୟବହାର କରନ୍ତି ବୋଲି ଶୁଣାଥାଏ । ତାରାର ଚେହେରା ସେତେବେଳେ ଦେଖିଲାପରି । ସୁବୋଧ କିନ୍ତୁ ବଡ଼ ଦୁର୍ବଳିଆ । ତାରା କହି କହି ଯାଉଥାଏ, ଯଦି ସେ ଚାବୁକ୍‍ ଚଳାଏ, ତେବେ ଯାହା ହେବାର ହେବ ପଛେ ସେ ପୋଲିସ୍‍ ସାହେବ ତଣ୍ଟିଚିପି ତାକୁ ସେଇଠି ଖତମ୍ କରିଦେବ; ପରେ ତାକୁ ଗୁଳିକରି ସେଠାରେ ମାରିଲେ ମାରିଦେବେ ପଛେ ।

 

ପୋଲିସ୍‍ ସାହେବଙ୍କ କୋଠିରେ ପହଞ୍ଚି ଖବରଦେବାମାତ୍ରେ ସେ ଦୁହିଁଙ୍କୁ ଅଫିସ୍ ଘର ଭିତରକୁ ଯିବାକୁ ଡକରା ଆସିଲା । ଦୁହେଁ ଯାଇ ତାଙ୍କ ଟେବୁଲ ପାଖରେ ଛିଡ଼ାହେବାରୁ ସାହେବ ତାଙ୍କୁ ବସିବାକୁ କହିଲେ । ପ୍ରଥମେ ଧମକଚମକ, ପରେ ବୁଝାସୁଝା ଅନେକ କଲେ । ଶେଷରେ ସେ ଦୁହିଁଙ୍କୁ ଯିବାକୁ କହିଲେ । ଅପ୍ରତ୍ୟାଶିତ କିଛି ହେଲା ନାହିଁ । ବୋଧହୁଏ ଅଧ୍ୟକ୍ଷଙ୍କ କରଣି କାମ କରିଛି । ତାରା, ସୁବୋଧ ମାନେ ମାନେ ଘରକୁ ଫେରିଲେ; କିନ୍ତୁ ପୋଲିସ୍‍ର ଆଖି ଯେ ଏଣିକି ସେମାନଙ୍କ ଉପରେ ରହିଲା; ଏହା ସେ ଦୁହେଁ ନିଃସନ୍ଦେହ ଭାବରେ ଜାଣିଲେ ।

 

ସୁବୋଧ ଘରକୁ ଫେରିବାର କିଛି ସମୟ ପରେ ଖାଇ ଶୋଇବାକୁ ଗଲା । ପରୀକ୍ଷା ସରିଥାଏ, ପଢ଼ିବା ଚିନ୍ତା ନଥାଏ । ଖୁବ୍ ଭଲଭାବରେ ନିଦ ଆସିବା କଥା; କିନ୍ତୁ ତାକୁ ମୋଟେ ନିଦ ହେଲାନାହିଁ । ରାତିଅଧରୁ ଉଠି ଘରଭିତରେ ସ୍ଲୋଗାନ ଦବା ଆରମ୍ଭ କରିଦେଲା । ସୁବୋଧର ମା’ ଓ ଭଉଣୀ ଅନ୍ୟ ଘରଟିରେ ଶୁଅନ୍ତି । ସୁବୋଧ ରାତିଅଧରୁ ଉଠି ପଢ଼ାପଢ଼ି କରିବ ବୋଲି ଏକୁଟିଆ ଦାଣ୍ଡଘରେ ଶୁଏ । ଆଉ ମଧ୍ୟ ତା’ର ଗଲା-ଅଇଲା ବନ୍ଧୁ ଆସି ଦାଣ୍ଡଘରେ ବସାଉଠା କରନ୍ତି । ମା’ ଭଉଣୀଙ୍କର ବାହାରକୁ ଯିବାର ପ୍ରୟୋଜନ ମୋଟେ ନଥାଏ । ଭଉଣୀ ସ୍କୁଲ୍‍ରୁ ଫେରିଲା ପରେ ଆଉ ବାହାରକୁ ବାହାରେ ନାହିଁ । ତେଣୁ ସୁବୋଧ ଖଞ୍ଜାତରଫ କବାଟ ବନ୍ଦକରି ଦାଣ୍ଡ କବାଟ ବାହାରୁ ବନ୍ଦକରି ରାତିରେ କୁଆଡ଼େ ଯାଏଁ ବା କେତେବେଳେ ଯାଏଁ, ସେ କଥା ତା’ର ମା’ ମୋଟେ ଜାଣନ୍ତି ନାହିଁ । କିନ୍ତୁ ରାତିଅଧରେ ଯେତେବେଳେ ସୁବୋଧର ଘରଭିତରୁ ‘ଦୁନିଆର ଶ୍ରମିକ ଏକଜୁଟ ହୁଅ’ ‘ଏକବଳଦିଆ ଗାଡ଼ିବାଲା ଏକଜୁଟ ହୁଅ’ ଏପରିକି ‘ଡଗ୍‌ସ ଅବ୍ ଦି ୱାର୍ଲଡ଼ ଇଉନାଇଟ୍’ ପ୍ରଭୃତି ଧ୍ୱନିସବୁ ଧ୍ଵନିତ ହେଲା, ସେତେବେଳେ ମା’ ଉଠି ‘ସୁବୋଧ କ’ଣ କରୁଛୁ’ ବୋଲି ପଚାରି କବାଟ ଖୋଲିବାକୁ ତାକୁ କହିଲେ । ସୁବୋଧ କବାଟ ଫିଟେଇ ଖଞ୍ଜାକୁ ଆସୁ ନଥାଏ କି ଦାଣ୍ଡକୁ ବାହାରୁ ନଥାଏ । ଭାଗ୍ୟେ ତାଙ୍କ ବସାଟା ଏକରକମ ନିଛାଟିଆ ଜାଗାରେ, ତା’ ଉପରେ ପୁଣି ଶୀତଦିନ । ସେଥିପାଇଁ ଏ ସ୍ଲୋଗାନଗୁଡ଼ିକ କେହି ଶୁଣିପାରିଲେ ନାହିଁ । ମା’ ବହୁତ ଡକାଡ଼କି କଲେ; କିନ୍ତୁ ଘରଭିତରୁ କିଛି ସୋର-ଶବ୍ଦ ନାହିଁ । ପ୍ରାୟ ଘଣ୍ଟାଏ ଖଣ୍ଡେ ସବୁ ଚୁପ୍ । ୟା’ ମଧ୍ୟରେ ସକାଳ ହୋଇଗଲାଣି ।

 

ସୁବୋଧ ଓ ତାରା ପୋଲିସ୍‍ ସାହେବଙ୍କ ସଙ୍ଗେ ଦେଖାକରିବାକୁ ଯିବାର ଥିଲା; ମାତ୍ର ଏତିକି ଖବର ଜିତେନ୍ ଜାଣିଥିଲା; କିନ୍ତୁ ଦେଖାସାକ୍ଷାତ୍‍ର ଫଳ କ’ଣ ହେଲା ସେକଥା ସେ ଜାଣିପାରି ନଥିଲା । ତେଣୁ ସେ ସକାଳୁ ସକାଳୁ ମେଡ଼ିକାଲ ହଷ୍ଟେଲ୍‍ରୁ ସୁବୋଧ ଘରକୁ ଧାଇଁଛି । ଦାଣ୍ଡଦୁଆରେ ଆସି ଦେଖେ ତ ଆଠଟାବେଳ ହେଲାଣି; କିନ୍ତୁ ସୁବୋଧ ଘର ଦାଣ୍ଡଦରଜା ଖୋଲିନାହିଁ । ତେଣୁ ସେ ‘ସୁବୋଧ ସୁବୋଧ’ ବୋଲି ଡାକିଲା । ମା’ଙ୍କର ଏତେ ଡାକରେ ଯେଉଁ କବାଟ ଖୋଲୁ ନଥିଲା, ଜିତେନ୍‌ର ଗୋଟାଏ ଡାକରେ ତାହା ସାଙ୍ଗେ ସାଙ୍ଗେ ଖୋଲିଗଲା । ମା’ ସେ ପାଖରୁ ଡାକି କହିଲେ, “ବାବା ଜିତେନ୍, ଖଞ୍ଜା ପାଖରୁ କବାଟ ଖୋଲି ଭିତରକୁ ଆ, ମୁଁ ସୁବୋଧ କଥା ସବୁ କହୁଛି ।” ଜିତେନ୍ ଖଞ୍ଜାପାଖ କବାଟ ଖୋଲି ଅଗଣାକୁ ଯିବାମାତ୍ରେ ସୁବୋଧ ସିଧା ଘରୁ ବାହାରି ଅଗଣା ସେମୁଣ୍ଡରେ ଥିବା ପାଇଖାନାକୁ ଚାଲିଗଲା । ମା’ ଜିତେନ୍‌କୁ ରାତିର ବୃତ୍ତାନ୍ତ ସବୁ କହିଲେ । ଜିତେନ୍‌ ଘଣ୍ଟାକରୁ ଉପର ମା’ଙ୍କ ସଙ୍ଗେ କଥାବାର୍ତ୍ତା କଲେ ମଧ୍ୟ ସୁବୋଧ ପାଇଖାନାରୁ ନ ବାହାରି ତାହାରି ଭିତରୁ ଧ୍ଵନିମାନ ଦେବାକୁ ଆରମ୍ଭକଲା । କେତେବେଳକେ ଜିତେନ୍‌ର ଧମକରେ ନୋଟା ନେଇ ପାଣିସାରି ଆସିଲା । ଜିତେନ୍‌ ପ୍ରମାଦ ଗଣିଲା । ତାକୁ ଚାରିଆଡ଼ ଗୋଳମାଳିଆ ଦିଶିଲା । ସୁବୋଧକୁ ଧମକଦେଇ ତାକୁ କୁଆଡ଼କୁ ନ ଯିବାକୁ କହି ଜିତେନ୍ ଧାଇଁଲା ତାରା ପାଖକୁ । ମା’ ଭିତରୁ ତାଲା ପକେଇ ସୁବୋଧକୁ ଘରଭିତରେ ଅଟକେଇ ରଖିଲେ ।

 

ଜିତେନ୍ ତାରା ପାଖକୁ ଆସୁ ଆସୁ ରାଣୀହାଟ ପୋଲ ଉପରେ ତାରାକୁ ଭେଟିଲା । ତେଣୁ ଦୁହେଁ ସୁବୋଧ ଘରକୁ ଫେରିଆସିଲେ । ମା’ ସେତେବେଳକୁ ବଡ଼ ବିବ୍ରତ ହୋଇପଡ଼ିଥାନ୍ତି । ଯେଉଁ ଭୟରେ ପିଲା ଦୁଇଟାଙ୍କୁ ଧରି ଘରଠାରୁ ଶହ ଶହ ମାଇଲ ଦୂରକୁ ପଳେଇଆସିଥିଲେ, ସେଠାରେ ମଧ୍ୟ ନିସ୍ତାର ମିଳିଲାନାହିଁ । ସୁବୋଧ, ଜିତେନ୍ ଓ ତାରାର ଗତିବିଧି ସେ କିଛିଦିନ ହେବ ଲକ୍ଷ୍ୟ କରୁଥିଲେ । ଘରପୋଡ଼ିରୁ ରକ୍ଷାପାଇଥିବା ଗାଈ ସିନ୍ଦୂରିଆ ମେଘକୁ ଦେଖି ଡରିଲାପରି ସେ ଏମାନଙ୍କ ଗତିବିଧିକୁ କାହିଁକି ସନ୍ଦେହ କରୁଥିଲେ । ତାଙ୍କର ଭାଇ ଦୁହିଁଙ୍କର କାର୍ଯ୍ୟକଳାପ ସେ ଦେଖିଛନ୍ତି । ଉତ୍ତରପ୍ରଦେଶରେ କଂଗ୍ରେସ ସରକାର ହେଲାପରେ ସେ ଦୁହେଁ ଆଣ୍ଡାମାନରୁ ସ୍ଵଦେଶକୁ ଫେରିଥା’ନ୍ତି ।

 

ତାରା, ଜିତେନ୍ ଓ ମା’ ଦାଣ୍ଡକବାଟ ବନ୍ଦକରି ବାଟଘରେ ବସିଲେ । ଝିଅଟି କ’ଣ ଗଣ୍ଡାଏ ଖାଇ ତା’ ସ୍କୁଲ୍‍କୁ ବାହାରିଯାଇଥାଏ । ଏ ତିନିହେଁ ସୁବୋଧକୁ ଘେରି ବସିଥା’ନ୍ତି । ସୁବୋଧ ତଳକୁ ମୁଣ୍ଡପୋତି ବସିଥାଏ । କାହାରି ମୁହଁକୁ ଚାହୁଁ ନଥାଏ; କିନ୍ତୁ ପାଞ୍ଚଦଶମିନିଟ ବ୍ୟବଧାନରେ କାନ୍ଥଆଡ଼କୁ ଅନେଇ ତର୍ଜନୀ ଦେଖେଇ କାହାକୁ ଶାସନ କଲାପରି କ’ଣ ଗୁଣୁଗୁଣୁ ହୋଇ କହେ । ଜିତେନ୍ ଓ ତାରାକୁ ଦେଖି ପାଟି କରୁ ନଥାଏ । ଜିତେନ୍ ଧମକ ଦେଇଥାଏ ପାଟିକଲେ ତାକୁ ମାରିବ ବୋଲି, ବୋଧହୁଏ ସେହି ଭୟରେ ଚୁପ୍ ଥାଏ । ମା’ କହିଲେ ସୁବୋଧର ବାବାଙ୍କୁ କଲିକତା ବେଲୁଡ଼ମଠ ଠିକଣାରେ ଟେଲିଗ୍ରାମ୍ କରିଦେବାକୁ । କଥା ହେଲା ପାଳିକରି ସୁବୋଧକୁ ଜଗିବାକୁ ହେବ, ନହେଲେ ସେ ସମସ୍ତଙ୍କୁ ବିପଦରେ ପକେଇଦେବ । ୟା ମଧ୍ୟରେ ତା’ ପାଟିରୁ ଗୋଟାଏ ଅଧେ ସାଙ୍ଘାତିକ କଥା ବାହାରିପଡ଼ିଲାଣି, ଯାହାକି ଅନ୍ୟ କେହି ଶୁଣିଲେ ରୀତିମତ ବିପଦର ସମ୍ଭାବନା ରହିଛି । ତେଣୁ ଭୀଷଣ ସତର୍କତା ରକ୍ଷାକରିବାର ଆବଶ୍ୟକତା ଦୃଷ୍ଟିରୁ ତାଙ୍କ ଦୁହିଁଙ୍କ ଭିତରୁ ଜଣକୁ ନା ଜଣକୁ ତା’ ପାଖରେ ରହିବାକୁ ହେବ । ତାରା ଜିତେନ୍‌କୁ ଛାଡ଼ି କଲେଜ ଆସିଲା ବାଟରେ ଚାଉଳିଆଗଞ୍ଜ ପୋଷ୍ଟ୍ ଅଫିସ୍‍ରେ ଟେଲିଗ୍ରାମ୍‍ଟା କରିଦେଲା ।

 

ପନ୍ଦର

 

ତାରା, ଜିତେନ୍, ସୁବୋଧ ଏ କେତେଦିନ ହେବ କେମିତି ଦଳରୁ ଖାପଛଡ଼ା ହେଉଥିବାର ଶ୍ରୀକାନ୍ତ, ତନୁ ପ୍ରଭୃତି ତାଙ୍କ ସାଙ୍ଗରେ ବରାବର ଲାଗିଥାନ୍ତି । ‘ତୁମେ ତିନିଟା କୁଆଡ଼େ ଯାଉଛ’ ବୋଲି ସେମାନେ ବରାବର ପଚାରନ୍ତି । ଏମାନେ ଯାହା କିଛି କରୁଥାନ୍ତୁ ପଛେ ତାଙ୍କର ପୂର୍ବ ଆଡ୍‌ଡ଼ା ଭୁଲି ନଥାନ୍ତି । ସପ୍ତାହରେ ଦୁଇତିନି ଥର ସେମାନେ ସେ ଆଡ୍‌ଡ଼ାକୁ ଯାଆନ୍ତି, କେତେବେଳେ ତିନିଜଣଯାକ ଏକାଠି ତ କେତେବେଳେ ଜଣିକିଆ ହୋଇ । ବେଳେବେଳେ ମଧ୍ୟ ସ୍ଵରାଜ୍ୟ ଆଶ୍ରମ ଆଡ଼େ ଯାଆନ୍ତି । କଂଗ୍ରେସ ମନ୍ତ୍ରିମଣ୍ଡଳ ଗଢ଼ିବା ପରଠାରୁ ସ୍ଵରାଜ୍ୟ ଆଶ୍ରମର ଅବସ୍ଥା ବଦଳିଯାଇଛି । ଆଗେ କଂଗ୍ରେସ ଅଫିସ୍‍କୁ ଯିବାଆସିବା କରିବା ବା କଂଗ୍ରେସକୁ ଚାନ୍ଦାଦେବା ଯେପରି ଦୋଷାବହ ମନେକରାଯାଉଥିଲା, ଏବେ ଆଉ ସେପରି ନାହିଁ; ବରଂ କେତେ ଲୋକ ନିଜେ ନିଜେ ଯାଚି କଂଗ୍ରେସକୁ ଚାନ୍ଦା ଦେବା ସଙ୍ଗେ ସଙ୍ଗେ ନିଜକୁ କଂଗ୍ରେସୀ ବୋଲି ଚିହ୍ନେଇ ଦେବାକୁ ଆଗଭର ହେଉଛନ୍ତି । ଏହି ଅବସରରେ କଂଗ୍ରେସ ନେତାମାନଙ୍କ ମଧ୍ୟରେ ଫାଟ ଦେଖାଗଲାଣି ଓ ଯୁବକଗୋଷ୍ଠୀ ନିଜକୁ ପ୍ରଗତିଶୀଳ ବୋଲାଇ ପୂର୍ବତନ କଂଗ୍ରେସୀ ନେତାଙ୍କୁ କଂଗ୍ରେସ କର୍ମକର୍ତ୍ତାପଦରୁ ତଡ଼ିଦେବାକୁ ଚେଷ୍ଟା କରୁଥା’ନ୍ତି । ତାରାଙ୍କ ଦଳର ପ୍ରାୟ ସମସ୍ତେ ଏହି ଯୁବନେତୃତ୍ୱର ସମର୍ଥକ ଭାବରେ କାମ କରୁଥା’ନ୍ତି । ସବୁ ଜିଲାରେ ଏପ୍ରକାର ଦଳ ଗଠନ ହୋଇଥାଏ । ଏ ଦଳରେ ବେଶି ଲୋକ ନଥାନ୍ତୁ ପଛକେ, ଯେ କେତେଜଣ ଥା’ନ୍ତି, ସେମାନେ ଖୁବ୍ କର୍ମଠ ଓ କାର୍ଯ୍ୟଦକ୍ଷ । ଶେଷରେ ଯୁବନେତୃତ୍ଵର ଆଗରେ ପୁରାତନ ନେତୃତ୍ୱ ହାର ମାନିଲା । ଯୁବକ ନେତାମାନେ ପ୍ରାଦେଶିକ କଂଗ୍ରେସ କମିଟିର ନେତୃତ୍ୱ ନେଲେ ।

 

ତାରା ଶ୍ରୀକାନ୍ତଙ୍କ ଦଳର ବଳ କ୍ରମେ ବଢ଼ିଲା । ଗଞ୍ଜାମ, କୋରାପୁଟ ପ୍ରଭୃତି ନୂଆ ଜିଲାରେ ମଧ୍ୟ ଏମାନଙ୍କର ଯୋଗସୂତ୍ର ସ୍ଥାପିତ ହେଲା । ଏ ଅଞ୍ଚଳରୁ ଏମ.ଏ. ବା ଓକିଲାତି ପଢ଼ିବାପାଇଁ କଟକ ଆସୁଥିବା କେତେକ ଯୁବକ ଆସି ଏ ଦଳରେ ଯୋଗଦେଲେ ଓ ତା’ର ନେତୃତ୍ୱ ନେଲେ । ଛାତ୍ର, ଶ୍ରମିକ, କୃଷକ ପ୍ରଭୃତି ବିଭିନ୍ନ ସାମ୍ମୁଖ୍ୟର କାମ କରିବାକୁ ଲାଗିଲେ । ପ୍ରଦେଶ କଂଗ୍ରେସର ଯୁବ ନେତୃତ୍ୱରେ ଆଶୀର୍ବାଦ ତାରାଙ୍କ ଦଳଉପରେ ରହିଲା । କାରଣ ଏହିମାନଙ୍କ ବାହୁବଳରେ ସେମାନେ ଆଜି କଂଗ୍ରେସର ନେତୃତ୍ୱ ନେଇପାରିଛନ୍ତି । ତାରା ପ୍ରଭୃତିଙ୍କ ସମମେତ ଚେଷ୍ଟାରେ ଖଣ୍ଡେ ମାସିକ ପତ୍ରିକା ପ୍ରକାଶ ପାଇଲା । ପ୍ରଗତିଶୀଳ ଲେଖାଯୋଗୁଁ ଏହା ସୁଧୀ-ସମାଜରେ ବିଶେଷ ଆଦୃତ ହେଲା । ଦଳର ଅଳ୍ପ ବହୁତ ସମସ୍ତେ ଏହାରି ମାଧ୍ୟମରେ କଲମ ଧରିଲେ । କୃଷକ ଆନ୍ଦୋଳନକୁ ଆଗେଇନେବା ପାଇଁ ଖଣ୍ଡିଏ ସାପ୍ତାହିକ ପତ୍ରିକା ମଧ୍ୟ ଏହିମାନଙ୍କ ପ୍ରଚେଷ୍ଟାରେ ପ୍ରକାଶିତ ହୋଇ ଚାଲୁଥାଏ । ଏହାର ପ୍ରକାଶନ, ପ୍ରକାଶ ଓ ପ୍ରସାର ସବୁ ଏହି ଦଳର କର୍ମୀମାନଙ୍କର ମୁଖ୍ୟ କାର୍ଯ୍ୟ ହୋଇଥାଏ । ଛାତ୍ର ସାମ୍ମୁଖ୍ୟରେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଲା । ଏଥିପାଇଁ ଛାତ୍ରସଂଘ ନାମକ ସଂସ୍ଥାଟିଏ ସୃଷ୍ଟିହେଲା । ଓଡ଼ିଶାରେ କଳକାରଖାନା ସେତେବେଳେ ବେଶି ନଥାଏ । ତେଣୁ ମାଲଗୋଦାମ ଓ ଛୋଟକାଟର କାରଖାନା ପ୍ରଭୃତିରେ ଦିନ ମଜୁରିଆଙ୍କୁ ସଙ୍ଗଠିତ କରି ଶ୍ରମିକ ୟୁନିୟନ୍ ମଧ୍ୟ ଗଢ଼ାଗଲା ।

 

ଏ ସବୁ ସମ୍ଭବ ହେଉଥାଏ ସେତେବେଳେ ଓଡ଼ିଶାରେ କଂଗ୍ରେସ ସରକାର ଥାଏ ବୋଲି-। ତଥାପି ବିଦେଶୀଶାସନ ଦେଶରେ ଥାଏ ଓ ତା’ର ପ୍ରତିନିଧିମାନେ ତାଙ୍କ ସାମ୍ରାଜ୍ୟବାଦୀ ଶାସନକୁ ଆମ ଦେଶରେ ବଜାୟ ରଖିବାକୁ ବଦ୍ଧପରିକର ଥାଆନ୍ତି । ଫଳରେ ଦେଶକୁ ସ୍ଵାଧୀନ କରିବାଲାଗି ସବୁ ସଙ୍ଗଠନ, ଅସରନ୍ତି ବକ୍ତୃତା, ସଭାସମିତି, ପ୍ରଚାର, ପ୍ରକାଶନ ପ୍ରଭୃତି ଚାଲିଥାଏ; କିନ୍ତୁ ସରକାରଙ୍କ ପୋଲିସ୍‍ ଓ ଗୁଇନ୍ଦାବିଭାଗ ତାଙ୍କ କାମରେ ଠିକ୍ ଥାଆନ୍ତି । ସେମାନେ ଦେଉଥିବା ଖବର ସବୁ ପୋଲିସ୍‍ ଉଚ୍ଚ କର୍ମକର୍ତ୍ତାଙ୍କ ପାଖରେ ରହେ । କଂଗ୍ରେସ ମନ୍ତ୍ରିମଣ୍ଡଳଙ୍କ ଆଖିକୁ କେତେ କଥା ଆସେ; କିନ୍ତୁ ସବୁକଥା ନୁହେଁ । ତାରାଙ୍କ ଦଳର ସମସ୍ତଙ୍କ ଗତିବିଧି ଉପରେ ପୋଲିସ୍‍ର ବରାବର ଲକ୍ଷ୍ୟଥାଏ । କଂଗ୍ରେସ ମନ୍ତ୍ରୀମାନଙ୍କ ପାଖକୁ ଓ ଅନ୍ୟାନ୍ୟ ନେତାମାନଙ୍କ ପାଖକୁ ଏମାନଙ୍କର ଅବାଧ ଗତି ଥାଏ ।

 

ସୁବୋଧର ବାପାଙ୍କ ପାଖକୁ ଟେଲିଗ୍ରାମ୍ କରିଦେଇ ଜିତେନ୍ ଓ ତାରା ତା’ପରଦିନ ସକାଳୁ ସୁବୋଧ ଘରକୁ ଗଲେ । କଥା ହେଲା ସୁବୋଧକୁ ବରାବର ପାଳିକରି ସେ ଦୁହେଁ ଜଗିବେ-। ସେ ତା’ ମା’ ବା ଭଉଣୀ ଡାକିଲେ ତା’ ରହିବାଘର କବାଟ ମୋଟେ ଖୋଲେନାହିଁ-। ପାଇଖାନାରେ ବସିଛି ତ ବସିଛି; ଦୁଇଘଣ୍ଟା ଚାଲିଯାଏ; କିନ୍ତୁ ଜିତେନ୍ ବା ତାରା ଥିଲେ ସ୍ଲୋଗାନଦିଆ ବନ୍ଦ ଥାଏ । ସେମାନେ ଯେତେବେଳେ ଯାହା ଖାଇବାକୁ ଦିଅନ୍ତି, ଖାଏ-। ସେ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ଉପସ୍ଥିତିରେ ସେ ବଡ଼ ବାଧ୍ୟ । ସେତେବେଳେ ସୁବୋଧ ଠିକ୍ ସୁବୋଧ ବାଳକ । ଏହିପରି ଆଠଦଶଦିନ କାଳ ଦୁହେଁ ସକାଳେ ସଞ୍ଜେ ପାଳିକରି ଜଗୁଥାନ୍ତି । ଏହା ମଧ୍ୟରେ ଟେଷ୍ଟ ପରୀକ୍ଷାଫଳ ବାହାରି ଯାଇଥାଏ । ବିଶ୍ଵବିଦ୍ୟାଳୟ ପରୀକ୍ଷାଫିସ୍ ମଧ୍ୟ ଦାଖଲ ହୋଇସାରିଥାଏ । ସୁବୋଧର ଏପରି ଅବସ୍ଥା ଯୋଗୁଁ ତା’ର ପରୀକ୍ଷା ଫିସ୍ ଦିଆଗଲା ନାହିଁ । ସେ ତ କୃତକାର୍ଯ୍ୟ ହୋଇଛି ଟେଷ୍ଟରେ । ଯଦି ଭଲହୁଏ ସପ୍ଲିମେଣ୍ଟାରୀ ପରୀକ୍ଷାଦେବ । ସୁବୋଧକୁ ଜଗିରହିବାରେ ଦୁହିଁଙ୍କୁ ଅସୁବିଧା ହେଉଥାଏ । ଜିତେନ୍ ଓ ତାରା ଦୁହିଁଙ୍କର ଶେଷ ପରୀକ୍ଷା ଆଉ ଦୁଇମାସ ଥାଏ; କିନ୍ତୁ ଦୁହିଁଙ୍କର ଭୟ ଥାଏ, ସୁବୋଧର ସ୍ଲୋଗାନକୁ । ତାରା ଓ ଜିତେନ୍‌ଙ୍କ ପଛେ ପଛେ ସାଦା ପୋଷାକଧାରୀ ପୋଲିସ୍‍ ବରାବର ଥା’ନ୍ତି । ସେମାନେ ଯଦି କିପରି ଜାନକୀବାବୁ ବଗିଚାରେ ସୁରାକ ପାଆନ୍ତି, ତେବେ ସର୍ବନାଶ । ବାବାଜିଠାରୁ ଆଦାୟ କରି ତାରା ଜିତେନ୍ ଏପରିକି ସୁବୋଧ ମଧ୍ୟ ଏହି ପାଗଳ ଅବସ୍ଥାରେ ସୁଦ୍ଧା ଘୋଷରା ହେବା କିଛି ବିଚିତ୍ର କଥା ନୁହେଁ-

 

ବହୁ ସତର୍କତା ସହିତ ସୁବୋଧର ଏପରି ଅବସ୍ଥା କଥା ବାବାଜିଙ୍କୁ ଖବର ଦିଆଗଲା । କଥା ହେଲା ତାଙ୍କ ମାରଫତରେ ଜମାଥିବା ମାରାତ୍ମକ ସାମଗ୍ରୀଗୁଡ଼ିକର ସଦ୍‌ବ୍ୟବହାର କରିବା ବର୍ତ୍ତମାନ ଆଉ ସମ୍ଭବ ନୁହେଁ । ଏଗୁଡ଼ିକୁ ସାମୟିକ ଭାବରେ ସ୍ଥାନାନ୍ତରିତ କରାଯିବ ବା ଦରକାର ପଡ଼ିଲେ ନଷ୍ଟ କରିଦିଆଯିବ ଏବଂ ବାବାଜିଙ୍କୁ ନିଜେ ସତର୍କ ରହିବାକୁ ହେବ । ବାବାଜି ଏସବୁ ବିଷୟରେ ଧୁରନ୍ଧର । ସେ ଏ ଖବର ପାଇବାମାତ୍ରେ ସବୁ ସୁବ୍ୟବସ୍ଥା କରିଦେଲେ । ସବୁବେଳେ କାରବାର ହୋଇ ହୋଇ ତାରା ଓ ଜିତେନ୍ ସେମାନଙ୍କର ସାଦାପୋଷାକପିନ୍ଧା ପୋଲିସ୍‍ ଛାଇଟିକୁ ଭଲଭାବରେ ଚିହ୍ନିଥାନ୍ତି । ସେତେବେଳେ କେତେଜଣ ଅବା ସେମିତିକିଆ ପୋଲିସ୍‍ କଟକ ସହରରେ ଥାଆନ୍ତି ? ସେମାନଙ୍କୁ ମଝିରେ ମଝିରେ ବୋଧହୁଏ ଜଣକ ପିଛା ଛାଡ଼ି ଆଉଜଣକ ପିଛା ଧରିବାପାଇଁ କୁହାଯାଏ । ତଥାପି ତାରା ଓ ତା’ର ସାଙ୍ଗମାନେ ସେମାନଙ୍କୁ ଭଲଭାବରେ ଚିହ୍ନିନିଅନ୍ତି । ରାତିଅଧରେ ଖାନନଗର, ବଜ୍ରକବାଟି ବା କାଳିଆବୋଦା ଅନେକ ସମୟରେ ଗଲାବେଳେ ଏ ଛାଇଟି ବିଶେଷ ସାହାଯ୍ୟ ଦିଏ । ‘ଅଛଟିକ’ ବୋଲି ଡାକିଦେଲେ ଜବାବ୍ ମିଳେ । ଛାଇଟି ଶରୀର ପାଖକୁ ଲାଗିଆସେ । ଦୁହେଁ ସାଇକେଲରେ ଥାଆନ୍ତି । କଥାବାର୍ତ୍ତା ଦୁଃଖସୁଖ ହୋଇ ଘରକୁ ଫେରନ୍ତି । ‘କ’ଣ କରିବା ବାବୁ ! ପେଟ ପୋଷିବାପାଇଁ ତ ସବୁ ନାଟ’ କହି ରାତିଅଧରେ ବାବୁଙ୍କୁ ଘରେ ନିରାପଦରେ ଛାଡ଼ି ଛାଇଟି ବିଚାରା ନିଜ ଘରକୁ ଯାଏଁ । ପୁଲିସ ବଡ଼ବଡ଼ିଆ ଖୁବ୍ ସତର୍କତାର ସହିତ ଚଳିବାକୁ ଏମାନଙ୍କୁ ତାଲିମ ଦେଇଥାନ୍ତି; କିନ୍ତୁ ଖୁବ୍ ଅଳ୍ପ ସମୟ ଭିତରେ ସେମାନେ ଚିହ୍ନାପଡ଼ିଯା’ନ୍ତି । ସେମାନେ ଯାହା ଖବର ଦେଉଥିବେ ତାହା ତାଙ୍କୁଇ ଜଣା । ଶରୀରଟି ଯଦି କାହା ଘରଭିତରେ ପଶେ, ଛାଇଟି ଦାଣ୍ଡରେ ଏପାଖ ସେପାଖ ହେଉଥାଏ । କଲେଜ ବା ହଷ୍ଟେଲ୍‍ ଭିତରେ ପଶିଲେ ଫାଟକ ପାଖରେ ସେମାନେ ରହିଲେ । ଖାଲି ଏଠାକୁ ଗଲେ, ସେଠାକୁ ଗଲେ ବୋଲି ଯାହା ଖବର ଦେଉଥିବେ; ଅଥବା ମନକୁ ମନ ମିଛ-ସତ କରି କ’ଣ ରିପୋର୍ଟ ଦେଉଥିବେ ।

 

ତାରାଠାରୁ ଟେଲିଗ୍ରାମ୍ ପାଇ କଲିକତାରୁ ସୁବୋଧର ବାପା କାନପୁରକୁ ଆସି ସୁବୋଧର ମାମୁଙ୍କୁ ସବୁକଥା ଜଣେଇଲେ । ମାମୁ ଅଳ୍ପଦିନ ହେବ ଆଣ୍ଡାମାନରୁ ଖଲାସହୋଇ ଆସିଥା’ନ୍ତି । ସେ ଖବର ପାଇ କଟକ ଆସି ସୁବୋଧ ଓ ତା’ ମା’ ଓ ଭଉଣୀକୁ ନେଇ କାନପୁର ଚାଲିଗଲେ । ଜିତେନ୍ ଓ ତାରା ଆଶ୍ୱସ୍ତ ହେଲେ । ବାବାଜିଙ୍କଠାରୁ ଖବର ମିଳିଲା ଯେ, ସେ ତାଙ୍କ ପାଖରେ ଗଚ୍ଛିତଥିବା ମୂଲ୍ୟବାନ ପଦାର୍ଥଗୁଡ଼ିକର ରକ୍ଷଣାବେକ୍ଷଣର ସୁବ୍ୟବସ୍ଥା କରିଛନ୍ତି । ତେଣୁ ତାରା ଓ ଜିତେନ୍ ପୂରା ନିଶ୍ଚିନ୍ତ ହେଲେ ।

 

ୟା’ ମଧ୍ୟରେ ଗଡ଼ଜାତ ମିଶ୍ରଣ ଆନ୍ଦୋଳନ ଆରମ୍ଭ ହୋଇଗଲା । ଢେଙ୍କାନାଳ ରାଜାଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସେଠାକାର ଲୋକେ ରାଜାଙ୍କ ଶାସନ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭକଲେ । ଏ ଆନ୍ଦୋଳନ କିନ୍ତୁ ପରିଚାଳିତ ହେଉଥାଏ କଟକରୁ । ତାରାଙ୍କ ଦଳ ଏ ଆନ୍ଦୋଳନର ଅଗ୍ରଣୀ ହେଲେ । ଢେଙ୍କାନାଳ ସୀମାଭିତରକୁ ଯିବାଆସିବା କରିବାକୁ ଭାରି କଟକଣା ଥାଏ । ସେ ପାଖରେ ଅନୁଗୁଳ; ଏ ପାଖରେ କଟକ । ଦୁଇଟାଯାକ ମୋଗଲବନ୍ଦି । ଅନୁଗୁଳ ମୋଗଲବନ୍ଦି ହେଲେ କ’ଣ ହେବ, ସେଠାକାର ଇଂରେଜ ଶାସକଙ୍କର କ୍ଷମତା ଏପରି ଥାଏ ଯେ ତାଙ୍କ ଅତ୍ୟାଚାର ବେଳେବେଳେ ଢେଙ୍କାନାଳ ଅତ୍ୟାଚାରକୁ ବଳେଇଯାଏ । ତେଣୁ ଅନୁଗୁଳ ଆଡ଼ୁ ଆନ୍ଦୋଳନ ପରିଚାଳନା କରିବାର ସୁବିଧା ନଥାଏ । ଯାହା କିଛି କରିବାକୁ ହେବ କଟକରୁ । ଏହିପରି ଗୋଟାଏ କାମରେ ଥରେ ଶ୍ରୀକାନ୍ତ, ସୋମନାଥ, ତାରା ଓ ଜିତେନ୍ ଚାରିଜଣଯାକ ଦୁଇଟା ସାଇକେଲରେ ଢେଙ୍କାନାଳ ଭିତରକୁ ଯାଇଥିଲେ । ଖୁବ୍ ସତର୍କତା ଅବଲମ୍ବନ କରି ଯାଇଥିଲେ ସେମାନେ; କିନ୍ତୁ କାମ ସାରି ଫେରୁ ଫେରୁ ରାଜାଙ୍କ ଲୋକେ ଜିତେନ୍ ଓ ଶ୍ରୀକାନ୍ତଙ୍କୁ ଧରିନେଲେ । ସୋମନାଥ ଓ ତାରା ଧରାନପଡ଼ି ଅଳ୍ପକେ ରକ୍ଷାପାଇ କଟକ ପଳେଇ ଆସି ଏ ଖବର ତାଙ୍କ ଦଳର ସମସ୍ତଙ୍କୁ ଦେଲେ । ଏ ଦୁହିଁଙ୍କ ପାଖରୁ ଆପତ୍ତିଜନକ କୌଣସି କାଗଜପତ୍ର ବା ଅନ୍ୟ କିଛି ସେମାନେ ପାଇ ନଥିଲେ । ତଥାପି ତାଙ୍କ ଉପରେ ଯେପରି ଅକଥନୀୟ ଅତ୍ୟାଚାର ହେଲା, ସେଥିରେ ଜିତେନ୍‌ର ଆଖି ଓ ଶ୍ରୀକାନ୍ତର ଉପରପାଟିର ଦାନ୍ତ ଚିରଦିନପାଇଁ ନଷ୍ଟହୋଇଗଲା ।

 

ଢେଙ୍କାନାଳରୁ ତାଳଚେରକୁ ଏ ଆନ୍ଦୋଳନ ବ୍ୟାପିଲା । ସେଠାରେ ହଜାର ହଜାର ଲୋକ ଘରଦ୍ୱାର ଛାଡ଼ି ଆସି ମାସ-ମାସଧରି ଅନୁଗୁଳ ଅଞ୍ଚଳରେ ଆଶ୍ରାନେଲେ । ସେମାନଙ୍କୁ ଖାଦ୍ୟପେୟ ଯୋଗାଇବା ଏକ ବିରାଟ ସମସ୍ୟା ହେଲା । ୟା’ଡ଼େ ଢେଙ୍କାନାଳର ଅତ୍ୟାଚାର ପ୍ରବଳ ହେଲା । ବ୍ରିଟିଶ ସରକାର ଏ ଆନ୍ଦୋଳନକୁ ଦମନ କରିବାପାଇଁ ପଲିଟିକାଲ୍ ଏଜେଣ୍ଟଙ୍କ ଜରିଆରେ ସବୁପ୍ରକାର ସାହାଯ୍ୟ ଦେଉଥାନ୍ତି । ବାରବର୍ଷର ପିଲା ବାଜି ରାଉତ ଅସୀମ ସାହସ ଦେଖାଇ ପୋଲିସ୍‍ ଗୁଳିରେ ଟଳିପଡ଼ିଲା । ବାଜି ରାଉତର ଶବ କଟକ ଅଣାଯାଇ ଖାନନଗର ଶ୍ମଶାନରେ ଦାହ କରାଗଲା । ବାଜି ରାଉତର ଜୀବନଦାନରେ ସତେ ଯେପରି ଏ ଆନ୍ଦୋଳନ ଶତଗୁଣରେ ତେଜିଉଠିଲା । ଜନସାଧାରଣଙ୍କଠାରୁ ଏ ଆନ୍ଦୋଳନ ପ୍ରତି ଅକୁଣ୍ଠ ସାହାଯ୍ୟ ଓ ସହାନୁଭୂତି ମିଳିଲା ।

 

ତାରା, ପ୍ରଶାନ୍ତ, ଜିତେନ୍‌ଙ୍କର ପରୀକ୍ଷା ସେତେବେଳକୁ ସରିଥାଏ; ଫଳ ବାହାରି ନଥାଏ-। ଫଳ ଯାହାହେଉ ସେଥିପ୍ରତି ମଧ୍ୟ କାହାରି ଚିନ୍ତା ନଥାଏ । ନାନୁବାବୁ ତାରାର ଆଶା ପୂରା ଛାଡ଼ିଦେଇଥାନ୍ତି । ଯାହା ତାହାର ଇଚ୍ଛା ବୁଲିଚାଲି ଘରକୁ ଫେରୁଛି, ତାଙ୍କୁ ଏତିକି ଯଥେଷ୍ଟ-। ପରୀକ୍ଷା ପରେ ନାନୁବାବୁ ତାରାକୁ କହିବୋଲି ଗାଁକୁ ପଠେଇଲେ କିଛିଦିନପାଇଁ । ତାରାର ଗାଁ ସାଙ୍ଗସବୁ ଥାଆନ୍ତି । କିଏ କେମିତି ଛୋଟକାଟର ଚାକିରି କରୁଥାଏ ତ କେହି ଚାକିରି ସକାଶେ ଉମେଦାରି କରିବାକୁ ନିତି ସକାଳୁ ପଖାଳଖାଇ କଟକ ଧାଏଁ ତ ଆସେ ରାତି ପହରକୁ । ଦିପହରେ ତାରା କାହାରି ସାଙ୍ଗ ପାଏ ନାହିଁ । ବାଧ୍ୟ ହୋଇ ଦିପହରଟା ଘରେ କଟାଏ । ଘରେ ବସି ବୋଉ ବଡ଼ମା’ଙ୍କ ଆଗରେ ତତ୍ତ୍ଵଜ୍ଞାନ କହେ । ଦେଶର କିପରି ପଞ୍ଝାଏ ଲୋକ ଦିନରାତି ପରିଶ୍ରମ କରି ମୁଣ୍ଡଝାଳ ତୁଣ୍ଡରେ ମାରି ଖାଇବାକୁ ଦୁଇ ବକତ ପାଉନାହାନ୍ତି ତ, ଆଉ ପଞ୍ଝାଏ ଲୋକ ପରର ଖଟଣି ଉପରେ ଗୋଡ଼ ଉପରେ ଗୋଡ଼ ପକେଇ ବସି ଆରାମରେ କାଳ କଟାଉଛନ୍ତି । ଅଥଚ ଦୁନିଆରେ ଏ ଅଖିଆଲୋକଙ୍କ ସଂଖ୍ୟା ବେଶି । ତାଙ୍କ ହାତଲାଗି ବିଲରୁ ଫସଲ ଆସୁଛି ତ କାରଖାନାରୁ ଲୁଗା ବାହାରୁଛି । ଅଥଚ ସବୁ ଉତ୍ପନ୍ନ କରୁଥିବା ଲୋକଟି ଦିଓଳି ଦି’ମୁଠା ଖାଇବାକୁ ପାଉନାହିଁ । ଏମିତି କେତେକଅଣ ବୁଝାଏ । ଗୀତା ଭାଗବତ ମଧ୍ୟ ତାରାକୁ କମ୍‌ ଜଣା ନଥାଏ, ବୋଉ ବଡ଼ମା’ଙ୍କର ଗୀତା ଭାଗବତରେ ଅଚଳାଭକ୍ତି । ଗୀତାର ବାଣୀ ସ୍ଵୟଂ ଭଗବାନଙ୍କ ମୁଖ-ନିଃସୃତ ବାଣୀ । ତାରାର କର୍ମଯୋଗର ଭାଷ୍ୟ ବୋଉ ବଡ଼ମା’ଙ୍କୁ ଖୁବ୍ ଭଲ ଲାଗିଲା । ବାସ୍ତବିକ ଦୁଷ୍ଟଦଳନ ଓ ଶିଷ୍ଟପାଳନ ହେଉଛି ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ । ଏଥିପାଇଁ ହିଂସା ହେଉ ଅହିଂସା ହେଉ କୌଣସି ପଥ ଦୋଷାବହ ନୁହେଁ । ପ୍ରତ୍ୟେକ ଦେଶବାସୀର କର୍ତ୍ତବ୍ୟ ହେଲା ଦୁଷ୍ଟ ଦଳନ । ଏହିପରି କହି ତାରା କ୍ରମେ ବୋଉ, ବଡ଼ମା’ଙ୍କର ସମର୍ଥନ ପାଇଲା ତା’ର କାମ ଲାଗି ।

 

ବାକି ରହିଲେ ଗାଁ ପିଲାଏ । ସେମାନଙ୍କ ସାଙ୍ଗରେ ସକାଳ ସଞ୍ଜ ନଈକୂଳଠାରୁ ଠାକୁରାଣୀପଡ଼ିଆ ପର୍ଯ୍ୟନ୍ତ ସବୁଠାରେ ଗପଛଳରେ ଦେଶର ହାଲ୍‍ଚାଲ୍‍, ବିଦେଶୀଶାସନରେ ଦେଶବାସୀଙ୍କ ଦୁର୍ଗତି ଓ ତାହାର ପ୍ରତିକାରର ଉପାୟ କ’ଣ, କହିବସେ । ଗାଁର ମୂଲିଆ ଯେଉଁ ପରିମାଣରେ କାମ କରୁଛନ୍ତି, ତାକୁ ଚାହିଁ ମୂଲ ପାଉନାହାନ୍ତି । ଖାଲି ବାବୁମାନଙ୍କର ଜମି ଅଛି ବୋଲି ସେମାନେ ଘରେ ବସି ଧାନ ପାଇବେ, ଅଥଚ ମୂଲିଆ ଜମିରେ ଖଟି ଖଟି ନିଜେ ପେଟପୂରା ଖାଇବାକୁ ପାଇବନାହିଁ କି ପିଲାଙ୍କ ମୁହଁରେ ଆହାର ଦେଇପାରିବନାହିଁ । ଏମିତି କେତେ ଦିନ ଗପିଲା ପରେ ଗାଁପିଲାଙ୍କଠାରୁ ଆରମ୍ଭକରି ମୂଲିଆ ପର୍ଯ୍ୟନ୍ତ ସମସ୍ତେ ତାତିଲେ । ସେମାନେ ମୂଲ ବଢ଼େଇବାକୁ ଦାବି କଲେ । ଏଥିରେ ସନ୍ତୋଷବାବୁଙ୍କ ଭଳିଆ ଥିଲାବାଲା ଲୋକେ ଭାରି ରାଗିଲେ । ନାନୁବାବୁଙ୍କର ମଧ୍ୟ କ୍ଷତିହେବାର ଆଶଙ୍କା ହେଲା । ନାନୁବାବୁ ଗାଁକୁ ଆସି ଏ ସବୁ ଶୁଣି ମନେମନେ ଭାରି ରାଗିଲେ । ତାରାକୁ କିଛି ନକହି କଟକ ଚାଲିଗଲେ । କଟକରୁ ଖବର ନେଲେ ଯେ ତାରାର ଫଳବାହାରିବା ନିକଟ ହେଲାଣି; ତାକୁ ଶୀଘ୍ର କଟକ ଆସିବାକୁ ହେବ ।

 

ତାରା ଏ ଖବର ପାଇ କଟକ ଚାଲିଆସିଲା । କଟକ ଆସିବାର କିଛିଦିନ ପରେ ଫଳ ବାହାରିଲା । ତାରା ବି.ଏସ୍‌ସି. ପାସ୍‌କଲା ଓ ତା’ର ସାଙ୍ଗମାନେ ପ୍ରାୟ ସମସ୍ତେ ପାସ୍ କରିଗଲେ ।

 

ଷୋହଳ

 

ସରିଗଲା ଗୋଟାଏ ଅଧ୍ୟାୟ । ପାଠକୁ ଗୋଟାଏ ଆଳକରି କଟକରେ ରହି ସବୁ ନାଟ କରିବା ଲାଗିଥିଲା । ଏବେ ତ କଟକରୁ ପାଠ ଶେଷ । ସେତେବେଳେ କିଏ ବି.ଏ ବା ବି.ଏସ୍‌ସି. ପାସ୍‌କଲେ ଏମ୍‌.ଏ. ବା ଏମ୍‌.ଏସ୍‌ସି. ପଢ଼ିବାର ସୁବିଧା କଟକରେ ନଥାଏ । ଯାହାର ପଢ଼ିବାର ଇଚ୍ଛା ତାକୁ କଲିକତା, ପାଟଣା ବା ଓଡ଼ିଶା ବାହାରେ ଅନ୍ୟ କେଉଁଠି ପଢ଼ିବାକୁ ହେବ । ଓଡ଼ିଶା ବାହାରେ ପଢ଼ିବାକୁ ତାରାର ବାପା ବା ଭାଇ ଟଙ୍କା ଦେଇପାରିବେନାହିଁ, ଏକଥା ତାରା ଜାଣେ । ଆଉ କାହିଁକି ବା ଦିଅନ୍ତେ ? କୋଉ ଏବେ ତାରା ପାସ୍‌କରି ଚାକିରି କରି ରୋଜଗାର କରିପକେଇବ ! ସରକାରୀ ଚାକିରିର ଆଶା ତ ତାରାର ମୋଟେ ନାହିଁ । ମିଳିଲେ ମଧ୍ୟ ତାରା ସରକାରୀ ଚାକିରି କରିବ ନାହିଁ, ଏ କଥା ବାପା ଜାଣନ୍ତି । ଆଉ ଅନ୍ୟ କି ଚାକିରି ଅବା ମିଳିବ ? ଏସବୁ କଥାର ସମାଧାନ ନାନୁବାବୁ ନିଜେ କିଛି କରିନପାରି ଗୋରାକୁ ଡକେଇଲେ । ଟାଟାରୁ ଗୋରା ଆସିଲା । ବହୁ ଆଲୋଚନା ପରେ ସ୍ଥିରହେଲା, ତାରା କଟକରେ ଆଇନ ପଢ଼ିବ । ଆଇନ ପଢ଼ି କଟକରେ ସ୍ଵାଧୀନ ବ୍ୟବସାୟ ଓକାଲତି କରିବ । ଆଇନ ବ୍ୟବସାୟ ତାଙ୍କ ବଂଶର ତିନିପୁରୁଷର ବେଉସା । ବାପା ବଡ଼ବାପାଙ୍କ ମହକିଲ ମଧ୍ୟ ଅଛନ୍ତି । ଓକାଲତିରେ ଅଳ୍ପଦିନେ ପ୍ରସାର ବଢ଼ିଯିବ । ବେଶ୍‌ ରୋଜଗାର ହେବ । ମଳୁ ଖୋଜୁଥିଲା ଯାହା, ବଇଦ ବତେଇଲା ସେଇଆ । ଓକାଲତି ପଢ଼ା ଯାହାହେଉ ପଛକେ, ରୋଜଗାର ହେଉ ବା ନ ହେଉ କୌଣସି ଗୋଟାଏ ଧନ୍ଦାରେ କଟକରେ ରହିଲେ ହେଲା । ଭାଇ ତାରାଙ୍କର ଗତିବିଧି ଭଲଭାବରେ ଜାଣନ୍ତି-। ସେ ସବୁ କହିସାରି ଗଲାବେଳେ କହିଲେ, ‘ତାରା ! ତୁ ମନ ଲଗେଇ ଏଇ ଦୁଇଟାବର୍ଷ ଟିକିଏ ଲାଗିପଡ଼ି, ତେଣିକି ଓକିଲ ହୋଇ ଯେତେ ରାଜନୀତି କରିବୁ ପଛେ ।’ ତାରା ଭାଇଙ୍କ ଉପଦେଶକୁ ମୁଣ୍ଡହଲେଇ ଗ୍ରହଣକଲା । ଭାଇ ନିଶ୍ଚିନ୍ତ ହୋଇ ଟାଟା ଚାଲିଗଲେ । ନାନୁବାବୁ ମଧ୍ୟ ପୂର୍ବପରି ତାରାକୁ କିଛି କହନ୍ତିନାହିଁ । ସେ ଯାହା କରୁ, ଯୁଆଡ଼େ ବୁଲୁ ପଛକେ କେମିତି କେମିତି ପାସ୍‍ଟା କରିଯାଉଛି । ସେକାଳରେ ଏକାଏକା ଥରେକେ ପାଟନା ବିଶ୍ଵବିଦ୍ୟାଳୟରୁ ବି.ଏସ୍‌ସି. ପାସ୍‌ କରିବା ସହଜ କଥା ନଥିଲା । ଶତକଡ଼ା ଅଠର କୋଡ଼ିଏ ପିଲା ପାସ୍ କରନ୍ତି ସେତେବେଳେ-। ତାରା କିନ୍ତୁ କେଉଁଠି ଅଟକିନାହିଁ ।

 

ତାରା ଓକାଲତି ପଢ଼ିବାକୁ ନାଁ ଲେଖେଇଲା । ବାପାଙ୍କୁ ଟଙ୍କା ଦବାକୁ କାଳେ କଷ୍ଟହେବ, ସେଥିପାଇଁ ଟିଉସନ୍‌ କରି କଲେଜ ଦରମାଟା ଦେବ । ଯାହା ମୁଠାଏ ଘରେ ଖାଇବ ମାତ୍ର । ବାପା ଟିଉସନ୍‌ କରିବାକୁ ମନା କରୁଥିଲେ ସୁଦ୍ଧା, ତାରା ଜିଦ୍‌କରି ଟିଉସନ୍‌ କରିବାକୁ କହିବାରୁ, ବାପା ଆଉ କିଛି କହିଲେ ନାହିଁ । ଟିଉସନ୍‌ କଲେ କରିବ ରାତିବେଳଟା । ସକାଳେ କଲେଜକୁ ଯିବ । ଦିପହରେ ପଢ଼ିବ । ରାତିରେ ଟିଉସନ୍ କରିବ । ବଡ଼ କଡ଼ା କାର୍ଯ୍ୟନିର୍ଘଣ୍ଟ ଠିକ୍ ହୋଇଗଲା । ଯେପରି ବାପାଙ୍କ ମୁହଁ ଦେଖିବା ହୁଏତ ମୋଟେ ସମ୍ଭବ ହେବନାହିଁ । ବାପା ନିତ୍ୟକର୍ମ ସାରି ଜଳଖିଆ ଖାଇବା ପୂର୍ବରୁ ସେ କଲେଜ ଯାଇଥିବ । ବାପା କଚେରିକୁ ଗଲାପରେ ସେ କଲେଜରୁ ଫେରିବ । ପୁଣି ବାପା କଚେରିରୁ ଫେରିବାପୂର୍ବରୁ ସେ ଟିଉସନ୍‌କୁ ଯିବ ଯେ ଫେରୁ ଫେରୁ ରାତି ଦଶଟା । ସେତେବେଳକୁ ହୁଏତ ବାପା ଶୋଇସାରିଥିବେ । ଆଇନ କ୍ଲାସ୍‍କୁ ନ ଗଲେବି ଚଳେ; କେହି ଜଣେ ସାଙ୍ଗ ‘ପ୍ରକ୍‌ସି’ ପକେଇଦେଲେ ଚଳିବ । ଏ ସବୁ ଅଧ୍ୟାପକଙ୍କ ଗୋଚରରେ ମଧ୍ୟ ଚଳେ ।

 

ତାରାର ଅନ୍ୟ ସମଧର୍ମୀ, ସାଥୀମାନଙ୍କର ମଧ୍ୟ ଏକ ନୀତି । ସମସ୍ତେ ଆଇନ ପଢ଼ିବାପାଇଁ ଅତ୍ୟଧିକ ଆଗ୍ରହ ପ୍ରକାଶକରି ଆଇନ କଲେଜରେ ନାଁ ଲେଖେଇଥା’ନ୍ତି । ଯେକୌଣସିମତେ କଟକରେ ରହିବାକୁ ହେବ । ବିଭିନ୍ନ ସାମ୍ମୁଖ୍ୟରେ କାମ ଆରମ୍ଭ ହୋଇଗଲାବେଳକୁ କଟକ ଛାଡ଼ି ଯିବାଟା ମୋଟେ ସୁବିଧାଜନକ କଥା ବୋଲି କେହି ମନେ କରୁ ନଥା’ନ୍ତି । ଛାତ୍ର-ସାମ୍ମୁଖ୍ୟ ତ ଅଛି । ସେଥିରେ ତ ସମସ୍ତେ ଅଛନ୍ତି । ତା’ଛଡ଼ା ବାଣ୍ଟିହୋଇ କୃଷକ ଓ ଶ୍ରମିକମାନଙ୍କ ମଧ୍ୟରେ ଏକାସମୟରେ କାମ ଆରମ୍ଭ କରିଦେଇଥା’ନ୍ତି । ସବୁ ଲାଞ୍ଛିତ, ଦଳିତ, ଅବହେଳିତ ସର୍ବହରାଙ୍କ ପାଇଁ କାମ ଆରମ୍ଭ ହୋଇଯାଇଥାଏ । ସଙ୍ଗଠନ କରିବାକୁ ହେବ । ତାରା ଗାଁରେ ଥିଲାବେଳେ କିପରି ଅତି ସହଜରେ କୃଷକ ଆନ୍ଦୋଳନଟାଏ ଆରମ୍ଭକରି ଦେଇଥିଲା, ତା’ର ସେ ଅନୁଭୂତି ଅଛି । କ୍ଷେତ୍ର ପ୍ରସ୍ତୁତ; ବାରୁଦ ଜମାହୋଇ ରହିଛି, ଖାଲି ନିଆଁ ଟିକିଏ ହେଲେ ହେଲା-। ସେଇ ନିଆଁ ଟିକକ ଯୋଗାଇବାର ଦାୟିତ୍ୱ ନେବାକୁ ଆଗେଇ ଆସିବାକୁ ହେବ । ଏଥିପାଇଁ କେତେ ବିଶ୍ୱବିଖ୍ୟାତ ଦେଶୀ ବିଦେଶୀ ନେତା ଓ ଲେଖକଙ୍କର ଲେଖା ଉପରେ ଆଲୋଚନା ହୁଏ-। ସେ ସବୁ ଦେଶମାନଙ୍କର ପରିସ୍ଥିତି । ଶ୍ରମିକ କୃଷକଙ୍କର ଅବସ୍ଥା । ସେ ଦେଶର ସଂଘର୍ଷର ପନ୍ଥା ଓ ବିଜୟର ଆଭିମୁଖ୍ୟ କ’ଣ ହେଲା, ସେଥିପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା ହୁଏ । ମାର୍କସ୍, ଏଞ୍ଜେଲସ୍, ଲେନିନ୍ ପ୍ରଭୃତିଙ୍କର ଲେଖାକୁ ତନ୍ନତନ୍ନ କରି ପଢ଼ାଯାଏ । ଶ୍ରେଣୀ-ସଂଘର୍ଷ, ଶ୍ରେଣୀହୀନ ସମାଜର ଅର୍ଥ ଭଲଭାବରେ ବୁଝିବାର ଦରକାର ପଡ଼େ । ଏ ସବୁ ବିଷୟରେ ସମ୍ୟକ୍ ଧାରଣା ନହେଲେ, କର୍ମକ୍ଷେତ୍ରକୁ ବାହାରି ଅପଦସ୍ଥ ହେବାକୁ ହେବ । ଏଥିପାଇଁ ସବୁ ଦିନେ ସକାଳେ, ସଞ୍ଜେ, ଦିପହରେ ବସେ ଆଲୋଚନା-ଚକ୍ର ।

 

ତାରା ମନରେ ଘୋର ସଂଘର୍ଷ ଆସିଛି । ଦିନେ ଗୋଟାଏ ସଶସ୍ତ୍ର ବିପ୍ଳବର ସ୍ୱପ୍ନ ସେ ଦେଖିଥିଲା, ଜିତେନ୍ ଓ ସୁବୋଧ ସାଙ୍ଗରେ ଏକାଠି । ସୁବୋଧ କୁଆଡ଼େ ଯାଇଛି; ଜିତେନ୍ ତା’ର ବୈପ୍ଳବିକ ମନୋଭାବ ନେଇ ଶ୍ରୀକାନ୍ତ, ସୋମନାଥଙ୍କଠାରୁ କ୍ରମେ ଦୂରେଇଯାଇଛି । ତା’ ବୋଲି ବିରୋଧ କରିନାହିଁ । ତାରା ଦୂରେଇଯାଇନାହିଁ; କିନ୍ତୁ ତା’ ମନରେ ଭୀଷଣ ଦ୍ୱନ୍ଦ୍ୱ । ସଶସ୍ତ୍ର ସଂଘର୍ଷବିନା କୌଣସି ଲଢ଼େଇରେ ଜୟ ଅସମ୍ଭବ ବୋଲି ତା’ର ପୂର୍ଣ୍ଣ ବିଶ୍ୱାସ । ମାର୍କସ୍, ଏଞ୍ଜେଲସ୍‌ଙ୍କ ଲେଖା ପଢ଼ି ସେ ଆଉ ଇଂରେଜଙ୍କୁ ଦେଶର ଶତ୍ରୁ ବୋଲି ନ ଭାବି, ଦେଶର ପୁଞ୍ଜିପତି, ଜମିମାଲିକ, କାରଖାନାମାଲିକଙ୍କୁ ଦେଶର ପହିଲା ନମ୍ବର ଶତ୍ରୁ ବୋଲି ଧରିନେଇଛି । ଇଂରେଜ ଏ ଦେଶରେ ତିଷ୍ଠିରହିଛି ଏହିମାନଙ୍କ ଯୋଗୁଁ । ଏମାନେ ଯଦି ଦେଶର ଅଗଣିତ କୃଷକ, ଶ୍ରମିକ ଓ ଜନସାଧାରଣଙ୍କ ମିତ୍ର ହୁଅନ୍ତେ, ତେବେ ଇଂରେଜ ଏକାଦିନକେ ଏ ଦେଶ ଛାଡ଼ି ପଳାନ୍ତେ-। ତେବେ ସଂଗ୍ରାମ ପ୍ରଥମେ ଏହିମାନଙ୍କ ବିରୁଦ୍ଧରେ କରିବାକୁ ହେବ । ଏହିମାନେ ହେଲେ ଇଂରେଜ ରାଜତ୍ଵର ମେରୁଦଣ୍ଡ । ଏମାନେ ଲୋପ ପାଇଲେ ବ୍ରିଟିଶ ରାଜତ୍ୱ ଆପେଆପେ ଲୋପ ପାଇଯିବ ।

 

ଏହିପରି ଅସଂଖ୍ୟ ତାତ୍ତ୍ଵିକ ପ୍ରଶ୍ନ ତାରା ମୁଣ୍ଡରେ ଆଜିକାଲି ରୀତିମତ ସଂଘର୍ଷ ଚଳେଇଛନ୍ତି । ସକାଳୁ ଉଠି କଲେଜ ଯିବାର କଥା । ତାରା ଯାଏଁ; କିନ୍ତୁ କ୍ଲାସ୍‍ରେ ଯୋଗ ନ ଦେଇ ସହଧର୍ମୀ ବନ୍ଧୁମାନଙ୍କ ସଙ୍ଗରେ ଆଲୋଚନା ହୁଏ ଏହି ସବୁ କଥା । ପଥ କେଉଁଠାରେ, କର୍ତ୍ତବ୍ୟ କ’ଣ ? ତାରାର ଆଜିକାଲି ଲୁଗାପଟା, ବେଶଭୂଷା ପ୍ରସାଧନ କେଉଁଥିରେ ମନନାହିଁ । ତା’ର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତି ଆଉ ଦୃଷ୍ଟିନାହିଁ । ସଯତ୍ନ ବର୍ଦ୍ଧିତ କେଶଗୁଚ୍ଛ ପ୍ରତି ତା’ର ଆଉ ମମତା ନାହିଁ । ଦାଢ଼ି ମଧ୍ୟ କାଟୁନାହିଁ ।

 

ଶ୍ରେଣୀ–ସଂଘର୍ଷ ଅନିବାର୍ଯ୍ୟ । ସେଥିପାଇଁ ସଂଗ୍ରାମ କରିବାକୁ ହେବ । ସଂଗ୍ରାମପାଇଁ ରୀତିମତ ସାଧନା ଦରକାର । ସାଧାରଣ ସାଧନାରେ ଏହା ସମ୍ଭବ ନୁହେଁ । ଏଥିପାଇଁ ପ୍ରବଳତମ କୃଚ୍ଛ୍ରସାଧନା ଦରକାର । ଉପବାସ କରି କେତେଦିନ ରହିହେବ, ନ ଶୋଇ କେତେଦିନ ଚଳିହେବ, ଚାଲି ଚାଲି କେତେ ବାଟ ଏକାଥରକେ ଯାଇହେବ, ସାଇକେଲରେ ଏକାଦିକ୍ରମେ କେତେଘଣ୍ଟା କରି ଚଳେଇହେବ, ଏହିପରି କେତେପ୍ରକାର ଉଦ୍ଭଟ ସାଧନା । ଏ ସବୁ ହେଲା ଦେଶର ଭାବୀ ବୃହତ୍ତର ସଂଗ୍ରାମପାଇଁ ପ୍ରସ୍ତୁତି ।

 

କଥା ହେଲା କଟକରେ ଆସନ୍ତା ଗ୍ରୀଷ୍ମଛୁଟିରେ ସବୁ ଜିଲ୍ଲାରୁ କେତେଜଣ ଯୁବକଙ୍କୁ ନେଇ ଗୋଟିଏ ରାଜନୈତିକ ଗ୍ରୀଷ୍ମଶିବିର କରାଯିବ । ଏଥିପୂର୍ବରୁ କେବଳ କଟକ, ପୁରୀ ଜିଲ୍ଲାର ସାତ ଆଠ ଜଣ ଯୁବକ ଦଶହରା ଛୁଟିରେ ଭୁବନେଶ୍ୱରରେ ଏକାଠି ହୋଇ କେତେଦିନ କଟେଇଥିଲେ । ଗ୍ରୀଷ୍ମଛୁଟିରେ ଏ ଶିବିରକୁ ଟିକିଏ ବଡ଼ ଧରଣର କରିବାକୁ ସମସ୍ତଙ୍କର ଇଚ୍ଛା ଥାଏ-। ବାଲେଶ୍ଵର, ଗଞ୍ଜାମରୁ ମଧ୍ୟ କେତେକ ଛାତ୍ର, ଯୁବକ ଏ ଶିବିରରେ ଯୋଗ ଦେବାକୁ ଆସୁଥା’ନ୍ତି-। ଏମାନଙ୍କ ସଙ୍ଗେ ବନ୍ଧୁତା ହୋଇଛି ଆଇନ ପଢ଼ା ସୂତ୍ରରେ । ଖାଲି ଆଇନ ଛାତ୍ର ନୁହଁନ୍ତି-। ତାଙ୍କରି ଚେଷ୍ଟାରେ କଲେଜର ବିଭିନ୍ନ ଶ୍ରେଣୀର ଛାତ୍ର ମଧ୍ୟ ତାରାଙ୍କ ଦଳପ୍ରତି ଆକୃଷ୍ଟ ହୋଇଥା’ନ୍ତି-। ଗୁପ୍ତ ସଂଗଠନର ସବୁବେଳେ ଗୋଟାଏ ବିମୋହିନୀ ଶକ୍ତି ଅଛି । କଥାଟାକୁ ଫୁସ୍‌ଫୁସ୍ କରି କହିଲେ ତାକୁ ଶୁଣିବାକୁ ଲୋକଙ୍କର ଯେପରି ଆଗ୍ରହ ବଢ଼େ, ସେହିପରି ଗୁପ୍ତ ସଂଗଠନ କରାଯାଉଛି ବୋଲି ଶୁଣିଲେ ଯୁବକର ଉଦ୍‌ବେଳିତ ଯୌବନ ସ୍ୱତଃ ସେଥିପ୍ରତି ଆକୃଷ୍ଟ ହୁଏ-। କଲେଜପଢ଼ୁଆ ଯୁବକଙ୍କୁ ଛାଡ଼ି କେତେକ ପଢ଼ା ଛାଡ଼ିଥିବା ଯୁବକ ମଧ୍ୟ ଆଗ୍ରହୀ ହେଲେଣି ଏ ସଂଗଠନରେ ଯୋଗ ଦେବାକୁ; କିନ୍ତୁ ବାଛ-ବିଚାର ନ ରଖି ସମସ୍ତେ ଯଦି ସଂଗଠନ ଭିତରକୁ ଆସିବେ, ତେବେ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ । ସେଥିପାଇଁ ନିୟମ ଥାଏ ବଡ଼ କଡ଼ା-। ଯିଏ ଯାହାକୁ ବନ୍ଧୁ ହିସାବରେ ଆଣିବ, ତାକୁ ଭଲକରି ପରୀକ୍ଷାକରି ଆଣିବ । ନଚେତ୍ କିଏ ଯେ କେଉଁ ରୂପରେ ଆସି ସବୁ ନଷ୍ଟକରିଦେବ ତାହା ସହଜରେ ଜାଣି ହେବନାହିଁ ।

 

ତାରା କିନ୍ତୁ ଏଭଳି କଟକଣା କଥା ଶୁଣି ମନେମନେ ହସେ । ଭାରି ତ ଗୁପ୍ତ ସଂଗଠନ-। ହେଇ ହେଇ କେତେକ ବିପ୍ଳବୀଙ୍କର ଲିଖିତ ତଥ୍ୟମୂଳକ ପୁସ୍ତକର ଆଲୋଚନା-। ପୋଲିସ୍‌ବାଲାଙ୍କର ମଧ୍ୟ କିଛି କାମ ନଥାଏ । କଂଗ୍ରେସୀ ମନ୍ତ୍ରିମଣ୍ଡଳ ସମୟରେ ମଧ୍ୟ ସେମାନେ ସେମାନଙ୍କର ପୂର୍ବ ଗୋଇନ୍ଦାଗିରି ଧନ୍ଦାକୁ ବଜାୟ ରଖିଛନ୍ତି । ତାରାଙ୍କ ଦଳର ପ୍ରାୟ ସମସ୍ତଙ୍କୁ ସେମାନେ ଚିହ୍ନନ୍ତି । ସେମାନଙ୍କ ମଧ୍ୟରୁ ଅନେକ ନହେଲେ ମଧ୍ୟ କେତେକ ତାରା ପ୍ରଭୃତିଙ୍କର ସ୍କୁଲ୍‍ କଲେଜର ପୂର୍ବତନ ସାଙ୍ଗ । ପୂର୍ବପରି ସବୁବେଳେ ଏମାନଙ୍କର ପିଛା ନ ଧରି ଖୁବ୍ ସତର୍କତା ସହିତ ଏମାନଙ୍କର ଗତିବିଧି ଲକ୍ଷ୍ୟକରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥାଏ । ଆଗେ କେବଳ ଚତୁର ଲୋକଙ୍କୁ ଗୋଇନ୍ଦା କାମରେ ନିଆଯାଉଥିଲା; କିନ୍ତୁ ଏଣିକି ଶିକ୍ଷିତ ଓ ଚତୁର ଲୋକଙ୍କୁ ଏ କାର୍ଯ୍ୟର ଦାୟିତ୍ଵ ଦିଆଯାଇଥାଏ । ତେଣୁ ପୋଲିସ୍ ଆଗପରି ଛାଇ ଭଳି ପିଛା ନନେଇ ବଡ଼ ସତର୍କତାର ସହିତ ତାରାଙ୍କ ଦଳର ଯୁବକମାନଙ୍କର ଗତିବିଧି ଲକ୍ଷ୍ୟ କରୁଥାନ୍ତି । ତାରାଙ୍କ ଦଳର ପୁରୁଣା ପାଞ୍ଚ ସାତ ଜଣଙ୍କର ମନ୍ତ୍ରୀଙ୍କ ଘରକୁ ଅନେକ ସମୟରେ ଯିବାର ଲକ୍ଷ୍ୟକରି ପୋଲିସ୍‍ବାଲା ବେଳେବେଳେ ପ୍ରମାଦ ଗଣନ୍ତି ଓ ଏ ଖବର ଉପରବାଲାଙ୍କୁ ଜଣାଇ ଦେଇ ନିଶ୍ଚିନ୍ତ ହୁଅନ୍ତି । ଉଚ୍ଚ ପୋଲିସ୍‍ ଅଫିସର ମନ୍ତ୍ରୀଙ୍କ ସହିତ ଦେଖାକରିବାକୁ ଡକରାପାଇ ମନ୍ତ୍ରୀଙ୍କ ବାହାର ବାରଣ୍ଡାରେ ଟହଲ ମାରୁଥିବାବେଳେ ତାରାଙ୍କ ଦଳର ଜଣେ ଅଧେ ସିଧା ପରଦାଠେଲି ମନ୍ତ୍ରୀଙ୍କ ଅଫିସ୍‍ଘରକୁ ପଶିଯିବାର ଦେଖି ମନେମନେ କ୍ଷୁଣ୍ଣ ହୁଅନ୍ତି; କିନ୍ତୁ ଉପରକୁ ହସିଦେଇ ଚୁପ୍ ରହନ୍ତି-। ଏହି ଅବସରରେ କିନ୍ତୁ ଦଳର କାମ ବେଶ୍ ଆଗେଇ ଚାଲିଥାଏ ।

 

ଦଶହରା ଛୁଟି ହେବାକୁ ଥାଏ ପନ୍ଦର କୋଡ଼ିଏ ଦିନ । ହଠାତ୍ ଜର୍ମାନୀର ଝଟିକାବାହିନୀ ହିଟଲର୍‌ଙ୍କ ନେତୃତ୍ୱରେ ପୋଲାଣ୍ଡ ରାଜ୍ୟ ଭିତରକୁ ମାଡ଼ିଗଲେ । ଚାହୁଁଚାହୁଁ ଦିନ କେଇଟାରେ ପୋଲାଣ୍ଡକୁ ଅଧିକାର କରି ଇଉରୋପର ଅନ୍ୟାନ୍ୟ ଛୋଟ ବଡ଼ କେଇଟା ରାଜ୍ୟକୁ ମଧ୍ୟ ଦାଖଲ କରିନେଲେ । ଇଟାଲୀର ଶାସକ ମୁସୋଲିନି ମଧ୍ୟ ତାଙ୍କ ସହିତ ହାତ ମିଳେଇଲେ । ତେଣେ ଫ୍ରାନ୍‌ସ ଉପରେ ଆକ୍ରମଣ ହେବାରୁ ବ୍ରିଟିଶ ଲୋକେ ତାଙ୍କ ଦେଶକୁ ବିପଦ ମାଡ଼ିଆସିବା ଆଶଙ୍କାରେ ଫ୍ରାନ୍‌ସକୁ ସାହାଯ୍ୟ କଲେ । ଏହିପରି ଦ୍ୱିତୀୟ ବିଶ୍ଵଯୁଦ୍ଧର ସୂତ୍ରପାତ ହୋଇଗଲା । ବ୍ରିଟେନ୍ ନିଜେ ଯୁଦ୍ଧରେ ଯୋଗଦେବାରୁ ସେ ତା’ର ଉପନିବେଶ ଓ ସାମ୍ରାଜ୍ୟକୁ ଟାଣିଓଟାରି ଯୁଦ୍ଧରେ ପୂରେଇଦେଲେ । ଭାରତ ମଧ୍ୟ ଦେଶବାସୀଙ୍କ ବିନାସମ୍ମତିରେ ଯୁଦ୍ଧରେ ଯୋଗଦେଲେ । ଭାରତର ଧନଜନବଳକୁ ଯୁଦ୍ଧରେ ଲଗାଗଲା । ଏଥିପାଇଁ ଭାରତର ଆଇନସଭାଗୁଡ଼ିକର ମତାମତ ନିଆଗଲା ନାହିଁ । ଏଥିରେ ଭାରତୀୟମାନେ କ୍ଷୁଣ୍ଣ ହେଲେ । ଭାରତର ଇଚ୍ଛାବିରୁଦ୍ଧରେ ତାକୁ ଯୁଦ୍ଧ ଭିତରକୁ ଟଣାଯାଇଥିବାରୁ ଗାନ୍ଧିଜୀ ଏହାର ବିରୋଧ କଲେ । ଯେଉଁ ଯେଉଁ ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନକରିଛି; ସେ ପ୍ରଦେଶରୁ ମନ୍ତ୍ରୀମାନେ ଇସ୍ତଫା ଦେଇଦିଅନ୍ତୁ ବୋଲି ନିର୍ଦ୍ଦେଶ କଂଗ୍ରେସ ପକ୍ଷରୁ ଦିଆଗଲା । ବ୍ୟକ୍ତିଗତ ଭାବରେ ସତ୍ୟାଗ୍ରହ କରି ଯୁଦ୍ଧବିରୋଧୀ ଧ୍ଵନି ଦେଇ ବୋହୁଲୋକ ଜେଲ ବରଣ କଲେ । ଭାରତର ମାତ୍ର ଦୁଇଟି ପ୍ରଦେଶକୁ ଛାଡ଼ି କଂଗ୍ରେସ ସବୁ ପ୍ରଦେଶରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲା । ତେଣୁ ଏହି ଦୁଇ ପ୍ରଦେଶକୁ ଛାଡ଼ି ଭାରତର ସବୁ ପ୍ରାନ୍ତରେ ପ୍ରବଳଭାବରେ ଯୁଦ୍ଧ ବିରୋଧରେ ଜନମତ ସୃଷ୍ଟି କରାଗଲା ।

 

ପ୍ରତିନିଧିମୂଳକ ଶାସନ ଯାଇଁ ପୂର୍ବପରି ଲାଟ, କମିଶନର, କଲେକ୍‍ଟରଙ୍କ ଶାସନ ଜାରିହେଲା । ଦେଶବ୍ୟାପୀ ଯୁଦ୍ଧ-ବିରୋଧୀ ଆନ୍ଦୋଳନକୁ ଦବେଇବାଲାଗି ଇଂରେଜ ଶାସକମାନେ ଅଣ୍ଟାଭିଡ଼ି ଲାଗିପଡ଼ିଲେ । ଇଂଲଣ୍ଡର ଏ ଦୁର୍ଦ୍ଦିନରେ ସବୁମନ୍ତେ ସାହାଯ୍ୟ କରିବା ପରିବର୍ତ୍ତେ ଯେଉଁ ଭାରତବାସୀ ଆଜି ଏହାର ବିରୋଧ କରୁଛି, ତାକୁ ଆଉ ରକ୍ଷା ନାହିଁ । ସହର, ମଫସଲ, ଗାଁ ଗଣ୍ଡା ସବୁଆଡ଼େ ଲୋକେ ବ୍ୟକ୍ତିଗତଭାବେ ଯୁଦ୍ଧ-ବିରୋଧୀ ଧ୍ଵନିକରି ଜେଲରେ ଭର୍ତ୍ତିହେଲେ । ତାରାଙ୍କ ଦଳ ମଧ୍ୟ ପ୍ରମାଦ ଗଣିଲେ । ଯେଉଁ ମନ୍ତ୍ରିମଣ୍ଡଳର ବାହୁଛାୟା ତଳେ ସେମାନେ ସଂଗଠିତ ହୋଇ ଗୋଟିଏ କିଛି କରିବାକୁ ବାହାରିଥିଲେ, ସେଥିରେ ଭୟଙ୍କର ବାଧାପଡ଼ିଲା । ଏମାନଙ୍କ ମଧ୍ୟରୁ ବ୍ୟକ୍ତିଗତ ସତ୍ୟାଗ୍ରହ କରି କେହି ଜେଲ ବରଣ କଲେ ନାହିଁ ସତ; କିନ୍ତୁ ଏମାନଙ୍କର କାର୍ଯ୍ୟକଳାପ ଉପରେ ସରକାରଙ୍କର କଡ଼ା ଦୃଷ୍ଟି ରହିଲା ।

 

ପୂର୍ବରୁ ସ୍ଥିର ହୋଇଥିଲା ଯେ ଗ୍ରୀଷ୍ମକାଳୀନ ଶିକ୍ଷାଶିବିର ଗୋଟିଏ କରାଯିବ ବୋଲି । ସେହି ଅନୁସାରେ ଆୟୋଜନ ଚାଲିଲା । ସେତେବେଳେ ଡଗରପଡ଼ା, ମାନସିଂହପାଟଣା, ଅଲିଶାବଜାର ପ୍ରଭୃତି ଅଞ୍ଚଳରେ ଜନଗହଳି ଅପେକ୍ଷାକୃତ କମ୍ ଥାଏ । ଅନେକ କୋଠାଘର ମଧ୍ୟ ସେ ଅଞ୍ଚଳରେ ଖାଲିଥାଏ । ସେହିପରି ଗୋଟାଏ କୋଠାକୁ ଶିକ୍ଷାଶିବିର ପାଇଁ ଭଡ଼ା ନିଆଯାଇଥାଏ । ପ୍ରସ୍ତୁତି ଖୁବ୍ ଜୋରରେ ଚାଲିଛି । ତାରା ଓ ତା’ର ସାଙ୍ଗସାଥୀମାନେ ଉଠିପଡ଼ି ଲାଗିଛନ୍ତି ଏହାର ପ୍ରସ୍ତୁତିରେ । ଏତିକିବେଳେ ଦିନେ ସନ୍ଧ୍ୟା ସମୟରେ ତାରା ମାରୁଆଡ଼ି ପଟିଦେଇ ଡଗରପଡ଼ା ଆଡ଼େ ସାଇକେଲରେ ଚାଲିଛି । ପଛରୁ ଡାକିଲା ତା’ର ପୂର୍ବତନ ସ୍କୁଲ୍‍ ଓ କଲେଜ ବନ୍ଧୁ ସୁନୀଲ । ତାରା ଅଟକିଲା । ଦୁହେଁ ସ୍କୁଲ୍‍ରୁ ଆରମ୍ଭକରି କଲେଜ ପର୍ଯ୍ୟନ୍ତ ଏକାସାଙ୍ଗରେ ପଢ଼ିଆସିଛନ୍ତି । ସୁନୀଲ ବି.ଏ. ପରୀକ୍ଷାରେ ଫେଲ୍ ହୋଇ ପୋଲିସ୍‍ ସବ୍‌ଇନିସପେକ୍‌ଟର ଚାକିରି ଖଣ୍ଡେ ପାଇ ହଜାରିବାଗ ଯାଇଥିଲା । ଟ୍ରେନିଙ୍ଗ୍‍ରୁ ଫେରି ସେ କଟକରେ ଅବସ୍ଥାପିତ ହୋଇଥାଏ । ଆଗରୁ ଥରେ ଅଧେ ତା’ ସଙ୍ଗେ ତାରାର ବାଟରେ ଘାଟରେ ଦେଖା ହୋଇଛି । ସାମାନ୍ୟ ଦୁଃଖସୁଖ କଥା ପରେ ଦୁହେଁ ଦୁହିଁଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଆଜି ସୁନୀଲର ଡାକରେ ତାରା ସାଇକେଲରୁ ଓହ୍ଲେଇପଡ଼ିବାରୁ ସୁନୀଲ ତାକୁ ଓସ୍ତଗଛ ପାଖ ମାରୁଆଡ଼ିପଟିର ଗୋଟାଏ ଗଳି ଭିତରକୁ ଡାକିନେଲା । ସେଠାରେ ସାଇକେଲ ଧରି ଦୁଇବନ୍ଧୁ ଅନ୍ଧାରରେ ବହୁବେଳ ପର୍ଯ୍ୟନ୍ତ ଛିଡ଼ାହୋଇ ଫୁସ୍‍ଫାସ୍ ହେଲେ । ସୁନୀଲର ପୋଲିସ୍‍ ପୋଷାକ ନଥାଏ ।

 

ତାରା ସୁନୀଲଠାରୁ ବିଦାୟ ନେଇ ଆସି ଆଡ଼୍‌ଡ଼ାରେ ପହଞ୍ଚିଲା । ଖରାଦିନ ରାତି ସେତେବେଳକୁ ଆଠଟା ହେବ । ଅନ୍ୟାନ୍ୟ ଉଦ୍ୟୋକ୍ତା, ନେତା, ବକ୍ତା, ସବୁ ମିଶି ସାତଆଠଜଣ ଉପସ୍ଥିତ । କାଲି ସକାଳୁ ଆରମ୍ଭ ହେବ ଶିକ୍ଷାଶିବିର । ରାତିରେ ବାଲେଶ୍ୱର, ପୁରୀ ଓ ଗଞ୍ଜାମର ଆଉ ସାତଆଠ ଜଣ ଆସି ପହଞ୍ଚିବେ । ସମସ୍ତେ ଶିବିରରେ ରହିବେ, ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ ସେଇଠି ।

 

ତାରା କହିଲା, “କାଲି ଭୋର ଭୋର ପୋଲିସ୍‍ ସଦଳବଳେ ଆମର ଶିବିର ଘେରାଉ କରିବ । ତେଣୁ ସତର୍କତାସ୍ୱରୂପ ଆମେ ବା ବାହାରୁ ଆସୁଥିବା କେହି ଏଠାରେ ଆଜି ରାତିରେ ରହିବା ମୁଁ ଠିକ୍ ମନେକରୁନାହିଁ ।”

 

ସମସ୍ତେ ପଚାରିଲେ, “ତୁ ଏ ଖବର କେଉଁଠୁଁ ପାଇଲୁ ?”

 

“ମୋର ସାଙ୍ଗ କହିଲା ।”

 

“ସେ କୁଆଡ଼ୁ ଜାଣିଲା ।”

 

“ସେ ପୋଲିସ୍‍ରେ କାମକରେ ।”

 

ଜଣେ ଦୁଇଜଣଙ୍କ ଛଡ଼ା ଅନ୍ୟମାନେ ବୁଝିଗଲେ ତାରା କାହା କଥା କହୁଛି; କାରଣ ସମସ୍ତେ ତ ଏକାସାଙ୍ଗରେ କଲେଜରେ ପଢ଼ୁଥିଲେ । ତେଣୁ ତା’ ନାଁ କହି ଲାଭ କ’ଣ ?

 

ତାରା, ଶ୍ରୀକାନ୍ତ, ସୋମ ଏମାନଙ୍କଠାରୁ ବୟସରେ ବଡ଼ ଏବଂ ଓଡ଼ିଶା ବାହାରୁ ଶିକ୍ଷାଲାଭ କରି ଛ’ମାସ ହେବ ସେମାନଙ୍କ ସାଙ୍ଗରେ ମିଶିଥିବା ତିନିଜଣ ଯୁବକ ତାରା କଥାରେ ହସିଲେ ।

 

ସେମାନଙ୍କ ଭିତରୁ ଜଣେ କହିଲା, “ତାରା କୁଆଡ଼ୁ ଯେ ଠିକଣାବେଳେ ଏପରି ଗୁଲିଖଟି ଖବର ଆଣି ପହଞ୍ଚାଏ, ତା’ର ଠିକଣା ନାହିଁ । ପୋଲିସ୍‍ ଯଦି ଆମ ଶିବିର ଘେରାଉ କରିବ, କରୁ । ସେଥିରେ ଯାଏଁ କେତେ ଆସେ କେତେ ? ଆମର ତ ଏଠି ଆପତ୍ତିଜନକ ଜିନିଷ, ଗୋଳା, ଗୁଳି ରିଭଲ୍‍ଭର୍ କିଛି ନାହିଁ ।”

 

ପଛକଥାଟା ବିଶେଷକରି ତାରାକୁ ଲକ୍ଷ୍ୟକରି କୁହାଗଲା ।

 

ତାରା କହିଲା, “ହଁ, ସେସବୁ ତ ପାଇବା ସହଜ ନୁହେଁ ଆପଣମାନଙ୍କ ପକ୍ଷରେ; ତଥାପି ଯେଉଁ ସମୟ ପଡ଼ିଛି, କିଛି ଆପତ୍ତିଜନକ ଚିଜ ମିଳୁ ବା ନ ମିଳୁ ଅନ୍ଧାଧୁନିଆଭାବେ ସମସ୍ତଙ୍କୁ ଗିରଫ୍‍ କରିନେବାକୁ କିଏ କ’ଣ ପୋଲିସ୍‍କୁ ବାଧା ଦେବ ?”

 

ବୟସ୍କ ବନ୍ଧୁ ଜଣଙ୍କ କହିଲେ, “ଖାଲି ପଡ଼ିଛି, ଇଚ୍ଛାକଲେ ଧରିନେଇଯିବେ ?”

 

“ଧରିବେ ନାହିଁ କାହିଁକି ? ଗୋଟାଏ କିଛି ଦଫା ଯୋଡ଼ିଦେଇ ଜେଲରେ ଅଟକ ରଖିଲେ ତ ସରିଲା । ଭାରତରକ୍ଷା ଆଇନ ବଳରେ ସବୁ କରିହେବ ।”

 

ବନ୍ଧୁ ହସି କହିଲେ, “ତେବେ ତାରାର ଜେଲ ଯିବାକୁ ଦେଖୁଛି ଭାରି ଭୟ । ଆଜିକାଲି ତାରା ପକ୍ଷରେ ଜେଲଯିବା ତ ଦୂରର କଥା, କଟକ ଛାଡ଼ି ବାହାରେ ଦିନେ ରହିବା କଠିନ ବୋଲି ମନେହେଉଛି ।”

 

ଏ ଇଙ୍ଗିତରେ ସମସ୍ତେ ହସି ଉଠିଲେ; କାରଣ ଏହାର ଗୋଟିଏ ଗୂଢ଼ ରହସ୍ୟ ଥିଲା । ଛାତ୍ର ସଂଘର କାର୍ଯ୍ୟକାରୀ କମିଟିରେ ଜଣେ ମାତ୍ର ଛାତ୍ରୀ ସଭ୍ୟା ଥାଆନ୍ତି । ତାରା ଆଉ ତା’ ମଧ୍ୟରେ ସମ୍ପର୍କଟା ଟିକିଏ ଘନୀଭୂତ ହେଉଛି ବୋଲି ସେତେବେଳେ ତାରାର ବନ୍ଧୁମାନେ ଖୁବ୍ କୁହାକୁହି ହୋଇ ଆମୋଦ କରନ୍ତି । ତାରା କିଛି କହେ ନାହିଁ ।

 

ଆଜି ବୟସ୍କ ବନ୍ଧୁଙ୍କ ଆକ୍ଷେପଟା ଶୁଣି ଅନ୍ୟମାନେ ହସିଲେ ମଧ୍ୟ ତାରା ଟିକିଏ ହସି କହିଲା, “ମୋତେ ଯାହା କହନ୍ତୁ ପଛକେ ମୁଁ ଜେଲଯାଇ ଅସଲ କାମ କରିବାବେଳଟାରେ ବେଶ୍ ହାତଗୋଡ଼ ଜାକି ବର୍ଷେ ଦୁଇବର୍ଷ ମାମୁଘରେ ରହି ଆରାମ କରିପାରିବି ନାହିଁ । ମୋତେ ଯଦି ଧରି ଜେଲରେ ପୂରାଯାଏ, ଏହିପରି ଏକ ସାମାନ୍ୟ କାରଣରୁ, ତେବେ ମୁଁ ଜେଲ ପାଚେରି ଡେଇଁ ପଳେଇଯିବାକୁ ଟିକିଏ ମାତ୍ର ଦ୍ୱିଧା କରିବି ନାହିଁ । ମୁଁ ଗାନ୍ଧି ହୋଇ ଜେଲଫାଟକ ଆଢ଼ୁଆଳରେ ଖାଇପିଇ ବସି ସୂତା କାଟି ପାରିବି ନାହିଁ ।”

 

“ହଁ, ତା’ ନୁହେଁ କ’ଣ ? ବାହାରେ ତାରାବାବୁଙ୍କର ଅନେକ କାମ ଅଛି ।”

 

ଏଥିରେ ପୁଣି ତୁହାଏ ହସର ରୋଳ ଉଠିଲା । ତାରା ସେତେବେଳକୁ ଉଠି ଠିଆ ହୋଇ, ନମସ୍କାରକରି ବାହାରକୁ ଯିବାର ଅନ୍ଧାରୁଆ ବାଟଘରେ ଭିତରକୁ ଚାଲିଆସିଲାଣି । ତନୁ, ଶ୍ରୀକାନ୍ତ, ସୋମ ପ୍ରଭୃତି ତା’ର ପିଲାଦିନିଆ ସାଙ୍ଗ କେଇଜଣ ତାରା ସାଙ୍ଗେ ବାହାର ପର୍ଯ୍ୟନ୍ତ ଆସି, ତା’ ସାଇକେଲକୁ ଧରି କହିଲେ, “ଆବେ ରହ କୁଆଡ଼େ ଚାଲିଲୁ ?”

 

“ନା, ମୁଁ ଆଜି ରାତିରେ ଯେକୌଣସିମତେ କଟକ ଛାଡ଼ିବି ।”

 

“କ’ଣ, କଟକ ଛାଡ଼ି ଗାଁକୁ ?”

 

“ନା କଟକ ନୁହେଁ ଯେ, ମୁଁ ଏକେବାରେ ଓଡ଼ିଶା ଛାଡ଼ୁଛି ।”

 

ତାରା କଥାକୁ କେହି ବିଶ୍ୱାସ ନକରି ‘ହଉ କାଲି ସକାଳେ ଦେଖାହେବା’ ବୋଲି କହି ପୁଣି ଶିବିର ଭିତରକୁ ଗଲେ । ରାତିରେ ସମସ୍ତଙ୍କର ରହଣି ସେଇଠି । ତାରା ସାଇକେଲ ଖଣ୍ଡକ ଧରି ବସାକୁ ଫେରିଲା ।

 

ସତର

 

ଫେରିଲା ରାସ୍ତାରେ ବାଖରାବାଦ ଦେଇ ଫେରିଲା । ବାଖରାବାଦରେ ସୁନନ୍ଦାର ଘର । ଛାତ୍ରସଂଘ କାର୍ଯ୍ୟକାରୀ କମିଟିର ସଭ୍ୟା ସୁନନ୍ଦା କଲେଜର ମାତ୍ର ସାତ ଆଠୋଟି ଛାତ୍ରୀଙ୍କ ଭିତରୁ ଜଣେ । ବାପା କଂଗ୍ରେସ ଆନ୍ଦୋଳନରେ ଯୋଗଦେଇ ଜେଲ ଯାଇଥିଲେ । ଆଜିକାଲି କଟକରେ ଓକାଲତି କରୁଛନ୍ତି । ଭାଇ ମଧ୍ୟ ଜାତୀୟବାଦୀ ଓକାଲତି ପଢ଼ନ୍ତି । କଲେଜରେ ଅନ୍ୟ ପାଞ୍ଚ ସାତ ଜଣ ଝିଅପିଲା ପୁଅପିଲାଙ୍କ ସଙ୍ଗେ କାନ୍ଧକୁ କାନ୍ଧ ମିଳେଇ ଛାତ୍ର ସଂଘର କାର୍ଯ୍ୟକାରୀ କମିଟିର ସଭ୍ୟା ହେବା ଦୂରେ ଥାଉ, କଲେଜରେ ଥିବା ପର୍ଯ୍ୟନ୍ତ ସେମାନେ ମୁଣ୍ଡଟେକି କାହାକୁ ଅନାନ୍ତି ନାହିଁ । କେତେଜଣ ଅତ୍ୟନ୍ତ ଉତ୍ସାହୀ ଛାତ୍ରଙ୍କର କଲେଜ ବାରଣ୍ଡା ବା ଲାଇବ୍ରେରିକୁ ଯିବା ରାସ୍ତାରେ କାଁ-ଭାଁ ଗୋଟାଏ ଅଧେ ଥଟିଲି ମନ୍ତବ୍ୟ ଛଡ଼ା ଏ ଛାତ୍ରୀଙ୍କ ବିଷୟରେ ବିଶେଷ କେହି ଆଗ୍ରହୀ ଥିବାର ଦେଖାଯାଏ ନାହିଁ ।

 

ସୁନନ୍ଦା କିନ୍ତୁ ଭିନ୍ନ ଧରଣର ପିଲା । ବାପା ଅସହଯୋଗ ଆନ୍ଦୋଳନରେ ଯୋଗଦେଇଥିବାରୁ ତା’ର ମାମୁ ତାକୁ ପିଲାଦିନୁ ପାଖକୁ ନେଇଯାଇଥିଲେ । ଓଡ଼ିଶା ବାହାରୁ ସେ ଆଇ.ଏ. ପାସ୍‍କରି ସେହି ବର୍ଷ ବି.ଏ.ରେ ନାଁ ଲେଖେଇଥାଏ । ଏ କେଇଟା ଦିନରେ ସେ ରେଭେନ୍‍ସା କଲେଜ ତର୍କସଭାରେ ବେଶ୍ ସୁନାମ ଅର୍ଜିଛି । ସେତେବେଳେ ଆଜିକାଲିପରି ସ୍ଵୀକୃତିପ୍ରାପ୍ତ କଲେଜ ୟୁନିୟନ୍‍ସବୁ ନଥାଏ । ଥାଆନ୍ତା ଯଦି ହୁଏତ ସେ ଅକ୍ଳେଶରେ ତାହାର ଗୋଟାଏ କର୍ମକର୍ତ୍ତା ହୋଇପାରିଥାନ୍ତା । ତାରାଙ୍କ ଦଳରେ ସେତେବେଳେ ବେଶି ଭାଗ ଆଇନ କଲେଜ ଛାତ୍ର । ତଥାପି ରେଭେନ୍‌ସା କଲେଜ ସେମାନଙ୍କର ଚରାଭୂଇଁ । ଯେଉଁ ଛାତ୍ରସଂଘ ସେମାନେ ଗଢ଼ିଛନ୍ତି ତା’ର ସଭ୍ୟ ସଂଗ୍ରହ କରିବା, ପିଲାମାନଙ୍କ ସହିତ ନାନା ବିଷୟରେ ଆଲୋଚନା କରିବା ଥାଏ ତାଙ୍କ ଦଳର ନିତିଦିନିଆ କାମ । ଏହି ଅବସରରେ ସେମାନେ କଲେଜର ବିଭିନ୍ନ ବାର୍ଷିକ ଶ୍ରେଣୀର ପିଲାମାନଙ୍କ ବିଷୟରେ ମଧ୍ୟ ସନ୍ଧାନ ପାଆନ୍ତି । ଚୁମ୍ବକ ପଥର ଆଡ଼କୁ ଲୁହା ବଳେ ବଳେ ଆକର୍ଷିତ ହେଲାପରି ଯାହାଠାରେ କିଛି ମସଲା ଥାଏ, ସେ ଆସି ୟାଙ୍କ ଦଳରେ ଯୋଗଦିଏ । ସୁନନ୍ଦା ମଧ୍ୟ ସେଥିଭିତରୁ ଗୋଟିଏ । ପ୍ରଥମଥର ଛାତ୍ରସଂଘର ଜଣେ ସଭ୍ୟା ହୋଇଥିବାରୁ ତାକୁ କାର୍ଯ୍ୟକାରୀ କମିଟିରେ ନିଆଯାଇଛି । ମହିଳା ମହଲରେ କାମ କରିବାକୁ ଜଣେ ଝିଅର ଦରକାର ଥିଲା ଏ ଦଳର । ସେ ସାମ୍ମୁଖ୍ୟଟା ବଡ଼ ଅବହେଳିତ ହୋଇପଡ଼ିଥିଲା ।

 

ଏହି ଅବସରରେ ତାରାର ସୁନନ୍ଦା ସଙ୍ଗେ ଆଳାପ ପରିଚୟ ହୋଇଛି । ଛାତ୍ରସଂଘ ଅଫିସ୍‍ଟା ଚାନ୍ଦିନୀଚୌକରେ । କାର୍ଯ୍ୟକାରୀ କମିଟି ବୈଠକ ଛଡ଼ା ଅନ୍ୟଦିନେ ମଧ୍ୟ ଅଧିକାଂଶ ସଭ୍ୟ ସେଠାରେ ଏକାଠି ହୁଅନ୍ତି । ତାରା ତେଲେଙ୍ଗାବଜାରରୁ ସାଇକେଲରେ ଆସିଲାବେଳେ ଦରକାର ଥିଲେ କେଉଁ କେଉଁ ଦିନ ସୁନନ୍ଦାକୁ ଗୋଟାଏ ରିକ୍ସାରେ ବସେଇ ନେଇଆସେ । ରିକ୍ସା ପାଖେପାଖେ ସେ ସାଇକେଲରେ ଗପ କରି କରି ଆସେ । ପୁଣି ଫେରିଲାବେଳେ ସେହିପରି ତାକୁ ନେଇ ବାଖରାବାଦରେ ତାଙ୍କ ଘରେ ଛାଡ଼ି ସେ ବସାକୁ ଫେରେ । ତାରା ସାଙ୍ଗଙ୍କ ଭିତରୁ କେତେକ ତାରାର ଏଇଟା ପରମ ସୌଭାଗ୍ୟ ବୋଲି ବେଳେବେଳେ ମନ୍ତବ୍ୟ କରନ୍ତି । ତାରା ଶୁଣେ, ହସିଦିଏ । ବାସ୍ ଏତିକି, କେହି ଏ କଥାରେ ଗୁରୁତ୍ୱ ଦିଅନ୍ତି ନାହିଁ । ଏପରିକି ସୁନନ୍ଦା ଉପସ୍ଥିତିରେ ମଧ୍ୟ କେହି କେହି କହିବାର ଶୁଣାଯାଏ, ‘କାହିଁକି ଆମେ ସାଙ୍ଗରେ ଗଲେ କ’ଣ ଚଳନ୍ତା ନାହିଁ ?’ ସୁନନ୍ଦା କିଛି ନକହି ଯାଇ ରିକ୍ସାରେ ବସେ, ତା’ ସାଙ୍ଗେ ସାଙ୍ଗେ ସାଇକଲ୍‍ରେ ଚାଲେ ତାରା ।

 

ଏ ବିଷୟରେ ତାରାକୁ ଓ ସୁନନ୍ଦାକୁ ତାଙ୍କର ସାଙ୍ଗମାନେ ଥଟ୍ଟାରେ ଥଟ୍ଟାରେ ଏପରି ନ କହିଥିଲେ ବୋଧହୁଏ ଦୁହିଁଙ୍କ ମନରେ ପରସ୍ପର ପ୍ରତି ଏପରି ଗୋଟାଏ ନୂଆ ଭାବ ମୋଟେ ଉଦ୍ରେକ ହୋଇ ନଥାନ୍ତା । କାରଣ ସେମାନେ ନିଜ ନିଜକୁ ଏହାର ବହୁତ ଊର୍ଦ୍ଧ୍ୱରେ ବୋଲି ଧରିନେଇଥିଲେ । କିନ୍ତୁ କ’ଣ ଯେ ଗୋଟାଏ କେମିତି ହୁଏ ସେ କଥା ତାରା ବୁଝେନାହିଁ କି ସୁନନ୍ଦା ମଧ୍ୟ ବୁଝେନାହିଁ । କିନ୍ତୁ ପରସ୍ପର ମଧ୍ୟରେ ଟିକିଏ ପାଖକୁ ପାଖ ଲାଗିଆସିବା ଭାବଟା ଆସୁଥିଲା ପରି ଉଭୟେ ଅନୁଭବ କରନ୍ତି । ବୋଧହୁଏ ଏହି ଭାବଟା ଆଖିରେ ନାଁ ମୁହଁରେ ଫୁଟିପଡ଼େ ନାଁ କ’ଣ, ଦଳର ସାଙ୍ଗସାଥୀମାନେ ଏପରିକି ଦଳର ବଡ଼ବଡ଼ିଆ ଦୁଇଚାରି ଜଣ ମଧ୍ୟ ତାରାକୁ ଏ ବିଷୟରେ ହସି ହସି ଇଙ୍ଗିତ ଦେବାର ଦେଖାଗଲାଣି । ତାରା କିନ୍ତୁ ଏସବୁକୁ ଦେହକୁ ନିଏ ନାହିଁ ।

 

ଗ୍ରୀଷ୍ମ ଶିବିରରେ ସୁନନ୍ଦାର ମଧ୍ୟ ଯୋଗଦେବାର କଥା । କଲେଜ ବନ୍ଦଥାଏ । ତେଣୁ ସେ ସବୁ ସମୟ ଶିବିରରେ ଉପସ୍ଥିତ ନରହି କେବଳ ଆଲୋଚନାରେ ଅଂଶଗ୍ରହଣ କରିବ ବୋଲି ସ୍ଥିରହୋଇଥାଏ । ଏକମାତ୍ର ମହିଳା ସଭ୍ୟା ହିସାବରେ ଦଳପକ୍ଷରୁ ତାକୁ ଏ ସୁବିଧା ଦିଆଯାଇଥାଏ-। ଅନ୍ୟଥା କଟକରେ ଘରଥିବା ପିଲାଙ୍କୁ ମଧ୍ୟ ସପ୍ତାହେ ସକାଶେ ଶିବିରରେ ରହିବା ଅତ୍ୟନ୍ତ ଜରୁରୀ କଥା ବୋଲି ସ୍ଥିରହୋଇଥାଏ ।

 

ତାରା ବଜାର ଭିତରଦେଇ ନଆସି ନଈ କୂଳେ କୂଳେ ବାଖରାବାଦକୁ ଆସୁଥାଏ । ମନରେ କେତେ କଥା ଭାବୁଥାଏ । ‘କୁଆଡ଼େ ଯିବ ? ଗାଁକୁ ? ନା, ଗାଁକୁ ଯାଇ ନିସ୍ତାର ନାହିଁ । କଟକ ଛାଡ଼ିବ ନିଶ୍ଚୟ ।’ କଟକ ଛାଡ଼ି ଯିବ କୁଆଡ଼େ ? ଟାଟା ? ନା, ଟାଟା ଯାଇ ଭାଇଭାଉଜଙ୍କୁ ବିପଦରେ ପକେଇବ ନାହିଁ । ବଡ଼ମା’ ମଧ୍ୟ ଭାଇଙ୍କ ପାଖରେ ଅଛି । କେତେବେଳେ କେଉଁ କଥା । ଓଡ଼ିଶା ପୋଲିସ୍‍ ନିଶ୍ଚୟ ତା’ ପିଛା ଧରିବ । କଲିକତା ଗଲେ ହୁଅନ୍ତା; କିନ୍ତୁ ସେଠାରେ ହଠାତ୍‌ ପହଞ୍ଚି ଚଳିବାଭଳିଆ ସମ୍ବଳ ତା’ର ନାହିଁ । କଲିକତା ତା’ର ଅଚିହ୍ନା ଜାଗା ନୁହେଁ । ପୁଣି ଦଳର କେତେକ ସାଥୀ ସେଠାରେ ଅଛନ୍ତି । କିଛି ଅସୁବିଧା ହବନାହିଁ । କିନ୍ତୁ ପ୍ରଥମେ ସିଧା କଲିକତା ଚାଲି ନଯାଇ ଆଗ ଟାଟା ଚାଲିଯିବ ବୋଲି ସ୍ଥିରକଲା । ଟାଟା ପର୍ଯ୍ୟନ୍ତ ରେଳଟିକଟ କରି ଯିବାର ସମ୍ବଳ ତା’ର ଅଛି । ଟଙ୍କା ପାଞ୍ଚଟା ପାଖରେ ଅଛି । ସେଇଥିରେ ଟାଟାକୁ ଟିକଟ ହୋଇଯିବ । ଆଉ ସେଠାରେ ପହଞ୍ଚିଗଲେ ରହିବା ଖାଇବାର ଚିନ୍ତା ତ ନାହିଁ । ସେଠାରେ କିଛିଦିନ ରହି ଅବସ୍ଥା ଲକ୍ଷ୍ୟକଲାପରେ ଯୁଆଡ଼େ ହେଲେ ଯିବ ପଛେ । ଏସବୁ ଭାବୁ ଭାବୁ କେତେବେଳେ ଯେ ଆସି ସୁନନ୍ଦାଘର ଦାଣ୍ଡ ପାହାଚରେ ସେ ଗୋଡ଼ ଲଗେଇ ଠିଆହୋଇଛି ତା’ର ଖିଆଲ ନାହିଁ । ସାଇକଲ୍‍ର ବେଲ୍‌ଟାକୁ ମଧ୍ୟ ସେହିପରି କେତେବେଳେ ଅଜାଣତରେ ବଜେଇ ଦେଇଛି ।

 

ଖରାଦିନ । ସେତେବେଳକୁ ନଅଟା ବାଜି ନଥାଏ । ତାରା ସବୁଦିନେ ୟା’ଠାରୁ ଡେରିରେ ଫେରେ । ସୁନନ୍ଦାଦଳ ଅଫିସ୍‍କୁ ଯାଇଥାଉ କି ନଥାଉ ତାରା ସୁନନ୍ଦା ଘରବାଟେ ନିଶ୍ଚୟ ଫେରିବାର କଥା । ସୁନନ୍ଦା ମଧ୍ୟ ଅଫିସ୍ ହାଲ୍‍ଚାଲ୍‍ ତା’ଠାରୁ ଶୁଣିବ ବୋଲି ଉତ୍‌କୀର୍ଣ୍ଣ ହୋଇ ଥାଏ-। ସୁନନ୍ଦାର ବାପା ଆଉ ଗୋଟାଏ ଘରେ ଅଫିସ୍ କରନ୍ତି । ସେ ଘରର ବାଟ ଅଲଗା । ଖରାଦିନର ସକାଳୁଆ କଚେରି ବୋଲି ରାତି ଏଗାରଟା ପର୍ଯ୍ୟନ୍ତ ତାଙ୍କର କାମ ଚାଲେ । ସୁନନ୍ଦାର ଭାଇ ମଧ୍ୟ ଫେରୁ ଫେରୁ ଡେରିକରନ୍ତି । ତାଙ୍କର ମଧ୍ୟ ଅଶେଷ ଜାଗାରେ ଆଡ଼୍‍ଡ଼ା । ଘରେ ସୁନନ୍ଦାର ମା’ ଆଉ ତା’ର ଗୋଟିଏ ଦଶମ ଶ୍ରେଣୀରେ ପଢ଼ୁଥିବା ସାନଭଉଣୀ । ୟା’ ମଧ୍ୟରେ ତାରାର ଗତି ସୁନନ୍ଦାର ଘରକୁ ଅବାରିତ ହୋଇଛି । ସୁନନ୍ଦାର ମା’ ଓ ତା’ର ଭଉଣୀ ତାରାକୁ ଖୁବ୍ ଭଲପାଆନ୍ତି-। ସାନ ଭଉଣୀଟି ମଧ୍ୟ ତାରାକୁ ‘ତାରାଭାଇ’ ବୋଲି ଡାକେ ।

 

ସୁନନ୍ଦା ସାଇକଲ୍‍ଘଣ୍ଟି ଶୁଣି ବାହାରଦରଜା ପାଖକୁ ଚାଲିଆସିଲା । ତାରା ତାକୁ ଦେଖି କହିଲା, “ଯାଉଛି, ବହୁତ କଥା ଥିଲା; କିନ୍ତୁ ମୋତେ ଆଉ ବେଳ ନାହିଁ । ରେଳକୁ ଯିବାକୁ ହେବ ବାରଟା ପୂର୍ବରୁ ।”

ସୁନନ୍ଦା ଆଶ୍ଚର୍ଯ୍ୟ ହୋଇ କହିଲା, ‘ରେଳ’ ? କାଲି ସକାଳୁ ପରା ତମର ସବୁ ଗ୍ରୀଷ୍ମ ଶିବିର ଖୋଲୁଛି । ତମେ ପୁଣି ରେଳରେ ଯିବ କୁଆଡ଼େ ?” ୟା’ ଭିତରେ ସୁନନ୍ଦା ତାରାକୁ ‘ଆପଣ’ ଛାଡ଼ି ‘ତମେ’ ବୋଲି କହିବାକୁ ଆରମ୍ଭ କରିଛି ।

“ସେ ବହୁତ କଥା । ସଂକ୍ଷେପରେ ଖାଲି ତୁମକୁ କହିଯାଉଛି । ରାତି ପାହିଲା ପୂର୍ବରୁ ଆମ ଅଫସ୍ ଉପରେ ପୋଲିସ୍‍ ଚଢ଼ାଉ କରିବ ଓ ସେଠାରେ ଥିବା ଆମର ସବୁ ସଭ୍ୟଙ୍କୁ ଗିରଫ୍‍ କରିବ ବୋଲି ମୁଁ ଖବର ପାଇ ଯାଇ ଏକଥା କହିବାରୁ ସମସ୍ତେ ମୋତେ ହସରେ ଉଡ଼େଇଦେଲେ-। ଶେଷରେ ମନ୍ତବ୍ୟ ହେଲା, ମୁଁ କୁଆଡ଼େ ଗିରଫ୍‍ ହେବାକୁ, ଜେଲ ଯିବାକୁ ଡରି ଏପରି କହୁଛି । ସତରେ ମୁଁ ଜେଲଯିବାକୁ ଡରେ ନାହିଁ ଯେ ଜେଲରେ ଅଟକି ରହିବାକୁ ଘୃଣା କରେ ।”

“ତେବେ କୁଆଡ଼େ ଯିବ ବୋଲି ଠିକ୍‌ କରିଛ ? ଅନ୍ତତଃ ମୋତେ ହେଲେ ଜଣେଇ ଯାଅ-।”

“ପାଖରେ ତ ସମ୍ବଳ ପାଞ୍ଚୋଟି ଟଙ୍କା । ତାକୁ ଧରି ଟାଟା ପର୍ଯ୍ୟନ୍ତ ପଳେଇଯାଇ ହେବ ବୋଲି ଭାବି ଆପାତତଃ ସେଠାକୁହିଁ ଯିବାକୁ ସ୍ଥିରକରିଛି । ଥାଅ, ମୁଁ ଚାଲିଲି । କେବେ ଦେଖାହେବ ଠିକଣା ନାହିଁ । ହୁଏତ ଏ ଜୀବନରେ ଆଉ ସମ୍ଭବ ନହୋଇପାରେ ।”

‘ରୁହ, ଆସୁଛି’ କହି ସୁନନ୍ଦା ଭିତରକୁ ଚାଲିଗଲା । କିଛି ସମୟ ପରେ ତା’ ସାନଭଉଣୀ ସୁଚିତ୍ରା ଗୋଟାଏ ରବର କଣ୍ଢେଇ ଆଣି ତାରାକୁ ଦେଖାଇ କହିଲା, “ଦେଖିଲ କିପରି ସୁନ୍ଦର ହୋଇଛି ?”

 

ତାରା ମନ ସେତେବେଳେ କେଉଁ ଆଡ଼େ । ସେ ଅନ୍ୟମନସ୍କଭାବେ କଣ୍ଢେଇଟିକୁ ଧରିନେଇ ସେହିପରି ଅନ୍ୟମନସ୍କଭାବେ କହିଲା, “ଆରେ ସତେ ତ ବଡ଼ ବଢ଼ିଆ ପୁଅଟିଏ ହୋଇଛି । ୟା’କୁ ପୁଣି ଜାମାକରି ପିନ୍ଧେଇଛି କିଏ ?”

 

ସୁଚିତ୍ରା କହିଲା, “ଆଉ କିଏ ? ଅପା ଛଡ଼ା ।”

 

“ଅପାକୁ ତମର ସିଲେଇବି ଜଣା ।”

 

“ହଁ ଭଲ ଜଣା । ତମେ ଏ କଣ୍ଢେଇଟାକୁ ନେଇଯାଅ, ଆମର ଆଉ ଅଛି ।” ସୁଚିତ୍ରା ଅନୁଯୋଗ କରି କହିଲା ।

 

ଏତିକିରେ ତାରାର ଆଖି କଣ୍ଢେଇ ଉପରେ ପଡ଼ିଲା । ସେ ଦେଖିଲା ଯେ କଣ୍ଢେଇ ଜାମାତଳେ କ’ଣ ଗୋଟାଏ ଚକଚକ କରୁଛି । ଲଣ୍ଠନ ଆଲୁଅ । ସେ କଣ୍ଢେଇଟିକୁ ଆଲୁଅ ପାଖକୁ ନେଇ ଦେଖିଲା ଯେ ତା’ ବେକରେ ଗୋଟାଏ ହାର । ସୁନାର ହେବ ବୋଧହୁଏ । କେଉଁଟା ସୁନା, କେଉଁଟା ଗିଲ୍‍ଟି ସେ କଥା ଚିହ୍ନିବାର ଯୋଗ୍ୟତା ତାରାର ନାହିଁ । ସେ ସମ୍ବନ୍ଧରେ ସେ କେବେହେଲେ ମୁଣ୍ଡ ଖେଳେଇନାହିଁ ।

 

ଏତିକିବେଳେ ସୁନନ୍ଦା ଘର ଭିତରକୁ ପଶିଆସି କହିଲା, “ଯା ସୁଚି, ବୋଉ ଡାକୁଛି ।” ୟା’ କହି ସୁଚିତ୍ରାକୁ ଘରୁ ବିଦାୟ କରିଦେଲା ।

 

‘ଆଚ୍ଛା ଆସେ’ କହି ତାରା ଯିବାକୁ ବସିଲା । ସୁନନ୍ଦା କହିଲା, “ଯିବତ, କେଉଁ ଅନିର୍ଦ୍ଦିଷ୍ଟ ପଥର ପଥିକ ହୋଇ । ଗାଡ଼ି ତ କହୁଛ ବାରଟାରେ, ବର୍ତ୍ତମାନ ନଅଟା ବାଜୁଛି । ଏତେ ତରତର କାହିଁକି ? ପାଖରେ ତ ସମ୍ବଳ ମୋଟେ ପାଞ୍ଚଟି ଟଙ୍କା; ସେଥିରେ କ’ଣ କରିବ ? ଏତିକି କହି କଣ୍ଢେଇଟାକୁ ଦେଖେଇ ତାରାକୁ କହିଲା, “ସୁଚି ତମକୁ କଣ୍ଢେଇଟାକୁ ଦେଖାଉଥିଲା କି ? ସୁନ୍ଦର ହୋଇନାହିଁ ? ତମେ ଆମର କଟକଦଳର ସ୍ମୃତି ହିସାବରେ ଏଇଟାକୁ ସାଙ୍ଗରେ ନେଇଯାଅ ।”

 

“ସ୍ମାରକୀ ହିସାବରେ ଆଉ କିଛି ମିଳିଲା ନାହିଁ, ଏଇ କଣ୍ଢେଇଟା । ବଡ଼ ଅଭିନବ ଚିନ୍ତାଧାରା ତମର କିନ୍ତୁ । ହଉ କଣ୍ଢେଇଟା ତ ନେବି, ତା’ ବେକରେ ସେଇଟା କ’ଣ ?”

 

ସୁନନ୍ଦାର ମୁହଁ ସେତେବେଳକୁ ଲାଲ ପଡ଼ିଗଲାଣି । ତା’ ପାଟିରୁ ଆଉ କଥା ବାହାରୁ ନାହିଁ ।

 

ଏହା ଦେଖି ତାରା କହିଲା, “ଧନ୍ୟବାଦ ! ବାସ୍ତବିକ ବିପଦର ବନ୍ଧୁ ତମେ ବୋଲି ଜାଣିଲି । ଏତେକାଳ ଯେଉଁମାନଙ୍କ ସାଙ୍ଗରେ ପ୍ରାଣ ଦେଇ ବନ୍ଧୁତା କରିଥିଲି ସେମାନେ ମୋ କଥାକୁ ଆଜି ଥଟ୍ଟାରେ ଉଡ଼େଇଦେଲେ । କିନ୍ତୁ ୟା’କୁ ନେଇ ମୁଁ କ’ଣ କରିବି ? ଟାଟାନଗରରେ ଖାଲି ପହଞ୍ଚିଗଲେ ମୋର ଆଉ ଚିନ୍ତା ନାହିଁ । ସେଠାରେ ତମରି ପରି ମୋର ଜଣେ ଶୁଭାକାଂକ୍ଷୀ ଭାଉଜ ଯାହାଙ୍କଠାରୁ ମୁଁ ଯେତେ ଟଙ୍କା ଇଚ୍ଛାକରିବି ପାଇପାରିବି ।”

 

ସୁନନ୍ଦା ଆହତ ହେଲାପରି ହୋଇ କହିଲା, “ହଉ ଆସ; କିନ୍ତୁ ଏ ସ୍ମୃତି ଯେପରି ଚିରନ୍ତନ ରହେ ।”...ଏତିକି କହି ସେ ଆଉ କହିପାରିଲା ନାହିଁ ।

 

ଅସୀମ ସାହସୀ ଏବଂ ପାଷାଣରେ ଗଢ଼ା ହୃଦୟ ବୋଲି ବନ୍ଧୁ ମହଲରେ ତାରାର ଖୁବ୍ ଖ୍ୟାତି ଥିଲା । ଗୁଳିକରି ମଣିଷକୁ ମାରିଦେବା ପାଇଁ ଯେଉଁ ହାତ ତିଳେହେଲେ ଦ୍ୱିଧା କରିବନାହିଁ, ସେ ହାତ ଆଜି କମ୍ପିଯାଉଛି । ମୁଣ୍ଡରୁ ଝାଳ ବୋହିଯାଉଛି । ସୁଠାମ ସୁନ୍ଦର ଶରୀର ତା’ର ଯେପରି ନିଷ୍ପ୍ରଭ ହୋଇଯାଇଛି । କିନ୍ତୁ ତାହା ମୁହୂର୍ତ୍ତକ ପାଇଁ । ତାରାର ଦମ୍ଭ ସାଙ୍ଗେ ସାଙ୍ଗେ ଫେରିଆସିଲା । ମନେମନେ ନିଜ ପ୍ରତି ଧିକ୍‌କାର ଆସିଲା । ଛିଃ, କେତେ ଦୁର୍ବଳ ସେ ।

 

ଆଉ କିଛି ନକହି କେବଳ ଆସୁଛି ବୋଲି କହି ତାରା ଯାଇ ସାଇକଲ୍‍ରେ ବସିଲା । ସୁନନ୍ଦା ନିର୍ବାକ୍ । ଅଜାଣତରେ ଦୁଇହାତ କେତେବେଳେ ମୁଣ୍ଡ ପର୍ଯ୍ୟନ୍ତ ଉଠିଯାଇଛି, ସେ ଜାଣେ ନାହିଁ ।

 

ତାରା ପ୍ରତ୍ୟୁତ୍ତରରେ ଡାହାଣ ହାତଟିକୁ ହଲେଇ ହଲେଇ ସେତେବେଳକୁ କେତେବାଟ ସାଇକଲ୍‍ରେ ଆଗେଇ ଗଲାଣି ।

 

ଅଠର

 

ସେଦିନ ଶନିବାର । ତାରା ଜାଣେ ବସାରେ ବାପା ନଥିବେ । ଶନିବାର ତାଙ୍କର ଗାଁକୁ ଯିବା ବିଧି । ବସାରେ ଜଗୁ ଏକା । ମଦନ କୁଆଡ଼େ ବୁଲାବୁଲି କରିଯାଇଥାଏ, ଫେରି ନଥାଏ । ଗୋରା ସାଇକଲ୍‍କୁ ଆଣି ଘରଭିତରେ ଥୋଇଦେଇ କହିଲା, “ଜଗୁ ! ଭାତ ବାଢ଼୍ ।” ଜଗୁ ତାରାର ସମବୟସୀ, ପୁଣି ଏକା ଗାଁର । ତାରାର ତରତର ଦେଖି ସେ ପଚାରିଲା “କୁଆଡ଼େ ଯିବ କି ?”

 

ହଁ, ମୁଁ ଏଇ ରାତିଗାଡ଼ିରେ ଟାଟା ଯିବି । ବାପା ସୋମବାର ଗାଁକୁ ଫେରିଲେ ତୁ କହିଦେବୁ, “ଭାଇଙ୍କଠାରୁ କ’ଣ ଜରୁରୀ ଚିଠି ପାଇ ସେ ରାତିଗାଡ଼ିରେ ଟାଟା ଯାଇଛନ୍ତି ବୋଲି । କଲେଜ ତ ବର୍ତ୍ତମାନ ଦୁଇମାସ ବନ୍ଦ । ସେ କିଛିଦିନ ଟାଟାରୁ ବୁଲିକରି ଆସି ପରୀକ୍ଷାପାଇଁ ଲାଗିପଡ଼ିବ ।”

 

ଜଗୁ ସବୁ ଶୁଣୁଥାଏ । ତାରା ଖାଇବାରେ ଲାଗିଥାଏ । ତାରା କହିଲା, “ଜଗୁ ! ଗୋଟାଏ କାମ କରିବୁ ? ରିକ୍ସାରେ ଯାଇଁ ଗାଡ଼ି ଧରିବାକୁ ମୋର ଆଉ ବେଳ ନାହିଁ । ମୁଁ ତତେ ସାଇକଲ୍‍ରେ ବସେଇ ନେଇଯିବି । ମୁଁ ସିଆଡ଼େ ରେଳରେ ଟାଟା ଯିବି । ତୁ ସାଇକଲ୍ ନେଇ ଫେରିଆସିବୁ । ଦେଖ, ମୋ ନଥିବାବେଳେ ସାଇକଲ୍‍କୁ ତୁ ଚଢ଼ି ଯଦି ଭାଙ୍ଗିବୁ ପୁଣି ଦେଖିବୁ ।” ଅସଲ କଥା, ରିକ୍ସାଭଡ଼ା ଦେବାକୁ ମଧ୍ୟ ପାଖରେ ପଇସା ନାହିଁ । ମୋଟ ପାଣ୍ଠି ପାଞ୍ଚଟଙ୍କାରୁ ଟାଟାକୁ ଏକା ଗାଡ଼ିଭଡ଼ା ଚାରିଟଙ୍କା ଏଗାରଅଣା । ରିକ୍ସାଭଡ଼ା ଯଦି ସେଥିରୁ ଚାରିଅଣା ପାଞ୍ଚଅଣା ଚାଲିଯାଏ, ତେବେ ହାତ ଏକବାରେ ଶୂନ୍ ।

 

ତାରାର କଥା ଶୁଣି ଜଗୁ ପ୍ରଥମେ ଭାରି ଖୁସି ହୋଇଗଲା । ସେ ନୂଆକରି ସାଇକଲ୍ ଚଢ଼ା ଶିଖିଥାଏ । ମନଖାଲି ଖଲଖଲ ହେଉଥାଏ ସାଇକଲ୍ ଚଢ଼ିବାକୁ । ତାରାକୁ ଏକଥା ମାଲୁମ । ତାରାର ପ୍ରସ୍ତାବରେ ସେ ସଙ୍ଗେ ସଙ୍ଗେ ରାଜି ହୋଇଗଲା । କିନ୍ତୁ ପର ମୁହୂର୍ତ୍ତରେ ଅଟକି ଗଲା । “ଗଲାବେଳେ ତ ଦି’ ଜଣିଆ ସାଙ୍ଗହୋଇ ଚାଲିଯିବା, ଆସିଲାବେଳେ ମୁଁ ଏକା ବଜରକବାଟି ବାଟେ ଆସିବି କେମିତି ?”

 

“ଆରେ ଓଲୁ ! ତୁ ଛତରବଜାର ଦେଇ ଫେରିବୁ । ମାଲଗୋଦାମରୁ ସେବାଟେ ରାତି ଦଶଟା ବାରଟା ଯାଏଁ ବଳଦଗାଡ଼ି ଚାଲିଥାଏ । ତୁ ଦୋଳମୁଣ୍ଡେଇ ଛକ ଧରିଲେ, ତେଣିକି ପିଠାପୁର ଠଉଁ ୟାଡ଼କୁ ଚାଲିଆସି ପାରିବୁ ନାହିଁ ? ଏଡ଼େ ଡରକୁଳାଟାଏବେ ।”

 

ଜଗୁ କହିଲା, “ଘରେ”...

 

“ଘରେ କ’ଣ ? ଘରେ ଚାବି ପକେଇ ଯିବୁ । ଯିବୁ ଆସିବୁ, କେତେ ସମୟ ଲାଗିବ କି-? ଏହା ଭିତରେ ଯଦି ମଦନ ଆସେ, ସେ ଦାଣ୍ଡ ବାରଣ୍ଡାରେ ବସିଥିବ । ମୋ ଗାଡ଼ି ଯାଇ ବାରଟାରେ । ମୁଁ ଡେରିରେ ଯାଇଥିଲେ ଚଳିଥାନ୍ତା; ଖାସ୍ ତୋ’ରି ସୁବିଧାପାଇଁ ଆଗରୁ ଯାଉଛି-। ଷ୍ଟେସନ୍‍ରେ ବସିବି ପଛକେ ।”

 

ଜଗୁର ଆଉ ଆପତ୍ତି ରହିଲା ନାହିଁ । ଦୁହେଁ ଚାଲିଲେ ଷ୍ଟେସନ୍‍କୁ । ତାରାକୁ ଷ୍ଟେସନ୍‍ରେ ଛାଡ଼ି ଜଗୁ ସାଇକଲ୍‍ରେ ଫେରିଆସିଲା ଘରକୁ ।

 

ଗାଡ଼ି ବୋଇଲେ ସେତେବେଳେ ପାସେଞ୍ଜର ଗାଡ଼ି । ଏକ୍‌ସପ୍ରେସ ବା ଡାକଗାଡ଼ି ସେତେବେଳେ ଚାଲୁଥିଲେ ମଧ୍ୟ ଲୋକେ ପାସେଞ୍ଜର ଗାଡ଼ିରେ ବେଶି ଯିବାଆସିବା କରନ୍ତି । ତାରା ଟିକଟ ଖଣ୍ଡିଏ କିଣି ଗାଡ଼ି ଅପେକ୍ଷାରେ ଅନ୍ଧାରୁଆ ଗୋଟାଏ କଣରେ ଯାଇ ବସିଲା । କଂଗ୍ରେସ ରାଜୁତି ବେଳଠୁଁ ପୋଲିସ୍‍ ତାରାର ପିଛାନେବା ଅଭ୍ୟାସ ଅନେକଟା କମ୍ କରିଥିଲେ ମଧ୍ୟ, ତେବେ ମଧ୍ୟ ତା’ର ଭୟ ଥାଏ । ଗୋଟାଏ ‘ଛାଇ’ ୟା ଭିତରେ ତା’ ଅନ୍ଧାରୁଆ ବସିବା ଜାଗାଟିର ପାଖଦେଇ ଥରେ ଯାଇ ପୁଣି ଫେରିଲାଣି । ଛାଇମାନେ ତ ସମସ୍ତେ ତାରାକୁ ଜାଣନ୍ତି, ତାରା ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଜାଣେ । ଯେମିତି ଗାଡ଼ି ଆସିଛି, ସେ ସାଙ୍ଗେ ସାଙ୍ଗେ ଗୋଟାଏ ଡବାରେ ଉଠିପଡ଼ିଲା । ଗାଡ଼ି ଅଳ୍ପ ସମୟ ଭିତରେ କଟକ ଛାଡ଼ିଲା ।

ଟାଟା ପହଞ୍ଚୁ ପହଞ୍ଚୁ ତା’ ପରଦିନ ଦିନ ଏଗାରଟା । ଭାଇ କାରଖାନାକୁ ଯାଇଥା’ନ୍ତି । ତାରା ବସାରେ ପହଞ୍ଚିଯିବାରୁ ସମସ୍ତେ ଖୁସି ହୋଇଗଲେ । ବଡ଼ମା’ ପଚାରିଲେ, “ଆରେ ଚିଠି ନାହିଁ ପତ୍ର ନାହିଁ କୁଆଡ଼େ ଏମିତି ଚାଲିଆସିଲୁ ? ଗାଁରେ ସବୁ ଭଲ ତ ? ବାପା ଭଲ ଅଛନ୍ତି ତ ?” ତାରା ବଡ଼ମା’ଙ୍କ ନିଜର ଜନ୍ମକଲା ପୁଅ; କିନ୍ତୁ ପିଲାଦିନୁ ନାନୁବାବୁ ତାକୁ ପୁଅକରି ନେଇଥାନ୍ତି । ତାରା କହିଲା, “ହଁ, ସମସ୍ତେ ଭଲ ଅଛନ୍ତି । ଗ୍ରୀଷ୍ମଛୁଟି ହୋଇଗଲା । କଟକଟାରେ ବସି କ’ଣ କରିଥାନ୍ତି ? ଭାବିଲି, ଯାଏଁ, ଭାଇଙ୍କଆଡ଼େ ଟିକିଏ ବୁଲିଆସେ ।”

ବଡ଼ମା’ ‘ଭଲ କଲୁ’ ବୋଲି କହି ଚୁପ୍ ରହିଲେ ।

ଭାଉଜ କିନ୍ତୁ କିପରି ଟିକିଏ ଦୁଷ୍ଟାମି ହସ ହସି କହିଲେ, “ତାରାବାବୁ, ସତରେ କ’ଣ ତମର ଭାଇଭାଉଜଙ୍କ କଥା ଏତିକି ମନେ ପଡ଼ିଲା, ନା ଆଉ କିଛି ମତଲବ ।” ବଡ଼ମା’ ସେତେବେଳକୁ ରୋଷେଇଘରକୁ ଗଲେଣି ।

ତାରା ସେତେବେଳକୁ ଚନ୍ଦନକୁ କାଖେଇ ଧରି ଏପାଖ ସେପାଖ ହେଉଥାଏ । ଚନ୍ଦନ ଭାଇଙ୍କ ପୁଅ । ତାରାର ବଡ଼ ଅନୁଗତ । ଭାଉଜ କିନ୍ତୁ ନଛୋଡ଼ବନ୍ଦା । ତାରାର ସମବୟସୀ ଭାଉଜ-। ତାରାକୁ ଭାରି ଭଲ ପାଆନ୍ତି । ତାଙ୍କର କୀର୍ତ୍ତି କଳାପକୁ ସେ ପରୋକ୍ଷରେ ତାରିଫ କରନ୍ତି-। ତାରା ପାଖରେ ରହୁଥିଲେ ହୁଏତ କେବଠୁଁ ଭାଉଜ ମଧ୍ୟ ତାଙ୍କ ଦଳରେ ଭିଡ଼ନ୍ତେଣି ।

ତାରା ସେହିପରି ହସିକରି କହିଲା, “ନାଇଁମ, ସବୁବେଳେ କ’ଣ ମୋର ସେହି କାମ ? ଘରସଂସାର ବୋଲି କ’ଣ ମୋର କିଛି ନାହିଁ ?”

ଭାଉଜ କହିଲେ, “ଓହୋ, ୟା ଭିତରେ ତେବେ ସଂସାରୀ ହୋଇ ସାରିଲଣି ।”

ବଡ଼ମା’ ସେତେବେଳକୁ ଆସି ଠିଆ ହେଲେଣି । ସେ କହିଲେ, “ଜାମା ଖୋଲି ଯା ଶୀଘ୍ର ଗାଧୋଇପଡ଼ ।”

ଚନ୍ଦନକୁ ଭାଉଜଙ୍କ କାଖକୁ ଦେଇ ଜାମା ଖୋଲି ତାରା ଗାଧୁଆଘରେ ପଶିଲା ଓ ଅଳ୍ପ ସମୟ ଭିତରେ ଗାଧୋଇକରି ବାହାରିଆସିଲା ।

“ଭାଇ ବୋଧହୁଏ ଦୁଇଟାରେ ଆସିବେ । ତାଙ୍କପାଇଁ ଭାତ ଗଲାଣି ?”

ଭାଉଜ ହଁ ବୋଲି କହି ଭାତ ଆଣି ଟେବୁଲରେ ଥୋଇଲେ । ଚନ୍ଦନ ଟେବୁଲ ଉପରେ ବସି ଚାମଚଟାରେ ଥାଳିଆ ତାଟିଆରେ ଟଂ ଟାଂ ବାଜା ବଜେଇବାରେ ଲାଗିଥାଏ । ପାଟିରେ ଯାହା ଟିକିଏ ମାରିଦେଲେ ଥୁଥୁ କରି ପକେଇଦିଏ । ଚନ୍ଦନର ସେତେବେଳକୁ ବର୍ଷ ପୂରି ନଥାଏ ।

 

ଖିଆ ସରିବା ପରେ ସେ ବଡ଼ମା’ ରହୁଥିବା ଘରକୁ ଯାଇ ଖଟ ଉପରେ ଶୋଇଗଲା ଓ ଅଳ୍ପ ସମୟ ଭିତରେ ତାକୁ ନିଦ ହୋଇଗଲା । ଭାଇ କାରଖାନାରୁ ଆସି ଦେଖିଲେ ତାରା ଆସି ପହଞ୍ଚିଛି । ସେ ଖୁସିଟାଏ ହୋଇଗଲେ । ତାରା ଅନେକ ଡେରିରେ ଉଠିଲା । ସେତେବେଳକୁ ଭାଇ ଚାଲିଗଲେଣି କ୍ଳବ୍‌କୁ । ତାରା ଉଠି ବଡ଼ମା’, ଭାଉଜଙ୍କ ସାଙ୍ଗେ କେତେ ସମୟ କଥାବାର୍ତ୍ତା ହୋଇସାରି ସନ୍ଧ୍ୟା ହେବାରୁ ଚନ୍ଦନ ଓ ଭାଉଜଙ୍କୁ ଧରି ବୁଲିବାକୁ ବାହାରିଗଲା ।

 

ତାରାଠାରୁ ତା’ର ଏପରି ହଠାତ୍‌ ଆସିଯିବାର କାରଣଟା କ’ଣ ଜାଣିବାକୁ ଭାଉଜ ବହୁ ଚେଷ୍ଟାକଲେ; କିନ୍ତୁ ଫଳ କିଛି ହେଲାନାହିଁ । ତାରା ଗାଁର ହାଲ୍‍ଚାଲ୍‍ ବିଷୟରେ କିଛି ସଠିକ୍ କହିପାରୁ ନଥାଏ । ଯେଉଁ ତାରାକୁ ରାଣନିୟମ ପକେଇ ଦଶଖଣ୍ତ ଚିଠି ଦେଲେ ମଧ୍ୟ ସେ କଟକ ଛାଡ଼ି ଟାଟା ଆସିବାକୁ ମୋଟେ ରାଜି ହେଉ ନଥିଲା, ସେ ଯେ ଏପରି ହଠାତ୍‌ ଖୁସିରେ ଆସି ପହଞ୍ଚିଯିବ ଏକଥା ଭାଉଜ ମୋଟେ ବିଶ୍ୱାସ କରିପାରୁ ନଥାନ୍ତି । ଭାଇ ବୋଧହୁଏ ତାରାଠାରୁ କଥା ଆଦାୟ କରିବାକୁ ଭାଉଜକୁ ତାରା ସହିତ ବୁଲିଯିବାକୁ ପରାମର୍ଶ ଦେଇ ଯାଇଥିଲେ । ନହେଲେ ସନ୍ଧ୍ୟାବେଳେ ଘରଧନ୍ଦା ଛାଡ଼ି ଭାଉଜ ଯେ ହଠାତ୍‌ ଏପରି ବୁଲି ବାହାରିଥାଆନ୍ତେ ଏହା ନୁହେଁ ।

 

ଯାହାହେଉ ସେମାନେ ଘରକୁ ଫେରିଆସିଲେ । ତାରା ଘରେ ପହଞ୍ଚି ତା’ର ଗୋଟାଏ ପୁରୁଣାଟ୍ରଙ୍କ୍ ଖୋଜି ବସିଲା । ବର୍ଷକ ତଳେ ଥରେ ସେ ଚାରିଦିନ ପାଇଁ ଟାଟା ଆସିଥିଲା । ସେ ଟ୍ରଙ୍କ୍‍ଟାକୁ ଆଣିଥିଲା । ସେଥିରେ କ’ଣ କାଗଜପତ୍ର ଥିଲା ବୋଲି ତାକୁ ଚାବିପକେଇ ଛାଡ଼ି ଦେଇଯାଇଥିଲା । ଟ୍ରଙ୍କ୍‍ଟା ବଡ଼ମା’ଙ୍କ ଶୋଇବାଘର ଖଟତଳେ ଥିଲା । ବଡ଼ମା’, ଭାଉଜ ରୋଷେଇଘର ଆଡ଼େ ଯିବାକୁ ସେ ସେଇଟାକୁ ଖଟତଳୁ ବାହାରକରି ଖୋଲିଲା । ଖୋଲି ସେଥିରୁ କ’ଣ ସବୁ ଦେଖି ଦେଖି କାଗଜପତ୍ର ବାହାରକରି ଗୋଟାଏ କନାରେ ପୁଡ଼ିଆଟାଏ ବାନ୍ଧିଲା । ଟ୍ରଙ୍କ୍‍ଟିକୁ ପୂର୍ବପରି ଚାବିପକେଇ ଖଟତଳକୁ ଠେଲିଦେଇ ପୁଡ଼ିଆଟିକୁ ଧରି କହିଲା, “ଭାଉ, ମୁଁ ଆସୁଛି ବର୍ତ୍ତମାନ ।” ସେ ଭାଉଜକୁ ସଂକ୍ଷିପ୍ତରେ ‘ଭାଉ’ ବୋଲି ଡାକେ ।

ଭାଉଜ କହିଲେ, “କୁଆଡ଼େ କେତେ ଦୂର ?”

‘ଏଇଠୁ ଆସୁଛି’ ବୋଲି କହି ତାରା ବାହାରିଗଲା । ଟାଟାନଗର ତାରା ପକ୍ଷରେ ନୂଆ ନୁହେଁ । ଭାଇଙ୍କ ପାଖକୁ ସେ ତିନିଚାରି ଥର ଆସିଲାଣି । ମାସେ ପନ୍ଦରଦିନ ରହି ଯାଇଛି । କଲେଜସାଥୀ କେହି ନଥିଲେ ସୁଦ୍ଧା ସମବୟସୀ ଅନେକଙ୍କ ସହିତ ତା’ର ବନ୍ଧୁତା ହୋଇଛି । ଅନଙ୍ଗମୋହନ ତା’ ଭିତରୁ ଜଣେ । ଘର ତା’ର ସଢ଼େଇକଳା । ତା’ର ବାପା ଟାଟା କମ୍ପାନୀରେ କାମ କରନ୍ତି । ସେ ମଧ୍ୟ ମାଟ୍ରିକ ପାସ୍‍କରି ଟାଟା ଚାକିରିରେ ପଶିଛି । ତାରା ମାଟ୍ରିକ ପରୀକ୍ଷା ପରେ କିଛିଦିନ ଆସି ଭାଇଙ୍କ ପାଖରେ କଟେଇ ଯାଇଥିଲା । ସେତିକିବେଳୁ ଅନଙ୍ଗ ସହିତ ତା’ର ବନ୍ଧୁତା ।

ପୁଡ଼ିଆଟିକୁ ଧରି ଅନଙ୍ଗ ଘରେ ଯାଇଁ ପହଞ୍ଚିଲା । ତାକୁ ଦେଖି ଅନଙ୍ଗ ଭାରି ଖୁସି ହୋଇଗଲା । ସେ ପୁଡ଼ିଆଟିକୁ ଅନଙ୍ଗକୁ ଦେଲା ଓ ତାକୁ ଖୁବ୍ ଯତ୍ନରେ ରଖିବାକୁ କହିଆସିଲା । ତା’ଭିତରେ କ’ଣ ଅଛି, ସେ ବିଷୟରେ ଅଯଥା ଟିପ୍ପଣୀ ଦେଇ ଅନଙ୍ଗ ମନରେ କୌତୂହଳ ସୃଷ୍ଟି କରିବା ଉଚିତ ହେବନାହିଁ ଭାବି ସେ ପରଦିନ ସନ୍ଧ୍ୟାକୁ ପୁଣି ଦେଖାହେବ ବୋଲି କହି ସେ ଫେରିଲା ।

ଅନଙ୍ଗ ଘରୁ ଫେରିଲାବେଳକୁ ଭାଇ କ୍ଳବ୍‌ରୁ ଫେରିଆସିଛନ୍ତି । ତାରା ଆସିଛି ବୋଲି ସେ ସେଦିନ ଶୀଘ୍ର ଫେରିପଡ଼ିଥାନ୍ତି । ଦୁଇଭାଇ ବଗିଚାରେ ଚୌକି ପକେଇ ବସିଲେ । ପାଖ ଖଟିଆରେ ଚନ୍ଦନ ନିଶ୍ଚିନ୍ତରେ ଶୋଇଥାଏ । ତା’ ପାଖରେ ବଡ଼ମା’ ବସିଥାନ୍ତି । ଭାଇ, ଦାଦା, ଖୁଡ଼ୀଙ୍କଠାରୁ ଆରମ୍ଭକରି ଗାଁ ଘର ସମସ୍ତଙ୍କ କଥା ପଚାରିଗଲେ । ପରେ କହିଲେ, ‘‘ତୁ ହଠାତ୍ ଏପରି ଚିଠିପତ୍ର ନଦେଇ ବାହାରି ଆସିଲୁ ଯେ, କଥା କ’ଣ ?”

‘‘କଥା ଆଉ କ’ଣ, କଲେଜ ଛୁଟିହେଲା, ବୁଲି ଚାଲିଆସିଲି ଟିକିଏ ।”

“ଭଲ କଲୁ, ତୁ ଏଥର ପରୀକ୍ଷା ଦବୁନାହିଁ କି ? ଏ ବର୍ଷ ପାର୍ଟ୍‍ ୱାନ୍‌ଟା ଦେଇ ଦେଇଥିଲେ କେତେ ହାଲୁକା ହୋଇଯାଇଥାନ୍ତା ।”

“ଏକାଠି ଦୁଇଟାଯାକ ପାର୍ଟ୍‍ ଦେଲେ ଟିକିଏ ସୁବିଧା ହୁଏ ।”

‘‘ପରୀକ୍ଷା କେବେ ?”

‘‘ଜୁଲାଇରେ ।”

Unknown

‘‘ତେବେ ବହିପତ୍ର ନେଇ ଆସିଥିଲେ ତ ଏଇଠି ବସି ପଢ଼ିଥାନ୍ତୁ ।”

“ଆଇନ ବହି କିଏ କିଣୁଥାଏ, କଟକରେ ରହିଲେ ଅନ୍ତତଃ ସେତିକି ସୁବିଧା, ବହିର ଅଭାବ ରହେନାହିଁ । ଏଠାରେ ବହି ମିଳିବା କଷ୍ଟ ।”

ତା’ପରେ କଟକର ରାଜନୀତି, ଟାଟାନଗରର ରାଜନୀତି ନେଇ ଦୁଇଭାଙ୍କର ଅନେକ ବେଳଯାଏ କଥାବାର୍ତ୍ତା ଚାଲିଲା । ସିଂହଭୂମି କଂଗ୍ରେସ କମିଟିକୁ କିପରି ଓଡ଼ିଆମାନେ ଦଖଲକରି ବସିଛନ୍ତି । ତାକୁ ବିହାର କଂଗ୍ରେସ କମିଟି ଅଧୀନକୁ ଦେବାକୁ ବିହାରୀମାନେ ଓ ବିଶେଷକରି ସେତେବେଳର ଜାତୀୟକଂଗ୍ରେସ ସଭାପତି ରାଜେନ୍ଦ୍ରବାବୁ କିପରି ଚେଷ୍ଟା କରୁଛନ୍ତି, ସେ ବିଷୟ ପଡ଼ିଲା । ରାଜନୀତି ବିଷୟରେ ଚର୍ଚ୍ଚାପଡ଼ିଲେ ଦୁଇଭାଇ ଏକେବାରେ ଦୁନିଆକୁ ଭୁଲିଯା’ନ୍ତି ।

 

ବୋଉଙ୍କ ଡାକରେ ଦୁଇଭାଇ ଖାଇବାକୁ ଗଲେ ଓ ଖାଇଆସି ଦୁହେଁ ସେହି ବଗିଚାରେ ଦୁଇଟା ଖଟରେ ଶୋଇ କିଛିକ୍ଷଣଯାକେ କଥାବାର୍ତ୍ତା କଲେ ।

 

ତା’ପରଦିନ ସକାଳୁ ଭାଇ ଡିଉଟିରେ ଚାଲିଗଲେ । ତାରା ଉଠି ଗାଧୋଇ ପାଧୋଇ ଜଳଖିଆ କରି ଖାଲି ଏପାଖ ସେପାଖ ହେଉଥାଏ । ଟାଟାରେ ସକାଳୁ ସକାଳୁ ଇଂରେଜୀ କାଗଜ ଦେଇଯାଏ । ଓଡ଼ିଆ କାଗଜ ମିଳୁ ମିଳୁ ସଞ୍ଜ । ତାରା ବାହାରକୁ ଆସି ଦେଖେ ତ ଫାଟକ ପାଖରେ କାଗଜଟା ପଡ଼ିଛି । ସେ ତୁରନ୍ତ ଯାଇ କାଗଜଟାକୁ ଉଠେଇ ଆଣିଲା । ପ୍ରଥମ ପୃଷ୍ଠା ଉପରେ ଆଖି ପକୋଉ ପକୋଉ କଟକ ଖବରଟାକୁ ଦେଖିପକେଇଲା । ଘର ଭିତରକୁ ନ ଯାଇ ଦାଣ୍ଡ ବାରଣ୍ଡା ଚଉକି ଉପରେ ବସି ଏକାନିଃଶ୍ୱାସରେ ସେ ଖବରଟାକୁ ଏ ମୁଣ୍ଡରୁ ସେମୁଣ୍ଡଯାକେ ପଢ଼ିଗଲା । ଯାହା ହବାର କଥା ହୋଇଛି । ତାରାର ଅତି ପରିଚିତ ଏଗାରଜଣ ସାଥୀଙ୍କୁ ଘର ଘେରାଉକରି ଗିରଫ୍‍ କରାଯାଇଛି । କାହିଁକି, କ’ଣ ପାଇଁ, ଖାନ୍‌ତଲାସ୍‍ରୁ କ’ଣ ସବୁ ବାହାରିଛି ତାହାର ବିଶଦ ବିବରଣୀ ଇଂରେଜୀ କାଗଜରେ ନ ବାହାରିଥିଲେ ମଧ୍ୟ ସେତିକି ବାହାରିଛି, ସେଇତକ ଯଥେଷ୍ଟ । ସେତିକିରୁ ତାରା ଆଉ ସବୁ ବିଷୟ ସହଜରେ ଧରିନେଲା । ଓଡ଼ିଆ କାଗଜ ଆସିଲେ ଆଉ ସବୁ ବିଷୟ ଜଣାପଡ଼ିବ ବୋଲି ଅପେକ୍ଷା କଲା ।

 

ଏତିକିବେଳେ ଭାଉଜ ଆସି ପଚାରିଲେ, ‘‘ତାରାବାବୁ କୁଆଡ଼େ ଯାଇଥା’ନ୍ତ କି ? ମାଧବବାବୁଙ୍କର ରାତି ଡିଉଟି । ଭାଇ କହିଯାଇଛନ୍ତି ତାରା କୁଆଡ଼େ ଯିବାକୁ ଚାହିଁଲେ ନିକୁଞ୍ଜକୁ ମାଧବ ଘରକୁ ପଠେଇ ସାଇକଲ୍ ନେଇଆସିବ ।” ନିକୁଞ୍ଜର ଘର ବାଙ୍କୁଡ଼ା । ଗୋରାର ସେ ବହୁ ଦିନର ଚାକର । ଓଡ଼ିଆ ଆଜିକାଲି ଭଲ କହିଲାଣି ।

 

ତାରା କହିଲା, “ନାହିଁ ମୁଁ ଏ ଓଳି କୁଆଡ଼େ ବାହାରୁନାହିଁ । ଭାଇ ଆସିଲେ ପଛେ ତାଙ୍କ ସାଇକଲ୍ ନେଇ ଆରଓଳି କୁଆଡ଼େ ବାହାରିବି ।”

 

ତାରା ଭାଉଜକୁ କଟକ ଖବର କିଛି କହି ନଥାଏ । ଭାଇ ଆସି ତିନିଟାରେ ପହଞ୍ଚୁ ପହଞ୍ଚୁ କହିଲେ ‘‘ତାରାବାବୁ କାହାନ୍ତି ?”

 

ବୋଉ କହିଲେ, ‘ଶୋଇଛି’ ।

 

‘‘ବାବୁ କ’ଣ ଖୁସିରେ ଆସିଛନ୍ତି ଟାଟାନଗର । ଏଥିରେ ଗୋଟାଏ କଥା ଅଛି ବୋଲି ମୁଁ ଯାହା ସନ୍ଦେହ କରୁଥିଲି ତା’ ଠିକ୍ ।” ଭାଇ କାରଖାନାରୁ ଇଂରେଜୀ କାଗଜ ପଢ଼ି ତାରାଙ୍କ ସାଥୀମାନଙ୍କର ଗିରଫ୍‍ ଖବର ଜାଣିଆସିଥାନ୍ତି । ତାରାର ସବୁ ସାଙ୍ଗଙ୍କୁ ଗୋରା ଭଲ କରି ଜାଣେ ।

 

ବୋଉ କହିଲେ, ‘‘କ’ଣ କରିଛି ?”

 

‘‘କରିବ ଆଉ କ’ଣ । କୀର୍ତ୍ତିକରି କୀର୍ତ୍ତିଚନ୍ଦ୍ର ଏଠାକୁ ପଲେଇ ଆସିଛନ୍ତି । ତା’ର ଆଉ ସାଙ୍ଗମାନଙ୍କୁ କଟକରେ ପୋଲିସ୍‍ ଧରିଛି ।” ଏହା କହି ଭାଉଜଙ୍କ ଆଡ଼କୁ ଅନେଇ କହିଲେ, ‘‘କିହୋ ଭାଉ ! କାଲି ତୁମକୁ କ’ଣ ମିଛୁଟାରେ ଗୁଇନ୍ଦା କରି ତା’ ପଛରେ ଲଗେଇଥିଲି ? ତାକୁ ଦେଖୁଦେଖୁ ମୁଁ ବୁଝିଛି ବାବୁଙ୍କର ଆସିବାରେ ଗୋଟାଏ କିଛି ମତଲବ ଅଛି ।”

 

ତାରା ପାଖ ଘରେ ଶୋଇଛି କି ଚେଇଁଛି କିଛି ଜଣା ପଡ଼ୁ ନଥାଏ । ତେବେ ଆଖିବୁଜି ପଡ଼ିଥାଏ ।

 

ଭାଇ କିଛି ସମୟ ବିଶ୍ରାମ ନେବା ପରେ ତାରା ଉଠିଲା । ତାକୁ ଉଠିବାର ଦେଖି ଭାଉଜ କହିଲେ, “ତୁମେ ଶୋଇଥିଲ ନା, ସେମିତି ଆଖିବୁଜି ପଡ଼ିଥିଲମ’ ?”

 

“କାହିଁକି କ’ଣ ହେଲାକି ?” ହବ ଆଉ କ’ଣ ? ବିରି ମାଡ଼ ଦେଖି କୋଳଥ ଚେପା । ସିଆଡ଼େ ସାଙ୍ଗମାନେ ସବୁ ଧରାପଡ଼ିଛନ୍ତି । ବାବୁ ଆମର କିନ୍ତୁ ଆଗରୁ ବୋଧହୁଏ କୁଆଡ଼ୁ ସୁରାକ ପାଇ ସିଧା ଟିକଟ କାଟିଛନ୍ତି ଟାଟାନଗର ।

 

“ଆରେ ଧରା ହେବାର କଥା ଯେବେ, ଏଠୁଁ ମୋତେ ଧରିନେବାକୁ ତାଙ୍କୁ କ’ଣ କଷ୍ଟ ହେବ ?”

 

“ଚକେ ଗଲେ ବାରହାତ । ଯାହାହେଉ, ବାହାଦୁର ତୁମେ, ଯାହା ଧରା ନପଡ଼ି ଏଯାଏଁ ଖସି ଆସିଛ ।”

 

ଏତିକିବେଳେ ଓଡ଼ିଆ କାଗଜଟାକୁ ଧରି ଭାଇ ତାରାଥିବା ଘର ଭିତରକୁ ପଶିଆସି କହିଲେ, “କିରେ ଏ ଖବର କ’ଣ ? କି ଖବର ହେଉଥିଲା ? ସମସ୍ତେ ଧରା ହୋଇଗଲେ । ତୁ ନିଶ୍ଚୟ କୁଆଡ଼ୁ ଖବର ପାଇ ଆସିଛୁ । କ’ଣ ହାଲ୍ ମୋତେ କହ ପରିଷ୍କାର କରି ।”

 

ତାରା କହିଲା, “ହାଲ୍ ଆଉ କ’ଣ ? ତୁମେ ତ ଜାଣ, ଆଜି ନୁହେଁ; ଆଜିକି ପାଞ୍ଚବର୍ଷ ହେବ ପୋଲିସ୍‌ ଆମର ପିଛା ବରାବର ନେଉଥାଏ । ମଝିରେ କିଛିଦିନ କଂଗ୍ରେସ ମନ୍ତ୍ରିମଣ୍ଡଳବେଳେ ଖୋଲାଖୋଲି ଆମ ପିଛା ନନେଇ ଭଦ୍ରଭାବରେ ଆମର ଖବର ରଖୁଥିଲେ । ଆମେ ବା କରୁଥିଲୁ କ’ଣ ? ସଭା, ଆଲୋଚନାଚକ୍ର, ବୈଠକ, ଏଇୟା ତ । ଅଧିକା କରି ଏଥର ଗୋଟାଏ ଗ୍ରୀଷ୍ମ ଶିବିର ଆୟୋଜନ କରିଥିଲୁ ବାଲେଶ୍ଵର, ଗଞ୍ଜାମ, ପୁରୀରୁ କେତେକ ବନ୍ଧୁଙ୍କୁ ନେଇ । ବାସ୍ ଏତିକିରେ ପୋଲିସ୍‌କୁ ଗୋଟାଏ ସୁବିଧା ମିଳିଗଲା ।

 

ଯେଉଁଦିନ ସକାଳେ ଶିବିରକାମ ଆରମ୍ଭ ହେବ, ଠିକ୍ ତା’ ପୂର୍ବଦିନ ରାତି ଭୋରବେଳକୁ ଶିବିରକୁ ଘେରାଉକରି ସମସ୍ତଙ୍କୁ ଧରିନେଇଛନ୍ତି । ଏଥିରେ ବାହାଦୁରି ଅଛି କ’ଣ ? ସମସ୍ତେ ଜାଣନ୍ତି ଶିବିର ହେଉଛି ବୋଲି, ଏଥିରେ ଲୁଚାଛପା କିଛି ନଥିଲା । ପାହାନ୍ତାରେ ସମସ୍ତେ ଶୋଇଥିବା ଅବସ୍ଥାରେ ହଠାତ୍‌ ଆସି ଘେରାଉକରି ସମସ୍ତଙ୍କୁ ଧରି ନିଆଯାଇଛି । ଗାନ୍ଧିବାଲା ସେମାନେ ମୂଳରୁ । ପ୍ରତିରୋଧ ତ ଦୂରର କଥା, ଏ ଗାଲରେ ଜାବଡ଼ା ବାଜିଥିଲେ, ସେ ଗାଲ ଦେଖେଇଦବା ଲୋକ ସେମାନେ ।”

 

ତାରା ଏତେଗୁଡ଼ାଏ କଥା ଏକାନିଃଶ୍ୱାସକେ କହିଗଲା ।

 

ଭାଇ କହିଲେ, “ତୁ ନିଶ୍ଚୟ ଆଗରୁ ଖବର ପାଇ ଖସି ଆସିଛୁ ।”

 

“ହଁ, ମୁଁ ଖବର ପାଇଥିଲି ଓ ସେ ଖବର ସାଙ୍ଗମାନଙ୍କୁ ମଧ୍ୟ କହିଥିଲି; କିନ୍ତୁ ସେମାନେ ମୋ କଥାକୁ ହସରେ ଉଡ଼େଇଦେଲେ । ବରଂ ବୀରତ୍ଵ ସହକାରେ କାରାବରଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହି ମୋତେ ଥଟ୍ଟା କଲେ । ମୁଁ କିନ୍ତୁ ଶିବିର କରିବାରେ ବୀରତ୍ଵର କିଛି ସତ୍ତା ନପାଇ କଟକ ଛାଡ଼ି ଚାଲିଆସିଲି ।”

 

“ଚାଲି ଆସିଲୁ ବୋଲି କ’ଣ ଭାବିଛୁ ନିଶ୍ଚିନ୍ତରେ ତୋତେ ଏଠାରେ ରଖେଇଦେବେ ।”

 

“ଦେଖାଯାଉ କ’ଣ କରୁଛନ୍ତି ?” ଏତିକି କହି ତାରା ଚୁପ୍ ରହିଲା ।

 

ଭାଇ ଗଲେ ଗାଧୋଇବାକୁ । ବଡ଼ମା’ ଦୁଇଭାଇଙ୍କର କଥାବାର୍ତ୍ତାରୁ ବୁଝିଲେ ଯେ ତାରା କ’ଣ ଗୋଟାଏ ଗୋଳମାଳ କରି ଜେଲ ଯିବା ଭୟରେ ଏଠାକୁ ପଳେଇ ଆସିଛି । ସ୍ଵାମୀ ମଲାଦିନୁ ସେ ଆଉ ସୁଖକୁ ସୁଖ ବା ଦୁଃଖକୁ ଦୁଃଖ ବୋଲି ମଣିନାହାନ୍ତି । କେତେ ଝଡ଼ ଝଞ୍ଜା ଯେ ତାଙ୍କ ମୁଣ୍ତ ଉପର ଦେଇ ବୋହିଗଲାଣି ତା’ର ଇୟତ୍ତା ନାହିଁ ।

 

ସେ ତାରାକୁ ଚାହିଁ ଖାଲି କହିଲେ, “ତୁମ ଇଚ୍ଛା ଯାହା କରୁଛ କର ।”

 

ତାରା ଏସବୁପାଇଁ ପ୍ରସ୍ତୁତ ହୋଇ ଆସିଥିଲା । ସେ ଭାଇଙ୍କ ସାଇକଲ୍ ଧରି ବଜାର ଆଡ଼େ ବାହାରିଗଲା । ବଜାରକୁ ଯାଉ ଯାଉ ଭାବିଲା, ନିଶ୍ଚୟ ତା’ ପିଛା ଧରି କଟକରୁ କେହି ଆସିଥିବ ଟାଟାନଗର । ସେ ଟାଟାନଗର ଆସିବା କଥାଟା ନିଶ୍ଚୟ କଟକ ପୋଲିସ୍‌ ଜାଣିପାରିଥିବ-। ଏହା ଭାବି ଯାଉ ଯାଉ ବଜାର ଛକରେ ଦେଖାହେଲା ଆନନ୍ଦ ବାନାର୍ଜି ସଙ୍ଗେ । ଆନନ୍ଦ ବାନାର୍ଜି କଟକ ଗୁଇନ୍ଦା ବିଭାଗର ସବ୍ଇନିସ୍‌ପେକ୍ଟର । ସେ ତାରାର ସମସାମୟିକ ଛାତ୍ର; କିନ୍ତୁ କଲେଜିଏଟ୍‍ରେ ପଢ଼ୁଥିଲା । ଖେଳାଳି ହିସାବରେ ଗୋରାର ସାଙ୍ଗ ସେ । ଏକ ସମୟରେ ଖେଳାଳି ହିସାବରେ ତାରାର ଖୁବ୍ ସୁନାମ ଥିଲା । ସେ ଆନନ୍ଦକୁ ଦେଖିବାମାତ୍ରେ ସାଇକଲ୍‍ରୁ ଓହ୍ଲେଇପଡ଼ି ତାକୁ ପଚାରିଲା, “କିରେ ଆନ୍ଦିଆ, ଟାଟା କେବେ ଆସିଲୁ ?”

 

ଆନ୍ଦିଆ ରାସ୍ତାକଡ଼ର ପାନଦୋକାନରୁ ସିଗାରେଟ କିଣି ସେଥିରେ ନିଆଁ ଲଗୋଉଥିଲା-। ତାରାକୁ ଦେଖି ସେ ଭୂତ ଦେଖିଲାପରି ରହିଗଲା । ପାଟିରୁ କଥା ବାହାରିଲା ନାହିଁ-। କିଛି ସମୟ ପରେ କହିଲା, “ତୁ କେମିତି ଏଠି ? କେବେ ଆସିଛୁ ?”

 

“ସେ କଥା କ’ଣ ତୋତେ ମାଲୁମ ନାହିଁ ?”

 

“ଆରେ ଦୁତ୍, ମୁଁ ଛୁଟିରେ ମୋ ମାଉସୀ ଘରକୁ ଆସିଛି ।”

 

“ହାଲ୍ ହେଲା, ଚାଲ୍ ଆମ ଘରଆଡ଼େ ବୁଲି ଆସିବୁ । ମୋ ଭାଇ, ଭାଉଜ, ମା’, ସମସ୍ତେ ଏଇଠି ଅଛନ୍ତି । ତୁ ଚାଲ୍‌, ଆଜି ରାତିରେ ଆମ ଘରେ ଖାଇ ଫେରିବୁ ।”

 

“ନା ମୁଁ ଆଜି ଆସିଛି । ମାଉସୀ ଘରେ ଖାଲି ବେଡ଼ିଙ୍ଗ୍‍ଟା ପକେଇ ଦେଇ ବାହାରି ଆସିଛି । ଆଜି ଆଉ ତୋ ସଙ୍ଗେ ଯାଇପାରିବି ନାହିଁ ।”

 

“ହଉ ହେଲା । ତୁ ତୋ ମାଉସୀ ଘରେ ରହ, ବା ଆଉ ଯେଉଁଠି ରହ, ଜାଣିରଖ, ମୁଁ ତୋ ଆସିବାର ଚବିଶିଘଣ୍ଟା ପୂର୍ବରୁ ଆସି ଟାଟାରେ ପହଞ୍ଚିଛି । ତେଣୁ ବୁଝୁଥିବୁ ଏଠି ସବୁ ସଫା ହୋଇଯାଇଛି ।”

 

ତାରା କଥାର ଅର୍ଥ ଆନନ୍ଦକୁ ଭଲଭାବେ ଜଣାପଡ଼ିଲା । ସେ ତାରାଠାରୁ ବିଦାୟ ନେଇଗଲା । ତାରା ଘରକୁ ନ ଫେରି ସିଧା ଓଡ଼ିଶା କ୍ଳବ୍‌କୁ ଗଲା । ସେଠାରେ ମଧ୍ୟ ତା’ର କେତେ ବନ୍ଧୁ ଥାଆନ୍ତି । ସେମାନେ ସମସ୍ତେ ଖବରକାଗଜରୁ କଟକ ହାଲ୍ ପଢ଼ିଥିଲେ । ଗୋରାଠାରୁ ମଧ୍ୟ ତାରାର ହଠାତ୍ ଆଗମନର ଖବର ପାଇଥିଲେ । ସେମାନେ ସମସ୍ତେ ତାରାକୁ ଘେରିଗଲେ । କଟକ ଗିରଫ୍‍ଦାରୀ ସହିତ ତା’ର ଟାଟା ଆସିବାର କୌଣସି ସମ୍ପର୍କ ନାହିଁ ବୋଲି ସେ ଯେତେ କହିଲେ ମଧ୍ୟ କେହି ବିଶ୍ୱାସ କଲେନାହିଁ । ରାତି ନଅଟାବେଳକୁ ଦୁଇଭାଇ ଘରକୁ ଫେରିଲେ ।

 

ଖିଆପିଆ ପରେ ବଗିଚାରେ ଶୋଇ ତାରା କଟକରୁ କିପରି ଆନନ୍ଦର ହଠାତ୍ ଟାଟାରେ ଆବିର୍ଭାବ ହୋଇଛି, ସେ କଥା ଭାଇଙ୍କୁ କହିଲା । ଜାମ୍‌ସେଦ୍‌ପୁର ଏସ୍.ଡ଼ି.ଓ.ଙ୍କ ସହିତ ଭାଇଙ୍କର ଖୁବ୍ ଆଳାପ ଅଛି ବୋଲି ତାରା ଜାଣେ । ଭାଇ କହିଲେ, କାଲି ଓଝାଠାରୁ ବୁଝିବା ହାଲହଇକତ । ଓଝା ଜାମ୍‌ସେଦ୍‌ପୁର ଏସ୍.ଡ଼ି.ଓ. । ଗୋରା ସହିତ ତାଙ୍କର ଯଥେଷ୍ଟ ସୌହାର୍ଦ୍ଦ୍ୟ ଥାଏ ।

 

ଭାଇ ପରଦିନ କାରଖାନାରୁ ଫେରି କହିଲେ ଯେ ତୋର ବନ୍ଧୁ ଆନନ୍ଦ ତୋତେ ଏଠାରୁ ଗିରଫ୍‍ କରି ନେବେ ବୋଲି ବହୁ ଚେଷ୍ଟାକରି ନିରାଶ ହୋଇ ଫେରିଛନ୍ତି । ଏସ୍.ଡ଼ି.ଓ.ଙ୍କଠାରୁ କୌଣସି ସାହାଯ୍ୟ ନପାଇ ସେ ବୋଧହୁଏ ଯାଇଛନ୍ତି ଚାଇଁବସା, ସେଠାରେ ଡେପୁଟି କମିଶନଙ୍କୁ ଭେଟିବେ ବୋଲି ।

 

ଊଣେଇଶି

 

ଆନନ୍ଦ ବାନାର୍ଜି ଚାଇଁବସାରୁ ମଧ୍ୟ ହତାଶ ହୋଇ ଫେରିଲେ । ଗୋରା ଡେପୁଟି କମିଶନରଙ୍କ ବିନା ଗିରଫ୍‍ଦାରୀ ପରଓ୍ଵାନାରେ ତାଙ୍କ ଇଲାକା ଭିତରୁ ଜଣକୁ ଧରିନେବା ପାଇଁ ଆଦେଶ ଦେଲେନାହିଁ । ଆନନ୍ଦକୁ ଅଗତ୍ୟା ଜାମ୍‌ସେଦ୍‌ପୁରରୁ ଖାଲି ହାତରେ ଫେରିବାକୁ ପଡ଼ିଲା । ତାରା ଏ ଖବର ସନ୍ଧ୍ୟାବେଳକୁ ଭାଉଜଙ୍କଠାରୁ ପାଇଲା ଓଝାଙ୍କ ମାର୍ଫତ୍‍ରେ । ଏ ଖବର ପାଇ ସେ ସାଇକଲ୍ ଧରି ଧାଇଁଲା ଷ୍ଟେସନ୍‍କୁ ବନ୍ଧୁ ଆନନ୍ଦକୁ ସମବେଦନା ଜଣାଇ ବିଦାୟ ଦେବାକୁ । ଆନନ୍ଦ ସଙ୍ଗେ ମଧ୍ୟ ଷ୍ଟେସନ୍‍ରେ ଦେଖାହେଲା ।

 

ଦେଖାମାତ୍ରେ ତାରା କହିଲା, “କିରେ ! ଛୁଟି ସରିଗଲାକି ଏତେ ଜଲଦି ।”

 

ମୁହଁଟାକୁ ଆମ୍ବିଳାକରି ଆନନ୍ଦ କହିଲା, “ଛୁଟି ସରିନାହିଁ ଯେ, ଏଠି ଦେଖୁଛି ଭାରି ଗରମ । ଛୁଟି କଟେଇବା ଜାଗା ଏହା ମୋଟେ ନୁହେଁ ।”

 

“ଚାଇଁବସା ଯାଇଥିଲୁ ପରା, ସେ ଜାଗାଟି ବା ଥଣ୍ଡା ଲାଗିଲା ନାହିଁ ।”

 

ଆନନ୍ଦ ମୁହଁର ରଙ୍ଗ ବଦଳିଗଲା । ଟ୍ରେନ୍ ସେତେବେଳକୁ ପ୍ଲାଟ୍‌ଫର୍ମ୍‍ରେ ପଶିଲାଣି ।

 

ତାରା କହିଲା, “ହଉ ଯାଅ । ମୁଁ ଏଇଠି ରହିଲି । କେବେ ଓଡ଼ିଶା ଗଲେ ଦେଖାହେବ-।”

 

ଷ୍ଟେସନ୍‍ରୁ ଫେରି ଦୁଇଭାଇଙ୍କର କଥା ପଡ଼ିଲା ତାରାର ଭବିଷ୍ୟତ ବିଷୟରେ । ଗୋରା କହିଲା, “ଗୋଟାଏ ଚାକିରି କରିବୁ ? କହିବୁ ଯଦି ଯୋଗାଡ଼ କରନ୍ତେ ।”

 

ତାରା ହଠାତ୍ କିଛି ଜବାବ୍ ଦେଲାନାହିଁ । ପରେ ଭାବି କହିବ ବୋଲି କହି ଶୋଇଲା । ଗଲା କିଛିଦିନ । ଦିନେ ଭାଇ ଆସି କହିଲେ, “ତୁ ତ କେମେଷ୍ଟ୍ରୀ ଅନର୍ସବାଲା, ଲାବୋରେଟୋରୀରେ ଗୋଟାଏ ଚାକିରି ଅଛି, କହିବୁ ଯଦି ଯୋଗାଡ଼ କରିବା ।”

 

ଲାବୋରେଟୋରୀ ନାଁ ଶୁଣି ଗୋରାର ମନରେ ଯେପରି ଗୋଟାଏ ସ୍ପନ୍ଦନ ଆସିଲା । ଦୁଇବର୍ଷ ପରେ ପୁଣି ଲାବୋରେଟୋରୀ ! ତା’ ସହିତ କେତେ ସ୍ମୃତି ଜଡ଼ିତ । ଲାବୋରେଟୋରୀରେ କେମେଷ୍ଟ୍ରି ହିସାବରେ କାମ କରିବାକୁ ତା’ର ଆପତ୍ତି ନାହିଁ ବୋଲି ତାରା କହିଲା ।

 

ୟାଡ଼େ କଟକରେ ଧରାହୋଇଥିବା ବନ୍ଧୁମାନଙ୍କ ନାମରେ ସ୍ୱତନ୍ତ୍ର ଏକ ଷଡ଼ଯନ୍ତ୍ର ମାମଲା ଖଞ୍ଜିଦିଆଗଲା । ମାମଲାକୁ ଏପରି ଭାବରେ ଖଞ୍ଜେଇ ଦିଆଗଲା ଯେ କେହି ସେଥିରେ ନିସ୍ତାର ପାଇଲେ ନାହିଁ । ଯେଉଁ ନେତାମାନଙ୍କ ସାଥିରେ ତାରା ଓ ତା’ର ବନ୍ଧୁମାନେ କାମ କରୁଥିଲେ ସେମାନେ ମଧ୍ୟ ଶେଷରେ ତାଙ୍କ ଦଳ ବିରୁଦ୍ଧରେ ସାକ୍ଷୀ ଦେଲେ । ଫଳରେ ସମସ୍ତଙ୍କୁ ଦୁଇବର୍ଷ ତିନିବର୍ଷ କରି ଜେଲଦଣ୍ଡ ମିଳିଗଲା ।

 

ମାମଲାର ଶୁଣାଣି ଓ ତା’ର ଫଳାଫଳକୁ ତାରା ବରାବର ଲକ୍ଷ୍ୟ କରୁଥିଲା । ତାରାକୁ ଫସେଇବାକୁ ଖୁବ୍ ଚେଷ୍ଟା କରାଯାଇଥିଲା; କିନ୍ତୁ ପ୍ରମାଣ ଅଭାବରୁ ପୋଲିସ୍ ତା’ ବିରୁଦ୍ଧରେ କିଛି କରିପାରିଲେ ନାହିଁ । ସେମାନେ ଅପେକ୍ଷାକରି ରହିଲେ ତାରା କେବେ ଓଡ଼ିଶା ଆସିବ । ବିହାର ପୋଲିସ୍‍କୁ ମଧ୍ୟ ତାରାର ଗତିବିଧି ଉପରେ ଦୃଷ୍ଟି ରଖିବାକୁ ଅନୁରୋଧ କରାଗଲା ।

 

ତାରା ମୋଟେ ବସିବା ଲୋକ ନୁହେଁ । କାରଖାନା ଲୋକଙ୍କଠାରୁ ବାହାର ପର୍ଯ୍ୟନ୍ତ ସବୁଜାତିର ଲୋକଙ୍କ ସହିତ ତା’ର ଆଳାପ-ପରିଚୟ ହେଲା । ଓଡ଼ିଶା କ୍ଳବ୍‌ର ଯାବତୀୟ କାର୍ଯ୍ୟକଳାପରେ ମଧ୍ୟ ତାରା ଜଣେ ଉତ୍ସାହୀ କର୍ମୀ ହିସାବରେ ସହଯୋଗ କରିବାକୁ ଲାଗିଲା । କ୍ଳବ୍‍ର ଖେଳ, କସରତ, ନାଟକ ବିଭାଗରେ ଖୁବ୍ ଉନ୍ନତି ଦେଖାଗଲା । ତାରା କିନ୍ତୁ ନିଜକୁ କେବଳ ଓଡ଼ିଶା କ୍ଳବ୍‌ର ପରିସର ମଧ୍ୟରେ ଅଟକେଇ ନରଖି ଭିନ୍ନ ଭିନ୍ନ ପ୍ରଦେଶବାସୀଙ୍କ ଅନୁଷ୍ଠାନ ସହିତ ସମ୍ପର୍କ ସ୍ଥାପନକଲା । ଶ୍ରମିକ ସଙ୍ଗଠନର ତାତ୍ତ୍ଵିକ ବ୍ୟାପାରରେ ତାରା ଖୁବ୍ ଅଭିଜ୍ଞ ଲୋକ; କିନ୍ତୁ କଟକ ମାଲଗୋଦାମରେ ଶ୍ରମିକ ବା ବଳଦିଆଗାଡ଼ିର ଚାଳକ ପ୍ରଭୃତିଙ୍କୁ ନେଇ ଦିନେ ସେମାନେ ଯେଉଁ ଶ୍ରମିକସଂସ୍ଥା ଗଢ଼ିଥିଲେ ତାକୁ ପିଲାଖେଳ ବୋଲିବାକୁ ହେବ । ମାର୍କସ୍, ଲେନିନ୍‌ଙ୍କ ବର୍ଣ୍ଣିତ ଶ୍ରମିକ ଓ ତାଙ୍କର ବହୁବିଧ ସମସ୍ୟା ବିଷୟରେ ତା’ର ପ୍ରଥମ ଜ୍ଞାନ ହେଲା ଟାଟା କମ୍ପାନୀର ଶ୍ରମିକମାନଙ୍କୁ ଦେଖି । ତାରା ଆଶ୍ଚର୍ଯ୍ୟ ହେଲା...ବାସ୍ତବିକ ପୃଥିବୀର ସବୁସ୍ଥାନରେ ଶ୍ରମିକଙ୍କ ଅବସ୍ଥା କ’ଣ ଏକାଭଳି । ସେମାନଙ୍କର ସମସ୍ୟା କ’ଣ ସମାନ, ସେହି ଶ୍ରମିକ ପୁଞ୍ଜିପତି ସଂଘର୍ଷ, ସେହି ଶ୍ରେଣୀ-ସଂଘର୍ଷ କ’ଣ ଚିରନ୍ତନ ! ଦୁଇଶ’ ବର୍ଷତଳେ ମାର୍କସ୍ ଯେଉଁ ସଂଘର୍ଷ ବିଷୟରେ ସୂଚନା ଦେଇଥିଲେ ତାହା କ’ଣ ଏପରି ନିର୍ଭୁଲ । ଟାଟା କମ୍ପାନୀର ଶ୍ରମିକ ସମସ୍ୟାକୁ ନେଇ ସେ ନିଜେ ଓ ତାହାର କେତେକ ବନ୍ଧୁ ଅନୁଧ୍ୟାନ କରିବାକୁ ଲାଗିଲେ । କଟକପରି ଏଠାରେ ମଧ୍ୟ ଗୋଟିଏ ଆଲୋଚନା କେନ୍ଦ୍ର ଗଢ଼ିଉଠିଲା । ଏଥିରେ ବଙ୍ଗାଳୀ, ବିହାରୀ, ଓଡ଼ିଆ, ମହାରାଷ୍ଟ୍ରୀ, ଗୁଜରାଟୀ, କେରଳୀ, ତେଲୁଗୁ, ତାମିଲ ସବୁ ଜାତିର ଲୋକଙ୍କ ସଙ୍ଗେ ମିଶିବାର ସୁବିଧା ମିଳିଲା । ତା’ରି ସମମନୋଭାବାପନ୍ନ ଯୁବକ ଯେ ଏତେ ପ୍ରାଣବନ୍ତ ହୋଇ ମେସିନ୍ ସାଙ୍ଗରେ ଯୁଝୁଛନ୍ତି, ତାରା ତାହା ପ୍ରଥମକରି ଉପଲବ୍ଧି କଲା ଏହିଠାରେ । ବାସ୍ତବିକ ଶ୍ରମିକ-ସମସ୍ୟା, ଶ୍ରମିକ-ଆନ୍ଦୋଳନ ବିଷୟରେ ବ୍ୟାବହାରିକ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କଲା ତାରା ଏହିଠାରେ ।

 

ପ୍ରଥମେ ପ୍ରଥମେ ୟା’ଘରେ ତା’ଘରେ ସାଧାରଣ ବୈଠକ ବସେ । ତା’ପରେ ଆଲୋଚନାଚକ୍ର, ପାଠଚକ୍ର ଇତ୍ୟାଦି । କ୍ରମେ ପରସ୍ପର ପରସ୍ପରକୁ ଭଲଭାବରେ ଚିହ୍ନିବାକୁ ସୁଯୋଗ ପାଇଲେ । ତା’ପରେ ବ୍ୟବସ୍ଥା ହେଲା ରାସ୍ତାକଡ଼ରେ ପ୍ରତି ସନ୍ଧ୍ୟାରେ ସଭା । ବିଶେଷକରି ବସ୍ତିଅଞ୍ଚଳରେ ଏପରି ସଭା କରିବାର ସ୍ଥିରହେଲା । ଅପେକ୍ଷାକୃତ ବେଶି ଦରମା ପାଇବା ଲୋକେ କମ୍ପାନୀ ନିର୍ମିତ ସୌଖୀନପଡ଼ାର ବାସିନ୍ଦା ପୁଞ୍ଜିପତିର ଶୋଷଣରେ ସେମାନେ ମଧ୍ୟ କମ୍ ଶୋଷିତ ନୁହନ୍ତି; କିନ୍ତୁ ସାମାନ୍ୟ ଟିକିଏ ସୁଖସୁବିଧାର ଅଫିମ ନିଶା ସେମାନଙ୍କୁ ଘାରିଥାଏ । ଏମାନଙ୍କ ବା ତାଙ୍କ ପଡ଼ାର ଅନ୍ୟ କାହାରିକୁ ସବୁକଥା ବୁଝାଇବାକୁ ଚେଷ୍ଟାକରିବା ସମୟରେ ଅଯଥା ଅପବ୍ୟୟ ହେବ ବୋଲି ମନେକରି ସେମାନେ ବସ୍ତିଗୁଡ଼ିକୁ ନିଜର କର୍ମକ୍ଷେତ୍ର ବୋଲି ଧରିଲେ । ସୌଖୀନପଡ଼ାର ଲୋକେ ଆପେ ତାଙ୍କ ପଛରେ ଠିଆହେବେ ।

 

ଶ୍ରୀକାନ୍ତ, ସୋମ, ତନୁ, ଜିତେନ୍ ବଦଳରେ ତାରାର ଏଠାରେ ନୂଆ ସାଙ୍ଗ ହେଲେ ସରଯୁ ପ୍ରସାଦ, ମାନିକ୍, ଗୋପାଳନ୍, କୁଲକାର୍ଣ୍ଣି ଓ ଫିରୋଜ ପ୍ରଭୃତି । ସମସ୍ତେ ଲେଖାପଢ଼ାଜଣା ଯୁବକ । ଭାଷା ଭିନ୍ନ ହେଲେ ମଧ୍ୟ ପରସ୍ପର ମଧ୍ୟରେ ଭାବବିନିମୟ ପାଇଁ ଇଂରେଜୀରେ କଥା ହୁଅନ୍ତି; କିନ୍ତୁ ଶ୍ରମିକମାନଙ୍କ ସହିତ କଥାବାର୍ତ୍ତା ହେବା, ସଭାସମିତିରେ ବକ୍ତୃତା ଦେବାପାଇଁ ହିନ୍ଦୀର ଦରକାର ସବୁଠାରୁ ବେଶି । ତାରାକୁ ସେଇଟା ଶିଖିବାକୁ ବେଶି କଷ୍ଟ ହେଲାନାହିଁ । ପ୍ରଥମେ ଭଙ୍ଗା ଭଙ୍ଗା ହିନ୍ଦୀରେ ବସ୍ତିପାଖ ସଭାରେ ବକ୍ତୃତା ଦେବାକୁ ତାରାର ସଙ୍କୋଚ ହୁଏ; କିନ୍ତୁ ପରେ ଯେତେବେଳେ ଦେଖିଲା ଯେ ମାନିକ୍‌ଠାରୁ ଗୋପାଳନ୍ ପର୍ଯ୍ୟନ୍ତ ସମସ୍ତଙ୍କର ହିନ୍ଦୀ ତା’ଠାରୁ କୌଣସି ଗୁଣରେ ଭଲ ନୁହେଁ, ସେ ଖାଲରେ ପଡ଼ୁ, ଢିପରେ ପଡ଼ୁ, ଲୋକେ ତା’ ହିନ୍ଦୀ ଶୁଣି ହସନ୍ତୁ ପଛେ, ସେ ଜୋର୍‍ଜବରଦସ୍ତ ହିନ୍ଦୀରେ ବକ୍ତୃତାଦେବା ଆରମ୍ଭକଲା । ଅଳ୍ପ କେତେଦିନ ମଧ୍ୟରେ ସେ ହିନ୍ଦୁସ୍ଥାନୀଙ୍କଠାରୁ ବରଂ ଭଲ ହିନ୍ଦୀ କହିପାରିଲା; କାରଣ ହିନ୍ଦୀ କହିବାକୁ ତାକୁ ରୀତିମତ ସାଧନା କରିବାକୁ ପଡ଼ିଲା ।

 

କମ୍ପାନୀର ଆଖି ଏମାନଙ୍କ ଉପରେ ପଡ଼ିବାପୂର୍ବରୁ ପୋଲିସ୍‍ଙ୍କର ଆଖି ଏମାନଙ୍କ କାର୍ଯ୍ୟକଳାପ ଉପରେ ପଡ଼ିଲା । ମାମୁପୁଅ ଭାଇ ଓ ପିଇସୀପୁଅ ଭାଇ ଦୁହେଁ । ପୁଣି ତାରାଙ୍କର ଏଠାରେ ଯେଉଁ କ୍ଷୁଦ୍ର ଦଳଟି ଗଢ଼ିଉଠିଲା, ତା’ର ପ୍ରତ୍ୟେକ ସଭ୍ୟ ଅଳ୍ପ ବହୁତେ ତାରାପରି ଘଟଣାଚକ୍ରରେ ପଡ଼ି ଦେଶାନ୍ତରୀ ହୋଇଛନ୍ତି । ଏଠା ପୋଲିସ୍‍ଙ୍କର ନଜର ପଡ଼ିବାଭଳି କାମ କରି ନଥିଲେ ମଧ୍ୟ ତାଙ୍କ ନିଜ ନିଜ ରାଜ୍ୟର ପୋଲିସ୍‍ଙ୍କର ଇଙ୍ଗିତରେ ତାରାଙ୍କର ଦଳ ଉପରେ ସେମାନଙ୍କର ଆଖିପଡ଼ିଲା । କମ୍ପାନୀ ମଧ୍ୟ ସାରା ସହରର ଶାସନକୁ ହାତରେ ରଖିଥାଏ । ପୋଲିସ୍‍ ତ କମ୍ପାନୀର ପୂରା ହାତମୁଠାରେ ।

 

ଏତିକିବେଳେ ଗୋଟାଏ ଘଟଣା ଘଟିଲା । ଗଡ଼ଜାତ ଆନ୍ଦୋଳନ ଏତେ ବ୍ୟାପିଲା ଯେ ଲୋକେ ଘରଦ୍ୱାର ଛାଡ଼ି ପିଲାମାଇପ ଧରି ମାସ ମାସ ରାଜ୍ୟ ବାହାରେ ଅପନ୍ତରାରେ ପଡ଼ିରହିଲେ-। ଗୁଳିମାଡ଼ରେ ବାଜି ରାଉତ ଭଳି ପିଲା ଟଳିପଡ଼ିଥିଲା । ତା’ ପଛକୁ ତାଳଚେର ଓ ଅନ୍ୟାନ୍ୟ ଗଡ଼ଜାତମାନଙ୍କରେ ପ୍ରଜାଙ୍କର ଅବସ୍ଥା ଅତ୍ୟନ୍ତ ଖରାପ ଆଡ଼କୁ ଗତିକଲା । ପ୍ରଜାମଣ୍ଡଳ ଆନ୍ଦୋଳନ ତ ଆରମ୍ଭକରି ଦିଆଯାଇଥିଲା; କିନ୍ତୁ ତାକୁ ଚଳେଇବାକୁ ଅପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକ ପଡ଼ିଲା । ତାରା ତ ଏ ଆନ୍ଦୋଳନ ବିଷୟରେ ସବୁ ଜାଣେ । ତା’ ଛଡ଼ା ତା’ର ବନ୍ଧୁମାନେ ସବୁ ଜେଲରେ । ଜିତେନ୍ କିନ୍ତୁ ପଦାରେ ଥାଏ । ସେ ଓ ଆଉ କେତେକ ନେତୃସ୍ଥାନୀୟ ବ୍ୟକ୍ତି ତାରାକୁ ଟାଟାରୁ କିଛି ଅର୍ଥ ସଂଗ୍ରହକରି ପଠେଇବାକୁ ଲେଖିଲେ । ତାରା ଓଡ଼ିଶା କ୍ଳବ୍‍ର ବନ୍ଧୁମାନଙ୍କୁ ଧରି ଗୋଟାଏ ଗଡ଼ଜାତ ସାହାଯ୍ୟପାଣ୍ଠି ଆରମ୍ଭକଲା । ଅର୍ଥ ସଂଗ୍ରହକରିବା ଏମାନଙ୍କର ଉଦ୍ଦେଶ୍ୟ ଯେତେ ନଥାଏ, ରାଜରାଜୁଡ଼ାଙ୍କର ଅତ୍ୟାଚାର, ଶୋଷଣ କାହାଣୀ ଲୋକଙ୍କ ଆଗରେ ଉପସ୍ଥାପିତ କରିବା ଥାଏ ତାହାଠାରୁ ଆହୁରି ଅଧିକ । କଟକରେ ବନ୍ୟା-ସାହାଯ୍ୟପାଣ୍ଠି ସଂଗ୍ରହପାଇଁ ହାରମୋନିୟମ୍ ବଜାଇ ଗୀତ ଗାଇ ଲୁଗାର ଗୋଟାଏ ବଡ଼ ଝୁଲା ଧରି ଦୁଆର ଦୁଆର ବୁଲି ଚାଉଳ, ନୂଆ ପୁରୁଣା ଲୁଗା, ପଇସା ଯିଏ ଯାହା ଦେଲା ତାହା ସଂଗ୍ରହ କରିବାର ଅଭିଜ୍ଞତା ତାରାର ଥାଏ । ଖବରକାଗଜରେ ବାହାରିଥିବା ଅତ୍ୟାଚାରର କାହାଣୀ, ଫଟୋ ପ୍ରଭୃତିକୁ କାଟି ପୋଷ୍ଟର କରି ପ୍ରତିଦିନ ସନ୍ଧ୍ୟାରେ ବସ୍ତି ବସ୍ତି ବୁଲି ଚାଉଳ, ଲୁଗାପଟା ପ୍ରଭୃତି ସଂଗ୍ରହ କରାଗଲା-। ବାହାର ଲୋକେ ଚାନ୍ଦା ସଂଗ୍ରହର ଉଦ୍ଦେଶ୍ୟ ବୁଝି ନପାରିଲେ ତାରା ହିନ୍ଦୀରେ ଗୋଟାଏ ଗୋଟାଏ ଅଧା ବକ୍ତୃତା ଆରମ୍ଭ କରିଦିଏ ପାଞ୍ଚଦଶ ମିନିଟପାଇଁ । ଲୋକେ ଶୁଣନ୍ତି ଓ ସାହାଯ୍ୟ କରନ୍ତି । ପ୍ରତି ସପ୍ତାହରେ ଏ ସାହାଯ୍ୟ କଟକକୁ ପଠେଇଦିଆଯାଏ ।

 

ଟାଟାକୁ ଲାଗି ସଢ଼େଇକଳା ଦେଶୀୟ ରାଜ୍ୟ । ସେଠାକାର ରାଜା ପୁଣି ଓଡ଼ିଶାର ରାଜାମାନେ ଗଢ଼ିଥିବା ରାଜନ୍ୟମଣ୍ଡଳୀର ସଭାପତି । ଟାଟା କମ୍ପାନୀ ଅଶିକ୍ଷିତ ଦିନ ମଜୁରିଆଙ୍କଠାରୁ ଆରମ୍ଭକରି ଆହୁରି ଅନେକ ପ୍ରକାର ସାହାଯ୍ୟପାଇଁ ସଢ଼େଇକଳା ରାଜାଙ୍କ ଉପରେ ନିର୍ଭର କରନ୍ତି । ଶ୍ରମିକ-ଆନ୍ଦୋଳନ ପାଇଁ କମ୍ପାନୀର ନଜର ତାରା ଉପରେ ପଡ଼ିଥିଲା । ଏତିକିବେଳେ ସଢ଼େଇକଳା ରାଜା କମ୍ପାନୀ କର୍ତ୍ତୃପକ୍ଷଙ୍କ ପାଖେ ଅଭିଯୋଗ କରିବସିଲେ ଯେ ତାରା ଗଡ଼ଜାତ ରାଜାଙ୍କ ବିରୁଦ୍ଧରେ ମିଥ୍ୟା ପ୍ରଚାର କରୁଛି । ତାରାର ଚାକିରି କରିବା ବର୍ଷ ପୂରି ନଥାଏ । ପୋଲିସ୍ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣେଇଦେଲେ ଯେ ତାରା ଭଳିଆ ବିପଜ୍ଜନକ ଲୋକଙ୍କୁ କାରଖାନାରେ କାମ ଦେବାଦ୍ୱାରା ଜାଣିଶୁଣି ପଞ୍ଚମବାହିନୀ ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି-। କେଉଁ ମୁହୂର୍ତ୍ତରେ ଯେ ଏମାନେ ସମଗ୍ର କାରଖାନାଟାକୁ ଉଡ଼େଇଦେବେ, ତା’ର ଠିକଣା ନାହିଁ-। ଦ୍ଵିତୀୟ ମହାଯୁଦ୍ଧବେଳ ସେଇଟା । ପଞ୍ଚମବାହିନୀଙ୍କ କାର୍ଯ୍ୟ ସମ୍ବନ୍ଧରେ ପୋଲିସ୍‍ ତଥା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବିଶେଷ କିଛି ମାଲୁମ ନଥିଲେ ମଧ୍ୟ ପଞ୍ଚମବାହିନୀ ନାଁରେ କେବଳ ଆତଙ୍କ ସୃଷ୍ଟି ହୋଇଯାଉଥିଲା । ଆଉ କିଛି କରନ୍ତୁ ନକରନ୍ତୁ ପଛେ, ଭଙ୍ଗାରୁଜା ନୀତିରେ ସେମାନେ କୁଆଡ଼େ ଭାରି ଧୁରନ୍ଧର ।

 

ଜର୍ମାନ ଯୁଦ୍ଧ ସେତେବେଳକୁ ବିଶ୍ୱଯୁଦ୍ଧରେ ପରିଣତ ହେଲାଣି । ଦେଶ ପରେ ଦେଶ ଜୟକରି ଜର୍ମାନୀ ଯେତେବେଳେ ଇଂଲଣ୍ଡ ଉପରେ ବୋମା ବର୍ଷଣ କରିବାକୁ ଆରମ୍ଭକଲା, ଆମେରିକା ସେତେବେଳେ ଆସି ଯୁଦ୍ଧରେ ଯୋଗଦେଲା । ରୁଷିଆ ପ୍ରଥମରୁ ଜର୍ମାନୀ ଇଟାଲୀଙ୍କର ମିତ୍ର ଥିଲା; କିନ୍ତୁ କୁଶଳୀ ଇଂରେଜ କୂଟନୀତିଜ୍ଞଙ୍କର ହଟଚମଟ ଫଳରେ ରୁଷ ଇଂରେଜ ଆମେରିକାର ମିତ୍ର ହୋଇଗଲା । ଜାପାନ କିନ୍ତୁ ରହିଲା ଜର୍ମାନୀ ସାଙ୍ଗରେ । ଏମିତି ସାରା ପୃଥିବୀରେ ବିଭିନ୍ନ ଦେଶ କୌଣସି ନା କୌଣସି ଦଳ ସହିତ ଯୋଡ଼ିହୋଇଗଲେ । ଜାପାନ ସହାୟତାରେ ନେତାଜୀଙ୍କ ନେତୃତ୍ୱରେ ଭାରତୀୟ ଜାତୀୟବାହିନୀ ଆସି ଭାରତର ଦ୍ୱାରଦେଶରେ ପହଞ୍ଚିଗଲେ । ଇଂରେଜମାନେ ଭାରତରେ ଆତଙ୍କିତ ହେଲେ । କଲିକତା, ଟାଟାନଗର ପ୍ରଭୃତି ଶିଳ୍ପସମୃଦ୍ଧ ପୂର୍ବାଞ୍ଚଳ ସହରମାନଙ୍କ ଉପରେ ଉଡ଼ାଜାହାଜ ଆକ୍ରମଣର ପ୍ରବଳ ଆଶଙ୍କା ଦେଖାଦେଲା । ଇଂରେଜମାନେ ପ୍ରମାଦ ଗଣିଲେ । ସବୁ ଜାଗାରେ ଭୂତ ଦେଖିବାକୁ ଲାଗିଲେ । ଅମୁକ ଲୋକ ଜାପାନୀ ଗୁପ୍ତଚର ବା ପଞ୍ଚମବାହିନୀର ଲୋକ ବୋଲି ଯେକୌଣସି ସୂତ୍ରରୁ ଖବର ମିଳିଲା ଓ ସେମାନେ ତାକୁ ଯେକୌଣସି ଆଳରେ ବନ୍ଦୀ କରିନେବାକୁ ପଛେଇଲେ ନାହିଁ । ତାରାର ଅତୀତ ଜୀବନର କାର୍ଯ୍ୟକଳାପ ଓ ଏଠାକାର କାର୍ଯ୍ୟକଳାପ ଦୁହିଁଙ୍କୁ ମିଶେଇ ଟାଟାନଗର ବିଚକ୍ଷଣ ପୋଲିସ୍‍ କର୍ତ୍ତୃପକ୍ଷ ତାରାକୁ ଜଣେ ଭୟାନକ ଇଂରେଜ-ସାମ୍ରାଜ୍ୟ ବିରୋଧୀରୂପେ ଚିତ୍ରଣକଲେ । ବିଶାଳ ବ୍ରିଟିଶ ସାମ୍ରାଜ୍ୟର ଦମ୍ଭିଲା ଖୁଣ୍ଟକୁ ତାରାଭଳିଆ ଜଣେ ସାମାନ୍ୟ ଯୁବକ ଯେ ହଲେଇଦେବ, ଏକଥା ସେ ସମୟର ଦୁର୍ଦ୍ଧର୍ଷ ଇଂରେଜ ଶାସକ ବିଶ୍ୱାସ କରିବାକୁ ଦ୍ଵିଧା କଲେନାହିଁ-। ବାସ୍ତବିକ କୁଳ ବୁଡ଼ିଲାବେଳକୁ ଏମିତିକଥା ଘୋଡ଼ାମୁହାଁଙ୍କ ହାତରେ ଶାସନ ପଡ଼ିଥାଏ-। ବିନାଶ କାଳେ ବିପରୀତ ବୁଦ୍ଧି ।

 

ସେତେବେଳେ ଜର୍ମାନୀ ଇଟାଲୀର ଷଣ୍ଢୁଆସୀ ଆକ୍ରମଣ କଥାଟାକୁ ଲୋକେ ଖୁବ୍ ଶୁଣୁଥାନ୍ତି; କିନ୍ତୁ ତାରା ଉପରେ ଏ ଯେଉଁ ଆକ୍ରମଣ ହେଲା, ତାହା ଷଣ୍ଢୁଆସୀ ଆକ୍ରମଣକୁ ବଳିଗଲା-। ପୋଲିସ୍, କମ୍ପାନୀ, ରାଜା ତିନିହେଁ ଏକାବେଳକେ ଆକ୍ରମଣ ଆରମ୍ଭ କରିଦେଲେ-। କମ୍ପାନୀ କର୍ତ୍ତୃପକ୍ଷ ଗୋରାକୁ ଟିକିଏ ଡରନ୍ତି । ଶ୍ରମିକଙ୍କର ସଙ୍ଗଠନରେ ତା’ର ମଧ୍ୟ ହାତ କମ୍ ନଥାଏ-। ତେଣୁ କମ୍ପାନୀର ବଡ଼ କର୍ତ୍ତା ଗୋରାକୁ ଡକେଇ ପୋଲିସ୍‍ ଓ ରାଜାଙ୍କ ଆପତ୍ତି କଥା ସବୁ କହିଲେ-। ତାରାକୁ କିନ୍ତୁ ଚାକିରିକୁ ବାହାର କରିଦେବାର ଇଚ୍ଛା ତାଙ୍କର ନାହିଁ ବୋଲି କହିଲେ-। କେବଳ ଆପତ୍ତି ତାରା କାରଖାନା ଭିତରେ ଚାକିରି ନକରି ବାହାରେ କେଉଁଠି ଚାକିରି କରିବ । ଗୋରା ସବୁକଥା ଶୁଣି ତାରାକୁ ନ ପଚାରି କିଛି ମତାମତ ଦେଇପାରିବ ନାହିଁ ବୋଲି କହି ଘରକୁ ଫେରିଲା-

 

ଭାଇ ଘରେ ଆସି ତାରା, ବୋଉ ଓ ସ୍ତ୍ରୀଙ୍କ ସମ୍ମୁଖରେ ସବୁକଥା କହିଲେ । ଏଠାରେ ଚାକିରିକରି ତାରା ମନ ଘରଧରିଯିବ ବୋଲି ଭାଇ ଆଶା କରିଥିଲେ । ତାରା ଗୋରା ପାଖରେ ରହିଥିବାରୁ ନାନୁବାବୁ ମଧ୍ୟ ଗାଁରେ ନିଶ୍ଚିନ୍ତ ଥିଲେ । ତାରାର ସୁମତି ହୋଇଛି ଓ ସେ ଚାକିରି କରି ଭାଇ ପାଖରେ ଭଲରେ ରହିଥିବାରୁ ତାକୁ କିପରି ହାତକୁ ଦି’ହାତ କରିଦେବେ ବୋଲି ମନେମନେ କଳ୍ପନା-ଜଳ୍ପନା କରୁଥିଲେ; କିନ୍ତୁ ଏ କ’ଣ ହେଲା ?

 

ଭାଇ ତାରାକୁ କାରଖାନା ବାହାରେ କୌଣସି କାମରେ ରହିଯିବାକୁ କହିଲେ; କିନ୍ତୁ ତାରା ନାରାଜ ହେଲା । ସେ ପୁଣି କଟକ ଫେରିଯାଇ ଓକାଲତି ପାସ୍‍କରି ସେଠାରେ ଓକାଲତି କରିବ ବୋଲି କହିଲା । ଗୋରା କିନ୍ତୁ ଭଲଭାବରେ ଜାଣିଥାଏ, ତାରା କଟକ ଫେରିଲେ ଆଉ ଓକାଲତି ପରୀକ୍ଷା ଦେବା ବା ପାସ୍‍କରି ଓକାଲତି କରିବା କଥା ମିଛ । ଆଉ ମଧ୍ୟ ଓଡ଼ିଶା ଫେରିଯିବା ତା’ ପକ୍ଷରେ ନିରାପଦ ନୁହେଁ । ଗଲେ ସେ ପୁଣି ଧରାହେବ । ଏହିପରି ସମସ୍ତେ ବସି ନାନା ବିଷୟ ଆଲୋଚନା କଲେ । ଶେଷରେ ସ୍ଥିରହେଲା କମ୍ପାନୀ କାରଖାନା ଚାକିରିରୁ ତାରାକୁ ବାହାର କରିଦେଲେ ସେ ଯାଇ କଲିକତାରେ ଓକାଲତି ପରୀକ୍ଷା ଦେବ ଓ ସେଠାରୁ ପାସ୍‍କଲେ ଟାଟାରେହିଁ ଓକାଲତି କରିବ । ଆଉ ଯଦି ଅବସ୍ଥାର କିଛି ପରିବର୍ତ୍ତନ ହୁଏ ତେବେ ସେ ଓଡ଼ିଶା ଫେରିଯାଇ କଟକରେହିଁ ଓକାଲତି କରିବ ।

 

କାରଖାନା ଚାକିରି ତାରାର ସରିଗଲା । ଦୁଇଦିନ ଭିତରେ ତା’ର ବରଖାସ୍ତ ଆଦେଶ ମିଳିଗଲା । ତାରା କଲିକତା ଯିବ ବୋଲି ପ୍ରସ୍ତୁତ ହୋଇଗଲା । କଲିକତାରେ ତାରାର ଦଳର କେତେକ ବନ୍ଧୁ ଥାଆନ୍ତି; କିନ୍ତୁ ସେମାନଙ୍କ ସହିତ ନରହି ତାରା ଅନ୍ୟତ୍ର ରହିବ ବୋଲି ଗୋରା ସ୍ଥିରକଲା । ଛଅମାସ ଭିତରେ ପରୀକ୍ଷାଦେଇ ତାକୁ ପାସ୍‍କରିବାକୁ ହେବ । ମାସିକ ଖର୍ଚ୍ଚ ଭାଇ ଦେବେ ବୋଲି କଥା ହେଲା ।

 

ତାରା ଟାଟା ଛାଡ଼ି କଲିକତା ଗଲା ।

 

କୋଡ଼ିଏ

 

ଜିତେନଦା’ ମାରଫତରେ କଲିକତାରେ ଅନେକଙ୍କ ସାଙ୍ଗରେ ତାରାର ଖୁବ୍ ବନ୍ଧୁତା ଥାଏ । ତା’ଛଡ଼ା ଦୁଇ ଚାରିଜଣ ଓଡ଼ିଆ ଯୁବକ ମଧ୍ୟ କଲିକତାରେ ଚାକିରି କରିବା ସଙ୍ଗେ ସଙ୍ଗେ କଲିକତା ସହର ଓ ବିଶେଷକରି ହାବଡ଼ା, ଘୁଷୁଡ଼ି, ଲିଲୁଆ ପ୍ରଭୃତି ସହରତଳି ଅଞ୍ଚଳମାନଙ୍କରେ ଶ୍ରମିକ ଆନ୍ଦୋଳନରେ ବେଶ୍ ସକ୍ରିୟ ଅଂଶଗ୍ରହଣ କରୁଥାନ୍ତି । ଏସବୁ ଅଞ୍ଚଳର କଳକାରଖାନାରେ ବହୁ ଓଡ଼ିଆ ଶ୍ରମିକ କାମକରନ୍ତି । ଉତ୍କଟ ପ୍ରାଦେଶିକତାର ବିଷ ଯେ ସେତେବେଳେ ମୋଟେ ନଥାଏ ଏ କଥା ନୁହେଁ; କିନ୍ତୁ ଶ୍ରମିକ ସଙ୍ଗଠନମାନଙ୍କରେ ଏହା ଖୁବ୍ କମ୍ ମାତ୍ରାରେ ଥାଏ । ତା’ପରେ ପୁଣି ଯୁଦ୍ଧ, ବୋମାମାଡ଼, କାରଖାନା ବନ୍ଦ ପ୍ରଭୃତି ଆଶଙ୍କା ସବୁବେଳେ ଥାଏ । ସାମୂହିକ ବିପଦବେଳେ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟ ବୃଦ୍ଧି ମଧ୍ୟ ସହଜ କଥା ।

 

କଲିକତାରେ ସେତେବେଳେ ମୁସଲିମ ଲିଗ୍ ଶାସନ । ବିଦେଶୀ ବ୍ରିଟିଶ ସରକାରଙ୍କର ଗେହ୍ଲାପୁଅ ସେମାନେ । ଶାସକ ହିସାବରେ ଅବଶ୍ୟ ସେମାନେ ଥାଆନ୍ତି; କିନ୍ତୁ କେବଳ କଲିକତା ନୁହେଁ–ସମଗ୍ର ଅବିଭକ୍ତ ବଙ୍ଗଳା, ଆସାମ, ମଣିପୁର, ତ୍ରିପୁରା, ପ୍ରଭୃତି ଅଞ୍ଚଳ ଗୋଟିଏ ବିରାଟ ସୈନ୍ୟଛାଉଣୀ ହୋଇଥାଏ । ନେତାଜୀଙ୍କ ଭାରତୀୟ ଜାତୀୟବାହିନୀ ବା ଆଜାଦ ହିନ୍ଦ୍ ଫୌଜ ସେତେବେଳେ ଭାରତର ଦ୍ଵାରଦେଶରେ ।

 

ତାରା କଲିକତାରେ ପହଞ୍ଚି କୁଆଡ଼େ ଯିବ, କେଉଁଠି ରହିବ, କିଛି ଠିକ୍ କରି ନଥାଏ । ଜିତେନ୍‌ଦା’ର ସାଙ୍ଗ କେତେ ଜଣଙ୍କର ଠିକଣା ଅବଶ୍ୟ ତାକୁ ଜଣାଥାଏ; କିନ୍ତୁ ହଠାତ୍ ଯାଇ ସେମାନଙ୍କ ପାଖରେ ଆଶ୍ରୟ ନେବାଟାକୁ ସେ କାହିଁକି ଭଲ ମନେକଲାନାହିଁ । ଷ୍ଟେସନ୍‌ରେ ଜିନିଷପତ୍ର ରଖି ସେଠାରେ ଗାଧୋଇପଡ଼ି ସେ ବାହାରିପଡ଼ିଲା କଲିକତା ପରିକ୍ରମାରେ । ସହରରେ ଦେଖିଲା ଆଗପରି ଆନନ୍ଦ କୋଳାହଳ ବା ଲୋକଗହଳି ନାହିଁ । ଯୁଆଡ଼େ ଦେଖ ଆମେରିକାନ୍‌ ଟମି ପଞ୍ଝା ପଞ୍ଝା ହୋଇ ପିଠିରେ ବନ୍ଧୁକ ଝୁଲେଇ ଯିବାଆସିବା କରୁଛନ୍ତି । ତାରା ଗାଧୋଇକରି ବାହାରିଥାଏ, କେଉଁଠି ଗୋଟାଏ ହୋଟେଲରେ ଖାଇନେବ ବୋଲି । କିନ୍ତୁ ବଡ଼ ମୁସ୍କିଲ୍‌ରେ ପଡ଼ିଲା । ଅଧିକାଂଶ ହୋଟେଲରେ ସାଇନ୍‌ବୋର୍ଡ଼ ଅଛି; କିନ୍ତୁ ଭିତରେ ଟେବୁଲ, ଚେୟାର ଛଡ଼ା ରନ୍ଧାବଢ଼ା ବା ଖାଇବା ପିଇବାର କୌଣସି ଆୟୋଜନ ନାହିଁ । ଜାଗାଏ ଦି’ଜାଗା ପଚାରି ବୁଝିଲା ଯେ ଚାକର ପୂଜାରୀ ଯୁଦ୍ଧଗୋଳଯୋଗୁଁ ଛାଡ଼ି ପଳେଇବାରୁ ହୋଟେଲକୁ ବାଧ୍ୟହୋଇ ବନ୍ଦକରିଦେବାକୁ ପଡ଼ିଲା । କେଉଁଠି ମାଲିକ ମଧ୍ୟ କଲିକତା ଛାଡ଼ି ଜୀବନଭୟରେ ପଳେଇଛି । ମୁସଲମାନ ହୋଟେଲ ଅବଶ୍ୟ କେଇଟା ଖୋଲାଥିବାର ଦେଖିଲା; କିନ୍ତୁ ସେମାନଙ୍କ ବାହାର ଚୁଲାରେ ମାଂସଲଗା ଲମ୍ବା ଲମ୍ବା ଲୁହାଛଡ଼କୁ ଦେଖି ତା’ର କାହିଁକି ଭିତରକୁ ପଶିବାକୁ ପ୍ରବୃତ୍ତି ହେଲାନାହିଁ । ଭାତ ନହେଲା ନାହିଁ, ରୁଟି ବା ପୁରି ହେଲେ ମିଳିଲେ ଚଳନ୍ତା । ବଡ଼ ହାଲିଆ ହେଲାଣି । ମୁଠିଏ ଖାଇଲେ ତ ଯାଇ କାହା ସହିତ ଦେଖାକରିବ । ଏମିତି ବୁଲୁ ବୁଲୁ ବଡ଼ ରାସ୍ତାରୁ ବାହାରିଥିବା ଗୋଟିଏ ଗଳିମୁଣ୍ଡ ବରଗଛତଳେ ଦେଖିଲା, ଜଣେ ଲୋକ ଗୋଟାଏ ଘରଭିତରୁ ରୁମାଲରେ ମୁହଁ ପୋଛିପାଛିକା ବାହାରି ଆସୁଛି । ଲୋକର ଚେହେରା ଦେଖି ସେ ବୁଝିନେଲା ଯେ ଏହା ଏକ ଭୂରିଭୋଜନପରର ଲକ୍ଷଣ । ତାରା ବରଗଛମୂଳ ସେ ନୁଆଁଣିଆ ଖପରଲିଘର ଦୁଆରମୁହଁକୁ ଆଗେଇଲା । ଦେଖିଲା, ଟେବୁଲ ଚୌକି ପଡ଼ିଛି; ଦୁଇଜଣ ଲୋକ ଗୋଟାଏ ଟେବୁଲରେ ବସି ଖାଉଛନ୍ତି । ତାରାର ପରିଧାନ ଖଣ୍ଡିଏ ଚଦର ଧୋତି ଓ ଖଣ୍ଡିଏ ହାଫ୍‌ସାର୍ଟ୍‍ । ସେ ସାହସ କରି ବଙ୍ଗଳାରେ ପଚାରିଲା ଖାଇବାକୁ ମିଳିବ କି ନାହିଁ । ଜଣେ ଭଦ୍ରଲୋକ ଦ୍ଵାରମୁହଁରେ ଖଣ୍ଡେ ଚୌକିରେ ବସିଥିଲେ । ସେ ତାରାର ଗୋଡ଼ଠୁଁ ମୁଣ୍ଡଯାକେ ଅନେଇଗଲେ । ପରେ ‘ହଁ’ ଭରି ଗୋଟାଏ ପାଖ ଟେବୁଲରେ ବସିବାକୁ ହାତ ଦେଖେଇଦେଲେ । ତାରା ବସିବାରୁ ଜଣେ ଲୋକ, ପୂଜାରୀ ହବ ବୋଧହୁଏ, ଆସି ପଚାରିଲା, ଆମିଷ ନା ନିରାମିଷ ମିଲ୍; ମାଛ ନା ମାଂସ । ତାରା କହିଲା, ‘ଆମିଷ, ମାଛ ମାଂସ ଯାହା ହେଲେ ଚଳିବ ।’

 

ଲୋକଟି ମିଲ୍‌ଟା ଆଣି ଥୋଇଲା ଟେବୁଲ ଉପରେ । ତାରା ଆଉ କିଛି ନକହି ଲାଗିଗଲା ଖାଇବାରେ । ଆଗରେ ପଛରେ ଭାତ ଡାଲି ମାଛ ମଧ୍ୟ ଦିଆଗଲା । ତାରା ତୃପ୍ତିର ଭୋଜନଟାଏ କଲା । ଖରାଦିନ । ସକାଳୁ ନଖାଇ ସେ ବଡ଼ ଭୋକିଲା ଥିଲା । ଖାଇସାରିବାପରେ ଡରରେ ଡରରେ ପକେଟରୁ ପାଞ୍ଚଟଙ୍କିଆ ନୋଟ୍ ଖଣ୍ଡେ କାଢ଼ି ଭଦ୍ରଲୋକଙ୍କ ହାତକୁ ବଢ଼େଇଦେଲା । ଭଦ୍ରଲୋକ ଦଶ ଅଣା ପଇସା କାଟି ରଖି ବାକି ପଇସାତକ ତାରା ହାତକୁ ବଢ଼େଇଦେଲେ । ତାରା ସେତକ ପକେଟରେ ରଖି ମନେମନେ ଆଶ୍ଚର୍ଯ୍ୟ ହେଲା । ମିଲ୍‌ଟା ଯେ କେତେ ପଡ଼ିବ, ସେ ଜାଣିନପାରି ପାଞ୍ଚଟଙ୍କିଆ ନୋଟ୍‌ଟା ଦେଇଥିଲା । ପଦାକୁ ଆସି ଭାବିଲା, ଖାଇବା ହୋଟେଲ ସିନା ନାହିଁ, ମିଲ୍‌ର ଦାମ ତ ସେପରି ଅସ୍ଵାଭାବିକଭାବେ ବଢ଼ିନାହିଁ । ଅବଶ୍ୟ ଏଇ କଲିକତାରେ ପାଞ୍ଚବର୍ଷ ପୂର୍ବେ ସେ ଚାରିଅଣା ପଇସାରେ ଦିବ୍ୟଭୋଜନ ପାଇଛି । ଯାହାହେଉ, ଏଣିକି ତାରାକୁ ବୁଦ୍ଧି ଦେଖାଗଲା । ସେ ହାବଡ଼ା ଷ୍ଟେସନ୍‍କୁ ଫେରିଆସି କିଛି ସମୟ ବିଶ୍ରାମ ନେଲା ।

 

କିଛି ସମୟ ବିଶ୍ରାମ କରି ଉଠିଲା । ରାତିପୂର୍ବରୁ କେଉଁଠି ଗୋଟାଏ ରହିବାର ସଂସ୍ଥାନ କରିବାକୁ ହେବ । ତାରାର କେତେଜଣ ପୁରୁଣା ବନ୍ଧୁ ହନୁମାନ ଝୋଟକଳରେ କାମକରନ୍ତି । ତାରା ଯାଇ ସେମାନଙ୍କ ଭିତରୁ ଜଣକ ସଙ୍ଗେ ଦେଖାକଲା । ତାରା ଓ ସେ ଦୁହେଁ କାରଖାନା ଛୁଟି ପରେ ବୁଲାବୁଲି କରି ପୁଣି ହାବଡ଼ା ଷ୍ଟେସନ୍‍କୁ ଆସିଲେ । କ’ଣ ହେଲା, ସେଇ ରାତିଟା ତାରା ବନ୍ଧୁଙ୍କ ପାଖରେ ରହି ତା’ପରଦିନ ସକାଳୁ ଅନ୍ୟ କେଉଁଠିକି ଯିବାର ବ୍ୟବସ୍ଥା କରିବ । ତାରାର ଜଣେ ଦୂର ସମ୍ପର୍କୀୟ ଆତ୍ମୀୟ ଲିଲୁଆରେ ଚାକିରି କରନ୍ତି । ସେ କଥା ତାରାର ବନ୍ଧୁ ମଧ୍ୟ ଜାଣନ୍ତି । ତାରା ଗତଥର କଲିକତା ଆସିଲାବେଳେ ସେ ଦୁହେଁ ଲିଲୁଆ ଯାଇ ରାତିଏ ତାଙ୍କ ଘରେ କଟେଇ ଆସିଥିଲେ । ତା’ର ବନ୍ଧୁଙ୍କ ଘରେ ନରହିବାର ଆଉ ଗୋଟିଏ କାରଣ ଥାଏ । ବନ୍ଧୁ ମଧ୍ୟ ମାର୍କାମରା-। ପୁଲିସର ଆଖି ତାଙ୍କ ଉପରେ ବରାବର ଥାଏ । ତାରା ସେହି ପୋଲିସ୍‍ଙ୍କ ଦାଉରେ ଟାଟା ଛାଡ଼ି ଆଜି ଆସି କଲିକତାରେ ପହଞ୍ଚିଛି । ଏଠାରେ ପୁଣି ତାଙ୍କର ବିଷଦୃଷ୍ଟି ପଡ଼ିଲେ ଆଉ ରକ୍ଷା ମିଳିବ ନାହିଁ ।

 

ଦୁହେଁ ରିକ୍ସାରେ ବେଡ଼ିଙ୍ଗ୍, ସୁଟକେସ୍ ରଖି ବନ୍ଧୁଙ୍କ ବସାକୁ ଗଲେ । ରାତିଯାକ ଓଡ଼ିଶା ପ୍ରସଙ୍ଗ, ଟାଟା ପ୍ରସଙ୍ଗ ସବୁ କଥାବାର୍ତ୍ତା ହେଲେ । ତାରା କହିଲା, “ଯୁଦ୍ଧ ହୋ–ହାରେ ତ ଅଧେ ଓଡ଼ିଆ କଲିକତା, ଟାଟା ଛାଡ଼ି ପଳେଇଛନ୍ତି । ଜାଣେନାହିଁ ଦାଦା ଏପର୍ଯ୍ୟନ୍ତ ଲିଲୁଆରେ ଅଛନ୍ତି କି ନାହିଁ । ମୁଁ ମୋର ଅବ୍ୟବସ୍ଥିତ ଜୀବନଭିତରେ କେଉଁ ବନ୍ଧୁବାନ୍ଧବଙ୍କର ଖବର ରଖିପାରେ ନାହିଁ । ତେଣୁ କାଲି ସକାଳ ଲୋକାଲ୍‌ରେ ମୁଁ ଯାଇ ଆଗ ଦେଖିଆସେ ସେ ସେଠାରେ ଅଛନ୍ତି କି ନାହିଁ । ତା’ପରେ ସନ୍ଧ୍ୟାକୁ ଜିନିଷପତ୍ର ନେଇ ଚାଲିଯିବି । ଆଉ ସେ ଯଦି ନଥିବେ, ଏଇଆଡ଼େ ଗୋଟାଏ ମେସ୍ କି ହୋଟେଲ ଦେଖି ରହିଯିବି । ଏହି ପାଖେ ରହିଲେ ପଢ଼ାପଢ଼ିର ଟିକିଏ ସୁବିଧା ହୁଅନ୍ତା ।”

 

ବନ୍ଧୁ କହିଲେ, ‘‘ତୁମେ ଯେଉଁଠି ରହ ପଢ଼ାପଢ଼ି ଆଉ ତୁମଦେଇ ହେବନାହିଁ । ତୁମେ ସ୍ଥିର ହୋଇ ବସି ପଢ଼ିପାରିବ ତ ?” ତାରାର ପ୍ରକୃତି ତା’ର ବନ୍ଧୁଙ୍କୁ ଭଲ ଜଣା । ସେ ମଧ୍ୟ ବି.ଏ. ପାସ୍‍କରି କଲିକତାରେ ଏମ.ଏ. ପଢ଼ିବେ ବୋଲି ଆସିଥିଲେ । ଏମ.ଏ. ପଢ଼ା ତ ହେଲାନାହିଁ । ନାନାପ୍ରକାର କାମ କଲିକତାରେ ଆରମ୍ଭ ହୋଇଗଲା । ଚାକିରିଟା ପଇସାପାଇଁ ଯେତେ ନୁହେଁ, ଲୋକଦେଖାଣିଆକୁ ସେତେ ମନେକରି କରୁଛନ୍ତି । ଆଉ ମଧ୍ୟ ନିଜେ କାରଖାନା ଅଫିସ୍‍ରେ କାମ କରୁଥିବାରୁ ଶ୍ରମିକଙ୍କ ସଙ୍ଗେ ମିଶିବା ସୁବିଧା ହେବ ବୋଲି ଆଉ କେଉଁଠି ଚାକିରି ନକରି ସେହି ଝୋଟକଳ ଅଫିସ୍‍ରେ କିରାଣିଭାବରେ ଥାଆନ୍ତି । ଯୁଦ୍ଧପାଇଁ ବହୁଲୋକ କଲିକତା ଛାଡ଼ି ଚାଲିଯାଇଥିବାରୁ କଲିକତାରେ ସେତେବେଳେ ଚାକିରି କରିବା କଷ୍ଟକର ହୋଇ ନଥାଏ ।

 

ତାରା ତା’ ପରଦିନ ସକାଳୁ ଯାଇ ଦେଖିଲା ଦାଦା ଏକା ଲିଲୁଆରେ ଅଛନ୍ତି, ଖୁଡ଼ୀ ଯୁଦ୍ଧ-ଘୋଘାରେ ଗାଁକୁ ଚାଲିଯାଇଛନ୍ତି ପିଲାପିଲିଙ୍କୁ ଘେନି । ଦାଦା ମଧ୍ୟ ଗୋଟିଏ କଡ଼େଇ କାରଖାନାର ବଡ଼ବାବୁ । ତାଙ୍କୁ ଭଲ ଘରଟିଏ ମିଳିଥାଏ । ଘରେ କେହି ନଥିବାରୁ ଦାଦା ସକାଳୁ କ’ଣ ଟିକିଏ ଜଳଖିଆ କରି କାମକୁ ଯାଆନ୍ତି ଯେ ଫେରନ୍ତି ରାତି ନଅଟାରେ । ଦିନ ଖାଇବା ରାତି ଖାଇବା ସେହି କାରଖାନା ଭିତରେ ହୋଟେଲରେ ହୁଏ । ଦାଦା ତାରାକୁ ଦେଖି ଖୁସି ହେଲେ । ତାରାକୁ ସେ ପିଲାବେଳେ ଦେଖିଥିଲେ । ତାରା ବି.ଏସ୍‌‌ସି, ପା‌ସ୍‍କରିବା, ଆନ୍ଦୋଳନରେ ଯୋଗଦେଇ ଜେଲ ଭୋଗିବା କଥା ସେ ସବୁ ଜାଣିଥାନ୍ତି । କଲିକତାରେ ଓକାଲତି ପଢ଼ିବାକୁ ଆସିଛି ଶୁଣି ସେ ଆହୁରି ଖୁସିହେଲେ ଏବଂ କହିଲେ, ତୁ ଯେତେଦିନ ଇଚ୍ଛା ସେତେଦିନ ମୋରି ଘରେ ରହି ମନଦେଇ ପଢ଼ି ପାସ୍‍ କରିଯା । ଏହା କହି ତାରାକୁ ଗୋଟିଏ ସ୍ଵତନ୍ତ୍ର ବଖରା ଘର ଛାଡ଼ିଦେଲେ ଓ ପାଖରେ ଗୋଟିଏ ହୋଟେଲ ଠିକ୍ କରିଦେଲେ ତାରା ଖାଇବ ବୋଲି । ବଡ଼ବାବୁ ହିସାବରେ ଦାଦାଙ୍କର ସେଠାରେ ଟିକିଏ ପ୍ରତିପତ୍ତି ଥାଏ । ଏ ସବୁ ସୁବିଧା ହେବାରୁ ତାରା ସେ ଘରର ଚାବିକୁ ପକେଟରେ ପକେଇ ଫେରିଲା ହାବଡ଼ାରୁ ତା’ର ବେଡ଼ିଙ୍ଗ୍ ସୁଟକେସ ନେଇ ଆସିବ ବୋଲି । ବେଡ଼ିଙ୍ଗ୍ ସୁଟକେସ୍ ଆଣିବାକୁ ଯାଇ ସେଠାରେ ବନ୍ଧୁଙ୍କ ସଙ୍ଗେ ବହୁ ସମୟ ଧରି ଓଡ଼ିଶା କଥା ଓ ବିଶେଷକରି କଲିକତା ବନ୍ଧୁମାନଙ୍କର କାର୍ଯ୍ୟକଳାପ ବିଷୟରେ କଥାବାର୍ତ୍ତା ହେଲେ । ରାତ୍ରି ସାତଟାରେ ବନ୍ଧୁଙ୍କଠାରୁ ବିଦାୟ ହୋଇ ଆସିଲା । ଆସନ୍ତା ରବିବାର ଦିନଟାଯାକ ତାଙ୍କ ସାଙ୍ଗରେ ଯାଇ ଅନ୍ୟାନ୍ୟ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରିବାର ଠିକ୍ ହେଲା । ବାସ୍ତବିକ ଲିଲୁଆରେ ତାରା ଯେପରି ରହିବାର ସୁବିଧା ପାଇଲା, ପଢ଼ିବାର ହୋଇଥିଲେ ସେ ଖୁବ୍ ଭଲଭାବରେ ନିରୋଳାରେ ବସି ପଢ଼ିପାରିଥାନ୍ତା । ପ୍ରଥମେ ଦୁଇଚାରିଦିନ କୁଆଡ଼େ ନଯାଇ ତାରା ବସିଗଲା ସେହି ବସାରେ । ଦାଦା ମଧ୍ୟ ତାରା ଚିଠି ସାଙ୍ଗରେ ଗୋରା ପାଖକୁ ଲେଖିଲେ ଯେ ତାରା ତାଙ୍କ ପାଖରେ ସୁବିଧାରେ ଅଛି ।

 

ଥରେ ଯିଏ ପଖୋଜର ତାଳେ ତାଳେ ଗୋଡ଼ ପକେଇ ନାଚିଛି, ଘୁଙ୍ଗୁର ପିନ୍ଧି ନଥାଉ ପଛେ ପଖୋଜ ବାଜିଲାମାତ୍ରେ ତା’ ଗୋଡ଼ ନିଶ୍ଚୟ ଖଜବଜ ହେବ; ବସିଥିଲେ ମଧ୍ୟ ଗୋଇଠିରେ ଟପ୍‌ପା ମାରିବ । ତାରା ତେଣୁ ନିଶ୍ଚିନ୍ତ ହୋଇ ବସୁଛି କେତେକେ ? ରବିବାରଦିନ ବନ୍ଧୁଙ୍କ ସହିତ ହାବଡ଼ା ଯାଇ ଅନ୍ୟାନ୍ୟ ପୁରାତନ ବନ୍ଧୁମାନଙ୍କ ସହିତ ମିଶିବାର ସୁବିଧା ପାଇଲା । ତାରା ଏଥର ଖୁବ୍ ସୁଶୀଳ ବାଳକ ହୋଇ ଲିଲୁଆରେ ପାଠ ପଢ଼ିବ ବୋଲି ଅଛି ଶୁଣି ସେମାନେ ହସିଲେ ଓ କହିଲେ, ‘‘ଆଉ କିଛି ପାଠ ନୁହ, ଓକାଲତି ପାଠ । ତା’ ପୁଣି ଲିଲୁଆ ପରି ଜାଗାରେ ରହି ତାରା ଯାହା ପଢ଼ିବ ତାହା ଜଣା ଅଛି । ସେସବୁ କଥା ଛାଡ଼ । ଯଦି ନିହାତି ପଢ଼ିବା କଥା, ତେବେ କଲିକତାରେ ରହ । ଏଠାରେ ବହି ନୋଟ୍ ସୁବିଧାରେ ମିଳିବ । କିଛି କଷ୍ଟ ହେବନାହିଁ ।”

 

ତାରା କହିଲା–ଲିଲୁଆ କଲିକତାରୁ କେତେବାଟ ଯେ ମୁଁ ଆସି ବହି ନୋଟ୍ ନେଇଯାଇପାରିବି ନାହିଁ ? ଲିଲୁଆରେ କିନ୍ତୁ ଯାହା କହ, ମୁଁ ବଢ଼ିଆ ଡେରାଟାଏ ପାଇଛି । ସେଠାରେ ଓକାଲତି ପାଠ କିବା କଥା, ସାଧନା କରି ବସିଲେ ସିଦ୍ଧିଲାଭ କରିପାରିବା କିଛି ବିଚିତ୍ର କଥା ନୁହେଁ ।

 

ସମସ୍ତେ ହସିଲେ । କଥା ହେଲା, ତାରା ମଝିରେ ମଝିରେ କଲିକତା ଆସି ତାହାର ଦରକାରୀ ବହି ନୋଟ୍ ନେଇଯିବ ।

 

ଜୁନ୍ ସରି ଜୁଲାଇ ଆରମ୍ଭ ହୋଇଥାଏ । କଲିକତାରେ ଅବିରାମ ବର୍ଷା । ତା’ପରେ ଲିଲୁଆପରି ନିଛାଟିଆ ମଫସଲି ସହର । କିଛିଦିନ ପରେ ତାରା ଯେପରି ଅଣନିଃଶ୍ଵାସୀ ହୋଇଗଲାପରି ମନେକଲା । କୁଆଡ଼େ ପଳେଇବାକୁ ଇଚ୍ଛାକଲା । ଉଡ଼ା ଚଢ଼େଇ ସିଏ । ପିଞ୍ଜରା ତାକୁ ମୋଟେ ଆରୋଉ ନଥାଏ । ଭାରତର ପୂର୍ବ ସୀମାନ୍ତରେ ସେତେବେଳକୁ ଯୁଦ୍ଧର ଘନଘଟା ପ୍ରବଳ ହୋଇଥାଏ । ଜାପାନ ସେତେବେଳକୁ ଯୁଦ୍ଧରେ ଯୋଗଦେଲାଣି, ବ୍ରିଟିଶ ଆମେରିକା ପ୍ରଭୃତି ଚକ୍ରଶକ୍ତିଙ୍କ ବିରୁଦ୍ଧରେ । ଗୋଟିକପରେ ଗୋଟିଏ ଦେଶ ଜୟକରି ସେମାନେ ସୁଦୂରପ୍ରାଚ୍ୟରେ ଇଂରେଜଙ୍କର ପ୍ରଧାନ ବାଣିଜ୍ୟକେନ୍ଦ୍ର ତଥା ଉପନିବେଶଗୁଡ଼ିକ ଉପରେ ଚଢ଼ାଉ ଆରମ୍ଭ କଲାଣି । ଜାପାନୀ ଆକ୍ରମଣର ବିଭୀଷିକାରେ ଇଂରେଜ ତ୍ରସ୍ତ । ଜାପାନୀ ଆକ୍ରମଣକାରୀଙ୍କ କ୍ରୂରତା ଓ ନୃଶଂସତା ସେତେବେଳେ ସମସ୍ତଙ୍କର ଆଲୋଚନାର ବସ୍ତୁ ହୋଇଥାଏ । ଅସମ୍ଭବପ୍ରକାର ଗୁଜବ ପ୍ରଚାର ଫଳରେ ଲୋକେ ଆତଙ୍କିତ ହୋଇପଡ଼ୁଥାନ୍ତି । କଲିକତା ଛାଡ଼ି ବହୁଲୋକ ପଳେଇଯାଉଥାନ୍ତି । ଦାଦା ପ୍ରତିଦିନ କାମରୁ ଫେରି ପ୍ରତି ରାତିରେ ତାରା ସହିତ ସେଦିନର ତଟକା ଶୁଣିଥିବା ଗୁଜବ ସମ୍ବନ୍ଧରେ ଆଲୋଚନା କରନ୍ତି । ଦାଦା ପିଲାପିଲିଙ୍କୁ ଆଗରୁ ଗାଁକୁ ପଠେଇଦେଇଥିଲେ ମଧ୍ୟ ଶାନ୍ତିରେ ରହିପାରୁ ନଥାନ୍ତି ।

 

କଂଗ୍ରେସର ବହୁନେତା ଓ କର୍ମୀ ବ୍ୟକ୍ତିଗତ ସତ୍ୟାଗ୍ରହ କରି ଜେଲ ଭୋଗୁଥିଲେ ମଧ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନେ ବାହାରେ ଥାଆନ୍ତି । ଅଗଷ୍ଟ ମାସ ୮ ତାରିଖରେ ବମ୍ବେଠାରେ ନିଖିଳ ଭାରତ କାର୍ଯ୍ୟକାରୀ କମିଟିର ବୈଠକ ବସିଥାଏ । ବହୁ ଆଲୋଚନାପରେ ସେଠାରେ ଗାନ୍ଧିଜୀଙ୍କ ଉପସ୍ଥିତିରେ ପ୍ରସ୍ତାବ ଗୃହୀତ ହେଲା ଯେ ଇଂରେଜମାନଙ୍କୁ ଭାରତ ଛାଡ଼ି ଚାଲିଯିବାକୁ କୁହାଯିବ । ଗାନ୍ଧିଜୀଙ୍କ ମୁହଁରୁ ଏହିଠାରେ ପ୍ରଥମଥରପାଇଁ ନିର୍ଦ୍ଦେଶ ମିଳିଲା ‘କର ବା ମର’ । ଏ ପ୍ରସ୍ତାବ ଗ୍ରହଣ ହେବାର ପରେ ପରେ ଇଂରେଜ ସରକାର କାର୍ଯ୍ୟକାରୀ କମିଟିର ସମସ୍ତ ସଭ୍ୟମାନଙ୍କୁ ବମ୍ବେରୁ ଗିରଫ୍‍କରି ପୁନାକୁ ନେଇଆସିଲେ ଓ ସମସ୍ତଙ୍କୁ ଆଗାଖାଁ ପ୍ରାସାଦରେ ବନ୍ଦୀକରି ରଖିଲେ ।

 

ଗାନ୍ଧିଜୀଙ୍କର ରଣ ଆହ୍ଵାନ ବିଦ୍ୟୁତବେଗରେ ସମଗ୍ର ଦେଶର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ବ୍ୟାପିଗଲା । ରାତି ପାହିଲାବେଳକୁ ବିଦ୍ୟୁତବେଗରେ ଗାନ୍ଧିଜୀଙ୍କର ‘କର ବା ମର’ ଧ୍ଵନରେ ଦେଶର ସବୁପ୍ରାନ୍ତ କମ୍ପିଉଠିଲା । ଯେଉଁଠି ଯେତେ ନେତା ଥିଲେ ଇଂରେଜ ସରକାର ସେମାନଙ୍କୁ ଦିନେ ଦୁଇଦିନ ମଧ୍ୟରେ ଜେଲକୁ ନେଇଗଲେ । ଆନ୍ଦୋଳନ ଚଳେଇ ରଖିବା ସକାଶେ ନେତାମାନଙ୍କୁ ଯଥାସମ୍ଭବ ଆତ୍ମଗୋପନ କରି ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିପରି ଯେ ଏ ନିର୍ଦ୍ଦେଶ ଦିନକ ଭିତରେ ଭାରତର ଏ ପ୍ରାନ୍ତରୁ ସେ ପ୍ରାନ୍ତ ପର୍ଯ୍ୟନ୍ତ ଚାଲିଗଲା କେହି କଳ୍ପନା କରିପାରିଲେ ନାହିଁ । ଆନ୍ଦୋଳନର ଗତି ଓ ପନ୍ଥା କିପରି ହେବ ନିର୍ଦ୍ଦେଶ ଦେବାକୁ କେହି ନାହିଁ । ପ୍ରତ୍ୟେକେ ନେତା, ପ୍ରତ୍ୟେକେ କର୍ମୀ ।

 

ଇଂରେଜ ସରକାରଙ୍କ ଶାସନକଳକୁ କିପରି ଅକାମୀ କରିଦିଆଯିବ ଏହି ହେଲା ଆକ୍ରମଣର ମୁଖ୍ୟ ଲକ୍ଷ୍ୟ । ଦେଶର ଅଗଣିତ ଯୁବବାହିନୀ ଗାନ୍ଧିଜୀଙ୍କର ଏ ଚରମ ଧ୍ଵନିର ଜବାବ ଦେବାପାଇଁ ଦୃଢ଼ପରିକର ହୋଇଉଠିଲେ । ୧୯୨୧ ମସିହା ପରଠାରୁ ଦେଶର ଲକ୍ଷ ଲକ୍ଷ ଯୁବକଙ୍କର ଉଦ୍‌ବେଳିତ ଯୌବନ ଯେପରି ଏକ ଡାକପାଇଁ ପ୍ରତୀକ୍ଷାକରି ରହିଥିଲା–ତୃଷିତ ଚାତକପରି ।

 

କିନ୍ତୁ ବଡ଼ ଅବେଳାରେ ଡାକ ଦେଲେ ଗାନ୍ଧିଜୀ । ଯୁଦ୍ଧଯୋଗୁଁ ସାରା ଭାରତବର୍ଷଟା ସେତେବେଳେ ଗୋଟାଏ ଅସ୍ତ୍ରାଗାରରେ ପରିଣତ ହୋଇଥାଏ । ବ୍ରିଟେନ୍ ଆମେରିକା ସୈନ୍ୟବାହିନୀ ଛଡ଼ା ସମସ୍ତ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଅକ୍ଷଶକ୍ତିର ମିତ୍ରଦେଶମାନଙ୍କରୁ ହଜାର ହଜାର ସୈନ୍ୟ ଭାରତର ଏ ମୁଣ୍ଡରୁ ସେ ମୁଣ୍ଡଯାଏଁ ଭରିରହିଥାନ୍ତି; କିନ୍ତୁ ଏ ସବୁକୁ ବିଚାର କରି ଆନ୍ଦୋଳନ ପାଇଁ ଡାକରା ଦେବାକୁ ବେଳ ନଥିଲା । ଏ ଡାକରା ସ୍ଵତଃସ୍ଫୂର୍ତ୍ତ ।

 

ଏହି ଡାକରାପାଇଁ ତାରା ଯେପରି ଯୁଗ-ଯୁଗ ଧରି ଅପେକ୍ଷା କରି ବସିଥିଲା । କଲିକତାରୁ ତା’ର ଡେରା ଉଠିଲା । କଲିକତା ବନ୍ଧୁଙ୍କର ଶତ ଅନୁରୋଧକୁ ଉପେକ୍ଷାକରି ସେ ଓଡ଼ିଶା ଅଭିମୁଖେ ଯାତ୍ରାକଲା । କଲିକତାରେ ହୁଏତ ଶହ ଶହ ସଂଖ୍ୟାରେ ଏ କାମ କରିବାକୁ ଲୋକେ ଆଗେଇ ଆସିବେ; କିନ୍ତୁ ଓଡ଼ିଶାରେ ଏ କାମ କରିବ କିଏ ?

 

ଏକୋଇଶ

 

କଟକ ଆସିବା ବାଟରେ ରେଳରୁ ସେ ଦେଖି ଦେଖି ଆସୁଛି ଗାନ୍ଧିଜୀଙ୍କର ଏ ଆହ୍ଵାନର ପ୍ରତିକ୍ରିୟା । ରେଳ ଆସି ପ୍ରାୟ ଓଡ଼ିଶା ସୀମାରେ ପହଞ୍ଚିଲାବେଳକୁ ଭୋର ହେଲା । ସେ ପାସେଞ୍ଜର ଟ୍ରେନ୍‌ରେ ଆସୁଥାଏ । ଟ୍ରେନ୍‍ର ରହଣି ସବୁ ଷ୍ଟେସନ୍‍ରେ । ସବୁ ବଡ଼ବଡ଼ ଷ୍ଟେସନ୍‍ରେ ସେ ଦେଖିବାକୁ ପାଉଥାଏ ପଞ୍ଝା ପଞ୍ଝା ହୋଇ ଲୋକ ଷ୍ଟେସନ୍‍ ପ୍ଲାଟ୍‍ଫର୍ମ୍‍ର ଲୁହାବାଡ଼ା ସେ ପାଖରେ ଜାତୀୟପତାକାର ଚିତ୍କାର ଆରମ୍ଭ କରିଦେଇଥାନ୍ତି । ତାରାର ମନେହେଉଥାଏ, ସେ ରେଳରୁ ଓହ୍ଲେଇଯାଇ ସେମାନଙ୍କ ସାଙ୍ଗରେ ମିଶିଯାନ୍ତା; କିନ୍ତୁ ମନକୁ ଖୁବ୍ ସମ୍ଭାଳି ରଖି ସେ ଆସୁଥାଏ, କାରଣ ସବୁସ୍ଥାନ ତା’ପାଇଁ ହୁଏତ ଉପଯୁକ୍ତ କ୍ଷେତ୍ର ନୁହେଁ । ସେ ସ୍ଥାନର ଲୋକବାକ କଥା ବାଟଘାଟ ସବୁ ତାକୁ ଅଜଣା । ତେଣୁ ସେ ଭାବୁଥାଏ ସେମାନଙ୍କ ସହିତ କାମ କରିବା ହୁଏତ ସୁବିଧାଜନକ ନ ହୋଇପାରେ ।

 

ତାରା ଏ ଦୃଶ୍ୟ ଦେଖିବନାହିଁ ବୋଲି ସ୍ଥିରକଲା । ବେଞ୍ଚ୍‍ରେ ଶୋଇଗଲା । ଶୋଇ ଶୋଇ ଚିନ୍ତାକଲା କଟକରେ ଓହ୍ଲେଇ କ’ଣ କରିବ, କୁଆଡ଼େ ଯିବ ? ଆଗେ ବସାକୁ ଯିବ । ବସାରେ କିଏ ଥିବ ? ବାପା ଥିବେ କି ନାହିଁ । ଥିଲେ ତାଙ୍କୁ କ’ଣ କହିବ । ସେ କଲିକତା ଯିବାକଥା ବାପା ବୋଧହୁଏ ଭାଇଙ୍କ ଚିଠିରୁ ଜାଣିଥିବେ । କଲିକତାରୁ କାହିଁକି ପଳେଇଆସିଲୁ ବୋଲି ବାପା ପଚାରିଲେ ତା’ର ଉତ୍ତରପାଇଁ ତାରାକୁ ଚିନ୍ତିତ ହେବାକୁ ପଡ଼ିବନାହିଁ । ସେ କହିବ, କଲିକତାରେ ଧନଜୀବନ ଆଦୌ ନିରାପଦ ନୁହେଁ । ବାପା ହୁଏତ ଏହା ଶୁଣି ଖୁସି ହେବେ; ପଳେଇଆସି ଭଲ କରିଛି ବୋଲି କହିବେ । ପୁଣି କହିବେ ଗାଁକୁ ଯାଇ ବୁଲି ଆସିବାକୁ । କାରଣ ତାରା କଟକ ଛାଡ଼ିଲାବେଳେ କାହାକୁ ନକହି ନବୋଲି ଚାଲିଯାଇଥିଲା । ହଁ, ଗାଁକୁ ଯିବାଟା ଭଲ ହେବ । ସେଇଠି ଯାହା କିଛି କରାଯିବ । କଟକରେ ସାଙ୍ଗମାନେ ସବୁ ଜେଲରେ ପଡ଼ିଛନ୍ତି; ତାଙ୍କ ଭିତରୁ ଯାହା ଜିତେନ୍ କେବଳ ବାହାରେ ଅଛି । ଜିତେନ୍ ତ ମାର୍କାମରା । ହୁଏତ ଏ ଗୋଳମାଳ ଆରମ୍ଭ ହେଉ ହେଉ ତାକୁ ପୂରେଇଦେବଣି ଜେଲ ଭିତରେ । ସେ ଆସିବା ଜଣାପଡ଼ିଲେ ତା’ର ମଧ୍ୟ ସେହି ଦଶା ହେବ । ଏମିତି କେତେକଅଣ ଭାବୁ ଭାବୁ ରେଳ ଆସି ମହାନଦୀ ପୋଲଉପରେ ପଡ଼ିବାରୁ ସେ ଉଠି ବସିଲା । ସବୁ ଚିନ୍ତା ତା’ର ଶେଷ ହୋଇଗଲା ।

 

ଦିନ ସେତେବେଳକୁ ଦୁଇଟା ହେବ । ତାରାର ଅସୁମାରି ଚିନ୍ତାଧାରା ସାଙ୍ଗକୁ ଯେମିତି ଅସରନ୍ତି ବର୍ଷାଧାରା ଆରମ୍ଭ ହୋଇଯାଇଛି । କଟକ ଷ୍ଟେସନ୍‍ ପ୍ଲାଟ୍‍ଫର୍ମ୍ ଉପରେ ସେତେବେଳେ ଛାତ ନଥାଏ । ଗାଡ଼ିରୁ ଓହ୍ଲେଇଲେହିଁ ପ୍ରବଳ ବର୍ଷାରେ ତାକୁ ତିନ୍ତିବାକୁ ହେବ । ଯାହାହେଉ ଭଲ ହେଇଛି । ବିଛଣା ଭିତରୁ ଗୋଟାଏ ଚଦର ବାହାରକଲା । ତା’ର ମାଲ କହିଲେ ସୁଟକେଶଟିଏ ଆଉ ବିଛଣାଟିଏ । ଏ ସାମାନ୍ୟ ଜିନିଷପାଇଁ ସେ ଭଲ ଦିନେ ମଧ୍ୟ କୁଲି ଡାକି ନାହିଁ । ଆଜି କୁଲିର ଦରକାର ନାହିଁ । ଦରକାର ଥିଲେ ମଧ୍ୟ କେଉଁ କୁଲି ଏ ବର୍ଷାରେ ଗାଡ଼ିପାଖକୁ ଆସୁଛି ? ଗାଡ଼ି ଆସି ଠିଆହୋଇଗଲା କଟକ ଷ୍ଟେସନ୍‍ରେ । ତାରା ଗାଡ଼ିର ଆଗ ଡବାରେ ଥିଲା । ତେଣୁ ସେ ଠିକ୍ କଲା, ଆଉ ବଡ଼ଫାଟକବାଟେ ନଯାଇ ଦକ୍ଷିଣ ପାଖଦେଇ ସିଧା ରାସ୍ତାକୁ ବାହାରିଯିବ । ହୁଏତ ଏ ବର୍ଷାରେ ସେଠାରେ ଟିକଟ ମାଗିବାକୁ କେହି ନଥିବେ । ଥିଲେ ମଧ୍ୟ ଚିନ୍ତା ନାହିଁ; ତା’ ପାଖରେ ଟିକଟ ଅଛି, ଦେଇ ଚାଲିଯିବ । ଏହା ସ୍ଥିରକରି ତାରା ବେଡ଼ିଙ୍ଗ୍‍ଟିକୁ କାଖରେ ଜାକି ସୁଟକେଶଟାକୁ ଆର ହାତରେ ଲଟକେଇ ମୁଣ୍ଡଠାରୁ ଆଣ୍ଠୁ ପର୍ଯ୍ୟନ୍ତ ସେ ଲମ୍ବ ଚାଦରଟାକୁ ଘୋରି ହୋଇ ବାହାରିପଡ଼ିଲା । ଯାହାହେଉ ଭଗବାନ କୁଆଡ଼ୁ ଆଣି ଏ ବର୍ଷାକୁ ପହଞ୍ଚେଇଛନ୍ତି; ନହେଲେ ଦିନ ଦିପହରେ ଏପରି ଘୋଡ଼େଇ ହୋଇ ଯାଇଥିଲେ, ସନ୍ଦେହ ନକରୁଥିବା ଲୋକ ସନ୍ଦେହ କରନ୍ତେ, ପୁଲିସବାଲାଙ୍କ କଥା ତ ଛାଡ଼ । ତେଣୁ ଏ ବର୍ଷା ଯୋଗୁଁ ତା’ର ବଡ଼ ସୁବିଧା ହେଲା । ଏ ପ୍ରବଳ ବର୍ଷାରେ ଆଗ ଫାଟକରେ ତାକୁ ଟିକଟ ମାଗୁଛି କିଏ ? ସେ ସେହି ଅବସ୍ଥାରେ ଷ୍ଟେସନ୍‍ ବାହାରକୁ ଆସି ଗୋଟାଏ ରିକ୍ସାକୁ ଅପେକ୍ଷା କଲା । ଏ ବର୍ଷାରେ ରିକ୍ସା ମଧ୍ୟ ଦେଖାଗଲାନାହିଁ । ଏତିକିବେଳେ ଗୋଟାଏ ଘୋଡ଼ାଗାଡ଼ି ସେ ବାଟେ ଯାଉଥିଲା । କଚୁଆନ ବାଁ ହାତରେ ଛତାଟାଏ ଧରି ଡାହାଣହାତରେ ଥିବା ଚାବୁକ୍‍ରେ ଦଳଖିଆ ଲେଙ୍ଗେଡ଼ା ଘୋଡ଼ା ଦି’ଟାଙ୍କୁ ‘ସପାତ୍‌’ ‘ସପାତ୍‌’ ପାହାର ଚଳେଇଛି । ଗୋରା ତାକୁ ହାତ ଦେଖେଇଲାରୁ ସେ ଲଗାମ ଟାଣି ଗାଡ଼ିଟାକୁ ଅଟକେଇଲାମାତ୍ରେ ତାରା ଯାଇ ଗାଡ଼ିରେ ଚଢ଼ିଗଲା–କେତେ ନବ, କୁଆଡ଼କୁ ନବ କିଛି ନକହି । ଭିତରୁ କହିଲା ‘ଚଲ କାଠଗଡ଼ା ସାହି’ । ଗାଡ଼ି ଭିତରେ ବସି ତାରା ଓଢ଼ଣୀ ତଥା ରକ୍ଷାକାରୀ ମୋଟା ଚଦରଟାକୁ କାଢ଼ି ଆଗ ସିଟ୍‌ରେ ରଖିଲା ଓ ଗାଡ଼ି ଦୁଆର ବନ୍ଦକରି ନିଶ୍ଚିନ୍ତ ହେଲା ।

 

ଯାହାହେଉ ଭଲରେ ଭଲରେ ବଡ଼ ଘାଟିଟାଏ ପାରହୋଇ ଆସିଲା । ତେଣିକି ରାତି ନହେବା ପର୍ଯ୍ୟନ୍ତ ସେ ଆଉ ଘରୁ ପଦାକୁ ନବାହାରେ । ଏ ବର୍ଷାଯୋଗୁଁ ବାହାରିବା ମଧ୍ୟ ସମ୍ଭବ ନୁହେଁ । ଗାଡ଼ି ଭିତରେ ଭାବୁଥାଏ, ବସାରେ କିଏ ଥିବ କି ନାହିଁ । ବାପା, ମଦନ ତ କଚେରି ଯାଇଥିବେ । ଜଗା ଆଜିକାଲି ଅଛି କି ନାହିଁ, ତାରା ସେ ଖବର ଏ ତିନିମାସ ଭିତରେ ଆଉ ରଖିନାହିଁ । ଯାହାହେଉ ସେ ଆଗ ବସା ବାରଣ୍ଡାରେ ପହଞ୍ଚୁ । ରାସ୍ତା ତ ନୁହେଁ, ନାଲିପାଣିର ନାଳଭିତରେ ଘୋଡ଼ା ଦି’ଟା ଯେପରି ଠିଆପହଁରାଦେଇ କଚୁଆନର ପିଚ୍‍ପିଚ୍ ଚାବୁକ୍‍ମାଡ଼ ଖାଇ ଗାଡ଼ିଟାକୁ ନେଇ ବସା ପାଖାପାଖି ଆଣି ପହଞ୍ଚେଇବାରୁ ତାରା ଖିଡ଼ିଖିଡ଼ି ଭିତରୁ ନିଜ ବସା ଦୁଆରମୁହଁରେ ଗାଡ଼ି ଅଟକେଇବାକୁ କହିଲା । ଯୋଗ ଭଲ । କବାଟରେ ବାହାରୁ ତାଲା ନପଡ଼ି ଭିତରୁ ବନ୍ଦ ଅଛି । ଘର ସାମନାରେ ଆଣ୍ଠିଏ ପାଣିର ସୁଅ । ତାରା ସେ ସବୁକୁ ଖାତିର ନକରି ଚଟି ସହିତ ବାରଣ୍ଡା ଉପରକୁ ଉଠିଯାଇ କବାଟ ଧଡ଼ଧଡ଼ କଲା । କଚୁଆନ ସେତେବେଳକୁ ଓହ୍ଲେଇ ତାରାର ବିଛଣା ଓ ସୁଟକେଶକୁ ଆଣି ବାରଣ୍ଡାରେ ରଖିଲାଣି । ତାରା ପକେଟରୁ ଟଙ୍କାଟିଏ କାଢ଼ି ତାକୁ ଦେଲା । ଅତି ବେଶି ଦଶଅଣା ଜାଗାରେ ବର୍ଷାଯୋଗୁଁ ତାକୁ ଟଙ୍କାଟାଏ ମିଳିଗଲା । ତା’ ଭାଗ୍ୟବି ଭଲ । ସବାରି ନପାଇ ମନଦୁଃଖରେ ବିଚାରା ଘରକୁ ଫେରୁଥିଲା । ଭଲ ସବାରିଟିଏ ମିଳିଗଲା ତା’ ଭାଗ୍ୟକୁ । ସଲାମଟି ଠୁଙ୍କି ଗାଡ଼ି ଉପରକୁ ଉଠିଲା । ସେତେବେଳକୁ ଜଗୁ କବାଟ ଫିଟେଇ ତାରାବାବୁଙ୍କୁ ଗୋଡ଼ଠାରୁ ମୁଣ୍ଡଯାଏଁ କାବା ହୋଇ ଅନେଇଛି । “ଆରେ ଅନୋଉଛୁ କ’ଣ-? ସୁଟକେଶ ବିଛଣା ଆଣି ଜଲଦି କବାଟ ବନ୍ଦକର । ଥଣ୍ଡାରେ ମଣିଷ ଥରିଗଲାଣି । “ଜଗୁ ଜିନିଷ ଘର ଭିତରକୁ ଆଣି କବାଟ ବନ୍ଦକଲା । ଓଦା ଚଟିହଳକୁ ମେଲା ଘର ଖଟ ପାଖରେ ପକେଇ ତାରା ଘର ଭିତରେ ପଶିଲା । ଲୁଗାପଟା ବଦଳେଇ ଗୋଡ଼ହାତ ଧୁଆଧୋଇକରି ଖଟ ଉପରେ ବସି ତା’ ଯିବା ପରେ ବାପା କ’ଣ କହିଲେ, ଗାଁରେ ବୋଉ ଅନ୍ୟମାନେ କ’ଣ କହିଲେ, ସବୁ ପଚାରିଲା । ଜଗୁ ତାଙ୍କ ଗାଁର ପିଲା । ସେ ଗଲାପରେ ଆଉ କିଏ କିଏ ତାକୁ ଖୋଜିବାକୁ ଆସିଥିଲେ, ଏସବୁ କଥା ତାରା ତାକୁ ପଚାରିଗଲା ।

 

ଏତିକିବେଳେ ନାନୁବାବୁ ଜୋତା ଦୁଇଟାକୁ ହାତରେ ଧରି ଛତାଟାକୁ ବାହାରେ ଥୋଇ ଆସି ପହଞ୍ଚିଲେ । ବର୍ଷାର ବେଗ କମିଲେ କ’ଣ ହେବ, ରାସ୍ତାରୁ ବର୍ଷାପାଣିର ସୁଅ କମି ନଥାଏ । ଘର ଭିତରେ ତାରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ : ‘ଚିଠି ପତ୍ର ନାହିଁ ହଠାତ୍ ।’ ତାରା ଏପରି ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ଆଗରୁ ଠିକଣାକରି ରଖିଥିଲା । ନାନୁବାବୁ ଜାଣିଥିଲେ ତାରା ଟାଟାରୁ କଲିକତା ଯାଇ ସେଠାରେ ଆଇନ ପରୀକ୍ଷାପାଇଁ ପ୍ରସ୍ତୁତ ହେଉଛି; କିନ୍ତୁ ତାରାଠାରୁ ଗତ ଦୁଇଦିନ ଭିତରେ କଲିକତାର ହାଲ୍ ଶୁଣି ତାରା ପଳେଇଆସିଥିବାରୁ ସେ ମନେମନେ ଖୁସି ହେଲେ । ସେ ତାରା ସହିତ ଖୁବ୍ କମ୍ କଥାବାର୍ତ୍ତା କରନ୍ତି । ଖାଲି କହିଲେ, “କାଲି ଯାଇ ଗାଁ ଆଡ଼ୁ ଟିକିଏ ବୁଲିଆ-।’ ତାରା ମଧ୍ୟ ଏପରି ପ୍ରସ୍ତାବ ଆସିବ ବୋଲି ଆଗରୁ ଜାଣିଥିଲା ।

 

ବର୍ଷା ଛାଡ଼ିଯାଇଥାଏ । ଜହ୍ନ ବେଶ୍ ଫର୍ଚ୍ଚା ହୋଇ ପଡ଼ିଥାଏ । ନିକଟରେ ଝୁଲଣ ପୁନେଇଁ ପଡ଼ିବ ବୋଧହୁଏ । ତାରା ସାଇକଲ୍‍ଟାକୁ କାଢ଼ି ବାହାରିପଡ଼ିଲା ବଜାର ଆଡ଼େ । ମୁଣ୍ଡରେ ଗୋଟାଏ ମଫଲର । ସ୍ୱରାଜ୍ୟାଶ୍ରମ ବାଟଦେଇ ଯାଉଁ ଯାଉଁ ଦେଖିଲା, ସେ ସବୁ ଶୂନଶାନ୍ । ଜିତେନ୍ ଘରେ ପହଞ୍ଚି ବୁଝିଲା ଯେ ଜିତେନ୍ ଧରାହୋଇ ନାହିଁ; କିନ୍ତୁ ଦୁଇଦିନ ହେବ ତା’ର କୌଣସି ପତ୍ତା ମିଳୁନାହିଁ; ବୋଧହୁଏ ମେଡ଼ିକାଲ ହଷ୍ଟେଲ୍‍ରେ ଥିବ । କେବେ ଯେ ସେ ଘରେ ରହେ ତା’ର ଠିକଣା ନଥାଏ । ତାରା ମେଡ଼ିକାଲ ହଷ୍ଟେଲ୍‍ ଆଡ଼େ ସାଇକଲ୍ ଚଳେଇଲା । ଓଡ଼ିଶାରେ ଆନ୍ଦୋଳନର ଗତିବିଧି ବିଷୟରେ ନ ଜାଣିବା ପର୍ଯ୍ୟନ୍ତ ଗୋଟାଏ କାର୍ଯ୍ୟପନ୍ଥା ସ୍ଥିରକରିବା ତାରା ପକ୍ଷେ ସମ୍ଭବପର ହେଉ ନଥାଏ । ତାରା ଯାଇ ମେଡ଼ିକାଲ ହଷ୍ଟେଲ୍‍ର ଉପରମହଲାକୁ ଉଠିଲା । ଜିତେନ୍ ଓ ତା’ର କେତେଜଣ ସାଙ୍ଗଙ୍କର ଆଡ଼୍ଡ଼ା ଦେବାର ଗୋଟିଏ ସ୍ଵତନ୍ତ୍ର କୋଠରି ଥାଏ । ସିଡ଼ିରେ ଉଠି ତାରା ସେ କୋଠରି ଆଡ଼େ ମୁହିଁଲା । ତାରାର ଚିହ୍ନା-ମୁହଁ; କିନ୍ତୁ ମୁଣ୍ଡରେ ମଫଲର ଥିବାରୁ କେହି ତାକୁ କିଛି ପଚାରିଲେ ନାହିଁ । ତାରା ଜିତେନ୍‌କୁ ଏକୁଟିଆ ସେଠାରେ ପାଇଲା । ଦୁହେଁ ଭିତରୁ କବାଟ ଦେଇ ବସିଗଲେ ।

 

ତାରା ଜିତେନ୍ ପାଖକୁ ଡାକରେ ଚିଠି ଦେଇନାହିଁ । ଜିତେନ୍ ମଧ୍ୟ ତାରାକୁ ଚିଠି ଦେଇନାହିଁ । ସେମାନେ ଜାଣନ୍ତି ଚିଠି ଡାକରେ ଗଲେ ତା’ର ସମସ୍ତ ବୃତ୍ତାନ୍ତ ପୋଲିସ୍‍କୁ ଜଣାପଡ଼ିଯିବ; ଏପରିକି ଦରକାର ହେଲେ ଚିଠିର ଫଟୋ ମଧ୍ୟ ଉଠାଇନିଆଯିବ । ତେଣୁ ସେ ବିଷୟରେ ସମସ୍ତେ ଆଗରୁ ସତର୍କ ଥାନ୍ତି । କିନ୍ତୁ ବିଭିନ୍ନ ସୂତ୍ରରୁ ପରସ୍ପର ପରସ୍ପରର ଟିକିନିଖି ଖବର ପର୍ଯ୍ୟନ୍ତ ରଖିଥାନ୍ତି । ଏ ଖବର ପଠେଇବାର ସ୍ଵତନ୍ତ୍ର ବ୍ୟବସ୍ଥା ଥାଏ । ଏପରିକି ସୋମ, ଶ୍ରୀକାନ୍ତ ପ୍ରଭୃତି ଜେଲରେ ଥାଇ ମଧ୍ୟ ଟଙ୍କା-ପଇସା ବହିପତ୍ର ପ୍ରଭୃତି ରୀତିମତ ବାହାରୁ ପାଆନ୍ତି । ସେଥିପାଇଁ ଅବଶ୍ୟ ସାମାନ୍ୟ କିଛି ଅଧିକା ଖର୍ଚ୍ଚ କରିବାକୁ ପଡ଼େ । କଲିକତା ଓ କଟକ ଖବର ଅଳ୍ପ ସମୟ ପର୍ଯ୍ୟନ୍ତ ଦବାନବା ହେବାପରେ କଟକରେ ଆନ୍ଦୋଳନପାଇଁ କ’ଣ ବ୍ୟବସ୍ଥା ହୋଇଛି, ତାରା ଜିତେନ୍‌ଠାରୁ ବୁଝିବାକୁ ଚାହିଁଲା । ଜିତେନ୍ କେବଳମାତ୍ର ଏତିକି କହିଲା, “ଆନ୍ଦୋଳନପାଇଁ ନିର୍ଦ୍ଦେଶ ଦେବାକୁ କେହି ନାହିଁ । ଏ ଆନ୍ଦୋଳନରେ ପ୍ରତ୍ୟେକ ପ୍ରତ୍ୟେକଙ୍କର ନେତା । ତେବେ ମୋଟଉପରେ ବ୍ରିଟିଶ ଶାସନକଳକୁ ଅଚଳ କରିଦେବାକୁ ହେବ; ରେଳ ଚଳାଚଳ ବନ୍ଦ କରିବାକୁ ହେବ; ଡାକଘର, ପୁଲିସଥାନା ଏସବୁକୁ ପୂରାମାତ୍ରାରେ ଅକାମୀ କରିଦେବାକୁ ହେବ । ପୂର୍ବ ଆନ୍ଦୋଳନମାନଙ୍କ ପରି ସତ୍ୟାଗ୍ରହ କରି ଏ କାମ ହୋଇପାରିବ ନାହିଁ । ତେଣୁ ଯେକୌଣସିମତେ କାର୍ଯ୍ୟ ହାସଲ କରିବାକୁ ହେବ । ‘କର ବା ମର’ ହେଲା ଗାନ୍ଧିଜୀଙ୍କ ଏଥର ଆନ୍ଦୋଳନର ଧ୍ଵନି ।”

 

“ତାରା କହିଲା, ମୁଁ ସେ ସବୁ ବୁଝୁଛି । ମୋର ବିଶ୍ଵାସ, ଏ ଆନ୍ଦୋଳନକୁ ସହରରେ ମୋଟେ ନକରି ଆଗ ଗାଁଗହଳିରୁ ଆରମ୍ଭ କରିବା ।” ‘‘ସେହି ସକାଶେ ତ ମୁଁ ଆଗରୁ କହିଛି, ଏ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାର ଦାୟିତ୍ଵ ଆନ୍ଦୋଳନକାରୀଙ୍କର । ଏଥିପାଇଁ ନିର୍ଦ୍ଦେଶ ଦେବାକୁ କେହି ନାହାନ୍ତି । ନିଜେ ନିଜର ନେତା ହେବାକୁ ପଡ଼ିବ ।”

 

“ଆନ୍ଦୋଳନପାଇଁ ଗୋଟିଏ ସୁପରିକଳ୍ପିତ ଯୋଜନା ନକଲେ ହୁଏତ ପରିଚାଳନାଗତ ତ୍ରୁଟି ଯୋଗୁଁ ବହୁ ବିଭ୍ରାଟ ଉପୁଜିବ ।”

 

“ବିଭ୍ରାଟ ଘଟେଇବା ତ ଏ ଆନ୍ଦୋଳନର ମୂଳ ଲକ୍ଷ୍ୟ । ଆମର କାମ ହେଲା ଲୋକଙ୍କୁ ତତେଇବା । ଲକ୍ଷ୍ୟ ହେଲା ସରକାରୀ କଳକୁ ଅଚଳ କରିବା । ଏଥିପାଇଁ ‘କର ବା ମର’ ଧ୍ଵନି ଦେଇ ଜୀବନ ପଣ କରିବାକୁ ହେବ ।”

 

“ଆରେ ! ମୁଁ କ’ଣ ସେକଥା ବୁଝୁନାହିଁ । ତେବେ ଗୋଟାଏ ନିର୍ଦ୍ଦିଷ୍ଟ କାମ କରିବାକୁ ତ ଲୋକଙ୍କୁ ବୁଝେଇବାକୁ ହେବ । ମୁଁ କାଲି ସକାଳ ହେବା ପୂର୍ବରୁ ଗାଁକୁ ଯାଉଛି । ମଫସଲରେ ସରକାରୀ ଅନୁଷ୍ଠାନ କହିଲେ, ପୁଲିସଥାନା, ଡାକ-ତାର ଅଫିସ୍ ଏହି ସବୁ । ବର୍ଷାଦିନ । କାଠଯୋଡ଼ି ମହାନଦୀରେ ବଢ଼ିପାଣି ଭର୍ତ୍ତିହୋଇଛି । କଟକଠାରୁ ଜଗତସିଂହପୁର ହେଉ, ଜୟପୁର ହେଉ, ଗାଡ଼ି ମଟର ଯିବାପାଇଁ ଗୋଟିଏ ମାତ୍ର ରାସ୍ତା । ସେ ରାସ୍ତାକୁ କଟକଠାରୁ କନ୍ଦରପୁର ମଧ୍ୟରେ ପାଞ୍ଚ ସାତ ଜାଗା କାଟି ଏକେବାରେ ଅକାମୀ କରିଦେବାକୁ ହେବ । ତା’ପରେ ସେ ଅଞ୍ଚଳରେ ଥିବା ଥାନା, ଡାକଘର ପ୍ରଭୃତିର କାମକୁ ଅଚଳ କରିଦେବାକୁ ହେବ । ଯେଉଁଠି ଡାକଘର ବା ଥାନାର କର୍ମଚାରୀମାନେ ଆମ କଥା ମାନି ଚଳିବେ, ସେମାନଙ୍କୁ ଆମ କଥା ଅନୁସାରେ ଚଳିବାକୁ କୁହାଯିବ; ଆଉ ଯେଉଁଠି ପ୍ରତିବାଦ କରିବେ, ସେଠାରେ ଦେଖିଲା କାମ କରିବାକୁ ହେବ । ମୁଁ ଏହି କଥା କରିବାକୁ ଚିନ୍ତାକରୁଚି । ତମର ମତ କ’ଣ ?”

 

“ଜିତେନ୍ କହିଲା, “ମୋର ଖାଲି ଆମ ବନ୍ଧୁମାନଙ୍କ ଉପରେ ରାଗ ହେଉଛି । ଏତିକିବେଳେ ଯାଇଁ ଜେଲରେ ଆରାମ କଲେ । ଆଉ ଲଢ଼ିବ କିଏ ? ବୟସ୍କ ନେତାମାନଙ୍କୁ ତ ପୋଲିସ୍‍ ଦି’ଚାରି ଦିନ ଭିତରେ ଗୋଟେଇ-ପୋଟେଇ ଧରିନେବା ତ ଅତି ସହଜ କାମ । ସେମାନେ ପୁଣି ଯେପରି ଭାବରେ ମୂଳରୁ ଗଢ଼ାଯାଇଛନ୍ତି, ସେଥିରେ ଦରକାର ହେଲେ ପିନ୍ଧା ଲୁଗାଟା ଫିଙ୍ଗିଦେଇ ପଳେଇଯାଇ ଲୁଚିରହି ଆନ୍ଦୋଳନକୁ ଚଳେଇବା ଦୂରେ ଥାଉ, ପୋଲିସ୍‍କୁ ଦେଖିଲେ ଆପେଆପେ ଆସି ଧରାଦେବେ । ପ୍ରତାରଣା କରିବା ଯେପରି ସେମାନଙ୍କ ପୋଥିରେ ଲେଖାନାହିଁ ।”

 

ତାରା କହିଲା, “ହଉ, ଯାହାହେବାର ତ ହୋଇଛି, ବର୍ତ୍ତମାନ ଆମେ ଯେତିକି ପାରିବା କଥା କରିବା । ଆମରିଭଳିଆ ହୁଏତ ବହୁ ଯୁବକ ଦେଶର ଅନ୍ଦିକନ୍ଦିରେ ଏହିପରି ଭାବନା କରିବାକୁ ଆରମ୍ଭ କରିଥିବେ । ତେଣୁ ଲୋକର ଅଭାବ ପଡ଼ିବ ନାହିଁ । ମୁଁ ଯାଉଛି । ମଫସଲରେ ଯାହା କରିହେବ, ତାହା ଆମେ କରିବୁ । ତୁମେ ସବୁ ସହରପାଇଁ କାର୍ଯ୍ୟପନ୍ଥା ସ୍ଥିର କର । ଆଉ ବେଳ ନାହିଁ । ଯାଉଛି, ବଞ୍ଚିଥିଲେ ପୁଣି କେବେ ଦେଖାହେବ ।”

 

ୟା’ କହି ତାରା କବାଟ ଫିଟେଇ ତଳକୁ ଆସିଲା । ଜିତେନ୍ ତା’ ସାଙ୍ଗେ ସାଙ୍ଗେ ତଳ ପର୍ଯ୍ୟନ୍ତ ଆସି କହିଲା, “ତୁ ଯା, କାମ ଆରମ୍ଭ କର । ତମର ସେହି ଆଡ଼କାର କଲେଜ ଓ ମେଡ଼ିକାଲ ଛାତ୍ରଙ୍କୁ ମୁଁ କାଲି ଭେଟି ସେମାନଙ୍କୁ ତୋ ସହିତ ଯୋଗାଯୋଗ ରଖିବାକୁ କହିବି । କାଲିଠାରୁ ତ ଆମେ ସହରର ସବୁ ସ୍କୁଲ୍‍-କଲେଜରେ ଆଗେ ହରତାଳ ଆରମ୍ଭ କରିଦେବୁ ବୋଲି ସ୍ଥିର କରିଛୁ । ତେଣୁ ଗାଁଗହଳିରେ କାମ କରିବାକୁ ଏଠାରୁ ମଧ୍ୟ ଅନେକେ ଚାଲିଯିବେ । ତୁମେମାନେ ମଧ୍ୟ ଆଗ ତୁମ ଅଞ୍ଚଳର ହାଇସ୍କୁଲ୍‍ଗୁଡ଼ାକ ତୁରନ୍ତ ବନ୍ଦ କରିଦେବ । ତାହାହେଲେ କର୍ମୀଙ୍କର ଅଭାବ ହେବନାହିଁ ।” ଏତିକି କହି ଜିତେନ୍‌ଦା ବିଦାୟ ନେଲା । ରାତିରେ ଆଉ ଅନେକ ଆସିବେ । ସେଥିପାଇଁ ସେ ଅପେକ୍ଷା କରି ବସିବେ ।

 

ତାରା ବସାକୁ ଫେରିଲା । ବାପା ସେତେବେଳକୁ ବସାକୁ ଫେରିଲେଣି । ଫେରିବାବେଳେ ଭାବିଥିଲା ଟିକିଏ ସୁନନ୍ଦା ଘରବାଟେ ଆସିବ ବୋଲି; କିନ୍ତୁ ଜିତେନ୍ ସଙ୍ଗେ କଥାବାର୍ତ୍ତା କରୁ କରୁ ବେଶି ରାତି ହୋଇଯିବାରୁ ଆଉ ସୁନନ୍ଦା ଘରଆଡ଼େ ଗଲାନାହିଁ । ଭାବିଲା, ‘ଭଲ ହୋଇଛି । ପୁଣି ସୁନନ୍ଦା ସଙ୍ଗେ ଦେଖାହେଲେ ସଂକଳ୍ପରେ ପୁଣି କିଛି ବିଘ୍ନ କାଳେ ଆସିଯିବ-।’

 

ତାରା ବାପାଙ୍କ ପାଖରେ ଖାଇବସିଲା । ଖାଇଲାବେଳେ ଟାଟା କଥା, କଲିକତା କଥା ଅନେକ ହେଲା । ସେ ଦାଦାଙ୍କ ପାଖରେ କିପରି ଆରାମରେ ଥିଲା, ସେ କଥା ବାପାଙ୍କୁ କହିଲା । ତାରା ସାଇକଲ୍‍ଟାକୁ କଟକରେ ଛାଡ଼ି ପଳେଇଥିଲା । ସେଇଟାକୁ ନେଇ ସେ ଖୁବ୍ ସକାଳୁ ସକାଳୁ ଗାଁକୁ ବାହାରିଯିବ ବୋଲି କଥା ହେଲା । ଗତ ରାତିରେ ଟ୍ରେନ୍‍ରେ ତାକୁ ଭଲ ନିଦ ହୋଇ ନଥିଲା, ବହୁ ଚିନ୍ତାଯୋଗୁଁ । ତେଣୁ ତାକୁ ସାଙ୍ଗେ ସାଙ୍ଗେ ନିଦ ହୋଇଗଲା ।

 

ବାଇଶ

 

ଅତି ଭୋରରୁ, ଏପିରିକି ବାପା ଉଠିବା ଆଗରୁ ତାରା କଟକ ଛାଡ଼ିଲା । ସକାଳୁ କଟକରେ କେହି ଯେପରି ତା’ ମୁହଁ ନ ଦେଖନ୍ତି, ଏହାହିଁ ତା’ର ଇଚ୍ଛା । ଗାଁରେ ମଧ୍ୟ ପହଞ୍ଚିବାବେଳକୁ ଖୁବ୍ କମ୍ ଲୋକ ଚଳପ୍ରଚଳ କରୁଥିଲେ । ତାରା କାହା ସହିତ ବିଶେଷ କଥାବାର୍ତ୍ତା ନକରି ଘରେ ଯାଇ ପହଞ୍ଚିଲା ।

 

ବୋଉ ତାକୁ ଦେଖିପକେଇ ଭାରି ଖୁସି ହୋଇଗଲେ । ପୁଅ ଯାହା କରୁପଛେ, ତା’ ନାଁରେ ଯିଏ ଯେତେ କଥା କହୁ ପଛେ, ପୁଅକୁ ଦେଖିପକେଇଲେ ମା’ ମନରେ ସେସବୁ ବିରୋଧୀ କଥା କିଛି ରହେନାହିଁ । ବୋଉ ପଚାରିଲେ, “ତୁ ପରା ଟାଟାରୁ କଲିକତା ଯାଇଥିଲୁ ପଢ଼ିବାକୁ ? କଲିକତାରୁ କେବେ ଆସିଛୁ ?”

 

ତାରା କହିଲା, “କାଲି ଆସି ପହଞ୍ଚିଲି । କଲିକତା ଅବସ୍ଥା ଭାରି ଖରାପ, ସେଇଥିପାଇଁ ପଳେଇଆସିଛି ।”

 

“ଭଲ କରିଛୁ । ଶୁଣୁଛି ସେଠାରେ କୁଆଡ଼େ ବୋମା ପଡ଼ିବ ।”

 

ଲୁଗାପଟା ଜାମା ବଦଳୁ ବଦଳୁ ତାରା କହିଲା, “ହଁ, ମୁଁ ଯେଉଁ କଷ୍ଟରେ ଆସିଛି, ଛାଡ଼ । ଲୋକ ତ ରେଳରେ ଜାଗା ନପାଇ ରେଳଲାଇନ କଡ଼େ କଡ଼େ ଧାର ଲଗେଇଛନ୍ତି ଚାଲି ଚାଲି । ମୋର ଭାଗ୍ୟ ଭଲ, ଠେଲାପେଲା କରି ଗୋଟାଏ ଜାଗା ରେଳରେ ପାଇଯାଇଥିଲି ।”

 

ବୋଉ କହିଲେ, “ତୁମେମାନେ ତ ସବୁ ଆଜିକାଲିକା ପଢ଼ୁଆ ପିଲା । କହିଲେ ହସିବ । ଚିତୋଉ ଅମାବାସ୍ୟାକୁ ଯେ ସପ୍ତଗ୍ରହକୂଟ ହୋଇ ପୃଥ୍ଵୀ ପ୍ରଳୟ ହେବ ବୋଲି ଲୋକେ କହୁଛନ୍ତି, ସେଇଟା କ’ଣ ମିଛ ।”

 

ସେତେବେଳେ ଖାଲି ଓଡ଼ିଶା ନୁହେଁ, ସାରା ଭାରତବର୍ଷରେ ଗୋଟାଏ ହପ୍‌ପା ଉଠୁଥାଏ ଯେ ଚିତାଲାଗି ଅମାବାସ୍ୟା ଦିନ ସାରା ପୃଥିବୀରେ ବଡ଼ ଗୋଟାଏ ବିତ୍ପାତ ହେବ । ଅନହୁତି ପାଣି ଆସିବ । ଚାରିମେଘ ଏକାଠି ହୋଇ ମାଠିଆମୁହଁରେ ଯେପରି ପାଣି ଢାଳନ୍ତି, ସେହିପରି ଧାରରେ ବର୍ଷିବେ । ସୂର୍ଯ୍ୟ ଉଇଁବେ ନାହିଁ । ଦିନରାତି ଜଣାପଡ଼ିବ ନାହିଁ । ଚାରିଆଡ଼ ଅନ୍ଧକାରରେ ବୁଡ଼ିଯିବ । କଳିଯୁଗ ଶେଷ ହୋଇଯିବ । ସାରା ସୃଷ୍ଟି ଧ୍ୱଂସ ହୋଇ କେବଳ ଧର୍ମାତ୍ମାମାନେ ଯାହା ରହିଯିବେ ।

 

ତାରା କଲିକତାରେ ମଧ୍ୟ ଏ ଖବର ପାଇଥିଲା । ବେଶି ଓଡ଼ିଆ ଲୋକଙ୍କ ସହିତ ମିଶିବାର ତା’ର ସୁଯୋଗ ହୋଇ ନଥିଲା କଲିକତାରେ; କିନ୍ତୁ ଖାଲି ଓଡ଼ିଆ କାହିଁକି, ବଙ୍ଗାଳୀ ଓ ଗୋରଖାଙ୍କ ପାଖରୁ ମଧ୍ୟ ଏକଥା ଶୁଣାଯାଇଥିଲା । ଓଡ଼ିଆ ପୁଅ କଲିକତାରେ ଚାକିରି କରେ ସତ; କିନ୍ତୁ ତା’ ମନଟା ପଡ଼ିଥାଏ ଗାଁରେ । କେହି ତ ସ୍ତ୍ରୀ-ପିଲା ଧରି ସେତେବେଳେ କଲିକତାରେ ରହୁ ନଥାନ୍ତି । ତେଣୁ ଟିକିଏ କିଛି ସୁବିଧା ଅସୁବିଧା ହେଲେ ସେ ଓଡ଼ିଶାକୁ ପଳେଇ ଆସିବାକୁ ରେଳ ଧରେ । ଏହି ପ୍ରଳୟ ହେବାର ଗୁଜବ ରଟିଲାଦିନୁ, ଖାଲି କଲିକତା ନୁହେଁ, ଖଡ଼ଗପୁର, ଟାଟାନଗର ପ୍ରଭୃତି ବାହାର ସହରରୁ ମଧ୍ୟ ଲୋକେ ପଳେଇଆସିବାକୁ ବସିଥାନ୍ତି ।

 

ସତକୁସତ ଜ୍ୟୋତିଷଙ୍କ ଭବିଷ୍ୟତବାଣୀ ଯେପରି ଠିକ୍ ହେଲା । ଯେଉଁ ଗାନ୍ଧିଜୀଙ୍କ ମୁହଁରୁ ଅହିଂସାଛଡ଼ା ଅନ୍ୟ କିଛି ବାହାରୁ ନଥିଲା; ଏପରି ବିତ୍ପାତ ଯୋଗ ପଡ଼ୁ ନଥିଲେ ସେ କାହିଁକି ‘କର ବା ମର’ ବୋଲି ଡାକ ଦେଇଥାନ୍ତେ । ଗାନ୍ଧି ସାକ୍ଷାତ୍‌ ଦେବ-ଅଂଶରେ ନରଦେହ ଧରି ଜନ୍ମିଛନ୍ତି । ଘୋର କଳି ଉପସ୍ଥିତ ହେବାରୁ ପୃଥ୍ଵୀକୁ ପ୍ରଳୟ କରିଦେବାକୁ ତାଙ୍କର ଏଇଟା ଗୋଟାଏ କୂଟ ।

 

ସେ ଯାହାହେଉ, ବହୁ ବଳିଷ୍ଠ, କର୍ମଠ ଓ ବୁଦ୍ଧି-ଶୁଦ୍ଧି ଥିବା ଲୋକେ ଏତିକିବେଳକୁ ବିଦେଶରୁ ଗାଁକୁ ପଳେଇଆସିଥାନ୍ତି । ଯେଉଁ ଓଡ଼ିଆମାନେ ବିଦେଶରେ ଚାକିରି କରି ପ୍ରତି ମାସରେ ଓଡ଼ିଶାକୁ ପ୍ରାୟ ତିରିଶ ଚାଳିଶ ଲକ୍ଷ ଟଙ୍କା ପଠାନ୍ତି, ସେମାନଙ୍କର ବୁଦ୍ଧିଶୁଦ୍ଧି ଅଛି ନିଶ୍ଚୟ । ନହେଲେ ସେ ଦେଶରେ କ’ଣ ଲୋକ ନଥିଲେ । ଓଡ଼ିଆ ପୁଣି ଯାଇ ତାଙ୍କ ମୁହଁରୁ ଆଧାର ଛଡ଼େଇ ଆଣୁଛି କିପରି ? ତା’ର ସେହିପରି ବୁଦ୍ଧି-ଶୁଦ୍ଧି କାର୍ଯ୍ୟକୁଶଳତା ଅଛି ବୋଲି ତ । ସେ ସମୟରେ ବଙ୍ଗଳାର କେତେକ ତୁଙ୍ଗ ନେତୃସ୍ଥାନୀୟ ଲୋକ ପ୍ରତିମାସରେ ଓଡ଼ିଶାକୁ ଏତେ ଟଙ୍କା ବୋହିଯାଉଛି ବୋଲି ଚିତ୍କାର କରିବାକୁ ଆରମ୍ଭ କରିଥାନ୍ତି । କିନ୍ତୁ ଓଡ଼ିଶା ତାଙ୍କ ଦେଶରୁ ସେମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଟଙ୍କା ନେଇ ଆସୁଛି, ଏଇଟା ତା’ର ପାରିବାରପଣିଆ ନୁହେଁ କି ? ଏ ପ୍ରକାର ଯୁକ୍ତି ସେହି ପରଦେଶରେ ଚାକିରି କରୁଥିବା ଓଡ଼ିଆମାନେ କହିଥାନ୍ତି ।

 

ତାରା ଘରକୁ ଫେରିବା କଥାଟା ତା’ ସାଙ୍ଗମାନଙ୍କ ପାଖରେ ଅତି ଶୀଘ୍ର ପହଞ୍ଚିଗଲା । ସେଇ ଯେ ଆରଥର ଗାଁରେ କିଛିଦିନ ରହି ତାରା ମୂଲିଆମାନଙ୍କୁ ମତେଇ ଗୋଟାଏ ଗୋଳମାଳ ଲଗେଇ ଦେଇଥିଲା, ସେଥିପାଇଁ ମୂଲିଆଏ କେବଳ ନୁହଁନ୍ତି, ଜମି ନଥିବା ସାଆନ୍ତ ପିଲାଏ ମଧ୍ୟ ତାରାକୁ ଖୁବ୍ ଭଲପାଉଥାନ୍ତି ବଡ଼ ଖାରା ଖାଣ୍ଟିକଥା କହେ ବୋଲି । ତାରା ଘରୁ ବାହାରିଆସିଲା–ସମସ୍ତେ ସାଙ୍ଗହୋଇ ନଈଆଡ଼େ ଗଲେ । ନଈରେ ସେତେବେଳେ ଭରା ପାଣି । ବନ୍ଧକୁ ପାଣି ଲାଗିଛି । ବନ୍ଧ ଉପରେ କିଛି ସମୟ ବସିଲା ପରେ ତାରା କହିବସିଲା କିପରି ଦେଶର ସବୁ ନେତାମାନଙ୍କୁ ଏକାଦିନକେ ଧରି ବ୍ରିଟିଶ ସରକାର ଜେଲରେ ପୂରେଇଦେଇଛି । ଗାନ୍ଧି ଏତେଦିନକେ ଦେଶବାସୀଙ୍କୁ ଶେଷଥର ଲାଗି ଡାକ ଦେଇଯାଇଛନ୍ତି, ‘କର ବା ମର’ । ଓଡ଼ିଶାର ମଧ୍ୟ କେହି ନେତା ବାହାରେ ନାହାନ୍ତି । ତାରା ଆହୁରି କହିଲା, ‘ମୁଁ କଲିକତାରେ ଥିଲି । ବମ୍ବେରୁ ଏ ଖବର ଯେମିତି କଲିକତାରେ ପହଞ୍ଚିଲା, ଲୋକେ ତ ଏକେବାରେ ତାତିଗଲେ । ଯିଏ ଯେଉଁଠି ପାରିଲା ଆଇନ ଭାଙ୍ଗିବାକୁ ଆରମ୍ଭ କରିଦେଲେ–କିପରି ଇଂରେଜ ଶାସନକୁ ଅଚଳ କରିଦେବେ, ଇଂରେଜମାନଙ୍କୁ ଆମ ଦେଶରୁ ତଡ଼ିବେ । ରେଳଗାଡ଼ି ବୋଧହୁଏ ବର୍ତ୍ତମାନ ସୁଦ୍ଧା ଚଳାଚଳ ବନ୍ଦ ହୋଇଯିବଣି । ଭାଗ୍ୟେ ମୁଁ ପଳେଇଆସିଛି ।’’

 

ତାରାଠାରୁ ଏକଥା ଶୁଣି ସମସ୍ତେ କହିଲେ, “ଆମେ ତେବେ ଏଠି କ’ଣ କରିବା ଏତେବେଳେ ଆମକୁ ତ ନିଶ୍ଚୟ କିଛି କରିବାକୁ ହେବ ।’’

 

ତାରା କହିଲା, “କିଛି କାହିଁକି, ସବୁ କରିବାକୁ ହେବ ।’’

 

“ତେବେ କ’ଣ କରିବା କହ” ବୋଲି ସମସ୍ତେ ଏକାଧ୍ୟାନରେ ତାରାକୁ ଚାହିଁଲେ ।

 

“ସେଥର ଭଳି ସଭାଟାଏ କଲେ କେମିତି ହୁଅନ୍ତା ?” ବୋଲି ଜଟିଆ କହିଲା । ଏ ସବୁ କାମକୁ ଜଟିଆ ଆଗ ।

 

ତାରା କହିଲା, “ଏସବୁ କାମ କରିବାକୁ ସଭାର ଦରକାର ନାହିଁ । ଖାଲି ଗାଁକୁ ଗାଁ ଯାଇ ଖବର କରିଦେବାକୁ ହେବ ଯେ, ଇଂରେଜ ଲୋକେ ଆମ ଦେଶ ଛାଡ଼ି ପଳେଇବାକୁ ଆରମ୍ଭ କଲେଣି, ଏ ଦେଶର ଶାସନ ବର୍ତ୍ତମାନ ଆମ ହାତରେ । ତେବେ ଆମ ଦେଶର କେତେକ ଗୋଡ଼ାଣିଆ ଲୋକ ଏବେବି ‘ଇଂରେଜ ଇଂରେଜ’ ହେଉଛନ୍ତି । ସେମାନେ ହେଲେ ବେଶିଭାଗ ସରକାରୀ ଚାକିରିଆ । ତା’ ମଧ୍ୟରୁ ଶହକେ ଅଶୀ ଆମ ସାଙ୍ଗକୁ ଆସିଗଲେଣି ମଧ୍ୟ । ବାକି କେଇଟାଙ୍କୁ ଯେକୌଣସିମତେ ଜବତ୍ କରିବାକୁ ହେବ । ଏଇ ଖବର ଯେମିତି ଆମ ଗାଁ ପାଖରୁ ଦଶଖଣ୍ଡ ଗାଁରେ ପହଞ୍ଚେଇବାକୁ ହେବ । ସେ ସବୁ ଗାଁବାଲାଙ୍କୁ ମଧ୍ୟ କହିଦିଆଯିବ ଯେପରି ସେମାନେ ତାଙ୍କ ପାଖଆଖ ଗାଁରେ ପ୍ରଚାର କରିଦେବେ । ଏମିତିକି ସାତଦିନ ମଧ୍ୟରେ ଆମକୁ ଇଂରେଜ ଶାସନକୁ ହାତକୁ ନେବାକୁ ହେବ ।”

 

ଗାଧୋଇ-ପାଧୋଇ ସମସ୍ତେ ଘରକୁ ଗଲେ । ଘରେ ଖାଇସାରି ଆସି ସମସ୍ତେ ତାରା ପାଖରେ ପୁଣି ହାଜର ହୋଇଗଲେ । ତାରା ସମସ୍ତଙ୍କ ସାଙ୍ଗରେ ଠାକୁରାଣୀଙ୍କ ପାଖକୁ ଗଲା । ସେଠାରେ କିଏ କେଉଁ ଗାଁକୁ ଯିବ, ଠିକ୍ ହୋଇଗଲା । ସାଇକେଲବାଲା ଦୂର ଗାଁକୁ ଗଲେ । ତାରା କୁଆଡ଼େ ଗଲା ନାହିଁ । ଯିଏ ଯୁଆଡ଼େ ଗଲେ ସନ୍ଧ୍ୟାବେଳକୁ ଫେରିଆସି ଖବର କହିଲେ ସେହି ରାତିରେ ସ୍ଥିର କରିବାକୁ ହେବା ତା’ ପରଦିନ କ’ଣ କରିବାକୁ ହେବ । ସାଙ୍ଗମାନେ ଚାଲିଯିବା ପରେ ଗାଁର ଯେ କେତେଜଣ ଲୋକ ଠାକୁରାଣୀଙ୍କ ପାଖରେ ଥିଲେ, ସେମାନଙ୍କ ସହିତ ଦେଶର ହାଲ୍‌ଚାଲ୍‌ ସମ୍ବନ୍ଧରେ କିଛି ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇ ତାରା ଘରକୁ ଫେରିଲା । ଘରେ ଯାଇଁ ବୋଉ ସାଙ୍ଗରେ କିଛି ସମୟ କଥାବାର୍ତ୍ତା କରି ନିଦ ମାଡ଼ୁଛି ବୋଲି ଗୋଟାଏ ଘରେ ଶୋଇବାକୁ ଗଲା । ଭିତରୁ କବାଟ ବନ୍ଦ କରିଦେଲା । ଘରେ ପଶି କାଲିପାଇଁ କି କାମ ବରାଦ ହେବ ତା’ର ଗୋଟିଏ ଚିଠା କଲା । ତେବେ ସାଙ୍ଗମାନେ ଅନ୍ୟ ଗାଁରୁ ଫେରିଆସିଲେ ତା’ର ଗୋଟାଏ ପକ୍କା ବ୍ୟବସ୍ଥା କରିବାକୁ ହେବ ।

 

ସନ୍ଧ୍ୟା ପରେ ସମସ୍ତେ ଫେରିଆସିଲେ, ପୁଣି ସେହି ଠାକୁରାଣୀଙ୍କ ପାଖରେ ସମସ୍ତେ ଏକାଠି ହେଲେ । ବର୍ଷାଦିନ । ସେଥିପାଇଁ ସନ୍ଧ୍ୟା ପହରୁ ଗାଁ ଗଣ୍ଡା ଶୂନଶାନ୍‌ ଜଣାପଡ଼ୁଛି । ଯୁଦ୍ଧଯୋଗୁଁ କିରାସିନି ତେଲ ମଫସଲରେ ମିଳୁ ନଥାଏ । ତେଣୁ ଦିନ ଥାଉଁଥାଉଁ ଲୋକେ ସବୁ ଧନ୍ଦା ବଢ଼େଇଦିଅନ୍ତି । ଜହ୍ନ ମେଘ ଲୁଚକାଳି ଖେଳୁଥାନ୍ତି । କେତେବେଳେ ଫର୍ଚା ହୋଇଥାଏ ତ ତା’ପର ମୁହୂର୍ତ୍ତରେ ମେଘ ଘୋଡ଼େଇଦିଏ ସେଥିପ୍ରତି କିନ୍ତୁ ତାରା ଓ ତା’ ସାଙ୍ଗମାନଙ୍କର ଦୃଷ୍ଟି ନଥାଏ । ସମସ୍ତେ ଭିନ୍ନ ଭିନ୍ନ ଗାଁର ପିଲାମାନଙ୍କର ଧାରଣା କ’ଣ ସେ ବିଷୟରେ କହିଲେ । ସେଥିରୁ ପରିଷ୍କାର ଜଣାପଡ଼ିଲା ଯେ ଗୋବିନ୍ଦପୁର ଗାଁର ତାରା ଓ ତା’ରି ବୟସୀ ଅନ୍ୟାନ୍ୟ ସାଙ୍ଗମାନେ ଯେଉଁପରି ଭାବୁଛନ୍ତି, ଅନ୍ୟ ଗାଁର ପିଲାମାନେ ମଧ୍ୟ ସେହିପରି ଚିନ୍ତା କରୁଛନ୍ତି । ସମସ୍ତେ କିଛି ନା କିଛି କରିବାପାଇଁ ଯେପରି ଅନେଇବସିଛନ୍ତି ।

 

ଏ ଖବର ପାଇ ତାରା କହିଲା, “କେଉଁ ଗାଁର ଅବସ୍ଥା କିପରି ଆମେ ତ ଜାଣିଲେ । କାଲି ସେମାନଙ୍କୁ କହିଆସିବାକୁ ହେବ ଯେ ସେମାନେ ସେମାନଙ୍କ ଇଚ୍ଛା ଅନୁସାରେ କ’ଣ କରିବାକୁ ହେବ ଠିକ୍ କରିବେ । ଆମେ କହିପାରିବୁନାହିଁ । ସ୍ଥାନୀୟ ଅବସ୍ଥା ଦୃଷ୍ଟେ ସେମାନଙ୍କୁହିଁ ସବୁ କାମ କରିବାକୁ ହେବ । ଥାନାଗୁଡ଼ାକୁ ଦଖଲ କରିବାକୁ ହେବ । ଯେଉଁଠି ଯେଉଁଠି ମାଇନର୍‍ ସ୍କୁଲ୍‍ ବା ହାଇସ୍କୁଲ୍ ଅଛି, ସେ ସବୁକୁ ବନ୍ଦ କରିଦେବାକୁ ହେବ । କିନ୍ତୁ ଏକଥା ସମସ୍ତଙ୍କର ଜାଣିରଖିବା ଉଚିତ ଯେ ଦେଶରେ ବର୍ତ୍ତମାନ ସୈନ୍ୟମାନେ ଭରିରହିଛନ୍ତି । ସେମାନଙ୍କ ହାତରେ ବନ୍ଧୁକ, ଗୁଳି, ଗାଡ଼ି ପ୍ରଭୃତି ସବୁ ଅଛି । ଏ ସୈନ୍ୟମାନେ ବିଭିନ୍ନ ଦେଶରୁ ଇଂରେଜମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଆସି ଭାରତର ପ୍ରତ୍ୟେକ ପ୍ରଦେଶରେ ଅଛନ୍ତି । ଦରକାର ପଡ଼ିଲେ ଏମାନଙ୍କୁ ମଧ୍ୟ ଆମ ଆନ୍ଦୋଳନକୁ ଦବେଇବାପାଇଁ ନିର୍ଦ୍ଦେଶ ଦିଆଯାଇପାରେ; କିନ୍ତୁ ତା’ ପୂର୍ବରୁ ସଡ଼କ, ବନ୍ଧ, ପୋଲ ସବୁ ଭାଙ୍ଗି ଦେଇ ବାଟଘାଟ ବନ୍ଦ କରିଦେବାକୁ ହେବ । ଯେପରି ସେମାନେ ଗାଡ଼ି ଘେନି ମଫସଲ ଭିତରକୁ ପଶିଆସି ପାରିବେ ନାହିଁ । ଏଇ ହେଲା ମୋଟାମୋଟି କଥା । ତେଣିକି ସମସ୍ତେ ସ୍ଥାନୀୟ ଅବସ୍ଥା ଦେଖି ଯାହା କରିବାର କଥା, କରିବେ ।

 

ସମସ୍ତେ କହିଲେ–ଆମେସବୁ ଯେଉଁ ଯେଉଁ ଗ୍ରାମକୁ ଯାଇଥିଲୁ, ସେମାନେ ଆମକୁ ଅନେଇ ରହିଥିବେ । ଆମଠାରୁ ଶୁଣିଲେ ସେମାନେ ଯାହା କରିବେ ବୋଲି କହିଥିଲେ । ତେବେ କାଲି ସକାଳେ ପହିଲା କାମ ହେବ ସମସ୍ତଙ୍କ ପାଇଁ ଏ କଥା କହିଆସିବା ।

 

ତାରା କହିଲା, “ତୁମେସବୁ ସେଆଡ଼ୁ ଫେରିଲେ ଯାଇଁ ଆମେ ଏଠା କାମ କଥା ସ୍ଥିର କରିବା ।”

 

ସମସ୍ତେ ଘରକୁ ଗଲେ ଖାଇବାକୁ । ରାତି ବେଶି ହୋଇ ନଥାଏ ସେତେବେଳକୁ । ରାତିରେ ତାରାକୁ ଭଲ ନିଦ ହେଲା ନାହିଁ–କ’ଣ କରିବା ? କି କର୍ମପନ୍ଥା ସ୍ଥିର କରିବାକୁ ହେବ, କିଛି ଠିକ୍ କରିପାରୁ ନଥାଏ । ଦେଶର ଅନ୍ୟଆଡ଼େ ଲୋକମାନେ ଏ ଆନ୍ଦୋଳନ କିପରି ଚଳାଇଛନ୍ତି ଜାଣିବା କଷ୍ଟକର । ରେଡ଼ିଓର ପ୍ରଚଳନ ସେତେବେଳେ ମୋଟେ ନଥାଏ; ଥିଲେବି କିଛି ହୁଅନ୍ତା ନାହିଁ, ସେ ତ ପୂର୍ଣ୍ଣ ହୋଇଥାନ୍ତା ସରକାରୀ ଖବରରେ । ଭାବିଲା, କଟକ ଚାଲିଗଲେ ହୁଏତ କେତେକ ଖବର ମିଳିଯାନ୍ତା । ଏହିପରି କିଛି ଠିକ୍ କରି ନପାରି ପଡ଼ି ପଡ଼ି ଖାଲି ଭାବୁଥାଏ ।

 

ସକାଳୁ ସକାଳୁ ସାଙ୍ଗ ମୂଷି ଆସି ତାରାକୁ ଖବରଦେଲା ଯେ କଲିକତା ଆଡ଼ୁ କଟକକୁ ରେଳ ଆସିପାରୁନାହିଁ । କୁଆଡ଼େ ଅନେକ ଜାଗାରେ ଲୋକେ ରେଳପହିଆ ଉଠେଇ ଦେଇଛନ୍ତି । କେଉଁଠି କେଉଁ ରେଳରାସ୍ତାକୁ ମଧ୍ୟ କାଟିଦେଇଛନ୍ତି । ରେଳ ତ ଆସୁନାହିଁ । ତା’ ସାଙ୍ଗକୁ ଟେଲିଗ୍ରାମ୍ ତାର କୁଆଡ଼େ କାଟିଦେଇଥିବାରୁ କଟକକୁ ବାହାରୁ ଆଉ କୌଣସି ଖବର ଆସୁନାହିଁ ।

 

ତାରା କହିଲା, “ତୋତେ ଏ ଖବର କିଏ ଦେଲା ?”

 

“କାଲି ଅନେକ ରାତିରେ ରାଜୁଭାଇ କଟକରୁ ଫେରିଲେ, ସେଇ କହୁଥିଲେ ।”

 

ସତରେ ତାର କାଟିନେବା କଥାଟା ତାରାମୁଣ୍ଡରେ ପଶି ନଥିଲା । ମଫସଲ ଅଞ୍ଚଳକୁ ଯେତେ ଟେଲିଗ୍ରାମ୍ ତାର ଯାଇଛି, ତାକୁ ମଧ୍ୟ କାଟିଦେବାକୁ ହେବ; ନଚେତ୍ କଟକରେ ସବୁ ଖବର ପହଞ୍ଚିଯିବ । ଦୁହେଁ ଦାନ୍ତକାଠି ଖଣ୍ଡେ ଖଣ୍ଡେ ଧରି ବାହାରିଗଲେ ବନ୍ଧଆଡ଼େ । ତାରା ପଚାରିଲା, “ଜଟିଆ ହେରିକା ସକାଳୁ ଯାଇଛନ୍ତି ତ ?”

 

ମୂଷି କହିଲା, “ମୁଁ ତ ସେମାନଙ୍କ ଘରେ ବୁଝିଆସିଲି, ସେମାନେ କେହି ନାହାନ୍ତି । ସକାଳୁ କୁଆଡ଼େ ଯାଇଛନ୍ତି ବୋଲି ସେମାନଙ୍କ ଘରେ କହିଲେ ।”

 

ତାରା କହିଲା, “ମୁଁ ଜାଣେ ସେମାନେ ଯାଇଥିବେ । ଫେରିଆସନ୍ତୁ, ଆଉ କେତେ କଥା ଜଣାପଡ଼ିବ ।”

 

ଦିନ ନଅଟା ହେବ । ତାରା ପ୍ରଭୃତି ଠାକୁରାଣୀଙ୍କ ପାଖେ ଏକାଠି ହୋଇଥାନ୍ତି । ନାନା ଲୋକେ ନାନା କଥା କହୁଛନ୍ତି । ତା’ ଭିତରୁ ଅଧିକାଂଶ ଶୁଣାକଥା, ଗୁଜବ । ତେବେ ଏପରି ଗୁଜବ ଯେତେ ରଟେ ସେତେ ଭଲ ।

 

ଏତିକିବେଳେ ଚାରିଦିଗରୁ ଚାରି ସାଙ୍ଗ ଆସି ପହଞ୍ଚିଗଲେ । ତାରା ସେମାନଙ୍କୁ କିଛି ପଚାରିବା ପୂର୍ବରୁ ସେମାନେ ସବୁ କଥା କହିଗଲେ; “କଟକ ଜଗତସିଂହପୁର ରାସ୍ତାକୁ ଲୋକେ କେଜାଣି କେତେଜାଗା କାଟିଦେଇଛନ୍ତି ତା’ର ଠିକଣା ନାହିଁ । ମଟର ତ ଦୂରର କଥା, ମଣିଷ ପାରିହେବା କଷ୍ଟ । ଦୁଇ ପାଖରେ ତ ପାଣି ଠିଆ ହୋଇଥିଲା । ରାସ୍ତା କାଟିଦେବାରୁ ଦୁଇପାଖ ପାଣି ମିଶିଯାଇ ମନକୁ ମନ ରାସ୍ତା ମଝିରେ ଗୋଟାଏ ଗୋଟାଏ ନାଳି ହୋଇଯାଇଛି । ଆଉ ଗୋଟାଏ କଥା ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ସ୍କୁଲ୍‍ ବନ୍ଦ ହୋଇଯାଇଛି । କେଉଁଠି କେଉଁଠି ମାଷ୍ଟରମାନେ ଏଥିରେ ଆଗୁଆ ହୋଇଛନ୍ତି । କ୍ରମେ ଲୋକସଂଖ୍ୟା ଠାକୁରାଣୀଙ୍କ ପାଖରେ ବଢ଼ିଲା-। ବୁଢ଼ା ବୁଢ଼ା କେଇଜଣ କହିଲେ, “ବାବୁ ଘୁଘୁ ଦେଖିଛନ୍ତି, ଫାନ୍ଦ ଦେଖିନାହାନ୍ତି । ସେ ଆଉ କେହି ନୁହେଁ । ଇଂରେଜ ସରକାରଟି । ଦିନ ଦି’ଟାରେ ସମସ୍ତଙ୍କୁ ସାବାଡ଼ କରିଦେବ ।”

 

ତାରାର ସାଙ୍ଗମାନେ ଚିହିଁକି ଉଠୁଥିଲେ । ତାରା ଆଖିଠାରି ସେମାନଙ୍କୁ ବନ୍ଦ କରିଦେଲା-। ସେମାନେ ଚୁପ୍ ହୋଇଗଲେ । ଆଉ କେତେଆଡ଼ୁ କେତେ କଥା ଉଠିଲା । ତାରା କହିଲା, “ଖାଇକରି ଆସ, ଆଜି ବାଜିଏ ପକେଇବା ।” ଅର୍ଥାତ୍ ପଶା ବାଜିଏ ଖେଳିବା । କଥାଟାକୁ ବାଆଁରେଇ ଦେଇ ତାରା ଏପରି କହିଲା । ପୁଣି ଗାଧୋଇଗଲାବେଳେ ଯାହା କଥାବାର୍ତ୍ତା ହେବ ବୋଲି ସ୍ଥିରକରି ସେମାନେ ଯେଝା ଯେଝା ଘରକୁ ଗଲେ ।

 

ପୁଣି ସମସ୍ତେ ଏକାଠି ହୋଇ ଗାଧୋଇଗଲାବେଳେ । ତାରା କହିଲା, “ଆମେ ଆଉ ଲୋକଙ୍କୁ କହିବା କ’ଣ । ଆମେ କହିବା ଆଗରୁ ସେମାନେ କାମଟାକୁ କରିଦେଇଛନ୍ତି । ବାସ୍ତବିକ ସମସ୍ତେ ଜଣେ ଜଣେ ନେତା ବୋଲି ଯାହା କୁହାଯାଉଛି, ତା’ ଅକ୍ଷରେ ଅକ୍ଷରେ ସତ । ତେବେ ଟେଲିଗ୍ରାମ୍ ତାର କାଟିବା ବୋଧହୁଏ କାହାରି ମୁଣ୍ଡରେ ପଶିନାହିଁ କାଳେ ବିଜୁଳି ତାର ଲାଗି ଲୋକେ ମରିଯିବେ ବୋଲି । ସେଇଟା ତାଙ୍କୁ ବୁଝେଇଦେବାକୁ ହେବ । ଟେଲିଗ୍ରାମ୍ ଖୁଣ୍ଟରେ ଚଢ଼ି ଷଣ୍ଢୁଆସିଦ୍ଵାରା ଖୁସିରେ ତାର କାଟିଦେଇ ହେବ । କୌଣସି ବିପଦ ନାହିଁ । ଅନ୍ୟମାନେ ହୁଏତ ଡରିବେ । ତେଣୁ ଆଜି ରାତିରେ ମୋ ସାଙ୍ଗରେ ଜଣେ ଗଲେ ମୁଁ ଦେଖେଇଦେବି ତାର କିପରି କାଟିବାକୁ ହେବ । ଦଶଜାଗାରେ କାଟିବା ଯାହା ଗୋଟାଏ ଦୁଇଟା ଜାଗାରେ କାଟିଦେଲେ ସେଇ କାମ ଦେବ ।”

 

ପ୍ରସ୍ତାବ ଅନୁସାରେ ଖାଇସାରି ତାରା ଓ ତା’ର ସାଙ୍ଗମାନେ ପୁଣି ଠାକୁରାଣୀଙ୍କ ପାଖରେ ଆସି ପହଞ୍ଚିଲେ । ଚଉତରା ଉପରେ ଖେଳ ଆରମ୍ଭ ହୋଇଗଲା । ଦର୍ଶକ ମଧ୍ୟ କେତେ ଜମିଲେ । ବାଜିଏ ଖଣ୍ଡେ ଖେଳ ହୋଇଛି କି ନାହିଁ, ମେଘ ପକେଇଲା । ଖେଳ ଅଧରୁ ଭାଙ୍ଗିଦେଇ ପାଖ ସ୍କୁଲ୍‍ଘର ବାରଣ୍ଡାକୁ ସମସ୍ତେ ଉଠିଆସିଲେ । ସ୍କୁଲ୍‍କୁ ଆଜିଠାରୁ ବନ୍ଦ କରି ଦିଆଯାଇଛି । ବୁଢ଼ା ମାଷ୍ଟ୍ରେ ଭୟରେ ତାଙ୍କ ଗାଁକୁ ଗଲେଣି, ଆଉ ସାନ ମାଷ୍ଟ୍ରେ ତ ଗାଁର ପିଲା, ସେ ତ ତାରାଙ୍କ ଦଳର ଜଣେ ।

 

ପୁନେଇଁ ଗଲାଣି ଦୁଇ ଚାରିଦିନ ହେବ । ଜହ୍ନ ଉଠୁ ଉଠୁ ରାତି ନଅଟାରୁ କମ୍ ନୁହେଁ । ଏ କାମରେ ଯିବାର ସ୍ଥିର ହେଲା । ଜଟିଆ ପାଖରେ ସାଇକେଲ ସଜଡ଼ା ଷଣ୍ଢୁଆସି ଗୋଟାଏ ଅଛି-। ଦୁହେଁ ସାଇକେଲରେ ଯିବେ, ଖୁଣ୍ଟକୁ ଡେରି ସାଇକେଲ ଥୋଇଦେଲେ ତା’ ଉପରେ ଠିଆହେଲେ ପ୍ରାୟ ତାରକୁ ହାତ ପାଇଯିବ । ବଡ଼ ରାସ୍ତା ପାଖେ ପାଖେ ଟେଲିଗ୍ରାମ୍ ଖୁଣ୍ଟି ଯାଇଛି-। ହୁଏତ ଏକଥା ଆଗରୁ ଅନ୍ଦାଜ କରି ଥାନାବାଲା ଦଫାଦାର, ଚୌକିଦାରଙ୍କୁ ଲାଇନ୍ ଜଗେଇବେଣି-। ଏକଥା ଗାଁ ଚୌକିଦାର ହାଡ଼ିଆକୁ ପଚାରିଲେ ଜଣାପଡ଼ିଯିବ ।

 

ଖଞ୍ଜରେ ହାଡ଼ିଆଠାରୁ ଖବର ନିଆଗଲା ଯେ ଥାନାରୁ ସେମାନଙ୍କୁ ସେପରି କୌଣସି ‘ଅରଡ଼’ ନାହିଁ । ହାଡ଼ିଆ ‘ଅର୍ଡ଼ର’ କୁ ଅରଡ଼ କହେ ।

 

ତେଇଶ

 

ଗାଁରୁ ତିନିମାଇଲ ଗଲେ ପକ୍କା ସଡ଼କ । ସଡ଼କରେ ନଯାଇ ନାଳ ବନ୍ଧେ ବନ୍ଧେ ଯିବାର କଥା ହେଲା; କାରଣ ସଡ଼କ ପାଖ ଗାଁଲୋକେ ଯେମିତି ତାଙ୍କ ଗାଁ ପାଖ ସଡ଼କକୁ କାଟିବାରେ ଲାଗିଛନ୍ତି ସେଥିରେ ସେମାନଙ୍କୁ ବେଶି ଦୂର ଆଗେଇବା କଷ୍ଟକର ହେବ । ବନ୍ଧରାସ୍ତାକୁ କିନ୍ତୁ ଡରରେ କାଟୁନାହାନ୍ତି; କାଳେ ନଈ ବଢ଼ିପାଣି ସେଇବାଟେ ଓଲଟି ମାଡ଼ିଆସିବ । ଏ ବିପଦରୁ ସେ ବିପଦ ବଳେଇଯିବ । ପୁଣି ନାଳବନ୍ଧ କାଟିଲେ ଧାନକିଆରିରେ ଆଉ ନାଳପାଣି ମାଡ଼ିପାରିବ ନାହିଁ, ଫସଲ ନଷ୍ଟ ହେବ । ଏହି ସବୁ କାରଣରୁ ବନ୍ଧକଟା ବନ୍ଦ ଥାଏ । ବନ୍ଧ ଉପରଦେଇ ଚାଲିକରି ବା ସାଇକେଲରେ ଯାଇହେବ; କିନ୍ତୁ ସେ ବାଟେ ମଟର ଯିବ ନାହିଁ, ସେଦିଗରୁ ସେମାନେ ନିଶ୍ଚିନ୍ତ ଥା’ନ୍ତି ।

 

ଦୁହେଁ ଗାଁଠାରୁ ସଞ୍ଜବେଳେ ବାହାରି ଚାଲିଗଲେ ଦୁଇମାଇଲ । ସଡ଼କରେ ପହଞ୍ଚିଲେ । ସଡ଼କ ଧାରେ ଧାରେ ସାଇକେଲରେ ନ ଯାଇ ଚାଲି ଚାଲି ଗଲେ । ଟେଲିଗ୍ରାମ୍ ଖୁଣ୍ଟ ଚାରିପାଖରେ ପାଣି । ଭାଗ୍ୟେ ଆକାଶରେ ମେଘ ନଥାଏ । ଖୁଣ୍ଟଗୁଡ଼ାକ ତାରା ଆଲୁଅରେ ବେଶ୍ ଦେଖାଯାଉଥାଏ । ଟର୍ଚ୍ଚଟାଏ ସାଙ୍ଗରେ ଥାଏ । ତାକୁ କିନ୍ତୁ ଜଳୋଉ ନଥାନ୍ତି କାଳେ କିଏ ସନ୍ଦେହ କରିବ । ଏମିତି କେଇଟା ଖୁଣ୍ଟ ଦେଖି ଦେଖି ଗଲେ । ରାସ୍ତାରେ କେହି ଲୋକ ନାହାଁନ୍ତି, ଖୁଣ୍ଟପାଖକୁ ସାଇକେଲ ନେବା କଷ୍ଟ । ସାଇକେଲକୁ ରାସ୍ତାପାଖ ଗଛରେ ଡେରିଦେଲେ । ନଡ଼ିଆଗଛରେ ଚଢ଼ିବାରେ ଦୁହେଁ ପିଲାଟି ଦିନୁଁ ଧୁରନ୍ଧର । ଗୋଡ଼ରେ ଛନ୍ଦି ଖୁଣ୍ଟରେ ଚଢ଼ିବାକୁ ଜଟିଆ ତାଙ୍କ ଘରୁ ବାଛୁରୀ ପଘାଟାକୁ ବୁଦ୍ଧି କରି ଆଣିଥାଏ । ଦୁହେଁ ଗୋଟାଏ ଖୁଣ୍ଟପାଖକୁ ଗଲେ-। ତାରା ଗୋଡ଼ରେ ପଘାଟାକୁ ଛନ୍ଦି ପକେଟରୁ ଷଣ୍ଢୁଆସିଟାକୁ ନେଇ ସହଜରେ ଖୁଣ୍ଟଉପରକୁ ଉଠିଗଲା ଓ ଅଳ୍ପସମୟ ଭିତରେ ତାରଟାକୁ କାଟିଦେଇ ଓହ୍ଲେଇଆସିଲା । ତାରଟି ଛିଣ୍ଡି ଟବ୍‌କରି ପାଣିରେ ପଡ଼ିବାର ଶବ୍ଦ ହେଲା । କାମ ହାସଲ । ରାସ୍ତାକୁ ଚାଲିଆସି ଦୁହେଁ ସାଇକେଲ ଧରିଲେ-। ଜଟିଆ ପଚାରିଲା, “ହାତରେ ‘ଶକ୍’ ଲାଗିଲା ନାହିଁ ।” ତାରା କହିଲା, “ଟେଲିଗ୍ରାମ୍ ତାରରେ ବିଜୁଳି ତାରପରି ‘କରେଣ୍ଟ୍’ ସବୁବେଳେ ନଥାଏ । ଯାହା ବା ଟିକିଏ ‘କରେଣ୍ଟ୍’ ବେଳେବେଳେ ଯାଏଁ, ସେଥିରେ ଲୋକଙ୍କର କିଛି କ୍ଷତି ହେବନାହିଁ ।”ଏ ତଥ୍ୟ ଜଟିଆକୁ ନୂଆ ।

 

ସେତେବେଳେ ମଫସଲ ପୋଷ୍ଟ୍‍ ଅଫିସ୍‍ଗୁଡ଼ିକରେ ଟେଲିଫୋନ୍ ଲାଗି ନଥାଏ, ଯାହା କେତେଟାରେ ଟେଲିଗ୍ରାମ୍ ଯୋଗାଯୋଗ ଥାଏ । ତାହା ପୁଣି ସବୁ ଅଞ୍ଚଳକୁ ନୁହେଁ, ପ୍ରଧାନ ପ୍ରଧାନ କେତେଟା ଅଞ୍ଚଳକୁ ଟେଲିଗ୍ରାମ୍ ଯୋଗାଯୋଗ ଥାଏ । ତାରା ଯେ କେବଳ ଜଣେ ଯିଏ କି ଏ ବିଷୟରେ ଚିନ୍ତା କରିଛି, ଏ କଥା ନୁହେଁ । ଏହିପରି ତା’ରି ପରି ଅନେକ ଲୋକ ଏକସମୟରେ ଏକାପରି ଚିନ୍ତା କରିଛନ୍ତି । ତାରା ତ ଗୋଟିଏ ତାର କାଟିଲା; କିନ୍ତୁ ଦେଖାଗଲା, ଦେଶରେ ଚାରିଆଡ଼େ ଠିକ୍ ଏହିପରି ତାରକଟା କାମ ଅନେକ ଜାଗାରେ ହୋଇଗଲା । ଏହା ଯେପରି ଏକ ସ୍ଵୟଂଜାତ ପ୍ରକ୍ରିୟା । ଏହାଦ୍ଵାରା ଦେଶର ଅଧିକାଂଶ ଅଞ୍ଚଳ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି-। ଚାଲିକରି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଛଡ଼ା ସଡ଼କପଥରେ ଗାଡ଼ିନେଇ ଯିବା ଅସମ୍ଭବ କରିଦିଆଯାଇଛି ଏହି ପାଞ୍ଚ ସାତଦିନ ସମୟ ଭିତରେ । ତେବେ ନଦୀ ବା କେନାଲପଥରେ ବୋଟ୍ କିମ୍ବା ଡଙ୍ଗା ସାହାଯ୍ୟରେ କେନାଲ ବା ନଈକୂଳର ସ୍ଥାନମାନଙ୍କୁ ସରକାରୀ ଲୋକେ ଆସିଯିବାର ଆଶଙ୍କା ଥାଏ । ତେଣୁ ନଈ ଓ କେନାଲକୂଳରେ ଲୋକମାନେ ବରାବର ଲକ୍ଷ୍ୟ କରୁଥାନ୍ତି ବାହାରୁ ପୋଲିସ୍‍ ସାହାଯ୍ୟ ଆସୁଛି କି ନାହିଁ ।

 

ବଡ଼ ଅବେଳାରେ କିନ୍ତୁ ଏ ଆନ୍ଦୋଳନଟା ଆରମ୍ଭ କରାଯାଇଥିଲା । ଦେଶରେ ବ୍ରିଟିଶ ଆମେରିକା ପ୍ରଭୃତି ମିତ୍ରପକ୍ଷର ବହୁ ଯୁଦ୍ଧ ସରଞ୍ଜାମ, ଗାଡ଼ିମଟର, ଗୋଲାଗୁଳି ବାରୁଦ, ଅସ୍ତ୍ରଶସ୍ତ୍ର ପ୍ରଭୃତି ପୂରିରହିଥାଏ । ଉଡ଼ାଜାହାଜରୁ ମଧ୍ୟ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ହେବା ବିଚିତ୍ର ନୁହେଁ । ସୈନ୍ୟବାହିନୀଙ୍କ ପାଖରେ କାନଭାସ୍ ତିଆରି ଡଙ୍ଗା ଥାଏ । ସେ ସବୁ ସାହାଯ୍ୟରେ ପୋଲିସ୍‍ ଓ ସୈନ୍ୟବାହିନୀ ମଫସଲ ଅଞ୍ଚଳକୁ ପଶିଆସିବାର ଆଶଙ୍କା ମଧ୍ୟ ଥାଏ; କିନ୍ତୁ ପ୍ରାଦେଶିକ ସରକାର ବା ତାଙ୍କ ପୋଲିସ୍‍ ହାତରୁ ଅବସ୍ଥା ନ ବଳେଇବା ପର୍ଯ୍ୟନ୍ତ ସୈନ୍ୟବାହିନୀକୁ ଡକାଯାଉ ନଥାଏ । ତେବେ ଶୁଣାଶୁଣିରେ ଜଣାଯାଉଥାଏ ଯେ କଲିକତା, ପାଟନା ପ୍ରଭୃତି ସହରରେ ସୈନ୍ୟବାହିନୀ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳେଇଲେଣି । ଓଡ଼ିଶାରେ ଅବସ୍ଥାକୁ ଆୟତ୍ତ କରିବାପାଇଁ ଯେକୌଣସି ମୁହୂର୍ତ୍ତରେ ସୈନ୍ୟବାହିନୀକୁ ଡକରା ପଡ଼ିପାରେ । କଟକ ଉପରେ ଜାପାନୀ ଆକ୍ରମଣର ଆଶଙ୍କାରେ ସେକ୍ରେଟେରୀଏଟ୍‌ ଅଫିସ୍‍କୁ ସମ୍ବଲପୁର ଉଠାଇ ନିଆଯାଇଥାଏ । ଯୁଦ୍ଧ ପ୍ରତି ଲୋକସମର୍ଥନ ପାଇବା ଆଶାରେ ଲାଟ୍‌ ସାହେବ ଓ ତାଙ୍କର ପରାମର୍ଶଦାତାମାନେ ଲୋକପ୍ରତିନିଧିମୂଳକ ସରକାରଟିଏ ଗଢ଼ିବାକୁ ଚେଷ୍ଟା କରୁଥାନ୍ତି ।

 

ଏହି ଅବସରରେ ଦେଶବ୍ୟାପୀ ନିଆଁ ଜଳିଉଠିଲା । ମଫସଲର ଅଧିକାଂଶ ଅଞ୍ଚଳର ସରକାରୀ ଶାସନକଳକୁ ଲୋକେ ଏକପ୍ରକାର ହାତକୁ ନେଇଗଲେ । ପାଞ୍ଚ-ସାତ ଜଣ କନେଷ୍ଟବଳ ଓ ଦୁଇଜଣ ଇନ୍‍ସପେକ୍ଟର, ସବ୍‌-ଇନ୍‍ସପେକ୍ଟର ଥିବା ଥାନାର ଲୋକେ ନିସ୍ତେଜ ହୋଇ ରହିଲେ; କିନ୍ତୁ ଯେ କେତେଟା ଥାନାର କର୍ମଚାରୀମାନେ ପ୍ରତିରୋଧ କରିବାକୁ ଆଗେଇଆସିଲେ, ସେଠାରେ ହେଲା ଗୋଳମାଳ । ସେମାନେ ପ୍ରଥମେ ଗୁଳି ଚଳାଇ ଜନତାକୁ ଘଉଡ଼େଇଦେବାକୁ ଚେଷ୍ଟାକରି ବିପଦ କିଣିଲେ । ତାରାଙ୍କ ଘରଠାରୁ ଅଧମାଇଲ ଦୂରରୁ ଗୋଟାଏ ଥାନାର ଜଣେ ଅତି ନିମକସଚ୍ଚା ସବ୍‌ଇନ୍‍ସପେକ୍ଟରଙ୍କ ଖିଆଲଯୋଗୁଁ ପୁଲିସଙ୍କର ଗୁଳିଚୋଟରେ ଦୁଇଜଣ ଗ୍ରାମବାସୀ ଟଳିପଡ଼ିଲେ । ସେ ଗ୍ରାମବାସୀମାନଙ୍କ ସାଙ୍ଗରେ ତାରା ଯାଇ ଦୁଇଦିନ ଆଗରୁ ସମ୍ପର୍କ ସ୍ଥାପନ କରିଥାଏ । ସେଠା ଥାନା ସବ୍‌ଇନ୍‍ସପେକ୍ଟରଙ୍କ କଥା ଆଖପାଖ ଗାଁରେ ଚାରିଆଡ଼େ ବ୍ୟାପିଯିବାରୁ ସବୁ ଗାଁରୁ ଜଣେଅଧେ ଲଢ଼ୁଆ ଯୁବକ ସେଠାରେ ଏକତ୍ରିତ ହୋଇଥିଲେ । ଚବିଶିଘଣ୍ଟା ଭିତରେ ଦୁଇ ତିନିଥର ଆକ୍ରମଣ ଓ ପ୍ରତି-ଆକ୍ରମଣ ଫଳରେ ଦୁଇଜଣ ଗ୍ରାମବାସୀ ମରିଯିବାରୁ ଅବସ୍ଥା ବଡ଼ ସାଂଘାତିକ ହେଲା । ସନ୍ଧ୍ୟାବେଳକୁ ପ୍ରାୟ ଦଶହଜାର ଲୋକ ଚାରିଆଡ଼ୁ ଆସି ସେଠାରେ ରୁଣ୍ଡ ହୋଇ ରାତି ଅନ୍ଧାରରେ ନିଜ ନିଜ ଜୀବନକୁ ପାଣିଛଡ଼େଇ ଥାନାର ଚାରିପଟରୁ ଥାନା ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ପ୍ରଥମେ ବନ୍ଧୁକରୁ ଦୁଇଚାରିଟା ଗୁଳି ଫୁଟିବାର ଶବ୍ଦ ହେଲା; କିନ୍ତୁ ପର ମୁହୂର୍ତ୍ତରେ ‘ମହାତ୍ମା ଗାନ୍ଧୀ କୀ ଜୟ’, ‘ସ୍ଵାଧୀନ ଭାରତ କୀ ଜୟ’ ଧ୍ଵନିକରି ଚାରିପାଖରୁ ଶହ ଶହ ମଶାଲ ସହିତ ଲୋକେ ଥାନା ଉପରେ ଆକ୍ରମଣ କରି ଥାନାଘରେ ଓ ଥାନାପାଖରେ ଥିବା କନେଷ୍ଟବଳ, ସବ୍‌ଇନ୍‌ସପେକ୍ଟରଙ୍କ ଘରେ ନିଆଁ ଲଗେଇ ଦେଲେ । ପିଲାପିଲିଙ୍କୁ ଛାଡ଼ି ବୀର ସବ୍‌ଇନ୍‌ସପେକ୍ଟର ଓ ଆଉ ଦୁଇଜଣ କନେଷ୍ଟବଳ ସେମାନଙ୍କର ପୋଲିସ୍ ପୋଷାକକୁ ଫୋପାଡ଼ି କେତେବେଳେ କେଉଁଆଡ଼େ ଖସିଗଲେ ଜଣାପଡ଼ିଲା ନାହିଁ । ବାକି ତିନିଜଣ କନେଷ୍ଟବଳ ଓ ଜଣେ ଜମାଦାର ସେମାନଙ୍କର ବନ୍ଧୁକ, ପଗଡ଼ି, ପୋଷାକର ସହିତ ଜନତା ଆଗରେ ଆତ୍ମସମର୍ପଣ କଲେ-। ସେମାନଙ୍କୁ ଅଭୟ ଦିଆଗଲା । ସେହି ରାତିରେ ସେହିଠାରେ ଜନତା ଦରବାର ବସିଲା-। ତାରା ଜନତାକୁ ତାଙ୍କର ଅପୂର୍ବ ସାହସପାଇଁ ପ୍ରଥମେ ଉଦ୍‌ବୋଧନ ଦେଲା । ନରହନ୍ତା କନେଷ୍ଟବଳଙ୍କୁ ନିଆଁରେ ପୋଡ଼ିଦେବା ପାଇଁ ଜନତା ମଧ୍ୟରୁ ଚିତ୍କାର ଉଠୁଥାଏ । କିନ୍ତୁ ତାରାର ବକ୍ତୃତାରେ ଲୋକେ ଟିକିଏ ଥଣ୍ଡା ପଡ଼ିଲେ, କେତେଜଣ ସ୍ଵେଚ୍ଛାସେବକଙ୍କୁ ଥାନାର ଦାୟିତ୍ଵ ଦିଆଗଲା । ବନ୍ଧୁକ ଗୁଳି ଏସବୁକୁ ଗୋଟାଏ ଘରେ ବନ୍ଦକରି ରଖାଗଲା । ପୋଡ଼ି ନଥିବା ଘୋଡ଼ାଶାଳଟିରେ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଆଶ୍ରୟ ଦିଆଗଲା ।

 

ତା’ପରେ କିଏ କୁଆଡ଼େ ଗାଁକୁ ଗଲାପରେ ପ୍ରତି ଗାଁର କେତେକ ମୁଖିଆଲୋକ ଏକାଠି ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବାକୁ ବସିଲେ । ସବ୍‌ଇନ୍‌ସପେକ୍ଟର ଓ ଯେଉଁ ଦୁଇଜଣ କନେଷ୍ଟବଳ ଖସିଗଲେ, ସେମାନେ ଯେକୌଣସିମତେ ନଈ ନାଳ ପାରିହୋଇ ଚାଲି ଚାଲି ଯାଇଁ କଟକରେ ପହଞ୍ଚିବେ ଓ ସରକାରଙ୍କୁ ଏ ଖବର ଦେବେ । ଏ ଖବର ପାଇ ଅଧିକ ପୋଲିସ୍ ହେଉ ବା ସୈନ୍ୟବାହିନୀ ହେଉ ନିଶ୍ଚୟ ଆସିବେହିଁ ଆସିବେ । ସେମାନଙ୍କ ପହଞ୍ଚିବାପରେ ଅବସ୍ଥା ସାଂଘାତିକ ହେବ । ହୁଏତ ସେମାନଙ୍କର ପ୍ରତିରୋଧ କରିବା ଶକ୍ତି ଗ୍ରାମବାସୀଙ୍କର ରହିବନାହିଁ । ପୋଲିସ୍‍ ତ ମଟର ସାହାଯ୍ୟରେ ସଡ଼କବାଟେ ଆସିପାରିବେ ନାହିଁ; ନଈ ବାଟେ ହୁଏତ ଡଙ୍ଗାରେ ଆସିବେ । ତେଣୁ ନଦୀଘାଟ ଜଗିବାକୁ ହେବ । ଯଦି ଅଳ୍ପ ସଂଖ୍ୟକ ସରକାରୀ ହାକିମ ବା ପୋଲିସ୍ ଆସନ୍ତି; ତେବେ ସେମାନଙ୍କ ଡଙ୍ଗାକୁ ଘାଟରେ ଲାଗିବାକୁ ଦିଆଯିବନାହିଁ । ନଦୀଘାଟରେ ଠେଙ୍ଗାବାଡ଼ି ସହିତ ଅସଂଖ୍ୟ ଲୋକଙ୍କ ଜମାୟତ ବସ୍ତି ଦେଖି ହାକିମ ଘାଟରେ ଡଙ୍ଗା ଭିଡ଼ିବାକୁ ସାହସ ନକରିବେ ତ ବୁଦ୍ଧିମାନ୍‌ର କାର୍ଯ୍ୟ କରିବେ । ଆଉ ଯଦି ଗୋଟାଏ ଦୁଇଟା ବନ୍ଧୁକିଆ ପୋଲିସ୍‌‌ଙ୍କୁ ଧରି ଦୁଃସାହସକରି ଘାଟରେ ଡଙ୍ଗା ଭିଡ଼ିବେ, ତେବେ ବନ୍ଧୁକ ଗୁଳିରେ କେଇଜଣ ମରନ୍ତୁ ପଛକେ, ହାକିମଙ୍କର ଏ ଅପରିଣାମଦର୍ଶିତାର ଫଳ ତାଙ୍କୁ ନିଶ୍ଚୟ ଭୋଗକରିବାକୁ ପଡ଼ିବ । ‘କର ବା ମର’ ହେବ ଆମର ପଣ; ଏହି ସିଦ୍ଧାନ୍ତ ପରେ ଗୁଳିମାଡ଼ରେ ମୃତ ଦୁଇଜଣ ସହିଦଙ୍କ ଜୀବନକୁ ସେହି ଦଶହଜାର ଜନତା ବିରାଟ ପଟୁଆରରେ ନେଇ ଗାଁମୁଣ୍ଡ ଶ୍ମଶାନରେ ସଂସ୍କାର କଲେ ଓ ମୃତବ୍ୟକ୍ତିଙ୍କ ପରିବାରଙ୍କୁ ଯଥୋଚିତ ସାହାଯ୍ୟ ଦେବାର ବନ୍ଦୋବସ୍ତ କରାଯିବାର ସ୍ଥିରହେଲା ।

 

ଏଠାରେ ତାରାର କାରସାଦି ସେତେ ନଥିଲେ ସୁଦ୍ଧା ଯେଉଁ ସବ୍‌ଇନ୍‌ସପେକ୍ଟରବାବୁ ଥାନା ଛାଡ଼ି କଟକ ପଳେଇଛନ୍ତି ସେ ତାକୁ ନିଶ୍ଚୟ ଚିହ୍ନିଛନ୍ତି ସେଦିନ ମଶାଲ ଆଲୁଅରେ । ସେ ଏ ସବୁ ତାରାର କାରସାଦି ବୋଲି ନିଶ୍ଚୟ ବୟାନ କରିବେ । ତାରା ତ ମାର୍କାମରା ଥିଲା ଆଗରୁ । ଓଡ଼ିଆ ପୋଲିସ୍‍ଙ୍କର ନଜର ଅଛି ତା’ଉପରେ । ଗଲା କେତେ ମାସ ତଳେ ତାରା ସେମାନଙ୍କ ଆଖିରେ ଧୂଳିପକେଇ ଖସିଯାଇଥିଲା; ପୁଣି ଓଡ଼ିଶାକୁ ଫେରିଛି । ଏ ଥାନା-ପୋଡ଼ି ନିଶ୍ଚୟ ତା’ରି ମୁଣ୍ଡରୁ ବାହାରିଥିବ । ତାରା ଏକଥା ସ୍ପଷ୍ଟ ଧରିନେଇଥାଏ । ସବୁ ସରିଲାପରେ ତାରା ସେଠାକାର ଜଣେ ସାଙ୍ଗକୁ ସାଙ୍ଗରେ ନେଇ ସେହି ରାତାରାତି ଆଠମାଇଲ ରାସ୍ତା ବର୍ଷାପାଣି କାଦୁଅରେ ପଶି ଚାଲି ଚାଲି ଆସି ସକାଳୁ ସକାଳୁ ଘରେ ପହଞ୍ଚିଲା । ଫର୍ଚା ହେବା ପୂର୍ବରୁ ସାଙ୍ଗଟି ଫେରିଯାଇଥିଲା ତା’ ଗାଁକୁ । ସକାଳୁ ଦାଣ୍ଡରେ ତାରାର ଡାକ ଶୁଣି ବୋଉ କବାଟ ଫିଟେଇଦେଲେ । ତାରାର ଚେହେରା ଓ ତା’ ଲୁଗାପଟାର ଢଙ୍ଗ ଦେଖି ବୋଉଙ୍କ ପାଟିରୁ ଆଉ କଥା ବାହାରିଲା ନାହିଁ । ତାରା ଘରଭିତରକୁ ପଶିଯାଇ ଲୁଗାପଟା ବଦଳେଇ କହିଲା, “ବୋଉ, ମୁଁ ଶୋଇଯାଉଛି, ମୁଁ ଫେରିଛି ବୋଲି କାହାକୁ କହିବୁ ନାହିଁ । ମୁଁ ଉଠିଲେ ଯାହା ହେବ ।” ତାରା ଦାନ୍ତ ଘଷୁ ଘଷୁ ବୋଉ ଚୁଡ଼ାଧୋଇ ଜଳଖିଆର ବ୍ୟବସ୍ଥା କରିଦେଲେ । ତାରା କାଲି ଦିପହରେ ଯାହା ମୁଠାଏ ଭାତ ଖାଇ ଯାଇଥିଲା । ସେ ଚୁଡ଼ାତକ ଖାଇଦେଇ ଗୋଟାଏ ଘରେ ଶୋଇଗଲା ।

 

ପ୍ରାୟ ବାରଟାବେଳକୁ ତାରାର ନିଦ ଭାଙ୍ଗିଲା । ସେ ଯାଇ ବାରିପୋଖରୀରେ ଗାଧୋଇ ଆସିଲା । ସେତେବେଳକୁ ବୋଉ ରାନ୍ଧିବାଢ଼ି ପ୍ରସ୍ତୁତ ଥିଲେ । ତାରା ଗାଧୋଇ ଆସିବା ସଙ୍ଗେ ସଙ୍ଗେ ତାକୁ ଖାଇବାକୁ ଦେଇ ପାଖରେ ବସିଲେ । ବୋଉ ଖାଲି ତାରା ମୁହଁକୁ ଅନୋଉଥାନ୍ତି । ଗତ ପନ୍ଦରଦିନ ହେବ ତାରା ନିଶ ଦାଢ଼ି ନ କାଟି ଏକ ଅଦ୍ଭୁତ ଚେହେରା ଧରିଛି । ତାରାକୁ ସହଜରେ ଚିହ୍ନିବା ମୁସ୍କିଲ୍ । ତାରା ଖାଇସାରି ପୁଣି ଶୋଇବାକୁ ଗଲା । ବୋଉ ସାଙ୍ଗେ ସାଙ୍ଗେ ଯାଇ ଖଟଧାରରେ ବସିଲେ । ବୋଉ କହିଲେ, “ତୁ କାହିଁକି ଏପରି ବାଇଆ ବାତୁଳା ହେଉଛୁ ? କୁଆଡ଼େ ଯାଉଛୁ କ’ଣ କରୁଛୁ ମୁଁ ତ ତା’ର ଅନ୍ତ ପାଉନାହିଁ । ତା’ଉପରେ ଏମିତି ଗୋରୁମରା ଚେହେରା କାହିଁକି ଧରିଛୁ ? କ’ଣ ତୋ’ର ମତଲବ ?”

 

ତାରା କହିଲା, “ମତଲବ ଆଉ କ’ଣ । ଇଂରେଜ ସରକାରଙ୍କ ସହିତ ଏଥର ଶେଷ ଲଢ଼େଇର ବେଳ ଆସିଛି । ଏହି ଥର ସେମାନେ ଆମ ଦେଶ ଛାଡ଼ି ଯାଆନ୍ତୁ, ନଚେତ୍ ଆମେ ସବୁ ଏ ପୁରରୁ ସେ ପୁରକୁ ଯାଉ । ଅନେକ ଅହିଂସା ଅସହଯୋଗ ବାଣୀ ସେମାନଙ୍କୁ ଶୁଣେଇ ଦିଆଯାଇଛି; କିନ୍ତୁ ଚୋର କୁଆଡ଼ୁ ଧର୍ମର କାହାଣୀ ଶୁଣିବ ? ଦୁର୍ଯୋଧନ ସୂଚ୍ୟଗ୍ରପରିମାଣ ଭୂମି ପାଣ୍ଡବଙ୍କୁ ଦେବନାହିଁ ବୋଲି ତ ନାହିଁ କରିଦେଇଥିଲା । ସେଇଠୁଁ ତ ମହାଭାରତ ଯୁଦ୍ଧର ଆରମ୍ଭ । ସେହିପରି ଇଂରେଜ ସରକାର ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନକୁ ଭୀରୁ କାପୁରୁଷଙ୍କର ଆନ୍ଦୋଳନ ବୋଲି ଧରିନେଲେ । ତେଣୁ ଏହି ଥରକ ନିଜେ ଗାନ୍ଧିଜୀ ଇଂରେଜମାନଙ୍କୁ ଭାରତ ଛାଡ଼ି ଚାଲିଯିବାକୁ କହୁଛନ୍ତି । ସେମାନେ ମାନେ ମାନେ ନଗଲେ ତେଣିକି ଆମେ ମରୁ ପଛକେ ତାଙ୍କୁ ଏ ଦେଶରୁ ତଡ଼ିବାକୁ ପ୍ରାଣପଣେ ଚେଷ୍ଟା କରିବୁ !”

 

ତାରା ଜାଣେ ବୋଉକୁ ପୁରାଣର ନଜିର ଦେଇ କଥାଟା କହିଲେ, ସେଥିରେ ବୋଉର ବିଶ୍ଵାସ ହୋଇଯାଏ । ପୁରାଣକଥା ସବୁ ଦେବତାଙ୍କ କଥା ବୋଲି ତା’ର ବିଶ୍ଵାସ ।

 

ବୋଉ କହିଲେ, “ତୁ ତ ଏତେ ପାଠଶାଠ ପଢ଼ିଲୁ । ଆମେ କହୁଛୁ ସରକାରୀ ଚାକିରି ନକରି ତମ ତିନିପୁରୁଷର ବେଉସା ଓକାଲତି କର ବୋଲି । ତୁ ତ ସେଆଡ଼କୁ ମନ ନଦେଇ ବାଇଆ ବାତୁଳା ପରି ଖାଲି ପଳେଇ ପଳେଇ ବୁଲୁଛୁ ।”

 

ତାରା କହିଲା, “ବୋଉ, ଓକାଲତି କରିବାକୁ ଯଥେଷ୍ଟ ବେଳ ଆସିବ; କିନ୍ତୁ ଏ ଯେଉଁ ସମୟ, ଏ ସମୟ ବାହାରିଗଲେ ଆଉ ଆସିବ ନାହିଁ । ଆମେ ହୁଏତ ପୁଣି ଶହେବର୍ଷ ବିଦେଶୀ ଶାସନ ଅଧୀନରେ ରହିଯିବା । ସାରା ଦେଶରେ ବର୍ତ୍ତମାନ ନିଆଁ ଲାଗିଯାଇଛି । ଏତିକିବେଳେ ସମସ୍ତେ ଲାଗିପଡ଼ିଲେ ଦେଶ ନିଶ୍ଚୟ ସ୍ଵାଧୀନ ହୋଇଯିବ ।

 

ତାରାର ବୋଉ ଚିରଦିନ ଈଶ୍ଵରବିଶ୍ଵାସୀ । ପୁଣି ସ୍ଵାଧୀନତା, ପରାଧୀନତା ଗାନ୍ଧି ଆନ୍ଦୋଳନ, ସରକାରୀ ନିର୍ଯାତନା କଥା ସେ ଭଲଭାବରେ ବୁଝନ୍ତି । ଏ ସବୁ ଗତ ପନ୍ଦରବର୍ଷ ହେଲା ତାଙ୍କର ଦେହସୁହା ହୋଇଗଲାଣି । ସେ କହିଲେ, “ତେବେ ତୁ ବର୍ତ୍ତମାନ କ’ଣ କରିବୁ, କୁଆଡ଼େ ଯିବୁ ?”

 

ତାରା କହିଲା, “ମୁଁ ଠିକ୍ କହିପାରୁନାହିଁ, କ’ଣ କରିବି, କୁଆଡ଼େ ଯିବି । ତେବେ ଆଜି ସନ୍ଧ୍ୟାବେଳକୁ ମୋତେ କଟକ ଯିବାକୁ ହେବ । ସେଠାରେ ପହଞ୍ଚିଲେ ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ହେବ ।”

 

‘ହଉ, ଆଉ ଟିକିଏ ଶୋଇପଡ଼’ ବୋଲି କହି ବୋଉ କବାଟ ଆଉଜେଇ ଦେଇ ଗଲେ ।

 

ତାରାକୁ ଆଉ ନିଦ ହେଲାନାହିଁ । ସେ ଶୋଇ ନାନା କଥା ଚିନ୍ତା କରିବାକୁ ଲାଗିଲା । କଟକ ଯାଇ କ’ଣ କରିବ ? ଜିତେନ୍‌ଦା’କୁ ଭେଟିବ ? ଜିତେନ୍‌ଦା’ ବାହାରେ ଥିବ ତ ? ତାକୁ ଯଦି ୟା ଭିତରେ ଧରିନିଆଯାଇଥାଏ ତେବେ ସେ ସୁନୀଲ ସାଙ୍ଗେ ଦେଖାକରି ହାଲ୍‍ଚାଲ୍‍ ବୁଝିବ । ସୁନୀଲ ସଙ୍ଗେ ଦେଖାକରିବା ନିରାପଦ କି ନୁହେଁ, ସେ କଥା ମଧ୍ୟ ଭାବିବାର କଥା । ଦେଖାକଲେ ତାରାର ବା ସୁନୀଲର କାହାରି କିଛି କ୍ଷତି ହୋଇପାରେ ବା ଉଭୟଙ୍କର କ୍ଷତି ହୋଇପାରେ । ଏ ତିନିଟାଯାକରୁ ଦୁଇଟା ଖରାପ; ଗୋଟାଏ ଭଲ । ଏ ଅବସ୍ଥାରେ ସୁନୀଲ ସଙ୍ଗେ ଦେଖାନକରି ଅନ୍ୟ କାହା ମାରଫତରେ ଭିତରି ଖବର ବୁଝିଲେ ହୁଅନ୍ତାନାହିଁ । କାହା ମାରଫତରେ ବୁଝିବ, ଏମିତି ନାନାପ୍ରକାର ଚିନ୍ତା କରୁ କରୁ କେତେ ସମୟ ଯେ ଚାଲିଗଲା, ତା’ର ଠିକଣା ନାହିଁ । ବୋଉ ଯେତେବେଳେ କବାଟ ଠେଲି ତାରା ଶୋଇଥିବାଘର ଭିତରକୁ ଆସିଲେ, ତାରା ଉଠି ବସିଲା ।

 

ବୋଉ କହିଲେ, “କିରେ, କଟକ ଯିବୁ ବୋଲି କହୁଥିଲୁ ପରା । ସଞ୍ଜ ତ ହେବାକୁ ବସିଲାଣି । ବର୍ଷାପାଣି ଦିନ । ଯାଇଥାନ୍ତୁ ଯଦି ଆଗରୁ ଯାଇଥାନ୍ତୁ । ଥା, କାଲି ଯିବୁ ।”

 

ତାରା କହିଲା, “ନାହିଁ ବୋଉ, ଶୋଉ ଶୋଉ ଶୋଇପଡ଼ିଲି । କଟକ କେତେ ବାଟ ଯେ-। ଅନଉଁ ଅନଉଁ ପହଞ୍ଚିଯିବି ।”

 

ବୋଉ କହିଲେ, “ପିଠା କରିଛି, ଟିକିଏ ଖାଇକରି ଯା ।” ତାରା ଘରୁ ଅନୁକୂଳ କରି ବାହାରିବାର ଥିଲେ ବୋଉ ନିଶ୍ଚୟ ଚକୁଳିପିଠା କରିବେ । ତାରାକୁ ଏ କଥା ଜଣା ।

 

ତାରା ଦେଖିଲା ଯେ ନଡ଼ିଆଗଛ ଅଗରେ ତଥାପି ଖରା ଅଛି । ସେ ଖାଇବସି ଏଣୁତେଣୁ ଗପକରି ଡେରିକଲା । ସେ ଗପୁଥାଏ, ଖାଉଥାଏ । ବୋଉ ଦେଲେ ଆଉ ତାରା ଖାଇବସିଲେ ଯେପରି ତାରାର ଖିଆ ସରେ ନାହିଁ । ତାରାର ପ୍ରକୃତି ଏମିତି ବସିକରି କେହି ଖୋଇଲେ ସେ ତିନିଜଣଙ୍କର ଆହାର ଏକା ଖାଇଦେବ । ପୁଣି ନଖାଇ ମଧ୍ୟ ତିନିଦିନ ରହିଯିବ ବିନା ଆପତ୍ତିରେ । ତାରା ହଠାତ୍ କହିଲା, “ବୋଉ, ଥାଉ ବହୁତ ଖାଇଲିଣି । ବେଳ ଡେରି ହୋଇଯାଉଛି । ହଁ, ଦରକାର ଅଛି । ଟଙ୍କା ଦଶଟା ଦବୁ କି ?”

 

ତାରା କେବେ ଟଙ୍କା ମାଗେ ନାହିଁ । ତାରା ମାଗିବାରୁ ବୋଉ ଘର ଭିତରରୁ ଆଣି ଦଶ ଟଙ୍କା ତାରା ହାତକୁ ଦେଲେ । ତାରା ସେତେବେଳକୁ କମିଜ ପିନ୍ଧିସାରିଲାଣି । ବୋଉ ଟଙ୍କା ଦେବାରୁ ତାକୁ ପକେଟରେ ପକେଇ ମେଲା ଘରେ ପହଞ୍ଚି ଦେଖେ ତ ନିଧିଆ ସାଇକେଲକୁ ନେଇ ପିଣ୍ଡାତଳେ ଥୋଇଲାଣି । ତାରା ହଠାତ୍ ଫେରିପଡ଼ି କହିଲା, “ବୋଉ, ଯାଉଛି ।” ୟା କହି ହଠାତ୍ ଆଣ୍ଠୁମାଡ଼ି ବସି ବୋଉର ପାଦଧୂଳି ନେଇ ମୁଣ୍ଡରେ ମାରିଲା । ବୋଉ ଗୋଡ଼ ଘୁଞ୍ଚେଇ ନେଲେ ।

 

ତାରା ତ କେବେ ଏପରି ଗୋଡ଼ତଳେ ପଡ଼ି ପାଦଧୂଳି ନିଏ ନାହିଁ । ତାରା ମୁଣ୍ଡରେ ହାତରଖି ବୋଉ ଆଶୀର୍ବାଦ କଲେ ବୋଧହୁଏ; କିନ୍ତୁ ସେତେବେଳେ ତାରା ଏକମୁହାଁ ହୋଇ ପିଣ୍ଡାତଳୁ ସାଇକେଲକୁ ଧରି ଚଢ଼ିବା ଆରମ୍ଭ କରିଦେଲାଣି ।

 

ବୋଉ ପିଣ୍ଡା ଉପରୁ ତା’ ଯିବା ବାଟକୁ ଅନେଇ ରହିଲେ । ମନେମନେ ଭାବୁଥାନ୍ତି–ତାରା ଆଜି ଏପରି ଭାବରେ ବିଦାୟନେଲା କାହିଁକି ?

 

ଚବିଶ

 

ତାରା ଦଶଦିନ ପୂର୍ବରୁ ଗାଁକୁ ଯାଇଥିଲା । ସେଠାରେ ଯାଇଁ ଏତେ ପ୍ରକାର କାମରେ ବୁଡ଼ିରହିଲା ଯେ ଦେଶର କେଉଁଠି କ’ଣ ଘଟିଗଲାଣି ତା’ର ଖବର ରଖିନାହିଁ । ଖବର ନରଖିବା ବରଂ ଭଲ । ସମସ୍ତେ ନିଜ ଗ୍ରାମ ବା ଅଞ୍ଚଳର ଅବସ୍ଥା ଓ ପରିସ୍ଥିତିକୁ ଚାହିଁ ବ୍ୟବସ୍ଥା କରିବା ଭଲ ବୋଲି ତାରାର ଧାରଣା । ଗୋଟାଏ ଜାଗାରେ ଯାହା ହେଉଛି ସବୁ ଜାଗାରେ ସେହିପରି କରାଗଲେ, ପୋଲିସ୍‍କୁ ଆଗତୁରା ସତର୍କ ହେବାକୁ ସୁବିଧା ହେବ । ତେଣୁ ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଭିନ୍ନ ପ୍ରକାର ପନ୍ଥା ଅବଲମ୍ବନ କରିବା ଉଚିତ ବୋଲି ତାରାର ବିଚାର ।

 

ଘରପାଖ ବନ୍ଧରେ ଦୁଇମାଇଲ ଆସିବା ପରେ ହଠାତ୍ ଜଟାଧାରୀଙ୍କ ସଙ୍ଗେ ମୁହାଁମୁହିଁ ଭେଟ । ଗାଁରେ କାହାର ସତ୍ୟପୀରପୂଜା ହେବ ଯେ ସେ ଆସିଥିଲା ଶିରିଣି ମିଠେଇ ନେବାକୁ । ଯେଉଁଠି ବାଘର ଭୟ, ସେଇଠି ରାତି । ଯାହାଙ୍କୁ ଦେଖାକରିବ ନାହିଁ ବୋଲି ସେ ଅନ୍ଧାରେ ଅନ୍ଧାରେ ଆସୁଥିଲା ତାହାରି ସଙ୍ଗେ ଦେଖା । ତାରା କହିଲା, “ମୁଁ ପଅରଦିନ ଫେରିଆସିବି, ଆସିଲେ ସବୁ କଥାବାର୍ତ୍ତା ।” ଜଟିଆ କହିଲା, “ମୁଁ ତ ଜାଣ ଗାଁରେ ପହଞ୍ଚିସାରିଲେଣି । ତୁ କଟକରେ ପହଞ୍ଚୁ ପହଞ୍ଚୁ କେତେ ରାତି ହୋଇଯିବ; ଯା, ପଳା, ମେଘ ଆସୁଛି ।” ଏହା କହି ଜଟାଧାରୀ ସାଇକଲ୍‌ରେ ବସିବାରୁ ତାରା ମଧ୍ୟ କଟକ ଆଡ଼େ ମୁହିଁଲା । ଦୁହେଁ ଦୁଇଆଡ଼େ ଗଲେ ।

 

ତାରା ଆସି ଷ୍ଟେସନ୍‍ରେ ପହଞ୍ଚିବା ବହୁପୂର୍ବରୁ ରାତି ହୋଇଗଲାଣି । ଯୁଦ୍ଧ ସକାଶେ ଚାରିଆଡ଼ ବ୍ଳାକ୍‌ଆଉଟ୍ କରାଯାଇଛି । ଷ୍ଟେସନ୍‍ ପାଖରୁ ବଡ଼ ରାସ୍ତାରେ ଇଲେକ୍‍ଟ୍ରିକ୍ ଆଲୁଅ ଅଛି; କିନ୍ତୁ ସେ ଆଲୁଅ କେବଳ ସେହି ଖୁଣ୍ଟମୂଳକୁ ଆଲୁଅ କରିବା ଛଡ଼ା ଅନ୍ୟ କୁଆଡ଼କୁ ଦିଶୁନାହିଁ । ଗାଡ଼ି ମଟରର ଆଲୁଅ ମଧ୍ୟ ତଳମୁହାଁ, ଦୂରକୁ ଯେପରି ତା’ର ଧାସ ନପଡ଼େ । ସେତେବେଳେ ଏହିପରି ନାନାପ୍ରକାର କଟକଣା ହୋଇଥାଏ ଆଲୁଅର । ତା’ ସାଙ୍ଗକୁ ପୋଲିସ୍‍ବାଲା, ଏ.ଆର.ପି.ବାଲାଙ୍କ ଉତ୍ପାତ କହିଲେ ନସରେ । ଏ ଯୁଦ୍ଧ ସମୟରେ ‘କିଳାପୋତେଇ’ ‘କଳାବଜାର’ ପ୍ରଭୃତି କେତେ ନୂଆ ରକମର ରୋଜଗାରର ଫନ୍ଦି କଥା ଲୋକେ ଶୁଣୁଥାନ୍ତି । ତେଣୁ ଏ ସବୁକୁ ଧରିବାକୁ ଓ ପୋଲିସ୍‍କୁ ଏ ଦିଗରେ ସାହାଯ୍ୟ କରିବାକୁ ଗୃହରକ୍ଷୀଦଳ ଗଢ଼ାଯାଇଥାନ୍ତି । ତାରା ଏକଥା ଜାଣେ । ବିନା ବତିରେ ସାଇକଲ୍ ଚଳେଇଲେ ଏମାନେ ଧରିନେବେ । ଧରି ସିଧା ଥାନାକୁ ଟାଣିବେ । ନାଁ ଗାଁ ଟିପିନେଇ ମଧ୍ୟ ଛାଡ଼ିବେନାହିଁ । ଅନେକେ କୁଆଡ଼େ ମିଛ ନାଁ ଦେଇ ଠକିଦେଇଛନ୍ତି ବୋଲି ଏ ବ୍ୟବସ୍ଥା । ତାରା ଦେଖିଲା ବିନା ବତିରେ ପୁଣି ସାଇକଲ୍ ଚଳେଇ ଥାନାକୁ ଘୋଷରା ନହେଉ । ତାରାକୁ କଟକ ସହର ଗଳିକନ୍ଦି ସବୁ ମାଲୁମ । ସେ ଗଳିବାଟଦେଇ ଚାଲିଯାଇପାରନ୍ତା; କିନ୍ତୁ ଅନ୍ଧାରୁଆ ଗଳିକନ୍ଦିରେ ସେମାନେ ଲୁଚିଛପି ବେଶି ଉତ୍ପାତ କରନ୍ତି । ଯେପରିକି କଟକରେ ବିନା ବତିରେ ସାଇକଲ୍‍ଚଢ଼ାଳିଙ୍କୁ ଧରିଲେ ବିଶ୍ଵଯୁଦ୍ଧରେ ଇଂରେଜଙ୍କ ବିଜୟ ସୁନିଶ୍ଚିତ ।

 

ତାରା ଷ୍ଟେସନ୍‍ଠାରୁ ସାଇକଲ୍‍କୁ ଗଡ଼େଇ ଗଡ଼େଇ ନେବା ଶ୍ରେୟସ୍କର ମନେକଲା । ରାଣୀହାଟ ଛକଠାରୁ ନିଛାଟିଆ ଦୋଳମୁଣ୍ଡେଇ ରାସ୍ତା ଦେଇ ନଈକୂଳବାଟ ଧରିବ ବୋଲି ଠିକ୍ କଲା । ରାଣୀହାଟ ଛକରୁ ଯେମିତି ବାଙ୍କେଇଛି ଦୋଳମୁଣ୍ଡେଇ ଆଡ଼କୁ, ହଠାତ୍ କିଏ ତାକୁ ‘ତାରା’ ବୋଲି ଡାକିଦେଲା । ତାରା ଚାରିଆଡ଼କୁ ଅନେଇ ଦେଖେ ତ ଗୋଟିଏ ପାନଦୋକାନ ସାମନାରେ ସୁନୀଲ । ପାନଦୋକାନରେ ମିଞ୍ଜି ମିଞ୍ଜି ଆଲୁଅଟିଏ ଜଳୁଛି । ସେହି ଆଲୁଅରେ ତାରା ସୁନୀଲକୁ ଚିହ୍ନିବା କଷ୍ଟକର ହେଲାନାହିଁ । ସୁନୀଲ ପୂରା ପୋଲିସ୍‍ ପୋଷାକରେ ଏକାଏକା ସାଇକଲ୍‍ଟି ଧରି ଛିଡ଼ାହୋଇଛି । ତାରା ସାଇକଲ୍‍କୁ ଗଡ଼ାଇ ତା’ ପାଖକୁ ଗଲା । ଦୁହେଁ ଦୋକାନଠାରୁ ଟିକିଏ ଅନ୍ଧାରୁଆ ଜାଗାକୁ ଯାଇ ଛିଡ଼ାହେଲେ । ତାରା ମୁହଁରେ ସେତେବେଳକୁ ପନ୍ଦର ଦିନର ଦାଢ଼ି; ତଥାପି ସୁନୀଲର ପୋଲିସ୍‍ ଆଖି ତାକୁ ଚିହ୍ନିବାରେ ଭୁଲ କରିନାହିଁ ।

 

ସୁନୀଲ କହିଲା, “କିବେ ! ଖୁବ୍ ତ କୀର୍ତ୍ତି କରିଛୁ । ପୁଣି କଟକମୁହାଁ ହୋଇଛୁ କୋଉ ସାହସରେ ? ଭଲଗତି ଅଛି ଯଦି ଶୀଘ୍ର କଟକ ଛାଡ଼ି ପଳା । ପାରିବୁ ତ ଆଜି ରାତିରେ ପଳା ।”

 

ତାରା ତା’ଠାରୁ ଆଉ କିଛି ଖବର ସଂଗ୍ରହ କରିବ ବୋଲି ଭାବିଥିଲା; କିନ୍ତୁ ସୁନୀଲ ତାକୁ ଆଉ କିଛି କହିବାକୁ ନଦେଇ କେବଳ କହିଲା, ‘ତୁ ଆଗ ଗଲୁ ।’ ଏତକ କହି ସେ ରାଣୀହାଟ ଛକଆଡ଼କୁ ସାଇକଲ୍ ନେଇ ଚାଲିଗଲା ।

 

ତାରା ନାନା କଥା ଚିନ୍ତାକରି ଆସି ବସାରେ ପହଞ୍ଚିଲା । ବାପା କୁଆଡ଼େ ଯାଇଛନ୍ତି । ବସାରେ ଜଗୁ ଏକା । ବସାରେ ପାଣି ଗିଲାସେ ପିଇ ‘ମୁଁ ଏଇଠୁ ଆସୁଛି’ ବୋଲି କହି ତାରା ବାହାରିଗଲା । ସିଧା ଚାଲିଲା ଜିତେନ୍ ଘରକୁ । ସଞ୍ଜବେଳେ ଅବଶ୍ୟ ଜିତେନ୍‌କୁ ଘରେ ପାଇବା ଦୁଷ୍କର । ତଥାପି ଘରେ ପଚାରିଲେ ହୁଏତ ଜେଲ ଗଲାଣି କି ବାହାରେ ଅଛି ସେ ଖବରଟା ଅନ୍ତତଃ ମିଳିପାରେ ବୋଲି ସେ ଜିତେନ୍ ଘରକୁ ଗଲା । ଯାହା ଭାବିଥିଲା ସେଇଆ । ଚାକରଠାରୁ ପଚାରି ବୁଝିଲା ଯେ ଜିତେନ୍‍ବାବୁ ଆଠଦିନ ହେବ ଘରକୁ ଆସିନାହାନ୍ତି । ଆଉ ବିଶେଷ କିଛି ପଚାରିବା ଦରକାର ମନେ ନକରି ତାରା ସୁନନ୍ଦା ଘର ଆଡ଼େ ମୁହିଁଲା । ସୁନନ୍ଦାର ବାପା ଧରାହୋଇଯିବାର ଖବର ସେ ଆଗରୁ ଜାଣିଥିଲା । ନାମଜାଦା ଓକିଲ ହେଲେ ମଧ୍ୟ ବିଶିଷ୍ଟ ଆଦର୍ଶବାଦୀ ହିସାବରେ ସେ ଖୁବ୍ ଜଣାଶୁଣା । ପ୍ରାୟ ସବୁ ସ୍ଵାଧୀନତା ଆନ୍ଦୋଳନରେ ସେ ଜେଲ୍ ଭୋଗକରିଛନ୍ତି । ତାରା ତାଙ୍କ ଘରେ ପହଞ୍ଚି ଦେଖେ ତ ସୁନନ୍ଦା ବାପାଙ୍କ କଚେରି ଘରଟାରେ ଗୋଟାଏ ବତି ମିଞ୍ଜି ମିଞ୍ଜି ହୋଇ ଜଳୁଛି । ଯେଉଁ ଘରେ ସନ୍ଧ୍ୟାପହରୁ ଲୋକଗହଳି ଲାଗିଥାଏ, ସେ ଆଜି ଶୂନଶାନ୍ । ପାଖ ସଦର କବାଟ ମଧ୍ୟ ଭିତରୁ ବନ୍ଦ । ତାରା ଶଙ୍କି ଶଙ୍କି କବାଟରେ ଧୀରେ ଧୀରେ ଠକ୍ ଠକ୍ କଲା । ପାଖପଡ଼ିଶା ଘରେ ମଧ୍ୟ ବତି ନାହିଁ । ମାଧିଆ ଆସି କବାଟ ଖୋଲିଦେଲା । ତାରାକୁ ଚିହ୍ନେ ସେ । କିଛି ନକହି ନମସ୍କାରଟିଏ କରି ଘର ଭିତରକୁ ଚାଲିଗଲା । ଅଳ୍ପ ସମୟ ପରେ ସୁନନ୍ଦାର ବୋଉ, ସୁନନ୍ଦା ଓ ତା’ର ସାନ ଭଉଣୀ ତିନିହେଁ ଏକାବେଳକେ ବାହାରିଆସିଲେ । ତାରା ଖଞ୍ଜା ଭିତରକୁ ପଶିଯାଇ ସୁନନ୍ଦାର ବୋଉଙ୍କୁ ପ୍ରଣାମ କଲା । ସୁନନ୍ଦା ଓ ତା’ ସାନଭଉଣୀ ତାରାକୁ ନମସ୍କାର କଲେ । ସୁନନ୍ଦାର ବୋଉ ପଚାରିଲେ, “ଆଜିଯାକେ କୁଆଡ଼େ ଥିଲୁ ବାବା ?” ତାରା କାହିଁକି କଟକ ଛାଡ଼ି ଅନ୍ତର୍ଦ୍ଧାନ ହୋଇଛି ସେକଥା ବୋଧହୁଏ ସେ ଜାଣି ନଥିଲେ । ସୁନନ୍ଦା ମଧ୍ୟ ସେକଥା ବୋଉକୁ କହିବା ଦରକାର ମନେକରିନାହିଁ । ସାନଭଉଣୀ ସୁଚିତ୍ରା ମଧ୍ୟ ତାରାଭାଇଙ୍କ ଗତିବିଧି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା । ତାରା କଟକ ଛାଡ଼ି ପଳେଇଛି, ଏକଥା ସୁନନ୍ଦା ଜାଣିଥିଲେ ମଧ୍ୟ କୁଆଡ଼େ ପଳେଇଛି ସେ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା । ଗତ ଚାରିମାସ ଭିତରେ ତାରା ଓଡ଼ିଶାର କୌଣସି ବନ୍ଧୁଙ୍କ ପାଖକୁ ଚିଠି ଲେଖି ନଥିଲା ।

 

ତେଣୁ ସୁନନ୍ଦା–ବୋଉଙ୍କର ପ୍ରଶ୍ନର ଉତ୍ତରରେ ତାରା କେବଳ ସଂକ୍ଷିପ୍ତ ଉତ୍ତରଟିଏ ଦେଲା ଯେ ସେ ଟାଟାରେ ଭାଇଙ୍କ ପାଖରେ ରହି ଓକାଲତି ପରୀକ୍ଷାପାଇଁ ପ୍ରସ୍ତୁତ ହେଉଥିଲା । ବୋଉ କହିଲେ, “ଭଲ କଲ । ଆମ କଥା ସବୁ ତ ଶୁଣିଥିବ । ଚାରିଦିନ ହେବ ରାଜୁକୁ ମଧ୍ୟ ଧରିନେଇଛନ୍ତି ।” ରାଜୁ ହେଲା, ଓକାଲତି ପାସ୍ କରିଥିବା ତାଙ୍କର ଏକମାତ୍ର ପୁତ୍ର ରାଜୀବ ।

 

ରାଜୀବବାବୁଙ୍କୁ ଧରିନେଇଥିବା ତାରା ଜାଣି ନଥିଲା । ସେ କିଛି କହିବା ପୂର୍ବରୁ ‘ହଉ ତୁମେ ସବୁ ବସ’ ବୋଲି କହି ବୋଉ ଭିତରକୁ ଚାଲିଗଲେ ।

 

ସୁନନ୍ଦା, ସୁଚିତ୍ରା ଓ ତାରା ପଢ଼ାଘର ଭିତରକୁ ଗଲେ । ତାରା ଘର ଭିତରକୁ ଯାଇ କହିଲା, “ମଉସାଙ୍କ ଗିରଫ୍‍ଦାରି କଥା ମୁଁ ଶୁଣିଥିଲି; କିନ୍ତୁ ରାଜୀବବାବୁ ଗିରଫ୍‍ ହେବା କଥା ମୁଁ ମୋଟେ ଜାଣି ନଥିଲି ।”

 

ସୁନନ୍ଦା କହିଲା, “କ’ଣ ଯେ ସେମାନେ ଡାହାଳକୁକୁର ଭଳିଆ ହେଉଛନ୍ତି, ଜାଣିହେଉନାହିଁ । ପୋଲିସ୍‍କୁ ଗୋଟାଏ ସୁଯୋଗ ମିଳିଛି । ଯାହାକୁ ଇଚ୍ଛା କରୁଛନ୍ତି ଧରିନେଇଯାଉଛନ୍ତି, ବିନା ବିଚାରରେ ଅଟକବନ୍ଦୀ କରି ପକେଇଦେଉଛନ୍ତି । ଭାରତରକ୍ଷା ଆଇନ ତ ତାଙ୍କୁଇ ରକ୍ଷାକରିବାକୁ ହୋଇଛି । ହଉ ଛାଡ଼, ସେ କଥା । ତୁମେ କ’ଣ ସତରେ ଏତେଦିନଧରି ଓକାଲତି ପରୀକ୍ଷା ଦେବ ବୋଲି ପ୍ରସ୍ତୁତ ହେଉଥିଲ ? ମୋତେ କାହିଁକି ମୋଟେ ବିଶ୍ୱାସ ହେଉନାହିଁ-।”

 

“କାହିଁକି ବିଶ୍ୱାସ ହେଉନାହିଁ । ମୋର ଲେକ୍‌ଚର ପୂରା ହୋଇଥିଲା; ପରୀକ୍ଷା ଦବା କଥା ।”

 

“ମୁଁ ସେ କଥା ଜାଣେ । କିନ୍ତୁ ତୁମେ ଯେ ଏତେ ସୁଧାର ପିଲା ହୋଇ ପଢ଼ାରେ ବସିଥିବ, ମୁଁ ତାହା କେବେହେଲେ ଭାବିପାରୁନାହିଁ । କଟକରେ କ’ଣ ପଢ଼ାରେ ବସିପାରି ନଥାନ୍ତ-? ହଉ ସେ କଥାଥାଉ । କୁହ, ଏଥର କାର୍ଯ୍ୟକ୍ରମ କ’ଣ ?” ଏହା କହି ସୁଚିତ୍ରାକୁ ତାରାଭାଇଙ୍କ ପାଇଁ କ’ଣ ଖାଇବାକୁ ଆଣିବ ବୋଲି ଘର ଭିତରକୁ ପଠେଇ ଦେଲା । ତାରା ଏହାର ଇଙ୍ଗିତ ବୁଝିଲା, ବୋଧହୁଏ ସୁଚିତ୍ରା ମଧ୍ୟ । ସେ ହସିଦେଇ ଘର ଭିତରକୁ ପଳେଇଲା ।

 

ତାରା କହିଲା, “ଦେଖ ସୁନନ୍ଦା, ମୋର ଆଉ ତୁମକୁ କିଛି କହିବାକୁ ବେଳ ନାହିଁ । ମୁଁ ଆଜିକି ପନ୍ଦର କୋଡ଼ିଏ ଦିନ ହେବ କଟକକୁ ଆସି ଗାଁ ଆଡ଼େ ଚାଲିଯାଇଥିଲି । ସେଆଡ଼େ ବହୁତ କିଛି କାମ ହୋଇଛି । ଯେପରିଭାବରେ ନିଆଁ ଜଳିବାକୁ ଆରମ୍ଭ ହୋଇଛି, ମୁଁ ମନେକରୁଛି ମୋର ଆଉ ସେଠାରେ ରହିବା ଅନାବଶ୍ୟକ । ତେଣୁ ମୁଁ ପୁଣି ଅଜ୍ଞାତବାସ ଆରମ୍ଭ କରିବାକୁ ଯାଉଛି । ଆଜି ରାତିରେହିଁ ମୋତେ କଟକ ଛାଡ଼ିବାକୁ ପଡ଼ିବ । ତେଣୁ ତୁମକୁ ଟିକିଏ ଦେଖାକରିବାକୁ ଆସିଗଲି ।”

 

“ଠିକ୍ ପଳେଇବା ପୂର୍ବରୁ ମୋତେ ଆସି ଦେଖାକରିବାର ଅର୍ଥ କ’ଣ ?”

 

“ମୁଁ ସେକଥା ବୁଝିପାରୁନାହିଁ, କାହିଁକି ଏମିତି ଯୋଗ ପଡ଼ୁଛି ବରାବର । ହଁ, କହିପାରିବକି ଜିତେନ୍‌ଦା ହାଲ୍ ।”

 

“ତୁମେ ଜାଣିନ ? ସେ ଯଦିଓ ଧରାପଡ଼ିନାହାନ୍ତି, ତଥାପି କେଉଁଠି ଆତ୍ମଗୋପନ କରିଛନ୍ତି ଯେ ତାଙ୍କର ପତ୍ତା ନାହିଁ ।”

 

ତେବେ ତାକୁ ଖୋଜିବା ନିରର୍ଥକ । ମୁଁ ଆଜି ଚାଲିଲି । ହଁ; ତୁମର ଜଣେ ମାମୁଝିଅ ଭଉଣୀ କିଏ ଅଛନ୍ତି ନା, ତାଙ୍କ ନାଁ ଯୂତୀ ନା କ’ଣ ?”

 

“ହଁ, ହଁ, ଯୁରେକା ଦାସ, ତାଙ୍କ ସ୍ଵାମୀ କଟକର ଜଣେ ଡେପୁଟି କଲେକ୍‍ଟର ।”

 

“ହଁ, ମୁଁ ସେକଥା ଜାଣେ । ଯଦି ମୁଁ କେବେ ଚିଠିଦିଏ ତାଙ୍କରି ଠିକଣାରେ ଦେବି । ତାଙ୍କୁ ଏକଥା କହି ରଖିଥିବ । ମୁଁ ବର୍ତ୍ତମାନ ଚାଲିଲି, କଟକ ବାହାରକୁ । ଦରକାର ହେଲେ ଓଡ଼ିଶା ବାହାରକୁ ମଧ୍ୟ ପଳେଇପାରେ । ଆଉ ଦେଖ, ତୁମେ ସବୁ ନଜରବନ୍ଦିରେ ଅଛ । ତୁମକୁ ବା ମୁଁ ଅଧିକ କ’ଣ କହିବି । ତୁମେ ଯେତେ ପାରିବ ଯେକୌଣସି ପ୍ରକାରେ ଏ ଆନ୍ଦୋଳନକୁ ସାହାଯ୍ୟ କରିଯାଅ । ତୁମେ ଜାଣ, ମୁଁ କାମବେଳେ ଧରାପଡ଼ି ଜେଲରେ ବସିରହିବାକୁ ଘୃଣାକରେ ଆମ ବନ୍ଧୁମାନଙ୍କ ପରି ।” ଏତିକି କହି ତାରା ଉଠି ଠିଆହୋଇଗଲା ଯିବ ବୋଲି ।

 

ସୁନନ୍ଦା କହିଲା, “ରୁହ ବସ, ସୁଚିତ୍ରା ପରା ଯାଇଛି ତୁମପାଇଁ କ’ଣ ଆଣିବ ବୋଲି ।”

 

“ଆରେ, ମୁଁ ମନେ କରିଥିଲି ଭିନ୍ନ କଥା । ତୁମେ ତାକୁ ଏଠୁ ଖସେଇବ ବୋଲି ଏପରି କହିଲ ।”

 

“ସେ କଥା ସତ ଯେ, ତେବେ ବୋଉ ଯେତେବେଳେ ତୁମକୁ ଦେଖିଛି ନିଶ୍ଚେ କିଛି ପଠେଇବ ।” କଥା ନସରୁଣୁ ସୁଚିତ୍ରା ଗୋଟିଏ ପ୍ଲେଟ୍‌ରେ ଜଳଖିଆ ଧରି ଆସି ପହଞ୍ଚିଗଲା ।

 

ତାରା କହିଲା, “ଆସ ଆଜି ସମସ୍ତେ ମିଶି ୟା’କୁ ଖାଇବା । ହୁଏତ ଆଉ କେବେ ଏପରି ସୁଯୋଗ ନମିଳିପାରେ ।”

 

ସୁନନ୍ଦା ତାରା ମୁହଁକୁ ଅନେଇ ସ୍ଥିର ହୋଇ ରହିଗଲା । ତାରାର ଛୋଟ ଛୋଟ ଦାଢ଼ି ଅନେକ କଥା କହୁଛି । ତିନିହେଁ ବସିଲେ ଖାଇବାକୁ । ସୁଚିତ୍ରା ବେଶ୍ ହସଖୁସିରେ ଥାଏ; କିନ୍ତୁ ସୁନନ୍ଦା ପାଟିରୁ କଥା ବାହାରୁ ନଥାଏ । ସେ ଖାଲି ତାରା ମୁହଁକୁ ଅନେଇ ବସିଥାଏ ।

 

କିଛି ସମୟ ପରେ ତାରା ଦୁଇଭଉଣୀଙ୍କଠାରୁ ବିଦାୟ ନେଇ ଆସିଲା । ମାଉସୀଙ୍କ ଠାରୁ ବିଦାୟ ନେବା ଦରକାର ମନେକଲାନାହିଁ । ରକ୍ଷା ହୋଇଛି, ସମସ୍ତେ ଦେଖୁଥିଲେ ସୁଦ୍ଧା ତାରାର ନୁଖୁରା ମୁଣ୍ଡବାଳ ଓ ଦାଢ଼ିକଥା କେହି ଉଠେଇନାହାନ୍ତି ।

 

ତାରା ବସାରେ ଯାଇ ପହଞ୍ଚିଲାବେଳକୁ ବାପା ଆସିଯାଇଛନ୍ତି । ତାରାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ମୁହଁରେ ନିଶ ଦାଢ଼ି କାହିଁକି ?”

 

“ମୁଁ ରେଜର୍‍ଟା ଏଠାରେ ଛାଡ଼ିଯାଇଥିଲି । ଗାଁ ଭଣ୍ଡାରିର ଭେଟ ମିଳିବା କଷ୍ଟ । କାଲି ଖିଅର ହୋଇ ପଡ଼ିବି ।”

 

ବାପା ଗାଁ–ଖବର ପାଇଛନ୍ତି । ତାରା ଗାଁକୁ ଆସି ଦୁଇଚାରି ଦିନ ରହି କେଉଁ ସାଙ୍ଗଘରକୁ ଯାଉଛି ବୋଲି ସାତଦିନ ସିଆଡ଼େ କୁଆଡ଼େ ଅଛି । ବାପା ପଚାରିଲେ, “ଗାଁରୁ କୁଆଡ଼େ ଯାଇଥିଲୁ ?”

 

“ଆଉ କୁଆଡ଼େ ଯାଇ ନଥିଲି । ଜଗତସିଂହପୁର ମଦନ ପରିଜା ମୋର ସାଙ୍ଗ । ତା’ରି ଘରେ ଯାଇ ରହିଗଲି ।”

 

ବାପା ଆଉ କିଛି କହିଲେ ନାହିଁ । ମଦନ ତାରାର ସାଙ୍ଗ ବୋଲି ବାପା ଜାଣନ୍ତି । ଜଗୁ ଖାଇବାକୁ ଆଣିଲା । ବାପ ପୁଅ ଦୁହେଁ ଖାଇବସିଲେ । ତାରା କିଛି କହୁ ନଥାଏ । ବାପା ପଚାରିଲେ, “ଓକାଲତି ପରୀକ୍ଷା କେବେ ଦେବୁ ?”

 

ତାରା କହିଲା, “ମୁଁ ତ ନିଶ୍ଚିନ୍ତରେ ପଢ଼ାପଢ଼ି ଆରମ୍ଭ କରିଦେଇଥିଲି କଲିକତାରେ, ନଟଦାଦାଙ୍କ ବସାରେ । କିନ୍ତୁ କଲିକତା ଅବସ୍ଥା କ୍ରମେ ଏପରି ହେଲା ଯେ ନଟଦାଦାବି ସେଠାରେ ଥୟ ହୋଇ ରହିବାକୁ ସାହସ କଲେ ନାହିଁ । ସେ ମଧ୍ୟ ପଳେଇଆସିଲେ । ଆଉ ମୁଁ ନୂଆ ଲୋକ, ଏକୁଟିଆ ସେଠାରେ ରହନ୍ତି କିପରି ? ତେବେ ଭାବୁଛି, ଏହିଠାରେ ରହି ପଢ଼ାପଢ଼ି ଆରମ୍ଭ କରିବି-।”

 

ବାପା କହିଲେ, “ତୁ କ’ଣ ସ୍ଥିର ହୋଇ ବସିପାରିବୁ ? ପୁଣି କେଉଁଥିରେ ଗୋଡ଼ ପୂରେଇ ନିଜେ ହଇରାଣ ହେବୁ, ସମସ୍ତଙ୍କୁ ହଇରାଣରେ ପକେଇବୁ ।”

 

“ମୁଁ ତ ସେହିପରି ଆଶଙ୍କା କରୁଛି । ମୁଁ କିଛି ନକରି ଚୁପ୍‍ହୋଇ ବସିଲେ ମଧ୍ୟ ପୋଲିସ୍‍ ମତେ ଛାଡ଼ିବନାହିଁ । ଏମିତି କେତେ ଓକିଲ, ମୁକ୍ତାର, ବ୍ୟବସାୟୀ, କଲେଜପିଲା ୟା’ ଭିତରେ ଧରାହୋଇ ଗଲେଣି । ଏ ଆନ୍ଦୋଳନରେ ସେମାନେ କିଛି ସକ୍ରିୟ ଅଂଶଗ୍ରହଣ କରି ନଥିଲେ ସୁଦ୍ଧା ପୂର୍ବ ଆନ୍ଦୋଳନ ସହିତ ସମ୍ପୃକ୍ତ ଥିଲେ ବୋଲି ସେମାନଙ୍କୁ ଧରିନିଆଯାଇଛି ।”

 

“ମୋର ତ ସେହି ଭୟ ଅଛି । ତୁ ଟାଟାରେ ଥିଲେ ହୁଏତ ଭଲ ହୋଇଥାନ୍ତା ।”

 

“ଟାଟାରେ ମଧ୍ୟ ମୋତେ ଗିରଫ୍‍ କରିଥାନ୍ତେ ।”

 

ବାପା କହିଲେ, “ହଉ ଦେଖ୍ । ତୁ ମୋଟେ ଘରୁ ବାହାରନାହିଁ । ସେମାନେ ଜାଣନ୍ତି ତୁ କଲିକତାରେ ଅଛୁ କି କୁଆଡ଼େ ଅଛୁ । ତେଣୁ ତୁ ନିଶ୍ଚିନ୍ତରେ ଘରେ ରହିପାରୁ ।”

 

କିନ୍ତୁ ତାରାର ଆଗମନର ବାର୍ତ୍ତା ଯେ ଓଡ଼ିଶାର ପୋଲିସ୍‍ ପାଖରେ ପହଞ୍ଚିଗଲାଣି ଓ ତାରା ମଧ୍ୟ ସଦ୍ୟ ଏ ଖବର ପାଇଛି, ତାରା ଏକଥା ବାପାଙ୍କୁ କହିବାକୁ ସାହସ କଲାନାହିଁ । ବଡ଼ବାପା ମଲାଦିନୁ ବାପା ଯେ ତାକୁ କେତେ ଝଡ଼ଝଞ୍ଜା ସହି ମଣିଷ କରିବାକୁ ଆପ୍ରାଣ ଚେଷ୍ଟା କରିଛନ୍ତି; ତାହା ତାରା ଭଲଭାବେ ଜାଣେ ।

 

ଦୁହେଁ ଖାଇସାରି ଉଠିଲେ । ତାରା ଘର ଭିତରେ ନ ଶୋଇ ବାରଣ୍ଡାରେ ଶୋଇବ ବୋଲି କହିଲା । କି ଶୀତ, କି ବର୍ଷା ତାରାର ବାହାରେ ଶୋଇବାର ଅଭ୍ୟାସ । ସେଥିପାଇଁ ଘର ବାରଣ୍ଡାରେ ଗୋଟାଏ ଖଟ ପଡ଼ିଥାଏ । ତାରାର ବିଛଣା ସେହିଠାରେ କରିଦିଆଗଲା । ମେଘ ଉଠେଇକରି ଥାଏ, ବରଷୁ ନଥାଏ; ସେଥିପାଇଁ ଗୁଳୁଗୁଳି ଗରମ ମଧ୍ୟ ହେଉଥାଏ ।

 

ବାପା ଘର ଭିତରେ ଶୋଇଲେ । ଜଗୁ ଓ ମଦନ ତାରାର ପୂର୍ବତନ ପଢ଼ାଘରେ ଶୋଇଲେ ।

 

ଶୋଇବାକୁ ଯାଇ ତାରାକୁ ଆଉ ନିଦ ନଥାଏ । ରାତି ପାହିବା ପୂର୍ବରୁ ତାକୁ କଟକ ଛାଡ଼ିବାକୁ ହେବ । ଏପରିକି ଏହି ରାତି ପାହିବା ପୂର୍ବରୁ ଘରୁ ଚାଲିଯାଇ ଅନ୍ୟ କେଉଁଠି ଆଶ୍ରା ନେଲେ ବରଂ ଭଲ । କାରଣ ପାହାନ୍ତା ପହରରୁ ନିଶ୍ଚୟ ତାରାଙ୍କ ଘର ଘେରାଉ ହେବ । ସେ ଭାବୁଥାଏ, ହାୟରେ ବ୍ରିଟିଶ ସରକାର ! ତାରା ଦାସ କି ବା ଲୋକ, କ’ଣଟାଏ ବା କରିପକେଇଛି, ଯାହା ସକାଶେ କଟକ ପୋଲିସ୍‍କୁ ନିଦ ନାହିଁ । ବାସ୍ତବିକ ଏହି ପୋଲିସ୍‍ଙ୍କ ଯୋଗୁଁ ଅନେକ ନିରୀହ ନିରୁପଦ୍ରବ ବିପ୍ଳବୀ ବା ଆନ୍ଦୋଳନକାରୀ ନେତାରେ ପରିଣତ ହୋଇପାରିଛନ୍ତି । ସେମାନଙ୍କୁ ଯେପରି ଠେଲିପେଲି ବିପ୍ଳବୀ କରାଯାଉଛି । କମିଜ ଖଣ୍ଡିକ ଆଗରୁ ଆଣି ମଶାରି ଖୁଣ୍ଟରେ ଟାଙ୍ଗିଛି । ବିଛଣା ଚଦରଟି ଛଡ଼ା ଆଉ ତା’ର ନେବାର କିଛି ନାହିଁ । ବିଛଣା ଚଦରଟା ଯାହାହେଉ ମୁଣ୍ଡ ଲୁଚେଇବାରେ ସାହାଯ୍ୟ ହେବ, ନଚେତ୍ ସେତିକି ବୋଝ ମଧ୍ୟ ନେବାକୁ ତାରା ଇଚ୍ଛା କରୁ ନଥିଲା ।

 

ରାତି ବାରଟା ହୋଇନାହିଁ । ବାପା ଶୋଇପଡ଼ିଛନ୍ତି । ତାରା ବାରଣ୍ଡାରେ ଶୁଏ ବୋଲି ବାପା ଘର କବାଟ ଭିତରୁ ବନ୍ଦ ନକରି ଆଉଜେଇଦେଇ ଶୁଅନ୍ତି । ତାରା ଅତ୍ୟନ୍ତ ସନ୍ତର୍ପଣରେ ଖଟ ଛାଡ଼ି ଉଠିଲା । ପୁରୁଣା ଖଟଟା । ତା’ ଉପରେ ଉଠିଲେ ବସିଲେ ସେଇଟା ଟିକିଏ କେଁକାଁ ହୁଏ । ତାରା ବାପାଙ୍କ ଘର ଦରଆଉଜା କବାଟକୁ ଧୀରେ ଖୋଲିଲା । କବାଟ ଆଡ଼କୁ ଗୋଡ଼କରି ମଶାରି ଭିତରେ ବାପା ଶୋଇଛନ୍ତି । ଘର ଅନ୍ଧକାର । ତାରା ଭାବିଥିଲା, ବାପାଙ୍କ ପାଦଧୂଳି ଟିକିଏ ମୁଣ୍ଡରେ ମାରି ବିଦାୟ ନେବ ବୋଲି; କିନ୍ତୁ କାଳେ ବାପାଙ୍କ ନିଦ ଭାଙ୍ଗିଯିବ ସେଥିପାଇଁ ସେଇ ଗୋଡ଼ପାଖରେ ଖଟ ଉପରେ ମୁଣ୍ଡିଆ ମାରି ବାହାରିଆସିଲା । ଆଖିରୁ ଦୁଇଟୋପା ଲୁହ ପଡ଼ିଗଲା-। କେତେ ସ୍ନେହ ଅଜାଡ଼ି ଦେଇ ଏଡ଼େରୁ ଏଡ଼େ କରିଥିଲେ । ଜନ୍ମିତବାପାଙ୍କ ସ୍ନେହ-ଶରଧା ପାଇ ଆସିଲାବେଳକୁ ସେ ଚାଲିଗଲେ । ଅପୁତ୍ରକ ଏହି ବାପା ଓ ବୋଉ ତାଙ୍କର ସମସ୍ତ ସ୍ନେହ ଅକାତରେ ଅଜାଡ଼ିଦେଇଥିଲେ ତାରାଠାରେ ।

 

ଆଉ ଚିନ୍ତାକରିବାକୁ ବେଳ ନାହିଁ । ଭାବିଥିଲା ଧରାହୋଇଯିବ । ଏତେ ଲୋକ ତ ପୁଣି ଧରାହୋଇ ଜେଲରେ ଅଛନ୍ତି । ସେମାନଙ୍କ ଭଳି ସେ ମଧ୍ୟ ରହନ୍ତା; କିନ୍ତୁ ବାହାରେ ଯେ ଅନେକ କାମ । ଜେଲରେ ହାତଗୋଡ଼ ଜାକି ଆରାମରେ ରହିବାକୁ ସେ କେଉଁକାଳେ ପସନ୍ଦ କରେନାହିଁ; ବରଂ ସବୁଦିନେ କହେ, ମୋତେ ଧରି ଜେଲରେ ରଖିଲେ ମୁଁ ଜେଲ ପାଚେରି ଡେଇଁ ପଳେଇଆସିବାକୁ ମୋଟେ ଦ୍ଵିଧା କରିବିନାହିଁ ।

 

ସବୁକଥା ପଛକୁ ପକେଇ ସେ ଦାଣ୍ଡ କବାଟ ଖୋଲି ରାସ୍ତାକୁ ବାହାରିପଡ଼ିଲା । ମ୍ୟୁନିସିପାଲଟି କିରାସିନି ଆଲୁଅର ବତି ସେତେବେଳକୁ ଖୁଣ୍ଟ ଉପରେ ଲିଭିସାରିଲାଣି ।

 

ପଚିଶ

 

ଘରୁ ତ ଗୋଟାଏ ଖିଆଲରେ ବାହାରିଆସିଲା । ଘର ଅପେକ୍ଷା ବାହାରେ ମଧ୍ୟ ବିପଦ କମ୍ ନୁହେଁ । ଅନ୍ଧାରରେ ରାତିଅଧରେ ପୁଣି ପହରାଦାର ପୋଲିସ୍‍ ହାବୁଡ଼େ ନ ପଡ଼ିଲେ ରକ୍ଷା । ମହରଗରୁ ଆସି କାନ୍ତାରରେ ପଡ଼ିବା କଥା । ତାରା ଆଉ ଭାବିପାରିଲା ନାହିଁ । ସିଧା ମୁହିଁଲା ଟାଉନ୍‍ହଲ୍ ଆଡ଼େ । ସେଇ ବାରଣ୍ଡାରେ ଅନ୍ତତଃ ରାତିଚାରିଟାଯାଏଁ କଟେଇଦେବ । କଟକ ସହର ଆଉ କୌଣସି ସକାଶେ ନହେଉ ପଛେ ମଶାଙ୍କ ସକାଶେ ବିଖ୍ୟାତ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଟାଉନ୍‍ହଲ୍ ବାରଣ୍ଡାରେ ମଶା ମୋଟେ ପଡ଼ନ୍ତି ନାହିଁ । କେଉଁକାଳେ କୁଆଡ଼େ ଜଣେ ବାବାଜି ସେଠାରେ ରହି ମଶାବାରେଣୀ କରିଦେଇଯାଇଛନ୍ତି, ଯାହା ଫଳରେ ସେଠାରେ ଆଉ ମଶା ପଡ଼ନ୍ତି ନାହିଁ । ସେଥିପାଇଁ ଆଖପାଖର ଅନେକ ଭଦ୍ରଲୋକ ମଧ୍ୟ ଖରାଦିନ ରାତିରେ ସେଠାରେ ଆସି ଶୁଅନ୍ତି । ତାରା ଆସି ଟାଉନ୍‍ହଲ୍ ପିଣ୍ଡାର ଗୋଟିଏ ପାଖରେ ଚାଦରଟିକୁ ମୁଣ୍ଡରୁ କାଢ଼ି ବିଛେଇଲା-। ଏତେ ରାତିରେ ମଧ୍ୟ ଦୁଇଜଣ ବସି ବିଡ଼ି ଟାଣୁଛନ୍ତି । କିନ୍ତୁ ଧୂଆଁର ଗନ୍ଧ ବିଡ଼ିଧୂଆଁ ନୁହେଁ-। ବୋଧହୁଏ ଗଞ୍ଜେଇ ହବ । ତାରାର ସେ ବିଷୟରେ ବେଶି ଭାବିବା ଦରକାର ହେଲା ନାହିଁ । ଏତେ ଦୁଶ୍ଚିନ୍ତା ମଧ୍ୟରେ ତାକୁ ନିଦ ହୋଇଗଲା । ରାତି କେତେ ହେବ କେଜାଣି, ହଠାତ୍ ଚମକିଲାପରି ହୋଇ ତା’ ନିଦଟା ଭାଙ୍ଗିଗଲା । ଜାଣିପାରିଲାନାହିଁ ରାତି କେତେ ହେବ । ସାରା ଆକାଶଟା ମେଘ ଢାଙ୍କିରଖିଛି । କୁଣ୍ଡା ଝାଡ଼ିଲା ପରି ଟିକିଏ ଟିକିଏ ବର୍ଷାବି ହେଉଛି । ସମୟଟା କେତେ ହେବ ଜାଣିବାପାଇଁ ତାରା ପଡ଼ିରହିଥାଏ । ଏତିକିବେଳେ ଟାଉନ୍‍ହଲ୍ ଭିତରେ ଥିବା କାନ୍ଥଘଡ଼ିଟାରେ ଟଂ ଟଂ ହୋଇ ଚାରିଟା ବାଜିଲା । ତାରା ଉଠି ବସିଲା । ଆଉ ଘଣ୍ଟାକେ ହୁଏତ ଫର୍ଚ୍ଚା ହୋଇଯିବ-। ସେ ଚାଦରଖଣ୍ଡିକୁ ଚଉତି ମୁଣ୍ଡରେ ପକେଇ ବାହାରିପଡ଼ିଲା । ସିଧା ଝୋଲାସାହି, ଥୋରିଆସାହି, ମଙ୍ଗଳାବାଗଦେଇ ଯୋବରାଘାଟକୁ । ପହିଲି କ୍ଷେପରେ ଯେପରି ପାରିହୋଇ ଚୌଦ୍ଵାର ଚାଲିଯିବ । ଜଗତ୍‌ପୁରରେ ରେଳ ଚଢ଼ିବା ମଧ୍ୟ ସୁବିଧାଜନକ ମନେକରୁ ନଥାଏ ।

 

ତାରା ଭାବିଥିଲା, ଯୋବରାଘାଟରେ ହୁଏତ କମ୍ ଲୋକ ଥିବେ । କମ୍ ଲୋକ ଥିଲେ ବିପଦ । ଚିହ୍ନାପଡ଼ିଯିବାର ଭୟ ବେଶି । ପୁଣି ବେଶି ଲୋକ ଥିଲେ ମଧ୍ୟ ବିପଦ । କାଳେ କେହି ଚିହ୍ନାମୁହଁ ଦେଖାପଡ଼ିଯିବ । ତେବେ ସେତେବେଳକୁ ବାର-ଚଉଦଜଣ ଲୋକ ହୋଇଗଲେଣି । ଆଉ କେତେକ ନଈକୂଳେ ବାହାରକୁ ଯାଇଛନ୍ତି । ସମସ୍ତେ ଆସି ଏକାଠି ହୋଇ ଡଙ୍ଗା ଛାଡ଼ିଲାବେଳକୁ ସାତଟା ହେଲା । ଲୋକ କୋଡ଼ିଏ-ବାଇଶ ଜଣ । ସେଥିରୁ କେତେ ଜଗତପୁରରେ ଓହ୍ଲେଇଯିବେ । ତାରା ଡଙ୍ଗାରେ ବସିଲା । ନଈରେ ବେଶି ପାଣି ନଥାଏ । ସେଥିପାଇଁ ସୁଅ ଥାଏ ପ୍ରଖର । ତେବେ ଚୌଦ୍ଵାରରେ ପହଞ୍ଚିବାକୁ ଦେଢ଼ଘଣ୍ଟା ଲାଗିଗଲା । ତାରା ଡଙ୍ଗାରୁ ଓହ୍ଲେଇ ନଈ କୂଳେ କୂଳେ କିଛି ବାଟ ଯାଇ ନିତ୍ୟକର୍ମ ସାରି ରାସ୍ତା ଧଇଲା ଚୌଦ୍ଵାର ଗାଁକୁ ।

 

ଚୌଦ୍ଵାର ସେତେବେଳେ ଛୋଟ ଗାଁଟିଏ । ଯୁଦ୍ଧଯୋଗୁଁ ଚାରିବାଟିଆ ଉଡ଼ାଜାହାଜ ପଡ଼ିଆ ତିଆରିକାମ ଜୋର୍‌ସୋର୍‌ରେ ଚାଲିଥାଏ । ଲୋକଙ୍କୁ ବହୁତ କାମ ଆଉ ବହୁତ ପଇସା ମଧ୍ୟ ମିଳୁଥାଏ । ଗାଁ ଭିତରେ ଛୋଟ ବଜାରଟିଏ ମୁଣ୍ଡ ଟେକିଥାଏ । ସେଇଠି ଗୋଟିଏ ଗୁଡ଼ିଆଦୋକାନରେ ବସି ତାରା କିଛି ଜଳଖିଆ କଲା । ତାରା ଜାଣିଥାଏ, ଯାତ୍ରୀଗାଡ଼ି ସବୁ ନିର୍ଗୁଣ୍ଡି ଷ୍ଟେସନ୍‍ରେ ଅଟକେ । ଦିନ ବାରଟାବେଳକୁ ଯାତ୍ରୀଗାଡ଼ି କଲିକତା ଆଡ଼କୁ ଯିବ । ତାରା ଷ୍ଟେସନ୍‍କୁ ବାଟ ଦେଖି ନଥାଏ । ଜଳଖିଆ ଖାଇସାରି ସେ ପଚାରି ପଚାରି ନିର୍ଗୁଣ୍ଡି ଷ୍ଟେସନ୍‍କୁ ଗଲା ।

 

ତାରାର ସମ୍ବଳ ବୋଉଠାରୁ ଆଣିଥିବା ଦଶୋଟି ଟଙ୍କା । ସେଥିରେ କଲିକତା ପର୍ଯ୍ୟନ୍ତ ଟିକଟ କଲେ ପାଞ୍ଚଟଙ୍କା ଚାଲିଯିବ । କଲିକତା ନଯାଇ ଅନ୍ୟ କେଉଁଠିକି ଗଲେ ପ୍ରଥମେ ନୂଆ ଜାଗାରେ ପହଞ୍ଚି ଆଗେ ତ କିଛିଦିନ ଚଳିବାକୁ ହେବ । ସବୁଆଡ଼କୁ ଚିନ୍ତାକରି ସେ ନିର୍ଗୁଣ୍ଡିରୁ ଖଡ଼ଗପୁର ପର୍ଯ୍ୟନ୍ତ ଖଣ୍ଡିଏ ଟିକଟ କିଣି ରେଳ ଆସିବାରୁ ଗୋଟାଏ ଡବାରେ ଚଢ଼ିଗଲା । ସବୁ ଡବାରେ ଲୋକ ଭରପୂର । ଯାହାହେଉ ଡବା ଦୁଆରମୁହଁରେ ବହୁକଷ୍ଟରେ ଠିଆହେବାକୁ ଟିକିଏ ଥାନ ପାଇଲା । ରେଳ ନିର୍ଗୁଣ୍ଡି ଛାଡ଼ିଲା । ରେଳ ଛାଡ଼ିବାରୁ ତାରା ଭାବୁଥାଏ କିପରି ଡବାଭିତରକୁ ଯାଇ ଠିଆହେବ । ଦୁଆର ପାଖରେ ଠିଆହେବା ନିରାପଦ ନୁହେଁ । ଯାତ୍ରୀଗାଡ଼ିଟା ସବୁ ଷ୍ଟେସନ୍‍ରେ ରହି ରହି ଯିବ । ଲୋକେ ଚଢ଼ିବେ ଓହ୍ଲେଇବେ । ଦିନବେଳା କେଉଁ ଷ୍ଟେସନ୍‍ରେ କିଏ କାଳେ ଦେଖିବ । ଏହିପରି ଭାବି ଯାଉ ଯାଉ ଜେନାପୁର ଷ୍ଟେସନ୍‍ରେ ପହଞ୍ଚିଲାବେଳକୁ ତାରାକୁ ଗାଡ଼ି ଭିତରେ ଯାଇଁ ଠିଆହେବାକୁ ସୁବିଧା ମିଳିଲା; ଯାଜପୁର ଷ୍ଟେସନ୍‍ରେ ବସିବା ଜାଗାଟିଏବି ମିଳିଗଲା ।

 

ରାତି ସେତେବେଳକୁ ଗୋଟାଏ କି ଦୁଇଟା ହେବ ବୋଧହୁଏ । ଗାଡ଼ି ଆସି ଖଡ଼ଗପୁର ଧଇଲା । ଗୋରା ଗାଡ଼ିରୁ ଓହ୍ଲେଇଗଲା । ଖଡ଼ଗପୁର ଷ୍ଟେସନ୍‍ ତା’ର ଚିହ୍ନା । ଖଡ଼ଗପୁରରେ ଗୋରାର ବନ୍ଧୁବାନ୍ଧବ ଓ ଗାଁଲୋକ ମଧ୍ୟ କେତେକ ଥା’ନ୍ତି । ଟାଟା ଯିବାଆସିବା ବାଟରେ ସେ ଖଡ଼ଗପୁରରେ ଅନେକ ଥର ରହିଛି ତିନିଚାରି ଘଣ୍ଟାପାଇଁ । ରାତିଅଧଟାରେ ବା କାହା ଘରକୁ ଯିବ-? ପୁଣି ଦିନଯାକ ମେଘ ଘୋଡ଼େଇ ସନ୍ଧ୍ୟାବେଳଠୁଁ ବର୍ଷା ଚାଲିଛି । ସବୁକଥା ଭାବି ତାରା ତୃତୀୟ ଶ୍ରେଣୀ ବିଶ୍ରାମଗାରକୁ ଯାଇ ସେଠାରେ ଗୋଟିଏ ବେଞ୍ଚ୍‍ ଉପରେ ଆଶ୍ରାନେଲା । ଚଦରଟିକୁ ଘୋଡ଼େଇ ହୋଇ ସେଇଠାରେ ବସିରହିଲା । ବିନା ବିପଦରେ ଓଡ଼ିଶାସୀମା ଛାଡ଼ି ଆସିପାରିଛି ଏଥିସକାଶେ ଶାନ୍ତିର ନିଃଶ୍ୱାସ ମାରିଲା । ବେଞ୍ଚ୍‍ରେ ଆଉ ଜଣେ ଯାତ୍ରୀ ବସିଥିଲେ । ସେ କୁଆଡ଼େ ଉଠିଯିବାରୁ ସମସ୍ତ ବେଞ୍ଚ୍‍ଟା ତାରା ଦଖଲକୁ ଆସିବାରୁ ସେ ଆଉ ନବସି ଲମ୍ବହୋଇ ଶୋଇଗଲା-। ଚଦରଟାକୁ ଗୋଡ଼ରୁ ମୁଣ୍ଡଯାକେ ଘୋଡ଼ିହୋଇପଡ଼ିଲା । ତା’ର ଯଥାସର୍ବସ୍ଵ ଥିବା କନାବ୍ୟାଗ୍‍ଟିକୁ ମୁଣ୍ଡତଳେ ଦେଇ ନିଶ୍ଚିନ୍ତରେ ପଡ଼ିରହିଲା । ନିଜକୁ ଅନେକଟା ନିରାପଦ ମନେକରୁଥିବାରୁ ନିଶ୍ଚିନ୍ତ ହୋଇ ଶୋଇପାରିଲା ।

 

ବୋଧହୁଏ ଦୁଇତିନିଘଣ୍ଟା ଯାଏଁ ଶୋଇଗଲା । ଉଠି ଦେଖେ ତ ପ୍ଲାଟ୍‍ଫର୍ମ୍ ଘଣ୍ଟାରେ ପାଞ୍ଚଟା ବାଜିଛି । ସାତଟାରେ ଟାଟା ଆଡ଼କୁ ଗୋଠାଏ ଗାଡ଼ି ଯିବ । ପୁଣି ଆଠଟାରେ କଲିକତା ଆଡ଼କୁ ଗୋଟାଏ ଲୋକାଲ ଯିବ । ଆଗରେ ଦୁଇଟା ରାସ୍ତା । ଟାଟା ଯିବ କି କଲିକତା ଯିବ ? କଟକ ଛାଡ଼ିଲାବେଳଠୁଁ ଏଇ ଚିନ୍ତା ବରାବର ତା’ ମୁଣ୍ଡକୁ ଆସୁଛି । କୌଣସି ଗୋଟାଏ ନିଷ୍ପତ୍ତିରେ ସେ ପହଞ୍ଚିପାରୁନାହିଁ । ଉଭୟ ସ୍ଥାନ ତା’ର ପରିଚିତ; କିନ୍ତୁ ଉଭୟ ସ୍ଥାନ ତା’ ପକ୍ଷରେ ନିରାପଦ ନୁହେଁ । ଏହି କଥା ଭାବି ଭାବି ସେ ନିତ୍ୟକର୍ମ ସାରିଲା । ଖଡ଼ଗପୁର ଦେଇ କଟକ ଓ କଲିକତା ଭିତରେ ବହୁତ ଗାଡ଼ି ଯାତାୟାତ କରେ । ତେଣୁ ପ୍ଲାଟ୍‍ଫର୍ମ୍‍ରେ ବୁଲାବୁଲି କରିବା ମଧ୍ୟ ନିରାପଦ ନୁହେଁ । ଏମିତି ଭାବୁ ଭାବୁ ଟାଟା ଯିବା ଗାଡ଼ିଟା ଆସି ପ୍ଲାଟ୍‍ଫର୍ମ୍‍ରେ ଲାଗିଲା । କୁଲିଙ୍କଠାରୁ ବୁଝିଲା ଏ ଗାଡ଼ି ରାଞ୍ଚି ଯିବ । ତାରା ଆଉ କିଛି ନଭାବି ସେହି ଗାଡ଼ିରେ ଚଢ଼ି ବସିଲା ।

 

ଗାଡ଼ି ଚାଲିଲା । ତାରା ପୁଣି ଭାବିବାକୁ ଲାଗିଲା, କ’ଣ କରିବ ସେ । ଏତିକିବେଳେ ଟ୍ରେନ୍‍ ଆସି ଝାଡ଼ଗ୍ରାମ ଷ୍ଟେସନ୍‍ରେ ହଠାତ୍ ଅଟକିଯିବାରୁ ତାରାର ଭାବନାର ଖିଅ ଛିଡ଼ିଗଲା । ଗାଡ଼ି ବନ୍ଦହେବା ସାଙ୍ଗେ ସାଙ୍ଗେ ସେ ଓହ୍ଲେଇପଡ଼ିଲା । ଗାଡ଼ି ଛାଡ଼ିଦେଲା । ଝାଡ଼ଗ୍ରାମ ଛୋଟ ଷ୍ଟେସନ୍‍ ହେଲେ କ’ଣ ହେବ, ସେଠାରେ ବହୁଲୋକ ଚଢ଼ନ୍ତି-ଓହ୍ଲାନ୍ତି । ଦଶ ପନ୍ଦର ମିନିଟ୍ ବେଶ୍ ଗହଳି ଲାଗିରହେ । ସେତେବେଳେ ଯୁଦ୍ଧଯୋଗୁଁ ସବୁ ଯାତ୍ରୀବାହୀ ଗାଡ଼ିରେ ସୈନ୍ୟମାନେ ଯିବାଆସିବା କରୁଥାନ୍ତି । ସାଧାରଣ ଯାତ୍ରୀଙ୍କ ଉପରେ ସେମାନେ ବେଳେବେଳେ ଅକଥନୀୟ ଅତ୍ୟାଚାର କରିବସନ୍ତି, ସେଥିପାଇଁ ସୈନ୍ୟବିଭାଗର ପୋଲିସ୍‍ ସବୁ ଗାଡ଼ିରେ ଯିବାଆସିବା କରନ୍ତି-। ସେମାନଙ୍କ ଭୟରେ ଭାରତୀୟ ସୈନ୍ୟ ତଥା ବିଦେଶୀ ସୈନ୍ୟଙ୍କ ଉତ୍ପାତ ବହୁପରିମାଣରେ କମ୍ ପଡ଼ିଥାଏ । ଝାଡ଼ଗ୍ରାମ ଷ୍ଟେସନ୍‍ରେ କେଜାଣି କାହିଁକି ପଞ୍ଝାଏ ସୈନ୍ୟ ଓହ୍ଲେଇପଡ଼ିଲେ ସେହି ଗାଡ଼ିରୁ । ତେଣୁ ଷ୍ଟେସନ୍‍ର ସବୁ କର୍ମକର୍ତ୍ତା ସେହି ସୈନ୍ୟମାନଙ୍କ ପିଛା ଏତେ ବ୍ୟସ୍ତ ରହିଗଲେ ଯେ ଓହ୍ଲେଇବା ଯାତ୍ରୀଙ୍କୁ ଟିକଟ ମାଗିବାକୁ ଆଉ କେହି ରହିଲେନାହିଁ । ତାରା ଓ ଅନ୍ୟମାନେ ଏହି ଅବସରରେ ଷ୍ଟେସନ୍‍ ବାହାରକୁ ଚାଲିଆସିଲେ ।

 

ଝାଡ଼ଗ୍ରାମ ଜାଗାଟା ତାରାର ଅପରିଚିତ ନୁହେଁ । ନାଁରୁ ଜଣାପଡ଼େ ଝାଡ଼ଗ୍ରାମ ଯେପରି ଝାଡ଼-ଜଙ୍ଗଲରେ ପୂର୍ଣ୍ଣ ଏକ ସ୍ଥାନ । ବାସ୍ତବିକ କଥାଟା ବୋଧହୁଏ ସତ୍ୟ । ଷ୍ଟେସନ୍‍ ଛାଡ଼ି ଅଳ୍ପବାଟ ଗଲେ ବହୁ ବୁଦବୁଦିକିଆ ଜଙ୍ଗଲ । ଗଲା ଜନଗଣନା ପୂର୍ବରୁ ତାରା କେତେକ ବନ୍ଧୁଙ୍କ ସାଙ୍ଗରେ ମେଦିନୀପୁର ଓ ବାଙ୍କୁଡ଼ାର କେତେକ ଅଞ୍ଚଳକୁ ଦେଶମିଶ୍ରଣ କାମରେ ଆସିଥିଲା । ଏ ଅଞ୍ଚଳର ଲୋକେ ଯଦିଓ ବଙ୍ଗଳା କହନ୍ତି, ସେ ଏକ ଅଦ୍ଭୁତ ଧରଣର ବଙ୍ଗଳା । ବଙ୍ଗଳା, ଓଡ଼ିଆ, ହିନ୍ଦୀ ଓ ସାନ୍ତାଳୀ ଭାଷାର ସମ୍ମିଶ୍ରଣରେ ଏକ ଅଦ୍ଭୁତ କର୍ମରୁଚିକର ଖେଚେଡ଼ି । ଭାଷାର ନା ଜୀବନ ଅଛି, ନା ଅଛି ଶକ୍ତି; କିନ୍ତୁ ଶୁଣିବାକୁ ଭାରି ଭଲ ଲାଗେ । ସେଥର ତାରା ତା’ ବନ୍ଧୁମାନଙ୍କ ସାଙ୍ଗରେ ଆସି ଷ୍ଟେସନ୍‍ଠାରୁ ପ୍ରାୟ ତିନିଚାରିମାଇଲ ଦୂର ଶାଳବଣି ବୋଲି ଗୋଟିଏ ଗାଁର ପ୍ରାଥମିକ ସ୍କୁଲ୍‍ଘରେ ଦୁଇତିନିଦିନ ପାଇଁ ରହିଥିଲା । ଷ୍ଟେସନ୍‍ ବାହାରକୁ ଆସି ତାରା ପରିଷ୍କାର ବଙ୍ଗଳାରେ ଜଣେ ବୟସ୍କ ଲୋକଙ୍କୁ ଶାଳବଣି ଗାଁ କେତେଦୂର ବୋଲି ପଚାରିଲା । ଲୋକଟି ଦଣ୍ଡେ ଅଟକିଯାଇ ତାରାର ଗୋଡ଼ଠୁଁ ମୁଣ୍ଡଯାକେ ଅନେଇଗଲା । ବୋଧହୁଏ ତାରାର ଉଦ୍‌ବେଳିତ ଯୌବନର ବହିଃ ପ୍ରକାଶ ଓ ତା’ର ସୌମ୍ୟ ସୁଠାମ ରୂପରେ ଲୋକଟି ମୁଗ୍ଧ ହେଲାପରି ମନେହେଲା । ସେ ବୟସ୍କ ଲୋକଟି ପଚାରିଲା, “କେଉଁଠୁଁ ଆସିବା ହେଲା ମହାଶୟଙ୍କର ? ଶାଳବଣିରେ କି କାମ ?” ତାରା ଟାଟାରେ ଥିଲାବେଳେ ବଜାର ହାଟରେ ଆଦିବାସୀମାନଙ୍କ ସହିତ କଥାଭାଷା ହୋଇ ସେମାନଙ୍କର କଥା କହିବାର ଢଙ୍ଗଟାରୁ କିଛି ହାସଲ କରିଥିଲା । ସେ ସେହି ଭାଷାରେ ଉତ୍ତର ଦେଲା ଶାଳବଣିରେ ତା’ର ଜଣେ ବନ୍ଧୁ ଅଛନ୍ତି ଯେ ସେ ତାଙ୍କରି ଘରକୁ ଯିବ ।

 

ଯୋଗ ଏମିତି ଯେ ଯେଉଁ ଲୋକଙ୍କୁ ଶାଳବଣିର ବାଟ ପଚାରିବସିଲା, ସେ ଲୋକଙ୍କ ଘର ସେହି ଗାଁରେ । ତାରାକୁ ଏକଥା ଜଣା ନଥିଲା । ସେ ଲୋକଟି ପୁଣି ପଚାରିଲେ, “ଶାଳବଣିରେ କାହା ଘରକୁ ଯିବେ ଆପଣ ?” ତାରା ମହାବିପଦରେ ପଡ଼ିଲା । ଗାଁଟା ନାଁ ସିନା ମନେଥିଲା । ସେଠାରୁ କୌଣସି ହେଲେ ଲୋକ ସହିତ ତାହାର ପରିଚୟ ନାହିଁ କି କେବେ ନଥିଲା-। ସେ ଦେଖିଲା ଆଉ ବେଶି ମିଛ କହିଲେ ହୁଏତ ସେ ମିଛକୁ ଢାଙ୍କିବାକୁ ଯାଇ ଆହୁରି ଅସଂଖ୍ୟ ମିଛର ସହାୟତା ତାକୁ ନେବାକୁ ହେବ । ଶେଷକୁ ଏମିତି ହୋଇପଡ଼ିବ ଯେ ଆଉ ସେ ଗୋଲକଧନ୍ଦାରୁ ବାହାରିଯିବାକୁ ରାସ୍ତା ଖୋଜି ପାଇବନାହିଁ ।

 

ସେତେବେଳକୁ ଦୁହେଁ ଷ୍ଟେସନ୍‍ବଜାର ଛାଡ଼ି ଗାଁ ଆଡ଼କୁ ଆଗେଇଲେଣି । ଅନ୍ୟ ଯାତ୍ରୀମାନେ ଯେଝା ଘରକୁ ଯେଝାର ବାଟଭାଙ୍ଗି କିଏ କୁଆଡ଼େ ଅଦୃଶ୍ୟ ହେଲେଣି । କେବଳ ତାରା ଓ ସେ ଲୋକଟି ଗୋଟିଏ ନାଲି ସଡ଼କରେ ଆଗେଇଛନ୍ତି । ସେତେବେଳକୁ ତାରା ଜାଣିଲାଣି ଯେ ତା’ ସାଙ୍ଗଲୋକଟିର ଘର ଶାଳବଣି । ନାଁ ତାଙ୍କର ଅବିନାଶ । ବ୍ୟବସାୟ ଚାଷଧନ୍ଦା । ସେ ମଧ୍ୟ ସାଧାରଣ ଚାଷୀ ନୁହଁନ୍ତି; ବେଶ୍ ଜଣେ ମଧ୍ୟବିତ୍ତଚାଷୀ । ଯୁଦ୍ଧଯୋଗୁଁ ଫସଲର ଦାମ ବଢ଼ିବାରୁ ଚାଷରୁ ଦିପ‌ଇସା ଭଲ ରୋଜଗାର କରୁଛନ୍ତି । ତା’ ଛଡ଼ା ତାଙ୍କର ପୁରୁଣା ତେଜରାତି ଦୋକାନଟି କଣ୍ଟ୍ରୋଲ ଦୋକାନରେ ପରିଣତ ହେଲାଦିନୁ ତାଙ୍କର ପ୍ରଭାବ ପ୍ରତିପତ୍ତି ସେ ଗାଁ ତଥା ଆଖପାଖ ଗାଁମାନଙ୍କରେ ବେଶ୍ ବଢ଼ିଯାଇଛି । ଦୁଇପୁଅ ତାଙ୍କର । ବଡ଼ପୁଅଟି ବିବାହିତ । ସେ ଦୋକାନ ବୁଝେ । ତା’ର ଦୁଇଟି ପିଲା । ସାନପୁଅଟି ମେଦିନୀପୁର କଲେଜରେ ପଢ଼େ । ଏସବୁ ଇତିହାସକୁ ଯୋଡ଼ି ତାରା ଧରିନେଲା ଯେ ଅବିନାଶ ନକହି ଏଣିକି ଅବିନାଶବାବୁ କହିବାକୁ ହେବ । ବୟସ୍କ ସମ୍ଭ୍ରାନ୍ତ, ଧନୀ ଭଦ୍ରଲୋକ । କିନ୍ତୁ ତାରା ତାଙ୍କର ସାଧାରଣ ଧୋତି ଓ ଫତେଇରୁ ପ୍ରଥମରୁ ଏତେଗୁଡ଼ାଏ ଖବର ସଂଗ୍ରହ କରିବାକୁ ସମର୍ଥ ହୋଇପାରି ନଥିଲା ।

 

ତାରା ଅବିନାଶବାବୁଙ୍କୁ କହିଲା ଯେ ସେ କଲିକତାରୁ ଆସିଛି । ଘରେ ବାପା ମା’ଙ୍କ ଉପରେ ରାଗି ସେ ଚାଲିଆସିଛି । ଆଉ ଘରକୁ ଫେରିବନାହିଁ ବୋଲି ମନସ୍ଥ କରିଛି । ସେ ବି.ଏ. ପାସ୍‍ କରିଛି । କେଉଁଠି ହେଲେ ଖଣ୍ଡେ ଚାକିରି କରି ପେଟ ପୋଷିବ ପଛକେ ଆଉ ଘର ନାଁ ଧରିବନାହିଁ । ତାରା ଅବିନାଶବାବୁଙ୍କ ଆଗରେ ଯେପରି ଆତ୍ମସମର୍ପଣ କରିଦେଲା । ଅବିନାଶବାବୁ ମଧ୍ୟ ତାରାକୁ ଦେଖିଲାବେଳଠାରୁ କାହିଁକି ପ୍ରୀତ ହୋଇଯାଇଥିଲେ । ତାରାର ଚେହେରା, ଚାଲିଚଳନ, କଥାବାର୍ତ୍ତା ଲକ୍ଷ୍ୟ କରି ସେ ବୁଝିଲେ ଯେ ତାରା ଯାହା କହୁଛି ସେଇଟା ପୂରା ସତ । ବଡ଼ଲୋକ ଘର ପିଲା ନିଶ୍ଚୟ । ରାଗ-ରୋଷରେ ବାପ ମା’ଙ୍କ ପାଖରୁ ପଳେଇଆସିଛି । ରାଗ କମିଲେ ଆଉ ବେଳ ଆସିଲେ ପୁଣି ଘରପୁଅ ଘରକୁ ଫେରିଯିବ । ଏମିତି କେତେ ହୁଏ । ଅବିନାଶବାବୁ ଏପରି କେତେ ଘଟଣା ଜାଣିଛନ୍ତି ।

 

ସେ ତାରାକୁ ଅଭୟ ଦେଲେ । କହିଲେ, “ଶିକ୍ଷିତ ଲୋକ, ତୁମକୁ କ’ଣ ପେଟ ପୋଷିବାକୁ ଚାକିରିଟାଏ ମିଳିବନାହିଁ ।” ଅବିନାଶ ତାରାକୁ ଆପଣ ଛାଡ଼ି ଏଇ ଅଳ୍ପକେତେ ମିନିଟ୍ ଭିତରେ ତୁମେ କହିବା ଶୁଣି ତାରା ଯେତିକି ଆଶ୍ଚର୍ଯ୍ୟ ହୋଇଛି, ଖୁସି ହୋଇଛି ବୋଧହୁଏ ତା’ଠାରୁ ଅଧିକ । ‘ତୁମେ’ ହେଲା ସ୍ନେହ ଓ ଆତ୍ମୀୟତାର ପ୍ରତୀକ । ଅବିନାଶବାବୁ କହିଚାଲିଛନ୍ତି–“ହଉ, ତୁମେ ତ ଶାଳବଣି ଗାଁକୁ ଆସିଛ । ସେହି ଶାଳବଣିରେହିଁ ରହିବ । ମୋ’ରି ଘରେ ରହିବ । ଯେତେଦିନ ଯାଏଁ ଚାକିରି-ବାକିରି ନ ଯୁଟିଛି ଓ ତୁମେ ତୁମର ନିଜର ସଂସ୍ଥାନ କରି ନପାରିଛ ସେତେଦିନ ପର୍ଯ୍ୟନ୍ତ ମୋ ଘରେ ତୁମର ନିଶ୍ଚିନ୍ତ ଆସନଟିଏ ରହିଲା ।”

 

ତାରା ଏ ଅପ୍ରତ୍ୟାଶିତ ଆଶ୍ରୟ ଓ ଅଯାଚିତ ଆତିଥ୍ୟରେ ଏକେବାରେ ମୁଗ୍ଧ ହୋଇଗଲା ଏବଂ ଅବିନାଶଙ୍କ ପ୍ରସ୍ତାବରେ ସମ୍ମତି ଦେଲା । ଅବିନାଶ କହିଚାଲିଲେ–“ବଡ଼ପୁଅ ଯୋଗେଶର ସାତବର୍ଷ ନଅବର୍ଷର ଦୁଇଟି ପୁଅ, ଗାଁ ସ୍କୁଲ୍‍ରେ ପଢ଼ୁଛନ୍ତି । ସେ ଦୁହିଁଙ୍କୁ ଟିକିଏ ଦେଖିବ । ଆଉ ଆମ ଗାଁ ମାଇନର୍‍ ସ୍କୁଲ୍‍ରେ ମଧ୍ୟ ହେଡ଼୍‌ମାଷ୍ଟର ଚାକିରିଟା ଖାଲି ପଡ଼ିଛି । ହେଡ଼୍‍ମାଷ୍ଟର ମାସେହେବ ଯୁଦ୍ଧବିଭାଗରେ ଚାକିରି ପାଇ ଚାଲିଯିବାରୁ ତାଙ୍କ ଜାଗାରେ କେହି ରହିନାହାନ୍ତି । ତୁମେ ଯଦି କହିବ, ତେବେ ତୁମକୁ ସେଇଠି ରଖିଦେବା । ଗାଁ ଲୋକେ ମୋତେ ସେ ସ୍କୁଲ୍‍ର ସେକ୍ରେଟେରୀ କରିଛନ୍ତି । ମୋର କିନ୍ତୁ ସ୍କୁଲ୍‍କଥା ବୁଝିବାକୁ ଫୁରୁସତ୍ ହେଉନାହିଁ । ଯେତେବେଳେ ଟଙ୍କା-ପଇସାର ଅଭାବ ପଡ଼େ ସେମାନେ ମୋ’ଠାରୁ ଆସି ନେଇଯାଆନ୍ତି । ମୁଁ ତୁମକୁ ହେଡ଼୍‍ମାଷ୍ଟର ହିସାବରେ ରହିବାକୁ କହିଲେ ସେମାନେ ବୋଧହୁଏ କେହି ଆପତ୍ତି କରିବେନାହିଁ ।”

 

ତାରା ଅବିନାଶବାବୁଙ୍କଠାରୁ ଏଗୁଡ଼ାକ ଏତେ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହୋଇଗଲା । ସତେ କ’ଣ ତା’ର ଅଲକ୍ଷ୍ୟରେ କୌଣସି ଅଦୃଶ୍ୟ ହାତର ଇଙ୍ଗିତରେ ତା’ପାଇଁ ଏତେ ସୁବିଧା ସଜାହୋଇ ରହିଆସୁଛି । ସେ ଆଉ କଥା କହିପାରିଲାନାହିଁ । ଆନନ୍ଦରେ ଆଖିରୁ ଦି’ଟୋପା ଲୁହ ଗଡ଼ିପଡ଼ିଲା ।

 

ଘଣ୍ଟାକ ପୂର୍ବରୁ ଝାଡ଼ଗ୍ରାମଠାରେ ଗାଡ଼ିରୁ ଓହ୍ଲେଇଲାବେଳେ ଏତେ ଶୀଘ୍ର ଏତେଗୁଡ଼ାଏ ଆୟୋଜନ ତା’ପାଇଁ ହୋଇଯିବ ବୋଲି ତାରା କଳ୍ପନା ସୁଦ୍ଧା କରି ନଥିଲା ।

 

ତାରା ଝାଡ଼ଗ୍ରାମ ଅଞ୍ଚଳର ଶାଳବଣି ଗ୍ରାମ ମାଇନର୍‍ ସ୍କୁଲ୍‍ର ହେଲା ହେଡ଼୍‍ମାଷ୍ଟର । ଲୋକେ ଡାକିଲେ “ମାଷ୍ଟର ମଶାୟ ।”

Image